ରାୟଗଡ଼ା ରେ ଗଡ଼ିଲା ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ରଥ !

!!! ରାୟଗଡ଼ା ଜିଲ୍ଲା ରୁ ରାୟଗଡ଼ା ଉପଖଣ୍ଡ ପ୍ରତିନିଧି ପି. ଦିଲ୍ଲୀପ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ରାୟଗଡ଼ା) – ପୋଷ୍ୟ ସନ୍ତାନ ଗ୍ରହଣ ସଚେତନତା ସପ୍ତାହ ପାଳନ ଅବସରରେ ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପରିସରରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଆନୁକୁଲ୍ୟରେ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ସଚେତନତା ରଥକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଅମୃତ ଋତୁରାଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥର ଉଦ୍ଦେଶ୍ୟ ହେଲା ଯେଉଁ ମାନେ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଛାପ୍ରକାଶ କରୁଛନ୍ତି ସେମାନେ ଅନଲାଇନ ମାଧ୍ୟମରେ ଆଇନଗତ ଭାବେ ପୋଷ୍ୟ ସନ୍ତାନ ଗ୍ରହଣ କରି ପାରିବେ ସେହି ବିଷୟରେ ଗୋଷ୍ଠୀ ସ୍ତରରେ ଜନ ସଚେତନତା ସୃଷ୍ଟି କରିବା ଏହାର ମୂଳ ଉଦେ୍ଧଶ୍ୟ । ଏକ ଅସହାୟ ଶିଶୁକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ନିଜେ ପିତୃତ୍ୱ ଭାବନାର ଜାଗ୍ରତ କରାଇବା ସହ ଉକ୍ତ ପୋଷ୍ୟ ଶିଶୁଟିକୁ ଏକ ନୂତନ ଜୀବନ ପ୍ରଦାନ କରି ତାହାର ଭବିଷ୍ୟତ ଉଜ୍ୱଳ କରିବା । ଏହି ଅବସରରେ ରାୟଗଡ ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଆଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଆଦିପତି କହଁର, ଜିଲ୍ଲା ବାଲ୍ୟ ବିବାହ ନିଷେଧ ସଂଯୋଜକ ରତ୍ନେଶ୍ୱର ସାହୁ, ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତା , ସରକାରୀ ଅଧିକାରୀ, ଓ ବେସରକାରୀ ସଂସ୍ଥାର କର୍ମକର୍ତା ମାନେ ଏହି ସଚେତନତା ରଥ ଉଦ୍ଧଘାଟନରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଏହି ରଥ ଆଗମୀ ୨୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୧୮୨ ଟି ଗ୍ରାମ ପଂଚାୟତ, ୨ ଟି ବିଜ୍ଞାପିତ ଅଂଚଳ ପରିଷଦ ଓ ରାୟଗଡ ମୁ୍ୟନିସିପାଲିଟି ଅଂଚଳରେ ସଚେତନତା ସୃଷ୍ଟି କରିବ ।

ବାଲିଗୁଡ଼ା ପୋଲିସ ପକ୍ଷରୁ ବିଭିନ୍ନ ଗାଁ ଚଢ଼ାଉ କରି ୧୫୦ ଏକର ଗଞ୍ଜେଇ ନଷ୍ଟ…!

!!! କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ରୁ ପ୍ରତିନିଧି ପ୍ରୋମଦ ମଲିକ ଙ୍କ ସହ ସଂଜୀବ ଦିଗାଲ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲିଗୁଡ଼ା) – କନ୍ଧମାଳ ଜିଲ୍ଲା ବ୍ଲକ ଅନ୍ତର୍ଗତ ବରଖମା ଗ୍ରାମ ପଞ୍ଚାୟତ ର ଜୁନା ଗାଁ, କଟାପାଙ୍ଗ, ସୁନ୍ଦରମିଲା ଗାଁ ଗୁଡିକ ରେ ବାଲିଗୁଡା ପୋଲିସ ଏବଂ ଅବକାରୀ ବିଭାଗ ମିଳିତ ଭାବ ରେ ଚଢ଼ାଉ କରି ୧୫୦ ଏକର ଗଞ୍ଜେଇ ଗଛ ଗୁଡିକ ଜାଳି ନଷ୍ଟ କରିଛନ୍ତି । ବାଲିଗୁଡା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଙ୍କ ନେତୃତ୍ୱ ରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି ।ବାହାର ଜିଲ୍ଲା ର କିଛି ଗଞ୍ଜେଇ ମାଫିଆ ମାନେ ଏହି ଗାଁ ଗୁଡିକ ରେ ରହି ସେହି ଅଞ୍ଚଳ ର ଶିକ୍ଷିତ ବେକାର ଯୁବକ ଙ୍କୁ ଟଙ୍କା ର ଲୋଭ ଦେଖାଇ ଗଞ୍ଜେଇ ବେପାର କରିବା କୁ ପ୍ରବର୍ତ୍ତାଉ ଥିବା କୁହାଯାଉଛି। ନଷ୍ଟ କରାଯାଇ ଥିବା ଗଞ୍ଜେଇ ର ଆନୁମାନିକ ମୂଲ୍ୟ ପନ୍ଦର କୋଟି ଟଙ୍କା ହେବା ଆକଳନ କରାଯାଇଛି । ଜିଲ୍ଲା ରେ ହେଉ ଥିବା ଗଞ୍ଜେଇ ଚାଷ କୁ ମୂଳ ରୁ ନଷ୍ଟ କରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତୀକ ସିଂ ଏହାର ତଦାରଖ କରୁଥିବା ସୂଚନା ମିଳିଛି ।

ଭୀମ ଶଙ୍କର ଠିକାଦାର ସଂଘ ର କାର୍ଯ୍ୟବନ୍ଦ ଆନ୍ଦୋଳନ…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ପରିବହନ ଅନୁମତି ପତ୍ର ଓ ରୟାଲିଟି ରସିଦ ଦାଖଲ ନିର୍ଦେଶ ର ତୁରନ୍ତ ପ୍ରତ୍ୟାହାର ଦାବୀରେ ନିଖିଳ ଓଡିଶା ଠିକାଦାର ମହାସଂଘ ଆହ୍ୱାନ କ୍ରମେ ଭୀମ ଶଙ୍କର ଠିକାଦାର ସଙ୍ଘ ଗୁଣପୁର ୧୮ ସେପ୍ଟେମ୍ବର ତାରିଖ ଠାରୁ କାର୍ଯ୍ୟ ବନ୍ଦ ଆନ୍ଦୋଳନ କରିଛନ୍ତି । ସଙ୍ଘ ପକ୍ଷରୁ ଏକ ଶୋଭାଯାତ୍ରା ପୁରୁଣା ବାସ ଷ୍ଟାଣ୍ଡ ଠାରୁ ବାହାରି ବିଭିନ୍ନ ସ୍ଲୋଗାନ ଦେଇ ଉପଜିଲ୍ଲାପାଳ ଙ୍କ ଅଫିସ ଠାରେ ପହଞ୍ଚିଥିଲା । ଏଠାରେ ସଙ୍ଘ ପକ୍ଷରୁ ମହମାନ୍ୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୦ ଦଫା ସମ୍ବଳିତ ଏକ ଦାବିପତ୍ର ଉପଜିଲ୍ଲାପାଳ ଙ୍କ ଜରିଆରେ ପ୍ରେରଣ କରାଯାଇଛି ।ଏଥିରେ ସଙ୍ଘ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲଟି ରସିଦ ଦାଖଲ ନିର୍ଦେଶର ପ୍ରତ୍ୟାହାର, ସିଡ୍ୟୁଲ ରେଟର ପୁନଃ ଆକଳନ,ତେଲେଙ୍ଗାନା ସରକାର ଙ୍କ ନୀତି ଅନୁଯାୟୀ ଜି ଏସ ଟି ପାଇଁ ୧୦% ଅଧିକ ପ୍ରାପ୍ୟ ପ୍ରଦାନ ଭାରତ ସରକାର ଙ୍କ ଷ୍ଟାଣ୍ଡଡ ଡାଟା ବ୍ଲକ ଓ ଟେଣ୍ଡେର୍ ନିୟମାବଳୀ ର ତୁରନ୍ତ ପ୍ରଚଳନ, ଓଡିଶା ସରକାର ଙ୍କ ବିଭନ୍ନ କାର୍ଯ୍ୟ ରେ ୧୪.୯୯ର ସମ୍ପୂର୍ଣ୍ଣ ପ୍ରତ୍ୟାହାର,ବାହ୍ୟ ସର୍ତ୍ତ ବ୍ୟତୀତ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ ପ୍ରଦାନ,ପୂର୍ବ ବ୍ୟବସ୍ଥା ଅନୁଯାୟୀ ସଞ୍ଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ ଭଳି ଦାବୀମାନ ଉଲ୍ଲେଖ କରାଯାଇଛି । ଉକ୍ତ ଦାବୀମାନ ପୂରଣ ନହେବା ପର୍ଯ୍ୟନ୍ତ ଠିକାଦାର ମାନେ କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ଚାଲୁ ରଖିବେ ବୋଲି ସଂଘ ସଭାପତି ଜୀବନ କିଶୋର ସାହୁ କହିଛନ୍ତି ।

ଗଜପତି ଜିଲ୍ଲା ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣୀ…!

!!! ଗଜପତି ଜିଲ୍ଲା ରୁ ପାରଳାଖେମୁଣ୍ଡି ଟାଉନ ପ୍ରତିନିଧି ଅନିତା କୁମାରୀ ଅଧିକାରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ଅନ୍ତର୍ଗତ ନୂଆଗଡ ବ୍ଳକର ସମ୍ବଲପୁର ଗ୍ରାମ ପଞ୍ଚାୟତରେ ଜଣ ସାଧାରଣଙ୍କ ନିମନ୍ତେ ଯୁଗ୍ମ ଜନ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁଗ୍ମ ଜନ ଶୁଣାଣୀରେ ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ସମେତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଉପସ୍ଥିତ ରହି ଜନ ସାଧାରଣଙ୍କର ମୋଟ୧୨୩ ଗୋଟି ଅଭିଯୋଗ ଶୁଣାଣୀ କରିଥିଲେ। ସେଥି ମଧ୍ୟରୁ ୯୬ ଗୋଟି ବ୍ୟକ୍ତି ଗତ ଅଭିଯୋଗ ହୋଇଥିବା ବେଳେ ୨୭ ଗୋଟି ଗୋଷ୍ଠୀଗତ ଅଭିଯୋଗ ରହିଥିଲା।ଏହି ଅଭିଯୋଗ ଶୁଣାଣୀରେ ମୋଟ ୪ ଗୋଟି ଦରଖାସ୍ତ ଦାତାଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କ ସାହାଯ୍ୟ ପାଣ୍ଠିରୁ ୨୪ ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ଅଭିଯୋଗ ଶୁଣାଣୀରେ ନୂଆଗଡ ବ୍ଲକ ଚେୟାରମ୍ୟାନ୍ ଗୁଡ୍ ବାୟୀ ମଣ୍ଡଳଙ୍କ ସମେତ ଜିଲ୍ଲା ପରିଷଦ ସଭ୍ୟା ମଧ୍ୟ ଉପସ୍ଥିତ ଥିଲେ। ତତ୍ ସଙ୍ଗେ ସଙ୍ଗେ ନୂଆଗଡ ବିଡ଼ିଓଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।