ପ୍ରଥମ ପର୍ଯ୍ୟାୟରୁ ସାଇନା ବିଦା

ବିର୍ମିଙ୍ଗ୍‌ହାମ୍‌: ବୁଧବାରଠୁ ଆରମ୍ଭ ହୋଇଥିବା ଅଲ୍‌ଇଂଲଣ୍ଡ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ତାରକା କିଦାମ୍ବି ଶ୍ରୀକାନ୍ତ ଏବଂ ପିଭି ସିନ୍ଧୁ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ତେବେ ବିଶ୍ୱର ପୂର୍ବତନ ଶୀର୍ଷ ମହିଳା ଖେଳାଳି ସାଇନା ନେହଓ୍ଵାଲ୍‌ ପ୍ରଥମ ପର୍ଯ୍ୟାୟରୁ ବିଦାୟ ନେଇଛନ୍ତି। ପୁରୁଷ ଏକକରେ ତୃତୀୟ ମାନ୍ୟତା ଶ୍ରୀକାନ୍ତ ୭-୨୧, ୨୧-୧୪, ୨୨-୨୦ରେ ଫ୍ରାନ୍‌ସର ବ୍ରାଇସ୍‌ ଲେଭରେଜ୍‌ଙ୍କୁ ଏବଂ ମହିଳା ଏକକରେ ଚତୁର୍ଥ ମାନ୍ୟତା ସିନ୍ଧୁ ୨୦-୨୨, ୨୧-୧୭, ୨୧-୯ରେ ଥାଇଲାଣ୍ଡ୍‌ର ପର୍ନପାଓ୍ଵି ଚୋଚୁଓଙ୍ଗ୍‌ଙ୍କୁ ହରାଇଥିଲେ। ତେବେ ସାଇନା ୧୪-୨୧, ୧୮-୨୧ରେ ବିଶ୍ୱ ମାନ୍ୟତାର ଶୀର୍ଷ ଚାଇନିଜ୍‌ ତାଇପେ ଲଳନା ଟାଇ ସୁ ୟିଙ୍ଗ୍‌ଙ୍କଠୁ ହାରି ଯାଇଥିଲେ। ସେହିପରି ମହିଳା ଯୁଗଳରେ ଅଶ୍ୱିନୀ ପୋନ୍ନାପ୍ପା-ଏନ୍‌ ସିକ୍କି ରେଡ୍ଡୀ ୧୪-୨୧, ୧୩-୨୧ରେ ଜାପାନ୍‌ ଯୋଡ଼ି ମିସାକି ମାସୁତୋମୋ ଓ ଆୟାକା ତାକାସିଙ୍କଠୁ ଏବଂ ଜାକାମ୍ପୁଡି ମେଘନା-ଏସ୍‌ ରାମ ପୂର୍ବିଶା ୧୪-୨୧, ୧୧-୨୧ରେ ଜାପାନ୍‌ର ସିଓ ତାନକା ଓ କୋହାରୁ ୟୋନେମୋତୋଙ୍କଠୁ ହାରି ଅଭିଯାନ ଶେଷ କରିଥିଲେ। ପରୁଷ ଏକକରୁ ସାଇ ପ୍ରଣୀତ ୨୧-୧୩, ୧୫-୨୧, ୧୧-୨୧ରେ କୋରିଆର ସନ୍‌ ଓ୍ଵାନ୍‌ ହୋଙ୍କଠୁ ହାରି ବିଦାୟ ନେଇଛନ୍ତି।

ଭାରତ-ଏ ଦଳରେ ପ୍ରିୟଙ୍କା

କଟ: ଓଡ଼ିଶାର ମହିଳା କ୍ରିକେଟର୍‌ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ ଭାରତ-ଏ’ ଦଳରେ ସ୍ଥାନ ପାଇଛନ୍ତି। ଇଂଲଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ଦୁଇଟି ଟେ୍ଵଣ୍ଟି-୨୦ ଅଭ୍ୟାସ ମ୍ୟାଚ୍‌ ପାଇଁ ତାଙ୍କୁ ତାଙ୍କୁ ଦଳରେ ସ୍ଥାନ ମିଳିଛି। ଏସ୍‌ ମେଘନାଙ୍କ ନେତୃତ୍ୱରେ ଘୋଷିତ ହୋଇଥିବା ଭାରତୀୟ ଦଳ ଆସନ୍ତା ୧୮ ଓ ୧୯ ତାରିଖରେ ମୁମ୍ବାଇରେ ଦୁଇ ମ୍ୟାଚ୍‌ ଖେଳିବ। ଜାନୁଆରିରେ ଶେଷ ହୋଇଥିବା ମହିଳା ଟେ୍ଵଣ୍ଟି-୨୦ରେ ଓଡ଼ିଶା ପ୍ଲେଟ୍‌ ଗ୍ରୁପ୍‌ ବିଜେତା ହୋଇଥିଲା ବେଳେ ପ୍ରିୟଙ୍କା ସେଥିରେ ପ୍ରଭାବୀ ପ୍ରଦର୍ଶନ ଦେଇଥିଲେ। କର୍ଣ୍ଣାଟକ ବିପକ୍ଷ ସେମି ଫାଇନାଲ୍‌ରେ ପ୍ରିୟଙ୍କା ୫ ଓ୍ଵିକେଟ୍‌ ନେଇ ଚୟନକର୍ତ୍ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଠାରେ ସୂଚନାଯୋଗ୍ୟ, ଭାରତ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ତ୍ରିରାଷ୍ଟ୍ରୀୟ ଟେ୍ଵଣ୍ଟି-୨୦ ଶୃଙ୍ଖଳା ୨୨ ତାରିଖରୁ ଆରମ୍ଭ ହେଉଛି। ଏଥିପୂର୍ବରୁ ଅଭ୍ୟାସ ମ୍ୟାଚ୍‌ ଖେଳାଯିବାକୁ ଥିବାରୁ ଇଂଲଣ୍ଡ ବିପକ୍ଷ ଦଳରେ ପ୍ରିୟଙ୍କାଙ୍କୁ ସ୍ଥାନ ମିଳିଛି।

୧୮ ବର୍ଷ ପରେ ଓଡ଼ିଶାରେ ଜାତୀୟ ଟିଟି ପ୍ରତିଯୋଗିତା

ଭୁବନେଶ୍ୱର: କ୍ରୀଡ଼ା ଆୟୋଜନରେ ଓଡ଼ିଶା ପାଇଁ ପୁଣି ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏସୀୟ ଦୌଡ଼କୁଦ, ହକି ବିଶ୍ୱ ଲିଗ୍‌, ହକି ବିଶ୍ୱକପ୍‌ ଏବଂ ସୁପରକପ୍‌ ଫୁଟ୍‌ବଲ୍‌ ଭଳି ବଡ଼ ପ୍ରତିଯୋଗିତା ଆୟୋଜନ ସୁଯୋଗ ପାଇସାରିଥିବା ଓଡ଼ିଶା ଏବେ ପ୍ରାୟ ୧୮ ବର୍ଷ ପରେ ପ୍ରଥମ ଥର ପାଇଁ ଜାତୀୟ ଟେବୁଲ ଟେନିସ୍‌ ପ୍ରତିଯୋଗିତା ଆୟୋଜନ ଅଧିକାର ପାଇଛି। ପ୍ରଥମ ଥର ପାଇଁ ୬୨ତମ ଅନ୍ତଃରାଜ୍ୟ ଏବଂ ବରିଷ୍ଠ ଟେବୁଲ ଟେନିସ୍‌ ପ୍ରତିଯୋଗିତା (୨୦୦୧ ଜାନୁଆରି)କୁ ସଫଳତାର ସହ ଆୟୋଜନ କରିଥିବା ଓଡ଼ିଶା ଚଳିତ ବର୍ଷ ପୁଣି ଥରେ ଏହି ପ୍ରତିଯୋଗିତାର ୮୦ତମ ସଂସ୍କରଣ ଆୟୋଜନ କରିବାକୁ ଯାଉଛି। ଗତ ୧୨ ତାରିଖରେ ହରିଆନାର ଗୁରୁଗାଓଁରେ ଭାରତୀୟ ଟେବୁଲ ଟେନିସ୍‌ ସଂଘ (ଟିଟିଆଇଏଫ୍‌)ର ୮୧ତମ ବାର୍ଷିକ ସାଧାରଣ ବୈଠକ ଅବସରରେ ଓଡ଼ିଶାକୁ ଆୟୋଜନ ଅଧିକାର ମିଳିଛି। ଏହି ବୈଠକରେ ଓଡ଼ିଶାର ପୂର୍ବତନ ମୁଖ୍ୟ ସଚିବ ତଥା ଓଡ଼ିଶା ଟେନିସ୍‌ ସଂଘର ଅଧ୍ୟକ୍ଷ ଡିପି ବାଗ୍‌ଚି ଏବଂ ସଂଘର ସଂପାଦକ ରବୀନ୍ଦ୍ର କୁମାର ପରିଡ଼ା ପ୍ରତିନିଧିତ୍ୱ କରିଥିଲେ। ଉଭୟେ ଜାତୀୟ ପ୍ରତିଯୋଗିତାର ୮୦ତମ ସଂସ୍କରଣ ଆୟୋଜନ କରିବାକୁ ପ୍ରସ୍ତାବ ବାଢ଼ିଥିଲେ। ଆଉ ଏହାକୁ ଅନାୟାସରେ ସାଧାରଣ ପରିଷଦ ଗ୍ରହଣ କରିନେଇଥିଲା। ଏହି ପ୍ରତିଯୋଗିତା କଟକର ଜବାହରଲାଲ୍‌ ନେହରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ହେବ। ଚଳିତ ବର୍ଷ ଡିସେମ୍ବର କିମ୍ବା ଆସନ୍ତାବର୍ଷ ଜାନୁଆରିରେ ହେବାର ସମ୍ଭାବନା ରହିଛି। ଓଡ଼ିଶା ସରକାର, ଗଣମାଧ୍ୟମ ଏବଂ ରାଜ୍ୟ କ୍ରୀଡ଼ାପ୍ରେମୀଙ୍କ ସମର୍ଥନରେ ଏହି ପ୍ରତିଯୋଗିତା ମଧ୍ୟ ସଫଳତାର ସଂପନ୍ନ ହେବ ବୋଲି ଓଡ଼ିଶା ଟିଟି ସଂଘର ସାଂପଦକ ରବୀନ୍ଦ୍ର ପରିଡ଼ା ଆଶା ବ୍ୟକ୍ତ କରିଛନ୍ତି।

ଜମିବାଡ଼ିକୁ କେନ୍ଦ୍ର କରି ମାଡ଼ପିଟ:ମହିଳା ଗୁରୁତର

ବେଲପାହାଡ଼: ବେଲପାହାଡ ଗୁମାଡେରା ସ୍କୁଲ ପଡାରେ ୩ ଭାଇଙ୍କ ମଧ୍ୟରେ ଜମିବାଡିକୁ କେନ୍ଦ୍ର ମାଡପିଟ ହୋଇଛି। ଏଥିରେ ବଡଭାଇ ଆକ୍ରମଣରେ କରିବାରୁ ତାଙ୍କ ସାନ ଭାଇଙ୍କ ସ୍ତ୍ରୀ ଆହତ ହୋଇଛନ୍ତି। ଆହତ ମହିଳାକୁ ଜାହାଙ୍ଗୀର ଗାନ୍ଧି ହସପିଟଲରେ ଚିକିତ୍ସା କରିବା ପରେ ଚିକିତ୍ସକ ଆହତ ମହିଳାକୁ ବୁର୍ଲା ପଠାଇଥିବା ଜଣାପଡିଛି। ଆହତ ମହିଳାଙ୍କ ନାଁ ସଂଯୁକ୍ତା ହାତି। ତିନି ଭାଇ ବଡବାବୁ ହାତି (୩୫), ସଂକୀର୍ତନ (୨୨) ଓ ଚୁନୁ ମଧ୍ୟରେ ଜମିବାଡ଼ି ବିବାଦ ରହିଛି। ବଡ ଭାଇ ଠେଙ୍ଗାରେ ଆକ୍ରମଣ କରିବାରୁ ଚୁନୁ ହାତିଙ୍କ ସ୍ତ୍ରୀ ସଂଯୁକ୍ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ବେଲପାହାଡ଼ ପୁଲିସ ଘଟଣାର ଖବର ପାଇଁ ଅନୁସଂଧାନ ଜାରି ରଖିଛି।

ବିବାହ ପ୍ରଲୋଭନ ଦେଇ ନାବାଳିକାକୁ ଦୁଷ୍କର୍ମ

ଝାରସୁଗୁଡ଼ା: ମିଥ୍ୟା ବିବାହ ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖୁଥିବା ଜଣେ ନାବାଳକ ବିରୋଧରେ ଅଭିଯୋଗ ଆଣିଛନ୍ତିି ଜଣେ ନାବାଳିକା। ଏନେଇ ଝାରସୁଗୁଡ଼ା ଥାନାରେ ଏକ ମାମଲା ରୁଜୁ ହୋଇଛି। ସମ୍ବଲପୁର ଜିଲ୍ଲା ଠେଲକୁଲି ଥାନା ଅନ୍ତର୍ଗତ ଏହି ନାବାଳିକାର ବୟସ ୧୫ ହୋଇଥିବା ବେଳେ ଅଭିଯୁକ୍ତର ବୟସ ୧୭ ବୋଲି ଜଣାପଡ଼ିଛି। ନାବଳିକାର ମାଁ ନଥିବା ବେଳେ ବାପା ଅଛନ୍ତି। ତେବେ ସେ ଝାରସୁଗୁଡ଼ା ଠାରେ ଜଣେ ସଂପର୍କୀୟଙ୍କ ଘରେ ଗତ ଏକ ମାସ ହେଲା ରହୁଛନ୍ତି। ଏହି ସମୟ ମଧ୍ୟରେ ନାବାଳିକା ସହିତ ନିକଟରେ ରହୁଥିବା ସଂପୃକ୍ତ ନାବାଳକର ସଂପର୍କ ଗଢ଼ି ଉଠିଥିଲା ଓ ଉଭୟଙ୍କ ମଧ୍ୟରେ ଶାରୀରିକ ସଂପର୍କ ହୋଇଥିଲା। ନାବାଳକ କୁଆଡ଼େ ଉକ୍ତ ନାବାଳିକାକୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା। ପରେ ମନା କରିବାରୁ ନାବାଳିକା ଥାନାରେ ଲିଖିତ ଅଭିଯୋଗ କରିଥିଲା। ପୁଲିସ ମାମଲା ରୁଜୁ କରି ନାବାଳକ ନାମରେ ପୋକସୋ ଧାରା ୪ ଓ ଆଇପିସି ୩୬୯ ଦାୟାର କରି ତଦନ୍ତ ଆରମ୍ଭ କରିଛି। ନାବାଳିକାର ଡାକ୍ତରୀ ମାଇନା ପରେ ତାକୁ ଚାଇଲ୍‌ଡ଼ ଲାଇନ ସହାୟତାରେ ସିଡବ୍ଲୁସିରେ ଉପସ୍ଥାପନ କରାଯାଇଥିଲା । ପରେ ଓପନ୍‌ ସେଲ୍‌ଟରକୁ ପଠାଯାଇଛି।

ଟ୍ରାକ୍ଟରରୁ ଖସି ଯୁବତୀଙ୍କ ମୃତ୍ୟୁ

ଥୁଆମୂଳ ରାମପୁର: ଥୁଆମୂଳ ରାମପୁର ଥାନା ଦଲଗୁଡ଼ା ଠାରେ ଚଳନ୍ତା ଟ୍ରାକ୍ଟରରୁ ଖସି ପଡ଼ିବାରୁ ଜୀବାନ ମାଝୀ(୧୮)ଙ୍କ ମୃତ୍ୟୁ ଘଟିଛି। ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ରାମଗିରିରୁ ଟ୍ରାକ୍ଟର (ଓଆର ୧୮- ୪୬୧୮)ରେ ୬ଜଣ ମହିଳା ବାଲି ନେବା ପାଇଁ ଥୁଆମୂଳ ରାମପୁର ଅଞ୍ଚଳର କୁକୁଡ଼ାଗୁଡ଼ାକୁ ଆସୁଥିଲେ। ଏହି ସମୟରେ ଦଲଗୁଡ଼ା ନିକଟରେ ଟ୍ରାକ୍ଟରରେ ବସିଥିବା ଜୀବାନ ଭାରସାମ୍ୟ ହରାଇ ପଡି ଯାଇଥିଲେ। ଟ୍ରାକ୍ଟର ଟ୍ରଲିର ଚକ ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ଡ୍ରାଇଭର ଭରତ ମାଝୀ ଘଟଣାସ୍ଥଳରୁ ଫେରାର ଥିବା ଜଣାପଡ଼ିଛି।

ଏବେଠୁ ଦେଖା ଦେଲାଣି ଜଳ ସଂକଟ

ବୌଦ୍ଧ: ବୌଦ୍ଧ ସହର ମହାନଦୀ କୂଳରେ ଅବସ୍ଥିତ ହୋଇଥିଲେ ଏଠାରେ ଜଳ କଷ୍ଟ ଉତ୍କଟ ରୂପ ଧାରଣ କରୁଛି। ମହାନଦୀ ଏଠି ପ୍ରଶସ୍ତ ହୋଇଥିଲେ ମଧ୍ୟ ଏବେ ନଦୀର କଳେବର କେବଳ ବାଲିରେ ଭର୍ତ୍ତି ହୋଇ ଗଲାଣି। ଏକ କ୍ଷୀଣ ସ୍ରୋତରେ ମହାନଦୀ ପ୍ରବାହିତ ହେଉଥିବା ବେଳେ ଖରା ଦିନରେ ଏହାର କାୟା ଆହୁରି କ୍ଷୀଣ ହେବାର ଆଶଙ୍କା ଦେଖାଦେଲାଣି। ଜିଲ୍ଲା ସଦର ମହକୁମାର ବୁଟୁପାଲି, ରାଜନପାଲି ଅଞ୍ଚଳରେ ଖରାଦିନରେ ଜଳ ସଂକଟ ତୀବ୍ର ରୂପ ଧାରଣ କରିଥାଏ। ସହରକୁ ମହାନଦୀରୁ ଜଳ ଯୋଗାଣ ପାଇଁ ଯୋଜନା ରହିଥିଲେ ହେଁ କାର୍ଯ୍ୟକାରୀ ହୋଇନାହିଁ। ମହାନଦୀ ତଳ ମୁଣ୍ଡରେ ଆନିକଟ କରାଯାଇ ପାରିଲେ ବୌଦ୍ଧ ସହରର ଅଧିବାସୀଙ୍କ ପାନୀୟ ସମସ୍ୟା କିଛି ମାତ୍ରାରେ ଦୂର ହେବା ସହ ନଦୀରେ ଜଳ ପ୍ରବାହ ମଧ୍ୟ ଲାଗି ରହନ୍ତା ମାତ୍ର ତାହା ଏଯାଏଁ କାର୍ଯ୍ୟକାରୀ ହୋଇ ପାରି ନାହିଁ। ବୌଦ୍ଧ ବ୍ଲକ ଆମ୍ବଝରି ପଞ୍ଚାୟତରେ ପାନୀୟ ଜଳ ସମସ୍ୟା ସବୁଠୁ ଉତ୍କଟ। ଏଠାରେ ଏବେବି ଲୋକେ କାଦୁଅ ମିଶା ପାଣି ନାଳରୁ ସଂଗ୍ରହ କରୁଛନ୍ତି।

ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଶିକ୍ଷା ସହାୟକମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତାହାର କରି ନେଇଛନ୍ତି। ଶିକ୍ଷାସହାୟକ ସଂଘର ୭ଟି ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ଦାବି ମାନି ନେଇ ଥିବାରୁ ଶିକ୍ଷାସହାୟକ ସଂଘ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ଆସନ୍ତାକାଲି ଠାରୁ ୭୦ ହଜାର ଶିକ୍ଷା ସହାୟକ କାର୍ଯ୍ୟରେ ଯୋଗ ଦେବେ।

ନବନିର୍ମାଣ କୃଷକ ସଂଗଠନର ଧାରଣା ତୃତୀୟ ଦିନରେ : ୧୬ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର : ଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନରେ ମଧ୍ୟ ଦୁଇ ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହାକୁ ସମର୍ଥନ ଜଣାଇ ଆଜି ମଧ୍ୟ କଂଗ୍ରେସ ନେତୃବୃନ୍ଦ ଧାରଣାସ୍ଥଳରେ ପହଞ୍ଚିଥିଲେ।

ଅପରପକ୍ଷରେ ଭାପୁର ଅଞ୍ଚଳର ରମେଶ ଚନ୍ଦ୍ର ବାରିକ ଅସୁସ୍ଥ ହେବା କାରଣରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୬ତାରିଖରୁ ସମସ୍ତ ଜିଲ୍ଲାର ସଦର ମହକୁମାରେ ଆନ୍ଦୋଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ଗତକାଲି ଭଳି ଆଜି ୨ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଦାବି ଉପସ୍ଥାପନ କରି ଅକ୍ଷୟ କୁମାର କହିଲେ ଯେ ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବୀ ବିଶ୍ୱାଳ, ପ୍ରକାଶ ବେହେରା, ଯୋଗେନ୍ଦ୍ର ସିଂ, ତାରା ପ୍ରସାଦ ବାହିନୀପତି ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସମାଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ଟଙ୍କା ଅଜାଡ଼ି ଦେଲେ

ସହରାଞ୍ଚଳ ପାଇଁ ମାଳ ମାଳ ପ୍ରକଳ୍ପ
ଗାଁ ପାଣି ପାଇଁ ୧୦୦୦ କୋଟି

ଭୁବନେଶ୍ୱର : ପାଣି ସମସ୍ୟା ଦୂର କରିବା ସହିତ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଆଜି ଶହ ଶହ କୋଟି ଟଙ୍କାର ଯୋଜନା କରିଛନ୍ତି। ଗାଁରେ ପାଣି ପାଇଁ ୧୦୦୦ କୋଟି ବିନିଯୋଗ ହେବ। ସହରାଞ୍ଚଳ ବି ଅନୁରୂପ ଯୋଜନା ହୋଇଛି। ସେହିଭଳି ନିଦାନ ଓ ଡାଇଲେସିସ୍‌ ପାଇଁ ୫୯୬ କୋଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୫୫୦ କୋଟି ଟଙ୍କାର ଯୋଜନା ହୋଇଛି। ଆଜି କ୍ୟାବିନେଟ୍‌ ଏସବୁକୁ ଅନୁମୋଦନ ପ୍ରଦାନ କରିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ୨୦୧୮-୧୯ ସୁଦ୍ଧା ସହରାଞ୍ଚଳରେ ସାର୍ବଜନୀନ ଜଳଯୋଗାଣ ପାଇଁ ୧୮୦୩ କୋଟି ୮୯ଲକ୍ଷ ଟଙ୍କାର ଏକ ଯୋଜନା ହୋଇଛି। ଏଥିରେ ୫୪୫ଟି ନୂତନ ପ୍ରକଳ୍ପ ହାତକୁ ନିଆଯିବ, ଯେଉଁଥିପାଇଁ ୫୮୮ କୋଟି ୪ଲକ୍ଷ ଲକ୍ଷ୍ୟ ବ୍ୟୟ ହେବ। ୨୦୬ଟି ଚାଲୁ ରହିଥିବା ପ୍ରକଳ୍ପ ଲାଗି ୩୦୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁରୁଣା ୟୁଆଇଡିଏସ୍‌ଏସ୍‌ଏମ୍‌ଟି ଯୋଜନା ମାଧ୍ୟମରେ ଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ୧୬୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ କରାଯିବ। ପାନୀୟ ଜଳର ଗୁଣାତ୍ମକମାନର ପରିକଳ୍ପନା, ପରୀକ୍ଷଣ ସୁବିଧା, ସ୍ୱୟଂଚାଳନା ପଦ୍ଧତି, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରକୁ ଆବଶ୍ୟକ ପାନୀୟ ଜଳଯୋଗାଣ କ୍ଷେତ୍ରରେ ୫୦ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ କରାଯିବ।

ସେହିଭଳି ଓୟୁଆଇଡିଏଫ୍‌ ଓ ରାଜ୍ୟ ଯୋଜନା ସହାୟତାରେ ବିଶାଳ ବ୍ରହ୍ମପୁର ସହରାଞ୍ଚଳ ପାଇଁ ଚାଲୁ ରହିଥିବା ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ନିମନ୍ତେ ଅମୃତ ଯୋଜନାରୁ ୧୩୦ କୋଟି ଟଙ୍କା ବ୍ୟୟ କରାଯିବ। ୧୪୧୪ କୋଟି ଟଙ୍କା ବିନିମୟରେ ଅମୃତ ଯୋଜନା ମାଧ୍ୟମରେ ୯ଟି ଅମୃତ ସହରାଞ୍ଚଳର ସାର୍ବଜନୀନ ଜଳଯୋଗାଣ ପରିସରଭୁକ୍ତୀକରଣ ପାଇଁ ୩୧୦ କୋଟିର ପ୍ରକଳ୍ପ ସମୂହକୁ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସହରର ଯୋଗାଣ ନିମନ୍ତେ ୨୬୬ କୋଟି ୧୦ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହେବ। ଜଳ ପରିମାପକ ଯନ୍ତ୍ରୀକରଣ ବା ମିଟରିଂ ପାଇଁ ୩୪୫ କୋଟି ଟଙ୍କା ବିନିଯୋଗ ହେବ।

ଗ୍ରାମାଞ୍ଚଳରେ ନୂତନ ଜଳଉତ୍ସ ଖନନ, ନୂତନ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ, ନିର୍ମାଣ କରାଯାଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପର ଉନ୍ନତି ପାଇଁ ଆବଶ୍ୟକସ୍ଥଳେ ନୂତନ ଉଚ୍ଚ ପାଣି ଟାଙ୍କି ସ୍ଥାପନ ଲାଗି ସରକାର ପଦକ୍ଷେପ ନେବେ। ଗ୍ରାମାଞ୍ଚଳରେ ଦୈନିକ ମୁଣ୍ଡପିଛା ୭୦ଲିଟର ହିସାବରେ କିମ୍ବା ପରିବାରର ପରିସୀମାର ୫୦ ମିଟର ଦୂରତା ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯିବ। ୨୦୧୭-୧୮ ବର୍ଷରେ ଏଥିପାଇଁ ୬୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୮-୧୯ ବର୍ଷ ରେ ଏ ବାବଦରେ ୧୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ରାଜ୍ୟ ସରକାର ଗତ ଅକ୍ଟୋବର ୧୨ ତାରିଖରେ ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ୨୦୧୮-୧୯ରୁ ୨୦୨୨-୨୩ ଏହି ୫ ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ୫୭ଟି ସ୍ଥାନରେ ୨୦ ଶଯ୍ୟା ବିଶିଷ୍ଟ ଓ୍ଵାର୍ଡ ସହ ଚକ୍ଷୁ ଓଟି ବା ଅସ୍ତ୍ରୋପଚାର ଗୃହ ସ୍ଥାପନ ହେବ। ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଉତ୍କଷ୍ଟ କର୍ମଚାରୀ ଓ ଯନ୍ତ୍ରପାତି ବିଶିଷ୍ଟ ୩୭୭ଟି ଚକ୍ଷୁ କେନ୍ଦ୍ର ସ୍ଥାପନ ହେବ। ୩୦ଟି ଜିଲ୍ଲା ପାଇଁ ଭ୍ରାମ୍ୟମାଣ ଚକ୍ଷୁ ସେବା ଭ୍ୟାନ୍‌, ୭ଟି ମେଡିକାଲ କଲେଜର ଚକ୍ଷୁ ସେବା ବ୍ୟବସ୍ଥାର ଉନ୍ନତୀକରଣ, ୧୦ଲକ୍ଷ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର, ୫ଲକ୍ଷ ଚଷମା ଶିକ୍ଷାର୍ଥୀଙ୍କୁ ବଣ୍ଟନ, ୨.୫ଲକ୍ଷ ପ୍ରେସ୍‌ ବାୟୋପିକ୍‌ ଚଷମା ବଣ୍ଟନ କରାଯିବ। ୩୦୦ ଜଣ ଆପଥାଲମିକ୍‌ ଆସିଷ୍ଟାଣ୍ଟଙ୍କୁ ପ୍ରଶିକ୍ଷଣ ଓ ନିୟୁକ୍ତି ଦିଆଯିବ। ୬୦ଜଣ ଚକ୍ଷୁ ଡାକ୍ତରଙ୍କୁ ନିୟୁକ୍ତି, ସମସ୍ତ ମଧୁମେହ ରୋଗୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଡାଇବେଟିସ୍‌ ରେଟିନୋପାଥି ପାଇଁ ନିରୀକ୍ଷଣ ଏବଂ ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ହେବ। ସମସ୍ତ ଗ୍ଲୁକୋମା ରୋଗୀଙ୍କୁ ମାଗଣା ଚିକିତ୍ସା, ୨୫୦ଟି ଜନ୍ମଜାତ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏମ୍‌ସିଏଚ୍‌ ଗୁଡିକରେ କରାଇବା ଲାଗି ବ୍ୟବସ୍ଥା ହେବ। ୭ଟି ସରକାରୀ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ଅପ୍ଟୋମେଟ୍ରି ଡିପ୍ଲୋମା କୋର୍ସ ଓ ଅପଥାଲମିକ୍‌ ନର୍ସିଙ୍ଗ କୋର୍ସ ଆରମ୍ଭ କରାଯିବ। ଏଥିପାଇଁ ୬୮୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ବିନା ଦେୟରେ ରୋଗ ନିରୂପଣ ସେବା ନିଦାନ ଓ ଡାଇଲେସିସ୍‌ ସେବା ସହାୟ ଯୋଜନା ପାଇଁ ୫୯୬ କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରୋଗ ନିରୂପଣ ପାଇଁ ୫୫୨ କୋଟି ୩୫ଲକ୍ଷ ଓ ଡାଇଲେସିସ୍‌ ପାଇଁ ୪୩ କୋଟି ୯୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ରାଜ୍ୟ ସରକାର ୫୫୦ କୋଟି ୨୪ଲକ୍ଷ ଟଙ୍କା ବ୍ୟୟରେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି। ୫୫୦ କୋଟି ୨୪ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ଏ ମଧ୍ୟରୁ ୧୨୩ କୋଟି ୮୮ଲକ୍ଷ ଟଙ୍କା ଜାତୀୟ ସ୍ୱାସ୍ଥ୍ୟ ମିସନରୁ ଓ ଅବଶିଷ୍ଟ ୪୨୬ କୋଟି ୩୬ଲକ୍ଷ ରାଜ୍ୟ ବଜେଟ୍‌ରୁ ଦିଆଯିବ। ଏହି ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ଉତ୍ତମ ପରିବେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଂକ୍ରମଣ ହ୍ରାସ କରିବା, ରୋଗୀର ବିଶ୍ୱାସଭାଜନ ହେବା, କାୟାକଳ୍ପର ସୂଚକାଙ୍କରେ ମାନବୃଦ୍ଧି ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରୁ ଆରମ୍ଭ ହେବ। ଆଉଟସୋର୍ସିଂ ମାଧ୍ୟମରେ ବିଭିନ୍ନ ସେବା ୫ବର୍ଷ ପ୍ରଦାନ କରାଯିବ। ସନ୍ତୋଷଜନକ ହେଲେ ନବୀକରଣ ହେବ। ୩୧୪ ବ୍ଲକରେ ଏହି ଯୋଜନାକୁ ନିରୀକ୍ଷଣ ପାଇଁ ଏକ ରାଜ୍ୟସ୍ତରୀୟ ପୋଗ୍ରାମ୍‌ ମ୍ୟାନେଜମେଣ୍ଟ ୟୁନିଟ୍‌ ଗଠନ କରାଯିବ। ବ୍ଲକ ମେଡିକାଲ ଅଫିସରଙ୍କୁ ସହାୟତା ପାଇଁ ହସ୍ପିଟାଲ ମ୍ୟାନେଜର ନିଯୁକ୍ତି ପାଇବେ। ବର୍ତମାନ ଥିବା ହସ୍ପିଟାଲ ମ୍ୟାନେଜର ବା ଜୁନିଅର ହସ୍ପିଟାଲ ମ୍ୟାନେଜର ମାନେ ନିଜ ଜିଲ୍ଲା ଓ ସବ୍‌ଡିଭିଜନ୍‌ ମେଡିକାଲ ପାଇଁ ଦାୟୀ ରହିବେ।

ରାଜ୍ୟ କ୍ୟାବିନେଟ୍‌ ବେସମାରିକ ପ୍ରତିରକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୮କୁ ମଧ୍ୟ ଅନୁମୋଦନ ଦେଇଛନ୍ତି।