ମାଆ ହେଲେ ଦଶମ ଶ୍ରେଣୀ ଛାତ୍ରୀ !

ଏଥର ସମ୍ଭାଳ ବ୍ୟୁରୋ (ବୌଦ୍ଧ) – ମାଆ ହୋଇଛନ୍ତି ଦଶମ ଶ୍ରେଣୀରେ ପଢ଼ୁଥିବା ଜଣେ ନାବଳିକା ଛାତ୍ରୀ। ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଘଟଣାଟି ଘଟିଛି ବୌଦ୍ଧ ଜିଲ୍ଲା  ହରଭଙ୍ଗା ବ୍ଲକ୍‌ ଅଞ୍ଚଳରେ।

ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ନାବାଳିକା ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଏନେଇ ସେ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। ପରେ ତାଙ୍କୁ ଏକ ଅଟୋ ଯୋଗେ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ହେଲେ ଡାକ୍ତରଖାନା ଭିତରକୁ ନେବା ପୂର୍ବରୁ ଗେଟ୍‌ ସମ୍ମୁଖରେ ହିଁ ସେ ଶିଶୁପୁତ୍ରକୁ ଜନ୍ମ ଦେଇଥିଲେ।

ପ୍ରସୂତି ନାବାଳିକା ହୋଇଥିବା ଜାଣିବା ପରେ ଡାକ୍ତରଖାନା କର୍ମଚାରୀ ୧୦୮ ଆମ୍ୱୁଲାନ୍ସରେ ଉଭୟ ମାଆ ଓ ଶିଶୁକୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲେ।

ତେବେ ନାବାଳିକାଙ୍କୁ କିଏ ଗର୍ଭବତୀ କଲା, ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ। ରାଜ୍ୟରେ ବାରମ୍ବାର ନାବାଳିକାଙ୍କ ପ୍ରତି ଯୌନ ନିର୍ଯାତନା ବଢ଼ି ଚାଲିଛି। ପ୍ରାୟ ପ୍ରତିଦିନ ଏପରି ଘଟଣା ନଜରକୁ ଆସୁଛି। ବିଶେଷ କରି ଆଶ୍ରମ ସ୍କୁଲରେ ଗୁଡିକରୁ ଏପରି ଅଭିଯୋଗ ଅଧିକ ଆସୁଥିବା ଦେଖିବାକୁ ମିଳୁଛି।

‘ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ’ ବୋଲି କହିବାରୁ କର୍ମୀଙ୍କୁ ଏମିତି ପରାମର୍ଶ ଦେଲେ ରାହୁଲ୍ !

!!! ଓଡ଼ିଶାରେ ରାଜନୀତି ଦୁନିଆର ଲୋକଙ୍କୁ ରାହୁଲ ପଢ଼ାଇଲେ ଶାଳୀନତାର ପାଠ !!!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  କ୍ଷମତାସୀନ ବିଜେଡି ସରକାର ଗତ କିଛିମାସ ଧରି ପ୍ରତିହିଂସାର ରାଜନୀତି କରୁଥିବା ବେଳେ, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ଶାଳୀନତାର ପାଠ ପଢ଼ାଇଛନ୍ତି।

ଓଡ଼ିଶାରେ ନବୀନ ପଟ୍ଟନାୟକ ସରକାରରେ କେନ୍ଦ୍ରମନ୍ତ୍ରୀମାନଙ୍କ ଉପରେ ଆକ୍ରମଣ, ପୂର୍ବତନ ସାଂସଦ ଖାରବେଳ ସ୍ୱାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଅଣ୍ଡାମାଡ଼ ଓ କଳାପତାକା ପ୍ରଦର୍ଶନ କରିବା ଭଳି ଅନେକ ହିଂସାତ୍ମକ ଘଟଣା ହେଉଥିଲା ବେଳେ, ବିଜେଡିର ମନ୍ତ୍ରୀ ଓ ନେତାମାନେ ଏହାକୁ ଯଥାର୍ଥ ବୋଲି ଦର୍ଶାଇବାକୁ ଯୁକ୍ତି ବାଢ଼ିଥାନ୍ତି।

ଅପରପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ଭାଷାରେ ସମାଲୋଚନା କରିଥିଲେ ମଧ୍ୟ ତାଙ୍କ କର୍ମୀଙ୍କ ଦ୍ୱାରା ‘ନବୀନ ପଟ୍ଟନାୟକ ମୁର୍ଦ୍ଦାବାଦ’ ସ୍ଲୋଗାନକୁ ନାପସନ୍ଦ କରିଥିଲେ।

ନିଜର କର୍ମୀମାନଙ୍କୁ ପରାମର୍ଶ ଦେଇ ଶ୍ରୀ ଗାନ୍ଧି କହିଥିଲେ ଯେ- “ମୁର୍ଦ୍ଦାବାଦ ସ୍ଲୋଗାନ ଆର୍‌ଏସ୍‌ଏସ୍‌ ଓ ବିଜେପି ଲୋକମାନେ ଦେଇଥାନ୍ତି। ଆମେ ସ୍ନେହ ଓ ଭଲପାଇବା ମଧ୍ୟରେ କାମ କରୁଛୁ। ଆମେ ଯୋଡ଼ିବାର କାମ କରୁଛୁ ଓ ଆମେ ଏ ଲୋକମାନଙ୍କୁ ଭଲପାଇବା ଭିତରେ ହିଁ ପରାଜିତ କରିବା। ମୁର୍ଦ୍ଦାବାଦ ଆମେ କହିବା ନାହିଁ।”

ରାହୁଲ ନିଜର ଭାଷଣରେ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରରେ ନେତୃତ୍ୱାଧୀନ ମୋଦି ସରକାରର ‘ରିମୋଟ କଣ୍ଟ୍ରୋଲ’ ବୋଲି କହିବା ସହ ବିଭିନ୍ନ ପ୍ରସଙ୍ଗରେ କଡ଼ା ସମାଲୋଚନା କରିଥିଲେ। ନିଜ କର୍ମୀମାନଙ୍କୁ ଏଭଳି ଶାଳୀନତାର ପରାମର୍ଶକୁ ଏବେ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଉଛି କିନ୍ତୁ ରାହୁଲ ନିଜ ଭାଷଣରେ ବାରମ୍ବାର ମୋଦିଙ୍କ ଉଦ୍ଦେଶ୍ୟରେ ‘ଚୌକିଦାର ଚୋର ହୈ’ କହିବା ଶାଳୀନତାର ବିପରୀତ ଥିଲା ବୋଲି ସମାଲୋଚକ କହିଛନ୍ତି।

ଭୁଆଁ ବୁଲାଉଛି କମିଶନରେଟ ପୁଲିସ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଯୋଜନା ପରେ ଯୋଜନା କରି ରାଜ୍ୟ ସରକାର ଲୋକଙ୍କୁ କେବଳ ଭକୁଆ ବନାଉଛନ୍ତି । ଏମିତି ଅଭିଯୋଗ ବାରମ୍ବାର ଉଠୁଥିବା ବେଳେ ଏଥରକ ଯୋଡିହୋଇଛି କମିଶନରେଟ ପୁଲିସର ନା । ସେବା ଯୋଗାଇବା ଆଳରେ ଲୋକଙ୍କ ଭାବନା ସହ ଖେଳଖେଳୁଛି କମିଶନରେଟ ପୁଲିସ । ଆମେ ଏଥିପାଇଁ ଏ ପ୍ରସଂଗ ଉଠାଇଛୁ କାରଣ ବିଗତ ଦିନରେ କମିଶନରେଟ ପୁଲିସ ଯେଉଁ ଯୋଜନା ସବୁ କରିଛି ତାହା ଏବେ ବାଟବଣା । ମହିଳାଙ୍କ ସୁରକ୍ଷା ନେଇ ୨୦୧୭ ଏପ୍ରିଲ ୧୩ରେ କମିଶନରେଟ ପୁଲିସ ଆରମ୍ଭ କରିଥିଲା ‘ମୋ ସାଥୀ’ ଆପ୍ । ହେଲେ ର୍ଦୁଭାଗ୍ୟ ଏହା ଏବେ ବାଟବଣା ।

୫ ଯୁବମୋର୍ଚ୍ଚା ନେତା ପୁଲିସ ମାଡ଼ରେ ଆହତ ; ହସ୍ପିଟାଲରେ ଭର୍ତ୍ତି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଯୁକ୍ତି ଦାବିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ନେତୃତ୍ୱରେ ହଜାର ହଜାର ଯୁବକଯୁବତୀ ଆଜି ବିଧାନସଭା ଘେରାଉ ପାଇଁ ଯିବା ସମୟରେ ପୁଲିସ କେବଳ ଯେ ସେମାନଙ୍କର ପଥରୋଧ କରିଥିଲା ତା ନୁହେଁ, ସେମାନଙ୍କ ଉପରେ ଲାଠିମାଡ଼ ବର୍ଷା ମଧ୍ୟ କରିଥିଲା। ପୁଲିସର ଏଭଳି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନରେ ୫ଜଣ ଯୁବନେତା ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଶାନ୍ତିପୂର୍ଣ୍ଣ ଢଙ୍ଗରେ ରାଜ୍ୟର ହଜାର ହଜାର ଯୁବକ ବିଧାନସଭା ଘେରାଉ କରିବାକୁ ଯାଉଥିବାବେଳେ ପୁଲିସ ଲଗାଇ ସେମାନଙ୍କୁ ମାଡ଼ ମରାଯାଇଛି। ପୁଲିସ ମାଡ଼ରେ ବିଜେପି ଯୁବମୋର୍ଚ୍ଚା ଜାତୀୟ ଉପସଭାପତି ଠାକୁର ରଣଜିତ୍ ଦାସ, ଯୁବନେତା ଅସିତ ମହାନ୍ତି, ଅରୂପା ଦିବାକ, ବିପ୍ଲବ ସଂଖ୍ୟାଲ, ସନ୍ତୋଷ କୁମାର ବୁଟିଆ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏ ସରକାର ନିଯୁକ୍ତିର ହତ୍ୟା କରିଛନ୍ତି। ଏ ସରକାର ଏବେ ବୁଢ଼ା ବାଘର କଙ୍କଣ ଉପାଖ୍ୟାନ ଭଳି କାଳିଆ ଆଉ ବିଜୁ ଯୁବ ବାହିନୀ ପରି ଯୋଜନା କରି ଓଡ଼ିଆ ଯୁବକମାନଙ୍କ ସହ ପ୍ରତାରଣା କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ଆଜି ବେରୋଜଗାର ସମସ୍ୟାରେ ଜର୍ଜରିତ ଯୁବବର୍ଗ ରାଜ୍ୟ ସରକାରଙ୍କୁ ନିଯୁ୍କ୍ତି ମାଗିବା ପାଇଁ ଯିବା ସମୟରେ ସରକାରୀ ଗୁଣ୍ଡା ସାଜି ପୁଲିସ ଆକ୍ରମଣ କରୁଛି। ପୁଲିସର ବର୍ବରତା ବ୍ରିଟିଶ ଶାସନର ଗୁଣ୍ଡାରାଜଠୁ ବଳିଗଲାଣି ବୋଲି ବିଜେପି ଯୁବମୋର୍ଚ୍ଚା କହିଛି।

୨୦୦୯ରେ ହୋଇଥିବା ରାଜ୍ୟ ଇ‘ଷ୍ଟ୍ରିଆଲ ପଲିସିର ନିୟମ ଅନୁସାରେ ୯୦%  ଅଣକୁଶଳୀ ଓ ଅର୍ଦ୍ଧକୁଶଳୀ ଶ୍ରମିକ ଭାବେ ସ୍ଥାନୀୟ ଲୋକ ନିଯୁକ୍ତି ପାଇବେ। ସେହିପରି କୁଶଳୀ କ୍ଷେତ୍ରରେ ୬୦%, ସୁପରଭାଇଜର କ୍ଷେତ୍ରରେ ୩୦% ସ୍ଥାନ ସ୍ଥାନୀୟ ଓଡ଼ିଆ ଯୁବକଙ୍କ ପାଇଁ ସଂରକ୍ଷିତ ରହିବ। ହେଲେ ଏ ସରକାରୀ ଦଳର ଲୋକମାନେ ପିସି କାରବାର କରି ଅଣଓଡ଼ିଆ ପିଲାଙ୍କୁ ନିଯୁକ୍ତି ଦେଉଛନ୍ତି। ଆମର ଲୁହା ପଥର, ଆମର କୋଇଲା, ଆମର ପାଣି ଯାଉଛି ହେଲେ ନିଯୁକ୍ତି ପାଉଛନ୍ତି ଅଣଓଡ଼ିଆ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ସରକାରୀ କ୍ଷେତ୍ରରେ ମଧ୍ୟ ନିଯୁକ୍ତି ଦେବାକୁ ସରକାର କୁଣ୍ଠାବୋଧ କରୁଚନ୍ତି। ରାଜ୍ୟରେ ୭୦ଭାଗ ସରକାରୀ ପଦବୀ ଖାଲି ପଡ଼ିଛି। ରାଜ୍ୟରେ ଏବେ ଅଧ୍ୟାପକ ଓ ଶିକ୍ଷକ ପଦବୀ ଖାଲିଥିବାବେଳେ ଡିଗ୍ରୀଧାରୀ ଯୁବକଯୁବତୀମାନେ ବେକାର ହୋଇ ବସିରହିଛନ୍ତି।

୨୦୦୦ରୁ ୨୦୧୬ ମଧ୍ୟରେ ରାଜ୍ୟରେ ମାତ୍ର ୨୧ଟି ମଧ୍ୟମ ଶିଳ୍ପ ସ୍ଥାପିତ ହୋଇଛି। ସେଥିରୁ ବର୍ତ୍ତମାନ ୩ଗୋଟି ଅଚଳ ଅବସ୍ଥାରେ ଅଛି। ସ୍ୱର୍ଗତ ବିଜୁ ବାବୁଙ୍କ ଦ୍ୱାରା ରାଜ୍ୟରେ ପ୍ରତିଷ୍ଠିତ ୧୪୭ ପଞ୍ଚାୟତ ସମିତି ଶିଳ୍ପ ମଧ୍ୟରୁ ୧୩୨ ଟି ପୂରା ବନ୍ଦହୋଇ ପଡ଼ିଛି। ଏହା ଉପରେ ନିର୍ଭରଶୀଳ ଶହ ଶହ ପରିବାର ମଧ୍ୟରୁ କେତେକ ଗୁଜୁରାଣ ମେଣ୍ଟାଇବା ପାଇଁ ମଜୁରି ଲାଗୁଛନ୍ତି ତ ଆଉ କେତେକ ଅନ୍ୟ ରାଜ୍ୟରେ ଦାଦନ ଖଟୁଛନ୍ତି। ଯେଉଁ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସମ୍ପୂର୍ଣ୍ଣ ରୂପେ ଧ୍ୱସ୍ତ ବିଧ୍ୱସ୍ତ ହୋଇ ଯାଇଛି ସେ ରାଜ୍ୟର ଯୁବ ଶକ୍ତିକୁ କର୍ମ ସଂସ୍ଥାନ କିପରି ମିଳିବ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।
ରାଜଧାନୀ ଉପକଣ୍ଠ ଡେରାସରେ ସାମୁଦ୍ରିକ ଖାଦ୍ୟ ପାର୍କ, ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମରେ ସମନ୍ୱିତ ବୟନ ଶିଳ୍ପ ପ୍ରକଳ୍ପ, ଭଦ୍ରକରେ ‘ଫୁଡ ପାର୍କ’, ରାୟଗଡ଼ା ଓ ଅନୁଗୁଳରେ ଆଲୁମିନିୟମ ପାର୍କ ପ୍ରକଳ୍ପର ସ୍ଥିତି କଣ ? ଓଡିଶା କନକ୍ଲେଭ ପରେ କେତେ ଟଙ୍କାର ପୁଞ୍ଜି ନିବେଶ ହେଲାଣି ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି।
ଆଜିର ଏହି ବିଧାନସଭା ଘେରାଉ ଓ “ଜବାବ୍ ମାଗୁଛି ଯୁବକ” କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ପ୍ରତିନିଧି ଭାବେ ବିଜେପି ଯୁବମୋର୍ଚ୍ଚାର ରାଷ୍ଟ୍ରୀୟ ସାଧାରଣ ସଂପାଦକ ସୈାରଭ ଚୈାଧୁରୀ ଯୋଗ ଦେଇଥିଲେ। ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ପୂର୍ବତନ ରାଜ୍ୟ ସଭାପତି ଉମାକାନ୍ତ ପଟ୍ଟନାୟକ, ରାଜ୍ୟ ଉପ ସଭାପତି ସିକନ୍ଦର ଅଲ୍ଲୀ, ଅଂଶୁମାନ ସବୁଜ ମହନ୍ତ, ସମରଜିତ୍ ପାତ୍ର, ସତ୍ୟବାଦୀ ଚଇନି, ରାଜ୍ୟ ସାଧାରଣ ସଂପାଦକ ଏନ.ରାଜେନ୍ଦ୍ର କୁମାର, ବିଶ୍ୱରଂଜନ ବଡଜେନା, ରାଜ୍ୟ ସଂପାଦକ ଦୀପକ ଗୋଚ୍ଚାୟତ, ଓମ୍ ପ୍ରକାଶ ମିଶ୍ର, ଅର୍ପିତା ବଡ଼ଜେନା, ରାଜ୍ୟ ସଂଯୋଜକ ହିତେଶ ସାହୁ, ବିଶ୍ୱଜିତ୍ ଷଡ଼ଙ୍ଗୀ, କାମାକ୍ଷା ପ୍ରଧାନ ପ୍ରମୁଖଙ୍କ ସମେତ ସମସ୍ତ ଜିଲ୍ଲା ସଭାପତି ଏବଂ ବିଭିନ୍ନ ଜିଲ୍ଲାରୁ ଆସିଥିବା ହଜାର ହଜାର କାର୍ଯ୍ୟକର୍ତ୍ତା ସାମିଲ ହୋଇ ବିଧାନସଭା ଘେରାଉ କରିଥିଲେ।
ସବୁ ବର୍ଗଙ୍କୁ ନିରାଶ କରିଛି ବଜେଟ : ଭାଜପା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ସରକାର ଆଗତ କରିଥିବା ବଜେଟରେ କୌଣସି ନୂଆ ଘୋଷଣା ନାହିଁ। ଲୋକମାନଙ୍କୁ ଭ୍ରମିତ କରିବା ପାଇଁ ଏହି ବଜେଟରେ ଉଦ୍ୟମ ହୋଇଛିି ଓ ସବୁବର୍ଗଙ୍କୁ ନିରାଶ କରାଯାଇଛି ବୋଲି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତିା

ଶ୍ରୀ ମହାନ୍ତି କହିଛନ୍ତି କି ଏହି ବଜେଟର ରୂପରେଖ ହେଉଛି ପୁରୁଣା ବୋତଲରେ ନୁଆ ଲେବଲ ଲାଗିବା ଭଳିା ନିର୍ବାଚନ ପୂର୍ବରୁ ବୋଧହୁଏ ଏହି ବଜେଟ ତାଙ୍କର ଶେଷ ବଜେଟ ବୋଲି ମୁଖ୍ୟମନ୍ତ୍ରୀ ଜାଣିସାରିଲେଣି। ସେଥିପାଇଁ ବଜେଟ୍ ପ୍ରସ୍ତୁତିରେ ନବୀନ ବାବୁଙ୍କର ଉତ୍ସାହ କମିଯାଇଛି । କୌଣସି ନୂଆ ଘୋଷଣା ଏହି ବଜେଟରେ ନକରିବା ସରକାରଙ୍କର ମନୋବଳ ଭାଙ୍ଗିଯାଇଥିବା କଥାକୁ ପ୍ରମାଣିତ କରୁଛି।

୨୦୧୮-୧୯ ରେ ଯୋଜନା ବ୍ୟୟ ଥିଲା ୬୭ ହଜାର କୋଟି। କିନ୍ତୁ ୨୦୧୯-୨୦ରେ ଏହା ୬୬ ହଜାର କୋଟି ଟଙ୍କାକୁ ହ୍ରାସ ପାଇଛି। ୨୦୧୮-୧୯ର ମୋଟ ବଜେଟ ଅପେକ୍ଷା ୨୦୧୯-୨୦ ମୋଟ ବଜେଟରେ ୧୦% ବୃଦ୍ଧି ପାଇଛି। ସେହି ଅନୁସାରେ ଯୋଜନା ବ୍ୟୟ ମଧ୍ୟ ୧୦% ବୃଦ୍ଧି ପାଇବା କଥା। ୬୭ ହଜାର କୋଟିରୁ ଏହା ୭୩,୭୦୦ କୋଟି ହେବା କଥା। କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଏହା ବରଂ ୨୦୧୮- ୧୯ ଅପେକ୍ଷା ଆହୁରି ୧୦୦୦ କୋଟି ଟଙ୍କା କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ରାଜ୍ୟର ଭିତ୍ତିଭୁମି ବିକାଶଠାରୁ ଆରମ୍ଭ କରି ସମସ୍ତ ଜନକଲ୍ୟାଣ ଯୋଜନା ସବୁ ଯୋଜନା ବ୍ୟୟରୁ ହିଁ ହୋଇଥାଏ। ହଜାରେ କୋଟି ଟଙ୍କାର ହ୍ରାସ ହିସାବକୁ ନେଲେ ମୋଟ ଯୋଜନା ବ୍ୟୟ ପାଖାପାଖି ୭ ହଜାର କୋଟି ଟଙ୍କା କାହିଁକି କମିଛି ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ଗତ ଆର୍ଥିକ ବଜେଟରୁ ସରକାର ୧୦ ହଜାର ୫୫୫ କୋଟି ଟଙ୍କା ବଳକା ରଖିଛନ୍ତି। ଯାହାବି ବ୍ୟୟ କରିଛନ୍ତି ବୋଲି କହିଛନ୍ତି ସେଥିରୁ ୨୫% ଅର୍ଥ ଖର୍ଚ୍ଚ ହୋଇପାରିନାହିଁ। ମାର୍ଚ୍ଚ ୩୧ ସୁଦ୍ଧା ଏହି ଅର୍ଥ କେମିତି ଖର୍ଚ୍ଚ ହେବ ତାହା ଏକ ବଡ଼ ପ୍ରଶ୍ନ ବୋଲି ଶ୍ରୀ ମହାନ୍ତି କହିଛନ୍ତି। ସେ କହିଛନ୍ତି ୨୦୧୯-୨୦ରେ ବଜେଟରେ ମୋଟ ଋଣ ହେଉଛି ୧୬ ହଜାର ୧୯୩ କୋଟି ଟଙ୍କା। ଏପଟେ ସରକାର କହିଛନ୍ତି ରାଜସ୍ୱ ବଳକା ହେବ ୮ ହଜାର ୪୩୩ କୋଟି ଟଙ୍କା। ଋଣ କରି ବଳକା ବଜେଟ କରିବା କ’ଣ ସରକାରଙ୍କର ବାହାଦୂରୀ ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ମହାନ୍ତି ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନକୁ ଆଖି ଆଗରେ ରଖି କାଳିଆ ଯୋଜନାରେ ୪୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି। ରାଜ୍ୟରେ ଚାଷୀମାନଙ୍କ ଅସନ୍ତୋଷରେ ସରକାର ଭୟ କରି ଏପରି କରିଛନ୍ତି। ପୁରୁଣା ପାପକୁ କାଳିଆ ଯୋଜନାରେ ଧୋଇବାର ପ୍ରୟାସ ହୋଇଛି। କିନ୍ତୁ ଏଥିରେ କେତେ ଭାଗଚାଷୀ ଲାଭବାନ ହେବେ ତାହା ଏକ ବଡ଼ ପ୍ରଶ୍ନ। କାରଣ ରାଜ୍ୟରେ ଭାଗଚାଷୀ ଗଣନା ଏଯାଏ ହୋଇନାହିଁ। ଅନ୍ୟପକ୍ଷେ ପକ୍କାଘର, ପିଇବା ପାଣି, ସାମାଜିକ ନିରାପତ୍ତା ପେନସନ ଆଦିରେ ବଜେଟ ରାଶି କମିଯାଇଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ହାଇକୋର୍ଟ ଗଲେ ଭୃଗୁ ଓ ଗୋଲକ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  ବହୁଚର୍ଚ୍ଚିତ ଗଞ୍ଜାମ ଜିଲ୍ଲା ଛତ୍ରପୁର କାଉନସିଲର ଲକ୍ଷ୍ମୀଦତ୍ତ ହତ୍ୟା ମାମଲାରେ ପୁଲିସର ନୋଟିସ୍‌ ପାଇଥିବା ଦୁଇ ବରିଷ୍ଠ ବିଜେପି ନେତା ଗୋଲକ ମହାପାତ୍ର ଓ ଭୃଗୁ ବକ୍ସିପାତ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆଗୁଆ ଜାମିନ ପାଇଁ ସେମାନେ କୋର୍ଟରେ ଆବେଦନ କରିଥିବା ଜଣାପଡ଼ିଛି।

ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇ ନଥିଲେ।

ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଗତକାଲି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଗୋଲକ ଛତ୍ରପୁର ଥାନାରେ ହାଜର ହୋଇ ନଥିଲେ।

ସୂଚନାଯୋଗ୍ୟ, ୨୦୧୭ ସେପ୍ଟେମ୍ବର ୧୬ ତାରିଖରେ ଛତ୍ରପୁରର ଯୁବ ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଏହି ମାମଲାରେ ୧୫ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।