‘ଚିକେନ୍‌ ପକ୍ସ’ ଦାଗ ଦୂର କରିବାର ସବୁ ଘରୋଇ ଉପଚାର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ଏମିତି ଏକ ରୋଗ ଯାହା ହେବା ଦ୍ୱାରା ଶରୀରର ବିଭିନ୍ନ ସ୍ଥାନରେ ଲାଲ୍‌ ପଡ଼ି ଫଳି ଯିବା ସହ ଖୁବ୍‌ ଯନ୍ତ୍ରଣା ମଧ୍ୟ ହୋଇଥାଏ। ହାଡ଼ଫୁଟି କମିବା ପରେ ଫଳି ଯାଇଥିବା ସ୍ଥାନରେ ଦାଗ ହୋଇଯାଏ। ଅଧିକାଂଶ ସମୟରେ ଏହି ଦାଗ ଦୂର ହୋଇଯାଏ ଓ ବେଳେ ବେଳେ ଦୂର ହୋଇ ନ ଥାଏ। ସାଧାରଣତଃ ଅବହେଳା କାରଣରୁ ଏହି ସବୁ ଦାଗ ରହିଯାଇଥାଏ। ଏହି ଦାଗ ଦୂର ହେବା ପାଇଁ ଭବିଷ୍ୟତରେ ସମସ୍ୟା ବି ହୋଇଥାଏ। ଅନେକ ଏହି ଦାଗ ଦୂର କରିବା ପାଇଁ ବିଭିନ୍ନ କସ୍‌ମେଟିକ୍ସର ବ୍ୟବହାର କରିଥା’ନ୍ତି। ତେବେ ଏଭଳି କସ୍‌ମେଟିକ୍ସର ବ୍ୟବହାର ଯୋଗୁ ଏହାର ସାଇଡ୍‌ ଇଫେକ୍ଟ୍‌ ବି ଦେଖା ଦେଇଥାଏ। ଏଣୁ ହାଡ଼ଫୁଟି ବା ‘ଚିକେନ୍‌ ପକ୍ସ’ ପରେ ଏହାର ଦାଗକୁ ଦୂର କରିବା ପାଇଁ ଆପଣ କିଛି ଘରୋଇ ଉପଚାର ଆପଣାଇ ପାରିବେ।

ଆସନ୍ତୁ ଜାଣିବା, କେଉଁ କେଉଁ ଉପଚାର ଦ୍ୱାରା ‘ଚିକେନ୍‌ ପକ୍ସ’ର ଦାଗକୁ ଦୂର କରାଯାଇ ପାରିବ।

ଲେମ୍ବୁ ରସ: ଲେମ୍ବୁ ରସରେ ଭିଟାମିନ୍‌-ସି ଥାଏ।  ଯାହା ହାଡ଼ଫୁଟି ଦାଗକୁ ହଟାଇବାରେ ସାହାଯ୍ୟ କରେ। ଲେମ୍ବୁ ରସକୁ ନେଇ ଶରୀରର ପ୍ରଭାବିତ ସ୍ଥାନରେ ଲଗାଇ ୧୦ ମିନିଟ୍‌ ଛାଡ଼ି ଦିଅନ୍ତୁ।  ତାପରେ ଅଳ୍ପ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଏମିତି କଲେ ଖୁବ୍‌ କମ୍‌ ଦିନରେ ଦାଗ ଛାଡ଼ିଯିବ।

ମହୁ: ମହୁରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାରେ ହୋଇଥିବା ଦାଗକୁ ଦୂର କରି ତ୍ୱଚାରେ ଉଜ୍ଜ୍ୱଳତା ଆଣିଥାଏ।  ଦାଗ ହୋଇଥିବା ସ୍ଥାନରେ ମହୁ ଲଗାଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।  ଏହି ପ୍ରକ୍ରିୟାକୁ ପ୍ରତିଦିନ ଥରେ ଲେଖାଏ କରିବା ଦ୍ୱାରା  ଦାଗ ଛାଡ଼ି ଯାଇଥାଏ।

ଭିଟାମିନ୍‌-ଇ ତେଲ: ଭିଟାମିନ୍‌-ଇ ତେଲରେ ଥିବା ପ୍ରାକୃତିକ ଆଣ୍ଟି ଅକ୍ସିଡାଣ୍ଟ୍‌ ତ୍ୱଚାର ଦାଗ ଗୁଡିକୁ ଛଡ଼ାଇ ଦେଇଥାଏ। ପ୍ରତିଦିନ ଭିଟାମିନ୍‌-ଇ ଅଏଲ୍‌କୁ ପ୍ରଭାବିତ ଅଂଶ ଲଗାନ୍ତୁ। ଦାଗ ଛାଡ଼ିଯିବ।

ଚା’ ସହ ଏହି ସବୁ ଜିନିଷ ଖାଇଲେ ହୋଇପାରେ କ୍ଷତିକାରକ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ପ୍ରାୟ ଅଧିକାଂଶ ଲୋକଙ୍କ ଦିନ କପେ ଚା’ କିମ୍ବା କଫିରୁ ଆରମ୍ଭ ହୋଇଥାଏ। କିଛି ଲୋକ ଚା’ ସହିତ ସ୍ନାକ୍ସ ମଧ୍ୟ ଖାଇଥା’ନ୍ତି। କିନ୍ତୁ ଆପଣ ଜାଣନ୍ତି କି, ଏପରି କିଛି ଜିନିଷ ଅଛି, ଯାହାକୁ ଆମେ ଯଦି ଚା’ ସହ ଖାଇବା ତେବେ ଶରୀରର ଅନେକ କ୍ଷତି ହେବ। ଏପରିକି ଆପଣଙ୍କୁ ଅଯଥା ଶାରୀରିକ କଷ୍ଟ ଭୋଗିବାକୁ ପଡ଼ିବ।

ଏବେ ଚାଲନ୍ତୁ ଜାଣିବା, ଚା’ ସହ ଖାଇବାକୁ ବାରଣ କରାଯାଉଥିବା ଜିନିଷଗୁଡ଼ିକ କ’ଣ?

୧. ସକାଳେ ଆପଣ ଚା’ ସହ ଅଣ୍ଡା, ପନିର କିମ୍ବା ଅନ୍ୟ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ। କାରଣ ଚା’ରେ ଥିବା ଟେନିନ୍‌ ଓ ପ୍ରୋଟିନ୍‌ ଏକାଠି ହେଲେ ଶରୀରର କ୍ଷତି ହୋଇଥାଏ।

୨. ଅଧିକାଂଶ ଲୋକ ଚା’ରେ କଫି ପାଉଡ୍‌ର ମିଶାଇ ପିଇଥା’ନ୍ତି। ଏଭଳି ଆଦୌ କରନ୍ତୁ ନାହିଁ। କାରଣ ଚା’ ସହ କଫିରେ ଥିବେ କୈଫିନ୍‌ ମିଶିଲେ ପେଟରେ ଆସିଡିଟି ଭଳି ସମସ୍ୟା ସୃଷ୍ଟି କରିଥାଏ।

୩. ଆଇରନ୍‌ଯୁକ୍ତ ଖାଦ୍ୟ ଶରୀର ପାଇଁ ଭଲ। କିନ୍ତୁ କେବେ ହେଲେ ଏହାକୁ ଚା’ ସହ ଏକାଠି ଖାଆନ୍ତୁ ନାହିଁ। କାରଣ ଏପରି କଲେ ଶରୀରରେ ରକ୍ତହୀନତା ସହ ଆହୁରି ଅନେକ ସମସ୍ୟା ସୃଷ୍ଟି ହୋଇପାରେ।

୪. ଭୁଲ୍‌ରେ ବି ମାଛ, ମାଂସ କିମ୍ବା କୌଣସି ପ୍ରକାର ଆମିଷ ଖାଦ୍ୟ ସହ ଚା’ ପିଅନ୍ତୁ ନାହିଁ। କାରଣ ଏହା ଆମ ପାଚନ ପ୍ରକ୍ରିୟାକୁ ପ୍ରଭାବିତ କରେ। ଫଳରେ ପେଟରେ ଯନ୍ତ୍ରଣା ସହ ଶରୀରରେ ପାଚନ ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଓ ରକ୍ତହୀନତା ପରି ସମସ୍ୟା ଦେଖା ଦେଇଥାଏ।

୫. ମନେ ରଖନ୍ତୁ, କେବେହେଲେ ଖାଇବା ପୂର୍ବରୁ ଓ ଖାଇବା ପରେ ତୁରନ୍ତ ଚା’ ପିଇବେ ନାହିଁ। ଏହା ଶରୀରର ଅନେକ କ୍ଷତି କରିଥାଏ। ଏହା ଆସିଡିଟି, ଅଲ୍‌ସର୍‌, ଆପେଣ୍ଡିସ୍‌ ଭଳି ସମସ୍ୟା ହେବାର ଆଶଙ୍କା ବଢ଼ାଇଥାଏ। ସବୁବେଳେ ଖାଇବାର ୧ ଘଣ୍ଟା ପୂର୍ବରୁ ଓ ୧ ଘଣ୍ଟା ପରେ ଚା’ ପିଇବା ଉଚିତ୍।

ପ୍ରବାଦ ପୁରୁଷ ‘ବିଜୁ ବାବୁ’ଙ୍କ ଭୂମିକାରେ ଆସିବେ ଅନୁଭବ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କିମ୍ବଦନ୍ତୀ ରାଜନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ଜୀବନୀକୁ ନେଇ ଖୁବ୍‌ଶୀଘ୍ର ନିର୍ମାଣ ହେବାକୁ ଯାଉଛି ଏକ ଓଲିଉଡ୍‌ ଫିଲ୍ମ। ଫିଲ୍ମର ନାଁ ରହିଛି ‘ବିଜୁ ବାବୁ’। ଫିଲ୍ମରେ ବିଜୁବାବୁଙ୍କ ଭୂମିକାରେ ଅଭିନୟ କରିବେ ଓଲିଉଡ୍‌ ସୁପରଷ୍ଟାର୍‌ ତଥା ସାଂସଦ ଅନୁଭବ ମହାନ୍ତି। ନିକଟରେ କଟକ ଆନନ୍ଦ ଭବନ ସମ୍ମୁଖ ପଡ଼ିଆରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଜେ ଅନୁଭବଏହି ସୂଚନା ଦେଇଛନ୍ତି। ଏହି ଅବସରରେ ସିନେମାର ପ୍ରଥମ ପୋଷ୍ଟର୍‌ ମଧ୍ୟ ଲୋକାର୍ପଣ ହୋଇଛି। ପୋଷ୍ଟରରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସହ ଅନୁଭବଙ୍କୁ ଦେଖିବାକୁ ମିଳିଛି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବିଶାଳ ମୋର୍ଯ୍ୟ ଏବଂ ଦେବୀପ୍ରସାଦ ଲେଙ୍କା। ନୀଳମାଧବ ପଣ୍ଡା, ଅକ୍ଷୟ ପରିଜା ଓ ପ୍ରଶାନ୍ତ ବେହେରା ଏହି ଫିଲ୍ମର ମିଳିତ ପ୍ରଯୋଜନା କରୁଛନ୍ତି। ଏହି ଫିଲ୍ମ ଆସନ୍ତା ଏପ୍ରିଲ ୧ ସୁଦ୍ଧା ମୁକ୍ତିଲାଭ କରିବାର ଯୋଜନା ରହିଛି। ଅନୁଭବଙ୍କ କହିବା ଅନୁଯାୟୀ, ‘ଏହି ଚଳଚ୍ଚିତ୍ରଟି ଓଡ଼ିଆ ସିନେମା ଜଗତର ଏକ ମାଇଲଖୁଣ୍ଟ ହେବ। ନୂତନ ଓଡ଼ିଶାର ନିର୍ମାତା ବିଜୁ ବାବୁଙ୍କ ନାଁରେ ହେଉଥିବା ଚଳଚ୍ଚିତ୍ରରେ ଅଭିନୟର ସୁଯୋଗ ମିଳିଥିବାରୁ ମୁଁ ବେଶ୍‌ ଗର୍ବ ଅନୁଭବ କରୁଛି।’ ଅନ୍ୟପକ୍ଷେ ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ବିଜୁ ପଟ୍ଟନାୟକଙ୍କ ବାୟୋପିକ୍‌ ନିର୍ମାଣ କରିବା ବିଜେଡିର ଏକ ଇଲେକ୍ସନ୍‌ ଷ୍ଟ୍ରାଟେଜି ବୋଲି ସାଧାରଣରେ ଆଲୋଚନା ହେଉଛି।

୪୬ କୋଟିର ଡ୍ରିମ୍‌ ହାଉସ୍‌ ନୂଆ ବାହାଘର ର ନୂଆ ଉପହାର ଦେଲେ ପ୍ରିୟଙ୍କା ଚୋପ୍ରା ଙ୍କୁ ତାଙ୍କ ସ୍ଵାମୀ ନିକ ।

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବାଇ) – ପ୍ରିୟଙ୍କା ଚୋପ୍ରା ଓ ନିକ୍‌ ଜୋନସ୍‌ ବିବାହ ପରେ ଏବେ ନିଜ ଡ୍ରିମ୍‌ ହାଉସ୍‌କୁ ସିଫ୍ଟ୍‌ ହୋଇଗଲେଣି।  ୱେବ୍‌ସାଇଟ୍‌ TMZ ମୁତାବକ ପ୍ରିୟଙ୍କା ଓ ନିକ୍‌ ଆମେରିକାର ଲସ୍‌ ଏଞ୍ଜିଲିସ୍‌ରେ ଏକ ଘର କିଣିଛନ୍ତି। ଯାହାର ମୂଲ୍ୟ ୬୦ ଲକ୍ଷ ଡଲାର(୪୬ କୋଟି ଟଙ୍କା)। ପ୍ରିୟଙ୍କା ଓ ନିକ୍‌ଙ୍କର ଏହି ଘରର ଫଟୋ ଏବେ ସୋଶାଲ୍‌ ମିଡିଆରେ ବେଶ୍‌ ଭାଇରାଲ୍‌ ହେଉଛି।  ୱେବ୍‌ ସାଇଟ୍‌ ରିପୋର୍ଟ ମୁତାବକ ଘରଟି ୪,୧୨୯ ସ୍କ୍ୱାୟର ଫୁଟ୍‌ ସ୍ଥାନରେ ରହିଛି। ପ୍ରିୟଙ୍କା ଚୋପ୍ରା  ଓ ନିକ୍‌ ଜୋନସ୍‌ଙ୍କ  ଏହି ଘରେ ୫ଟି ବେଡ୍‌ରୁମ୍‌ ରହିଛି। ଏହା ଛଡ଼ା ଏଠାରେ ସ୍ୱିମିଂ ପୁଲ୍‌ ବି ଅଛି।  ପ୍ରିୟଙ୍କାଙ୍କ ଘରୁ ପାହାଡ଼ର ଦୃଶ୍ୟପଟ ଖୁବ୍‌ ସୁନ୍ଦର ଦିଶୁଛି। ୱେବ୍‌ ସାଇଟ୍‌ର ରିପୋର୍ଟ ମୁତାବକ ନିକ୍‌ ଜୋନସ୍ ପ୍ରିୟଙ୍କାଙ୍କୁ ପ୍ରପୋଜ୍‌ କରିବାର କିଛି ମାସ ପୂର୍ବରୁ ଏହି ଘର କିଣିଥିଲେ। ପ୍ରିୟଙ୍କା ଚୋପ୍ରାଙ୍କର ମୁମ୍ବାଇରେ ବି ଘର ଅଛିଳ ଯାହାକୁ ସେ ୨୦୧୬ରେ କିଣିଥିଲେ।  ରିପୋର୍ଟ୍‌ ମୁତାବକ ଏହି ଘରର ମୁଲ୍ୟ ପାଖାପାଖି ୧୦୦ କୋଟି ଟଙ୍କା। ଏହା ଛଡ଼ା ପ୍ରିୟଙ୍କାଙ୍କର ନ୍ୟୁୟର୍କରେ ବି ସମ୍ପତ୍ତି ଅଛି।

ଚତୁର୍ଥ ଭାରତୀୟ ଭାବରେ ଧୋନି କଲେ ଏହି ରେକର୍ଡ !

ଏଥର ସମ୍ଭାଳ ବ୍ୟୁରୋ (ମେଲବର୍ଣ୍ଣ) – ଗତ କିଛି ଦିନ ତଳେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବା ନେଇ ସଙ୍କଟଜନକ ସ୍ଥିତିରେ ଥିବା ଭେଟେରାନ୍‌ ମହେନ୍ଦ୍ର ସିଂହ ଧୋନି ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ୍‌ରେ ଜୋରଦାର କମ୍‌ବ୍ୟାକ୍‌ କରିଛନ୍ତି। ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ଦିନିକଆ ସିରିଜ୍‌ ହରାଇବାରେ ଭାରତୀୟ ଦଳ ଇତିହାସ ରଚିବା ସହିତ ଧୋନି ମଧ୍ୟ ବ୍ୟକ୍ତିଗତ ସ୍ତରରେ ଏକ ରେକର୍ଡ କରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ଏହି ପୂର୍ବତନ ଅଧିନାୟକ ଚତୁର୍ଥ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଭାବରେ ଅଷ୍ଟ୍ରେଲିଆ ମାଟିରେ ୧୦୦୦ ରନ୍‌ କରିବାର କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପୂର୍ବରୁ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ଭାରତୀୟ ଦଳର ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଏବଂ ରୋହିତ ଶର୍ମା ଏହି ସଫଳତା ହାସଲ କରିସାରିଛନ୍ତି। ଆଜିର ନିର୍ଣ୍ଣାୟକ ମ୍ୟାଚ୍‌ରେ ସେ ୩୬ ରନ୍‌ରେ ପହଞ୍ଚିବା ପରେ ଏହି ରେକର୍ଡ କରିପାରିଥିଲେ। ତାଙ୍କର ଏହି ସ୍କୋର କେବଳ ତାଙ୍କ ପାଇଁ ବ୍ୟକ୍ତିଗତ ଭାବରେ ମାଇଲଖୁଣ୍ଟ ସୃଷ୍ଟି କରିନଥିଲା, ବରଂ ୨୩୧ ରନ୍‌ର ବୃହତ୍‌ ଲକ୍ଷ୍ୟ ହାସଲ ସହିତ ୩ ଟିକିଆ ସିରିଜ୍‌କୁ ୨-୧ରେ ଜିତିବା ପାଇଁ ମଧ୍ୟ ସହାୟକ ହୋଇଥିଲା। ଧୋନି ବ୍ୟାଟିଂରେ ଓହ୍ଲାଇଥିବା ସମୟରେ ଦଳର ସ୍ଥିତି ଖରାପ ହୋଇସାରିଥିଲା। ୧୬.୨ ଓଭର ବେଳକୁ ଶିଖର ଧୱନ୍‌ଙ୍କ ବିଦାୟ ବେଳକୁ ଦଳ ୨ ୱିକେଟ୍‌ ହରାଇ ୫୯ ରନ୍‌ କରିଥିଲା। ଏହାପରେ ଅଧିନାୟକ କୋହଲିଙ୍କ ସହିତ ୫୪ ରନ୍‌ର ଭାଗିଦାରୀ ପରେ ବ୍ୟାଟିଂ କରିବାକୁ ଆସିଥିବା କେଦାର ଯାଦବଙ୍କ ସହିତ ଅପରାଜିତ ୧୨୧ ରନ୍‌ର ଭାଗିଦାରୀ ଦଳକୁ ଏହି ନିର୍ଣ୍ଣାୟକ ମ୍ୟାଚ୍‌ରେ ଜିତାଇ ପାରିଥିଲା।

ଭାରତର ଐତିହାସିକ ବିଜୟ ପରେ ଟ୍ୱିଟ୍‌ରେ ଏମିତି କଥା ଲେଖିଲେ ଅନୁଷ୍କା !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶୁକ୍ରବାର ଭାରତୀୟ କ୍ରିକେଟ୍ ଟିମ୍ ପୁଣି ଇତିହାସ ରଚିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଥର ପାଇଁ ତା’ ମାଟିରେ ଦ୍ୱିପାକ୍ଷିକ ଦିନିକିଆ ସିରିଜ୍‌ରେ ଦଳ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆକୁ ହରାଇ ପ୍ରଥମ ଥର ପାଇଁ ଟେଷ୍ଟ୍ ସିରିଜ୍ ଜିତି ଥିଲା। ଏଣୁ ମୋଟାମୋଟି ଭାବେ ଭାରତର ଏଥରର ଅଷ୍ଟ୍ରେଲିଆ ଗସ୍ତକୁ ଐତିହାସିକ ବୋଲି କୁହାଯାଇପାରିବ। ଏହି ଦୁଇ ଐତିହାସିକ ବିଜୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିଅରର ଏକ ବଡ଼ ସଫଳତା ବୋଲି କୁହାଯାଇପାରିବ। କାରଣ ତାଙ୍କ ନେତୃତ୍ୱରେ ଗୋଟିଏ ଗସ୍ତ ବେଳେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଏକ ଟେଷ୍ଟ୍ ସିରିଜ୍ ଓ ଏକ ଦିନିକିଆ ସିରିଜ୍ ଜିତିଛି। ତା’ସହିତ ତିନିଟି ମ୍ୟାଚ୍ ବିଶିଷ୍ଟ ଟି-ଟ୍ୱେଣ୍ଟି ସିରିଜ୍‌ରେ ବି ଭାରତ ହାରି ନାହିଁ। ଏହି ସିରିଜ୍ ୧-୧ରେ ଡ୍ର’ ରହିଥିଲା। ଆଉ ଏହା ବିରାଟଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବହୁତ ଖୁସି ଦେଇଛି। ଗତକାଲି ଭାରତ ଦିନିକିଆ ସିରିଜ୍ ଜିତିବା ପରେ ଅନୁଷ୍କା ଟ୍ୱିଟ୍ କରି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଦେଇଥିଲେ। ସେ ଲେଖିଥିଲେ, ଏହା ଏକ ଅଭୁଲା ଓ ଅତ୍ୟନ୍ତ ଭଲ ଗସ୍ତ। ପୁରୁଷଙ୍କ ଏହି ଐତିହାସିକ ବିଜୟର ପ୍ରତ୍ୟକ୍ଷଦର୍ଶୀ ହୋଇଥିବାରୁ ମୁଁ ବହୁତ ଖୁସି। ସେଥିପାଇଁ ବହୁତ ଶୁଭେଚ୍ଛା।

ଏହା ସହିତ ସେ ତାଙ୍କ ସ୍ୱାମୀ ତଥା ଭାରତୀୟ ଟିମ୍‌ର ଅଧିନାୟକଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ, ମୋ ପ୍ରେମ ‘ବିରାଟ କୋହଲି’ ତୁମ ପାଇଁ ମୁଁ ବହୁତ ଗର୍ବିତ।

ଗତକାଲି ଭାରତ ଆଗରେ ବିଜୟ ପାଇଁ ୨୩୧ ରନ୍‌ର ଟାର୍ଗେଟ ଥିଲା। ତେବେ ଭାରତ ୪୯.୨ ଓଭରରେ ମାତ୍ର ୩ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ରୋହିତ ଶର୍ମା ୯ ରନ୍, ଶିଖର ଧୱନ ୨୩ ଓ ବିରାଟ କୋହଲି ୪୬ ରନ୍ କରି ଆଉଟ୍ ହୋଇଯିବା ପରେ ମହେନ୍ଦ୍ର ସିଂହ ଧୋନି ଓ କେଦାର ଯାଦବ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ମ୍ୟାଚ୍‌କୁ ଜିତାଇ ଦେଇଥିଲେ। ଏହା ସହିତ ଭାରତ ୨-୧ରେ ସିରିଜ୍ ବି ଜିତି ଯାଇଥିଲା। ଧୋନି ଅପରାଜିତ ୮୭ ରନ୍ (୧୧୪ ବଲ୍, ୬ ଚୌକା) ଓ କେଦାର ଯାଦବ ୬୧ ରନ୍ (୫୭ ବଲ୍, ୭ ଚୌକା) କରିଥିଲେ। ଏହି ମ୍ୟାଚ୍‌ରେ ୟୁଜଭେନ୍ଦ୍ର ଚହଲ ୬ଟି ୱିକେଟ୍ ନେଇଥିଲେ।

କଂଗ୍ରେସ ନେତା ଶଶି ଥରୁରଙ୍କୁ ରାମ ମନ୍ଦିର ଚିନ୍ତା !

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁରଙ୍କୁ ରାମମନ୍ଦିର ଚିନ୍ତା। ଆଜ୍ଞା ହଁ, ସବୁ ସମୟରେ ବିଦେଶୀ ଅନ୍ଦାଜ୍‌ରେ ବଞ୍ଚୁଥିବା ଏବଂ ସହଜରେ ବୋଧଗମ୍ୟ ହେଉନଥିବା ଇଂରାଜୀ ଶବ୍ଦ ବ୍ୟବହାର ପାଇଁ ପ୍ରସିଦ୍ଧ କଂଗ୍ରେସ ନେତା ଶଶି ଥରୁରଙ୍କ ରାମ ମନ୍ଦିର ପ୍ରେମକୁ ନେଇ ଏବେ ଚାଲିଛି ଚର୍ଚ୍ଚା। ସେ ବିଜେପି ଆଡ଼କୁ ଢଳିବେ ବୋଲି ଆପଣ ଭାବୁଥାଇପାରନ୍ତି। କିନ୍ତୁ ଘଟଣା ଟିକେ ନିଆରା। ବର୍ତ୍ତମାନ ସୋଶାଲ ମିଡିଆରେ ଟ୍ରେଣ୍ଡ ଚାଲିଛି #TenYearChallenge କୁ ନେଇ। ଆଉ ଏହାର ସୁଯୋଗ ନେଇ ବିଜେପିକୁ ସମାଲୋଚନା କରିବାର ପ୍ରୟାସ କରିଛନ୍ତି ଶଶି ଥରୁର। ୧୦ ବର୍ଷର ପରିବର୍ତ୍ତନକୁ ଆଧାର କରି ସେ ପ୍ରସ୍ତାବିତ ରାମ ମନ୍ଦିରର ସ୍ଥିତି କିପରି ୧୦ ବର୍ଷ ପରେ ମଧ୍ୟ ଯେମିତିକୁ ସେମିତି ଅଛି, ତାହା ଦର୍ଶାଇଛନ୍ତି।

୨୦୦୯ରୁ ୨୦୧୯ ମସିହା ମଧ୍ୟରେ ରାମ ମନ୍ଦିର ଯୋଜନାରେ ପଥରଟିଏ ମଧ୍ୟ ଘୁଞ୍ଚିନି ଏବଂ ସ୍ଥିତି ଆଜି ମଧ୍ୟ ଠିକ୍‌ ସେମିତି ଥିବାବେଳେ ବିଜେପି ମୁଖ୍ୟାଳୟର ଭୂଗୋଳରେ ଆକାଶ ପାତାଳ ପରିବର୍ତ୍ତନ ହୋଇଯାଇଥିବା ନିଜ ଟ୍ୱିଟ୍‌ରେ ସେ ଦର୍ଶାଇଛନ୍ତି।

ବିଜେପି ମଧ୍ୟ ଏହି ଟ୍ରେଣ୍ଡକୁ ଆଗେଇ ନେଇ #5YearChallenge ପୋଷ୍ଟ ଚାଲୁ ରଖିଛି। ଏଥିରେ ଦଳ ନିଜର ସଫଳତା ବଖାଣୁଛି।

ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କୋବିନ୍ଦ ଗଲେ କୁମ୍ଭମେଳା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦେଶର ପ୍ରଥମ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପରେ ଗୁରୁବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦ୍ୱିତୀୟ ରାଷ୍ଟ୍ରପତି ଭାବରେ କୁମ୍ଭମେଳା ଗସ୍ତ କରିବା ସହିତ ସସ୍ତ୍ରୀକ ସଙ୍ଗମସ୍ଥଳୀରେ ପ୍ରାର୍ଥନା କରିଛନ୍ତି ।ଏହି ଅବସରରେ ସେ ପରମାର୍ଥ ନିକେତନ କ୍ୟାମ୍ପଠାରେ ୩ ଦିନ ଧରି ଚାଲିବାକୁ ଥିବା ‘ଗାନ୍ଧିଆନ୍‌ ରିସର୍ଜେନ୍ସ ସମ୍ମିଟ୍‌’ ଉଦ୍‌ଘାଟନ କରିଛନ୍ତି। ଏହି ଗସ୍ତ ତାଙ୍କ ପାଇଁ ସୌଗ୍ୟର କଥା ବୋଲି ସେ କହିଛନ୍ତି।ରାଷ୍ଟ୍ରପତି ଭବନର ଟ୍ୱିଟର ଆକାଉଣ୍ଟରେ ଏ ଗସ୍ତ ନେଇ ପୋଷ୍ଟ କରାଯାଇଛି, “୧୯୫୩ ମସିହାରେ ତତ୍କାଳୀନ ରାଷ୍ଟ୍ରପତି ରାଜେନ୍ଦ୍ର ପ୍ରସାଦଙ୍କ ପରେ ପ୍ରଥମ ରାଷ୍ଟ୍ରପତି ଭାବରେ ଏହା ପ୍ରଥମ ଗସ୍ତ।”

କୁମ୍ଭମେଳା ଭାରତର ଆଧ୍ୟାତ୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ବୋଲି ରାଷ୍ଟ୍ରପତି କୋବିନ୍ଦ କହିଥିବା ଏଥିରେ ଉଲ୍ଲେଖ କରାଯାଇଛି।

ଶ୍ରୀଯୁକ୍ତ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା କୋବିନ୍ଦ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାମ୍ରୌଲି ବିମାନବନ୍ଦରରେ ସକାଳ ୯.୩୦ରେ ପହଞ୍ଚିଥିଲେ। ସେଠାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କିଛି କ୍ୟାବିନେଟ୍‌ ମନ୍ତ୍ରୀ ତାଙ୍କୁ ସ୍ୱାଗତ କରିଥିଲେ।

ଏପଟେ ବଖାଣୁଛନ୍ତି ସଫଳତା,ସେପଟେ ମାଗୁଛନ୍ତି ସହାୟତା : ନବୀନ

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିର୍ବାଚନ ପାଖେଇ ଆସିବାପରେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଉଠାଇ ରାଜନୀତିକ ଗୋଟିଚାଳନା କରିଛନ୍ତି। ୨୦୧୪ ସାଧାରଣ ନିର୍ବାଚନରେ ‘ସ୍ୱତନ୍ତ୍ର ରାଜ୍ୟ ପାହ୍ୟା’କୁ ପ୍ରସଙ୍ଗ କରିଥିବା ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘଦିନର ନିରବତା ପରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଓଡ଼ିଶା ପାଇଁ ଏହି ଦାବି ଦୋହରାଇଛନ୍ତି। ତେବେ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ ଉଦ୍ଦିଷ୍ଟ ମାନଦଣ୍ଡକୁ ଓଡ଼ିଶା କିଭଳି ପୂରଣ କରୁଛି ତା’ର ଯୁକ୍ତିଯୁକ୍ତ କାରଣ ନଦର୍ଶାଇ ନବୀନ ତାଙ୍କ ନେତୃତ୍ୱରେ ରାଜ୍ୟରେ ପ୍ରଗତି କିଭଳି ଗତିଶୀଳ ହୋଇଛି ତାହା ବଖାଣିଛନ୍ତି। ଆଉ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ  ଓ କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ରରେ ଓଡ଼ିଶା ପଛରେ ପଡ଼ିଥିବାକୁ ଆଳ କରି ନବୀନ ଏହି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗ ଦାବି ଉଠାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନବୀନ ଲେଖିଥିବା ୩ ପୃଷ୍ଠାର ଚିଠିକୁ ବିଶ୍ଲେଷଣ କଲେ ଏହା କେବଳ ନିର୍ବାଚନୀ ବର୍ଷରେ ରାଜ୍ୟବାସୀଙ୍କୁ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ ବୋଲି ତଥ୍ୟାଭିଜ୍ଞ ମହଲ ମତ ଦେଇଛନ୍ତି।ନବୀନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ,୧୯୦୦ ମସିହାରୁ ଓଡ଼ିଶା ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି। ରାଜ୍ୟର ୯୦% ଜନସଂଖ୍ୟା ଓ ୮୦ % ଅଞ୍ଚଳ ଏହି ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥାନ୍ତି। ଏବେ ଅର୍ଥ କମିଶନଙ୍କ ସୁପାରିସରେ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠି (ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ) ହାର ସ୍ଥିରୀକୃତ ହେଉଛି, ଯାହାକି କେବଳ ରିଲିଫ ଓ ଉଦ୍ଧାର କାର୍ଯ୍ୟରେ ଖର୍ଚ୍ଚ ହେଉଛି। ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଅତିରିକ୍ତ ସହାୟତା ଭାବେ ଯାହା ମିଳୁଛି, ତାହା ପର୍ଯ୍ୟାପ୍ତ ହେଉନି ।ତେଣୁ ବାଧ୍ୟ ହୋଇ ରାଜ୍ୟକୁ ନିଜ ପାଣ୍ଠିରୁ ଏସବୁ ତୁଲାଇବାକୁ ପଡ଼ୁଛି। ସେହିପରି କେନ୍ଦ୍ର ସରକାରଙ୍କ ଅଧିକାରଭୁକ୍ତ କ୍ଷେତ୍ର ଯଥା ଟେଲି ସାନ୍ଦ୍ରତା, ରେଳବାଇ ନେଟୱାର୍କ, ବ୍ୟାଙ୍କିଙ୍ଗ୍ ନେଟୱାର୍କ, ଜାତୀୟ ରାଜପଥ ଓ ବିମାନ ଯୋଗାଯୋଗ କ୍ଷେତ୍ରରେ ଓଡ଼ିଶା ସମଗ୍ର ଦେଶରେ ଅପେକ୍ଷାକୃତ ପଛରେ ପଡ଼ିଛି। ତେଣୁ ଏସବୁ କାରଣକୁ ଦୃଷ୍ଟିରେ ରଖି ‘ସ୍ୱତନ୍ତ୍ର ରାଜ୍ୟ’ ପାହ୍ୟା ମାନ୍ୟତା ଦେବାକୁ ନବୀନ ଆଜି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ଜଣାଇଛନ୍ତି। ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଲେ ଓଡ଼ିଶାରେ ଶିଳ୍ପାୟନର ବିକାଶ ଗତିଶୀଳ ହେବା ସହ ଯୁବକଯୁବତୀଙ୍କ ପାଇଁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ନବୀନ ମଧ୍ୟ ତାଙ୍କ ଚିଠିରେ ନିଜ ସରକାରର ପ୍ରଶଂସା କରି ଲେଖିଛନ୍ତି ଯେ ଐତିହାସିକ କେନ୍ଦ୍ରୀୟ ଅବହେଳା ଓ ବାରମ୍ବାର ପ୍ରାକୃତିକ ବିପର୍ଯ୍ୟୟ ସତ୍ତ୍ୱେ ଓଡ଼ିଶାର ଅଭିବୃଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି। ୨୦୧୪-୧୫ରୁ ଏପର୍ଯ୍ୟନ୍ତ ବିଭିନ୍ନ ଗ୍ରାମାଞ୍ଚଳ ଗୃହ ନିର୍ମାଣ ଯୋଜନାରେ ୨୦ଲକ୍ଷ ପକ୍କାଘର ନିର୍ମାଣ ହୋଇଛି। ରାଜ୍ୟକୁ ଏନେଇ ପୁରସ୍କାର ମଧ୍ୟ ମିଳିଛି। ସେହିପରି ୨୦୦୦ ମସିହାରେ ରାଜ୍ୟରେ ୧୬ଲକ୍ଷ ବିଦ୍ୟୁତ ଉପଭୋକ୍ତା ଥିବାବେଳେ ଏବେ ଏହା ୭୨ ଲକ୍ଷରେ ପହଞ୍ଚଛି। ୨୦୧୪ ମସିହାରୁ ଏପର୍ଯ୍ୟନ୍ତ ଅତିରିକ୍ତ ୮ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ମିଳିଛି। ୫ଥର ଓଡ଼ିଶାକୁ କୃଷି କର୍ମଣ ପୁରସ୍କାର ମିଳିଥିବାବେଳେ ଦେଶର ସର୍ବାଧିକ ଦାରିଦ୍ର‌୍ୟ ହ୍ରାସ କରିବାର ରେକର୍ଡ ମଧ୍ୟ ଓଡ଼ିଶାର ରହିଛି। ୨୦୦୪-୦୫ରୁ ୨୦୧୧-୧୨ ମଧ୍ୟରେ ୨୪.୬୧% ଦାରିଦ୍ର‌୍ୟ ହ୍ରାସ ପାଇଛି। ମମତା ଯୋଜନାରେ ୩୧ଲକ୍ଷ ଗର୍ଭବତୀ ମହିଳାଙ୍କୁ ଡିବିଟି ଜରିଆରେ ସହାୟତା ପ୍ରଦାନ, ଟୀକାକରଣ, ଶିଶୁ ଓ ମାତୃ ମୃତ୍ୟୁହାର  ହ୍ରାସରେ ରେକର୍ଡ, ୭୦ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି କାର୍ଯ୍ୟକ୍ରମରେ ସାମିଲ କରି ସେମାନଙ୍କୁ ଉପାର୍ଜନକ୍ଷମ କରାଇବା ସଙ୍ଗେସଙ୍ଗେ ଗ୍ରାମାଞ୍ଚଳ ଯୁବକଙ୍କ ଦକ୍ଷତା ବିକାଶ ପାଇଁ କ୍ରମାଗତ ଦୁଇଥର ଶ୍ରେଷ୍ଠ ପୁରସ୍କାର ଓଡ଼ିଶା ହାସଲ କରିଛି। ଗତ ୬ବର୍ଷ ମଧ୍ୟରେ ରାଜ୍ୟର ଜିଡିପି ୫୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି ନବୀନ ଦର୍ଶାଇଛନ୍ତି।

ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଦାୟିତ୍ୱ ରେ ଅପରାଜିତା ଷଡ଼ଙ୍ଗୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେପିରେ ଯୋଗଦେବା ପରେ ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ପକ୍ଷରୁ ମିଳିଛି ଦାୟିତ୍ୱ। ଏଣିକି ସେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ବା ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ  କରିବେ। ସେହିପରି ବରିଷ୍ଠ ଆଇନଜୀବୀ ଓ ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଇନ୍‌ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ  ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ଦାୟିତ୍ୱ ଦିଆଯାଇଛି।