ପରଦାକୁ ଆସିଲା ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’

ଏଥର ସମ୍ଭାଳ ବ୍ୟୁରୋ (ମୁମ୍ବଇ) – ଅନୁପମ ଖେର ଅଭିନୀତ ଚଳଚ୍ଚିତ୍ର ‘ଦି ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ ଶୁକ୍ରବାର(୧୧ଜାନୁଆରୀ) ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରର କାହାଣୀ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ରାଜନୈତିକ ଜୀବନୀ ଉପରେ ଆଧାରିତ। ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ସଞ୍ଜୟ ବାରୁଙ୍କ ଦ୍ବାରା ଲିଖିତ ପୁସ୍ତକକୁ ଆଧାର କରି ଏହି ଚଳଚ୍ଚିତ୍ର ନିର୍ମାଣ କରାଯାଇଛି। ଚଳଚ୍ଚିତ୍ରରେ ମନମୋହନ ସିଂହଙ୍କ ଭୂମିକାରେ ଲୋକପ୍ରିୟ ଅଭିନେତା ଅନୁପମ ଖେର ଅଭିନୟ କରିଥିବା ବେଳେ ଅକ୍ଷୟ ଖନ୍ନାଙ୍କୁ ସଞ୍ଜୟ ବାରୁଙ୍କ ଭୂମିକାରେ ଦେଖିବାକୁ ମିଳିଛି। ବିଜୟ ରତ୍ନାକର ଗୁଟ୍ଟେ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ବହନ କରିଛନ୍ତି। ଅନୁପମ ଓ ଅକ୍ଷୟଙ୍କ ବ୍ୟତୀତ ଚଳଚ୍ଚିତ୍ରରେ ସୁଜୈନ ବର୍ନଟ-ସୋନିଆ ଗାନ୍ଧୀ, ଅର୍ଜନ ମାଥୁର-ରାହୁଲ ଗାନ୍ଧୀ, ଆହାନା କୁମରା-ପ୍ରିୟଙ୍କା ଗାନ୍ଧୀ, ବିମଳ ବର୍ମା-ଲାଲୁ ପ୍ରସାଦ ଯାଦବ, ଅବତେର ସୈନୀ-ଲାଲ କୃଷ୍ଣ ଆଡ଼ୱାନୀ, ଅନିଲ ରସ୍ତୋଗୀ-ଶିବରାଜ ପାଟିଲଙ୍କ ଭୂମିକାରେ ନଜର ଆସିଛନ୍ତି। ଏହି ଚଳଚ୍ଚିତ୍ରକୁ ନେଇ ଦୀର୍ଘଦିନ ହେବ ବିବାଦ ଲାଗି ରହିଛି। ଏପରି ପରିସ୍ଥିତିରେ ଚଳଚ୍ଚିତ୍ର ବକ୍ସ ଅଫିସରେ ଭଲ ବ୍ୟବସାୟ କରିବ ବୋଲି ଆଶା କରାଯାଉଛି। ପ୍ରଥମ ଦିନରେ ଚଳଚ୍ଚିତ୍ର ୩ ରୁ ୪କୋଟି ଆୟ କରିବାର ଆକଳନ କରାଯାଉଛି।

ଗୁଣପୁର ଉପଖଣ୍ଡ ସାଂସ୍କୃତିକ ଉତ୍ସବ “ ଇଡିତାଲ ” ଉଦଦ୍ଘାଟିତ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ରାୟଗଡ଼ ଜିଲ୍ଲା ଗୁଣପୁର ସଦର ମହକୁମା ଠାରେ ଗୁଣପୁର ଉପଖଣ୍ଡ ର ଲୁକ୍କାୟିତ ପ୍ରତିଭା ର ପରି ପ୍ରକାଶ ଓ ବିକାଶ ନିମନ୍ତେ ଉପଖଣ୍ଡ ସ୍ଥର ରେ ଚଇତି ସାଂସ୍କୃତିକ ଉତ୍ସବ ଇଡିତାଲ ୨୦୧୮ – ୧୯ ମହା ସମାରୋହ ରେ ଉଦଦ୍ଘାଟିତ ହୋଇଯାଇଛି । ଆଜି ତା ୧୧.୦୧.୨୦୧୯ ରିଖ ଠାରୁ ତା ୧୩.୦୧.୨୦୧୯ ରିଖ ପର୍ଯ୍ୟନ୍ତ ସ୍ଥାନୀୟ ନୂଆ ବସ ଷ୍ଟାଣ୍ଡ ସ୍ଥିତ ସାଂସ୍କୃତିକ ମଣ୍ଡପ ରେ ପ୍ରଦତ୍ତ କାର୍ଯ୍ୟସୂଚୀ ଅନୁଯାଇ ପାଳିତ ହେବାକୁ ଯାଉଛି । ଗୁଣୁପୁର ଉପଖଣ୍ଡ ର ସଂସ୍କୃତି କୁ ବିଶ୍ଵ ଦରବାର ରେ ପହଞ୍ଚାଇବା ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ବିଭିନ୍ନ ବିଭାଗର ଉନ୍ନୟନ ପ୍ରଦର୍ଶନୀ ଓ ମିନା ବଜାର ର ବ୍ୟବସ୍ଥା ଉତ୍ସବ ପାଳନ କମିଟି ଦ୍ଵାରା କରାଯାଇଛି । ଆଜି ସକାଳ ୧୦.୦୦ ଘଣ୍ଟା ସମୟ ରେ କଳସ ଶୋଭାଯାତ୍ରା ରେ ସ୍ଥାନୀୟ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରୁ ଆରମ୍ଭ ହୋଇ ସାଂସ୍କୃତିକ ମଣ୍ଡପ କୁ ଆସିଥିଲା । ମନ୍ଦିର ଠାରେ ପୂଜା କାର୍ଯ୍ୟ ଶେଷ ହେବ ପରେ ଉତ୍ସବ ପାଳନ କମିଟି ଅଧ୍ୟକ୍ଷ ତଥା ଗୁଣୁପୁର ଉପ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରମ ବନ୍ଧୋର ପ୍ରଭୁ ଙ୍କ ଆଜ୍ଞା ମାଳ ଆଣିବା ସହ କଳସ ଯାତ୍ରା ର ଶୁଭ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ରେ ଗୁଣପୁର ଆଇଟିଡ଼ିଏ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ଗୋରାଚାନ୍ଦ ଗମାଙ୍ଗ , ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ଗାୟତ୍ରୀ ଦେବୀ , ଗୁଣପୁର ତହସିଲଦାର ସୁଶ୍ରୀ ନମ୍ରତା ମୋଦୀ , ଗୁଣପୁର ର ବୁଦ୍ଧିଜୀବୀ , ସମସ୍ତ ରାଜନୈତିକ ଦଳ ର ନେତା ଏବଂ ସମସ୍ତ ସାମ୍ବାଦିକ ଉପସ୍ଥିତ ରହିଥିଲେ ।

ଶୋଭାଯାତ୍ରା ରେ ଆଦିବାସୀ ପରମ୍ପରା ର ନୃତ୍ୟ , ଘୁମୁରା ନାଚ , ସମ୍ବଲପୁରୀ ଢୋଲ , କଣ୍ଢେଇ ନାଚ ଏବଂ ଡିଜେ ସହକାରେ ବାଣ ର ରୋଷଣୀ ସହ ଜନସାଧାରଣ ନାଚ ଗୀତ ରେ ବିଭୋର ହୋଇ ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ ।

ବିସିସିଆଇ : ବିଦେଶରେ ନୁହେଁ ଭାରତରେ ଖେଳାଯିବ ଆଇପିଏଲ ।

ଏଥର ସମ୍ଭାଳ ବ୍ୟୁରୋ (ଦିଲ୍ଲୀ) : ବିଦେଶରେ ନୁହେଁ ଭାରତରେ ହିଁ ଇଣ୍ଡିଆନ ପ୍ରିମିୟର ଲିଗ୍‍(ଆଇପିଏଲ) ଖେଳାଯିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ମଙ୍ଗଳବାର ଘୋଷଣା କରିଛନ୍ତି। ମାର୍ଚ୍ଚ ୨୩ରୁ ଆଇପିଏଲ ସଂସ୍କରଣ-୧୨ର ଆରମ୍ଭ କରାଯିବ। ସୁପ୍ରିମକୋର୍ଟ ଦ୍ୱାରା ନିଯୁକ୍ତ କରାଯାଇଥିବା ସିଓଏ ସମିତି ଏହି ନିଷ୍ପତ୍ତି ନେଇଛନ୍ତି।
ଆଇପିଏଲ ଖେଳାଯିବାକୁ ଥିବା ସମସ୍ତ ରାଜ୍ୟରେ କଥାବାର୍ତ୍ତା କରାଯିବା ପରେ ଭାରତରେ ଖେଳା ଯିବାକୁ ନିଷ୍ପତ୍ତି ନିଆଯାଇଛି।
ପୂର୍ବରୁ ଆଇପିଏଲ-୧୨କୁ ଭାରତରେ ଖେଳା ନ ଯିବା ପାଇଁ ଆଲୋଚନା କରାଯାଉଥିଲା। ସାଧାରଣ ନର୍ବାଚନକୁ ଦୃଷ୍ଟିରେ ରଖି ଅନ୍ୟ ଦେଶରେ ଖେଳାଯିବା ନେଇ ଆଂଶକା କରାଯାଉଥିଲା। କିନ୍ତୁ ବିସିସିଆଇ ଏଥିରେ ପୁର୍ଣ୍ଣଛେଦ ପକାଇଛନ୍ତି।
୨୦୧୯ ଆସିସିଆଇ ବିଶ୍ୱକପ ଖେଳାଯିବ। ଯାହାକୁ ନେଇ ଆଇପିଏଲ ବିଦେଶରେ ଖେଳାଯିବ କି ନାହିଁ ଆଲୋଚନା କରାଯାଇଥିଲା। ମେ ୩୦ରୁ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଇଂଲଣ୍ଡରେ ଆୟୋଜନ କରାଯିବ। ଲୋଧା ସମିତି ଅନୁସାରେ ଆଇପିଏଲ ଏବଂ କୌଣସି ଆନ୍ତର୍ଜାତିକ ଖେଳ ମଧ୍ୟରେ ୧୫ ଦିନ ବିଶ୍ରାମ ନେବା ଦରକାର। ତେଣୁ ଆଇପିଏଲ ଅପ୍ରିଲ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇ ମେ ମାସ ଶେଷ ସୁଦ୍ଧା ସମାପ୍ତ ହେବ। ସୂଚନାଯୋଗ୍ୟ ପୂର୍ବରୁ ଲୋକସଭା ନିର୍ବାଚନ ପାଇଁ ଆଇପିଏଲ ମ୍ୟାଚ ବିଦେଶରେ ହୋଇଥିଲା। ୨୦୦୯ରେ ଦକ୍ଷିଣଆଫ୍ରିକା ଓ ୨୦୧୪ରେ ୟୁଏଇରେ ଖେଳାଯାଇଥିଲା।

ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମା ।

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) : ସିବିଆଇ ନିର୍ଦ୍ଦେଶକ ପଦରୁ ହଟିଲେ ଆଲୋକ ବର୍ମାଙ୍କୁ ଅବ୍ୟାହତି ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସିଲେକ୍ଟ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଜଷ୍ଟିସ ସିକ୍ରି ଓ ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ ଖଡଗେ ବୈଠକରେ ଉପସ୍ଥିତ ଥିଲେ। ଏବେ ଶ୍ରୀ ବର୍ମାଙ୍କୁ ଅଗ୍ନିଶମ ବିଭାଗ ମହାନିର୍ଦ୍ଦେଶକ ଦାୟିତ୍ବ ପ୍ରଦାନ କରାଯାଇଛି।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟ ରାୟ ପରେ ସିବିଆଇ ନିର୍ଦେଶକ ଆଲୋକ ବର୍ମା ବୁଧବାର କାର୍ଯ୍ୟରେ ଯୋଗ ଦେଇଥିଲେ। ଦୀର୍ଘ ୭୭ଦିନ ପରେ ସେ କାର୍ଯ୍ୟାଳୟକୁ ଫେରିଥିଲେ। ବର୍ମା ଓ ସ୍ବତନ୍ତ୍ର ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ବିବାଦ କାରଣରୁ ସରକାର ଉଭୟଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇ ଦେଇଥିଲେ। ସୁପ୍ରିମକୋର୍ଟ ମଙ୍ଗଳବାର ସରକାରଙ୍କ ନିର୍ଦେଶକୁ ବାତିଲ କରି ବର୍ମାଙ୍କୁ ତାଙ୍କ ପଦକୁ ଫେରିବା ପାଇଁ ରାୟ ଦେଇଥିଲେ।

ଗୋଖାଦ୍ୟ ଦୁର୍ନୀତି: ଲାଲୁଙ୍କ ଜାମିନ ଆବେଦନ କୁ ଖାରଜ ।

ଏଥର ସମ୍ଭାଳ ବ୍ୟୁରୋ (ରାଞ୍ଚି) : ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତିରେ ଦୋଷୀ ସାବ୍ୟସ୍ତ ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଜାମିନ ଆବେଦନକୁ ଗୁରୁବାର ଝାଡଖଣ୍ଡ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ତିନିଟି ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ଡିସେମ୍ବରରୁ ଜେଲ୍‌ ଦଣ୍ଡ ଭୋଗୁଛନ୍ତି। ଏହି ତିନିଟି ମାମଲାରେ ଜାମିନ ପାଇଁ ଲାଲୁ ଆବେଦନ କରିଥିଲେ। ଲାଲୁଙ୍କ ଜାମିନ ଆବେଦନକୁ ବିଚାରପତି ଅର୍ପେଶ କୁମାର ସିଂହ ଅଗ୍ରାହ୍ୟ କରିଦେଇଛନ୍ତି। ଲାଲୁଙ୍କ ପାଇଁ ବରିଷ୍ଠ ଓକିଲ କପିଲ ସିବଲ ଯୁକ୍ତି ଉପସ୍ଥାପନ କରିଥିଲେ।

ଆଜି ଠାରୁ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ।

ଏଥର ସମ୍ଭାଳ ବ୍ୟୁରୋ (ବରଗଡ଼) : ଆଜିଠାରୁ ଆରମ୍ଭ ହେବ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ଏହା ସହ ବରଗଡ଼ ସହର ମଥୁରାନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରିତ ହୋଇଯିବ। ସେହିପରି ମଥୁରାର ସିଂହାସନ ଦଖଲ ପରେ ମହାରାଜା କଂସଙ୍କ ରାଜତ୍ୱରେ ଥରହର ହୋଇପଡିବ ତ୍ରିଭୁବନ। ଏଗାର ଦିନର ଏହି ମହାନାଟକର ଶୁକ୍ରବାର ଉଦଘାଟନକୁ ଅଞ୍ଚଳବାସୀ ଚାହିଁ ରହିଛନ୍ତି। ଅପରପକ୍ଷରେ ଜିଲା ପ୍ରଶାସନ ତଥା ଧନୁଯାତ୍ରା ମହୋତ୍ସବ ସମିତି ତରଫରୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ୭୦ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ ହାଟପଦାଠାରେ ମହାରାଜା କଂସଙ୍କ ସୃଦୃଶ୍ୟ ରାଜଦରବାର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ଉଚ୍ଚଶିକ୍ଷା ବିଭାଗର ନୂଆ ଯୋଜନା ‘ଅନ୍‌ ଟାଇମ୍‌ ଗ୍ରାଜୁଏସନ’ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) : ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନୂଆ ଯୋଜନା ‘ଅନ୍‌ ଟାଇମ୍‌ ଗ୍ରାଜୁଏସନ୍‌(ଓଟିଜି) ୨୦୧୯-୨୦ ଶିକ୍ଷାବର୍ଷରୁ କାର୍ଯ୍ୟକାରୀ ହେବ। ଏହି ଯୋଜନା ଅନୁଯାୟୀ ଛାତ୍ରଛାତ୍ରୀସବୁ ବିଶ୍ଵବିଦ୍ୟାଳୟ ଏକା ସମୟରେ ଗ୍ରାଜୁଏସନ୍‌ ସାର୍ଟିଫିକେଟ୍ ପାଇପାରିବେ। ଏହାଦ୍ବାରା ରାଜ୍ୟରେ ପଢୁଥିବା ପ୍ରାୟ ୪ଲକ୍ଷ ଛାତ୍ରଛାତ୍ରୀ ଲାଭବାନ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ସବୁ ବିଶ୍ଵବିଦ୍ୟାଳୟର ଗ୍ରାଜୁଏସନ୍‌ ଡିଗ୍ରୀର ଷଷ୍ଠ ସେମିଷ୍ଟାର ଏପ୍ରିଲ୍‌ ସୁଦ୍ଧା ଶେଷ ହେବ। ସେହିପରି ପଞ୍ଚମ ସେମିଷ୍ଟାର ପରୀକ୍ଷାରେ ଅକୃତକାର୍ଯ୍ୟ ହୋଇଥିବା କିମ୍ବା ବ୍ୟାକ୍‌ପେପର୍‌ ପାଇଁଥିବା ଛାତ୍ରଛାତ୍ରୀଙ୍କୁ ଏପ୍ରିଲ୍‌ ମାସରେ ପରୀକ୍ଷା କରାଯିବ। ଉଭୟ ଷଷ୍ଠ ଓ ବ୍ୟାକ୍‌ପେପର ପରୀକ୍ଷାର ଉତ୍ତରଖାତା ମେ’ ତୃତୀୟ ସପ୍ତାହ ସୁଦ୍ଧା ମୂଲ୍ୟାୟନ କରାଯିବ ଏବଂ ଶେଷ ସପ୍ତାହରେ ଫଳ ପ୍ରକାଶ ପାଇବ। ଏହାଦ୍ବାରା ଛାତ୍ରଛାତ୍ରୀ ରାଜ୍ୟ ତଥା ଦେଶର ବିଭିନ୍ନ ବିଶ୍ଵବିଦ୍ୟାଳୟରେ ଉଚ୍ଚଶିକ୍ଷା ପାଇଁ ପ୍ରବେଶିକା ପରୀକ୍ଷାରେ ଅଂଶଗ୍ରହଣ କରିପାରିବେ ଏବଂ ସେଠାରେ ନାମଲେଖାଇପାରିବେ। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଏବଂ ଫଳ ପ୍ରକାଶ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଫକିରମୋହନ, ଉତ୍ତର ଓଡ଼ିଶା, ରମାଦେବୀ, ରେଭେନ୍ସା, ଖଲିକୋଟ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କୁ ନିର୍ଦେଶ ଦିଆଯାଇଛି। ଏସବୁ ବିଶ୍ଵବିଦ୍ୟାଳୟ ଅଧୀନରେ ୯୮୫ଟି ଅନୁବନ୍ଧିତ କଲେଜ ରହିଥିବାବେଳେ ପ୍ରତିବର୍ଷ ୨,୩୫,୨୬୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହେଉଛନ୍ତି। ସେହିପରି ବିପିୟୁଟି, ଭିସୁଟ୍, ଶ୍ରୀଜଗନ୍ନାଥ, ଉତ୍କଳ ସଂସ୍କୃତି ବିଶ୍ଵବିଦ୍ୟାଳୟ ସମେତ ଡିମ୍‌ଡ୍ ଶିକ୍ଷା ଓ ଅନୁସନ୍ଧାନ, କିଟ୍ ଓ କିସ୍‌ ବିଶ୍ଵବିଦ୍ୟାଳୟ ଗୁଡ଼ିକ ମଧ୍ୟ ଏହି ନିୟମ କାର୍ଯ୍ୟକାରୀ କରିବାକୁ ଚିଠି ଲେଖାଯିବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି।

ଏସବୁ ବିଶ୍ବବିଦ୍ୟାଳୟରୁ ପ୍ରତିବର୍ଷ ପ୍ରାୟ ଏକ ଲକ୍ଷ ୮୦ହଜାରରୁ ଅଧିକ ଛାତ୍ରଛାତ୍ରୀ ସ୍ନାତକ ଡିଗ୍ରୀ ହାସଲ କରୁଛନ୍ତି।

ଆଜିର ରାଶିଫଳ ୧୧.୦୧.୨୦୧୯ ଶୁକ୍ରବାର ।

ମେଷ: ପରିବେଶ ଆପଣଙ୍କ ପାଇଁ ବିଷମ ହୋଇପାରେ। ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହେବ। ପାରିବାରିକ ସୁଖ, ଶାନ୍ତି, ଅବ୍ୟାହତ ରହିବ। ଆୟ ପରିମାଣ ବୃଦ୍ଧି ପାଇବ। ସାଧନାରେ ସିଦ୍ଧି ପ୍ରାପ୍ତ ହେବେ। ରାଜକୋଷ ଅର୍ଥ ମିଳିପାରେ।

ବୃଷ: ମାନସିକ ଶାନ୍ତି ହରାଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଶୁଭକର୍ମରେ ଉତ୍ସାହ ବୃଦ୍ଧି ପାଇବ। କାର୍ଯ୍ୟରେ ସଫଳତା ଲାଭ କରିବେ। ସରକାରୀ ଧନ ମିଳିପାରେ। ବହୁବିଧ ଧନ ଓ ଉତ୍ତମ ଗୁଣ ସମ୍ପନ୍ନ ହେବେ।

ମିଥୁନ: ସତର୍କତାର ଦିନ। ପ୍ରତିଯୋଗିତାରେ ବିଜୟୀ ହୋଇ ସୁଖ ଅନୁଭବ କରିବେ। ଘାତଚନ୍ଦ୍ର ଭୋଗହେତୁ ସ୍ୱାସ୍ଥ୍ୟହାନିର ଆଶଙ୍କା ଅଛି। ବିଭିନ୍ନ ସୂତ୍ରରୁ ଅର୍ଥ ମିଳିପାରେ। ଧନବାନ ହେବେ। ମନଭୁଲା ରୂପରେ ମହିଳାଙ୍କ ମନ ମୋହି ପାରନ୍ତି।

କର୍କଟ: କାର୍ଯ୍ୟରେ ବାଧା ଉପୁଜିପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ କ୍ଷେତ୍ରରେ ଭୁଲ ବୁଝାମଣା ଘଟିପାରେ। ଖର୍ଚ୍ଚାନ୍ତ ହେବେ। ବ୍ୟବସାୟରୁ ଲାଭ ମିଳିବ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ସତର୍କ ହେବେ।

ସିଂହ: ଯୋଗାଣ କାର୍ଯ୍ୟରେ ନିଜକୁ ହଜାଇ ଦେଇପାରନ୍ତି। ବନ୍ଧୁ ମିଳନ ଘଟିବାର ସମ୍ଭାବନା ଅଛି। ବସ୍ତ୍ର ଭୂଷଣ ଲାଭ ହେବାର ସୂଚନା ମିଳୁଛି। ଆଶା ଫଳବତୀ ହେବ। ପ୍ରୀତି ଲାଭ କରିପାରନ୍ତି। ଯଶସ୍ୱୀ ହେବେ।

କନ୍ୟା: ନିଜ ଉଦ୍ୟମରେ ଅଭାବ ମେଣ୍ଟାଇ ପାରନ୍ତି। ଆଦରଣୀୟ ହେବେ। କାର୍ଯ୍ୟରେ ସଫଳତା ମିଳିପାରେ। ଆର୍ଥିକ ଅଭିବୃଦ୍ଧି ଘଟିପାରେ। ପତ୍ନୀଙ୍କର ସ୍ୱାସ୍ଥ୍ୟ ହାନି ଘଟିପାରେ। ପ୍ରିୟଭାଷୀ, ଧନ ଓ ଯାନବାହନ ସୁଖ ମିଳିବ। ସୁବର୍ଣ୍ଣ ସମ୍ପଦ ମିଳିପାରେ।

ତୁଳା: ଗୃହ ଜଞ୍ଜାଳ ପାଇଁ ଚିନ୍ତିତ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବ। ଉତ୍ତମ ଭୋଜନରେ ତୃପ୍ତି ଲାଭ କରିବେ। ବିବାଦରେ ବିଜୟୀ ହୋଇ ସନ୍ତୁଷ୍ଟ ହୋଇପାରନ୍ତି। ଧର୍ମନୀତିକୁ ପ୍ରଧାନ୍ୟ ଦେବେ। ସନ୍ମମାର୍ଗୀ ହେବେ। କୃଷିକର୍ମରେ ଦକ୍ଷତା ପ୍ରତିପାଦନ କରିବେ।

ବିଛା: ଅଟକି ଥିବା କାର୍ଯ୍ୟ ଆଗକୁ ବଢ଼ିବ। ନିଜକୁ କଳହ ମୁକ୍ତ ରଖି ପାରିଲେ କାର୍ଯ୍ୟରେ ସଫଳ ହେବେ। ବହୁଭାଷୀ ହୋଇପାରନ୍ତି। ପ୍ରଚୁର ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନୋଜ୍ଞ ହେବେ। ବହୁ ବିଦ୍ୟା ପାରଙ୍ଗମ ହେବେ। ସୁଖୀ ହେବେ।

ଧନୁ: ସୁସ୍ଥ ଓ ନିରାମୟ ରହିବେ। ମାନସିକ ଶାନ୍ତି ମିଳିବ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିବେ। ଆମୋଦ-ପ୍ରମୋଦରେ ସମୟ କଟାଇ ପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଯଶସ୍ୱୀ ହୋଇପାରନ୍ତି। ସକଳ ଗୁଣଯୁକ୍ତ ଓ ସୁଖୀ ହୋଇପାରନ୍ତି।

ମକର: ମାନସିକ ସ୍ତରରେ ଉଦ୍‍ବେଗ ଜାତ ହୋଇପାରେ। ଆଶାବାଦୀ ହୋଇପାରନ୍ତି। ରୋଜଗାର ଊଣା ହେବ ନାହିଁ। ସରକାରୀ ସହଯୋଗ ଦ୍ୱାରା ଲାଭବାନ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଖ ମିଳିବ।

କୁମ୍ଭ: ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବ ଓ ଅଧିକ ଦାୟିତ୍ୱ ବହନ କରିପାରନ୍ତି। ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ରୁଚିକର ପ୍ରୀତି ଭୋଜନ ମିଳିପାରେ। ନୂଆ ବନ୍ଧୁଙ୍କ ସହିତ ସଂପର୍କ ସ୍ଥାପନ ହେବ। ପାରିବାରିକ ସୁଖ ମିଳିବ। ଆୟବୃଦ୍ଧିର ସୂଚନା ମିଳୁଛି।

ମୀନ: ମାନସିକ ସ୍ତରରେ ଦୁଶ୍ଟିନ୍ତା ବୃଦ୍ଧି ହୋଇପାରେ। ଅତ୍ୟଧିକ ବ୍ୟୟର ସମ୍ମୁଖୀନ ହୋଇପାରନ୍ତି। ମଧୁରଭାଷୀ ହେବେ। ସରଳ କଥାରେ ଲୋକଙ୍କୁ ଭୁଲାଇବାକୁ ଉଦ୍ୟମ ଚଳାଇବେ। ଚକ୍ଷୁରେ ପୀଡ଼ା ଅନୁଭବ କରିପାରନ୍ତି। ମିଶ୍ରିିତ ଫଳ ମିଳିବ।