ବାପାଙ୍କୁ ଅନୁସରଣ କଲେ ଝିଅ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡି ଛାଡିଲେ ଦାମଙ୍କ ଝିଅ ପ୍ରୀତିନନ୍ଦା । ପୁଅ ସମ୍ବିତଙ୍କୁ ନେଇ ଲାଗି ରହିଛି ଦ୍ୱନ୍ଦ୍ୱ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଦାମ ରାଉତ ପଦ୍ମ ଧରିବା ପରେ ତାଙ୍କୁ ଅନୁସରଣ କରିଛନ୍ତି ଝିଅ ପ୍ରତିନନ୍ଦା ରାଉତରାୟ । ବ୍ୟକ୍ତିିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟରୁ ଇସ୍ତଫା ଦେଇଛନ୍ତି ପ୍ରୀତିନନ୍ଦା । ବିଏମସି କର୍ପୋରେଟର ଭାବେ ବିଜେଡିରୁ ଜିତିଥିଲେ ପ୍ରୀତିନନ୍ଦା । ଗୋଟିଏ ପଟେ ପୁଅ ସମ୍ବିତ ବିଜେଡି ଟିକେଟ୍ ପାଇଁ ଲବି କରୁଥିବା ବେଳେ ଝିଅ ପ୍ରୀତିନନ୍ଦା ବିଜେଡି ଛାଡିଛନ୍ତି । ଫଳରେ ରୋଚକ ସ୍ଥିତିରେ ପହଁଚିଛି ଦାମବାବୁଙ୍କ ପରିବାରିକ ରାଜନୀତି । ପ୍ରୀତିନନ୍ଦା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ସମ୍ବିତଙ୍କୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।

ବାପାଙ୍କ ପଛେ ପଛେ ଝିଅ । ପଦ୍ମ ଶିବିରରେ ବରିଷ୍ଠ ନେତା ଦାମ ରାଉତ ସାମିଲ ହେବା ପରେ ବିଜେଡି ଛାଡ଼ିଛନ୍ତି ଝିଅ ପ୍ରୀତିନନ୍ଦା ରାଉତରାୟ । ଦଳର ପ୍ରାଥମିକ ସଦସ୍ୟରୁ ସେ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିବା ଇସ୍ତଫା ପତ୍ରରେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି ପ୍ରୀତିନନ୍ଦା । ତେବେ ପ୍ରୀତିନନ୍ଦା ତାଙ୍କ ଇସ୍ତଫା ପତ୍ରରେ ବିଜେଡି କିମ୍ବା ସୁପ୍ରିମୋଙ୍କ ବିରୋଧରେ କୌଣସି ଅଭିଯୋଗ ଆଣିନାହାନ୍ତି । ବରଂ ତାଙ୍କୁ ବିଏମସି କର୍ପୋରେଟର ହେବାର ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଭୁବନେଶ୍ୱର ମହାନଗର ନିଗମର କର୍ପୋରେଟର ଭାବେ ବିଜେଡି ଟିକେଟରେ ଜିତିଥିଲେ ପ୍ରୀତିନନ୍ଦା ରାଉତରାୟ । ଦାମ ରାଉତ ବିଜେଡିରୁ ବହିଷ୍କାର ହେବା ପରେ ମଧ୍ୟ ଦଳରେ ରହିଥିଲେ ପ୍ରୀତିନନ୍ଦା । ତେବେ ଦାମ ରାଉତ ବିଜେପିରେ ଯୋଗ ଦେବା ପରେ ବିଜେଡି ଛାଡିଛନ୍ତି ଝିଅ । ଡାକ୍ତର ଦାମ ରାଉତ ବିଜେପିରେ ଯୋଗ ଦେବା ପୂର୍ବରୁ ଚର୍ଚ୍ଚା ହେଉଥିଲା, ଦାମଙ୍କ ଅଭିଯାନରେ ରୋକ ଲଗାଇବା ପାଇଁ ବିଜେଡି ଶିବିର ଜୋରଦାର ଉଦ୍ୟମ କରିଥିଲା । ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ପୁଅ ସମ୍ବିତଙ୍କୁ ପାରାଦୀପ ଟିକେଟ୍ ଓ ଝିଅ ପ୍ରୀତିନନ୍ଦାଙ୍କୁ ଭୁବନେଶ୍ୱର ମେୟର ପଦବୀ ଅଫର୍ ଦେଇଥିଲା ବିଜେଡି ।

ତେବେ ଦାମ ବାବୁ ତାଙ୍କ ଜିଦ୍ରେ ଅଟଳ ରହି ବିଜେପିରେ ଯୋଗ ଦେଇଥିଲେ । ବାପାଙ୍କ ପଦ ଅନୁସରଣ କରି ଝିଅ ପ୍ରୀତିନନ୍ଦା ଦଳ ଛାଡ଼ିଛନ୍ତି । ପ୍ରୀତିନନ୍ଦା ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିବା ବେଳେ ପୁଅ ସମ୍ବିତ ରାଉତରାୟଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ତାଙ୍କର ରାଜନୈତିକ ପଦକ୍ଷେପ କ’ଣ ହେବ, ଏହାକୁ ନେଇ ଦ୍ୱନ୍ଦ୍ୱ ଲାଗିରହିଛି ।

ବୈଜୟନ୍ତ ଙ୍କୁ ଭୟ ଯୋଗୁଁ ; ଦିଲୀପ ଙ୍କୁ ଲୋଡ଼ିଲା ବିଜେଡି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିବା ସହ ବିଜେପିର କଳେବର ବୃଦ୍ଧି ପାଇବାକୁ ନେଇ ଆଶଙ୍କିତ ବିଜେଡି ଏବେ ନିଜର ପ୍ରତିଷ୍ଠାତା ସଦସ୍ୟ ଦିଲୀପ ରାୟଙ୍କୁ ପୁଣିଥରେ ଦଳରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛି। ଦିଲୀପଙ୍କ ମାଧ୍ୟମରେ ବିଜେଡି ନିଜର ଗଡ଼ କେନ୍ଦ୍ରାପଡ଼ା ଲୋକସଭା ଆସନକୁ ସୁରକ୍ଷିତ ରଖିବାକୁ ଏକ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିଥିବା ଜଣାପଡ଼ିଛି। କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଭିନେତା ଅନୁଭବ ମହାନ୍ତି ଓ ବରିଷ୍ଠ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟରୁ ଜଣଙ୍କୁ ପ୍ରାର୍ଥୀ କରିବାକୁ ଯୋଜନା କରିଥିବା ବିଜେଡି ନିଜର ଆଭ୍ୟନ୍ତରୀଣ ସର୍ଭେ ରିପୋର୍ଟକୁ ଆଧାର କରି ଦିଲ୍ଲୀପଙ୍କୁ ଦଳକୁ ଆଣିବାକୁ ବାଧ୍ୟ ହୋଇଥିବା ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନଭେମ୍ବର ୩୦ତାରିଖରେ ଦିଲୀପ ବିଜେପିରୁ ଇସ୍ତଫା ଦେବା ପରେପରେ ବିଜେଡିରେ ସାମିଲ ହେବା କଥା। କିନ୍ତୁ ବିଜୟ ମହାପାତ୍ରଙ୍କୁ ନେଇ ସମସ୍ୟା ରହିଥିବାରୁ ସେ ଏକାକୀ ବିଜେଡିକୁ ଫେରି ପାରୁନଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ସମୀକରଣକୁ ଦୃଷ୍ଟିରେ ରଖି ବିଜୟଙ୍କୁ ସାମିଲ କରିବା ସପକ୍ଷରେ ଦଳର ସଭାପତି ନବୀନ ପଟ୍ଟନାୟକ ଆଗ୍ରହୀ ନଥିବା ଜାଣିବା ପରେ ଦିଲୀପ ଦଳକୁ ଫେରିବାର ତାରିଖକୁ ଗଡ଼ାଇ ଚାଲିଥିଲେ। କିନ୍ତୁ ବୈଜୟନ୍ତ ପଣ୍ଡା ଓ ଡାକ୍ତର ଦାମୋଦର ରାଉତ ବିଜେପିରେ ସାମିଲ ହେବାପରେ ଉପକୂଳ ଓଡ଼ିଶାରେ ସଂଗଠନ ଦୁର୍ବଳ ହେବାର ଆଶଙ୍କା କରି ବିଜେଡି ସଭାପତି ମଧ୍ୟ ନରମ ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି।

ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ଦିଲୀପଙ୍କ ଘରବାହୁଡ଼ା ପାଇଁ ବିଜେଡି ମଧ୍ୟ ତାଙ୍କର ସର୍ତ୍ତକୁ ମାନି ନେଇଛି । ବିଜେଡି ତାଙ୍କୁ ଚଳିତ ସାଧାରଣ ନିର୍ବାଚନରେ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିବ। ବିଜେପି ନିଜର ବରିଷ୍ଠ ନେତା ବୈଜୟନ୍ତ ପଣ୍ଡାଙ୍କୁ କେନ୍ଦ୍ରାପଡ଼ାରେ ଛିଡ଼ା କରାଇବାର ସମ୍ଭାବନା ଥିବାରୁ ତାଙ୍କୁ କଡ଼ା ମୁକାବିଲା କରିବା ନିମନ୍ତେ ଦିଲ୍ଲୀପଙ୍କୁ ଦଳକୁ ଫେରାଇ ଅଣାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରଭାବ ଥିବା ବିଜୟ ମହାପାତ୍ରଙ୍କ ସହଯୋଗରେ ବୈଜୟନ୍ତଙ୍କୁ ଦିଲ୍ଲୀପ କଡ଼ା ଟକ୍କର ଦେଇପାରିବେ ବୋଲି ବିଜେଡି ଆକଳନ କରିଛି। ଦିଲୀପ ଓ ବିଜୟଙ୍କର ଘନିଷ୍ଠ ସମ୍ପର୍କ ଥିବାରୁ ତା’ର ଫାଇଦା ବିଜେଡିକୁ ମିଳିବ ବୋଲି ଦଳ ଆଶା ରଖିଛି। ଆଉ ନିର୍ବାଚନ ପରେ ବିଜୟଙ୍କୁ ବିଜେଡିକୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଦଳ ପକ୍ଷରୁ ଦିଲୀପଙ୍କୁ ଆଶ୍ୱସ୍ତ କରାଯାଇଥିବା ସୂଚନା ମିଳିଛି।

ଉଲ୍ଲେଖଯୋଗ୍ୟ, ବିଜେଡି ପ୍ରଥମେ କେନ୍ଦ୍ରାପଡ଼ା ଲୋକସଭା ଆସନରେ ଅଭିନେତା ଅନୁଭବ ମହାନ୍ତି ଓ ବରିଷ୍ଠ ପ୍ରଶାସିକା ସୁଜାତା କାର୍ତ୍ତିକେୟନଙ୍କ ମଧ୍ୟରୁ ଜଣକୁ ପ୍ରାର୍ଥୀ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା। କିନ୍ତୁ ବିଭିନ୍ନ ପର୍ଯ୍ୟାୟର ସର୍ଭେ ରିପୋର୍ଟ ଓ ଗୁଇନ୍ଦା ରିପୋର୍ଟରେ ବୈଜୟନ୍ତଙ୍କ ସପକ୍ଷରେ କେନ୍ଦ୍ରାପଡ଼ାରେ ଜନମତ ରହିଥିବା ଜଣାପଡ଼ିବା ପରେ ବିଜେଡି ନିଜର ରଣନୀତି ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିଲା। ଆଉ ଦିଲ୍ଲୀପଙ୍କୁ ଆଣିବା ପାଇଁ ଜୋରଦାର ପ୍ରୟାସ ହୋଇଥିଲା ଓ ଯାହା ସଫଳ ହେବାକୁ ଯାଉଛି। ଦିଲ୍ଲୀପ ମଧ୍ୟ ନିଜର ପୁରୁଣା କଥା ଭୁଲି ବିଜେଡିକୁ ବାହୁଡ଼ିବାକୁ ରାଜି ହୋଇଛନ୍ତି।

ସୂଚନାଯୋଗ୍ୟ, ନବୀନଙ୍କ ଇସାରାରେ ହିଁ ୨୦୦୧ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମନ୍ତ୍ରିମଣ୍ଡଳରୁ ଦିଲୀପଙ୍କୁ ବିଦା ହେବାକୁ ପଡ଼ିଥିଲା। ୨୦୦୨ ମସିହା ରାଜ୍ୟସଭା ନିର୍ବାଚନରେ ନବୀନଙ୍କ ସମସ୍ତ ବିରୋଧ ସତ୍ତ୍ଵେ ଦିଲୀପ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ। ଆଉ ତାଙ୍କ ପାଇଁ ବିଜେଡି ଦ୍ୱାର ସବୁ ଦିନ ପାଇଁ ବନ୍ଦ ହୋଇଯାଇଥିଲା।