ଖବରଦାର ପାକିସ୍ତାନ ! ପାକିସ୍ତାନ କୁ କଡା ଚେତାବନୀ ଦେଲା ଭାରତ !

ଏଥର ସମ୍ଭାଳ ବ୍ୟୁରୋ (ନୁଆଦିଲ୍ଲୀ) – ଭାରତ-ପାକିସ୍ତାନ ମଧ୍ୟରେ ଉତେଜନା ଏବଂ ସୀମାରେ ଯୁଦ୍ଧ ଭଳି ସ୍ଥିତି ଭିତରେ ବାୟୁସେନାର ଜଣେ ପାଇଲଟ୍ ନିଖୋଜ୍ ହୋଇଯିବା ଖବର ସମସ୍ତଙ୍କୁ ବିଚଳିତ କରିଛି । ଏପରିକି ଭାରତର ପାଇଲଟଙ୍କୁ ପାକିସ୍ତାନ ଗିରଫ କରିଥିବା ସୂଚନା ମିଳିବା ପରେ ଆକ୍ସନମୋଡକୁ ଆସିଛି ଭାରତ । ଖାସକରି ସୋସିଆଲ ମିଡିଆରେ ବାୟୁସେନାର ଯବାନଙ୍କୁ ମାରପିଟ୍ କରୁଥିବାର ଭିଡିଓ ଭାଇରାଲ ହେବା ପରେ ପାକିସ୍ତାନକୁ କଡା ଚେତାବନୀ ଦେଇଛି ଭାରତ ।

ଭାରତ ସରକାରଙ୍କ ପକ୍ଷରୁ କୁହାଯାଇଛି, ପାକିସ୍ତାନ ଭାରତୀୟ ବାୟୁସେନା ଯବାନଙ୍କ ସହ ଏଭଳି ବ୍ୟବହାର କରି ଜେନେଭା ଚୁକ୍ତିର ଉଲ୍ଲଂଘନ କରିଛି । ଏନେଇ ଭାରତ ନୂଆଦିଲ୍ଲୀରେ ଥିବା ପାକ୍ ଡେପୁଟି ହାଇକମିଶନରଙ୍କୁ ସମନ ଜାରି କରିବା ସହ ଚେତାବନୀ ଦେଇଛି, ଭାରତୀୟ ପାଇଲଟଙ୍କୁ ଯେମିତି ଟିକିଏ ବି କ୍ଷତି ପହଞ୍ଚେ । ଭାରତୀୟ ପାଇଲଟଙ୍କୁ ସୁରକ୍ଷିତ ଓ ତୁରନ୍ତ ଫେରାଇ ଦେବାକୁ ପାକିସ୍ତାନକୁ କହିଛି ଭାରତ ।

ଏହାପୂର୍ବରୁ ପାକିସ୍ତାନ ଭାରତର ଦୁଇ ବାୟୁସେନା ଯବାନଙ୍କୁ ଗିରଫ କରିଥିବା କହିଥିଲା । ଏପରିକି ଜଣେ ଯବାନଙ୍କ ଭିଡିଓ ମଧ୍ୟ ଜାରି କରିଥିଲା । ଯେଉଁଥିରେ ଭାରତୀୟ ପାଇଲଟ ଆହତ ଥିବା ବେଳେ ତାଙ୍କର ଆଖି ବନ୍ଧା ଥିଲା । ଆଉ ଏଭଳି କରି ଜେନେଭା ଚୁକ୍ତିର ଉଲ୍ଲଂଘନ କରିଥିବା ଅଭିଯୋଗ ଆଣିଛି ଭାରତ । କାରଣ ଜେନେଭା ଚୁକ୍ତି ଅନୁଯାୟୀ, କୌଣସି ବି ଦେଶ ଅନ୍ୟ ଦେଶର ଯୁଦ୍ଧ ବନ୍ଦୀ ଯବାନଙ୍କ ପ୍ରତି ଅମାନବୀୟ ବ୍ୟବହାର କରିପାରିବ ନାହିଁ । ଏହି ଚୁକ୍ତିରେ ୧୯୬ଟି ସ୍ୱାକ୍ଷର କରିଥିବା ବେଳେ ଏବେ ପାକିସ୍ତାନ ଭାରତୀୟ ଯବାନଙ୍କ ଭିଡିଓ ଜାରି କରି ଏହାର ଉଲ୍ଲଂଘନ କରିଛି ।

ଭାରତୀୟ ପାଇଲଟ ଙ୍କୁ ବନ୍ଦୀ କଲା ପାକିସ୍ତାନ !

ଏଥର ସମ୍ଭାଳ ବ୍ୟୁରୋ (ଭାରତୀୟ ବିଦେଶ ମନ୍ତ୍ରାଳୟ) – ଭାରତ –  ପାକିସ୍ତାନ ସୀମା  ରେ  ଆରମ୍ଭ  ହୋଇଯାଇଛି ଯୁଦ୍ଧ ପରିସ୍ଥିତି । ଗତକାଲି ଭାରତ କରିଥିବା ଏୟାରଷ୍ଟ୍ରାଇକ ପରେ ଆଜି ଭାରତର ଏକ ବିମାନକୁ କ୍ରାସ୍‌ କରିଛି ପାକିସ୍ତାନ । ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଦୁଇଟି ଭାରତୀୟ ବାୟୁସେନା ବିମାନକୁ ଗୁଳି କରି ଖସାଇ ଦେଇଛି । ଏଥିସହ ଜଣେ ଭାରତୀୟ ପାଇଲଟଙ୍କୁ ବନ୍ଦୀ କରି ନେଇଛି ବୋଲି ଏକ ଭିଡିଓ ରିଲିଜ କରିଛି । ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଡକାଯାଇଥିବା ଖବରଦାତା ସମ୍ମିଳନୀରେ ବିଦେଶ ମନ୍ତ୍ରଳାୟ ପ୍ରବକ୍ତା ରବିଶ କୁମାର କହିଛନ୍ତି, ପ୍ରତି ଆକ୍ରମଣରେ ଭାରତୀୟ ଜେଟ ବିମାନ ମିଗ-୨୧ର ପତ୍ତା ଏଯାଏ ମିଳିପାରି ନାହିଁ  ଏବଂ ଜଣେ ଭାରତୀୟ ପାଇଲଟ ନିଖୋଜ ଥିବା ମଧ୍ୟ ସେ ସୂଚନା ଦେଇଛନ୍ତି । ଅପରପକ୍ଷେ ବୁଧବାର ସକାଳୁ ଏଫ-୧୬ ପାକିସ୍ତାନୀ ଜେଟ ଭାରତ ସୀମା ଅତିକ୍ରମ କରିବାକୁ ପ୍ରୟାସ କରୁଥିବାବେଳେ ଭାରତୀୟ ସେନାର ଗୁଳିମାଡରେ ଏହା ଖସିପଡିଥିଲା ।

ଜିଲ୍ଲା ପ୍ରଶାସନ ର ଚକ୍ରାନ୍ତ ରେ ଅତିଷ୍ଟ ହୋଇ ଘର ଢ଼ି଼ଅ ପଟ୍ଟା ପାଈଁ ଆତ୍ମାହୁତି ଦେବେ ଗରିବ ବ୍ରାହ୍ମଣ !

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାଜ୍ୟ  ସରକାରଙ୍କ ପକ୍ଷ୍ୟରୁ ଗରିବ ଗୃହହୀନ ଏବଂ ସରକାରି  ଜମି ଅଧିଗ୍ରହଣ କରିଥିବା ଗରିବୀ ପରିବାରଙ୍କୁ ଘର ଡିହ ଯୋଗାଇଦେବା ନିମନ୍ତେ ପ୍ରସ୍ତୁତ ଯୋଜନାରୁ ବାଦ୍ ପଡ଼ିଛନ୍ତି ରାୟଗଡ଼ା ଜିଲ୍ଲା ଗୁଣପୁର ମୁନିସିପାଲିଟି ଅନ୍ତର୍ଗତ ଶବର ବିହାର ଠାରେ ବାସ୍ କରୁଥିବା ଗରିବୀ ବ୍ରାହ୍ମଣ ପୂର୍ଣ୍ଣ ଚନ୍ଦ୍ର ଦାସ ଙ୍କ ପରିବାର। ରାୟଗଡ଼ ଜିଲ୍ଲା ଗୁଣପୁର ସହରାଞ୍ଚଳରେ ଥିବା ବର୍ତ୍ତମାନର ଶବର ବିହାର ଅଞ୍ଚଳରେ ଦୀର୍ଘ 15 ବର୍ଷ ରୁ ଉର୍ଦ୍ଧ ହେବ ସରକାରୀ ଜମିରେ ଘରଟିଏ କରି ବାସ୍ କରୁଛନ୍ତି ପୂର୍ଣ୍ଣ ଚନ୍ଦ୍ର ଙ୍କ ପରିବାର। ଜଣେ ଗ୍ରୀନ କାର୍ଡ ଧାରୀ ପରିବାର ହୋଇଥିବାରୁ ତାଙ୍କୁ ଏହି ସ୍ଥାନରେ ଘରଟିଏ କରିବା ପାଇଁ ସରକାରଙ୍କ ପକ୍ଷରୁ ତତ୍କାଳୀନ ତହସିଲଦାର ଏହି ଜମିଟି ଦେଇ ଥିଲେ । ଏହାକୁ ଅଧିଗ୍ରହଣ ପୂର୍ଣ୍ଣ ଚନ୍ଦ୍ର ସେବେ ଠାରୁ ସରକାରୀ ଖଜଣା ବାନ୍ଧି ଆସୁଛନ୍ତି। ସରକାର ଜମି ଅଧିଗ୍ରହଣ କାରୀଙ୍କ ନାମରେ ଜମି ପଟ୍ଟା ନମୋଦ  କରିବା ଉଦ୍ଦେଶ୍ୟରେ ସରକାରଙ୍କ ପକ୍ଷରୁ ସିଟ୍ରେନ୍ କମ୍ପାନୀ ମାଧ୍ୟମରେ ଡ୍ରୋନ କେମେରା ଦ୍ଵାରା ଏହି ଅଞ୍ଚଳର ଫଟୋ ଉଠାଇବା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଥିଲା। ଉଠା ଯାଇଥିବା ଏହି ଫଟୋ ଗୁଡିକ ଜିଲ୍ଲାପାଳଙ୍କ ଠାରୁ ଗୁଣପୁର ମୁନିସିପାଲିଟିକୁ ଆସିବା ପରେ ଉଷା କମ୍ପାନୀର ଜଣେ ପ୍ରତିନିଧି ଘର ଗୁଡିକ ସର୍ଭେ କରିଥିଲେ। ଏହି ସମୟରେ ଉକ୍ତ ଫଟୋ ଉଠାରେ ପୂର୍ଣ୍ଣଚନ୍ଦ୍ରଙ୍କ ଘରର ଫୋଟ ଉଠି ନଥିବା ଜାଣି ପାରି ସେ ତତ୍କାଳୀନ ଉପଜିଲ୍ଲାପାଳ ଆମ୍ରିତ ଋତୁରାଜଙ୍କ ଦ୍ୱାରସ୍ଥ ହୋଇ ଗୁହାରି କରିଥିଲେ। ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ମୁନିସିପାଲିଟି ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଙ୍କ ଘର ସର୍ଭେ କରିବା ପରେ ସର୍ଭେ ଚିର କୁଟ ରସିଦ୍ ର ନମ୍ବର 225 କ୍ରମିକ କ୍ରମେ ତାଙ୍କ ନାମ ବସ୍ତି ବାସୀଙ୍କ ସର୍ଭେ ରିପୋର୍ଟ୍ ରେ ରହିଥିଲା। ତହସିଲ୍ କାର୍ଯ୍ୟାଳୟ ପକ୍ଷରୁ ଶବର ବିହାର ର ଗୃହ ଗୁଡିକ ମପାଯିବା ସମୟରେ ପୂର୍ଣ୍ଣ ଚନ୍ଦ୍ର ଙ୍କ ବସତି ଗୃହ ମାପା ଯାଇ ଏହାର ପରିସୀମା 70  ଫୁଟ ଲମ୍ବ ଏବଂ 10 ଫୁଟ ଓସାର ଭାବେ ମାପ ନିର୍ଦ୍ଧାରଣ କରାଯାଇଥିଲା। କିନ୍ତୁ, ରେକର୍ଡ କରାଯିବା ସମୟରେ କେବଳ ଏହାଙ୍କ ବ୍ୟବହୃତ ଲାଟିନ୍ ର ପରିସୀମା 62 ବର୍ଗ  ଫୁଟକୁ ନମୋଦ କରାଯାଇ ଅବଶିଷ୍ଠାଂଶକୁ ରେକର୍ଡ଼ ରୁ ବାଦ୍ କରାଯାଇଥିବା ପୂର୍ଣ୍ଣ ଚନ୍ଦ୍ର ଅଭିଯୋଗ କରିଛନ୍ତି । ରାମନଗୁଡ଼ା ଠାରେ ଅନୁଷ୍ଠିତ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରୋକଷ୍ଠରେ ଭେଟି ଉକ୍ତ ଘଟଣାକୁ ଉପସ୍ଥାପନ କରି ଏକ ଲିଖିତ ଅଭିଯୋଗ ଦେଇ ଥିଲେ। ଏହା କ୍ରମେ ପୁନରପି ଗୁଣପୁର ତହସିଲ୍ କର୍ମକର୍ତ୍ତା ଶବର ବିହାର ଠାରେ ପହଞ୍ଚି ପୂର୍ଣ୍ଣ ଚନ୍ଦ୍ର ଙ୍କ ବସତି ଘର ମାପ କରି ଏହା 40 ଫୁଟ ଲମ୍ବ 10. 2 ଇଞ୍ଚ ଓସାର ଥିବା ଦର୍ଶାଇ ଥିଲେ ବରମ୍ବାର ପ୍ରଶାସନ ନିକଟକୁ ଦୌଡ଼ି ବା ପରେ ମଧ୍ୟ  ପୂର୍ଣ୍ଣ ଚନ୍ଦ୍ର ଙ୍କୁ ପଟ୍ଟା ପ୍ରଦାନ କରିବାରେ ଜିଲ୍ଲାଧିକାରୀ ଓ ସ୍ଥାନୀୟ ପ୍ରଶାସନ ଅହେତୁକ ବିଳମ୍ବ ଓ ଚକ୍ରାନ୍ତ କରୁଥିବା ପୂର୍ଣ୍ଣ ଚନ୍ଦ୍ର ଅଭିଯୋଗ କରିଛନ୍ତି। ଆଗାମୀ ଦୁଇ ମାସ ମଧ୍ୟରେ ଏନେଇ ଯଦି ଜିଲ୍ଲା ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି ତେବେ ପୂର୍ଣ୍ଣ ଚନ୍ଦ୍ର ପ୍ରଶାସନିକ  କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି ।

ଖଣ୍ଡଗିରି ଯାତ୍ରା ପେଣ୍ଡାଲ ରେ ଅଶ୍ଳୀଳ ନୃତ୍ୟ ନେଇ କଳିଙ୍ଗସେନା ପକ୍ଷରୁ ଥାନା ରେ ଏତଲା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଖଣ୍ଡଗିରି ଭଳି ସାଧନା ପୀଠରେ ଉଲଗ୍ନ ନାଚକୁ କଦାପି ବରଦାସ୍ତ କରାଯିବ ନାହିଁ । ସଂସ୍କୃତି , ଐତିହ୍ୟ , ଯୋଗ ଓ ସାଧନା ର ପୀଠ ଖଣ୍ଡଗିରି ରେ ଉଲଗ୍ନ ନାଚ କରାଯାଉଥିବା ଯାତ୍ରାପାର୍ଟି ମାଲିକ ଓ କଳାକାର ଙ୍କ ବିରୋଦ୍ଧ ରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି କଳିଙ୍ଗସେନା ଖଣ୍ଡଗିରି ଥାନା ରେ ଏଫ୍ ଆଇ ଆର ଦେଇଛି ।

ସେନା ସୁପ୍ରିମୋ ଶ୍ରୀ ହେମନ୍ତ ରଥ କହିଛନ୍ତି ଯେ ପ୍ରସିଦ୍ଧ ଖଣ୍ଡଗିରି ମେଳା ଅବସରରେ ଏଠାରେ ଯେଭଳି ଅଶ୍ଳୀଳ ନୃତ୍ୟ ପରିବେଷଣ ହେଉଛି ତାହା ଓଡିଶା ବାସୀ ଙ୍କ ପାଈଁ ଲଜ୍ଜାକର ପରିସ୍ଥିତି ସୃଷ୍ଟି କରିଛି ।

ଯାତ୍ରା ପରିବେଷଣ ଖରାପ ନୁହେଁ । ହେଲେ ଯାତ୍ରା ପରିବେଷଣ ଆଢୁଆଳ ରେ ରାଜ୍ୟ ବାହାରୁ ଯୁବତୀ ମାନଙ୍କୁ ଆଣି ଏଠାରେ ହଜାର ହଜାର ଦର୍ଶକ ଙ୍କ ସମ୍ମୁଖ ରେ ଉଲଗ୍ନ ନାଚ କରିବାକୁ କୌଣସି ମତେ ବରଦାସ୍ତ କରାଯାଇ ପାରିବ ନାହିଁ ।

ଖଣ୍ଡଗିରି ମେଳା ରେ ଯାତ୍ରା ଦେଖିବା କୁ ଲୋକେ ନିଜ ପରିବାର ସହିତ ଆସୁଥିବା ବେଳେ ବେପାର ପାଈଁ କିଛି ଯାତ୍ରାପାର୍ଟି ମାଲିକ ଓ କଳାକାର ପରମ୍ପରା ବିରୋଧୀ ଅଶ୍ଳୀଳ କାର୍ଯ୍ୟକ୍ରମ ପରିବେଷଣ କରୁଛନ୍ତି ।

ଆଗାମୀ ଦିନରେ ଯେପରି ଏଭଳି କୌଣସି କାର୍ଯ୍ୟକ୍ରମ ପରିବେଷଣ ନହୁଏ ସେଥି ପ୍ରତି ଉଭୟ ପୁଲିସ୍ , ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି । ଏଥି ସହିତ ସମ୍ପୃକ୍ତ ଯାତ୍ରା ପାର୍ଟି ମାଲିକ , ଅଶ୍ଳୀଳ ନାଚ ପ୍ରଦର୍ଶନ କରିଥିବା କଳାକାର ଏବଂ ଯାତ୍ରା ପାର୍ଟି ମ୍ୟାନେଜର ଙ୍କୁ ତୁରନ୍ତ ଗିରଫ କରିବାକୁ ଆଜି ଏତଲା ରେ ଦର୍ଶାଯାଇଛି । ଖଣ୍ଡଗିରି ଛକ ରେ ସଚ୍ଚିଦାନନ୍ଦ ଗଣନାଟ୍ୟ ର ଉଲଗ୍ନ ପୋଷ୍ଟର ଙ୍କୁ ନାରୀ ସେନା ସଭାନେତ୍ରୀ ସୁଭଦ୍ରା ମିଶ୍ର , ଜଟଣୀ ସଭାପତି ଅନାମ ଚରଣ ପରିଡା , ରାଜ୍ୟ ସଧାରଣ ସମ୍ପାଦକ ସୁଶାନ୍ତ ସାହୁ , ବିଜୟ ରାଜ , ଅବଦୁଲ କୟୁମ୍ ଖାନ , ବିଶ୍ବଜିତ ଗୋସ୍ୱାମୀ , ସରୋଜିନୀ ବେହେରା , ନିରଞ୍ଜନ ପରିଡା , ପ୍ରଫୁଲ ପରିଡା ପ୍ରମୁଖ ଚିରାଚିରି କରିବା ସହ କାଢି ଫୋପାଡ଼ି ଥିଲେ ।

ସରକାରଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ଦେବାକୁ ମନାକରି ପାରିବେ ନାହିଁ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ)ରେ ରାଜ୍ୟ ସରକାରଙ୍କ ସହ ଅନୁବନ୍ଧିତ ପ୍ରାୟ ୧୫୦ଟି ଘରୋଇ ମେଡିକାଲର କର୍ମକର୍ତ୍ତାଙ୍କୁ ନେଇ ଆଜି ଏଠାରେ ଏକ ରାଜ୍ୟସ୍ତରୀୟ ତାଲିମ କର୍ମଶାଳା ଆୟୋଜିତ ହୋଇଛି । ଏହି  ଯୋଜନା କିଭଳି ଅଧିକ ସୁଚାରୁ ରୂପେ କାର୍ଯ୍ୟକାରୀ ହେବ ଓ ରୋଗୀମାନେ ଘରୋଇ ଡାକ୍ତରଖାନରେ ଉତ୍ତମଚିକିତ୍ସା ପାଇବେ ସେଥିପାଇଁ ଅନୁବନ୍ଧିତ ଚିକିତ୍ସାଳୟର କର୍ମକର୍ତ୍ତାମାନଙ୍କୁ ଯୋଜନା ସଂକ୍ରାନ୍ତରେ ତାଲିମ ପ୍ରଦାନ କରାଯାଇଛି ।

ଏହି ତିନିଦିନିଆ କର୍ମଶାଳାକୁ ରାଜ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା  ଶାଳିନୀ ପଣ୍ଡିତ ଉଦ୍‍ଘାଟନ କରିଥିବାବେଳେ ଏଥିରେ ସମ୍ପୃକ୍ତ ଘରୋଇ ହସ୍ପିଟାଲର  ବିଏସ୍‍କେୱାଇ ଦାୟିତ୍ୱରେ ଥିବା ମେଡିକାଲ ଅଫିସର, ଡାଟା ଏଣ୍ଟ୍ରି ଅପରେଟର ଓ ସ୍ୱାସ୍ଥ୍ୟମିତ୍ର ମାନେ ଯୋଗ ଦେଇଥିଲେ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ହିତାଧିକାରୀମାନଙ୍କୁ ୫ଲକ୍ଷ ଓ ପରିବାରର ମହିଳା ସଦସ୍ୟଙ୍କୁ ୭ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ଯୋଗାଇ ଦେଉଥିବାବେଳେ ଏହାକୁ ଅଧିକ ପରିବ୍ୟାପ୍ତ କରିବାଲାଗି ରାଜ୍ୟ ଭିତରେ ଓ ବାହାରେ ବିଭିନ୍ନ ଘରୋଇ ଡାକ୍ତରଖାନା ସହିତ ରାଜିନାମା କରିଛନ୍ତି ।

ଫଳରେ ରାଜ୍ୟର ରୋଗୀମାନେ ସେହିସବୁ ଡାକ୍ତରଖାନାରେ ଅତ୍ୟାଧୁନିକ ଚିକିତ୍ସା ପାଉଛନ୍ତି । ରାଜ୍ୟ ସରକାର ଚିକିତ୍ସାପାଇଁ ସମସ୍ତ ଅର୍ଥ ପ୍ରଦାନ କରୁଥିବାବେଳେ ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ ରୋଗୀମାନେ ଯେଭଳି ସହଜରେ  ଚିକିତ୍ସା ସୁବିଧା ପାଇପାରିବେ କର୍ମଶାଳାରେ ସେ ସଂକ୍ରାନ୍ତରେ ପରାମର୍ଶ ଦିଆଯାଇଛି । କର୍ମଶାଳାରେ ମିଶନ ନିର୍ଦ୍ଦେଶିକା ଶ୍ରୀମତୀ ପଣ୍ଡିତ କହିଛନ୍ତି ଯେ ଅନୁବନ୍ଧିତ ହୋଇଥିବା ସମସ୍ତ ଘରୋଇ ଡାକ୍ତରଖାନାରେ ବିଏସକେୱାଇରେ ହେଲ୍ପ ଡେସ୍କ ପ୍ରତିଷ୍ଠା କରିବେ ଏବଂ ଏହା ଜରିଆରେ ରୋଗୀମାନଙ୍କୁ ସମସ୍ତ ସୂଚନା ମିଳିବ । ଯୋଜନାର ମାର୍ଗଦର୍ଶିକା ଅନୁଯାୟୀ  ସରକାରୀଙ୍କ ସହିତ ଚୁକ୍ତିବଦ୍ଧ କୌଣସି ଘରୋଇ ଡାକ୍ତରଖାନା ରୋଗୀଙ୍କୁ ମାଗଣା ସେବା ପ୍ରଦାନ ପାଇଁ ମନାକରି  ପାରିବେ ନାହିଁ ବୋଲି ଶ୍ରୀମତୀ ପଣ୍ଡିତ ସ୍ପଷ୍ଟକରି ଦେଇଛନ୍ତି । ଏହି କର୍ମଶାଳାରେ ସ୍ୱାସ୍ଥ୍ୟ ବିଶେଷଜ୍ଞ, ସୂଚନା ପ୍ରଯୁକ୍ତି ବିଶେଷଜ୍ଞଙ୍କ ସମେତ ଡାକ୍ତର ସୁଧା ଚନ୍ଦ୍ରଶେଖର, ଏ. ଅନୀଲ କୁମାର, ଯୁଗ୍ମ ଶାସନ ସଚିବ ଶୁଭାନନ୍ଦ ମହାପାତ୍ରଙ୍କ ସମେତ ସାହସର ପଦାଧିକାରୀମାନେ ଉପସ୍ଥିତ ଥିଲେ ।

ନୀଳବର୍ଣ ଶୃଗାଳମାନଙ୍କ ମୁହଁରେ ପାଣି ପଡି ଅସଲ ଚେହେରା ଆଜି ପଦାକୁ ଆସିଛି – ଧର୍ମେନ୍ଦ୍ର।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ରାଜ୍ୟ ମହିଳା କମିଶନ ସଦସ୍ୟା ନିଜକୁ ଅସହାୟ ମନେକରି ନବୀନ ନିବାସ ଯିବା ଘଟଣା ରାଜ୍ୟ ପାଇଁଏକ ବିଡମ୍ବନା ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ଘଟିଥିବା ଏପରି ଘଟଣାକୁ କଡା ଭାଷାରେ ନିନ୍ଦା କରିଛନ୍ତି ଶ୍ରୀ ପ୍ରଧାନ । ନୀଳବର୍ଣ ଶୃଗାଳ ମାନଙ୍କର ଅସଲ ଚେହେରା ଆଜି ପଦାକୁ ଆସିଛି ବୋଲି ସେ କହିଛନ୍ତି ।

ରାଜ୍ୟ ମହିଳା କମିଶନ ସଦସ୍ୟାଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ , ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା ନେଇ ଗଣମାଧ୍ୟମ ପ୍ରତିନିଧିଙ୍କ ଏ ସମ୍ପର୍କିତ ପ୍ରଶ୍ନର ଉତରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ନିଜକୁ ମହିଳା ମାନଙ୍କର ହିତେଇଶି ଭାବେ କିଛି ନିଳବର୍ଣ୍ଣ ଶୃଗାଳ ଯେଉଁ କଥା କହୁଥିଲେ ତାଙ୍କ ଦଳର ମହିଳା ନେତ୍ରାମାନେ ତା ଉପରେ ପାଣି ପକାଇ ତାଙ୍କ ଅସଲ ଚେହେରାକୁ ବାହାର କରିଛନ୍ତି । ବାହାରୁ କେହି ଅଭିଯୋଗ କରିନଥିବା ବେଳେ ଗଣମାଧ୍ୟମ ଏହି କଥା ଗୁଡିକୁ ବାହାର କରିଛି । ଏଣୁ ଏହାର ଉତର ନବୀନ ପଟ୍ଟନାୟକଙ୍କୁ ଦେବାକୁ ପଡିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଶ୍ନପତ୍ର ଲିକ କଣ ଦରକାର , ଯଦି ଏହି ସୁବିଧା ଅଛି !

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗିର) – ମାଟ୍ରିକ ପ୍ରଶ୍ନପତ୍ର ଭାଇରାଲ ପରେ ବଲାଙ୍ଗିରରୁ ଆସିଛି ସାଙ୍ଘାତିକ ଦୃଶ୍ୟ  । ଇଂରାଜୀ ପ୍ରଶ୍ନପତ୍ର ଭାଇରାଲ ପରେ ଅଭିଭାବକ ମାନେ କପି ଯୋଗାଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି  । ଭାଇରାଲ ପ୍ରଶ୍ନପତ୍ରର ଉତ୍ତର କରି ଅଭିଭାବକ ସ୍କୁଲରେ ଧସେଇ ପଶି, ପାଚେରୀ ଡେଇଁ ଖୁଲମଖୁଲା ଭାବେ କପି ଯୋଗାଉଥିବାର ଦେଖିବାକୁ ମିଳିଛି  । ସଇଁତଳା ବ୍ଲକ ଘୁନସର ହାଇସ୍କୁଲରୁ ଆସିଛି ଏଭଳି ଅଭାବନୀୟ ଦୃଶ୍ୟ  । ମାଟ୍ରିକ ପରୀକ୍ଷାର ୨ୟ ଦିନରେ ଇଂରାଜୀ ପ୍ରଶ୍ନର ଉତ୍ତର ଲେଖି ଅଭିଭାବକ ପରୀକ୍ଷା କେନ୍ଦ୍ରରେ ଦେଉଛନ୍ତି  । ପାଚେରୀ ଡେଇଁ ଝରକା ବାଟେ କପି ହଲ ଭିତରକୁ ଦେଉଛନ୍ତି  ।ଆଉ ସତରେ,  ପ୍ରଶ୍ନପତ୍ର ଲିକ କଣ ଦରକାର, ଏ ସୁବିଧା ଯଦି ଅଛି !

ଔଷଧ ମାଗିବାରୁ ଲହୁଲୁହାଣ ହେଲେ ରୋଗୀଙ୍କ ସମ୍ପର୍କୀୟ ! ନିରାମୟ ଯୋଜନା କାହା ପାଇଁ ?

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଔଷଧ ବଦଳରେ ମିଳିଲା ମାଡ । କେବଳ ମାଡ ନୁହେଁ ଅପରେସନ ବ୍ଲେଡରେ ମରଣାନ୍ତକ ଆକ୍ରମଣ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜର ପାଞ୍ଜପୀଢ ଉପଖଣ୍ଡ କରଞ୍ଜିଆ ହସ୍ପିଟାଲରେ । ମେଡିକାଲକୁ ଆସିଥିବା ଜଣେ ରୋଗୀ ଡାକ୍ତରଙ୍କୁ ଦେଖା କରିଥିଲେ । ଡାକ୍ତର ଜଣକ ତାଙ୍କର ଟ୍ରିଟମେଣ୍ଟ କରି ମେଡିକାଲ ପରିସରରେ ଥିବା କାଉଣ୍ଟରରୁ ମେଡିସିନ୍ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ । ତେବେ ରୋଗୀଙ୍କ ସମ୍ପର୍କୀୟ ରହିତ ଦାସଅଧିକାରୀ କାଉଣ୍ଟର ଜାଣିନପାରିବାରୁ ସେଠାରେ ଉପସ୍ଥିତ ଥିବା କର୍ମଚାରୀଙ୍କୁ ଏ ବାବଦରେ ପଚାରିଥିଲେ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ତେବେ ରହିତ ଏହି ଘଟଣା ପରେ ସେଠାରୁ ଚାଲିଆସିଥିଲେ । କିନ୍ତୁ କିଛି ସମୟ ପରେ  ମେଡିକାଲ କର୍ମଚାରୀ ତାଙ୍କୁ ପୁଣି ଥରେ ଡକେଇ ଯୁକ୍ତିତର୍କ କରିବା ସହ ମାରଣାନ୍ତକ ଆକ୍ରମଣ କରିଥିଲେ । ଆକ୍ରମଣରେ ରହିତଙ୍କ ପେଟ ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି ।

ଏହି ଘଟଣା ପରେ ଉଭୟ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ତେବେ ମେଡିକାଲ ଯାଇ ଥିବା ଜଣେ ରୋଗୀ ପ୍ରଥମେ ଶୋଷଣ ଏହାପରେ ଆକ୍ରମଣର ଶିକାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଆଲୋଡନ ଖେଳିଯାଇଛି । ସେପଟେ ମେଡିକାଲ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଏଭଳି ଆଚରଣ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନନେଇ ପାଲଟା ରୋଗୀମାନଙ୍କୁ ନାଲି ଆଖି ଦେଖାଇବାକୁ ମଧ୍ୟ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଇଛି ।

ପୁରୀରେ ବିଜେଡ଼ିକୁ ଟକ୍କର ଦେବେ ମହାଶ୍ୱେତା ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) –

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ନାୟିକା ମହାଶ୍ୱେତା ରାୟ। “କାବେରୀ” ଠାରୁ ଆରମ୍ଭ କରି “କୁଳନନ୍ଦନ” ସିନେମାରେ ତାଙ୍କ ଯାଦୁ ଦେଖିବାକୁ ମିଳିଥିଲା ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଭଲ ଫଳାଫଳ ପ୍ରଦର୍ଶନ କରିବାପରେ ବହୁ ସିନେ ଅଭିନେତ୍ରୀ ବିଜେପି ମୁଁହା ହୋଇଥିଲେ ସେହି କ୍ରମରେ ମହାଶ୍ୱେତା ମଧ୍ୟ ବିଜେପିରେ ଯୋଗ ଦେଇଥିଲେ ।

ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ପୁରୀ ଜିଲ୍ଲା ରୁ ୨ଟି ଆସନ ମହିଳାଙ୍କୁ ବିଜେଡି ଛାଡ଼ିଦେଵ ବୋଲି ଜଣାପଡିଛି । ପ୍ରଥମ ପସନ୍ଦରେ ପିପିଲି ଥିବାବେଳେ ଦ୍ୱିତୀୟଟି ହେଉଛି ପୁରୀ । ପିପିଲି ରୁ ପ୍ରଦୀପ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ପାର୍ଥିନୀ କରାଯିବା ଯଥେଷ୍ଟ ସମ୍ଭାବନା ରହିଛି । ସେହିପରି ପୁରୀରୁ ମହିଳା ପ୍ରାର୍ଥୀ ଦିଆଗଲେ ରାଜସ୍ୱ ମନ୍ତ୍ରୀ ମହେଶ୍ୱରଙ୍କ ବୋହୁ ତଥା ସ୍ୱସ୍ତି ଗ୍ରୁପ ଅଫ ହୋଟେଲର ମାଲିକ ଜେ.କେ.ମହାନ୍ତିଙ୍କ ଝିଅକୁ ପ୍ରାର୍ଥୀ କରିବ । ତେଣୁ ବିଜେଡିର ଏହି ଚାଲର ମୁକାବିଲା କରିବାପାଇଁ ରାଜ୍ୟ ବିଜେପି ପୁରୀରୁ ମହାଶ୍ୱେତାଙ୍କୁ ପ୍ରାର୍ଥୀ କରିବ । ଯଦି ମହେଶ୍ୱରଙ୍କ ବହୁ ଓ ମହାଶ୍ୱେତାଙ୍କ ମଧ୍ୟରେ ଲଢେଇ ହୁଏ ତେବେ ମହାଶ୍ୱେତାଙ୍କ ବିଜୟ ସମ୍ଭାବନାକୁ ରୋକିବା ବିଜେଡି ପାଇଁ କଷ୍ଟକର ହୋଇପଡ଼ିବ । ତେଣୁ ପୁରୀ ରାଜନୀତି କେଉଁ ଦିଗକୁ ଗତି କରୁଛି ତାହା ଉପରେ ରାଜନୈତିକ ବିଶେଷଜ୍ଞଙ୍କ ନଜର ରହିବ ।

ବିଜେଡିରେ ଯୋଗଦେଲେ ଚିଲିକା ବ୍ଲକ ଉପାଧ୍ୟକ୍ଷ, ସରପଞ୍ଚଙ୍କ ସହ ୫୦୦ରୁ ଉର୍ଦ୍ଧ ବିଜେପି କର୍ମୀ ।

ଏଥର ସମ୍ଭାଳ ବ୍ୟୁରୋ (ଚିଲିକା) – ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ନେତୃତ୍ୱରେ ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଜେପି ସମର୍ଥିତ ଚିଲିକା ବ୍ଲକ ଉପାଧ୍ୟକ୍ଷ, ବିଭିନ୍ନ ପଞ୍ଚାୟତର ବିଜେପି ସରପଞ୍ଚ, ପୂର୍ବତନ ସରପଞ୍ଚଙ୍କ ସମେତ ୫୦୦ରୁ ଉର୍ଦ୍ଧ ବିଜେପି କର୍ମୀ ଗତକାଲି ନବୀନ ନିବାସରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।

ଚିଲିକା ବ୍ଲକ ଉପାଧ୍ୟକ୍ଷ ଉତ୍ପଳ କୁମାର ପାଇକରାୟ, ଅଙ୍କୁଲା ସରପଞ୍ଚ ଶ୍ରୀମତୀ ମମତା ପାଇକରାୟ, ବଉଳାବନ୍ଧ ସରପଞ୍ଚ ଦେବାଶିଷ ରଥ, ହରିପୁର ସରପଞ୍ଚ ପ୍ରଶାନ୍ତ କୁମାର ସ୍ୱାଇଁ, ଆୟତପୁର ସରପଞ୍ଚ ହରଶ ସେଠୀ, ହାଟବରଡିହିର ପୂର୍ବତନ ସରପଞ୍ଚ ଶ୍ରୀମତୀ ରୀନା ବେହେରା, ନିମିଖେତାର ପୂର୍ବତନ ସରପଞ୍ଚ ବାଉରୀବନ୍ଧୁ କେଇ, ବାଲୁଗାଁ କୋ-ଅପରେଟିଭ୍‍ ସୋସାଇଟି ସଭାପତି ଲଳିତ ମିଶ୍ରଙ୍କ ସମେତ ବିଜେପିର ବହୁ କର୍ମକର୍ତ୍ତା ଆଜି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ।

ସେହିପରି ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗଦେଇଥିବା ସମସ୍ତ କର୍ମୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଚିଲିକା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀମାନେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ ଖୋର୍ଦ୍ଧା ଜିଲ୍ଲା ସହ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।

ଅପରପକ୍ଷରେ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ପାଇକରାୟ କହିଥିଲେ ଯେ ଗତ ୩୦ବର୍ଷ ଧରି ଆମେ ବିଜେପି ପାଇଁ କାମ କରିଥିଲୁ । କିନ୍ତୁ ସେଠାରେ ବିଜେପି ଭିତରେ ଯେଉଁ ଏକଛତ୍ରବାଦୀ ଶାସନ ଚାଲିଲା, ସେଥିରେ ଅତିଷ୍ଠ ହୋଇପଡିଥିଲୁ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖି ଓ ଜନକଲ୍ୟାଣ କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେପି ଛାଡ଼ି ବିଜେଡିରେ ଯୋଗ ଦେଇଛୁ । ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ଲକ୍ଷ୍ୟରେ ଆମେ ସମସ୍ତେ ଏକାଠି ହୋଇ କାମ କରିବୁ ବୋଲି ଶ୍ରୀ ପାଇକରାୟ କହିଥିଲେ । ଚିଲିକା ବ୍ଲକ ବିଜେଡି ସଭାପତି ଦେବେନ୍ଦ୍ର ସାମନ୍ତସିଂହାର, ବାଲୁଗାଁ ଏନ୍‍ଏସି ସଭାପତି ଭଗବାନ ପ୍ରଧାନ, ବାଣପୁର ଏନ୍‍ଏସି ସଭାପତି ଅଶ୍ୱିନୀ କୁମାର ଷଡ଼ଙ୍ଗୀ, ସାଂସଦଙ୍କ ପ୍ରତିନିଧି ରମେଶ ମହାପାତ୍ର, ବାଣପୁର ଏନ୍‍ଏସି ପୂର୍ବତନ ଉପାଧ୍ୟକ୍ଷ ଦାସରଥି ସାହୁଙ୍କ ସମେତ ବହୁ ଦଳୀୟ ପଦାଧିକାରୀ ଉପସ୍ଥିତ ଥିଲେ ।