ଗଡ଼ିଲାନି ବସ୍‌; ଦିନତମାମ ଯାତ୍ରୀ ହନ୍ତସନ୍ତ

ଖଣ୍ଡଗିରି: ଘରୋଇ ବସ୍‌ ମାଲିକ ସଂଘର ଧର୍ମଘଟ ଡାକରା ଯୋଗୁଁ ଆଜି ଦିନତମାମ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶହ ଶହ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଖାଇବା ପିଇବାଠାରୁ ବିଶ୍ରାମ ନେବା ପର୍ଯ୍ୟନ୍ତ ସବୁଥିରେ ଯାତ୍ରୀମାନେ ବଡ଼ ହୀନସ୍ତା ହୋଇଥିଲେ। ବସ୍‌ଷ୍ଟାଣ୍ଡରେ ଅଟକି ଯାଇଥିବା ସମସ୍ତ ଯାତ୍ରୀ ଦୂରଦୂରାନ୍ତରୁ ଆସିଥିବାରୁ ଦିନତମାମ୍‌ ଅପେକ୍ଷା କରି କରି ବଡ଼ କଷ୍ଟ ଭୋଗ କରିଥିଲେ। ଅବିଶ୍ରାନ୍ତ ଟ୍ରେନ୍‌ ଯାତ୍ରା ପରେ ପ୍ରବଳ ଗରମରେ ବସ୍‌ଷ୍ଟାଣ୍ଡରେ ଅଟକି ରହିବାର ଯନ୍ତ୍ରଣାରେ ସମସ୍ତେ ବଛଟପଟ ହୋଇଥିଲେ। ଧର୍ମଘଟ ବାବଦରେ ପୂର୍ବରୁ ସୂଚନା ଦିଆଯାଇଥିବାରୁ କୌଣସି ନିତିଦିନିଆ ଯାତ୍ରୀ ବସ୍‌ଷ୍ଟାଣ୍ଡରେ ନଥିଲେ। ଯେଉଁମାନେ ଥିଲେ ସେମାନେ ସମସ୍ତେ ରାଜ୍ୟ ବାହାରେ କାମ କରୁଥିବା ଯାତ୍ରୀ। ଏହି ଯାତ୍ରୀମାନେ ବସ୍‌ ଧର୍ମଘଟ ବାବଦରେ ଜାଣିନଥିବାରୁ ସମସ୍ୟାରେ ପଡ଼ିଥିଲେ। ସେମାନଙ୍କ ଭିତରେ ବହୁ ଯାତ୍ରୀ ନୟାଗଡ଼, ଦଶପଲ୍ଲା, ଗଣିଆ, କନ୍ଧମାଳ, ଝାରସୁଗୁଡ଼ା, ବଲାଙ୍ଗୀର, ଢେଙ୍କାନାଳ ଆଦି ଜିଲ୍ଲାର। ସମସ୍ତେ ଭୁବନେଶ୍ୱର ରେଳ ଷ୍ଟେସନ୍‌ରେ ଟ୍ରେନ୍‌ରୁ ଓହ୍ଲାଇ ଘରକୁ ଯିବା ପାଇଁ ବରମୁଣ୍ଡାକୁ ଆସି ବସ୍‌କୁ ଅପେକ୍ଷା କରିଥିଲେ। ହାଇଦ୍ରାବାଦ୍‌, ପୁନେ, ମୁମ୍ବାଇ, ବେଙ୍ଗାଲୁର୍‌ରେ କାମ କରୁଥିବା ବହୁ ଯୁବକ ଭୁବନେଶ୍ୱର ପର୍ଯ୍ୟନ୍ତ ଟ୍ରେନ୍‌ରେ ଆସିବା ପରେ ବରମୁଣ୍ଡାରୁ ବସ୍‌ ଯୋଗେ ଘରକୁ ଯିବାର ଥିଲା। ମାତ୍ର ବସ୍‌ ଧର୍ମଘଟ ସେମାନଙ୍କୁ ଅସୁବିଧାରେ ପକାଇଥିଲା। କନ୍ଧମାଳର ବିକାଶ ନାୟକ ବେଙ୍ଗାଲୁରୁରେ କାମ କରନ୍ତି। ସେ ଗତକାଲି ରାତିରେ ପ୍ରଶାନ୍ତି ଏକ୍‌ସପ୍ରେସ୍‌ରେ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ଆଜି ସକାଳୁ ସେ ବସ୍‌ ଯୋଗେ ଘରକୁ ଯିବା କଥା। ମାତ୍ର ଧର୍ମଘଟ ପାଇଁ ସେ ଦିନ ତମାମ୍‌ ବସଷ୍ଟାଣ୍ଡରେ ହିଁ ପଡ଼ି ରହିଲେ। ସେହିଭଳି ଢେଙ୍କାନାଳର ମନୋରଂଜନ ପାଣିଗ୍ରାହୀ ନାମକ ଜଣେ ଯୁବକ ପୁନେରୁ କୋଣାର୍କ ଏକ୍‌ସପ୍ରେସ୍‌ରେ ଭୁବନେଶ୍ୱର ଫେରିଥିଲେ ଓ ଆଜି ସକାଳୁ ସେ ବସ୍‌ରେ ଘରକୁ ଫେରିବାର ଥିଲା। ଝାରସୁଗୁଡ଼ାର ବିନୋଦ ଟୁଡୁ ହାଇଦ୍ରାବାଦ୍‌ରୁ ଟ୍ରେନ୍‌ରେ ଭୁବନେଶ୍ୱରରେ ପହଞ୍ଚି ବରମୁଣ୍ଡାରେ ଅଟକିବାକୁ ବାଧ୍ୟ ହୋଇଥିଲେ। ରାତି ସାରା ଟ୍ରେନ୍‌ରେ ଭଲରେ ଶୋଇ ପାରିନଥିବା ଏହି ଯାତ୍ରୀମାନେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ବସି ବସି କ୍ଲାନ୍ତ ହୋଇ ପଡ଼ିଥିଲେ। କିଛି ଯାତ୍ରୀ ବସିିବାକୁ ଚେୟାର୍‌ ନ ପାଇ ତଳେ ଶୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। ଅବଶ୍ୟ କମ୍‌ ସଂଖ୍ୟକ ଶିଶୁ ଓ ମହିଳା ଯାତ୍ରୀମାନେ ମହିଳା ବିଶ୍ରାମଗାରରେ ଦିନଟି କଟାଇଥିଲେ। ସେମାନଙ୍କ ପାଇଁ ବିଶେଷ ସମସ୍ୟା ନଥିଲା। ଭାଗ୍ୟକୁ ବସ୍‌ ଧର୍ମଘଟ ହୋଇଥିଲେ ବି ବସ୍‌ଷ୍ଟାଣ୍ଡରେ ସମସ୍ତ ଦୋକାନ ବଜାର ହୋଟେଲ ଆଦି ଖୋଲାଥିଲା। ଆହାର କେନ୍ଦ୍ର ମଧ୍ୟ ଖୋଲାଥିଲା। ତେଣୁ ଖାଇବା ପିଇବାରେ ଯାତ୍ରୀମାନଙ୍କୁ ବିଶେଷ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିନଥିଲା। ସୌଭାଗ୍ୟକୁ ସନ୍ଧ୍ୟା ସୁଦ୍ଧା ବସ୍‌ ଚଳାଚଳ ସ୍ୱାଭାବିକ ହେବାରୁ ସେମାନେ ଆଶ୍ୱସ୍ତ ହୋଇଥିଲେ।

ରମାଦେବୀ ବିଶ୍ୱବିଦ୍ୟାଳୟ ଓ ସିଫା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର,: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜୈବ ବିଜ୍ଞାନ ଓ ଜୀବ ବିଜ୍ଞାନ ଏବଂ କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟଚାଷ ଗବେଷଣା ଅନୁଷ୍ଠାନ(ସିଫା) ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାର କୁଳପତି ପ୍ରଫେସର ପଦ୍ମଜା ମିଶ୍ର, କୁଳସଚିବ ଜୟନ୍ତ ନାରାୟଣ ଷଡ଼ଙ୍ଗୀ, ଜୈବ ପ୍ରଯୁକ୍ତି ବିଜ୍ଞାନ ଓ ଜୀବ ବିଜ୍ଞାନର ଅଧ୍ୟାପକ, ଅଧ୍ୟାପିକାଙ୍କ ସମେତ ସିଫାର ନିର୍ଦେଶକ ଡ. ଜେ.କେ. ସୁନ୍ଦରାୟ, ବୈଜ୍ଞାନିକ ଡ. ପି.କେ. ସାହୁ, ଡ. ଏ. ବାରାତ ଏବଂ କୁମାର ସ୍ୱାମୀ ପ୍ରମୁଖ ଉପସ୍ଥିତ ଥିଲେ। ଜୈବ ବିଜ୍ଞାନ କ୍ଷେତ୍ରରେ ଛାତ୍ରୀଙ୍କୁ ଏହି ଅନୁଷ୍ଠାନର ସହଭାଗିତାରେ ଗବେଷଣା କରିବାରେ ସହାୟକ ହେବ। କୃଷି ତଥା ମତ୍ସ୍ୟଚାଷ କ୍ଷେତ୍ରରେ ନାରୀଙ୍କର ଭୂମିକା ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମରେ ଜୈବ ପ୍ରଯୁକ୍ତି ବିଜ୍ଞାନ, ମନ ବିଜ୍ଞାନ ଓ ପରିସଂଖ୍ୟାନ ବିଭାଗରେ ଛାତ୍ରୀମାନେ ବିଶେଷ ଉପକୃତ ହେବେ ବୋଲି ସିଫା ନିର୍ଦେଶକ କହିଛନ୍ତି।

୧୬ରୁ ମୟୂରଭଞ୍ଜ ଉତ୍ସବ ପାଇଁ ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ‘ମୟୂରଭଞ୍ଜ ସାଂସ୍କୃତିକ ସଂସଦ, ଭୁବନେଶ୍ୱର’ ପକ୍ଷରୁ ଆସନ୍ତା ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ‘୭ମ ମୟୂରଭଞ୍ଜ ଉତ୍ସବ’ ଅନୁଷ୍ଠିତ ହେବ। ଏଥିରେ ମୟୂରଭଞ୍ଜର କଳା, ସଂସ୍କୃତି, ପର୍ଯ୍ୟଟନ ଓ ବ୍ୟଞ୍ଜନ ଆଦି ପ୍ରଦର୍ଶିତ ହେବ। ଆଜି ମୟୂରଭଞ୍ଜ ସାଂସ୍କୃତିକ ସଂସଦ ପରିସରରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ସଂସଦର ସାଧାରଣ ସଂପାଦକ ଗୋକୁଳ ଚନ୍ଦ୍ର ଦାସ। ମୟୂରଭଞ୍ଜ ସଂସ୍କୃତିର ପ୍ରଚାର ପ୍ରସାର, ସେଠାକାର ପ୍ରତିଭାମାନଙ୍କୁ ରାଜଧାନୀରେ ଏକ ଉତ୍ତମ ମଞ୍ଚ ଯୋଗାଇ ଦେବା ଓ ମୟୂରଭଞ୍ଜର ପର୍ଯ୍ୟଟନକୁ ବିସ୍ତାର କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି ଉତ୍ସବ ଆୟୋଜିତ ହେଉଛି ବୋଲି ସଂସଦ ପକ୍ଷରୁ କୁହାଯାଇଛି। ଉତ୍ସବରେ ତିନୋଟି ଚିତ୍ତାକର୍ଷକ ଜୋନ୍‌ ରହିବ। ପ୍ରତିଷ୍ଠିତ ଓ ଉଦୀୟମାନ କଳାକାରଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ଖିଚିଂର ପଥର ବାସନ ଓ ମୟୂରଭଞ୍ଜର ଟସର ଆଦି ବିଭିନ୍ନ ଷ୍ଟଲ୍‌କୁ ନେଇ କ୍ରାଫ୍ଟ୍‌ ମେଳା ଓ ବାରିପଦା ମୁଢ଼ି-ମାଂସରୁ ଆରମ୍ଭ କରି ବିଭିନ୍ନ ପ୍ରସିଦ୍ଧ ବ୍ୟଞ୍ଜନକୁ ନେଇ ବ୍ୟଞ୍ଜନ ଜୋନ୍‌ ରହିବ। ଚଳିତ ବର୍ଷ ମୟୂରଭଞ୍ଜ ପ୍ରସିଦ୍ଧ ଜ୍ୱାଳାମୁଖୀ ମନ୍ଦିରର ଏକ ପ୍ରତିଫଳନ ମଞ୍ଚରେ ଦେଖିବାକୁ ମିଳିବ। ଆଜିର ସାମ୍ବାଦିକ ସମ୍ମିଳନୀରେ ସଂସଦର ଉପସଭାପତି ତଥା ଅଭିନେତା ଉତ୍ତମ ମହାନ୍ତି, କାର୍ଯ୍ୟକାରୀ ସଭ୍ୟ ରବି ମହାନ୍ତି, ସାଂସ୍କୃତିକ ପରିଚାଳକ ଚିନ୍ମୟ ଦାସ ପଟ୍ଟନାୟକ ଓ କୋଷାଧ୍ୟକ୍ଷ ଅଶୋକ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ଆନ୍ଦୋଳନକୁ ଓହ୍ଲାଇଲେ ମହିଳା

ଭୁବନେଶ୍ୱର: ମଦ ଦୋକାନ ଖୋଲିବାକୁ ନେଇ ନେଇ ରାଜଧାନୀରେ ରାସ୍ତାକୁ ଓହ୍ଲାଇଛନ୍ତି ମହିଳା। ଆଜି ଖଦି ଭବନ ନିକଟରେ ଖୋଲିଥିବା ମଦ ଦୋକାନ ସମ୍ମୁଖରେ ଶତାଧିକ ମହିଳା ଓ ଯୁବତୀ ସାମିଲ ହୋଇ ଏହାକୁ ବିରୋଧ କରିଛନ୍ତି। ଏହି ଦୋକାନକୁ ତୁରନ୍ତ ବନ୍ଦ କରିବା ସହ ସାରା ରାଜ୍ୟକୁ ମଦମୁକ୍ତ କରିବାକୁ ମଦମୁକ୍ତି ଅଭିଯାନ ପକ୍ଷରୁ ଅବକାରୀ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ମଦମୁକ୍ତି ଅଭିଯାନର ଆବାହକ ସୁଦର୍ଶନ ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିବାଦ ଧାରଣାରେ ଆବାହିକା ଆଭାରାଣୀ ଚୌଧୁରୀ ଯୋଗଦେଇ କହିଲେ ମଦର ବହୁଳ ପ୍ରଚଳନ ଯୋଗୁଁ ମହିଳାଙ୍କ ଉପରେ ନିର୍ଯାତନା ବଢ଼ିଚାଲିଛି। ସମାଜରେ ଶୋଷଣ, ଦୁଷ୍କର୍ମ, ହତ୍ୟା ଆଦି ବଢ଼ୁଛି। ବେକାର ଯୁବକମାନେ ଅପରାଧ ମନସ୍କ ହୋଇପଡ଼ୁଛନ୍ତି। ତେଣୁ ତୁରନ୍ତ ମଦ ଦୋକାନ ବନ୍ଦ କରାଯାଉ ବୋଲି ସେ ଦାବି କରିଥିଲେ। ଆନ୍ଦୋଳନକୁ ସମର୍ଥନ ଜଣାଇ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମନ୍ତ୍ରୀ ଦୋଳଗୋବିନ୍ଦ ପ୍ରଧାନ, ତୃଣମୂଳ କଂଗ୍ରେସ ସଭାପତି ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ସମାଜବାଦୀ ପାର୍ଟି ସଭାପତି ରବି ବେହେରା, ଚାଷୀ ନେତା ବିଜୟ ବେହେରା, ଛାତ୍ରନେତା ନାରାୟଣ ଡାକୁଆ, ସରୋଜ ସିଂହ, ସାବିତ୍ରୀ ବେହେରା, ପ୍ରଦୀପ ମିଶ୍ର, ସୁଭ୍ରାଂଶୁ ପାଢ଼ୀ ପ୍ରମୁଖ ଖଦି ଭବନଠାରୁ ମାତ୍ର ୫୦ ମିଟର ଦୂରରେ ମଦ ଦୋକାନ ଖୋଲିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ଅପରାହ୍ନରେ ମଦମୁକ୍ତି ଅଭିଯାନର ଏକ ୭ ଜଣିଆ କମିଟି ଅର୍ଥ ତଥା ଅବକାରୀ ମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କୁ ସାକ୍ଷାତ କରି ନୂଆ କରି ଖୋଲିଥିବା ମଦ ଦୋକାନକୁ ବନ୍ଦ କରିବା ଲାଗି ଦାବି କରିଥିଲେ। ଏଥିସହ ରାଜ୍ୟରେ ନିଶାର ଅବାଧ ପ୍ରସାରକୁ ନିଷିଦ୍ଧ କରିବାକୁ ସ୍ମାରକପତ୍ରରେ ଉଲ୍ଲେଖ କରିଥିଲେ। ମନ୍ତ୍ରୀ ଶ୍ରୀ ବେହେରା ସ୍ମାରକପତ୍ର ଗ୍ରହଣ କରିବା ସହ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନିଶା ଉପରେ ଅଙ୍କୁଶ ଲଗାଇବା ପାଇଁ ସମସ୍ତ ଉଦ୍ୟମ ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଥିବା ମଦମୁକ୍ତି ଅଭିଯାନ ପକ୍ଷରୁ କୁହାଯାଇଛି।

ଖରାଦିନର ପ୍ରବଳ ଗରମରୁ ଏମିତି ବଞ୍ଚାନ୍ତୁ ନିଜକୁ

ଗରମ ଧୀରେ ଧୀରେ ବଢ଼ି ଚାଲିଛି। ବର୍ତ୍ତମାନ ଏହା ପ୍ରାୟ ୪୦ ଡିଗ୍ରି ଯାଏଁ ହୋଇ ଯାଇଛି। ଏହା ଧୀରେ ଧୀରେ ଆହୁରି ଅଧିକ ବଢ଼ି ୪୮ ରୁ ୫୦ ଡିଗ୍ରି ଯାଏଁ ପହଞ୍ଚିପାରେ। ଆଗକୁ ଆସୁଥିବାଏଭଳି ଗରମରୁ ପଙ୍ଖା କିମ୍ବା କୁଲର୍‌ ମଧ୍ୟ ତ୍ରାହି ଦେବାରେ ସମର୍ଥ ହେବେ ନାହିଁ। ଜାଣନ୍ତୁ, ଏଭଳି ପରିସ୍ଥିତିରେ ଆପଣ ନିଜକୁ କେମିତି ରକ୍ଷା କରିବେ….
ପ୍ରବଳ ଗରମରୁ ଏମିତି ବଞ୍ଚାନ୍ତୁ ନିଜକୁ: ଜୋର୍‌ ଗରମ ପବନ ବୋହିଲା ବେଳେ ଶରୀରକୁ ସମ୍ପୂର୍ଣ୍ଣ ଭାବେ ଢାଙ୍କନ୍ତୁ। ଚପଲ କିମ୍ବା ଜୋତା ପିନ୍ଧି ବାହାରକୁ ଯାଆନ୍ତୁ। ଖାଲି ପେଟ ବା କିଛି ନ ଖାଇ ବାହାରକୁ ଯାଆନ୍ତୁ ନାହିଁ। ବହୁ ସମୟ ଖରାରେ ରୁହନ୍ତୁ ନାହିଁ। ଯଦି ଅଧିକ ଝାଳ ବୋହୁଛି ତା’ହେଲେ ତୁରନ୍ତ ଥଣ୍ଡା ପାଣି ପିଅନ୍ତୁ ନାହିଁ। ଗରମ ଓ ଅଧିକ ଖାଦ୍ୟ ଖାଆନ୍ତୁ ନାହିଁ, ଏହା ଦ୍ୱାରା ଶରୀରରେ ଉତ୍ତାପ ବଢ଼ିଥାଏ। ବାହାରକୁ ବାହାରିଲା ବେଳେ କଳା ରଙ୍ଗ ଛାଡ଼ି ଅନ୍ୟ ହାଲୁକା ରଙ୍ଗର ଛତା ବ୍ୟବହାର କରନ୍ତୁ। ପିଲାମାନଙ୍କୁ ଓ ଗୃହପାଳିତ ପଶୁଙ୍କୁ ଗାଡ଼ିରେ ଛାଡ଼ନ୍ତୁ ନାହିଁ। ଜିମ୍‌ ନ ଯିବା ଭଳି ସ୍ଥିତି ଦେଖା ଦେଲେ ଘରେ ରହି ବ୍ୟାୟାମ ବା ଯୋଗାସନ କରନ୍ତୁ। ଦିନସାରା ୧୦-୧୨ ଗ୍ଲାସ୍‌ ପାଣି ନିଶ୍ଚୟ ପିଅନ୍ତୁ। ଦିନରେ ୨ ଥର ଥଣ୍ଡା ପାଣିରେ ଗାଧାନ୍ତୁ।

ଆପଣ ବି ଖାଇବେ ରାଶି ଲଡୁ , ଜାଣିଲେ ଏହାର ଫାଇଦା

ରାଶି ଲଡୁ ଏବଂ ରାଶି ତେଲର ଆମ ସମାଜରେ ଯଥେଷ୍ଟ ପ୍ରଚଳନ ରହିଛି। ତେବେ ରାଶିର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ଯଥେଷ୍ଟ ପରିମାଣର ରାଶି ଖାଇଲେ ଏହା ଆପଣଙ୍କର ଯୌନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପ୍ରତ୍ୟହ ଅନ୍ୟୁନ ୧୦୦ ଗ୍ରାମ୍‌ ରାଶି ଦ୍ୱାରା ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଗ୍ରହଣ କଲେ ଏହି ସୁଫଳ ମିଳିଥାଏ ବୋଲି ଚିକିତ୍ସକଙ୍କ ମତ ।

ଏହା ହାଇପର୍‌ ଟେନସନ୍‌ ସହ ଲଢ଼ିବାର କ୍ଷମତା ମଧ୍ୟ ମିଳିଥାଏ। ଏତଦ୍‌ବ୍ୟତୀତ ରକ୍ତଚାପଜନିତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍‌ ସିଷ୍ଟମ୍‌ରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ । ରାଶିରେ ପଚୁର ପରିମାଣରେ ଭିଟାମିନ୍‌ ଏବଂ ମିନେରାଲ୍‌ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍‌ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ବିଶେଷକରି ରାଶି ଖାଇଲେ ବା ରାଶି ତେଲ ଲଗାଇଲେ ତ୍ୱଚା ମୁଲାୟମ ବି ରହେ ।

ବୁଲିବାକୁ ଯିବା ସମୟରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ୪ଟି ଉପାୟ

କିଛି ଲୋକ ବୁଲିବାକୁ ବହୁତ ପସନ୍ଦ କରନ୍ତି । କିନ୍ତୁ ବାହାରକୁ ବୁଲିବାକୁ ଯିବା ସମୟରେ ହେଉଥିବା ଅସୁବିଧା ପାଇଁ କିଛି ଲୋକ ନିଜ ପସନ୍ଦକୁ ପୂରା କରି ପାରନ୍ତି ନାହିଁ । ବସ୍‌ ବା କାର୍‌ ଯୋଗେ ଦୂର ସ୍ଥାନକୁ ଯିବା ବେଳେ କିଛି ଲୋକଙ୍କର ବାନ୍ତି ହୋଇଥାଏ । ଯାହାଫଳରେ କି ସେମାନେ ଦୂର ସ୍ଥାନକୁ ଯିବା ପାଇଁ ଡ଼ରି ଥାଆନ୍ତି । ଯଦି ଆପଣ ସେମାନଙ୍କ ମଧ୍ୟରୁ ଜଣେ ଏବଂ ଏହି ସମସ୍ୟା ପାଇଁ ଆପଣ ଦୂର ସ୍ଥାନକୁ ଯିବା ଛାଡ଼ି ଦେଇଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ । ଏହି ଉପାୟ ଆପଣାଇ ଆପଣ ନିଜର ଯାତ୍ରା ସୁଖମୟ କରି ପାରିବେ । ତେବେ ଆସନ୍ତୁ ଜାଣିବା ଯାତ୍ରା ସମସୟରେ ବାନ୍ତି ଲାଗିଲେ କ’ଣ କରିବେ ।

୧. ଯଦି ଆପଣ କୌଣସି ଦୂର ସ୍ଥାନକୁ ଯାଉଛନ୍ତି ତେବେ ମସଲା ଜିନିଷ ଅଧିକ ଖାଆନ୍ତୁ ନାହିଁ । ମସଲା ଜିନିଷ ଖାଇବା ଦ୍ୱାରା ପେଟ ଖରାପ ହେବା ସହ ଗ୍ୟାସ ହୋଇ ଯାଇଥାଏ । ଯାହା ଫଳରେ ଆପଣଙ୍କୁ ବାନ୍ତି ଲାଗିଥାଏ । ସେଥିପାଇଁ ହଜମ ହେବାକୁ ସମୟ ଲାଗୁଥିବା ଖାଦ୍ୟ ଯାତ୍ରା ସମୟରେ ଖାଆନ୍ତୁ ନାହିଁ ।
୨.ଲବଙ୍ଗ : କିଛି ଲବଙ୍ଗ ନେଇ ତାକୁ ଭଲ ଭାବରେ ପେଶି ଏହାକୁ ଏକ ଡ଼ବାରେ ରଖି ଦିଅନ୍ତୁ । ଯାତ୍ରା କରିବା ସମୟରେ ଯେତେବେଳେ ଆପଣଙ୍କୁ ବାନ୍ତ ଲାଗିବା ସେତେବେଳେ ଲବଙ୍ଗ ଚୂନାରେ ଚିନି ଏବଂ କଳା ଲୁଣ ମିଶାଇ ଖାଆନ୍ତୁ । ଏହାକୁ ଖାଇବାର କିଛି ସମୟ ପରେ ଆପଣଙ୍କର ଏହି ଅସୁବିଧା ଦୂର ହୋଇଯିବ ।
୩.ଅଦା : ଅଦାରେ ଆଣ୍ଟିମେଟ୍ରିକ୍‌ ଗୁଣ ରହିଛି ଯାହା ବାନ୍ତିକୁ ରୋକିଥାଏ । ଯାତ୍ରା ଆରମ୍ଭ କରିବା ପୂର୍ବରୁ ସାଥୀରେ ଅଦା ନେଇଥାଆନ୍ତୁ । ଯେତେବେଳେ ଆପଣଙ୍କୁ ବାନ୍ତି ଆସିବା ଭଳି ଅନୁଭବ ହେବ ସେତେବେଳେ ଅଦା ବା ଅଦା ଚା’ ପିଅନ୍ତୁ । ଏହାକୁ ପିଇବା ପରେ ବାନ୍ତିର ସମସ୍ୟା ରହି ନଥାଏ ।
୪.ଲେମ୍ବୁ : ଲେମ୍ବୁରେ ସାଇଟ୍ରିକ୍‌ ଏସିଡ୍‌ ରହିଛି ଯାହା ଶରୀର ପାଇଁ ଲାଭ ଦାୟକ । ବାନ୍ତି ଲାଗିବା ବେଳେ ଗୋଟେ ଗ୍ଲାସ ଗରମ ପାଣିରେ ଲେମ୍ବୁ ଚିପୁଡ଼ି ସେଥିରେ କଳା ଲୁଣ ମିଶାଇ ପିଅନ୍ତୁ । ତୁରନ୍ତ ଆରାମ ମିଳିବ ।

କଲରା ଜୁସ୍‌ ପିଅନ୍ତୁ ଓ ରୋଗମୁକ୍ତ ରୁହନ୍ତୁ, ଜାଣନ୍ତୁ କଲରା ଜୁସ୍‌ ପିଇବାର ଫାଇଦା ବିଷୟରେ…

କଲରା ଜୁସ୍‌ ପିଇବାର ଅନେକ ଫାଇଦା ରହିଛି ବୋଲି ଯୋଗଗୁରୁ ବାବା ରାମଦେବ ତାଙ୍କ ଯୋଗ ଶିବିରରେ ପ୍ରାୟ ଉପଦେଶ ଦେଇଛନ୍ତି। ଏହା ସହ ଆୟୁର୍ବେଦରେ ବତାଯାଇଛି ଯେ କଲରାରେ ଏମିତି ନ୍ୟୁଟ୍ରିସନ୍‌ ଥାଏ ଯାହା ବହୁତ ପ୍ରକାର ଶାରୀରିକ ସମସ୍ୟାରୁ ମୁକ୍ତି ଦେଇଥାଏ। ଜାଣନ୍ତୁ ଏହି ଜୁସ୍‌ ପିଇବାର କିଛି ଉପଚାର ବିଷୟରେ….
ଏଥିରେ ଅଛି ଫାଇବର: ଏହାକୁ ପିଇଲେ ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗେ ନାହିଁ ଏବଂ ଓଜନ ମଧ୍ୟ କମ୍‌ ହୋଇଥାଏ।
ଏଥିରେ ଅଛି ଅଲ୍କେଲାଇଡ୍‌ସ୍‌: ଏହା ଦ୍ୱାରା ବ୍ଲଡ୍‌ ସର୍କୁଲେସନ୍‌ରେ ଉନ୍ନତି ହୋଇଥାଏ।
ଏଥିରେ କୋଲେଷ୍ଟ୍ରଲ୍‌ ର ମାତ୍ରା କମ୍‌ ଅଛି: ଏହା ହୃଦ୍‌ଜନୀତ ରୋଗରୁ ବଞ୍ଚାଇଥାଏ।
ଏଥିରେ ଅଛି ପୋଲିପେଷ୍ଟାଇଡ୍‌-ପି: କଲରା ଜୁସ୍‌ ପିଇଲେ ବ୍ଲଡ୍‌ ସୁଗର ଲେବଲ୍‌ କଣ୍ଟ୍ରୋଲ ରହିଥାଏ ଓ ମଧୁମେହରୁ ମୁକ୍ତି ମିଳିଥାଏ।
ଏଥିରେ ଅଛି ଫସ୍‌ଫରସ୍‌: ଏହା ଦ୍ୱାରା ଦାନ୍ତ ମଜବୁତ ହୋଇଥାଏ ଓ ମାଢ଼ି ସମସ୍ୟା ଦୂର ହୋଇଥାଏ।
ଏଥିରେ ଅଛି କେଲ୍‌ସିୟମ୍‌: ଏହା ଦ୍ୱାରା ହାଡ଼ ମଜବୁତ୍‌ ହୋଇଥାଏ।
ଏଥିରେ ଅଛି ବିଟା କେରୋଟିନ ଭିଟାମିନ A: ଏହା ପାଇଁ ଆଖି ସୁସ୍ଥ ରହିଥାଏ।
ଏଥିରେ ଅଛି ଆଣ୍ଟିଅକ୍ସିଡେଣ୍ଟ୍‌: ଏହା ଦ୍ୱାରା ଶରୀରରୁ ଟାକ୍ସିନ୍‌ ଦୂର ହୋଇଥାଏ ଓ କ୍ୟାନ୍‌ସର୍‌ରୁ ମଧ୍ୟ ରକ୍ଷା ମିଳିଥାଏ।
ଏଥିରେ ଅଛି ପୋଟେସିୟମ୍‌: ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ ହୋଇଥାଏ।

ଜାଣନ୍ତୁ ନୀତା ଅମ୍ବାନୀଙ୍କ ମହଙ୍ଗା ସଉକ୍ ଜୀବନଶୈଳୀ ସମ୍ପର୍କରେ

କେବଳ ଭାରତରେ ନୁହେଁ, ବରଂ ବିଶ୍ବସ୍ତରରେ ନିଜ ବ୍ୟବସାୟ ନିମନ୍ତେ ଶିଳ୍ପପତି ମୁକେଶ ଅମ୍ବାନୀ ପରିଚିତ। ତାଙ୍କ ପତ୍ନୀ ନୀତା ଅମ୍ବାନୀ ମଧ୍ୟ ଗଣମାଧ୍ୟମରେ ଖୁବ୍ ଲୋକପ୍ରିୟ। ନୀତାଙ୍କ ଉଦାରତା ଓ ଅମାୟିକ ବ୍ୟବହାର ହିଁ ତାଙ୍କୁ ଲୋକପ୍ରିୟ କରାଇ ପାରିଛି।

ଏକ ସାକ୍ଷାତକାରରେ ନୀତା ନିଜ ଜୀବନଶୈଳୀ ସମ୍ପର୍କରେ କହିଥିଲେ। ଦିନର ଆରମ୍ଭ ତାଙ୍କର ଚା’ ପିଆରୁ ଆରମ୍ଭ ହୁଏ। ତେବେ ଚା’ର ସ୍ବାଦ ଅପେକ୍ଷା ସେ ଦୈନିକ ନିଜ କପର ସ୍ପର୍ଶକୁ ଅଧିକ ଅପେକ୍ଷା କରିଥାନ୍ତି।
ଜାପାନର ସବୁଠୁ ପୁରାତନ କମ୍ପାନୀର କପ୍-ପ୍ଲେଟ୍ ତାଙ୍କ ଘରେ ବ୍ୟବହାର କରାଯାଏ। ତେବେ ଖୁବ୍ କମ୍ ଲୋକେ ଜାଣନ୍ତି ଯେ ନୀତା ଯେଉଁ କପରେ ଚା’ ପିଅନ୍ତି, ସେହି କପର ମୂଲ୍ୟ ୩ଲକ୍ଷ ଟଙ୍କା। ପ୍ରତି ୯-୧୦ ମାସ ଅନ୍ତରରେ ସେ ଜାପାନରୁ ନୂଆ କପ୍ ବରାଦ୍ ଦେଉଥିବାର ପ୍ରକାଶ।

ବିଶ୍ବର ସବୁଠୁ ନାମୀ କମ୍ପାନୀର ବ୍ୟାଗ୍ ସେ ବ୍ୟବହାର କରିଥାନ୍ତି। ତାଙ୍କର କେତୋଟି ବ୍ୟାଗରେ ହୀରା ମଧ୍ୟ ଖଚିତ ହୋଇଛି। ଏହା ବାଦ୍ ନୀତାଙ୍କର ଅନ୍ୟତମ ସଉକ୍ ହେଉଛି ଭଲଭଲ ପୋଷାକ ଓ ଜୋତା କିଣିବା। ଏହି ସଉକ୍ ତାଙ୍କର ଶାଶୂ କୋକିଲା ବେନଙ୍କ ପାଇଁ ବଢ଼ିଛି ବୋଲି ନୀତା କହିଛନ୍ତି।

ପୁଣି ଫେରିଲେ କପିଲ, ନୂଆ ଶୋ ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’

ନୂଆଦିଲ୍ଲୀ: ଦୀର୍ଘ ୬ ମାସ ପରେ ନୂଆ କମେଡି ଶୋ ନେଇ ପୁଣି ଛୋଟ ପରଦାରେ ଧମାକା ମଚେଇବାକୁ ଆସୁଛନ୍ତି କପିଳ ଶର୍ମା । ଏହି ଶୋର ନାମ ରହିଛି ‘ଫ୍ୟାମିଲ ଟାଇମ୍ ଉଇଥ୍ କପିଲ ଶର୍ମା’ । ଏହାର ପ୍ରୋମୋ ରିଲିଜ ହୋଇଥିବା ବେଳେ ଏଥିରେ କପିଲ ନିଜର ମଜାକ୍ ଉଡାଉଥିବା ଦେଖିବାକୁ ମିଳିଛି । ଅଜୟ ଦେବଗନ୍ ସହ ଏହି ପ୍ରୋମୋ ରିଲିଜ ହୋଇଛି । କପିଲ ଅଜୟ ଦେବଗନଙ୍କୁ ଅନୁରୋଧ କରୁଛନ୍ତି ତାଙ୍କ ଶୋକୁ ଆସିବାକୁ । ପ୍ରକାଶ ଯେ, ଅଜୟ ଦେବଗନଙ୍କ ନୂଆ ଫିଲ୍ମ ‘ରେଡ’ ୧୬ ମାର୍ଚରେ ରିଲିଜ ହେବାକୁ ଯାଉଛି ।

କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗି’ ବକ୍ସ ଅଫିସରେ ହିଟ୍ ହେବାରେ ଅସଫଳରେ ହେବା ପରେ ପୁଣି କପିଲ ଶର୍ମା ଛୋଟ ପରଦାକୁ ମୁହାଁଇଛନ୍ତି । ଏମିତିରେ କପିଲଙ୍କ ଫ୍ୟାନ୍ସ ଛୋଟ ପରଦାରେ ତାଙ୍କର ଧମାକଦାର ପ୍ରବେଶକୁ ଅନେଇ ବସିଛନ୍ତି । ତେବେ ମାର୍ଚ ୨୫ରେ ବିଦ୍ଧିବଧ ଭାବେ ସୋନିରେ ପ୍ରସାରଣ ହେବା ନେଇ ସୂଚନା ମିଳିଛି ।