ଓଡ଼ିଶା ଏମ୍‌ଏସ୍‌ଏମ୍ଇ ଆନ୍ତର୍ଜାତିକ ବାଣିଜ୍ୟ ମେଳା : ଭାରତ-ଭିଏତ୍‌ନାମ ବାଣିଜ୍ୟ କାରବାର ୪୦% ବଢ଼ିଛି !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ରାଜ୍ୟର ଅର୍ଥନୀତିକୁ ଏମ୍‌ଏସ୍‌ଏମ୍ଇଗୁଡିକର ଯୋଗଦାନ ଅନନ୍ୟ। ଅର୍ଥନୈତିକ ଅଭିବୃଦ୍ଧି ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଉଦେଶ୍ୟରେ ରାଜ୍ୟ ସରକାର ଏମ୍‌ଏସ୍‌ଏମ୍ଇ କ୍ଷେତ୍ରକୁ ପ୍ରଧାନ୍ୟ ଦେବା ସହ ଅନେକ ଶିଳ୍ପ ଅନୁକୂଳ ନୀତି ପ୍ରଣୟନ କରିଥିବା ଓଡ଼ିଶା ଏମ୍‌ଏସ୍‌ଏମ୍ଇ ଅନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୧୯ ଅବସରରେ ଏମ୍‌ଏସ୍‌ଏମ୍ଇ ଓ ରପ୍ତାନୀକାରୀଙ୍କୁ ଋଣ ଓ ବିପଣନ ସଂଯୋଗ ଶୀର୍ଷକ ଆଲୋଚନାଚକ୍ରରେ ଯୋଗଦେଇ ଏମ୍‌ଏସ୍‌ଏମ୍ଇ ମନ୍ତ୍ରୀ ପ୍ରଫୁଲ ସାମଲ କହିଛନ୍ତି।
କାର୍ଯ୍ୟକ୍ରମରେ ଯୋଗଦେଇ ଭିଏତନାମ୍‌ ରାଷ୍ଟ୍ରଦୂତ ମି. ଫାନ୍ ସାନ୍ସ ଚାଉ ଓଡ଼ିଶାର ଏମ୍‌ଏସ୍‌ଏମ୍ଇଗୁଡିକୁ ଖାଦ୍ୟ ପ୍ରକ୍ରିୟାକରଣ, ଯାତ୍ରା ଓ ପର୍ଯ୍ୟଟନ, ଔଷଧ, ସ୍ବାସ୍ଥ୍ୟସେବା, ହସ୍ତତନ୍ତ କ୍ଷେତ୍ରରେ ଭିଏତନାମ ସହିତ ବାଣିଜ୍ୟ କାରବାର କରିବାକୁ ଆମନ୍ତ୍ରଣ କରିଥିଲେ। ୨୦୧୮ ମସିହାରେ ଭାରତ ଓ ଭିଏତନାମା ମଧ୍ୟରେ ବାଣିଜ୍ୟିକ କାରବାର ୪୦% ବୃଦ୍ଧି ପାଇଥିବାରୁ ସେ ସନ୍ତୋଷବ୍ୟକ୍ତ କରିଥିଲେ। ସେ ଓଡ଼ିଶାର ବିଭିନ୍ନ ଶିଳ୍ପସଂଘ ସହିତ ବାଣିଜ୍ୟ ସମ୍ପର୍କିତ ଆଲୋଚନା କରିଥିଲେ। ଏଥିରେ ଏମ୍‌ଏସ୍‌ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲକ୍ଷ୍ମୀନାରାୟଣ ଗୁପ୍ତା କହିଲେ, ଏମ୍‌ଏସ୍‌ଏମ୍ଇ କ୍ଷେତ୍ର ମୁଖ୍ୟତଃ ଅଣୁ କ୍ଷେତ୍ର ଉପରେ ପର୍ଯ୍ୟବସିତ। ପ୍ରାୟ ୯୯ପ୍ରତିଶତ ଉଦ୍ୟୋଗ ଋଣ ଉଦ୍ୟୋଗ ଶ୍ରେଣୀର।
ଏହି ପରିପ୍ରେକ୍ଷୀରେ ଭାରତ ସରକାର ଓଡ଼ିଶାର ଏମ୍‌ଏସ୍‌ଏମ୍ଇଗୁଡିକର ସ୍ଥିତି ସମ୍ପର୍କରେ ଏକ ତଥ୍ୟ ସଂଗ୍ରହ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ। ଏହି ଆଲୋଚନାଚକ୍ରରେ ଭାରତୀୟ ରିଜର୍ଭ ବ୍ୟାଙ୍କ ଭୁବନେଶ୍ବର ଆଞ୍ଚଳିକ ନିର୍ଦେଶକ ଏମ୍.କେ. ମଲ ଏମ୍‌ଏସ୍‌ଏମ୍ଇଗୁଡିକୁ ଋଣ ଯୋଗାଣ ସମ୍ପର୍କିତ ରିଜର୍ଭ ବ୍ୟାଙ୍କର ନିୟମାବଳୀ ସମ୍ପର୍କରେ ଆଲୋକପାତ କରିଥିଲେ। ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ସାଧାରଣ ପ୍ରବନ୍ଧକ ପ୍ରବୀଣା କାଲା ଋଣ ପରିଶୋଧ ସଂସ୍କୃତି ଓ ଋଣ ପ୍ରାପ୍ତି ପାଇଁ ଥିବା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ।
ରାଜ୍ୟର ଏମ୍‌ଏସ୍ଏମ୍‌ଇଗୁଡିକୁ ବିପଣନ ସହାୟତା ସହ ଅନ୍ୟ ଆନୁଷଙ୍ଗିକ ସାହାଯ୍ୟ ଯୋଗାଇଦେବା ଲାଗି କାର୍ଯ୍ୟକ୍ରମରେ ଏନ୍‌ଏସ୍‌ଆଇସି ସିଏମ୍‌ଡି ସୁଧୀର ଗର୍ଗ ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗ ସହ ଏକ ଏମ୍‌ଓୟୁ ସ୍ବାକ୍ଷର କରିବାକୁ ଆଗ୍ରହ ପ୍ରକାଶ କରିଥିଲେ ା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟାଟା ​‌ଷ୍ଟିଲ ସ୍ବତନ୍ତ୍ର ଅର୍ଥନୈତିକ ଜୋନ୍‌ ଲିମିଯଟଏମ୍‌ଡି ଅାଶିଷ ମାଥୁର , ଓଏସ୍‌ଆଇସି ଅଧ୍ୟକ୍ଷ ହିମାଂଶୁ ଶେଖର ମିଶ୍ର, ଶିଳ୍ପ ନିର୍ଦେଶକ ପ୍ରଣବ ଜ୍ୟୋଜି ନାଥ ଏବଂ ବାଣିଜ୍ୟ ନିର୍ଦେଶକ ଏସ୍‌.କେ. ଜେନା ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ।

ଶାହାଙ୍କୁ ବିଜେଡିର ଜବାବ :​ ବିଜେପି ଭୟଭୀତ, କଂଗ୍ରେସ ସହ ସମ୍ପର୍କ ବକ୍ତବ୍ୟ ହାସ୍ୟାସ୍ପଦ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ସାଲେପୁର ସମାବେଶରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶାସକ ଦଳ ବିରୋଧରେ ଆଣିଥିବା ଅଭିଯୋଗର ଜବାବ ରଖିଛି ବିଜେଡ଼ି। ବିଜେପି କର୍ମୀଙ୍କ ଭାଙ୍ଗିଯାଇଥିବା ମନୋବଳକୁ ସଜାଡ଼ିବାକୁ ଆସିଥିବା ଶାହା ବିଜେଡି ଓ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ବ ବୋଲି ଦେଇଥିବା ବକ୍ତବ୍ୟ ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ବିଜେଡ଼ି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି।
ଦଳ ପକ୍ଷରୁ ପ୍ରତିିକ୍ରିୟା ରଖି ସେ କହିଛନ୍ତି ଯେ କଂଗ୍ରେସ କହୁଛି ବିଜେପି ଓ ବିଜେଡିର ସଂପର୍କ ରହିଛି। ବିଜେପି ଦାବି କରୁଛି ବିଜେଡି ଓ କଂଗ୍ରେସର ସଂପର୍କ ରହିଛି। ବାସ୍ତବରେ ବିଜେଡିର ସଂପର୍କ କେବଳ ଓଡ଼ିଶାର ଜନସାଧାରଣଙ୍କ ସହିତ ରହିଛି। ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ବିଜେପିକୁ ଭୟଭୀତ କରିଛି। ବିଜେଡ଼ି ଭାବିଥିଲା ଶ୍ରୀ ଶାହା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କାକୁ ବୃଦ୍ଧି , ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ୨୦୧୪ରେ ଦେଇଥିବା ପ୍ରତିଶ୍ରୁତି, ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ମେଧାବୃତ୍ତିର ଅର୍ଥ କାଟ ପ୍ରସଙ୍ଗରେ ମତ ରଖିବେ। କିନ୍ତୁ ସେମିତି କିଛି ଦେଖିବାକୁ ମିଳିଲାନି। ଓଡ଼ିଶା ଆଗଉଥିବାବେଳେ କେନ୍ଦ୍ର ସରକାର ବିଜେଡି ଶାସିତ ରାଜ୍ୟ ଉପରେ ପୁରସ୍କାର ପରେ ପୁରସ୍କାର ଅଜାଡ଼ି ଚାଲିଛନ୍ତି। ୨୦ଲକ୍ଷ ବିଜୁ ପକ୍କାଘର ନିର୍ମାଣ, ୪୧ ହଜାର କିମି ଗାଁ ରାସ୍ତା, ୯ଲକ୍ଷ ଯୁବକ ଯୁବତୀଙ୍କୁ ଦକ୍ଷତା ବିକାଶ, ରାଜ୍ୟରେ ୨୫ ପ୍ରତିଶତ ଦାରିଦ୍ର୍ୟ ଦୂରୀକରଣ ଏବଂ କୃଷିକର୍ମଣ ପୁରସ୍କାର ପାଇଁ କେନ୍ଦ୍ର ସରକାର ଓ ତାଙ୍କ ମନ୍ତ୍ରୀ ଓଡ଼ିଶାକୁ ବାରମ୍ବାର ପ୍ରଶଂସା କରିଆସିଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ପାଖରେ ୬୪୦୦କୋଟି ଟଙ୍କା ପଡ଼ିରହିଛି ବୋଲି ଗତକାଲି ମୁଖ୍ୟମନ୍ତ୍ରୀ ସମୀକ୍ଷା କଳରେ କହିଥିଲେ।

ପାନୀୟ ଜଳ, ସ୍ମାର୍ଟସିଟି ଦାରିଦ୍ର୍ୟ ଦୂରୀକରଣ ବାବଦ ଅର୍ଥ ଦେଇନାହାନ୍ତି। ମହାନଦୀ, ପୋଲାଭରମ୍‍, ୩୩ଟି ଯୋଜନାର ଅର୍ଥକାଟ୍‍ ଏବଂ ଆଇଏପି, ବିଆର୍‍ଜିଏଫ୍‍ ଓ କେବିକେ ଯୋଜନା ଭଳି ୮ଟି ଯୋଜନାକୁ ବନ୍ଦ କରିବା ଆଦି ପ୍ରସଂଗଗୁଡିକ ବିଜେପିର ଓଡ଼ିଶା ବିରୋଧୀ ନୀତିକୁ ପଦାରେ ପକାଇଛି। ଓଡ଼ିଶାର ଜନସାଧାରଣ ନବୀନ ପଟ୍ଟନାୟକଙ୍କୁ ୫ମଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ କରିବାକୁ ମନ ସ୍ଥିର କରିଥିବାବେଳେ ବାସ୍ତବତାକୁ ସ୍ୱୀକାର କରିବା ପାଇଁ ବିଜେପି ଏବଂ ଏହାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଶାହା ପ୍ରସ୍ତୁତ ରହିବା ଦରକାର ବୋଲି ସେ କହିଛନ୍ତି।

ସେଲଫି ବେବୋ ମୃତ୍ୟୁ ଘଟଣା ; ଦୁଇଦିନିଆଁ ରିମାଣ୍ଡରେ ଅଭିଯୁକ୍ତ ଯୁବରାଜ, ମାଆଁ ଓ କାକା ଫେରାର !

ଏଥର ସମ୍ଭାଳ ବ୍ୟୁରୋ (ବୁର୍ଲା) – ବହୁଚର୍ଚ୍ଚିତ ସେଲଫି ବେବୋ ସିମ୍ରନ ସିଂ ମୃତ୍ୟୁ ମାମଲାରେ କୋର୍ଟଙ୍କ ନିର୍ଦେଶ କ୍ରମେ ବୁର୍ଲା ପୁଲିସ ଅଭିଯୁକ୍ତ ଯୁବରାଜ ସୁନା ଓରଫ ୟୁଗ୍‌କୁ ଆଜି ୨ ଦିନିଆଁ ରିମାଣ୍ଡରେ ଆଣି ପଚରା ଉଚରା କରୁଛି। ମାମଲାରେ ଅନ୍ୟତମ ଅଭିଯୁକ୍ତ କୁହାଯାଉଥିବା ଯୁବରାଜର ମାଆ ଓ କାକା ରୁକୁ ସୁନା ଫେରାର ଥିବା ପୁଲିସ ସୂତ୍ରରୁ କୁହାଯାଇଛି।
ସୂଚନା ଥାଉକି, ଗତ ୩ ତାରିଖ ସକାଳେ ମହାନଦୀ ବ୍ରିଜ୍‌ ତଳୁ ସିମ୍ରନ ସିଂଙ୍କ ଶବ ଉଦ୍ଧାର କରାଯିବା ପରେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା। ଏହାପରେ ୧୦ତାରିଖରେ ସିମ୍ରନଙ୍କ ପିତା ବ୍ରିଜେଶ ସିଂ ବୁର୍ଲା ଥାନାରେ ଏକ ଯୌତୁକ ନିର୍ଯାତନା ଓ ହତ୍ୟା ମାମଲା ରୁଜୁ କରିବା ପରେ ପୁଲିସ କେସ ନମ୍ବର ୧୧/୨୦୧୯ରେ ଅଭିଯୁକ୍ତ ଯୁବରାଜ ସମେତ ତାହାର ମା’ ବୈଜନ୍ତୀ ସୁନା ଓ କାକା ରୁକୁ ସୁନାଙ୍କ ନାମରେ ଦଫା ୩୦୨ରେ ଏକ ହତ୍ୟାମାମଲା ରୁଜୁ କରି ଉପରୋକ୍ତ ଅପମୃତ୍ୟୁ ମାମଲାକୁ ଟ୍ୟାଗ୍‌ କରିଥିଲେ।ଅନ୍ୟପକ୍ଷରେ ଗତ ୫ତାରିଖରେ ବେଲପଡ଼ା ପୁଲିସ ଅଭିଯୁକ୍ତ ଯୁବରାଜକୁ ଗିରଫ କରି ସର୍ବପ୍ରଥମେ ଅପହରଣ ଓ ନାବାଳିକା ସହ ଶାରୀରିକ ସମ୍ପର୍କ ସ୍ଥାପନ ଅଭିଯୋଗ ହୋଇଥିବା ଝାରସୁଗୁଡ଼ା ଥାନାକୁ ହସ୍ତାନ୍ତର କରିଥିଲା। ୬ ତାରିଖରେ ଝାରସୁଗୁଡ଼ା ପୁଲିସ ଯୁବରାଜକୁ କୋର୍ଟ ଚାଲାଣ କରିବା ସହ ତଦନ୍ତ ଜାରି ରଖିଥିଲା। ଏହାବ୍ୟତିତ ବ୍ରିଜେଶ ସିଂଙ୍କ ଅଭିଯୋଗ ଆଧାରରେ ଗତ ୧୩ତାରିଖରେ ପୁଲିସ ବେଲପଡ଼ାରେ ଯୁବରାଜର ମା’ଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ସେ ନ ଥିବାରୁ ଲଟକା ଜାରି କରିଥିଲା। ଅନୁରୂପ ଭାବେ ବଲାଙ୍ଗିରରେ ରୁକୁ ସୁନା ନିଜ ଘରେ ଅନୁପସ୍ଥିତ ଥିବାରୁ ତାଙ୍କ ପତ୍ନୀ ନୋଟିସ ଗ୍ରହଣ କରିଥିଲେ। ତେବେ ଧାର୍ଯ୍ୟ ସମୟ ଅତିକ୍ରାନ୍ତ ହୋଇ ସାରିଥିବାରୁ ସେମାନଙ୍କୁ ଫେରାର ଘୋଷଣା କରାଯାଇଛି ବୋଲି ଥାନାଧିକାରୀ ମାନସ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି। ସିମ୍ରନ ମୃତ୍ୟୁ ମାମଲାରେ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ହତ୍ୟାମାମଲା ବୋଲି କୌଣସି ପ୍ରମାଣ ମିଳି ନ ଥିବା ବେଳେ ପରିବାରର ଅଭିଯୋଗ ପରେ ସମଗ୍ର ମାମଲା ରହସ୍ୟାବୃତ୍ତ ହୋଇ ରହିଛି। ଏହି ଘଟଣାକୁ ନେଇ ବିଭିନ୍ନ ଦିଗ ଉପରେ ତଦନ୍ତ କରାଯିବା ପରେ ଯାଇ କୌଣସି ନିସ୍କର୍ଷ ବାହାରି ପାରିବ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି।
ତେବେ ରିମାଣ୍ଡ ଅବଧି ଶେଷ ପରେ ସେଲଫି ବେବୋ ମୃତ୍ୟୁ ଘଟଣା ଉପରୁ ପରଦା ଉଠିବ ବା କେଉଁ ଲୁକ୍କାୟିତ ରହସ୍ୟ ଉନ୍ମୋଚିତ ହେବ ତାକୁ ନେଇ ଆଲୋଚନା ହେଉଛି। ଦୁଇଦିନିଆଁ ରିମାଣ୍ଡରେ ଜେରା କରାଯିବା ପରେ ଯୁବରାଜଙ୍କ ଠାରୁ କେଉଁ ଖିଅ ପୁଲିସ ପାଉଛି ନା ହାତ ଖାଲି ରହିବ ତାହା ଦେଖିବା ବାକି ରହିଲା ।

ଆଜିର ରାଶିଫଳ ୩୦.୦୧.୨୦୧୯ ବୁଧବାର ।

ମେଷ: ବ୍ୟୟ ବହୁଳର ସମ୍ମୁଖୀନ ହେବେ। ସାମାନ୍ୟ ମାତ୍ରାର ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ସୁଖ ସମୃଦ୍ଧିର ସମୟ ଉପସ୍ଥିତ। ବାଣିଜ୍ୟ କାର୍ଯ୍ୟରେ ଆଗେଇବେ। ସର୍ବଜନ ପ୍ରିୟ ହୋଇପାରନ୍ତି।

ବୃଷ: ଧନ ସଞ୍ଚୟ ପାଇଁ ଆଗ୍ରହ ପ୍ରକାଶ କରିବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଉପକୃତ ହେବେ। ସୌଭାଗ୍ୟ ସଂଯୋଗର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ପ୍ରୀତି ଲାଭ ସହିତ ଅର୍ଥ ପ୍ରାପ୍ତିର ସୁଯୋଗ ଅଛି।

ମିଥୁନ: ମନରେ ଗର୍ବଭାବ ଉଦ୍ରେକ ହେବ। ସାନ ଭାଇମାନଙ୍କ ଠାରୁ ଆଦର-ସମ୍ମାନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରିବେ। ଶତ୍ରୁନାଶ କରିବାରେ ସକ୍ଷମ ହେବେ। ଚକ୍ଷୁପୀଡ଼ା ଉପୁଜିବ।

କର୍କଟ: ନିଜର କୌଳିକ କାର୍ଯ୍ୟରୁ ଲାଭ ମିଳିବ। ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। କ୍ରୋଧିତ ହୋଇପାରନ୍ତି। ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ। ଯଦିଓ ହିଂସା ମାର୍ଗରେ ମନବଳାଇବେ; ତଥାପି ଶ୍ରେଷ୍ଠ ମାନ୍ୟତା ମିଳିବ।

ସିଂହ: ଆପଣଙ୍କ ପକ୍ଷେ ପରିସ୍ଥିତି ଅସହ୍ୟ ହୋଇପାରେ। ବାଦ-ବିବାଦର ସମ୍ମୁଖୀନ ହୋଇପାରନ୍ତି। କାର୍ଯ୍ୟରେ ଅଧିକ ଉତ୍ସାହିତ ହୋଇପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ।

କନ୍ୟା: ଚିନ୍ତା ଦୂରେଇ ଯିବ। ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସରକାରୀ ସ୍ତରରୁ ସମ୍ମାନିତ ହେବେ। ବିଦ୍ୟା ଅର୍ଜନରେ ସକ୍ଷମ ହୋଇପାରନ୍ତି। ମାନସିକ ଅଶାନ୍ତି ଦୂର ହେବ।

ତୁଳା: କୌଣସି ଦିଗରୁ ବିଚାର ନ କରି କାର୍ଯ୍ୟ କରି ଚାଲିବେ। ବିଚାର ଆଲୋଚନା ନ କରି କାର୍ଯ୍ୟ କଲେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ବାଧା-ବିଘ୍ନ ସତ୍ତ୍ବେ କାର୍ଯ୍ୟରେ ସଫଳତା ମିଳିବ। ବିଭିନ୍ନ ଦିଗରୁ ଧନାଗମର ସୁଯୋଗ ସୃଷ୍ଟି ହୋଇଛି।

ବିଛା: ଗୃହ ଜଞ୍ଜାଳରେ ବ୍ୟସ୍ତ ରହିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଲକ୍ଷ୍ମୀ ବରଦାୟିକା ଅଛନ୍ତି। ମୂଲ୍ୟବାନ ଦ୍ରବ୍ୟଲାଭର ସୂଚନା ମିଳୁଛି। ଚିନ୍ତାଧାରା ଉନ୍ନତମାନର ହୋଇପାରେ।

ଧନୁ: ଭ୍ରାତୃସ୍ନେହୀ ହୋଇପାରନ୍ତି। କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି। ସମସ୍ୟା ଦୂର ହୋଇପାରେ। ସର୍ବତ୍ର ଶୁଭ ଆଶା କରାଯାଏ। କାର୍ଯ୍ୟ କ୍ଷେତ୍ରରେ ଅଧିକ ବ୍ୟୟର ସମ୍ମୁଖୀନ ହେବେ। ମଧୁରଭାଷୀ ହେବେ। ସଫଳତାର ଶୀର୍ଷକୁ ଯିବେ।

ମକର: ଶୁଭକର୍ମ ସବୁ ବାଧାବିଘ୍ନକୁ ଏଡ଼ାଇ ଧୀରେ ସୁସ୍ଥେ ଆଗକୁ ବଢ଼ିବେ। ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। କୀର୍ତ୍ତିମାନ୍‌ ହେବେ। ଆଦର ଅଭ୍ୟର୍ଥନା ମିଳିବ। କରିତ୍‌କର୍ମା ହେବେ। ବ୍ୟବସାୟ ଲାଭଜନକ ହେବ। ସରକାରୀ ଅର୍ଥ ମିଳିବ।

କୁମ୍ଭ: ବିଚାର ବିମର୍ଶ ଓ ଆଲୋଚନାରୁ ଉପକୃତ ହୋଇପାରନ୍ତି। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ଆୟ ଆଶାନୁରୂପ ହେବ। ପାରିବାରିକ ସମୃଦ୍ଧି ଆଶା କରାଯାଏ। ବ୍ୟବସାୟ ଲାଭଜନକ ହେବ। କୀର୍ତ୍ତିମାନ୍‌ ହେବେ। ସର୍ବ ସୁଖ ଆଶା କରାଯାଏ।

ମୀନ: ପାରିବାରିକ ଅଶାନ୍ତି ଦୂରେଇ ଯିବ। ଜନ ସଂପର୍କ ବୃଦ୍ଧି ପାଇବ। ପରିଶ୍ରମ ଅଧିକ ହେବ; ମାତ୍ର ସ୍ବଳ୍ପ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଦିନସାରା କାର୍ଯ୍ୟ ବ୍ୟସ୍ତରେ ରହିବେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି।