ଗଜପତି ଜିଲ୍ଲା କୁ ଦିନିକିଆ ଗସ୍ତ କଲେ ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ , ପ୍ରଭାବିତ ଅଞ୍ଚଳର କଲେ ଅନୁଧ୍ୟାନ ; ତିତିଲି ବାତ୍ୟା ରିଲିଫ ଓ ଥଇଥାନ ର ନେଲେ ସମୀକ୍ଷା…!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନର ଶ୍ରୀ ବିଷ୍ଣୁପଦ ସେଠୀ ସୋମବାର ଦିନ ଅଚାନକ ଗଜପତି ଜିଲ୍ଲାକୁ ଆସିଥିଲେ। ଗତ ଅକ୍ଟୋବର ମାସ ୧୧ ତାରିଖ ଦିନ ସମଗ୍ର ଗଜପତି ଜିଲ୍ଲା ସାମୁଦ୍ରିକ ଝଡ଼ ବାତ୍ୟା ତିତିଲି ରେ ବହୁ ମାତ୍ରାରେ ପ୍ରଭାବିତ ହୋଇ ଅନେକ ଧନଜୀବନ ନଷ୍ଟ ହୋଇ ଥିଲା । ସେସବୁ ପ୍ରଭାବିତ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ଓ କ୍ଷତିଗସ୍ତ ଅଞ୍ଚଳରେ ରିଲିଫ , ଥଇଥାନ ଓ ପୁନରୁଦ୍ଧାର କାର୍ଯ୍ୟ କେତେଦୂର ହୋଇପାରିଛି ,ତାର ସମୀକ୍ଷା ଓ ପ୍ରଭାବିତ ଅଞ୍ଚଳ ଗସ୍ତ କରି ଅନୁଧ୍ୟାନ କରିବା ପାଈଁ ଆସିଥିଲେ ।

ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ସ୍ବତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ ଆୟୋଜିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିଥିଲେ । ଏଥିରେ ଜିଲ୍ଲାପାଳ ଅନୁପମ ଶାହା ଏବଂ ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଚଞ୍ଚଳ ରାଣାଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।
ବୈଠକରେ କମିଶନର ଜିଲ୍ଲାପାଳ ଓ ଡିଆରଡିଏ ପ୍ରକଳ୍ପ ନିର୍ଦେଶକଙ୍କୁ ତିତିଲି ରିଲିଫ , ଥଇଥାନ ଓ ପୁନରୁଦ୍ଧାର ଉପରେ ଟିକିନିଖି ପଚାରିବୁଝି ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ ।
ପରେ ସାମ୍ବାଦିକ ମାନଙ୍କୁ ସମୀକ୍ଷା ବୈଠକ ଉପରେ ସୁଚନା ଦେଇ କହିଥିଲେ ଯେ , ତିତିଲି ବାତ୍ୟା ପରବର୍ତ୍ତୀ ରିଲିଫ ଥଇଥାନ ଓ ପୁନରୁଦ୍ଧାର ପାଇଁ ଯାହା ଟଙ୍କା ମଞ୍ଜୁର ହୋଇଥିଲା ତାହା ସରିଛି । ଏହା ଥଇଥାନ ପାଈଁ ଘର ନିର୍ମାଣ , ନଷ୍ଟ ହୋଇଥିବା ରାସ୍ତା ଓ ପୋଲ ତିଆରି , ଭାଙ୍ଗି ଯାଇଥିବା ଅଙ୍ଗନବାଡି ଘର , ବିଦ୍ୟାଳୟ କୋଠା ଓ ପ୍ରାଥମିକ ଚିକିତ୍ସା କେନ୍ଦ୍ର ମରାମତି ପ୍ରଭୃତି କାର୍ଯ୍ୟ ହୋଇଛି ବୋଲି କହିଥିଲେ ।
ଏହାପରେ କମିଶନର ଶ୍ରୀ ସେଠୀ ଓ ଯୁଗ୍ମ ରିଲିଫ କମିଶନର ପ୍ରଭାତ ମହାପାତ୍ର ପ୍ରଶାସନ ଅଧିକାରୀଙ୍କ ସହ ଜିଲ୍ଲାର ଅତ୍ୟନ୍ତ ତିତିଲି ବାତ୍ୟା ପ୍ରଭାବିତ ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଗସ୍ତ କରିଥିଲେ ।
ବର୍ଷା ଚାଲିଥିବା ସତ୍ତ୍ୱେ କମିଶନର ସେଠୀ ଚାଲି ଚାଲି ବାତ୍ୟାରେ ଧନଜୀବନ ପ୍ରଭାବିତ ଅଞ୍ଚଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । କମିଶନର ଶ୍ରୀ ସେଠୀ ରାଇସିଂହ ଓ ମାଡ଼ବା ଗ୍ରାମକୁ ଯାଇ ସେଠାରେ ପ୍ରଭାବିତ ଓ ମୃତାହତ ଅଞ୍ଚଳ ଲାଙ୍ଗାସାହି , ସୁଆବା ,ମାଡ଼ବା , ମାଡା , ସିଡ଼ିଲିଙ୍ଗି , ବୁରୁସୁଣ୍ଡା ,ତେରଵ ଓ କଳିଙ୍ଗା ପ୍ରଭୃତି ଗ୍ରାମର ୨୦୦ ରୁ ଅଧିକ ପରିବାରକୁ ଥଇଥାନ ବ୍ୟବସ୍ଥା ଦେଖି ଅନୁଧ୍ୟାନ କରିଥିଲେ । ସେଠାରେ ପ୍ରଶାସନ ପକ୍ଷରୁ ସେହି କ୍ଷତିଗସ୍ତ ପରିବାରଙ୍କ ନିମନ୍ତେ ବିଜୁ ପକ୍କା ଘର ଯୋଜନାରେ ନିର୍ମାଣ କରାଯାଉଥିବା ଘର ଗୁଡ଼ିକ ଦେଖିଥିଲେ । ଏତତ୍ ବ୍ୟତିତ ହିତାଧିକାରୀ ମାନଙ୍କ ସହିତ ରିଲିଫ ଓ ଥଇଥାନ ବ୍ୟବସ୍ଥା ଉପରେ ଅଧିକ ପଚାରିବୁଝି ଘର ନିର୍ମାଣ କାର୍ଯ ତୁରନ୍ତ ଶେଷ କରିବାକୁ ପରାମର୍ଶ ଦେଇଥିଲେ ।
ତାପରେ କମିଶନର ଶ୍ରୀ ସେଠୀ କଇଁପୁର ଯାଇ ସେଠାରେ ତିତିଲି ବାତ୍ୟାର ପ୍ରଭାବିତ ଭାଙ୍ଗିଯାଇ ମରାମତି କାର୍ଯ୍ୟ ସମ୍ପୂର୍ଣ କରାଯାଇଥିବା ବିଦ୍ୟାଳୟ ଘର ,ଅଙ୍ଗନବାଡି କେନ୍ଦ୍ର ,ପଞ୍ଚାୟତ କାର୍ଯ୍ୟଳୟ ପ୍ରଭୃତି ପରିଦର୍ଶନ କରିଥିଲେ।

ଯୌନ ନିର୍ଯାତନା, ଅସଦାଚରଣ ମାମଲାରେ ଅଭିଯୁକ୍ତର ନାମ ଓ ପରିଚୟକୁ ଗୋପନ ରଖିବା ପାଇଁ କେନ୍ଦ୍ର ସରକାରଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ନୋଟିସ…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଏଣିକି ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ବିଶେଷଙ୍କ ନାମ ଏବଂ ପରିଚୟକୁ ଗୋପନ ରଖିବା ପାଇଁ ସୁପ୍ରିମ୍‌ କୋର୍ଟରେ ଏକ ଜନସ୍ୱାର୍ଥ ସମ୍ବଳିତ (ପିଆଇଏଲ୍‌) ମାମଲା ଆଗତ ହୋଇଛି। ସୁପ୍ରିମ୍‌ କୋର୍ଟରେ ଆଗତ ମାମଲାରେ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତ ଥିବା ବ୍ୟକ୍ତି ବିଶେଷ ଯେ ପର୍ଯ୍ୟନ୍ତ ଅଦାଲତ ଦ୍ୱାରା ଦୋଷୀ ସାବ୍ୟସ୍ତ ନ ହୋଇଛନ୍ତି, ସେ ପର୍ଯ୍ୟନ୍ତ ଅଭିଯୁକ୍ତଙ୍କ ନାମ ଓ ପରିଚୟକୁ ଗୋପନ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ସୁପ୍ରିମ୍‌ କୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବ୍‌ଦେଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ଖଣ୍ଡପୀଠ ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରିବା ସହ ଏ ମାମଲାରେ ନିଜର ମତ ରଖିବାକୁ କେନ୍ଦ୍ର ଆଇନ୍‌ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ୟୁଥ୍‌ ବାର ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ ପକ୍ଷରୁ ସୁପ୍ରିମ୍‌ କୋର୍ଟରେ ଆଗତ ହୋଇଥିବା ଏହି ମାମଲାରେ କୁହାଯାଇଛି ଯେ ସଂପ୍ରତି ଅନେକ କ୍ଷେତ୍ରରେ ମିଥ୍ୟା ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲା ଆଗତ ହେଉଥିବା ଦେଖିବାକୁ ମିଳୁଛି। ଏବଂ ବିଚାର ପରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ ହେଉଥିବାର ଅନେକ ଦୃଷ୍ଟାନ୍ତ ମଧ୍ୟ ରହିଛି। ହେଲେ, ଥରେ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲା ଆଗତ ହୋଇଯିବା ପରେ ଏଥିରେ ଥିବା ଅଭିଯୁକ୍ତର ନାମକୁ ନେଇ ଗଣମାଧ୍ୟମରେ ଏପରି ଚର୍ଚ୍ଚା, ଆଲୋଚନା ଓ ପ୍ରଚାର ଚାଲୁଛି ଯେ ସେଥିରେ କେବଳ ମାତ୍ର ଅଭିଯୁକ୍ତ ନୁହନ୍ତି ବରଂ ତାଙ୍କର ସମଗ୍ର ପରିବାର ସମାଜରେ କଳଙ୍କିତ ହୋଇ ପଡ଼ୁଛନ୍ତି। ଖାଲି ଏତିକି ନୁହେଁ ଅନେକ ମିଥ୍ୟା ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାର ଶିକାର ହୋଇଥିବା ଅଭିଯୁକ୍ତ ଆତ୍ମହତ୍ୟା କରିଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ତେଣୁ, ଏହାକୁ ଦୃଷ୍ଟିରେ ରଖି ଦୋଷୀ ସାବ୍ୟସ୍ତ ନହେବା ପର୍ଯ୍ୟନ୍ତ ଯୌନ ନିର୍ଯାତନା କିମ୍ବା ଯୌନ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କ ନାମ ଓ ପରିଚୟକୁ ଗୋପନ ରଖିବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି।

ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର…!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ରାଏବରେଲିରେ ଉନ୍ନାଓ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି ଉତ୍ତର ପ୍ରଦେଶ ସରକାର। ଏସଂପର୍କରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗତକାଲି ବିଳମ୍ବିତ ରାତ୍ରିରେ ଏ ବାବଦରେ କେନ୍ଦ୍ର ସରକାରଙ୍କୁ ଔପଚାରିକଭାବେ ଅନୁରୋଧ କରିଥିବା ଜଣାଯାଇଛି । ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ଗତକାଲି ଅଭିଯୁକ୍ତ ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗର, ତାଙ୍କ ଭାଇ ଏବଂ ଅନ୍ୟ ୮ ଜଣଙ୍କ ବିରୋଧରେ ରାଏବରେଲିର ଗୁରୁବକ୍ସଗଞ୍ଜ ଥାନାରେ ହତ୍ୟା ମାମଲା ରୁଜୁ ହୋଇଛି । ରୁଜୁ ହୋଇଥିବା ଏଫ୍ଆଇଆରରେ ୧୫-୨୦ ଜଣ ଅଚିହ୍ନା ଲୋକଙ୍କ ନାଁ ଥିବା ଜଣାପଡ଼ିଛି। ଆଇପିସିର ଧାରା ୩୦୨, ୩୦୭, ୫୦୬, ୧୨୦ ବି ଅଧୀନରେ ଏଫ୍ଆଇଆର ରୁଜୁ ହୋଇଛି । ଦୁର୍ଘଟଣାରେ ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ପରିବାର ସଦସ୍ୟ ଦାବି କରିଥିବାଯୋଗୁଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି । ଏଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କ କାରକୁ ଧକ୍କା ମାରିବା ମାମଲାର ତଦନ୍ତ ସିବିଆଇଙ୍କୁ ଦିଆଯିବା ପରେ ଉନ୍ନାଓ ଗଣଦୁଷ୍କର୍ମ ମାମଲାରେ ସଂପୃକ୍ତ ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କ ପାଇଁ ଅଡୁଆ ବଢ଼ିଯାଇଛି । ଆଗରୁ ସିବିଆଇ ତାଙ୍କ ବିରୋଧରେ ହୋଇଥିବା ୨ ମାମଲାର ତଦନ୍ତ ଏବେ ବି କରୁଛି ।

ଅବ୍ୟବସ୍ଥା ଘେରରେ ଜଗଦଳପୁର ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ…!

ଏଥର ସମ୍ଭାଳ (କୁକୁଡ଼ାଖଣ୍ଡି) – କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଜଗଦଳପୁର ସରକାରୀ ବିଦ୍ୟାଳୟରେ ଵହୁ ଦିନ ଧରି ଛାତ୍ର ଛାତ୍ରୀ ମାନେ ବିଭିନ୍ନ ଅସୁବିଧlର ସମୁଖୀନ ହେଉଛନ୍ତି । ଏ ନେଇ ଅଭିଭାଵକ ମହଲରୁ ଅସନ୍ତୋଷ ଦେଖାଯାଇଛି । ଏହାର ମୁଖ୍ୟ କାରଣ ହେଲା ବିଦ୍ୟାଳୟରେ ଥିବା ବିଦ୍ୟୁତ ତାର ସମ୍ପୂର୍ଣ ଭାବେ ବାହାରକୁ ଆସିଛି ଯାହା ଫଳରେ ଛୋଟ ଛୋଟ ଛାତ୍ରଛାତ୍ରୀ ମାନେ ଶିକ୍ଷା ଅଧ୍ୟାୟନ କରୁଥିବା ବେଳେ ବିଦୁତ୍ ସର୍ଶ ରେ ଆସି ଆଘାତ ହେବାର ଆଶଙ୍କା ରହିଛି ଏଥି ସହ ବିଦ୍ୟାଳୟ ରେ ନର୍ଦମା ପାଣି ବହୁ ଦିନ ଧରି ରହିଥିବା ଅଭିଯୋଗ ହୋଇଛି । ଏଥି ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ତୃପ୍ତି ଚୌଧୁରୀ ସରପଞ୍ଚ ହଡୁବନ୍ଧୁ ବେହେରାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏଥି ନେଇ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେ କର୍ଣ୍ଣପାତ ଦେଉ ନଥିବା କହିଛନ୍ତି । ଏଠlରେ ଦୁଇ ଜଣଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପରେ ଛୋଟ ଛୋଟ ସ୍କୁଲ ପିଲା ମାନେ ଅସୁବିଧାର ସମୁଖୀନ ହେଉଛନ୍ତି ।

ଅଗଷ୍ଟ ୧୨ରେ ରିଲାଏନ୍ସ ଜିଓର ବ୍ରଡବ୍ୟାଣ୍ଡ ସେବାଲଞ୍ଚ ହୋଇପାରେ।

ଏଥର ସମ୍ଭାଳ (ମୁମ୍ବାଇ) – ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଜିଓ ପକ୍ଷରୁ ଫାଇବର ଅପଟିକ୍ସ ଭିତ୍ତିକ ବ୍ରଡବ୍ୟାଣ୍ଡ ସେବା ସଂପର୍କରେ ଘୋଷଣା କରିବାର ଇତି ମଧ୍ୟରେ ଏକ ବର୍ଷ ବିତିଗଲାଣି । କିନ୍ତୁ ଏପର୍ଯ୍ୟନ୍ତ କମ୍ପାନି ଏହି ସେବା ସାରା ଦେଶରେ ଆରମ୍ଭ କରିପାରି ନାହିଁ । ତେବେ ଆସନ୍ତା ୧୨ ତାରିଖରେ କମ୍ପାନି ଏହି ସେବା ଆରମ୍ଭ କରିବା ସଂପର୍କରେ ଘୋଷଣା କରିପାରେ ବୋଲି କେତେକ ସୁତ୍ରରୁ ଜଣାପଡିଛି । ବ୍ୟାଙ୍କ ଅଫ ଆମେରିକା-ମେରିଲ ଲିଞ୍ଚ୍‌ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ୧୨ ତାରିଖରେ ଜିଓ ପକ୍ଷରୁ ନିଜର ହୋମ ବ୍ରଡବ୍ୟାଣ୍ଡ, ଏଣ୍ଟରପ୍ରାଇଜ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ସଂପର୍କରେ ଘୋଷଣା କରିପାରେ । ଏହା ସହିତ କମ୍ପାନି ଏସବୁ ସେବାର ବିଭିନ୍ନ ପ୍ରକାରର ମୂଲ୍ୟ ମଧ୍ୟ ଘୋଷଣା କରିପାରେ । ତେବେ ସାରା ଭାରତରେ ପର୍ଯ୍ୟାୟକ୍ରମେ ଏହି ସେବା ଆରମ୍ଭ କରିପାରେ କମ୍ପାନି । ଆମେରିକା ଭିତ୍ତିକ ଏହି ବ୍ରୋକରେଜ କମ୍ପାନି କହିଛି ଯେ ଜିଓ ତିନି ପ୍ରକାରର ବ୍ରଡବ୍ୟାଣ୍ଡ ସେବା-ବେସିକ, ବ୍ରଡବ୍ୟାଙ୍କ ଓ ଟେଲିଭିଜନ ସେବା ଓ ହାଇଏଣ୍ଡ ଆଇଓଟି ସେବା ସମ୍ପର୍କରେ ଘୋଷଣା କରିପାରେ ।

ଗୁଣପୁର ଶିଶୁ ଉଦ୍ୟାନ ରକ୍ଷଣାବେକ୍ଷଣ ପାଇଁ ଦାବୀ..!

!!! ଦକ୍ଷୀଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ଶିଶୁ ମାନଙ୍କ ମନୋରଞ୍ଜନ ସକାଶେ ଗୁଣପୁର ୱେରହାଉସ ପଛ ପଟେ ପୌର ପରିଷଦ ପକ୍ଷରୁ ଶିଶୁ ଉଦ୍ୟାନ ଟିଏ ନିର୍ମିତ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ଅଭାବରୁ ଏଥିରେ ଲଗାଯାଇଥିବା ଖେଳ ସମାଗ୍ରୀ ନଷ୍ଟ ହେବାକୁ ବସିଛି। ଏଠାକୁ ମନୋରଞ୍ଜନ ସକାଶେ ଆସୁଥିବା ଶିଶୁ ସୁରକ୍ଷିତ ନଥିବା ଦର୍ଶାଇ ଗୁଣପୁର ଯୁବ ଉନ୍ନୟନ ପରିଷଦ ତରଫରୁ ମାନ୍ୟବର ଜିଲ୍ଲାପାଳ ରାୟଗଡ଼ା, ଉପଜିଲ୍ଲାପାଳ ତଥା ପୌର ପରିଷଦ ଅଧ୍ୟକ୍ଷ ଗୁଣପୁର ଓ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୁଣପୁର ଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି। ଏଥିରେ ପରିଷଦ ତରଫରୁ ଅଭିଯୋଗ କରାଯାଇଛି କି, ଶିଶୁ ଉଦ୍ୟାନ ରେ କବାଟ ଓ ଜଗୁଆଳି ନଥିବାରୁ ସେଠାରେ ବୁଲା କୁକୁର ଓ କୁସାମାଜିକ ବ୍ୟକ୍ତି ମାନଙ୍କ ର ଆଡ୍ଡା ଜମୁଛି। ଏପରିକି ତାହାର ଚତୁର୍ଦ୍ଦିଗ ଲଟା ବୁଦା ରେ ପରିପୂର୍ଣ୍ଣ ଥିବାରୁ ଏଠାରେ ବିଷାକ୍ତ ସାପ ବୁଲୁଥିବା ଦେଖିବାକୁ ମିଳିଛି, ଫଳରେ ଏଠାରେ ଶିଶୁ ସୁରକ୍ଷିତ ନୁହଁନ୍ତି। ଆଗାମୀ ଦିନରେ ଏହାର ରକ୍ଷଣାବେକ୍ଷଣ ପ୍ରତି ଦୃଷ୍ଟି ଦେଇ ଦେଖା ଯାଉଥିବା ସମସ୍ୟା ଗୁଡ଼ିକର ସମାଧାନ କରାନଯାଏ ତେବେ ଆଗକୁ ଘଟିବାକୁ ଥିବା ଅଘଟଣ ପାଇଁ ପ୍ରଶାସକ ଦାୟୀ ରହିବେ ବୋଲି ସୂଚାଇଛନ୍ତି।