ପୁରୀରେ ବିଜେଡ଼ିକୁ ଟକ୍କର ଦେବେ ମହାଶ୍ୱେତା ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) –

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟିକା ମହାଶ୍ୱେତା ରାୟ। “କାବେରୀ” ଠାରୁ ଆରମ୍ଭ କରି “କୁଳନନ୍ଦନ” ସିନେମାରେ ତାଙ୍କ ଯାଦୁ ଦେଖିବାକୁ ମିଳିଥିଲା ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ ପ୍ରଦର୍ଶନ କରିବାପରେ ବହୁ ସିନେ ଅଭିନେତ୍ରୀ ବିଜେପି ମୁଁହା ହୋଇଥିଲେ ସେହି କ୍ରମରେ ମହାଶ୍ୱେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୁରୀ ଜିଲ୍ଲା ରୁ ୨ଟି ଆସନ ମହିଳାଙ୍କୁ ବିଜେଡି ଛାଡ଼ିଦେଵ ବୋଲି ଜଣାପଡିଛି । ପ୍ରଥମ ପସନ୍ଦରେ ପିପିଲି ଥିବାବେଳେ ଦ୍ୱିତୀୟଟି ହେଉଛି ପୁରୀ । ପିପିଲି ରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପାର୍ଥିନୀ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ପୁରୀରୁ ମହିଳା ପ୍ରାର୍ଥୀ ଦିଆଗଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ବୋହୁ ତଥା ସ୍ୱସ୍ତି ଗ୍ରୁପ ଅଫ ହୋଟେଲର ମାଲିକ ଜେ.କେ.ମହାନ୍ତିଙ୍କ ଝିଅକୁ ପ୍ରାର୍ଥୀ କରିବ । ତେଣୁ ବିଜେଡିର ଏହି ଚାଲର ମୁକାବିଲା କରିବାପାଇଁ ରାଜ୍ୟ ବିଜେପି ପୁରୀରୁ ମହାଶ୍ୱେତାଙ୍କୁ ପ୍ରାର୍ଥୀ କରିବ । ଯଦି ମହେଶ୍ୱରଙ୍କ ବହୁ ଓ ମହାଶ୍ୱେତାଙ୍କ ମଧ୍ୟରେ ଲଢେଇ ହୁଏ ତେବେ ମହାଶ୍ୱେତାଙ୍କ ବିଜୟ ସମ୍ଭାବନାକୁ ରୋକିବା ବିଜେଡି ପାଇଁ କଷ୍ଟକର ହୋଇପଡ଼ିବ । ତେଣୁ ପୁରୀ ରାଜନୀତି କେଉଁ ଦିଗକୁ ଗତି କରୁଛି ତାହା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ରହିବ ।

ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଉର୍ଦ୍ଧ ବିଜେପି କର୍ମୀ ।

ଏଥର ସମ୍ଭାଳ ବ୍ୟୁରୋ (ଚିଲିକା) – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ଚିଲିକା ବ୍ଲକ ଉପାଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତର ବିଜେପି ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ୫୦୦ରୁ ଉର୍ଦ୍ଧ ବିଜେପି କର୍ମୀ ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଚିଲିକା ବ୍ଲକ ଉପାଧ୍ୟକ୍ଷ ଉତ୍ପଳ କୁମାର ପାଇକରାୟ, ଅଙ୍କୁଲା ସରପଞ୍ଚ ଶ୍ରୀମତୀ ମମତା ପାଇକରାୟ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ହରିପୁର ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, ଆୟତପୁର ସରପଞ୍ଚ ହରଶ ସେଠୀ, ହାଟବରଡିହିର ପୂର୍ବତନ ସରପଞ୍ଚ ଶ୍ରୀମତୀ ରୀନା ବେହେରା, ନିମିଖେତାର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ କେଇ, ବାଲୁଗାଁ କୋ-ଅପରେଟିଭ୍‍ ସୋସାଇଟି ସଭାପତି ଲଳିତ ମିଶ୍ରଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ।

ସେହିପରି ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ସହ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଅପରପକ୍ଷରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପାଇକରାୟ କହିଥିଲେ ଯେ ଗତ ୩୦ବର୍ଷ ଧରି ଆମେ ବିଜେପି ପାଇଁ କାମ କରିଥିଲୁ । କିନ୍ତୁ ସେଠାରେ ବିଜେପି ଭିତରେ ଯେଉଁ ଏକଛତ୍ରବାଦୀ ଶାସନ ଚାଲିଲା, ସେଥିରେ ଅତିଷ୍ଠ ହୋଇପଡିଥିଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଓ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛୁ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ଆମେ ସମସ୍ତେ ଏକାଠି ହୋଇ କାମ କରିବୁ ବୋଲି ଶ୍ରୀ ପାଇକରାୟ କହିଥିଲେ । ଚିଲିକା ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ବାଲୁଗାଁ ଏନ୍‍ଏସି ସଭାପତି ଭଗବାନ ପ୍ରଧାନ, ବାଣପୁର ଏନ୍‍ଏସି ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସାଂସଦଙ୍କ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ଏନ୍‍ଏସି ପୂର୍ବତନ ଉପାଧ୍ୟକ୍ଷ ଦାସରଥି ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।

ଆସୁଛି ବର୍ଷା: ୪୮ ଘଣ୍ଟା ମଧ୍ୟରେ ବର୍ଷିବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଟ୍ରାପ୍ ଲାଇନ୍ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇପାରେ। ଏହାସହ ବଜ୍ରପାତ ହେବାର ମଧ୍ୟ ସମ୍ଭାବନା ରହିଛି। ଏପରି ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

ଆସନ୍ତାକାଲି ଆସନ୍ତାକାଲି ବର୍ଷା ଅଧିକ ହେବା ସହ ତାପମାତ୍ରା ହ୍ରାସ ପାଇବା ସମ୍ଭାବନା ଥିବା କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଗତ ୨ରୁ ୩ ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ବୃଦ୍ଧି ପାଇଛି। ତେବେ ବର୍ଷା ହେବା ଫଳରେ ତାପମାତ୍ରା ହ୍ରାସ ପାଇବା ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଚିଲିକା କୂଳରେ ଡଲଫିନ୍‌ର ମୃତଦେହ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମଗିରି) – ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

 

କଂଗ୍ରେସର ଓଡ଼ିଶା ପ୍ରଭାରୀ ଟିଏସ୍ ସିଂହଦେଓ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଛତିଶଗଡ଼ ମନ୍ତ୍ରୀ ଟିଏସ୍ ସିଂହଦେଓଙ୍କୁ କଂଗ୍ରେସର ଓଡ଼ିଶା ପ୍ରଭାରୀ ଭାବେ ନିଯୁକ୍ତି ମିଳିଛି। ସେ ସାମୟିକ ଭାବେ ଏହି ଦାୟିତ୍ୱ ତୁଲାଇବେ। ବରିଷ୍ଠ ନେତା ଜିତେନ୍ଦ୍ର ପ୍ରସାଦ ସିଂହ ପୂର୍ବଭଳି ଓଡ଼ିଶା ପ୍ରଭାରୀ ଦାୟିତ୍ୱରେ ରହିବେ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏହି ନିଯୁକ୍ତି ଦେଇଥିବା ଏଆଇସିସି ପକ୍ଷରୁ ଜାରି ପ୍ରେସ୍ ରିଲିଜରେ କୁହାଯାଇଛି।

ଉଲ୍ଲେଖଯୋଗ୍ୟ,ଛତିଶଗଡ଼ରେ କଂଗ୍ରେସକୁ କ୍ଷମତାସୀନ ହେବା ପାଇଁ ଯେଉଁ ମଡେଲ୍ ଉପଯୋଗ ହୋଇଥିଲା ତାକୁ ଓଡ଼ିଶାରେ ଲାଗୁ କରିବା ନିମନ୍ତେ ଶ୍ରୀ ସିଂହଦେଓ ପ୍ରମୁଖ ଭୂମିକା ତୁଲାଇବେ ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି।