ନବୀନଙ୍କ ‘କାଳିଆ’ପ୍ରୀତି,ରାହୁଲଙ୍କ କୃଷି ଋଣ ଛାଡ଼ ; ବିଜେପି ର କଣ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଚାଷୀ ଭୋଟ୍‌କୁ ହାତେଇବା ପାଇଁ ୩ ଦଳର ପ୍ରାଣମୂର୍ଛା ଉଦ୍ୟମ। ସରକାରୀ ଦଳ ପଞ୍ଚମ ଥର କ୍ଷମତାକୁ ଫେରିବା ପାଇଁ ଚାଷୀଙ୍କୁ ପ୍ରମୁଖ ଅସ୍ତ୍ର କରୁଥିବା ବେଳେ କଂଗ୍ରେସ ଚାଷୀ ଋଣ ଛାଡରୁ ଆରମ୍ଭ କରି ଅନେକ ଲୋଭନୀୟ ପ୍ରତିଶ୍ରୁତି ରଖିଲାଣି । ରାହୁଲ ଗାନ୍ଧି କୃଷିଋଣ ଛାଡ଼ ସହ ଧାନ ଏମ୍ଏସ୍‌ପି୨୬ ଶହ ଟଙ୍କା ଦେବାକୁ ଘୋଷଣା କରି ପ୍ରତିଦ୍ୱନ୍ଦ୍ୱୀଙ୍କ ଶିବରିରରେ ହଲଚଲ ଆଣିଛନ୍ତି। ଏପଟେ ନିର୍ବାଚନ ପାଇଁ ଇସ୍ତାହାର ପ୍ରସ୍ତୁତ କରୁଥିବା ବିଜେପି କିନ୍ତୁ କୃଷିଋଣ ଛାଡକୁ ନେଇ ଦୋ ଛକିରେ ପଡ଼ିଛି। ରାଜ୍ୟ ନେତୃତ୍ୱ କୃଷି ଋଣ ଛାଡ ପାଇଁ ଘୋଷଣା କରିସାରିଥିଲେ ବି ଖୋଦ୍ ପ୍ରଧାନମନ୍ତ୍ରୀ ଏହା ସପକ୍ଷରେ ନ ଥିବାରୁ ଦ୍ୱନ୍ଦ୍ୱରେ ରାଜ୍ୟ ବିଜେପି। ଅନ୍ୟପଟେ ଆଉ କିଛି ଲୋଭନୀୟ ପ୍ରତିଶ୍ରୁତି ପାଇଁ ଲୋକଙ୍କ ମତନେବା ଲାଗି ଜିଲ୍ଲାର ରୁ ଜିଲ୍ଲା ବୁଲୁଛନ୍ତି ନେତା।ଏହି କ୍ରମରେ ପିସିସି ସଭାପତି ଆଜି ବାଲେଶ୍ୱର ବସଷ୍ଟାଣ୍ଡରେ ସାଧାରଣ ଲୋକଙ୍କ ମତ ନେଇଛନ୍ତି । ଜନ ଇସ୍ତାହାର ପ୍ରସ୍ତୁତ ପାଇଁ ସାଧାରଣ ସଭା କରି ଲୋକଙ୍କ  ମତ ବି ନେଇଛି ଦଳ। ଏପଟେ  କୃଷିଋଣ ଛାଡ ପାଇଁ ପୂର୍ବରୁ ଘୋଷଣା କରିଥିବା ବିଜେପି କିନ୍ତୁ ଏବେ ଦୋଛକିରେ। କାରଣ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୃଷି ଋଣ ଛାଡ଼ ସପକ୍ଷରେ ନାହାନ୍ତି ।ଏପରି ସ୍ଥିତିରେ ରାଜ୍ୟ ବିଜେପି ନିଜ ଇସ୍ତାହାରରେ ଋଣ ଛାଡ଼ର ପ୍ରତିଶ୍ରୁତି ରଖିବ କି ନାହିଁ ତାକୁ ନେଇ ଦ୍ୱନ୍ଦ୍ୱରେ । ଆଜି ବସିଥିବା ଇସ୍ତାହାର କମିଟିର ଦ୍ୱିତୀୟ ବୈଠକରେ କୃଷି ଓ କୃଷକଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ୱେବ୍‌ସାଇଟ୍‌ ମାଧ୍ୟମରେ ଲୋକଙ୍କ ମତ ବି ନି‌ଆଯାଉଛି। କେନ୍ଦ୍ରୀୟ ନେତୃତ୍ୱ ନ ଚାହିଁଲେ କୃଷିଋଣ ଛାଡ଼ ନେଇ ରାଜ୍ୟ ବିଜେପି ନିଷ୍ପତ୍ତି ନେଇପାରିବ ନାହିଁ ବୋଲି କହିଛନ୍ତି ଇସ୍ତାହାର କମିଟି ମୁଖ୍ୟ ବିଶ୍ୱଭୂଷଣ ହରିଚନ୍ଦନ । ସେପଟେ ଲଗାତର ୪ ପାଳି ସରକାରରେ ରହିବା ପରେ ଏଥର ବି ଚାଷୀ ଭୋଟ୍ ହାତେଇବା ପାଇଁ ବିଜେଡି ନିର୍ବାଚନର ତିନିମାସ ପୂର୍ବରୁ କାଳିଆ ଯୋଜନା କରିଛି ବୋଲି କୁହାଯାଉଛି। ଯଦିଓ ଦଳ କୃଷି ଋଣ ଛାଡ ସପକ୍ଷରେ ନାହିଁ ତଥାପି କାଳିଆ ଯୋଜନାରେ ସବୁ ବର୍ଗର ଚାଷୀଙ୍କୁ ଟଙ୍କା ବାଣ୍ଟି ଦଳ ନିର୍ବାଚନୀ ବୈତରଣୀ ପାର ହେବ ବୋଲି ଯୋଜନା କରିଥିବା ଚର୍ଚ୍ଚା ହେଉଛି।

ଧର୍ମେନ୍ଦ୍ର ଦେଲେ ପ୍ରତିଶ୍ରୁତି କହିଲେ ; କେନ୍ଦ୍ରୀୟ ଅର୍ଥ ଯଦି ବକେୟା ଅଛି ମିଳିବାର ବନ୍ଦୋବସ୍ତ କରିବେ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଭିନ୍ନ ଯୋଜନାରେ କେନ୍ଦ୍ରୀୟ ଅର୍ଥ ଓଡ଼ିଶାକୁ ନମିଳିବା ନେଇ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଯେଉଁ ବକ୍ତବ୍ୟ ଦେଇଛନ୍ତି ତାହା ନିଜର ସ୍ଥାଣୁତା ଓ ଅପାରଗତା ଲୁଚାଇବା ପାଇଁ ଏକ ବାହାନା ଛଡ଼ା ଆଉ କିଛି ନୁହେଁ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି ଯେ, କଳାପାହାଡ଼ଙ୍କ କଥାରେ ପଡ଼ି ରାଜ୍ୟର ଋଣ ଭାର ବଢ଼ାଇଛନ୍ତି। ବିନା ବଜେଟ୍ ଓ ବିନା ବ୍ୟୟବରାଦରେ ହଜାର ହଜାର କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହା ଅପାରଗତାର ଚରମ ନିଦର୍ଶନ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ସେ ପୂର୍ବରୁ କରିଥିବା ଅନୁରୋଧକୁ ସେ ଦୋହରାଉଛନ୍ତି। ଯଦି କୌଣସି କେନ୍ଦ୍ରୀୟ ଯୋଜନାର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କଲା ପରେ ବି କେନ୍ଦ୍ରୀୟ ଅର୍ଥ ମିଳୁନାହିଁ ତାହେଲେ ରାଜ୍ୟର ମୁଖ୍ୟ ସଚିବଙ୍କୁ ତାଙ୍କ ସହ ଯୋଗାଯୋଗ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦିଅନ୍ତୁ। ଯଦି ଓଡ଼ିଶାର ଦାବି ଯୁକ୍ତିଯୁକ୍ତ ଏହି ଅର୍ଥକୁ ଓଡ଼ିଶାକୁ ମିଳିବାପାଇଁ ସେ ସବୁ ଉଦ୍ୟମ କରିବାର ପ୍ରତିଶ୍ରୁତି ଦେଉଛନ୍ତି। ସେ ୩ ଦିନ ଓଡ଼ିଶାରେ ଅଛନ୍ତି। ଯଦି କୌଣସି ବିଭାଗର ଅର୍ଥ ବକେୟା ଅଛି ତାହେଲେ ମୁଖ୍ୟ ସଚିବ କିମ୍ବା ଅନ୍ୟ ବିଭାଗର ସଚିବ ତାଙ୍କ ସହ କଥାହେଲେ ସେ ସମସ୍ୟାର ସମାଧାନ କରିବେ ବୋଲି କହିଛନ୍ତି।

ରାଜ୍ୟ ସରକାରଙ୍କ ଅଦୂରଦର୍ଶିତା କାରଣରୁ ଇଣ୍ଡିଆନ୍ ଅଏଲ ରିଫାଇନାରୀରୁ ରାଜ୍ୟ ସରକାରଙ୍କୁ କ୍ଷତି ସହିବାକୁ ପଡୁଥିଲା। ବ୍ୟକ୍ତିଗତ ଭାବରେ ଏହି ପ୍ରସଙ୍ଗରେ ଓଡ଼ିଶାର ହକକୁ ପୁଣି ପ୍ରଦାନ କରିବା ପାଇଁ ସେ କରିଥିବା ସହଯୋଗ ସମ୍ପର୍କରେ ଶ୍ରୀ ପ୍ରଧାନ ଉଲ୍ଲେଖ କରି କହିଛନ୍ତି ଯେ, ଓଡ଼ିଶାର ହକ୍ ଓ ସ୍ୱାର୍ଥ ସୁରକ୍ଷିତ ରଖିବା ପାଇଁ ମୋଦି ସରକାର ତିଳେମାତ୍ର ଅବହେଳା କରିନାହାନ୍ତି। ପୂର୍ବ ଭାରତର ଓଡ଼ିଶା ଏକ ପ୍ରମୁଖ ଅଙ୍ଗ। ଭାରତର ଏହି ପଛୁଆ ଭୂଭାଗର ଦ୍ରୁତ ବିକାଶ ମୋଦି ସରକାରଙ୍କ ପ୍ରାଥମିକତା। ପୂର୍ବୋଦୟରୁ ହିଁ ଭାରତ ଉଦୟ ହେବ ମୋଦି ସରକାରଙ୍କର ସ୍ଲୋଗାନ୍ ନୁହେଁ ବରଂ ପ୍ରତିବଦ୍ଧତା ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

କେନ୍ଦ୍ରୀୟ ଯୋଜନାର କେନ୍ଦ୍ରୀୟ ଅଂଶ ବିନା ବିନିଯୋଗ ପ୍ରମାଣପତ୍ରରେ ମିଳିପାରିବ କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରି କହିଛନ୍ତି ଯେ, କେନ୍ଦ୍ରରେ ସରକାର ପ୍ରଚଳିତ ବିଧି ବ୍ୟବସ୍ଥା ଅନୁସାରେ ରାଜ୍ୟ ସରକାରମାନଙ୍କୁ ଅର୍ଥ ହସ୍ତାନ୍ତରଣ କରିଥାନ୍ତି। ମୁଖ୍ୟମନ୍ତ୍ରୀ ଏକ ତୋଗଲକୀ ଭାବନାରେ ଓଡ଼ିଶାରେ ସରକାର ଓ ପ୍ରଶାସନ ଚଲାଉଛନ୍ତି। ବିନା ବଜେଟରେ ଯୋଜନାର ଘୋଷଣା ଓ କାଗଜପତ୍ରରେ କ୍ରିୟାନ୍ୱୟନ କରିବାରେ ଓଡ଼ିଶା ସରକାର ସିଦ୍ଧହସ୍ତ।

୨୦୧୪ ମସିହାରେ ମୋଦି ସରକାର ଆସିବା ପରେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ ଅନୁସାରେ କେନ୍ଦ୍ରୀୟ ଟିକସରେ ରାଜ୍ୟର ଅଂଶକୁ ୩୨ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି କରାଗଲା। ଏହାଦ୍ୱାରା ତ୍ରୟୋଦଶ ଅର୍ଥ କମିଶନ ତୁଳନାରେ ଚତୁର୍ଦ୍ଦଶ ଅର୍ଥ କମିଶନରେ ରାଜ୍ୟ ସରକାରଙ୍କର ୧୬୫ ପ୍ରତିଶତ ଅର୍ଥ ବୃଦ୍ଧି ଘଟିଛି। ଚତୁର୍ଦ୍ଦଶ ଅର୍ଥ କମିଶନ ସୁପାରିଶ ଆଧାରରେ ତ୍ରୟୋଦଶ ଅର୍ଥ କମିଶନର ସୁପାରିଶ ତୁଳନାରେ ଅଧିକ ୬୯,୩୧୬ କୋଟି ଟଙ୍କା ମିଳିବାର ବ୍ୟବସ୍ଥା କରାଯିବା ରାଜ୍ୟ ସରକାରଙ୍କୁ ଜଣା।

ୟୁସି ନଦେଇ ଟଙ୍କା କାହିଁକି ମିଳିଲାନାହିଁ ମୁଖ୍ୟମନ୍ତ୍ରୀ ତର୍କ ବାଢ଼ିଛନ୍ତି। ମାତ୍ର ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ୍)ରେ କାହିଁକି ଟଙ୍କା ଖର୍ଚ୍ଚ ନହୋଇ ପଡ଼ିରହିଛି, ଏହି ତଥ୍ୟକୁ ମୁଖ୍ୟମନ୍ତ୍ରୀ କାହିଁକି ଲୁଚାଇ ରଖିବାକୁ ଚାହୁଁଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ଭାରତ ସରକାରଙ୍କ ଦକ୍ଷତା ବିକାଶ ପାଇଁ ପ୍ରଦତ୍ତ ପାଣ୍ଠି କେତେ ଖର୍ଚ୍ଚ ନହୋଇ ପଡ଼ିରହିଛି ? ସବୁ ଗରିବ ଘରେ ପାଇଖାନା ଲଗାଇବା ପାଇଁ କେନ୍ଦ୍ରୀୟ ଅର୍ଥ ଉପଲବ୍ଧ ଥିବା ସତ୍ୱେ ରାଜ୍ୟର ୨୫ ପ୍ରତିଶତ ଗରିବ ପରିବାରକୁ ପାଇଖାନା ପରିବର୍ତ୍ତେ ଖୋଲା ଆକାଶ ତଳେ ଶୌଚ ହେବାକୁ ଯିବାକୁ ପଡୁଛି କାହିଁକି ? ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗୃହ ଜିଲ୍ଲା ଗଂଜାମରେ ତ୍ରୟୋଦଶ ଅର୍ଥ କମିଶନ ଅନୁଦାନରେ ବିଦ୍ୟୁତ୍ ଭିତିଭୂମି ବିକାଶ କାମ ଅଗ୍ରଗତି ନହେବା ପଛରେ କାରଣ କଣ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ନଦେବା କାରଣରୁ ଅଙ୍ଗନବାଡ଼ି କେନ୍ଦ୍ର ଗୃହ ନିର୍ମାଣ ପାଇଁ ବ୍ୟୟ ବରାଦ ହୋଇଥିବା ୯୩.୭୬ କୋଟି ଟଙ୍କା ରାଜ୍ୟ ସରକାରଙ୍କୁ ୨୦୧୪ ମସିହା ଶେଷ ସୁଦ୍ଧା ହାତଛଡ଼ା କରିବାକୁ ପଡିଲା। ଆଇସିଡିଏସ୍ କାର୍ଯ୍ୟକ୍ରମରେ ୨୦୧୧-୧୬ ମଧ୍ୟରେ ବ୍ୟୟ ବରାଦ୍ ଅନୁସାରେ ୧,୨୩୯.୨୩ କୋଟି ଟଙ୍କା ଖର୍ଚ୍ଚ କମ୍ ହେଲା। ରାଜ୍ୟରେ ଯୋଗ୍ୟ ବିବେଚିତ ୩୮.୩୯ ଲକ୍ଷ ଶିଶୁଙ୍କୁ ପୁଷ୍ଟିକର ଆହାର ଯୋଗାଇ ଦେବାକୁ ଥିବା ବେଳେ ସେଥିମଧ୍ୟରୁ ୩.୫୮ ଲକ୍ଷ ଅର୍ଥାତ୍ ମୋଟ୍ ସଂଖ୍ୟାର ୯ ପ୍ରତିଶତ ପିଲାମାନଙ୍କୁ ଯୋଗାଇ ଦିଆଗଲାନାହିଁ। ଏପରି ସଙ୍ଗୀନ ଘଟଣା ମୁଖ୍ୟମନ୍ତ୍ରୀ କାହିଁକି ଭୁଲି ଯାଉଛନ୍ତି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ବ୍ରିଟିଶ ବିରୋଧରେ ଲଢ଼ିଥିବା ଭଗବାନଙ୍କ ଦାୟାଦ ଏବେ ପାଲଟିଛନ୍ତି ଦିନ ମଜୁରିଆ ।

ଏଥର ସମ୍ଭାଳ ବ୍ୟୁରୋ (କୋରାପୁଟ) – ବ୍ରିଟିଶ ବିରୋଧରେ ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ କୋରାପୁଟ ଖେମୁଣ୍ଡୁଗୁଡା ଗାଁର ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ। ହେଲେ ଏହି ବୀରପୁତ୍ରଙ୍କୁ ପ୍ରକୃତ ସମ୍ମାନ ମିଳୁନଥିବା ଅଭିଯୋଗ ହେଉଛି। ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ ଏହି ପରିବାରର ଦାୟାଦମାନେ ଦିନ ମଜୁରି କରି ଚଳୁଛନ୍ତି। ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ କି କୌଣସି ସରକାରୀ ସହାୟତା ମିଳୁ ନାହିଁ। କୋରାପୁଟ ଖେମୁଣ୍ଡୁଗୁଡା ଗାଁର ଏକମାତ୍ର ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକ ପରିବାର ଲୋକ ଏକ ଝାଟି ମାଟିର ଚାଳ ଛପର ଘରେ ରହୁଛନ୍ତି। ଭାରତ ଛାଡ଼ ଆନ୍ଦୋଳନରେ ସକ୍ରିୟ ଥିଲେ ଭଗବାନ। ଏହି ପରିବାରର ଦାୟଦମାନେ ଉଚ୍ଚ ଶିକ୍ଷିତ ହୋଇଥିଲେ ମଧ୍ୟ କୌଣସି ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି। ସେଥିପାଇଁ ଦିନ ମଜୁରି କରି ଚଳୁଛନ୍ତି। ଖାଲି ସେତିକି ନୁହେଁ, ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ପରେ ବି ଏହି ବୀରପୁତ୍ରଙ୍କୁ ଉଚିତ ସମ୍ମାନ ମିଳିପାରି ନାହିଁ। ତେଣୁ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ଭଗବାନ ଖେମୁଣ୍ଡୁ ନାୟକଙ୍କୁ ପ୍ରକୃତ ସମ୍ମାନ ଦେବା ସହିତ ତାଙ୍କ ପରିବାର ଲୋକଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି। ସଂଗ୍ରାମୀ ଭଗବାନଙ୍କୁ ସ୍ୱତନ୍ତ୍ର ପରିଚୟ ଦେବା ସହିତ ପଞ୍ଚାୟତ କାର୍ଯ୍ୟାଳୟରେ ତାଙ୍କର ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଗାଁ ଲୋକେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ହେଲେ ଏନେଇ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଏପରିକି ଗାଁରେ ରାସ୍ତା, ପାନୀୟ ଜଳ, ସ୍ୱାସ୍ଥ୍ୟ ଭଳି କୌଣସି ମୌଳିକ ସୁବିଧା ନଥିବା ମଧ୍ୟ ଅଭିଯୋଗ ହୋଇଛି।

କଂଗ୍ରେସ : ଦେଢ଼ ଏକର ସରକାରୀ ଜମିକୁ ବେଆଇନ କବଜା କରିଛି ନବୀନ ନିବାସ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଭୁବନେଶ୍ୱରର ପଳାଶପଲ୍ଲୀ ଫ୍ଲାଏଓଭର ସରକାରୀ ରାସ୍ତାର ପ୍ରଶସ୍ତିକରଣ ପାଇଁ ଏୟାରପୋର୍ଟ ଅଥରିଟିଙ୍କଠୁ ରାଜ୍ୟ ସରକାର ଆଣିଥିବା ୧.୬ ଏକର ସରକାରୀ ଜମି ଏବେ ନବୀନ ନିବାସର ଜବରଦଖଲରେ ରହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ବ୍ୟବହାର ପାଇଁ ଏହି ସରକାରୀ ଜମିକୁ ଚଞ୍ଚକତା କରି ଏବେ ଜବରଦଖଲରେ ରଖିଛନ୍ତି ଓ ନିଜେ ରାଜ୍ୟ ସରକାର ଜମି ଦଲାଲ ସାଜି ନବୀନ ନିବାସକୁ ଏହି ଜମି ଟେକି ଦେଇଛନ୍ତି ବୋଲି ରାଜ୍ୟ କଂଗ୍ରେସ ଅଭିଯୋଗ କରିଛି।

ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଷ୍ଟାଫ୍ କଲୋନୀ ଛକ ଠାରୁ ପଳାସପଲ୍ଲୀ ଫ୍ଲାଏଓଭର ପର୍ଯ୍ୟନ୍ତ ଯାଇଥିବା ରାସ୍ତାକୁ ନିଜ ବ୍ୟକ୍ତିଗତ ବ୍ୟବହାର ପାଇଁ ଉପଯୋଗ କରିବା ନିମନ୍ତେ ସ୍ୱଚ୍ଛ ଶାସନର ବାର୍ତ୍ତା ଦେଉଥିବା ନବୀନ ବାବୁ ଜମି ଦୁର୍ନୀତି କରିବାକୁ ପଛାଇ ନାହାନ୍ତି। ନବୀନ ବାବୁଙ୍କ ବ୍ୟକ୍ତିଗତ ବ୍ୟବହାର ପାଇଁ ନବୀନ ନିବାସ ସମ୍ମୁଖ ସରକାରୀ ଜାଗାକୁ ନେବା ପାଇଁ ସରକାରୀ ସ୍ତରରେ ଷଡ଼ଯନ୍ତ୍ର ହୋଇଛି।

୨୦୧୬ ଫେବୃଆରୀ ୩ ତାରିଖରେ ସରକାରୀ ରାସ୍ତା ପ୍ରଶସ୍ତିକରଣ ପାଇଁ ନବୀନ ନିବାସ ସାମ୍ନାରେ ଥିବା ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆଙ୍କ ସମାନ ପରିମାଣ ଜମିକୁ ଅଦଳବଦଳ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ସାଧାରଣ ପ୍ରଶାସନ ବିଭାଗ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ୨୦୧୬ ଅକ୍ଟୋବର ୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଗୃହୀତ କରିବା ପାଇଁ ମନ୍ତ୍ରଣାଳୟ ପ୍ରସ୍ତାବ ଦେଇଥିଲା। ଯାହାକୁ ୨୦୧୬ ଅକ୍ଟୋବର ୨୭ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଥିଲେ।

ଏହାପରେ ୨୦୧୭ ଏପ୍ରିଲ ୧୦ତାରିଖରେ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ଓ ସାଧାରଣ ପ୍ରଶାସନ ବିଭାଗ ମଧ୍ୟରେ ଜମି ଅଦଳବଦଳ ପାଇଁ ରାଜିନାମା ସ୍ୱାକ୍ଷରିତ କରାଗଲା। ତଦନୁଯାୟୀ ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ରାଜ୍ୟ ସରକାରଙ୍କୁ ୧ ଏକର ୬୦୦ ଡେସିମିଲ୍ ଜମି ଦେଲେ ଓ ପ୍ରତିବଦଳରେ ସାଧାରଣ ପ୍ରଶାସନ ବିଭାଗ ଏୟାରପୋର୍ଟକୁ ଲାଗିଥିବା ଦୁଇଟି ପ୍ଲଟ ଭୀମପୁର ମୌଜାର – ୪୯୫/୧୬୬୪ (ପାର୍ଟ) ଏକର ୦.୩୦୭ ଡିସ୍ମିଲ୍ ଓ ପ୍ଲଟ ନଂ – ୪୯୩ (ପାର୍ଟ) ୧ ଏକର ୨୯୩ ଡେସିମିଲ୍ ଏୟାରପୋର୍ଟ ଅଥରିଟିଙ୍କୁ ହସ୍ତାନ୍ତର କଲେ।

ଏୟାରପୋର୍ଟ ଜମି ହାତକୁ ଆସିବା ପରେ ନବୀନ ବାବୁଙ୍କ ପାଇଁ ସରକାରୀ ସ୍ତରରେ ଦଲାଲି ହୋଇଥିଲା। ରାସ୍ତା ଚଉଡ଼ା କରିବା ନାଁରେ ନବୀନ ନିବାସ ସାମ୍ନା ରାସ୍ତାକୁ ଘେରାବନ୍ଦୀ ଓ କବଜା କରାଗଲା ଏବଂ ସୁରକ୍ଷା ଆଳରେ ସମଗ୍ର ରାସ୍ତାକୁ ବନ୍ଦ କରି ରଖାଗଲା। ନବୀନ ନିବାସର ସୌନ୍ଦର୍ଯ୍ୟକରଣ, ଗାଡ଼ି ରଖିବା ଏବଂ ସୁରକ୍ଷାକର୍ମୀଙ୍କ ଜାଗା ପାଇଁ ସରକାର ଚଞ୍ଚକତା କରି ନବୀନ ନିବାସ ଭଳି ଏକ ବେସରକାରୀ ଘରୋଇ ଜାଗା ପାଇଁ ନିଜ ଖାତାରୁ ସେହି ୧ ଏକର ୬୦୦ ଡିସମିଲ୍ ଜାଗା ପ୍ରଦାନ କଲେ। ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏକ ସୁଚିନ୍ତିତ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କଂଗ୍ରେସ ଅଭିଯୋଗ କରିଛି। ଅତ୍ୟନ୍ତ ଚତୁରତାର ସହିତ ଏହି ଜମି ଦୁର୍ନୀତିକୁ ରାଜ୍ୟ ସରକାର ଜଣେ ବ୍ୟକ୍ତିବିଶେଷଙ୍କ ପାଇଁ ଲୁଚାଇବାର ବ୍ୟର୍ଥ ପ୍ରୟାସ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯିଏ ସାଧାରଣ ପ୍ରଶାସନ ବିଭାଗର ମୁଖ୍ୟ ଏହାର ଜବାବ ରଖନ୍ତୁ ଓ ଘେରାବନ୍ଦୀରେ ଥିବା ଜମିକୁ ସର୍ବସାଧାରଣଙ୍କ ନିମନ୍ତେ ତୁରନ୍ତ ଖାଲି କରନ୍ତୁ ବୋଲି କଂଗ୍ରେସ ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରଶାନ୍ତ ଶତପଥି, ନିଶିକାନ୍ତ ମିଶ୍ର ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ।

କଂଗ୍ରେସର ପ୍ରଶ୍ନ

୧: ରାସ୍ତା ପ୍ରଶସ୍ତିକରଣ ନାଁରେ ଏୟାରପୋର୍ଟ ପ୍ରାଧିକରଣଙ୍କ ସହ ରାଜ୍ୟ ସରକାର ଜମି ଅଦଳବଦଳ କଲେ କିନ୍ତୁ ଉକ୍ତ ଜମିକୁ ନବୀନ ନିବାସର ଏକଚାଟିଆ ବ୍ୟବହାର ପାଇଁ କାହିଁକି ଜମିକୁ ଘେରାବନ୍ଦୀରେ ରଖାଗଲା?
୨: ରାସ୍ତା ପ୍ରଶସ୍ତିକରଣର ଅର୍ଥ କ’ଣ ନବୀନ ନିବାସ ଗେଟ୍ ଠାରୁ ଆରମ୍ଭ ଓ ପାଚେରୀ ପାଖରେ ଶେଷ?
୩: ରାଜ୍ୟ ସରକାର ଯେଉଁ ୧ ଏକର ୬୦୦ ଡେସିମିଲ୍ ଜମି ଏୟାରପୋର୍ଟ ଅଥରିଟିଙ୍କୁ ଦେଲେ ତାକୁ ରାଜ୍ୟ କ୍ୟାବିନେଟକୁ ଜଣା ଯାଇଥିଲା ନା ନାହିଁ?
୪: ଏୟାରପୋର୍ଟ ଅଥରିଟିର ଜମି ଦେବା ନିଷ୍ପତ୍ତିକୁ କେନ୍ଦ୍ର କ୍ୟାବିନେଟ ପାରିତ କଲେ କିନ୍ତୁ ନବୀନ ବାବୁ କାହିଁକି ରାଜ୍ୟ କ୍ୟାବିନେଟରେ ଏହା ପକାଇଲେ ନାହିଁ?
୫: କାହା ଭୟରେ ଓ କାହାକୁ ଲୁଚାଇବାକୁ ଯାଇ ନବୀନ ବାବୁ କ୍ୟାବିନେଟରେ ଏ ପ୍ରସ୍ତାବକୁ ଉଠାଇଲେ ନାହିଁ?

ମୋଦିଙ୍କ ; ‘ପରୀକ୍ଷା ପେ ଚର୍ଚ୍ଚା’।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସିଧାସଳଖ ପ୍ରସାରଣ ଦେଖିବା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିଛନ୍ତି। ସମସ୍ତ ସ୍କୁଲରେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମର ପ୍ରସାରଣ ଯେଭଳି ହୁଏ ସେଥିପାଇଁ ଆବଶ୍ୟକ ବ୍ୟବସ୍ଥା କରିବାକୁ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଭୂପିନ୍ଦର ସିଂହ ପୁନିଆ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଆଜି ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଗତବର୍ଷ ଫେବୃୟାରୀ ୧୬ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ରାଜ୍ୟର ସ୍କୁଲଗୁଡ଼ିକରେ ପିଲାମାନଙ୍କ ଦେଖିବା ପାଇଁ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ମନା କରିଦେଇଥିଲେ। ଯାହାକୁ ନେଇ ଗତବର୍ଷ ବିଜେପି ଓ ବିଜେଡି ମଧ୍ୟରେ ରାଜନୀତିକ ଉଷ୍ମତା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ, ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଦେଖିବା ପାଇଁ ବ୍ୟବସ୍ଥା ନକରିବା ନିମନ୍ତେ ଓଡ଼ିଶା ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଚଳିତବର୍ଷ ଓଡ଼ିଶା ସରକାର ଏଥିପାଇଁ ଆଗ୍ରହ ଦେଖାଇଛନ୍ତି। ୨୧ ତାରିଖରେ କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ରାଜ୍ୟ ସରକାରଙ୍କୁ ଅବଗତ କରାଯିବାପରେ ଆଜି ରାଜ୍ୟ ଓପେପା ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ପୁନିଆ ଏହି କାର୍ଯ୍ୟକ୍ରମର ବ୍ୟବସ୍ଥା ସମସ୍ତ ସ୍କୁଲରେ କରିବା ନିମନ୍ତେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ କେତେ ପିଲା ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ଦେଖିଲେ, ତା’ର ଫଟୋଚିତ୍ର ଉତ୍ତୋଳନ କରି ବିଭାଗର ୱେ ସାଇଟରେ ଅପଲୋଡ୍ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀସ୍ଥିତ ତାଲକଟୋରା ଷ୍ଟାଡ଼ିୟମରେ ପ୍ରାୟ ୨ହଜାର ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଭାବ ବିନିମୟ କରିବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶାରୁ ୧୭ଜଣ ଛାତ୍ରଛାତ୍ରୀ ଦିଲ୍ଲୀ ଗସ୍ତ କରିଛନ୍ତି। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ବିରୋଧ କରିଥିବା ରାଜ୍ୟର କ୍ଷମତାସୀନ ବିଜେଡି ସରକାର ନିର୍ବାଚନୀ ବର୍ଷରେ ଏଥିପାଇଁ ଅନୁମତି ଦେବାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଦୂରତ୍ୱ ହ୍ରାସ ପାଉଥିବାର ଚର୍ଚ୍ଚା ଜୋର ଧରିଛି।

ଆଜିର ରାଶିଫଳ ୨୯.୦୧.୨୦୧୯ ମଙ୍ଗଳବାର ।

ମେଷ: ଘରେ ହସଖୁସିର ପରିବେଶ ରହିବ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଆଧ୍ୟାତ୍ମିକ ସ୍ଥାନକୁ ଯାଇପାରନ୍ତି।

ବୃଷ: ବ୍ୟବସାୟରେ ଆଶାମୁତବାକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। ନୂତନ ବସ୍ତ୍ର କିଣିପାରନ୍ତି।

ମିଥୁନ: ବୌଦ୍ଧିକ ଚର୍ଚ୍ଚାରେ ସାମିଲ ହୋଇପାରନ୍ତି। ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ବିଜୟୀ ହେବେ। ସହକର୍ମୀଙ୍କ ସହଯୋଗ ମିଳିବ।

କର୍କଟ: ଅସୁସ୍ଥ ଅନୁଭବ କରିବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: ବିଦେଶରୁ ଖୁସି ଖବର ଶୁଣି ପାରନ୍ତି। ଧନପ୍ରାପ୍ତି ଯୋଗ ରହିଛି।  ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଉପରେ ଚର୍ଚ୍ଚା କରିପାରନ୍ତି। ଭାଗ୍ୟ ବୃଦ୍ଧି ହେବ।

ତୁଳା: ଖର୍ଚ୍ଚ ବଢ଼ିବ। ମଧ୍ୟାହ୍ଣ ପରେ କୌଣସି କଥାକୁ ନେଇ ଦ୍ୱନ୍ଦ୍ୱ ଭିତରେ ରହିବେ। ପରିବାର ସଦସ୍ୟଙ୍କ ସହ ମତାନ୍ତର ହୋଇପାରେ।

ବିଚ୍ଛା: ନୂତନ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆତ୍ମବିଶ୍ୱାସ ବଢ଼ିବ। ନୂତନ ପୋଷାକ କିଣିପାରନ୍ତି।

ଧନୁ: ପଦୋନ୍ନତିର ଯୋଗ ରହିଛି। ମନୋରଞ୍ଜନ ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଦୁର୍ଘଟଣା ଯୋଗ ରହିଛି। ତେଣୁ ସତର୍କ ରୁହନ୍ତୁ।

କୁମ୍ଭ: ସାହିତ୍ୟ ଓ କଳାକ୍ଷେତ୍ରରେ ରୁଚି ବଢ଼ିବ। ଈଶ୍ୱରଙ୍କୁ ଆରାଧନା କରନ୍ତୁ। ମନ ଖୁସି ରହିବ।

ମୀନ:  ଶତ୍ରୁଙ୍କଠାରୁ ଦୂରେଇ ରୁହନ୍ତୁ। ମାନ-ସମ୍ମାନ ମିଳିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ।