ଆସୁଛି ବର୍ଷା: ୪୮ ଘଣ୍ଟା ମଧ୍ୟରେ ବର୍ଷିବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏପରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ଆସନ୍ତାକାଲି ବର୍ଷା ଅଧିକ ହେବା ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨ରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ତେବେ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଚିଲିକା କୂଳରେ ଡଲଫିନ୍‌ର ମୃତଦେହ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମଗିରି) – ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

 

କଂଗ୍ରେସର ଓଡ଼ିଶା ପ୍ରଭାରୀ ଟିଏସ୍ ସିଂହଦେଓ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ସେ ସାମୟିକ ଭାବେ ଏହି ଦାୟିତ୍ୱ ତୁଲାଇବେ। ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦ ସିଂହ ପୂର୍ବଭଳି ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ରହିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ନିଯୁକ୍ତି ଦେଇଥିବା ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ,ଛତିଶଗଡ଼ରେ କଂଗ୍ରେସକୁ କ୍ଷମତାସୀନ ହେବା ପାଇଁ ଯେଉଁ ମଡେଲ୍ ଉପଯୋଗ ହୋଇଥିଲା ତାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଶ୍ରୀ ସିଂହଦେଓ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।

ଆଜି ଓଡିଶା ବନ୍ଦ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ୍ ପାଳନ କରୁଛି ନବ ନିର୍ମାଣ କୃଷକ ସଂଗଠନ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାରଙ୍କ ଅନୁରୋଧ ଓ ଚେତାବନୀ ସତ୍ତ୍ବେ ନିଜ ଜିଦିରେ ଅଟଳ ରହିଛି ନବନିର୍ମାଣ କୃଷକ ସଂଗଠନ। ଆଜି ଓଡ଼ିଶା ବନ୍ଦ ଡାକରାରୁ ସଂଗଠନ ଓହରିବ ନାହିଁ ବୋଲି ସ୍ପଷ୍ଟ କରିଛି। ପ୍ରାଇସ୍, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଚାଷୀମାନେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରିବେ। ଏଥି ଯୋଗୁଁ ୨୨ ତାରିଖରେ ମାଟ୍ରିକ୍ ପରୀକ୍ଷାରେ କୌଣସି ପ୍ରକାର ବିଭ୍ରାଟ ହେବ ନାହିଁ ବୋଲି ସଂଗଠନ ଦୃଢ଼ୋକ୍ତି ପ୍ରକାଶ କରିଛି।

ଏହି ବନ୍ଦକୁ ବିଜେପି ଓ କଂଗ୍ରେସ ଦଳ ସମର୍ଥନ କରୁଥିବାରୁ ସରକାରଙ୍କ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଏ ନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି। ବନ୍ଦ ପାଳନକାରୀମାନେ ରାସ୍ତା ଅବରୋଧ କରିବା ସହ ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ଟ୍ରେନ୍ ବନ୍ଦ କରିବାର ଆଶଙ୍କା ରହିଛି। ସରକାରୀ କାର୍ଯ୍ୟଳୟ, ବ୍ୟାଙ୍କ ଓ ଶିକ୍ଷା ଅନୁଷ୍ଠାନ ସାମ୍ନାରେ ସେମାନେ ପିକେଟିଂ କରିପାରନ୍ତି। ଏହାକୁ ଦୃଷ୍ଟିରେ ରଖି ଆଇନ୍ ଶୃଙ୍ଖଳା ରକ୍ଷା କରିବାକୁ ସମସ୍ତ ପ୍ରତିକାରମୂଳକ ପଦକ୍ଷେପ ନେବାକୁ ସରକାର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସକାଳ ୯ଟା ୩୦ ସୁଦ୍ଧା ସମସ୍ତ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟାଳୟରେ ପହଞ୍ଚିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ପୁଲିସ୍ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି, କୌଣସି ପ୍ରକାର ବିଶୃଙ୍ଖଳାକାରୀଙ୍କୁ ପ୍ରୋତ୍ସାହନ ଦିଆଯିବ ନାହିଁ। ବିଶେଷ କରି ମାଟ୍ରିକ୍ ପରୀକ୍ଷା ସହ ସଂପୃକ୍ତ କୌଣସି ଗାଡ଼ିକୁ ଯେପରି ରାସ୍ତା ମଝିରେ ଅଟକା ନ ଯାଏ, ସେଥି ପ୍ରତି ପୁଲିସ୍ ଦୃଷ୍ଟି ରଖିବ। ଏହା ବାଦ୍ ରୋଗୀ, ଶିଶୁ, ମହିଳାମାନଙ୍କ ଯାତାୟରେ ଅସୁବିଧା ସୃଷ୍ଟି କରାଗଲେ, ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବନ୍ଦ ବେଳେ କୌଣସି ପ୍ରକାର ହିଂସାକୁ ପ୍ରଶ୍ରୟ ଦିଆଯିବ ନାହିଁ। ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ବନ୍ଦରେ ସାମିଲ ହେବ ନାହିଁ ବୋଲି ଘୋଷଣା କରିଛି। ସଂଘର ମୁଖପାତ୍ର କହିଛନ୍ତି, ବସ୍ ଚଳାଚଳ ବନ୍ଦ ରଖିବାକୁ ସଂଘ ନିଷ୍ପତ୍ତି ନେଇ ନାହିଁ। ତେବେ ବସ୍ ଚଳାଚଳ ବେଳେ ସରକାର ଆବଶ୍ୟକ ସୁରକ୍ଷା ଦେବାକୁ କୁହାଯାଇଛି।

 

ଭାରତୀୟ ସେନା ପାଇଁ ଦୁଃଖ ଖବର! ଭୟଙ୍କର ବରଫ ଝଡରେ ଫସିଲେ ୬ ଯବାନ, ଜଣେ ମୃତ, ୫ ଯବାନ ନିଖୋଜ ।

ଏଥର ସମ୍ଭାଳ ବ୍ୟୁରୋ (କନ୍ନୁରୁ) – ଭାରତୀୟ ସେନା ପାଇଁ ଏକ ଦୁଃଖଦ ଖବର । ହିମାଚଳ ପ୍ରଦେଶରେ ଚୀନ ସୀମାକୁ ଲାଗିଥିବା କନ୍ନୁର ଜିଲ୍ଲାରେ ଆଜି ଏକ ଭୟଙ୍କର ବରଫ ଝଡ଼ରେ ପ୍ରାୟ ୬ ଜଣ ସେନା ଯବାନ ନିଖୋଜ ହୋଇଯାଇଛନ୍ତି । ନିଖୋଜ ୬ ଯବାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୫ ଜଣ ବରଫ ତଳେ ଫଶି ରହିଥିବା ଆଶଙ୍କା କରାଯାଉଛି । ଆଜି ଦିନ ୧୧ଟା ୩୦ରେ ସେନା ଅନ୍ତର୍ଗତ ଜେକେ ରାଇଫଲର ଏହି ଯବାନମାନେ ପାଟ୍ରୋଲିଂ କରୁଥିବାବେଳେ ଏହି ବରଫ ଝଡ଼ ଆସିଥିଲା । ବରଫ ଝଡ଼ରେ ସେମାନେ ଫସିଯାଇଥିଲେ । ଏପର୍ଯ୍ୟନ୍ତ ଜଣେ ଯବାନଙ୍କ ମୃତଦେହ ମିଳିଥିବାବେଳେ ଆଉ ୫ ଜଣ ଯବାନ ନିଖୋଜ ଅଛନ୍ତି । ସେମାନଙ୍କୁ ଖୋଜିବାକୁ ସେନା ପକ୍ଷରୁ ଏକ ବଡ଼ଧରଣର ତଲାସୀ ଅଭିଯାନ ଆରମ୍ଭ କରାଯାଇଛି ।

ଅନ୍ୟପକ୍ଷରେ ଇଣ୍ଡୋ ତିବତୀୟ ସୀମା ପୁଲିସର କେତେକ ଯବାନ ମଧ୍ୟ ଏହି ବରଫ ଝଡ଼ରେ ଫସିଯାଇଥିଲେ, କିନ୍ତୁ ସେମାନଙ୍କୁ ଉଦ୍ଧାର କରାଯାଇଛି । ଏହି ଯବାନମାନେ ପ୍ରାରମ୍ଭିକ ଚିକିତ୍ସା ପରେ ସୁସ୍ଥ ଥିବା ଜଣାଯାଇଛି । ଭାରତ-ଚୀନ ସୀମା ନିକଟବର୍ତ୍ତି ସିପକାଲାଠାରେ ଦିନ ୧୧ଟାରେ ଏହି ବରଫଝଡ଼ ଆରମ୍ଭ ହୋଇଥିଲା ।

ଆସନ୍ତା ୨୬ରେ ସୁପ୍ରିମକୋର୍ଟରେ ହେବ ଅଯୋଧ୍ୟା ମାମଲାର ଶୁଣାଣି । ୫ ଜଣିଆ ଖଣ୍ଡପୀଠ ମାମଲାର କରିବେ ଶୁଣାଣି ।

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) – ଅଯୋଧ୍ୟା ବିବାଦ ମାମଲାରେ ସୁପ୍ରିମ୍ କୋର୍ଟ ଆସନ୍ତା ୨୬ ତାରିଖ ଦିନ ଶୁଣାଣି କରିବାକୁ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇଙ୍କ ନେତୃତ୍ବରେ ସୁପ୍ରିମ୍ କୋର୍ଟଙ୍କ ୫ ଜଣିଆ ସମ୍ବିଧାନ ପୀଠ ଏହି ମାମଲାର ଶୁଣାଣି କରିବେ। ବିଚାରପତିଙ୍କ ଅନୁପସ୍ଥିତି ଯୋଗୁଁ ସୁପ୍ରିମ୍ କୋର୍ଟ ୨୯ ଜାନୁଆରି ଶୁଣାଣିକୁ ଘୁଞ୍ଚାଇ ଦେଇଥିଲେ। ଶୁଣାଣି ଟଳିଥିବାରୁ ବିଭିନ୍ନ ହିନ୍ଦୁ ସଂଗଠନ ଏବଂ ସାଧୁ ସନ୍ଥ ଏହାର କଡ଼ା ସମାଲୋଚନା କରିଥିଲେ। ଅଯୋଧ୍ୟା ମାମଲାର ଶୁଣାଣିରୁ ଜଷ୍ଟିସ୍ ୟୁ.ୟୁ. ଲଳିତ ଓହରି ଯିବା ପରେ ନୂତନ ବେଞ୍ଚ୍ ଗଠନ ହୋଇଥିଲା।

ପ୍ରଧାନ ବିଚାରପତି ରଂଜନ ଗୋଗଇ, ଜଷ୍ଟିସ୍ ଏସ୍.ଏ. ବୋବଡ଼େ, ଜଷ୍ଟିସ୍ ଡି.ୱାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଜଷ୍ଟିସ୍ ଏସ୍ ଅବ୍ଦୁଲ ନଜିରଙ୍କ ସମ୍ବିଧାନ ପୀଠ ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରିବେ। ଏହି ସମ୍ବିଧାନ ପୀଠରେ ସାମିଲ ଥିବା ଜଷ୍ଟିସ୍ ବୋବ୍ଡ଼େ ଇତିମଧ୍ୟରେ ଛୁଟିରୁ ଫେରି କାର୍ଯ୍ୟରେ ଯୋଗ ଦେଇଛନ୍ତି। ତେଣୁ ଫେବ୍ରୁଆରି ୨୬ରେ ଶୁଣାଣି ପାଇଁ କୌଣସି ପ୍ରତିବନ୍ଧକ ନାହିଁ ବୋଲି ସୁପ୍ରିମ୍ କୋର୍ଟ ସୂତ୍ରରୁ ଜଣାପଡ଼ିଛି।

 

ଆଜିର ରାଶିଫଳ ୨୧.୦୨.୨୦୧୯ ଗୁରୁବାର ।

ମେଷ – ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ। ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି। ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ।

ବୃଷ – ଆଜି ଆକସ୍ମିକ ଭାବରେ ମୋଟାଅଙ୍କ ର ଅର୍ଥ ଆବଶ୍ୟକ ହୋଇପାରେ। ପରିବାରରେ ସନ୍ତାନଙ୍କ ସ୍ବାସ୍ଥ୍ୟ ଯୋଗୁ ବିଚଳିତ ହେବେ।ଜମିଜମା କିମ୍ବା ଯାନ୍ତ୍ରିକ ଜିନିଷ କ୍ଷେତ୍ରରେ କିଛି ଅର୍ଥ ବ୍ୟୟ କରିବାକୁ ବାଧ୍ୟ ହେବେ।ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ପାଇ ପାରିବେ।

ମିଥୁନ – ଆଜି ଶିଳ୍ପ, ବାଣିଜ୍ୟ ପ୍ରଭୃତିରେ ପ୍ରତିଦ୍ୱନ୍ଦ୍ୱିତା ଓ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ।କୌଣସି କାମ ସୁବିଧାରେ ହେବ ନାହିଁ । ପୂର୍ବରୁ ସାହାଯ୍ୟ କରିବାକୁ ପ୍ରତଶ୍ରୁତି ଦେଇଥିବା ମିତ୍ରମାନେ ମଧ୍ୟ ନିଜର ମତ ହଠାତ୍‌ ବଦଳାଇ ଅସହଯୋଗ କରିପାରନ୍ତି।

କର୍କଟ – ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି।ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ। ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ।

ସିଂହ – ଆଜି ଦିନଟି ଭୋଗ,ବିଳାସ ଦିଗକୁ ସ୍ବତଃ ମନ ଟାଣିହୋଇଯିବ। ଆଜି ବିଭିନ୍ନ ସୂତ୍ରରୁ ଗୁଡାଏ ଅର୍ଥଲାଭର ଯୋଗ ରହିଛି। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ କୌଣସି ନୂତନ ପଦକ୍ଷେପ ଗ୍ରହଣ କରିବେ। ବନ୍ଧୁମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବେ।

କନ୍ୟା – ଆଜି କାର୍ଯ୍ୟସିଦ୍ଧି ହେତୁ ଉତ୍‌ଫୁଲ୍ଲିତ ରହିବେ। କିନ୍ତୁ ପାରିବାରିକ ଅଶାନ୍ତି କ୍ଷେତ୍ରରେ ଭୁଲ୍‌ ବୁଝାମଣା ହିଁ ପ୍ରଧାନ କାରଣ ହେବ । ବନ୍ଧୁଙ୍କ ସହ ବହୁତ ଦିନରୁ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ । ଅବଶ୍ୟ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ, ତଥାପି କାମ ଅଟକିବ ନାହିଁ । ।

ତୁଳା – ଆଜି ସୁସ୍ଥତା ଅକ୍ଷୁଣ୍ଣ ରଖିବା ସହ ହସଖୁସିରେ ରଖିବାର ସୁସ୍ଥ ପରିବେଶ ସୃଷ୍ଟି କରିବ। ଖଳ ଲୋକମାନଙ୍କ ପ୍ରାୟୋଜିତ କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବେ। ହଠାତ୍‌ ବନ୍ଧୁଙ୍କ ଅନୁରୋଧ କ୍ରମେ ଦେବାର୍ଚ୍ଚନା ପାଇଁ ମନ ବଳାଇବେ।

ବିଛା – ଆଜି ନୂଆ କାମ ପାଇଁ ମନରେ ଉତ୍ସୁକତା ଲାଗି ରହିଲେ ମଧ୍ୟ ଅଷ୍ଟମାଧିପତି ବୁଧ ପଦେ ପଦେ ନୂତନ ସମସ୍ୟା ସୃଷ୍ଟି କରିବ। ଗତକାଲି ଠାରୁ ଆପଣ ଯେଉଁ କାମରେ ହାତ ଦେଇଛନ୍ତି ସେଥିରେ କୃତକାର୍ଯ୍ୟ ହେବେ । କଳା, ସାହିତ୍ୟ କ୍ଷେତ୍ରରେ ପ୍ରଶଂସା ପାଇବେ । ଯେଉଁ ବିବାଦୀୟ ଘଟଣା ପାଇଁ ଆଶଙ୍କା କରୁଛନ୍ତି ସେଥିରେ କିଛି ହେବ ନାହିଁ ।

ଧନୁ – ଆଜି ସ୍ବାସ୍ଥ୍ୟ ଓ କର୍ମହାନି ସାଙ୍ଗକୁ ବିବାଦୀୟ ସ୍ଥିତି ମଧ୍ୟରେ ଅଣ ନିଃଶ୍ୱାସୀ ହୋଇପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ କେତେକ ନୂତନ କାମର ପରିକଳ୍ପନା କରିବେ। ଶିଳ୍ପ ଓ ପରିବହନରେ ସମସ୍ୟା ଲାଗିରହିବ। ମୂଳା ନକ୍ଷତ୍ର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଚିନ୍ତା କରିବେ।

ମକର – ଆଜି ପାରିବାରିକ ସ୍ଥିତି ଭଲ ରହି ନ ପାରେ। ଏଣେ ଯାହା ପାଇବା କଥା ତାହା ଠିକ୍‌ ସମୟରେ ପାଇବା ମଧ୍ୟ କଷ୍ଟକର ହେବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଦୌରାତ୍ମ୍ୟ ଅସହ୍ୟ ହୋଇପାରେ। ମିତ୍ର,ବନ୍ଧୁରେ ଭାଙ୍ଗିପଡିଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ ।

କୁମ୍ଭ – ଆଜି ଦିନଟି ଭଲରେ ଅତିବାହିତ ହେବ। ପିଲାମାନଙ୍କର କିଛି ସମସ୍ୟା ଓ ପରିବାରରେ ହଠାତ୍‌ କୌଣସି ଘଟଣା ମନକୁ ବିବ୍ରତ କରିପାରେ। ବନ୍ଧୁଙ୍କ ଉପରେ ବୃଥା ସନ୍ଦେହ କରନ୍ତୁ ନାହିଁ, ଯାହାଦ୍ୱାରା ଲାଭ ବଦଳରେ କ୍ଷତି ହିଁ ହେବ। ଜମିଜମା, କଳ କାରଖାନା, ପରିବହନରେ ସମସ୍ୟା କ୍ରମଶଃ ଜଟିଳ ହେବ।

ମୀନ – ଆଜି ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଟକି ରହିଯାଇଥିବା କାମଗୁଡିକ ସମ୍ପନ୍ନ ହେବ। ବିଭିନ୍ନ କ୍ଷେତ୍ରରୁ ସମ୍ମାନ ଲାଭ କରିବାର ସୁଯୋଗ ପାଇବେ। ବନ୍ଧୁମିଳନ ସାଙ୍ଗକୁ ବାଣିଜ୍ୟ, ବ୍ୟବସାୟ ଭଲରେ ଚାଲିବ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କା ରହିଛି ।

ତେଲୁଗୁ ଭୋଟରଙ୍କ ଉପରେ ବିଜେଡିର ନଜର, ମନ ଜିଣିବାକୁ ଦଳ ଆଣିଲା ଆନ୍ଧ୍ର କଳାକାର ।

ଏଥର ସମ୍ଭାଳ ବ୍ୟୁରୋ (ନବରଙ୍ଗପୁର) – ଆଗାମୀ ନିର୍ବାଚନ ପାଇଁ ବଳ କଷୁଛି ବିଜେଡି । ସବୁ ବର୍ଗର ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ରକ୍ଷା କରି ଭୋଟ୍ ହାତେଇବାକୁ ଗୋଟିଚାଳନା କରୁଛି ବିଜେଡି । ଏନେଇ ନବରଙ୍ଗପୁର ଠାରେ ବିଜେଡି ତେଲୁଗୁ ସେଲ ପକ୍ଷରୁ ଆୟୋଜିତ ହୋଇଛି ସାଂସ୍କୃତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ତେଲୁଗୁର ଷ୍ଟାର କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଏହାସହ ମନ୍ତ୍ରୀ ରମେଶ ମାଝୀ, ମନ୍ତ୍ରୀ ଉଷାଦେବୀ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ଏନ. ଭାସ୍କର ରାଓଙ୍କ ସମେତ ସ୍ଥାନୀୟ ବିଧାୟକମାନେ ଉପସ୍ଥିତ ଥିଲେ ।

ଏହି କାର୍ଯ୍ୟକ୍ରମ ନେଇ ବିଜେଡି କହିଛି ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ରାଜ୍ୟର ହିତ ପାଇଁ କାର୍ଯ୍ୟ କରିଆସୁଛନ୍ତି । ଏହି ମର୍ମରେ ରାଜ୍ୟରେଥିବା ସମସ୍ତ ସମ୍ପ୍ରଦାୟର ଲୋକମାନଙ୍କୁ ଗୁରୁତ୍ୱ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ତେଣୁ ରାଜ୍ୟରେ ଥିବା ତେଲୁଗୁ ସମାଜର ଭାଇ ଓ ଭଉଣୀଙ୍କ ସମସ୍ୟା ଦୂର କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ରାଜ୍ୟ ସରକାର ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ରମେଶ ଚନ୍ଦ୍ର ମାଝୀ କହିଛନ୍ତି ।

ସେହିଭଳି ନବରଙ୍ଗପୁର ବିଜେଡି ସାଂସଦ ବଳଭଦ୍ର ମାଝୀ କହିଛନ୍ତି ଯେ, ଏହି କାର୍ଯ୍ୟକ୍ରମ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ । ଅନେକ ସମୟରେ ବିଭିନ୍ନ ଦଳ ପରି ସମସ୍ତ ସମ୍ପ୍ରଦାୟକୁ ନେଇ ଏଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଏହା କେବଳ ବିଜେଡି ତେଲୁଗୁ ସେଲ୍ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଥିଲା  । ଆଗମୀ ନିର୍ବାଚନ ପାଇଁ ଏହାର କୌଣସି ସମ୍ପର୍କ ନାହିଁ ବୋଲି କହିଛନ୍ତି ସ୍ଥାନୀୟ ସାଂସଦ ।
ରୋଗୀ ସହାୟକ ଙ୍କ ହୃଦୟ ସ୍ପର୍ଶୀ ଗାଥା …!

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ କୁ ରୋଗୀ ନେଇ ଯାଇଥିବା ରୋଗୀ ସହାୟକ ଙ୍କ ହୃଦୟ ସ୍ପର୍ଶୀ ଗାଥା ଆପଣ ଙ୍କ ଅବଗତି ନିମନ୍ତେ ଏଠି ଉପସ୍ଥାପନା କରୁଛୁ।

“ଭାଇ ରେ କେମିତି ଅଛୁ, କିଛି କଥା ଆଜି ର ମନ ଭିତରେ ଘାନ୍ତି ହେଉଛି ବୋଲି ତତେ କହି ଦେଉଛି l ଆଜି ମୁଁ ବହୁତ ଦିନ ପରେ ଗୁଣୁପୁର ମେଡିକାଲ କୁ ମୋ ନାନୀ ଆଉ ଜିଜୁ ମିଶିକି ଯାଇଥିଲୁ ସେଥି ଯାହା ଦେଖିଲି ମୋ ଆଖି ହୁଏତ ବିଶ୍ୱାସ କରିପାରିଲା ନାହିଁ l opd ରେ ଗୋଟେ ଵି dr. ନାହାନ୍ତି ମୁଁ କହିଲି ଏଠି 5:40 ହେଲାଣି dr କୁଏଡ଼େ ଗଲେ l କେହି ଜଣେ କହିଲେ ଆସିବେ ବସନ୍ତୁ l କିଛି ସମୟ ଜଗିବା ଭିତରେ କିଛି dr ନିଜ ଘରେ ହସ୍ପିଟାଲ ପାଖରେ ସରକାରୀ ଘରେ ରହି ରୋଗୀ ଙ୍କର ସେବା କରୁଛନ୍ତି l ବହୁତ ଖୁସିରେ ଲାଗିଲା l ଏ କଥା ଟା ଶୁଣିକି ଆମେ ଵି ଗଲୁ dr sir ବହୁତ ଖୁସିରେ ରେ ଥାନ୍ତି l ହାତରେ ସୁନା ଘଣ୍ଟା ହାତରେ ସୁନା ମୁଦି ଦାମୀ duechakia l ମୋ ଜିଜୁ ସରକାରୀ ଚାକିରି କରନ୍ତି dr sir ଆସିଲେ ଆମେ କହିଲୁ ମୋ ନାନୀ ଙ୍କୁ ତକ ଜର ଅଛି ସିର କଣ କରିବା ଆଗକୁ ପିଲା ଛୁଆ ହେବାର ଅଛି l ସାର କହିଲେ ହସି ହସି ମୁଁ ଏବେ ଦେଖି ପାରିବି ନାହିଁ 6 ରେ ଦେଖିବି ଆସନ୍ତୁ ଆମେ ଜଗି ବସିଲୁ ସେଥି l ମନ ରେ ଭାବୁ ଥାଏ ଏମିତି ଲୋକ ଅଛନ୍ତି ଲୋକ ଙ୍କ ପାଇଁ ଏମିତି ସେବା କରୁଛନ୍ତି ନିଜ କାର୍ଯ୍ୟ ବ୍ୟସ୍ତ ଟା ଛାଡିକି ଵି ନିଜ ସରକାରୀ ବାସ ଭବନ ରେ l ଠିକ 6 ଟା ବାଜିଲା ଦେଖିଲି ଯାହା ଆଖି ରେ ବିଶ୍ୱାସ ଵି କରିପାରିଲିନି ନିଜ ରୋଗୀ ଦେଖିବା ପାଇଁ ନେଲେ 200 ଟଙ୍କା ହଉ l କିଛି ରୋଗ ଜାଣିବା ପାଇଁ test ଲେଖିଦେଲେ l ସେ ଥିଲା urin ଟେଷ୍ଟ l ହେଇଗଲା ସେଟା ପୁଣି 300 ଟଙ୍କା chage କରିଲେ l ମୁଁ ମୋ ପାଟି ରେ ଭାଷା ନଥାଏ ଶୁଣିକି l ଯଦି ରକ୍ଷକ ଭକ୍ଷକ ସାଜିଵ କହିବ କାହାକୁ l ଯଦି ଜଣେ 500 ଦେବ ପୁଣି ମେଡିକାଲ 500 ଆଣିବ ଏହା କଣ ଗୋଟେ ଛୋଟ କାମ କରୁଥିବା ଲୋକ ପାଇଁ ଠିକ କି ”

ଏଭଳି ବି ଏକ ଘଟଣା ଘଟି ଯାଇଛି ଜଣେ ସମ୍ବାଦଦାତା ଙ୍କ ପିତା ଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଗୁଣପୁର ଠାରୁ ନେବା ବେଳେ।

” ଘଟଣା ଟି ହେଲା ; ଗତ 26/12/2018 ତାରିଖ ଦିନ ଦେହ ଅସୁସ୍ଥ କାରଣରୁ ଉପଖଣ୍ଡ ଚିକିତ୍ସାଳୟ ରେ ଭର୍ତି କରିଥିବା ରୋଗୀଣା ବାପାଙ୍କ ଉଚ୍ଚ ଚିକିତ୍ସା ନିମନ୍ତେ ଡାକ୍ତର ଙ୍କ ପରାମର୍ଶ କ୍ରମେ ବିଭାଗୀୟ ଆମ୍ବୁଲାନ୍ସ ଦ୍ଵାରା ବିଶାଖାପାଟଣମ କୁ ବାପା ଙ୍କୁ ନେଇ ଯାଇଥିଲେ। ନିକଟ ରାସ୍ତା ଦେଇ ଆମ୍ବୁଲାନ୍ସ ନେବା ବଦଳରେ ଗାଡି ଚାଳକ ଆବଡ଼ା ଖାବଡ଼ା ଦୂରାନ୍ତ ରାସ୍ତା ଦେଇ ଆମ୍ବୁଲାନ୍ସ ନେଇ ଥିଲେ। ଏହି ସମୟରେ ଗାଡି ଚାଳକ ଜଣକ ମଦ୍ୟପାନ କରି ରାସ୍ତା ରେ ଦୁଇ ଘଣ୍ଟା ଶୋଇ ଯାଇଥିଲେ। କିଛି କମିସନ ପାଇବା ପାଇଁ ଆମ୍ବୁଲାନ୍ସ ଡ୍ରାଇଭର୍ ଜଣକ ରୋଗୀ ଙ୍କୁ ତାଙ୍କ ସହ ସମ୍ପର୍କ ରେ ଥିବା ଗୋଟିଏ ହସ୍ପିଟାଲ କୁ ନେଇ ଥିଲେ। ଯଦ୍ଵାରା ରୋଗୀ ର ଠିକ୍ ଚିକିତ୍ସା ହୋଇ ନ ପାରି ମୃତ୍ୟୁବରଣ ହୋଇଥିଲା। ଏହାକୁ ନେଇ ଦୀପକ କୁମାର ବେହେରା ବିଭାଗୀୟ କତୃପକ୍ଷ ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି। ପିତାଙ୍କ ମୃତ୍ୟୁ ପାଇଁ ଗାଡି ଚାଳକ ସିମାଞ୍ଚଳ ରାଓ ପରୋକ୍ଷରେ ଦାଇ ଥିବା ଶ୍ରି ବେହେରା ଙ୍କ ଲିଖିତ ଅଭିଯୋଗ ରୁ ସୂଚନା ମିଳିଛି। ଡ୍ରାଇଭର୍ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି”।

ଜନ୍ ସାଧାରଣ ଙ୍କ ସ୍ଵାସ୍ଥ୍ଯ ସେବା ନିମନ୍ତେ ରାଜ୍ଯ ଏବଂ କେନ୍ଦ୍ର ସରକାର ଙ୍କ ମଧ୍ୟରେ ପ୍ରତିଯୋଗିତା ଚାଲିଥିବା ବେଳେ ଅନୁନ୍ନତ ଆଦିବାସୀ ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କିଭଳି ଚାଲିଛି ଏଥିରୁ ସ୍ପଷ୍ଟ ଜାଣିହୁଏ। ଏଭଳି ପରିସ୍ଥିତିରେ ରାଜ୍ଯ ଓ କେନ୍ଦ୍ର ସରକାରଙ୍କ ଯୋଜନା କିଭଳି ଫଳ ପ୍ରଦ ହେବ ଏନେଇ ଏକ ବିରାଟ ପ୍ରଶ୍ନବାଚି ସୃଷ୍ଟି ହୁଏ। ଉଚ୍ଚ କତୃପକ୍ଷ ଙ୍କ ଦ୍ଵାରା ଏହି ଘଟଣା ର ସତ୍ୟା ସତ୍ୟ କୁ ଯାଞ୍ଚ କରି ଦୃଢ଼ ପଦକ୍ଷେପ ଗ୍ରହଣ କରାଗଲେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ର ଉନ୍ନତି ହୋଇପାରିବ ବୋଲି ବୁଦ୍ଧିଯିବି ମହଲରେ ମତ ପ୍ରକାଶ ପାଇଛି। ଦେଖିବାକୁ ରହିଲା ଏହାକୁ ନେଇ କିଏ ଉଚିତ୍ ପଦକ୍ଷେପ ଗ୍ରହଣ କରୁଛନ୍ତି ; ରାଜ୍ଯ ନା କେନ୍ଦ୍ର।

ଆତଙ୍କ ବାଦୀଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିବାକୁ କଳିଙ୍ଗ ସେନା ର ଦାବୀ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଲୱାମା ଠାରେ ଆତଙ୍କବାଦୀ ଆକ୍ରମଣ ଘଟଣାକୁ କଳିଙ୍ଗ ସେନା ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହିତ ଭାରତ ସରକାର ତୁରନ୍ତ ଆତଙ୍କବାଦୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଓ ଆତଙ୍କବାଦୀଙ୍କ ଆଡାସ୍ଥଳୀ କୁହାଯାଉଥିବା ପାକିସ୍ତାନକୁ ଉଚିତ୍‌ ଶିକ୍ଷା ଦିଅନ୍ତୁ ବୋଲି କଳିଙ୍ଗସେନାର ରାଜ୍ୟ ସଭାପତି ହେମନ୍ତ ରଥ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତବ୍ୟକ୍ତ କରିଛନ୍ତି । ଏଥିସହିତ ସହିଦ ଯବାନଙ୍କ ପ୍ରତି ସେନା କାର୍ଯ୍ୟାଳୟରେ ୨ମିନିଟ୍‌ ନୀରବ ପ୍ରାର୍ଥନା କରାଯିବା ସହିତ ସେମାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା । ଭାରତୀୟ ଯବାନଙ୍କ ଆତ୍ମାର ସଦ୍‌ଗତି କାମନା କରିବା ସହିତ ବନ୍ଦେ ମାତରଂ, ଭାରତ ମାତାକି ଜୟ ବୋଲି ଏକସ୍ୱରରେ କଳିଙ୍ଗସେନାର କର୍ମୀମାନେ ସ୍ଳୋଗାନ ଦେଇଥିଲେ । କଳିଙ୍ଗସେନା ଦ୍ୱାରା ଆୟୋଜିତ ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଦଳର ଉପସଭାପତି ବୈକୁଣ୍ଠ ଧଙ୍ଗଡ଼ା ମାଝି, ଯଦୁମଣି ମହାନ୍ତ, ସୁଧାକର ପ୍ରଧାନ, ସାଧାରଣ ସଂପାଦକ ସବ୍ୟସାଚୀ ମହାପାତ୍ର, ଜଗବନ୍ଧୁ ମହାନ୍ତ, ବିଜୟ ରାଜ, ସୁଶାନ୍ତ କୁମାର ସାହୁ, ବରଦାକାନ୍ତ ମହାନ୍ତି, ସଂପାଦକ ହୃଷିକେଶ ସେନାପତି, ଅବଦୁଲ କୟୁମ୍‌ ଖାନ୍‌, ନିରଞ୍ଜନ ପରିଡ଼ା, ଅଜୟ ନାୟକ, ଶିବାଶିଷ ଦାଶ, ମନୋଜ ମହାନ୍ତି, ନାରୀସେନା ଅଧ୍ୟକ୍ଷା ସୁଭଦ୍ରା ମିଶ୍ର, ବିନତା ମହାନ୍ତି, ଚନ୍ଦ୍ରିକା ସିଂ, ସରୋଜିନୀ ସେଠୀ, ପୂଜା ବେହେରା, ବବିତା ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ ।