ଶୀତଦିନେ ଖାଆନ୍ତୁ ସବୁଜ ଚଣା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶୀତଦିନେ ଆପଣ ସ୍ୱାଦଯୁକ୍ତ ଖାଦ୍ୟର ଭରପୂର ମଜା ନେଇପାରିବେ। ଆପଣ ଯଦି ଫୁଡି, ଏହି ଋତୁ ହିଁ ଆପଣଙ୍କ ପାଇଁ ସର୍ବୋକୃଷ୍ଟ ସମୟ। ଏହି ଋତୁରେ ବ୍ରୋକେଲି, ପାଳଙ୍ଗ, ମଟର, ମେଥି ଶାଗ, ବଥୁଆ, ଗାଜର, ବିଟ୍‌ ପରି ପରିବା ଆପଣଙ୍କୁ ଆରାମ୍‌ରେ ମିଳୁଥିବାରୁ ସ୍ୱାଦିଷ୍ଟ ଓ ସ୍ୱାସ୍ଥ୍ୟକର ବ୍ୟାଞ୍ଜନ ପ୍ରସ୍ତୁତ କରିବା ଆପଣଙ୍କ ଲାଗି ସହଜ। ହେଲେ ଜାଣିରଖନ୍ତୁ, ଏମିତି କିଛି ପରିବା ଅଛି ଯାହାକୁ ଏହି ସମୟରେ ସେବନ କରିବା ଆପଣଙ୍କ ସ୍ୱାସ୍ଥ୍ୟପାଇଁ ଭଲ। ଆସନ୍ତୁ ଜାଣିବା ସେ ସମ୍ପର୍କରେ।

ସାଧାରଣତଃ ଶୀତଦିନେ ପାଳଙ୍ଗ, ଗାଜର ଏବଂ ମଟର ପରି ପରିବାକୁ ଆପଣ ଅଧିକ ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଏପରି ଏକ ପରିବା, ଯାହାକୁ ଆପଣ ନଜରଅନ୍ଦାଜ କରିଥାନ୍ତି, ତାହା ହେଉଛି ସବୁଜ ଚଣା।

ସବୁଜ ଚଣାରେ ଏପରି ତତ୍ତ୍ୱ ରହିଛି, ଯାହାକୁ ଆପଣ ନିଜ ଡାଏଟ୍‌ ଚାଟ୍‌ରେ ସାମିଲ୍‌ କରିବା ନିହାତି ଦରକାର। ଆପଣ ଏହାକୁ କଞ୍ଚା ମଧ୍ୟ ଖାଇପାରିବେ ଏବଂ ଏଥିରେ ବିଭିନ୍ନ ବ୍ୟଞ୍ଜନ ମଧ୍ୟ ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା ଆମ ଶରୀର ପାଇଁ ସବୁଜ ଚଣା କେତେ ଉପକାରୀ।

  • ମଟର ପରି ସବୁଜ ଚଣାରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଛି। ଏହା ଆପଣଙ୍କ ମାଂସପେଶୀକୁ ଶକ୍ତ କରିବାରେ ସାହାଯ୍ୟ କରିଥାଏ।
  • ସବୁଜ ଚଣାରେ ଭିଟାମିନ୍‌ ‘ଏ’ ଓ ‘ସି’ ପ୍ରଚୁର ମାତ୍ରାରେ ରହିଥାଏ। ଯାହା ଶୀତଦିନେ ଅଧିକ ଆବଶ୍ୟକ ହୋଇଥାଏ। ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ୍‌ ଗୁଣ ରହିଛି, ଯାହାଦ୍ୱାରା ଆପଣଙ୍କ ଇମ୍ୟୁନୋ ସିଷ୍ଟମ୍‌ ଓ ସ୍କିନ୍‌ ଠିକ୍‌ ରହିଥାଏ।
  • ସବୁଜ ଚଣାରେ ଭିଟାମିନ୍‌ ‘ବି – ୬’ ଏବଂ ଫୋଲେଟ୍‌ ରହିଛି। ଏଥିରେ ଥିବା ଫୋଲେଟ୍‌ ଆପଣଙ୍କୁ ଚିନ୍ତା ମୁକ୍ତ ରଖିଥାଏ।
  • ସବୁଜ ଚଣାକୁ ବାଟି ଆପଣ ଏଥିରେ ପରଟା ମଧ୍ୟ ତିଆରି କରିପାରିବେ। ଏହା ବ୍ୟତୀତ ଆପଣ ଏହାକୁ ଭାତ ଓ ଆମିଷ ବ୍ୟଞ୍ଜନରେ ପକାଇ ପ୍ରସ୍ତୁତ ମଧ୍ୟ କରିପାରିବେ।
ଆସିଡିଟିରୁ ମୁକ୍ତି ପାଇଁ ଏହି ୬ଟି ସାମଗ୍ରୀରୁ ଦୂରେଇ ରୁହନ୍ତୁ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଅନିୟମିତ ଜୀବନଚର୍ଯ୍ୟା ଓ ଖାଦ୍ୟ ଯୋଗୁ ଅଧିକାଂଶ ଲୋକ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟାରେ ପଡ଼ନ୍ତି। ଏହିଭଳି ଏକ ସ୍ୱାସ୍ଥ୍ୟ ସମସ୍ୟା ହେଉଛି ଆସିଡିଟି। ଆସିଡିଟି ବା ଅଜୀର୍ଣ୍ଣ ସମସ୍ୟା ଦେଖାଦେଲେ, ସାଧାରଣତଃ ପେଟ ଓ ଛାତିରେ ଜଳାପୋଡ଼ା ସହ ବାରମ୍ବାର ଆମ୍ୱିଳା ହାକୁଟି ହୋଇଥାଏ। ଏହା ବେଳେ ବେଳେ ଖୁବ୍‌ କଷ୍ଟଦାୟକ ବି ହୋଇଥାଏ। ଖାଇବା, ପିଇବାରେ ଅନିୟମିତତା ସାଙ୍ଗକୁ ଅନୁଚିତ ଖାଦ୍ୟାଭ୍ୟାସ ଆସିଡିଟିର ପ୍ରମୁଖ କାରଣ। ତେବେ, ଆଜି ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ସାମଗ୍ରୀ ବିଷୟରେ କହିବୁ, ଯେଉଁଥିରୁ ଦୂରେଇ ରହିଲେ ଆପଣଙ୍କୁ ଆଉ ଆସିଡିଟି ସମସ୍ୟା ଭୋଗିବାକୁ ପଡ଼ିବ ନାହିଁ।

୧.ଚକୋଲେଟ୍: ପ୍ରାୟ ଅଧିକାଂଶଙ୍କୁ ଚକୋଲେଟ୍‌ ଖୁବ୍‌ ଭଲ ଲାଗେ। ହେଲେ ଏହା ପେଟ ପାଇଁ କ୍ଷତିକାରକ ମଧ୍ୟ ହୋଇପାରେ। ଚକୋଲେଟ୍‌ରେ କ୍ୟାଫିନ୍ ଓ ଥିୟୋବ୍ରୋମାଇନ୍ ପରି ପଦାର୍ଥ ରହିଛି, ଯାହା ଆସିଡିଟିର କାରଣ ସାଜିଥାଏ। ଏହା ସହ ଏଥିରେ ଥିବା ଅତ୍ୟଧିକ ମାତ୍ରାର କୋକୋ ସାମଗ୍ରୀ ଓ ଫ୍ୟାଟ୍‌ ମଧ୍ୟ ଶରୀର ପାଇଁ କ୍ଷତିକାରକ। ତେଣୁ ସମ୍ପୂର୍ଣ୍ଣ ବନ୍ଦ ନ ହେଲେ ବି ସୀମିତ ମାତ୍ରାରେ ଚକୋଲେଟ୍‌ ଖା’ନ୍ତୁ।

୨. ସୋଡ଼ା: ଆସିଡ଼ିଟି ହେବାରେ ସୋଡ଼ା ଓ ଅନ୍ୟ କାର୍ବୋନେଟେଡ୍ ପାନୀୟ ମଧ୍ୟ ପ୍ରମୁଖ କାରଣ ସାଜିଥାଏ। ଏସବୁ ପିଇବା ଦ୍ୱାରା ପେଟ ଭିତରେ କାର୍ବୋନେସନ୍‌ର ଫୋଟକା ସୃଷ୍ଟି ହୁଏ। ଫଳରେ ପେଟ ଜଳାପୋଡ଼ା ହୋଇଥାଏ।

୩.ଆଲ୍‌କହଲ୍: ବିଅର୍‌ ଓ ୱାଇନ୍ ପରି ମାଦକ ଦ୍ରବ୍ୟ ପେଟରେ ଗ୍ୟାଷ୍ଟ୍ରିକ୍‌ ଆସିଡ୍‌କୁ ବଢ଼ାଇବା ସହ ଶରୀରକୁ ଡିହାଇଡ୍ରେଟ୍‌ କରି ଆସିଡ୍‌ ସୃଷ୍ଟି କରିଥାଏ। କିନ୍ତୁ ତଥାପି ଯଦି ଆପଣ ଆଲ୍‌କହଲ୍‌ ପିଉଛନ୍ତି, ତେବେ ଏହାକୁ ସୋଡ଼ା କିମ୍ବା କାର୍ବୋନେଟେଡ୍ ଡ୍ରିଙ୍କ୍‌ସ୍‌ ସହ ମିଶାଇ ପିଅନ୍ତୁ ନାହିଁ।

୪. କ୍ୟାଫିନ୍: ଦିନରେ ଗୋଟିଏ କପ୍‌ ଚା’ କିମ୍ବା କଫି ପିଇବା ଉଚିତ୍। କିନ୍ତୁ ଏହା ଅତ୍ୟଧିକ ସେବନ କଲେ, ଆପଣ ଆସିଡିଟିର ଶିକାର ହେବେ। କାରଣ ଏଥିରେ କ୍ୟାଫିନ୍‌ର ମାତ୍ରା ଅଧିକ ଥାଏ। ଯାହା ଦ୍ୱାରା ପେଟ ଭିତରେ ଗ୍ୟାଷ୍ଟ୍ରିକ୍ ଆସିଡ୍‌ ସୃଷ୍ଟି ହୁଏ। ତେଣୁ କେବହେଲେ ଖାଲି ପେଟରେ ଚା’ କି କଫି ପିଅନ୍ତୁ ନାହିଁ।

୫. ତେଲ ମସଲାଯୁକ୍ତ ଖାଦ୍ୟ: ଅତ୍ୟଧିକ ତେଲ ମସଲାଯୁକ୍ତ ଖାଦ୍ୟ ଖାଇଲେ ଏହା ପେଟରେ ଅଧିକ ସମୟ ଯାଏ ହଜମ ନ ହୋଇ ରହିଥାଏ। ଫଳରେ ପାଚନ କ୍ରିୟା ପ୍ରଭାବିତ ହୋଇ ଆସିଡିଟି ହେବାର ଆଶଙ୍କା ବଢ଼ିଯାଏ। ଲଙ୍କା ଗୁଣ୍ଡ, ଗରମ ମସଲା ଓ ଗୋଲମରିଚ ମଧ୍ୟ ପ୍ରାକୃତିକ ରୂପରେ ହିଁ ଆସିଡିକ୍ ହୋଇଥାଏ। ଫଳରେ ଏ ସବୁ ଅଧିକ ଖାଇବା ଦ୍ୱାରା ଆସିଡିଟି ହୋଇଥାଏ। ଏହା ବ୍ୟତୀତ ଛଣା ଜିନିଷ ଓ ଫାଷ୍ଟଫୁଡ୍‌କୁ ମଧ୍ୟ ଆପଣଙ୍କ ନିୟମିତ ଖାଦ୍ୟ ତାଲିକାରୁ ବାଦ୍‌ ଦିଅନ୍ତୁ।

୬. ଖଟା ଫଳ: ସମସ୍ତେ ଜାଣନ୍ତି, ଫଳ ସ୍ୱାସ୍ଥ୍ୟ ପକ୍ଷେ ହିତକର। ହେଲେ କିଛି ଖଟା ଫଳ ଅଛି, ଯାହା ଖାଲି ପେଟରେ ଖାଇଲେ ଆସିଡିଟି ହେବାର ଆଶଙ୍କା ରହିଛି। କମଳା, ଲେମ୍ବୁ, ଟମାଟୋ, ଜାମୁ କୋଳି ପରି ଖଟା ଫଳ ଅତ୍ୟଧିକ ଅମ୍ଳିୟ ହୋଇଥାଏ। ତେଣୁ ଖାଲି ପେଟରେ ଏଗୁଡ଼ିକୁ ଖାଇଲେ, ଆସିଡିଟି ହୋଇ ପେଟ, ଛାତି ଜଳାପୋଡ଼ା କରିଥାଏ।

ଧୋନିଙ୍କୁ ନେଇ ବିରାଟ କହିଲେ ଏମିତି କଥା ।

ଏଥର ସମ୍ଭାଳ ବ୍ୟୁରୋ (ମେଲବର୍ଣ୍ଣ) – ଶୁକ୍ରବାର ମେଲବର୍ଣ୍ଣରେ ଖେଳା ଯାଇଥିବା ଶେଷ ଦିନିଆ ମ୍ୟାଚ୍‌ରେ ଭାରତ ୭ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା। ଏହା ସହିତ ଦଳ ୨-୧ରେ ସିରିଜ୍ ଜିତିଥିଲା। ଆଉ ଏହା ହେଉଛି ଅଷ୍ଟ୍ରେଲିଆରେ ଭାରତର ପ୍ରଥମ ଦ୍ୱିପାକ୍ଷିକ ସିରିଜ୍ ବିଜୟ।

ଗତକାଲି ମ୍ୟାଚ୍‌କୁ ଜିତାଇବାରେ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଧୋନି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୮୭ ରନ୍ କରିଥିବା ବେଳେ କେଦାର ୬୧ ରନ୍ କରିଥିଲେ। ଧୋନିଙ୍କ ଏହି ଯୋଗଦାନକୁ ଖୁବ୍ ପ୍ରଶଂସା କରିଛନ୍ତି ଅଧିନାୟକ ବିରାଟ କୋହଲି। ଏହା ସହିତ ସେ ଧୋନିଙ୍କୁ ସମର୍ଥନ କରି ତାଙ୍କୁ ତାଙ୍କ ଷ୍ଟାଇଲ୍‌ରେ ଖେଳିବାକୁ ଦିଆଯିବା ଉଚିତ୍ ବୋଲି କହିଛନ୍ତି। କାରଣ ପ୍ରଥମ ମ୍ୟାଚ୍‌ରେ ଧୋନି ଧୀମା ଖେଳିବା ନେଇ ତୀବ୍ର ସମାଲୋଚନାର ଶିକାର ହୋଇଥିଲେ।

ମ୍ୟାଚ୍ ପରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିରାଟ କହିଥିଲେ, ଭାରତୀୟ କ୍ରିକେଟ୍‌ ପ୍ରତି ମହେନ୍ଦ୍ର ସିଂହ ଧୋନି ସବୁଠୁ ଅଧିକ ସମର୍ପିତ। ତାଙ୍କଠାରୁ ଅଧିକ ସମର୍ପିତ ଖେଳାଳି ଆଉ କେହି ନାହାନ୍ତି। ତେଣୁ ଲୋକେ ତାଙ୍କୁ ସମାଲୋଚନା କରିବା ଉଚିତ୍ ନୁହେଁ। ତାଙ୍କୁ ତାଙ୍କ ଷ୍ଟାଇଲ୍‌ରେ ଖେଳିବାକୁ ଦିଆଯିବା ଉଚିତ୍। ଦେଶ ପାଇଁ ତାଙ୍କ ବହୁତ ଯୋଗଦାନ ରହିଛି।

ସେ ଆହୁରି କହିଥିଲେ, ଧୋନି କ’ଣ କରିବାକୁ ଚାହୁଁଛନ୍ତି, ତାହା ତାଙ୍କୁ ହିଁ ଭାବିବାକୁ ଦିଆଯିବା ଉଚିତ୍। ସେ ହେଉଛନ୍ତି ଅନ୍ୟତମ ଶ୍ରେଷ୍ଠ ବିଚକ୍ଷଣ କ୍ରିକେଟର। ସେ ସେହି ଲୋକଙ୍କ ଭଳି ନୁହଁନ୍ତି, ଯେଉଁମାନେ ଟିମ୍‌ର ଆବଶ୍ୟକତା କ’ଣ ଭଲ ଭାବେ ଜାଣି ନାହାନ୍ତି। ପୂରା ଟିମ୍ ତାଙ୍କ ଉପରେ ଖୁସି ଅଛି।

ଧୋନିଙ୍କ ପାଇଁ ୫ ନମ୍ବର ସ୍ଥାନ ଠିକ୍। ସେ ଏହି ନମ୍ବରରେ ବ୍ୟାଟିଂ କରିବାକୁ ଆସିଲେ ଟିମ୍ ପାଇଁ ଭଲ। ଅଷ୍ଟ୍ରେଲିଆ ସିରିଜ୍‌ରେ ଏହା ପ୍ରମାଣିତ ହୋଇଛି ବୋଲି ଅଧିନାୟକ ବିରାଟ କୋହଲି କହିଛନ୍ତି।

ସେ କହିଛନ୍ତି, ୨୦୧୬ ମସିହାରେ ଧୋନି କିଛି ମ୍ୟାଚ୍‌ରେ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିଥିଲେ। କିନ୍ତୁ ତା’ପରେ ସେ ଟିମ୍ ପାଇଁ ୫ ଅବା ୬ ନମ୍ବରରେ ବ୍ୟାଟିଂ କରିବାକୁ ଭଲ ପାଉଛନ୍ତି। ଆମେ ଭାବୁଛୁ ନମ୍ବର ୫ ତାଙ୍କ ପାଇଁ ପୂରାପୂରି ଫିଟ୍‌।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦିନିକିଆରେ ଧୋନି ୫ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ବି ସେ ସେହି ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ଗତକାଲି ତୃତୀୟ ମ୍ୟାଚ୍‌ରେ ସେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।

୮ ବର୍ଷ ପରେ ଧୋନି ପାଇଲେ ଏହି ପୁରସ୍କାର ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଗତକାଲି ମେଲବର୍ଣ୍ଣରେ ଖେଳା ଯାଇଥିବା ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ୱିକେଟ୍ କିପର୍ ତଥା ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କ ପୁରୁଣା ଷ୍ଟାଇଲ୍‌ରେ ଖେଳିଥିଲେ ଓ ଟିମ୍‌କୁ ବିଜୟୀ କରାଇଥିଲେ। ଧୋନିଙ୍କ ଅପରାଜିତ ୮୭ ରନ୍ ଓ କେଦାର ଯାଦବଙ୍କ ଅପରାଜିତ ୬୧ ରନ୍ ବଳରେ ଭାରତ ଶେଷ ମ୍ୟାଚ୍ ଜିତିବା ସହିତ ୨-୧ରେ ସିରିଜ୍ ଜିତିଥିଲା। ଆଉ ଏହା ସହିତ ପ୍ରଥମ ଥର ପାଇଁ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଦ୍ୱିପାକ୍ଷିକ ସିରିଜ୍ ଜିତିଲା।

ଏହି ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଧୋନିଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଘୋଷଣା କରାଯାଇଥିଲା। ସେ ତିନିଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌ରେ ମୋଟ ୧୯୩ ରନ୍ କରିଥିଲେ। ପ୍ରଥମ ମ୍ୟାଚ୍‌ରେ ସେ ୫୧ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍‌ରେ ୫୫ ରନ୍ କରିଥିଲେ। ଗତକାଲି ସେ ୧୧୪ଟି ବଲ୍‌ରୁ ୬ଟି ଛକା ସହାୟତାରେ ୮୭ ରନ୍ କରି ଶେଷ ପର୍ଯ୍ୟନ୍ତ କ୍ରିଜ୍‌ରେ ରହିଥିଲେ।

୮ ବର୍ଷ ପରେ ଗତକାଲି ଧୋନି ପୁଣି ଥରେ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଦିନିକିଆ ସିରିଜ୍‌ରେ ସେ ଶେଷଥର ପାଇଁ ୨୦୧୧ ମସିହାରେ ’ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଥିଲେ। ଏହି ସିରିଜ୍ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଖେଳା ଯାଇଥିଲା। ଭାରତରେ ଖେଳା ଯାଇଥିବା ଏହି ସିରିଜ୍‌ରେ ମୋଟ ୫ଟି ମ୍ୟାଚ୍ ଖେଳା ଯାଇଥିଲା।

ଦିନିକିଆରେ ଏଯାବତ୍ ଧୋନି ୭ଟି ‘ମ୍ୟାନ୍ ଅଫ୍ ଦ ସିରିଜ୍’ ପୁରସ୍କାର ପାଇଛନ୍ତି।

ସେମି ଫାଇନାଲ୍‌ରେ ହାରିଗଲେ ସାଇନା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ‘ମାଲେସିଆ ମାଷ୍ଟରସ୍-୨୦୧୯’ର ମହିଳା ସିଙ୍ଗିଲ୍‌ସର ସେମି ଫାଇନାଲ୍‌ରେ ହାରି ଯାଇଛନ୍ତି ଭାରତୀୟ ବ୍ୟାଡ୍‌ମିଣ୍ଟନ୍‌ ତାରକା ସାଇନା ନେହୱାଲ୍।
ମାଲେସିଆର ରାଜଧାନୀ କୁଆଲାଲୁମ୍ପୁରରେ ଚାଲିଥିବା ଏହି ପ୍ରତିଯୋଗିତାରେ ଆଜି ସାଇନା ସ୍ପେନ୍‌ର କାରୋଲିନା ମାରିନ୍‌ଙ୍କ ଠାରୁ ୧୬-୨୧, ୧୩-୨୧ରେ ପରାସ୍ତ ହୋଇଥିଲେ। ତିନି ଥର ବିଶ୍ୱ ଚାମ୍ପିଅନ ହୋଇଥିବା କାରୋଲିନ୍ ଏହି ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ଭାରତୀୟ ତାରକା ସାଇନାଙ୍କ ଉପରେ ପ୍ରାଧ୍ୟାନ୍ୟ ବିସ୍ତାର କରି ରହିଥିଲେ। ୪୦ ମିନିଟ୍ ଧରି ଏହି ମ୍ୟାଚ୍ ଚାଲିଥିଲା। ଫାଇନାଲ୍‌ରେ କାରୋଲିନା ମାଲେସିଆର ଗୋ ଜିନ୍ ୱି ଅବା ଥାଇଲ୍ୟାଣ୍ଡର ରାଚୋନକ୍ ଇଞ୍ଚାନନ୍‌ଙ୍କୁ ଭେଟିବେ।

ଗତକାଲି ସାଇନା ଜାପାନର ନୋଜୋମି ଓକୁହାରାଙ୍କୁ ହରାଇ ସେମି ଫାଇନାଲ୍‌ରେ ପ୍ରବେଶ କରିଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ସାଇନା ‘ମାଲେସିଆ ମାଷ୍ଟରସ୍’ ଟାଇଟଲ୍‌ ଅର୍ଜନ କରିଥିଲେ। ୨୦୧୧ରେ ସେ ରନର୍ସ-ଅପ୍ ହୋଇଥିଲେ।

ବିରାଟ କହିଲେ ତାଙ୍କ ପାଇଁ କ୍ରିକେଟ୍‌ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ଏଥର ସମ୍ଭାଳ ବ୍ୟୁରୋ (ମେଲବର୍ଣ୍ଣ) – ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କ୍ରିକେଟ୍‌ ଦୁନିଆର ପ୍ରତିଟି ଫର୍ମାଟ୍‌ରେ ବ୍ୟକ୍ତିଗତ ପ୍ରଦର୍ଶନ ଏବଂ ଅଧିନାୟକତ୍ୱର ଶ୍ରେଷ୍ଠତା ପ୍ରଦର୍ଶନ କରିଆସିଛନ୍ତି। ତାଙ୍କ ଭିତରେ ଥିବା ରନ୍‌ ଭୋକ ପାଇଁ ସେ ଅନେକ କ୍ରିକେଟ୍‌ କିମ୍ବଦନ୍ତୀଙ୍କୁ ପଛରେ ପକାଇବା ସହିତ ଖୁବ୍‌ କମ୍‌ ଦିନରେ ସମସ୍ତ ରେକର୍ଡର ଅଧିକାରୀ ହେବାର ଦକ୍ଷତା ରଖିଛନ୍ତି। ଏପରକି ୬୪ଟି ଅନ୍ତର୍ଜାତୀୟ ଶତକ କରିସାରିଥିବା ବିରାଟ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କ ୧୦୦ ଶତକ ମଧ୍ୟ ଭାଙ୍ଗିପାରିବେ ତା’ପୁଣ କମ୍‌ ମ୍ୟାଚ୍‌ ଖେଳି ହାସଲ କରିପାରିବେ ବୋଲି କ୍ରିକେଟ୍‌ ପଣ୍ଡିତ ମାନେ ମତ ଦିଅନ୍ତି। କିନ୍ତୁ କ୍ରିକେଟ୍‌ ଓ ଜୀବନ ବାବଦରେ ସେ ବଡ଼ ଜଟିଳ ଉତ୍ତର ରଖିଛନ୍ତି।

ତାଙ୍କୁ ଯେତେବେଳେ ପଚରାଗଲା ଅବସର ନେବାପରେ କ’ଣ କରିବେ ସେ କହିଛନ୍ତି, “୮ ବର୍ଷ ହେଲା ଖେଳୁଛି, ପରିବାରକୁ ହିଁ ପ୍ରାଥମିକତା ଦେବି। ମୋ ପ୍ରାଥମିକତା ସେତେବେଳକୁ ମୁଁ, ଅନୁଷ୍କା ଏବଂ ପରିବାର ଭିତରେ ସୀମିତ ରହିବ। କ୍ରିକେଟ୍‌ ମୋ ଜୀବନର ଅଭିନ୍ନ ଅଙ୍ଗ, କିନ୍ତୁ ପରିବାରକୁ ହିଁ ପ୍ରାଥମିକତା ମିଳିବା ଦରକାର ବୋଲି ମୁଁ ଭାବେ। କାରଣ ଜୀବନଠାରୁ ବଡ଼ କିଛି ନାହିଁ।”

ସେ ଆହୁରି ମଧ୍ୟ କହିଛନ୍ତି, ମାନୁଛି ଯେ ସବୁ ଘଟଣାକୁ ବହୁତ ଗୁରୁତ୍ୱର ସହିତ ନିଅନ୍ତି ଏବଂ କୁହନ୍ତି ଯଦି ତୁମେ କ୍ରିକେଟ୍‌କୁ ଗୁରୁତ୍ୱର ସହିତ ନେଉନ, ତାହାଲେ ତୁମେ ସଂକଳ୍ପବଦ୍ଧ ନୁହେଁ, ମୁଁ ଏଥିରେ ବିଶ୍ୱାସ କରେନା। ମୁଁ ଏବେ ତାହା କରିପାରୁଛି, ତାହା ହିଁ ବଡ଼ କଥା। କିନ୍ତୁ ଦିନେ ସେସବୁ ସରିଯିବ। ୮ ବର୍ଷ ହେଇଗଲାଣି, ମୁଁ ଭାବୁଛି ତା’ପରେ ପରିବାର ଉପରେ ହିଁ ବେଶୀ ନଜର ଦେବି।

ZEE TVରେ ପ୍ରସାରିତ ସିରିଏଲ୍‌ ‘ରାଜା ବେଟା’ ଲିଡ୍‌ରେ ଓଡ଼ିଆ ଝିଅ ସମ୍ଭାବନା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଓଡ଼ିଶାର ଯୁବପିଢି ଗ୍ଲାମର ଓ ଅଭିନୟ କ୍ଷେତ୍ରରେ ବେସ୍‌ ପାରଦର୍ଶିତା ଲାଭ କରୁଛନ୍ତି। ଜାତୀୟସ୍ତରରେ ଅଭିନୟ କରି ଅନେକ ଓଡ଼ିଆ ଝିଅ ଓ ପୁଅ ଏବେ ନାଁ କମେଇବାରେ ଲାଗିଛନ୍ତି। ଓଡ଼ିଆ କଳାକାରମାନେ ଖାଲି ଓଡ଼ିଆ ଭାଷା ଭିତ୍ତିକ କାର୍ଯ୍ୟକ୍ରମରେ ସୀମିତ ନ ରହି ହୀନ୍ଦି ଫିଲ୍ମ ଏବଂ ସିରିଏଲ୍‌ରେ କାମ କରି ନାଁ କମେଇଲେଣି। ନିକଟରେ ଏହି ତାଲିକାରେ ସମ୍ଭାବନା ମହାନ୍ତିଙ୍କ ନାଁ ଯୋଡି ହୋଇଯାଇଛି। ସମ୍ଭାବନା ହେଉଛନ୍ତି ଅଭିନେତ୍ରୀ ସ୍ନିଗ୍ଧା ମହାନ୍ତିଙ୍କ ଝିଅ। ସମ୍ଭାବନା ଏବେ ZEE TVରେ ପ୍ରସାରିତ ହେଉଥିବା ସିରିଏଲ୍‌ ‘ରାଜା ବେଟା’ରେ ଅଭିନୟ କରୁଛନ୍ତି। ସିରିଏଲ୍‌ରେ ତାଙ୍କ ଚରିତ୍ରର ନାଁ ରହିଛି ‘ପୁରଭା’। ତାଙ୍କ ବିପକ୍ଷରେ ରାହୁଲ ସୁଧୀର ରହିଛନ୍ତି। ଏହି ଧାରାବାହିକରେ କେମିତ ଗୋଟେ ପୁଅ ସମସ୍ତ ପରିସ୍ଥିତିକୁ ସମ୍ଭାଳି ପରିବାରକୁ ଖୁସିରେ ରଖିବାକୁ ଚାହୁଁଛି ତାହା ଦର୍ଶାଯାଇଛି। ସୂଚନା ଅନୁଯାୟୀ, ସମ୍ଭାବନା ‘ମୁଁ ରାଜା ତୁ ରାଣୀ’ ଫିଲ୍ମରେ ମାଧ୍ୟମରେ ଓଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସୁପରଷ୍ଟାର ଅରିନ୍ଦମ ରାୟ ତାଙ୍କ ବିପକ୍ଷରେ ଅଭିନୟ କରିଥିଲେ।

କେବଳ ସମ୍ଭାବନା ନୁହଁନ୍ତି ପୂର୍ବରୁ ଓଡ଼ିଆ ଝିଅ ପ୍ରକୃତି ମିଶ୍ରଙ୍କୁ ‘ଆଣ୍ଡ ଟିଭି’ରେ ପ୍ରସାରିତ ହେଉଥିବା ସିରିଏଲ୍‌ ‘ବେଟି ବିଜ୍‌ନେସ୍‌ୱାଲି’ରେ ଦେଖିବାକୁ ମିଳିଥିଲା। ନିକଟରେ ରୋହିତ୍‌ ସେଟ୍ଟୀଙ୍କ ଫିଲ୍ମ ‘ସିମ୍ବା’ରେ ମଧ୍ୟ ଜଣେ ଓଡ଼ିଆ ଝିଅ ସୁପ୍ରିୟା ରାୟଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ।

ରିଲିଜ୍‌ ହେଲା ‘ସ୍ପାଇଡର୍‌-ମ୍ୟାନ୍‌: ଫାର୍‌ ଫ୍ରମ୍‌ ହୋମ୍‌’ର ଟ୍ରେଲର୍ ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ହଲିଉଡ୍‌ ମୁଭି ଫ୍ୟାନ୍ସଙ୍କ ପାଇଁ ଖୁସି ଖବର। ଖୁବ୍‌ଶୀଘ୍ର ଆସୁଛି ‘ସ୍ପାଇଡର୍‌-ମ୍ୟାନ୍’ ଫିଲ୍ମ ସିରିଜର ଏକ ନୂଆ ସଂସ୍କରଣ। ଏହାର ଟ୍ରେଲର୍‌ ରିଲିଜ୍ ହୋଇସାରିଛି। ପୂର୍ବରୁ ରିଲିଜ ହୋଇଥିବା ଏହି ସିରିଜ୍‌ର ଲ୍ୟାଟେଷ୍ଟ୍‌ ଫିଲ୍ମର ନାଁ ଥିଲା ‘ସ୍ପାଇଡର୍‌-ମ୍ୟାନ୍‌ ହୋମ୍‌କମିଂ’। ଏବେ ରିଲିଜ୍‌ ହୋଇଥିବା ଏହାର ପରବର୍ତ୍ତୀ ଭାଗର ନାଁ ରହିଛି ‘ସ୍ପାଇଡର୍‌-ମ୍ୟାନ୍: ଫାର୍‌ ପ୍ରମ୍‌ ହୋମ୍’। ଏହା ଚଳିତ ବର୍ଷ ଜୁଲାଇ ୫ରେ ରିଲିଜ୍‌ ହେବ। ଏଥିରେ ଅଭିନେତା ଟମ୍ ହଲାଣ୍ଡ ପିଟର ପାର୍କର୍‌ ଭୂମିକାରେ ନଜର ଆସିବେ। ଫିଲ୍ମର ଟ୍ରେଲରକୁ ଦର୍ଶକଙ୍କ ଖୁବ୍‌ ଥମ୍ସ୍‌ ଅପ୍‌ ମିଳିଛି। ଏବେ ଯାଏ ଏହି ଟ୍ରେଲରକୁ ୨ କୋଟି ୮୫ ଲକ୍ଷରୁ ଅଧିକ ଥର ଦେଖା ସରିଲାଣି। ଫିଲ୍ମର ଟ୍ରେଲର୍‌ରେ ପିଟର୍‌ ପାର୍କର ନିଜ ସ୍କୁଲ ସାଙ୍ଗମାନଙ୍କ ସହ ଏକ ଟୁର୍‌ରେ ଯାଉଛନ୍ତି। ଏହି ଟୁର୍‌ରେ ପିଟର୍ ସ୍କୁଲ୍‌ର ଜଣେ ସାଧାରଣ ଛାତ୍ର ଭଳି ଦେଖାଯିବାକୁ ଚେଷ୍ଟା କରୁଛନ୍ତି। ହେଲେ ପରିସ୍ଥିତି କିଛି ଏପରି ହୋଇଯାଉଛି ଯେ ପିଟର୍‌ଙ୍କୁ ତାଙ୍କ ସ୍ପାଇଡର-ମ୍ୟାନ୍‌ର ମାସ୍କ ପିନ୍ଧିବାକୁ ପଡ଼ୁଛି। ଆଉ ତା’ପରଠୁ ଆରମ୍ଭ ହୋଇଯାଉଛି ଜବରଦସ୍ତ ଆକ୍ସନ୍। ଟ୍ରେଲର୍‌ରେ ଆଇରନ୍‌ମ୍ୟାନ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି, ଯାହାକୁ ନେଇ ଦର୍ଶକଙ୍କ ମନରେ ଫିଲ୍ମ ପ୍ରତି ଉତ୍କଣ୍ଠା ଆହୁରି ବଢ଼ିଯାଇଛି। ଉଲ୍ଲେଖଯୋଗ୍ୟ, ‘ସ୍ପାଇଡର୍‌-ମ୍ୟାନ୍‌’ ‘ମାର୍ବଲ୍‌ କମିକ୍ସ୍‌’ର ସୁପର୍‌ ହିରୋ। ‘ସ୍ପାଇଡର୍‌-ମ୍ୟାନ୍‌’ର କାହାଣୀକୁ ନେଇ ଏହା ପୂର୍ବରୁ ମଧ୍ୟ ଅନେକ ଫିଲ୍ମ ତିଆରି ହୋଇସାରିଛି। ଏହି ଫିଲ୍ମଗୁଡ଼ିକୁ ସାରା ଦୁନିଆର ଲୋକେ ବେଶ୍ ପସନ୍ଦ କରିଛନ୍ତି। ତେବେ ଏହି ଭୂମିକାର ରଚୟିତା ଷ୍ଟ୍ୟାନ୍‌ ଲି’ଙ୍କର ଗତବର୍ଷ ନଭେମ୍ବରରେ ଦୃଦ୍‌ଘାତରେ ମୃତ୍ୟୁ ହୋଇସାରିଛି। କିନ୍ତୁ ଏବେଯାଏ ମାର୍ବଲ କମିକ୍ସ କାହାଣୀକୁ ନେଇ ତିଆରି ହୋଇଥିବା ସବୁ ଫିଲ୍ମରେ ଷ୍ଟ୍ୟାନ୍‌ ଲି’ଙ୍କ ଝଲକ ଦେଖିବାକୁ ମିଳିଥିଲା। ତେବେ ଏଥର ଷ୍ଟ୍ୟାନ୍‌ଙ୍କର ଅନୁପସ୍ଥିତି ଦର୍ଶକଙ୍କ ମନକୁ ନିଶ୍ଚିତ କଷ୍ଟ ଦେବ।

କଂଗ୍ରେସରୁ ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆ ବହିଷ୍କୃତ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କଂଗ୍ରେସରୁ ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ଓ କୃଷ୍ଣ ସଗରିଆଙ୍କୁ ବହିଷ୍କୃତ କରାଯାଇଛି। ଦଳ ବିରୋଧୀ ମନ୍ତବ୍ୟ ଏବଂ ବିଶୃଙ୍ଖଳା ପାଇଁ ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତା ପଦରୁ ବହିଷ୍କୃତ କରାଯାଇଥିବା ଦର୍ଶାଯାଇଛି। ନିଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ନିର୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଶନିବାର ରାତିରେ ଶୃଙ୍ଖଳା କମିଟି ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି।
ଗତ କିଛି ଦିନ ଧରି ଶ୍ରୀକାନ୍ତ ଏବଂ କୃଷ୍ଣ ସଗରିଆ ଗଣମାଧ୍ୟମରେ ଦଳ ବିରୋଧୀ ମନ୍ତବ୍ୟ ଦେଇ ଆସୁଥିଲେ। ଅନନ୍ତ ସେଠୀ କହିଛନ୍ତି ଯେ ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେବା ଏବଂ ବିଶୃଙ୍ଖଳିତ ଆଚରଣ ଦେଖାଇବା ପାଇଁ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶ୍ରୀକାନ୍ତ ଜେନା ଏବଂ କୋରାପୁଟ ବିଧାୟକ କୃଷ୍ଣ ସଗରିଆଙ୍କୁ ଦଳରୁ ବହିଷ୍କୃତ କରାଯାଇଛି।

ସୁଡ୍ରାରେ ମାଓ ପୋଷ୍ଟର ଲୋକେ ଆତଙ୍କିତ !

ଏଥର ସମ୍ଭାଳ ବ୍ୟୁରୋ (କନ୍ଧମାଳ) – କନ୍ଧମାଳ ଜିଲ୍ଲା  ବାଲିଗୁଡା ଅନ୍ତର୍ଗତ ସୁଡ୍ରାରେ ଆଜି ସକାଳୁ  ସେବାଶ୍ରମ  ପାଚେରୀ  କଡ  ରାସ୍ତା ଓ  ଗାଁ  ଛକର  ବିଭିନ ସ୍ଥାନରେ ଗଛ  ଗୁଡିକରେ  କେକେବିଏନ  ମାଓ  ସଂଗଠନ ପକ୍ଷରୁ ପୋଷ୍ଟର ମରାଯାଇଥିବା ଦେଖିବାକୁ ମିଳିଛି ! ପୋଷ୍ଟରରେ ପୋଲିସ ସୁଚନାଦାତା, ଇନଫର୍ମର , ଠିକାଦାରଙ୍କୁ ଚେତାବନୀ ଦିଆଯାଇଛି ! ସୁଡୁରୁକୁମ୍ପା ରବି ମଳିକଙ୍କୁ  ଜନ ଅଦାଲତ  ପିଏଲଜିଏ ପକ୍ଷରୁ ମୃତ୍ୟୁଦଣ୍ଡ ଦିଆଯାଇଥିବା ଏହି ପୋଷ୍ଟରରେ ଉଲେଖ ରହିଛି | କେକେବିଏନ ଡ଼ିଭିଜନ ଭିତରେ ଗୁଇନ୍ଦା ଓ ଖବରଦାତାଙ୍କ ନାମ ଏଥିରେ ଉଲେଖ ରହିବା  ସହିତ ସୁଖୀ ଜୀବନ ଜିଇଁବା ପାଇଁ ପରାମର୍ଶ ଦେଇ ପୋଲିସର ଖବରଦାତା ନ ହେବା ପାଇଁ ଚେତାବନୀ  ଦିଆଯାଇଛି | ମାଳିସୁଗାର  ପ୍ରମୋଦକୁ ଜନଅଦାଲତରେ  ବିଚାର କରାଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ! ସେହିପରି ଦାରିଙ୍ଗିବାଡ଼ି ସେବାଶ୍ରମର ଅଷ୍ଟମ ଶେଣୀ ଛାତ୍ରୀ ପ୍ରସବ ଘଟଣାର ନିନ୍ଦା କରାଯାଇଛି |   କିନ୍ତୁ ଏହି ପୋଷ୍ଟରକୁ ନେଇ ସୁଡ୍ରା ଅଂଚଳରେ ଭୟର ବାତାବରଣ  ଖେଳିଯାଇଛି | ପୋଲିସ  ଘଟଣା ସର୍ମ୍ପକରେ ଗ୍ରାମ ବାସୀଙ୍କ ଠାରୁ  ଖବର ମିଳିଥିବା କହିଛି |  କିନ୍ତୁ ଏହି ପୋଷ୍ଟର  କିଏ ମାରିଛି, ତାର ତର୍ଜମା ଚାଲିଥିବା  ପୋଲିସ କହିଛି !

ଜାନୁଆରୀ ଛବିଶ ତାରିଖକୁ  କଳା ଦିବସ ରୂପେ ପାଳନ କରିବାକୁ ଆହ୍ୱାନ ଦିଆଯାଇଛି | ସେହିପରି କନ୍ଧମାଳ ଏସପି ଔଷଧ ବିକଳରେ ତାଟିଆ  କାମୁଡିଛନ୍ତି ବୋଲି ପୋଷ୍ଟରରେ ରହିଛି |  ଜାନୁଆରୀ  ବାର  ତାରିଖ ରୁ ଫେବୁଆରୀ ବାର  ପର୍ଯ୍ୟନ୍ତ, ଅଙ୍କତିନି  ବିପ୍ଲବୀ ଡେଙ୍ଗୁରା କେକେବିଏନ ଡିଭିଜନ ପ୍ରାଚୀର ପତ୍ରିକା ବୋଲି ଲେଖାଯାଇଛି | ପୋଷ୍ଟରରେ  କେକେବିଏନ ମାଓବାଦୀ  ଡିଭିଜନ  ବୋଲି ପୋଷ୍ଟରରେ ଉଲେଖ ରହିଛି !