ସଂସଦରେ ପ୍ରସ୍ତାବିତ ନଦୀ ବେସିନ୍‍ ବିଲ୍‍-୨୦୦୮ ଓଡ଼ିଶା ସମେତ ରାଜ୍ୟମାନଙ୍କ ଆନ୍ତଃରାଜ୍ୟ ନଦୀ ଜଳ ଉପଯୋଗ କରିବାକୁ ଥିବା ଅଧିକାରକୁ ସଂକୁଚିତ କରିବ ; ରାଜ୍ୟ ଜଳ ସଂପଦ ମନ୍ତ୍ରୀ ଏ ସଂପର୍କରେ ରାଜ୍ୟର ଆଭିମୁଖ୍ୟ ବିଧାନସଭାରେ ଜଣାଇବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ…..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ଗୃହର ଶୂନ୍ୟକାଳରେ ସଂସଦରେ ପ୍ରସ୍ତାବିତ ନଦୀ ବେସିନ୍‍ ବିଲ୍‍-୨୦୦୮ ଓଡ଼ିଶା ସମେତ ରାଜ୍ୟମାନଙ୍କ ଆନ୍ତଃରାଜ୍ୟ ନଦୀ ଜଳ ଉପଯୋଗ କରିବାକୁ ଥିବା ଅଧିକାରକୁ ସଂକୁଚିତ କରିବ ବୋଲି ବରିଷ୍ଠ ବିଧାୟକ ଶ୍ରୀ ଦେବୀ ପ୍ରସାଦ ମିଶ୍ର ତଥ୍ୟର ଅବତାରଣା କରି ପ୍ରସଂଗ ଉତ୍ଥାପିତ କରିଥିଲେ । ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଏହି ସମ୍ବେଦନଶୀଳ ପ୍ରସଂଗ ଉପରେ ଏକ ବିବରଣୀ ବିଧାନସଭାରେ ରଖିବାକୁ ଜଳ ସଂପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀ ମିଶ୍ର ଉତ୍ଥାପିତ କରିଥିଲେ ଯେ ସମ୍ବିଧାନର ୨୬୨ ଓ ୨୬୩ ଧାରା ଅନୁଯାୟୀ ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ୍‍-୧୯୫୬ ଓ ଆନ୍ତଃରାଜ୍ୟ ରିଭର ବୋର୍ଡ-୧୯୫୬ ପରେ ୨୦୧୬ରେ ଜାତୀୟ ଭୂତଳ ଜଳ ବିଲ୍‍ ଓ ଜାତୀୟ ଜଳ ଉପଯୋଗ ଢାଞ୍ଚା ବିଲ୍‍-୨୦୧୬ କେନ୍ଦ୍ର ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତାବିତ ହୋଇ ରହିଥିବା ବେଳେ ଏବେ ନଦୀ ଅବବାହିକା ପରିଚାଳନା ବିଲ୍‍-୨୦୧୮ ଜଳସେଚନ ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅନୁମୋଦନ ପରେ ସଂସଦରେ ଆଲୋଚନା ପାଇଁ ରହିଛି । ଏଥିରେ ଥିବା ବିଭିନ୍ନ ପ୍ରାବଧାନରେ ରାଜ୍ୟମାନଙ୍କ ପ୍ରାଧାନ୍ୟ ରହୁନାହିଁ ବରଂ ଏହି ବିଲ୍‍ର ଢାଞ୍ଚା ପରୋକ୍ଷ ଭାବେ କେନ୍ଦ୍ରକୁ ସୁହାଇବ ବୋଲି ଶ୍ରୀ ମିଶ୍ର ଆଶଙ୍କା ବ୍ୟକ୍ତ କରିଥିଲେ ।
ଶ୍ରୀ ମିଶ୍ର କହିଥିଲେ ଯେ ଏଥିରେ ଆଞ୍ଚଳିକ, ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ତଥା ପରିବେଶ ଜନିତ ସ୍ଥିତି ଓ ନଦୀ ଅବବାହିକାରେ ଥିବା ଅଧିବାସୀମାନଙ୍କର ଜୀବନ ଜୀବିକାର ସ୍ଥିତି ଅନୁଶୀଳନ କରିବାର ଉପଯୁକ୍ତ ବ୍ୟବସ୍ଥା ନାହିଁ । ନଦୀ ଅବବାହିକାର ଜୈବ ବିବିଧତା ଓ ପରିବେଶକୁ ସନ୍ତୁଳିତ କରିବା ସହ ଅନନ୍ୟ ଜୈବ ବିବିଧତା ସ୍ଥଳିଗୁଡିକ ପାଇଁ ସଠିକ ବ୍ୟବସ୍ଥା ନାହିଁ । ନଦୀ ପ୍ରବାହକୁ ବର୍ଷ ତମାମ ଅକ୍ଷୁଣ୍ଣ ରଖିବା ପାଇଁ ଏଥିରେ ବିଚାର ରଖାଯାଇ ନାହିଁ । ପୁଣି ଆନ୍ତଃରାଜ୍ୟ ଦ୍ୱନ୍ଦ୍ୱ ସମାଧାନ ପାଇଁ ଥିବା ଏକବର୍ଷ ସମୟସୀମା ଏବଂ ତାହା ନହେଲେ ପୁଣି ଆନ୍ତଃରାଜ୍ୟ ନଦୀ ଜଳ ବିବାଦ ଆଇନ୍‍-୧୯୫୬ ଦ୍ୱାରା ଆଉ ଏକ ବର୍ଷ ସମୟ ନିଆଗଲେ, ରାଜ୍ୟମାନଙ୍କର ନ୍ୟାୟ ପାଇବା ପ୍ରକ୍ରିୟାକୁ ତାହା ବିଳମ୍ବିତ କରିବ । ନଦୀର ଏହି ବେସିନ୍‍ ବିଲ୍‍କୁ ଆନ୍ତଃରାଜ୍ୟ ବେସିନ୍‍ ପରିଚାଳନା ବିଲ୍‍ ବୋଲି ନାମିତ ନକରିବା ଏବଂ ଏହାର ବିଭିନ୍ନ ପ୍ରାବଧାନରେ ରାଜ୍ୟମାନଙ୍କର କ୍ଷମତାକୁ ସଂକୁଚିତ କରିବା ଏବଂ ଛୋଟମୋଟ ବ୍ୟବସ୍ଥାକୁ ପ୍ରସ୍ତାବିତ ବେସିନ୍‍ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ନିୟନ୍ତ୍ରିତ କରିବା ନେଇ ଶ୍ରୀ ମିଶ୍ର ଉଦ୍‍ବେଗ ପ୍ରକାଶ କରିଥିଲେ ।
ସଂପ୍ରତି ବ୍ରାହ୍ମଣୀ ଓ ମହାନଦୀର ଉପର ଅବବାହରେ ଥିବା ଛତିଶଗଡ଼ ଓ ଝାଡ଼ଖଣ୍ଡର ତଥା ଆନ୍ଧ୍ରପ୍ରଦେଶର ହୀରାମଣ୍ଡଳମ୍‍ ପ୍ରକଳ୍ପରେ ହେଉଥିବା ବେଆଇନ୍‍ ନିର୍ମାଣ ଓ ଉଲ୍ଲଂଘନ ସଂପର୍କରେ କେନ୍ଦ୍ରୀୟ ଜଳ ଆୟୋଗ ଓ ଅନ୍ୟାନ୍ୟ କେନ୍ଦ୍ରୀୟ ସଂସ୍ଥାମାନଙ୍କର ଅସମ୍ଭବ ନୀରବ୍ରଦଷ୍ଟା ଭୂମିକାର ତିକ୍ତ ଅନୁଭୂତି ଓଡ଼ିଶା ପାଇଛି । ଏହାପରେ ଉକ୍ତ ପ୍ରସ୍ତାବିତ ନଦୀ ବେସିନ୍‍ ବିଲ୍‍କୁ ବିଶେଷଜ୍ଞମାନଙ୍କ ମତ ନେଇ ସଠିକ୍‍ ଆଲୋଚନା ସହିତ ଓଡ଼ିଶାର ସ୍ୱାର୍ଥ ରକ୍ଷା ପାଇଁ ସଜାଗ ରହିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ । ରାଜ୍ୟ ଜଳ ସଂପଦ ବିଭାଗ ଏ ସଂପର୍କରେ ବସ୍ତୁ ସ୍ଥିତି ଓ ତଥ୍ୟ ରଖିବା ପାଇଁ ଅନୁରୋଧ କରିବା ପରେ ବାଚସ୍ପତି ଶ୍ରୀ ପାତ୍ର ଜଳ ସଂପଦ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇ ଏ ସଂପର୍କରେ ବିଧାନସଭାରେ ବିବରଣୀ ଦେବାକୁ କହିଥିଲେ ।

ଭିଜିଲାନ୍ସ ଜାଲରେ ରଘୁନାଥପୁର ବ୍ଲକ ଜେଇ ସାମନ୍ତରାୟ ; ଅଫିସ ସହ ୪ ସ୍ଥାନରେ ଚଢାଉ…!

ଏଥର ସମ୍ଭାଳ ବ୍ୟୁରୋ (ଜଗତସିଂହପୁର) – ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଜେଇ ତ୍ରିବିକ୍ରମ ସାମନ୍ତରାୟଙ୍କୁ ଆଜି ଭୋର ସମୟରେ ଜଗତସିଂହପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢାଉ କରାଯାଇ ଗିରଫ କରାଯିବା ପରେ ଜେଇଙ୍କ ଅପିଂସ ସହିତ ୪ଟି ସ୍ଥାନରେ ଚଢାଉ ଜାରି ରହିଛି।ଉକ୍ତ ଜେଇଙ୍କ ନିଜ ଘର ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଡ ବାଲିକଣି ଗ୍ରାମରେ ହୋଇଥିବା ବେଳେ ତାଙ୍କ ଶ୍ବଶୁର ଘର ରଘୁନାଥପୁର ଥାନା ଅନ୍ତର୍ଗତ ତାରପୁର ହରିଶପୁର ବୋଲି ଜଣାପଡିଛି।ଏପରିକି ଜଗତସିଂହପୁର ଖେରସ ଚର୍ଚ୍ଚିକା ବଜାର ନିକଟରେ ଥିବା ତାଙ୍କର ରାଜ ମସଲା ପ୍ୟାଂଟ୍ରୀ ଉପରେ ମଧ୍ୟ ଚଢାଉ ହୋଇଥିବା ସୂଚନା ମିଳିଛି। ସୂଚନା ମୁତାବକ ଶ୍ରୀ ସାମନ୍ତରାୟ ଜଗତସିଂହପୁର, ତିର୍ତ୍ତୋଲ ବ୍ଳକ, ରଘୁନାଥପୁର ବ୍ଲକରେ କାର୍ଯ୍ୟରତ ସମୟରେ ପାରାଦ୍ବୀପ ଠାରେ ପାଖା ପାଖି କୋଟିଏ ଟଙ୍କାର ଏକ ପ୍ଲଟ,ଏକାଧିକ ୪ଚକିଆ ଯାନ ସହିତ ବହୁ ଅଳଙ୍କାର ବ୍ୟାଙ୍କ ବାଲାନ୍ସ ରହିଥିବା ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଜଣାଯାଇଛି। ଅପର ପକ୍ଷରେ ଜେଇ ନିଜ ଗ୍ରାମ ବଡ ବାଲିକଣି ଗ୍ରାମରେ ଥିବା ସମୟରେ ଭିଜିଲାନ୍ସ ଗାଡିକୁ ଦେଖି ଦୌଡିବା ସମୟରେ ଇନିସପେକ୍ଟର ହେମନ୍ତ ମହାନ୍ତି ତାଙ୍କୁ ମାଡି ବସିଥିଲେ। ଜଗତସିଂହପୁର ଭିଜିଲାନ୍ସ ଇନିସ୍ପେକ୍ଟର ହେମନ୍ତ କୁମାର ମହାନ୍ତିଙ୍କ ନେତୃତ୍ବରେ ଇନିସପେକ୍ଟର ଅନୁସୟା ସେନାପତି, କର୍ମଚାରୀ ବି.ଏନ୍ ଧଳ, ପ୍ରଶାନ୍ତ କୁମାର ବିଶ୍ବାଳ, ଏସ୍.କେ ପତି ପ୍ରମୁଖ ଏହି ଚଢାଉରେ ସହଯୋଗ କରିଥିବା ଜଣାପଡିଛି।

ରଜନୀକାନ୍ତ ସିଂ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୂର୍ବତନ ଖଣି ଇସ୍ପାତ ବିଭାଗ ମନ୍ତ୍ରୀ ତଥା ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ହେବେ ବିଧାନସଭାର ପରବର୍ତ୍ତୀ ଉପବାଚସ୍ପତି । ବିଜୁ ଜନତା ଦଳ ପକ୍ଷରୁ ଶ୍ରୀ ସିଂହକୁ ଦଳ ଏଥର ଉପବାଚସ୍ପତି ପଦପାଇଁ ପ୍ରାର୍ଥୀ ଭାବେ ଅବତୀର୍ଣ କରାଇଥିବା ଜଣାପଡିଛି । ଗୁରୁବାର ଉପବାଚସ୍ପତି ପଦ ପାଇଁ ନିର୍ବାଚନ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ବୁଧବାର ବିଧାନସଭାରେ ଘୋଷଣା କରି କରିଥିବା ବେଳେ ଶ୍ରୀ ସିଂ ନିର୍ଦ୍ବନ୍ଦ୍ବରେ ନିର୍ବାଚିତ ହେବା ନିଶ୍ଚିତ ହୋଇ ଯାଇଛି |

ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ଦୁବାଇରୁ ମୁକ୍ତ ହୋଇ ଫେରିଲେ ୧୦ ଓଡିଆ ଶ୍ରମିକ…..!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ/ଭୁବନେଶ୍ୱର) – କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହସ୍ତକ୍ଷେପ ପରେ ସାଉଦି ଆରବରେ ଫସିରହିଥିବା ସମସ୍ତ ୧୦ ଜଣ ଓଡିଆ ଶ୍ରମିକ ବୈଦେଶିକ ମବାଳୟ ସହଯୋଗରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ବୁଧବାର ଦିଲ୍ଲୀ ଫେରିଛନ୍ତି । ନୂଆଦିଲ୍ଲୀ ସ୍ଥିତ ସରକାରୀ ବାସଭବନରେ ସମସ୍ତ ଓଡିଆ ଶ୍ରମିକଙ୍କୁ ଶ୍ରୀ ପ୍ରଧାନ ସ୍ୱାଗତ କରିବା ସହ ଉଦ୍ଧାର କାର୍ଯ୍ୟ ପାଇଁ କେନ୍ଦ୍ର ବୈଦେଶିକ ବ୍ୟପାର ମନ୍ତ୍ରୀ ଶୁଭ୍ରମଣ୍ୟମ ଜୟଶଙ୍କର ଏବଂ ଦୁବାଇ ସ୍ଥିତ ଭାରତୀୟ ଦୂତବାସକୁ ଧନ୍ୟବାଦ ଜଣାଇଛନ୍ତି ।
ଏ ସମ୍ପର୍କିତ ପ୍ରଶ୍ନରେ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଛନ୍ତି ଯେ ଓଡିଶାର ଖୋର୍ଦ୍ଧା, ନୟାଗଡ ଓ ଗଞ୍ଜାମ ଜିଲ୍ଲାର ୧୦ ଜଣ ଓଡିଆ ଶ୍ରମିକଙ୍କୁ ଦୁବାଇର ଶାରଜାହାଁରେ ରଡ ବାନ୍ଧିବା କାମରେ ଲଗାଯାଇଥିଲା । ଅଧିକ ରୋଜଗାର କରିବା ଆଶାରେ ସେମାନେ ଦୁବାଇକୁ ଯାଇଥିଲେ । ସେମାନଙ୍କୁ ସେଠାରେ ନିର୍ଯ୍ୟାତନା ଦିଆଯାଉଥିବା ଗଣମାଧ୍ୟମରୁ ସୂଚନା ମିଳିବା ପରେ ଏ ସମ୍ପର୍କରେ ସେ ନବନିଯୁକ୍ତ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ପତ୍ର ଲେଖିଥିଲେ । ଶ୍ରୀ ଜୟଶଙ୍କର ଖୋଦ୍ ଏହାକୁ ତଦାରଖ କରୁଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭାରତୀୟମାନେ ବିଭିନ୍ନ ମଧ୍ୟସ୍ଥି ମାନଙ୍କ ନେତୃତ୍ୱରେ କିମ୍ବା ଦଲାଲ ମାନଙ୍କ ହାବୁଡରେ ପଡି ବିଦେଶରେ ଫସି ରହି ଅସୁବିଧାରେ ପଡୁଛନ୍ତି । ଭାରତୀୟ ଦୂତବାସ ଗୁଡିକ ବଡ ସକ୍ରିୟତା ସହକାରେ ସେମାନଙ୍କୁ ଉଦ୍ଧାର କରୁଛନ୍ତି ।
ପ୍ରଧାନମବୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଗତ ୫ ବର୍ଷ ହେବ ଏକ ସମ୍ବେଦନଶୀଳ ସରକାର ଭାରତବର୍ଷରେ ଦାୟିତ୍ୱରେ ରହିଛି । ପୁର୍ନବାର ମୋଦି ସରକାରକୁ ଦାୟିତ୍ୱ ମିଳିଥିବାରୁ ଅନେକ ସମ୍ବେଦନଶୀଳ ପଦକ୍ଷେପ ମଧ୍ୟରୁ ଏହା ଅନ୍ୟତମ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ।
ଉଲ୍ଲେଖନୀୟ ଯେ, ଗତ ୬ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁବାଇରେ ଫସି ରହିଥିବା ୧୦ ଓଡିଆ ଶ୍ରମିକଙ୍କ ଉଦ୍ଧାର ଲାଗି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡାକ୍ତର ଶୁଭ୍ରମଣ୍ୟମ ଜୟଶଙ୍କରଙ୍କୁ ପତ୍ର ଲେଖି ଏହି ସମ୍ବେଦନଶୀଳ ଘଟଣାରେ ତାଙ୍କ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରି ଓଡିଆ ଯୁବକଙ୍କ ଉଦ୍ଧାର ପାଇଁ ଅନୁରୋଧ କରିଥିଲେ । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ନୂଆଦିଲ୍ଲୀସ୍ଥ ସରକାରୀ ବାସଭବନରେ ଏହି ଓଡିଆ ଶ୍ରମିକ ମାନଙ୍କୁ ଅନ୍ୟମାନଙ୍କ ମଧ୍ୟରେ କେନ୍ଦ୍ର ରାଷ୍ଟମବୀ ପ୍ରତାପ ଷଡଙ୍ଗୀ, ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ମଧ୍ୟ ସ୍ୱାଗତ ଜଣାଇଥିଲେ ।

ମନ୍ତ୍ରୀ ମାନିଲେ: ୪୦୯୫୫ ସ୍କୁଲ୍‍ରେ ପ୍ରତି ଶ୍ରେଣୀ ଲାଗି ବଖରାଏ ଗୃହ ନାହିଁ ; ୬୧୭ ସ୍କୁଲ୍‍ର ୨୦୨୬ଟି ଶ୍ରେଣୀଗୃହ ବିପଦସଙ୍କୁଳ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ଶିକ୍ଷାର ଅବସ୍ଥା କେତେ ସାଂଘାତିକ ସେ କଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ଉତ୍ତରରୁ ଜଳ ଜଳ ଦେଖାଯାଉଛି । ସେ ବିଧାନସଭାରେ ସ୍ୱୀକାର କରିଛନ୍ତି ଯେ ମୋଟ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ । ଏହାଛଡ଼ା, ୨୩୩ଟି ହାଇସ୍କୁଲର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । କେବଳ ସେତିକି ନୁହେଁ, ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି ।
ଆଜି ବିଜେପି ବିଧାୟକ ମୋହନ ଚରଣ ମାଝୀ ପ୍ରଶ୍ନୋତ୍ତର କାର୍ଯ୍ୟକାଳରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ଦାଶଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିଥିଲେ । ତା’ର ଉତ୍ତରରେ ମନ୍ତ୍ରୀ ଶ୍ରୀ ଦାଶ କହିଥିଲେ ଯେ ରାଜ୍ୟରେ ମୋଟ ୫୦୩୭ଟି ସରକାରୀ ୩୨୫୭ଟି ସରକାରୀ ଅନୁଦାନପ୍ରାପ୍ତ ଓ ୮୧୪ଟି ବେସରକାରୀ ହାଇସ୍କୁଲ୍‍ ରହିଛି । ସେଥିମଧ୍ୟରୁ ୨୩୩ଟି ବିଦ୍ୟାଳୟର ପ୍ରତି ଶ୍ରେଣୀଗୃହ ଲାଗି ବଖରାଏ ବି ଶ୍ରେଣୀ ଗୃହ ନାହିଁ । ସରକାରୀ ଓ ବେସରକାରୀ ଉଚ୍ଚ ବିଦ୍ୟାଳୟଗୁଡ଼ିକ ମଧ୍ୟରୁ ୬୧୭ଟି ବିଦ୍ୟାଳୟର ୨୦୨୬ଟି ଶ୍ରେଣୀ ଗୃହ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଏଥିରୁ ରାଜ୍ୟର ଶିକ୍ଷା କିଭଳି ସ୍ଥିତି ଦେଇ ଗତି କରୁଛି ତାହା ଅନୁମାନ କରିହେବ ।
ମନ୍ତ୍ରୀ ଶ୍ରୀ ଦାଶ ଆହୁରି କହିଲେ ଯେ ରାଜ୍ୟରେ ମୋଟ ୩୩ ହଜାର ୩୮୩ଟି ପ୍ରାଥମିକ ବିଦ୍ୟାଳୟ ଓ ୧୭ ହଜାର ୧୪୩ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି । ଅର୍ଥାତ୍‍ ମୋଟ ୫୦ ହଜାର ୫୨୬ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟରୁ ୯୫୭୧ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତି ଶ୍ରେଣୀ ପାଇଁ ବଖରାଏ କରି ଶ୍ରେଣୀ ଗୃହ ଅଛି । ପରୋକ୍ଷରେ ଏହା ସୂଚାଉଛି ଯେ ୪୦ ହଜାର ୯୫୫ଟି ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଖରାଏ ଶ୍ରେଣୀ ଗୃହ ନାହିଁ ।
ଗଣଶିକ୍ଷା ମନ୍ତ୍ରୀ ଉଲ୍ଲିଖିତ ନିୟମ ଅନୁସାରେ ବିଦ୍ୟାଳୟରେ ଶ୍ରେଣୀ ଗୃହ ନିର୍ମାଣ ସଂପୃକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସଂଖ୍ୟା ଅନୁପାତରେ ମଞ୍ଜୁର ହୋଇଥାଏ ବୋଲି ସୂଚନା ଦେଇଥିଲେ । ଏହି ନିୟମ ଅନୁଯାୟୀ ପ୍ରାଥମିକ, ଉଚ୍ଚ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଗୁଡ଼ିକରେ ଯଥାକ୍ରମେ ୩୦ଜଣ, ୩୫ଜଣ ଓ ୪୦ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଏଁ ଶ୍ରେଣୀ ଗୃହ ନିର୍ମାଣ କରାଯାଇପାରିବ ।
ୟୁଡଆଇଏସ୍‍ଇ, ୨୦୧୭-୧୮ ତଥ୍ୟ ଅନୁଯାୟୀ ଚଳିତ ପିଏବି ୨୦୧୯-୨୦ ବର୍ଷରେ ୬୦୯୩ଟି ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି । ଏହି ପ୍ରସ୍ତାବ ମଞ୍ଜୁରି ପାଇବା ପରେ ନିର୍ମାଣ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ ।