ଆଜି ର ରାଶିଫଳ ୦୮/୦୨/୨୦୧୯ ଶୁକ୍ରବାର ।

ମେଷ – ଆଜି ବକେୟା ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପ୍ରତିଯୋଗିତାରେ ସଫଳତା ଯୋଗୁ କେତେକାଂଶରେ ମନକୁ ବୁଝାଇବାରେ ସମର୍ଥ ହେବେ। ଅଫିସ୍‌ କାମରେ ଅଯଥା ବିବାଦ ଭିତରକୁ ପଶିଯାଇପାରନ୍ତି।

ବୃଷ – ଆଜି ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସାହାଯ୍ୟ, ସମର୍ଥନ ଲାଭ କରାଇବ। କୃତ୍ତିକା ନକ୍ଷତ୍ର ପାଇଁ ପରିସ୍ଥିତି ବିଶେଷ ଭଲ ନ ଥିବା ହେତୁ ଭଲ କଥା କହିଲେ ମଧ୍ୟ ଅନ୍ୟମାନେ ଭୁଲ୍‌ ବୁଝିବେ। ଆକସ୍ମିକ ଆବଶ୍ୟକତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତା ବଢ଼ାଇ

ମିଥୁନ – ଆଜି ଆପଣଙ୍କ କଥାବାର୍ତ୍ତା ଓ ବ୍ୟବହାର ଅନ୍ୟମାନଙ୍କ ପସନ୍ଦଯୋଗ୍ୟ ନ ହେବା କାରଣରୁ ସମସ୍ୟା ଉପୁଜିପାରେ। ବିଭିନ୍ନ ପ୍ରକାର ଧନ୍ଦା କରିବା ସକାଶେ ବନ୍ଧୁମାନେ ପ୍ରୋତ୍ସାହିତ କରିପାରନ୍ତି। ନି କଟସ୍ଥ ଜଣାଶୁଣା ବ୍ୟକ୍ତି ମାନଙ୍କ ଦ୍ୱାରା ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଜିବ।

କର୍କଟ – ନୂଆ କାମଟିଏ କରିବା ପାଇଁ ମନରେ ଭାବନା ଜାଗ୍ରତ କରିପାରନ୍ତି। ନିଜ ପରିସରରେ ସାଧାରଣ କଥାକୁ ବଡ଼ କରି ନିକଟସ୍ଥ ବ୍ୟକ୍ତି ଜଣେ କଳହର ମାତ୍ରାକୁ ବଢ଼ାଇବେ। ଅବଶ୍ୟ ପରକ୍ଷଣରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।

ସିଂହ – ଆଜି ଯେତେ ପ୍ରକାର ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ଅନ୍ୟମାନେ ସନ୍ତୁଷ୍ଟ ହେବେ ନାହିଁ ବରଂ ଓଲଟି ନିନ୍ଦାଗାନ କରିବେ। ଘରେ ବନ୍ଧୁମିଳନ ଓ ନୂତନ ଅତିଥିଙ୍କ ଆଗମନ ଯୋଗୁ ହସଖୁସିର ସୁଅ ଛୁଟିବ। ମାଲିମକଦ୍ଦମା,ଜମିଜମା ସମସ୍ୟା ପ୍ରଭୃତିରେ ସୁଫଳ ପାଇବେ।

କନ୍ୟା – ଆଜି ଅର୍ଥ, ସମ୍ମାନ ଓ ବିଳାସବ୍ୟସନ ଦିଗ ପାଇଁ ବହୁତ ଭଲ ହେବ। ବହୁ ଦିନରୁ ଟଙ୍କା ବାକି ରଖିଥବା ଲୋକଟି ଆପଣଙ୍କୁ ଖୋଜି ଖୋଜି ଶେଷରେ ଘରେ ଆସି ଟଙ୍କା ଦେଇଯାଇପାରେ। ଆଗାମୀ ଘରକୁ ସଜାସଜି କରିବାରେ ମନୋନିବେଶ କରିପାରନ୍ତି।

ତୁଳା – ଆଜି ଦିନଟି ବହୁ ଶୁଭଦାୟକ ରହିବେ। ଫଳରେ ଯାହା କଲେ ମଧ୍ୟ କୌଣସି କାମ ସ୍ଥଗିତ ରହିବ ନାହିଁ। କିନ୍ତୁ ହସ୍ତା ନକ୍ଷତ୍ର ସକାଶେ ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଅବଶ୍ୟ ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ।

ବିଛା – ଆପଣଙ୍କ ମନକୁ ଖୁସି ରଖିବା ସହ କାର୍ଯ୍ୟବ୍ୟସ୍ତତା ସୃଷ୍ଟି କରିବ। ଅଭାବ ଦୂରେଇବାର ପ୍ରୟାସକଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇନେବେ। କ୍ରୀଡ଼ା, କଳା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିପାରିବେ।

ଧନୁ – ଆଜି ମନ ଖୁସିରେ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ବେଶ୍‌ ଖୁସୀ ରହିବେ। ରାଜନୀତିରେ ଓ ସାଙ୍ଗଠନିକ କ୍ଷେତ୍ରରେ ବହୁତ ଜନକଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହୋଇପାରନ୍ତି।

ମକର – ଆଜି ଆପଣ କୌଣସି ନୂତନ ଭାବନାରେ ନିମଜ୍ଜିତ କରାଇପାରେ। ଧର୍ମକାର୍ଯ୍ୟ, ଶୁଭ ଖବର ଓ ପାରିବାରିକ ସମର୍ଥନରେ ଅଗ୍ରଗାମୀ ହୋଇପାରନ୍ତି । ଧନିଷ୍ଠା ନକ୍ଷତ୍ର ସକାଶେ ସାଧାରଣ କଥାକୁ ନେଇ ସମ୍ପର୍କୀୟ ମାନଙ୍କ ଆକ୍ଷେପୋକ୍ତି ମନରେ ଭାବାନ୍ତର ସୃଷ୍ଟି କରିବ।

କୁମ୍ଭ – ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। କିନ୍ତୁ ପର୍ଯ୍ୟଟନ, ତୀର୍ଥାଟନ, ଦୂରସ୍ଥାନକୁ ଯାତ୍ରା ନୂତନ କର୍ମନିଯୁକ୍ତି ପାଇଁ ଅନୁକୂଳ ହେବ। ବ୍ୟବସାୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ଭୂସମ୍ପତ୍ତିକୁ କେନ୍ଦ୍ରକରି ପରିବାର ସଦସ୍ୟଙ୍କ ମଧ୍ୟରେ କଳହର ସୂଚନା ରହିଛି ।

ମୀନ – ଆଜିର ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମାରେ ସଫଳତା ପାଇବେ। କିନ୍ତୁ ସଙ୍ଗଠନ, ଲେଖାପଢ଼ା ଓ ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ କାରବାରରେ କିଛିଟା ସାମୟିକ ସମସ୍ୟା ଲାଗି ରହିବ।ପ୍ରଶାସନ ଓ ରାଜନୈତିକ କ୍ଷେତ୍ରରେ ସ୍ଥିତିକୁ ସୁଦୃଢ଼ ରଖିବାରେ ସମର୍ଥ ହେବେ।

୭ ଦିନ ପରେ ଅନଶନ ଭାଙ୍ଗିଲେ ଆନ୍ନା ! ଦାବି ପୂରଣ ନେଇ ପ୍ରତିଶ୍ରୁତି ଦେଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ମହାରାଷ୍ଟ୍ର) – ଅନଶନରୁ ଓହରିଲେ ବିଶିଷ୍ଟ ସମାଜସେବୀ ଆନ୍ନା ହଜାରେ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନାଭିସ୍ ଏବଂ ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ସହ ମଙ୍ଗଳବାର ସଂଧ୍ୟାରେ ଆଲୋଚନା ହେବା ପରେ ୭ ଦିନ ଧରି ଜାରି ରଖିଥିବା ଆମରଣ ଅନଶନକୁ ଭଙ୍ଗ କରିଛନ୍ତି ଆନ୍ନା । ଜାଣିବାକୁ ମିଳିଛି ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଆନ୍ନାଙ୍କର ଦାବି ପୂରଣ ନେଇ କଥା ହେବା ପରେ ଆନ୍ନା ଅନଶନରୁ ଓହରିଛନ୍ତି । ଆନ୍ନା ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଫଡନାଭିସଙ୍କ ସହ ସନ୍ତୋଷଜନକ ଆଲୋଚନା ପରେ ସେ ନିଜ ଅନଶନ ଭଙ୍ଗ କରିଛନ୍ତି ।

ସୂଚନା ମୁତାବକ ମୋଦି ସରକାରଙ୍କୁ ବାରମ୍ବାର ଲୋକପାଳ ଓ ରାଜ୍ୟରେ ଲୋକାୟୁକ୍ତ ନିଯୁକ୍ତିରେ ଅହେତୁକ ବିଳମ୍ବ କରୁଥିବା ହେତୁ ଏହାକୁ ତୀବ୍ର ବିରୋଧ କରି ଆସୁଛନ୍ତି ଆନ୍ନା । ଏନେଇ ଜାନୁୟାରୀ ୩୦ ତାରିଖରୁ ତାଙ୍କ ନିଜ ଗାଁରେ ଅନଶନରେ ବସିଥିଲେ ଆନ୍ନା ହଜାରେ। ଏପରିକି ୮୧ ବର୍ଷ ବୟସ୍କ ଏହି ସମାଜସେବୀ ଅନଶନରେ ବସିଥିବା ସମୟରେ ସାଲଇନ୍ ଓ ଓଆରଏସ୍ ନେବାକୁ ମଧ୍ୟ ମନା କରି ଦେଇଥିଲେ। ଫଳରେ ଆନ୍ନାଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରେ ଲାଗିଥିଲା । ଏହାପରେ ଆନ୍ନା ମଧ୍ୟ କହିଥିଲେ ଯେ, ଯଦି ମୋର କିଛି ହୁଏ ତେବେ ଏହାର ଦାୟୀ ରହିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଏପରିକି ଆନ୍ନାଙ୍କ ଉପବାସ ତାଙ୍କ କିଡ୍ନି ଓ ମସ୍ତିଷ୍କକୁ ପ୍ରଭାବିତ କରିପାରେ ବୋଲି ଡାକ୍ତର ମଙ୍ଗଳବାର ସକାଳେ ଚିକିତ୍ସା କରି ମତ ରଖିଥିଲେ । ଦୀର୍ଘ ୭ ଦିନ ଅନଶନରେ ବସିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ବିଗିଡ଼ି ଯାଇଥିଲା। ଏତେ ଦିନ ଅଖିଆ ଅପିଆ ରହିବା ପରେ ଆନ୍ନାଙ୍କ ଓଜନ ୫.୫ କିଲୋ ହ୍ରାସ ଘଟିଛି ବୋଲି ଡାକ୍ତର ସୂଚନା ଦେଇଥିଲେ। ତାଙ୍କ ରକ୍ତରେ ଶର୍କରା ପରିମାଣ ମଧ୍ୟ କମ୍ ହୋଇ ଯାଇଥିଲା ।

 

ନବୀନଙ୍କ ଫୋକସରେ ଦକ୍ଷିଣ ଓଡ଼ିଶା ! କୋରାପୁଟ ଓ ନବରଙ୍ଗପୁର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ, ଦଳୀୟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ନବରଙ୍ଗପୁର) – ନବରଙ୍ଗପୁର ଉମରକୋଟ ବିକାଶ ସମାବେଶରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଉପରେ ବର୍ଷିଛନ୍ତି । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । ନବରଙ୍ଗପୁରରେ ନବୀନ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହ କୋରାପୁଟରେ ନବୀନ ସମାବେଶରେ ଯୋଗ ଦେଇ ୩ଟି ବୃହତର ସେତୁ ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ଦୀର୍ଘଦିନର ତେଲେଙ୍ଗିର ପ୍ରକଳ୍ପ ଉଦଘାଟନ କରିଛନ୍ତି ନବୀନ । କୋରାପୁଟ ଯୁବ ସମାବେଶରେ ନୂଆ ଓଡିଶା ଗଢ଼ିବାକୁ ଯୁବପିଢ଼ିଙ୍କୁ ସଫଳତାର ୫ଟି ‘ନି’ ମନ୍ତ୍ର ଦେଇଛନ୍ତି ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ।

ନବରଂଗପୁରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୦୯୭ କୋଟି ଟଙ୍କା ବ୍ୟୟରେ ୪ଟି ମେଗା ପାନୀୟ ଜଳ ପ୍ରକଳ୍ପ ସହ ୧୬ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ସେହିପରି ୧୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଉମରକୋଟ ସମାବେଶରେ କେନ୍ଦ୍ର ଉପରେ ବର୍ଷିଛନ୍ତି ନବୀନ । କହିଛନ୍ତି, ରାଜ୍ୟର ବିକାଶକୁ କେହି ରୋକିପାରିବେ ନାହିଁ । କେନ୍ଦ୍ରୀୟ ଅବହେଳାକୁ ମଧ୍ୟ ସମାଲୋଚନା କରିଛନ୍ତି । କେନ୍ଦ୍ର ସରକାର କେବିକେ ଅନୁଦାନ ବନ୍ଦ କରିଛନ୍ତି । ଆମେ ବିକାଶ ଅନୁଦାନ ବନ୍ଦ କରିବୁ ନାହିଁ । ବିଜୁ କେବିକେ ଯୋଜନା ଜାରି ରହିବ ବୋଲି କହିଛନ୍ତି ନବୀନ ।

ସେପଟେ ଆଜି କୋରାପୁଟ ଜୟପୁରରେ ବିଜେଡ଼ିର ଯୁବ ସମାବେଶରେ ନବୀନ ୩ଟି ବୃହତର ସେତୁର ନିର୍ମାଣ ପାଇଁ ଘୋଷଣା କରିଛନ୍ତି । ମୁରାନ ନଦୀରେ ଗିରିଲଗୁମା-ଦୁଆରସୁନି ରାସ୍ତା ଉପରେ, କୋଲାବ ଜଳଭଣ୍ଡାର ନିକଟରେ ନନ୍ଦପୁର-ଲମତାପସ୍ୱଙ୍କ-ବନମାଳୀପୁଟ ରାସ୍ତାରେ ଏବଂ କୋଲାବ ଜଳଭଣ୍ଡାରରେ କୋରାପୁଟ-ସୁକୁ ରାସ୍ତା ଉପରେ ଏହି ୩ଟି ବୃହତ ସେତୁ ନିର୍ମାଣ କରାଯିବ । ୧୧୩୬.୪୧କୋଟି ଟଙ୍କା ମୂଲ୍ୟରେ ୩୧ଟି ଜନହିତକାରୀ ପ୍ରକଳ୍ପ ଉଦଘାଟନ କରିଥିଲେ ନବୀନ ।

ଏହା ମଧ୍ୟରେ ରହିଛି ବହୁ ପ୍ରତିକ୍ଷିତ ୯୫୨କୋଟି ୮୫ ଲକ୍ଷର ତେଲେଙ୍ଗିରି ମଧ୍ୟମ ଜଳସେଚନ ପ୍ରକଳ୍ପ । ଏଥିସହ ନବୀନ ୭୪୯ କୋଟି ଟଙ୍କାର ୯୪ଟି ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହି ସମାବେଶରେ ଯୋଗଦେଇ ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ ସଫଳତାର ୫ଟି ସୁତ୍ର ଦେଇଛନ୍ତି ଜନତାଙ୍କୁ । ଏହି ୫ଟି ସୁତ୍ର ହେଉଛି ୫ଟି ନି ଅର୍ଥାତ ନିରୋଗ, ନିଡର, ନିରହଙ୍କାର, ନିସ୍ୱାର୍ଥପର ଏବଂ ନିଶାକୁ ନା । ଏହି ୫ଟି ସୁତ୍ରକୁ ମାନି ବିଜ୍ଞାନ ଓ କାରିଗରି କୌଶଳର ପ୍ରୟୋଗରେ ଅସମ୍ଭବକୁ ସମ୍ଭବ କରିହେବ ବୋଲି କହିଛନ୍ତି ସୌମ୍ୟରଂଜନ । ମୁଖ୍ୟମନ୍ତ୍ରୀଙ୍କ ସମାବେଶକୁ ଦୃଷ୍ଟିରେ ଏହି ମାଓ ଉପଦ୍ରୁତ ଅଂଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ସୁରକ୍ଷା ଦୃଷ୍ଟି କୋଣରୁ ୧୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା ।