କାହା ପ୍ରୋତ୍ସାହନରେ ଚାଲିଛି ବିଜେଡିରେ ସମାନ୍ତରାଳ ସଂଗଠନ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କ୍ଷମତାସୀନ ବିଜେଡିରେ ଏବେ ଅଧିକାଂଶ ଜିଲ୍ଲାରେ ସମାନ୍ତରାଳ ସଂଗଠନ ମୁଣ୍ଡ ଟେକିବାରେ ଲାଗିଛି। ସାଂଗଠନିକ ବ୍ୟାପାରରେ ଦଳର ବରିଷ୍ଠ ଓ ପ୍ରଭାବଶାଳୀ ନେତାମାନଙ୍କ ଭୂମିକାକୁ ଉଦ୍ଦେଶ୍ୟମୂଳକ ଭାବେ ଗୌଣ କରାଯାଇ ଏହି ସମାନ୍ତରାଳ ସଂଗଠନର ଅଂଶବିଶେଷ ପାଲଟିଥିବା ନେତାମାନଙ୍କୁ ଅଗ୍ରାଧିକାର ମିଳୁଥିବା ଜଣାପଡ଼ିଛି। ନିର୍ବାଚନୀ ବର୍ଷରେ ଦଳ ଭିତରେ ପତିଆରା ପ୍ରଦର୍ଶନକୁ ନେଇ ବଢ଼ୁଥିବା ଏହି ଛକାପଞ୍ଝା ଏବେ ବିଜେଡି ପାଇଁ ବୁମେରାଂ ପାଲଟିବାକୁ ଯାଉଛି। ଆଉ ଏହା ୧୯୯୫ ମସିହାର ରାଜ୍ୟ ନିର୍ବାଚନର ରାଜନୀତିକ ଦୃଶ୍ୟପଟ୍ଟର ଇତିହାସକୁ ପୁନରାବୃତ୍ତି କରିବାର ଆଶଙ୍କା ଦେଖାଦେଇଛି।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପରାମର୍ଶଦାତା(ଦ୍ୱିତୀୟ କ୍ଷମତାକେନ୍ଦ୍ର)ଙ୍କୁ ଆୟୁଧ କରି ଦଳର ଗୋଟିଏ ଗୋଷ୍ଠୀ ଏବେ ଅଧିକ ସକ୍ରିୟ ହୋଇପଡ଼ିଛି। ଏହି ଗୋଷ୍ଠୀ ହିଁ ଅର୍ଥବଳ ଓ କ୍ଷମତା ବଳ ମାଧ୍ୟମରେ ବିଜେଡି ସଂଗଠନକୁ ନିଜ କବଜାକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛି। ସଂଗଠନକୁ ସମାନ୍ତରାଳ ଭାବେ ଚଳାଇବା ପାଇଁ ପଞ୍ଚାୟତ ନିର୍ବାଚନ ପରଠୁ ଆରମ୍ଭ ହୋଇଥିବା ଅଭିଯାନର ପ୍ରକୃତ ରୂପରେଖ ଏବେ ଧୀରେଧୀରେ ସ୍ପଷ୍ଟ ହେବାରେ ଲାଗିଛି। ଯେଉଁମାନେ ଏହି ସମାନ୍ତରାଳ ସଂଗଠନର ଅଂଶ ପାଲଟିଛନ୍ତି ସେମାନଙ୍କୁ ଏବେ ବିଜେଡି ସଂଗଠନର ବିଭିନ୍ନ ପଦପଦବୀରେ ଅବସ୍ଥାପିତ କରାଯିବା ସହ ଆର୍ଥିକ ଫାଇଦା ଦେବା କାର୍ଯ୍ୟ ମଧ୍ୟ ଚାଲିଛି। ତେବେ ପ୍ରଶ୍ନ ଉଠୁଛି, ଏତେ ବଡ଼ ଦଳରେ ଏଭଳି ସମାନ୍ତରାଳ ସଂଗଠନକୁ ମୁଣ୍ଡ ଟେକିବା ଓ ପ୍ରୋତ୍ସାହନ ଦେଉଛି କିଏ ଓ କିଭଳି ଏବେ ଦିନକୁ ଦିନ ପ୍ରଭାବଶାଳୀ ହୋଇ କାୟାବିସ୍ତାର କରୁଛି? କୋରାପୁଟ, ମାଲକାନଗିରି, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୋଳ, କଳାହାଣ୍ଡି, ବଲାଙ୍ଗିର,ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଜଗତସିଂହପୁର ଓ ନୟାଗଡ଼ ଆଦି ଜିଲ୍ଲାରେ ଏଭଳି ସମାନ୍ତରାଳ ସଂଗଠନ ଏବେ ଅଧିକ ସକ୍ରିୟ ହୋଇଛି।

ବିଜେଡି ରଣନୀତି ସହ ଜଡ଼ିତ ଏକ ନିର୍ଭରଯୋଗ୍ୟ ସୂତ୍ର ଅନୁସାରେ, ବିଜେଡି ସଭାପତି ଗତ ପ୍ରାୟ ଦେଢ଼ବର୍ଷ ହେବ ଦଳୀୟ ନେତାମାନଙ୍କୁ କ୍ୱଚିତ୍ ଭେଟୁଛନ୍ତି। ଉଭୟ ସାଂଗଠନିକ ଓ ସରକାରୀ କାର୍ଯ୍ୟ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ଉପରେ ନ୍ୟସ୍ତ ହୋଇଛି। କାର୍ଯ୍ୟବ୍ୟସ୍ତତା ଓ କାର୍ଯ୍ୟର ଚାପ କାରଣରୁ ‘ଦ୍ୱିତୀୟ କ୍ଷମତାକେନ୍ଦ୍ର’ ନିଜର ଟିମ୍ ମଧ୍ୟରେ ବିଭିନ୍ନ ଦାୟିତ୍ୱକୁ ବାଣ୍ଟି ଦେଇଛନ୍ତି। ଆଉ ଚାରିକାନ୍ଥ ମଧ୍ୟରେ ରହି ରାଜନୀତିକ ଗୋଟିଚାଳନା କରିବାର ବାଧ୍ୟବାଧକତା ଓ ଏହି ଟିମ୍ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ ବିଜେଡିରେ ଏଭଳି ଏକ ସମାନ୍ତରାଳ ସଂଗଠନକୁ ଜନ୍ମ ଦେଇଛି। ବିରୋଧୀ ଦଳକୁ ଦୁର୍ବଳ କରିବା ଓ ଜିଲ୍ଲାଗୁଡ଼ିକରେ ସାଂଗଠନିକ ପ୍ରଭାବ ଥିବା ବିଜେଡି ନେତାଙ୍କୁ ‘ଚେକ୍ ଆଣ୍ଡ ବାଲାନ୍ସ’ରେ ରଖିବା ପାଇଁ ଯେଉଁ ଷ୍ଟ୍ରାଟେଜୀ ପ୍ରସ୍ତୁତ ହେଉଛି ତାକୁ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ ସହ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଥିବା ଟିମ୍ ହିଁ ନିଜସ୍ୱ ଫାଇଦା ନିମନ୍ତେ ଉପଯୋଗ କରୁଛି। ଏପରିକି ଏହି ଟିମର ଏଭଳି ଅର୍ନ୍ତଘାତୀ କାର୍ଯ୍ୟ ଯେଭଳି ଦଳର ମୁଖିଆ ଓ ଦ୍ୱିତୀୟ କ୍ଷମତାକେନ୍ଦ୍ରଙ୍କ କାନରେ ନପଡ଼ିବ ସେଥିପାଇଁ ବି ଯଥାସମ୍ଭବ ପ୍ରୟାସ ହୋଇଛି।

ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି, ଗାଉନ୍‌ ପିନ୍ଧି ଗୃହରେ ପ୍ରତିବାଦ କଲେ ବିରୋଧୀ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜ୍ୟ ବିଧାନସଭାରେ ଚିଟ୍‌ଫଣ୍ଡ୍‌ ତାତି ଦେଖିବାକୁ ମିଳିଥିଲା। ସିବିଆଇକୁ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହାର କରାଯାଉଛି ବୋଲି କହି ଗତକାଲି କେନ୍ଦ୍ରକୁ ବିଜେଡିର ଆଟାକ୍ ପରେ ଆଜି ବିଧାନସଭାରେ କାଉଣ୍ଟର ଆଟାକ୍ କରିଛି ବିଜେପି। ପ୍ରଶ୍ନକାଳ ଆରମ୍ଭ ହେଉହେଉ ଚିଟ୍‌ଫଣ୍ଡ୍ ସଂପର୍କିତ ଲେଖାଥିବା ଗାଉନ୍ ପିନ୍ଧି ଦଳୀୟ ବିଧାୟକମାନେ ଗୃହ ମଧ୍ୟଭାଗରେ ଗର୍ଜନ କରିଥିଲେ। ନିଶାନାରେ ଥିଲେ ମମତା ବାନାର୍ଜୀ ଓ ନବୀନ ପଟ୍ଟନାୟକ। ‘ଉଭୟ ଚିଟ୍‌ଫଣ୍ଡ୍‌ ଚୋର ବୋଲି ପ୍ରଶ୍ନ କରିବା କଣ ଭୁଲ୍ କି’ ଲେଖାଥିବା ଗାଉନ୍‌ ପିନ୍ଧି ବିଧାୟକମାନେ ଗୃହ ମଧ୍ୟଭାଗରେ ବୁଲିଥିଲେ।

ଏନେଇ ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଛନ୍ତି- “ଓଡ଼ିଶା ନବୀନ ପଟ୍ଟନାୟକ ଓ ତାଙ୍କ ଦଳର ବିଧାୟକମାନେ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ସରୋଜ ସାହୁ କିଏ? ତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର କଣ ସମ୍ପର୍କ ରହିଛି? ମମତା ବାନାର୍ଜୀଙ୍କୁ ଢାଲ କରି ନବୀନ ସିବିଆଇ ପଞ୍ଝାରୁ ବଞ୍ଚିବା ପାଇଁ ବିଜେଡି ଚେଷ୍ଟା କରୁଛି।”

ସେପଟେ କୋଲକାତାରେ ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଲଢ଼େଇ କରୁଥିବା ମମତା ବାନାର୍ଜୀ ଆଜି ନବୀନ ପଟ୍ଟନାୟକଙ୍କ ସମର୍ଥନ ଲୋଡ଼ିଛନ୍ତି। ପରବର୍ତ୍ତୀ ଷ୍ଟ୍ରାଟେଜି ନେଇ ନବୀନଙ୍କ ସହ କଥା ହେବେ ବୋଲି ଦିଦି କହିବା ପରେ ତେଜିଛି ରାଜନୀତି।

ଚିଟ୍‌ଫଣ୍ଡ ମାମଲାରେ ପୂର୍ବରୁ ବିଜେଡିର କେତେକ ବିଧାୟକ ଓ ସାଂସଦ ଗିରଫ ହୋଇଥିଲେ। ନିକଟରେ ପୁଣି ଦୁଇ ବିଧାୟକଙ୍କୁ ହାଜର ଲାଗି ସମନ୍ କରିଛି ସିବିଆଇ। ତେଣୁ ସିବିଆଇ ଭୟରେ ମମତା ଓ ନବୀନ ଏକାଠି ହେଉଥିବା କହି ବାଣ ମାରିଛି କଂଗ୍ରେସ।

ବିରୋଧୀ ଦଳ ମୁଖ୍ୟସଚେତକ ତାରାପ୍ରସାଦ ବାହିନୀପତି କହିଛନ୍ତି-“ବିଜେଡିର ଦୁଇ ଜଣ ବିଧାୟକଙ୍କୁ ସିବିଆଇ ଜେରା କରିବା ପାଇଁ ଡାକିଛି। ସେଥିପାଇଁ ନବୀନ ପଟ୍ଟନାୟକ ଭୟଭୀତ ଅଛନ୍ତି। ଠିକ୍‌ ସେମିତି ମମତା ମଧ୍ୟ ଚିଟ୍‌ଫଣ୍ଡ ଦୁର୍ନୀତିରେ ଫସିଛନ୍ତି। ତେଣୁ ସିବିଆଇ ପଞ୍ଝାରୁ ମୁକୁଳିବା ପାଇଁ ଉଭୟ (ନବୀନ ଓ ମମତା) ପରସ୍ପରର ସହଯୋଗ ମାଗୁଛନ୍ତି।”

ପଶ୍ଚିମବଙ୍ଗରେ ମମତା ସରକାର ଯେଉଁ ଚିଟ୍‌ଫଣ୍ଡ ଦୁର୍ନୀତିର ଅଠାକାଠିରେ ଫସିଛି। ନବୀନ ସରକାର ବିରୋଧରେ ସମାନ ଅଭିଯୋଗ ରହିଛି। ତେଣୁ ମହାଗଠବନ୍ଧନକୁ ନା କହିଥିବା ବିଜେଡି, ମମତାଙ୍କ ସହ ସିବିଆଇ ବିରୋଧରେ ସ୍ୱର ମିଳାଇଥିଲେ ମଧ୍ୟ ତାଙ୍କୁ ଖୋଲାଖୋଲି ସମର୍ଥନ ଦେଉନାହାନ୍ତି। ତେଣୁ ମୋଦିଙ୍କ ରୋଷର ଶିକାର ନହେବା ପାଇଁ ବିଜେଡି ସାପ ମରୁ କିନ୍ତୁ ବାଡ଼ି ନଭାଙ୍ଗୁ ନୀତି ଧରିଥିବା ଚର୍ଚ୍ଚା ହେଉଛି।

ଭୂତ ଭୟରେ ସ୍କୁଲ ଆସୁନାହାନ୍ତି ଛାତ୍ରଛାତ୍ରୀ !

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ବିଜ୍ଞାନ ଯୁଗରେ ଆଜି ବି ବସା ବାନ୍ଧିଛି ଅନ୍ଧବିଶ୍ୱାସ । ଗଜପତି ଜିଲ୍ଲା ରା.ଉଦୟଗିରି ବ୍ଲକ ଗୋପବନ୍ଧୁ ବିଦ୍ୟାପୀଠରୁ ଆସିଛି ଏମିତି ଅଭିଯୋଗ । ଗତ ୨୫ ତାରିଖରୁ ସ୍କୁଲର ବିଭିନ୍ନ ପିଲାଙ୍କୁ ଭୂତ ଲାଗୁଥିବା କହି ଛାତ୍ରଛାତ୍ରୀ ସ୍କୁଲକୁ ଆସୁ ନହାନ୍ତି । ଫଳରେ ସ୍କୁଲରେ ଛାତ୍ର ଉପସ୍ଥାନ କମି ଯାଉଥିବା ବେଳେ ଶିକ୍ଷର ଶିକ୍ଷୟିତ୍ରୀ ମଧ୍ୟ ଭୟଭୀତ ହୋଇ ରହିଛନ୍ତି ।

ବିଦ୍ୟାଳୟରେ ମୋଟ ୨୪୦ଜଣ ଛାତ୍ରଛାତ୍ରୀ ଥିବା ବେଳେ ଏବେ ୫୦ ବି ଆସୁ ନଥିବା ଦେଖିବାକୁ ମିଳିଛି । ଅଭିଭାବକମାନେ ପିଲାଙ୍କୁ ନେଇ ଗୁଣିଆଙ୍କ ପାଖରେ ଛଡା ଫୁଙ୍କା କରୁଛନ୍ତି । ସ୍କୁଲରେ ଘଟୁଥିବା ଘଟଣାର ସମାଧାନ ନହେବା ଯାଏ ପିଲାଙ୍କୁ ଆଉ ବିଦ୍ୟାଳୟକୁ ପଠାଇବେ ନାହିଁ ବୋଲି ଅଭିଭାବକମାନେ କହିଛନ୍ତି । ସେପଟେ ଘଟଣାର ୧୦ ଦିନ ବିତିଯାଇଥିଲେ ବି ବିଦ୍ୟାଳୟ ପକ୍ଷରୁ କୌଣସି ଅଭିଭାବକ ବୈଠକ ଡକାଯାଇନଥିବାରୁ ଅସନ୍ତୋଷ ବଢୁଛି ।

ଆସନ୍ତା ୭ରେ ବିଧାନସଭା ଘେରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା ! ରୋଜଗାର ପ୍ରସଙ୍ଗରେ ସରକାରଙ୍କୁ ମାଗିବ ଜବାବ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ କରିବ ଭାରତୀୟ ଜନତା ଯୁବ ମୋର୍ଚ୍ଚା । ଓଡିଶାର ବେରୋଜଗାରୀକୁ ନେଇ ରାଜ୍ୟ ସରକାରଙ୍କୁ ଜବାବ ମାଗିବ ମୋର୍ଚ୍ଚା । ରାଷ୍ଟ୍ରୀୟ ଯୁବ ମୋର୍ଚ୍ଚାର ଅଧ୍ୟକ୍ଷା ସାସଂଦ ପୁନମ ମହାଜନ ଏହାର ନେତୃତ୍ୱ ନେବେ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମଳନୀରେ ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ । ବିଗତ ୧୯ ବର୍ଷ ମଧ୍ୟରେ ରୋଜଗାର ସୃଷ୍ଟି କରିବାରେ ରାଜ୍ୟ ସରକାର ବିଫଳ ହୋଇଥିବା ଟଙ୍କଧର ଅଭିଯୋଗ କରିଛନ୍ତି । ବର୍ତମାନ ସମୟ ଆସିଛି ଓଡିଶାର ହଜାର ହଜାର ବେକାରୀ ଯୁବକ ଏକାଠୀ ହୋଇ ରାଜ୍ୟ ସରକାରଙ୍କୁ ଏନେଇ ଜବାବ୍ ମାଗିବେ । ଏହାକୁ ନେଇ ଆସନ୍ତା ୭ ତାରିଖରେ ବିଧାନସଭା ଘେରାଉ ସହ ଦଳ ଧାରଣାରେ ବସିବ ବୋଲି ଟଙ୍କଧର କହିଛନ୍ତି । ୭ ତାରିଖ ସକାଳ ୧୦ଟା ସମୟରେ ରାଜ୍ୟର କୋଣ ଅନୁକୋଣରୁ ଯୁବକମାନେ ଆସି ଲୋୟର ପିଏମଜି ଠାରେ ପହଂଚିବେ । ସେଠାରୁ ଏକ ର‌୍ୟାଲି ବିଧାନସଭା ଅଭିମୁଖେ ବାହାରିବା ସହ ବିଧାନସଭା ଘେରାଉ କରିବ ବୋଲି ଟଙ୍କଧର କହିଛନ୍ତି । ରୋଜଗାରକୁ ଗତ ୧୯ ବର୍ଷ ଧରି ବାଧକ ସାଜିଥିବା ନବୀନ ସରକାରଙ୍କୁ ମୋର୍ଚ୍ଚା ଜବାବ ମାଗିବ ବୋଲି କହିଛି । ଆଗାମୀ ଦିନରେ ଏହି ଆନ୍ଦୋଳନ ତୃଣମୂଳ ସ୍ତରକୁ ଯିବ ଏବଂ ବେରୋଜଗାରୀକୁ ନେଇ ସରକାରଙ୍କ ବିଫଳତାର କାହାଣୀ ପ୍ରଚାର କରାଯିବ ବୋଲି ସେ କହିଛନ୍ତି ।

ନବୀନ କାହାକୁ ଭୟ କରୁଛନ୍ତି : କିଏ ସତ କହୁଛି ?

ଏଥର ସମ୍ଭାଳ ବ୍ୟୁରୋ – ଚିଟଫଣ୍ଡ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମମତା ବାନାର୍ଜୀ ସରକାର ଓ ସିବିଆଇ ମୁହାମୁହିଁ ହେବା ପରେ ବିଜେଡି ନିଜର ‘ସମଦୂରତ୍ୱ’ ଟ୍ୟାଗ୍ ଧୂମିଳ ହେବାର ଆଶଙ୍କା କରି ସୁବିଧାବାଦୀ ରଣନୀତି ଆପଣାଇଛି। ବିଜେଡି ପକ୍ଷରୁ ଗତକାଲି ସଫେଇ ଦିଆଯିବା ପରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲି ମମତାଙ୍କ ତୃଣମୂଳ କଂଗ୍ରେସ ସହ କୌଣସି ସମ୍ପର୍କ ନଥିବାର ସନ୍ଦେଶ ଦେଇଛନ୍ତି। ମମତାଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ସମ୍ପର୍କ ଯୋଡ଼ି କେନ୍ଦ୍ରରେ ନରେନ୍ଦ୍ର ମୋଦି ନେତୃତ୍ୱାଧୀନ ଏନଡିଏ ସରକାରକୁ ଅସନ୍ତୁଷ୍ଟ କରିବାକୁ ନବୀନ ଚାହୁଁନଥିବା ଜଣାପଡ଼ିଛି। ଯେଉଁଥିପାଇଁ ଗଣମାଧ୍ୟମରେ ନବୀନଙ୍କ ନାଁ ମମତା ଉଚ୍ଚାରଣ କରିବାର ୨ଘଣ୍ଟା ନପୁରୁଣୁ ନବୀନ ନିଜେ ପ୍ରତିକ୍ରିୟା ଦେବାକୁ ଆଗେଇ ଆସିଥିଲେ ତଥା ମମତାଙ୍କ ସହ ସମ୍ପର୍କକୁ ଖଣ୍ଡନ କରିବାକୁ ବି ପଛାଇ ନଥିଲେ।

ଯୋଗୀ ଙ୍କ ରଣ ହୁଙ୍କାର ମମତାଙ୍କ ରାଜ୍ୟରେ !

ଏଥର ସମ୍ଭାଳ ବ୍ୟୁରୋ – ଅନେକ ହଁ ଏବଂ ନା ପରେ ୪ ଘଣ୍ଟା ବିଳମ୍ବରେ ପୁରୁଲିଆ ପହଞ୍ଚିଛନ୍ତି ବରିଷ୍ଠ ବିଜେପି ନେତା ତଥା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ତାଙ୍କ ହେଲିକପ୍ଟରକୁ ଓହ୍ଲାଇବାକୁ ଅନୁମତି ମିଳିନଥିବାରୁ ସେ ଝାରଖଣ୍ଡ ଦେଇ ସଡ଼କ ଯୋଗେ ପଶ୍ଚିମ ବଙ୍ଗର ପୁରୁଲିଆ ଠାରେ ହେବାକୁ ଥିବା ରାଲି ସ୍ଥଳରେ ପହଞ୍ଚିଥିଲେ। କାଗଜପତ୍ରରେ ସମସ୍ୟା ଥିବା ଦର୍ଶାଇ ପଶ୍ଚିମବଙ୍ଗ ପ୍ରଶାସନ ବାଟ ଓଗାଳିବାର ପ୍ରୟାସ କରିଥିଲେ ମଧ୍ୟ ଶେଷରେ ଝାରଖଣ୍ଡର ବୋକାରୋ ଦେଇ ସେ ପୁରୁଲିଆ ପହଞ୍ଚିଥିଲେ।

ହଜାର ହଜାର ସମର୍ଥକଙ୍କ ଉପସ୍ଥିତିରେ ଏହି ରାଲିକୁ ଉଦ୍‌ବୋଧନ ଦେଇ ଯୋଗୀ କହିଥିଲେ, “ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ପୁଲିସ ଅଧିକାରୀଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି। ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇ ସାରିଛନ୍ତି କୋଲକତା ପୁଲିସ ମୁଖ୍ୟ ସିବିଆଇ ନିକଟରେ ହାଜର ହେବେ। ଯଦି ମମତା ବାସ୍ତବରେ ସିବିଆଇକୁ ସହଯୋଗ କରୁଥିଲେ,ତେବେ ଏହି ଧାରଣା ନାଟକ କ’ଣ ପାଇଁ? ପଶ୍ଚିମବଙ୍ଗ ଖୁବ୍‌ ଶୀଘ୍ର ଦୁର୍ନୀତିମୁକ୍ତ ରାଜ୍ୟ ହେବାକୁ ଯାଉଛି।”

ଏହା ପୂର୍ବରୁ ଧାରଣାସ୍ଥଳରୁ ହିଁ ମମତା କହିଥିଲେ, “ସେ (ଯୋଗୀ) ନିର୍ବାଚନ ଲଢ଼ିଲେ ନିଶ୍ଚୟ ହାରିବେ। ନିଜ ରାଜ୍ୟ ଉତ୍ତରପ୍ରଦେଶରେ ତାଙ୍କର ଛିଡ଼ାହେବାର ସାମର୍ଥ୍ୟ ନାହିଁ, ତେଣୁ ବେଙ୍ଗଲରେ ଘୂରିବୁଲୁଛନ୍ତି। ଯୋଗୀ ପ୍ରଥମେ ନିଜ ରାଜ୍ୟ କଥା ବୁଝନ୍ତୁ। ସେଠାରେ ଅନେକ ଲୋକଙ୍କୁ ହତ୍ୟା କରାଯାଇଛି, ଏପରିକି ପୁଲିସ ଅଧିକାରୀ ସେଥିରୁ ବାଦ୍‌ ପଡ଼ିନାହାନ୍ତି।”

୭ ତାରିଖରୁ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି, ୮ ରୁ ୯ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ବର୍ଷା

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଫେବୃୟାରୀ ୭ ତାରିଖରୁ ୯ ତାରିଖ ମଧ୍ୟରେ ଉପକୂଳ ଓଡ଼ିଶାରେ ଘନ କୁହୁଡ଼ି ଦେଖାଯିବାର ସମ୍ଭାବନା ରହିଥିବା ବେଳେ ୮ ରୁ ୯ ତାରିଖ ମଧ୍ୟରେ ଉତ୍ତର ଓ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ କୁଆପଥର ସହ ବର୍ଷା ହୋଇପାରେ ବୋଲି ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ଼, ଦେବଗଡ, ବଲାଙ୍ଗୀର, ସୋନପୁର, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର ଏବଂ ଯାଜପୁର ପ୍ରଭୃତି ଜିଲ୍ଲାଗୁଡ଼ିକରେ ଫେବୃୟାରୀ ୮ ତାରିଖରେ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ସେହିଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ମଧ୍ୟମ ଧରଣର କୁହୁଡି ହେବାର ସମ୍ଭାବନା ରହିଛି।

ୱେଷ୍ଟର୍ଣ୍ଣ ଡିଷ୍ଟରବାନ୍ସ ଯୋଗୁଁ ଉଭୟ ଦିନ ଏବଂ ରାତିର ତାପମାତ୍ରା ଫେବୃୟାରୀ ୭ ତାରିଖ ପର୍ଯ୍ୟନ୍ତ ବଢ଼ିପାରେ। ତେବେ ଏହା ପରେ ବର୍ଷା ହେବା ଯୋଗୁଁ ତାପମାତ୍ରା କମିବା ସହ ଆକାଶ ମେଘାଚ୍ଛନ୍ନ ରହିବାର ସମ୍ଭାବନା ରହିଛି। ଫେବୃୟାରୀ ୧୦ ରୁ ୧୨ ମଧ୍ୟରେ ଉଭୟ ଦିନ ଓ ରାତିର ତାପମାତ୍ରା କମିପାରେ ବୋଲି ସିଇସିର ବୁଲେଟିନରେ ସୂଚନା ଦିଆଯାଇଛି।

 

ମମତା – ସିବିଆଇ ଖଣ୍ଡଯୁଦ୍ଧ, ମମତାଙ୍କୁ ସମର୍ଥନ ଦେବେନି ନବୀନ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସିବିଆଇ କାର୍ଯ୍ୟକଳାପକୁ ବିରୋଧ କରି ମମତା ଧାରଣାରେ ବେଳେ ସିବିଆଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା । ଆଜି ସୁପ୍ରିମ୍‌କୋର୍ଟରେ ସିବିଆଇ କରିଥିବା ଆବେଦନର ଶୁଣାଣି ହୋଇଛି । କୋଲକତା ପୋଲିସ୍‌ କମିଶନର ରାଜୀବ କୁମାର ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରୁନଥିବା ସିବିଆଇ ଅଭିଯୋଗ କରିଥିଲା । ଏହାର ଶୁଣାଣି କରି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି, ରାଜୀବ ସିବିଆଇ ତଦନ୍ତ ପାଇଁ ନିଜକୁ ପ୍ରସ୍ତୁତ ରଖିବେ ଏବଂ ଶାରଦା ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତରେ ସହଯୋଗ କରିବେ । ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ରାଜୀବଙ୍କୁ ଗିରଫ କରିପାରିବେନି ବୋଲି ଏହି ଖଣ୍ଡପୀଠ କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ରାୟ ପରେ ଆଉ ଧାରଣା ଚାଲିବ କି ପ୍ରଶ୍ନର ଉତ୍ତରରେ ମମତା କହିଛନ୍ତି, ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା କରି ପରବର୍ତ୍ତୀ ପଦକ୍ଷେପ ନେବି । ତେବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ମୋତେ ଏ ପ୍ରସଙ୍ଗରେ ସମର୍ଥନ ଦେବେ ବୋଲି ମମତା କହିଛନ୍ତି । ଏ ସମ୍ପର୍କରେ ତୃଣମୂଳ କଂଗ୍ରେସର କେହି ନେତା ତାଙ୍କ ସହ  ଆଲୋଚନା କରିନାହାନ୍ତି ବୋଲି ନବୀନ କହିଛନ୍ତି ।