ଦୁଇ ବିଚାରପତିଙ୍କ ପଦୋନ୍ନତି ରୋକିବାକୁ ରାଷ୍ଟ୍ରପତିଙ୍କୁ ପତ୍ର ଲେଖିଲେ ପୂର୍ବତନ ବିଚାରପତି ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇବାକୁ ଯାଉଥିବା ଦୁଇଜଣ ବିଚାରପତିଙ୍କ ପଦୋନ୍ନତିକୁ ରୋକିବା ଲାଗି ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି କୈଳାସ ଗମ୍ଭୀର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ପତ୍ର ଲେଖିଛନ୍ତି। କର୍ଣ୍ଣାଟକ ହାଇକୋର୍ଟର ମୁଖ୍ୟ ବିଚାରପତି ଦିନେଶ ମାହେଶ୍ବରୀ ଓ ଦିଲ୍ଲୀ ହାଇକୋର୍ଟର ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବା ଲାଗି ଗତ ସପ୍ତାହରେ ସୁପ୍ରିମକୋର୍ଟ କଲେଜିୟମ୍ ନିଷ୍ପତ୍ତି ନେଇଛନ୍ତି। ତେବେ ଜଷ୍ଟିସ ମାହେଶ୍ବରୀ ଓ ଜଷ୍ଟିସ ଖାନ୍ନାଙ୍କୁ ପଦୋନ୍ନତି ଦିଆଯିବା ନିଷ୍ପତ୍ତିକୁ ନାପସନ୍ଦ କରିଛନ୍ତି ପୂର୍ବତନ ବିଚାରପତି ଜଷ୍ଟିସ ଗମ୍ଭୀର। ଜଷ୍ଟିସ ଗମ୍ଭୀର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ପତ୍ରରେ ଦର୍ଶାଇଛନ୍ତି ଯେ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବ ବଡ ଭୁଲ୍ ନିଷ୍ପତ୍ତି ହେବ। ତେଣୁ ଏହି ଭୁଲ ନିଷ୍ପତ୍ତି କାର୍ଯ୍ୟକାରୀ ହେବା ପୂର୍ବରୁ ରୋକାଯାଉ। ବିଭିନ୍ନ ହାଇକୋର୍ଟର ୩୨ଜଣ ବରିଷ୍ଠ ବିଚାରପତିଙ୍କୁ ଉପେକ୍ଷା କରାଯାଇ ଏହି ଦୁଇ ବିଚାରପତିଙ୍କୁ ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଜଷ୍ଟିସ ଗମ୍ଭୀର ଲେଖିଛନ୍ତି। ଜଷ୍ଟିସ ଖାନ୍ନା ଯଦି ପଦୋନ୍ନତି ପାଆନ୍ତି ତେବେ ୨୦୨୪ ବେଳକୁ ସେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ।

ଆଜିର ରାଶିଫଳ ୧୬.୦୧.୨୦୧୯ ବୁଧବାର ।

ମେଷ: ଭାଗ୍ୟଶାଳୀ ହୋଇପାରନ୍ତି। ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି। ସମ୍ମାନନୀୟ ବ୍ୟକ୍ତି ବିଶେଷ ଭାବେ ମର୍ଯାଦା ପ୍ରାପ୍ତ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଉଦାର ବିଦ୍ୟାପ୍ରେମୀ ହେବେ।

ବୃଷ: ଚାକିରି କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟୟ ଅପେକ୍ଷା ଆୟ ଅଧିକତର ହୋଇପାରେ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ମାଲିମୋକଦ୍ଦମାରେ ବିଜୟୀ ହେବେ। ଅର୍ଥ ମିଳିବ।

ମିଥୁନ: ଆକସ୍ମିକ ଭାବେ ଧନପ୍ରାପ୍ତ ହେବ। ବ୍ୟୟ ପରିମାଣ ବୃଦ୍ଧି ପାଇପାରେ। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହେବେ। ଧାର୍ମିକ ପ୍ରବୃତ୍ତିର ହେବେ। ସାହସୀ ଓ ଜ୍ଞାନୀ ହେବେ।

କର୍କଟ: ସୁଖ, ସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ଜୀବନ ଯାପନ କରି ପାରନ୍ତି। ଯଶସ୍ୱୀ ହେବେ। ଲୋକ ପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ସରକାରୀସ୍ତରରୁ ଅର୍ଥ ପ୍ରାପ୍ତି ସହ ସମ୍ମାନିତ ହେବେ।

ସିଂହ: ମନକୁ ଘାରୁ ଥିବା ଆଶଙ୍କା ଦୂରେଇ ଯିବ। ଭ୍ରମଣ ଯୋଗ ଅଛି। ନିଜ ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ରହିବେ। ଦୟାଳୁ ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ୱୀ ହେବେ।

କନ୍ୟା: ମାନସିକ ସ୍ତରରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଭାଗ୍ୟଶାଳୀ ହେବେ। ବିଳାସପୂର୍ଣ୍ଣ ଜୀବନ ଯାପନ କରିପାରନ୍ତି। ସୁଖ ସମୃଦ୍ଧିର ସମୟ ଉପସ୍ଥିତ। ଧର୍ମାତ୍ମା ପ୍ରବାସ ପ୍ରିୟ, ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

ତୁଳା: ଚିନ୍ତିତ ହୋଇପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ଈର୍ଷାଳୁ ସ୍ୱଭାବର ହୋଇପାରନ୍ତି। ଭାଗୁଆଳି ବ୍ୟବସାୟ ଲାଭଜନକ ହୋଇପାରେ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ହେବେ।

ବିଛା: ଦୂରବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବା ମନୋଭାବର ହୋଇପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହେବେ। ମନରେ ଅହଂଭାବ ଆସିପାରେ। ପତ୍ନୀଙ୍କ ଇଙ୍ଗିତରେ ଚଳିବେ।

ଧନୁ: ଐତିହ୍ୟ ଓ ପରମ୍ପରା କାର୍ଯ୍ୟରେ ମନୋନିବେଶ କରିପାରନ୍ତି। ପରିସ୍ଥିତିକୁ ଅନୁଧ୍ୟାନ କରି କେତେକ କ୍ଷେତ୍ରରେ ନୀରବ ଦର୍ଶକ ସାଜି ପାରନ୍ତି। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ଚକ୍ଷୁ ଯନ୍ତ୍ରଣା ଅନୁଭବ କରିବେ। ଶତ୍ରୁହନ୍ତା ହୋଇପାରନ୍ତି।

ମକର: ଲୋକ ସଂପର୍କ ବୃଦ୍ଧି ପାଇପାରେ। ବାଦ-ବିବାଦରେ ବିଜୟୀ ହେବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ କିଛିଧନ ମିଳିପାରେ। ବ୍ୟବସାୟରେ ପ୍ରଚୁର ଧନଲାଭ ହୋଇପାରେ। ଧାର୍ମିକ, ତେଜସ୍ୱୀ ଓ ଉତ୍ତମ ବ୍ୟକ୍ତିତ୍ୱଯୁକ୍ତ ହେବେ।

କୁମ୍ଭ: ଅଳ୍ପକେ ରକ୍ଷା ପାଇଯିବେ। ପରିଶ୍ରମର ମୂଲ୍ୟାଙ୍କନ ହେବ। ଉଦାର ସ୍ୱଭାବର ହୋଇପାରନ୍ତି। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। ସୁଖୀ ହେବେ। ଶୋଭନ ବ୍ୟକ୍ତିତ୍ୱ ହୋଇପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। କୃଷିକର୍ମରେ ଧ୍ୟାନ ଦେବେ।

ମୀନ: ସଞ୍ଚୟାଭିମୁଖୀ ହୋଇପାରନ୍ତି। ମନରେ ଦ୍ୱିଧାଭାବ ଜାତ ହୋଇପାରେ। ମନ ପ୍ରସନ୍ନ ରହିବ। ଆସ୍ତିକ ଓ ମଧୁରଭାଷୀ ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ସାନଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇ ଖୁସି ହେବେ।

ଓଡିଶା ସରକାର ଶୋଇ ରହିଛି : ମୋଦି

ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ଦେଉଥିବା ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିପାରୁ ନାହାନ୍ତି , ନିର୍ବାଚନକୁ ଅପେକ୍ଷା ନକରି ଲୋକଙ୍କ କଲ୍ୟାଣପାଇଁ ଅର୍ଥ ଖର୍ଚ୍ଚ କରିବାକୁ ଆହ୍ୱାନ

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ଏଠାକାର ସରକାରଙ୍କର କ’ଣ ହୋଇଛି? ଏଠାକାର ସରକାର ଶୋଇ ରହିଛନ୍ତି । ଏଠାକାର ସରକାର ଟଙ୍କା ଖର୍ଚ୍ଚ ନକରି ପକାଇ ରଖିଛନ୍ତି ବୋଲି ବଲାଙ୍ଗୀରର ପଥରଚେପାରେ ଆୟୋଜିତ ଦଳୀୟ ସମାବେଶରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ରାଜ୍ୟର ଜନଜାତିଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଦେଉଥିବା ଅର୍ଥ ରାଜ୍ୟ ସରକାର  ଖର୍ଚ୍ଚ କରୁ ନାହାନ୍ତି । ନିର୍ବାଚନକୁ ଅପେକ୍ଷା ନକ ରି ଏହି ଅର୍ଥକୁ ଲୋକମାନଙ୍କ କଲ୍ୟାଣ ଲାଗି ଖର୍ଚ୍ଚ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ ଦେଇଛନ୍ତି  । ଆଦିବାସୀଙ୍କ ବିକାଶ ଲାଗି କେନ୍ଦ୍ର ସରକାର ଓଡ଼ିଶାକୁ ୪୦୦୦କୋଟି ଟଙ୍କା ଦେଇସାରିଛନ୍ତି । ଏହି ଟଙ୍କା ଆଦିବାସୀ ଟଙ୍କା, ଓଡ଼ିଶା ଲୋକଙ୍କ ଟଙ୍କା । ଖଣି ଅଂଚଳରେ ବିକାଶ ଲାଗି ଏହି ଅର୍ଥ ଦିଆଯାଇଛି । ମାତ୍ର ରାଜ୍ୟ ସରକାର ଏହାର ନଗଣ୍ୟ ଅଂଶ ଏଯାବତ୍ ଖର୍ଚ୍ଚ କରିପାରିନାହାନ୍ତି । ଏଠିକାର ସରକାର କ’ଣ କରୁଛନ୍ତି? ସରକାର ଏଠି ଶୋଇ ରହିଛି । ଏହି ଅର୍ଥର ସଦୁପଯୋଗ ଲୋକଙ୍କର ଅଧିକାର । ତେଣୁ ଏହାକୁ ତୁରନ୍ତ ଖର୍ଚ୍ଚ କରନ୍ତୁ । କେନ୍ଦ୍ର ସରକାର ଦେଇଥିବା ଏହି ଅର୍ଥ ଆଦିବାସୀଙ୍କ ଅଧିକାରର ଅର୍ଥ । ରାଜ୍ୟ ସରକାର ଗରିବ ଆଦିବାସୀଙ୍କ ଅଧିକାରରୁ ସେମାନଙ୍କୁ ବଂଚିତ ନ କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

ସେ ଆହୁରି କହିଥିଲେ ଯେ ସବକା ସାଥ ସବକା ବିକାଶରେ ଆଦିବାସୀ ଅଂଚଳରେ ଥିବା ଭାଇ ଭଉଣୀଙ୍କୁ  ଫୋକସ କରାଯାଉଛି । ମେକ ଇନ ଇଣ୍ଡିଆ ସାରା ବିଶ୍ୱରେ ପ୍ରଶଂସାର ପାତ୍ର ହୋଇଛି । ଜିଲ୍ଲା ମିନେରାଲ ଫଣ୍ଡର ଲାଭ ଅଂଚଲବାସୀଙ୍କୁ ମିଳୁଛି । ପୂର୍ବ ସରକାର ସ୍ଥାନୀୟ ଲୋକଙ୍କ ଚିନ୍ତା କରୁ ନଥିଲେ । କିନ୍ତୁ ଏନଡିଏ ସରକାର ଏ ଦିଗରେ ସଜାଗ ଅଛନ୍ତି ।  ଓଡିଶା ସୂର୍ଯ୍ୟଦେବଙ୍କ ଭୂମି ।  ଓଡିଶାବାସୀଙ୍କ ଭଲ ପାଇବା ତାଙ୍କୁ ଏଠାକୁ ବାରମ୍ବାର ଟାଣି ଆଣିଛି । ମାସକ ମଧ୍ୟରେ ୨୦ହଜାର କୋଟି ଟଙ୍କାର ପ୍ରକଳ୍ପ ରାଜ୍ୟକୁ ପ୍ରଦାନ କରାଯାଇଛି । ଭାରତ ସରକାର ବହୁତ କମ ସମୟ ମଧ୍ୟରେ ଏସବୁ ପରିଯୋଜନାର ଶିଳାନ୍ୟାସ ଏବଂ ଉଦଘାଟନ କରାଯାଇଛି । ଯାହା ଅକଳ୍ପନୀୟ । ଏହା ରାଜ୍ୟରେ ନୂତନ ରୋଜଗାର ସୃଷ୍ଟି କରିବ । ସେହିପରି ଜ୍ଞାନବିଜ୍ଞାନ କ୍ଷେତ୍ରରେ ଭାରତ ଶ୍ରେଷ୍ଠ  । ଏହାକୁ ଆଗକୁ ନେବାକୁ ପଡିବ । ଓଡିଶୀ ନୃତ୍ୟ, ଓଡିଶା ଭାଷାର କାବ୍ୟ, ସାହିତ୍ୟ, ନୃତ୍ୟଗୀତ ଅଦ୍ଭୁତ ଅଟେ  । ବଲାଙ୍ଗିରର ଚଉଷଠି ଯୋଗିନୀ, ଲିଲିଗୁଡ, ବୌଦ୍ଧ ନୀଳମାଧବ, କପିଳେଶ୍ୱର, ସିଦେ୍ଧଶ୍ୱର ଏହାର ଉଦାହରଣ । ବିଶ୍ୱର ପ୍ରାଚୀନ ସଭ୍ୟତା ମଧ୍ୟରୁ ଓଡିଶା ଅନ୍ୟତମ । ଏନଡିଏ ସରକାର ଆସିବା ପରେ ଦେଶର ଚୋରାଇ କରି ନିଆଯାଇଥିବା ମୂର୍ତିକୁ ପୁନଶ୍ଚ ଫେରାଇ ଆଣିବା ନେଇ ବ୍ୟବସ୍ଥା ହୋଇଛି । କିନ୍ତୁ ପୂର୍ବ ସରକାର ଏ ଦିଗରେ ସମ୍ବେଦନଶୀଳ ନଥିଲେ ।

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡିଶା ସମେତ ପୂର୍ବ ଭାରତରେ ରେଳବାଇର ବିକାଶ କେନ୍ଦ୍ରର ଲକ୍ଷ୍ୟ । ଯାହା ୨୦ହଜାର କୋଟିରୁ ଅଧିକ । ଗତ ୟୁପିଏ ସରକାର ତୁଳନାରେ ଏନଡିଏ ସରକାର ଓଡିଶାକୁ ପ୍ରାଧାନ୍ୟ ଦେଇଛନ୍ତି । ପୂର୍ବ ସରକାର ଠାରୁ ୫ ଗୁଣା ଅଧିକ ଅର୍ଥ ଦେଇଛନ୍ତି । ୟୁପିଏକୁ ଏହା କରିବା ପାଇଁ ଆହୁରି ୨୫ ବର୍ଷ ଲାଗିଯାଇଥାନ୍ତ । । ରେଳ ଲାଇନ ବିଛାଇବାରେ ମଧ୍ୟ ତିନିଗୁଣା ବେଗରେ କାମ କରୁଛନ୍ତି । ଏହି ରେଳ ଲାଇନ ହାୱଡା ହାଇଦ୍ରାବାଦ  ଯାଏଁ ବୃଦ୍ଧି ପାଇବ । ରାଜ୍ୟର ପ୍ରାକୃତିକ ବିକାଶରେ ଏହା ସହାୟକ ହେବ । କୃଷକଙ୍କୁ ଲାଭ ମିଳିବ । ଅନେକ ନୂତନ ବଡ ଉଦ୍ୟୋଗ ପ୍ରତିଷ୍ଠା  ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଗତ ଚାରି ବର୍ଷରେ ଏନଡିଏ ସରକାର ଦେଶରେ ୬କୋଟିରୁ ଅଧିକ ଫର୍ଜି ରାସନ କାର୍ଡ, ଗ୍ୟାସ କନେକ୍ସନ, ପେନସନଧାରୀଙ୍କୁ ଚିହ୍ନଟ କରିଛନ୍ତି । କେନ୍ଦ୍ର ସରକାର ଗରୀବଙ୍କ ପାଇଁ ଦୁଇ ଟଙ୍କାରେ ଗହମ ପ୍ରଦାନ କରୁଛନ୍ତି । ୩୦, ୩୨ ଟଙ୍କାରେ କିଣିଥିବା ଚାଉଳ ଭାରତ ସରକାର ଗରୀବଙ୍କୁ କେବଳ ୩ଟଙ୍କାରେ ଦେଉଛନ୍ତି । ପୂର୍ବରୁ ଏତେ ସବୁ ଟଙ୍କା ଯେଉଁ ମାନଙ୍କ ପକେଟକୁ ଯାଉଥିଲା ସେମାନେ ମୋ ଉପରେ ରାଗୁଛନ୍ତି, ଗାଳି କରୁଛନ୍ତି । ଏହି ପନ୍ଥା ବନ୍ଦ ହେବା ଆବଶ୍ୟକ, ଗରୀବଙ୍କୁ ସେମାନଙ୍କ ହକ ମିଳିବା ଦରକାର । ଏହି ଅସାଧୁଙ୍କୁ ଜେଲ ପଠାଯିବା ଦରକାର । ଏ ଦିଗରେ ଫର୍ଜି ନାମକୁ ହଟାଇବା ପାଇଁ ସମସ୍ତ କାର୍ଡର ଡିଜିଟାଲାଇଜେସନ କରାଯାଇଛି । ୯୦ହଜାର କୋଟି ଟଙ୍କାର ଅର୍ଥ ଚୋରଙ୍କ ପକେଟକୁ ଯିବାକୁ ରୋକା ଯାଇଛି । ସେମାନେ ଏବେ ଶତ୍ରୁ ପାଲଟି ଯାଇଛନ୍ତି ।

ସଂରକ୍ଷଣକୁ ନେଇ ମୋଦି ନିଜର ପ୍ରତିକ୍ରିୟା ରଖିଛନ୍ତି । ଏସଟି, ଏସସିଙ୍କ ହକକୁ ନଛଡାଇ ଗରୀବ ସାଧାରଣଙ୍କୁ ଆରକ୍ଷଣ ଦିଆଯାଇଛି ।  ଯାହା ଓଡିଆ ଗରୀବଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି । ଖେଳକୁଦରେ ଦେଶର ପାଦ ଆଗକୁ ବଢୁଛି । ଏଥିରେ ଆଦିବାସୀ ଅଂଚଳର ଲୋକଙ୍କ ସହଯୋଗ ରହିଛି । ଓଡିଶା ଦେଶକୁ ଅନେକ ଖେଳାଳି ଦେଇଛି । ଯାହା ବହୁତ ଗୌରବର କଥା । ନୂଆ ଭାରତ ଏବଂ ଓଡିଶା ସମୃଦ୍ଧ ହେବା ଆବଶ୍ୟକ । ଏଥିପାଇଁ ନିରନ୍ତର ପ୍ରୟାସ ଆବଶ୍ୟକ  ବୋଲି ସେ କହିଥିଲେ ।

ଏହି ଅବସରରେ ମୋଦି ମା ସମଲେଇ, ପ୍ରଭୁ ଜଗନ୍ନାଥ, ମା ପାଟଣେଶ୍ୱରୀ, ମା ରାମଚଣ୍ଡୀ, ମା ବିନ୍ଧ୍ୟବାସୀନୀ, ଶ୍ରୀ ହରିଶଙ୍କର, ଶ୍ରୀ ନୃସିଂହନାଥଙ୍କୁ ମନେ ପକାଇବା ସହ ମାଟିର ବରପୁତ୍ର ବୀର ସୁରେନ୍ଦ୍ର ସାଏ, ସନ୍ଥ କବି ଭୀମ ଭୋଇ, ସ୍ୱଭାବ କବି ଗଙ୍ଗାଧର ମେହେର, ମାଧବ ସିଂ ଆଦିଙ୍କୁ ପ୍ରଣାମ ଜଣାଇଛନ୍ତି । ଏପରିକି ନକ୍ସଲ ଆକ୍ରମଣରେ ସହିଦ ହୋଇଥିବା ଦୂରଦର୍ଶନ ସାମ୍ବାଦିକ ଅଚୁ୍ୟତାନନ୍ଦଙ୍କୁ ସେ ସ୍ମରଣ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍ , ଧର୍ମେନ୍ଦ୍ର ପ୍ରଧାନ , ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା , ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ରବି ନାଏକ , ପ୍ରଦୀପ ପୁରୋହିତ , ରାଧାରାଣୀ ପଣ୍ଡା , ସୁରେଶ ପୁଜାରୀ ପ୍ରମୁଖ ଉପସ୍ଥିତ ଥିଲେ ।

ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଏଥର ସମ୍ଭାଳ ବ୍ୟୁରୋ (ବଲାଙ୍ଗୀର) – ବଲାଙ୍ଗୀରରେ ୧୫୪୫ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ, ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସଂକ୍ଷିପ୍ତ ଓଡ଼ିଶା ଗସ୍ତରେ ଆସି ୧୫୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି । ଏହିସବୁ ପ୍ରକଳ୍ପ ଶିକ୍ଷା, ସଂସ୍କୃତି, ରେଳପଥ, ଭିତିଭୂମି ଏବଂ ସହଜ ଜୀବନଧାରଣ ସଂକ୍ରାନ୍ତ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ।

ମଙ୍ଗଳବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ବଲାଙ୍ଗୀରଠାରେ ଏକ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ଆନୁଷ୍ଠାନିକ  ଭାବେ ଝାରସୁଗୁଡ଼ା ବହୁମୁଖୀ ଲଜିଷ୍ଟିକ୍ ପାର୍କ, ଝାରସୁଗୁଡ଼ା-ବିଜୟନଗରମ୍ ରେଳଲାଇନ୍ ଏବଂ ସମ୍ବଲପୁର-ଅନୁଗୋଳ ରେଳ ଲାଇନ୍ର ବିଦୁ୍ୟତିକରଣ, ବରପାଲି-ଡୁଙ୍ଗୁରିପାଲି ଏବଂ ବଲାଙ୍ଗୀର-ଦେଓଗାଁ ରେଳପଥର ଦୋହରୀକରଣ ତଥା ଥେରୁବାଲି- ସିଙ୍ଗାପୁରରୋଡ ଷ୍ଟେସନ ମଧ୍ୟରେ ୫୮୮ ନମ୍ବର ବ୍ରିଜ୍ର ଲୋକାର୍ପଣ କରିଛନ୍ତି । ସେହିଭଳି ସୁବର୍ଣ୍ଣପୁରଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା  ଲାଗି ନିର୍ମାଣ କାର୍ଯ୍ୟର ଆଧାରଶିଳା ରଖିଛନ୍ତି ।ଏହାଛଡ଼ା ରାୟଗଡ଼ାସ୍ଥିତ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗୀର-ବିଛୁପାଲି ସେକ୍ସନ ରେଳଲାଇନ୍, ବଲାଙ୍ଗୀର-ବିଛୁପାଲି ମଧ୍ୟରେ ନୂତନ ରେଳ ଚଳାଚଳକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ସେହିଭଳି ବରଗଡ଼, ବଲାଙ୍ଗୀର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଫୁଲବାଣୀ ଏବଂ ପୁରୀ ଡାକଘରଗୁଡ଼ିକରେ ପାସ୍ପୋର୍ଟ ସେବାକେନ୍ଦ୍ରର ଶୁଭ ଉଦ୍ଘାଟନ କରିଛନ୍ତି । ଅଧିକନ୍ତୁ, ପ୍ରଧାନମନ୍ତ୍ରୀ ଏହି ଗସ୍ତକ୍ରମରେ କେତେକ ସାଂସ୍କୃତିକ ମହତ୍ୱ ବହନ କରୁଥିବା ପ୍ରକଳ୍ପକୁ ମଧ୍ୟ ଉଦ୍ଘାଟନ କରିଛନ୍ତି । ସେଥିମଧ୍ୟରେ ରହିଛି – ବୌଦ୍ଧ ଜିଲ୍ଲାର ନୀଳମାଧବ ଓ ସିଦେ୍ଧଶ୍ୱର ମନ୍ଦିର ଏବଂ ପଶ୍ଚିମ ସୋମନାଥ ମନ୍ଦିର ସମୂହ, ବଲାଙ୍ଗୀର ଜିଲ୍ଲାର ରାଣୀପୁର-ଝରିଆଳ ଐତିହ୍ୟ ସଂକୁଳ ଏବଂ କଳାହାଣ୍ଡି ଜିଲ୍ଲାର ଅସୁରଗଡ଼ ଦୁର୍ଗସ୍ଥିତ ପ୍ରାଚୀନ ଐତିହ୍ୟ ସ୍ଥଳୀର ବିକାଶ,ସଂରକ୍ଷଣ ଓ ସୌନ୍ଦର୍ଯ୍ୟବର୍ଦ୍ଧନ କାର୍ଯ୍ୟକୁ ଶୁଭାରମ୍ଭ କରିଛନ୍ତି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିଅମ, ପ୍ରାକୃତିକ ବାଷ୍ପ, ଦକ୍ଷତା ବିକାଶ ତଥା ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ , ବିରୋଧୀ ଦଳ ନେତା ତଥା ବିଧାୟକ ନରସିଂହ ମିଶ୍ର, ସାଂସଦ କଳିକେଶ ନାରାୟଣ ସିଂହଦେଓ ,ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ  ପ୍ରମୁଖ ଯୋଗ ଦେଇଥିଲେ ।