ଗୁଣୁପୁର ଠାରେ ବହୁ ଆଡ଼ମ୍ବର ସହକାରେ ୭୩ ତମ ସ୍ଵାଧୀନତା ଦିବସ ପାଳନ…!

!!! ଦକ୍ଷିଣ ଓଡ଼ିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ବହୁ ଆଡମ୍ବର ସହକାରେ ୭୩ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବ ରେ ସ୍ଥାନୀୟ ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଧୋର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ଼ ପରିଦର୍ଶନ ଓ ସମ୍ମିଳିତ ପ୍ୟାରେଡ଼ ର ଅଭିବାଦନ ଗ୍ରହଣ କରିଥିଲେ । ଉକ୍ତ ଉତ୍ସବ ରେ ସ୍ଥାନୀୟ ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ , ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ , ସ୍ଥାନୀୟ ପୋଲିସ କତୃପକ୍ଷ ଙ୍କ ସମେତ ଗୁଣପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରଶ୍ମି ରାଣୀ ନିମାକା ପ୍ରମୁଖ ଉପସ୍ଥିତ ରହିଥିଲେ ।

ଉକ୍ତ ପ୍ୟାରେଡ଼ ରେ ଗୁଣପୁର ମହା ବିଦ୍ୟାଳୟ ଏନ.ସି.ସି , ବାଳକ ଉଚ୍ଚ ବିଦ୍ୟାଳୟ ଏନ.ସି.ସି , ବାଳିକା ଉଚ୍ଚ ବିଦ୍ୟାଳୟ ଏନ.ସି.ସି , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଜଗନ୍ନାଥ ପବ୍ଲିକ ସ୍କୁଲ , ବିଦ୍ୟାନିକେତନ ପବ୍ଲିକ ସ୍କୁଲ ଏବଂ ସାଧୁ ପାଉଲ ବିଦ୍ୟାଳୟ ର ସ୍କାଉଟ୍ ପିଲାମାନେ ଯୋଗ ଦେଇ ନିଜ ନିଜ ପ୍ୟାରେଡ଼ ପରିବେଷଣ କରିଥିଲେ ।

ପ୍ୟାରେଡ଼ ପରିବେଷଣ କରୁଥିବା ଗ୍ରୁପ ମାନଙ୍କ ମଧ୍ୟରୁ ସର୍ବତ୍ତୋମ ଗ୍ରୁପ ଭାବେ ଗୁଣପୁର ମହାବିଦ୍ୟାଳୟ ଗ୍ରୁପ କୁ ପ୍ରଥମ ସ୍ଥାନ , ବାଳିକା ଉଚ୍ଚ ବିଦ୍ୟାଳୟ ଗୁଣପୁର କୁ ଦ୍ବିତୀୟ ସ୍ଥାନ ଏବଂ ବାଳକ ଉଚ୍ଚ ବିଦ୍ୟାଳୟ ଗୁଣପୁର କୁ ତୃତୀୟ ସ୍ଥାନ ଅଧିକାର କରିଥିବା ଘୋଷଣା କରାଯାଇଛି ।

ଆଜି ସଂଧ୍ୟା ୬ଟା ରେ ସ୍ଥାନୀୟ ଟାଉନ ହଲ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବା ର କାର୍ଯ୍ୟକ୍ରମ ରହିଛି ।

ପ୍ରଧାନମନ୍ତ୍ରୀ ମୋଦୀ :- ରାଜନୀତିରେ କିଏ ଆସିବ,କିଏ ଯିବ; କିନ୍ତୁ ଦେଶର ସ୍ୱାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ରାଜନୀତିରେ କିଏ ଆସିବ, ଯିବ କିନ୍ତୁ ଦେଶର ସ୍ୱାର୍ଥ ନିମିତ୍ତ ନିଆଯାଇଥିବା ପଦକ୍ଷେପ ସବୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ୭୩ତମ ସ୍ୱାଧୀନତା ଦିବସ ଅବସରରେ ଲାଲ୍‌କିଲା ପ୍ରାଚୀର ଉପରେ ଜାତୀୟ ପତାକା ଉତ୍ତୋଳନ କରି କହିଛନ୍ତି । ରକ୍ଷାବନ୍ଧନ ଉପଲକ୍ଷେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଦେଶର ବନ୍ୟାପ୍ଳାବିତ ଅଞ୍ଚଳର ଲୋକମାନଙ୍କ ପାଇଁ ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଲେ ଯେ ଆଜି ଆମେ ସ୍ୱାଧୀନତା ଦିବସ ପାଳୁଥିବା ବେଳେ ଦେଶର କେତେକ ଅଞ୍ଚଳରେ ବନ୍ୟା ଯୋଗୁଁ ଆମର ଅଧିକାଂଶ ନାଗରିକ ଦୁର୍ଦ୍ଦଶା ଭୋଗୁଛନ୍ତି। ଆମେ ବନ୍ୟା ଦୁର୍ଗତଙ୍କ ଦୁଃଖରେ ଠିଆ ହୋଇଛୁ । ୭୩ତମ ସ୍ୱାଧୀନତା ଦିବସ ଅବସରରେ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସ୍ମରଣ କରିଛନ୍ତି ପ୍ରଧାନମନ୍ତ୍ରୀ। ଦ୍ୱିତୀୟ ପାଳିରେ କ୍ଷମତାକୁ ଆସିବାର ୧୦ ସପ୍ତାହ ମଧ୍ୟରେ ସରକାର ଗ୍ରହଣ କରିଥିବା ପଦକ୍ଷେପ ଉପରେ ପ୍ରଧାନମନ୍ତ୍ରୀ ମୋଦୀ ଆଲୋକପାତ କରି କହିଲେ କି, ସ୍ୱଳ୍ପ ସମୟ ଅବଧି ମଧ୍ୟରେ ଦେଶର ମଙ୍ଗଳ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଧାରା ୩୭୦ ଏବଂ ୩୫-କ ଉଚ୍ଛେଦ ହେଉଛି ସର୍ଦାର ପଟେଲଙ୍କ ସ୍ୱପ୍ନକୁ ସାକାର କରିବା ଦିଗରେ ଅଗ୍ରସର ହେବା। ଧାରା ୩୭୦ ସମସ୍ୟାକୁ ଆମେ ତା’ ବାଟରେ ଛାଡ଼ି ଦେଇ ନାହୁଁ କି, ସମସ୍ୟାର ସମାଧାନ ପାଇଁ ବିଳମ୍ବ କରି ନାହୁଁ। ଗତ ୭୦ ବର୍ଷରେ ଉଚ୍ଛେଦ କରାଯାଇ ପାରି ନ ଥିବା ଧାରା ୩୭୦କୁ ଆମ ସରକାର ଉଚ୍ଛେଦ କରିବାକୁ ନିଷ୍ପତ୍ତି ଗ୍ରହଣ କରିଥିଲା । ଗୋଟିଏ ଦେଶ, ଗୋଟିଏ ସମ୍ବିଧାନ । ଜମ୍ମୁ ଓ କଶ୍ମୀର ଏବଂ ଲଦାଖର ପୁରୁଣା ବ୍ୟବସ୍ଥା ଦୁର୍ନୀତି ଓ ପରିବାରବାଦକୁ ଉତ୍ସାହିତ କରୁଥିଲା। ମହିଳା, ଶିଶୁ, ଦଳିତ ଏବଂ ଜନଜାତି ସଂପ୍ରଦାୟଙ୍କ ଅଧିକାର ପ୍ରତି ଅନ୍ୟାୟ ହେଉଥିଲା। ଆମେ କେମିତି ଏଭଳି ପରିସ୍ଥିତିକୁ ଗ୍ରହଣ କରି ଥାଆନ୍ତେ। ଯଦି ଧାରା ୩୭୦ ଏଡ଼େ ଗୁରୁତ୍ୱପୂର୍ଣ୍ଣ ତେବେ ତାହାକୁ ସ୍ଥାୟୀ କରାଯାଇ ନ ଥିଲା କାହିଁକି। ତିନ୍‌ ତଲାକ୍‌କୁ ଅପରାଧ ଘୋଷଣା କରାଯିବା କଥା ମଧ୍ୟ ସେ କହିଥିଲେ। ତିନ୍‌ ତଲାକ୍‌ର ଭୟ ଆମ ଦେଶର ମୁସଲମାନ ମହିଳାଙ୍କୁ ସବୁବେଳେ ଅନୁଧାବନ କରୁଥିଲା। ସ୍ମରଣ କରନ୍ତୁ ତିନ୍‌ ତଲାକ୍‌ ଯୋଗୁଁ ଦୁଃଖ ଭୋଗୁଥିବା ମୁସଲମାନ ମହିଳାମାନେ କେତେ ପବିତ୍ର, କିନ୍ତୁ ଆମେ ଏହି ପ୍ରଥାର ଅବସାନ ଘଟାଇଲୁ। ଯଦି ସତୀ ଏବଂ ଯୌତୁକ ପ୍ରଥା ନିଷିଦ୍ଧ ହୋଇ ପାରିଲା ତିନ୍‌ ତଲାକ୍‌ କାହିଁକି ନ ହେବ। ସେଥିପାଇଁ ଆମେ ଏହାକୁ ଅପରାଧିକ ଘୋଷଣା କଲୁ। ୨୦୧୯-୨୦୨୪ ସମୟ ଅବଧି ହେଉଛି ଦେଶର ଆକାଂକ୍ଷା ପୂରଣ କରିବାର ସମୟ । ଗତ ପାଞ୍ଚ ବର୍ଷ ମଧ୍ୟରେ ଆମେ ଚଳିବାରେ ଉନ୍ନତି କରାଇବାରେ ଉଦ୍ୟମ କରିଥିଲେ । ଆଗାମୀ ପାଞ୍ଚ ବର୍ଷ ଆମକୁ କଠୋର ପରିଶ୍ରମ କରିବାକୁ ପଡ଼ିବ।
ଜଳ ସଂରକ୍ଷଣ ସମ୍ବନ୍ଧରେ ପ୍ରଧାନମନ୍ତ୍ରୀ କହିଲେ କି, ଜଳ ସଂରକ୍ଷଣ କଥା ଦେଶ ସମ୍ପୂର୍ଣ୍ଣ ଭାବେ ବୁଝିଛି ଏବଂ ସେଥିପାଇଁ ‘ଜଳଶକ୍ତି’ ନାମରେ ମନ୍ତ୍ରାଳୟ ଖୋଲାଯାଇଛି। ଆହୁରି ଲୋକାଭିମୁଖୀ ସ୍ୱାସ୍ଥ୍ୟ ସେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି । ସେ କହିଲେ କି, ଲୋକଙ୍କ ଅନୁଭବ ବୁଝିବାକୁ ମୁଁ ୨୦୧୩-୧୪ ନିର୍ବାଚନ ପୂର୍ବରୁ ସମଗ୍ର ଦେଶ ବୁଲିଲି। ସମସ୍ତଙ୍କ ମୁହଁରେ ହତାଶା ଥିଲା, ଲୋକେ ଭାବୁଥିଲେ ଏ ଦେଶ କ’ଣ ବଦଳିବ? ଷଷ୍ଠ ଥର ଲାଲ୍‌ କିଲ୍ଲାରେ ତ୍ରିରଙ୍ଗ ପତାକା ଉତ୍ତୋଳନ କଲେ ମୋଦୀ ଓ ରାଜଘାଟରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

ଭାରତର ତିନି ସଶସ୍ତ୍ର ବାହିନୀ ପାଇଁ ରହିବେ ‘ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌’ !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଭାରତୀୟ ସେନା, ଭାରତୀୟ ନୌସେନା ଏବଂ ଭାରତୀୟ ବାୟୁସେନାର ଅଭିଯାନରେ ସମନ୍ଵୟ ରକ୍ଷା କରିବାକୁ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ପଦବୀ ସୃଷ୍ଟି କରାଯିବ ବୋଲି ଗୁରୁବାର ଦିନ ଲାଲ୍‌ କିଲାରେ ୭୩ତମ ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ କହିଲେ ଶସସ୍ତ୍ର ବାହିନୀ ହେଉଛି ଭାରତର ଗର୍ବ । ପରିବର୍ତ୍ତିତ ପରିସ୍ଥିତିରେ ସେନା ବାହିନୀ ମଧ୍ୟରେ ସମନ୍ଵୟ ରକ୍ଷା କରାଯିବାର ଆବଶ୍ୟକତା ରହିଛି । ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଲେ: ଆମ ସେନା ହେଉଛି ଭାରତର ଗୌରବ। ସେନାବାହିନୀଙ୍କ ମଧ୍ୟରେ ସମନ୍ଵୟ ନିବିଡ଼ କରାଇବାକୁ ଲାଲ୍‌ କିଲାରୁ ମୁଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିବାକୁ ଚାହୁଁଛି,ଭାରତରେ ଜଣେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ରହିବେ। ସେ କହିଲେ ଯେ, ତିନି ବାହିନୀର ମୁଖ୍ୟ ‘ସିଡିଏସ୍‌’ ସେମାନଙ୍କ ମଧ୍ୟରେ ସମନ୍ଵୟ ରକ୍ଷା କରିବା ସହ ସେମାନଙ୍କ ପ୍ରତି ଫଳପ୍ରଦ ନେତୃତ୍ୱ ପ୍ରଦାନ କରିବେ।

ଓବିସି, ଏସସି, ଏସଟି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ ଅଗଷ୍ଟ ୧୫ ଉପଲକ୍ଷେ ବୃକ୍ଷ ରୋପଣ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ସାରା ଜଗତରେ ପ୍ରାଣୀ ସମାଜ ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଦରକାର, ବୃକ୍ଷ ଦ୍ୱାରା ଏହା ମିଳିଥାଏ । ଏଣୁ ବୃକ୍ଷ ବଞ୍ଚିଲେ ମଣିଷ ସମାଜ ବଞ୍ଚି ପାରିବ। ଆମ୍ଭେ ସମସ୍ତେ ଜୀବନରେ କିଛି ନ ହେଲେ ମଧ୍ୟ ଦୁଇଟି ବୃକ୍ଷ ଲଗାଇ ତାର ଯତ୍ନନେବା ନିହାତି ଦରକାର ବୋଲି ଅଗଷ୍ଟ 15 ଗୁରୁବାର ଦିନ ଓବିସି, ଏସସି, ଏସଟି ଏବଂ ସଂଖ୍ୟାଲଘୁ ମିଳିତ ମଞ୍ଚ ଧର୍ମଗଡ ଉପଖଣ୍ଡ ତରଫରୁ କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅଧୀନସ୍ଥ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଥିଲା। ସର୍ବପ୍ରଥମେ ଧର୍ମଗଡ଼ ସ୍ଥିତ ଚାରିଛକ ର ବାବାସାହେବ ଆମ୍ବେଦକର ପ୍ରତିମୂର୍ତ୍ତି ରେ ସ୍ଥାନୀୟ ଧର୍ମଗଡ ଉପଜିଲ୍ଲାପାଳ ପଦ୍ମନାଭ ବେହେରା, ହରେକୃଷ୍ଣ ବରିହା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥିଲେ। ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ ର କୁନି କୁନି ପିଲାମାନଙ୍କ ଦ୍ଵାରା ଜାତୀୟ ସଂଗୀତ ଗାନ କରାଯିବା ପରେ ମିଷ୍ଟାନ୍ନ ବଣ୍ଟନ କରି ମଞ୍ଚ ର ସମସ୍ତ କର୍ମକର୍ତ୍ତା ଚିଲିଚିଲା କୁ ଆସିଥିଲେ। ଢଗ ନାଏକ ଙ୍କ ଅଧ୍ୟକ୍ଷତା ହୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଦେବାର୍ଚ୍ଚନ ସେଠିଆ, ବିଦ୍ୟାଳୟର ପ୍ରଧାନଶିକ୍ଷକ ମନୋରଞ୍ଜନ ମୁଣ୍ଡ ଙ୍କ ସମେତ ବିଦ୍ୟାଳୟର ପ୍ରମୋଦ ଧଙ୍ଗଡାମାଝୀ, ଶିବାନନ୍ଦ ରଣା, ଅଭିଳାଷି ସେଠି, ରାଜେଶ୍ୱରୀ ନେଗୀ, ବିଦ୍ୟାଳୟ କମିଟି ର ସଭାପତି ମିନିକେତନ ସେଠି, ଓ ଦୁଇ ଅଙ୍ଗନବାଡି କର୍ମୀ ତରୁଲତା ନାଏକ ଏବଂ ଇନ୍ଦୁମତି ବେଶ୍ରl, ମଞ୍ଚ ତରଫରୁ ଅଶେଶ୍ୱର ଦୁର୍ଗା, ବିମଲ କୁମାର ଧଙ୍ଗଡାମାଝୀ, ଚକ୍ରଧର ବେଣୁପାଣି,ଫକୀର ନାରାୟଣ ଜାଲ, ସୁଜାତା ନାଏକ, କମଳା କାନ୍ତ ବିହାରୀ ବିରଞ୍ଚି ନାରାୟଣ ନାଏକ, ଚିଲିଚିଲା ଗ୍ରାମବାସୀ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ସହଯୋଗ କରିଥିଲେ।

ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରାଙ୍କ ୨ ଦିନିଆ ଗଜପତି ଜିଲ୍ଲା ଗସ୍ତ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଜପତି) – ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା ଗଜପତି ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସି ଜିଲ୍ଲାରେ ଉଡାନ କାର୍ଯ୍ୟକ୍ରମ ପରିଦର୍ଶନ କରିଛନ୍ତି । ଗଜପତି ପୋଲିସ ପକ୍ଷରୁ ବେକାର ଯୁବକ ଯୁବତୀଙ୍କୁ ସାମରୀକ ଓ ଅର୍ଧସାମରୀକ ବାହିନୀରେ ଯୋଗ ଦେବାକୁ ଯୋଗ୍ୟ କରି ଗଢ଼ିତୋଳିବା ପାଇଁ ମାଗଣାରେ ତାଲିମ ପ୍ରଦାନ କରାଯାଉଛି, ଏସ ପି ସାରା ଶର୍ମାଙ୍କ ଏହି ପଦକ୍ଷେପ ପାଇଁ ତାଙ୍କୁ ସାଧୁବାଦ ଜଣାଇବା ସହ ତାଲିମ ଶିବିରର ଶିକ୍ଷାର୍ଥୀଙ୍କ ଉତ୍ସାହ ଏବଂ ସେମାନଙ୍କ କୈାଶଳ ପ୍ରଦର୍ଶନ ଦେଖି ଖୁସି ବ୍ୟକ୍ତ କରିଛନ୍ତି । ଏ ସଂକ୍ରାନ୍ତରେ ପୋଲିସ ରିଜର୍ଭ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲାରେ ଯୁବସମାଜ ପ୍ରତି ଏହିପରି ପ୍ରଗତିଶୀଳ ପଦକ୍ଷେପ ପାଇଁ ସେ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ଅନୁପମ ସାହା, ଏସ.ପି ସାରା ଶର୍ମାଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଗୋଳାମୁଣ୍ଡା ବ୍ଲକ ଅଧୀନସ୍ଥ ଦଶପୁର ପୋଲିସ ଫାଣ୍ଡି ରେ ସ୍ୱଧୀନତା ଦିବସ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ୟାରୀ ଲାଲ ଦୁର୍ଗା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୋଳାମୁଣ୍ଡା) – ଆଜି ପବିତ୍ରତା ସ୍ୱାଧିନତାଦିବସ ଅବସରରେ, ସାରା ଭାରତରେ କୋଣେ ଅନୁକୋଣେ ପ୍ରତ୍ୟେକ ସରକାରୀ ଅନୁଷ୍ଠାନ,ବେସରକାରୀ ଅନୁଷ୍ଠାନ , ଦୋକାନ ବଜାର ଓ ସରକାରୀ ଦପ୍ତରେ ଭାରତ ମାତାର ଗୁଣ ଗାନ ଗାଈ ଦେଶର ବିଜୟ ପତାକା ଉତ୍ତୋଳନ କରାଯାଇଥାଏ। ସେହିଭଳି କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧିନସ୍ଥ ଦଶପୁର ପୋଲିସ୍ ଫାଣ୍ଡିରେ ଆଜି ବହୁଉତ୍ସାହିତ ଭାବରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି। ଏହି ଉପଲକ୍ଷେ ଦଶପୁର ସ୍ଵରସତୀ ଶିଶୁ ମନ୍ଦିର , ଏମି ସ୍କୁଲର କୋମାଳ ମତି ଛାତ୍ର ଛାତ୍ରୀ ମାନେ ଦଶପୁର ଗ୍ରାମ ପରିକ୍ରମା କରି ପୋଲିସି ଫାଣ୍ଡିରେ ପହଞ୍ଚିଥିଲେ। ଶତାଧିକ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟିତ୍ରୀ, ଗୁରୁମା, ଗୁରୁଜୀ ଏବଂ ଫାଣ୍ଡିରେ ଥିବା ପୋଲିସ କର୍ମଚାରି,ଗୃହ ରଖି ଙ୍କ ଉପସ୍ଥିତରେ ଦଶପୁର ପୋଲିସ ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ଚନ୍ଦ୍ରହାସ୍ୟ ସାହୁ ଭାରତ ମାତା ଙ୍କ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ। ଆଜିର ଶିଶୁ ଆଗାମୀ ଦିନର ଭବିଷ୍ୟତ ଆଜିର ଦିବସ ଏହି ଚିନ୍ତନ, ଦେଶପ୍ରେମ ସର୍ବେ ହେବା ମଗନ,ଭେଦ ଭାବସବୁ ଦୁରେଇ ଦେବା,ଭାତୃ ଭାବସଦା ହୃଦେ ରଖିବା, ଉଚିତ ବୋଲି ଶିଶୁ ପ୍ରତିଭା ମାନଙ୍କ ସମ୍ମୁଖରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ସୁବୁଦ୍ଧି ବାଗ, ସାମନ୍ତ ଦୁର୍ଗା , ଅନୁପମା ନାୟକ ,ଗ୍ରାମର ବୁଦ୍ଧି ଜୀବି ରାଜୁ ସାହୁ, ରାଧା ମୋହନ, ନାଏବ ସରପଞ୍ଚ, ଦୁବର୍ଣ ମେହେର,ରାମସାହୁ, ରଂଜନ ସାହୁ,ପ୍ରମୁଖ ଉପସ୍ଥିତ ରହିଥିଲେ।

ଜିଲ୍ଲାପାଳଙ୍କ ନିର୍ଦ୍ଧେଶ ମାନୁନାହାଁନ୍ତି ; ତହସିଲଦାର..!

!!! ଗଞ୍ଜାମ୍ ଜିଲ୍ଲା ଜଗନ୍ନାଥ ପ୍ରସାଦ ରୁ ସୁବାଷ ଚନ୍ଦ୍ର ନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋଦଳା) – ଗଞ୍ଜାମ ଜିଲ୍ଲା କୋଦଳା ଲୁହା ଶଙ୍ଖ ଠାରେ ଦୀର୍ଘଦିନ ଧରି ବେଆଇନ ରଞ୍ଜିତ ଡ୍ରିଙ୍କିଙ୍ଗ ୱାଟର ବା ପାଣି ଫେଂକ୍ଟ୍ରି ଚାଲିବାର ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ପ୍ରକାଶ ପାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପାଣି ଫେଂକ୍ଟ୍ରି ଖୁଲମ୍ ଖୁଲାଭାବେ ଚାଲିଛି । ଏ ନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ତା-୨୯.୭.୧୯ ତାରିଖରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେହି ସମୟରେ ହିଁ ଗଞ୍ଜାମ ଜିଲ୍ଲାପାଳ ତାର କୌଣସି ଲାଇସେନ୍ସ ନାହିଁ ଏହାକୁ ତୁରନ୍ତ ବନ୍ଦ କରିବାକୁ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡାଙ୍କୁ ନିର୍ଦ୍ଧେଶ ଦେଇଥିଲେ । ମଧ୍ୟ ଏଯାବତ ସେହି ପାଣି ଫେଂକ୍ଟ୍ରି ଚାଲୁ ରହିଛି । ତହସିଲଦାର ଓ ପାଣି ମାଲିକଙ୍କ ମଧୁଚନ୍ଦ୍ରିକା ଯୋଗୁଁ ୧୬ ଦିନ ବିତିଯାଇଥିଲେ ମଧ୍ୟ ବନ୍ଦ ହେଇନାହିଁ, ସେହି ଫେଂକ୍ଟ୍ରି କୋଦଳା ଏନ.ଏସି ଠାରୁ ଏନଓସି ନେଇ ନାହିଁ କିମ୍ବା ଘରର ପ୍ଲାନଆପ୍ରୂଭାଲ କରିନାହିଁ କିମ୍ବା ହୋଲିଙ୍ଗଟେକ୍ସ ସହ ବିଆଇଏସ ସାର୍ଟିଫିକେଟ ମଧ୍ୟ ନାହିଁ । ସେହି ଫେଂକ୍ଟ୍ରିରେ ତିଆରି ହୋଇଥିବା ଇଟା ଗ୍ଳୋକୋଜ, ପାଣି ବୋତଲ, କୋଲଡ୍ରିଙ୍କସ୍ ଇତ୍ୟାଦି ଯେଉଁସବୁ ତିଆରି ହେଉଛି ତାହାର ନମୁନା ଚେକ୍ ହେଉଛି କି କାହିଁକିନା, ବଡବଡ କମ୍ପାନୀମାନେ ସବୁ ପ୍ରକାର ଲାଇସେନ୍ସ କରି ମଧ୍ୟ ବିଭିନ୍ନ ସମୟରେ ନମୁନା ସଂଗ୍ରହ କରି ତାହାକୁ ବେନ୍ ମଧ୍ୟ କରିସାରିଛନ୍ତି । ଏହି ଫେଂକ୍ଟ୍ରିରେ ତିଆରି ହୋଇଥିବା ପାଣି ବୋତଲ, ପାଣି ପାଉଚ, କୋଲଡ୍ରିଙ୍କସ, ଇଟା ଗ୍ଳୋକୋଜ ଇତ୍ୟାଦି ପିଇ ଲୋକମାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ପୂର୍ବରୁ ଏହାକୁ ତଦନ୍ତ କରିବା ପାଇଁ ବାରମ୍ବାର ଅଭିଯୋଗ ହୋଇଥିଲେ ମଧ୍ୟ ଏଯାବତ ଫେଂକ୍ଟ୍ରି ଚାଲୁରହିଛି । ଯାହାଫଳରେ ସରକାର ଯେଉଁ ସବୁ ଆଦେଶନାମା ବାହାର କରୁଛନ୍ତି ତାହା କିପରି କାର୍ଯ୍ୟକାରୀ ହେଉଛି ତାହା ଏଠାରୁ ହିଁ ବାରି ହେଉଛି ।ଏଣୁ କୋଦଳା ତହସିଲଦାର ଯଦି ଏହି ରଞ୍ଜିତ ଡ୍ରିଙ୍କିଙ୍ଗ ୱାଟର ବା ପାଣି ଫେଂକ୍ଟ୍ରିକୁ ତୁରନ୍ତ ବନ୍ଦ ନକରନ୍ତି ତାହା ହେଲେ ଆଗାମୀ ଦିନରେ ପୁଣି ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ କୋଦଳା ସାମ୍ବାଦିକ ଏବଂ ବୃଦ୍ଧିଜୀବି ମାନେ ଚେତାବନୀ ଦେଇଛନ୍ତି ।

ବନ୍ୟାଞ୍ଚଳ ପରିଦର୍ଶନ କଲେ ଶକ୍ତି ଓ ଗୃହ ରାଜ୍ୟମନ୍ତ୍ରୀ ଓ ପୂର୍ବତନ ମନ୍ତ୍ରୀ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କାର୍ଲାମୁଣ୍ଡା) – ଗତ ଲଗାଣ ବର୍ଷାରେ କଳାହାଣ୍ଡି ଜିଲ୍ଲା କାର୍ଲlମୁଣ୍ଡା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ଅନେକ ପରିବାର ପାଣି ଘେରରେ ରହିଥିବା ଦେଖିବାକୁ ମିଳିଥିଲା । ତା ସହ ଅନେକ ପରିବାର ଘର କାନ୍ଥ ଭୁଶୁଡି ପଡିଥିଲା। ତେଣୁ ଆଜି ଶକ୍ତି ଓ ଗୃହ ରାଜ୍ୟମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏବଂ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂ ଦେଓ କର୍ଲାମୁଣ୍ଡା ବ୍ଲକ ର ଜୋରାଡବରା, ଖଲିଆପାଲି,କେନ୍ଦୁମୁଣ୍ଡି ,ସିଆପଲl, ରିସିଡ଼ା ସମେତ ପ୍ରଭାବିତ ଅଞ୍ଚଳ ବୁଲି ସେମାନଙ୍କ ସହ ଆଲୋଚନା କରିଥିଲେ। ବିଭିନ୍ନ ସ୍କୁଲ ରେ ଆଶ୍ରୟ ନେଇ ଥିବା ଆଶ୍ରୟ ସ୍ଥଳୀ କୁ ଯାଇ ସେମାନଙ୍କ ସମସ୍ୟା ବୁଝିବା ସହ ପ୍ରଭାବିତ ପରିବାର କୁ ପଲିଥିନ ଓ ଚାଉଳ ଯୋଗାଇଥିଲେ। ପରିଦର୍ଶନ ବେଳେ କାର୍ଲାମୁଣ୍ଡା ବ୍ଲକ ର ତହସିଲଦାର,ବିଡ଼ିଓ ଓ କଳାହାଣ୍ଡି ପିଡ଼ି(DRDA) ପ୍ରମୁଖ ଉପସ୍ଥିତ ଥିଲେ। ବହୁ କ୍ଷୟ କ୍ଷତି ହୋଇଥିବାରୁ ଏହାକୁ ଆକଳନ କରି ୩ ଦିନ ମଧ୍ୟରେ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

ଭୁବନେଶ୍ଵର ର ବନ୍ଦେ ମାତରମ୍ ଗ୍ରୁପ ପକ୍ଷରୁ ତ୍ରିରଙ୍ଗା ପତାକା ଧରି ସଚେତନତା କାର୍ଯ୍ୟକ୍ରମ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଙ୍କ ଦ୍ଵିତୀୟ ଶାସନ ବର୍ଷ କାଳର ପ୍ରଥମ ପର୍ଯ୍ୟାୟରେ ନିଆ ଯାଇଥିବା ଐତିହାସିକ ପଦକ୍ଷେପ ସମସ୍ତ ସ୍ୱଦେଶୀ ପ୍ରେମୀଙ୍କ ମନରେ ଭରି ଦେଇଛି ଉତ୍ସାହ ଓ ଉନ୍ମାଦନା । ଧାରା ୩୭୦ କୁ ଉଚ୍ଛେଦ କରାଯାଇ ଜମ୍ମୁ ଓ କାଶ୍ମୀର ପୁନର୍ଗଠନ କରି ଜାମ୍ମୁ – କାଶ୍ମୀର ଓ ଲଦାଖ ରେ ବିଭକ୍ତ କରିବାପରେ ଏଠାରେ ଲାଗି ରହିଥିବା ଅଶାନ୍ତ ପରିସ୍ଥିତି ସୁଧାର ଆସି ଭାରତରୁ ଆତଙ୍କ ବାଦ ଦୁରେଇ ଯିବା ଆଶା ପ୍ରକଟ ହୋଇଛି ।

ଗୁରୁ ପ୍ରହଲ୍ଲାଦ ନାୟକଙ୍କ ଆଶୀର୍ବାଦ ରେ ପୂର୍ଣ୍ଣ ଚନ୍ଦ୍ର ସାହୁ ଭୁବବେଶ୍ୱରସ୍ଥ ବନ୍ଦେ ମାତରମ୍ ଗ୍ରୁପ ପକ୍ଷରୁ ପୂର୍ବ ବର୍ଷ ଭଳି ଏବର୍ଷ ମଧ୍ୟ ଏକ ପଥ ପ୍ରାନ୍ତ ନାଟକର ଆୟୋଜନ କରିଛନ୍ତି । ସମସ୍ତେ ନିଜକୁ ତ୍ରିରଙ୍ଗା ବେଶରେ ସଜାଇ ହୋଇ ଜନସଚେତନ କରାଉଛନ୍ତି । ପୂର୍ବରୁ ଏମାନଙ୍କ ଦ୍ୱାରା କରାଯାଉଥିବା ନାଟକ କୁ” ମେରୀ ଜାନ ହିନ୍ଦୁସ୍ଥାନ” ବୋଲି ସୂଚିତ କରୁଥିବା ବେଳେ ଚଳିତ ଥର ଏହାକୁ “One Nation One Flag” ନାମରେ ନାମିତ କରାଯାଇଛି।

ଶ୍ରୀ ସାହୁ କହିଛନ୍ତି ଆମେ ଦୀର୍ଘ ବର୍ଷ ହେଲା ସ୍ୱାଧୀନ ହୋଇଥିଲେବି ଏହାକୁ ଅନୁଭବ ଜରିପାରୁ ନଥିଲୁ । ଧାରା ଉଚ୍ଛେଦ ଓ ପୁନର୍ଗଠନ ପରେ ଲାଗୁଛି ସତେ ଯେମିତି ଆମେ ଏବେ ପୂର୍ଣ୍ଣ ସ୍ୱାଧୀନ ପାଇଛୁ । ଆମେ ଆମ ମୁଣ୍ଡରେ ଆମ ପୋଗୋଡ଼ି ବାନ୍ଧି ପାରିଛୁ । ସେଠାରେ ଉଡା ଯାଉଥିବା ଅନ୍ୟ ରଙ୍ଗର ପତାକା ହଟାଇ ଆମେ ସେଠାରେ ତ୍ରିରଙ୍ଗା ଉଡାଇପାରିବୁ । ଗର୍ବରେ କହୁବୁ ଆମେ ଭାରତୀୟ । ଶ୍ରୀ ସାହୁ ଏବଂ ବନ୍ଦେ ମାତରଂ ଗ୍ରୁପର ଏଭଳି ସଚେତନତା କୁ ସଧାରଣରେ ଭୁୟସୀ ପ୍ରଶଂସା କରାଯାଇଛି ।

ଅଫିସ କର୍ମଚାରୀଙ୍କୁ ସଂଗଠନ ଦାୟିତ୍ୱ ଦେବା ; ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ କିରାଣୀ ମାନ୍ୟତା ଦେବା କେତେ ଦୂର ଠିକ୍ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରଶାସକରୁ ରାଜନେତା ବନିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କାର୍ଯ୍ୟକଳାପରେ ଅତିଷ୍ଠ ହୋଇଛନ୍ତି ବିଜେପି କାର୍ଯ୍ୟକର୍ତ୍ତା । ଜିଲ୍ଲା ସଂଗଠନର ନେତା ଓ କର୍ମୀଙ୍କୁ କୁଆଡ଼େ ତାଙ୍କର ପସନ୍ଦ ହେଉନି । ଦଳୀୟ ନିଷ୍ପତ୍ତି ବାହାରେ ନିଜର ସମାନ୍ତରାଳ ସଂଗଠନ ଚଳାଇଛନ୍ତି । ଦଳୀୟ ସଂଗଠନକୁ ତୁଚ୍ଛ ମନେ କରି କର୍ମୀମାନଙ୍କୁ ଆତ୍ମ ବନ୍ଦନ ପାଇଁ ବାଧ୍ୟ କରୁଛନ୍ତି । ନିଜ ଅଫିସ୍ କର୍ମଚାରୀମାନଙ୍କ ମାଧ୍ୟମରେ ସଂଗଠନ ପରିଚାଳନା କରୁଥିବା ବେଳେ ଦଳୀୟ କର୍ମୀଙ୍କୁ କିରାଣୀ ଭଳି ବ୍ୟବହାର କରୁଛନ୍ତି ।

ଭୁବନେଶ୍ୱର ସାଂସଦଙ୍କ ବିରୋଧରେ ଏଭଳି ଗୁରୁତର ଅଭିଯୋଗ ଛିଡ଼ା କରାଇଛନ୍ତି ଖୋଦ ଦଳର ଜିଲ୍ଲା କର୍ମକର୍ତ୍ତା ମାନେ । ସାଂସଦଙ୍କ ଅନୁଶାସନହୀନ କାର୍ଯ୍ୟକ୍ରମ ଓ ନେତୃତ୍ୱ ବିରୋଧରେ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି ଓ ସଭାପତି ବସନ୍ତ ପଣ୍ଡାଙ୍କ ପାଖରେ ଫେରାଦ ହୋଇଛନ୍ତି । ସାଂସଦ ଅପରାଜିତାଙ୍କୁ ଅହଂକାରୀ ବୋଲି ଦର୍ଶାଇବା ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରାଯାଇଛି । ନିର୍ବାଚନ ଜିତି ଆସିବାର ମାସ ତିନିଟାରେ ଦଳୀୟ ସାଂସଦଙ୍କ ବିରୋଧରେ ଜିଲ୍ଲା କର୍ମକର୍ତ୍ତାଙ୍କ ଏଭଳି ବିଦ୍ରୋହ ବିଜେପି ରାଜନୀତିକୁ ଦୋହଲାଇ ଦେଉଛି ।

ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ସୁଶାନ୍ତ କୁମାର ସାବତଙ୍କ ଦସ୍ତଖତରେ ଏହି ପତ୍ର ଲେଖାଯାଇଛି । ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ, ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ତଥା ଦଳର ବରିଷ୍ଠ ନେତା ଦିଲ୍ଲୀପ ମହାନ୍ତି, ଜିଲ୍ଲାର ତିନି ଜଣ ସାଧାରଣ ସମ୍ପାଦକ, ଜିଲ୍ଲା ଉପସଭାପତି ଏବଂ ସମସ୍ତ ମଣ୍ଡଳର ସଭାପତିଙ୍କ ମିଳିତ ଆଲୋଚନା ପରେ ଏହି ପଦକ୍ଷେପ ନିଆଯାଇଥିବା ସୁଶାନ୍ତ ସ୍ପଷ୍ଟ କରିଛନ୍ତି ।

ରାଜ୍ୟ ସଂଗଠନ ମନ୍ତ୍ରୀଙ୍କୁ ଦିଆଯାଇଥିବା ପତ୍ରରେ ଲେଖାଯାଇଛି, ଗତ ଜୁନ ୧୩ ତାରିଖରେ ଭୁବନେଶ୍ୱର ଜିଲ୍ଲାର ବିଜେପି କୋର ସଦସ୍ୟ ଏବଂ ଭୁବନେଶ୍ୱର ସାଂସଦଙ୍କ ମିଳିତ ଆନୁକୂଲ୍ୟରେ ଏକ ବୈଠକ ହୋଇଥିଲା । ସେଠାରେ ଆଗାମୀ ସାଂଗଠନିକ କାର୍ଯ୍ୟକ୍ରମକୁ ସୁପରିଚାଳନା ଓ ସୁଦୃଢ଼ କରିବାକୁ ଏକ ସଂଚାଳନ କମିଟି ଗଠନ କରାଯାଇଥିଲା । ମାତ୍ର ନବ ନିର୍ବାଚିତ ସାଂସଦ ଏହାକୁ ନ ମାନି ଦଳୀୟ ବ୍ୟବସ୍ଥାର ଅବମାନନା କରିଛନ୍ତି ।

ସାଂସଦ ଅପରାଜିତା କ’ଣ କରିଛନ୍ତି :-
* ଟିମ୍ ଅପରାଜିତା ନାମରେ କିଛି ଅପରାଧିକ ତତ୍ତ୍ୱାଧାରୀଙ୍କୁ ସାମିଲ କରି ସଂଗଠନ ଗଢ଼ୁଛନ୍ତି ।
* ନିଜ କାର୍ଯ୍ୟାଳୟର କର୍ମଚାରୀମାନଙ୍କ ମାଧ୍ୟମରେ ସଂଗଠନ ପରିଚାଳନା କରିବାକୁ ଚେଷ୍ଟା କରୁଛନ୍ତି ।
* ସାଂଗଠନିକ ବ୍ୟବସ୍ଥା ଯଥା ଜିଲ୍ଲା ଏବଂ ମଣ୍ଡଳକୁ ପଦାଘାତ କରିବା ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି ।
* ଦଳୀୟ କାର୍ଯ୍ୟକ୍ରମରେ ବ୍ୟବହୃତ ସମସ୍ତ ବ୍ୟାନରରେ ରାଜ୍ୟ ଓ ଜିଲ୍ଲା ନେତୃବୃନ୍ଦଙ୍କୁ ସ୍ଥାନ ନ ଦେଇ ନିଜର ଅହଂକାର ପ୍ରଦର୍ଶନ କରିବା ସହ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ନିଜର କିରାଣୀ ଭଳି ବ୍ୟବହାର କରୁଛନ୍ତି ।
* ସାଂସଦଙ୍କର ଏଭଳି କାର୍ଯ୍ୟକଳାପର ପ୍ରତିବାଦ କରୁଥିବା ଆଶାୟୀ କର୍ପୋରେଟର ମାନଙ୍କୁ ଟିକେଟ ନ ଦେବାର ଭୟ ଦେଖାଉଛନ୍ତି ।

ଚିଠିରେ ପୁଣି ଉଲ୍ଲେଖ କରାଯାଇଛି ଯେ ଗତ ଜୁନ୍ ୨୯ ତାରିଖରେ ଉତ୍ତର ନିର୍ବାଚନମଣ୍ଡଳୀର କୌଣସି ଜିଲ୍ଲା ଓ ମଣ୍ଡଳସ୍ତରୀୟ ନେତୃବୃନ୍ଦଙ୍କ ସହ ଆଲୋଚନା ନ କରି ସାଂସଦ ନିଜର କ୍ଷମତା ପରିସର ବାହାରେ ନିର୍ବାଚନ ମଣ୍ଡଳୀ ନାଁରେ କର୍ମୀ ସମ୍ମିଳନୀ କରିଥିବାରୁ ଆମେ ଦୃଢ଼ ନିନ୍ଦା କରୁଛୁ । ସାଂସଦଙ୍କ ଏଭଳି ହୀନ କାର୍ଯ୍ୟକୁ ସଂଗଠନ ଶୃଙ୍ଖଳା ଭଙ୍ଗ ବୋଲି ବିବେଚନା କରାଯାଉ । ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରାଯାଇଛି ।

ଜିଲ୍ଲା କର୍ମକର୍ତ୍ତାଙ୍କ ଏହି ଅଭିଯୋଗ ଉପରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।