ମନ୍ତ୍ରୀ ମାନିଲେ: ୪୦୯୫୫ ସ୍କୁଲ୍‍ରେ ପ୍ରତି ଶ୍ରେଣୀ ଲାଗି ବଖରାଏ ଗୃହ ନାହିଁ ; ୬୧୭ ସ୍କୁଲ୍‍ର ୨୦୨୬ଟି ଶ୍ରେଣୀଗୃହ ବିପଦସଙ୍କୁଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଶିକ୍ଷାର ଅବସ୍ଥା କେତେ ସାଂଘାତିକ ସେ କଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଉତ୍ତରରୁ ଜଳ ଜଳ ଦେଖାଯାଉଛି । ସେ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ମୋଟ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ । ଏହାଛଡ଼ା, ୨୩୩ଟି ହାଇସ୍କୁଲର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । କେବଳ ସେତିକି ନୁହେଁ, ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।
ଆଜି ବିଜେପି ବିଧାୟକ ମୋହନ ଚରଣ ମାଝୀ ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତା’ର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ରାଜ୍ୟରେ ମୋଟ ୫୦୩୭ଟି ସରକାରୀ ୩୨୫୭ଟି ସରକାରୀ ଅନୁଦାନପ୍ରାପ୍ତ ଓ ୮୧୪ଟି ବେସରକାରୀ ହାଇସ୍କୁଲ୍‍ ରହିଛି । ସେଥିମଧ୍ୟରୁ ୨୩୩ଟି ବିଦ୍ୟାଳୟର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏଥିରୁ ରାଜ୍ୟର ଶିକ୍ଷା କିଭଳି ସ୍ଥିତି ଦେଇ ଗତି କରୁଛି ତାହା ଅନୁମାନ କରିହେବ ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଲେ ଯେ ରାଜ୍ୟରେ ମୋଟ ୩୩ ହଜାର ୩୮୩ଟି ପ୍ରାଥମିକ ବିଦ୍ୟାଳୟ ଓ ୧୭ ହଜାର ୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଅର୍ଥାତ୍‍ ମୋଟ ୫୦ ହଜାର ୫୨୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀ ଗୃହ ଅଛି । ପରୋକ୍ଷରେ ଏହା ସୂଚାଉଛି ଯେ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ ।
ଗଣଶିକ୍ଷା ମନ୍ତ୍ରୀ ଉଲ୍ଲିଖିତ ନିୟମ ଅନୁସାରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଅନୁପାତରେ ମଞ୍ଜୁର ହୋଇଥାଏ ବୋଲି ସୂଚନା ଦେଇଥିଲେ । ଏହି ନିୟମ ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯଥାକ୍ରମେ ୩୦ଜଣ, ୩୫ଜଣ ଓ ୪୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ନିର୍ମାଣ କରାଯାଇପାରିବ ।
ୟୁଡଆଇଏସ୍‍ଇ, ୨୦୧୭-୧୮ ତଥ୍ୟ ଅନୁଯାୟୀ ଚଳିତ ପିଏବି ୨୦୧୯-୨୦ ବର୍ଷରେ ୬୦୯୩ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ମଞ୍ଜୁରି ପାଇବା ପରେ ନିର୍ମାଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ଯନ୍ତ୍ରୀ ଠିକାଦାର ଙ୍କ ମଧୁଚନ୍ଦ୍ରିକା ମିଳିମିଶି ଖାଇଗଲେ , ତୋର ଅଧା କୁ ମୋର ଅଧେ : ସରକାର ଙ୍କ ନିଘା ନାହିଁ !

!!! ବରଗଡ଼ ରୁ ଏମ ଶ୍ରୀକାନ୍ତ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ ବ୍ୟୁରୋ (ବରଗଡ) – ” ଛାମୁ ଯାହା ଦେଲେ ହରଷେ, ପାଉ ପାଉ ଗଲା ବରଷେ … ଏମନ୍ତ ଭୂଇଁ  ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ….”

ଠିକ ଏଇମିତି କଥା | ରାସ୍ତା ନଥିଲା ଭଲ | ଲୋକ ୨୦ ବର୍ଷ ହେଲା ଦାବି କରି ଆସୁଥିଲେ | ହେଲେ ସରକାର ବାହାଦୁର ଏତେ ଦିନ ପରେ ଦେଲେ, ହେଲେ ଦେଲେ ଯେ ନଦେଲା ଭଳିଆ |
ବରଗଡ ଜିଲ୍ଲା ପାଇକମାଲ ବ୍ଲକ ମୁଖ୍ୟାଳୟରୁ ଝାରବନ୍ଧ ବ୍ଲକ ମୁଖ୍ୟାଳୟକୁ ସଂଯୋଗ କରୁଥିବା ପୂର୍ତ୍ତ ରାସ୍ତା ର ପାଇକମାଲ ଠାରୁ ଚୁହାପାଲି ଗ୍ରାମ ପର୍ଯନ୍ତ ପ୍ରାୟ 5 କିଲୋମିଟର ର ରାସ୍ତା କାମ ଗତ କିଛି ମାସ ତଳେ ଆରମ୍ଭ ହେଇଥିଲା । ଏହି ରାସ୍ତା ନିର୍ମାଣରେ ବ୍ୟାପକ ଭାବରେ ଦୁର୍ନୀତି ହେଇଥିବା ସଚେତନ ନାଗରିକ ମାନେ ଅଭିଯୋଗ କରିଛନ୍ତି ।

ବର୍ତମାନ ପରିସ୍ଥିତି ଏମିତି ହେଲାଣି ଯେ ଯିଏ ଦୁର୍ନୀତି ବାବଦରେ କହିବ ତାକୁ କିଛିଲୋକ ବଦନାମ କରିଦେବେ । ଚାରିକୋଟି ଟଙ୍କାରୁ ଉର୍ଧ୍ଵ ବ୍ୟୟ ବରାଦ ରେ ନିର୍ମାଣ ହେଇଥିବା ଏହି ରାସ୍ତାଟିରେ ଅତି ନିମ୍ନମାନର କାମ ହେଇଥିବା କାରଣରୁ ବର୍ତମାନ ରାସ୍ତାଟି ଅଧିକାଂଶ ସ୍ଥାନରେ ସଂପୂର୍ଣ୍ଣ ଭାବରେ ନଷ୍ଟ ହେଇଗଲାଣି ।

ବର୍ତ୍ତମାନ  ସୁଦ୍ଧା ରାସ୍ତା କାମଟି ସମ୍ପୁର୍ଣ୍ଣ ହେଇନାହିଁ | କିନ୍ତୁ କେତେକ ସ୍ଥାନରେ ମରାମତି କାର୍ଯ୍ୟ ହେଉଥିବା ନଜରକୁ ଆସିଛି । ରାସ୍ତାର ପିଚୁ ଛାଡି ଯାଉଛି | ଏପରିକି ବହୁ ସ୍ଥାନରେ ରାସ୍ତାରେ ଗାତ ଓ ଫାଟ  ମଧ୍ୟ ହେଇଗଲାଣି ।

ଏହି ରାସ୍ତା ପାଇଁ ବିଗତ 20 ବର୍ଷ ହେଲା ସ୍ଥାନୀୟ  ଜନସାଧାରଣ ଦାବି କରି ଆସୁଥିଲେ । ଜନସାଧାରଣ ଙ୍କର ଦାବି ଅନୁସାରେ ରାସ୍ତା ବି ହେଲା ହେଲେ ଯେଉଁ ବିଭାଗୀୟ ଅଧିକାରୀ ମାନେ ନିର୍ମାଣର ଦାୟିତ୍ୱରେ ଥିଲେ ସେନାନଙ୍କର ଦାଇତ୍ୱ ହୀନତା , ଅପାରଗତା ଓ ଅବହେଳା କାରଣରୁ ଆଜି ଏହି ନୂତନ ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ବ୍ୟବହାର ପାଇଁ ଅନୁପଯୋଗୀ ହେଇଯାଇଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

ଏହି ରାସ୍ତାରେ ଥିବା ବୈଦପାଲି , ହୀରାପୁର ଓ ଚୁହାପଲି ଗ୍ରାମର ସଚେତନ ନାଗରିକମାନେ ଦାବି କରିଛନ୍ତି ଯେ ଏହି ରାସ୍ତାରେ ହେଇଥିବା ଦୁର୍ନିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀ ମାନଙ୍କର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ରାସ୍ତାରୁ ଛାଡିଯାଇଥିବା ପିଚୁକୁ ସମ୍ପୂର୍ଣ୍ଣ ଭାବରେ ଓପାଡି ନୂତନ ଭାବରେ ରାସ୍ତା ନିର୍ମାଣ କରାଯାଉ ।

ବିଜେପି ପାଇଁ ତ୍ୟାଗ: ୩ ବର୍ଷିୟା ଆସନ ରଖି ୫ ବର୍ଷିୟା ଛାଡ଼ିଲା ବିଜେଡି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ଖାଲି ହୋଇଥିବା ୩ ରାଜ୍ୟସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନ ହାତରେ ରଖି ଗୋଟିଏ ଆସନ ବିଜେପିକୁ ଛାଡ଼ି ଦେଇଛି । ବିଜେପି ପାଇଁ ବିଜେଡି କେବଳ ଏତିକି ତ୍ୟାଗ କରିନି ଆହୁରି ଅଧିକ ସହାୟତା କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ସମସ୍ତଙ୍କୁ ଚକିତ କରିବାରେ ଲାଗିଛି । ବିଜେପିକୁ ବିଜେଡି କାହିଁକି ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଲା ତାକୁ ନେଇ ଚର୍ଚ୍ଚା ଥମି ନ ଥିଲା ବେଳେ ନବୀନ ଆଉ ଏକ ଚର୍ଚ୍ଚାର ବିଷୟ ଯୋଗାଇ ଦେଇଛନ୍ତି ବିରୋଧୀ ବୋଲି କୁହାଯାଉଛି । ବିଜେଡି ଗୋଟିଏ ୫ ବର୍ଷିୟା ରଖି ଆଉ ଗୋଟିଏ ବିଜେପିକୁ ଛାଡ଼ି ଦେଇଛି । ନିଜ ପାଖରେ ୩ ବର୍ଷିୟା ଆସନଟି ରଖିଛି ।
ଓଡ଼ିଶାର ଯେଉଁ ୩ଟି ରାଜ୍ୟସଭା ଆସନ ଖାଲି ହୋଇଛି ସେଥିରେ ୨ଟି ହେଉଛି ୫ ବର୍ଷ ପାଇଁ ଓ ଗୋଟିଏ ହେଉଛି ୩ ବର୍ଷ ପାଇଁ । ଇସ୍ତଫା ଦେଇଥିବା ବିଜେଡିର ୩ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳନ ୨୦୨୪ରେ ଶେଷ ହେବାର ଥିଲା । ଏଣୁ ଉଭୟ ଇସ୍ତଫା ଦେବାରୁ ଏମାନଙ୍କ ସ୍ଥାନରେ ଯେଉଁ ଉପନିର୍ବାଚନ ହେବ ଏବଂ ଏଥିରେ ଯେଉଁ ପ୍ରାର୍ଥୀ ଯିବେ ସେମାନେ ୫ ବର୍ଷ ପାଇଁ ନିର୍ବାଚିତ ହେବେ । ସେହିପରି ଇସ୍ତଫା ଦେଇଥିବା ପ୍ରତାପ କେଶରୀ ଦେବଙ୍କ କାର୍ଯ୍ୟକାଳନ ୨୦୨୨ରେ ସରିଥାନ୍ତା । ଏଣୁ ପ୍ରତାପଙ୍କ ସ୍ଥାନରେ ଯେଉଁ ଉପନିର୍ବାଚନ ହେବ ତାହା ୩ ବର୍ଷ ପାଇଁ । ଫଳରେ ପ୍ରତାପଙ୍କ ସ୍ଥାନରେ ଯିଏ ନିର୍ବାଚିତ ହେବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ । ଏ କ୍ଷେତ୍ରରେ ବିଜେଡି ଗୋଟିଏ ୫ ବର୍ଷ ଓ ଗୋଟିଏ ୩ ବର୍ଷର ଆସନ ରଖି ବିଜେପିକୁ ୫ ବର୍ଷିୟା ଆସନଟି ଦେଇଛି ।
ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଚାଲିଛି । ବିଜେଡି କେବଳ ରାଜ୍ୟସଭା ଆସନ ଗୋଟିଏ ଛାଡ଼ି ବିଜେପି ପାଇଁ ତ୍ୟାଗ କରିଛି ବୋଲି ଆଲୋଚନା ହେଉଥିଲା । ଏବେ ବିଜେପି ପାଇଁ ବିଜେଡି କେତେ ଦରଦୀ ତାହା ଏଥିରୁ ଜଣାପଡିଛି । ନିଜେ ୩ ବର୍ଷିୟା ଆସନ ରଖି ବିରୋଧୀ ପକ୍ଷକୁ ୫ ବର୍ଷିୟା ଆସନ ଛାଡ଼ିଛି । ଏବେ କଥା ଉଠୁଛି ବିଜେପି ପାଇଁ ବିଜେଡିର ଏତେ ତ୍ୟାଗ କାହିଁକି? ଏହାକୁ ନେଇ ଏତେ ଆଲୋଚନା ଓ ସମାଲୋଚନା ଚାଲିଥିଲା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଉପରେ କୌଣସି ପ୍ରତିକ୍ରୀୟା ରଖି ନାହାଁନ୍ତି । କେବଳ ତାଙ୍କର ଦଳୀୟ ନେତାମାନେ କହିଚାଲିଛନ୍ତି ନବୀନ ବାବୁ ଯାହା କରିଛନ୍ତି ତାହା ଭାବିଚିନ୍ତି କରିଛନ୍ତି ଓ ରାଜ୍ୟ ସ୍ୱାର୍ଥ ପାଇଁ କରିଛନ୍ତି । ରାଜ୍ୟର କଣ ସ୍ୱାର୍ଥ ସାଧନ ହେଉଛି ତାହା ଦେଖିବାର କଥା ବୋଲି କୁହାଯାଉଛି ।

ଜେଲ ଗଲେ ପାଟଣାଗଡ଼ ବିଧାୟକ !

ଏଥର ସମ୍ଭାଳ ବ୍ୟୁରୋ (ପାଟଣାଗଡ଼) – ଜାମିନ ନାମଞ୍ଜୁର ପରେ ପାଟଣାଗଡ଼ ଜେଲ୍ ଗଲେ ବିଧାୟକ ସରୋଜ ମେହେର; ଆଜି ପୂର୍ବାହ୍ନରେ ସରୋଜଙ୍କୁ ଗିରଫ କରିଥିଲା ପାଟଣାଗଡ଼ ପୁଲିସ, ଜେଇଙ୍କୁ ଉଠବସ ମାମଲାରେ ଗିରଫ କରିଥିଲା ପୁଲିସ ।

ସାମ୍ବାଦିକତା ବୃତ୍ତିକୁ ଘୋର ଅପମାନ : ସାମ୍ବାଦିକଙ୍କୁ ଭିକାରୀ କହିବା ଅଭିଯୋଗରେ ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ବିରୋଧରେ ଥାନାରେ ଏତଲା !

ଏଥର ସମ୍ଭାଳ ବ୍ୟୁରୋ (ଆଠଗଡ଼) – ଫେସବୁକ୍ ପୋଷ୍ଟରେ ସାମ୍ବାଦିକତା ବୃତ୍ତିକୁ ଅପମାନ । ଗତ ୧୬ ଜୁନରେ ସାମ୍ବାଦିକଙ୍କୁ ତାତ୍ସଲ୍ୟ କରି ଅରୁଚିକରର ମନ୍ତବ୍ୟ ଦେଇଛନ୍ତି ଆଠଗଡ଼ ଡିଏଫଓ । ସାମ୍ବାଦିକଙ୍କୁ ଭିକାରୀ କହି ଅପମାନିତ କରିଛନ୍ତି ଆଠଗଡ଼ ଡିଏଫଓ ସସ୍ମିତା ଲେଙ୍କା । । ସାମ୍ବାଦିକତା ଏକ ନିଆରା ବୃତ୍ତି । ସତ୍ୟ, ନୀତିନିଷ୍ଠ ତଥା ନିରପେକ୍ଷ ସାମ୍ବାଦିକ ବିଭିନ୍ନ ସମୟରେ ଅପଦସ୍ତ ହେଉଛନ୍ତିି । ଲୋକଙ୍କ ସୁବିଧା ଅସୁବିଧାକୁ ସରକାରଙ୍କ ପାଖରେ ପହଞ୍ଚାଇବା ତଥା ଦୁର୍ନୀତିର ଗୁମର ଖୋଲୁଥିବା ସାମ୍ବାଦିକ ବିଭିନ୍ନ ସମୟରେ ଆକ୍ରମଣର ଶିକାର ହେଉଛନ୍ତି । କିଏ କେତେବେଳେ ସାମ୍ବାଦିକଙ୍କୁ ମିଛୁଆ କହୁଛି ଆଉ କିଏ ଲାଞ୍ଚୁଆ ତ ଆଉ କିଏ ଭିକାରୀ । ଲୋକ ପାଇଁ ଜୀବନ ଉତ୍ସର୍ଗ କରୁଥିବା ବ୍ୟକ୍ତିଙ୍କର କ’ଣ କିଛି ସମ୍ମାନବୋଧ ନାହିଁ ।

‘ସାମ୍ବାଦିକମାନେ ଭିକାରୀ ! ସାମ୍ବାଦିକଙ୍କ ପରି ଭିକାରୀ କେବେ ମୋ ଜୀବନରେ ପୂର୍ବରୁ କେବେ ବି ଦଖିନି ! ସାମ୍ବାଦିକମାନଙ୍କୁ ଦିଆଯାଇଥିବା ସ୍ୱାଧୀନତାର ବ୍ୟବହାର କରି ସେମାନେ ଟଙ୍କା ମାଗିବା ସହିତ ବ୍ଲାକମେଲିଂ କରୁଛନ୍ତି ! ଏହା ଅତ୍ୟନ୍ତ ଦୁଃଖଦାୟକ ଘଟଣା ! ସମସ୍ତେ ଏଠାରେ ସାମ୍ବାଦିକ ! ସମସ୍ତଙ୍କ ଅଯୁକ୍ତିକର ଦାବି ପୂରଣ କରିବା ପାଇଁ ମୁଁ ଏଠାରେ ନାହିଁ ବୋଲି ସେ ଲେଖିଛନ୍ତି ।

ଜଣେ ଉଚ୍ଚଶିକ୍ଷିତ ଅଧିକାରୀ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭଙ୍କୁ ଏପରି ଅପମାନ ଜନକ ମନ୍ତବ୍ୟ ଦେବା କେତେଦୂର ଯୁକ୍ତିଯୁକ୍ତ । ଗଣମାଧ୍ୟମ ପରି ଏକ ମର୍ଯ୍ୟାଦାଜନକ ପେଶା ପାଇଁ ଏହି କ’ଣ ପୁରସ୍କାର । ତେବେ ସାମ୍ବାଦିକଙ୍କୁ ଭିକାରୀ କହିବା ଅଭିଯୋଗରେ ଆଠଗଡ ଡିଏଫଓ ସସ୍ମିତା ଲେଙ୍କାଙ୍କ ନାଁରେ ଆଠଗଡ ଥାନାରେ ଏତଲା ଦିଆଯାଇଛି । ସମସ୍ତ ଗଣମାଧ୍ୟମ ପ୍ରତିନିଧି ଏହି ଏତଲା ଦେଇଛନ୍ତି । ସସ୍ମିତାଙ୍କ ଫେସବୁକ୍ ପୋଷ୍ଟକୁ ନେଇ ସାମ୍ବାଦିକ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିବା ସହିତ ଘଟଣାକୁ ସାମ୍ବାଦିକମାନେ ଦୃଢତାର ସହିତ ନିନ୍ଦା କରିଛନ୍ତି ।

 

ରାଜ୍ଯକଳା ଗବେଷଣା ଓ ପ୍ରଶିକ୍ଷକ ପରିଷଦ ଓଡିଶା ଆନୁକୁଲ୍ୟରେ ୧୯ ତମ ରାଜ୍ଯସ୍ତରୀୟ ସମ୍ବର୍ଦ୍ଧନା ଓ ପ୍ରତିଭା ପୂଜା ଉତ୍ସବ ଅନୁଷ୍ଠିତ !

ଏଥର ସମ୍ଭାଳ ବ୍ୟୁରୋ (କଟକ) – ରାଜ୍ଯକଳା ଗବେଷଣା ଓ ପ୍ରଶିକ୍ଷକ ପରିଷଦ ଓଡିଶା ଆନୁକୁଲ୍ୟରେ ୧୯ ତମ ରାଜ୍ଯସ୍ତରୀୟ ସମ୍ବର୍ଦ୍ଧନା ଓ ପ୍ରତିଭା ପୂଜା ଉତ୍ସବ କଟକ ସ୍ଥିତ ସହିଦ୍ ଭବନ ଠାରେ ପାଳନ ଅବସରରେ ଓଡ଼ିଶା ର ଏକ ମାତ୍ର ସାମ୍ବାଦିକ ପ୍ରଶାନ୍ତ କୁମାର କର ଙ୍କୁ ସ୍କର୍ଟ ନବରତ୍ନ ସମ୍ମାନ ପ୍ରଦାନ କରାଯାଇଅଛି।

ସୂଚନା ଯୋଗ୍ୟ ଯେ ଉକ୍ତ ସମ୍ବର୍ଦ୍ଧନା ଉତ୍ସବ ରେ ଓଡ଼ିଶା ହାଇକୋର୍ଟ ର ପ୍ରାକ୍ତନ ବିଚାରପତି ମାନ୍ୟବର ନ୍ୟାୟମୂର୍ତ୍ତୀ ଏସ୍. ଏସ୍. ନାଇଡୁ ଉଦଘାଟକ ଭାବେ, ହାଇକୋର୍ଟ ର ଆଉ ଜଣେ ପ୍ରାକ୍ତନ ବିଚାରପତି ଡଃ. ଡି. ପି. ଚୌଧୁରୀ, ରାଜ୍ଯ ସଂଯୋଜକ ରଞ୍ଜିତ କୁମାର ଦାଶ, ଯୋଜନା ଲୋକ ସମ୍ପର୍କ ର ସମ୍ପାଦକ ଧୃବ ଚରଣ ପ୍ରଧାନ, ଓଡ଼ିଶା ର ବୀମା ଲୋକପାଳ ବିଭୁ ପ୍ରସନ୍ନ ପରିଜା ଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ଶ୍ରୀ କର ଦକ୍ଷୀଣ ଓଡ଼ିଶା ର ବିଭିନ୍ନ କ୍ଷେତ୍ରରେ କଳାକାର ମାନଙ୍କୁ କଳା ପ୍ରଦର୍ଶନ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ସମ୍ମାନିତ ହୋଇଛନ୍ତି। ଏହା ସହିତ ଅନେକ ପତ୍ର ପତ୍ରିକା ରେ ନିଜର ଲେଖା ଓ ସମ୍ବାଦ ପରିବେଷଣ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି।

ଏହା ଛଡ଼ା ପୁରୀ ଠାରେ ଅଷ୍ଟ ଭୁଜା ସାହିତ୍ୟ ଅନୁଷ୍ଠାନ ଓଡ଼ିଶା ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ, ସୁଲେଖା ସାହିତ୍ୟ ସଂସ୍କୃତି ପରିଷଦ ପକ୍ଷରୁ ପ୍ରତିଭା ସମ୍ମାନ, ଗୌର ଭକ୍ତ କଳା ସଂସଦ ପକ୍ଷରୁ କଳାକାର ସମ୍ମାନ, ଅଭିପ୍ସା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସାମ୍ବାଦିକ ଗୌରବ ସମ୍ମାନ ମୟୁରଭଞ୍ଜ ବାଣୀ ପିଠ ମୋହତ୍ସବ ରେ ସମ୍ମାନିତ ହୋଇଥିବା ବେଳେ ନୂଆଦିଲ୍ଲୀ ସ୍ଥିତ ବାବୁ ଜରା ଜୀବନ ରାମ କଳା ସଂସ୍କୃତି ଓ ସାହିତ୍ୟ ଏକାଡେମୀ ପକ୍ଷରୁ ରାଷ୍ଟ୍ରୀୟ ସେବା ଶ୍ରୀ ସମ୍ମାନ ରେ ଭୂଷିତ ହୋଇ ସମ୍ମାନିତ ହୋଇଛନ୍ତି। ଏଭଳି ଜଣେ ବହୁମୁଖୀ ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କ ପାଇଁ ରାୟଗଡ଼ା ଜିଲ୍ଲା ପଦ୍ମପୁର ମାଟି ଆଜି ସାରା ଓଡ଼ିଶା ରେ ସମ୍ମାନିତ ହୋଇପାରିଛି। ଆଗାମୀ ଦିନରେ ଏଭଳି ପ୍ରତିଭା ସମ୍ପନ୍ନ ବ୍ୟକ୍ତି ଙ୍କ ପାଇଁ ଜନ୍ମ ମାଟି ଗୌରବାନ୍ବିତ ହେବ ବୋଲି ସ୍ଥାନୀୟ ବୁଦ୍ଧୀଜିବି ଓ ସାଧାରଣ ଜନତା ଆଶା ପ୍ରକାଶ କରିଛନ୍ତି।

ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ସହରବାସୀଙ୍କୁ କରୁଛି ଅଶାନ୍ତ ; ନର୍ଦ୍ଦମା ପାଣି ରାସ୍ତା ଉପରେ , ପ୍ରତିବାଦରେ ରାସ୍ତା ରୋକ !

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଅମୃତ ସହର ବାରିପଦାରେ ହଳାହଳ ବିଷ । ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ଖାମଖିଆଲି ନୀତି କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପୋଖରୀର ବ୍ରମ ସୃଷ୍ଟି କରାଇଛି । ଫଳରେ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେବାରୁ ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାର ଦେଖିବାକୁ ମିଳିଛି ।
ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ(ପିଡ଼ବ୍ଲୁ୍ୟଡ଼ି) ବାରିପଦା ସହରର ସତ୍ୟସାଈ ଛକ ନିକଟରୁ ଦାରୋଗାଡ଼ାହି ଗୋଲେଇ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ୨୦୧୭ରୁ ଆରମ୍ଭ ହୋଇଥିଲା । ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥି ସହିତ ଉଭୟ ପାଶ୍ୱ୍ରରେ ଜବରଦଖଲ ଉଚ୍ଛେଦ ଅଭିଯାନ ମଧ୍ୟ ହୋଇଥିଲା । କିନ୍ତୁ ବିଭାଗର ଖାମଖିଆଲୀ ମନୋଭାବ କାରଣରୁ ଡ୍ରେନ ଜଗଦ୍ଧାତ୍ରୀ ସିନେମା ହଲ ନିକଟରେ ଅସମ୍ପୂର୍ଣ୍ଣ ଭାବେ ରହିଗଲା । ଫଳରେ ଡ୍ରେନରେ ଆସୁଥିବା ପରିତ୍ୟକ୍ତ ଅପରିଷ୍କାର ପାଣି ନିଷ୍କାସିତ ହୋଇନପାରି ଓଭର ଫ୍ଲୋ ହୋଇ ଜଗଦ୍ଧାତ୍ରୀ ସିନେମା ହଲ ସମ୍ମୁଖ ଲେବଲ କ୍ରସିଂ ନିକଟ ମୁଖ୍ୟ ରାସ୍ତା ଉପରେ ଜମି ପୋଖରୀର ବ୍ରମ ସୃଷ୍ଟି କରାଉଥିଲା । ଜନସାଧାରଣ ବାରମ୍ବାର ଅଭିଯୋଗ ଜଣାଉଥିଲେ ମଧ୍ୟ ବିଭାଗ ଏଦିଗରେ ନିଘା ନାହିଁ କି ପଘା ନାହିଁ ନ୍ୟାୟକୁ ଆପଣେଇ ନେଇଥିଲା । ତେଣୁ ସିଧା ଅଙ୍ଗୁଳିରେ ଘିଆ ନ ଉଠିବାରୁ ଜନସାଧାରଣ ଅଙ୍ଗୁଳିକୁ ବଙ୍କେଇବାକୁ ବାଧ୍ୟ ହୋଇଥିଲେ ଏବଂ ଆଜି ଅପରାହ୍ନ ୫ଟାରେ ୧୫ ନମ୍ବର ୱାଡର଼୍ର ପୂର୍ବତନ କାଉନସିଲର ଦେବାଶିଷ ଦାସ, ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଇନଜୀବୀ ପ୍ରଦୀପ ରଥ, ବିଜୟ ମିଶ୍ର, ସୁଜିତ ମହାନ୍ତି, ଲିଟନ ମହାପାତ୍ର, ରଶ୍ମୀ ରଞ୍ଜନ ପଣ୍ଡା ଓ ମନୋରଞ୍ଜନ କୁଁଅର ପ୍ରମୁଖ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ରାସ୍ତା ଉପରେ ଟାୟାର ଆଦି ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ସହ ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧିକାରୀଙ୍କୁ ତୁରନ୍ତ ପହଁଞ୍ଚିବାକୁ ପରାମର୍ଶ ଦେଇଥିଲେ ଏବଂ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ବିକାଶ ପାଣି ପହଁଞ୍ଚି ଆସନ୍ତା ରବିବାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ବିଭିନ୍ନ ଦାବୀ ନେଇ ବି.କେ.ଏମ.ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି/ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘର,ଜାଗା ଓ ପଟ୍ଟା,ଜଙ୍ଗଲଜମି ପଟ୍ଟା ଏବଂ କ୍ଷତିଗ୍ରସ୍ତ ସର୍ବହରାଙ୍କୁ ରୁଣ ପ୍ରଦାନ ଦାବୀରେ ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ୟୁନିୟନ ବି.କେ.ଏମ.ୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବୀ ପତ୍ର ଦିଆଯାଇଛି ।
ଏହି ଅବସରରେ ୩୦୦ରୁ ଅଧିକ ବି.କେ.ଏମ.ୟୁ କର୍ମି ମାନେ, ବି.କେ.ଏମ.ୟର ରାଜ୍ୟ ପରିଷଦ ସଭାପତି ଜନା ସୁବାସଚନ୍ଦ୍ର ରାଓଙ୍କ ନେତୃତ୍ୱରେ ପୁରୁଣା ଫାଏରଷ୍ଟେସନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବି.କେ.ଏମ.ୟୁ ର ରାଜ୍ୟ ସଭାପତି ଶ୍ରୀ ରାଓ ସୁଚନା ଦେଇ କହିଥିଲେ ଯେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ୨୦୧୫ରୁ ଘର ଜାଗା ଓ ପଟ୍ଟା ଓ ଜଙ୍ଗଲଜମି ପଟ୍ଟା ପାଇବା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ବିଚାରକୁ ନିଆଯାଇନାହିଁ । ସେହିଭଳି ଗତ ତିତିଲିରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ଓ ସର୍ବହରା ହୋଇପଡିଛନ୍ତି । ବଞ୍ଚିବା ପାଇଁ ସେମାନଙ୍କ ଚାଷ, ବ୍ୟବସାୟ ଓ ଅନ୍ୟାନ୍ୟ କାରବାର ପାଇଁ ତୁରନ୍ତ ରୁଣ ପ୍ରଦାନ କରାଯାଉ । ଅନ୍ୟ ପକ୍ଷରେ ତିତିଲି ରିଲିଫ ସହାୟତା ମଞ୍ଜୁରରେ ଯେଉଁ ଦୁର୍ନିତି ହୋଇ ଯୋଗ୍ୟଙ୍କ ପରିବର୍ତ୍ତେ ଅଯୋଗ୍ୟ ଲୋକେ ଏହି ସହାୟତା ହାତେଇଛନ୍ତି ।
ଏହି ଦୁର୍ନିତିର ପ୍ରକୃତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ । ଏସବୁ ହେଉଛି ଆମର ଦାବୀ ବୋଲି କହିଥିଲେ । ଶେଷରେ ଦାବୀ ଗୁଡିକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ପ୍ରଦାନ କରିଥିଲେ ।

ଆଦିତ୍ୟ ଇନ, ନିରଞ୍ଜନ ଆଉଟ ; ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଅଫିସର ସ୍ତରରେ ବ୍ୟାପକ ଅଦଳ ବଦଳ, କୃପାସିନ୍ଧୁ ମିଶ୍ର ଲୋକସଂପର୍କ ବିଭାଗର ନୂଆ ନିର୍ଦେଶକ, ପ୍ରେମଚାନ୍ଦ ଚୌଧୁରୀ ବିଏମସି କମିଶନର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନବୀନ ପଟ୍ଟନାୟକ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଆଇଏଏସ ଓ ବଶିଷ୍ଠ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି | ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଜଣାଶୁଣା ସାରସ୍ୱତ ସାଧକ କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଅବସ୍ଥାପିତ ହୋଇଛନ୍ତି | ସେହିପରି କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ଆଇଏଏସ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀଙ୍କୁ ଭୁବନେଶ୍ବର ମହାନଗର ନିଗମ କମିସନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଓ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥୀ ଶତପଥୀଙ୍କୁ ବିଧାନ ସଭାର ସଚିବ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ବିଏମସି ଅତିରିକ୍ତ କମିସନର ଥିବା ଅନନ୍ୟା ଦାସଙ୍କୁ କଟକ ମହାନଗର ନିଗମ କମିସନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର |
କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲଙ୍କୁ ସାମାଜିକ କଲ୍ୟାଣ, ମିସନ ଶକ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଓମବାଡ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି | କଟକ ମହାନଗର ନିଗମ କମିସନର ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସେହି ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଯାମିନୀ ଷଡଙ୍ଗୀଙ୍କୁ ଅର୍ଚନା ପଟ୍ଟନାୟକଙ୍କ ଜାଗାରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିଚାଳନା ନିେର୍ଦଶକ ଭାବେ ଅବସ୍ଥାପିତ କରାଯାଇଛି । ନିକଟରେ କଜରଧ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବା ଭୂପିନ୍ଦର ସିଂ ପୁନିଆଙ୍କୁ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ, ରାମସା ରାଜ୍ୟ ପ୍ରକଳ୍ପ ନିେର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ଜଳସଂପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଥାର୍ଡ଼ ଫ୍ଲୋରରୁ ବାହାରକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ନିରଞ୍ଜନ ସାହୁ | ତାଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତି ମିଳିଥିବା ବେଳେ ସେ ଶ୍ରମ କମିସନର ଦାୟିତ୍ୱ ମଧ୍ୟ ତୁଲାଇବେ | ଆଉ ତାଙ୍କ ବଦଳରେ ଥାର୍ଡ଼ ଫ୍ଲୋରରେ ଇନ ହୋଇଛନ୍ତି ଆଦିତ୍ୟ ମହାପାତ୍ର | ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ, ରେଘୁ ଜିଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ, ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ବ ପର୍ଷଦ ସଚିବ, ଖୋର୍ଦ୍ଧା ଡିଆର୍ଡିଏ ପିଡି ଅବଦୁଲ ଅଖତରଙ୍କୁ କଟକ ଡିଆର୍ଡିଏ ପିଡି, ଜ୍ୟୋତି ପ୍ରକାଶ ଦାସଙ୍କୁ ବୟନ ନିର୍ଦ୍ଦେଶକ ଓ ବୟାନିକ ପରିଚାଳନା ନିର୍ଦ୍ଦେଶକ, ଲକ୍ଷ୍ମୀଧର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ, ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଇଏସ୍ଆଇ ନିର୍ଦ୍ଦେଶକ ଓ ଝାରସୁଗୁଡା ଜିଲ୍ଲାପାଳ ଥିବା ବିଭୂତି ଭୂଷଣ ଦାସଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି |
ସେହିପରୀ ପ୍ରଶାନ୍ତ ସେନାପତିଙ୍କୁ ଆଇଜିଆର ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସିର ପରିଚାଳନାଭାବେ ଅବସ୍ଥାପିତ କରାଯାଇଛି | ଅଞ୍ଜନ କୁମାର ମାଣିକଙ୍କୁ ଅବକାରୀ କମିସନର ଭାବେ ନିକଉକ୍ତି ଦିଆଯାଇଥିବା ବେଳେ ବିଭୂତି ଭୂଷଣ ପଟ୍ଟନାୟକ ରାଜ୍ୟ ସମବାୟ ନିବନ୍ଧକ ଓ ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆ ଯାଇଛି |

ସହାୟତା ଅପେକ୍ଷା ରେ ବୁଧୁରାମ ଙ୍କ ପରିବାର !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ନୂଆପଡ଼ା ଜିଲ୍ଲାର ସିନାପାଳି ବ୍ଲକ ତି ଲେମାଲ ଗାଁ ର ଶ୍ରୀ ବୁଧୁରାମ ବାଗ ମାତା ଗୋରୀ ବାଗ ଙ୍କ 3 ବର୍ଷ ର ପୁଅ କେନସର ରୋଗ ପୀଡିତ ଅଛନ୍ତି। ପୀଡ଼ିତ ପୁତ୍ର ଙ୍କୁ ନେଇ ପରିବାର ବର୍ଗ ସ୍ଥାନୀୟ ହସ୍ପିଟାଲ ଏବଂ କଟକ ବଡ଼ ହସ୍ପିଟାଲ କୁ ନେଇ ନିରାଶ ହୋଇ ଫେରିଛନ୍ତି। କୋମଳ ମତି ଛୁଆ ଖେଳା ବୁଲା କରିବା ସମୟ ରେ କ୍ୟାନ୍ସର ରୋଗ ରେ ପୀଡିତ ଥିବା ବାପା ମା ଙ୍କ ହୃଦୟ ରେ ବହୁ ଦୁଃଖ ଭରି ଦେଇଛି ବୋଲି ପରିବାର ବର୍ଗ ପ୍ରକାଶ କରିଛନ୍ତି। ଛୁଆ ର ଉଚ୍ଚ ଚିକିତ୍ସା ପାଇଁ କଟକ ବଡ ମେଡିକାଲର ଡାଃ. ଦିଲ୍ଲୀ ଏ. ଆଇ. ମ୍. ସ୍ ରେ ଚିକିତ୍ସା କରିବା ନିମନ୍ତେ ପରାମର୍ଶ ଦେଇଛନ୍ତି। ବୁଧୁରାମ ନିଜ ଅର୍ଜିତ ସମ୍ପତ୍ତି କୁ ବିକ୍ରି କରି ଏବଂ କିଛି ଅର୍ଥ ଧାର କରଜ କରି ପୁଅ ର ଚିକିତ୍ସା ପାଇଁ କଟକ ମେଡିକାଲ ପର୍ଯ୍ୟନ୍ତ ଯିବାରେ ସମର୍ଥ ହୋଇ ପାରିଛନ୍ତି। ଆଗକୁ ଦିଲ୍ଲୀ ସ୍ଥିତ AIMS ମେଡିକାଲ କୁ ଚିକିତ୍ସା ପାଇଁ ଯିବାରେ ଆର୍ଥିକ ଦୁର୍ବଳ ଅଟନ୍ତି। ସ୍ଥାନୀୟ ପ୍ରଶାସନ ଏବଂ ରାଜ୍ଯ ସରକାର ଙ୍କ ପକ୍ଷରୁ ଚିକିତ୍ସା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଲେ ପିଲାଟି ଉଚ୍ଚ ଚିକିତ୍ସା କରିପାରିବେ ବୋଲି ଆଶା ବାନ୍ଧିଛନ୍ତି। ଜିଲ୍ଲା ପ୍ରଶାସନ ସହାୟତା ର ହାତ ବଢ଼ାଇବା ନିମନ୍ତେ ନିବେଦନ କରିଛନ୍ତି।