ବିଜେପି ପାଇଁ ତ୍ୟାଗ: ୩ ବର୍ଷିୟା ଆସନ ରଖି ୫ ବର୍ଷିୟା ଛାଡ଼ିଲା ବିଜେଡି !
ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ଖାଲି ହୋଇଥିବା ୩ ରାଜ୍ୟସଭା ଆସନ ମଧ୍ୟରୁ ବିଜେଡି ଦୁଇଟି ଆସନ ହାତରେ ରଖି ଗୋଟିଏ ଆସନ ବିଜେପିକୁ ଛାଡ଼ି ଦେଇଛି । ବିଜେପି ପାଇଁ ବିଜେଡି କେବଳ ଏତିକି ତ୍ୟାଗ କରିନି ଆହୁରି ଅଧିକ ସହାୟତା କରିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୋଟିଏ ପରେ ଗୋଟିଏ ପଦକ୍ଷେପ ସମସ୍ତଙ୍କୁ ଚକିତ କରିବାରେ ଲାଗିଛି । ବିଜେପିକୁ ବିଜେଡି କାହିଁକି ଗୋଟିଏ ରାଜ୍ୟସଭା ଆସନ ଛାଡ଼ିଲା ତାକୁ ନେଇ ଚର୍ଚ୍ଚା ଥମି ନ ଥିଲା ବେଳେ ନବୀନ ଆଉ ଏକ ଚର୍ଚ୍ଚାର ବିଷୟ ଯୋଗାଇ ଦେଇଛନ୍ତି ବିରୋଧୀ ବୋଲି କୁହାଯାଉଛି । ବିଜେଡି ଗୋଟିଏ ୫ ବର୍ଷିୟା ରଖି ଆଉ ଗୋଟିଏ ବିଜେପିକୁ ଛାଡ଼ି ଦେଇଛି । ନିଜ ପାଖରେ ୩ ବର୍ଷିୟା ଆସନଟି ରଖିଛି ।
ଓଡ଼ିଶାର ଯେଉଁ ୩ଟି ରାଜ୍ୟସଭା ଆସନ ଖାଲି ହୋଇଛି ସେଥିରେ ୨ଟି ହେଉଛି ୫ ବର୍ଷ ପାଇଁ ଓ ଗୋଟିଏ ହେଉଛି ୩ ବର୍ଷ ପାଇଁ । ଇସ୍ତଫା ଦେଇଥିବା ବିଜେଡିର ୩ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ସୌମ୍ୟରଂଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ କାର୍ଯ୍ୟକାଳନ ୨୦୨୪ରେ ଶେଷ ହେବାର ଥିଲା । ଏଣୁ ଉଭୟ ଇସ୍ତଫା ଦେବାରୁ ଏମାନଙ୍କ ସ୍ଥାନରେ ଯେଉଁ ଉପନିର୍ବାଚନ ହେବ ଏବଂ ଏଥିରେ ଯେଉଁ ପ୍ରାର୍ଥୀ ଯିବେ ସେମାନେ ୫ ବର୍ଷ ପାଇଁ ନିର୍ବାଚିତ ହେବେ । ସେହିପରି ଇସ୍ତଫା ଦେଇଥିବା ପ୍ରତାପ କେଶରୀ ଦେବଙ୍କ କାର୍ଯ୍ୟକାଳନ ୨୦୨୨ରେ ସରିଥାନ୍ତା । ଏଣୁ ପ୍ରତାପଙ୍କ ସ୍ଥାନରେ ଯେଉଁ ଉପନିର୍ବାଚନ ହେବ ତାହା ୩ ବର୍ଷ ପାଇଁ । ଫଳରେ ପ୍ରତାପଙ୍କ ସ୍ଥାନରେ ଯିଏ ନିର୍ବାଚିତ ହେବେ ତାଙ୍କ କାର୍ଯ୍ୟକାଳ ୩ ବର୍ଷ ରହିବ । ଏ କ୍ଷେତ୍ରରେ ବିଜେଡି ଗୋଟିଏ ୫ ବର୍ଷ ଓ ଗୋଟିଏ ୩ ବର୍ଷର ଆସନ ରଖି ବିଜେପିକୁ ୫ ବର୍ଷିୟା ଆସନଟି ଦେଇଛି ।
ଏହାକୁ ନେଇ ରାଜନୀତିକ ଚର୍ଚ୍ଚା ଚାଲିଛି । ବିଜେଡି କେବଳ ରାଜ୍ୟସଭା ଆସନ ଗୋଟିଏ ଛାଡ଼ି ବିଜେପି ପାଇଁ ତ୍ୟାଗ କରିଛି ବୋଲି ଆଲୋଚନା ହେଉଥିଲା । ଏବେ ବିଜେପି ପାଇଁ ବିଜେଡି କେତେ ଦରଦୀ ତାହା ଏଥିରୁ ଜଣାପଡିଛି । ନିଜେ ୩ ବର୍ଷିୟା ଆସନ ରଖି ବିରୋଧୀ ପକ୍ଷକୁ ୫ ବର୍ଷିୟା ଆସନ ଛାଡ଼ିଛି । ଏବେ କଥା ଉଠୁଛି ବିଜେପି ପାଇଁ ବିଜେଡିର ଏତେ ତ୍ୟାଗ କାହିଁକି? ଏହାକୁ ନେଇ ଏତେ ଆଲୋଚନା ଓ ସମାଲୋଚନା ଚାଲିଥିଲା ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହା ଉପରେ କୌଣସି ପ୍ରତିକ୍ରୀୟା ରଖି ନାହାଁନ୍ତି । କେବଳ ତାଙ୍କର ଦଳୀୟ ନେତାମାନେ କହିଚାଲିଛନ୍ତି ନବୀନ ବାବୁ ଯାହା କରିଛନ୍ତି ତାହା ଭାବିଚିନ୍ତି କରିଛନ୍ତି ଓ ରାଜ୍ୟ ସ୍ୱାର୍ଥ ପାଇଁ କରିଛନ୍ତି । ରାଜ୍ୟର କଣ ସ୍ୱାର୍ଥ ସାଧନ ହେଉଛି ତାହା ଦେଖିବାର କଥା ବୋଲି କୁହାଯାଉଛି ।





