ହାତୀ କରୁଛି ଚାଷୀର ସର୍ବନାଶ; କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ବନ ବିଭାଗ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା ଚାଷୀ ଆତ୍ମହତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ଭାବେ ସାରା ଦେଶରେ ପରିଚିତ ଥିବାବେଳେ ବର୍ତ୍ତମାନ ଆଗକୁ ଆସିଛି ଚାଷୀଙ୍କ ପାଇଁ ହାତୀ ଆମସ୍ୟା । ସ୍ଥାନୀୟ ଚାଷୀକୁଳ ନିଜର ପେଟ ପାଟଣା ନିମନ୍ତେ ବନ୍ୟାର କରାଳ ଛାୟା ରେ କିଛି ଧାନ ଜମି ଚାଷ କରିବାଜୁ ଅଣ୍ଟା ଭିଡୁଥିବା ବେଳେ ଦାଉ ସାଧୁଛି ହାତୀପଲ । ନର୍ଲା ରେଞ୍ଜ ଅନ୍ତର୍ଗତ ବାମଳ,ସମର କଟା ,ବଙ୍କେଲ,ଡଙ୍ଗରମାଲ, ରେଗିଡିମାଲ ଏବଂ ଉଲି ସିର୍କ। ଗ୍ରାମରେ ହାତୀ ପଲ ମାତି ଏହି ଅଞ୍ଚଳ ଚାଷୀଙ୍କ ଧାନ ଫସଲ ଓ ଅର୍ଥକାରୀ ଫସଲକୁ ନଷ୍ଟ କରି ଦେଉଛି । ହାତୀପଲ ଦ୍ୱାରା ଚାଷୀ ଙ୍କ ଉପାର୍ଜିତ ହେବାକୁଥିବା ଫସଲ ବାରମ୍ବାର ନଷ୍ଟ ହେବାରୁ ଚାଷୀ ଧୀରେ ଧୀରେ ଅର୍ଥିକ ଦୁର୍ବଳ ହୋଇ ବିଭିନ୍ନ ପନ୍ଥା ଆପଣାଉଛି।ଏନେଇ ସ୍ଥାନୀୟ ଚାଷୀ ମାନେ ବନବିଭଗ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରୁଥିଲେବି ବାବୁଙ୍କ ନିଦ୍ରା ଭାଙ୍ଗୁ ନାହିଁ ବୋଲି ଅଭିଯୋଗ ଉଠିଛି । ଚାଷୀଙ୍କ ଏହି ସମସ୍ୟା ପ୍ରତି ଜିଲ୍ଲା ବନବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ନିମନ୍ତେ ଦାବୀ ହେଉଛି ।

ବିଭାଗୀୟ କର୍ମକର୍ତ୍ତାଙ୍କ ଅସହଯୋଗ, ପୋଲ ନିର୍ମାଣ କାର୍ଯ୍ୟରୁ ମୁହଁ ମୋଡ଼ିଲେ ଠିକାଦାର ; ଜନସାଧାରଣ ରେ ଗଭୀର ଉଦବେଗ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ପାତ୍ରବସା ହାତୀନଦୀ ଉପରେ ଗତ ୨୦୧୪ ମସିହାରୁ ପ୍ରାୟ ୯ କୋଟି ବ୍ୟୟ ଅଟକଳରେ ପୋଲ ନିର୍ମାଣ କରାଯାଇଛି। ଏହାକୁ ପୂର୍ବତନ ଧର୍ମଗଡ଼ ବିଧାୟକ ପୁଷ୍ପେନ୍ଦ୍ର ସିଂ ଦେଓ ଶୁଭ ଉଦଘାଟନ କରିଥିଲେ। ଲଡୁଗାଁ ସ୍ଥିତ ଡି. ଡି ବିଲଡର ଟେଣ୍ଡର ନେଇ କାର୍ଯ୍ୟ ସମ୍ପାଦନ କରୁଥିବା ବେଳେ ଧର୍ମଗଡ଼ ସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଜନ ଏହି କାର୍ଯ୍ୟ କୁ ତଦାରଖ କରୁଛନ୍ତି। ଏହି ପୋଲ ନିର୍ମାଣ କାର୍ଯ୍ୟ ତିନି ବର୍ଷ ରେ ଶେଷ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ଅବଧି ଶେଷ ହୋଇ ସାରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଅଧପହନ୍ତରିଆ ଭାବେ ପଡି ରହିଛି। ଏବେ ଏହି କାର୍ଯ୍ୟରୁ ମୁହଁ ମୋଡି ସମ୍ପୁକ୍ତ ଠିକାଦାର ଫେରି ଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଠିକାଦାର କୁ ବିଭାଗୀୟ ଅଧିକାରୀ ମାନେ ଉଦେଶ୍ୟ ମୂଳକ ଭାବେ ଅସହଯୋଗ କରୁଥିବା ରୁ ସମ୍ପୃକ୍ତ ଠିକାଦାର ଶେଷ ମୁହୂର୍ତ୍ତରେ ଏହି କାର୍ଯ୍ୟରୁ ମୁହଁ ମୋଡି ଫେରିଯାଇଛନ୍ତି। ଫଳରେ ଅଧାପନ୍ତରିଆ କାମକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଯିବା ସହ ଜନ ସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ମାନଙ୍କର ପ୍ରତୀକ୍ଷାର ଅନ୍ତ କେବେ ସରିବ ତାହା ଦେଖିବାକୁ ବାକି ରହିଲା।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ କାମାକ୍ଷା…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କୋରାପୁଟ/ବୈପାରୀଗୁଡା) – ସମାଜସେବାକୁ ନିଶା ଓ ପେଶାରେ ପରିଣତ କରି ଆଜି ସଫଳତାର ପାହାଚ ଚଢିଛନ୍ତି କୋରାପୁଟର ବିଶିଷ୍ଟ ସମାଜସେବୀ ତଥା ଆଇନଜୀବି ଛାତ୍ର କାମାକ୍ଷା ପ୍ରସାଦ ମାଝୀ | ଆଜି ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ଠାରେ ଜାତୀୟ କ୍ରୀଡା ଦିବସ ୨୦୧୯ ଅବସରରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଆୟୋଜିତ ଏକ ଭବ୍ୟ ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହେଲେ କାମାକ୍ଷା ପ୍ରସାଦ ମାଝୀ |

୨୦୧୮ବର୍ଷ ପାଇଁ ସେ ରାଜ୍ୟ ସ୍ତରୀୟ ସମାଜସେବା ପୁରସ୍କାର ଗ୍ରହଣ କରିଛନ୍ତି | ଅକ୍ଲାନ୍ତ ପରିଶ୍ରମ ଓ ନିସ୍ଵାର୍ଥପର ସମାଜସେବା ପାଇଁ ଆଜି କାମାକ୍ଷାଙ୍କୁ ଏହି ସାମ୍ମନ ଦିଆଯାଇଛି | କୋରାପୁଟ ଜିଲ୍ଲା ସଦର ମହକୁମା ସ୍ଥିତ କୁମ୍ଭାର ସାହିର ଅବସରପ୍ରାପ୍ତ କିରାଣୀ ଡମ୍ବରୁଧର ମାଝୀଙ୍କ ପୁଅ କାମାକ୍ଷା ପ୍ରସାଦ ମାଝୀ ବର୍ତମାନ ଜୟପୁର ଆଇନ ବିଦ୍ୟାଳୟରେ ଅଧ୍ୟୟନ କରୁଛନ୍ତି | ତାଙ୍କ ମାଆ ଲଷ୍ମୀ ମାଝୀ ଠାରୁ ଯାହା ହାତ ଖର୍ଚ୍ଚ ମିଳେ ତାହାକୁ ସମାଜସେବାରେ ବିନିଯୋଗ କରିଥାନ୍ତି | ପିଲା ଦିନରୁ ହିଁ ସେ ନିଜକୁ ସମାଜସେବାରେ ନିୟଜିତ କରିଆସିଛନ୍ତି | କୋରାପୁଟ ଜିଲ୍ଲା ରୋଗୀ କଲ୍ୟାଣ ସମିତିର ସଦସ୍ୟ ଭାବେ ଥାଇ ସେ ଯେ କୌଣସି ସମୟରେ ରାସ୍ତା କଢ଼ରେ ଥିବା ଗରିବ ଅସହାୟ ଓ ଜରୁରୀ କାଳିନ ପରିସ୍ଥିତିରେ ସାହାଯ୍ୟ ସେବା ଯୋଗାଇବା ପାଇଁ ଆଗ ଧାଡିରେ ଠିଆ ହୁଅନ୍ତି | କୋରାପୁଟ ଜିଲ୍ଲାର ଶହୀଦ ଲଷ୍ମଣ ନାୟକ ଜନ୍ମ ପୀଠ ତେନ୍ତୁଳୀଗୁମ୍ମାର ଉନ୍ନତି ପାଇଁ ୧୦୦କୋଟି ଦାବି ଆନ୍ଦୋଳନର ଉପଦେଷ୍ଟା ଥିଲେ | ଏହି ଆନ୍ଦୋଳନ ପରେ ୨.୬୫କୋଟି ଟଙ୍କା ରାଜ୍ୟ ସରକାର ମଞ୍ଜୁରୀ କରିବାରେ ବାଧ୍ୟ ହୋଇଥିଲେ | ଜିଲ୍ଲା ରଣା ଯୁବକ ସଙ୍ଘର ସଭାପତି ଭାବେ ସେ ସବୁବେଳେ ନିଜ ଅଂଚଳର ଯୁବକ ଯୁବତୀଙ୍କୁ ନେଇ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଅହରହ ଚେଷ୍ଟା କରିଆସୁଛନ୍ତି | ରଣା ଓ ଦୋରା ସମାଜକୁ ହିଲ ଟ୍ରାଇବ ମାନ୍ୟତା ପ୍ରଦାନ ପାଇଁ ଆନ୍ଦୋଳନ ଜାରି ରହିଛି ବୋଲି ଜଣାପଡିଛି |

ନବୀନ ବାବୁ ଙ୍କ ଡ୍ରିମ ପ୍ରଜେକ୍ଟ ରେ ବିଳମ୍ବ ; ପ୍ରତିବନ୍ଧକ ସାଜିଛନ୍ତି ଅସାଧୁ ଠିକାଦାର…!

!!! ପଶ୍ଚିମ ଓଡ଼ିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ) – ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡିଶା ବାସୀ ଙ୍କର ଉନ୍ନତି ଓ ଗମନାଗମନ ର ସୁବିଧା ପାଇଁ ଏକ ବଡ ସ୍ୱପ୍ନ ଦେଖିଥିଲେ ।ସେ ସ୍ୱପ୍ନ ଟି ହେଲା ବିଜୁ ଏକ୍ସପ୍ରେସ ୱେ । 4 ଲେନ ବିଶିଷ୍ଟ ଏହି ଏକ୍ସପ୍ରେସ ୱେ କେବଳ ଗମନାଗମନ ର ମାଧ୍ୟମ ତାହାନୁହେଁ ଏହି ଏକ୍ସପ୍ରେସ ୱେ ଏହି ଅଂଚଳର ଆର୍ଥିକ ବିକାଶରେ ମୁଖ୍ୟ ଭୂମିକା ଗ୍ରହଣ କରିବ , ଏହି ଚିନ୍ତାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ବିଜୁ ଏକ୍ସପ୍ରେସ ୱେ ର ସ୍ୱପ୍ନ ଦେଖିଥିଲେ । ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କର ଏହି ସ୍ୱପ୍ନ ପୂରଣ ହେବା ଏବେ ଅନିଶ୍ଚିତତା ଘେରରେ ।

ପ୍ରଥମେ ବନ୍ଟି ଅଗ୍ରୱାଲ , ଟେଣ୍ଡର ହତେଇବା ପାଇଁ ଅନେକ ଜାଲ TDR ଦେଇ ,ବଣ୍ଟି ର ଜେଲ ଯାତ୍ରା ପରେ , କଲା ତାଲିକା ଭୁକ୍ତ ହେଇଥିଲା ବଣ୍ଟି । ସେ ପାଇଥିବା ସବୁ କାମ ବାତିଲ କରିଥିଲା ବିଭାଗ ।ଏହାପରେ ପୁନର୍ବାର ଟେଣ୍ଡର ପ୍ରକ୍ରିୟା ଓ ତାପରେ କାମ ଆରମ୍ଭ । ଏହି ଭିତରେ ଅନେକ ସମୟ ବର୍ବାଦ ହେଇ ପଡିଥିଲା । ପୁନର୍ବାର ଏହିଭଳି ଏକ କାରନାମା ଦେଖିବାକୁ ମିଳିଛି । ଏଥର ଜଣେ ଠିକାଦାର ଭୁଲ ଷ୍ଟେଟମେଣ୍ଟ ଓ ଡିକଳାରେସନ ଦେଇ ଏହି ବିଜୁ ଏକ୍ସପ୍ରେସ ୱେ ର ଟେଣ୍ଡର ହାତେଇ ଥିଲା । ଭୁଲ ଷ୍ଟେଟମେଣ୍ଟ କଥା ବିଭାଗୀୟ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କର ଦୃଷ୍ଟିଗୋଚର ହେବା ମାତ୍ରେ ଶ୍ରୀ ରାୟ ତୁରନ୍ତ ସମ୍ପୃକ୍ତ ଠିକାଦାର କୁ ସୋକଜ ଗତ 12 / 7 /2019 ନୋଟିସ ପଠାଇଥିଲେ । ଶୁଣିବାକୁ ମିଳୁଛି ଏହି ମମାଲଟି ବର୍ତମାନ କୋର୍ଟରେ ବିଚରାଧୀନ ରହିଛି ।

ଏଠି ମୂଖ୍ୟ କଥା ହେଲା ଯେ ଏହିଭଳି ଅସାଧୁ ଠିକାଦାର ମାନଙ୍କ ପାଇଁ ବିଜୁ ଏକ୍ସପ୍ରେସ ୱେ ଭଳିଆ ମହତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ନିଜ ନିର୍ଦ୍ଧାରିତ ସମୟରେ ପୁରଣ ହେଇ ପାରୁନାହିଁ । ଯାହା ଫଳରେ କି ଜନସାଧାରଣ ନାହିଁନଥିବା ଅସୁବିଧା ଭୋଗ କରିବା ସହିତ ସରକାର ଙ୍କର ଅନେକ ଆର୍ଥିକ କ୍ଷତି ହେଉଛି । ଏଠି ବିଶେଷ ଧନ୍ୟବାଦ ଚିଫ ଇଂଜିନିୟର ଶ୍ରୀ ଆଦିତ୍ୟ କୁମାର ରାୟ ଙ୍କୁ ଯିଏ ଉପଯୁକ୍ତ ସମୟରେ ଠିକାଦାର ର କଲା କାରସାଦି କୁ ଚିନ୍ହି ପାରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ଭଳି ଠିକାଦାର ଙ୍କୁ ତୁରନ୍ତ କଳା ତାଲିକା ଭୁକ୍ତ କରାଯିବା ନିହାତି ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି ।

ଦାୟିତ୍ୱ, ଉତ୍ତରଦାୟିତ୍ୱ ଆଉ ମଣିଷ ପଣିଆର ପ୍ରତୀକ ଏସପି ସାରା ଶର୍ମା ଏବଂ ଜିଲ୍ଲାପାଳ, ଅନୁପ ସାହା…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଦାୟିତ୍ୱ ପାଳନରେ ଅବହେଳା ନାହିଁ, ଉତ୍ତରଦାୟିତ୍ୱ କଣ ଭଲଭାବେ ବୁଝିଛନ୍ତି | ଆଉ ପୋଲିସ ଭଳି କଠୋର ପ୍ରଶାସନିକ ସେବାରେ ରହି ବି ମାନବିକତାକୁ ଭୁଲିନାହାନ୍ତି | ଲୋକଙ୍କୁ ସାଗରେ ନେଇ ଲୋକଙ୍କ ସୁଖ ଦୁଃଖରେ ସାମିଲ ହୋଇ, ଲୋକଙ୍କ ଆସ୍ଥା ଭାଜନ ହୋଇ କାମ କରିବାରେ ମାହିର ସାରା ଶର୍ମା | ହଁ ଆମ କଉଛୁ ଗଜପତିରେ ପପୁଲାର ଏସପି ଶର ଶର୍ମାଙ୍କ କଥା | ପୋଲିସର କାମ ତ ଆଇନ ଶୃଙ୍ଖଳା ରାକ୍ଷା କରିବାଓ ଲୋକଙ୍କ ଧାନ ଜୀବନକୁ ସୁରକ୍ଷା ଦେବା | ହେଲେ ସାରାଙ୍କ ପାଇଁ ସୀମାରେଖା କିନ୍ତୁ ସେଇଆ ନୁହେଁ | ଲୋକଙ୍କ ଧନଜୀବନ ସୁରକ୍ଷା ସହ ଲୋକଙ୍କ ଜୀବନକୁ ସରସ ସୁନ୍ଦର କରିବା ଆଉ ଲୋକଙ୍କ ଭିତରେ ବଂଚିବା ଓ ଆଗକୁ ବଢିବା ପାଇଁ ପରିବେଶ ତଥା ସୁଯୋଗ ସୃଷ୍ଟି କରିବା ବି ପ୍ରଶାସନର ଦାୟିତ୍ୱ, ସେକଥା ଭଲ ଭାବେ ବୁଝିନେଇଛନ୍ତି ଏସପି ସାରା | ପ୍ରଥମେ କନ୍ୟା ରତ୍ନଙ୍କ ମର୍ଯ୍ୟାଦା ଓ ନିରାପତ୍ତା ନିଶ୍ଚିତ କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ତାପରେ ଯୁବକ ଯୁବତୀଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରି ସେମାନଙ୍କ ଦକ୍ଷତା ବଢ଼ାଇବା ପାଇଁ ଉଡାନ କାର୍ଯ୍ୟକ୍ରମ ଆଉ ଏବେ ଭୋକିଲା ଅସହାୟ ଲୋକଙ୍କ ମୁହଁରେ ଅନ୍ନ ତଥା ସେମାନଙ୍କୁ ସହାୟତାର ହାତ ବଢ଼ାଇବା ପାଇଁ ସାରଙ୍କ ଅଭିନବ ପରିକଳ୍ପନା “ଅକ୍ଷୟ ଦାନ ପାତ୍ର” | ଆଉ ସୁନ୍ଦର ସ୍ଲୋଗାନ ” ଥିଲେ ଦିଅ, ନଥିଲେ ନିଅ” | ଆଉ ଏଭଳି ଏକ ନିଆରା କାର୍ଯ୍ୟକ୍ରମ ଲୋକାର୍ପିତ ହୋଇଯାଇଛି ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଜିଲ୍ଲା ପୋଲିସ ପ୍ରଶାସନର ପ୍ରଚେଷ୍ଟାରେ | ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ମିଳିତ ଭାବେ ଉଦ୍ ଘାଟନ କରିଥିଲେ।

ମନରେ ଉତ୍କଣ୍ଠା ଭରିରହିବା ସହ ଜିଲ୍ଲାର ସବୁ ବର୍ଗର ଜନସାଧାରଣଙ୍କ ପାଇଁ କିଛି ସେବା କରିବାର ନୁଆ ନୁଆ ଅଭିଳାଷ ଓ ଚିନ୍ତାଧାରା ମନ ଭିତରେ ଆନ୍ଦୋଳିତ କରିବା ଏବଂ ପରବର୍ତ୍ତୀ ସମୟରେ ତାକୁ କାର୍ଯ୍ୟ ପରିଣତ କରି ତା ମାଧ୍ୟମରେ ଜିଲ୍ଲାବାସୀଙ୍କ ନିକଟତର ହେବା ଏକ ପ୍ରଶଂସନୀୟ ଓ ମହତ ପଦକ୍ଷେପ ଅଟେ । ଏଭଳି ଏକ ପ୍ରଶଂସନୀୟ ଓ ମହତ କାର୍ଯ୍ୟ ପ୍ରତିଫଳିତ ହୋଇଛି – ଜିଲ୍ଲା ପୋଲିସ ପ୍ରଶାସନ ଠାରେ ଏବଂ ସେବା-ମନୋଭାବର ଅନ୍ୟ ଏକ ନୂତନ ପଦକ୍ଷେପ ସ୍ୱରୂପ ଅନ୍ୟ ମାନଙ୍କ ପାଈଁ ଉଦାହରଣ ପାଲଟି ଯାଇଛନ୍ତି ଗଜପତି ଏସପି ସାରା ଶର୍ମା ।

ଏହି ଦାନ-କେନ୍ଦ୍ର ଠାରେ ଭିନ୍ନଭିନ୍ନ ଭାବେ ଦାନ-ବାକ୍ସ ସବୁ ରଖାଯାଇଛି । ସହର କି ଆଖ ପାଖ କି ଜିଲ୍ଲାଞ୍ଚଳର ଯେ କେହି ବଦାନ୍ୟ ବ୍ୟକ୍ତି ଯଦି ଗରିବ ଓ ଅଭାବୀ ଲୋକଙ୍କୁ କିଛି ଦେବାକୁ ଚାହିଁବେ ତେବେ ଏହି ଦାନ-ବାକ୍ସ ମାଧ୍ୟମରେ ଦେଇପାରିବେ । ଏଭଳି ମହତ ଉଦ୍ଦେ୍ଷ୍ୟ ନେଇ କରା ଯାଇଥିବା ଏହି କାର୍ଯ୍ୟକ୍ରମକୁ ସବୁ ମହଲରେ ଭୁୟସୀ ପ୍ରଶଂସା କରାଯାଇଛି ।ଏହି ଅକ୍ଷୟ ଦାନ ପାତ୍ର କେନ୍ଦ୍ରରେ ଭିନ୍ନଭିନ୍ନ ଭାବେ ଦାନ-ବାକ୍ସ ରଖା ଯାଇଥିବା ସହ ପାର୍ଶ୍ଵ-କାନ୍ଥରେ ରଙ୍ଗ-ବେରଙ୍ଗର ଆକର୍ଷଣୀୟ ଚିତ୍ର ସବୁ ଅଙ୍କା-ଯାଇଛି ।

ଏସପି-ସାରା ଶର୍ମା ଏହି କାର୍ଯ୍ୟକ୍ରମ ସମ୍ପର୍କରେ ଅଧିକ ସୂଚନା ଦେଇ ସାମ୍ବାଦିକ ମାନଙ୍କୁ କହିଥିଲେ ଯେ , ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ଉଦ୍ ଘାଟିତ ହୋଇଥିବା ଏହି “ଅକ୍ଷୟ ଦାନ ପାତ୍ର” କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେ୍ଷ୍ୟ ହେଲା ଯେ , ମୁଖ୍ୟ ଚିକିତ୍ସ୍ୟାଳୟ ସମ୍ମୁଖରେ ଏହା ହେବା ଫଳରେ ବିଭିନ୍ନ ପ୍ରକାରର ରୋଗୀ , ଗରିବ ଓ ଅଭାବୀ ମାନଙ୍କ ପାଇଁ ଏହା ବେଶ ସହାୟକ ହୋଇପାରିବ । ସହର ଓ ଆଖପାଖ ଅଂଚଳରେ ଅନେକ ଗରିବ ଓ ଅଭାବୀ ଲୋକ ରହିଛନ୍ତି । ସେମାନଙ୍କ ପାଇଁ ଯାହାର ବି ଅଧିକ ଜିନିଷ ଅଛି , କି ଏମାନଙ୍କ ଭଳି କାହାକୁ କିଛି ଦାନ ଭଳି ମହତ କାର୍ଯ୍ୟ କରିବାର ଅଛି , ସେହି ବଦାନ୍ୟ ବ୍ୟକ୍ତି ମାନେ ସେହି ଦାନ ଜିନିଷ ସବୁ ଆଣି ଭିନ୍ନ ଭିନ୍ନ ଭାବେ ରଖାଯାଇଥିବା ଦାନ-ବାକ୍ସରେ ଏଠାରେ ଦେଇ ସେମାନଙ୍କ ମହତ ଦାନଧର୍ମ କରିପାରିବେ । ଏହି ଦାନ ପାତ୍ରରେ ବହି , ଖେଳନା , ମହିଳା ଲୁଗା-ବସ୍ତ୍ର , ପୁରୁଷ ଲୁଗା-ବସ୍ତ୍ର , ଜୋତା ରେଶନ ପ୍ରଭୃତି ପାଇଁ ଭିନ୍ନ ଭିନ୍ନ ଦାନ-ବକ୍ସ ସବୁ ରଖାଯାଇଛି ।

ମୋ ମନରେ ପ୍ରତିଫଳିତ ହେଲା ଯେ , ଗଜପତି ଜିଲ୍ଲାରେ ବହୁ ସଂଖ୍ୟାରେ ଗରିବ ଓ ଅଭାବୀ ଲୋକ ରହିଛନ୍ତି ଏବଂ ପାର୍ଶ୍ୱରେ କୁଷ୍ଠା ଶ୍ରମ ରହିଛି , ଯେଉଁଠାରେ କି ସେମାନେ ଅସହାୟ ହୋଇ ରହିଛନ୍ତି ।ଏସବୁ ଦେଖି ମୋ ମନରେ ସେମାନଙ୍କ ପାଇଁ କିଭଳି କିଛି କରି ହେବ , ଏହି ଚିନ୍ତା ମାନ ଭିତରେ ସବୁବେଳେ ଆନ୍ଦୋଲିତ ହେଉଥିଲା । ଚିକିତ୍ସାଳୟ ଓ କୁଷ୍ଠ ଆଶ୍ରମ ଗୋଟିଏ ପାଖରେ ଥିବା ଯୋଗୁଁ ପୋଲିସ ପ୍ରଶାସନ ପକ୍ଷରୁ ଏହି ସ୍ଥାନ ହିଁ ଉପଯୁକ୍ତ ମନେ କରି ଏଠାରେ ନିଷ୍ପତ୍ତି ପ୍ରକାରେ କରାଗଲା । ଏ ଦିଗରେ ଜିଲ୍ଲା-ପ୍ରଶାସନର କିଛିଟା ସହାୟତାର ସହଯୋଗ ମିଳିଲେ ଆମେ ଆହୁରି ଦୁଇ ପାଦ ଆଗକୁ ଆଗେଇ ପାରିବୁ ବୋଲି ଏସପି: ଶର୍ମା କହିଥିଲେ।

ଜିଲ୍ଲାପାଳ ଅନୁପମ ଶାହା ଏ ସମ୍ପର୍କରେ କହିଛନ୍ତି ଯେ , ଜିଲ୍ଲା ପୋଲିସ ପ୍ରଶାସନର ପ୍ରଚେଷ୍ଠ।ରେ ଏହି ଯେଉଁ ଅକ୍ଷୟ ଦାନ କେନ୍ଦ୍ର ଉଦ୍ ଘାଟିତ ହୋଇଛି ଏହା ଏକ ମହତ ଓ ପ୍ରଶଂସନୀୟ ପଦକ୍ଷେପ ।ଯେଉଁମାନେ ଗରିବ ଓ ଅସହାୟଙ୍କ ପାଈଁ କିଛି ଦାନ-ଧର୍ମ କରିବାକୁ ଚାହୁଁଛନ୍ତି ସେମାନେ ଏଠାରେ ଦେଇପାରିବେ। ସାମାଜିକ ସେବା-ମନୋଭାବ ନେଇ ଏହି ଯେଉଁ ମହତ କାର୍ଯ୍ୟ କରାଯାଇଛି ସେଥିପାଇଁ ମୁଁ ଜିଲ୍ଲା-ପ୍ରଶାସନ ପକ୍ଷରୁ ପୋଲିସ ପ୍ରଶାସନଙ୍କୁ ସାଧୁବାଦ ଜଣାଉଛି ବୋଲି ଜିଲ୍ଲାପାଳ ଶ୍ରୀ ଶାହା କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଚଞ୍ଚଳ ରାଣା , ଥାନା ଅଧିକାରୀ ବିବେକା ନନ୍ଦ ସ୍ବାଇଁ ଏବଂ ଏସଆଇ ସୁନୀଲ କୁମାର ଦଳେଇଙ୍କ ସମେତ ବହୁ ସଂଖ୍ୟାରେ ପୋଲିସ ଅଧିକାରୀ ଓ କନଷ୍ଟେବଳ ମାନେ ଯୋଗ ଦେଇଥିଲେ ।

ଏହି ଅବସରରେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ କୁଷ୍ଠ ଆଶ୍ରମର ଅନ୍ତେବାସୀଙ୍କ ନିମନ୍ତେ ଭୋଜନ ବ୍ୟବସ୍ଥା କରା ଯାଇଥିଲା । ଜିଲ୍ଲାପାଳ ଅନୁପମ ଶାହା , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏବଂ ପିଡି:-ଚଞ୍ଚଳ ରାଣାଙ୍କ ସମେତ ଅନ୍ୟାନ୍ୟ ପୋଲିସ ଅଧିକାରୀ ମାନେ ଯୋଗଦେଇ ଅନ୍ତେବାସୀ ମାନଙ୍କୁ ସ୍ଵ-ହସ୍ତରେ ଭୋଜନ ପରସି ଥିଲେ ।

ଦୁର୍ନୀତି ର ଗନ୍ତାଘର ପାଲଟିଛି କୁଚାଗାଁ ଗ୍ରାମ ପଞ୍ଚାୟତ…!

!!! କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ରୁ ପ୍ଯାରୀଲାଲ୍ ଦୁର୍ଗା ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଧର୍ମଗଡ଼) – ଉଚିତ୍ ସେବା ଯୋଗାଇଦେବା ପାଇଁ ଗଣତନ୍ତ୍ର ରେ ରହିଛି ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥା। ସରପଞ୍ଚ ଟି ହେଉ କି, ସମିତି ସଭ୍ୟ/ସଭ୍ୟା କି, ୱାର୍ଡ ମେମ୍ବର ହେଉ ସେମାନେ ପଞ୍ଚାୟତର, ଗାଁ ର ଓ ସାହିର ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି ଆଶା ବାନ୍ଧିଥାନ୍ତି ଲୋକେ। ସରକାର ଙ୍କ ନୂତନ ଯୋଜନା ପ୍ରକାରେ ପଞ୍ଚାୟତ ର ବିକାଶ ପାଇଁ ସରପଞ୍ଚ ଙ୍କୁ ଏବେ ମିଳିଛି ଅନେକ କ୍ଷମତା। ଆଉ ଏଥି ପାଇଁ ଆସୁଛି ଅନେକ ଅର୍ଥ । କିନ୍ତୁ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ କୁଚାଗାଁ ପଞ୍ଚାୟତ ରେ ଦେଖିବା କୁ ମିଳିଛି କିଛି ଭିନ୍ନ ଦୃଶ୍ୟ। ଖାଲଖମା ରାସ୍ତା ରେ ଲୋକଙ୍କୁ ଯାତାୟତ କରିବାକୁ ପଡୁଛି। ସରକାରୀ ନିୟମ କୁ ଫାଙ୍କି ଅନେକ କାମ ହେଉଛି ହେଲେ ତାହାର ସୁଫଳ ପହଞ୍ଚି ପାରୁନାହିଁ ଲୋକଙ୍କ ନିକଟରେ। ଖୋଦ୍ ମହିଳା ସରପଞ୍ଚ ଙ୍କ ସ୍ଵାମୀ ଠିକାଦାର ସାଜି ରାସ୍ତା, ନାଳ ଓ ଚେକ୍ ଡ୍ୟାମ୍ ଆଦି ନିର୍ମାଣ କରୁଥିବା ଅଭିଯୋଗ ଆସିଛି। ତେବେ ସରକାରୀ ନିୟମକୁ ଉଲ୍ଲଂଘନ କରି ଯେ କେହିବି କାମ କରନ୍ତୁ ନା କାହିଁକି ଗ୍ରାମର ବିକାଶ ହେବା ଆବଶ୍ୟକ ବୋଲି ଗ୍ରାମବାସୀ ମତ ଦେଇଛନ୍ତି। ସେପଟେ ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀ କାମ ପାଇଁ ଅର୍ଥ ମଞ୍ଜୁର ହୋଇନଥିବା କହିଛନ୍ତି। ଏହି ସବୁ ଭିତରେ କାମ କିପରି ହେଉଛି ଓ ଏଥି ପାଇଁ ଉତ୍ତରଦାୟୀ କିଏ ରହିବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ନାଗରିକ ବିକାଶ ସଙ୍ଗଠନ କଳାହାଣ୍ଡି ଶାଖା ଧର୍ମଗଡ଼ ପକ୍ଷରୁ ଉପ କୃଷି ନିର୍ଦ୍ଧେଶକ କଳାହାଣ୍ଡି ଙ୍କୁ ସ୍ମାରକ ପତ୍ର ପ୍ରଦାନ !

!!! ଧର୍ମଗଡ଼ ପ୍ରତିନିଧି ଦୁର୍ଗା ପ୍ୟାରେ ଲାଲ୍ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଧର୍ମଗଡ଼) – ନାଗରିକ ବିକାଶ ସଙ୍ଗଠନ କଳାହାଣ୍ଡି ତରଫ ରୁ ଚାଷୀ ର ଉନ୍ନତି ଦେଶ ର ପ୍ରଗତି ନାମ ରେ ଏକ ଜିଲ୍ଲା ବ୍ୟାପି ଅଭିଯାନ ଆରମ୍ଭ ହୋଇଛି । ଏଥିରେ ନିର୍ଦ୍ଧିଷ୍ଟ ଭାବ ରେ ଚାଷୀ ଙ୍କ ର ଜମି ପାସ୍ ବୁକ୍ , କିସାନ୍ କ୍ରେଡ଼ିଟ୍ କାର୍ଡ , ଚାଷୀ ପରିଚୟ ପତ୍ର , ରିହାତି ଦରରେ ବିହନ , ସାର ତଥା କୀଟନାଶକ ଔଷଧ ଯୋଗାଣ ସମ୍ପର୍କିତ ବିଭିନ୍ନ ସମସ୍ୟା ଗୁଡ଼ିକ ର ସମାଧାନ ନେଇ ତୃଣମୂଳ ସ୍ଥର ରେ ସଚେତନତା ସୃଷ୍ଟି କରି ବିଭିନ୍ନ କାର୍ଯ୍ୟକ୍ରମ ହାତ କୁ ନେବାରେ ଯୋଜନା କରାଯାଇଛି ।

ଚାଷୀ ସମ୍ପର୍କିତ ଏହି ସମସ୍ୟା ଗୁଡ଼ିକ ଯୋଗୁଁ ନିରୀହ ଚାଷୀ ସରକାର ଙ୍କ ବିଭିନ୍ନ ଯୋଜନା ରେ ସାମିଲ ହୋଇପାରୁନଥିବା ଧର୍ମଗଡ଼ ବ୍ଲକ ସଙ୍ଗଠନ ପକ୍ଷରୁ କୁହାଯାଇଛି । ଏହି ଅଞ୍ଚଳ ର ଚାଷୀ ମାନେ ପଛୁଆ ଏବଂ ରାଜନୈତିକ ତଥା ଅର୍ଥନୈତିକ ସ୍ଥର ରେ ଦୁର୍ବଳ ଓ ଅନଗ୍ରସର ହୋଇ ପଡ଼ିରହିଛନ୍ତି ।

ଏଣୁ ଚାଷୀ ଙ୍କ ର ଏହି ସମସ୍ୟା ଗୁଡ଼ିକ ପ୍ରତି ଦୃଷ୍ଟି ଦେଇ ଚାଷୀ ମାନଙ୍କୁ ଚାଷୀ ପରିଚୟ ପତ୍ର ପ୍ରଦାନ , ଉପଯୁକ୍ତ ସମୟ ରେ ରିହାତି ଦରରେ ବିହନ , ସାର ଓ କୀଟନାଶକ ଔଷଧ ପ୍ରଦାନ କରିବା ସହ ଚାଷୀ ଙ୍କ ସମସ୍ୟା ନେଇ ପୁର୍ବରୁ ଆବେଦନ କରାଯାଇଥିବା ଦରଖାସ୍ତ ଗୁଡ଼ିକ ର ଶୀଘ୍ର ନିଷ୍ପତି ନେବା ନିମନ୍ତେ ସହକାରି କୃଷି ଅଧିକାରୀ ଧର୍ମଗଡ଼ ଙ୍କ ଜରିଆରେ ଉପ କୃଷି ନିର୍ଦ୍ଧେଶକ କଳାହାଣ୍ଡି ଙ୍କୁ ନାଗରିକ ବିକାଶ କମିଟି ପକ୍ଷରୁ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇ ଦାବୀ ଉପସ୍ଥାପିତ କରାଯାଇଛି ।

ସର୍ବଭାରତୀୟ ଓପନ୍ କରାଟେ ଚାମ୍ପିୟନ ସିପରେ କଳାହାଣ୍ଡି ଖେଳାଳିଙ୍କୁ ୮ ଟି ପଦକ…!

!!! କଳାହାଣ୍ଡି ରୁ ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗତ ୨୩ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ରେଲୱେ ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ଦଶମ ସର୍ବଭାରତୀୟ ଓପନ୍ କରାଟେ ଚାମ୍ପିୟନ ସିପ୍ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗୀତା ରେ କଳାହାଣ୍ଡି କରାଟେ ସଂଘ ସମ୍ପାଦକ ତଥା କୋଚ୍ କୃଷ୍ଣ ଚନ୍ଦ୍ର ସାହୁଙ୍କ ନେତୃତ୍ଵରେ କଳାହାଣ୍ଡି ଜିଲ୍ଲା ରୁ କରାଟେ ଖେଳାଳି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ଲୋକେଶ ରଞ୍ଜନ ନିଆଲ ୯ ବର୍ଷରୁ କମ୍ ବାଳକ ବିଭାଗ କୁମିତେରେ ସ୍ଵର୍ଣ୍ଣ ପଦକ ହାସଲ କରିଥିବା ବେଳେ ଶୁଭ୍ରଜିତ୍ ରୌପ୍ୟ ପଦକ ଓ ଅଂଶୁମାନ କର ୧୧ ବର୍ଷ ବାଳକ ବିଭାଗରେ କାତାରେ ରୌପ୍ୟ ପଦକ, ୩୫ କେଜି ବାଳକ ବିଭାଗ କୁମିତେରେ କାଂସ୍ୟ ପଦକ ହାସଲ କରିଥିବା ବେଳେ ନିଖିଲ ପଣ୍ଡା ୧୨ ବର୍ଷ ୪୦ କେଜି ରୁ ଅଧିକ ବାଳକ ବିଭାଗ କୁମିତେରେ କାଂସ୍ୟ ପଦକ, ଭୂମିକଭାରଦ୍ଵାଜ ଭୋଇ ୮ ବର୍ଷ ବାଳକ ବିଭାଗ କୁମିତେରେ ରୌପ୍ୟ ପଦକ ଏବଂ କାତାରେ କାଂସ୍ୟ ପଦକ, ଆର୍. ନିଖିଲେଶ୍ ୧୧ ବର୍ଷ ବାଳକ ବିଭାଗରେ କାତାରେ କାଂସ୍ୟ ପଦକ ପାଇଥିଲେ। ଏହି ଖେଳାଳୀ ମାନେ ପଦକ ଜିତି କଳାହାଣ୍ଡି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ପଦକ ବିଜେତା ମାନଙ୍କୁ ରାଜ୍ଯ ତଥା କଳାହାଣ୍ଡି ର ବିଭିନ୍ନ ମହାଲରୁ ଓ କ୍ରୀଡ଼ା ସଂଘ ମାନଙ୍କ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। କଳାହାଣ୍ଡି ଜିଲ୍ଲା କରାଟେ ସଂଘ ପକ୍ଷରୁ ସମ୍ପାଦକ କୃଷ୍ଣଚନ୍ଦ୍ର ସାହୁ ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ।

ରାୟଗଡ ଜିଲ୍ଲା ଗୁଣପୁର ଠାରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର ଛାତ୍ର ଛାତ୍ରୀ ମାନଙ୍କ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

!!! ଦକ୍ଷିଣ ଓଡିଶା ମୁଖ୍ୟ ଡ଼ି କିରଣ କୁମାର ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର G.I.S.T ଓ G.I.C.M.S ଆନୁକୁଲ୍ୟ ରେ ୨୦୧୯ – ୨୦ ବର୍ଷ ର ଫାର୍ମାସି , ଏମ.ବି.ଏ ଏବଂ ଏମ.ସି.ଏ ର ପ୍ରଥମ ବର୍ଷ ର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।

ଏହି ଉତ୍ସବ ରେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର ଅଧକ୍ଷ ଶ୍ରୀ ଅକ୍ଷୟ ଦାସ ମୁଖ୍ୟ ଅତିଥି ଭାବେ ରହିଥିବା ବେଳେ ସମ୍ମାନିତ ଅତିଥି ଭାବେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର ପରିଚାଳନା ନିର୍ଦ୍ଧେଶକ ତଥା ସମ୍ପାଦକ ଶ୍ରୀ ସଂଜୟ ସାହୁ ଯୋଗ ଦେଇଥିଲେ । ଉତ୍ସବ ର ଅନ୍ୟତମ ଅତିଥି ଭାବେ ଗାୟତ୍ରୀ ଗ୍ରୁପ ଅଫ୍ ଇନଷ୍ଟୁସନ ର AO ଶ୍ରୀ ପି ଭି କୋଟେସ୍ୱର ରାଓ , GICMS ର ପ୍ରିନ୍ସିପାଲ ଶ୍ରୀ ଧବଳ ପଟ୍ଟନାୟକ ଏବଂ GIST ର ପ୍ରିନ୍ସିପାଲ ଡ଼ଃ ଶ୍ରୀ ଦିଲ୍ଲୀପ ଜେନା ମଞ୍ଚାସୀନ ରହିଥିଲେ ।

ଅନୁଷ୍ଠାନ ର ଛାତ୍ରୀ ମାନେ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରିଥିଲେ ଏବଂ ମୁଖ୍ୟ ଅତିଥି , ସମ୍ମାନିତ ଅତିଥି ବୃନ୍ଦ ଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ହେବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ମୁଖ୍ୟ ଅତିଥି ଶ୍ରୀ ଦାସ ଏବଂ ସମ୍ମାନିତ ଅତିଥି ଶ୍ରୀ ସାହୁ ଛାତ୍ର ଛାତ୍ରୀ ମାନଙ୍କୁ କିଭଳି ଶିକ୍ଷା କୁ ଗୁରୁତ୍ୱ ଦେବା ଏବଂ ବିପଥ ନ ହୋଇ ଅଧ୍ୟାପକ ଅଧ୍ୟାପିକା ଦର୍ଶାଉଥିବା ସଠିକ ରାସ୍ତା ରେ ଚାଲିଲେ ନିଜ ନିଜ ଭବିଷ୍ୟତ ଉଜ୍ଜ୍ୱଳ ହେବା ସହ ଜୀବନ ରେ ଏକ ଭଲ ମଣିଷ ହୋଇପାରିବେ ବୋଲି କହିଥିଲେ ।

ଉକ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ଅଧ୍ୟାପିକା ଶ୍ରୀମତୀ ମନ୍ମୟି ମହାପାତ୍ର ଏବଂ ଅଧ୍ୟାପିକା ସୁଶ୍ରୀ ଦିପାଲି ପାଢ଼ୀ ପରିଚାଳନା କରିଥିବା ବେଳେ ଅନୁଷ୍ଠାନ ର ବିବରଣୀ ଅଧ୍ୟାପିକା ସୁଶ୍ରୀ ପ୍ରିୟଙ୍କା ପାଢ଼ୀ ଉପସ୍ଥାପନ କରିଥିଲେ । ପରିଶେଷ ରେ ଅନୁଷ୍ଠାନ ର ଅଧ୍ୟାପିକା ସୁଶ୍ରୀ ସୀତାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ନଦୀରୁ ବେ-ଆଇନ ବାଲି ଉଠାଣ;ରୋକ ଲଗାଇବାକୁ ଦାବୀ…।

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ବଂଶଧାରା ନଦୀରୁ ବେଧଡକ ବାଲି ଉଠାଣ କରାଯାଉଥିବା ନେଇ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ ଘଟଣା ସ୍ଥଳ ପରିଦର୍ଶନ କରି ଆସିଛନ୍ତି । ନଦୀରୁ ଜେସିପି ମାଧ୍ୟମରେ ବାଲି ଉଠା ଯାଉଥିବା,ନଦୀରୁ ବାଲି ଉଠାଇ ପ୍ରଥମ ଥର ଗୋଟାଏ ରାୟାଲଟି ଜମାଜରି ଏହି ରାୟାଲଟି ରସିଦ ଧରି ଦିନ ତମାମ ବାଲି ଉଠାଇ ବୁହା ହେଉଥିବା ଅବିଯୋଗ ହୋଇଛି । ଏପରିକି ନଦୀହିଡରେ କରାଯାଇଥିବା ଅଫିସରେ ଗୋଟିଏ ଅସଲି ଓ ଗୋଟାଏ ନକଲି ରସିଦ ବହି ବ୍ୟବହାର କରା ଯାଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି । ଏଥିରୁ ଆଦାୟ ଅର୍ଥକୁ ବାଲି ଟେଣ୍ଡେର ନେଉଥିବା ବ୍ୟକ୍ତି ଏବଂ ତହସିଲ କର୍ମଚାରୀ ଙ୍କ ମଧ୍ୟରେ ଭାଗ ବଣ୍ଟା ହେଉଥିବା ଓ ଏଥିରେ ସ୍ଥାନୀୟ ରାଜସ୍ବ ନିରୀକ୍ଷକ ସହଯୋଗ କରୁଥିବା କଥା ଉଠିଛି । ସ୍ଥାନୀୟ ତହସିଲଦାର ସୁଶ୍ରୀ ମୋଦୀ ଙ୍କ ପରିଦର୍ଶନ ପରେ ସେ ପ୍ରତ୍ୟେକ ବାଲି ଲୋଡ଼ ନିମନ୍ତେ ପ୍ରତି ଥର 250 ଟଙ୍କା ଲେଖାଏଁ ରାୟାଲଟି ରସିଦ କାଟିବା ପାଇଁ କହିବାରୁ ଏହାକୁ ବିରୋଧ କରି କିଛିଦିନ ଟ୍ରାକଟର ମାଲିକ ମାନେ ବାଲି ଉଠାଇବା ବନ୍ଦ କରିଦେଇଥିବା ଖବର ମିଳିଛି । କିନ୍ତୁ ପରବର୍ତ୍ତୀ ସମୟରେ କଣ ହେଲା କେଜାଣି ପୁଣି ବର୍ତ୍ତମାନ ଆଗଭଳି ରୀତିମତ ଧନ୍ଦା ଚାଲିଥିବା ଅଭିଯୋଗ ଉଠିଛି । ଖବର ପ୍ରକାଶ ପାଇବାପରେ ସ୍ଥାନୀୟ ଉପ ଜିଲ୍ଲାପାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ଏହା ଫାଇଲର ନାଲି ଫିତା ତଳେ ବାନ୍ଧି ହୋଇ ରହିଯାଇଥିବା ଅଭଯୋଗ ଆସୁଛି । ସ୍ଥାନୀୟ
ପ୍ରଶାସନର ନୀରବତା ରାଜସ୍ବ ହାନି ଦିଗରେ ସହଯୋଗ କରୁଥିବାରୁ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସଧାରଣରେ ଦାବୀ ହେଉଛି ।