ବିବାହ ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ

ଝାରସୁଗୁଡ଼ା: ମିଥ୍ୟା ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିବା ଜଣେ ନାବାଳକ ବିରୋଧରେ ଅଭିଯୋଗ ଆଣିଛନ୍ତିି ଜଣେ ନାବାଳିକା। ଏନେଇ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଏହି ନାବାଳିକାର ବୟସ ୧୫ ହୋଇଥିବା ବେଳେ ଅଭିଯୁକ୍ତର ବୟସ ୧୭ ବୋଲି ଜଣାପଡ଼ିଛି। ନାବଳିକାର ମାଁ ନଥିବା ବେଳେ ବାପା ଅଛନ୍ତି। ତେବେ ସେ ଝାରସୁଗୁଡ଼ା ଠାରେ ଜଣେ ସଂପର୍କୀୟଙ୍କ ଘରେ ଗତ ଏକ ମାସ ହେଲା ରହୁଛନ୍ତି। ଏହି ସମୟ ମଧ୍ୟରେ ନାବାଳିକା ସହିତ ନିକଟରେ ରହୁଥିବା ସଂପୃକ୍ତ ନାବାଳକର ସଂପର୍କ ଗଢ଼ି ଉଠିଥିଲା ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ହୋଇଥିଲା। ନାବାଳକ କୁଆଡ଼େ ଉକ୍ତ ନାବାଳିକାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ପରେ ମନା କରିବାରୁ ନାବାଳିକା ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୁଲିସ ମାମଲା ରୁଜୁ କରି ନାବାଳକ ନାମରେ ପୋକସୋ ଧାରା ୪ ଓ ଆଇପିସି ୩୬୯ ଦାୟାର କରି ତଦନ୍ତ ଆରମ୍ଭ କରିଛି। ନାବାଳିକାର ଡାକ୍ତରୀ ମାଇନା ପରେ ତାକୁ ଚାଇଲ୍‌ଡ଼ ଲାଇନ ସହାୟତାରେ ସିଡବ୍ଲୁସିରେ ଉପସ୍ଥାପନ କରାଯାଇଥିଲା । ପରେ ଓପନ୍‌ ସେଲ୍‌ଟରକୁ ପଠାଯାଇଛି।

ତେଜସ ଓ ଶତାବ୍ଦୀ ଟ୍ରେନ୍‌ରେ ଏଣିକି ସିନେମା, ଭିଡିଓ ଗେମ୍‌ ଓ ଗୀତର ମଜା ଉଠାଇ ପାରିବେ ନାହିଁ ଯାତ୍ରୀ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ: ତେଜସ ଏକ୍ସପ୍ରେସ ଓ ମୁମ୍ବାଇ ଅହମ୍ମଦାବାଦ ଶତାବ୍ଦୀରେ ଯଦି ଯାତ୍ରା କରୁଛନ୍ତି ତେବେ ଆପଣ ଏଣିକି ସିନେମା, ଭିଡିଓ ଗେମ୍‌ ଓ ଗୀତର ମଜା ନେଇ ପାରିବେ ନାହିଁ। ଏହି ଟ୍ରେନ୍‌ରେ ରେଳବାଇ ଏଣ୍ଟରଟେନ୍‌ମେଣ୍ଟ ପାଇଁ ସିଟ ପଛପାର୍ଶ୍ୱରେ ଏଲସିଡି ସ୍କ୍ରିନ୍‌ ଲାଗାଇଥିଲେ।

ସୂଚନାଯୋଗ୍ୟ, ଯାତ୍ରୀମାନେ ଏଲ୍‌ସିଡି ସ୍କ୍ରିନ୍‌ ଭାଙ୍ଗିବା ସହିତ ତାରକୁ ବି ଛିଣ୍ଡାଇ ଦେଇଛନ୍ତି। ବାରମ୍ବାର ଯାତ୍ରୀ ଏହାକୁ ନଷ୍ଟ କରିବାର ଖବର ମିଳୁଥିଲା। କେବଳ ଏତିକି ନୁହେଁ ହେଡଫୋନ୍‌ ମଧ୍ୟ କିଏ କେଉଁଆଡେ ନେଇ ଚାଲି ଯାଉଛନ୍ତି। ପାଓ୍ଵର ସୁଇଜ ବି ବାହାର କରି ଦେଉଛନ୍ତି। ଏହି କାରଣରୁ ରେଲବାଇ ତେଜସ ଏକ୍ସପ୍ରେସ ଓ ମୁମ୍ବାଇ ଅହମ୍ମଦାବାଦ ଶତାବ୍ଦୀରେ ଲାଗିଥିବା ଏଲସିଡି ସ୍କ୍ରିନ୍‌କୁ ବାହାର କରି ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ରେଳବାଇ ବୋର୍ଡର ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରେଳବାଇକୁ ଏହି ଏଲସିଡି ସ୍କ୍ରିନ୍‌ ହଟାଇବା ଆଦେଶ ଫେବ୍ରୁଆରିରୁ ଲାଗୁ କରିବା ପାଇଁ କୁହାଯାଇଥିଲା। ରେଲାବାଇ ସମସ୍ତ ଜୋନ୍‌ ରେଳରୁ ଏଲସିଡି ସ୍କ୍ରିନ୍‌ ହଟାଇବା କାମ ଆରମ୍ଭ କରି ଦେଲେଣି। ଏହା ପରିବର୍ତ୍ତେ ରେଳରେ ମାଗଣା ଓ୍ଵାଇଫାଇ ବ୍ୟବସ୍ଥା ଲାଗୁ କରିବା ପାଇଁ ଯୋଜନା କରାଯାଉଛି। ବର୍ତ୍ତମାନ କେବଳ ପ୍ରିମିୟମ ଟ୍ରେନ୍‌ରେ ଓ୍ଵାଇଫାଇ ସୁବିଧା ଉପଲବ୍ଧ ରହିଛି।

ଭାରତରେ ପ୍ରଥମେ ତେଜସ ଏକ୍ସପ୍ରେସ ମୁମ୍ବାଇ ଓ ଗୋଆ ମଧ୍ୟରେ ୨୦୧୭ ମଇରୁ ଆରମ୍ଭ କରାଯାଇଥିଲା। ଏଥିରେ ବିଶେଷ ସୁବିଧା ଉପଲବ୍ଧ ଯେପରି କି ସିଟ ପଛପାର୍ଶ୍ୱରେ ଯାତ୍ରୀଙ୍କ ପାଇଁ ଏଲସିଡି ସ୍କ୍ରିନ୍‌ ଖଞ୍ଜା ଯାଇଥିଲା। ଯାହା ମୁଖ୍ୟ ଆକର୍ଷଣ ଥିଲା।

କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି : ପିଏନବି ଠକେଇ ନେଇ ମୁହଁ ଖୋଲିଲେ ଉର୍ଜିତ ପଟେଲ

ଗାନ୍ଧିନଗର : ବହୁକୋଟି ଟଙ୍କାର ପିଏନବି ଠକେଇକୁ ନେଇ ବେଶକିଛି ଦିନ ଧରି ଚୁପ ରହିଥିିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଉର୍ଜିତ ପଟେଲ ମୁହଁ ଖୋଲିଛନ୍ତି । ଦେଶର ବ୍ୟାଙ୍କ ଗୁଡ଼ିକରେ ବଡ଼ ବଡ଼ ଠକେଇ ଧରାପଡୁଥିବାରୁ ସେ ଚିନ୍ତା ଓ ଅସନ୍ତୋଷ ପ୍ରକାଶ କରିଛନ୍ତି । କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି ବୋଲି ସେ କହିଛନ୍ତି । ତେବେ ଏସବୁକୁ ନିୟନ୍ତ୍ରଣ କରିବାର କ୍ଷମତା ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ ବୋଲି ସେ ଅସହାୟତା ପ୍ରକାଶ କରିଛନ୍ତି । ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଅଧିକ ନିୟନ୍ତ୍ରଣ ପାଇଁ ରିଜର୍ଭ ବ୍ୟାଙ୍କକୁ ଅଧିକ କ୍ଷମତା ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ ନୀଳକଣ୍ଠ ପରି ରିଜର୍ଭ ବ୍ୟାଙ୍କ ସବୁ ନିନ୍ଦା ଅପବାଦ ସହିବ, କିନ୍ତୁ ବ୍ୟାଙ୍କ ବ୍ୟବସ୍ଥାକୁ ସ୍ୱଚ୍ଛ କରିବାକୁ ନିଜର ଉଦ୍ୟମ ଅବ୍ୟାହତ ରଖିବ । ଗୁଜୁରାଟ ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ ଏସବୁ ବ୍ୟାଙ୍କ ଠକେଇକୁ ନେଇ ରିଜର୍ଭ ବ୍ୟାଙ୍କରେ ମଧ୍ୟ କ୍ରୋଧର ବାତାବରଣ ଅଛି । ସରଳ ଭାଷାରେ କହିଲେ କେତେକ ଅସାଧୁ ବ୍ୟବସାୟୀ ଆମ ଦେଶର ଭବିଷ୍ୟତକୁ ଲୁଟୁଛନ୍ତି । ଆଗକୁ ଯେପରି ଏହାକୁ ରୋକିହେବ ସେଥିପାଇଁ ଉଦ୍ୟମ କରାଯାଉଛି । କିନ୍ତୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ରିଜର୍ଭ ବ୍ୟାଙ୍କର ନିୟନ୍ତ୍ରଣ ସୀମିତ । ଏକ ବ୍ୟାଙ୍କର ନିର୍ଦ୍ଦେଶକଙ୍କୁ ହଟାଇବା, ପରିଚାଳନାରେ ପରବର୍ତ୍ତନ, ଅନ୍ୟ ବ୍ୟାଙ୍କ ସହ ମିଶ୍ରଣ କରିବାର କ୍ଷମତା ଆରବିଆଇର ନାହିଁ । ଆହୁରି ମଧ୍ୟ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ସରକାରଙ୍କ ମଧ୍ୟ ନିୟନ୍ତ୍ରଣ ରହୁଛି । ଏଣୁ ରାଷ୍ଟ୍ରାୟତ ବ୍ୟାଙ୍କଗୁଡ଼ିକ ଉପରେ ଦୁଇପଟିଆ ନିୟନ୍ତ୍ରଣ ରହିଛି । ଏହା ଦ୍ୱାରା ଦୂର୍ବଳତା ଦେଖାଦେଉଛି ବୋଲି ସେ କହିଛନ୍ତି ।

ନିରବ, ଚୋକ୍‌ସିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌!

ନୂଆଦିଲ୍ଲୀ: ପିଏନ୍‌ବି ଠକେଇ ମାମଲାର ଦୁଇ ଅଭିଯୁକ୍ତ ନିରବ ମୋଦି ଏବଂ ତାଙ୍କ ମାମୁଁ ମେହୁଲ ଚୋକ୍‌ସିଙ୍କ ବିରୋଧରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରିବାକୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଇଣ୍ଟରପୋଲ୍‌ ନିକଟରେ ଆବେଦନ କରାଯାଇଛି। ଇଡି ପକ୍ଷରୁ ଏହି ଦୁଇ ଜଣଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ଦାୟର କରି ତଦନ୍ତ କରାଯାଉଛି। କୋର୍ଟ ପକ୍ଷରୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ଵାନା ମଧ୍ୟ ଜାରି କରାଯାଇଛି। ସେହି ଆଧାରରେ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଉ ବୋଲି ଇଡି ଇଣ୍ଟରପୋଲ୍‌କୁ କହିଛି। ଫ୍ରାନ୍ସରେ ଥିବା ଇଣ୍ଟରପୋଲ୍‌ ମୁଖ୍ୟ କାର୍ଯ୍ୟାଳୟରେ ଏହି ମାମଲା ବିଷୟରେ ଆଲୋଚନା କରିବାକୁ ଇଡି ପକ୍ଷରୁ ସିବିଆଇକୁ ମଧ୍ୟ କୁହାଯାଇଛି। ଅପରାଧିକ ମାମଲାର ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ଏବଂ ତାଙ୍କୁ ଖୋଜୁଥିବା ଦେଶକୁ ଆଇନଗତ ଉପାୟରେ ହସ୍ତାନ୍ତର କରିବା ପାଇଁ ରେଡ୍‌ କର୍ଣ୍ଣର ନୋଟିସ୍‌ ଜାରି କରାଯାଏ।

ଷ୍ଟେଟ୍‌ ବ୍ୟାଙ୍କ ପ୍ରଥମ ଶାଖାର ୧୫୦ତମ ବର୍ଷ ପୂର୍ତି ପାଳନ

ଭୁବନେଶ୍ୱର: ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଭୁବନେଶ୍ୱର ମଣ୍ଡଳ ଲବିରେ ବ୍ୟାଙ୍କର ପ୍ରଥମ ଶାଖାର ୧୫୦ତମ ବର୍ଷ ପୂର୍ତି ପାଳନ କରାଯାଇଛି। ୧୮୬୮ରେ ବ୍ରହ୍ମପୁରଠାରେ ଏହି ଶାଖାକୁ ଖୋଲାଯାଇଥିଲା। ସେତେବେଳେ ବ୍ୟାଙ୍କର ନାମ ବ୍ୟାଙ୍କ ଅଫ୍‌ ମାଡ୍ରାସ୍‌ ଥିଲା। ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଡକ୍ଟର ଏସ୍‌ ସି ଜମିର ଏକ ସ୍ୱତନ୍ତ୍ର ଲଫାପାକୁ ଉନ୍ମୋଚନ କରିଛନ୍ତି। ସମ୍ମାନିତ ଅତିଥି ଭାବେ ସିପିଏମ୍‌ଜି ଏସ୍‌ ସି କାମିଲା ଯୋଗ ଦେଇଥିଲେ। ଏହି ଅବସରରେ ବ୍ୟାଙ୍କର ମୁଖ୍ୟ ମହାପ୍ରବନ୍ଧକ ବିଭିଜି ରେଡ୍ଡି, ମହାପ୍ରବନ୍ଧକ ଗୌତମ ଭଟ୍ଟାଚାର୍ଯ୍ୟ, ମହାପ୍ରବନ୍ଧକ ଏସ୍‌ ଠାକୁର ଓ ଉପମହାପ୍ରବନ୍ଧକ ଏସ୍‌ ବି ଖୈରନାର୍‌ ଉପସ୍ଥିତ ଥିଲେ। ଏହି ଅବସରରେ ବ୍ରହ୍ମପୁର ଶାଖାର ଦୁଇ ଜଣ ପେନ୍‌ସନ୍‌ଭୋଗୀ ଏବଂ ଜଣେ ଗ୍ରାହକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ରାଜ୍ୟସଭା ନିର୍ବାଚନ : ବିଜେଡିର ୩ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ୍‌

ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଯାଞ୍ଚ୍‌ ଆଜି ଶେଷ ହୋଇଛି। ବିଜେଡିର ତିନି ଜଣ ପ୍ରାର୍ଥୀ ପ୍ରଶାନ୍ତ ନନ୍ଦ, ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ପ୍ରାର୍ଥିପତ୍ର କାଏମ୍‌ ରହିଛି। ଆଉ ଜଣେ ସ୍ୱାଧୀନ ପ୍ରାର୍ଥୀ ସୁବାସ ମହାପାତ୍ରଙ୍କ କେହି ପ୍ରସ୍ତାବକ ନ ଥିବାରୁ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇଯାଇଛି। ଆଜିର ଯାଞ୍ଚ୍‌ ପରେ ବିଜେଡିର ତିନି ପ୍ରାର୍ଥୀ ରାଜ୍ୟସଭାକୁ ଯିବା ସ୍ପଷ୍ଟ ହୋଇଛି। ଆଉ ନିର୍ଦ୍ଧାରିତ ତାରିଖ ମାର୍ଚ୍ଚ ୨୩ରେ ନିର୍ବାଚନର ଆବଶ୍ୟକତା ନାହିଁ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ୧୫ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ନିର୍ବାଚନ ଅଧିକାରୀ ବିଧିବଦ୍ଧ ଭାବେ ଫଳାଫଳ ଘୋଷଣା କରିବେ।

ବିଜେପିର ବିଜୟରଥକୁ ରୋକିଲେ ସପା-ବସପା, ଗୋରଖପୁର, ଫୁଲପୁର ଆସନରେ ବିଜେପି ପରାସ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ଦୁଇଟି ଲୋକସଭା ଆସନରେ ହୋଇଥିବା ଉପ-ନିର୍ବାଚନରେ ବିଜେପି ପରାଜିତ ହୋଇଛି । ଗୋରଖପୁର ଲୋକସଭା ଆସନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଦୁର୍ଗ କୁହାଯାଉଥିବାବେଳେ ଫୁଲପୁର ଆସନ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଆସନ । ଫଳରେ ଏହି ଫଳାଫଳକୁ ବିଶେଷ ଗୁରୁତ୍ୱ ଦିଆଯାଉଛି । ଗୋରଖପୁର ଲୋକସଭା ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ପ୍ରବୀଣ କୁମାର ନିଶାଦ ବିଜେପିର ଉପେନ୍ଦ୍ର ଦତ୍ତ ଶୁକ୍ଳାଙ୍କୁ ପରାସ୍ତ କରିଛନ୍ତି । ସେହିପରି ଫୁଲପୁର ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ନଗେନ୍ଦ୍ର ପ୍ରତାପ ସିଂ ପଟେଲ ବିଜେପିର କୌଶଳେନ୍ଦ୍ର ସିଂଙ୍କୁ ୫୯୬୧୩ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦଳର ପରାଜୟକୁ ସ୍ୱୀକାର କରି କହିଛନ୍ତି ଯେ ଅତ୍ୟଧିକ ଆତ୍ମବିଶ୍ୱାସ ଓ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟିର ମେଣ୍ଚକୁ ହେୟଜ୍ଞାନ କରିବା ଯୋଗୁଁ ଏହା ହେଲା । ଅନ୍ୟପକ୍ଷରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଯେ ଉତ୍ତରପ୍ରଦେଶ ଉପନିର୍ବାଚନରେ ବିଜେପିର ପରାଜୟ ଦର୍ଶାଉଛି ଯେ ଲୋକମାନେ ବିଜେପି ଉପରେ ରାଗିଛନ୍ତି । ଭୋଟରମାନେ ଆଗକୁ ଅଣବିଜେପି ପ୍ରାର୍ଥୀମାନଙ୍କୁ ଭୋଟ ଦେବେ ବୋଲି ସେ କହିଛନ୍ତି ।

ବିଜେପିକୁ ମତଦାତା ରାଗିଛନ୍ତି: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ଲୋକସଭା ଉପ ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ରାହୁଲ ଗାନ୍ଧି ଅଭିନନ୍ଦନ ଜଣାଇଛନ୍ତି । ରାହୁଲ କହିଛନ୍ତି ମତଦାତା ଏବେ ବିଜେପି ଉପରେ ରାଗିବା ଆରମ୍ଭ କରିଦେଇଛନ୍ତି, ଯାହାକି ଉତ୍ତରପ୍ରଦେଶ ଉପ ନିର୍ବାଚନରୁ ସ୍ପଷ୍ଟ ହୋଇଛି । ଭୋଟରମାନେ ବିଜେପି ପ୍ରାର୍ଥୀଙ୍କୁ ଭୋଟ ନଦେଇ ଅଣ ବିଜେପି ପ୍ରାର୍ଥାଙ୍କୁ ଭୋଟ ଦେଇଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କହିଛନ୍ତି ଆମେ ଉତ୍ତର ପ୍ରଦେଶରେ ଦଳକୁ ସଙ୍ଗଠିତ କରିବାକୁ ଚେଷ୍ଟା କରୁଛୁ । କିନ୍ତୁ ଏହା ରାତାରାତି ହୋଇଯିବ ନାହିଁ । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ନିର୍ବାଚନ ମଣ୍ଡଳୀ ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟି ବିଜୟୀ ହୋଇଛିା

ଗୁଜୁରାଟ ବିଧାନସଭାରୁ ଦୁଇ କଂଗ୍ରେସ ବିଧାୟକ ୩ ବର୍ଷ ପାଇଁ ନିଲମ୍ବିତ

ଗାନ୍ଧିନଗର: ବୁଧବାର ଗୁଜୁରାଟ ବିଧାନସଭାରେ ଏକ ଅପ୍ରୀତିକର ଘଟଣା ଘଟିଛି , ଯାହା ଆମ ସମ୍ବିଧାନ ପାଇଁ ଏକ ଲଜ୍ଜ୍ୟା ଜନକ ଘଟଣା । ବୁଧବାର ବିଜେପି ଓ ବିରୋଧୀ କଂଗ୍ରେସ ସଦସ୍ୟଙ୍କ ଗୃହରେ ହଟ୍ଟଗୋଳ ପରେ ବାଚଷ୍ପତି କଂଗ୍ରେସର ଦୁଇ ବିଧାୟକଙ୍କୁ ୩ ବର୍ଷ ପାଇଁ ଓ ଜଣଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରିଛନ୍ତି । ଏହା ପୂର୍ବରୁ ବିଧାନସଭାରେ କିଛି କଂଗ୍ରେସ ନେତା ବିଜେପି ବିଧାୟକ ଯଗଦିଶ ପାଞ୍ଚାଲଙ୍କୁ ମାଉକ୍ରୋଫୋନ ରଡରେ ଆକ୍ରମଣ କରିଥଲେ । ଏହା ପରେ ଶାସକ ଦଳର ସଦସ୍ୟମାନେ ମଧ୍ୟ କଂଗ୍ରେସ ନେତା ଅମ୍ରିଶ ଦେରଙ୍କୁ ଆକ୍ରମଣ କରିଥିଲେ । ବିଜେପି ଓ କଂଗ୍ରେସର ଏପରି କାର୍ଯ୍ୟରେ ବିଧାନସଭା ରଣ କ୍ଷେତ୍ରରେ ପରିଣତ ହୋଇଥିଲା । କଂଗ୍ରେସ ବିଧାୟକ ବିକ୍ରମ ମାଡମଙ୍କୁ ପ୍ରଶ୍ନ କରିବାକୁ ଅନୁମତି ଦିଆନଯିବାରୁ ହଟ୍ଟଗୋଳର ସୂତ୍ରପାତ ହୋଇଥିଲ। କଂଗ୍ରେସ ବିଧାୟକମାନେ ବାଚସ୍ପତିଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ। ଏହାକୁ ନେଇ ଉଭୟ ଦଳର ପ୍ରାୟ ୯ ଜଣ ବିଧାୟକ ପରସ୍ପର ମଧ୍ୟରେ ମାରପିଟ୍‌ ହୋଇଥିଲେ।

ଏହାପରେ ବାଚଷ୍ପତି ରାଜେନ୍ଦ୍ର ତ୍ରିପାଠୀ କଂଗ୍ରେସର ଦୁଇ ବିଧାୟକ ପ୍ରତାପ ଦୁଧାତ୍‌ ଓ ଅମ୍ରିଶ ଦେରଙ୍କୁ ୩ ବର୍ଷ ପାଇଁ ନିଲମ୍ବିତ କରିଥିବା ବେଳେ ଅନ୍ୟ ଏକ ବିଧାୟକ ବଳଦେବଜୀ ଠାକୁରଙ୍କୁ ଏକ ବର୍ଷ ପାଇଁ ନିଲମ୍ବିତ କରଛନ୍ତିି । ଏହା ରାଜ୍ୟ ଇତିହାସରେ ସବୁଠୁ ଅଧିକ ବର୍ଷ ପାଇିଁ ନିଲମ୍ବିତ ହୋଇଥିବା ବିଧାୟକ ଙ୍କ ଘଟଣା । ତିନି ବିଧାୟକଙ୍କୁ ନିଲମ୍ବନ କଲାପରେ ସେମାନଙ୍କୁ ବିଧାନସଭା ପରିସରକୁ ଆସିବାକୁ ମନା କରାଯାଇଛି । ନିଜର ସାଥୀ ସଦସ୍ୟଙ୍କ ନିଲମ୍ବନକୁ ବିରୋଧ କରି କଂଗ୍ରେସର ଅନ୍ୟ ବିଧାୟକମାନେ ଗୃହ ପରିତ୍ୟାଗ କରିଥିଲେ ।

ଏହି ଘଟଣା ପରେ ଉପ ମୁଖ୍ୟମନ୍ତ୍ରୀ ନିତୀନ ପଟେଲ ଦେର ଓ ଦତଙ୍କୁ ତିନି ବର୍ଷ ନିଲମ୍ବିତ କରିବା ପାଇଁ ପ୍ରସ୍ତାବ ଆଣିଥିଲେ ଓ ଠାକୁରଙ୍କୁ ଏକ ବର୍ଷ ନିଲମ୍ବନ ପାଇଁ ଅନ୍ୟ ଏକ ପ୍ରସ୍ତାବ ଉପସ୍ଥାପନ କରିଥିଲେ । ବାଚଷ୍ପତି ରାଜେନ୍ଦ୍ର ତ୍ରିପାଠୀଙ୍କ ଅଧ୍ୟକ୍ଷରେ ଭୋଟ ଗ୍ରହଣ କରାଗଲା ଓ ବହୁମତରେ ଏହି ପ୍ରସ୍ଥାବକୁ ପାରିତ କରାଗଲା । ଏହି ଘଟଣାକୁ ରାଜେନ୍ଦ୍ର ନିନ୍ଦା କରିବା ସହ ବିଧାନସଭା ଇତିହାସରେ ଏହା ଏକ କଳା ଦିନ ବୋଲି କହିଥିଲେ ।

ଦୀପା ଏସୀୟ ଶ୍ରେଷ୍ଠ

ନୂଆଦିଲ୍ଲୀ: ଭାରତୀୟ ଦିବ୍ୟାଙ୍ଗ କ୍ରୀଡ଼ାବିତ୍‌ ଦୀପା ମଲ୍ଲିକ ୫୩ ବର୍ଗରେ ଏସିଆର ଶ୍ରେଷ୍ଠ ମାନ୍ୟତା ପାଇଥିଲା ବେଳେ ଏସୀୟ କ୍ରୀଡ଼ା ମିଶ୍ରିତ (୫୧/୫୨/୫୩) ବର୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ଦୁବାଇରେ ଚାଲିଥିବା ବିଶ୍ୱ ଦିବ୍ୟାଙ୍ଗ ଦୌଡକୁଦ ଗ୍ରାଁ ପ୍ରିର ଦ୍ୱିତୀୟ ଦିନରେ ଦୀପା ୮.୦୧ ମିଟର ଡିସ୍‌କସ୍‌ ଫିଙ୍ଗି ନିଜ ଜୀବନର ଶ୍ରେଷ୍ଠ ପ୍ରଦର୍ଶନ ହାସଲ କରିବା ସାଙ୍ଗକୁ ଏସୀୟ ଦୌଡ଼କୁଦ ପ୍ର୍ରତିଯୋଗିତାକୁ ମଧ୍ୟ ଯୋଗ୍ୟତା ଅର୍ଜନ କରି ନେଇଥିଲେ। ଏସୀୟ ଦୌଡ଼କୁଦ ପ୍ରତିଯୋଗିତା ଚଳିତ ବର୍ଷ ଅକ୍ଟୋବର ୮ରୁ ୧୬ ତାରିଖ ପର୍ଯ୍ୟନ୍ତ ଇଣ୍ଡୋନେସିଆର ଜାକର୍ତାରେ ଅନୁଷ୍ଠିତ ହେବ। ୨୦୧୬ ରିଓ ପାରାଲିମ୍ପିକ୍‌ସରେ ପ୍ରଥମ ଭାରତୀୟ ମହିଳା ଖେଳାଳି ଭାବେ ଦୀପା ପଦକ ଜିତିବାର କୀର୍ତ୍ତିମାନ କରିଥିଲେ। ସେ ସଟ୍‌ପୁଟ୍‌ ଏଫ୍‌-୫୩ ବର୍ଗରେ ୪.୬୧ ମିଟର ଫିଙ୍ଗି ରୌପ୍ୟ ଜିତିଥିଲେ।