ଚିନ୍ତା ବଢ଼ାଇଲା ଭାଇରାଲ୍‌ ଭିଡିଓ

୨୦୧୭ରେ ୧୮୪ ମାମଲା
ହତ୍ୟା, ଡକାୟତି କମିଛି, ଦୁଷ୍କର୍ମ ବଢିଛି

ଭୁବନେଶ୍ୱର : ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ଘଟଣାକୁ ନେଇ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ ମହଲ ଚିନ୍ତାରେ ଥିବା ବେଳେ ୨୦୧୭ ଅପରାଧ ଇତିହାସରୁ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ୨୦୧୭ରେ ରାଜ୍ୟରେ ୧୮୪ଟି ଏ ସଂକ୍ରାନ୍ତ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ପୁଲିସ ତଥାପି ବେଫିକର। ଅପରାଧ ନିୟନ୍ତ୍ରଣ ଦିଗରେ ଯେତିକି ତନାଘନା ହେବା କଥା ତାହା ହେଉନାହିଁ। କ୍ରାଇମବ୍ରାଞ୍ଚ ଏ ଦିଗରେ ଏକ ପ୍ରକାର ବିଫଳ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଲାଣି।

ଅନ୍ୟପକ୍ଷରେ ପରିସଂଖ୍ୟାନ ସୂଚାଉଛି, ରାଜ୍ୟରେ ହତ୍ୟା, ଡକାୟତି, ଠକେଇ ଓ ଚୋରି ଭଳି ଅପରାଧ ହ୍ରାସ ପାଇଥିଲେ ହେଁ, ସାଇବର ଅପରାଧ ଭଳି ଦୁଷ୍କର୍ମ ଓ ମୋଟର ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ମାମଲା ଦରଜ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୧ଲକ୍ଷ ୩ ହଜାର ୬୦୨ ଓ ୨୦୧୫ରେ ୧ଲକ୍ଷ ୩ ହଜାର ୨୦୦ ରେକର୍ଡ ହୋଇଛି। ଏହା ସଙ୍କେତ ଦେଉଛି ଯେ ଥାନାକୁ ଆସୁଥିବା ସବୁ ମାମଲାର ପଞ୍ଜୀକରଣ କ୍ଷେତ୍ରରେ ତଥାପି ପୁଲିସ ସକ୍ଷମ ହେଉନାହିଁ। ମାମଲା ରଫାଦଫା କରି ଦିଆଯାଉଛି ବା ଏହା ପଛରେ ଆଉ କୌଣସି ଅଦୃଶ୍ୟ ଚାପ ପୁଲିସ ବାଟ ଓଗାଳୁଛି।

କୁନ୍ଦୁଲି ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ପରିସଂଖ୍ୟାନ ଦର୍ଶାଉଛି ଯେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି। ୨୦୧୭ରେ ଦୈନିକ ୬ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ବିଭିନ୍ନ ଥାନାରେ ୨୨୨୧ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଦୁଷ୍କର୍ମ ମାମଲା ଥିଲା ୨୧୪୪ ଓ ୨୦୧୫ରେ ୨୨୮୬। ଦଙ୍ଗା ସଂକ୍ରାନ୍ତ ମାମଲାରେ ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୨୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ରେକର୍ଡ କହୁଛି। ପୂର୍ବବର୍ଷ (୨୦୧୬) ୧୯୧୪ ଓ ୨୦୧୫ରେ ୧୯୭୬ ଏଭଳି ମାମଲା ରୁଜୁ ହୋଇଥିଲା।

ଭଦ୍ରକରେ ଦେଖା ଦେଇଥିବା ଦଙ୍ଗା ଯୋଗୁ ଗତବର୍ଷ ଏହି ମାମଲା ସଂଖ୍ୟା ବଢ଼ିଥିବା କୁହାଯାଉଥିଲେ ହେଁ, ପଞ୍ଚାୟତ ନିର୍ବାଚନ ପ୍ରଭାବକୁ ଏ କ୍ଷେତ୍ରରେ ଅଣଦେଖା କରିହେବ ନାହିଁ। ଭଦ୍ରକରେ ୨୦୧୬ରେ ୨୧ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ରେ ଏହା ବଢି ୧୩୫ରେ ପହଞ୍ଚିଥିଲା।

ଯଦିଓ ସାଇବର ଅପରାଧରେ ଗତବର୍ଷ ତୁଳନାରେ ପାଖାପାଖି ଦୁଇଗୁଣ ଲୋକ ବନ୍ଧା ହୋଇଛନ୍ତି, କିନ୍ତୁ ଆଜି ବି ଏ କ୍ଷେତ୍ରରେ ପୁଲିସ ବିଫଳତା ଜଳ ଜଳ ହୋଇ ଦିଶୁଛି। ୨୦୧୫ ଓ ୨୦୧୬ରେ ଏହି ଘଟଣାରେ ୯୯ ଜଣ ବନ୍ଧା ହୋଇଥିବା ବେଳେ ୨୦୧୭ରେ ୧୯୫ଜଣଙ୍କୁ ଗିରଫ କରାଯାଇଥିଲା। ସାଇବର ଅପରାଧ ମଧ୍ୟରେ ସବୁଠାରୁ ଅଧିକ ଏଟିଏମ୍‌ ଠକେଇ ଘଟିଛି। ଗତବର୍ଷ ୨୬୫ଟି ଏଟିଏମ୍‌ ଠକେଇ ହୋଇଥିଲା। ଅନ୍‌ଲାଇନ୍‌ ଠକେଇ ସଂଖ୍ୟା ଥିଲା ୨୦୬। କ୍ରେଡିଟ୍‌ କାର୍ଡ ଠକେଇ ସଂଖ୍ୟା ୨୭ ଥିବା ବେଳେ ବ୍ୟାଙ୍କ ଠକେଇ ୧୯ଟି ହୋଇଥିବା ରେକର୍ଡ କହୁଛି। ଗତବର୍ଷ ଭାଇରାଲ ଭିଡ଼ିଓ ଓ ଫଟୋ ଜନିତ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ ନିଯୁକ୍ତି ଠକେଇ ଅଭିଯୋଗରେ ୭ଟି ମାମଲା ରୁଜୁ ହୋଇଛି। ଗତବର୍ଷ ୮୨୪ଟି ସାଇବର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ଏହା ୩୧୭ ଓ ୨୦୧୫ରେ ୩୮୫ଟି ଥିଲା।

ପରିସଂଖ୍ୟାନ ଅନୁଯାୟୀ ହତ୍ୟା ମାମଲା ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ରାଜ୍ୟରେ ୧୩୨୮ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହା ୧୪୭୩ ଥିଲା। ଗତବର୍ଷ ଏହି ଧରଣର ମାମଲା ସଂଖ୍ୟା ୧୨୬୭ ରହିଛି। ଅନୁରୂପ ଭାବେ ୨୦୧୫ ଓ ୨୦୧୬ ତୁଳାନରେ ଡକାୟତି ମାମଲା ମଧ୍ୟ ୨୦୧୭ରେ କମିଛି। ରାଜ୍ୟରେ ମୋଟ ୫୩୪ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ରେ ଏହା ୫୬୬ ଥିଲା। ସେହିଭଳି ଚୋରି ସଂଖ୍ୟା ୩୯୫୩କୁ କମିଛି। ୨୦୧୬ରେ ଏହା ୪୦୦୪ ଓ ୨୦୧୫ରେ ଏଭଳି ୪୦୪୬ଟି ମାମଲା ରୁଜୁ ହୋଇଥିଲା। ଠକେଇ ମାମଲା ସଂଖ୍ୟା ବି ୨୯୬୦ରେ ଅଟକିଛି। ୨୦୧୫ରେ ୨୯୨୫ଟି ଓ ୨୦୧୬ରେ ୩୧୯୭ ଥିଲା।

ମୋଟର ଯାନ ଦୁର୍ଘଟଣା ସଂଖ୍ୟା କିନ୍ତୁ କମୁନି। ୨୦୧୭ରେ ୧୦ ହଜାର ୮୫୫ଟି ମୋଟର ଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହା ୧୦,୫୩୨ ଓ ୨୦୧୫ରେ ୧୦ ହଜାର ୫୪୨ଟି ମାମଲା ରୁଜୁ ହୋଇଥିଲା।

ଟିଟିଲାଗଡ଼ ଦେଶର ତତଲାଗଡ଼

୪୦ ଡିଗ୍ରି ଟପିଲା ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା
ଉପକୂଳରେ ଜାରି ହେଲା ‘ହିଟ୍‌ ଓ୍ଵଭ୍‌’ ସତର୍କ ସୂଚନା

ଭୁବନେଶ୍ୱର : ଖରାଦିନ ଆରମ୍ଭ ହେଉ ହେଉ ଓଡ଼ିଶାର ଟିଟିଲାଗଡ଼ ପାଲଟିଛି ଦେଶର ତତଲାଗଡ଼। ଆଜି ଏଠାରେ ଦେଶର ସର୍ବୋଚ୍ଚ ତାପମାତ୍ରା ୪୦.୫ ଡିଗ୍ରି ରେକର୍ଡ ହୋଇଛି। ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଏଠାରେ ତାପମାତ୍ରା ୩୮ରୁ ୪୦.୫ ଡିଗ୍ରି ମଧ୍ୟରେ ରହିଥିଲା। ପବନର ବେଗ କମ୍‌ ରହିଥିବାରୁ ତାପମାତ୍ରା ବଢ଼ିଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି।

କେବଳ ଟିଟିଲାଗଡ଼ ନୁହେଁ ସମ୍ବଲପୁର ମଧ୍ୟ ଦେଶର ଅନ୍ୟତମ ତତଲା ସହର ପାଲଟିଛି। ଏଠାରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ତାପମାତ୍ରା ରେକର୍ଡ କରାଯାଇଛି। ମହରାଷ୍ଟ୍ରର ଏକ ସହର ସମେତ ସମ୍ବଲପୁରର ତାପମାତ୍ରା ମିଳିତ ଭାବେ ୪୦.୩ ଡିଗ୍ର୍ରି ରହିଛି। ଦେଶର ମୋଟ ୬ଟି ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ଓଡ଼ିଶାର ଦୁଇଟି ସହର ପ୍ରଥମ ଓ ଦ୍ୱିତୀୟ ସ୍ଥାନରେ ରହି ଉତ୍ତପ୍ତ ସହରରେ ପରିଣତ ହେବା ଚିନ୍ତା ବଢ଼ାଇଛି।

ଚଳିତବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରି ଟପିଛି। ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି ଉପକୂଳ ଓଡ଼ିଶାରେ ହିଟ୍‌ ଓ୍ଵଭ୍‌ ସତର୍କ ସୂଚନା ଜାରି ହୋଇଥିବା ବେଳେ ପଶ୍ଚିମ ଓଡ଼ିଶାର ଟିଟିଲାଗଡ଼ ଓ ସମ୍ବଲପୁର ସହ ଅନ୍ୟ ସମସ୍ତ ସହରର ତାପମାତ୍ରା ମଧ୍ୟ ୩୮ ଡିଗ୍ରି ଉପରକୁ ଚାଲିଯାଇଛି। ତାଳଚେର ଓ ଅନୁଗୁଳ ସହର ବି ତାତିଛି। ତାଳଚେରର ତାପମାତ୍ରା ୩୯.୯ ଡିଗ୍ରି ଓ ଅନୁଗୁଳରେ ୩୯.୪ ଡିଗ୍ରି ରହିଥିଲା। ବଲାଙ୍ଗିରରେ ୩୯.୩, ଝାରସୁଗୁଡ଼ାରେ ୩୯.୨, ହୀରାକୁଦ ୩୯.୧, ସୋନପୁରରେ ୩୯, ଭବାନୀପାଟଣା ୩୮ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ୱର ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ତାତି ଅନୁଭୂତ ହୋଇଛି। ଆଜି ମାଲକାନଗିରିରେ ୩୯.୬ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭୁବନେଶ୍ୱର ଓ ବାରିପଦାରେ ୩୯.୪, ଢ଼େଙ୍କାନାଳରେ ୩୮.୮ ଡିଗ୍ରି ରହିଥିଲା। ରାଜ୍ୟର ୨୦ଟି ସହରର ତାପମାତ୍ରା ୩୫ ଡିଗ୍ରି ଉପରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟସଭା ନିର୍ବାଚନ: ସବୁଠାରୁ ଧନୀ ପ୍ରାର୍ଥୀ

ନୂଆଦିଲ୍ଲୀ: ରାଜ୍ୟସଭା ପାଇଁ ବିହାରରୁ ଜେଡିୟୁ ପ୍ରାର୍ଥୀ ମହେନ୍ଦ୍ର ପ୍ରସାଦ ହେଉଛନ୍ତି ୪ ହଜାର କୋଟି ଟଙ୍କା ସଂପତ୍ତିର ଅଧିକାରୀ। ଚଳିତ ରାଜ୍ୟସଭା ନିର୍ବାଚନରେ ସମ୍ଭବତଃ ସେ ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ। ୭୮ ବର୍ଷୀୟ ମହେନ୍ଦ୍ର ପ୍ରସାଦ ୭ମ ଥର ଲାଗି ରାଜ୍ୟସଭାକୁ ନିର୍ବାଚିତ ହେବା ପ୍ରାୟ ନିଶ୍ଚିତ। ମହେନ୍ଦ୍ରଙ୍କର ଦୁଇଟି ଫାରମାସେଟିକାଲ କଂପାନୀ ରହିଛି। ତାଙ୍କ ନାମରେ କୌଣସି କାର ବା ବିମା ପଲିସି ନଥିଲେ ମଧ୍ୟ ତାଙ୍କ ପାଖରେ ୪୧ ଲକ୍ଷ ଟଙ୍କାର ଅଳଙ୍କାର ରହିଛି। ୨୦୧୬-୧୭ ପାଇଁ ସେ ଦାଖଲ କରିଥିବା ଆୟକର ରିଟର୍ନରେ ୩୦୩ କୋଟି ୫୦ ଲକ୍ଷ ଟଙ୍କାର ଆୟ ଦର୍ଶାଇଛନ୍ତି। ସେ ୨୧୧ଟି ଦେଶ ଯାତ୍ରା କରିଛନ୍ତି। ସେ ୫୩ ଥର ବ୍ରିଟେନ ଯାଇଥିବା ବେଳେ ୧୦ ଥର ଆମେରିକା ଯାଇଛନ୍ତି। ୨୦୦୨ରୁ ୨୦୦୩ ମଧ୍ୟରେ ଗୋଟିଏ ବର୍ଷରେ ୮୪ଟି ଦେଶ ଭ୍ରମଣ କରିଛନ୍ତି। ସୂଚନାଯୋଗ୍ୟ ଯେ ୧୯୮୦ରେ ସେ ପ୍ରଥମ ଥର ଲାଗି କଂଗ୍ରେସ ଟିକଟରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୫ରେ କଂଗ୍ରେସ ତାଙ୍କୁ ରାଜ୍ୟସଭା ପଠାଇଥିଲା। ଏହାପର ଠାରୁ ସେ କ୍ରମାଗତ ଭାବେ ରାଜ୍ୟସଭାକୁ ଆରଜେଡି/ ଜେଡିୟୁ ଟିକଟରେ ନିର୍ବାଚିତ ହେଉଛନ୍ତି।

୨୫ ବର୍ଷ ପୁରୁଣା ଇତିହାସର ପୁନରାବୃତ୍ତି: ୟୁପି ରାଜନୀତିରେ ନୂଆ ମୋଡ଼

ଲକ୍ଷ୍ନୌ: ଉଭୟ ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟିର ବିଜୟ ହେବା ପରେ ୟୁପି ରାଜନୀତିରେ ୨୫ ବର୍ଷ ତଳର ଇତିହାସର ପୁନରାବୃତ୍ତି ଘଟିଛି। ୧୯୯୩ ମସିହାରେ ବିଜପିର ବର୍ଦ୍ଧିତ ପତିଆରାକୁ ଆଖି ଆଗରେ ରଖି ବିଧାନସଭା ନିର୍ବାଚନ ପାଇଁ ତତ୍କାଳୀନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ମୁଲାୟମ ସିଂ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟି ଅଧ୍ୟକ୍ଷ କାଂଶୀରାମ ମିଳିତଭାବେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ। ଆଜି ବି ଅନୁରୂପ ଘଟଣା ଦେଖିବାକୁ ମିଳିଛି। ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ଓ ବହୁଜନ ସମାଜବାଦୀ ପାର୍ଟିର ମାୟାବତୀଙ୍କ ମଧ୍ୟରେ ଉପ ନିର୍ବାଚନ ମେଣ୍ଟ ବିଜେପି ଗଡ଼ରେ ସମାଜବାଦୀ ପ୍ରାର୍ଥୀଙ୍କୁ ବିଜୟୀ କରିବାରେ ସଫଳ ହୋଇଛି। ଏହା ସହିତ ୧୯୯୧ ମସିହାରୁ ବିଜେପି ହାତରେ ଥିବା ଗୋରଖପୁର ଆସନ ୨୫ବର୍ଷ ପରେ ବିଜେପି ହରାଇଛି। ସେପଟେ ପ୍ରଥମ ଥର ପାଇଁ ଗୋରଖପୁରରେ ସମାଜବାଦୀ ପାର୍ଟିର ବିଜୟ ୟୁପି ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିିଛି। ୧୯୯୧ରୁ ୧୯୯୮ ମସିହା ଯାଏଁ ବିଜେପିର ମହନ୍ତ ଅବୈଦ୍ୟନାଥ ଗୋରଖପୁର ଲୋକସଭା ସାଂସଦ ଭାବେ ରହିଥିବା ବେଳେ ୧୯୯୮ରୁ ୨୦୧୭ ଯାଏଁ ଯୋଗୀ ଆଦିତ୍ୟନାଥ ଏହି ନିର୍ବାଚନ ମଣ୍ଡଳୀରୁ ସାଂସଦ ହୋଇଥିଲେ। ସେପଟେ ଆହ୍ଲାବାଦର ଫୁଲପୁର ନିର୍ବାଚନ ମଣ୍ଡଳୀରେ ୨୦୧୪ ମସିହାରେ ପ୍ରଥମ ଥର ପାଇଁ ବିଜେପିର ବିଜୟ ହୋଇଥିବା ବେଳେ ଏଥର ସମାଜବାଦୀ ପାର୍ଟି ହାତକୁ ଚାଲିଯାଇଛି। ଉଲ୍ଲେଖଯୋଗ୍ୟ , ୨୦୦୯ ମସିହାରେ ବହୁଜନ ସମାଜବାଦୀ ପାର୍ଟି ଏହି ଆସନରେ ବିଜୟୀ ହୋଇଥିଲା। ସ୍ୱାଧୀନତା ପରଠାରୁ ଏହି ଆସନରେ ଅର୍ଦ୍ଧାଧିକ ନିର୍ବାଚନରେ କଂଗ୍ରେସର ବିଜୟ ହୋଇଥିବାରୁ ଏଥର ମଧ୍ୟ ଦଳଇତିହାସ ଦୋହରାଇବ ବୋଲି ଆଶାବାନ୍ଧିଥିଲା। କିନ୍ତୁ ଉଭୟ ଗୋରଖପୁର ଓ ଫୁଲପୁରରେ କଂଗ୍ରେସ ନିଜର ସତ୍ତା ହରାଇ ବସିଛି। ପ୍ରାର୍ଥୀମାନେ ଅମାନତ ହରାଇଥିବା ବେଳେ କଂଗ୍ରେସ ସଂଗଠନର ଦୟନୀୟ ସ୍ଥିତି ସାମ୍ନାକୁ ଆସିଛି।

ସାମାଜିକ ନ୍ୟାୟର ବିଜୟ

ଉତ୍ତରପ୍ରଦେଶର ଉଭୟ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟିର ବିଜୟ ଐତିହାସିକ ଏବଂ ଏହା ସମାଜିକ ନ୍ୟାୟର ବିଜୟ ବୋଲି ସପା ସୁପ୍ରିମୋ ଅଖିଳେଶ ଯାଦବ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଲୋକଙ୍କ କ୍ରୋଧ ଏଭଳି ସ୍ଥିତିରେ ଥିବା ବେଳେ ଦେଶବ୍ୟାପୀ ଲୋକଙ୍କ କ୍ରୋଧ କିଭଳି ଥିବ ଏଥିରୁ ଅନୁମାନ କରାଯିବା ଆବଶ୍ୟକ ବୋଲି ଅଖିଳେଶ କହିଛନ୍ତି। କୁଶାସନ ବିରୋଧରେ ଏହି ବିଶାଳ ବିଜୟ ହୋଇଥିବାରୁ ଆଗକୁ ଲଢ଼େଇ ଜୋର୍‌ଦାର ହେବ ବୋଲି ଅଖିଳେଶ କହିଛନ୍ତି। ବିଜୟ ପାଇଁ ବିଏସ୍‌୍‌ପି ସୁପ୍ରିମୋ ମାୟାବତୀଙ୍କୁ ଅଖିଳେଶ ଧନ୍ୟବାଦ ଜଣାଇଛନ୍ତି।

ଲାଲୁଙ୍କୁ ଶେଷ କରିବାକୁ ଚାହୁଥିବା ଲୋକଙ୍କୁ ଜବାବ ମିଳିଛି

ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ସପା-ବସପା ମେଣ୍ଟର ସଫଳତା ଏବଂ ବିହାରରେ ଦଳର ସଫଳତାରେ ଉତ୍‌ଫୁଲ୍ଲିତ ଆରଜେଡି ନେତା ତେଜସ୍ୱୀ ଯାଦବ ଜାତୀୟସ୍ତରରେ ମହାମେଣ୍ଟ ଗଠନ ପାଇଁ ପ୍ରସ୍ତାବ ଦେଇଛନ୍ତି। ବିରୋଧୀ ଦଳ ନେତାମାନେ ସେମାନଙ୍କ ଅହଙ୍କାର ଛାଡ଼ି ଏକାଠି ହେବାକୁ ତେଜସ୍ୱୀ କହିଛନ୍ତି। ୟୁପି ଓ ବିହାରରୁ ଆରମ୍ଭ ହୋଇଥିବା ଏହି ବିଜୟ ପର୍ବ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଜାରି ରହିବ। ବିରୋଧୀ ଦଳର ଏହି ବିଜୟ ପରେ ମୋଦି ସରକାର ହତୋତ୍ସାହିତ ହୋଇ ସିବିଆଇ ଓ ଇଡିକୁ ବ୍ୟବହାର କରି ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ବୋଲି ତେଜସ୍ୱୀ କହିଛନ୍ତି। ପିତା ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ରାଜନୈତିକ ମୃତ୍ୟୁ ଘଟାଇବାକୁ ଚାହୁଥିବା ଲୋକଙ୍କୁ ଏହି ନିର୍ବାଚନରେ କଡ଼ା ଜବାବ ମିଳିଛି ବୋଲି ତେଜସ୍ୱୀ କହିଛନ୍ତି।

ଏହା ଆମ ପାଇଁ ଶିକ୍ଷା
ନିର୍ବାଚନ ଫଳ ପ୍ରକାଶ ପରେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ କହିଛନ୍ତି ଯେ ରାଜ୍ୟରେ ବିକାଶର ଗତିରୋଧ କରିବା ପାଇଁ ସପା-ବସପା ମଧ୍ୟରେ ଅନୈତିକ ମେଣ୍ଟ ହୋଇଛି। ତେବେ ଏହାର ପ୍ରତିହତ କରିବା ପାଇଁ ଆମେ ବିହୀତ ପଦକ୍ଷେପ ନେବୁ ଏବଂ ନୂଆ ରଣନୀତିରେ ଦଳ କାର୍ଯ୍ୟ କରିବ ବୋଲି ସେ କହିଛନ୍ତି। ଏହି ମେଣ୍ଟକୁ ବିଜେପି ଆଦୌ ଗୁରୁତ୍ୱର ସହ ନେଇନଥିଲା ଏବଂ ମାତ୍ରାଧିକ ବିଶ୍ୱାସ ଆମ ପାଇଁ ପରାଜୟର କାରଣ ହେଲା ବୋଲି ଯୋଗୀ କହିଛନ୍ତି। ତେବେ ଲୋକଙ୍କ ରାୟକୁ ଆମେ ସମ୍ମାନର ସହ ଗ୍ରହଣ କରୁଛି। ଏହି ଜନାଦେଶ ଦଳ ପାଇଁ ଅତ୍ୟନ୍ତ ଅପ୍ରତ୍ୟାଶିତ ଥିବାରୁ ଆମେ ନିଜର ଦୁର୍ବଳତା ସଂପର୍କରେ ବଚାରମନ୍ଥନ କରିବୁ ବୋଲି ସେ କହିଛନ୍ତି। ବିଜୟୀ ପ୍ରାର୍ଥୀମାନଙ୍କୁ ଯୋଗୀ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଦାବି ମାନିଲେ ନାହିଁ ରେଳ ମନ୍ତ୍ରୀ

ନୂଆଦିଲ୍ଲୀ : ସମଗ୍ର ଓଡ଼ିଶାକୁ ଗୋଟିଏ ରେଳବାଇ ଜୋନ୍‌ରେ ରଖିବା ଲାଗି ବିଜେଡିର ଦାବିକୁ ରେଳମନ୍ତ୍ରୀ ପୀୟୂଷ ଗୋଏଲ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ଭର୍ତ୍ତୃହରି ମହତାବଙ୍କ ନେତୃତ୍ୱରେ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ଆଜି ରେଳମନ୍ତ୍ରୀଙ୍କୁ ତାଙ୍କ ସଂସଦ ଭବନ କାର୍ଯ୍ୟାଳୟରେ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲେ। ଏହି ସୂଚନା ଦେଇଛନ୍ତି ବିଜେଡି ସଂସଦୀୟ ଦଳର ମୁଖପାତ୍ର କଳିକେଶ ନାରାୟଣ ଦେଓ।

ସେ କହିଲେ, ତିନିଟି ନୂଆ ରେଳ ଡିଭିଜନ ଖୋଲିବା ନେଇ ରାଜ୍ୟ ସରକାର ଦାବି କରି ଆସୁଥିଲେ ମଧ୍ୟ କେନ୍ଦଅ ଶୁଣୁନି। ଆଗକୁ ଏହି ପ୍ରସଙ୍ଗରେ ବିଜେଡି ସାଂସଦମାନେ ସଂସଦ ଭିତରେ ଓ ବାହାରେ ପ୍ରତିବାଦ କରିବେ। ଝାରସୁଗୁଡ଼ା-ବାରାସୁଆନ୍‌-କିରୁବୁରୁ-ରାଉରକେଲା-ନୂଆଗାଁ ଓ ଝାରସୁଗୁଡ଼ା-ହିମଗିରି ସେକ୍ସନ୍‌ (ରାଉରକେଲା ଡିଭିଜନ୍‌) ବାନସ୍‌ପାନି ପାଦପାହାର-ରୁପ୍‌ସା-ବାଙ୍ଗିରିପୋଷୀ ଓ ଭଦ୍ରକ ଲକ୍ଷଣନାଥ ସେକ୍ସନ୍‌ (ଯାଜପୁର କେଉଁଝର ରୋଡ ଡିଭିଜନ) ଓ ନୂଆପଡ଼ା-ଗୁଣୁପୁର ସହିତ ପ୍ରସ୍ତାବିତ ସମ୍ପ୍ରସାରଣ ଥେରୁବାଲି-ରାୟଗଡ଼ା, ରାୟଗଡ଼ା-ଟିଟ୍‌ଲାଗଡ଼, ରାୟପୁର, କୋରାପୁଟ-ରାୟଗଡ଼ା, କୋରାପୁଟ-ଜୟପୁର-ଜଗ୍‌ଦଲପୁର-କିରାନ୍‌ଡୁଲ, ଲାଂଜିଗଡ଼ ରୋଡ୍‌-ଜୁନାଗଡ଼ ଏବଂ ପ୍ରସ୍ତାବିତ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା ରେଲେଓ୍ଵ ଲାଇନ୍ସ (ରାୟଗଡ଼ା ଡିଭିଜନ୍‌)ରେ ତିନୋଟି ନୂଆ ରେଳପଥ ଡିଭିଜନ୍‌ କରିବାଲାଗି ବିଜେଡି ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ତିନୋଟି ନୂଆ ଡିଭିଜନ କରିବାଦ୍ୱାରା ଯାତ୍ରୀ ଓ ମାଲ୍‌ ପରିବହନକୁ ନେଇ ରେଳବାଇ ଓଡ଼ିଶାବାସୀଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିପାରିବ ତଥା ରେଳ ପ୍ରକଳ୍ପ ଗୁଡ଼ିକର କାର୍ଯ୍ୟ ଶୀଘ୍ର ତ୍ୱରାନ୍ଵିତ ହୋଇପାରିବ ବୋଲି ଆଲୋଚନା ସମୟରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀ ଗୋଏଲଙ୍କୁ ଅବଗତ କରାଇଥିଲେ।

ଅନ୍ୟପକ୍ଷେ ସମ୍ବଲପୁର ଦେଇ ଦିଲ୍ଲୀ ଯାଉଥିବା ରାଜଧାନୀ ଏକ୍ସପ୍ରେସକୁ ଦୈନିକ କରିବାପାଇଁ ମଧ୍ୟ ନିକଟରେ ସାଂସଦମାନେ କେନ୍ଦ୍ର ରେଳମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିବାବେଳେ ସେ ଏନେଇ ବିଚାର କରିବେ ବୋଲି ଆଶ୍ୱାସନା ଦେଇଥିବା ସାଂସଦମାନେ କହିଛନ୍ତି।

ପରଲୋକରେ ଷ୍ଟିଫେନ୍‌ ହକିଂ

ଲଣ୍ଡନ : ବିଜ୍ଞାନ ଆକାଶର ମହାନ ତାରକା ଷ୍ଟିଫେନ୍‌ ହକିଂ ଆଉ ନାହାନ୍ତି। ଏହି ପ୍ରଖ୍ୟାତ ବ୍ରିଟିଶ ପଦାର୍ଥ ବିଜ୍ଞାନୀଙ୍କର ଆଜି ୭୬ ବର୍ଷ ବୟସରେ ବ୍ରିଟିଶ ୟୁନିଭର୍ସିଟି କେମ୍ବ୍ରିଜ୍‌ ପରିସରସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ଆଧୁନିକ ବ୍ରହ୍ମାଣ୍ଡ ବିଜ୍ଞାନର ସର୍ବାଧିକ ଚର୍ଚ୍ଚିତ ବୈଜ୍ଞାନିକ ଷ୍ଟିଫେନ୍‌ ନିଜେ ମୃତ୍ୟୁର କଳାବାଦଲ ତଳେ ରହି ମଧ୍ୟ ନିଜର ଗବେଷଣା କାର୍ଯ୍ୟ ବଜାୟ ରଖି ଅନେକ ରହସ୍ୟର ଉନ୍ମୋଚନ କରିବାରେ ସକ୍ଷମ ହୋଇଥିଲେ। ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ସାଧନାରେ ଅବିଚଳିତ ରହି ବିଜ୍ଞାନ କ୍ଷେତ୍ରରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆଣିଥିବା ଷ୍ଟିଫେନ୍‌ ଘରେ ଘରେ ପରିଚିତ।

ମାତ୍ର ୨୨ ବର୍ଷ ବୟସରେ ୧୯୬୪ ମସିହାରେ ଏକ ବିରଳ ରୋଗ ମୋଟର୍‌ ନ୍ୟୁରୋନ୍‌ରେ ପୀଡ଼ିତ ହୋଇ ଷ୍ଟିଫେନ୍‌ ସମ୍ପୂର୍ଣ୍ଣ ପକ୍ଷାଘାତର ଶିକାର ହୋଇଥିଲେ ଏବଂ ସର୍ବଦା ହ୍ଵିଲଚେୟାର ଉପରେ ନିର୍ଭରଶୀଳ ଥିଲେ। ବିଶ୍ୱର ଅନ୍ୟତମ ବେଷ୍ଟସେଲ୍‌ର ପୁସ୍ତକ ‘ ଏ ବ୍ରିଫ୍‌ ହିଷ୍ଟ୍ରି ଅଫ୍‌ ଟାଇମ୍‌’ର ଲେଖକ ଷ୍ଟିଫେନ୍‌ ବ୍ରହ୍ମାଣ୍ଡକୁ ବୁଝିବା ଓ ବୁଝାଇବାରେ ତାଙ୍କର ଜୀବନର ପ୍ରତ୍ୟେକଟି କ୍ଷଣକୁ ବିନିଯୋଗ କରୁଥିଲେ। ନୋବେଲ ପୁରସ୍କାରରୁ ବଞ୍ଚିତ ହୋଇଥିଲେ ମଧ୍ୟ ଗୁରୁତ୍ୱାକର୍ଷଣ, ବ୍ରହ୍ମାଣ୍ଡ ବିଜ୍ଞାନ, କ୍ୱାଣ୍ଟମ ଥିଓରି, ସୂଚନା ସିଦ୍ଧାନ୍ତ ଏବଂ ଥର୍ମାଡାୟନାମିକ୍ସକୁ ଏକ ସଙ୍ଗରେ ଗବେଷଣା କରି ସେ ଅପାର ସଫଳତା ହାସଲ କରିଥିଲେ। ବ୍ଲାକ୍‌ହୋଲ୍‌ ବା କୃଷ୍ଣଗର୍ତ୍ତକୁ ନେଇ ଚାଲିଥିବା ଗବେଷଣାକୁ ଷ୍ଟିଫେନ୍‌ ନୂଆ ମୋଡ଼ ଦେବାରେ ସକ୍ଷମ ହୋଇଥିଲେ। ଭଏସ୍‌ ସିନ୍ଥେସାଇଜର ବିନା ସେ ନିଜ ଭାବନାର ପରିପ୍ରକାଶ ଶବ୍ଦରେ କରିପାରୁନଥିଲେ। ତାଙ୍କ ଚିନ୍ତାର ପରିପ୍ରକାଶ ପାଇଁ ଏକ ସ୍ୱତନ୍ତ୍ର କମ୍ପ୍ୟୁଟର ସଫ୍ଟେଓ୍ଵର ପ୍ରସ୍ତୁତ କରାଯାଇଥିଲା ଯାହା ତାଙ୍କର ମୁହଁର ଭାବପ୍ରକାଶକୁ ଚିହ୍ନଟ କରି ଶବ୍ଦ ଚୟନ କରୁଥିଲା । ଅସୁସ୍ଥତାଜନିତ ଜଟିଳତା ଯୋଗୁଁ ୧୯୬୩ ମସିହାରେ ଷ୍ଟିଫେନ୍‌ ମାତ୍ର ୨ ବର୍ଷ ବଞ୍ଚିବେ ବୋଲି କୁହାଯାଉଥିଲା। କିନ୍ତୁ ଦୁଃସାଧ୍ୟ ରୋଗ ସହ ଲଢ଼ି ଷ୍ଟିଫେନ୍‌ ୭୬ ବର୍ଷ ବୟସ ପର୍ଯ୍ୟନ୍ତ ବିଜ୍ଞାନ କ୍ଷେତ୍ରରେ ନିଜର ଅବଦାନ ଯୋଡ଼ି ଚାଲିଥିଲେ।

କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଥିବା ଷ୍ଟିଫେନ୍‌ ୧୯୪୨ ମସିହା ଜାନୁଆରୀ ୮ ତାରିଖରେ ଜନ୍ମଗ୍ରହଣ କରିଥିଲେ। ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ ଏବଂ ସାର ଆଇଜାକ୍‌ ନ୍ୟୁଟନ୍‌ଙ୍କ ପରେ ତୃତୀୟ ଶ୍ରେଷ୍ଠ ବୈଜ୍ଞାନିକ ଭାବେ ଷ୍ଟିଫେନ୍‌ ହକିଂଙ୍କ ସୁଖ୍ୟାତି ଓ ସଫଳତା ବିଶ୍ୱବିଦିତ । ୧୯୭୪ ମସିହାରେ ସେ ବ୍ରିଟେନ୍‌ର ‘ଦି ରୟାଲ ସୋସାଇଟି’ର ସର୍ବକନିଷ୍ଠ ଫେଲୋ ଭାବେ ନିର୍ବାଚିତ ହୋଇଥିଲେ। ୧୯୭୯ ମସିହାରେ ସେ କେମ୍ବ୍ରିଜ୍‌ ବିଶ୍ୱବିଦ୍ୟାଳୟରେ ଗଣିତ ପ୍ରଫେସର ଭାବେ ନିଯୁକ୍ତ ହୋଇଥିଲେ।

ବିଜେପି ଛାତି ଧଡ଼ଧଡ଼ ୧୧ରୁ ୧୦ରେ ପରାସ୍ତ

ନୂଆଦିଲ୍ଳୀ: ୨୦୧୪ ସାଧାରଣ ନିର୍ବାଚନରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଐତିହାସିକ ସଫଳତା ହାସଲ କରିଥିବା ବିଜେପିକୁ ଉପନିର୍ବାଚନରେ କେବଳ ନିରାଶାର ସମ୍ମୁଖୀନ ହେବାକୁ ପଡ଼ିଛି। ୨୦୧୪ ପରେ ଯେତେ ଲୋକସଭା ଉପନିର୍ବାଚନ ହୋଇଛି ସେଥିରେ ପରାସ୍ତ ହୋଇ ବିଜେପି ଏକ ଅଲୋଡ଼ା ରେକର୍ଡର ଅଧିକାରୀ ହୋଇଛି। ବର୍ତମାନ ସୁଦ୍ଧା ହୋଇଥିବା ଲୋକସଭାର ୧୧ଟି ଆସନର ଉପନିର୍ବାଚନରେ କେବଳ ଗୋଟିଏରେ ବିଜେପି ଜିତିଥିବା ବେଳେ ଅନ୍ୟ ସମସ୍ତ ୧୦ଟି ଆସନରେ ପରାଜୟ ବରଣ କରିଛି। ପ୍ରଧାନମନ୍ତ୍ରୀ ମୋଦି ଖାଲି କରିଥିବା ଗୁଜରାଟର ଭଦୋଦ୍ରା ଆସନ ପାଇଁ ଅନୁଷ୍ଠିତ ଉପନିର୍ବାଚନରେ ବିଜେପି ବିଜୟୀ ହୋଇଥିଲା। ୨୦୧୪ରେ ଅନୁଷ୍ଠିତ ଲୋକସଭା ନିର୍ବାଚନରେ ବିଜେପିକୁ ୨୮୨ଟି ଆସନ ମିଳିଥିଲା। ଆଜିର ଉତ୍ତର ପ୍ରଦେଶ ଏବଂ ବିହାରର ଲୋକସଭା ଆସନରେ ପରାଜୟ ସହିତ ବିଜେପିର ସଭ୍ୟସଂଖ୍ୟା ୨୭୪କୁ ଖସି ଆସିଛି। ଅର୍ଥାତ ଏହା ୮ଟି ଆସନ ହରାଇଛି। ଏବେ ବି ଲୋକସଭାର ଆହୁରି ୫ଟି ଆସନ ଖାଲି ପଡ଼ିଛି। ସାଧାରଣ ନିର୍ବାଚନ ପରେ ପ୍ରଥମ ଉପନିର୍ବାଚନ ହୋଇଥିଲା ଗୁଜରାଟର ଭଦୋଦ୍ରାରେ। ବାରଣାସୀ ଓ ଭଦୋଦ୍ରାରୁ ବିଜୟୀ ହୋଇଥିବା ମୋଦି ଭଦୋଦ୍ରା ଆସନ ଛାଡ଼ି ଦେଇଥିଲେ। ସେ ୫ ଲକ୍ଷ ୭୦ ହଜାର ଅଧିକ ଭୋଟ ପାଇ ଭଦୋଦ୍ରା ଜିତିଥିଲେ। ସେହିବର୍ଷ ସେପଟେମ୍ବରରେ ଏଠାରେ ଉପନିର୍ବାଚନ ହୋଇଥିଲା। ଏହାଥିଲା ପ୍ରଥମ ଉପନିର୍ବାଚନ। ଏଥିରେ ବିଜେପି ପ୍ରାର୍ଥୀ ୩ ଲକ୍ଷ ୨୯ ହଜାର ଅଧିକ ଭୋଟ ପାଇ କଂଗ୍ରେସକୁ ହରାଇଥିଲେ। ତେବେ ଏହାପରେ ଯେତେ ଉପନିର୍ବାଚନ ହୋଇଛି ସେଥିରେ ବିଜେପିକୁ ପରାଜୟର ସାମନା କରିବାକୁ ପଡ଼ିଛି। ୨୦୧୫ ନଭେମ୍ବରରେ ମଧ୍ୟ ପ୍ରଦେଶର ରତଲାମ ଆସନରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେପିକୁ ହରାଇ କଂଗ୍ରେସ ବିଜୟୀ ହୋଇଥିଲା। (୨୦୧୪ରେ ବିଜେପି ଏଠାରେ ବିଜୟୀ ହୋଇଥିଲା।) ଏହିଠାରୁ ଆରମ୍ଭ ହୋଇଥିଲା ବିଜେପିର ପରାଜୟ ଧାରା। ଏହାପରେ ୨୦୧୭ରେ ଶ୍ରୀନଗର, କେରଳର ମାଲାପୁରମ ଏବଂ ପଞ୍ଜାବର ଗୁରୁଦାସପୁରରେ ହୋଇଥିଲା ଉପନିର୍ବାଚନ। ଶ୍ରୀନଗରରେ ନେସନାଲ କନଫେରେନ୍ସ ପ୍ରାର୍ଥୀ ଫାରୁକ ଅବଦୁଲ୍ଲା ବିଜେପି-ପିଡିପି ପ୍ରାର୍ଥୀଙ୍କୁ ହରାଇଥିଲେ। ମାଲାପୁରମରେ ମୁସଲିମ ଲିଗ ପ୍ରାର୍ଥୀ ବିଜୟୀ ହୋଇଥିଲେ। ଏଠାରେ ବିଜେପି ତୃତୀୟ ସ୍ଥାନରେ ରହିଥିଲା। ସେହିଭଳି ବିଜେପି ନେତା ତଥା ଅଭିନେତା ବିନୋଦ ଖନ୍ନାଙ୍କ ପରଲୋକ ଯୋଗୁଁ ଗୁରୁଦାସପୁରରେ ହୋଇଥିବା ଉପନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିଲେ। ବିଜେପି ଏଠାରେ ପ୍ରାୟ ୨ ଲକ୍ଷ ଭୋଟରେ ହାରିଥିଲା।

ଚଳିତ ବର୍ଷ ୫ଟି ଆସନରେ ଉପନିର୍ବାଚନ ହୋଇଛି। ଫେବ୍ରୁଆରୀ ମାସରେ ରାଜସ୍ଥାନର ଅଜମୀର, ଅଲଓ୍ଵର ଏବଂ ପଶ୍ଚିମ ବଙ୍ଗର ଉଲୁବେରିଆରେ ଉପନିର୍ବାଚନ ହୋଇଥିଲା। ତିନିଟିରେ ବିଜେପି ହାରିଥିଲା। ଅଜମୀର ଓ ଅଲଓ୍ଵରରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଉଲୁବେରିଆରେ ତୃଣମୂଳ କଂଗ୍ରେସ ପ୍ରାର୍ଥୀ ୪ ଲକ୍ଷ ୭୪ ହଜାର ଅଧିକ ଭୋଟ ପାଇ ବିଜୟୀ ହୋଇଥିଲେ।
ଆଜି ଉତ୍ତର ପ୍ରଦେଶ ଏବଂ ବିହାରରେ ମଧ୍ୟ ବିଜେପିକୁ ସମଦଶା ଭୋଗିବାକୁ ପଡ଼ିଛି। ଉତ୍ତର ପ୍ରଦେଶର ଗୋରଖପୁର ଓ ଫୁଲପୁରରେ ବିଜେପି ସମାଜବାଦୀ ପାର୍ଟି ଠାରୁ ହାରିଥିବା ବେଳେ ବିହାରର ଅରାରିଆରେ ଆରଜେଡି ଠାରୁ ପରାସ୍ତ ହୋଇଛି। ଏହି ଉପନିର୍ବାଚନ ପଳାଫଳ ବିଜେପିର ଚିନ୍ତା ବଢ଼ାଇଦେଇଛି। ତ୍ରିପୁରା, ନାଗାଲାଣ୍ଡ ଓ ମେଘାଳୟ ଭଳି କ୍ଷୁଦ୍ର ରାଜ୍ୟରେ ବିଜୟ ନେଇ ଉଲ୍ଲସିତ ଥିବା ବିଜେପି ନେତାମାନେ ସ୍ତବ୍ଧ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ କର୍ଣ୍ଣାଟକ, ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ବେଳେ ଆଜିର ଫଳାଫଳ ସେମାନଙ୍କର ନିଦ ହଜାଇଦେଇଛି। ମୋଦିଙ୍କ ଗୁଜରାଟରେ ପରାଜୟରୁ ଅଳ୍କକେ ବର୍ତିଯାଇଥିଲା ବିଜେପି। ଏହାକୁ ବି ଭୁଲି ନାହାନ୍ତି ଦଳୀୟ ନେତା। ସେପଟେ ବିରୋଧୀ ଦଳ ଏକାଠି ହେଉଥିବାରୁ ୨୦୧୯ ନିର୍ବାଚନ ଜିତିବା ଏତେ ସହଜ ହେବନାହିଁ। ୟୁପିରେ ମେଣ୍ଟ ହାତରେ ପରାଜୟ ସେମାନଙ୍କ ପାଇଁ ସତର୍କ ଘଣ୍ଟି ବୋଲି କେତେକ ବିଜେପି ନେତା ଆଜି ସ୍ୱୀକାର କରିଛନ୍ତି। ୨୦୧୫ରେ ବିହାର ଲାଲୁ-ନୀତୀଶ ମେଣ୍ଟ ହାତରେ ଏଭଳି ଦଶା ଭୋଗିଥିଲା ବିଜେପି। ଏହାକୁ ଦୃଷ୍ଟିରେ ରଖି ବିଜେପି ଏହାର ରଣନୀତି ବଦଳାଇବାକୁ ଗୁରୁତର ସହ ବିଚାର କରୁଥିବା ଜଣାପଡ଼ିଛି।

ସହର ଭିତରେ ୭୦ କି. ମି. ବେଗରେ କାର୍‌ ଚଳାଇବାକୁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ପ୍ରଥମ ଥର ପାଇଁ କେନ୍ଦ୍ର ସରକାର ସହରାଞ୍ଚଳ ରାସ୍ତାରେ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ କାର୍‌, ୬୦ କିଲୋମିଟର୍‌ ବେଗରେ ମାଲବାହୀ ଗାଡ଼ି ଏବଂ ୫୦ କିଲୋମିଟର୍‌ ବେଗରେ ଦ୍ୱିଚକିଆ ଯାନ ଚଳାଇବାକୁ ଅନୁମତି ଦେଇଛି। କିନ୍ତୁ, ରାସ୍ତାରେ ଯାତାୟାତ କରୁଥିବା ଅନ୍ୟମାନଙ୍କର ନିରାପତ୍ତା ଦୃଷ୍ଟିରୁ ରାଜ୍ୟ ସରକାର କିଂବା ସ୍ଥାନୀୟ କର୍ତ୍ତୃପକ୍ଷ ଏହି ଅନୁମୋଦିତ ବେଗ ସୀମାକୁ କମାଇ ପାରିବେ।

ଏ ପର୍ଯ୍ୟନ୍ତ ସଡ଼କ ପରିବହନ ମନ୍ତ୍ରାଳୟ ବିଭିନ୍ନ ବର୍ଗର ଯାନବାହନ ପାଇଁ ଜାତୀୟ ସର୍ବାଧିକ ବେଗ ସୀମା ସ୍ଥିର କରିଆସୁଥିଲେ। କିନ୍ତୁ, ବର୍ଗୀକରଣ ହୋଇ ନ ଥିବା ରାସ୍ତାଗୁଡ଼ିକରେ ଗାଡ଼ିର ବେଗ ନିର୍ଦ୍ଧାରଣ କରିବା ଦାୟିତ୍ୱ ରାଜ୍ୟ ସରକାର କିଂବା ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ନିଷ୍ପତ୍ତି ପାଇଁ ଛାଡ଼ି ଦିଆଯାଉଥିଲା।

ସମ୍ପ୍ରତି ସ୍ଥାନୀୟ କର୍ତ୍ତୃପକ୍ଷମାନେ ସ୍ଥିର କରିଥିବା ସହରାଞ୍ଚଳ ପାଇଁ ବେଗ ରହିଛି ୪୦-୪୫ କିଲୋମିଟର୍‌। ଏବେ ସହରାଞ୍ଚଳରେ ରିଙ୍ଗ୍‌ ରୋଡ୍‌ ଏବଂ ଅନ୍ୟାନ୍ୟ ବହୁ ପ୍ରକାରର ରାସ୍ତା ତିଆରି ହେଉ ଥିବାରୁ ମନ୍ତ୍ରାଳୟ ଗାଡ଼ିର ବେଗ ବଢ଼ାଇବାକୁ ସ୍ଥିର କରିଛି।

ବୁଧବାର ଦିନ ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରି ଚାରିଟି ବର୍ଗର ରାସ୍ତା ପାଇଁ ବେଗ ସୀମା ନିର୍ଦ୍ଧାରଣ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପରିବହନ ବିଭାଗର ଯୁଗ୍ମ ସଚିବ ଅଭୟ ଦାମଲେଙ୍କ ନେତୃତ୍ୱରେ ଗଠିତ ଏକ କମିଟି ଏକ୍ସପ୍ରେସ୍‌ େଓ୍ଵ’ ଏବଂ ରାଜପଥରେ ଦ୍ରୁତ ବେଗର ସୀମା ନିର୍ଦ୍ଧାରଣକୁ ଅନୁମୋଦିତ କରିଛନ୍ତି।