ଅପହଞ୍ଚ ଇଲାକାରେ ପହଞ୍ଚିଲା ଜିଲ୍ଲା ପ୍ରଶାସନ, କାର୍ଯାନୁଷ୍ଠାନକୁ ଅପେକ୍ଷା ; ମୌଳିକ ସୁବିଧାସୁଯୋଗରୁ ବଞ୍ଚିତ ଅନୁପଗଡ଼ ଗାଁ !

!!! ନୂଆପଡ଼ା ରୁ ସତୀଶ ଯୋଶୀ ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ନୂଆପଡ଼ା/କୋମନା/ଅନୁପଗଡ଼) -ନୂଆପଡ଼ା ଜିଲା କୋମନା ବ୍ଲକ ପଏଁର ପଂଚାୟତର ବଣ ପାହାଡ ଘେରା ଗାଁ ଅନୁପଗଡ଼ । ଏଠି ବସବାସ କରନ୍ତି ୪୫ ଟି ଆଦିବାସୀ ପରିବାରର ଦେଢ ଶହ ରୁ ଅଧିକ ଲୋକ । ସ୍ୱାଧିନତାର ୭୨ ବର୍ଷ ପରେ ବି ଏଠି ମୌଳିକ ସୁବିଧା ସାତସପନ । ଗମନାଗମନ ପାଇଁ ନା ଅଛି ଭଲ ରାସ୍ତା ନା ଆଲୁଅ ର ସୁବିଧା । ଜଙ୍ଗଳଜାତ ଦ୍ରବ୍ୟ ସଂଗ୍ରହ କରି ପରିବାର ପୋଷୁ ଥିବା ଏହି ଆଦିବାସୀ ଏବେ ବି ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି । କୋମନା ବ୍ଲକ କାର୍ଯ୍ୟାଳୟ ରୁ ମାତ୍ର ୧୦ କିମି ଦୂରତାରେ ଥିବା ଏହି ଗାଁରେ ଭଲ ରାସ୍ତା ଟିଏ ନାହଁ । ରୋଗୀମାନେ ଖଟିଆରେ ବୁହା ହୋଇ ପାହାଡ ତଳ କୁ ଆସନ୍ତି । ପିଇବା ପାଣି ର କୌଣସି ସୁବିଧା ନ ଥିବାରୁ ବାଧ୍ୟ ହୋଇ ଝରଣା ପାଣି ପିଇବାକୁ ପଡେ । ଗାଁ ର ସମସ୍ୟା ନେଇ ଗତ ୧୯ ତାରିଳରେ ଗାଁ ଲୋକେ ଜିଲା ପ୍ରଶାସନ ପାଖରେ ଗୁହାରୀ କରିଥିଲେ । ଫଳରେ ସ୍ୱାଧିନତାର ୭୨ ବର୍ଷ ପରେ ଆଜି ଜିଲ୍ଲା ପ୍ରଶାସନ ର ପାଦ ପଡିଛି ଅନୁପଗଡ ଗାଁରେ । ଜିଲ୍ଲାପାଳ ପୋମା ଟୁଡୁଙ୍କ ନିର୍ଦ୍ଦେଶରେ ଡିଆର୍ଟିଏ ପିଡି ବୃଷବ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଜିଲାସ୍ତରୀୟ ଟିମ ଅନୁପଗଡ ପରିଦର୍ଶନ କରିଛନ୍ତି । ଗାଁରେ ଥିବା ସମସ୍ତ ସମସ୍ୟାର ସମଧାନ କରିବା ସହ ସବୁ ସୁବିଧାସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ନାଏକ କହିଛନ୍ତି । ଏହି ଗସ୍ତରେ ଜିଲା କଂଗ୍ରେସ ସଭାପତି ଘାସିରାମ ମାଝୀ, ଆଦିବାସୀ ନେତା ସୋମନାଥ ଖମାରୀ, ଏପିଡି ବିଦେଶ ଘୋଷ, କୋମନା ବିଡିଓ ଶ୍ୟାମଳ ରାୟ, ଏପିଓ ମିନଲାଲ ଚନ୍ଦ୍ରକାର, ପିଡି ଷ୍ଟେନୋ କମଲାସନ ରଥ,ପିଇଓ ବିକେନ୍ଦ୍ର ମାଝୀ, ଜିଆରଏସ୍ ଦେବାଶିଷ ନାଏକ ପ୍ରମୁଖ ସାମିଲ ଥିଲେ । ଅନେକ ସମସ୍ୟାରେ ଛନ୍ଦି ହୋଇ ଜୀବନ ବିତାଉଥିବା ଏହି କୋମଳ ହୃଦୟ ଆଦିବାସୀଙ୍କୁ କେତେ ଶିଘ୍ର ସେମାନଙ୍କ ଅଧିକାର ମିଲୁଛି ତାହା ଦେଖିବାକୁ ବାକି ରହିଲା ।

ରାଜ୍ୟରେ ୧୪୧ଟି ଜଳସେଚନ ପ୍ରକଳ୍ପ ପୂରା ଓ ୩୯୩ ପ୍ରକଳ୍ପ ଆଂଶିକ ଅଚଳ ; ଜଳସଂପଦ ମନ୍ତ୍ରୀଙ୍କ ଜିଲ୍ଲାରେ ନାହିଁ ଜଳସେଚନ ପ୍ରକଳ୍ପ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଏଣିକି ବୃହତ୍ ଜଳସେଚନ ପ୍ରକଳ୍ପ ନିର୍ମାଣ ଆଉ ସମ୍ଭବ ନୁହେଁ । ଏ ନେଇ ଜମି ଅଧିଗ୍ରହଣ ବେଳେ ବଡ଼ ଧରଣର ବିସ୍ଥାପନ ସମସ୍ୟା ସହିତ ଜଟିଳ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି । ଫଳରେ ରାଜ୍ୟରେ ଅଧିକାଂଶ ବୃହତ୍ ଜଳସେଚନ ପ୍ରକଳ୍ପ ଆଗେଇ ପାରୁନାହିଁ । ଏହି ଦୃଷ୍ଟିରୁ କୃଷିର ବିକାଶକୁ ଆଗେଇ ନେବା ପାଇଁ ରାଜ୍ୟରେ କ୍ଷୁଦ୍ର ଜଳସେଚନର ଆବଶ୍ୟକତା ଅଧିକ । କିନ୍ତୁ ନିର୍ମାଣ ହୋଇଥିବା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ମଧ୍ୟରୁ ୧୪୧ଟି ପୂରା ଅଚଳ ହୋଇପଡ଼ିଥିବା ବେଳେ ୩୯୩ଟି ଆଂଶିକ ଅଚଳ ବୋଲି ଜଳ ସଂପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କର ଏକ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ ଉପରୋକ୍ତ ତଥ୍ୟ ପ୍ରଦାନ କରିଛନ୍ତି । ସେ କହିଛନ୍ତି ଯେ ରାଜ୍ୟର ୨୯ଟି ଜିଲ୍ଲାରେ ୩୮୨୨ଟି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ରହିଛି । ଏସବୁ ପ୍ରକଳ୍ପ ମାଧ୍ୟମରେ ୫ ଲକ୍ଷ ୫୪ ହଜାର ୯୦ ହେକ୍ଟର ଜମିକୁ ଜଳ ଯୋଗାଇବାର ବ୍ୟବସ୍ଥା ହୋଇଥିଲା । କିନ୍ତୁ ଏହି ସଂଖ୍ୟକ ପ୍ରକଳ୍ପଗୁଡ଼ିକ ଅଚଳ ହେବା ଯୋଗୁଁ ବର୍ତ୍ତମାନ ୪ ଲକ୍ଷ ୭୭ ହଜାର ୪୭୬ ହେକ୍ଟର ଜମିକୁ ପ୍ରକୃତରେ ଜଳସେଚନ କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ସବୁଠାରୁ କୌତୁହଳର ବିଷୟ ଯେ ଖୋଦ୍ ଜଳ ସଂପଦ ମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଗୋଟିଏ ବି କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନାହିଁ । ସମ୍ଭବତଃ ଏହି କାରଣରୁ ସେ ତାଙ୍କ ଲିଖିତ ଉତ୍ତରରେ ୨୯ଟି ଜିଲ୍ଲାରେ ଜଳସେଚନ ପ୍ରକଳ୍ପର ସ୍ଥିତି ସଂପର୍କରେ ଜିଲ୍ଲାୱାରୀ ତଥ୍ୟ ଦେଇଥିଲେ ବି ନିଜ ଜିଲ୍ଲାର ତଥ୍ୟ ଦେଇ ନାହାନ୍ତି । ସେ ଯାହାହେଉ ସଂପୂର୍ଣ୍ଣ ଓ ଆଂଶିକ ଅଚଳ ଥିବା ୫୩୪ଟି ପ୍ରକଳ୍ପ ଯୋଗୁଁ ୩୫୨୬୦ ହେକ୍ଟର ଜମିକୁ ଜଳସେଚନ ବାଧାପ୍ରାପ୍ତ ହୋଇଛି । ଏପରି କି ଅଚଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ ହେଲେ ୧୭୬.୩୦ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ସେ ଦର୍ଶାଇଛନ୍ତି ।

ଫନି ସମୟରେ କ୍ଷୟକ୍ଷତି ୯୩୩୬.୨୭ କୋଟି, ମିଳିଛି ୭୮୮.୮୭୫ କୋଟି ଟଙ୍କା ; ଋିଲିଫ, ପୁନରୁଦ୍ଧାର ପାଇଁ ଦିଆଯାଇଛି ୧୪୮୧.୨୫ କୋଟି ୧୯ ବର୍ଷରେ ଓଡ଼ିଶାର ଦାବି ୩୮୦୯୪ କୋଟି, ପାଇଛି ୪୫୭୨ କୋଟି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଭୀଷଣ ସାମୁଦ୍ରିକ ବାତ୍ୟା ଫନି ଯୋଗୁଁ କ୍ଷତିଗ୍ରସ୍ତ ସାଧାରଣ ସଂପତ୍ତି, ବାସଗୃହ, ଫସଲ, ଗୃହପାଳିତ ପଶୁପକ୍ଷୀ, ଡଙ୍ଗା, ଜାଲ ଆଦି ବ୍ୟକ୍ତିଗତ ସଂପତ୍ତିର ପରିମାଣ ମୋଟ ୯୩୩୬.୨୭ କୋଟି ଟଙ୍କା ଆକଳନ ହୋଇଛି । ବର୍ତ୍ତମାନ ସୁଦ୍ଧା ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପାଇଁ ବିଭିନ୍ନ ବିଭାଗ ଓ କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ୧୪୮୧.୨୫ କୋଟି ଟଙ୍କା ଦିଆଯାଇଛି ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି ସୂଚନା ଦେଇଛନ୍ତି । କେବଳ ସେତିକି ନୁହେଁ, ୨୦୦୦ ମସିହାରୁ ୨୦୧୯ ପର୍ଯ୍ୟନ୍ତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଯଥା: ମରୁଡ଼ି, ବନ୍ୟା, ପ୍ରବଳ ବର୍ଷାଜନିତ କ୍ଷୟକ୍ଷତି, ଫାଇଲିନ୍, ହୁଡ୍ହୁଡ୍, ତିତିଲି ଓ ସର୍ବଶେଷରେ ଫନି ବାତ୍ୟା ଜନିିତ କ୍ଷୟକ୍ଷତି ପାଇଁ ଓଡ଼ିଶା ସରକାର ମୋଟ ୩୮୦୯୪ କୋଟି ୫୧ ଲକ୍ଷ ଟଙ୍କା ଦାବି କରିଛନ୍ତି । କିନ୍ତୁ ଏଥିପାଇଁ କେନ୍ଦ୍ର ସରକାର ଦେଇଛନ୍ତିି ମାତ୍ର ୪୫୭୨ କୋଟି ୯୭ ଲକ୍ଷ ଟଙ୍କା ।
ଆଜି ବିଧାନସଭାରେ ବିଜେପି ବିଧାୟକ ମୋହନ ଚରଣ ମାଝୀଙ୍କ ଦୁଇଟି ଭିନ୍ନ ଭିନ୍ନ ତଥା ବିପର୍ଯ୍ୟୟ ସଂପର୍କିତ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାସ କହିଲେ ଯେ ଓଡ଼ିଶା ରିଲିଫ କୋଡ୍ର ନିର୍ଦ୍ଦେଶାବଳୀ ଅନୁଯାୟୀ ଫନି ବାତ୍ୟାର କ୍ଷୟକ୍ଷତି ଆକଳନ କରାଯାଇଥିଲା । ପ୍ରାଥମିକ ଆକଳନ ୭ ଦିନ ମଧ୍ୟରେ କରାଯାଇଥିବା ବେଳେ ବିସ୍ତୃତ ଆକଳନ ପାଇଁ ଏକ ମାସ ସମୟ ଲାଗିଥିଲା । ମୋଟ କ୍ଷୟକ୍ଷତି ଆକଳନ ପରିମାଣ ୯୩୩୬.୨୭ କୋଟି ଟଙ୍କା । ତେବେ ବିପର୍ଯ୍ୟୟ ସହାୟତା ପାଣ୍ଠିର ନିୟମ ଅନୁଯାୟୀ ୫୨୨୭.୬୮ କୋଟି ଟଙ୍କାର ନିମନ୍ତେ କେନ୍ଦ୍ର ସରକାରଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାର ଜାତୀୟ ବିପର୍ଯ୍ୟୟ ସହାୟତା ପାଣ୍ଠି(ଏଡିଆରଏଫ୍)ରୁ ୭୮୮.୮୭୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ମାରାଣ୍ଡି ପ୍ରକାଶ କରିଛନ୍ତି ।
ଗତ ୧୯ ବର୍ଷର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଜନିତ କ୍ଷୟକ୍ଷତି ଦାବି ସଂକ୍ରାନ୍ତରେ ଉଲ୍ଲେଖ କରି ମନ୍ତ୍ରୀ କହିଲେ ଯେ ୨୦୦୩ ଅକ୍ଟୋବର ମାସର ବନ୍ୟା କ୍ଷୟକ୍ଷତି ପାଇଁ ରାଜ୍ୟ ସରକାର ୩୪୮.୭୮ କୋଟି ଦାବି କରିଥିବା ବେଳେ ଟଙ୍କାଏ ବି ମିଳିନଥିଲା । ସେହିପରି ୨୦୦୫ର ବନ୍ୟା ଓ ପ୍ରବଳ ବର୍ଷା, ୨୦୦୬ ଜୁଲାଇ ଓ ଅଗଷ୍ଟ ଓ ସେପେ୍ଟମ୍ବର ମାସର ବନ୍ୟା, ୨୦୦୯ ଝଡ଼ବାତ୍ୟା, ଅଚାନକ ବନ୍ୟା ଓ ମରୁଡ଼ି, ୨୦୧୪ର ହୁଡ୍ହୁଡ୍ ଓ ୨୦୧୮ର ମରୁଡ଼ି ନିମନ୍ତେ ମଧ୍ୟ ଟଙ୍କାଏ ବି କେନ୍ଦ୍ର ଦେଇନଥିଲା ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।
ରାଜସ୍ୱ ମନ୍ତ୍ରୀ ଦେଇଥିବା ତଥ୍ୟ ଅନୁଯାୟୀ ୨୦୧୩ ମସିହାରେ ଘଟିଥିବା ଅତି ପ୍ରଳୟଙ୍କରୀ ଫାଇଲିନ୍ ବାତ୍ୟା ଓ ପରବର୍ତ୍ତୀ ବନ୍ୟା ଯୋଗୁଁ କ୍ଷୟକ୍ଷତିର ଆକଳନ କରି ରାଜ୍ୟ ସରକାର ୫୮୩୨.୫୦ କୋଟି ଟଙ୍କା ଦାବି କରିଥିଲେ । କିନ୍ତୁ ମିଳିଥିଲା ୧୧୪୯.୮୩ କୋଟି ଟଙ୍କା । ସେହିପରି ୨୦୧୪ର ହୁଡ୍ହୁଡ୍ ବାତ୍ୟା ପାଇଁ ରାଜ୍ୟ ସରକାର ମାଗିଥିଲେ ୭୭୭.୧୨ କୋଟି ଟଙ୍କା । କିନ୍ତୁ ଟଙ୍କାଏ ବି ମିଳିଲା ନାହିଁ । ୨୦୧୮ର ତିତିଲି ବାତ୍ୟା ପାଇଁ ରାଜ୍ୟ ସରକାର ଦାବି କରିଥିଲେ ୨୭୭୯.୩୨ କୋଟି ଟଙ୍କା । କିନ୍ତୁ ମିଳିଥିଲା ୩୪୧.୭୨ କୋଟି ଟଙ୍କା ।

୨୦୧୯ ଆନ୍ତର୍ଜାତିକ ନିଶା ଅପବ୍ୟବହାରକୁ ଅବୈଧ କାରବାର ନିରୋଧ ଦିବସ ପାଳିତ !

!!! ଦକ୍ଷିଣ ଓଡ଼ିଶା ମୁଖ୍ୟ ଡି. କିରଣ କୁମାର ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ଓ ଅବକାରୀ ବିଭାଗ , ଗଜପତିଙ୍କ ଦ୍ୱାରା ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ଦିବସ ନିରୋଧ ଦିବସ ୨୦୧୯ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଠାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା , ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀ , ବ୍ରହ୍ମାକୁମାରୀ କଲ୍ୟାଣୀ,ପାରଳାଖେମୁଣ୍ଡି, ରମେଶଚନ୍ଦ୍ର ମିଶ୍ର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରବିନ୍ଦ୍ର ନାଥ ବେହେରା,ଆନନ୍ଦ ସାମନ୍ତ ରାୟ ଯୋଗ ଦେଇଥିବା ବେଳେ ଡ. କଲ୍ୟାଣୀ ମିଶ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ମଞ୍ଚାସୀନ କରିଥିଲେ । ବିଶ୍ୱରେ ପ୍ରତିବର୍ଷ ଜୁନ୍‍ ୨୬ ତାରିଖକୁ ଅନ୍ତର୍ଜାତୀୟ ନିଶା ଓ ଅବୈଧ କାରବାର ଦିବସ ରୁପେ ପ୍ରତିବର୍ଷ ପାଳନ କରାଯାଏ । ୧୯୮୯ ମସିହା ଠାରୁ ଏହି ଦିବସ ପ୍ରତି ପାଳନ କରାଯାଉଅଛି । ବର୍ତ୍ତମାନର ଯୁବଗୋଷ୍ଠୀ ଆଗାମୀ ଦିନର ଭବିଷ୍ୟତ କିନ୍ତୁ ବର୍ତ୍ତମାନର ଯୁବଗୋଷ୍ଠୀ ବିଭିନ୍ନ ମାନସିକ ଚାପର ଶିକାର ହୋଇ ଏବଂ କୁସଙ୍ଗତରେ ପଡି ନିଶା ଗ୍ରସ୍ତ ହୋଇ ଲକ୍ଷଭ୍ରଷ୍ଟ ହେଉଛନ୍ତି । ଫଳରେ ଦେଶର ଭବିଷ୍ୟତ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହେଉଛି । ମାଦକ ଦ୍ରବ୍ୟ ସେବନ କରିବା ଦ୍ୱାରା ଏହା ଶରୀର ଓ ମସ୍ତଷ୍କକୁ ପ୍ରଭାବିତ କରି ସ୍ନାୟୁ ଗୁଡିକୁ ଦୁର୍ବଲ କରିଥାଏ । ତତ୍‍ ସହିତ ହୃଦ୍‍ସ୍ପନ୍ଦନ ଚାପ ବଢିଥାଏ । ବର୍ତ୍ତମାନର ଯୁବଗୋଷ୍ଠୀ ସାଙ୍ଗ ମାନଙ୍କୁ ଆକର୍ଷିତ କରିବା ସହିତ ସମାଜର ନିତି ନିୟମକୁ ଭିତରୁ ବାହାରି ସ୍ୱାଧୀନ ଭାବରେ ରହିବା ପାଇଁ ଚେଷ୍ଟା କରିବା ପ୍ରକ୍ରିୟାର ନିଶା ସେବନ କରନ୍ତି । ତେଣୁ ନିଶା ଠାରୁ କିପରି ଦୁରେଇ ରହିବ ଯୁବଗୋଷ୍ଠୀ ସମାଜରେ ଭଲ ମଷିଣ ଓ ସୁସ୍ଥ ସମାଜ ଗଠନ କରିପାରିବେ ତାହା ମଞ୍ଚାସୀନ ଅତିଥି ମାନେ କହିଥିଲୋ ପରିଶେଷରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଦିକାରୀ ସନ୍ତୋଷ କୁମାର ନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିବା ବେଳେଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥି ପୁର୍ବରୁ ମହାରାଜାଙ୍କ ବାଳକ ବାଳକ ବିଦ୍ୟାଳୟ ପରିସରରୁ ଏକ ସଚେତନତା ରାଲି ବାହାରି ସହର ପରିକ୍ରମା କରିଥିଲେ ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ଅନୁପମ ସାହା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ପରେ ସଚେତନତା ରାଲି ସହର ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ଦେଇ ଓ ପ୍ଲାକାର୍ଡ ଧରି ଜନସାଧାରଣଙ୍କୁ ସଚେତନ କରାଇଥିଲେ ।

କେନ୍ଦୁଝରରେ ସେଲର ଦ୍ଵିତୀୟ ଇସ୍ପାତ କାରଖାନା ଦାବି ; କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟି ଅନୁରୋଧ ଜଣାଇଲେ ଜିଲ୍ଲା ବିଜେପି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାରେ ସେଲ ତରଫରୁ ଦ୍ଵିତୀୟ ରାଷ୍ଟ୍ରାୟତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଥିବା ବେଳେ ସେହି କାରଖାନା ଖଣିଜ ବହୁଳ କେନ୍ଦୁଝର ଜିଲ୍ଲାରେ କରିବା ପାଇଁ ଦାବି ଉଠୁଛି । ଆଜି ଏହି ମର୍ମରେ କେନ୍ଦୁଝର ବିଜେପିର ନେତୃବୃନ୍ଦ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ ସାକ୍ଷାତ କରି ଏହି ଦାବି କରି ଅନୁରୋଧ ପତ୍ର ପ୍ରଦାନ କରିଛନ୍ତି । ଗତ ନିର୍ବାଚନରେ ଘଷିପୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିଥିବା ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ପୃଥ୍ବୀରାଜ କୁଅଁର, ତେଲକୋଇ ବିଧାୟକ ପ୍ରାର୍ଥୀ ଶ୍ରୀ ଧନୁର୍ଜୟ ସିଦ୍ଧୁ, ପାଟଣା ବିଧାୟକ ପ୍ରାର୍ଥୀ ଶ୍ରୀ ଭବାନୀ ଶଙ୍କର ନାଏକ, କରଞ୍ଜିଆ ବିଧାୟକ ପ୍ରାର୍ଥୀ ଶ୍ରୀ ପଦ୍ମ ଚରଣ ହାଇବ୍ରୁ ଓ ରାଷ୍ଟ୍ରୀୟ ଉପସଭାପତି ବିଜେପି କୃଷକ ମୋର୍ଚ୍ଚା ଶ୍ରୀ ମହେଶ୍ଵର ସାହୁ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କେନ୍ଦୁଝରରେ ଦ୍ଵିତୀୟ ରାଷ୍ଟ୍ରାୟତ୍ତ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ଦାବୀ ଜଣାଇଛନ୍ତି । ଏହା ସହିତ ସାଇଁକୁଳ ଏବଂ କେଶଦୁରାପାଳ ମେଡିକାଲକୁ ଟାଟା ଷ୍ଟିଲ ଓ ଜିନ୍ଦଲ ଷ୍ଟିଲ ପେରିଫେରି ପାଣ୍ଠିରୁ ଆଥିର୍କ ସହାୟତା ପ୍ରଦାନ କରି ସ୍ଵାସ୍ଥ୍ୟ କ୍ଷେତ୍ରରେ ଅଧିକରୁ ଅଧିକ ବ୍ୟବସ୍ଥିତ କରି ଲୋକଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ସହାୟକ ହେବାକୁ ଅନୁରୋଧ କରିଛନ୍ତି।

ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ ପ୍ରକାଶ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଓଡିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜିଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ବାଜିଙ୍କ ବିୟୋଗରେ ସେ ମର୍ମାହତ ବୋଲି ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି ।
ଶ୍ରୀ ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜି ବିୟୋଗରେ ମୁଁ ମର୍ମାହତ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସହ ଅମରଆତ୍ମାର ସଦ୍ଗତି କାମନା କରୁଛି ବୋଲି ଶୋକବାର୍ତ୍ତାରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଉଲ୍ଲେଖ କରିବା ସହ ଅମରତ୍ମାର ସଦଗତି କାମନା କରିଛନ୍ତି |

ବଦଳିବ କେନ୍ଦ୍ର ରାଜ୍ୟ ସମ୍ପର୍କର ପରିଭାଷା, ଆରମ୍ଭ ହେବ ନୂଆ ଯୁଗ ; ମୁଖ୍ୟମନ୍ତ୍ରୀଙ୍କ ମୁହଁରେ “କେନ୍ଦ୍ର ସହ ଗଠନମୂଳକ ସହଯୋଗ”ର ସ୍ୱର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ, ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ କରି ବିକାଶ ଆମ ଲକ୍ଷ | ସାଢେ ଚାରିକୋଟି ଓଡ଼ିଆଙ୍କ କଲ୍ୟାଣ ଓ ରାଜ୍ୟର ବିକାଶ ଆମ ପାଇଁ ସର୍ବାଦୌ ଗୁରୁତ୍ବପୂର୍ଣ୍ଣ। ତେଣୁ ରାଜ୍ୟର ବିକାଶ ଓ ଲୋକଙ୍କ କଲ୍ୟାଣ ପାଇଁ ଆମେ କେନ୍ଦ୍ର ସରକାରଙ୍କ ସହିତ ଗଠନମୂଳକ ସହଯୋଗ ନୀତି ଆପଣାଇବୁ ବୋଲି ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଲଗାତାର ଭାବେ ଦୀର୍ଘ ୧୯ ବର୍ଷଧରି କେନ୍ଦ୍ର ଅବହେଳା ଆଉ ବୈମାତୃକାତା କୁ ନେଇ ବ୍ଲକ ଠାରୁ ଆରମ୍ଭ କରି ରାହାଭବନ ଆଉ ପାଳି ଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରତିବାଦ ଆଉ ଆନ୍ଦୋଳନ କରି ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏଭଳି ମନ୍ତବ୍ୟ ଦେଇ କେନ୍ଦ୍ର ରାଜ୍ୟ ସମ୍ପର୍କରେ ନୂଆ ଯୁଗର ଅୟମାରମ୍ଭ କରିବାର ସଙ୍କଟ ଦେଇଛନ୍ତି | କେନ୍ଦ୍ର ଓ ରାଜ୍ୟ ପାଇଁ ପୃଥକ ସରକାରଙ୍କୁ ଭୋଟ କରି ଓଡିଶା ବସି ବୁଦ୍ଧିମତାର ପରିଚୟ ଦେଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ନରମ ଆଭିମୁଖ୍ୟ ପୋଷଣ ଏବେ ରାଜ୍ୟ କେନ୍ଦ୍ର ସମ୍ପର୍କକୁ ନୂଆ ଦିଶା ଦେଇପାରେ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲରେ ମତ ପ୍ରକାଶ ପାଇଛି |
ରାଜ୍ୟପଲଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ନିଜ ଉତ୍ତର ରଖି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ‘ଗଣତନ୍ତ୍ରରେ ଜନମତ ସବୁଠୁ ଗୁରୁତ୍ୱପୁର୍ଣ । ଲୋକେ ଆଉ ଥରେ ଆମକୁ ସେବା କରିବା ପାଇଁ ସୁଯୋଗ ଦେଇଥିବା ଯୋଗୁ ସେମାନଙ୍କ ଭାବନା ଓ ସମର୍ଥନକୁ ଆମେ ସମ୍ମାନ ଜଣାଉଛୁ। ଲୋକଙ୍କ ଆଶୀର୍ବାଦ ନେଇ ସେମାନଙ୍କୁ ନିର୍ମଳ, ସ୍ବଚ୍ଛ ଓ ନାଗରିକ କୈନ୍ଦ୍ରିକ ଶାସନ ଦେବା ପାଇଁ ଆମେ ଉଦ୍ୟମ ଜାରି ରଖିଛୁ ଓ ରଖିବୁ। ଗତ ୧୯ ବର୍ଷ ଧରି ଆମେ ଦେଇଥିବା ପ୍ରତିଶ୍ରୁତିମାନ ପାଳନ କରିଆସିଥିବା ବେଳେ ଆମର ସଫଳତା ନେଇ ଆମେ ଗର୍ବିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ |
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଲୋକଙ୍କ ସ୍ବାର୍ଥ ବିଶେଷ କରି ଦୁର୍ବଳ ଶ୍ରେଣୀଙ୍କ ବିକାଶ ପ୍ରତି ଆମ ସରକାର ଅଙ୍ଗୀକାରବଦ୍ଧ। ପଞ୍ଚମ ପାଳିର ସରକାର ଶପଥ ଗ୍ରହଣ କରିବା‌ ପରେ ପରେ ପ୍ରଥମ ମନ୍ତ୍ରିପରିଷଦ ବୈଠକ ଡାକି ଲୋକଙ୍କ ପ୍ରତି ରହିଥିବା ପ୍ରତିବଦ୍ଧତା ପ୍ରମାଣିତ କରିଛୁ । ନିଵେବଚନ ବେଳେ ଲୋକଙ୍କୁ ଦିଆ ଯାଇଥିବା ପ୍ରତିଶୃତିକୁ ଧାର୍ଯ୍ୟ ସମୟ ମଧ୍ୟରେ ପୁରାଣ କରିବା ପାଇଁ ଆମେ ପଦକ୍ଷେପ ନେଉଛୁ | ଆମର ଅର୍ଥନୈତିକ ଅଭିବୃଦ୍ଧି ଓ ପ୍ରଗତିର ମେରୁଦଣ୍ଡ ଭାବେ କୃଷିର ଭୂମିକା ଅପରିବର୍ତିତ ରହିଛି। ପ୍ରତିଶ୍ରୁତି ମୁତାବକ କାଳିଆ ଯୋଜନା ଜାରି ରହିବ। ଜଳସେଚନର ବିକାଶ ପାଇଁ ସରକାରଙ୍କ ପ୍ରୟାସ ମଧ୍ୟ ଜାରି ରହିବ।
ମହିଳାଙ୍କ ସଶକ୍ତୀକରଣ ସୁଶାସନର ପ୍ରମୁଖ ଆବଶ୍ୟକତା। ମହିଳା ସଂରକ୍ଷଣ ଓ ମହିଳାଙ୍କ ସଶକ୍ତୀକରଣ ପରବର୍ତୀ ସ୍ତରକୁ ନେବା ପାଇଁ ସରକାରଙ୍କ ଉଦ୍ୟମ ଜାରି ରହିବ । ସେହିପରି ଗୁଣାତ୍ମକ ଶିକ୍ଷା ସରକାରଙ୍କ ଅଗ୍ରାଧିକାର କ୍ଷେତ୍ରଗୁଡ଼ିକ ମଧ୍ୟରେ ଅନ୍ୟତମ କ୍ଷେତ୍ର। ରାଜ୍ୟର ପ୍ରତ୍ୟେକ ବ୍ଲକରେ ଆଦର୍ଶ ବିଦ୍ୟାଳୟ କାର୍ଯ୍ୟକ୍ଷମ କରାଯିବ। ସରକାର ଉଭୟ ମେଧା ଓ ସାମାଜିକ-ଅର୍ଥନୈତିକ ମାନଦଣ୍ଡ ଦେଖି ବୃତ୍ତି ପରିଷଦ ସ୍ଥାପନ କରିବେ। ରାଜ୍ୟର ସବୁ କଚାଘରକୁ ପକ୍କାଘରରେ ପରିଣତ କରିବା ପାଇଁ ସରକାର ସରକାର ଉଦ୍ୟମକୁ ତ୍ୱରାନ୍ୱିତ କରିବେ |
ଯୁବ ସମାଜ ପାଇଁ ନିଯୁକ୍ତି ସୁଯୋଗ ପ୍ରସ୍ତାବ ଏବେ ସରକାରଙ୍କ ପ୍ରାଥମିକତା । ଏଥିପାଇଁ ୬ଟି ପ୍ରମୁଖ କ୍ଷେତ୍ରରେ ୩୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାକୁ ପଦକ୍ଷେପ ନିଆଯାଉଛି । ବିଶ୍ବ ଦକ୍ଷତା କେନ୍ଦ୍ର ୧.୫୦ ଲକ୍ଷ ଅତି କୁଶଳୀ ପେସାଦାର ସୃଷ୍ଟି କରିବାରେ ସହାୟକ ହେବ। ଭୁବନେଶ୍ବରରେ ବିଶ୍ବସ୍ତରୀୟ କ୍ରୀଡ଼ା ସୁବିଧା ସୃଷ୍ଟି ଓଡ଼ିଶା ନିଶ୍ଚିତ ପସନ୍ଦର କ୍ରୀଡ଼ା ଲକ୍ଷ୍ୟସ୍ଥଳୀରେ ପରିଣତ କରିବାକୁ ସରକାର ପଦକ୍ଷେପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ନିକଟରେ ଓଡ଼ିଶାର ୪ଟି ଜିଲ୍ଲାକୁ ଦୋହଲେଇ ଦେଇଥିବା ଫନି ବାତ୍ୟା ସମ୍ପର୍କରେ ଅବତାରଣା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିକଟରେ ଓଡ଼ିଶା ଭୟଙ୍କର ଝଡ଼ବାତ୍ୟା ଫନିର ସାମ୍ନା କରିଛି। ଏହି ଝଡ଼ବାତ୍ୟା ବ୍ୟାପକ କ୍ଷୟକ୍ଷତି ଘଟାଇଛି | ଆମେ ଫନି ପରିଚାଳନା ଓ ପୁନରୁଦ୍ଧାର କାର୍ଯ୍ୟ ଯେପରି କରିଥିଲୁ, ସେହି ପ୍ରୟାସକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ପ୍ରଶଂସା କରାଯାଇଛି। ଓଡ଼ିଶାବାସୀଙ୍କ ଏଭଳି ଅଦ୍ୟମ ମାନସିକତାକୁ ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ଧନ୍ୟବାଦ ଜଣାଇ ଥିଲେ|

ଫାଙ୍କୁଛନ୍ତି ବୀମା କମ୍ପାନୀ, ତାତିଲେଣି ଚାଷୀ ;ପାଂଚ ଦଫା ଦାବୀ ନେଇ ଉପଜିଲ୍ଲାପାଳ ଅଫିସ ଘେରାଉ !

ପଶ୍ଚିମ ଓଡିଶା ମୁଖ୍ୟ ଏମ୍. ଶ୍ରୀକାନ୍ତ ଙ୍କ ରିପୋର୍ଟ୍

ଏଥର ସମ୍ଭାଳ (ବରଗଡ଼/ପଦ୍ମପୁର) – ବିଗତ ପାଂଚ ବର୍ଷଧରି ପଦ୍ମପୁର ଉପଖଣ୍ଡର ଚାଷୀ ମରୁଡିର ଶିକାର ହେଉଛନ୍ତି । ସେମାନେ ଚାଷକୁ ବିମାଭୁକ୍ତ କଲେ ମଧ୍ୟ ବୀମା କମ୍ପାନୀ ଗୁଡିକ ବିଭିନ୍ନ ଆଳ ଦେଖାଇ ବୀମା ପ୍ରଦାନ କରିବାରେ ବିଳମ୍ବ କରୁଛନ୍ତି ଯାହାର କୁ ପ୍ରଭାବ ସିଧାସଳଖ ଭାବରେ ଚାଷୀଙ୍କ ଉପରେ ପଡୁଛି ।ଚଳିତ ବର୍ଷ ନିୟମ ପ୍ରଧାନମନ୍ତ୍ରୀ ସଳବିଲା ଯୋଜନା ଅନୁସାରେ ବିମା କମ୍ପାନୀ ଗୁଡିକ ମାର୍ଚ ମାସ ଶେଷ ସୁଦ୍ଧା ଚାଷୀଙ୍କ ବୀମା ରାଶି ପ୍ରଦାନ କରିବା କଥା କିନ୍ତୁ ଜୁନ ମାସ ଶେଷ ହୋଇଥିଲେ ମଧ୍ୟ ଚାଷୀ ବିମାରାଶି ପାଇବାରୁ ବଂଚିତ ଅଛନ୍ତି । ଅନ୍ୟପଟେ ଇନପୁଟ ସବସିଡି,କାଳିଆ ଟଙ୍କା,ପ୍ରଧାନ ମନ୍ତ୍ରୀସଳ ବୀମା, ରବି ଋତୁରେ ଅମଳ ହୋଇଥିବା ଧାନ ଠିକ ଭାବରେ ବିକ୍ରି କରିବା ଆଦି ରୁ ବଂଚିତ ହୋଇଛନ୍ତି । ତେଶୁ ବୋରାସମ୍ବର କୃଷକ ସଂଗଠନ ତରଫରୁ ଆଜି ଶହ ଶହ ଚାଷୀ ପଦ୍ମପୁର ଉପଜିଲ୍ଲପାଳଙ୍କ ଅଫିସ ଘେରିବା ସହିତ ପାଂଚ ଦଫା ଦାବୀପତ୍ର ପ୍ରଦାନ କରିଥିଲେ । ଦାବୀପତ୍ର ଗ୍ରହଣ କରିବା ପରେ ଏହି ସମସ୍ୟାକୁ ଜିଲ୍ଲାପାଳଙ୍କୁ ଅବଗତ କରିବେ ବୋଲି ଉପଜିଲ୍ଲାପାଳ ଶୀ ତନ୍ମୟ କୁମାର ଦରୱାନ ପ୍ରକାଶ କରିଛନ୍ତି ।

ନୀରୀଙ୍କୁ ସୁରକ୍ଷା ଯୋଗାଇବ ସି-ଟିମ୍‍ ;ସଭିଙ୍କ ମୁହଁରେ ଏସ ପି ସାରାଙ୍କୁ ବାହାବା !

ଦକ୍ଷିଣ ଓଡ଼ିଶା ମୁଖ୍ୟ ଡ଼ି. କିରଣ କୁମାର ଙ୍କ ରିପୋର୍ଟ୍

ଏଥର ସମ୍ଭାଳ (ଗଜପତି/ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲାର ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଠାରେ ହେବାକୁ ଯାଉଛି ଏକ ନୂତନ ପଦକ୍ଷେପ ସି-ଟିମ୍‍ । ସୋମବାର ଦିନ ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମାଙ୍କ ଦ୍ୱାରା ସି-ଟିମ ଲୋଗଉନ୍ମଚିତ ହୋଇଯାଇଛିା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ଆରମ୍ଭ ହେବାକୁ ଥିବା ଆସନ୍ତା ୨୮ ତାରିଖରେ ଏହି ପାଇଲଟ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ହେଲା ସହରର ମହିଳା ମାନଙ୍କୁ ସୁରକ୍ଷା ଯୋଗାଇଦେବା । ଜଣେ ମହିଳା ସବ୍‍ ଇନସେପେକ୍‍ଟଙ୍କ ସହିତ ୪ଜଣ ମହିଳା ଓ ତିନି ଜଣ ପୁରୁଷ ଆରକ୍ଷୀ ଟିମରେ ରହିବେ ।
ସି-ଟିମ ଏକ ଭ୍ରାମମାଣ ଗୋଷ୍ଠୀ ଯାହା ଗଜପତି ଜିଲ୍ଲାର ଝିଅ ଓ ମହିଳା ମାନଙ୍କର ନିରାପତା ଓ ସୁରକ୍ଷା ଉଦ୍ଦେଶ୍ୟରେ କାମ କରିବ । ଏହି ଟିମ ଗଜପତି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ଅନୁଷ୍ଠାନ ଗୁଡିକ ଯେଉଁ ଥିରେ ମହିଳାମାନେ କାର୍ଯ୍ୟରତ ଅଛନ୍ତି ସେହି ସ୍ଥାନକୁ ଯାଇ ମହିଳା ଓ ଝିଅ ମାନଙ୍କୁ ପ୍ରତି ହେଉଥିବା ଅଶ୍ଳୀଳ ଇଙ୍ଗିତ, ଦୁର୍ବବ୍ୟହାର ହଇରାଣ, ହରକତ ଆଦି କୁକର୍ମକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ କାର୍ଯ୍ୟ କରିବ । ସେହିଭଳି ଯେକୌଣସି ଝିଅ କିମ୍ୱା ମହିଳା ଯଦି କୌଣସି ହିଂସାର ଶିକାର ହୋଇ ସାହାର୍ଯ୍ୟ ନିମନ୍ତେ ଫୋନ କରିବେ ତାହା ହେଲେ ସଙ୍ଗେ ସଙ୍ଗେ ଏହି ଟିମ ସେଠାରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବ । ଏହି ଟିମର ମୁଖ୍ୟଙ୍କ ଫୋନନଂ ନିର୍ଦ୍ଧାରିତ ଗାଡିରେ ଓ ସବୁ ସ୍ଥାନରେ ଲେଖାଯିବ । ମହିଳା ବା ଝିଅ ଯେକି ହିଂସାର ଶିକାର ହୋଉଥିବେ ସେମାନେ ଏହି ଟିମର ସାହାଯ୍ୟ ନେଇପାରିବେ । ଘଟଣା ଘଟୁ ବା ନଘଟୁ ଏହି ଟିମ ସ୍କୁଲ , କଲେଜ,ମନ୍ଦିର ଭଳି ସାଧାରଣ ସ୍ଥାନ ଗୁଡିକ ବୁଲି ବୁଲି ମହିଳା ମାନଙ୍କ ପ୍ରତି ଘଟୁଥିବା ହିଂସା ବା ଦୁର୍ବବ୍ୟହାର ନିୟନ୍ତ୍ରଣ କରିପାରିବ । ତା ଛଡା ଏହି ଟିମ ଶିଶୁ ଯତ୍ନ ଅନୁଷ୍ଠାନ ଓ ରେଳ ଷ୍ଟେସନକୁ ଯାଇ ଶିଶୁ ମାନଙ୍କ ପ୍ରତି ହେଉଥିବା ଯୌନ ନିର୍ଯ୍ୟାତନାକୁ ପ୍ରତିରୋଧ କରିବାରେ ସଫଳ ହେବେ । ମହିଳା ମାନେ ବିଭିନ୍ନ କ୍ଷେତ୍ରରେ ଯଥା କାମ କରିବା , ପାଠ ପଢିବା ବା ଅନ୍ୟାନ୍ୟ କାରଣ ନିମନ୍ତେ ବାହାରକୁ ଘରୁ ବାହାରିଯାଇ ରାସ୍ତା ଘାଟ ଓ ତାଙ୍କର କାର୍ଯ୍ୟ ସ୍ଥଳିରେ ବିଭିନ୍ନ ହିଂସାର ଶିକାର ହେଉଛନ୍ତି । ସି-ଟିମ ଲକ୍ଷ ରଖେ ଯେ ଆଜିର ଝିଅ, ମହିଳା ଓ ତାଙ୍କ ଅଭିଭାବକ ମାନେ ଯେପରି ନିଶ୍ଚିନ୍ତରେ ସେମାନଙ୍କୁ ତାଙ୍କର ନିତିଦିନିଆ କାର୍ଯ୍ୟ ପାଇଁ ନିର୍ଭୟରେ ବାହାରକୁ ଛାଡିପାରିବେ ବୋଲି ଏସ ପି ସାରା ଶର୍ମା ସାମ୍ୱାଦିକ ସମ୍ମିଳନୀରେ କହିଥିଲେ ।
ହାଇଦରାବାଦର ସି-ଟିମକୁ ଲକ୍ଷ ରଖି ରାଜ୍ୟରେ ପ୍ରଥମ ଥର ପାଇଁ ଗଜପତି ଜିଲ୍ଲାରେ ପାରଳାଖେମୁଣ୍ଡି ଠାରେ ସି-ଟିମ କାର୍ଯ୍ୟ କରିବ । ସି- ର ଅର୍ଥ ସୁରକ୍ଷା, ସ୍ୱାସ୍ଥ୍ୟ ଓ ପରିବେଶ । ସି-ଟିମର ଲୋଗ ଉନ୍ମଚନ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଦରମହକୁମା ଡିଏସପି ପ୍ରକାଶ ଜେନା, ଏସଡିପିଓ ଠାକୁର ପ୍ରସାଦ ପାତ୍ର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଡମ୍ୱୁରୁ ଧର ବଳବନ୍ତ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମଙ୍ଗଳବାର ଦିନ ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ସି-ଟିମର ଅଡିଓ ଭିଡିଓ ସିଡିର ଉନ୍ମଚନ କରିଥିଲେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା । ଗୁରୁ ରଘୁନାଥ ପାତ୍ରଙ୍କ ସ୍ୱର ସଂଯୋଜନାରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସାରା ଶର୍ମା ନିଜେ ଗୀତ ଗାଇଛନ୍ତି । ଲୋକଙ୍କୁ ସଚେତନ କରାଇବା ପାଇଁ ସି-ଟିମର ସଙ୍ଗୀତ କରାଯାଇଛି ବୋଲି ଏସ ପି ସାରା ଶର୍ମା କହିଥିଲେ । ଏହି କାର୍ଯ୍ୟକ୍ରମରେ ଡି.ଏସପି ପ୍ରକାଶ ଜେନା , ଏସଡିପିଓ ଠାକୁର ପ୍ରସାଦ ପାତ୍ର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ରିଜର୍ଭ ପୋଲିସ ଅଧିକାରୀ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗ ଦେଇଥିଲେ । ଏସ ପି ଙ୍କ ଏପରି କାର୍ଯ୍ୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯିବା ସହ ତାଙ୍କ ସଙ୍ଗୀତର ଭୂୟସୀ ପ୍ରଶଂସା କରାଯାଇଛି ।