ପୂର୍ତ୍ତ ବିଭାଗର ଖାମଖିଆଲି ମନୋଭାବ ସହରବାସୀଙ୍କୁ କରୁଛି ଅଶାନ୍ତ ; ନର୍ଦ୍ଦମା ପାଣି ରାସ୍ତା ଉପରେ , ପ୍ରତିବାଦରେ ରାସ୍ତା ରୋକ !

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଅମୃତ ସହର ବାରିପଦାରେ ହଳାହଳ ବିଷ । ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗର ଖାମଖିଆଲି ନୀତି କାରଣରୁ ଡ୍ରେନ ପାଣି ନିଷ୍କାସିତ ହୋଇନପାରି ରାସ୍ତା ଉପରେ ପୋଖରୀର ବ୍ରମ ସୃଷ୍ଟି କରାଇଛି । ଫଳରେ ଗାଡ଼ି ମୋଟର ସହ ଜନସାଧାରଣଙ୍କ ଯାତାୟତରେ ବାଧା ସୃଷ୍ଟି ହେବାରୁ ଏହାର ପ୍ରତିବାଦରେ ଟାୟାର ଜାଳି ରାସ୍ତା ଅବରୋଧ କରାଯାଇଥିବାର ଦେଖିବାକୁ ମିଳିଛି ।
ପୂର୍ତ୍ତ ଓ ନଗର ନିର୍ମାଣ ବିଭାଗ ପକ୍ଷରୁ(ପିଡ଼ବ୍ଲୁ୍ୟଡ଼ି) ବାରିପଦା ସହରର ସତ୍ୟସାଈ ଛକ ନିକଟରୁ ଦାରୋଗାଡ଼ାହି ଗୋଲେଇ ପର୍ଯ୍ୟନ୍ତ ଦୁଇ ଥାକିଆ ରାସ୍ତା ନିର୍ମାଣ ୨୦୧୭ରୁ ଆରମ୍ଭ ହୋଇଥିଲା । ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ପାଣି ନିଷ୍କାସନ ନିମନ୍ତେ ଡ୍ରେନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥି ସହିତ ଉଭୟ ପାଶ୍ୱ୍ରରେ ଜବରଦଖଲ ଉଚ୍ଛେଦ ଅଭିଯାନ ମଧ୍ୟ ହୋଇଥିଲା । କିନ୍ତୁ ବିଭାଗର ଖାମଖିଆଲୀ ମନୋଭାବ କାରଣରୁ ଡ୍ରେନ ଜଗଦ୍ଧାତ୍ରୀ ସିନେମା ହଲ ନିକଟରେ ଅସମ୍ପୂର୍ଣ୍ଣ ଭାବେ ରହିଗଲା । ଫଳରେ ଡ୍ରେନରେ ଆସୁଥିବା ପରିତ୍ୟକ୍ତ ଅପରିଷ୍କାର ପାଣି ନିଷ୍କାସିତ ହୋଇନପାରି ଓଭର ଫ୍ଲୋ ହୋଇ ଜଗଦ୍ଧାତ୍ରୀ ସିନେମା ହଲ ସମ୍ମୁଖ ଲେବଲ କ୍ରସିଂ ନିକଟ ମୁଖ୍ୟ ରାସ୍ତା ଉପରେ ଜମି ପୋଖରୀର ବ୍ରମ ସୃଷ୍ଟି କରାଉଥିଲା । ଜନସାଧାରଣ ବାରମ୍ବାର ଅଭିଯୋଗ ଜଣାଉଥିଲେ ମଧ୍ୟ ବିଭାଗ ଏଦିଗରେ ନିଘା ନାହିଁ କି ପଘା ନାହିଁ ନ୍ୟାୟକୁ ଆପଣେଇ ନେଇଥିଲା । ତେଣୁ ସିଧା ଅଙ୍ଗୁଳିରେ ଘିଆ ନ ଉଠିବାରୁ ଜନସାଧାରଣ ଅଙ୍ଗୁଳିକୁ ବଙ୍କେଇବାକୁ ବାଧ୍ୟ ହୋଇଥିଲେ ଏବଂ ଆଜି ଅପରାହ୍ନ ୫ଟାରେ ୧୫ ନମ୍ବର ୱାଡର଼୍ର ପୂର୍ବତନ କାଉନସିଲର ଦେବାଶିଷ ଦାସ, ଜିଲ୍ଲା ଓକିଲ ସଙ୍ଘର ପୂର୍ବତନ ସଭାପତି ଆଇନଜୀବୀ ପ୍ରଦୀପ ରଥ, ବିଜୟ ମିଶ୍ର, ସୁଜିତ ମହାନ୍ତି, ଲିଟନ ମହାପାତ୍ର, ରଶ୍ମୀ ରଞ୍ଜନ ପଣ୍ଡା ଓ ମନୋରଞ୍ଜନ କୁଁଅର ପ୍ରମୁଖ ଶତାଧିକ ଜନସାଧାରଣ ଏକତ୍ରୀତ ହୋଇ ରାସ୍ତା ଉପରେ ଟାୟାର ଆଦି ଜାଳି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଆଇନଶୃଙ୍ଖଳା ପରିସ୍ଥିତିକୁ ସମ୍ଭାଳିବା ସହ ପୂର୍ତ୍ତ ଓ ନିର୍ମାଣ ବିଭାଗ ଅଧିକାରୀଙ୍କୁ ତୁରନ୍ତ ପହଁଞ୍ଚିବାକୁ ପରାମର୍ଶ ଦେଇଥିଲେ ଏବଂ ବିଭାଗୀୟ କନିଷ୍ଟ ଯନ୍ତ୍ରୀ ବିକାଶ ପାଣି ପହଁଞ୍ଚି ଆସନ୍ତା ରବିବାର କାର୍ଯ୍ୟ ଆରମ୍ଭ କରିବେ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା ।

ବିଭିନ୍ନ ଦାବୀ ନେଇ ବି.କେ.ଏମ.ୟୁ ଭାରତୀୟ କ୍ଷେତ ମଜଦୁର ୟୁନିୟନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି/ପାରଳାଖେମୁଣ୍ଡି) – ପାରଳାଖେମୁଣ୍ଡିସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଘର,ଜାଗା ଓ ପଟ୍ଟା,ଜଙ୍ଗଲଜମି ପଟ୍ଟା ଏବଂ କ୍ଷତିଗ୍ରସ୍ତ ସର୍ବହରାଙ୍କୁ ରୁଣ ପ୍ରଦାନ ଦାବୀରେ ଜିଲ୍ଲା ଭାରତୀୟ କ୍ଷେତ ମଜଦୁର ୟୁନିୟନ ବି.କେ.ଏମ.ୟୁ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଦାବୀ ପତ୍ର ଦିଆଯାଇଛି ।
ଏହି ଅବସରରେ ୩୦୦ରୁ ଅଧିକ ବି.କେ.ଏମ.ୟୁ କର୍ମି ମାନେ, ବି.କେ.ଏମ.ୟର ରାଜ୍ୟ ପରିଷଦ ସଭାପତି ଜନା ସୁବାସଚନ୍ଦ୍ର ରାଓଙ୍କ ନେତୃତ୍ୱରେ ପୁରୁଣା ଫାଏରଷ୍ଟେସନ ଠାରୁ ବିରାଟ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବି.କେ.ଏମ.ୟୁ ର ରାଜ୍ୟ ସଭାପତି ଶ୍ରୀ ରାଓ ସୁଚନା ଦେଇ କହିଥିଲେ ଯେ ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳ ଓ ପୌରାଞ୍ଚଳରେ ୨୦୧୫ରୁ ଘର ଜାଗା ଓ ପଟ୍ଟା ଓ ଜଙ୍ଗଲଜମି ପଟ୍ଟା ପାଇବା ପାଇଁ ଦରଖାସ୍ତ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ବିଚାରକୁ ନିଆଯାଇନାହିଁ । ସେହିଭଳି ଗତ ତିତିଲିରେ ହଜାର ହଜାର ଲୋକ କ୍ଷତିଗ୍ରସ୍ତ ଓ ସର୍ବହରା ହୋଇପଡିଛନ୍ତି । ବଞ୍ଚିବା ପାଇଁ ସେମାନଙ୍କ ଚାଷ, ବ୍ୟବସାୟ ଓ ଅନ୍ୟାନ୍ୟ କାରବାର ପାଇଁ ତୁରନ୍ତ ରୁଣ ପ୍ରଦାନ କରାଯାଉ । ଅନ୍ୟ ପକ୍ଷରେ ତିତିଲି ରିଲିଫ ସହାୟତା ମଞ୍ଜୁରରେ ଯେଉଁ ଦୁର୍ନିତି ହୋଇ ଯୋଗ୍ୟଙ୍କ ପରିବର୍ତ୍ତେ ଅଯୋଗ୍ୟ ଲୋକେ ଏହି ସହାୟତା ହାତେଇଛନ୍ତି ।
ଏହି ଦୁର୍ନିତିର ପ୍ରକୃତ ତଦନ୍ତ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ଦିଆଯାଉ । ଏସବୁ ହେଉଛି ଆମର ଦାବୀ ବୋଲି କହିଥିଲେ । ଶେଷରେ ଦାବୀ ଗୁଡିକୁ ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କୁ ପ୍ରଦାନ କରିଥିଲେ ।

ଆଦିତ୍ୟ ଇନ, ନିରଞ୍ଜନ ଆଉଟ ; ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଅଫିସର ସ୍ତରରେ ବ୍ୟାପକ ଅଦଳ ବଦଳ, କୃପାସିନ୍ଧୁ ମିଶ୍ର ଲୋକସଂପର୍କ ବିଭାଗର ନୂଆ ନିର୍ଦେଶକ, ପ୍ରେମଚାନ୍ଦ ଚୌଧୁରୀ ବିଏମସି କମିଶନର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ନବୀନ ପଟ୍ଟନାୟକ ପଞ୍ଚମ ପାଳି କ୍ଷମତାକୁ ଆସିବା ପରେ ଆଇଏଏସ ଓ ବଶିଷ୍ଠ ଓଏଏସ ସ୍ତରରେ ବ୍ୟାପକ ଅଦଳବଦଳ କରିଛନ୍ତି | ଓଡିଶା ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ତଥା ଜଣାଶୁଣା ସାରସ୍ୱତ ସାଧକ କୃପାସିନ୍ଧୁ ମିଶ୍ର ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ଅବସ୍ଥାପିତ ହୋଇଛନ୍ତି | ସେହିପରି କେନ୍ଦ୍ରାପଡା ଜିଲ୍ଲାପାଳ ଥିବା ଆଇଏଏସ ଅଧିକାରୀ ପ୍ରେମଚାନ୍ଦ ଚୌଧୁରୀଙ୍କୁ ଭୁବନେଶ୍ବର ମହାନଗର ନିଗମ କମିସନର ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ସିଇଓ ଓ ବିଡିଏ ଉପାଧ୍ୟକ୍ଷ ଦାୟିତ୍ବ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ବରିଷ୍ଠ ପ୍ରଶାସନିକ ଅଧିକାରୀ ଦାଶରଥୀ ଶତପଥୀଙ୍କୁ ବିଧାନ ସଭାର ସଚିବ ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ବିଏମସି ଅତିରିକ୍ତ କମିସନର ଥିବା ଅନନ୍ୟା ଦାସଙ୍କୁ କଟକ ମହାନଗର ନିଗମ କମିସନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର |
କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରଵାଲଙ୍କୁ ସାମାଜିକ କଲ୍ୟାଣ, ମିସନ ଶକ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଓମବାଡ୍ ସିଇଓ ଭାବେ ଅତିରିକ୍ତ ଦାୟିତ୍ୱ ପାଇଛନ୍ତି | କଟକ ମହାନଗର ନିଗମ କମିସନର ଶରତ ଚନ୍ଦ୍ର ନାୟକଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ବଦଳି କରାଯାଇଥିବା ବେଳେ ସେହି ବିଭାଗରେ ଯୁଗ୍ମ ଶାସନ ସଚିବ ଥିବା ଯାମିନୀ ଷଡଙ୍ଗୀଙ୍କୁ ଅର୍ଚନା ପଟ୍ଟନାୟକଙ୍କ ଜାଗାରେ ଓଡ଼ିଶା ରାଜ୍ୟ ଔଷଧ ନିଗମ ପରିଚାଳନା ନିେର୍ଦଶକ ଭାବେ ଅବସ୍ଥାପିତ କରାଯାଇଛି । ନିକଟରେ କଜରଧ ଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଥିବା ଭୂପିନ୍ଦର ସିଂ ପୁନିଆଙ୍କୁ ଓପେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ(ପିଡି) ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ତାଙ୍କୁ ଆଦର୍ଶ ବିଦ୍ୟାଳୟ ସଂଗଠନ, ରାମସା ରାଜ୍ୟ ପ୍ରକଳ୍ପ ନିେର୍ଦଶକ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି | ଓଡ଼ିଶା ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶକ ଅର୍ଚ୍ଚନା ପଟ୍ଟନାୟକଙ୍କୁ ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ତଥା ଜଳସଂପଦ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି । ଥାର୍ଡ଼ ଫ୍ଲୋରରୁ ବାହାରକୁ ଆସିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ଶାସନ ସଚିବ ନିରଞ୍ଜନ ସାହୁ | ତାଙ୍କୁ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ନିଯୁକ୍ତି ମିଳିଥିବା ବେଳେ ସେ ଶ୍ରମ କମିସନର ଦାୟିତ୍ୱ ମଧ୍ୟ ତୁଲାଇବେ | ଆଉ ତାଙ୍କ ବଦଳରେ ଥାର୍ଡ଼ ଫ୍ଲୋରରେ ଇନ ହୋଇଛନ୍ତି ଆଦିତ୍ୟ ମହାପାତ୍ର | ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।
ସେହିପରି ଜଗତସିଂହପୁର ଜିଲ୍ଲାପାଳ ଗୁହା ପୁନମ ତାପସ କୁମାରଙ୍କୁ ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ, ରେଘୁ ଜିଙ୍କୁ ବୈଷୟିକ ଶିକ୍ଷା ନିର୍ଦ୍ଦେଶକ, ସୁରେନ୍ଦ୍ର କୁମାର ମୀନାଙ୍କୁ ରାଜସ୍ବ ପର୍ଷଦ ସଚିବ, ଖୋର୍ଦ୍ଧା ଡିଆର୍ଡିଏ ପିଡି ଅବଦୁଲ ଅଖତରଙ୍କୁ କଟକ ଡିଆର୍ଡିଏ ପିଡି, ଜ୍ୟୋତି ପ୍ରକାଶ ଦାସଙ୍କୁ ବୟନ ନିର୍ଦ୍ଦେଶକ ଓ ବୟାନିକ ପରିଚାଳନା ନିର୍ଦ୍ଦେଶକ, ଲକ୍ଷ୍ମୀଧର ମହାନ୍ତିଙ୍କୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ଶାସନ ସଚିବ, ବାଲେଶ୍ବର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତଙ୍କୁ ଇଏସ୍ଆଇ ନିର୍ଦ୍ଦେଶକ ଓ ଝାରସୁଗୁଡା ଜିଲ୍ଲାପାଳ ଥିବା ବିଭୂତି ଭୂଷଣ ଦାସଙ୍କୁ ରାଜସ୍ବ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି |
ସେହିପରୀ ପ୍ରଶାନ୍ତ ସେନାପତିଙ୍କୁ ଆଇଜିଆର ଭାବେ ନିଯୁକ୍ତି ଦିଆ ଯାଇଥିବା ବେଳେ ନିର୍ମଳ ଚନ୍ଦ୍ର ମିଶ୍ରଙ୍କୁ ପର୍ଯ୍ୟଟନ ନିର୍ଦ୍ଦେଶକ ଓ ଓଟିଡିସିର ପରିଚାଳନାଭାବେ ଅବସ୍ଥାପିତ କରାଯାଇଛି | ଅଞ୍ଜନ କୁମାର ମାଣିକଙ୍କୁ ଅବକାରୀ କମିସନର ଭାବେ ନିକଉକ୍ତି ଦିଆଯାଇଥିବା ବେଳେ ବିଭୂତି ଭୂଷଣ ପଟ୍ଟନାୟକ ରାଜ୍ୟ ସମବାୟ ନିବନ୍ଧକ ଓ ତ୍ରିବିକ୍ରମ ପ୍ରଧାନଙ୍କୁ ଅବକାରୀ ବିଭାଗର ଅତିରିକ୍ତ ଶାସନ ସଚିବ ଭାବେ ନିଯୁକ୍ତି ଦିଆ ଯାଇଛି |