ଚଇତି କଳାକାରଙ୍କୁ ଠକିଲା ପ୍ରଶାସନ : ଫେରାଇଲେ ଚେକ୍‌ !

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ଼ା) – ୩୦/୧/୧୯ ରାୟଗଡା ଜିଲ୍ଲା ଲୋକ ମହୋତ୍ସବ ଚଇତି ୨୦୧୮ ଡିସେମ୍ବର ୨୬ରୁ ୩୦ତାରିଖ ପର୍ଯ୍ୟନ୍ତ ଧୁମ୍‌ଧାମ୍‌ରେ ପାଳନ କରାଯାଇଛି। ଚଇତି ସରିବାର ୧ମାସରୁ ଊର୍ଦ୍ଧ୍ୱ ବିତିଯାଇଥିଲେ ମଧ୍ୟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ କଳାକାରମାନଙ୍କୁ ପ୍ରଦାନ କରାଯାଇଥିବା ଚେକ୍‌ର ଅର୍ଥ ବର୍ତ୍ତମାନ ସେମାନେ ପାଇପାରିନାହାନ୍ତି । ଫଳରେ ସେମାନେ ବ୍ୟାଙ୍କକୁ ଦୌଡ଼ି ଦୌଡ଼ି ନିରାଶ ହୋଇଛନ୍ତି । ସେମାନଙ୍କୁ ଯେଉଁ ଚେକ୍‌ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଦାନ କରାଯାଇଛି ତାହା କାର୍ଯ୍ୟରେ ଲାଗୁନାହିଁ । ନିଜ ବ୍ୟାଙ୍କ ଆକାଉଣ୍ଟରେ ଚେକ୍‌ ଡିପୋଜିଟ କରିବା ପରେ ତାହା ଫେରସ୍ତ ହେଉଛି। ଏନେଇ କଳାକାରମାନେ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିବା ସହ ଚେକ୍‌ଗୁଡିକ ଫେରସ୍ତ କରିଛନ୍ତି । ଜିଲ୍ଲା ଲୋକ ମହୋତ୍ସବର କଳାକାରଙ୍କୁ ଏପରି ଠକେଇ କରାଯାଇଥିବାରୁ ଅସନ୍ତୋଷ ଦେଖାଦେଇଛି । ଜିଲ୍ଲା ପ୍ରଶାସନର ଏପରି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି । ଚଇତି ଅବସରରେ ଅନେକ କଳାକାର ଗ୍ରୁପ୍‌କୁ ନନ-ସିଟିଏସ୍‌ ଚେକ୍‌ ପ୍ରଦାନ ହୋଇଛି।  ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଏକ୍ସିସ ବ୍ୟାଙ୍କ ଆକାଉଣ୍ଟର ଚେକ୍‌ ପ୍ରଦାନ କରାଯାଇଛି । ନନ-ସିଟିଏସ୍‌ ଚେକ୍‌ ବର୍ତ୍ତମାନ ବନ୍ଦ ହୋଇଯାଇଥିବା ବେଳେ ସେଗୁଡିକ କିଭଳି ପ୍ରଦାନ କରାଯାଇଛି ତାହା ଜଣାପଡିନାହିଁ । ଫଳରେ ନନ-ସିଟିଏସ ଚେକ୍‌କୁ ବ୍ୟାଙ୍କ ଗ୍ରହଣ ନ କରି ଫେରସ୍ତ କରିଛି । ଏଭଳିକି ଚେକ୍‌ରେ ବାରମ୍ବାର ଭୁଲ ସୁଧାର ଗ୍ରହଣଯୋଗ୍ୟ ନ ଥିବା ବେଳେ ତାହା ମଧ୍ୟ ପାଳନ କରାଯାଇନାହିଁ। ଫଳରେ ଏହିଭଳି ସମସ୍ୟା ଉପୁଜିଥିବା ଜଣାପଡିଛି । କଳକାରମାନେ ଚେକ୍‌ଗୁଡ଼ିକୁ ଜିଲା ସଂସ୍କୃତି ଅଧିକାରୀ ଦାୟୀତ୍ୱରେ ଥିବା ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟର ମୁଖ୍ୟ କିରାଣୀଙ୍କୁ ଫେରସ୍ତ କରିଛନ୍ତିି । ଯାହା କଳାକାରଙ୍କ ପାଇଁ ଏକ ଉପହାସ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଇତି ପଡିଆରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦିଆଯାଇଥିବା ଇଣ୍ଟରନେଟ୍‌ କନେକ୍ସନର ଚେକ୍‌ ମଧ୍ୟ ବର୍ତ୍ତମାନ ସୁଦ୍ଧା ବ୍ୟାଙ୍କକୁ ଯାଇପାରିନାହିଁ। ଡିସେମ୍ବର ୨୪ତାରିଖରେ ଚେକ୍‌ ନମ୍ବର ୦୨୫୩୦୯ରେ ବିଏସ୍‌ଏନ୍‌ଏଲ୍‌କୁ ୧୬୯୯ଟଙ୍କା ପ୍ରଦାନ ହୋଇଥିଲା । ତାହା ମଧ୍ୟ ସେହି ସମାନ ସମସ୍ୟା ଯୋଗୁ ବ୍ୟାଙ୍କ ଦ୍ୱାରା ଗ୍ରହଣ ହେଲାନାହିଁ । କଳାକାର ସିନ୍ଧ ଓ୍ବାଡକାଙ୍କୁ ଚେକ୍‌ ନମ୍ବର ୦୧୨୦୫୮ରେ ଡିସେମ୍ବର ୨୭ ତାରିଖରେ ୫ ହଜାର ଟଙ୍କାର ଏକ ଚେକ୍‌ ପ୍ରଦାନ କରାଯାଇଥିଲା । ତାହା ମଧ୍ୟ ଫେରସ୍ତ ହୋଇଛି । ସେହିପରି ଟି.ଶିବା ଭାସ୍କରଙ୍କ ପକ୍ଷରୁ ୨ଟି ନୃତ୍ୟଦଳ କଳା ପ୍ରଦର୍ଶନ କରିଥିଲେ । ଗୋଟିଏ ସୁପର ମମ ଗ୍ରୁପ୍‌ର ଓ ଅନ୍ୟଟି ମରାଠି ନୃତ୍ୟଦଳର । ମରାଠି ଦଳପାଇଁ ଡିସେମ୍ବର ୨୭ରେ ଚେକ୍‌ ନମ୍ବର ୦୧୨୦୫୪ରେ ୫ ହଜାର ଟଙ୍କା ଓ ସୁପର ମମ ଗ୍ରୁପ୍‌ ପାଇଁ ୩୦ତାରିଖରେ ଚେକ୍‌ ନମ୍ବର ୦୨୫୩୨୨ରେ ୫ହଜାର ଟଙ୍କା ପ୍ରଦାନ କରାଯାଇଥିଲା । ଏହି ୨ଟି ଚେକ୍‌ ମଧ୍ୟ ମାସେ ହେବ ଟଙ୍କାରେ ପରିବର୍ତ୍ତନ ହେଉନାହିଁ । ନନ-ସିଟିଏସ୍‌ ଚେକ୍‌ ହୋଇଥିବାରୁ ତାହା ପରିବର୍ତ୍ତନ ହେଉ ନ ଥିବା ବ୍ୟାଙ୍କ କର୍ତ୍ତୃପକ୍ଷ ଟି.ଶିବା ଭାସ୍କରଙ୍କୁ କହିଛନ୍ତି। ମଙ୍ଗଳବାର ସେ ଉଭୟ ଚେକ୍‌କୁ ସଂସ୍କୃତି ବିଭାଗକୁ ଫେରସ୍ତ କରିଛନ୍ତି । ଏ ସମ୍ପର୍କରେ  ଜିଲ୍ଲା  ସଂସ୍କୃତି ଅଧିକାରୀ ଦାୟୀତ୍ୱରେ ଥିବା ଜିଲ୍ଲା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ପଚାରିବାରୁ, କିଛି ଚେକ୍‌ରେ ଏହିଭଳି ସମସ୍ୟା ଉପୁଜିଥିବା ନଜରକୁ ଆସିଛି । ସେମାନଙ୍କୁ ଆରଟିଜିଏସ୍‌ ମାଧ୍ୟମରେ ଇ-ପେମେଣ୍ଟ କରିବା ନିମନ୍ତେ ଆମେ ପଦକ୍ଷେପ ଗ୍ରହଣ କରୁଛୁ । ଖୁବଶୀଘ୍ର ଫେରସ୍ତ ହୋଇଥିବା ଚେକ୍‌ଗୁଡିକ ବାବଦର ଅର୍ଥ ପ୍ରଦାନ କରି ଦିଆଯିବ ବୋଲି କହିଥିଲେ ।

ଧର୍ମେନ୍ଦ୍ର-ପ୍ରତାପଙ୍କ ଭିତରେ ଚାଲିଛି ତକା ତକି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –

ବିଜେପି-ବିଜେଡି ରାଜନୀତି ବର୍ତ୍ତମାନ ବେଶ ଉତ୍ତେଜନାପୂର୍ଣ୍ଣ ରହିଛି । ବିଶେଷ କରି ସିବିଆଇ ବିଜେଡିର ଦୁଇ ବିଧାୟକଙ୍କୁ ନୋଟିସ ଜାରି କରିବା ପରେ ଆଉ ପୁଲିସ ବିଜେପିର ଦୁଇ ନେତାଙ୍କୁ ନୋଟିସ ଜାରି କରିବା ଘଟଣାକୁ ନେଇ ଉଭୟ ପକ୍ଷ ଏବେ ମୁହାଁମୁହିଁ ହୋଇଛନ୍ତି । ପରସ୍ପର ଏବେ ବ୍ୟକ୍ତିଗତସ୍ତରକୁ ଯାଇ ଆକ୍ଷେପ କରିବାରେ ଲାଗିଛନ୍ତି । ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କ ମଧ୍ୟରେ ବର୍ତ୍ତମାନ ବିବୃତି ଯୁଦ୍ଧ ଚାଲିଛି । କେନ୍ଦ୍ର ଓ ରାଜ୍ୟମନ୍ତ୍ରୀଙ୍କ ଭିତରେ ଏହି ପ୍ରସଙ୍ଗକୁ ନେଇ ଆହ୍ୱାନ ପ୍ରତି ଆହ୍ୱାନ ଦିଆନିଆ ଚାଲିଥିବା ଦେଖାଯାଉଛି । ଦୈନିକ ଏମାନଙ୍କ ଭିତରେ ପରସ୍ପରକୁ ସମାଲୋଚନା କରୁଥିବା ଖବର ଆସିବାରେ ଲାଗିଛି । କେହି କାହାକୁ ଛାଡ଼ିବାସ୍ଥିତିରେ ନାହାଁନ୍ତି । ମନ୍ତ୍ରୀ ପ୍ରତାପ ଜେନା ଛତ୍ରପୁର ହତ୍ୟା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ରାଜ୍ୟ ବାହାର ଗେଷ୍ଟ ହାଉସରେ କିଏ ରହିବାକୁ ଜାଗା ଦେଇଥିଲା ସେ ନେଇ ପ୍ରଶ୍ନ ଉଠାଇବା ଏବଂ ଟିଟୋ ପରିବାରକୁ ପେଟ୍ରୋଲ ପମ୍ପ ଆବଣ୍ଟନ କରାଯିବା ପ୍ରସଙ୍ଗ ଉଠାଇଛନ୍ତି । ସେହିପରି ଧର୍ମେନ୍ଦ୍ର ମଧ୍ୟ ପାଲଟା ଜବାବ ଦେଇ ଟିଟୋର ଭାଇ ସପୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଥିବା କଥା ଉଲ୍ଲେଖ କରିଛନ୍ତି ।

ଟିଟୋ ଭାଇ ସପୋ ସହ ମୁଖ୍ୟମବୀଙ୍କ ଫଟୋ ସତ୍ୱେ ପୋଲିସଜେରା କରୁନି କାହିଁକି? – ଧର୍ମେନ୍ଦ୍ର ପ୍ରଧାନ

ଧର୍ମେନ୍ଦ୍ର କହିଛନ୍ତି ଟିଟୋ ଭାଇ ସପୋ ସହ ମୁଖ୍ୟମବୀଙ୍କ ଫଟୋ ସତ୍ୱେ ପୋଲିସ ଜେରା କରୁନି କାହିଁକି ? ଏହାସହ ମୁଖ୍ୟମନ୍ତ୍ରୀଙ୍କ ସରୋଜ ସାହୁଙ୍କ କଣ ସମ୍ପର୍କ ଅଛି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଗଣମାଧ୍ୟମ ପ୍ରତିନିଧିଙ୍କ ବିଜେପିର ଦୁଇ ନେତାଙ୍କୁ ଗଞ୍ଜାମ ପୋଲିସର ନୋଟିସ ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଇନରୁ କେହି ହେଲେ ଉଦ୍ଦ୍ୱର୍ରେ ନାହାନ୍ତି । ଯଦି ସରକାରଙ୍କ ପାଖରେ ତଥ୍ୟ ପ୍ରମାଣ ଅଛି ତେବେ ଆଇନ ଅନୁଯାୟୀ ଦଣ୍ଡ ଦିଅନ୍ତୁ । ଡିଜିଙ୍କୁ କହି ଜେଲକୁ ପଠାନ୍ତୁ । ବିଜେପି ଏହାକୁ ସ୍ୱାଗତ କରିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ଯେଉଁ କୃଷ୍ଣ ନାୟକଙ୍କ କଥା କହୁଛନ୍ତି ସେ ଜଣେ ରାଜନୈତିକ ଲୋକ । ସେ ଗତ ବିଧାନସଭାରେ ନିର୍ବାଚନ ଲଢିଥିଲୋ ରାଜ୍ୟ ସରକାର କିନ୍ତୁ ନିଜ ଦୋଷ ଲୁଚେଇବାକୁ ଚେଷ୍ଟା କରୁଛନ୍ତି । କିଛି ମାସ ତଳେ ମୁଖ୍ୟମବୀ କୁଖ୍ୟାତ ଅପରାଧୀ ଅପରାଧୀ ଟିଟୋର ଭାଇ ସପୋ ସହ ଫଟୋ ଉଠାଇଥିଲେ କିନ୍ତୁ ପୋଲିସ ଜେରା କରିନାହିଁ । ମୁଖ୍ୟମବୀ ହେଉଛନ୍ତି ପଣ୍ଡିତଙ୍କ ପୁଅ,ସେ ମାଙ୍କଡ ମାରିଲେ ଦୋଷ ନାହିଁ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି ।
ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ ୨୦ ଲକ୍ଷ ଜନସାଧାରଣଙ୍କ ଟଙ୍କା ଚିଟଫଣ୍ଡରେ ଲୁଟ ହୋଇଛି । ରାଜ୍ୟ ସରକାର ଏସଆଇଟି କମିଶନ ବସାଇଥିଲେ । କିନ୍ତୁ କିଛି ଲାଭ ମିଳିନଥିଲା । ପରେ ଏଥିନିମନ୍ତେ ପିଆଇଏଲ୍ ହୋଇଥିଲା । ଫଳରେ ଏହାର ତଦନ୍ତ ଦାୟିତ୍ୱ ସିବିଆଇ ପାଖକୁ ଆସିଥିଲା । ଏଥିରେ ସରୋଜ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ନାମ ଆସିଥିଲା । ଯାହାଙ୍କୁ ସିବିଆଇ ଜେରା କରିଥିଲା । କିନ୍ତୁ ବିଜୁ ଜନତା ଦଳର ନେତା କି ମ୍ବା ମୁଖ୍ୟମବୀ, ସରୋଜ ସାହୁ କିଏ ? ତାଙ୍କ ପରିଚୟ କଣ ସେ ନେଇ କିଛି ମୁହଁ ଖୋଲୁନାହାନ୍ତି । ସାଧାରଣ ଜନତାଙ୍କ ଚିଟଫଣ୍ଡ ଅର୍ଥ ଲୁଟ କରି କେହି ଖସିପାରିବେ ନାହିଁ । ସିବିଆଇ ଏ ନେଇ ପ୍ରଶ୍ନ କଲେ ଏହା ବିଜେଡିର ନେତାମାନେ ରାଜନୈତିକ ଆକ୍ରୋଶ ବୋଲି କହୁଛନ୍ତି । ଏଥିରେ ଚୋର ମୁହଁ ଟାଣ ବୋଲି ସ୍ପଷ୍ଟ ଭାବେ ଜଣାପଡୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

କଂଗ୍ରେସ ସହ ଡିଲ ନ ଛିଡ଼ିଲେ ବିଜୟ ସ୍ୱାଧୀନ ଲଢ଼ିବେ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ନେଇ ଏବେ ବି ସସପେନ୍ସ ଜାରି ରହିଛି । ସେ କୁଆଡ଼େ ଯିବେ ଏପର୍ଯ୍ୟନ୍ତ ଘୋଷଣା କରୁନାହାଁନ୍ତି କି ପ୍ରକାଶ ମଧ୍ୟ କରୁନାହାଁନ୍ତି । ବିଜେପି ଛାଡ଼ିଲା ପରେ ୧୫ ଦିନ ଭିତରେ ଜଣାଇବେ ବୋଲି କହିଥିଲେ ବି ତାଙ୍କର ସମୟ ଗଡ଼ି ଚାଲିଛି । ଇତି ମଧ୍ୟରେ ଯାହା ସୂଚନା ମିଳୁଛି ସେ କଂଗ୍ରେସ ସହ ଯିବେ । ଏଥିନେଇ କଂଗ୍ରେସ ସହ ତାଙ୍କର ମୁଲଚାଲ ଚାଲିଥିବା କଥା କୁହାଯାଉଛି । ମୁଲଚାଲ ଯଦି ନ ଛିଣ୍ଡିଲା ତେବେ ବିଜୟ କଂଗ୍ରେସ ସମର୍ଥନରେ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିବେ । ଆସନ୍ତା ୧୫ ଦିନ ଭିତରେ କଂଗ୍ରେସ ସହ ତାଙ୍କର ଆଲୋଚନା ସରିବ ବୋଲି କୁହାଯାଉଛି ।
ନିର୍ବାଚନ ସମୟ ଆଉ ବେଶି ନାହିଁ । ବିଜୟ ଜଣେ ପୋଖତ ରାଜନେତା । ସେ ସବୁ ଦିଗକୁ ଏବେ ଅନୁଶୀଳନ କରୁଛନ୍ତି । ବିଜେପି ଛାଡ଼ିଲା ପରେ ବିଜେଡିରେ ଯୋଗଦେବା ନେଇ ବହୁ ଆଶା କରାଯାଉଥିଲା । ତାଙ୍କ କାର୍ଯ୍ୟଧାରା ମଧ୍ୟ ତାହା ସୂଚାଉ ଥିଲା । କିନ୍ତୁ ବିଜେଡି ଭିତରେ ଏକ ଶକ୍ତିଶାଳୀ ଗୋଷ୍ଠୀର ବିରୋଧ ଯୋଗୁ ବିଜୟଙ୍କ ମିଶ୍ରଣ ସମ୍ଭବ ହେଲାନାହିଁ । ଏପରି କି ବିଜୟଙ୍କ କିଛି ବନ୍ଧୁ ତାଙ୍କୁ ବିଜେଡିକୁ ନ ଫେରିବା ପାଇଁ ମଧ୍ୟ ପରାମର୍ଶ ଦେଇଥିବା କଥା କୁହାଯାଉଛି । ଏବେ ଯାହା ଜଣାପଡୁଛି ବିଜୟଙ୍କର ଆଉ ବିଜେଡିକୁ ଯିବାର ନାହିଁ । ନୂଆ ଦଳ ଗଠନ କରି ତାହା ମାଧ୍ୟମରେ ଯିବା ପାଇଁ ମଧ୍ୟ ସେ ଚାହୁଁ ନାହାଁନ୍ତି । ଏଥିନେଇ ତାଙ୍କର ପୁରୁଣା ଓଡ଼ିଶା ଗଣପରିଷଦ ଗଠନର ଅଭିଜ୍ଞତା ରହିଛି ।
ତାଙ୍କ ପାଇଁ ବର୍ତ୍ତମାନ ଏକମାତ୍ର ବିକଳ୍ପ ରହିଛି କଂଗ୍ରେସ । ସେ କଂଗ୍ରେସରେ ଯୋଗଦେବେ ନାଁ କଂଗ୍ରେସ ସମର୍ଥନରେ ନିର୍ବାଚନ ଲଢ଼ିବେ ତାହା ଉପରେ ତାଙ୍କର ନିଷ୍ପତ୍ତି ନେବାର ଅଛି ବୋଲି ଅନେକ ମତ ରଖୁଛନ୍ତି । କୁହାଯାଉଛି କଂଗ୍ରେସ ସହ ଯିବାକୁ ବିଜୟ ଚାହୁଁଥିଲା ବେଳେ କିଛି ସର୍ତ୍ତ ରଖୁଛନ୍ତି । ତାଙ୍କ ସହ ରହିଥିବା କିଛି ନେତାଙ୍କ ପାଇଁ ମଧ୍ୟ ସେ ଆସନ ଚାହୁଁଛନ୍ତି । ତାଙ୍କ ସମର୍ଥକମାନଙ୍କ ପାଇଁ ବିଜୟ ୬/୭ଟି ବିଧାନସଭା ଆସନ ଦେବାକୁ ପ୍ରସ୍ତାବ ରଖିଛନ୍ତି । କଂଗ୍ରେସ ଯଦି ବିଜୟଙ୍କ ସହ ତାଙ୍କ ସମର୍ଥକମାନଙ୍କୁ ଆସନ ଦେବାପାଇଁ ରାଜି ହୋଇଯିବ ତେବେ ସେ ଦଳରେ ସାମିଲ ହୋଇଯିବେ । ବିଜୟଙ୍କୁ ଆଣିବା ପାଇଁ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଜୋରଦାର ଉଦ୍ୟମ ଚଳାଇଛନ୍ତି । କିନ୍ତୁ ନିରଂଜନଙ୍କ ଏ କ୍ଷମତା ନାହିଁ ଯେ, ନିଶ୍ଚିତ ଭାବରେ ବିଜୟଙ୍କୁ ନିର୍ଭର ପ୍ରତିଶ୍ରୁତି ଦେବେ ଯାହାଦ୍ୱାରା ୬/୭ଟି ବିଧାନସଭା ଆସନ ତାଙ୍କ ସମର୍ଥକମାନେ ପାଇପାରିବେ । ବିଜୟଙ୍କୁ ଏକାକୀ ନେବା ଓ ଆସନ ଦେବାପାଇଁ କଂଗ୍ରେସର ସମସ୍ୟା ନାହିଁ । ହେଲେ ବିଜୟ ଏକାକୀ ଯିବାକୁ ଚାହୁଁନାହାଁନ୍ତି । ଏଆଇସିସିସ୍ତରରେ ନିରଂଜନ ଏ ନେଇ ଆଲୋଚନା ଚଳାଇଛନ୍ତି । ଯଦି ସଫଳ ହେବେ ତାଙ୍କ ପାଇଁ ଏହା ଗୋଟେ ବଡ଼ ସଫଳତା ହେବ । ଯେତେ ନେତା ଯାଇଛନ୍ତି ତାହା ଭରଣା ପାଇଁ ବିଜୟଙ୍କ ଭଳି ଜଣେ ନେତାଙ୍କୁ ଆଣିବା ତାଙ୍କ ନେତୃତ୍ୱର ସଫଳତା କୁହାଯିବ ।

କୁହାଯାଉଛି ଏହି ଡିଲ ଯଦି ସଫଳ ନ ହୁଏ ତେବେ ବିଜୟ କଂଗ୍ରେସ ସମର୍ଥନରେ ସ୍ୱାଧୀନଭାବେ ମହାକାଳପଡ଼ାରୁ ଲଢ଼ିବେ । ଅବଶ୍ୟ ବିଜୟ ପୂର୍ବରୁ କଂଗ୍ରେସ ସମର୍ଥନରେ ଲଢ଼ିଥିଲେ । କିନ୍ତୁ କିଛି ଫାଇଦା ହୋଇ ନ ଥିଲା । ଜାନକୀବଲ୍ଲଭ ପଟ୍ଟନାୟକ ଥିବା ବେଳେ ବିଜୟଙ୍କୁ କଂଗ୍ରେସକୁ ଆଣିବା ପାଇଁ ସେ ଚାହିଁଥିଲେ । ମାତ୍ର ବିଜୟ ସେ ସମୟରେ କିଛି ବୁଝାମଣାକୁ ନେଇ ଆସି ନ ଥିଲେ । ହେଲେ ବିଜୟ ଓଜିପିରୁ ଲଢ଼ିଥିଲା ବେଳେ କଂଗ୍ରେସ ତାଙ୍କ ବିରୋଧରେ ପ୍ରାର୍ଥୀ ନ ଦେଇ ସମର୍ଥନ କରିଥିଲା । ହେଲେ ବିଜୟ କଂଗ୍ରେସ ଭୋଟ ପାଇବାରେ ସମର୍ଥ ହୋଇ ନ ଥିଲେ । ପାଲଟା ବିଜେଡି ନେଇଗଲା କଂଗ୍ରେସ ଭୋଟକୁ ବୋଲି କୁହାଗଲା । ଏଥର କଂଗ୍ରେସ ସମର୍ଥନରେ ଲଢ଼ିଲେ କେତେଦୂର ସଫଳ ହେବେ ତାହା ମଧ୍ୟ ବଡ଼ ପ୍ରଶ୍ନ ବୋଲି କୁହାଯାଉଛି ।