କୈଳାସପୁର ଘାଟି ରୁ ପଥର ଖସିଲା ରାଜରାସ୍ତା କୁ ; ଯଥାଶୀଘ୍ର କାର୍ଯ୍ୟ ସମ୍ପୂର୍ଣ କରିବାକୁ ମୁକୁନ୍ଦପୁର ଗ୍ରାମବାସୀ ଙ୍କ ଦାବୀ !

!!! କଲ୍ୟାଣସିଂପୁର ପ୍ରତିନିଧି ସଂଜୀବ କଣ୍ଡାଗରୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (କୈଳାସପୁର) – ଅବିଭକ୍ତ କୋରାପୁଟ ଜିଲ୍ଲାର ଘାଟି ରାସ୍ତା ମାନଙ୍କ ମଧ୍ୟରୁ ରାୟଗଡା ନିକଟସ୍ଥ କୈଳାଶପୁର ଘାଟି ଏକ ବିପଦ ସଙ୍କୁଳ ଘାଟି । ଏହାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଘାଟି ରାସ୍ତାର ଉନ୍ନତିକରଣ ଏବଂ ପ୍ରସସ୍ଥିକରଣ ସକାଶେ ପଦକ୍ଷେପ ସ୍ୱରୂପ ଏହାକୁ ରାଜ୍ୟ ସରକାର ଜାତୀୟ ରାଜପଥର ମାନ୍ୟତା ଦେଇ କାର୍ଯ୍ୟ ଆରମ୍ଭ କରିଥିଲେ । ଠିକାଦାରଙ୍କ କାର୍ଯ୍ୟ ପ୍ରତି ଅନୁକୂଳ ମନୋଭାବ ରହୁନଥିବାରୁ ରାସ୍ତାର କାମ ସମ୍ପୂର୍ଣ୍ଣ ହୋଇ ପାରୁନାହିଁ । ବର୍ତ୍ତମାନ ବର୍ଷା ର ପ୍ରକୋପରେ କଟା ଯାଇଥିବା ରାସ୍ତା ପାର୍ଶ୍ୱର ବଡ଼ବଡ଼ ପଥର ଖଣ୍ଡ ଖସି ରାସ୍ତା ଅବରୋଧ କରୁଛି । ଏହି ରାସ୍ତାଦେଇ ରାଜଧାନୀରୁ ନକ୍ସଲ ପ୍ରବଣ ମାଲକାନଗିରି ସମେତ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ରାତ୍ରି କାଳୀନ ଯାତ୍ରୀବାହୀ ବସ ଗୁଡିକ ଚଳାଚଳ କରୁଛି ।ଏହି ରାସ୍ତାରେ ସବୁବେଳେ ଦୁଇ ଚକିଆ ଯାନ ଠାରୁ ଆରମ୍ଭକରି ଷୋହଳ ଚକିଆ ଗାଡି ଚଳାଚଳ ଲାଗିରହିଥାଏ । ବିପଦ ସଙ୍କୁଳ ଏହି ଯାତ୍ରା ବସ ଯାତ୍ରୀଙ୍କ ନିଦ ହଜାଇ ଦେଉଛି । ତଥାପି ଏଥିପ୍ରତି ସ୍ଥାନୀୟ ପ୍ରଶାସନର ନିଘା ନଥିବା ଅଞ୍ଚଳବାସୀ ଅଭଯୋଗ କରୁଛନ୍ତି । ଠିକାଦାର କାମଟିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବା ଦେଖା ଦେଇଛି । ଏହି କାର୍ଯ୍ୟ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ଖସିଥିବା ମାଟି ଅତଡ଼ା ଓ ପଥର କୁ ରାସ୍ତାରୁ ହଟାଇବା ଦିଗରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ମୁକୁନ୍ଦପୁର ଗ୍ରାମବାସୀ ଦାବୀ କରିଛନ୍ତି ।

ଟ୍ରମ୍ପଙ୍କ ଶରଣ ପଶିଲେ ଇମ୍ରାନ୍‌ !

ଏଥର ସମ୍ଭାଳ (ନୁଆଦିଲ୍ଲୀ) – ଭାରତ ଜମ୍ମୁକଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରିବା ପରେ ଏହାକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନା ଆରମ୍ଭ ହୋଇଛି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆମେରିକା ନିକଟରେ ଶରଣ ପଶିବା ପରେ ଭାରତର କଡ଼ା ଆଭିମୁଖ୍ୟ ଦେଖି ପାକିସ୍ତାନ ସରକାରଙ୍କ ମନରେ ଭୟ ସୃଷ୍ଟି ହୋଇଥିବା ସ୍ପଷ୍ଟ ହେବାରେ ଲାଗିଛି। କଶ୍ମୀରକୁ ନେଇ ଭାରତ କିଛି ବଡ଼ ପଦକ୍ଷେପ ନେବ ବୋଲି ଆଶଙ୍କା କରି ଆଜି ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବାକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନିମନ୍ତ୍ରଣ କରିଛନ୍ତି ଇମ୍ରାନ୍‌। ପୂର୍ବରୁ ଟ୍ରମ୍ପ ନିଜଆଡ଼ୁ ମଧ୍ୟସ୍ଥତା ପାଇଁ ଆଗ୍ରହ ଦେଖାଇଥିଲେ ମଧ୍ୟ ଭାରତ ଏଥିରେ ଅରାଜି ହେବା ସହ କଶ୍ମୀର ମାମଲା ସମ୍ପୂର୍ଣ୍ଣ ଭାବେ ଏକ ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ସ୍ପଷ୍ଟ କରିସାରିଛି। ଅନ୍ୟପକ୍ଷରେ କଶ୍ମୀରର ରାଜନୀତିକ ଦଳମାନଙ୍କ ମଧ୍ୟରେ ସରକାରଙ୍କ ପଦକ୍ଷେପକୁ ନେଇ ବିଭିନ୍ନ ଆକଳନ ଏବଂ ବିରୋଧ ଜାରି ରହିଛି।

ତେବେ ଆଜି ହେବାକୁ ଥିବା କ୍ୟାବିନେଟ୍‌ ବୈଠକ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ‘ଜମ୍ମୁ କଶ୍ମୀର’ ହିଁ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଅନୁମାନ କରାଯାଉଛି। ଜମ୍ମୁ କଶ୍ମୀରକୁ ଭାରତୀୟ ରାଜ୍ୟମାନଙ୍କ ତୁଳନାରେ ସ୍ୱତନ୍ତ୍ର କ୍ଷମତା ଦେଇଥିବା ଧାରା ୩୭୦ ଏବଂ ୩୫-ଏ ନେଇ ବିରୋଧୀ ଦଳମାନେ ମଧ୍ୟ ଆଶା ଆଶଙ୍କା ଦେଇ ଗତି କରୁଛନ୍ତି। ପୂର୍ବରୁ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ସ୍ପଷ୍ଟ କରିସାରିଛନ୍ତିଯେ ଧାରା ୩୭୦ ଏକ ଅସ୍ଥାୟୀ ଧାରା, ଯାହାକୁ ଉଠାଯାଇପାରିବ। ତାଙ୍କର ଏହି ମନ୍ତବ୍ୟ ପରେ ସରକାର ସୁରକ୍ଷାକର୍ମୀଙ୍କୁ ଅଧିକ ମାତ୍ରାରେ ଠୁଳ କରିବା ବିରୋଧୀଙ୍କ ଆଶଙ୍କାକୁ ଇନ୍ଧନ ଯୋଗାଇଛି।  ପିଡିପି ମୁଖ୍ୟ ମେହବୁବା ମୁଫ୍‌ତି ସର୍ବଦଳୀୟ ବୈଠକ ଡାକିବା ସହ ମହମବତି ଶୋଭାଯାତ୍ରା କରି ବିରୋଧୀଙ୍କୁ ଏକାଠି କରିବା ଆରମ୍ଭ କରିଛନ୍ତି।

ଝଡ଼ ପୂର୍ବର ପ୍ରସ୍ତୁତି ପରି ବର୍ତ୍ତମାନ ଦୁଇ ପଡ଼ୋଶୀ ଦେଶରେ ଘନ ଘନ ବୈଠକ ଆରମ୍ଭ ହୋଇସାରିଛି। ଆଜି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ପ୍ରସଙ୍ଗରେ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଅନ୍ୟପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ବରିଷ୍ଠ ଅଧିକାରୀଙ୍କ ସହ କଶ୍ମୀର ପ୍ରସଙ୍ଗରେ ବୈଠକ କରିଛନ୍ତି।

ଗତକାଲି କେରାନ ସେକ୍ଟରରେ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ କରୁଥିବା ୪ ଆତଙ୍କବାଦୀ ଭାରତୀୟ ସେନା ଗୁଳିରେ ନିହତ ହୋଇଥିଲେ। ଏହି ଘଟଣା ପରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ ଓ ବିଭିନ୍ନ ଗୁଇନ୍ଦା ଏଜେନ୍ସିର ମୁଖିଆ ମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି। ଏହି ବୈଠକରେ ଗୁଇନ୍ଦା ମୁଖ୍ୟ ଅରବିନ୍ଦ କୁମାର, ର’ ମୁଖ୍ୟ ସାମନ୍ତ ଗୋଏଲ, ଗୃହ ସଚିବ ରାଜୀବ ଗୌବା ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ କଶ୍ମୀରର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିଛନ୍ତି।

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କରିଥିବା ବୈଠକରେ ଭାରତ ପଟୁ ପ଼ଡ଼ୁଥିବା କ୍ଲଷ୍ଟର୍ ବୋମାକୁ ନେଇ ବୈଠକରେ ଆଲୋଚନା ହୋଇଛି। ଏହି ବୈଠକରେ ପାକିସ୍ତାନର ଜାତୀୟ ସୁରକ୍ଷା ପରାମର୍ଶଦାତା ଓ ଅନ୍ୟାନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ଥିଲେ।

ସୂଚନା ଅନୁଯାୟୀ, ପାକ୍ ସେନା ସାହାଯ୍ୟରେ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ସମସ୍ତ ପ୍ରକାରର ଚେଷ୍ଟା କରୁଛନ୍ତି। ଗତ ଫେବୃଆରୀରେ ହୋଇଥିବା ପୁଲଓ୍ୱାମା ଆକ୍ରମଣ ଶୈଳୀରେ ଆତ୍ମଘାତୀ ଆକ୍ରମଣ କରିବା ପାଇଁ ଆତଙ୍କବାଦୀମାନେ ଯୋଜନା କରିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଏହାପରେ ସପ୍ତାହକ ମଧ୍ୟରେ ୩୮ ହଜାରରୁ ଅଧିକ ଯବାନ କଶ୍ମୀରରେ ନିୟୋଜିତ କରାଯାଇଛି। ସୁରକ୍ଷାକୁ ନଜରରେ ରଖି ଅମରନାଥ ଯାତ୍ରା ବାତିଲ୍ କରି ଫେରିଯିବା ପାଇଁ ଶ୍ରଦ୍ଧାଳୁ ଏବଂ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସରକାର।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ, କିଛି ଆତଙ୍କବାଦୀ ଜୁଲାଇ ୩୧ରୁ ଅଗଷ୍ଟ ୧ ମଧ୍ୟରେ କଶ୍ମୀରରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ବେଳେ ଭାରତୀୟ ସେନା ସେହି ଉଦ୍ୟମକୁ ପ୍ରତିହତ କରିବା ସଙ୍ଗେସଙ୍ଗେ ପାଞ୍ଚରୁ ସାତ ଜଣ ଆତଙ୍କୀଙ୍କୁ ନିପାତ କରିଦେଇଛନ୍ତି। ଭାରତ ଏହି ନିହତ ଅନୁପ୍ରବେଶକାରୀଙ୍କ ମୃତଦେହ ନେଇ ଯିବା ପାଇଁ ପାକିସ୍ତାନ ସେନାକୁ କହିଥିଲେ ମଧ୍ୟ ସେମାନେ ଏଯାଏ ଏହାର ଜବାବ ଦେଇନାହାନ୍ତି। ପାକିସ୍ତାନ ପୂର୍ବ ଭଳି ଭାରତ ସହ ସାମ୍ନାରୁ ନଲଢ଼ି ଛାୟା ଯୁଦ୍ଧ ପନ୍ଥାକୁ ଆପଣାଇଛି। ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରି କିପରି ଆର୍ମି କ୍ୟାମ୍ପ ଉପରେ ସଫଳତାର ସହିତ ଆକ୍ରମଣ କରିପାରିବେ, ସେଥିପାଇଁ ପାକିସ୍ତାନ ଚେଷ୍ଟା କରୁଛି ବୋଲି ଜଣାପଡ଼ିଛି। ବର୍ଡର ଆକ୍ସନ ଟିମ୍‌ ବା ବ୍ୟାଟ ଜରିଆରେ ଏଭଳି ଆକ୍ରମଣ ଯୋଜନାକୁ ପାକିସ୍ତାନ ସେନା ଖୋଲାଖୋଲି ସମର୍ଥନ କରିଆସୁଛି।

ରାୟଗଡ଼ା ଠାରେ ରେଳବାଇ ଡିଭିଜନାଲ କାର୍ଯ୍ୟାଳୟ ତୁରନ୍ତ ପରିଚାଳନା ପାଇଁ ଯୁବ ବିକାଶ ପରିଷଦର ଦାବୀ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ରାୟଗଡ) – ପୂର୍ବତଟ ରେଳବାଇର ରାୟଗଡକୁ ନୂଆ ରେଳ ଡିଭିଜନ୍ ପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା ହୋଇଯାଇଛି । ଏଥି ନିମନ୍ତେ ଆସନ୍ତା ଅଗଷ୍ଟ ୩୧ତାରିଖ ସୁଦ୍ଧା ଡିଭିଜନାଲ ପାଇଁ ସମସ୍ତ କାର୍ଯ୍ୟାରମ୍ଭ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଚଳିତ ମାସର ୩ଦିନ ବିତିଯାଇଥିଲେ ମଧ୍ୟ ରେଳବାଇ ପକ୍ଷରୁ ଏ ନେଇ ରାୟଗଡ ରେଳ ଷ୍ଟେସନର ଭିତିଭୂମିକୁ ଯାଞ୍ଚ କରିବା ଦିଗରେ କୈାଣସି ଉଚ୍ଚ ପଦସ୍ଥ ଅଧିକାରୀ ଏ ପର୍ଯ୍ୟନ୍ତ ପରିଦର୍ଶନରେ ଆସି ନ ଥିବାରୁ କାର୍ଯ୍ୟାରମ୍ଭ ଦିଗରେ ବିଳମ୍ବ ହେବାରେ ଲାଗିଛି ।

ଯାହାକୁ ନେଇ ରାୟଗଡ ସହରର ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯୁବ ବିକାଶ ପରିଷଦର ସଭାପତି ଶିବାଜୀ ଦାସଙ୍କ ନେତୃତ୍ୱରେ ଡିଆରଏମ କାର୍ଯ୍ୟାଳୟକୁ ତୁରନ୍ତ ପରିଚାଳନା ପାଇଁ ରାୟଗଡ ରେଳ ଷ୍ଟେସନର ଷ୍ଟେସନ ପ୍ରବନ୍ଧକ ପି.ସି.ସେଠୀ ଙ୍କ ଜରିଆରେ ରେଳମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାୟଗଡ ଯୁବ ବିକାଶ ପରିଷଦ ଓ ଜିଲ୍ଳାବାସୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ସରକାର ରାୟଗଡରେ ନୂତନ ଡିଆରଏମ କାର୍ଯ୍ୟାଳୟ ପ୍ରତିଷ୍ଠା ପାଇଁ ସଂସଦରେ ଘୋଷଣା କରିବା ସହ ସମସ୍ତ ନିର୍ଦ୍ଦେଶନାମା ଜାରି କରିଥିଲେ । କିନ୍ତୁ ନିର୍ଦ୍ଦେଶନାମାକୁ ଦୀର୍ଘ ମାସ ବିତିଯାଇଥିଲେ ମଧ୍ୟ ଆଜିଯାଏଁ କୈାଣସି ପରିଚାଳନା ଆରମ୍ଭ ହୋଇନଥିବାରୁ ପରିଷଦ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।

ଭାରତର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଭାବେ ପରିଚିତ ଅବିଭକ୍ତ କୋରାପୁଟ ଜିଲ୍ଳାର ମାଲକାନଗିରି, ନବରଙ୍ଗପୁର, କୋରାପୁଟ, ରାୟଗଡ ସହ ପଡୋଶୀ କଳାହାଣ୍ଡି ଜିଲ୍ଳାର ମୁଖ୍ୟ କେନ୍ଦ୍ରସ୍ଥଳ ରାୟଗଡ ହୋଇଥିବାରୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଧାରଣ ମୁତାବକ ତୁରନ୍ତ ଡିଆରଏମ ପରିଚାଳନା ସହ ସ୍ଥାନୀୟ ଯୁବକ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ପ୍ରଦାନ ପାଇଁ ଦାବି କରାଯାଇଛି । ସେହିପରି ଆସନ୍ତା ୩୧ତାରିଖ ମଧ୍ୟରେ ଯଦି କାର୍ଯ୍ୟାରମ୍ଭ ନ ହୁଏ ତେବେ ଆନ୍ଦୋଳନ କରାଯିବ ବୋଲି ଯୁବ ବିକାଶ ପରିଷଦ ପକ୍ଷରୁ ଦାବିପତ୍ରରେ ଉଲ୍ଳେଖ କରାଯାଇଛି । ଏହି ଦାବିପତ୍ର ପ୍ରଦାନ ସମୟରେ ସଭାପତି ଶିବାଜୀ ଦାସ, ଗୋପିନାଥ ଗୈାଡ, ପୁତୁଲୁ ପାଢି, ପ୍ରତାପ ପୁଆଲା, ଦିବାକର ଗୈାଡ, ରମେଶ ପାୟାସିଂ, ଗଣେଶ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ବରଗଡ ଜିଲ୍ଲାରେ ଧାନ କିଣା ଅବ୍ୟବସ୍ଥା ପ୍ରସଙ୍ଗ ଉଠାଇଲେ ବିଧାୟକ ଦେବେଶ ଆଚାର୍ଯ୍ୟ…!

!!! ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବରଗଡ଼) – ବିଧାନସଭାରେ ଧାନ କିଣା ପ୍ରସଙ୍ଗ ଉଠିଛି । ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ସଂମ୍ପର୍କରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଶ୍ରୀ ଆଚାର୍ଯ୍ୟ କହିଲେ ଯେ ୨୦୦୨ ମସିହାରେ ରାଜ୍ୟରେ ଧାନର ଅଭାବି ବିକ୍ରୀ ସମସ୍ୟା ଦେଖାଦେବା ପରେ ରାଜ୍ୟ ସରକାର ଅନେକ ନୀତି ନିୟମ ପ୍ରଣୟନ କରିଛନ୍ତି । ଯୋଗାଣ ନିଗମ ସହିତ ଧାନ କ୍ରୟ ସଂସ୍ଥା ପ୍ରାଥମିକ କୃଷି ସେବା ସମବାୟ ସମିତି (ପେକ୍ସ)ର ବୁଝାମଣାପତ୍ର ସ୍ୱାକ୍ଷର ହୋଇଛି । ମଣ୍ଡି ହେଣ୍ଡଲିଂ ବାବଦରେ ପେକ୍ସକୁ କମିଶନ ଦିଆଯାଉଛି । ଏଗ୍ରିମେଂଟ ଅନୁସାରେ ଚାଷୀ ମାନଙ୍କୁ ପେକ୍ସ ଯେଉଁ ସୁବିଧା ଦେବା କଥା ଦେଉନାହାନ୍ତି । ସରକାର ଏଦିଗରେ କଣ ପଦକ୍ଷେପ ନେବେ ? ଗନି ବେଗ ଡ଼େପ୍ରିସିଏସନ ବାବଦରେ ସରକାର କେତେ ଟଙ୍କା ଦେଇଛନ୍ତି, ସେହି ଟଙ୍କା କାହା ପାଖକୁ ଯାଇଛି ? ମଣ୍ଡି ଲେବର ଚାର୍ଜେସ କାହାକୁ ଦିଆଯାଇଛି? ବରଗଡ଼ ଜିଲ୍ଳାର କିଛି ମିଲର୍ସ ଏବାବଦରେ ସରକାରଙ୍କୁ ବିଲ ଦେଇଛନ୍ତି । ପ୍ରାପ୍ୟ ପ୍ରଦାନ ପାଇଁ କିଛି ପ୍ରକ୍ରିୟା ହୋଇଛିକି ବୋଲି ପ୍ରଶ୍ନ କରିଛନ୍ତି ।
ସେହିପରି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଜରିଆରେ କିଭଳି ପ୍ରଣାଳୀରେ ହେବ ? ମଣ୍ଡିରେ ଆବଶ୍ୟକ ଯନ୍ତ୍ରପାତି କିଣିବା ପାଇଁ କଣ ବ୍ୟବସ୍ଥା ରହିଛି ? ନିୟନ୍ତ୍ରୀତ ବଜାର କମିଟିର ଆର୍ôଥକ କ୍ଷମତା ବୃଦ୍ଧି ପାଇଁ ପଦକ୍ଷେପ ନିଆ ଯାଇପାରିବ କି ବୋଲି ବିଧାୟକ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି । ସର୍ଭର ଖରାପ ଯୋଗୁଁ ୬ ହଜାର କୁଇଣ୍ଟାଲ ଧାନ ଅପଲୋଡ଼ ହୋଇପାରିନାହିଁ ବୋଲି ସେ କହିଥିଲେ ।
ଏହି ପ୍ରଶ୍ନର ଉତ୍ତରରେ ଯୋଗାଣ ମନ୍ତ୍ରୀ ସ୍ୱୟ ସହାୟକ ଗୋଷ୍ଠୀ ଧାନ କିଣିବା ପ୍ରସଙ୍ଗ ଗୃହର ସମସ୍ତ ସଦସ୍ୟକୁ ଅବଗତ କରିବା ପରେ କାର୍ଯ୍ୟକାରୀ ହେବ ବୋଲି କହିଥିଲେ । ଗତି ବେଗ ଏବଂ ଅନ୍ୟ ପ୍ରସଙ୍ଗ ଗୁଡ଼ିକର ତଦନ୍ତ ପରେ ଉତ୍ତର ଦେବେ ବୋଲି ମନ୍ତ୍ରୀ କହିଥିଲେ । ରାଜ୍ୟରେ ଧାନ କିଣାବିକା ଏକ ସମ୍ବେଦନଶୀଳ ଏବଂ ଜଟିଳ ପ୍ରସଙ୍ଗ, କଟନି ଛଟନି, ଧାନ ମହଜୁଦ ଆଦି ବିଭିନ୍ନ ସମସ୍ୟା ଏଥିରେ ରହିଛି, ତେଣୁ ମାନ୍ୟବର ମନ୍ତ୍ରୀ ଏହାର ସମୀକ୍ଷା କରି ଉଚିତ ପଦକ୍ଷେପ ନେବାକୁ ବିଧାନସଭା ବାଚଷ୍ପତି ଅନୁରୋଧ କରିଥିଲେ । ବିଧାୟକ ଭୁପିନ୍ଦର ସିଂ ମଧ୍ୟ ଆଗାମୀ ଖରିଫରେ ଚେଶଟଚାଷୀ ଯେପରି ମଣ୍ଡିରେ ଧଶନ ବିକ୍ରୀ କରିପାରିବେ ସେ ନେଇ ଯୋଗାଣ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ନିଆରା ଏସପି ସାରା ଶର୍ମା, କେତେବେଳେ ନାରୀ ସୁରକ୍ଷା ତ କେତେବେଳେ ଯୁବ ସମ୍ବଳର ବିକାଶ ଚିନ୍ତା ; ଜିଲ୍ଲା ପୋଲିସ ପକ୍ଷରୁ ଉଡାନ କାର୍ଯ୍ୟକ୍ରମର ଶୁଭାରମ୍ଭ,୨୦ ଦିନରେ ୫୦୦ରୁ ଉର୍ଦ୍ଧ୍ଵ ବେକାର ଯୁବକ – ଯୁବତୀଙ୍କୁ ଦିଆଯିବ ତାଲିମ…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ଲୋକଙ୍କ ହିତରେ ଅନେକ ସମୟରେ ଭଲକାମ କରି ଚର୍ଚ୍ଚାରେ ରହି ଆସିଥିବା ଆଇପିଏସ ଅଫିସର ତଥା ଗଜପତି ଏସପି ସାରା ଶର୍ମା ଏବେ ଉପାନ୍ତ ଜିଲାର ଯୁବକଯୁବତୀମାନଙ୍କ ଦକ୍ଷତା ବୃଦ୍ଧି ତଥା ସେମାନଙ୍କୁ ପୋଲିସ ସେନା ବା ଅର୍ଧ ସେନା ବଳରେ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା କାମ ଆରମ୍ଭ କରିଦେଇଛନ୍ତି | ଆଉ ଏସ୍ପିଙ୍କ ଲଗାତାର ଭାବେ ଏଭଳି କାମକୁ ଜିଲ୍ଲାରେ ମିଳିଛି ବେଶ ପ୍ରଶଂସା | ପୋଲିସ ଓ ଲୋକଙ୍କ ଭିତରେ ଦୂରତ୍ୱ କମାଇବା ସହ ଲୋକଙ୍କ ଆସ୍ଥା ପୋଲିସ ପ୍ରତି ବଢ଼ାଇବାରେ ସହାୟକ ହୋଇଛି |

ଓଡ଼ିଶାରେ ପ୍ରଥମ କରି ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପୋଲିସ ରିଜର୍ଭ ପଡିଆ ପରିସରରେ ବେକାର ଯୁବକ ଯୁବତୀ ମାନଙ୍କ ପାଈଁ ଉଡାନ ” କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରି ଏହା ଦ୍ବାରା ୧୫ ରୁ ୧୮ ବର୍ଷ ବୟସ ମଧ୍ୟରେ ଥିବା ବେକାର ଯୁବକ-ଯୁବତୀ ମାନେ ଉପକୃତ ହୋଇପାରିବେ । ଏହି ତାଲିମ କାର୍ଯ୍ୟକ୍ରମ ଆସନ୍ତା ୨୦ ଦିନ ଧରି ଚାଲିବ ଏବଂ ଏଥିରେ ଆର୍ମି , ପାରା ମିଲିଟାରୀ ଫୋର୍ସ, ଏବଂ ପୋଲିସ ପ୍ରଭୃତିରେ ଚାକିରି ନିଯୁକ୍ତି ପାଈଁ ଆବଶ୍ୟକ ପଡୁଥିବା ବିଭିନ୍ନ ବିଷୟରେ ତାଲିମପ୍ରାପ୍ତ ଅଧିକାରୀ ଓ ହାବିଲଦାର ମାନଙ୍କ ଦ୍ବାରା ତାଲିମ ପ୍ରଦାନ କରାଯାଉଛି । ଏଇ କାର୍ଯ୍ୟକ୍ରମରେ ୫୦୦ ରୁ ଉର୍ଦ୍ଧ୍ବ ଯୁବକ ଯୁବତୀଙ୍କୁ ତାଲିମ ଦିଆଯିବ । ମୁଖ୍ୟତଃ ଏହି କାର୍ଯ୍ୟକ୍ରମ ଦ୍ୱାରା ଜିଲ୍ଲାର ଅନେକ ବେକାର ଯୁବକ ଯୁବତୀ , ନିଜକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିପାରିବେ ବୋଲି ଏସପି: ସାରା ଶର୍ମା କହିଛନ୍ତି ।
ରିଜର୍ଭ ପଡ଼ିଆରେ ପିଲାମାନଙ୍କୁ ଉଚତା ମାପ ଓ ମେଡ଼ିକାଲ ଟେଷ୍ଟ କରାଯାଇ ବିଭିନ୍ନ ବିଷୟରେ ବୁଝାଇ ଦିଆଯାଉଛି । ଏତଦ୍ ବ୍ୟତୀତ ଅଧିକାରୀ ଓ ହାବିଲଦାର ମାନେ ବିଭିନ୍ନ ପ୍ରକାର ଶାରୀରିକ ପ୍ରଶିକ୍ଷଣ ଦେଉଛନ୍ତି ।
ଏ ସମ୍ପର୍କରେ ପ୍ରଶିକ୍ଷାର୍ଥି ମାନେ ପୋଲିସ ପ୍ରଶାସନର ଏଭଳି ପଦକ୍ଷେପକୁ ଭୂୟସୀ ପ୍ରଶଂସା କରି ଏଭଳି ପ୍ରଶିକ୍ଷଣ ଅନ୍ୟ ଜିଲ୍ଲାରେ କରାଗଲେ ବେକାର ଯୁବକ ଯୁବତୀ ବେଶ ଉପକୃତ ହୋଇ ପାରନ୍ତେ ବୋଲି କହିଛନ୍ତି ।

ରାୟଗଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀ ଙ୍କ ସୂଚନା ଅଧିକାର ଆଇନ କୁ କୋଣଠେସା ; ଅକାମୀ କରିଦେବା କୁ ଚେଷ୍ଟା … ?

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ(ରାୟଗଡ଼ା) – ରାଷ୍ଟ୍ର ଓ ରାଜ୍ଯ ର ସର୍ବୋଚ୍ଚ ଶାସକ ସୂଚନା ଅଧିକାର ଅଧିନିୟମ କୁ କାର୍ଯ୍ୟକାରିତା କରିବା ଦିଗରେ ତତ୍ପରତା ପ୍ରକାଶ କରି ଆବେଦନକାରୀ ଙ୍କ ଦ୍ଵାରା ମଗା ଯାଇଥିବା ସୂଚନା କୁ ପ୍ରଦାନ କରିବା ଦିଗରେ ପ୍ରୟାସ କରୁଥିବା ବେଳେ ରାୟଗଡ଼ା ଜିଲ୍ଲା ଜିଲ୍ଲା ମଙ୍ଗଳ ଅଧିକାରୀ(D.W.O – SC, ST) ଏହି ନିୟମ କୁ କୋଣଠେସା କରିବା ନିମନ୍ତେ ପ୍ରୟାସ କରୁଥିବା ନଜର କୁ ଆସିଛି। ଗୁଣପୁର ଅଞ୍ଚଳର ଜୈନିକ ଆବେଦନକାରୀ ସରକାର ଙ୍କ ଦ୍ଵାରା ପରିଚାଳିତ ଅନ୍ଵେଷା କାର୍ଯ୍ୟକ୍ରମ ସମ୍ପର୍କିତ କିଛି ତଥ୍ଯ ପାଇବା ନିମନ୍ତେ ଗତ ୧୭/୫/୨୦୧୯ ତାରିଖ ଦିନ ଉଦ୍ଦିଷ୍ଟ ଫର୍ମ ରେ ଆବେଦନ କରିଥିଲେ।

ଏକ ମାସ ଅବଧି ମଧ୍ୟରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଦପ୍ତରର ମଙ୍ଗଳ ବିଭାଗ ପକ୍ଷରୁ ଗତ ୧୧/୬/୨୦୧୯ ତାରିଖ ଦିନ ଚିଠା ନିମ୍ବର – ୧୪୬୦/XL – 01/୨୦୧୯ କ୍ରମେ ଆବେଦନକାରୀ ଙ୍କୁ ଆବଶ୍ୟକ ତଥ୍ଯ ର ସହି ନକଲ ପ୍ରଦାନ କରିବା ଖର୍ଚ୍ଚ ବାବଦରେ ୧୯୦୬/- ଟଙ୍କା ଦାଖଲ କରିବାକୁ ପତ୍ର ପ୍ରେରିତ କରିଥିଲେ।

ଉକ୍ତ ପତ୍ର ପାଇବା ପରେ ଆବେଦନକାରୀ ଅଧି ସୂଚନା ଅଧିନିୟମ ର ଉଦ୍ଦିଷ୍ଟ ଧାରା ଅନୁଯାୟୀ ପତ୍ର ପ୍ରେରିତ ଦପ୍ତର କାର୍ଯ୍ୟାଳୟ କୁ ଯାଇ ମାଗିଥିବା ତଥ୍ଯ ମଧ୍ୟରୁ ଅତ୍ୟାବଶ୍ୟକ ତଥ୍ଯ ଗୁଡିକର ନକଲ ଯାଞ୍ଚ କରି ଆବଶ୍ୟକୀୟ ତଥ୍ୟ ନିମନ୍ତେ ଉଚିତ୍ ଅର୍ଥ ଦାଖଲ କରିବେ ବୋଲି ଜଣା କରିଥିଲେ। କିନ୍ତୁ ଦିର୍ଘ ୨ ମାସ ବିତିଯାଉଥିଲେ ମଧ୍ଯ କାର୍ଯ୍ୟାଳୟ ପକ୍ଷରୁ କୌଣସି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ଗ୍ରହଣ କରାଯାଇ ପାରିନାହିଁ। ଏହାକୁ ନେଇ ଆବେଦନକାରୀ ସନ୍ଦେହ ପ୍ରକଟ କରି ପ୍ରକାଶ କରିଅଛନ୍ତି କି ? ଜିଲ୍ଲା ମଙ୍ଗଳ ଅଧିକାରୀ ସୂଚନା ଅଧିକାର ଆଇନ କୁ କୋଣଠେସା କରିବା ସହ ଅକାମୀ କରିଦେବା କୁ ଚେଷ୍ଟା କରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସକ ଉଚିତ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଦାବୀ ହେଉଛି।

ନକ୍ସଲ ଙ୍କ ସହ ଜି.ଆଇ.ଇ.ଟି ର ସମ୍ପର୍କ କୁ ନେଇ ଆବେଦନ ତଥ୍ଯ ବିବରଣୀ…!

ଏଥର ସମ୍ଭାଳ ବ୍ୟୁରୋ – ଜି. ଆଇ. ଇ . ଟି କତୃପକ୍ଷ ଙ୍କ ନକ୍ସଲ ଙ୍କ ସହ ବର୍ତ୍ତମାନ୍ ସମ୍ପର୍କ ଏବଂ ପୂର୍ବରୁ ଜି. ଆଇ. ଇ . ଟି ଅଧକ୍ଷ ଡ଼ଃ.ସତ୍ୟ ପ୍ରକାଶ ପଣ୍ଡା , ସମ୍ପାଦକ ଡ଼ଃ. ଚନ୍ଦ୍ର ଧ୍ଵଜ ପଣ୍ଡା ଓ ବିଶ୍ଵବିଦ୍ୟାଳୟ ର ସମ୍ପର୍କିତ ବିଭାଗ ସମୂହ ର ମୁଖ୍ୟ (ଡିନ୍) ଏନ୍. ଭି. ଜଗନ୍ନାଥ ରାଓ ଙ୍କ ବିରୁଦ୍ଧରେ ନକ୍ସଲ ଙ୍କୁ ଟଙ୍କା ଦେବା ଘଟଣା କୁ ନେଇ ହୋଇଥିବା ଅଭିଯୋଗ ର ସ୍ଥିତା ବସ୍ତା ଜାଣିବା ନିମନ୍ତେ ସରକାର ଙ୍କ ପ୍ରଦତ୍ତ ଅଧି ସୂଚନା ନିୟମାନୁସାରେ ଗତ ୨୫/୧/୧୯ ତାରିଖ ଦିନ ଗୃହ ମନ୍ତ୍ରଣାଳୟ ଙ୍କ ନିକଟରେ ବିଦ୍ଧି ବଦ୍ଧ ଦରଖାସ୍ତ ମାଧ୍ୟମରେ ଆବେଦନ କରାଯାଇଥିଲା।

ଏହି ଆବେଦନ ପାଇବା ପରେ ମନ୍ତ୍ରଣାଳୟ ପକ୍ଷରୁ ଉପ ସଚିବ ସ୍ବତନ୍ତ୍ର ବିଭାଗ କୁ ପତ୍ର ସଂଖ୍ୟା HOME-RTI CELL RTI – 50/2019 – 4745 / ତା ୩୧/୦୧/୨୦୧୯ କ୍ରମେ ଆବେଦନ କାରି ଙ୍କୁ ଉକ୍ତ ସୁଚନା ପ୍ରଦାନ କରିବା ନିମନ୍ତେ ଜଣା କରିଥିଲେ ।

ଉକ୍ତ ପତ୍ର ପାଇବା ପରେ ସ୍ବତନ୍ତ୍ର ବିଭାଗ ତାଙ୍କ ପତ୍ର ସଂଖ୍ୟା 393/C ତା ୧୪/୦୨/୨୦୧୯ କ୍ରମେ D.G & I.G OF POLICE କଟକ ଙ୍କ ଲୋକ ସୁଚନା ଅଧିକାରୀ ଙ୍କୁ ଏହି ଆବଶ୍ୟକୀୟ ତଥ୍ୟ ପ୍ରଦାନ କରିବା ନିମନ୍ତେ ସୂଚାଇଥିଲେ ।

କାର୍ଯ୍ୟ ଅବଧି ସମୟ ମଧ୍ୟରେ ତଥ୍ଯ ନମିଳିବାରୁ ଉଚିତ୍ ଫର୍ମ ମାଧ୍ୟମରେ ଆବେଦନକାରି ଙ୍କ ପକ୍ଷରୁ ପ୍ରଥମ ଅପିଲ୍ ଅଥୋରିଟି ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଫଳରେ ଗତ ୨୨/୦୨/୨୦୧୯ ତାରିଖ ଦିନ ରାଜ୍ଯ ମୁଖ୍ୟ ପୋଲିସ୍ କାର୍ଯ୍ୟାଳୟ ପକ୍ଷରୁ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଆବେଦନ କାରି ଙ୍କ ତଥ୍ୟ ପ୍ରଦାନ କରିବା ନିମନ୍ତେ ପତ୍ର ସଂଖ୍ୟା IMU-368- 18/22/02/19 କ୍ରମେ ଜଣାଇ ଦିଆଯାଇ ଆବେଦନ କାରି ଙ୍କୁ ଏବଂ ଗୃହ ମନ୍ତ୍ରଣାଳୟ ର ସ୍ବତନ୍ତ୍ର ଅଧିକାରୀ ଙ୍କୁ ଏହାଙ୍କ ସୁଚନା ପତ୍ରାଙ୍କ ସଂଖ୍ୟା 393/C , ତା ୧୪/୦୨/୧୯ ରିଖ କ୍ରମେ ଜଣାଇ ଦିଆଗଲା ।

ପରବର୍ତ୍ତୀ ସମୟରେ ପ୍ରଥମ ଅପିଲେଟ୍ ଅଥୋରିଟି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଟକ ଙ୍କ ପତ୍ର ସଂଖ୍ୟା HOME – RTI CELL RTI – 50/2019 – 14832 ତା ୦୨/୦୪/୨୦୧୯ ରେ ଆବେଦନ କାରି ଙ୍କୁ ତାଙ୍କ ଅପିଲ୍ ଆବେଦନ ର ଶୁଣାଣି ନିମନ୍ତେ ତା 16/04/2019 ରିଖ ୧୨ ଘଣ୍ଟା ୩୦ ମିନିଟ ସମୟ ରେ ଗୃହ ମନ୍ତ୍ରଣାଳୟ ଠାରେ ହାଜିର୍ ହେବା ନିମନ୍ତେ ସୁଚନା ପ୍ରଦାନ କରାଯାଇଥିଲା ।

ଉକ୍ତ ଦିନ ଆବେଦନ କାରି ଶୁଣାଣି ପ୍ରକୋଷ୍ଠ ରେ ଉପସ୍ଥିତ ରହିଥିଲେ । ପ୍ରଥମ ଅପିଲେଟ୍ ଅଥରିଟି ଙ୍କ ନିକଟରେ ଅପିଲ କେସ୍ ନମ୍ବର 22/2019 ର ଶୁଣାଣି କରାଯାଇ ଏକ ନିର୍ଦ୍ଧେଶନାମା ବାହାର କରାଯାଇ ପୁର୍ବ ଅଧିକାରୀ ମାନଙ୍କୁ ସୂଚିତ କରାଯାଇଥିଲା ।

ପ୍ରଥମ ଅପିଲ ଅଥରିଟି ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ କଟକ ଙ୍କ ପତ୍ର ନମ୍ବର IMUA-02-2019/19292/PR(RTI)CELL ତା ୧୩/୦୫/୨୦୧୯ କ୍ରମେ ଉକ୍ତ ତଥ୍ୟ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ଠାରୁ ମାଗି ନେବାକୁ ଆବେଦନ କାରି ଙ୍କୁ ସୂଚିତ କରାଯାଇଥିଲା ।

ଏହି ପତ୍ରାନୁକ୍ରମେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସହ ଆବେଦନ କାରି ଯୋଗାଯୋଗ ସ୍ଥାପନ କରିଥିଲେ । ଦୀର୍ଘ ଅବଧି ସମୟ ସମ୍ପୂର୍ଣ ହେବାକୁ ଯାଉଥିଲେ ମଧ୍ୟ ଆବେଦନ କାରି ଉକ୍ତ ତଥ୍ୟ ପାଇପାରିନଥିବା ରୁ ପୁନରପୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ସୂଚିତ କରିଥିଲେ ।

ଫଳ ରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ରାୟଗଡ ଖୁବ୍ ଶୀଘ୍ର ଏହା ପ୍ରଦାନ କରିବା ନିମନ୍ତେ ପ୍ରତିଶୃତି ଦେଇଛନ୍ତି ।

ଏଥର ସମ୍ଭାଳ ଚ୍ୟାନେଲ୍ ର ପାଠକ , ପୃଷ୍ଠପୋଷକ ଏବଂ ଅନୁଗାମୀ ଙ୍କ ଆବଶ୍ୟକତା ପୁରଣ କରିବା ପାଇଁ ତଥ୍ୟ ପାଇବା ପରେ ଏହାକୁ ପୁଣି ଆପଣଙ୍କ ନିକଟ ରେ ଉପସ୍ଥାପନା କରାଯିବ ।

ଦଳିତ ଅଧିକାର ମଞ୍ଚ ର ପ୍ରତିବାଦ ସଭା !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ନୂଆପଡ଼ା) – ବୋଡେ଼ନ ବ୍ଲକ ନୂଆପଡା ଜିଲ୍ଲା ଦେଖିବାକୁ ମିଳି ଥିଲା ଏକ ଅଭୂତପୂର୍ବ ଦୃଶ୍ୟ ବ୍ଲକ ଘେରାଉ କରିଥିଲେ ଦଳିତ ଅଧିକାର ମଞ୍ଚ ନୂଆପଡା ଜିଲ୍ଲା ର ସହସ୍ରାଧିକ କର୍ମୀ । ସାମାଜିକ ନ୍ୟାୟ ପାଇଁ ଲଢ଼ୁଥିବା ଯୁବ ନେତା କମଳ ଚରଣ ତାଣ୍ଡି ଙ୍କ ଆବାହନ କ୍ରମେ ନୂଆପଡା ଜିଲ୍ଲା ର କର୍ଲାକୋଟ ପଂଚାୟତ ଅଧିନସ୍ଥ ସର୍ଗିମୁଣ୍ଡା ଗ୍ରାମ ରେ ହୋଇଥିବା ଗୌତମ ବେହେରା ଙ୍କ ଅନାହାର ମୃତ୍ୟୁ କୁ ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ଚାପିଦେବା ର ବିରୋଧ ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ,ମୃତ ଗତମ ଙ୍କ ମୃତ୍ୟୁ କୁ ଅନାହାର ମୃତ୍ୟୁ ରୂପେ ଗ୍ରହଣ କରିବା କୁ ଦାବି କରିଥିଲେ ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା । ବିକ୍ଷୋଭ ଶାନ୍ତିପୂର୍ଣ୍ଣ ରଖିବାକୁ ପୋଲିସ ପ୍ରଶାସନ ତରଫ ରୁ ବିଶେଷ ଆୟୋଜନ ରହିଥିଲା ଘନ ବର୍ଷା ସତ୍ତ୍ୱେ ମହିଳା ଓ ପୁରୁଷ ମାନେ ବିନୋପୁର ଗ୍ରାମ ଠାରୁ ପଦଯାତ୍ରା ଆରମ୍ଭ କରିଥିଲେ ଏବଂ ବ୍ଲକ ସମ୍ମୁଖ ରେ ଧାରଣା ଦେଇଥିଲେ । ପ୍ରକାଶ ଥାଉ କି ରାଜ୍ୟ ଖାଦ୍ୟ ଅଧିକାର ପାଇଁ ଲଢୁ ଥିବା ସଂଗଠନ ଦ୍ୱାରା ଏକ ପ୍ରେସ ବିଜ୍ଞପ୍ତି ରେ ଏହି ଘଟଣା କୁ ଏକ ଅନାହାର ଜନିତ ମୃତ୍ୟୁ ବୋଲି ଘୋଷଣା ହୋଇଛି , ଘଟଣା ର ତଦନ୍ତ ତହସିଲଦାର କିମ୍ବା ତତୁର୍ଦ୍ଧ ପ୍ରଶାସନିକ ଅଧିକାରୀ ଙ୍କ ଦ୍ଵାରା ହେବା କଥା କିନ୍ତୁ ଏବିଡ଼ିଓ ମନୋଜ କୁମାର ମହାନ୍ତି ଦ୍ୱାରା କୃତ ତଦନ୍ତ ଏବଂ ଏହାର ପ୍ରକ୍ରିୟା ରେ ତୃଟି ରଖିଥିବା ଦର୍ଶାଯାଇଛି । ପ୍ରକାଶ ଥାଉକି ଏହା ଓଡିଶା ରିଲିଫ କୋଡ଼ ର ଉଲଂଘନ ଅଟେ ଖାଲି ସେତିକି ନୁହେଁ ଅଭିଯୋଗ ଅନାହାର ର ଥିବା ସତ୍ତ୍ୱେ ଏବିଡ଼ିଓ ମହୋଦୟ ଶବ ବ୍ୟବଚ୍ଛେଦ କରେଇ ନ ଥିଲେ ଲୋକେ ଅନୁରୋଧ କରିଥିଲେ ଶବ ବ୍ୟବଚ୍ଛେଦ ପାଇଁ  ହେଲେ ଲୋକଙ୍କୁ ପୋଲିସ ଡାକିବାକୁ ପଡିବ କହି ଶୀଘ୍ର ଶବସତ୍କାର କରେଇ ଦିଆଗଲା , ବସ୍ତୁତଃ ଏହା ଏକ ସମ୍ବେଦନଶୀଳ ଘଟଣା ର ପ୍ରମାଣ ନଷ୍ଟ କରିବା ର ପ୍ରୟାସ ଥିଲା ଯାହାକୁ ଦଳିତ ଅଧିକାର ମଞ୍ଚ ତରଫ ରୁ ଘୋର ନିନ୍ଦା କରାଯାଇଥିଲା । ଏହି ବିଷୟ କୁ ସଂଜ୍ଞାନ ରେ ନେଇ ଉଚ୍ଚତମ ନ୍ୟାୟାଳୟ ଏକ ନ୍ୟୟିକ ଯାଞ୍ଚ କମିଟି କୁ ମାମଲା ର ସତ୍ୟାସତ୍ୟ ଖୋଜ କରିବାକୁ ମଞ୍ଚ ତରଫ ରୁ ଅନୁରୋଧ କରାଯାଇଛି । ଆବାହକ ସାମାଜିକ ନ୍ୟାୟ ଓ ଅଧିକାର କର୍ମୀ ଶ୍ରୀଯୁକ୍ତ କମଳ ଚରଣ ତାଣ୍ଡି ଙ୍କୁ ପଚାରି ବୁଝିବା ରୁ ସେ କହିଲେ ” ଦଳିତ ଶବ୍ଦ ବର୍ତମାନ ପରିପ୍ରେକ୍ଷୀରେ କିଛି ଜାତି ପାଇଁ ନୁହେଁ ବରଂ ରାଜନୈତିକ , ଅର୍ଥିକ , ସାମାଜିକ ଓ ନ୍ୟାୟିକ ନିଷ୍ପେଶନାର ଶିକାର ବ୍ୟକ୍ତି ଙ୍କୁ ସୁଚାଉଛି , ବରଂ କହିବା ଠିକ ହେବ ଦଳିତ କହିଲେ ଜାତିବିଶେଷ ନ ହୋଇ ବ୍ୟକ୍ତି ବିଶେଷଙ୍କୁ ବି ସୁଚାଉଛି | ଏଣୁ ଓବିସି ବର୍ଗ ର ଗୌତମ ବେହେରା ଙ୍କ ଅନାହାର ମୃତ୍ୟୁ କୁ ମାନବୀୟ ଦୃଷ୍ଟିକୋଣ ରୁ ଦେଖି ଦଳିତ ଅଧିକାର ମଞ୍ଚ ସ୍ୱର ଉତ୍ତୋଳନ କରିଛି | ୭ ଦିନ ମଧ୍ୟରେ ନ୍ୟାୟ ନ ମିଳିଲେ ଜିଲ୍ଲାର ବିଭିନ୍ନ ସ୍ଥାନରେ ବନ୍ଦ ଡାକରା ସହିତ ବିକ୍ଷୋଭ ପ୍ରଦର୍ଶନ ହେବ ” ବୋଲି ପ୍ରକାଶ କରିଥିଲେ । ଏହି ପ୍ରଦର୍ଶନ ରେ ବେଣୁଧର ଜଗତ ପ୍ରମୁଖ ଉପସ୍ଥିତ ଥିବା  ସହିତ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ ।

ଟ୍ରାଫିକ୍ ସମସ୍ୟା ସୁଧାର ପାଇଁ ଆକ୍ସନ ମୁଡ୍ ରେ ପୋଲିସ୍…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ – ସହର ରେ ଟ୍ରାଫିକ୍ ସମସ୍ୟା ର ସୁଧାର ଆଣିବା ସକାଶେ ଗୁଣପୁର ଆଦର୍ଶ ଥାନା ଠାରେ ପୋଲିସ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସମସ୍ୟା ର ସମାଧାନ ଦିଗରେ ବାରମ୍ବାର ଚେଷ୍ଟା କରାଯାଇଥିବା ପରେ ବି ଗତ ୪ ମାସ ମଧ୍ୟରେ ସଡ଼କ ଦୁର୍ଘଟଣା ଓ ଜୀବନ ହାନି ଘଟିଛି। ଏଣୁ ରାୟଗଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗୁଣପୁର ପୋଲିସ୍ ଏବେ ଆକ୍ସନ ମୁଡ୍ ରେ।

ବିନା ହେଲମେଟ ରେ ଗାଡ଼ି ଚଳାଇବା, ବିନା ଲାଇସେନ୍ସ ରେ ଗାଡ଼ି ଚଳାଇବା ଅଭିଯୋଗ ରେ ପୂର୍ବରୁ ପୋଲିସ୍ ଚାଳକଙ୍କ ଠାରୁ ଅର୍ଥ ଜରିମାନା ଆଦାୟ କରୁଥିଲେ। ବର୍ତ୍ତମାନ୍ କିନ୍ତୁ ପୋଲିସ୍ ଏଥିପ୍ରତି କଡ଼ା ପଦକ୍ଷେପ ଗ୍ରହଣ କରିବା ଉଦ୍ଦେଶ୍ୟରେ ଦୁଇପାଦ ଆଗକୁ ବଢିଛି। ପୋଲିସ୍ ପକ୍ଷରୁ ଏସ୍.ଡି.ପି.ଓ ରାଜ କିଶୋର ଦାଶ ସୂଚନା ଦେଇଛନ୍ତି କି ବିନା ହେଲମେଟ ରେ ଗାଡ଼ି ଚଳାଇଲେ ୧୦୦୦, ମଦ ପିଇଗାଡ଼ି ଚାଇଲଲେ ୧୦୦୦୦ ହଜାର ଫାଇନ ଦେବାକୁ ପଡ଼ିବ ଏପରିକି ତିନି ମାସ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ରଦ୍ଦ କରାଯିବ। ମୋବଇଲ୍ ରେ କଥା ହୋଇ କିମ୍ବା କ୍ଷମତା ଠାରୁ ଗାଡ଼ି ରେ ଅଧିକ ଲୋକଙ୍କୁ ବସାଇଲେ ଜରିମାନା ଦେବାକୁ ପଡ଼ିବ। ଦୃତ ଡ୍ରାଇଭିଙ୍ଗ, ବିକୃତ ସାଇଲେନ୍ସସର୍ ଲଗାଇବା ବିଭିନ୍ନ ଡିଜାଇନ ର ନମ୍ବର ପ୍ଲେଟ୍ ଲଗାଇବା ଉପରେ ମଧ୍ଯ ପୋଲିସ୍ କଡ଼ା ନଜର ରଖିବ। ଟ୍ରାଫିକ୍ ନିୟମକୁ କଡ଼ା କଡ଼ି କରିବା ଲାଗି ଦଳ ବଳ ଘେନି ପୋଲିସ୍ ପ୍ରଥମ ପର୍ଯ୍ୟାୟରେ ୩୪ ଟି ବାଇକ୍, ୧୦ ଟି ଅଟୋ ଯବତ କରିବା ସହ ତିନି ଜଣ ଙ୍କ ଲାଇସେନ୍ସ ସାମୁହିକ ଭାବେ ରଦ୍ଦ କରିଛି। ମଦପିଇ ଗାଡ଼ି ଚଳାଇବା ବ୍ୟକ୍ତି ଙ୍କ ଉପରେ ପୋଲିସ୍ ନଜର ରଖିବା ପାଇଁ ମଧ୍ଯପ ଚିହ୍ନଟ ମେସିନ୍ ସମେତ ଆବଶ୍ୟକ କର୍ମଚାରୀ ଙ୍କୁ ନିୟୋଜିତ କରିବା ଲାଗି ସ୍ଥିର କରିଛି। ସହର ରେ ଘଟୁଥିବା ଅପରାଧ ମୂଳକ କାର୍ଯ୍ୟ ଉପରେ ନଜର ରଖିବା ଲାଗି ପି.ସି.ଆର ଭ୍ଯାନ ର ବ୍ୟବସ୍ଥା କରୁଛି। ଅନୁଷ୍ଠିତ ସମ୍ବାଦିକ ସମ୍ମିଳନୀ ରେ ଏସ୍.ଡି.ପି.ଓ ରାଜ କିଶୋର ଦାଶ ଙ୍କ ସହ ଥାନା ଭାରପ୍ରାପ୍ତ ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ ଓ ଅନ୍ୟ କର୍ମଚାରି ମାନେ ଉପସ୍ଥିତ ଥିଲେ।