ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲାଲ ଚୁଡ଼ି ପଠାଇଲା ବିଜେପି

ଏଥର ସମ୍ଭାଳ ବ୍ୟୁରୋ (ବାଲେଶ୍ଵର) – ନାରୀ ସୁରକ୍ଷାର ଡିଣ୍ଡିମ ପିଟୁଥିବା ନବୀନ ସରକାର କଥା କେବଳ ପାଣିର ଗାର ସଦୃଶ । ଆଜିବି ସାଧାରଣ ଘରର ମହିଳା ଅସୁରକ୍ଷିତ ମନେ କରୁଛି । ଓଡିଶାରେ ୮ ବର୍ଷର କନ୍ୟା ଠାରୁ ୬୦ ବର୍ଷର ବୟଷ୍କ ମହିଳା ପର୍ଯ୍ୟନ୍ତ ସୁରକ୍ଷିତ ନାହାନ୍ତିି । ମାଧବୀଲତା ଠାରୁ ଆରମ୍ଭ କରି ବେବିନା ପର୍ଯ୍ୟନ୍ତ କାହାରିକୁ ସରକାର ନ୍ୟାୟ ପ୍ରଦାନ କରିପାରୁନାହିଁ । ଆଜିବି ବେବିନାର ଆତ୍ମା ନ୍ୟାୟ ପାଇଁ କାନ୍ଦୁଛି । ଏହି ପରିପେକ୍ଷିରେ ସଦର ବିଧାନସଭା କ୍ଷେତ୍ରର ମହିଳା ମୋର୍ଚ୍ଚା ପକ୍ଷରୁ ସ୍ଥାନୀୟ ଶୋଭାରାମପୁର ଠାରେ ‘ଜବାବ ମାଗୁଛି ମହିଳା ମୋର୍ଚ୍ଚା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନଗରର ବିଭିନ୍ନ ବସ୍ତି, ପଞ୍ଚାୟତରୁ ମହିଳା ମୋର୍ଚ୍ଚା ପକ୍ଷରୁ ସଂଗ୍ରହ ହୋଇଥିବା ଚୁଡ଼ି  ଗୁଡିକୁ ଏକ ବାକ୍ସରେ ରଖାଯାଇଥିଲା । ଏହି ସଭାରେ ନଗର ମହିଳା ମୋର୍ଚ୍ଚାର ସଭାପତି ପିଙ୍କି ପ୍ରଧାନ ସଭାପତିତ୍ୱ କରୁଥିବାବେଳେ ଜିଲ୍ଲା ସଭାପତି ମଦନ ମୋହନ ଦତ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ସମ୍ପାଦିକା ଶୋଭନା ମହାନ୍ତି, ନଗର ସଭାପତି ସୀତାକାନ୍ତ ସ୍ୱାଇଁ, ବରିଷ୍ଠ ନେତା ଶୁଭଙ୍କର ମହାପାତ୍ର, ଚିତ୍ତରଞନ ପଣ୍ଡା, ସଂଯୁକ୍ତା ମହାପାତ୍ର, ସସ୍ମିତା ଚାନ୍ଦ, ସସ୍ମିତା ଦାଶ, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ମନିଷା ବେହେରା, ସତ୍ୟଜିତ୍ ମିଶ୍ର, ଗୌରାଙ୍ଗ ଦାସ, ଯୋଗେନ ରଣା, ରାଧାକାନ୍ତ ଦାସ, ଦିପ୍ତୀମୟୀ, ଆଶାଲତା ବାଡି, ହୃଷିକେଶ ମହାପାତ୍ର, ସୁବାସିନି ସାହୁ, ଜ୍ୟୋତି ପ୍ରକାଶ ପାଣିଗ୍ରାହି, ସଂଯୁକ୍ତା ପାତ୍ର, ତରୁଲତା ମହାନ୍ତା, ଜୁବୁଲି ମହାନ୍ତି, ମାନସ ପ୍ରଧାନ, ରାମ ମାରାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ରେମୁଣା ବ୍ଲକ ଅନ୍ତର୍ଗତ କୁରୁଡା ଗ୍ରାମପଞ୍ଚାୟତର ରେମୁଣା ମହିଳା ମୋର୍ଚ୍ଚା ସଭାପତି କମଳା ବିନ୍ଧାଣୀ, ସରପଞ୍ଚ ବାସନ୍ତି ଗିରି, କରଞ୍ଜିଆ ସରପଞ୍ଚ ସୁଚିସ୍ମୀତା ସେଠୀ, ଗଣେଶରପୁର ସରପଞ୍ଚ ସୀତାଞ୍ଜଳୀ ଗିରି, ସମିତିସଭ୍ୟା ଜ୍ୟୋସ୍ନାରାଣୀ ଜେନା, ସମିତିସଭ୍ୟ ଆଲଫା ସ, ଦମୟନାତୀ ବାଗ୍ ଓ ମହିଳା ମୋର୍ଚ୍ଚାର ଶତାଧିକ କର୍ମକର୍ତ୍ତାମାନେ ଅନୁରୁପ ଚୁଡି ସଂଗ୍ରହ ଅଭିଯାନରେ ସାମିଲ ହୋଇଥିଲେ । ଶେଷରେ ସଂଗୃହିତ ଲାଲ ଚୁଡିକୁ ବାଲେଶ୍ୱର ମୁଖ୍ୟ ଡାକ ଘରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯାଇଥିଲା ।

ଦୃଷ୍ଟିହୀନ ଓ ଦିବ୍ୟାଙ୍ଗଙ୍କୁ ଓଡିଶା ଲୋକସେବା ଆୟୋଗ (ଏ.ଏସ୍.ଓ) ପରୀକ୍ଷାରେ ଅନୁବାଦକ ଦେବାକୁ ଦାବି କଲା କଂଗ୍ରେସ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆସନ୍ତା ୨୦.୧.୨୦୧୯ ତାରିଖରେ  ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ଏ.ଏସ୍.ଓ. ପରୀକ୍ଷାକୁ ନେଇ ଯେଉଁ ଅବ୍ୟବସ୍ଥା ସୃଷ୍ଟି ହୋଇଛି ତାକୁ ବିରୋଧ କରିଛି କଂଗ୍ରେସ । ରାଜ୍ୟ ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ଏବଂ ପରୀକ୍ଷା ପରିଚାଳନାକୁ ନେଇ ଯେଉଁ ବିଭ୍ରାଟ ସୃଷ୍ଟି ହୋଇଛି ତାହାର ଶିକାର ହୋଇଛନ୍ତି ହଜାର ହଜାର ଚାକିରୀ ଆଶାୟୀ ପରୀକ୍ଷାର୍ଥୀ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ସେଲ ଅଧ୍ୟକ୍ଷ ଶ୍ରୀ ସତ୍ୟ ପ୍ରକାଶ ନାୟକ ଏ.ଏସ୍.ଓ. ପରୀକ୍ଷାକୁ ନେଇ ଏଭଳି ପରିଚାଳନାଗତ ଅବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି । ଓଡିଶା ଲୋକସେବା ଆୟୋଗ ତାଙ୍କର ନୋଟିଫିକେସନରେ ୯ ନମ୍ବର ପାରାର ୧୪ ନମ୍ବର ପଏଂଟରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି ଯେ, ପ୍ରତ୍ୟେକ ପରୀକ୍ଷାର୍ଥୀ ତାଙ୍କ ନିଜ ହାତଲେଖାରେ ପରୀକ୍ଷାରେ ଉତର ଲେଖିବେ ଏବଂ କୌଣସି ପରିସ୍ଥିତିରେ ମଧ୍ୟ ଲିପିକ ବା ଅନୁବାଦକଙ୍କ ସାହାଯ୍ୟ ନେଇପାରିବେ ନାହିଁ । ଏଭଳି ଏକ ସର୍ତ ପୂର୍ବରୁ ତତ୍କାଳୀନ ମୁଖ୍ୟ ଶାସନ ସଚିବଙ୍କ ଦ୍ୱାରା ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ପାଇଁ ଜାରି କରାଯାଇଥିବା ଗାଇଡ୍ଲାଇନ୍ସ ବା ନୀତିନିୟମର ସିଧାସଳଖ ଉଲ୍ଲଙ୍ଘନ । ତା ୧୭.୯.୨୦୧୩ ରିଖରେ ପୂର୍ବତନ ମୁଖ୍ୟ ଶାସନ ସଚିବ ଶ୍ରୀ ଯୁଗଳ କିଶୋର ମହାପାତ୍ର ଜାରି କରିଥିବା ସର୍ତାବଳୀରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ ୪୦ ପ୍ରତିଶତ କିମ୍ବା ତା’ଠାରୁ ଅଧିକ ଶାରୀରିକ ଅକ୍ଷମତା ଥିବା ବ୍ୟକ୍ତିବିଶେଷ ଯଦି ଚାହାନ୍ତି ତେବେ ତାଙ୍କୁ ଜଣେ ଲେଖକ/ଲିପିକ/ ଲ୍ୟାବ୍ ସହାୟକଙ୍କ ସହାୟତା ନିମନ୍ତେ ବିଶେଷ ଅନୁମତି ପ୍ରଦାନ କରାଯିବ । ଜରୁରୀସ୍ଥଳେ ପରୀକ୍ଷା ପରିଚାଳନା କର୍ତୃପକ୍ଷ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନମାନଙ୍କ ନିମନ୍ତେ ଏକାଧିକ ଲିପିକ/ଲେଖକଙ୍କୁ ଅନୁମତି ପ୍ରଦାନ କରିପାରିବେ । କିନ୍ତୁ ବର୍ତମାନର ଓଡିଶା ଲୋକସେବା ଆୟୋଗଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିଫିକେସନ ଏହାର ସଂପୂର୍ଣ୍ଣ ବିରୋଧାଚରଣ କରୁଛି । ଏହାର ପ୍ରତିବାଦରେ ଏକାଧିକ ପରୀକ୍ଷାର୍ଥୀ ମାନ୍ୟବର ଓଡିଶା ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣଙ୍କ ଦ୍ୱାରସ୍ଥ ହୋଇଥିଲେ, ଯେଉଁଥିରେ ମାନ୍ୟବର ଅଧ୍ୟକ୍ଷ ଓଡିଶା ଲୋକସେବା ଆୟୋଗଙ୍କୁ ନିଦେ୍ର୍ଧଶ ଦେଇ ଲେଖକ / ଲିପିକଙ୍କୁ ଅନୁମତି ପ୍ରଦାନ କରିବାକୁ କହିଛନ୍ତି । ଏଥିମଧ୍ୟରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ନିଦେ୍ର୍ଧଶକଙ୍କ ପକ୍ଷରୁ ଚିଠି ନଂ – ୩୮୮/୧୧.୧.୨୦୧୯ ତାରିଖରେ ଓଡିଶା ଲୋକସେବା ଆୟୋଗଙ୍କ ସଚିବଙ୍କୁ ପତ୍ର ଲେଖି ଏ ସମସ୍ତ ବିଷୟ ଅବଗତ କରାଇବା ସଙ୍ଗେ ସଙ୍ଗେ ଦିବ୍ୟାଙ୍ଗ ଏବଂ ଦୃଷ୍ଟିହୀନମାନଙ୍କୁ ଲିପିକ/ଲେଖକମାନଙ୍କ ସାହାଯ୍ୟ ନେବା ପାଇଁ ଅନୁମତି ପ୍ରଦାନ ନିମନ୍ତେ କୁହାଯାଇଛି । କିନ୍ତୁ ସମ୍ବେଦନହୀନ ରାଜ୍ୟ ସରକାର ଏସବୁଥିରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ଏବଂ ଦିବ୍ୟାଙ୍ଗ ଓ ଦୃଷ୍ଟିହୀନ ପରୀକ୍ଷାର୍ଥୀଙ୍କ ଭାଗ୍ୟ ସହିତ ଖେଳୁଛନ୍ତି ଯାହାକି ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ଏ ସମସ୍ତ ଘଟଣା ସୂଚୀତ କରୁଛି ଯେ ଖୋଦ୍ ରାଜ୍ୟ ସରକାର ଦୃଷ୍ଟିହୀନ ହୋଇଯାଇଛନ୍ତି । ଏଭଳି ସ୍ଥିତିରେ ଉକ୍ତ ପରୀକ୍ଷାକୁ ଘୁଂଚାଇବା ସହିତ ଏହାର ନୋଟିଫିକେସନରେ ଆବଶ୍ୟକୀୟ ପରିବର୍ତନ କରିବାକୁ ଦାବି କରିଛି କଂଗ୍ରେସ ।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନିଶିକାନ୍ତ ମିଶ୍ର, ପ୍ରଶାନ୍ତ ଶତପଥୀ, ନିକୁଞ୍ଜ ପଶାୟତ, ଦୀପକ ମହାପାତ୍ର ଉପସ୍ଥିତି ଥିଲେ ।

୮ମ ଶ୍ରେଣୀ ଛାତ୍ରୀର ସନ୍ତାନ ପ୍ରସବ ପ୍ରତିବାଦରେ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ମହିଳା କଂଗ୍ରେସ !

ଏଥର ସମ୍ଭାଳ ବ୍ୟୁରୋ (ବାରିପଦା) – ଦାରିଙ୍ଗିବାଡ଼ି ଅଞ୍ଚଳରେ ଏକ ନାବାଳିକା ତଥା ଅବିବାହିତା ଅଷ୍ଟମ ଶ୍ରେଣୀ ଛାତ୍ରୀ ସନ୍ତାନ ପ୍ରସବ ଓ ପରବର୍ତ୍ତି ସମୟରେ ନବଜାତ ଶିଶୁର ମୃତୁ୍ୟ ଓଡ଼ିଶା ନିମନ୍ତେ ଏକ କଳଙ୍କିତ ଅଧ୍ୟାୟ ବୋଲି କହିଛି ମୟୂରଭଞ୍ଜ ଜିଲ୍ଲା ମହିଳା କଂଗ୍ରେସ । ଆଜି ଓଡ଼ିଶା ପ୍ରଦେଶ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମାର୍ଗଦର୍ଶନ ଓ ପ୍ରଦେଶ ମହିଳା କଂଗ୍ରେସ ସଭାପତି ସୁମିତ୍ରା ଜେନାଙ୍କ ନିଦେ୍ର୍ଧଶ କ୍ରମେ ଏବଂ ମୟୂରଭଞ୍ଜ ଜିଲ୍ଲା କଂଗ୍ରେସ ସଭାପତି ସସ୍ମିତା ଘୋଷାଲଙ୍କ ନେତୃତ୍ୱରେ ମୟୂରଭଞ୍ଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା କଂଗ୍ରେସ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ଆୟୋଜିତ ହୋଇଥିଲା । ଏଥିରେ ରାଜ୍ୟ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ପୂର୍ବତନ ମନ୍ତ୍ରୀ ସରସ୍ୱତୀ ହେମ୍ବ୍ରମ, ପୂର୍ବତନ ସାଂସଦ ସୁଶୀଳା ତିରିଆ, ଜିଲ୍ଲା କଂଗ୍ରେସ ସଭାପତି ହେମନ୍ତ ଦାସ, ପୂର୍ବତନ ସଭାପତି ପ୍ରଦୀପ ରଥ, କମଳା ତିରିଆ ପ୍ରମୁଖ ବକ୍ତାମାନେ ଯୋଗ ଦେଇ ଛାତ୍ରୀର ସନ୍ତାନ ପ୍ରସବ ଓ ନବଜାତ ଶିଶୁର ମୃତୁ୍ୟ ଘଟଣାରେ ଆଦିବାସୀ କଲ୍ୟାଣମନ୍ତ୍ରୀ ରମେଶ ମାଝି ଏବଂ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନରେ ଅବହେଳା ପ୍ରଦର୍ଶନ କରିଛନ୍ତି । ସେହିପରି କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ଆଦିବାସୀ କଲ୍ୟାଣ ବିଭାଗ ଓ ମହିଳା ଓ ଶିଶୁ ବିକାଶ ବିଭାଗୀୟ ଶାସନ ସଚିବ ଛାତ୍ରୀର ପରିବାରବର୍ଗଙ୍କୁ ନ ଭେଟିବା, ହସପିଟାଲରେ ଉପଯୁକ୍ତ ଚିକିତ୍ସା ଯୋଗାଇ ନ ଦେବା ଆଦି ନିଜର ଦାୟିତ୍ୱ ସମ୍ପାଦନରେ ଅବହେଳା କରିଛନ୍ତି । ଏହି ଭଳି ସମ୍ବେଦନଶୀଳ, ଲଜ୍ଜାଜନକ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ନୀରବତା ଅବଲମ୍ବନ କରିଚାଲିଛନ୍ତି । ରାଜ୍ୟରେ ନବୀନ ସରକାରରେ ମହିଳାମାନଙ୍କ ପ୍ରତି ହିଂସା, ଅତ୍ୟାଚାର, ନିର୍ଯ୍ୟାତନା, ଦୁଷ୍କର୍ମ, ହତ୍ୟା ଆଦି  ବୃଦ୍ଧି ପାଇବାରେ ଲାଗିଛି । ସରକାର ମହିଳାମାନଙ୍କର ଆର୍ଥିକ, ସାମାଜିକ, ଓ ରାଜନୈତିକ ଅଭିବୃଦ୍ଧିରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବାର ଅଭିଯୋଗ ବାଢ଼ିଥିଲେ । ଏଥି ସହିତ ନିଜର ଦାୟିତ୍ୱ ସମ୍ପାଦନରେ ଅବହେଳା କରିଥିବା ମୁଖ୍ୟମନ୍ତ୍ରୀ ନବୀନଙ୍କ ସହିତ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ । ସେହିଭଳି କନ୍ଧମାଳ ଜିଲ୍ଲାପାଳଙ୍କ ସହିତ ୨ ଜଣ ବିଭାଗୀୟ ସଚିବଙ୍କୁ ଦାୟିତ୍ୱରୁ ନିଲମ୍ବିନ କରାଯିବାର ଦାବି କରାଯାଇଥିଲା । ଶେଷରେ ଦୁଇ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରାଯିବା ପରେ ରାଜ୍ୟପାଳଙ୍କ ଉଦେ୍ଧଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରିଥିଲେ । ଉକ୍ତ ବିକ୍ଷୋଭ ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରାକେଶ ସିଂ, ରାଜ୍ୟ ସମ୍ପାଦକ ଯୋଗେଶ କୁମାର ଅଗ୍ରୱାଲା, ଅଜୟ ମହାପାତ୍ର, ବାପି ଦାସ, ମାଧବୀ ସେନାପତି, ଦେବଯାନୀ ବେହେରା, ସୁନନ୍ଦା ସାହୁ, ଅଶୋକ ଅଧିକାରୀ, ଈତିଶ୍ରୀ ମିଶ୍ର, ଗୌରୀ ନାୟକ ପ୍ରମୁଖ ଶତାଧିକ ମହିଳା କଂଗ୍ରେସ ସଦସ୍ୟା, ସମର୍ଥକ ଓ କଂଗ୍ରେସ କର୍ମୀମାନେ ଯୋଗ ଦେଇଥିଲେ ।

ଆଜିର ରାଶିଫଳ ୨୦.୦୧.୨୦୧୯ ରବିବାର

ମେଷ: କାର୍ଯ୍ୟରେ ସଫଳତା ମିଳିବା ପ୍ରାୟ ନିଶ୍ଚିତ। ସମଭାବାପନ୍ନ ବ୍ୟକ୍ତିଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିପାରନ୍ତି। ଧର୍ମ କାର୍ଯ୍ୟରେ ନି​‌େ​‌ୟାଜିତ ହେବେ। ବ୍ୟବସାୟ ଲାଭଜନକ ହେବ। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ।

ବୃଷ: କାର୍ଯ୍ୟ ପ୍ରାପ୍ତି ପାଇଁ ମନରେ ହତାଶାଭାବ ଜାତ ହୋଇପାରେ। ଆଶାବାଦୀ ହୋଇପାରନ୍ତି। ପରୋପକାରୀ ହେବେ। ଭାଗ୍ୟର ପରିବର୍ତ୍ତନ ଘଟିବ। ସାଧନାରେ ସିଦ୍ଧିପ୍ରାପ୍ତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ଆୟ ଅଧିକ ହୋଇପାରେ। ସରକାର ଅବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ସୁସ୍ଥ ଓ ନିରାମୟ ରହିବେ। ରୁଚିକର ଭୋଜନ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: ଶତ୍ରୁମାନଙ୍କ କାର୍ଯ୍ୟକାଳ ଆପଣଙ୍କ ପାଇଁ ଲାଭଦାୟକ ହେବ। କାର୍ଯ୍ୟ ହାସଲ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହୋଇପାରନ୍ତି। ମିଠାକଥା କହି ଜନମନ ତୋଷ କରିପାରନ୍ତି। କର୍ମକ୍ଷେତ୍ରରେ ମାନ୍ଦା ଭାବ ଦେଖା ଦେବ।

ସିଂହ: ମନୋବଳ ଦୃଢ଼ ରହିବ। ଆୟ ବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳତା ମିଳିବ। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ମନରେ ପ୍ରଫୁଲ୍ଲତା ଆସିବ। ପାରିବାରିକ ସୁଖ, ଶାନ୍ତି, ଅବ୍ୟାହତ ରହିବ। କର୍ମକ୍ଷେତ୍ର ଉଳ ହେବ।

କନ୍ୟା: ବନ୍ଧୁ ଦର୍ଶନ ମିଳିବ। ପରିଶ୍ରମର ମୂଲ୍ୟ ମିଳିବ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ବିଭାଗୀୟ ଅର୍ଥ ପ୍ରାପ୍ତ ହୋଇପାରନ୍ତି। ଉତ୍ତମ ଗୃହ ପ୍ରାପ୍ତି ପାଇଁ ଉଦ୍ୟମ ଚଳାଇବେ। କୀର୍ତ୍ତି, ମର୍ତ୍ତି, ସତ୍ତ୍ୱ, ସନ୍ତୋଷ ଓ ବହୁବିଧ ଅର୍ଥ ମିଳିପାରେ।

ତୁଳା: ମାନସିକ ଅଶାନ୍ତିର ଉପଶମ ହେବ। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସାହାଯ୍ୟ ସହଯୋଗ ମିଳିବ। ଚିନ୍ତା ହ୍ରାସ ହୋଇପାରେ। କର୍ମ କୁଶଳତା ପ୍ରକାଶ ପାଇବ। ସାଧନାରେ ସିଦ୍ଧି ପ୍ରାପ୍ତ ହୋଇପାରନ୍ତି। ମନରେ ସେବା ଭାବନା ରହିବ।

ବିଛା: ଅଯଥାରେ ଖର୍ଚ୍ଚାନ୍ତ ହୋଇପାରନ୍ତି। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ସବୁ-ବାଧା ବିଘ୍ନକୁ ଏଡ଼ାଇ ଶ୍ରେଷ୍ଠ ପଦପଦବୀରେ ଆସୀନ ହୋଇପାରନ୍ତି। ବିଦ୍ୟା ରୂପକ ମହାଧନ ପ୍ରାପ୍ତ ହେବେ। ଶାସ୍ତ୍ର ବିଚକ୍ଷଣ ହୋଇପାରନ୍ତି।

ଧନୁ: କର୍ମକ୍ଷେତ୍ର ଶୃଙ୍ଖଳିତ ହେବ। କାର୍ଯ୍ୟ ହାସଲ କରିବାରେ ସିଦ୍ଧହସ୍ତ ହେବେ। ଅସୁସ୍ଥତାରୁ ଆରୋଗ୍ୟ ହେବେ। ଧର୍ମକାର୍ଯ୍ୟ ସମ୍ପାଦନ କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହୋଇପାରେ। ପ୍ରୀତି ଲାଭ କରିପାରନ୍ତି। ସାମାଜିକ ଆଦର ମିଳିବ।

ମକର: ବନ୍ଧୁ ସହଯୋଗ ମିଳିବ। କଷ୍ଟସାଧ୍ୟ ହେବ। ମନରେ ନୈରାଶ୍ୟ ଭାବ ଜାତ ହୋଇପାରେ। ଉତ୍ତମ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଲୋକପ୍ରିୟତା ବୃଦ୍ଧି ହୋଇପାରେ। ଦୂରଯାତ୍ରା ଆପଣଙ୍କ ପାଇଁ ଶୁଭଦାୟକ ହୋଇପାରେ।

କୁମ୍ଭ: ପୈତୃକ ସମ୍ପତ୍ତି ପାଇଁ ବ୍ୟସ୍ତ ହୋଇପାରନ୍ତି। ବିବାଦର ସମାଧାନ ପାଇଁ ସୁପରାମର୍ଶ ନେବାକୁ ପଡ଼ିବ। ସଫଳତା ମିଳିବା ଆଶାକରାଯାଏ। ମାନସିକ ଶାନ୍ତି ମିଳିବ। ସୁଖପ୍ରାପ୍ତ ହେବ। ତେଜୀୟାନ ହେବେ। ସମସ୍ତ କଳାରେ ଦକ୍ଷ ହେବେ।

ମୀନ: ପରିବେଶ ସୁଖବୋଧ ହେବ। ଦ୍ରବ୍ୟ ନଷ୍ଟ ହୋଇପାରେ। କଟୁବାକ୍ୟ ପ୍ରୟୋଗ ଦ୍ୱାରା ସମୟ ଉପୁଜି ପାରେ। ସଙ୍ଗୀତ ପ୍ରିୟ ହେବେ। ଉପଯୁକ୍ତ କର୍ମାନୁରକ୍ତ ହୋଇପାରନ୍ତି। ଯଶସ୍ୱୀ ଓ ଧନଶାଳୀ ହେବେ। ସରକାରୀ ଅର୍ଥ ମିଳିପାରେ। ସୁବିଦ୍ୟାଯୁକ୍ତ ହେବେ।