ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ ହେବ: ରାହୁଲ !

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) – ରାଜ୍ୟରେ ୫୦ହଜାର କୋଟି ଟଙ୍କାର ଖଣି ଦୁର୍ନୀତି କରି ନବୀନ ପଟ୍ଟନାୟକ ସାଧାରଣ ଲୋକଙ୍କ ଟଙ୍କା ତାଙ୍କ ବନ୍ଧୁମାନଙ୍କୁ ଦେଇଛନ୍ତି। ସାରାରାଜ୍ୟ ଜାଣିଛି, ଚିଟଫଣ୍ଡ ଦୁର୍ନୀତିରେ ୫ହଜାର କୋଟି ଟଙ୍କା ଚୋରି ହୋଇଛି। ଦିଲ୍ଲୀ ହେଉ କିମ୍ବା ଓଡ଼ିଶା, କଂଗ୍ରେସ ସରକାର ଆସିବା ମାତ୍ରେ ସବୁ ଦୁର୍ନୀତିର ପର୍ଦ୍ଦାଫାଶ କରାଯିବ ବୋଲି କଂଗ୍ରେସ  ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଶୁକ୍ରବାର ବରଗଡ଼ ସହର ଉପକଣ୍ଠ ନୂଆ ସରସରା ପଡ଼ିଆରେ ଏଭଳି ମନ୍ତବ୍ୟ ଦେଇଛନ୍ତି ।

ରାହୁଲ କହିଛନ୍ତି ଯେ, ଓଡ଼ିଶାକୁ କିଛି ବଛାବଛା ଅଫିସର ଶାସନ କରୁଛନ୍ତି। ରାଜ୍ୟରେ ଜନତାଙ୍କ ସ୍ବର ଶୁଣାଯାଏ ନାହିଁ । ନବୀନ ପଟ୍ଟନାୟକ ଓଡ଼ିଶାକୁ ଶାସନ କରନ୍ତି, ହେଲେ ତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରିମୋର୍ଟ କଣ୍ଟ୍ରୋଲ ଦ୍ୱାରା ପରିଚାଳନା କରିଥାନ୍ତି । ରାଜ୍ୟରେ ଆଦିବାସୀ ମହିଳାଙ୍କ ସ୍ବର ସରକାରଙ୍କ ପାଖେ ପହଞ୍ଚେ ନାହିଁ । ସାରା ଓଡ଼ିଶାରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡ଼ିଛି। ତନ୍ମଧ୍ୟରୁ ୩୦ ହଜାର ଶିକ୍ଷକ ପଦବୀ ଖାଲି, ୫ହଜାର ମେଡ଼ିକାଲ ପଦବୀ ଖାଲି। ଓଡ଼ିଶାର ଆବଶ୍ୟକ ସଂଖ୍ୟକ ଶୀତଳ ଭଣ୍ଡାର ନାହିଁ । କଂଗ୍ରେସ ଶାସନ ଆସିବା ମାତ୍ରେ ଖାଲିଥିବା ପଦବୀ ପୂରଣ କରାଯିବ ବୋଲି ରାହୁଲ ପ୍ରତିଶୃତି ଦେଇଛନ୍ତି ।

ଅପରପକ୍ଷେ ମୋଦି ସରକାରଙ୍କ ଜିଏସଟି, ବିମୁଦ୍ରୀକରଣ ଯୋଗୁ ସାଧାରଣ ଜନତା ବହୁବିଧ ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ କଂଗ୍ରେସ ସରକାର କେନ୍ଦ୍ରରେ ଆସିଲେ ଜିଏସଟି ପରିବର୍ତ୍ତେ ସମସ୍ତଙ୍କ ପାଇଁ ଏକ ସାଧାରଣ ଟ୍ୟାକ୍ସ ପ୍ରଚଳନ କରିବ ବୋଲି ସେ କହିଥିଲେ । ତେବେ ସେ ନିଜ ଅଭିଭାଷଣରେ ଯେଉଁ ପ୍ରତିଶୃତି ଦିଅନ୍ତି, ତାକୁ ଅକ୍ଷରେ ଅକ୍ଷରେ ପାଳନ କରିଥାନ୍ତି ଏବଂ ପଡ଼ୋଶୀ ଛତିଶଗଡ଼, ରାଜସ୍ଥାନ, ମଧ୍ୟପ୍ରଦେଶରେ କଂଗ୍ରେସ ଶାସନକୁ ଆସିବା ପରେ ତାଙ୍କ ପ୍ରତିଶୃତି ଯଥାର୍ଥତା ପ୍ରତିଫଳିତ ହୋଇ ସାରିଥିବା ରାହୁଲ କହିଥିଲେ । ଉକ୍ତ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପ୍ରକାଶ ଦେବତା, ଜଗନ୍ନାଥ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର, ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ, ପୂର୍ବତନ ଅତାବିରା ବିଧାୟକ ନିହାର ମହାନନ୍ଦ, ହମ୍ମିଦ ହୁସେନ, ପ୍ରଫୁଲ୍ଲ ମାଝି, ସୁରେନ୍ଦ୍ର ସିଂ ଭୋଇ, ଶରତ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଛି ପାହାଡିଆ ଗ୍ରାମ ବଡସଡା ; ଅପହଞ୍ଚ ମୌଳିକ ସମସ୍ୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା !!! ଅଭିଶପ୍ତ ଜୀବନ ବିତାଉଛନ୍ତି ବଡସଡା ଗ୍ରାମବାସୀ !

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ପୂର୍ବରୁ ଆମେ ବିଭିନ୍ନ ମୌଳିକ ସମସ୍ୟା ମଧ୍ୟ ଦେଇ ଜୀବନ କଟାଇ ଆସୁଥିଲୁ ଏବଂ  ଯେନେତେନ ପ୍ରକାରେ ଆମେ ତାହା ସହ୍ୟ କରି ଚଳିଯାଉଥିଲୁ  । ହେଲେ ଗତ ତିତିଲି ବାତ୍ୟା ହେବା ପରବର୍ତ୍ତୀ ଆମର ସମସ୍ୟା ତା ଠାରୁ ମଧ୍ୟ ଟିପିଯାଇ ଦ୍ୱିଗୁଣିତ ହୋଇଯାଇଛି । ତିତିଲି ବାତ୍ୟାରେ ଆମର ବ୍ୟାପକ କ୍ଷୟକ୍ଷତି ହେବା ସହ ଘର ସବୁ ଭାଙ୍ଗିଯାଇଛିଏବଂ ଜୀବନ ଜିବୀକା ପାଇଁ ସବୁ ଉଜୁଡି ଯାଇଛି । ଆମେ ଏବେ ସମ୍ପୁର୍ଣ୍ଣ ଭାବେ ସର୍ବହରା ହୋଇ ପଡି ଦୁଃଖ ଯନ୍ତ୍ରଣାରେ ଅଭିଶପ୍ତ ଜୀବନ ବିତାଉଛୁ ବୋଲି ଅତ୍ୟନ୍ତ କରୁଣମୟ ଭାବରେ ଗୁହାରି କରି ଅଭିଯୋଗ କରି କହିଛନ୍ତି ଗ୍ରାମବାସୀ ।

ଗଜପତି ଜିଲ୍ଲା ରାୟଗଡା ବ୍ଲକ ଏଙ୍ଗାରସିଂ ପଞ୍ଚାୟତର ପାହାଡ ଉପରେ ଥିବା ଆଦିବାସୀ ଅଧ୍ୟୁଷିତ ଏକ ବଡଗ୍ରାମ ହେଉଛି ବଡସଡା । ଗ୍ରାମର ୩ଗୋଟି ସାହି ଯଥା ଗୁଡି ସାହି, ସିଙ୍ଗୁଗୟା ଓ ସର୍ଗି ସାହିରେ ରହନ୍ତି ୬୧ ପରିବାରର ୩୦୦ରୁଉର୍ଧ୍ଵ  ଲୋକ  । ମୌଳିକ ସମସ୍ୟା ଏଠାରେ ସାତ ସପନ ଆଦିବାସୀ ଅଧୁ୍ୟଷିତ ଅଞ୍ଚଳର ଓ ଲୋକଙ୍କ ବିକାଶ ପାଇଁ  କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ହେଲେ ଦେଶ ସ୍ୱାଧୀନ ହେବାର ଇତି ମଧ୍ୟରେ ୭୨ ବର୍ଷ ବିତିଯାଇଥିଲେ ହେଁ ଏଠାରେ ସର୍ବନିମ୍ନ ମୌଳିକ ସୁବିଧା କି ଯୋଜନା ଗୁଡିକର କାଣିକଉଡିଟିଏ ସୁଫଳ ପହଞ୍ଚିପାରୁନାହିଁ । ଲୋକଙ୍କ ସରଳତା ସହ ନିରୀହତା ନିରକ୍ଷରତା ଓ ସଚେତନତାର ଅଭାବ ଯୋଗୁଁ ଏହାର ଫାଇଦା ନେଉଛନ୍ତି ନିୟୋଜିତ ଓ ଦାୟିତ୍ୱ ଥିବା ସରକାରୀ ଅଧିକାରୀ କର୍ମଚାରୀ ଓ ଟାଉଟର ମଧ୍ୟସ୍ତି ଲୋକମାନେ ।

ମୌଳିକ ସମସ୍ୟା ଶିକ୍ଷା, ସ୍ୱାସ୍ଥ୍ୟ ପାନୀୟ ଜଳ ବିଦୁ୍ୟତ ଆଲୋକ ଓ ସରକାରୀ ବଣ୍ଟନ ବ୍ୟବସ୍ଥା

ଶିକ୍ଷା କହିଲେ ଗୋଟିଏ ସ୍କୁଲର ରହିଛି, ତିତିଲି ବାତ୍ୟାରେ ସମ୍ପୁର୍ଣ୍ଣ ଭାଙ୍ଗିଯାଇଛି । ପାହାଡ ଉପରେ ଘାଟିରାସ୍ତା ହୋଇଥିବା ଯୋଗୁଁ ନିୟୋଜିତ ଶିକ୍ଷକମାନେ ପ୍ରାୟତଃ ନିୟମିତ ଅସନ୍ତି ନାହିଁ । ବିଦ୍ୟାଳୟ ପାଚେରୀ ନାହିଁ କି ପିଲାମାନଙ୍କ ଖେଳିବା ଓ ମନୋରଞ୍ଜନ ପାଇଁ ସେଭଳି କୌଣସି ବ୍ୟବସ୍ଥା ନାହିଁ ।

ସ୍ୱାସ୍ଥ୍ୟସେବା କଥା ନକହିଲେ ଭଲ ପାହାଡିଆ ଘାଟି ରାସ୍ତାର ସୁଯୋଗ ନେଇ ସ୍ୱାସ୍ଥ୍ୟ ସେବା ଏଠାରେ ରାସ୍ତା ଥିବା ସତ୍ୱେ ପହଞ୍ଚିପାରେନି । କୌଣସି ଜରୁରୀକାଳିନ ରୋଗାକ୍ରାନ୍ତ କି ଗର୍ଭବତୀ କି ପ୍ରସ୍ତୁତି ମହିଳାଙ୍କୁ ଦୁରକୁ ନିଜ ବ୍ୟବସ୍ଥାରେ ପ୍ରାୟତଃ ନେବାକୁ ହୋଇଥାଏ ।

ପାନୀୟ ଜଳ ବ୍ୟବସ୍ଥା କହିଲେ ଗ୍ରାମରେ ୭ଟି ନଳକୂପ ରହିଛି, ଗୋଟିଏ ଅଚଳ ଏବଂ ଗୋଟିଏ କାର୍ଯ୍ୟକ୍ଷମ ଥିଲେ ହେଁ ଗନ୍ଧଯୁକ୍ତ ପାଣି ବାହାରୁଛି । ସେହି ପାଣିକୁ ଗ୍ରାମବାସୀ ବ୍ୟବହାର କଲେ ନାହିଁ ନଥିବା ପେଟ ରୋଗରେ ଆକ୍ରାନ୍ତ ହେଉଥିବା କହନ୍ତି ଗ୍ରାମବାସୀ, ସେହିଭଳି ଗୋଟିଏ କୂଅଁ ରହିଥିଲେ ମଧ୍ୟ ତାହା ଅପରିଷ୍କାର ଏବଂ ଖରାଦିନରେ ପ୍ରାୟତଃ ଶୁଖିଯାଇଥାଏ । ଖରାଦିନର ପ୍ରାୟ ୪ମାସ ଗ୍ରାମବାସୀ ପାନୀୟ ଜଳ  ଟୋପାଏ ପାଇଁ ଅତ୍ୟନ୍ତ ଡହଳବିକଳ ହୋଇ ପଡୁଛନ୍ତି । ପାନୀୟ ଜଳର ଅଭାବରେ ଗ୍ରାମବାସୀ ଦୁରରେ ଥିବା ପାହାଡ ଝରଣା ଓ ପାହାଡିଆ ଝରନାଳ ପାଖରୁ ପାଣି ସଂଗ୍ରହ କରି ଆଣିଥାନ୍ତି ।

ସେହିଭଳି ବିଦ୍ୟୁତ  ଆଲୁଅ ବ୍ୟବସ୍ଥା ନକହିବା ଭଲ । ଗ୍ରାମରେ ବିଦ୍ୟୁତ  ଆଲୁଅ ବ୍ୟବସ୍ଥା ରହିଛି ହେଲେ ନଥିବା ସଙ୍ଗେ ସମାନ । ବିଦ୍ୟୁତ ଚାଲିଗଲେ ପୁଣି କେତେବେଳେ ଏବଂ କେବେ ଆସିବ ତାହା ଠିକ ନଥାଏ ।

ଜଙ୍ଗଲ ଜମିପଟା ମିିଳିନଥିବା ବେଳେ ମନରେଗା ଯୋଜନାରେ ଦୀର୍ଘ ମାସ ଧରି କୌଣସି କାମ ମିଳୁନି, ଏଭଳି ଅନେକ ସମସ୍ୟା ମଧ୍ୟ ଦେଇ ଗ୍ରାମବାସୀ ବର୍ଷ ବର୍ଷ ଧରି ଜୀବନ କାଟି ଆସୁଛନ୍ତି । ଗ୍ରାମର ସରୋଜ ଭୁୟାଁ ଅଭିନୟ ଭୂୟାଁ,  ପ୍ରଫୁଲ କିଙ୍ଗାଲ, ଦିବାକର ଭୁୟାଁ, ଟିକିରି ବଡମୁଣ୍ଡି, ଲକ୍ଷ୍ମି କିଙ୍ଗାଲ ପ୍ରମୁଖ ଅଭିଯୋଗରେ କହିଛନ୍ତି ଯେ ତିତିଲି ବାତ୍ୟା  ଆସି ଆମର ସମସ୍ୟା ଦ୍ୱିଗୁଣ ବଢିଯାଇଛି । ଏହି ବାତ୍ୟାରେ ଘର ଦ୍ୱାର ସବୁ ଭାଙ୍ଗିଯିବା ସହ ଛେଳି କୁକୁଡା  ପ୍ରଭୃତି ମରିଗଲେ ଏବଂ ଜୀବନ ଜିବିକା ପାଇଁ ପାହାଡରେ ଥିବା କାଜୁ,ଆମ୍ୱ, ପଣସ,ମହୁଲ , ତେନ୍ତୁଳି ପ୍ରଭୃତି ଗଛ ନଷ୍ଟ ହୋଇଯିବା ସହ ପାହାଡ ଧୋଇ ହୋଇ ପୋଟୁମାଟି ଧସିଯାଇଛି, ଏମିତିକି ବର୍ଷ ବର୍ଷ ଧରି ଆମର ଜୀବନଜିବିକା ଯେଉଁ ରହିଥିଲା ତାହା ପୁଣି ୨୫/୩୦ ବର୍ଷ ପଛକୁ ଚାଲିଯାଇଛି । ଘର ଭାଙ୍ଗିଯାଇଥିବା ଯୋଗୁଁ ରହିିବା ପାଇଁ ଖୋଲା ଆକାଶ ହିଁ ସାହ ହୋଇ ରହିଛି ।

ଏତେ ସବୁ କ୍ଷୟକ୍ଷତିଓ ଜୀବନଜିବିକା ଉଜୁଡି ଯାଇଥିବା ବେଳେ ଆମ ମାନଙ୍କୁ ସରକାରୀ ସହାୟତା ଭାବେ ୫୦କେଜି ଚାଉଳ, ୧ ହଜାର ଟଙ୍କା ମାତ୍ର ମିଳିଥିବା ବେଳେ ଘରଭଙ୍ଗା ସାହାଯ୍ୟ କି ଅନ୍ୟାନ୍ୟ ସରକାରୀ ସହାୟତା ମିଳିନି ବୋଲି ଗ୍ରାମବାସୀ ଅଭିଯୋଗରେ କହିଛନ୍ତି ।

ଏ ସମ୍ପର୍କରେ ଉପରିସ୍ଥ ଅଧିକାରୀ, ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ଗ୍ରାମବାସୀ ଅଭିଯୋଗ ଓ ଗୁହାରୀ ଜଣାଇଥିଲେ ମଧ୍ୟ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନି ବୋଲି ଗ୍ରାମବାସୀ ଅଭିଯୋଗରେ ଜଣାଇଛନ୍ତି ।

ଗୋଳିଆ ସ୍ଥିତିରେ ଲଢେଇ, କିଏ ନେବ କି ରାଜାଙ୍କ ଗାଦି ଛଡେଇ !!!! ମୋରଡ଼ା ସିଂହାସନ , କିଏ କିଣିବ ଭୋଟରଙ୍କ ମନ !

ଏଥର ସମ୍ଭାଳ ବ୍ୟୁରୋ (ମୋରଡା) – ମୟୂରଭଞ୍ଜ ଜିଲ୍ଲାର ୯ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ୩୪ନଂ ମୋରଡ଼ା ନିର୍ବାଚନ ମଣ୍ଡଳୀ ଅଣସଂରକ୍ଷିତ ରହିଥିବାରୁ ରାଜନୈତିକ ଦୃଷ୍ଟିକୋଣରୁ ଏହା ଅନେକ ଗୁରୁତ୍ୱ ବହନ କରିଥାଏ । ୨୦୦୮ ବିଧାନସଭା ଆସନ ପୁର୍ନଗଠନ ସମୟରେ ଶୁଳିଆପଦା, ରାସଗୋବିନ୍ଦପୁର ଓ ମୋରଡ଼ା ବ୍ଲକକୁ ନେଇ ଏହା ପୁଣି ଥରେ ନିର୍ବାଚନ ମଣ୍ଡଳୀ ଭାବେ ସ୍ୱୀକୃତି ପାଇଥିଲା । ୨୦୦୯ରେ ବିଜଦ ଟିକଟରେ ମୟୂରଭଞ୍ଜ ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓ ବିଭାନସଭାକୁ ନିର୍ବାଚିତ ହୋଇଥିଲେ । ନିର୍ବାଚନର ଫଳାଫଳ ଅନୁସାରେ ବିଜଦ ୨୮.୮୬ ହାରରେ ମୋଟ ୩୭,୬୦୯ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବା ବେଳେ ଝାମୁମୋ ୨୪.୧୦ ପ୍ରତିଶତ ହାରରେ ମୋଟ ୩୧,୪୦୮ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, ଭାଜପା ୨୦.୬୯ ହାରରେ ମୋଟ ୨୬,୯୫୫ ଖଣ୍ଡ ଭୋଟ ପାଇ ତୃତୀୟ ଓ କଂଗ୍ରେସ ୧୫.୮୦ ପ୍ରତିଶତ ହାରରେ ମୋଟ ୨୦,୫୮୭ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ମୟୂରଭଞ୍ଜ ଗଡ଼ଜାତ ରାଜ୍ୟରେ ମହାରାଜାମାନେ ପ୍ରଜାବତ୍ସଳ ଓ ସୁଶାସକ ରହିଥିବାରୁ ମୋରଡ଼ା ନିର୍ବାଚନ ମଣ୍ଡଳୀର ସାର୍ବଜନୀନ ବିକାଶ ନିମନ୍ତେ ମୋରଡ଼ାବାସୀ ମହାରାଜା ପ୍ରବୀଣଙ୍କ ଉପରେ ଗଭୀର ଆସ୍ଥାପ୍ରକଟ କରିଥିଲେ ; କିନ୍ତୁ ପରବର୍ତ୍ତି ସମୟରେ ମହାରାଜା ପ୍ରବୀଣଙ୍କ ଉପରୁ ଜନସାଧାରଣଙ୍କ ଆଶା ଓ ଭରସା ଆସ୍ତେ ଆସ୍ତେ ତୁଟିବାରେ ଲାଗିଲା । ନିର୍ବାଚନ ମଣ୍ଡଳୀରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାରେ ଲାଗିଲେ । ଫଳରେ ୨୦୧୪ ସାଧାରଣ ନିର୍ବାଚନ ବୈତରଣୀ ପାର ହେବା ନିମନ୍ତେ ମହାରାଜା ପ୍ରବୀଣଙ୍କୁ ପ୍ରବଳ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ବିଜଦ ଧନ ବଳ, ଶାସନ କଳ ଓ ବାହୁବଳ ପ୍ରୟୋଗ କରି ନିର୍ବାଚନକୁ ଜିତିଥିବାର ବିରୋଧୀ ପକ୍ଷ ଅଭିଯୋଗ ବାଢ଼ିଥିଲେ । ୨୦୧୪ ବିଧାନସଭା ନିର୍ବାଚନରେ ବିଜଦ ବିଧାୟକ ମହାରାଜା ଶ୍ରୀଭଞ୍ଜଦେଓ ୩୨. ୦୩ ପ୍ରତିଶତ ହାରରେ ୫୨, ୨୦୭ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିବା ବେଳେ ଭାଜପା ୨୭. ୭୬ ହାରରେ ୪୫, ୨୫୧ ଖଣ୍ଡ ଭୋଟ ପାଇ ଦ୍ୱିତୀୟ, କଂଗ୍ରେସ ୧୫. ୨୧ ପ୍ରତିଶତ ହାରରେ ୨୪, ୭୯୦ ଖଣ୍ଡ ଭୋଟ ପାଇ ତୃତୀୟ ଓ ଝାମୁମୋ ୧୦. ୬୭ ପ୍ରତିଶତ ହାରରେ ୧୭,୩୯୧ ଖଣ୍ଡ ଭୋଟ ପାଇ ଚତୃର୍ଥ ସ୍ଥାନରେ ରହିଥିଲା । ୨୦୧୪ ନିର୍ବାଚନରେ ବିଜଦ ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ତୁଳନାରେ ଭୋଟର ହାର ୧.୧୦ ପ୍ରତିଶତ ତଳକୁ ଖସି ଆସିଥିଲା । ଏହାପରେ ୨୦୧୭ରେ ସମାପ୍ତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ମୋରଡ଼ା ନିର୍ବାଚନ ମଣ୍ଡଳୀରେ ବିଜଦ ମାଟି କାମୁଡ଼ି ଆଣ୍ଠେଇ ପଡ଼ିଥିଲା । ନିର୍ବାଚନ ମଣ୍ଡଳୀର ଶୁଳିଆପଦା, ମୋରଡ଼ା ଓ ରାସଗୋବିନ୍ଦପୁର ତିନୋଟି ବ୍ଲକକୁ ଭାଜପା ବିଜଦ ହାତରୁ ଛଡାଇ  ନେଇଥିବା ସମୟରେ ୭ଟି ଜିଲ୍ଲାପରିଷଦ ଜୋନ ମଧ୍ୟରୁ ୩୮, ୩୯, ୪୦, ୪୭, ୫୩ ଓ ୫୪ ନଂ ଜିଲ୍ଲାପରିଷଦ ଆସନକୁ ମଧ୍ୟ ଛଡାଇ ନେଇଥିଲା । କେବଳ ବିଜଦ ୪୮ ନଂ ଜୋନକୁ ପୁଣି ଥରେ ଦଖଲରେ ରଖିପାରିଥିଲା ।

ମୋରଡ଼ା ବିଧାୟକ ତଥା ବିଜଦର ଜିଲ୍ଲା ସଭାପତି ମହାରାଜା ପ୍ରବୀଣ ଚନ୍ଦ୍ର ଭଞ୍ଜଦେଓଙ୍କୁ କେନ୍ଦ୍ର କରି ନିର୍ବାଚନ ମଣ୍ଡଳୀରେ  ଶଙ୍ଖ ମାର୍କା ବିଜଦ ଦଳରେ ଦୀର୍ଘ ଦିନ ଧରି ଲାଗି ରହିଥିବା ଗୋଷ୍ଠୀ  କନ୍ଦଳ ସିଧାସଳଖ ଭାବେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ପ୍ରଭାବିତ କରାଇଥିଲା ।  ନିର୍ବାନ ମଣ୍ଡଳୀରେ ବିଜଦର ସ୍ଥିତାବସ୍ଥାକୁ ଦେଖି ୨୦୧୯ରେ ହାଇକମାଣ୍ଡ ନୂଆ ମୁହଁ ସପକ୍ଷରେ ରହିଥିବାର ପୂର୍ବାନୁମାନ କରି ବହୁ ଦଳୀୟ ଆଶାୟୀ ନିର୍ବାଚନ ମଣ୍ଡଳୀରେ କ୍ଷେତ୍ର ପ୍ରସ୍ତୁତି ସହିତ ଜନତାଙ୍କ ସମର୍ଥନ ଜୁଟାଇବା ନିମନ୍ତେ ଉଦ୍ୟମ ଆରମ୍ଭ କରି ଦେଇଛନ୍ତି । ନିର୍ବାଚନ ଯେତିକ ନିକଟତର ହେଉଛି ସେହି ପରିମାଣରେ ଆଶାୟୀମାନଙ୍କର ସଂଖ୍ୟା ଲମ୍ବିବାରେ ଲାଗିଛି । ଦୌଡ଼ରେ ପୂର୍ବତନ ବିଧାୟକ ଛତିଶ ଧଳ, ସମାଜସେବୀ ତଥା ଜିଲ୍ଲା ବିଜଦର ଉପସଭାପତି ଯୁବ ନେତା ଡ଼ା. ଆଦିତ୍ୟ କୁମାର ପଣ୍ଡା, କୃଷ୍ଣ ଚନ୍ଦ୍ର ଦାସ, ଜିଲ୍ଲା କାର୍ଯ୍ୟକାରିଣୀ ସଭାପତି ବାବୁ ଓରଫ ଦେବାଶିଷ ମହାନ୍ତି ପ୍ରମୁଖଙ୍କ ନାମ ଆଗଧାଡ଼ିରେ ରହିଥିବା ବେଳେ ମହାରାଣୀ, କମଳେନ୍ଦୁ ମହାନ୍ତ, ରାମଚନ୍ଦ୍ର ଦାସ, ଦୀପ୍ତି ଲତା ମିଶ୍ର ପ୍ରମୁଖ ଚର୍ଚ୍ଚା ପରିସରରେ ରହିଛନ୍ତି । ଏପରିକି ଏବେ ଫେସବୁକରେ ନିଜକୁ “ମୋରଡା ମାଟିର ବକୁ” ବୋଲି ଶିବରାତ୍ରି ଶୁଭେଚ୍ଛା ପୋଷ୍ଟ କରି ମୋରଡାରୁ ଠିଆ ହେବାର ଅଭିପ୍ସା ଜାହିର କରିଛନ୍ତି ରାଜ୍ୟ ମହିଳା ବିଜେଡି ସମ୍ପାଦିକା ସମ୍ପା ମଜୁମଦାର | ହେଲେ  ମହାରାଜା, ମହାରାଣୀଙ୍କ ପରେ ଦେବାଶିଷ ମହାନ୍ତି ଜିଲ୍ଲା ରାଜନୀତିରେ ଆଗରେ ରହିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ଆଞ୍ଚଳିକ ପ୍ରାର୍ଥୀ ଉପରେ ଗୁରୁତ୍ୱ ଦେଉଥିବା କାରଣରୁ ସମାଜସେବୀ ଡ଼ା. ପଣ୍ଡାଙ୍କ ନାମ ସର୍ବାଗ୍ରେ ରହିଥିବା ବେଳେ ତାଙ୍କ ତଳେ କୃଷ୍ଣ ଦାସ ରହିଥିବାର ଜଣାପଡ଼ିଛି ।  ସେହିପରି ଭାଜପାରେ ମଧ୍ୟ ଗୋଷ୍ଠୀ  କନ୍ଦଳ ଉଗ୍ର ରୂପ ଧାରଣ କରିଛି । ରାଜ୍ୟ ବିଜେପିର ଉପସଭାପତି ତଥା ପୂର୍ବତନ ବିଧାୟକ ପ୍ରାର୍ଥୀ ରାଜ କିଶୋର ଦାସ ଓ ମୟୂରଭଞ୍ଜ ପୂର୍ବ ଜିଲ୍ଲା ସଭାପତି ଡ଼ା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ  ମଧ୍ୟରେ ଦୀର୍ଘ ଦିନ ଧରି ଶୀତଳ ଯୁଦ୍ଧ ଚାଲିଆସୁଥିବାର ପରିଲକ୍ଷିତ ହୋଇଛି । ୨୦୧୯ରେ ଏହି ଦୁଇ ଜଣ ଆଶାୟୀ ତାଲିକାରେ ଚର୍ଚ୍ଚା ପରିସରରେ ରହିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଛୋଟଲାଲ ମହାନ୍ତ, ମଳୟ କୁମାର ଜେନା ପ୍ରମୁଖ ରହିଛନ୍ତି । ପୁଣି କଂଗ୍ରେସ ଓ ଜେଏମଏମ ମେଣ୍ଟରୁ ମୋରଡ଼ା ଆସନ ନିମନ୍ତେ ଜେଏମଏମର ରାଜ୍ୟ ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା ଦାବିଦାର ରହିଥିବା ବେଳେ କଂଗ୍ରେସର ଜିଲ୍ଲା ସଭାପତି ହେମନ୍ତ ଦାସ, ପୂର୍ବତନ ଜିଲ୍ଲା ସଭାପତି ଆଇନଜୀବୀ ପ୍ରଦୀପ ରଥ,  ପୂର୍ବତନ ପ୍ରାର୍ଥୀ ପ୍ରଭାସ କରମହାପାତ୍ର ଓ ପ୍ରକାଶ କିଶୋର ନାୟକ ଦୌଡ଼ରେ ରହିଛନ୍ତି ।  ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ରାଜ୍ୟବାସୀଙ୍କ ସାମଗ୍ରୀକ ବିକାଶ ନିମନ୍ତେ ଯୋଜନା ପରେ ଯୋଜନା କାର୍ଯ୍ୟକରୀ କରିଚାଲିଥିବା ବେଳେ ନିର୍ବାଚନ ମଣ୍ଡଳୀରେ ବିଧାୟକ ମହାରାଜା ପ୍ରବୀଣ ଜନତାଙ୍କ ନିକଟରୁ ନିଜକୁ ଦୂରେଇ ରଖିବା, ବିଜଦର ପୁରୁଖା ଓ ନୂଆ କର୍ମୀମାନଙ୍କୁ ଅଣଦେଖା ପ୍ରଦର୍ଶନ କରି ମୁଷ୍ଟିମେୟ ବ୍ୟକ୍ତିଙ୍କ ହାତରେ ସଖୀ କଣ୍ଢେଇ ସାଜିବା ଆଦିକୁ ନେଇ ବିଜଦରେ ଆସନ୍ତୋଷର ନିଆଁ ବହୁ ଦିନରୁ କୁହୁଳିବାରେ ଲାଗିଥିଲା । ପୁଣି ନିର୍ବାଚନ ମଣ୍ଡଳୀରେ ଗମନାଗମନ, ପାନୀୟ ଜଳ ଯୋଗାଣ, ବିଭିନ୍ନ ଗ୍ରାମ ଓ ସାହିକୁ ବିଦ୍ୟୁତ  ସଂଯୋଗ ହୋଇ ନପାରିବା, ଶିକ୍ଷା, ଗମନାଗମନ, ସ୍ୱାସ୍ଥ୍ୟ ସେବା ଆଦି ଶହଶହ ସମସ୍ୟାରେ ଜନସାଧାରଣ ଉବୁଟୁବୁ ହୋଇ ବାରମ୍ବାର ବିଧାୟକ, ମନ୍ତ୍ରୀ ଓ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ ସେମାନଙ୍କ ସମସ୍ୟା ପ୍ରତି କେହି କର୍ଣ୍ଣପାତ କରିନାହାନ୍ତି । ଏଥିରୁ ବିରୋଧୀ ବିଜେପି ଓ ଝାମୁମୋ ଫାଇଦା ଉଠାଇବାକୁ ଆଗେଇ ଆସି ଆନ୍ଦୋଳନ  ଓ ବନ୍ଦ ପାଳନ କରିଥିଲେ । ତେବେ ନିର୍ବାଚନ ମଣ୍ଡଳୀରେ ସମସ୍ତ ରାଜନୈତିକ ଦଳର ମୁଖିଆ ନୂଆ ମୁହଁ ସପକ୍ଷରେ ଥିବାର ଜଣାପଡ଼ିଛି ଏବଂ ୨୦୧୯ରେ ବିଜେଡ଼ି ସହିତ ଭାଜପା ଓ କଂଗ୍ରେସ- ଝାମୁମୋ ମେଣ୍ଟ ମଧ୍ୟରେ ତ୍ରିମୁଖୀ ଲଢେ଼ଇ ହେବାର ସମ୍ଭାବନା ଦେଖା ଦେଇଥିବା ବେଳେ ବିଜେପିର ରାଜ୍ୟ ଉପସଭାପତି ଓ ଜିଲ୍ଲା ସଭାପତିଙ୍କ ବାଡ଼ିଆବାଡେ଼ଇରୁ ବିଜେଡ଼ିକୁ ଅଧିକ ଫାଇଦା ମିଳିବ ବୋଲି ଆକଳନ କରାଯାଉଛି । ତେବେ ଉଭୟ ବିଜେଡ଼ି, ବିଜେପି ଓ ମେଣ୍ଟ ନିଜ ନିଜର ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ହୋଇପଡ଼ିଥିବା ବେଳେ ନିର୍ବାଚନ ମଣ୍ଡଳୀର ଜନମତ କାହା ସପକ୍ଷରେ ଯିବ ତାହା ମେ ୨୩ ଭୋଟ ଗଣତି ପରେ ଜଣାପଡ଼ିବ ।

ନବୀନଙ୍କୁ ଦାମଙ୍କ ଚୁଗୁଲି : ଆପଣମାନେ ଖୁସି ତ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦିଲ୍ଲୀରେ ପଦ୍ମ ଧରିବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ଆଜି ଓଡ଼ିଶା ଫେରିଛନ୍ତି। ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ପରେ ତାଙ୍କୁ ଏକ ଶୋଭାଯାତ୍ରାରେ ବିଜେପି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ତାଙ୍କ ପାଇଁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ସଭାରେ ଦାମ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଥିଲେ।

ଏହି ସଭାରେ ଦାମବାବୁ ନବୀନଙ୍କ ଚିରାଚରିତ ସଂଳାପ ‘ଆପଣମାନେ ଖୁସି ତ’କୁ ନେଇ ପରୋକ୍ଷରେ ନବୀନଙ୍କୁ କଟାକ୍ଷ କରିଥିଲେ। ବିଜୁ ପରିବାର ସହ ଦୀର୍ଘ ୪୫ ବର୍ଷର ସମ୍ପର୍କ ତୁଟାଇ ବିଜେପିରେ ଯୋଗଦେବା ପରେ ‘ଆପଣମାନେ ଖୁସି ତ’ ବୋଲି ଦାମ ଉପସ୍ଥିତ ବିଜେପି କର୍ମୀ ଓ ସମର୍ଥକଙ୍କୁ ପଚାରିଥିଲେ। ଏହାକୁ ନେଇ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିଲା।

କେବଳ ଦାମବାବୁ ନୁହନ୍ତି, ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ନବୀନଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ପ୍ରଥମ ଓଭରରେ ଛକା ପିଟା ଯାଇ ସାରିଲାଣି। ଆହୁରି ବହୁତ ଓଭର ଖେଳ ବାକି ଅଛି। ଆପଣ ଦେଖନ୍ତୁ କେତେ ସ୍କୋର ହେଉଛି। ବହୁତ ବରିଷ୍ଠ ନେତା ଆସି ଭାରତୀୟ ଜନତା ପାର୍ଟିରେ ଯୋଗଦେବେ ଓ ଓଡ଼ିଶାରେ ପରିବର୍ତ୍ତନ କରାଇବେ।”

ସେ ଆହୁରି କହିଛନ୍ତି, “ଦାମବାବୁ, ବିଜୁବାବୁଙ୍କ ସମର୍ଥକ ଥିଲେ। ସେ ବିଜୁବାବୁ ଏବଂ ପରେ ତାଙ୍କ ପୁଅ ନବୀନଙ୍କ କ୍ୟାବିନେଟ୍‌ରେ ସ୍ଥାନ ପାଇଥିଲେ। ବର୍ତ୍ତମାନ ସେ ରାଜ୍ୟର ସବୁଠାରୁ ବୟସ୍କ ନିର୍ବାଚିତ ନେତା। ସେ ଯାହା କୁହନ୍ତି, ସାରା ଓଡ଼ିଶାର ଲୋକେ ଶୁଣିଥାନ୍ତି। ପରିବର୍ତ୍ତନର ସ୍ୱର ସେ ଚାରିଆଡେ ପହଞ୍ଚାଇ ପାରିବେ। ସେ ତାଙ୍କ ମନ୍ତବ୍ୟରେ ମଧ୍ୟ କହିଛନ୍ତି, ‘ଜୋରଦାର ହେଲା’। ଦାମବାବୁ ବିଜେପିକୁ ଆସିବା ଆମ ପାଇଁ ଲାଭ ହେବ।”

ସେ ଆହୁରି କହିଛନ୍ତି, “ବିଜୁ ବାବୁଙ୍କ ନାଁରେ ଯେଉଁ ଦଳ ଗଠନ ହୋଇଛି, ସେ ବିଜୁ ବାବୁଙ୍କୁ ଭୁଲି ଯାଇଛି। ବିଜୁ ବାବୁଙ୍କ ଆଦର୍ଶରେ ଯେଉଁମାନେ କାମ କରୁଥିଲେ, ସେମାନଙ୍କୁ ବାହାର କରିଦିଆଯାଉଛି। ସେମାନେ ଏବେ ବିଜେପିରେ ଏକଜୁଟ ହେଉଛନ୍ତି। ଏହାଦ୍ୱାରା ବିଜେପି ସୁଦୃଢ଼ ହେବ ଓ ଏହା ଓଡ଼ିଶା ପାଇଁ ଭଲ।”

ବିଜେପିରେ ସାମିଲ୍‌ ହେଲେ ପୂର୍ବତନ ବିଜେଡି ବିଧାୟକ ଓ ମହିଳା କମିଶନ ସଦସ୍ୟା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେପିରେ ଯୋଗଦେଇଛନ୍ତି ଆସିକାର ପୂର୍ବତନ ବିଜେଡି ବିଧାୟକ ସରୋଜ ପାଢ଼ୀ ଓ ମହିଳା କମିଶନର ପୂର୍ବତନ ସଦସ୍ୟା ତିଳୋତ୍ତମା ନାୟକ। ‘ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ’ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉଭୟ ଆଜି ଦଳରେ ସାମିଲ୍‌ ହୋଇଛନ୍ତି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତଙ୍କୁ ଉତ୍ତରୀୟ ଓ ଟୋପି ପିନ୍ଧାଇ ବିଧିବଦ୍ଧ ଭାବେ ଦଳରେ ସାମିଲ୍‌ କରାଇଛନ୍ତି।

ମିଶ୍ରଣ ପର୍ବ ପରେ ଶ୍ରୀ ପାଢ଼ୀ କହିଛନ୍ତି-“ବିଜେଡିରେ ମୁଁ ଅତିଷ୍ଠ ହୋଇପଡ଼ିଥିଲି। ତେଣୁ ମୋଦିଙ୍କ ବିକାଶ ଧାରାରେ ଅନୁପ୍ରାଣିତ ହୋଇ ଆଜି ବିଜେପିରେ ଯୋଗଦେଇଛି। ବିଜେପି ହିଁ ରାଜ୍ୟରେ ବିକାଶ କରିପାରିବ।” ସେହିପରି ଶ୍ରୀମତୀ ନାୟକ କହିଛନ୍ତି-“ଭ୍ରଷ୍ଟାଚାର ଓ ଦୁର୍ନୀତିରେ ବୁଡ଼ି ରହିଥିବା ଶାସକ ବିଜେଡିରେ ମହିଳାମାନଙ୍କ ପ୍ରତି ସମ୍ମାନ ନାହିଁ। ଏଭଳି ମହିଳା ବିରୋଧୀ ସରକାର ରାଜ୍ୟରେ ତୁରନ୍ତ ବଦଳିବା ଆବଶ୍ୟକ।”

ଏହି ମିଶ୍ରଣ ଦ୍ୱାରା ବିଜେପି ଆହୁରି ମଜବୁତ‌୍‍ ହେବ ବୋଲି ରାଜ୍ୟ ଉପ ସଭାପତି ସମୀର ମହାନ୍ତି କହିଛନ୍ତି। ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ସୁରମା ପାଢୀ, ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ଶ୍ରୀମତି ପ୍ରଭାତି ପରିଡା, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

RTI ତଥ୍ୟରୁ ଧରାପଡ଼ିଲା ବନବିଭାଗର ଚାଲାକି ; ଜଙ୍ଗଲରେ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି ଖଣି କମ୍ପାନୀ, ଚଢୁଛନ୍ତି ମନ୍ତ୍ରୀ ଓ ଅଫିସର !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଜଙ୍ଗଲ ଭିତରେ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି ଖଣି କମ୍ପାନୀ। ମାତ୍ର ଗାଡ଼ିଗୁଡ଼ିକୁ ବ୍ୟବହାର କରୁଛନ୍ତି ବିଭାଗୀୟ ମନ୍ତ୍ରୀ ଓ ଅଧିକାରୀ। ସୂଚନା ଅଧିକାର ଆଇନ୍‌ ବଳରେ ଏପରି ଭୟଙ୍କର ତଥ୍ୟ ପଦାକୁ ଆସିବା ପରେ, ବନ ବିଭାଗର ଚାଲାକି ପଦାରେ ପଡ଼ିଯାଇଛି।

ବଣ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ଖଣି କମ୍ପାନୀମାନେ ବନବିଭାଗକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେଉଛନ୍ତି। ହେଲେ ଏ ସବୁ ଗାଡ଼ି ବଣ୍ୟଜନ୍ତୁଙ୍କ ସୁରକ୍ଷାରେ ବ୍ୟବହାର ନହୋଇ ବ୍ୟକ୍ତିଗତ କାମରେ ଲଗାଯାଉଥିବା ଅଭିଯୋଗ ହୋଇଆସୁଥିଲା। ଏହାର ସଦ୍ୟ ପ୍ରମାଣ ହେଉଛି OD-02 AK 4500 ମଡେଲ ଟୋୟଟା ଇନୋଭା କ୍ରିଷ୍ଟା ଗାଡ଼ି। ଏହି ଗାଡ଼ିରେ ଜଙ୍ଗଲ ଓ ପରିବେଶ ବିଭାଗର ଷ୍ଟିକର ଲାଗିଛି। କିନ୍ତୁ ଏହାକୁ ବ୍ୟବହାର କରୁଛନ୍ତି ଖୋଦ୍‌ ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ। ବାସ୍ତବରେ ଗାଡ଼ିଟି ଆସିଥିଲା ବନ୍ୟଜନ୍ତୁ ସଂରକ୍ଷଣ ଓ ପାଟ୍ରୋଲିଂ ଉଦ୍ଦେଶ୍ୟରେ, କିନ୍ତୁ ଏବେ ଲାଗୁଛି ମନ୍ତ୍ରୀଙ୍କ ସେବାରେ। ଏବେ ପ୍ରଶ୍ନ ଉଠୁଛି, ବନ ବିଭାଗ ପାଟ୍ରୋଲିଂ ଲାଗି ଉଦ୍ଦିଷ୍ଟ ଗାଡ଼ିକୁ ମନ୍ତ୍ରୀ ଚଢୁଛନ୍ତି କାହିଁକି? ତା’ର ଗୁମର ଖୋଲିଛି RTI ତଥ୍ୟ।

ସରକାରୀ ବ୍ୟବସ୍ଥା ଅନୁଯାୟୀ, ଜଙ୍ଗଲ ବିଭାଗକୁ ପାଟ୍ରୋଲିଂ ଲାଗି ଏହି ଗାଡ଼ି ଦେଇଛି ଏକ ଖଣି କମ୍ପାନୀ। ତେଣୁ ବିଭାଗକୁ ଆଉ ପାଟ୍ରୋଲିଂ ଗାଡ଼ି କିଣିବାକୁ ପଡୁନି। ହେଲେ ସେହି ଟଙ୍କାରେ ମନ୍ତ୍ରୀ ଓ ବିଭାଗୀୟ କର୍ମଚାରୀମାନେ, ଲକ୍‌ଜୁରୀ ଗାଡ଼ି କିଣି ବ୍ୟବହାର କରୁଛନ୍ତି। ଗତ ୨ ବର୍ଷ ଭିତରେ ମନ୍ତ୍ରୀଙ୍କ ସହ ୧୨ ଜଣ DFO ଖଣି କମ୍ପାନୀଙ୍କଠାରୁ ଇନୋଭା, ସ୍କୋର୍ପିଓ ଓ ମହିନ୍ଦ୍ରା ଭଳି ଏସ୍ୟୁଭି ଦାମୀ ଓ ବିଳାଶପୂର୍ଣ୍ଣ ଗାଡ଼ି ନେଇ ବ୍ୟବହାର କରୁଥିବା ସାମ୍ନାକୁ ଆସିଛି।

ସାମାଜିକ କର୍ମୀ ବିଶ୍ୱଜିତ ମହାନ୍ତି କହିଛନ୍ତି- “ଖଣି କମ୍ପାନୀମାନେ ଦେଇଥିବା ଦାମୀ ଗାଡ଼ିଗୁଡ଼ିକ ଜଙ୍ଗଲ ବିଭାଗର ହେଡ୍‌ ଅଫିସରେ ବ୍ୟବହାର ହେଉଛି। ଜଙ୍ଗଲ ବିଭାଗର ଉଚ୍ଚପଦସ୍ଥ ଅଧିକାରୀମାନେ ଏଗୁଡ଼ିକୁ ଚଢ଼ୁଛନ୍ତି। ସେହିପରି ଜଙ୍ଗଲ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ଚଢ଼ୁଥିବା ଦାମୀ ଗାଡ଼ିକୁ ଟାଟା ମାଇନ୍ସ ଦେଇଛି। ତାହାହେଲେ ଏହି ରାଜ୍ୟରେ ଜଙ୍ଗଲ ଆଇନ୍‌ କିପରି କାର୍ଯ୍ୟକାରୀ ହେବ।”

ଖଣି ଖାଦାନ ଚାରି ପାଖରେ ଥିବା ଜଙ୍ଗଲ ଓ ବଣ୍ୟଜନ୍ତୁଙ୍କ ସୁରକ୍ଷା ଲାଗି ମାଇନ୍ସ କମ୍ପାନୀମାନେ ବନବିଭାଗକୁ ପାଟ୍ରୋଲିଂ ପାଇଁ ଗାଡ଼ି ଦେବାର ବ୍ୟବସ୍ଥା ରହିଛି। ଅର୍ଥ ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ଖଣି କମ୍ପାନୀ କେବଳ ଜିପ୍‌ ଓ ବୋଲେରୋ ଭଳି ନନ୍‌-ଏସି ଗାଡ଼ି ଦେବେ। ଆବଶ୍ୟକ ସ୍ଥଳେ କାମ୍ପା (କମ୍ପେନ୍‌ସେଟୋରୀ ଆଫରେଷ୍ଟେସନ୍‌ ଫଣ୍ଡ ମ୍ୟାନେଜମେଣ୍ଟ ଆଣ୍ଡ ପ୍ଲାନିଂ ଅଥରିଟି) ପାଣ୍ଠିରୁ ମଧ୍ୟ ଗାଡ଼ି କିଣା ଯାଇପାରିବ। ତେବେ ଏହି ପାଣ୍ଠିରୁ ଦାମୀ ଗାଡ଼ି କିଣିବାର ବ୍ୟବସ୍ଥା ନଥିବାରୁ ବିଭାଗୀୟ ଅଧିକାରୀ ଗଳାବାଟ ଖୋଜି ସଉକ କରୁଥିବା କୁହାଯାଉଛି।

ଅନ୍ୟପକ୍ଷରେ ଖଣି ଖୋଳା ଲାଗି ପରିବେଶ ମଞ୍ଜୁରୀ କ୍ଷମତା, ଜଙ୍ଗଲ ଓ ପରିବେଶ ବିଭାଗ ହାତରେ ଥିବାରୁ ଖଣି କମ୍ପାନୀ ବି ଅନୁଗ୍ରହ ଦେଖାଇବାକୁ ପଛାଉନାହାନ୍ତି। ଖଣି କମ୍ପାନୀ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ଏହି ମଧୁଚନ୍ଦ୍ରିକାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି- “ଖଣି ମାଲିକ ଓ ଓଡ଼ିଶା ସରକାର ମିଶି ରାଜ୍ୟବାସୀଙ୍କୁ ଲୁଟୁଛନ୍ତି। ଏନେଇ ଆମେ ପୂର୍ବରୁ ଅଭିଯୋଗ କରିଆସୁଥିଲୁ। ଏହା ଆଜି ସତରେ ପ୍ରମାଣିତ ହୋଇଛି।”

ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ କହିଛନ୍ତି- “ଜଙ୍ଗଲ ବିଭାଗର ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଗାଡ଼ି ମିଳିଛି। ଏହା ସତ୍ତ୍ୱେ ପାଟ୍ରୋଲିଂ ପାଇଁ ଆସିଥିବା ଗାଡ଼ି ଗୁଡ଼ିକୁ କିପରି ବ୍ୟବହାର କରାଯାଉଛି?”

ଜଙ୍ଗଲ ବିଭାଗରେ ଏଭଳି ବେଆଇନ କାମ୍ ନେଇ ଆମେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲୁ। ତେବେ ଖୋଦ ମନ୍ତ୍ରୀ ଏଥିରେ ସଂପୃକ୍ତ ଥିବାରୁ ସେ ଯାହା ପ୍ରତିକ୍ରିୟା ଦେଇଥିବେ ତାହା ଦର୍ଶକ ସହଜରେ ବୁଝିପାରୁଥିବେ।

ଲାହିରେ ତେଲ ଦେଇ ଶୋଇଛି ପ୍ରଶାସନ ; ଆନ୍ଧ୍ରରେ ୨୪ ଓଡ଼ିଆ ଦାଦନ ବନ୍ଧକ !

ଏଥର ସମ୍ଭାଳ ବ୍ୟୁରୋ (ନୁଆପଡ଼ା) – ନୂଆପଡା ଜିଲ୍ଲା ସିନାପାଲି  ଥାନା ଗୋଡଲ ଗ୍ରାପ ମହଗାଁ ର 24ଦାଦନ ବନ୍ଧା ପଡିବା ଘଟଣା କୁ 20ଦିନ ବିତି ଯାଇଥିଲେ ମଧ୍ୟ ସେମାନଙ୍କ ଉଦ୍ଧାର ଲାଗି ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ  ନିଆଯାଉନଥିବା ଅଭିଯୋଗ ହୋଇଛି ! ପ୍ରଶାସନ ନୀରବଦ୍ରଷ୍ଟା ସାଜିଥିବା ବେଳେ ଆଜି ବନ୍ଧକ ଶ୍ରମିକ ପରିବାର ମହିଳା ମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ବନ୍ଧକ ଶ୍ରମିକଙ୍କୁ ତୁରନ୍ତ ଉଦ୍ଧାର କରିବାକୁ ଗୁହାରି କରିଥିଲେ ! ସରକାରୀ କାମଧନ୍ଦା ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ମହଗାଁର 5ଶିଶୁ ସମେତ ମୋଟ 24ଜଣ ପୁରୁଷ ମହିଳା ଦାଦନ ଡିସେମ୍ବର 28ରେ ଆନ୍ଧ୍ରପ୍ରଦେଶ ଏକ ଇଟା ଭାଟିକୁ ଖଟିବାକୁ ଯାଇଥିଲେ ! ସିନପାଲ୍ଲୀ ବ୍ଲକ କୁର୍ଲୁଭଟା ଗାଁ ର ଶ୍ରମିକ ଦଲାଲ ବନବିହାରୀ ବାଗଙ୍କ ଜରିଆରେ ଗାଁର 10ପରିବାର ହାଇଦ୍ରାବାଦ ସହରକୁ ଯାଇଥିଲେ ! ସେମାନେ ହେଲେ ଅମୃତ ହରିଜନ, ସ୍ତ୍ରୀ ତିଲୋତମା ଭଉଣୀ କୁମାରୀ, ରାଜାରାମ ହରିଜନ, ପୁଅ କାନ୍ତ ହରିଜନ, ନାତି ସତ୍ୟବାନ, ଝିଅ ଶକୁନ୍ତଳା, ରାମେଶ୍ୱର ତାଣ୍ଡି, ସ୍ତ୍ରୀ ଚମ୍ପା, ପୁଅ ପୂର୍ଣ୍ଣ, ଇନ୍ଦ୍ର ହରିଜନ, ସ୍ତ୍ରୀ ସୁମିତ୍ରା, ସନ୍ତୋଷ ଦୀପ, ସ୍ତ୍ରୀ ରତନେ, ଝିଅ ବୀଣା, ମହେଶ୍ୱର ହରିଜନ ସ୍ତ୍ରୀ ଲତା, ଝିଅ ବର୍ଷା, ବାପା ତୁଲାରାମ, ଡମବୁ ଢା  ରାଉତ,ରୂପଧର ରାଉତ, ଦୁର୍ଯୋଧନ ହରିଜନ ପ୍ରମୁଖ !ସେଠାରେ କୁଣ୍ଡେଲ ଗୁଡା କଲୋନୀ ର ସିବିଆଇ ଇଟା ଭାଟି ରେ ଇଟା ତିଆରି କାମ ରେ ଏହି ଦାଦନ ମାନେ ନିୟୋଜିତ ହୋଇଥିଲେ !ଶ୍ରମିକ ମାନଙ୍କୁ କିଛି ଟଙ୍କା ଅଗ୍ରିମ ଦେଇ ଵାକୟା ଟଙ୍କା ଆନ୍ଧ୍ର ରେ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଥିଲେ !ସେଠାରେ ଟଙ୍କା ମାଗିବାରୁ ସଂପୃକ୍ତ ଇଟା ଭାଟି ମାଲିକ ମାନେ ନିର୍ଯ୍ୟାତନା ଦେଉଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ ! ଏନେଇ ଏଠାରେ ଥିବା ପରିବାର ଲୋକେ ଫେବୃଆରୀ 22ରେ ଶ୍ରମ ଅଧିକାରୀଙ୍କୁ ଭେଟି ଗୁହାରି କରିଥିଲେ ! ଏହି ଘଟଣାକୁ 20ଦିନ ବିତି ଯାଇଥିଲେ ମଧ୍ୟ ଶ୍ରମ ବିଭାଗ ନିରବଦ୍ରଷ୍ଟା ସାଜିଥିବାରୁ ବନ୍ଧକ ଶ୍ରମିକ ଉଦ୍ଧାର ହେଇ ପାରି ନାହିଁ ! ଶେଷ ରେ ବନ୍ଧକ ପରିବାର ମହିଳାମାନେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦ୍ୱାରସ୍ତ ହୋଇ ବନ୍ଧକ ଶ୍ରମିକମାନଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଗୁହାରି କରିଥିଲେ ! ତେବେ ତୁରନ୍ତ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କରା ନଗଲେ ଜିଲ୍ଲାପାଲ ଅଫିସ ସାମନାରେ  ଧାରଣା ରେ ବସିବୁ ବୋଲି ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗକୁ ଭାସ୍କର ବାଗ, ସାନ୍ତରା ହରିଜନ, ଦୌପଦି ରାଉତ, ସୁପା ହରିଜନ, ଜେଇ ମଣି ତାଣ୍ଡି ପ୍ରମୁଖ ଚେତାବନୀ ଦେଇଛନ୍ତି !

ବିଡିଏରେ ଯୋଗ ଦେଉନାହାନ୍ତି ଅନନ୍ତ , ବିଜେପି ଯିବେ ବୋଲି ଦାଣ୍ଡରେ ହାଟରେ ଚର୍ଚା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୂର୍ବତନ ମେୟର ଅନନ୍ତ ନାରାୟଣ ଜେନା ଓରଫ ବୁନୁଙ୍କୁ କୁଆଡେ ଏବେ ବିଜେଡି ଉପରେ ଖପ୍ପା | ତୃତୀୟ ମହଲା ବାବୁଙ୍କ ଉପରେ ଭାରି ଜୋରରେ ରାଗ | ଯେହେତୁ ଟିକଟ ମିଳିବାର ଚାନ୍ସ ନାହିଁ, ତେଣୁ ଦଳରେ ବି ସେ ରହିବାକୁ ଚାହୁଁନାହାନ୍ତି | ଆଉ ସେଠି ପାଇଁ ବିଡିଏରେ ଯୋଗ ଦେଇନାହାନ୍ତି । ଆଇଆରସିରେ ରହୁଥିବା ବିଜେପି ନେତ୍ରୀଙ୍କ ସହ ଯୋଗାଯୋଗରେ ଅଛନ୍ତି, ଆଉ ଖୁବ ଶୀଘ୍ର ବିଜେପିରେ ଜଏନ କରିବେ | ଏ  ଖବର ଏବେ ଖଟି ମାନଙ୍କରେ ଚର୍ଚ୍ଚା ହେଉଛି | କେତେ ସତ କେତେ ମିଛ ତାହା ବୁନୁଙ୍କୁ ଜଣା ଆଉ ଆଗାମୀ ସମୟ କହିବା । ହେଲେ ଏବେ ଯେଉଁ ଋତୁ ଚାଲିଛି ନା କେତେବେଳେ କଣ ଘଟିବ, କିଏ କେଉଁଠିକୁ ଯିବ କାହାକୁ କଣ ବାସିବ ତାହା କହିବା କଷ୍ଟକର |  ସେ ବିଜେପିରେ ଯାଇ ଉତ୍ତର ନିର୍ବାଚନ ମଣ୍ଡଳୀରେ ଠିଆ ହେବେ ବୋଲି ଚର୍ଚା | ଯଦି ଚର୍ଚ୍ଚାରେ କିଛିଟା ସତ୍ୟତା ଥାଏ ତେବେ ବୁନୁ ବଜେପି ପାଇଁ ଆସେଟ ହେବେ କି ବଡର୍ନ ! ନିଃସନ୍ଦେହ ବୁନୁ ଜଣେ ଭଲ ସଂଗଠକ । ଭୁବନେଶ୍ୱର ଉତ୍ତର ରେ ସେ ନିଜ ପାଇଁ ଭଲ  ବେସ ବି କରିଛନ୍ତି । ହେଲେ ସେ ବିଜେଡି ଛାଡି ବିଜେପି ଯିବେ ବୋଲି ଯେଉଁ ଚର୍ଚା ହେଉଚ୍ଜି ତାହା ଏତେ ସହଜ ନୁହେଁ କି ଚତୁର ବୁନୁ ସେଭଳି କିଛି ଚିନ୍ତା ନ କରି ପାରନ୍ତି ।

ସେକ୍ସ ସିଡ଼ିରେ ଛନ୍ଦି ହୋଇଥିବା ତଥା ଏକ ହତ୍ୟା ମାମଲାରେ ଯୋଡି ହୋଇଥିବା ବୁନୁଙ୍କୁ ଭୁବବେଶ୍ୱର ନିର୍ବାଚନରୁ ଦୁରେଇ ରଖିବା ପାଇଁ  ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ)ର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଥିଲା |  ତାହା ହେବ ପରେ ଜଳ ଜଳ ଦେଖା ଯାଉଥିଲା ଯେ,  ତାଙ୍କୁ ବିଧାୟକ ଟିକଟ ମିଳିବନି ତାହେଲେ ! ତାଙ୍କର ଯେଉଁ ଆଶା ଥିଲା ଉତ୍ତର ନିର୍ବାଚନ ମଣ୍ଡଳୀରୁ ପ୍ରିୟଙ୍କୁ ହଟାଇ ଜିଦରେ ଯେଉଁ ଯୋଜନା କରିଥିଲେ ତାହା ଅଧାରେ ରହିଯିବ | ମିଳିଥିବା ତଥ୍ୟ ଅନୁଯାୟି  କିଛି ଇଂଟରନାଲ ରିପୋର୍ଟ ଆସିଲା ଯେ ଭୁବନେଶ୍ୱରରେ ବୁନୁ ନିର୍ବାଚନ ବିଧାୟକ ଭାବେ ଠିଆ ହେଲେ ତାହାର ପ୍ରଭାବ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ ଉପରେ ପଡିବ ବୋଲି !!  କାରଣ  ସେ ଯେଉଁ ବିବାଦରେ ଛନ୍ଦି ହୋଇଥିଲେ, ତାହାକୁ ବିରୋଧୀ ଈସୁ କରିବ |  ମହାନଗର ନିଗମ ନିର୍ବାଚନ ବିଧାନସଭା ନିର୍ବାଚନ ଆଗରୁ ହୋଇଥିଲେ ବି ସେ ପ୍ରସଙ୍ଗ ଉଠିଥାନ୍ତା | ଏଭଳି ସୂଚନା ପାଇଁ  ନିର୍ବାଚନରୁ ବା ଏପରିକି ପ୍ରଚାରରୁ ଦୁରେଇ ରଖିବା ତାଙ୍କୁ ବିଡିଏ ରେ ନିଯୁକ୍ତି ଦେଇଥିଲା ବିଜେଡି |

ଏହା ପରେ ମେୟରଙ୍କ ଶିବିରରେ ଶିବିରରେ  ନିରାଶା ଖେଳିଯାଇଥିଲା  | ମୁଖ୍ୟମନ୍ତ୍ରି ଯେଉଁ ଦାୟିତ୍ୱ ଦେଇଛନ୍ତି ତାକୁ ସୁଚାରୁ ରୂପେ ତୁଲାଇବି ବୋଲି କହିଲେ ସିନା, ମୁହଁରେ ଜମା ସନ୍ତୁଷ୍ଟି ନଥିଲା | ଯେହେତୁ ବିଜେଡି ନେତୃତ୍ୱ କୌଣସି ମତ ପରିବର୍ତ୍ତନ କଲେ ନାହିଁ, ତେଣୁ ବୁନୁ କୁଆଡେ ବାବୁ ସିଂଙ୍କ ପରି ବିଜେପିରେ ଯୋଗ ଦେବେ | ହେଲେ ବିଜେପି କେତେଦୂର  ଦୁଇଟି ବିବାଦୀୟ ମାମଲାରେ ଛନ୍ଦି ହୋଇଥିବା ବୁନୁଙ୍କୁ ଗ୍ରହଣ କରିବ ତାହା ଏବେ କୋଟିଏ ତାଙ୍କର ପ୍ରଶ୍ନ | ବାବୁ ଜଣେ ନିଷ୍କଳଙ୍କ ନେତା, ଭଲ ସଂଗଠକ | ହେଲେ ବୁନୁ ଜଣେ  ଭଲ ସଂଗଠକ, କେଲେ ବିବାଦରେ ଛନ୍ଦି ହୋଇଛନ୍ତି,  ଯାହାକୁ ସର୍ବାଧିକ ବିରୋଧ କରି ଆନ୍ଦୋଳନ କରିଥିଲା ବିଜେପି | ଇତିଶ୍ରୀ ହତ୍ୟା ଘଟଣାର ଅନ୍ୟତମ ଅଭିଯୁକ୍ତ ବୋଲି ସିବିଆଇ ତଦନ୍ତର ସମ୍ମୁଖୀନ ହୋଇଥିବା ଜଣେ ନେତା କୁ ନେଇ ଅପବାଦ ସହୁଥିବା ବିଜେପି ଦୁଇଟି ସଙ୍ଗିନ ବିବାଦରେ ଛନ୍ଦି ହୋଇଥିବା ପୂର୍ବତନ ମେୟର ବୁନୁଙ୍କୁ କେତେଦୂର ଗ୍ରହଣ କରିବ( ଯଦି ବଜାର ହାଟରେ ହେଉଥିବା ଚର୍ଚ୍ଚା ଯଦି ସତ ) ତାହା  ଦେଖିବାକୁ ବାକି ରହିଲା |  ବୁନୁ ଙ୍କ ସହ କଥା ହେବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ପାରିନାହିଁ |

ରାଜଧାନୀରେ ପୋଲିସକୁ ଗୋଡାଇ ଗୋଡାଇ ମାରିଲେ ଦୁବୃର୍ତ୍ତ, ୪ ପୋଲିସ କର୍ମୀ ଆହତ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାତି ଅଧରେ ସହିଦ ନଗର ଥାନାରେ ଲଙ୍କାକାଣ୍ଡ । ପୋଲିସ ହେପାଜତରେ ଥିବା ଅଭିଯୁକ୍ତଙ୍କୁ ଆକ୍ରମଣରୁ ବଂଚାଇବାକୁ ଯାଇ ଦୁବୃର୍ତଙ୍କ ଆକ୍ରମଣର ଶିକାର ହେଲେ ପୋଲିସ । ଘଟଣା ଏପରି ସ୍ତରକୁ ଯାଇଥିଲା ଯେ ମାରପିଟରେ ଲହୁଲୁହାଣ ହୋଇଥିଲା ପୋଲିସ । ପୋଲିସ କମିଶନର କହିଛନ୍ତି ଏପରି ଘଟଣାକୁ ବରଦାସ୍ତ କରାଯିବ ନାହିଁ । ଦୋଷୀଙ୍କୁ ଚିହ୍ନଟ କରାଯାଇଛି । ଖୁବଶୀଘ୍ର ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା ।

ପୋଲିସ-ଦୁବୃର୍ତ୍ତ ମୁହାଁମୁହିଁ । ସହିଦ ନଗର ପୋଲିସକୁ ପିଟିଲେ ଦୁବୃର୍ତ୍ତ । ରାତି ଅଧରେ ଘଟିଥିବା ଏହି ଅଭାବନୀୟ କାଣ୍ଡ ପୁଣିଥରେ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି । କିଛି ଦୁବୃର୍ତ ପୋଲିସକୁ ଗୋଡାଇ ଗୋଡାଇ ପିଟୁଛନ୍ତି । ପୋଲିସ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ପୁଲିସ ହେପାଜତରେ ଥିବା ତିନି ଜଣ ଅଭିଯୁକ୍ତଙ୍କୁ ୮ରୁ ୧୦ଜଣ ଦୁବୃର୍ତ ଅଚାନକ ଆକ୍ରମଣ କରିଥିଲେ । ଆଉ ଏହି ସମୟରେ ପୁଲିସ ଅଟକାଇବାକୁ ଚେଷ୍ଟା କରିଥିଲା । ସେତିକି ବେଳେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି । ଦୁବୃର୍ତଙ୍କ ମାଡରେ ଆଇଆଇସି ବିରଂଚି ପତି ଓ ଏଏସଆଇ ଏମସିଏଚ୍ ମୁର୍ମୁଙ୍କ ସମେତ ୪ଜଣ ପୁଲିସ ଗୁରୁତର ଆହତ ହୋଇଛନ୍ତି ।

ଥାନା ଭିତରେ ଗୁଣ୍ଡାରାଜ । ଜବରଦସ୍ତି ପଶିଲେ, ଭଙ୍ଗାରୁଜା କଲେ । କେବଳ ମାରପିଟରେ ସରିନଥିଲା ଦୁବୃର୍ତଙ୍କ ଆକ୍ରୋଶ । ସହିଦ ନଗର ଥାନା ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିଥିଲେ ଦୁବୃର୍ତ । ଥାନା ଭିତରେ ଥିବା ଫୁଲକୁଣ୍ଡ, ଚେୟାର, ଟେଲିଫୋନ୍, ସିସିଟିଭି ଓ ଟିଭିକୁ ଭାଙ୍ଗି ଚୁରମାର କରି ଦେଇଥିଲେ ଦୁବୃର୍ତ । ଥାନା ଭିତରକୁ ଢ଼େଲା ପଥର ମଧ୍ୟ ମାଡ କରିଥିଲେ । ପ୍ରାୟ ଅଧଘଂଟାଏ ଧରି ଚାଲିଥିଲା ଲଙ୍କାକାଣ୍ଡ । ପରିସ୍ଥିତି ଅଣାୟତ ହୋଇଯାଇଥିଲା । ସଙ୍ଗେ ସଙ୍ଗେ ଥାନାରେ ମୁତୟନ କରାଯାଇଥିଲା ତିନି ପ୍ଲାଟୁନ୍ ପୁଲିସ୍ ଫୋର୍ସ । ପୁଲିସକୁ ଆକ୍ରମଣ କରି ଖସି ଯାଉଥିିବାବେଳେ ୬ଜଣଙ୍କୁ ଅଟକ ରଖିଛି ପୁଲିସ୍ । ପୋଲିସ କମିଶନର କହିଛନ୍ତି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି  । ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ଘଟଣା ପରେ ପୁଣିଥରେ ରାଜଧାନୀରେ ଆଇନଶୃଙ୍ଖଳାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ମାଲକାନଗିରି ମାଟ୍ରିକ୍ ଖାତା ହଜିବା ଘଟଣାରେ ବଢୁଛି ସସପେନ୍ସ ! ପତା ମିଳୁନି କୁଆଡେ ଗଲା ଉତ୍ତର ଖାତା, କ’ଣ ହେବ ପରୀକ୍ଷାର୍ଥୀଙ୍କ ଭାଗ୍ୟ ?

ଏଥର ସମ୍ଭାଳ ବ୍ୟୁରୋ (ମାଲକାନଗିରି) – ଶନିବାର ପିଲା ପରୀକ୍ଷା ଦେଇଥିଲେ, ସୋମବାର ହୋଇଗଲା, ହେଲେ ମିଳୁନି ଓଏମଆର୍ ଉତ୍ତର ଖାତା । ମାଲକାନଗିରି ଜିଲ୍ଲା ପଡିଆ ଏସଏସଡି ସ୍କୁଲରୁ ମାଟ୍ରିକ ଉତ୍ତର ଖାତା ଗାଏବ ଘଟଣା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଛି । ପଡିଆ ବ୍ଲକ ଶିକ୍ଷା ଅଧିକାରୀଙ୍କ ଲିଖିତ ଅଭିଯୋଗକୁ ଆଧାର କରି ତନାଘନା କରୁଛି ପୋଲିସ । ସୁପେରିଟେଣ୍ଡେଂଟ, ଡେପୁଟି ସୁପେରିଟେଣ୍ଡେଂଟଙ୍କ ଠାରୁ ଆରମ୍ଭ କରି ଅବଜର୍ଭର ଓ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଡାକି ଥାନାରେ ମାରାଥନ ଜେରା କରାଯାଉଛି । ତେବେ ଶିକ୍ଷକଙ୍କ ମଧ୍ୟରେ ଆପୋସ କଳହ ଯୋଗୁଁ ଏପରି ବିଭ୍ରାଟ ହୋଇଥିବା ଅନୁମାନ କରାଯାଉଛି ।

କୁଆଡ଼େ ଗଲା ଓଏମଆର୍ ସିଟ୍ ? କ’ଣ ହେବ ୧୦୮ ପରୀକ୍ଷାର୍ଥୀଙ୍କ ଭାଗ୍ୟ ? ମାଟ୍ରିକ ପରୀକ୍ଷାକୁ ନେଇ ବିବାଦ ଥମିବାର ନାଁ ନେଉନି । ତେବେ ସବୁଠୁ ବଳିଯାଇଛି ମାଲକାନଗିରି ପଡ଼ିଆ ଏସଏସଡି ହାଇସ୍କୁଲର ବିଭ୍ରାଟ । ପରୀକ୍ଷା ଦେଇସାରିବା ପରେ ପରୀକ୍ଷାକେନ୍ଦ୍ରରୁ ସମସ୍ତଙ୍କ ଉତର ଖାତା ଉଭାନ ହୋଇଯିବା ଖବର ଯେତିକି ଆଶ୍ଚର୍ଯ୍ୟଜନକ, ସେତିକି ଚାଂଚଲ୍ୟ ମଧ୍ୟ ଖେଳାଇ ଦେଇଛି ।

ଦୁଇ ଦିନ ଧରି ଘଟଣାକୁ ଚାପି ରଖିବା ପରେ ପଡ଼ିଆ ଥାନାରେ ଏତଲା ଦେଇଛନ୍ତି ବ୍ଲକ ଶିକ୍ଷା ଅଧିକାରୀ  । ଜଣେ ଆଡିସନାଲ ଏସପି ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ଚାଲିଛି ତଦନ୍ତ । ପରୀକ୍ଷା ଦାୟିତ୍ୱରେ ଥିବା ସୁପେରିଟେଣ୍ଡେଂଟ୍, ଡେପୁଟି ସୁପେରିଟେଣ୍ଡେଂଟ, ଅବଜର୍ଭର, ପ୍ରଧାନ ଶିକ୍ଷକ ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ଅଟକ ରଖିବା ସହ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କୁ ଥାନାକୁ ଡାକି ମାରାଥନ ଜେରା କରୁଛି ପୁଲିସ । ଆବାସିକ ବିଦ୍ୟାଳୟ ହୋଇଥିବାରୁ ବିଦ୍ୟାଳୟର ମେସ ପରିଚାଳନା ନେଇ ଶିକ୍ଷକଙ୍କ ଭିତରେ ଗୋଷ୍ଠୀ କନ୍ଦଳ ଏହାର କାରଣ ବୋଲି ସଂଦେହ କରାଯାଉଛି ।

ଶନିବାର ଦିନ ଓ.ଏମ.ଆର ସିଟ୍ ଜରିଆରେ ପ୍ରଥମେ ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିଲେ ଛାତ୍ରଛାତ୍ରୀ  । ପରେ ସବଜେକ୍ଟିଭ ପ୍୍ରଶ୍ନର ଉତ୍ତର ଖାତା ସଂଗ୍ରହ କରି ନୋଡାଲ ସେଂଟରରେ ଦାଖଲ କରିବା ବେଳକୁ ଓ.ଏମ.ଆର ସିଟ୍ ଗୁଡିକ ପାଇ ନଥିଲେ ବିଦ୍ୟାଳୟ କର୍ତୃପକ୍ଷ । ରଖା ଯାଇଥିବା ଡ୍ରରୁ ଗାଏବ ହୋଇ ଯାଇଥିଲା ଓ.ଏମ.ଆର ଉତର ଖାତା । ଜିଲ୍ଲା ପ୍ରଶାସନ ଓ ପଡ଼ିଆ ପୋଲିସର ତନାଘନା ପରେ ବି ଉତର ଖାତାର ପତା ମିଳିନଥିଲା ।

ଗଣିତ ପରୀକ୍ଷା ଦେଇସାରିବା ପରେ ପିଲା ଭାବିଥିଲେ ସେମାନଙ୍କ ମୁଣ୍ଡରୁ ବଡ଼ ବୋଝ ହଟିଗଲା । ହେଲେ ପରଦିନ ଯେତେବେଳେ ଜାଣିଲେ, ଅବଜେକଟିଭ ପ୍ରଶ୍ନର ଉତର ଲେଖିଥିବା ଓଏମଆର୍ ସିଟ୍ ଗାଏବ ହୋଇଯାଇଛି, ସେମାନଙ୍କ ମନରେ ଅଜଣା ଭୟ ଖେଳିଯାଇଛି । କୁହାଯାଏ, ମାଟ୍ରିକ ପରୀକ୍ଷା ହେଉଛି ଛାତ୍ର/ଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାର ପ୍ରଥମ ସୋପାନ । ତେବେ ପଡିଆ ଏସଏସଡି ହାଇସ୍କୁଲର ୧୦୮ ଜଣ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ବଡ଼ ପ୍ରଶ୍ନ ଚିହ୍ନ ଲାଗିଯାଇଛି ।