କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –

ସୋମବାର  ବିକୁ ଜନତା ଦଳ ତାହାର ପ୍ରଥମ ପରୱାଡା ପ୍ରାର୍ଥୀତାଲିକା ଜାରି କରିଥିବା ବିଳମ୍ବିତ ସନ୍ଧ୍ୟାରେ କଂଗ୍ରେସ କାରି କରିଛି ପ୍ରଥମ ପର୍ଯ୍ୟାୟ ତାଲିକା   । ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି, ନବରଙ୍ଗପୁର, କନ୍ଧମାଳ ଓ ବ୍ରହ୍ମପୁର ଲୋକସଭା ଆସନ ସମେତ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ପ୍ରାର୍ଥୀ ତାଲିକାରେ ସ୍ଥାନ ପାଇଥିବା ନା ଗୁଡିକ ହେଲା ଲୋକସଭା ପାଇଁ ବରଗଡ଼-  ପ୍ରଦୀପ କୁମାର ଦେବତା, ସୁନ୍ଦରଗଡ଼- ଜର୍ଜ ତିର୍କୀ, କଳାହାଣ୍ଡି- ଭକ୍ତଚରଣ ଦାସ, ନବରଙ୍ଗପୁର- ପ୍ରଦୀପ ମାଝୀ, କନ୍ଧମାଳ- ମନୋଜ କୁମାର ଆଚାର୍ଯ୍ୟ,  ଓ ବ୍ରହ୍ମପୁର- ଭି.ଚନ୍ଦ୍ରଶେଖର ନାଇଡୁ |

ସେହିପରି ବିଧାନସଭା ପ୍ରାର୍ଥୀ ତାଲିକାରେ ଯେଉଁମାନେ ସ୍ଥାନ ପାଇଛନ୍ତି, ସେମାନେ ହେଲେ ପଦ୍ମପୁର- ସତ୍ୟଭୂଷଣ ସାହୁ,ବରଗଡ଼- ନିପନ୍ ଦାସ. ଅତାବିରା- ନିହାର ମହାନନ୍ଦ, ବୀରମିତ୍ରପୁର- ରୋହିତ ଯୋଶେଫ୍ ତିର୍କୀ, ରାଜଗାଙ୍ଗପୁର- ଡ. ସି.ଏସ୍.ରାଜନ୍, ବୀରମହାରାଜପୁର- ବିନୋଦ କୁମାର ପାତ୍ର, ବଲାଙ୍ଗୀର- ନରସିଂହ ମିଶ୍ର, ନୂଆପଡ଼ା- ଘାସିରାମ ମାଝୀ, ଖରିଆର- ଅଧିରାଜ ପାଣିଗ୍ରାହୀ, ଝରିଗ୍ରାମ- ଉଧାର ମାଝୀ, ନବରଙ୍ଗପୁର- ସଦନ ନାଏକ, ଡାବୁଗାଁ- ଭୂଜବଳ ମାଝୀ, ଲାଞ୍ଜିଗଡ଼- ଶିବାଜୀ ମାଝୀ, ଧର୍ମଗଡ଼- ଦିଗମ୍ବର ଦୁରିଆ,ବାଲିଗୁଡ଼ା- ସିମନ୍ ମଲ୍ଲିକ, ଫୁଲବାଣୀ- କିଶୋର ଚନ୍ଦ୍ର କଅଁର, କଣ୍ଟାମାଳ- ପ୍ରଶାନ୍ତ ସାହୁ, ଦଶପଲ୍ଲା- ପ୍ରଶାନ୍ତ କୁମାର ନାୟକ, ଭଞ୍ଜନଗର- ସଞ୍ଜୟ କୁମାର ତ୍ରିପାଠୀ, ପୋଲସରା- ହରିଚରଣ ସ୍ୱାଇଁ, କବିସୂର୍ଯ୍ୟନଗର- ବିଜୟ କୁମାର ସାହୁ, ଆସ୍କା- ମନୋଜ କୁମାର ଜେନା, ସାନଖେମୁଣ୍ଡି- ରମେଶ ଚନ୍ଦ୍ର ଜେନା,ହିଞ୍ଜିଳି- ରାମକୃଷ୍ଣ ପଣ୍ଡା, ଗୋପାଳପୁର- ଏସ୍.ଧାମରାଜ ରେଡ୍ଡି, ବ୍ରହ୍ମପୁର- ଲିଙ୍ଗରାଜ ଚୌଧୁରୀ, ଦିଗପହଣ୍ଡି- ବିସ୍ମୟ ମହାପାତ୍ର, ଚିକିଟି- ସୁବାସ ଚନ୍ଦ୍ର ରାଉତ, ମୋହନା- ଦାଶରଥୀ ଗମାଙ୍ଗ, ଗୁଣୁପୁର- ପୁରୁଷୋତ୍ତମ ଗମାଙ୍ଗ, ବିଷମ କଟକ- ନୀଳମାଧବ ହିକୋକା, ଜୟପୁର- ତାରାପ୍ରସାଦ ବାହିନୀପତି, କୋରାପୁଟ- କୃଷ୍ଣଚନ୍ଦ୍ର କୁଲଦୀପ୍, ପଟାଙ୍ଗୀ- ରାମଚନ୍ଦ୍ର କାଡାମ୍, ମାଲକାନଗିରି- ମାଲା ମାଢ଼ୀ ଓ  ଚିତ୍ରକୋଣ୍ଡା- ଶ୍ରୀମତୀ ଲକ୍ଷ୍ମୀପ୍ରିୟା ନାୟକ |

ବିଜେଡି ଫେରିଲେ ପ୍ରଫୁଲ୍ଲ ଘଡାଇ: ଘରୁ ତଡି ଦେଇଥିଲେ, ଏବେ ଲୋଡା ପଡିଲେ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିର୍ବାଚନ ପୂର୍ବରୁ ବହିଷ୍କୃତ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇଙ୍କ କଥା ମନେ ପଡିଲା ସୁପ୍ରିମୋଙ୍କୁ । ପ୍ରଫୁଲ୍ଲଙ୍କ ଉପରୁ ବହିଷ୍କୃତ ଆଦେଶ ଉଠାଇଲେ ନବୀନ ପଟ୍ଟନାୟକ । ଏବେ ପୁଣି ବିଜେଡିକୁ ଫେରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ଟାଣୁଆ ନେତା ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ।

2014 ରେ ଦଳ ବିରୋଧି କାର୍ଯ୍ୟ ଏବଂ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିରୋଧରେ କିଛି ଅରୁଚିକର ଟିପ୍ପଣୀ ଦେଇଥିବାରୁ ଦଳରୁ ବହିଷ୍କୃତ ହୋଇଥିଲେ ପ୍ରଫୁଲ୍ଲ । ସେହି ସମୟରେ ପ୍ରକାଶିତ ଖବର ଏତେ ମାତ୍ରାରେ ଆଲୋଡନ ସୃଷ୍ଟି କରିଥିଲା ଯେ, ଦଳର ବରିଷ୍ଠ ନେତାମାନେ ପ୍ରଫୁଲ୍ଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଯେଉଁମାନଙ୍କ ମଧ୍ୟରୁ ଅନେକ ଏବେ ସୁପ୍ରିମୋଙ୍କୁ ଖୋଲାଖୋଲି ବିରୋଧ କରୁଛନ୍ତି ତ ଆଉ କିଛିଙ୍କ ପାଇଁ ନବୀନଙ୍କୁ ନିର୍ବାଚନରେ ହାରିବାର ଭୟ ଘାରିଛି । କାରଣ ଏବେ ବିଜେଡିର ପ୍ରାୟ ସବୁ ପପୁଲାର ଚେହେରାରେ ଲାଗିଯାଇଛି କଳଙ୍କ । ଏଭଳି ସମୟରେ ଦଳକୁ ପୁରୁଣା ନେତା ଘଡାଇଙ୍କୁ ଡାକି ଆଣି ପୁଣି ଘର ଗଢିବାକୁ ଚେଷ୍ଟା କରିଛନ୍ତି ନବୀନ ।

ପ୍ରକାଶ ଯେ, ଶ୍ରୀ ଘଡାଇ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମକୁ କହିଥିଲେ “ନବୀନ ଭାରତରେ ଏକ ଆଶ୍ଚର୍ଯ୍ୟ । ନବୀନ କିଛି ନିଜେ କରନ୍ତି ନାହିଁ । ମେଣ୍ଟାଲି ଓ ଫିଜିକାଲି ସେ ଡଲ୍ । କେପିପିପି କବ୍ଜାରେ ଶାସନ ଚାଲିଛି… । ” କିଛି ଏଭଳି ମନ୍ତବ୍ୟ ଶ୍ରୀ ଘଡାଇ ଦେଇଥିବା ଦାବି କରିଥିଲା ଗଣମାଧ୍ୟମ । ଯାହାପରେ ରାଜ୍ୟ ରାଜନୀତିରେ ଆଲୋଡନ, ଚର୍ଚ୍ଚା, ବିବାଦ ଆରମ୍ଭ ହୋଇଥିଲା । ସବୁ ନେତାଙ୍କ ପରାମର୍ଶରେ ବିକୃତ ମାନସିକତାର ଆଖ୍ୟା ଦେଇ ଘଡାଇଙ୍କୁ ବହିଷ୍କୃତ କରିଦେଲେ ନବୀନ ।

ତେବେ ବର୍ତ୍ତମାନ ସବୁକିଛି ଭୁଲି ଘଡାଇଙ୍କ ଉପରୁ ବହିଷ୍କୃତ ଆଦେଶ ହଟାଇଛନ୍ତି ନବୀନ । ନିର୍ବାଚନ ପୂର୍ବରୁ ହଠାତ୍ ହାଇକମାଣ୍ଡଙ୍କ ଏହି ନିଷ୍ପତ୍ତିକୁ ନେଇ ବିଜେଡି ମହଲରେ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ସୁକିନ୍ଦାର ପଡୋଶୀ ନିର୍ବାଚନ ମଣ୍ଡଳୀ ଧର୍ମଶାଳାରୁ ଏଥର ପ୍ରଫୁଲ ଘଡେଇଙ୍କୁ ଦଳ ବିଜେଡିର ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛି  । ଧର୍ମଶାଳା ଆସନ ଏବେ ବିଜେଡି ହାତରେ ରହିଛି  । ପ୍ରଣବ ବଳବନ୍ତରାୟ ଏବେ ଏଠିକାର ବିଧାୟକ ରହିଥିବା ବେଳେ ପ୍ରଫୁଲଙ୍କୁ ଦଳକୁ ଫେରାଇ ଆଣିବା ପରେ ଏବେ ଏପରି ଚର୍ଚ୍ଚା ବିଜେଡି ମହଲରେ ଜୋରଦାର ଚାଲିଛି  ।

ହାରିବା ଭୟରେ ବିଜେପୁର ଭଳି ‘ସେଫ୍‌ ସିଟ୍‌’ ବାଛିନେଲେ ନବୀନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦକ୍ଷିଣ ଓଡ଼ିଶାରେ କମୁଛି ସମର୍ଥନ । ହାରିବା ଭୟରେ ପଶ୍ଚିମ ମୁହାଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେଣୁ ପଶ୍ଚିମ ଓଡ଼ିଶାର  ବିଜେଡି ପାଇଁ ‘ସେଫ ସିଟ୍‌’ କୁହାଯାଉଥିବା ବିଜେପୁରରୁ ଲଢିବେ ନବୀନ  । ସବୁବେଳେ ମହିଳାଙ୍କ ସମ୍ମାନ କଥା କହୁଥିବା ନବୀନ ନିଜ ପରାଜୟ ଭୟରେ ବିଜେପୁର ବିଧାୟକ ରୀତା ସାହୁଙ୍କୁ ଆଉଟ୍‌ କରି ନିଜେ ଇନ୍‌ ହୋଇଛନ୍ତି । ଏଭଳି ତମାମ ଅଭିଯୋଗ ଆଣିଛି ରାଜ୍ୟ ବିଜେପି । ରାଜ୍ୟ ଗୁଇନ୍ଦା ବିଭାଗର ଏକ ଗୁରୁତ୍ବପୂର୍ଣ୍ଣ  ଚିଠି ଏହି ଅଭିଯୋଗର କେନ୍ଦ୍ର ବିନ୍ଦୁ ପାଲଟିଛି  । ମାର୍ଚ୍ଚ ୧୫ ତାରିଖରେ  ରାଜ୍ୟ ଗୁଇନ୍ଦା ବିଭାଗ ମହାନିର୍ଦ୍ଦେଶକଙ୍କ ଦସ୍ତଖତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ଦିଆଯାଇଥିବା ଚିଠିକୁ  ଗଣମାଧ୍ୟମ ସାମ୍ନାରେ ମୁଖ୍ୟମନ୍ତ୍ରୀଙ୍କ ଗୁମର ଖୋଲିଛନ୍ତି ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ।

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ କରାଯାଇଥିବା ସମୀକ୍ଷାରେ ମୁଖ୍ୟମନ୍ତ୍ରୀ ହିଂଜିଳିରୁ ନିର୍ବାଚନ ଲଢିଲେ ହାରିଯିବା ସମ୍ଭାବନା ଥିବା ଚିଠିରେ ଦର୍ଶାଯାଇଛି । ଏହାସହ କେଉଁଠାରୁ ନିର୍ବାଚନ ଲଢିଲେ ମୁଖ୍ୟମନ୍ତ୍ରୀଙ୍କୁ ସୁବିଧା ହେବ ଏହି ପତ୍ରରେ ମଧ୍ୟ ଉଲ୍ଲେଖ କରାଯାଇଛି । ସରକାରଙ୍କ କୁଶାସନ କାରଣରୁ ଜନସାଧାରଣଙ୍କୁ ବହୁବିଧ ଅସୁବିଧା, ତଥା ଭିତିଭୂମି ଅଭାବ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଥିବା ଏହି ପତ୍ରରେ ସ୍ପଷ୍ଟ ଭାବେ ଲେଖାଯାଇଛି । କାଳିଆ ଟଙ୍କାରେ ଅବ୍ୟବସ୍ଥା ଜନ ଅସନ୍ତୋଷର କାରଣ ହୋଇଛି । ବାତ୍ୟା ପରେ ସହାୟତା ଟଙ୍କା କେବଳ ବିଜେଡି ନେତାଙ୍କ ନିକଟତର ପରିବାରରେ ପହଁଚିବା ନେଇ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଥିବା ଗୁଇନ୍ଦା ବିଭାଗ ତାର ରିପୋର୍ଟରେ କହିଛି ।

ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ହିଂଜିଳି ନିର୍ବାଚନ ମଣ୍ଡଳୀରୁ ନ ଲଢି ଆଉ ୪ ଟି ବିକଳ୍ପ ନିର୍ବାଚନ ମଣ୍ଡଳୀର ପ୍ରସ୍ତାବ ଗୁଇନ୍ଦା ବିଭାଗ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିବା ପତ୍ରରେ ଉଲ୍ଲେଖ ଥିବା ନେଇ ଟଙ୍କଧର ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଗୁଇନ୍ଦା ବିଭାଗର ପ୍ରସ୍ତାବ ଅନୁସାରେ ରାଉରକେଲା, ବିଜେପୁର, ବଲାଙ୍ଗୀର ଅଥବା ଟିଟିଲାଗଡ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢିବା ପାଇଁ ପରାମର୍ଶ ଦିଆଯାଇଛି ।

ସୂଚନାଯୋଗ୍ୟ, 2019 ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି । 9ଟି ଲୋକସଭା ଏବଂ 54ଟି ବିଧାନସଭା ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ବିଜେଡି ଘୋଷଣା କରିବା ପରେ ରାଜ୍ୟ ରାଜନୀତି ଜୋର ଧରିଛି । ଅନ୍ୟପଟେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢିବା ନେଇ ଯେଉଁ ପୂର୍ବାନୁମାନ କରାଯାଉଥିଲା ତା ଉପରୁ ମଧ୍ୟ ପରଦା ହଟିଛି । ପୂର୍ବରୁ ନବୀନ ପଟ୍ଟନାୟକ ଲଢୁଥିବା ହଞ୍ଜିଳି ସମେତ ପଶ୍ଚିମ ଓଡ଼ିଶାରୁ ବିଜେପୁରରୁ ବିଧାୟକ ପ୍ରାର୍ଥୀ ହେବେ ।

ଅନ୍ୟପଟେ ପୂର୍ବ ବର୍ଷ ବିଜେପୁର ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ତାଙ୍କ ପତ୍ନୀ ରୀତା ସାହୁ ବିଜେଡିରେ ମିଶିଥିଲେ । ସବୁବେଳେ ମହିଳା ସମ୍ମାନ କଥା କହୁଥିବା ନବୀନ ବାବୁ ରୀତାଙ୍କୁ ସମ୍ମାନର ସହ ନିଜ ଦଳକୁ ପାଛୋଟି ଆଣିଥିଲେ । ତାପରେ ବିଜେପୁରରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ 40,000ରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହେଲେ ରୀତା ସାହୁ । ତେବେ ଏପରି ଏକ ସେଫ୍‌ ସିଟ୍‌ରୁ ନବୀନ ରୀତାଙ୍କ ଅଣଦେଖା କରି ନିଜେ ଲଢିବେ ବୋଲି ସ୍ଥିର କରିନେଲେ । ପୂର୍ବରୁ ବିଜେପୁରରେ ନିଜର ସମ୍ମାନ ବଞ୍ଚାଇବା ପାଇଁ ରୀତାଙ୍କୁ ମୋହରା ବନେଇଥିବା ନବୀନ ପୁଣି ଏକ ସମାନ ପରିସ୍ଥିତିରୁ ବର୍ତ୍ତିବା ପାଇଁ  ଖେଳିଛନ୍ତି ନୂଆ ଚାଲ । ତେବେ ରାଜ୍ୟ ବିଜେପିର ଅଭିଯୋଗ ସତ ହୋଇଥିଲେ ରାଜ୍ୟ ରାଜନୀତିରେ ବିଜେଡି ସମୀକରଣ ବଦଳିପାରେ ବୋଲି ଚର୍ଚ୍ଚା ଜୋର ଧରିଲାଣି  ।