ପୋଲିସ ଗାଡ଼ି ଅଟକାଇ ପବ୍ଲିକ କଲେ ଚେକିଂ, ଭୁବନେଶ୍ଵର ରାଜମହଲ ଛକ ସିଲ୍ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଟ୍ରାଫିକ ଫାଇନକୁ ନେଇ ପୋଲିସ ଜନତା ମୁହାଁମୁହିଁ। ଭୁବନେଶ୍ଵରସ୍ଥିତ ରାଜମହଲ ଛକଠାରେ ୩ଟି ସରକାରୀ ଗାଡ଼ିକୁ ଅଟକାଇ କାଗଜପତ୍ର ମାଗି ଥିଲେ ଲୋକେ। ପିସିଆର ଭ୍ୟାନର ପ୍ରଦୂଷଣ ସାର୍ଟିଫିକେଟ ନଥିବାରୁ ରାସ୍ତା ଉପରେ ଭ୍ୟାନକୁ ଛାଡ଼ି ନଥିଲେ ଲୋକେ। ପରିସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠିଚାର୍ଜ ଆରମ୍ଭ କରିଛି।

ନୂଆ ଟ୍ରାଫିକ ଫାଇନରେ ଅସନ୍ତୁଷ୍ଟ ଲୋକେ ଆଜି ପୋଲିସ ଉପରେ ରାଗ ସୁଜାଇଛନ୍ତି। ରାଜମହଲ ଛକଠାରେ ଚେକିଂ କରୁଥିବା ପିସିଆର ଭ୍ୟାନକୁ ପ୍ରଦୂଷଣ ସାର୍ଟିଫିକେଟ ମାଗିବା ସହ ମୋ ବସ ଓ ବିଏମସି ଗାଡ଼ିକୁ ମଧ୍ୟ ଅଟକାଇଥିଲେ। ଗାଡ଼ିରେ ସିଟ ବେଲ୍ଟ ଓ କାଗଜ ପତ୍ର ନଥିବା ଲୋକ ଅଭିଯୋଗ କରିଥିଲେ।

ପରେ ଲୋକ ପିସିଆର ଭ୍ୟାନକୁ ଅଟକ ରଖିବା ସହ ରାଜମହଲ ଛକ ଅବରୋଧ କରିଥିଲେ। ପରିସ୍ଥିତି ଅଣାୟତ୍ତ ହେବାରୁ ଘଟଣାସ୍ଥଳରେ ପୋଲିସ ମୃଦୁ ଲାଠିଚାଳନା କରିଥିଲା। ଘଟଣା ସ୍ଥଳରେ ପୋଲିସ କମିଶନର ସୁଧାଂଶୁ ଶେଖର ଷଡ଼ଙ୍ଗୀ ପହଞ୍ଚିଛନ୍ତି। ଏହାସହ ମିୟମକୁ ମାନିବାକୁ ଲୋକମାନଙ୍କୁ ଅପିଲ କରିଥିଲେ।

ରାଜମହଲ ଛକ ରାଜଧାନୀର ପ୍ରମୁଖ ଛକ। ଯାହାକି ଅବରୋଧ ଯୋଗୁଁ ଘଣ୍ଟା ଘଣ୍ଟା ଧରି ବନ୍ଦ ହୋଇ ପଡ଼ିଥିଲା। ଲୋକଙ୍କ ଆକ୍ରୋଶ ବଢ଼ିବାରୁ ବାଧ୍ୟ ହୋଇ ପୋଲିସ ମୃଦୁ ଲାଠିଚାଳନା କରି ଉତ୍ୟକ୍ତ ଲୋକଙ୍କୁ ଘଢ଼ାଇଛି। ବର୍ତ୍ତମାନ ଘଟଣାସ୍ଥଳରେ ସ୍ଥିତି ନିୟନ୍ତ୍ରଣ ହେବାକୁ ଲାଗିଛି।

ଶବ୍ଦ ପ୍ରଦୂଷଣ ଅଭିଯୋଗ ; ୨ ଡିଜେ ଗାଡି ଜବତ ୪୪ ହଜାର ୫ ଶହ ଟଙ୍କା ଜରିମାନା…!

ଏଥର ସମ୍ଭାଳ (ଆସିକା) – ଆସିକା ଥାନା ଇଲାକାରେ ବେଆଇନ ଭାବେ ଶବ୍ଦ ପ୍ରଦୂଷଣ କରୁଥିବା ଅଭିଯୋଗରେ ୨ଟି ଡିଜେ ଗାଡିକୁ ଶୁକ୍ରବାର ପୋଲିସ ଜବତ କରିଛି। ଏ ନେଇ ଦୁଇଟି ମାମଲା ରୁଜୁ ହୋଇଛି। ଆସିକା ଏନ୍‌ଏସି ବାଣୀବିହାର ଏବଂ କାଳଷଣ୍ଢପୁର ଗ୍ରାମରେ ଭସାଣି ଶୋଭାଯାତ୍ରାରୁ ପୋଲିସ ଏହାକୁ ଜବତ କରିଛି। ନଂ.୬୪/୧୯ରେ ଡିଜେ ମାଲିକ ପବିତ୍ର କୁମାର ବେହେରା ଏବଂ ନଂ.୬୫/୧୯ରେ ସୁଶାନ୍ତ କୁମାର ବେହେରାଙ୍କ ନାମରେ ଆସିକା ଥାନାରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି। ଅପରପକ୍ଷେ ଡିଜେ ବୋହି ନେଉଥିବା ପିକଅପ୍‌ ଭ୍ୟାନଗୁଡିକର କାଗଜପତ୍ର ଯାଞ୍ଚ କରି ନୂତନ ଟ୍ରାଫିକ୍‌ ନିୟମ ଅନୁସାରେ ଗୋଟିଏ ଗାଡିକୁ ୩୭ ହଜାର ଓ ଅନ୍ୟଏକ ଗାଡିକୁ ୭ ହଜାର ୫ଶହ ଟଙ୍କା ଜରିମାନା କରାଯିବା ସହ ସମ୍ପୃକ୍ତ ଗାଡିକୁ ଜବତ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।