କୋଳଥରେ ରହିଛି ଏହି ସବୁ ଚମତ୍କାରୀ ଔଷଧୀୟ ଗୁଣ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅନେକ ଲୋକ କୋଳଥ ଖାଇବାକୁ ବେଶ୍ ଭଲପା’ନ୍ତି। କୋଳଥ ଡାଲି ବେଶ୍‌ ସୁଆଦିଆ ଲାଗେ। ହେଲେ ଆପଣ ଜାଣନ୍ତି କି, ପାଟିକୁ ସୁଆଦିଆ ଲାଗୁଥିବା ଏହି ଡାଲିଜାତୀୟ ଖାଦ୍ୟ ସାମଗ୍ରୀଟି ଆମ ଶରୀର ପାଇଁ କେତେ ଉପକାରୀ ?

ଆଜି ଆମେ ଆପଣଙ୍କୁ କୋଳଥ ଡାଲିର କିଛି ଚମତ୍କାରୀ ଔଷଧୀୟ ଗୁଣ ସମ୍ପର୍କରେ କହିବୁ।

୧.କୋଳଥରେ ମେଟାବଲିଜିମ୍‌ ବଢ଼ାଇବାର କ୍ଷମତା ରହିଛି। ତେଣୁ ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ମେଦ ହ୍ରାସ ହୋଇଥାଏ। ଦୈନିକ ୧୦୦ ଗାମ୍‌ର କୋଳଥ ଡାଲି ଖାଇବା ଦ୍ୱାରା ମାସକ ମଧ୍ୟରେ ମୋଟାପଣ କମିଯାଏ।

୨. କୋଳଥକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ମହିଳାଙ୍କ ଋତୁକାଳୀନ ଯନ୍ତ୍ରଣା ଏବଂ ଅନିୟମିତ ଋତୁସ୍ରାବ ସମସ୍ୟା ଦୂର ହୁଏ। ଏଥିପାଇଁ ଆପଣ କୋଳଥ ସୁପ୍‌ ମଧ୍ୟ ପିଇପାରିବେ।

୩. କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।

୪. କୋଳଥ ଖାଇବା ଦ୍ୱାରା ଅତ୍ୟଧିକ ତୈଳିକ ତ୍ୱଚାରୁ ମୁକ୍ତି ମିଳେ। କୋଳଥ ବ୍ରଣ ସମସ୍ୟା ମଧ୍ୟ ଦୂର କରେ।

୫. କୋଳଥ ଡାଲି ଖାଇବା ଦ୍ୱାରା ପେଟରେ ପଥର ବା ଷ୍ଟୋନ୍‌ ସମସ୍ୟା ଦୂର ହୁଏ। ଏଥିରେ ଥିବା ଭିଟାମିନ୍‌-ଏ ପେଟର ପଥରକୁ ବାହାର କରିବାରେ ସହାୟକ ହୋଇଥାଏ।

୬. କୋଳଥର କାଢ଼ା ପ୍ରସ୍ତୁତ କରି ସେବନ କରିବା ଦ୍ୱାରା ବାତ ସମସ୍ୟା ଦୂର ହୁଏ। ତେବେ ଏହି କାଢ଼ାରେ ଗୋଲମରିଚ ଗୁଣ୍ଡ ପକାଇ ପିଇବା ଦ୍ୱାରା ଗଳା ସମସ୍ୟାରୁ ସୁରକ୍ଷା ମିଳିଥାଏ।

୭. କୋଳଥ କାଢ଼ାରେ ହେଙ୍ଗୁ ଏବଂ ଶୁଣ୍ଠି ଗୁଣ୍ଡ ସହ ସାମାନ୍ୟ ଲୁଣ ମିଶାଇ ସକାଳେ ଏବଂ ସନ୍ଧ୍ୟାରେ ସେବନ କରିବା ଦ୍ୱାରା ପେଟ ଯନ୍ତ୍ରଣା ଦୂର ହୁଏ।

ବାଇଗଣ ଖାଆନ୍ତୁ, ଆଉ ଏସିଡିଟି ହବନି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସମସ୍ତଙ୍କ ରୋଷେଇ ଘରେ ଏକ ସାଧାରଣ ପରିବା ହେଉଛି ବାଇଗଣ। ଏହାକୁ ଆମେ ଦୈନନ୍ଦିନ ଖାଦ୍ୟରେ ଅଧିକ ମାତ୍ରାରେ ବ୍ୟବହାର କରିଥାଉ। ପୋଡ଼ି କିମ୍ୱା ସିଝାଇ ଭର୍ତ୍ତା କରି ଖାଇବାକୁ ଆମ ଓଡ଼ିଆ ଲୋକେ ବେଶି ପସନ୍ଦ କରିଥାନ୍ତି। କିନ୍ତୁ ଜାଣି ଖୁସିହେବେ ଯେ, ବାଇଗଣ ଖାଲି ପାଟି ସୁଆଦ ପାଇଁ ନୁହେଁ ବରଂ ଆପଣଙ୍କ ଏସିଡିଟି ବା ଅଗ୍ନିମାଦ୍ୟ ଦୂର କରିବାକୁ ମଧ୍ୟ ଅମୋଘ ଔଷଧ।

କାହିଁକି ଜାଣିଛନ୍ତି ?

ବାଇଗଣରେ ପ୍ରଚୁର ପରିମାଣରେ ଆଣ୍ଟି ଅକ୍ସିଡାଣ୍ଟ ଓ ଫାଇବର ଭଳି ପୋଷକ ତତ୍ତ୍ଵ ରହିଛି। ଯାହା ଏସିଡିଟି ଭଲ କରିବାକୁ ସକ୍ଷମ ବୋଲି ଗବେଷକମାନେ କୁହନ୍ତି। ବିଶ୍ୱରେ ପ୍ରତି ୧୦ ଜଣରେ ୫ ଜଣ ବ୍ୟକ୍ତି ବାଇଗଣ ଖାଇବାକୁ ପସନ୍ଦ କରନ୍ତି। ଆଉ ସବୁଠାରୁ ଅଧିକ ଜାପାନ ଓ ଭାରତରେ ଏହି ପରିବାର ଆଦର ରହିଛି। ଜାପାନରେ ଏହାକୁ ଆମିଷ ତରକାରୀ ସହ ରନ୍ଧାଯାଏ। ଦୈନିକ ବାଇଗଣ ଖାଇବା ଶରୀର ପାଇଁ ଭଲ ବୋଲି ମଧ୍ୟ ନିକଟରେ ଏକ ଆମେରିକୀୟ ଗବେଷଣା ପ୍ରତିଷ୍ଠାନ ପ୍ରକାଶ କରିଛି।

  • ବାଇଗଣ ଭର୍ତ୍ତାରେ ଏକ ଚାମଚ ମହୁ ମିଶାଇ ଖାଇଲେ ସୁନିଦ୍ରା ହୁଏ। ତରକାରିରେ ଏହା ଖାଇବା ଖୁବ୍ ଭଲ।
  • ବାଇଗଣ ସୁପ୍‌ରେ ହେଙ୍ଗୁ ଓ ରସୁଣ ସମପରିମାଣର ମିଶାଇ ପିଇଲେ ଅମ୍ଲ ରୋଗ ବା ଏସିଡିଟିରୁ ରକ୍ଷା ମିଳେ।
  • ଆଫ୍ରିକୀୟ ଆଦିବାସୀଙ୍କ ମତରେ ବାଇଗଣ ପୋଡାକୁ ଗୋଟା ଖାଇଲେ କାଶ ସମସ୍ୟାରୁ ମୁକ୍ତି ମିଳେ। ସକାଳୁ ଖାଲି ପେଟରେ ବାଇଗଣ ଭର୍ତ୍ତାରେ ଅଳ୍ପ ଚିନି ମିଶାଇ ଖାଇଲେ ରକ୍ତଜନିତ ରୋଗର ଆଶଙ୍କା କମ୍ ହୁଏ।
  • ମଧୁମେହ ରୋଗୀଙ୍କ ନିମନ୍ତେ ଏହା ଏକ ସର୍ବୋତ୍କୃଷ୍ଟ ପରିବା। ଏଥିରେ ଖାଦ୍ୟ ତନ୍ତୁ ପ୍ରଚୁର ପରିମାଣରେ ଥାଏ। ମଧୁମେହ ରୋଗୀ ଏହାକୁ ନିୟମିତ ଖାଇଲେ ଶରୀରରେ ଶର୍କରା ନିୟନ୍ତ୍ରଣରେ ରହେ।
  • ହୃଦରୋଗୀଙ୍କ ପାଇଁ ଏହା ଉତ୍ତମ ପରିବା ଅଟେ। ଏହି ପରିବା ଖାଇଲେ ହୃଦରୋଗର ଆଶଙ୍କା ମଧ୍ୟ କମ୍ ହୋଇଥାଏ ବୋଲି ବିଶେଷଜ୍ଞଙ୍କ ମତ।
ଆପଣଙ୍କ ଅବସାଦ ଦୂର କରିବ ଜୀବନସାଥୀଙ୍କ କଳ୍ପନା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଯେବେ ଆପଣ ଚିନ୍ତାରେ କିମ୍ୱା କୌଣସି ସମସ୍ୟାରେ ରହୁଛନ୍ତି, ତେବେ ସେହି ସମୟରେ ଆପଣ ନିଜ ପାର୍ଟନର୍‌ଙ୍କ କଥା ଚିନ୍ତା କରନ୍ତୁ। ଆପଣ ଚିନ୍ତାରୁ ମୁକ୍ତି ପାଇପାରିବେ। ଏକଥା ଶୁଣି ଆପଣଙ୍କୁ ଥଟ୍ଟା ଲାଗିପାରେ କିନ୍ତୁ ଗବେଷଣାର ନିର୍ଯାସ ଏହା ହିଁ କହୁଛି।

ନିକଟରେ ଏକ ଗବେଷଣାରେ ଦାବି କରାଯାଇଛି ଯେ, ଚିନ୍ତାରେ ଥିବା ସମୟରେ ପାର୍ଟନର୍‌ଙ୍କ କଥା ଭାବିଲେ, ରକ୍ତଚାପ କମ୍‌ ହୋଇଥାଏ। ଏହି ଗବେଷଣାରେ ପ୍ରତିଯୋଗୀଙ୍କୁ ୩.୩ ଡିଗ୍ରୀ ସେଲ୍‌ସିୟସ୍‌ରୁ ୪.୩ ଡିଗ୍ରୀ ସେଲ୍‌ସିୟସ୍‌ରେ ଥଣ୍ଡା ପାଣିରେ ଏକ ମିନିଟ୍‌ ପାଇଁ ଗୋଡ଼ ବୁଡ଼ାଇ ରଖିବା ପାଇଁ କୁହାଯାଇଥିଲା। ଥଣ୍ଡା ପାଣିରେ ଶିରାରେ ଏକ ପ୍ରକାର ରିଆକସନ୍‌ ହୋଇଥାଏ, ଯାହାଦ୍ୱାରା ରକ୍ତରେ ଥିବା ଶିରାପ୍ରଶିରା ସଙ୍କୁଚିତ ହୋଇଥାଏ ଏବଂ କିଛି କ୍ଷଣ ପାଇଁ ହାଇପର୍‌ଟେନସନ୍‌ ଅନୁଭୂତ ହୋଇଥାଏ। ଏହି ସମୟରେ ପ୍ରତିଯୋଗୀଙ୍କ ସମ୍ମୁଖରେ ତାଙ୍କ ପାର୍ଟନର୍‌ଙ୍କୁ ରହିବା ପାଇଁ କିମ୍ୱା ତାଙ୍କ ବିଷୟରେ ଭାବିବା ପାଇଁ କୁହାଯାଇଥିଲା। ହାଇପର୍‌ ଟେନସନ୍‌କୁ ରୋକିବା ପାଇଁ ପାର୍ଟନର୍‌ର କଥା ମନରେ ଚିନ୍ତା କରିବା ଅଧିକ ଫଳପ୍ରଦ ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଥିଲା।

ଏହି ଗବେଷଣାର ନେତୃତ୍ୱ ରିସର୍ଚ୍ଚ ୟୁନିଭରସିଟି ଅଫ୍‌ ଏରିଜୋନାର ଛାତ୍ର କେଲ୍‌ ବୋରାସା ନେଇଥିଲେ। ବୋରାସାଙ୍କ କହିବା ଅନୁସାରେ, “ଆମ ଜୀବନରେ ସମସ୍ୟା ଭରି ରହିଛି। କେବଳ ସମ୍ପର୍କ ସହାୟତାରେ ଏହିସବୁ ସମସ୍ୟାରୁ ମୁକୁଳି ହେବ। ଆମେ ପାର୍ଟନର୍‌ଙ୍କ ସହିତ ସିଧା କଥା ହୋଇ କିମ୍ୱା ତାଙ୍କର ଫଟୋକୁ ମନକୁ ଆଣି ଚିନ୍ତାମୁକ୍ତ ହୋଇପାରିବେ। ଅଫିସ୍‌, ପରୀକ୍ଷା କିମ୍ୱା ଅପରେସନ୍‌ ଏପରି ପରିସ୍ଥିତିରେ ପାର୍ଟନର୍‌ କଥା ଚିନ୍ତା କରି ଆପଣ ନିଜ ରକ୍ତଚାପକୁ ନିୟନ୍ତ୍ରଣ କରିପାରିବେ।”

ବୋରାସାଙ୍କର ଏହି ଗବେଷଣାରେ ୧୦୨ ଜଣ ଲୋକଙ୍କୁ ସାମିଲ୍‌ କରାଯାଇଥିଲା, ଯେଉଁମାନେ ଏକ ପ୍ରତିଶ୍ରୁତିବଦ୍ଧ ସମ୍ପର୍କରେ ରହିଥିଲେ। ଗବେଷଣାରେ ଏହି କଥାର ପୁଷ୍ଟି କରାଯାଇଥିଲା ଯେ, ହାଇପର୍‌ ଟେନସନ୍‌ରୁ ମୁକୁଳିବା ପାଇଁ ଜୀବନସାଥୀର କ’ଣ ଭୂମିକା ରହିଥାଏ। ଗବେଷଣାର ଫଳାପଳରୁ ଜଣାପଡ଼ିଥିଲା ଯେ, ଯେଉଁ ପ୍ରତିଯୋଗୀମାନେ ତାଙ୍କ ପାର୍ଟନର୍‌ଙ୍କ ବିଷୟରେ ଚିନ୍ତା କରିଥିଲେ, ତାଙ୍କର ବ୍ଲଡ୍‌ ପ୍ରେସର୍‌ ଅନ୍ୟ ପ୍ରତିଯୋଗୀଙ୍କଠାରୁ କମ୍‌ ଥିଲା। ଯେଉଁ ପ୍ରତିଯୋଗୀମାନେ ରିଲେସନ୍‌ସିପ୍‌ରେ ଅଧିକ ଖୁସି ଓ ସନ୍ତୁଷ୍ଟ ଥିଲେ, ସେମାନଙ୍କର ଅଧିକ ଫାଇଦା ହୋଇଥିଲା।

‘ଇଶ୍କବାଜ୍‌’ର ‘ଅନିକା’ ହେଲେ ପ୍ରଥମ ମହିଳା ସୁପର୍‌ ହିରୋ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ଷ୍ଟାର୍‌ପ୍ଲସ୍‌ ଚ୍ୟାନେଲ୍‌ର ଲୋକପ୍ରିୟ ଧାରାବାହିକ ‘ଇଶ୍କବାଜ୍‌’ର ଅନିକା ଅର୍ଥାତ୍ ଟେଲି ଅଭିନେତ୍ରୀ ସୁରଭି ଚନ୍ଦନା ଗତ ମାସେ ହେବ ସୋଶାଲ୍‌ ମିଡିଆରେ ତାଙ୍କ ଫଟୋ ଓ ଭିଡିଓକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ‘ଇଶ୍କବାଜ୍‌’ରୁ ସେ ଦୀର୍ଘ ଦିନ ଧରି ଦୂରେଇ ଅଛନ୍ତି। ଫ୍ୟାନ୍ସ ଏବେ ତାଙ୍କୁ ‘ଇଶ୍କବାଜ୍‌’ କିମ୍ବା କେଉଁ ଅଲଗା ଶୋ’ରେ ପୁଣି ଦେଖିବାକୁ ଚାହୁଁଥିବାବେଳେ ଏବେ ସେମାନଙ୍କ ପାଇଁ ଏକ ଖୁସି ଖବର ଆସିଛି। ସୁରଭି ଏବେ କ୍ୟାପଟେନ୍‌ ପାଉଟ୍‌ ହୋଇଯାଇଛନ୍ତି। ଅର୍ଥାତ୍‌ ମାର୍ବଲ୍‌ ଷ୍ଟୁଡିଓର ପ୍ରଥମ ମହିଳା ସୁପର ହିରୋ ଫିଲ୍ମରେ ସୁରଭି  କ୍ୟାପଟେନ୍‌ ପାଉଟ୍‌ ଭୂମିକାରେ ନଜର ଆସିବେ। ସୁରଭିଙ୍କ ପାଇଁ ଏହା ଏକ ବିଗ୍‌ ବ୍ରେକ୍‌ ବୋଲି କୁହାଯାଉଛି। ଏହି ଫିଲ୍ମକୁ ଇଂରାଜୀ, ହିନ୍ଦୀ, ତେଲୁଗୁ ଓ ତମିଲ୍ ଭାଷାରେ ରିଲିଜ୍‌ କରାଯିବ।

୨.୦ ପରେ ଏହି ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର ଆସିବେ ଖିଲାଡ଼ି ଷ୍ଟାର୍‌ .

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ମେଗାଷ୍ଟାର୍‌ ରଜନୀକାନ୍ତଙ୍କ ଫିଲ୍ମ ୨.୦ରେ ଖଳନାୟକ ଭୂମିକା କରିବା ପରେ ବଲିଉଡ୍‌ ଖିଲାଡ଼ି ଷ୍ଟାର୍‌ ଅକ୍ଷୟ କୁମାର ଏବେ ନେଗେଟିଭ୍ ଚରିତ୍ରର ନିଶାରେ ମାତିଛନ୍ତି। ଖୁବ୍‌ ଶୀଘ୍ର ଏହି ସୁପର୍‌ଷ୍ଟାର୍‌ ଦକ୍ଷିଣ ଭାରତର ଆଉ ଏକ ବଡ଼ ଫିଲ୍ମରେ ଭିଲେନ୍‌ ରୋଲ୍‌ରେ ନଜର୍‌ ଆସିବେ। ଏହି ଫିଲ୍ମ ହେଉଛି କମଲ୍‌ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍‌’ର ସିକ୍ୱେଲ୍ ‘ଇଣ୍ଡିଆନ୍‌-୨’। ଫିଲ୍ମର ନିର୍ଦ୍ଦେଶନା ଦେବେ ଶଙ୍କର୍‌। ଶଙ୍କର୍‌ ରଜନୀକାନ୍ତ ଷ୍ଟାରର୍‌ ୨.୦ର ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ପୂର୍ବରୁ ‘ଇଣ୍ଡିଆନ୍‌-୨’ର ଏହି  ରୋଲ୍‌ ପାଇଁ ଅଜୟ ଦେବ୍‌ଗନ୍‌ଙ୍କୁ ଅଫର୍‌ ମିଳିଥିଲା। ହେଲେ ସମୟ ନ ମିଳିବାରୁ ସେ ଏଥିରୁ ଓହରି ଯାଇଥିଲେ। ଏହାପରେ ଫିଲ୍ମଟି ଅକ୍ଷୟଙ୍କୁ ମିଳିଥିଲା। ଫିଲ୍ମ ୨.୦ରେ ନିର୍ଦ୍ଦେଶକ ଶଙ୍କର୍‌ଙ୍କୁ ଅକ୍ଷୟଙ୍କ ଅଭିନୟ ବେଶ୍‌ ପ୍ରଭାବିତ କରିଥିଲା। ତେଣୁ ସେ ଅକ୍ଷୟଙ୍କୁ ଏହି ଫିଲ୍ମରେ ଏକ ଭଲ ରୋଲ୍ ଦେଉଛନ୍ତି। ଫିଲ୍ମରେ ଅକ୍ଷୟ ଜଣେ ପୁଲିସ୍‌ ଅଧିକାରୀ ଭୂମିକାରେ ନଜର ଆସିବେ।  ଏହି ଫିଲ୍ମର ହିନ୍ଦୀ ରିମେକ୍‌ର ନାଁ ‘ହିନ୍ଦୁସ୍ତାନୀ-୨’ ରହିବ। ୧୯୯୬ରେ ଆସିଥିବା ମୂଳ ଫିଲ୍ମ ‘ଇଣ୍ଡିଆନ୍‌’ରେ କମଲ ହାସନ୍‌ ଡବଲ୍‌ ରୋଲ୍‌ କରିଥିଲେ। ଫିଲ୍ମର କାହାଣୀ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଥିଲା, ଯିଏ କି ଭ୍ରଷ୍ଟାଚାର ବିରୋଧରେ ଲଢୁଥିଲେ। ହେଲେ, ତାଙ୍କ ପୁଅ ଭୂଲ୍‌ ରାସ୍ତାରେ ଯାଇ ବେଇମାନି କରୁଥିଲେ। ଫିଲ୍ମରେ କମଲଙ୍କ ସହ ମନିଷା କୋଇରାଲା ଓ ଉର୍ମିଲା ମାତୋଣ୍ଡକର୍ ମଧ୍ୟ ମୁଖ୍ୟ ଭୂମିକାରେ ଥିଲେ। ଏହି ଫିଲ୍ମ ହିନ୍ଦୀ ଡବିଂର ନାଁ ‘ହିନ୍ଦୁସ୍ତାନୀ’ ରହିଥିଲା। ଫିଲ୍ମଟିକୁ ଜତୀୟ ପୁରସ୍କାର ସହ ଆହୁରି ଅନେକ ପୁରସ୍କାର ମିଳିଥିଲା। ଅକ୍ଷୟ କୁମାର୍‌ଙ୍କ ପାଇଁ ଏହା ବ୍ୟାକ୍‌ ଟୁ ବ୍ୟାକ୍‌ ଦ୍ୱିତୀୟ ତମିଲ୍‌ ଫିଲ୍ମ ହେବ। ଏହାକୁ ମଧ୍ୟ ତେଲୁଗୁ ଓ ହିନ୍ଦୀ ଭାଷାରେ ରିଲିଜ୍‌ କରାଯିବ। ଫିଲ୍ମଟି କମଲ୍ ହାସନ୍‌ ଓ ଅକ୍ଷୟ କୁମାର ଷ୍ଟାରର୍ ଏକ ବିଗ୍‌ ବଜେଟ୍‌ ପଲିଟିକାଲ୍‌ ଥ୍ରୀଲର୍‌ ବୋଲି ଶୁଣାଯାଉଛି।

ପୂର୍ବତନ ମନ୍ତ୍ରୀ ଚୈତନ୍ୟ ପ୍ରସାଦ ମାଝୀଙ୍କ ପରଲୋକ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଶିଷ୍ଟ ଆଦିବାସୀ ନେତା ଡ. ଚୈତନ୍ୟ ପ୍ରସାଦ ମାଝୀଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ହୋଇଥିଲା। ବୟସାଧିକ ଯୋଗୁ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ। ୧୯୨୯ ମସିହା ନଭେମ୍ବର ୧୯ ତାରିଖରେ ସେ ଜନ୍ମ ହୋଇଥିଲେ। ୧୯୭୨ରେ ସେ କଂଗ୍ରେସ ଦଳରୁ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ତୈଳ ଓ ରସାୟନ ଉପମନ୍ତ୍ରୀ ଥିଲେ। ସେ ରାଜ୍ୟ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ। ସେ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଶିକ୍ଷାମନ୍ତ୍ରୀ ଥିଲେ। ୧୯୭୯ରୁ ୧୯୮୫ ଯାଏ ସେ ଓପିଏସ୍‌ସିର ସଦସ୍ୟ ଥିଲେ। ସ୍ୱର୍ଗତ ମାଝୀ ଦିଲ୍ଲୀ ସ୍ଥିତ ଅଲ୍‌ ଇଣ୍ଡିଆ ଟ୍ରାଇବାଲ୍ ଲିଟେରାରି ଫୋରମ୍‌ର ସଦସ୍ୟ ଥିଲେ। ସେ ଜନଜାତି ଭାଷା ଓ ସଂସ୍କୃତିକୁ ନେଇ ବହି ବି ଲେଖିଥିଲେ। ବିଜେଡି ସାଂସଦ ସରୋଜିନୀ ହେମ୍ବ୍ରମ ହେଉଛନ୍ତି ସ୍ୱର୍ଗତ ଚୈତନ୍ୟ ପ୍ରସାଦ ମାଝୀଙ୍କ ଝିଅ।

ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା: ୨୬ ରନ୍‌ରେ ପ୍ୟାଭିଲିୟନ ଫେରିଲେ ଦୁଇ ଓପ୍‌ନର ।

ଏଥର ସମ୍ଭାଳ ବ୍ୟୁରୋ (ମାଉଣ୍ଟ ମାଙ୍ଗାନୁଇ) – ମାଉଣ୍ଟ ମାଙ୍ଗାନୁଇରେ ଆରମ୍ଭ ହୋଇଥିବା ତୃତୀୟ ଦିନିକିଆରେ ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୨-୦ରେ ପଛୁଆ ଥିବା ନ୍ୟୁଜିଲ୍ୟାଣ୍ଡ ଟିମ୍‌ ଏହି ମ୍ୟାଚ୍‌ ଜିତି ସିରିଜ୍‌କୁ ଫେରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇ ଥିଲା। ହେଲେ ଭାରତୀୟ ବୋଲର୍‌ ନ୍ୟୁଜିଲ୍ୟାଣ୍ଡକୁ ଆରମ୍ଭରୁ ଝଟକା ଦେଇଛନ୍ତି। ପୂର୍ବ ଦୁଇଟି ମ୍ୟାଚ୍‌ ପରି ନ୍ୟୁଜିଲ୍ୟାଣ୍ଡକୁ ପ୍ରାରମ୍ଭିକ ଝଟକା ଲାଗିଛି। ଦଳ ୭ମ ଓଭର ସୁଦ୍ଧା ମାତ୍ର ୨୬ ରନ୍‌ କରି ଦୁଇ ୱିକେଟ୍‌ ହରାଇଛି। ଦଳର ଦୁଇ ଓପ୍‌ନରଙ୍କୁ ପ୍ୟାଭିଲିୟନର ରାସ୍ତା ଦେଖାଇ ଦେଇଛନ୍ତି ଭାରତୀୟ ବୋଲର ଭୁବନେଶ୍ୱର କୁମାର ଏବଂ ମହମ୍ମଦ ଶାମି।  କଲିନ୍‌ ମନରୋ ୭ ରନ୍‌ କରି ଶାମିକ ପ୍ରଥମ ଶିକାର ହୋଇଥିଲେ। ଦଳର ଦ୍ୱିତୀୟ ଓଭରରେ ଶାମି ତାଙ୍କୁ ରୋହିତ ଶର୍ମାଙ୍କ ଦ୍ୱାରା କ୍ୟାଚ୍‌ କରାଇଥିଲେ। ଏହାପରେ ଭୁବନେଶ୍ୱର କୁମାର ମାର୍ଟିନ ଗପ୍ଟିଲଙ୍କୁ ପ୍ୟାଭିଲିୟନ୍‌ ରାସ୍ତା ଦେଖାଇ ଥିଲେ। ଗପ୍ଟିଲ ୧୩ ରନ୍‌ କରି ଦିନେଶ କାର୍ତ୍ତିକଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍‌ ହୋଇଥିଲେ।ସୂଚନାଯୋଗ୍ୟ, ଭାରତ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇଛି।

ତୃତୀୟ ଦିନିକିଆ: ଟସ୍‌ ଜିତି ନ୍ୟୁଜିଲ୍ୟାଣ୍ଡର ବ୍ୟାଟିଂ ନିଷ୍ପତ୍ତି ।

ଏଥର ସମ୍ଭାଳ ବ୍ୟୁରୋ (ମାଉଣ୍ଟ ମାଙ୍ଗାନୁଇ) – ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତୃତୀୟ ଦିନିକିଆ ମାଉଣ୍ଟ ମାଙ୍ଗାନୁଇରେ ଆରମ୍ଭ ହୋଇଛି। ନ୍ୟୁଜିଲ୍ୟାଣ୍ଡ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ୨-୦ରେ ଆଗୁଆ ଥିବା ଭାରତ ଏହି ମ୍ୟାଚ୍‌ ଜିତି ସିରିଜ୍‌ ହାତେଇବା ଳକ୍ଷ୍ୟରେ ପଡିଆକୁ ଓହ୍ଲାଇଛି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ନ୍ୟୁଜିଲ୍ୟାଣ୍ଡ ୨ ଓଭରରେ ବିନା କୌଣସି ୱିକେଟ୍‌ ହରାଇ ୧୦ ରନ୍‌ ସଂଗ୍ରହ କରିନେଇଛି। ସେହିପରି ଏହି ମ୍ୟାଚ୍‌ ଜିତି ନ୍ୟୁଜିଲ୍ୟାଣ୍ଡ ସିରିଜକୁ ଫେରିବା ଲକ୍ଷ୍ୟରେ ରହିଛି।

ନ୍ୟୁଜିଲ୍ୟାଣ୍ଡ ଦଳ : କେନ୍‌ ୱିଲିୟମସନ୍‌(ଅଧିନାୟକ),ଟ୍ରେ ଣ୍ଟ ବୋଲ୍ଟ, ଡଗ୍‌ ବ୍ରାସୱେଲ, କଲିନ୍‌ ଡି ଗ୍ରାଣ୍ଡହୋମ, ଲକି ଫରଗୁସନ୍‌,ମାର୍ଟିନ ଗପ୍ଟିଲ, ମ୍ୟାଟ୍‌ ହେନରୀ,ଟମ୍‌ ଲାଥାମ,କଲିନ୍‌ ମନରୋ, ହେନରୀ ନିକୋଲସ୍‌, ମିଚେଲ ସାଣ୍ଟନର,ଇଶ ଶୋ‍ଢ଼ି, ଟିମ୍‌ ସାଉଦି ଓ ରସ୍‌ ଟେଲର

ଭାରତୀୟ ଦଳ: ଶିଖର ଧୱନ, ରୋହିତ ଶର୍ମା, ବିରାଟ୍‌ କୋହଲି(ଅଧିନାୟକ), ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତ୍ତିକ, ରବୀନ୍ଦ୍ର ଜାଡେଜା, ବିଜୟ ଶଙ୍କର, ଶୁଭମାନ ଗିଲ, ଭୁବନେଶ୍ୱର କୁମାର, ମହମ୍ମଦ ଶାମି, ୟୁଜବେନ୍ଦର ଚହଲ, କୁଲଦୀପ ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା ଓ ଖଲୀଲ ଅହମ୍ମଦ।

ବିଜେପି ଇସ୍ତାହାର ଉପରେ ସମସ୍ତଙ୍କ ନଜର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ରାଜ୍ୟ ରାଜନୀତି ସେତିକି ସରଗରମ ହେବାରେ ଲାଗିଛି। ଏବେ ରାଜ୍ୟର ଚାଷୀଙ୍କ ପରେ ତିନି ପ୍ରମୁଖ ରାଜନୀତିକ ଦଳ- ବିଜେଡି, ବିଜେପି ଓ  କଂଗ୍ରେସ୍‌ର ନଜର ରହିଛି। ଚାଷୀ ଭୋଟ ହାତେଇବାକୁ ୩ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରିଛି। କଂଗ୍ରେସ ଚାଷୀ ଋଣ ଛାଡ଼ରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଛି। ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍‌ପି ୨୬ ଶହ ଟଙ୍କା କରିବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବିରରେ ହଇଚଇ ସୃଷ୍ଟି କରିଛନ୍ତି। ଏପରି ସ୍ଥିତିରେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଥିବା ବିଜେପି କୃଷିଋଣ ଛାଡ଼କୁ ନେଇ ଦୋ’ଛକିରେ ରହିଛି।  ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଚାଷୀଙ୍କୁ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା କଂଗ୍ରେସ୍। ତେଣୁ ଏଠି ବି ଏ ଫଣ୍ଡା କାମ କରିବ ବୋଲି ଆଶା ରଖିଛି। ଇସ୍ତାହାର ପ୍ରସ୍ତୁତ କରିବା ପୂର୍ବରୁ ଦଳ ଚାଷୀ ପାଇଁ ଅନେକ ପ୍ରତିଶ୍ରୁତି ଘୋଷଣା କରିସାରିଲାଣି। ଯେଉଁଥିରେ ଧାନରେ ୨୬ ଶହ ଟଙ୍କାର ଏମଏସପି ଦେବା କଥା ବି ଅଛି। ତେବେ ଏତିକିରେ ସରିନି କଂଗ୍ରେସର ଚାଷୀ କାର୍ଡ। ଆଉ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇଁ ଲୋକଙ୍କ ମତ ନେବାକୁ ନେତା ଏବେ ବୁଲୁଛନ୍ତି ଜିଲ୍ଲାରୁ ଜିଲ୍ଲା। ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ବାଲେଶ୍ୱର ବସ୍‌ଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ମତ ନେଇଛନ୍ତି। ଏହାସହ ଜନ ଇସ୍ତାହାର ପ୍ରସ୍ତୁତ କରିବା ପାଇଁ ସାଧାରଣ ସଭା କରି ଲୋକଙ୍କ ମତ ନେଇଛି ଦଳ। ଏପଟେ  କୃଷିରୁଣ ଛାଡ଼ ପାଇଁ ପୂର୍ବରୁ ଘୋଷଣା କରିଥିବା ବିଜେପି କିନ୍ତୁ ଏବେ ଦୋ-ଛକିରେ ପଡ଼ିଛି। କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ସପକ୍ଷରେ ନାହାନ୍ତି। ଏପରି ସ୍ଥିତିରେ ରାଜ୍ୟ ବିଜେପି ନିଜ ଇସ୍ତାହାରରେ ଋଣ ଛାଡ଼ର ପ୍ରତିଶ୍ରୁତି ରଖିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ଆଜି ବସିଥିବା ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ୱେବସାଇଟ୍‌ ମାଧ୍ୟମରେ ଲୋକଙ୍କ ମତ ବି ନିଆଯାଉଛି। ତେବେ କେନ୍ଦ୍ରୀୟ ନେତୃତ୍ୱ ନ ଚାହିଁଲେ, କୃଷିଋଣ ଛାଡ଼ ନେଇ ରାଜ୍ୟ ବିଜେପି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ। ସେପଟେ ଲଗାତାର ୪ ପାଳି ସରକାରରେ ରହିବା ପରେ ଏଥର ବି ଚାଷୀ ଭୋଟ୍ ହାତେଇବା ପାଇଁ ବିଜେଡି ନିର୍ବାଚନର ତିନିମାସ ପୂର୍ବରୁ କାଳିଆ ଯୋଜନା ଆରମ୍ଭ କରିଛି ବୋଲି କୁହାଯାଉଛି। ଯଦିଓ ଦଳ କୃଷିଋଣ ଛାଡ଼ ସପକ୍ଷରେ ନାହିଁ, ତଥାପି କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ଆଗୁଆ ଟଙ୍କା ବାଣ୍ଟି ଦଳ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଯୋଜନା କରିଥିବା ଚର୍ଚ୍ଚା ହେଉଛି। ପ୍ରାଇସ୍, ପ୍ରେଷ୍ଟିଜ ଓ ପେନସନ୍ ପରି ପ୍ରମୁଖ ଦାବିରେ ରାଜ୍ୟରେ ଚାଷୀ ସଂଗଠନ ବାରମ୍ବାର ଆନ୍ଦୋଳନ କରୁଛନ୍ତି। ଏହା ଭିତରେ ଚାଷୀଙ୍କୁ ଖୁସି କରିବା ପାଇଁ ସରକାରୀ ଦଳ ଦିଲ୍ଲୀରେ  ପ୍ରତିବାଦ ସଭା କରିଛି, ତଥାପି ଚାଷୀ ଅସନ୍ତୋଷ ଥମିନି। ଏବେ ପ୍ରଶ୍ନ: ଚାଷୀଙ୍କ ଅସନ୍ତୋଷ ପାଇଁ ହିନ୍ଦୀ ହାର୍ଟଲାଣ୍ଡରେ ବିଜେପି ଯେଉଁ ଦଶା ଭୋଗିଲା ଏଠି ତାର ପୁନରାବୃତ୍ତି ହେବନି ତ ?

ଗଞ୍ଜାମରେ ‘କାଳିଆ’ ହିତାଧିକାରୀଙ୍କୁ ସହାୟତା ବଣ୍ଟନ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମପୁର) – ପୁରୀ ପରେ ଗଞ୍ଜାମ  ଜିଲ୍ଲାରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସହାୟତା ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବ୍ରହ୍ମପୁର ନିକଟ ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପ୍ ପଡ଼ିଆରେ ଆୟୋଜିତ ଚାଷୀ ସମାବେଶରେ ଯୋଗଦେଇ ନବୀନ ହିତାଧିକାରୀଙ୍କୁ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ଏହାସହ ଗଞ୍ଜାମ ଜିଲ୍ଲା ପାଇଁ ୧ ହଜାର ୧୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ରହିଛି ବିଭିନ୍ନ ବ୍ଲକରେ ୧୬ଟି ଅନୁସୂଚିତ ଜନଜାତି ଛାତ୍ରୀ ନିବାସ, କବିସୂର୍ଯ୍ୟ ନଗରର ବାଘୁଆ ନଦୀ ଉପରେ ସେତୁ ନିର୍ମାଣ ଭଳି ଅନେକ ପ୍ରକଳ୍ପ।