ଓଡ଼ିଶାର ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ମଧ୍ୟରେ ବର୍ଷା ସମ୍ଭାବନା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଦର୍ଭ ଓ ତା’ର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାସହ ଉତ୍ତର ପ୍ରଦେଶଠାରୁ ଦକ୍ଷିଣ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ୍‌ ଲାଇନ ରହିଛି।  ଏହାର ପ୍ରଭାବରେ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ସହିତ ଆସନ୍ତା ୩୬ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱରର ସ୍ଥାନେ ସ୍ଥାନେ ବର୍ଷା ହେବାର ସମ୍ଭାବନା ରହିଥିବା ପାଣିପାଗ ବିଭାଗ ସୂଚନା ଦେଇଛି।  ଏହାର ପ୍ରଭାବରେ ରାତିର ତାପମାତ୍ରା ୩ରୁ ୪ ଡିଗ୍ରୀ କମିବା ସହିତ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି ।

ଜଙ୍ଗଲରୁ ଉଦ୍ଧାର ହେଲେ କନ୍ୟାଶ୍ରମର ୨୯ ଛାତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ଗଜପତି – ମୋହନା) – ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ଅନ୍ତରବା କନ୍ୟାଶ୍ରମରୁ ନିଖୋଜ ଥିବା ୨୯ ଜଣ ଛାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ଚନ୍ଦ୍ରଗିରି ଟାଙ୍କିଲିପଦର ଗାଁ ପାଖ ଜଙ୍ଗଲରେ ଥିବା ଏକ କୁଡ଼ିଆରୁ ସେମାନଙ୍କୁ ଉଦ୍ଧାର କରାଯାଇଛି। ଜଣେ ଛାତ୍ରୀଙ୍କ ଫୋନ୍‌କୁ ଟ୍ରାକ୍‌ କରି ସେମାନଙ୍କ ଠିକଣା ଠାବ କରିଥିଲା ପୁଲିସ୍‌। ଉଦ୍ଧାର ପରେ ସେମାନଙ୍କୁ ଚନ୍ଦ୍ରଗିରି ବାଳିକା ବିଦ୍ୟାଳୟରେ ରଖାଯାଇ ହଷ୍ଟେଲ ଛାଡ଼ିବାର ସମ୍ପର୍କରେ ପଚରାଉଚରା କରାଯାଉଛି। ସମସ୍ତ ଛାତ୍ରୀ କେମିତି ପୁଣି ଥରେ ହଷ୍ଟେଲକୁ ଫେରିବେ ସେନେଇ ଉଦ୍ୟମ କରାଯାଉଥିବା ଆର. ଉଦୟଗିରି ଏସ୍‌ଡିପିଓ ଅନୀଲ ପ୍ରଧାନ କହିଛନ୍ତି।

ଶନିବାର ବିଳମ୍ବିତ ରାତିରେ ଛାତ୍ରୀମାନେ କନ୍ୟାଶ୍ରମ ହଷ୍ଟେଲ ଛାଡ଼ି ପଳାଇଥିଲେ। ହେଲେ କେହି ବି ଛାତ୍ରୀ ଘରକୁ ଯାଇ ନଥିଲେ। ଏହି ଘଟଣା ଜଣାପଡ଼ିଲା ପରେ ଅଭିଭାବକଙ୍କଠାରୁ ଆରମ୍ଭ କରି ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଥିଲା। ଛାତ୍ରୀମାନେ କେଉଁଠି ଥିବେ? କେଉଁ ଅବସ୍ଥାରେ ଥିବେ? କଣ କରୁଥିବେ? ଆଦି ପ୍ରଶ୍ନ ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଥିଲା। ଏହାପରେ ଛାତ୍ରୀମାନଙ୍କୁ ଉଦ୍ଧାର କରିବାକୁ  ଉଦ୍ୟମ ଆରମ୍ଭ ହୋଇଥିଲା। ସ୍କୁଲ କର୍ତ୍ତୃପକ୍ଷ, ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ସହ ଜିଲ୍ଲା ପ୍ରଶାସନ ଓ ପୁଲିସ୍‌ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିଲେ।ତେବେ ଛାତ୍ରୀମାନେ କାହିଁକି ହଷ୍ଟେଲ ଛାଡ଼ିଥିଲେ ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନାହିଁ।

ଆଜିର ରାଶିଫଳ ୨୮.୦୧.୨୦୧୯ ସୋମବାର ।

ମେଷ: ମାନ-ସମ୍ମାନ ମିଳିବ। ଧନପ୍ରାପ୍ତି ଯୋଗ ରହିଛି। ମନୋରଞ୍ଜନ ସ୍ଥାନକୁ ବୁଲି ଯିବାକୁ ଯୋଜନା କରିପାରନ୍ତି।

ବୃଷ: ଦିନଟି ଭଲରେ କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ଉପହାର ମିଳିବ।

ମିଥୁନ: ସନ୍ତାନଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ବାଦ-ବିବାଦରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ମିଳିବ।

କର୍କଟ: କୌଣସି କଥାକୁ ନେଇ ଚିନ୍ତିତ ରହିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ବିଦେଶରୁ ଖୁସି ଖବର ଶୁଣି ପାରନ୍ତି।

ସିଂହ: ପରିବାର ସଦସ୍ୟଙ୍କ ସହ ଖୁସିରେ ଦିନଟି କାଟିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି।

କନ୍ୟା: କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆୟଠାରୁ ବ୍ୟୟ ଅଧିକ ହେବ। ନୂତନ ପୋଷାକ କିଣିବେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପଦୋନ୍ନତିର ଯୋଗ ରହିଛି। ସହକର୍ମୀଙ୍କ ସହଯୋଗ ମିଳିବ।

ବିଚ୍ଛା: ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ଆତ୍ମବିଶ୍ୱାସ ବଢ଼ିବ। ପିତାମାତାଙ୍କ ସହଯୋଗ ମିଳିବ।

ଧନୁ: ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ। କୌଣସି କଥାକୁ ନେଇ ପଡ଼ୋଶୀଙ୍କ ସହ ମତାନ୍ତର ହୋଇପାରେ। ଯାତ୍ରା କରିପାରନ୍ତି।

ମକର: ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି। ମନ ଖୁସି ରହିବ।

କୁମ୍ଭ: ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତୁ ନାହିଁ। ନକାରାତ୍ମକ ଚିନ୍ତାଧାରାଠାରୁ ଦୂରେଇ ରୁହନ୍ତୁ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।

ମୀନ: ବିଦାର୍ଥୀମାନେ ପଠପଢ଼ାରେ ସଫଳତା ପାଇବେ। ଯାତ୍ରା କରନ୍ତୁ ନାହିଁ। ଦୁର୍ଘଟଣା ଘଟିପାରେ। ସତର୍କ ରୁହନ୍ତୁ।

ଅଜଣା ଯୁବତୀଙ୍କୁ ବନ୍ଧୁକ ଧରାଇ ହାବିଲଦାର ନିଲମ୍ବିତ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣତନ୍ତ୍ର ଦିବସରେ ଅଜଣା ଯୁବତୀଙ୍କୁ ଜଣେ ହାବିଲଦାର ବନ୍ଧୁକ ଧରାଇବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି କମିଶନରେଟ୍‌ ପୁଲିସ। ହାବିଲଦାର ଭାଗ୍ୟଧର ନାୟକଙ୍କୁ କମିଶନରେଟ୍‌ ପୁଲିସ୍‌ ନିଲମ୍ବନ କରିଛି। ସେ ଓଡ଼ିଶା ପୁଲିସର ଷଷ୍ଠ ବାଟାଲିୟନର ହାବିଲଦାର ଭାବେ କାର୍ଯ୍ୟରତ ଅଛନ୍ତି।

ସାଧାରଣତନ୍ତ୍ର ଦିବସରେ ବିଧାନସଭା ବାହାରେ ସେ ଡ୍ୟୁଟିରେ ଥିଲେ। ଡ୍ୟୁଟି ସାରି ଫେରିବା ସମୟରେ ସମ୍ପୃକ୍ତ ଯୁବତୀଙ୍କୁ ହାବିଲଦାର ଜଣଙ୍କ ତାଙ୍କ ଏକେ ୪୭ ବନ୍ଧୁକ ଧରାଇ ଦେଇଥିଲେ।

ତେବେ କେଉଁ ପରିସ୍ଥିତିରେ ସେ ନିଜ ଏକେ ୪୭କୁ ଯୁବତୀଙ୍କୁ ଦେଇଥିଲେ?  ଯୁବତୀ ଜଣଙ୍କ କିଏ? ପୁଲିସ କର୍ମଚାରୀଙ୍କ ସହ ତାଙ୍କର କି ସଂପର୍କ ରହିଛି ? ଏସବୁ ଦିଗକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି ବୋଲି ଭୁବନେଶ୍ୱର ଡିସିପି ଅନୁପ କୁମାର ସାହୁ କହିଛନ୍ତି।

ବରୀ କୃଷକ ସଙ୍ଗଠନ ର ପ୍ରସ୍ତୁତି ବୈଠକ ।

!!! ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!!

ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧୀନ ମନ୍ଦାରୀ ଗ୍ରାମ ପଞ୍ଚାୟତ ର ଅଣିକଣା ମା ଗଜଲକ୍ଷ୍ମୀ ମନ୍ଦିର ପ୍ରାଙ୍ଗଣ ରେ ନବ ନିର୍ମାଣ କୃଷକ ସଙ୍ଗଠନ ର ଆସନ୍ତା ଫେବୃଆରୀ ୬ ତାରିଖ ରେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକ ରେ ଶ୍ରୀ ଗଣେସ୍ବର ଘଡେଇ ସଭାପତିତ୍ୱ କରିଥିଲେ ।

ଆଗାମୀ ଦିନ ରେ ଚାଷୀ ଙ୍କ ସୁବିଧା ଅସୁବିଧା ନେଇ କଣ ପଦକ୍ଷେପ ନିଆଯିବ ତାହା ନେଇ ଏକ ଆଲୋଚନା କରାଯାଇଥିଲା । ସେଥିରେ ପ୍ରଶାନ୍ତ ବେଉରିଆ , ଜୟୀରାମ ନାୟକ , ମାଧବା ନନ୍ଦ ଶାନ୍ତି ଙ୍କ ସମେତ ପଞ୍ଚାୟତ ର ସମସ୍ତ ଚାଷୀ ନେତୃ ମଣ୍ଡଳୀ ଉପସ୍ଥିତ ରହିଥିଲେ ।

ଅନ୍ୟପକ୍ଷରେ ବଦୁଅ ଗ୍ରାମ ପଞ୍ଚାୟତ ର କନ୍ତିଆ ଠାରେ ସୁଦର୍ଶନ ନାୟକ ଙ୍କ ଦ୍ୱାରା ବୈଠକ ଅନୁଷ୍ଠିତ ହୋଇଥିଲା ।

ବୟସ୍କମାନେ ବି ଏହି ସବୁ କାମ ପାଇଁ ବ୍ୟବହାର କରି ପାରିବେ ‘ବେବି ପାଉଡର୍’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଘରେ ଛୋଟ ପିଲାଙ୍କ ପାଇଁ ସାଧାରଣତଃ ବେବି ପାଉଡର୍‌ ପ୍ରାୟ ସମସ୍ତେ ବ୍ୟବହାର କରିଥା’ନ୍ତି। ଶିଶୁଙ୍କ ସ୍କିନ୍‌ ଖୁବ୍‌ କୋମଳ ଥିବାରୁ ଇଆଡୁ ସିଆଡୁ ପାଉଡର୍‌ ବଦଳରେ ‘ବେବି ପାଉଡର୍‌’ ବ୍ୟବହାର ପାଇଁ ଡାକ୍ତର ମଧ୍ୟ ପରାମର୍ଶ ଦେଇଥା’ନ୍ତି। ତେବେ ‘ବେବି ପାଉଡର୍‌’କୁ କେବଳ ଶିଶୁଙ୍କ ପାଇଁ ନୁହେଁ, ବୟସ୍କମାନେ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ନିଜେ ବ୍ୟବହାର ମଧ୍ୟ କରିପାରିବେ। ଏବେ ଆସନ୍ତୁ ଜାଣିବା, ବୟସ୍କମାନେ ଅନ୍ୟ କେଉଁ ସବୁ କାମ ପାଇଁ ‘ବେବି ପାଉଡର୍‌’ ବ୍ୟବହାର କରିପାରିବେ।

୧. ଯଦି ଆପଣଙ୍କ କେଶ ଅଧିକ ତେଲିଆ ଲାଗି ଚିପ୍‌ଚିପ୍‌ କରୁଛି ଓ ଏହାକୁ ଶାମ୍ପୁ କରିବା ପାଇଁ ଆପଣଙ୍କ ସମୟ ନାହିଁ, ତେବେ କେଶରେ କିଛି ବେବି ପାଉଡର୍‌ ଛିଞ୍ଚି ଦିଅନ୍ତୁ କିମ୍ବା ପାନିଆରେ କିଛି ବେବି ପାଉଡର୍‌ ଲଗାଇ ମୁଣ୍ଡ କୁଣ୍ଡାଇ ଦିଅନ୍ତୁ। ଏହାଦ୍ୱାରା କେଶରୁ ଚିପ୍‌ଚିପ୍‌ ଦୂର ହୋଇଯିବ। ଶାମ୍ପୁ କରିବା ପରେ ଆପଣଙ୍କ କେଶ ସିଲ୍କି ଓ ସାଇନି ଦେଖାଯିବ।

୨. ଆଖି କଜଳ କିମ୍ବା ପତାରେ ମସ୍କରା ଲଗାଇ ସାରିବା ପରେ ତା’ର ଆଖପାଖ ଅଂଶରେ କିଛି ବେବି ପାଉଡର୍‌ ମାଲିସ୍ କରି ଦିଅନ୍ତୁ। ଏଭଳି କଲେ, ମସ୍କରା ଆଉ ଆଖିସାରା ବୋଳି ହୋଇଯିବାର ଆଶଙ୍କା ରହିବ ନାହିଁ।

୩. ଆପଣ ଯଦି ଓଠକୁ ‘ମ୍ୟାଟ୍‌ ଲୁକ୍‌’ ଦେବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କ ପାଖରେ ମ୍ୟାଟ୍‌ ବଦଳରେ କେବଳ ଗ୍ଲସି ଲିପ୍‌ଷ୍ଟିକ ଅଛି, ତେବେ ବି ଚିନ୍ତା କରନ୍ତୁ ନାହିଁ। ଓଠରେ ଗ୍ଲସି ଲିପ୍‌ଷ୍ଟିକ୍‌ ଲଗାଇବା ପରେ ଏହା ଉପରେ ଟିକେ ବେବି ପାଉଡର୍‌ ଥାଫି ଥାପି ଲଗାନ୍ତୁ। ଏହା ପରେ ଏକ ଟିସୁ ପେପର୍‌କୁ ଦୁଇ ଓଠ ମଝିରେ ରଖି ଚାପି ଦିଅନ୍ତୁ, ଦେଖିବେ ଆପଣଙ୍କ ଓଠକୁ ‘ମ୍ୟାଟ୍‌ ଲୁକ୍‌’ ମିଳିଯିବ।

୪.ଖରା ଦିନେ ଅନେକଙ୍କ ପାଦରୁ ଝାଳ ବାହାରି ଜୋତାରୁ ଦୁର୍ଗନ୍ଧ ଆସିଥାଏ। ଆପଣଙ୍କ କ୍ଷେତ୍ରରେ ଯଦି ଏମିତି କିଛି ହେଉଛି, ତବେ କିଛି ବେବି ପାଉଡର୍‌ ଜୋତା ଭିତରେ ଛିଞ୍ଚି ଦିଅନ୍ତୁ। ଦେଖିବେ, କିଛି ସମୟପରେ ଆପଣଙ୍କ ଜୋତାରୁ ଦୁର୍ଗନ୍ଧ ବାହାରିବା ବନ୍ଦ ହୋଇଯିବ।

୫. ଅନେକ ସମୟରେ ଅସାବଧାନତା ଯୋଗୁ ଆପଣଙ୍କ ମନପସନ୍ଦର ଡ୍ରେସ୍‌ ବା ଅନ୍ୟ କପଡ଼ାରେ ତେଲ ପଡ଼ି ଦାଗ ହୋଇଯାଇଥାଏ। ଏହା ଦେଖିବାକୁ ଖରାପ ଲାଗିବା ସହ ଏଥିରୁ ତେଲିଆ ଗନ୍ଧ ମଧ୍ୟ ଆସିଥାଏ। କିଛି ବେବି ପାଉଡର୍‌ ନେଇ ତେଲ ପଡ଼ିଥିବା ସ୍ଥାନରେ ଲଗାଇ ଘସି ଦିଅନ୍ତୁ। ଏହାପରେ କପଡ଼ାକୁ ସଫା କରି ଦିଅନ୍ତୁ, ଦେଖିବା ତେଲ ଦାଗ ସମ୍ପୂର୍ଣ୍ଣ ଚାଲିଯିବ।

୬. ଅନେକ ସମୟରେ ଆମେ କିଛି ଗହଣା ଏକାଠି ରଖିଦେଲେ, ଏହା ପରସ୍ପର ସହ ଛନ୍ଦି ହୋଇଯା’ନ୍ତି। ଏଗୁଡ଼ିକୁ ଯେତେ ଖୋଲିବାକୁ ଚେଷ୍ଟା କଲେ ବି ଏ ସବୁ ଟଣା ଟଣି ହୋଇ ଆହୁରି ଗଣ୍ଠି ପଡ଼ିଯାଏ। ହେଲେ ବ୍ୟସ୍ତ ହୁଅନ୍ତୁ ନାହିଁ, ଆପଣଙ୍କର ଯଦି ଏଭଳି ସମସ୍ୟା ହେଉଛି, ତେବେ ଗଣ୍ଠି ପଡ଼ି ଯାଇଥିବା ଗହଣାରେ କିଛି ବେବି ପାଉଡର୍‌ ଲଗାଇ ଦିଅନ୍ତୁ। ଏହାଦ୍ୱାରା ଛନ୍ଦି ହୋଇଥିବା ଗହଣା ଅତି ସହଜରେ ଖୋଲିଯିବ।

୭. ଖରାଦିନେ ଘରର ବିଭିନ୍ନ ଜାଗାରେ ପିମ୍ପୁଡ଼ି ଭର୍ତ୍ତି ହୋଇଯା’ନ୍ତି। ବିଛଣାରେ, ରୋଷେଇଘରେ ଓ ଅନେକ ଜାଗାରେ ପିମ୍ପୁଡ଼ି ହୋଇଥା’ନ୍ତି। ତେବେ ପିମ୍ପୁଡ଼ି ହେଉଥିବା ସ୍ଥାନରେ ଆପଣ ଯଦି କିଛି ବେବି ପାଉଡର୍‌ ଛିଞ୍ଚିଦେବେ, ତେବେ ଦେଖିବେ କିଛି ସମୟ ଭିତରେ ପିମ୍ପୁଡ଼ି ସବୁ କୁଆଡ଼େ ଗାଏବ ହୋଇଯିବେ।

ଅତ୍ୟଧିକ ଗରମ ଚା’ ପିଉଛନ୍ତି କି? ସାବଧାନ୍, ହୋଇପାରେ କ୍ୟାନ୍‌ସର୍ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚା’ ସାଧାରଣତଃ ଗରମ ହିଁ ପିଆଯାଏ। କାରଣ ଚା’ ଗରମ ଥିଲେ ହିଁ ପାଟିକୁ ତାଜା ଅନୁଭବ ଦିଏ। ତେବେ ଆପଣ ଜାଣନ୍ତି କି, ଅତ୍ୟଧିକ ଗରମ ଚା’ ଶରୀର ପାଇଁ କେତେ ହାନିକାରକ ? ଏକ ଗେବଷଣାରୁ ଜଣାପଡ଼ିଛି ଯେ ଅତ୍ୟଧିକ ଗରମ ଚା’ ପିଇଲେ, ଖାଦ୍ୟ ନଳୀ କିମ୍ବା ଗଳାରେ କ୍ୟାନ୍‌ସର୍‌ ହେବାର ଆଶଙ୍କା ଆଠଗୁଣା ଅଧିକ ବଢ଼ିଯାଏ।  ଇରାନ୍‌ର ଲୋକେ ଖୁବ୍‌ ଚା’ ପିଅନ୍ତି। ହେଲେ ଏମାନେ କେବେ ହେଲେ ଧୂମପାନ କି ତମାଖୁ ସେବନ କରନ୍ତି ନାହିଁ। କିନ୍ତୁ ସେମାନଙ୍କ ଠାରେ ଅଧିକ ମାତ୍ରାରେ ଇସୋଫେଗଲ୍‌ କ୍ୟାନସର୍ ସମସ୍ୟା ଦେଖିବାକୁ ମିଳିଛି। ଆଉ ଏହା ପଛର କାରଣ ହେଉଛି ଅତ୍ୟଧିକ ଗରମ ଚା’। ଗରମ ଚା’ ପିଇବା ଦ୍ୱାରା ଗଳାର ଟିସୁଗୁଡ଼ିକ ନଷ୍ଟ ହୋଇ ପରେ କ୍ୟାନ୍‌ସର୍‌ର ଆକ୍ରାନ୍ତ ହୁଅନ୍ତି। ଚା’କୁ ଆଞ୍ଚରୁ ଓହ୍ଲାଇବାର ଦୁଇମିନିଟ୍‌ ଭିତରେ ଯେଉଁମାନେ ପିଇଥା’ନ୍ତି, ସେମାନଙ୍କ କ୍ଷେତ୍ରରେ ଏହି ସମସ୍ୟା ଅଧିକ ଦେଖାଦିଏ। ତେଣୁ ଗବେଷକଙ୍କ ମତରେ, ଚା’କୁ କପ୍‌ରେ ଢ଼ାଳିବାର ୫ ମିନିଟ୍‌ ପରେ ର୍ହିଁ ଏହାକୁ ପିଇବା ଉଚିତ୍। ଏହି ଗବେଷଣାରେ ପ୍ରାୟ ୫୦ ହଜାର ଲୋକଙ୍କୁ ସାମିଲ କରାଯାଇଥିଲା। ଏହି ଗବେଷଣାରୁ ମିଳିଥିବା ତଥ୍ୟ ଅନୁଯାୟୀ, ଚା’ କପ୍‌ରେ ଢାଳିବା ଓ ପିଇବା ଭିତରେ ଅତି କମ୍‌ରେ ୪ରୁ ୫ ମିନିଟ୍‌ ଅନ୍ତର ରହିବା ଉଚିତ୍‌। ଗରମ ଚା’ ପିଇବା ଦ୍ୱାରା ଆସିଡିଟି, ଅଲ୍‌ସର୍ ଓ ପେଟ ସହ ଜଡ଼ିତ ଅନେକ ସମସ୍ୟା ହୋଇପାରେ। କେବଳ ଗରମ ଚା’ ନୁହେଁ, ଆହୁରି ଅନେକ ଜିନିଷ ରହିଛି, ଯାହାକି ଏତେ ଗରମ ହୋଇଥାଏ ଯେ ଏହା ପେଟର କୋଷିକାଗୁଡ଼ିକୁ ପ୍ରଭାବିତ କରିଥାଏ। ଫଳରେ ପେଟ ସହ ଜଡ଼ିତ ଅନେକ ସମସ୍ୟା ଦେଖାଦିଏ।

କେଶ ଝଡ଼ିବା ବନ୍ଦ ହେବ, ଖାଆନ୍ତୁ ଏହି ସବୁ ଖାଦ୍ୟ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପ୍ରାୟ ସବୁ ମହିଳା ଚାହାନ୍ତି ତାଙ୍କର ଲମ୍ବା, ଘନ ଓ ସୁନ୍ଦର କେଶ ହେଉ। କିନ୍ତୁ ଅବ୍ୟବସ୍ଥିତ ଜୀବନଶୈଳୀ, ପ୍ରଦୂଷଣ ଓ ଖାଦ୍ୟପେୟରେ ଅନୀୟମିତତା ଯୋଗୁ କେଶ ଝଡ଼ିଥାଏ। ହେଲେ ଆପଣ ଯଦି ଚାହିଁବେ ତେବେ ଆପଣଙ୍କ ଲମ୍ବା କେଶର ସ୍ୱପ୍ନକୁ ସାକାର କରିପାରିବେ। ଲମ୍ବା ଓ ମଜଭୂତ କେଶ ପାଇଁ କିଛି ପୋଷକ ତତ୍ତ୍ୱ ଥିବା ଦ୍ରବ୍ୟକୁ ବ୍ୟବହାର କଲେ କେଶ ଉପୁଡ଼ିବା ସମସ୍ୟାରୁ ମୁକ୍ତି ମିଳିବ। ଏଥିପାଇଁ ନିଜ ଖାଦ୍ୟରେ ଏମିତି କିଛି ଦ୍ରବ୍ୟକୁ ସାମିଲ କରିବାକୁ ହେବ। କାରଣ ନିଜ ଭୋଜନରେ ସେହି ଖାଦ୍ୟପେୟକୁ ନିୟମିତ ଖାଇଲେ କେଶ ଉପୁଡ଼ିବା ସମ୍ପୁର୍ଣ୍ଣ ବନ୍ଦ ହୋଇଯିବ। ଏ ବାବଦରେ ଆଜି ଆମେ ଆପଣଙ୍କୁ କିଛି ଉପକାରୀ ଟିପ୍ସ ବତାଇବୁ। ଯଦି ଆପଣ ଏଗୁଡ଼ିକୁ ଆପଣାନ୍ତି, ତେବେ ଆପଣଙ୍କ କେଶ ଲମ୍ବା, ଘନ ଓ ସୁନ୍ଦର ହେବ।

ଅଁଳା: ଅଁଳା କେଶ ପାଇଁ ଖୁବ ଉପକାରୀ । ଏହାର ଗୁଣ୍ଡ, ଜୁସ୍‌ କିମ୍ବା ଆଚାରକୁ ମଧ୍ୟ ଖାଇପାରିବେ। ଅଁଳାକୁ କେଶ ମୂଳରେ ଓ ମୁହଁରେ ମଧ୍ୟ ଲଗାଇ ପାରିବେ। ଅଁଳାରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ରହିଛି। ଯାହା କେଶକୁ ମଜଭୂତ, ଘନ କରିବା ସହ ଉପୁଡ଼ିବା ସମସ୍ୟାକୁ ଦୂର କରିଥାଏ।

ପାଳଙ୍ଗ ଶାଗ: କେଶ ପାଇଁ ପାଳଙ୍ଗ ଶାଗ ଖୁବ ଲାଭଦାୟକ ଅଟେ। ଏଥିରେ ଭିଟାମିନ ସି, ଇ, ବି ଆଦି ରହିଛି। ଏହାକୁ ନିୟମିତ ଖାଇଲେ କେଶ ମୂଳ ମଜଭୂତ ହୋଇଥାଏ।

ମେଥି: ସମସ୍ତଙ୍କ ଘରେ ମେଥି ନିଶ୍ଚୟ ଥାଏ। ଏହା ବହୁ ଛୋଟ ବଡ଼ ରୋଗ ପାଇଁ ମଧ୍ୟ ବ୍ୟବହାର କରାଯାଏ। ଏଥିରେ ଅଧିକ ମାତ୍ରାରେ ପ୍ରୋଟିନ ରହିଛି। ଯାହାକୁ ଖାଇବା ଦ୍ୱାରା ଓ କେଶରେ ଲଗାଇବା ଦ୍ୱାରା କେଶ ଲମ୍ବା ଓ ଘନ ହୋଇଥାଏ।

ନଡ଼ିଆ ତେଲ: ଘରେ ନଡ଼ିଆ ତେଲ ପ୍ରସ୍ତୁତ କରି ଏହାକୁ କେଶ ମୂଳରେ ମାଲିସ କରନ୍ତୁ। ନଡ଼ିଆ ତେଲ ବ୍ୟବହାର କରି ଖାଦ୍ୟ ପ୍ରସ୍ତୁତ କରି ମଧ୍ୟ ଖାଇପାରିବେ। ଯାହାଦ୍ୱାରା କେଶ ସୁସ୍ଥ ଓ ସୁରକ୍ଷିତ ରହିବ। 

ରୋହିତ-ଧୱନ ଟପିଲେ ସଚିନ-ସେହୱାଗ ଙ୍କୁ !

ଏଥର ସମ୍ଭାଳ ବ୍ୟୁରୋ (ମାଉଣ୍ଟ ମାଙ୍ଗାନୁଇ) – ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବି ବିଜୟୀ ହୋଇଛି ଟିମ୍ ଇଣ୍ଡିଆ। ବିରାଟ ବାହିନୀ ଏହି ମ୍ୟାଚ୍‌ରେ ଘରୋଇ ଟିମ୍‌କୁ ୯୦ ରନ୍‌ରେ ହରାଇଛି। ଭାରତ ୫୦ ଓଭରରେ ମାତ୍ର ୪ଟି ୱିକେଟ୍ ହରାଇ ୩୨୪ ରନ୍ କରିଥିବା ବେଳେ ନ୍ୟୁଜିଲ୍ୟାଣ୍ଡ ୪୦.୨ ଓଭରରେ ୨୩୪ ରନ୍ କରି ଅଲ୍‌ ଆଉଟ୍ ହୋଇଯାଇଥିଲା। ଏହି ବିଜୟ ସହିତ ୫ଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ଭାରତ ୨-୦ରେ ଆଗୁଆ ରହିଛି। ଆଜିର ମ୍ୟାଚ୍‌ରେ ଓପନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧୱନ ବଢ଼ିଆ ଖେଳିଥିଲେ। ସେମାନଙ୍କ ମଧ୍ୟରେ ପୁଣି ଶତକୀୟ ଭାଗୀଦାରୀ ହୋଇଥିଲା। ଦୁହିଁଙ୍କ ମଧ୍ୟରେ ୧୫୪ ରନ୍‌ର ପାର୍ଟନରସିପ୍ ହୋଇଥିବା ବେଳେ ପ୍ରଥମ ଶିଖର ଆଉଟ୍ ହୋଇଯାଇଥିଲେ। ଏହି ଶତକୀୟ ଭାଗୀଦାରୀ ସହିତ ଏ ଦୁଇ ଖେଳାଳି ସଚିନ ତେନ୍ଦୁଲକର ଓ ବୀରେନ୍ଦ୍ର ସେହୱାଗ ଯୋଡ଼ିକୁ ଟପି ଯାଇଛନ୍ତି। ସଚିନ ଓ ସେହୱାଗ ମଧ୍ୟରେ ୧୩ଟି ଶତକୀୟ ଭାଗୀଦାରୀ ହୋଇଥିବା ବେଳେ ରୋହିତ ଓ ଶିଖରଙ୍କ ମଧ୍ୟରେ ୧୪ଟି ଶତକୀୟ ଭାଗୀଦାରୀ ହୋଇଛି। ଆଜି ରୋହିତ ୯୬ ବଲ୍‌ରୁ ୮୭ ରନ୍ କରିଥିବା ବେଳେ ଧୱନ ୬୭ ବଲ୍‌ରୁ ୬୬ ରନ୍ କରିଥିଲେ।

ପ୍ରଥମ ମ୍ୟାଚ୍‌ରେ ସ୍ପେନ୍‌ଠାରୁ ହାରିଗଲା ଭାରତୀୟ ମହିଳା ଟିମ୍ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭାରତୀୟ ମହିଳା ହକି ଟିମ୍ ଏବେ ସ୍ପେନ୍‌ ଗସ୍ତରେ ଅଛି। ଗତକାଲି ଦଳ ତା’ର ପ୍ରଥମ ମ୍ୟାଚ୍ ଘରୋଇ ଟିମ୍ ବିପକ୍ଷରେ ଖେଳିଥିଲା। ତେବେ ଗସ୍ତ ଆରମ୍ଭରୁ ହିଁ ଟିମ୍‌କୁ ଝଟକା ଲାଗିଥିଲା। ପ୍ରଥମ ମ୍ୟାଚ୍‌ରେ ଭାରତୀୟ ଟିମ୍ ୨-୩ ଗୋଲ୍‌ରେ ସ୍ପେନ୍‌ ଠାରୁ ହାରି ଯାଇଛି। ମ୍ୟାଚ୍‌ର ଅଷ୍ଟମ୍ ମିନିଟ୍‌ରେ ଭାରତ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଦଳ ଏହାକୁ ଗୋଲରେ ପରିଣତ କରିପାରି ନଥିଲା। ତେବେ ୧୨ତମ ମିନିଟ୍‌ରେ ଉଦିତା ଦଳ ପାଇଁ ପ୍ରତମ ଗୋଲ୍ କରିଥିଲେ।

ଦ୍ୱିତୀୟ କ୍ୱାର୍ଟରରେ ୨୩ତମ ମିନିଟ୍‌ରେ ଆୟୋଜକ ସ୍ପେନ୍‌ର ମାରିଆ ଟୋଷ୍ଟ ଭାରତ ଉପରେ ଏକ ଗୋଲ୍ ଦେଇ ସ୍ଥିତି ବାରାବର କରି ଦେଇଥିଲେ। ଏହା ପରେ ମ୍ୟାଚ୍‌ର ୩୯ ମିନିଟ୍ ଓ ୪୦ ମିନିଟ୍‌ରେ ସ୍ପେନ୍ ଆଉ ଦୁଇଟି ଗୋଲ୍ ଦେଇଥିଲା। ୪୮ତମ ମିନିଟ୍‌ରେ ଭାରତ ପକ୍ଷରୁ ଗୁରଜିତ ଆଉ ଏକ ଗୋଲ୍‌ ଦେଇଥିଲେ।

ଭାରତୀୟ ମହିଳା ଟିମ୍‌ ସ୍ପେନ୍‌ ବିପକ୍ଷରେ ଆଉ ତିନିଟି ମ୍ୟାଚ୍ ଖେଳିବ। ଏହାପରେ ଫେବ୍ରୁଆରୀ ୨ ଓ ୩ ତାରିଖରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ୨ଟି ମ୍ୟାଚ୍‌ ଖେଳିବ ।