ସଂସ୍କାର ଭାରତୀ ପକ୍ଷରୁ ଜନ୍ମାଷ୍ଟମୀ ଅବସରରେ ଚିତ୍ରାଙ୍କନ ପ୍ରତିଯୋଗିତା..!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଜନ୍ମାଷ୍ଟମୀ କୁ ଧୁମଧାମରେ ପାଳନ କରିବା ସକାଶେ ସଂସ୍କାର ଭାରତୀ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ମାନ ଗ୍ରହଣ କରାଯାଇଛି। ଗତ 28 ତାରିଖ ଦିନ ମହାବୀର ସାଂସ୍କୃତିକ ଅନୁଷ୍ଠାନ ପରିସରରେ ସଂସ୍କାର ଭାରତୀ ର ନଗର ସଭାପତି ଜ୍ୟୋତି ରାଣୀ ଦାସ ଏବଂ ରାଜ୍ଯ ପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରକାଶ ଚନ୍ଦ୍ର ମିଶ୍ର ଙ୍କ ତତ୍ତ୍ଵାବଧାନରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବୀର ସାଂସ୍କୃତିକ ଅନୁଷ୍ଠାନ ର ସଭାପତି ତଥା ଓଡ଼ିଶା ସାହିତ୍ୟ ଏକାଡେମୀ ର ସଦସ୍ୟ ଜୟନ୍ତ କୁମାର ବେହେରା ଓ ସାଧାରଣ ସମ୍ପାଦକ ସତ୍ୟ ନାରାୟଣ ସାହୁ ସିଂ, ମା ସରସ୍ଵତୀ ଏବଂ ଗ୍ରାମଦେବୀ ମା ମାଣିକେଶ୍ଵରୀ ଙ୍କ ଫଟୋ ଚିତ୍ର ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ପ୍ରତିଯୋଗିତାର ଶୁଭାରମ୍ଭ କରିଥିଲେ। ସଂସ୍କାର ଭାରତୀ ର ସଦସ୍ୟା ଓ ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।

ଭବାନୀପାଟଣା ନଗର କଂଗ୍ରେସ ପକ୍ଷରୁ ବୃକ୍ଷରୋପଣ…!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭବାନୀପାଟଣା ନଗର କଂଗ୍ରେସ ସଭାପତି ଆଇନଜିବୀ ନିମାଳ ନାୟକ ଓ ନଗର ମହିଳା କଂଗ୍ରେସ ନେତ୍ରୀ ମମତା ଦାସ ଙ୍କ ନେତୃତ୍ବରେ ପରିବେଶ ସୁରକ୍ଷା ସଚେତନତା ବାର୍ତ୍ତା ନେଇ ହିଲଟାଉନ ଅଞ୍ଚଳର ସାଇ ଲେନ ରାସ୍ତା କଡର ଉଭୟ ପାର୍ଶ୍ଵରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଆଇନ୍ ଜୀବୀ ସିଦ୍ଧାର୍ଥ ନାୟକ, ରସିକ ମୋହନ ଦାସ, ପ୍ରୀତମ ବେହେରା, ସୋରଜ ନାୟକ, ଭଗବତ ଲାଲ, ସୁକାନ୍ତ ବିଶି, ବରକତ ଅଲ୍ଲୀ, ସରତ ନାୟକ, ସାଧୁ ବେହେରା, ବାବୁଲି ମଲିକ ଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇ ସଚେତନ ବାର୍ତ୍ତା କୁ ସାଧରଣରେ ପହଞ୍ଚାଇବା ପ୍ରୟାସ କୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ମିଳିଛି ଜାତୀୟ କ୍ଵାଲିଟି ପ୍ରମାଣ ପତ୍ର…!

!!! କଳାହାଣ୍ଡି ଜିଲ୍ଲା ରୁ ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ଥାଇ ବିଭିନ୍ନ ସମସ୍ୟା ରେ ଛନ୍ଦି ରହିଥିବା ସତ୍ତ୍ୱେ ଜାତୀୟ ସ୍ତରରେ ଏହି ଚିକିତ୍ସାଳୟ କୁ କ୍ଵାଲିଟି ପ୍ରମାଣ ପତ୍ର ମିଳିଛି। ଏ ସମ୍ପର୍କରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ର ଅତିରିକ୍ତ ସଚିବ ମୋନଜ ଝଲାନି ପତ୍ର ଲେଖି ଓଡ଼ିଶା ରାଜ୍ୟ ସ୍ଵାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ କମିଶନର ଡ. ପ୍ରୋମଦ ମେହେର ଦା ଙ୍କୁ ଜାଣଇ ଥିବା ସୂଚନା ମିଳିଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଦୁର୍ଘଟଣା ଜରୁରୀ ସେବା, ଅକଜୁଲାରି ସର୍ଭିସ୍, ଫାର୍ମାସୀ ଏବଂ କେୟାର ୟୁନିଟ୍ ବ୍ୟତୀତ ଡାକ୍ତରଖାନା ରେ 12 ଟି ବିଭାଗ କୁ ନେଇ ଯେଉଁ ସ୍ଵାସ୍ଥ୍ଯ ସେବା ଯୋଗାଇ ଦିଆଯାଉଛି ତାହା ଉଲ୍ଲେଖ ଯୋଗ୍ୟ। ତେଣୁ ଏହି ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଜାତୀୟ କ୍ଵାଲିଟି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି । ଏକ ତଦନ୍ତ କାରୀ ଦଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କରି ରିପୋର୍ଟ୍ ପ୍ରଦାନ କରିବା ପରେ କେନ୍ଦ୍ର ସ୍ଵାସ୍ଥ୍ଯ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରମାଣ ପତ୍ର ପାଇବା ପାଇଁ ଯୋଗ୍ୟ ବିବେଚିତ କରାଯଇଥିଲା। ଏଥି ନିମନ୍ତେ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏଠାରେ କାର୍ଯ୍ୟରତ ସମସ୍ତ କର୍ମକର୍ତ୍ତା ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

କଂଗ୍ରେସ ପକ୍ଷରୁ ରାଜୀବ ଗାନ୍ଧୀ ଙ୍କ ଜୟନ୍ତୀ ପାଳିତ…!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭବାନୀପାଟଣା ସହରସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ କଳାହାଣ୍ଡି କଂଗ୍ରେସ ପକ୍ଷରୁ ପୁର୍ବତନ ପ୍ରଧାନମନ୍ତ୍ରୀ ସ୍ଵର୍ଗତ ରାଜୀବ ଗାନ୍ଧୀ ଙ୍କ ୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଜିଲ୍ଲା ସାଧାରଣ ସମ୍ପାଦକ ବ୍ରଜ ମୋହନ ସାହୁ, ହାଇଦର ଅଲ୍ଲୀ ଖାଁନ ସମେତ ଅନ୍ୟାନ୍ୟ କଂଗ୍ରେସ କର୍ମୀ ଉପସ୍ଥିତ ରହି ରାଜୀବ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିଥିଲେ। ସେଭଳି ନର୍ଲା ଠାରେ ଯୁବ କଂଗ୍ରେସ ପକ୍ଷରୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଯୁବ କଂଗ୍ରେସ ଦାୟିତ୍ଵ ରେ ଥିବା ଏଇ. ସି. ସି ସାଧାରଣ ସମ୍ପାଦକ ସେକଅସଦ, ଯୁବ ନେତା ସାଗର ଚରଣ ଦାସ ପ୍ରମୁଖ ଏଠାରେ ଉପସ୍ଥିତ ରହି ରକ୍ତଦାନ ର ମହତ୍ତ୍ବ ନେଇ ନିଜସ୍ଵ ମତ ଉପସ୍ଥାପନ କରିଥିଲେ।

ପଦମପୁର ବାସୀଙ୍କ ପାଇଁ କାଳ ସାଜିଛି ସଡକ ; ସମସ୍ୟା ର ସମାଧାନ ନହେଲେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଚେତାବନୀ ଦେଲେ ଗ୍ରାମବାସୀ…!

!!! କଳାହାଣ୍ଡି ଜିଲ୍ଲା ରୁ ପ୍ରତିନିଧି ରଜତ୍ ପଟ୍ଟନାୟକଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ସରକାର ପ୍ରତି ଗାଁ କୁ ସଡକ ନାରା ଦେଉଥିବା ବେଳେ ସ୍ଵାଧୀନତା ର ଦୀର୍ଘ ଦଶନ୍ଧି ପରେ ମଧ୍ୟ ଲୋକେ ସଡକ ପଥ ପାଇବା ସୁବିଧା ରୁ ବଞ୍ଚିତ ଅଛନ୍ତି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ରେଙ୍ଗାଲପାଲି ପଞ୍ଚାୟତ ଗାଈ ବନ୍ଧାପଡା ଗ୍ରାମ ପଦମପୁର ଅଞ୍ଚଳ ବାସୀ ଏବେ ବି ପାଇ ପାରି ନାହାଁନ୍ତି ସଡ଼କପଥ ର ସୁବିଧା। ସରକାର ଙ୍କ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା 2019 – 20 ଗାଈବନ୍ଧା ପଡା ରାସ୍ତା ନିର୍ମାଣ ନିମନ୍ତେ ପାଞ୍ଚ ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର ହୋଇ ପଞ୍ଚାୟତ ପକ୍ଷରୁ ଗତ ମାର୍ଚ୍ଚ ମାସ ରୁ କାର୍ଯ୍ୟ ଆରମ୍ଭ ହେବା ସହ ରାସ୍ତା ରେ 303 ଟ୍ରିପ ମୁରୁମ ବିଛାଇବା ସମ୍ପର୍କରେ ଅସମ୍ପୂର୍ଣ୍ଣ ସୂଚନା ଫଳକରେ ଦେଖିବାକୁ ମିଳିଛି। ଠିକ୍ ସମୟରେ କାର୍ଯ୍ୟ କରିବା ପରିବର୍ତ୍ତେ ବର୍ଷା ରୁତୁ ରେ ମୁରୁମ ବଦଳରେ ଚିକିଟା ମାଟି ପକେଇବା ଯୋଗୁଁ ରାସ୍ତା ରେ କାଦୁଅ ଭର୍ତ୍ତି ହୋଇରହିଛି । ଯଦ୍ଵାରା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯାତାୟତ ର ଅସୁବିଧା ଯୋଗୁଁ ପ୍ରସୂତି ରୋଗୀ ଙ୍କୁ ଏଠି ଖଟିଆ ରେ ବୁହାହୁଏ। ଛାତ୍ର ଛାତ୍ରୀ ମାନେ ସ୍କୁଲ ଯିବା ଆସିବା ରେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖାଦେଇଛି। ଏହାର ପ୍ରତିବାଦ ରେ ସମ୍ପୃକ୍ତ ଗ୍ରାମବାସୀ ମାନେ ଜୟପାଟଣା ବି. ଡି. ଓ ଙ୍କ ଅନୁପସ୍ଥିତି ଯୋଗୁଁ ବରିଷ୍ଠ କିରାଣୀ ଙ୍କ ଜରିଆରେ ଜିଲ୍ଲାପାଳ ଙ୍କ ଦୃଷ୍ଟି ଆକର୍ଷଣ କରି ଏକ ଦରଖାସ୍ତ ମଧ୍ୟରେ ଏହି କାର୍ଯ୍ୟ ର ତଦନ୍ତ ନିମନ୍ତେ ଦାବି କରିଛନ୍ତି। ଏତତ୍ ସଙ୍ଗେ ଉପଜିଲ୍ଲାପାଳ, ଭିଜିଲାନ୍ସ ବିଭାଗ ଓ ଗଣ ମାଧ୍ୟମ ର ଦୃଷ୍ଟି ଆକର୍ଷଣ କରାଇ ଥିବା ଜଣାପଡିଛି । ସମସ୍ୟା ର ତୁରନ୍ତ ସମାଧାନ ନ ହେଲେ ଆଗାମୀ ଦିନରେ ଆନ୍ଦୋଳାତ୍ମକ ପନ୍ଥା ଗ୍ରହଣ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।

ନିର୍ମାଣ ଶ୍ରମିକ ପଞ୍ଜୀକରଣ କୁ ସରଳୀ କରଣ ଓ ନିର୍ଦ୍ଦିଷ୍ଟ ସମୟରେ ସହାୟତା ପ୍ରଦାନ ଦାବିରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଏବଂ ୧୨ ଦଫା ଦାବି ସମ୍ବଳିତ ପତ୍ର ପ୍ରଦାନ…!

!!! କଳାହାଣ୍ଡି ଜିଲ୍ଲା ପ୍ରତିନିଧି ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଭାରତୀୟ ମଜଦୁର ସଂଘ ଓ ଅନ୍ୟାନ୍ୟ ଶ୍ରମିକ ସଂଗଠନ ମାନଙ୍କ ବାରମ୍ବାର ଦାବି ଓ ଆନ୍ଦୋଳନ ଫଳରେ ୧୯୯୬ ମସିହା ରୁ ଦେଶ ରେ କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ ଆଇନ ଓ ୨୦୦୨ ରେ ଓଡ଼ିଶା ରୁଲ ତିଆରି ହୋଇ ଓଡ଼ିଶା ରେ ୨୦୦୮ ମସିହା ରୁ ନିର୍ମାଣ ଶ୍ରମିକ ବୋର୍ଡ ଗଠନ ହୋଇ କାର୍ଯ୍ୟ କରୁଛି। ମାତ୍ର ରାଜ୍ଯ ସରକାର ଙ୍କ ଉଦାସୀନ ମନୋଭାବ ଯୋଗୁଁ ନିର୍ମାଣ ଶ୍ରମିକ ମାନେ ଯେଉଁ ଭଳି ଲାଭବାନ୍ ହେବା କଥା ହୋଇପାରୁନଥିବା ଅଭିଯୋଗ ଉଠିଛି।

ଶ୍ରମିକ ମାନଙ୍କ ପଞ୍ଜୀକରଣ ଓ ସେମାନଙ୍କୁ ସହାୟତା ପ୍ରଦାନ ରେ କଳାହାଣ୍ଡି ଜିଲ୍ଲା ସମ୍ପୂର୍ଣ୍ଣ ବିଫଳ ହୋଇଥିବା କୁହାଯାଉଛି। ଶ୍ରମିକଙ୍କ ସମସ୍ୟା ନେଇ ଏକ ବିଶାଳ ବିକ୍ଷୋଭ ଜିଲ୍ଲା ଶ୍ରମ ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରଦର୍ଶନ କରାଯାଇଛି।ଏହି ଅବସରରେ ୧୨ ଦଫା ସମ୍ବଳିତ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

ଏଥିରେ ନିର୍ମାଣ ଶ୍ରମିକ ମାନଙ୍କ ପଞ୍ଜୀକରଣ କୁ ସରଳୀ କରଣ କରାଯିବା, ପଞ୍ଜୀକୃତ ଶ୍ରମିକ ମାନଙ୍କ ପିଲାମାନଙ୍କ ଶିକ୍ଷା ସହାୟତା ନୂତନ ସମ୍ବନ୍ଧୀୟ ନିର୍ଦ୍ଦେଶା ନାମ ପ୍ରତ୍ୟାହାର କରିନେବା, ପଞ୍ଜୀକୃତ ଶ୍ରମିକ ଅନ୍ୟୁନ୍ୟ ପାଞ୍ଚ ବର୍ଷ ପ୍ରିମିୟମ ଦେଲେ ପେନସନ୍ ଟଙ୍କା ୫୦୦୦ ଦେବା, ଶ୍ରମିକ ମାନଙ୍କୁ ନିମ୍ନ ମାନର ଉପକରଣ ଯୋଗାଇଥିବା ସଂସ୍ଥା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ଭୂମିହୀନ ଶ୍ରମିକ ମାନଙ୍କୁ ଘରଢ଼ିଅ ନିମନ୍ତେ ଜାଗା ଚିହ୍ନଟ କରି ନିର୍ମାଣ ରାଶି ପ୍ରଦାନ କରାଯିବା, ଶ୍ରମ ବିଭାଗରେ ଆବଶ୍ୟକ କର୍ମଚାରୀ ଙ୍କୁ ତୁରନ୍ତ ନିଯୁକ୍ତି କରାଯିବା, ଶ୍ରମିକ କଲ୍ଯାଣ ବୋର୍ଡ ରେ ରାଜନୈତିକ ହସ୍ତକ୍ଷେପ କୁ ବନ୍ଦ କରାଯିବା, ଶ୍ରମିକ ମାନଙ୍କ ଟ୍ରେନିଂ ବିବାଦ କୁ ଆସିଥିବା ଟଙ୍କା ହଡ଼ପ କରୁଥିବା ସଂସ୍ଥା ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ନିକଟରେ ଶ୍ରମିକ ଆଶ୍ରୟ ସ୍ଥଳ ନିର୍ମାଣ କରାଯିବା, ଧର୍ମଗଡ଼ ଠାରେ ଏ. ଲ୍. ଓ ଅଫିସ କୁ କାର୍ଯ୍ୟକାରୀ କରାଯିବା ଭଳି ଦାବି ମାନ ରହିଅଛି।

ଏହି ଦାବୀ ପତ୍ର ପ୍ରଦାନ ସମୟରେ ଅଖିଳ ଭାରତୀୟ କନଷ୍ଟ୍ରକସନ୍ ମଜଦୁର ମହାସଂଘ ସର୍ବ ଭାରତୀୟ ସଂଗଠନ ର କର୍ମକର୍ତ୍ତା ଓ କଳାହାଣ୍ଡି ଜିଲ୍ଲା ନିର୍ମାଣ ମଜଦୁର ସଂଘ ର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

ପୁଣି ଖଟିଆରେ ବୁହାହେଲେ ଗର୍ଭବତୀ ମହିଳା…।

!!! କଳାହାଣ୍ଡି ଜିଲ୍ଲା ରୁ ରଜତ୍ ପଟ୍ଟନାୟକ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (କଳାହାଣ୍ଡି) – ଗର୍ଭବତୀ ମହିଳା ଙ୍କୁ ଖଟିଆରେ ବୁହାହେବା ଭଳି ଆଉ ଏକ ଘଟଣା ସମାନା କୁ ଆସିଛି ଥୁଆମୂଳ ରାମପୁର ବ୍ଳକ ଅନ୍ତର୍ଗତ କାଣିଗୁମା ଗ୍ରାମପଞ୍ଚାୟତରେ । ନେହେଲା ଗ୍ରାମର ପ୍ରସବ ପୀଡିତା ମହିଳା ସାଇବନି ଗୌଡ (୨୩)ଙ୍କୁ ପ୍ରସବ ବେଦନା ହେବାରୁ ତାଙ୍କ ସ୍ବାମୀ ହୋଇଚୂନ ଗୌଡ (୨୬) ଅନ୍ୟ ଗ୍ରାମବାସୀଙ୍କ ସହଯୋଗରେ ଷ୍ଟ୍ରେଚର ରେ କାଣିଗୁମା ପର୍ଯ୍ୟନ୍ତ ବୋହି ନେଇଥିଲେ । ଗାଁର ଆଶାଦିଦି ତୁଳା ନାଏକ ଗର୍ଭବତୀଙ୍କୁ ଥୁଆମୂଳ ରାମପୁର ଡାକ୍ତର ଖାନା ନେବା ପାଇଁ କହିଥିବାରୁ ଗର୍ଭବତୀ ଙ୍କୁ କାଣିଗୁମା ପର୍ଯ୍ୟନ୍ତ ବୋହି ନିଆଯାଇ ସେଠାରୁ ଥୁଆମୂଳ ରାମପୁର ଡାକ୍ତର ଖାନା ରେ ଭର୍ତ୍ତି କରାଗଲା । ଥୁଆମୂଳ ରାମପୁର ବ୍ଳକ ରେ ରହିଥିବା ଦୁର୍ଗମ ଅଞ୍ଚଳ ରେ ଯାତାୟତ ର ସୁବିଧା ନାହିଁ ।ଏଠାରେ ସରକାରଙ୍କ ତରଫରୁ କୌଣସି ବ୍ଯବସ୍ଥା ହେଇପାରି ନାହିଁ । ସ୍ଥାନୀୟ ରାଜନେତାଙ୍କ ଓ କର୍ମଚାରୀଙ୍କ ଦୂରଦୃଷ୍ଟିର ଅଭାବ ରହିଥିବା ଯୋଗୁଁ ଲୋକମାନେ ହୋଇରାଣ ହେଉଥିବା ଦେଖିବା ମିଳୁଛି । ଏହି ଅଞ୍ଚଳର ରାସ୍ତା ଘାଟ ର ଉନ୍ନତି କରଣ ଦିଗରେ ପଦକ୍ଷେପ ଗ୍ରହଣ କରାନଗଲେ ଏଭଳି ଘଟଣା ପୁଣି ଆଗକୁ ଆସିବ ।

ଆଉ ହେବନି ଡିଜେ ଡାନ୍ସ ? ଡିଜେ ଉପରେ ଲାଗିଲା କଟକଣା ; ନିୟମ ଉଲ୍ଲଂଘନ କଲେ ୫ ବର୍ଷ ଜେଲ୍ ଦଣ୍ଡ ସହ ଦେବାକୁ ହେବ ୧ ଲକ୍ଷ ଟଙ୍କା ଜୋରିମାନା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ବିବାହ ଉତ୍ସବ ଠାରୁ ଆରମ୍ଭ କରି ପୂଜା ବଜାର, ସବୁଠି ଡିଜେ ବାଜିବା ଏକ ପରମ୍ପରା ସଦୃଶ ହୋଇଗଲାଣି । ଏହି ଡିଜେ ବାଜିବା ଦ୍ୱାରା ଶବ୍ଦ ପ୍ରଦୂଷଣ କେତେ ମାତ୍ରାରେ ବଢିଥାଏ, ତାହା ଆକଳନ କରିବା ବି ମୁସ୍କିଲ । ତେବେ ଶବ୍ଦ ପ୍ରଦୂଷଣକୁ ନେଇ ଆଲ୍ଲାହାବାଦ୍ ହାଇକୋର୍ଟ ଏକ ବଡ ନିଷ୍ପତି ନେଇଛନ୍ତି । ଡିଜେ ବଜାଇବା ନେଇ ଅନୁମତି ଦେବା ଉପରେ ଆଲ୍ଲାହାବାଦ ହାଇକୋର୍ଟ ସମ୍ପୂର୍ଣ୍ଣ କଟକଣା ଲଗାଇଛନ୍ତି । ଆଉ ଆଦେଶର ଉଲ୍ଲଂଘନ କରିବା ବ୍ୟକ୍ତିଙ୍କୁ ୫ ବର୍ଷ ଜେଲ୍ ଦଣ୍ଡ ସହ ୧ ଲକ୍ଷ ଟଙ୍କାର ଜୋରିମାନା ହୋଇପାରେ । ଯଦି ଡିଜେ ବାଜୁଥିବାର ଅଭିଯୋଗ ଆସେ, ତେବେ ଉକ୍ତ ଅଂଚଳର ଥାନା ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବ ।

ଏହି ଆଦେଶ ବିଚାରପତି ପିକେଏସ ବଘେଲ ଏବଂ ବିଚାରପତି ପଙ୍କଜ ଭାଟିଆଙ୍କ ଖଣ୍ଡପୀଠ ଶୁଣାଇଛନ୍ତି । ତେବେ ହାସିମପୁର ପ୍ରୟାଗରାଜ ନିବାସୀ ସୁଶୀଲ ଚନ୍ଦ୍ର ଶ୍ରୀବାସ୍ତବଙ୍କ ଯାଚିତା ଉପରେ ଏହି ଶୁଣାଣି କରାଯାଇଛି । ଏହି ମାମଲାର ବିଚାର କରିବା ସମୟରେ କୋର୍ଟ କହିଛନ୍ତି, ଛୋଟ ପିଲା, ବୟସ୍କ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ସ୍ୱାସ୍ଥ୍ୟ ପାଇଁ ଶବ୍ଦ ପ୍ରଦୂଷଣ ଅତ୍ୟନ୍ତ ବିପଦପୂର୍ଣ୍ଣ ଅଟେ । ତେଣୁ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଟିମ୍ ଗଠନ କରି ଶବ୍ଦ ପ୍ରଦୂଷଣ ଉପରେ କଡା ନଜର ରଖିବାକୁ ଏବଂ ଦୋଷୀମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି, ସମସ୍ତ ଧାର୍ମିକ ପର୍ବପର୍ବାଣୀ ଏବଂ ଉତ୍ସବ ପୂର୍ବରୁ ଜିଲ୍ଲାପାଳ ବୈଠକ ଡକାଇ ଏହି ଆଇନ୍ ପାଳନ ନେଇ ସମସ୍ତଙ୍କୁ ଅବଗତ କରାଇବେ । ଆଉ ଯଦି କେହି ଏହି ଆଇନର ଉଲ୍ଲଂଘନ କରେ, ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୧ ଲକ୍ଷ ଟଙ୍କା ଜୋରିମାନା ଦେବାକୁ ହେବ । ଶବ୍ଦ ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ, ଅପରାଧୀଙ୍କ ବିରୋଧରେ ଏଫଆଇଆର ଦାୟର କରାଯିବ । ତେବେ ଆଲ୍ଲହାବାଦ ହାଇକୋର୍ଟଙ୍କ ଏଭଳି ନିଷ୍ପତ୍ତିକୁ ଅନେକଂଶରେ ସ୍ୱାଗତ କରାଯାଇଥିବା ବେଳେ ଆଗକୁ ଏହି ଆଇନ୍ କେତେ ମାତ୍ରାରେ ପାଳନ କରାଯାଉଛି ତାହା ଦେଖିବାକୁ ରହିଲା । ଏଠାରେ କହିରଖୁଛୁ, ଏହି ନିୟମ କେବଳ ଆଲ୍ଲାହାବାଦ ପାଇଁ ହିଁ ଲାଗୁ ହେବ । ଅନ୍ୟ ରାଜ୍ୟ ଗୁଡିକରେ ଏନେଇ କୌଣସି ନିଷ୍ପତି ନିଆଯାଇନାହିଁ ।