ତିନି ସେଲିବ୍ରିଟି ଭଉଣୀ ସମେତ ସମୁଦାୟ ୬ ଭଉଣୀଙ୍କ ହାତରୁ ରାଖୀ ବାନ୍ଧିବାକୁ ଉଚ୍ଛନ ହେଲେଣି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ଶୀର୍ଷକଟି ପଢ଼ି ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେଣି ନିଶ୍ଚୟ। ଏମିତି କିଏ ବଲିଉଡ୍‌ ଅଭିନେତା ଅଛି ଯାହାଙ୍କର ତିନି ଜଣ ସେଲିବ୍ରିଟି ଭଉଣୀଙ୍କ ସମେତ ସମୁଦାୟ ୬ ଉଭୁଣୀ ଅଛନ୍ତି। ସେ ଅଭିନେତା ଜଣକ ଅର୍ଜୁନ କପୁରଙ୍କ ବ୍ୟତୀତ ଆଉ କିଏ ହୋଇପାରେ! ତାଙ୍କର ନିଜ ଭଉଣୀ ଅନ୍‌ସୁଲା, ସାବତ ଉଭଣୀ ଜାହ୍ନବୀ ଓ ଖୁସି ଏବଂ କାକା ଅନୀଲ କପୁରଙ୍କ ତନୟା ସୋନମ କପୁର୍‌ ଓ ରେହା କପୁରଙ୍କ ବ୍ୟତୀତ ସଞ୍ଜୟ କପୁରଙ୍କ ଝିଅ ସନୟା୍‌ଙ୍କୁ ମିଶାଇଲେ ସମୁଦାୟ ୬ ଭଉଣୀ। ଜଣାପଡ଼ିଲାଣି ଅର୍ଜୁନ ରାଖୀ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଗଲେଣି। କାହିଁକି ନା, ରାଖୀ ପୂର୍ବରୁ ହିଁ ସେ ନିଜର ଭଉଣୀମାନଙ୍କ ସହ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଲେଣି। ଅର୍ଜୁନ କପୁରଙ୍କର ତାଙ୍କ ଭଉଣୀମାନଙ୍କ ସହ ସବୁବେଳେ ଉତ୍ତମ ସଂପର୍କରେ ଥିବା ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଅନେକ ସମୟରେ ନିଜ ଭଉଣୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଚର୍ଚ୍ଚାରେ ରହିଛନ୍ତି ଏହି ଅଭିନେତା।

ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !

 

ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି। ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ଥାନା ମୁହଁରୁ ଦୁରଦୁର ମାରମାର କହି ବିଦା କରି ଦେଉଛନ୍ତି। ନଚେତ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋସ ସମାଧାନ କରାଇ ଦେଉଛନ୍ତି।

ଏବେ ମହିଳା ଥାନା ଉପରୁ ରାଜଧାନୀବାସୀଙ୍କ ଆସ୍ଥା ତୁଟି ଗଲାଣି। ଶେଷରେ ବାଧ୍ୟ ହୋଇ ଅନ୍ୟ ଥାନାରେ ଅଭିଯୋଗ କରୁଛନ୍ତି। ଶୁକ୍ରବାର ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମହିଳା ଥାନାର ଅସଲ ଚିତ୍ର ପଦାକୁ ଆସିଛି। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷ କରି ରାଜଧାନୀରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୦୧ରେ ସ୍ୱତନ୍ତ୍ର ଭାବେ ମହିଳା ଥାନା ପ୍ରତିଷ୍ଠା କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସେହି ଦିନଠାରୁ ମହିଳାଙ୍କ ସମ୍ପର୍କିତ ସମସ୍ତ ମାମଲା, ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ମହିଳା ଥାନାରେ ରୁଜୁ ହେଲା।

ବ୍ୟାଙ୍କରୁ ୩୬ଶହ ଟଙ୍କା ଅଧିକା ବାହାରିଲା ! ଅଧିକ ଟଙ୍କା ବାହାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିଲେ ଓ ଟଙ୍କା ଫେରାଇଲେ ଯୁବକ !

ଏଥର ସମ୍ଭାଳ ବ୍ୟୁରୋ : ଏବେବି ମାନବିକତା ବଚିଂଛି । ଲେକାମାନଙ୍କ ପାଖରେ ଏବେବି ସ୍ୱାଭିମାନ ବଞ୍ଚିରହିଥିବା ଦେଖାଯାଉଛି । ତେବେ ବାଉଳା ହୋଇଗଲା ଏଟିଏମ୍ କିନ୍ତୁ ବାଉଳା ହେଲେ ନାହିଁ ଯୁବକ। ୨୫୦୦ ଟଙ୍କା ଉଠାଇଲା ବେଳକୁ ବାହାରିଲା ୬୧୦୦ ଟଙ୍କା। ତେବେ ଏହି ଅଧିକା ଟଙ୍କାକୁ ଚୁପଚାପ ନିଜ ପକେଟରେ ରଖି ଘରକୁ ଯିବା ବଦଳରେ ଜଣେ ଯୁବକ ସିଧା ବ୍ୟାଙ୍କକୁ ଯିବା ଓ ଅଧିକ ଉଠିଥିବା ଟଙ୍କା ଫେରାଇବା ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ସିଭିଲ କୋର୍ଟରେ କାମ କରୁଥିବା ସମୀର ରଂଜନ ପ୍ରଧାନ ଗତ ୧୪ ତାରିଖରେ ମୁଖ୍ୟ ଡାକ୍ତରଖାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କର ଏଟିଏମରୁ ୨୫ଶହ ଟଙ୍କା ଉଠାଇଥିଲେ। କିନ୍ତୁ ଏଟିଏମରୁ ବାହାରିଲା ୬ହଜାର ଶହେ ଟଙ୍କା। ୩୬ ଶହ ଟଙ୍କା ଅଧିକ! ତେବେ ଶ୍ରୀ ପ୍ରଧାନ ବଳକା ଟଙ୍କା ନେଇ ପହଞ୍ଚିଥିଲେ ସିଣ୍ଡିକେଟ ବ୍ୟାଙ୍କରେ। ଏଟିଏମରୁ ଟଙ୍କା ଉଠାଇବା ବେଳେ ଅଧିକ ୩୬ଶହ ଟଙ୍କା ବାହାରିଥିବା ସୂଚନା ଦେବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଖୋଦ୍ ବ୍ୟାଙ୍କର ପରିଚାଳକ ଆସି ତାଙ୍କୁ ଭେଟିଥିଲେ। ତେବେ ଏହି ଘଟଣାପରେ ବ୍ୟାଙ୍କ କର୍ମଚାରୀମାନେ ଯୁବକ ଜଣଙ୍କୁ ପ୍ରଶଂସା କରିଛନ୍ତି । ଅନେକ ସମୟରେ ଏପରି ଭାବରେ ଭୁଲରେ ଏଟିଏମରୁ ଅଧିକ ଟଙ୍କା ବାହାରି ଆସେ କିନ୍ତୁ କେହି ପେରି ଭାବରେ ଟଙ୍କା ଫେରାଇବାରେ ଦେଖାଯାଇନାହିଁ । କିନ୍ତୁ ଏହି ଯୁବକ ନିଜ ସ୍ୱାଭିମାନ ଓ ବିବେକ ଦୃଷ୍ଟିରୁ ଟଙ୍କା ଫେରାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । 

” ଧସିଲା ରଘୁବାରି ଘାଟି ” ୪୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ : ରାୟଗଡ଼ା

ବ୍ୟୁରୋ ରିପୋର୍ଟ  : ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି ଧସିଯାଇଛି। ଘାଟି ଧସି ଯବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇ ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି। ମୁନିଗୁଡ଼ା କିମ୍ବା ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଲୋକେ ଜରୁରୀ କାମରେ ଯାଇ ପାରୁ ନ ଥିବା ଜଣାପଡ଼ିଛି।

ଗର୍ବ କର ଆଜି ଆମେ ପାଳୁଛୁ ୭୨ ତମ ସ୍ଵାଧୀନତା ଦିବସ ।

ଆଜି ଦେଶବ୍ୟାପୀ ପାଳନ ହେଉଛି ୭୨ତମ ସ୍ୱାଧୀନତା ଦିବସ। ଏଥିପାଇଁ ପଲ୍ଲୀଠୁ ଦିଲ୍ଲୀ ସବୁଠି ଚଳଚଞ୍ଚଳ। ସ୍ୱାଧୀନତା ଦିବସକୁ ନେଇ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଛି ରାଜ୍ୟସ୍ତରୀୟ ସମାରୋହ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାରେ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ।

ସ୍ୱାଧୀନତା ଦିବସ ପରେଡରେ ଛାତ୍ରଛାତ୍ରୀ ଭାଗ ନେବେ ନାହିଁ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଗତକାଲି ଏଭଳି ନିର୍ଦ୍ଦେଶ ଜାରି କରିଥିଲେ। ସ୍ୱାଧୀନତା ଦିବସ ପରେଡ଼ରେ ଛାତ୍ରଛାତ୍ରୀଙ୍କୁ ଭାଗ ନେବାକୁ ବାରଣ କରାଯାଇଥିଲା। ଏନେଇ ସବୁ RDC ଓ ଜିଲ୍ଲାପାଳମାନଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଥିଲା। ଗୃହ ବିଭାଗ ସ୍ୱତନ୍ତ୍ର ସଚିବ ଡର ସନ୍ତୋଷ ବାଲା ଏହି ଚିଠି କରିଛନ୍ତି।

ପାଣିପାଗ ବିଭାଗ ସୂଚନାନୁସାରେ ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବ। ସମ୍ଭାବ୍ୟ ବର୍ଷା, ବଜ୍ରପାତ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ପରେଡ଼ରେ କେବଳ ପୁଲିସ୍‌ ଓ ପାରାମିଲିଟାରୀ ଭାଗ ନେବେ। ସାଂସ୍କୃତିକ, ଶାରୀରିକ କୌଶଳ ପ୍ରଦର୍ଶନ ବନ୍ଦ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି।

ସରକାରକୁ ଆସିଲେ ତାଡ଼ି ବିକ୍ରି ପାଇଁ ଅନୁମତି ଦେବି.. ଜିତିନ ରାମ

ପଟନା: ସରକାରକୁ ଆସିଲେ ଆମେ ତାଡ଼ି ବିକ୍ରି ଉପରେ ଲାଗିଥିବା ନିଷେଧାଜ୍ଞା ଉଠାଇଦେବୁ । ବିହାରରେ ଶାସନ କରୁଥିବା ନିତିଶ ସରକାର ରାଜ୍ୟରେ ତାଡ଼ି ବିକ୍ରି ବନ୍ଦ କରିଥିବାରୁ ଏହି ସରକାର ଦଳିତ ବିରୋଧୀ ବୋଲି କହିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନ ଆଓ୍ଵାମ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜିତିନ ରାମ ମାଂଝି ।

ଏଠାରେ ରାଷ୍ଟ୍ରୀୟ ଜନତା ଦଳ ସହିତ ମିଳିତଭାବେ ଆୟୋଜିତ ଗରିବ ମହାସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଯେ ସେ ମଧ୍ୟ ମଦକୁ ବିରୋଧ କରୁଛନ୍ତି, କିନ୍ତୁ ନିତିଶ ସରକାର ତାଡ଼ି ଉପରେ ନିଷେଧାଜ୍ଞା ଲଗାଇବା ଦ୍ୱାରା ଏକ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକମାନେ ଜୀବିକା ହରାଉଛନ୍ତି । ଏଣୁ ସେ ସରକାରକୁ ଆସିଲେ ରାଜ୍ୟରେ ପୁଣି ତାଡ଼ି ବିକ୍ରିକୁ ଅନୁମତି ଦେବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ରର ମୋଦି ସରକାର ଓ ବିହାରର ନିିତିଶ ସରକାର ଉଭୟ ଗରିବ ଓ ଦଳିତ ବିରୋଧୀ । କେନ୍ଦ୍ର ସରକାର ଜାତିଗତ ଜଳଗଣନା ପ୍ରକାଶ କରିବା ସହ ଏହି ଜନଗଣନା ଅନୁସାରେ ସଂରକ୍ଷଣ ଲାଗୁ କରିବା ଆବଶ୍ୟକ । ଅନ୍ୟପକ୍ଷରେ ସଂରକ୍ଷିତ ଲୋକସଭା ଓ ବିଧାନସଭା ଆସନ ଗୁଡ଼ିକରେ କେବଳ ଦଳିତ ମାନଙ୍କୁ ଭୋଟଦାନ ଅଧିକାର ମିଳୁ ବୋଲି ସେ ଦାବି କରିଛନ୍ତି ।

ସୂଚନାଯୋଗ୍ୟ ଯେ ଶ୍ରୀ ମାଂଝି ପୂର୍ବରୁ ଏନଡିଏରେ ଥିଲେ ମଧ୍ୟ ଏବେ ସେ ଏନଡିଏରୁ ବାହାରି ଆସି ରାଷ୍ଟ୍ରୀୟ ଜନତା ଦଳ ସହିତ ବୁଝାମଣା କରିଛନ୍ତି ।

ନନ୍ଦନକାନନ ଉଦ୍ଭିଦ ଉଦ୍ୟାନରେ ଖୋଲିଲା ସ୍ନାକ୍ସ ବାର୍‌

ବାରଙ୍ଗ: ନନ୍ଦନକାନନର ରାଜ୍ୟ ଉଦ୍ଭିଦ ଉଦ୍ୟାନରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଛି ସ୍ନାକ୍ସ ବାର୍‌। ଏଠାରେ ପର୍ଯ୍ୟଟକମାନଙ୍କ ପାଇଁ ବିସ୍କୁଟ, ଚା, କଫି, ମୃଦୁ ପାନୀୟ ଆଦି ଉପଲବ୍ଧ ହେବ। ଓଡ଼ିଶା ପର୍ଯ୍ୟଟନ ବିଭାଗ ତରଫରୁ ଖୋଲା ଯାଇଥିବା ବାର୍‌କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଉଦ୍‌ଘାଟନ କରିଛନ୍ତି। ପୂର୍ବରୁ ଥିବା ଗେଷ୍ଟ ହାଉସକୁ ନବୀକରଣ କରାଯାଇ ଏହି ସ୍ନାକ୍ସ ବାର୍‌ ନିର୍ମାଣ କରାଯାଇଛି। ନନ୍ଦନକାନନ କର୍ତ୍ତୃପକ୍ଷ ୨ ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ଏହି ନବୀକରଣ କରି ପର୍ଯ୍ୟଟନ ବିଭାଗକୁ ହସ୍ତାନ୍ତର କରିଛି। ପରେ ପର୍ଯ୍ୟଟନ ବିଭାଗ ଏହାର ବିକାଶରେ ୫ ଲକ୍ଷ ଟଙ୍କା ବ୍ୟୟ କରିଥିବା ଦର୍ଶାଇଛି। ତେବେ ପର୍ଯ୍ୟଟନ ବିଭାଗ କେଉଁ କାର୍ଯ୍ୟରେ ଅର୍ଥ ବିନିଯୋଗ କରିଛି ସେ ସମ୍ପର୍କରେ କିଛି ସୂଚନା ଦେଇ ନାହିଁ। ସମ୍ମାନିତ ଅତିଥି ଭାବେ ପର୍ଯ୍ୟଟନ ସଚିବ ମୋନା ଶର୍ମା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ନନ୍ଦନକାନନ ନିର୍ଦ୍ଦେଶକ ଶିଶିର ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

ମଗରର ଅଣ୍ଡା ଦାନ ରାଜ ଭବନରୁ ଆସିଲେ ୮ ଚିତ୍ରାହରିଣ
ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରର ସରୀସୃପ ଉଦ୍ୟାନ ମଧ୍ୟରେ ରହୁଥିବା ଏକ ୧୦ ବର୍ଷ ବୟସର ମାଈ ମଗର କୁମ୍ଭୀର ମୋଟ ୩୦ଟି ଅଣ୍ଡା ଦେଇଛି। ସେହିଭଳି ଆଜି ନନ୍ଦନକାନନକୁ ରାଜଭବନରୁ ୮ଟି ଚିତ୍ରା ହରିଣଙ୍କୁ ଅଣାଯାଇଛି। ରାଜଭବନରେ ଚିତ୍ରା ହରିଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସେଠାରେ ସେମାନଙ୍କ ସଂଖ୍ୟାକୁ ନିୟନ୍ତ୍ରିତ କରିବା ଲାଗି ପର୍ଯ୍ୟାୟକ୍ରମେ ନନ୍ଦନକାନନକୁ ଆଣାଯାଉଛି। ଆଜି ସୁଦ୍ଧା ମୋଟ ୫୪ ଚିତ୍ରାହରିଣଙ୍କୁ ନନ୍ଦନକାନନକୁ ଅଣାଯାଇଛି।

ବିଏମ୍‌ସିର ଫମ୍ପା ଧମକ

ଭୁବନେଶ୍ୱର: ବିନା ଅନୁମତିରେ ରାଜଧାନୀରେ ହୋର୍ଡିଂ ଲଗାଇଥିବାରୁ ବିଏମ୍‌ସି ପକ୍ଷରୁ ବିଭିନ୍ନ ସଂସ୍ଥାକୁ ଜରିମାନା ନୋଟିସ୍‌ କରାଗଲା। ଏପରିକି ୭ଦିନ ମଧ୍ୟରେ ଜରିମାନା ଅର୍ଥ ନଦେଲେ ସାର୍ଟିଫିକେଟ୍‌ କେସ୍‌ କରି ସମ୍ପତ୍ତି ଜବତ କରାଯିବ ବୋଲି ନୋଟିସ୍‌ରେ ଚେତାବନୀ ଦିଆଗଲା। କିନ୍ତୁ ନୋଟିସ୍‌ କରିବାର ଦୁଇ ମାସରୁ ଅଧିକ ସମୟ ବିତିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ନା ଜରିମାନା ଆଦାୟ କରିପାରିଲେ ନା ସାର୍ଟିଫିକେଟ୍‌ କେସ୍‌ କଲେ। ବିଏମ୍‌ସିର ଫମ୍ପା ଧମକ ଦେଖି ଏବେ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ ଗଲାଣି। ବିଏମ୍‌ସିର ବିଜ୍ଞାପନ ନୀତି ୨୦୦୬ର ପରିଚ୍ଛେଦ ୧୦-ଇ ଅନୁସାରେ ବେଆଇନ ବିଜ୍ଞାପନ ପ୍ରଦର୍ଶନକାରୀଙ୍କ ଠାରୁ ପ୍ରତି ହୋର୍ଡିଂ ପିଛା ୫ହଜାର ଟଙ୍କା ଜରିମାନା ଆଦାୟ କରିବାକୁ ନିୟମ ରହିଛି। ଏହି ନିୟମ ଅନୁଯାୟୀ ୭ଦିନ ମଧ୍ୟରେ ଜରିମାନା ନଦେଲେ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ୍‌ ଆକ୍ଟ-୨୦୦୩ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିରେ ଜରିମାନା ଖିଲାପକାରୀଙ୍କ ଉପରେ ସାର୍ଟିଫିକେଟ୍‌ କେସ୍‌ ରୁଜୁ କରାଯିବ। ଏହାପରେ ବିଏମ୍‌ସି ପକ୍ଷରୁ ସମ୍ପତ୍ତି ବାଜ୍ୟାପ୍ତି କରାଯିବ। କିନ୍ତୁ ଏହି ନିୟମ କେବଳ ବିଏମ୍‌ସିର ରେକର୍ଡରେ ଅଛି। କିଛି ବି କାର୍ଯ୍ୟକାରୀ ହେଉନି। ଖାଲି ଫମ୍ପା ବାହାଦୂରୀ ମାରିବା ପାଇଁ ଅଧିକାରୀମାନେ ନୋଟିସ୍‌ ସିନା ଜାରି କରିଦେଲେ କିନ୍ତୁ ଜରିମାନା ଆଦାୟ କରିବାକୁ ସାହାସ ଜୁଟାଇ ପାରିଲେନି। ରାଜଧାନୀରେ ମାଳମାଳ ବେଆଇନ ହୋର୍ଡିଂ ଲାଗୁଥିବା ଦେଖି ବିଏମ୍‌ସି ପକ୍ଷରୁ ବିଜ୍ଞାପନ ନୀତି ୨୦୦୬କୁ ସଂଶୋଧନ କରାଗଲା। ଏହାକୁ କଡ଼ାକଡ଼ି ଲାଗୁ କରିବାକୁ ବାରମ୍ବାର ବୈଠକ ବି ବସିଲା। ହେଲେ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ବିଏମ୍‌ସି ଅଧିକାରୀ କାହିଁକି ପଛଘୁଞ୍ଚା ଦେଉଛନ୍ତି ସେନେଇ ଏବେ ଅନେକ ପ୍ରଶ୍ନ ଉଠିଲାଣି।

ଏପରିକି ବିଏମ୍‌ସି ଅଧିକାରୀମାନେ ଜରିମାନା ନୋଟିସ୍‌ କରିଦେବା ପରେ ସଂସ୍ଥା ଠାରୁ ଭିତିରିଆ କାରବାର କରି ଏହାକୁ ଚପାଇ ରଖୁଥିବା ଅଭିଯୋଗ ଉଠିଲାଣି। ଯେଉଁଥିପାଇଁ ଏବେ ରାଜଧାନୀରେ ବେଆଇନ ହୋର୍ଡିଂ ଲଗାଇବାକୁ ବିଭିନ୍ନ ସଂସ୍ଥା ପଛଘୁଞ୍ଚା ଦେଉନାହାନ୍ତି। ଗତ ଜାନୁଆରି ୧୦ତାରିଖରେ ରାଜଧାନୀରେ ୯ଟି ସଂସ୍ଥା ପକ୍ଷରୁ ଲାଗିଥିବା ୪୫୦ଟି ବେଆଇନ ହୋର୍ଡିଂକୁ ବିଏମ୍‌ସି ଉଚ୍ଛେଦ କରିବା ସହ ୨୪ଲକ୍ଷ ୫୦ହଜାର ଟଙ୍କା ଜରିମାନା ନୋଟିସ୍‌ କରିଥିଲା। ବିଏମ୍‌ସି ପକ୍ଷରୁ ବ୍ଲିସ୍‌ଫୁଲ୍‌ ୟୋଗା ସେଣ୍ଟର୍‌, ଫ୍ୟୁଚର୍‌ ଫ୍ଲେମ୍‌ କମ୍ପ୍ୟୁଟର୍‌ ଏଜୁକେସନ୍‌, ନୃତ୍ୟାର୍ଚ୍ଚନା, ଲେଜର୍‌ ପାଇଲ୍‌ସ ସେଣ୍ଟର୍‌, କ୍ଲାଟ୍‌, ବାଜିରାଓ ଆଇଏଏସ୍‌ ଏକାଡେମି, କେନ୍‌ସଫ୍ଟ୍‌ ଏଜୁକେସନ, ଭେଟା, ଉଡାନ୍‌ ଏକାଡେମି ପ୍ରମୁଖଠାରୁ ଜରିମାନା ଆଦାୟ ପାଇଁ ନୋଟିସ୍‌ ହୋଇଥିଲା। ହେଲେ ଏହି ୯ଟି ସଂସ୍ଥାରୁ ଗୋଟିଏ ସଂସ୍ଥା ମାତ୍ର ୫ହଜାର ଟଙ୍କା ଜମା କରିଥିବାବେଳେ ବାକି ୮ଟି ସଂସ୍ଥା ଟଙ୍କାଟିଏ ବି ଦେଲେନି। ବିଏମ୍‌ସି ପକ୍ଷରୁ କିନ୍ତୁ ଏନେଇ ତନାଘନା ବି କରାଗଲାନି। କିପରି ଜରିମାନା ଆଦାୟ ହେବ ସେନେଇ ପଦକ୍ଷେପ ନିଆଗଲାନି କି ସାର୍ଟିଫିକେଟ୍‌ କେସ୍‌ ହେଲାନି। କେବଳ ଏତିକିରେ ବିଏମ୍‌ସିର ଅପାରଗତା ଶେଷ ହେଲାନି। ଗତ ଫେବ୍ରୁଆରି ୩ତାରିଖରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଅଧୀନସ୍ଥ ସଂସ୍ଥା ପେଟ୍ରୋଲିୟମ କନଜରଭେସନ୍‌ ଆଣ୍ଡ ରିସର୍ଚ୍ଚ ଆସୋସିଏସନ୍‌ (ପିସିଆର୍‌ଏ) ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ୨ହଜାର ହୋର୍ଡିଂ ଲଗାଯାଇଥିବାବେଳେ ବିଏମ୍‌ସି ପକ୍ଷରୁ ଏହାକୁ ଉଚ୍ଛେଦ କରାଯାଇଥିଲା। ବିନା ଅନୁମତିରେ ହୋର୍ଡିଂ ଲଗାଇଥିବାରୁ ହୋର୍ଡିଂ ପିଛା ୫ହଜାର ଟଙ୍କା ହିସାବରେ ୧କୋଟି ଟଙ୍କା ଜରିମାନା ଦେବାକୁ ନୋଟିସ୍‌ ଜାରି କରାଗଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ, ୭ଦିନ ଭିତରେ ଜରିମାନା ନଦେଲେ ସାର୍ଟିଫିକେଟ୍‌ କେସ୍‌ କରାଯିବ। କିନ୍ତୁ ନୋଟିସ୍‌ କରିବାର ୫ ସପ୍ତାହ ବିତିଯାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଇନାହାନ୍ତି।

ଜରିମାନା ଆଦାୟ କଲେନି କି କେସ୍‌ କଲେନି
କାହା ଇସାରାରେ ଚୁପ୍‌ ବସିଛନ୍ତି ଅଧିକାରୀ?
ପିସିଆର୍‌ଏ ଓ ଅନ୍ୟ ୮ସଂସ୍ଥା ପାଇଁ ଦରଦ କାହିଁକି?
ମାଡ଼ିଗଲାଣି ବେଆଇନ ହୋର୍ଡିଂ
ସରକାରୀ ଓ ବେସରକାରୀ ସଂସ୍ଥା କେହି ନିୟମ ମାନୁନାହାନ୍ତି
ବିଏମ୍‌ସିର ଏହିଭଳି ପଦକ୍ଷେପ ଏବଂ ଫମ୍ପା ଧମକ ଦେଖି ଯେଉଁ ସଂସ୍ଥାମାନଙ୍କ ବେଆଇନ ହୋର୍ଡିଂ ଉଚ୍ଛେଦ ହୋଇଥିଲା ସେମାନେ ଏବେ ପୁଣି ହୋର୍ଡିଂ ଲଗାଇଲେଣି। ଏପରିକି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ବିଭିନ୍ନ ବିଭାଗ ରାଜଧାନୀରେ ବେଆଇନ ହୋର୍ଡିଂ ଛାଇ ଦେଇଛନ୍ତି। ସବୁଠୁ ଆଗରେ ପର୍ଯ୍ୟଟନ ବିଭାଗ ରହିଛି। ପର୍ଯ୍ୟଟନ ବିଭାଗ ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ବାଉଁଶ ପୋତି ହୋର୍ଡିଂ ଲଗାଇଥିଲେ ହେଁ ବିଏମ୍‌ସି କର୍ତ୍ତୃପକ୍ଷ ଏହାକୁ ଉଚ୍ଛେଦ କରିବାକୁ ସାହସ କରୁନାହାନ୍ତି। କେବଳ ସରକାରୀ କି ବେସରକାରୀ ସଂସ୍ଥା ନୁହେଁ ବିଭିନ୍ନ ରାଜନୈତିକ ଦଳ ବି ବିଏମ୍‌ସିର ଅପାରଗତାକୁ ଦେଖି ବେଆଇନ ହୋର୍ଡିଂ ଲଗାଇବାକୁ ପଛାଉନାହାନ୍ତି। ବେଆଇନ ହୋର୍ଡିଂ ଲଗାଇଥିବା ସଂସ୍ଥା ଠାରୁ ଜରିମାନା ଆଦାୟ କରିବା ଏବଂ ସାର୍ଟିଫିକେଟ୍‌ କେସ୍‌ କରିବା ପାଇଁ ନୋଟିସ୍‌ ଜାରି କରିଥିବା ବିଏମ୍‌ସିର ଡେପୁଟି କମିସନର ଶ୍ରୀମନ୍ତ ମିଶ୍ରଙ୍କୁ ଏନେଇ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ, ଜରିମାନା ଆଦାୟ ପାଇଁ ଆମେ ଯେତିକି ସମୟ ଦେଇଥିଲୁ ସେଥିରେ ଗୋଟିଏ ମାତ୍ର ସଂସ୍ଥା ଜରିମାନା ଦେଲା। ସମସ୍ତଙ୍କ ବିରୁଦ୍ଧରେ ସାର୍ଟିଫିକେଟ୍‌ କେସ୍‌ ହେବ। ଜୋନାଲ ଡେପୁଟି କମିସନରମାନେ ଏନେଇ ନୋଟିସ୍‌ କରିବେ। ଏନେଇ ସେମାନଙ୍କୁ ଜଣାଇ ଦିଆଯାଇଛି। କିନ୍ତୁ ମାର୍ଚ୍ଚ ମାସ ପାଇଁ ଜୋନାଲ ଡେପୁଟି କମିସନରମାନେ ବିଭିନ୍ନ ରାଜସ୍ୱ ଆଦାୟ କରିବାରେ ବ୍ୟସ୍ତ ଥିବାରୁ ସାର୍ଟିଫିକେଟ୍‌ କେସ୍‌ ହୋଇପାରିନି। ଖୁବ୍‌ ଶୀଘ୍ର ଏନେଇ ପଦକ୍ଷେପ ନିଆଯିବ।

ଆଉ ଜଳମଗ୍ନ ହେବନି ଭୁବନେଶ୍ୱର ରେଳ ଷ୍ଟେସନ୍‌

ଚନ୍ଦ୍ରଶେଖରପୁର: ପୂର୍ବତଟ ରେଳପଥ ଭୁବନେଶ୍ୱର ଷ୍ଟେସନ୍‌ ୟାର୍ଡ଼ରୁ ଜମୁଥିବା ଜଳ ନିଷ୍କାସନ ନିମନ୍ତେ ମାଇକ୍ରୋଟନେଲିଂ ପଦ୍ଧତି ଲାଗୁ କରିଛି। ଯାହା ଆଗରୁ ରେଳବାଇର ସଙ୍କେତ ପଦ୍ଧତିକୁ କେବଳ ବାଧା ଉପୁଯାଉ ନ ଥିଲା ବରଂ ଏହା ହାଓଡ଼ା ଚେନ୍ନାଇ ମୁଖ୍ୟ ଇାଇନ୍‌ରେ ରେଳ ସେବାପ୍ରତି ବ୍ୟାଘାତ ସୃଷ୍ଟି କରୁଥିଲା। ବହୁ ଦିନରୁ ଷ୍ଟେସନ୍‌ ୟାର୍ଡ଼ ଓ ଏହାର ଆଖପାଖ ଅଞ୍ଚଳରୁ ପ୍ରବଳ ବର୍ଷା ସମୟରେ ଡ୍ରେନ୍‌ଗୁଡ଼ିକରୁ ଓ ଜଳ ଜମିରହୁଥିବା ସ୍ଥାନରୁୁ ଜଳ ନିଷ୍କାସନ କରିବା ଏକ ପ୍ରମୁଖ ସମସ୍ୟା ଥିଲା। ଷ୍ଟେସନ୍‌ ଅଞ୍ଚଳକୁ ସଂଯୋଗ କରୁଥିବା ମୁନ୍‌ସିପାଲିଟିର ଡ୍ରେନ୍‌ ଏହି ଅଞ୍ଚଳରୁ ପ୍ରବଳ ମାତ୍ରାର ବର୍ଷାପାଣି ଉଛୁଳି ଆସି ଭୁବନେଶ୍ୱର ଷ୍ଟେସନ୍‌ ୟାର୍ଡ଼ର ଦକ୍ଷିଣ ଏବଂ ଉତ୍ତର ଦିଗକୁ ମଧ୍ୟ ମାଡ଼ି ଆସୁଥିଲା। ଫଳରେ ପ୍ଲାଟଫର୍ମରେ ମଧ୍ୟ ପାଣି ମାଡ଼ି ଆସୁଥିଲା। ଏହି ବିଷୟକୁ ଚିନ୍ତା କରାଯାଇ ମାଇକ୍ରୋଟନେଲିଂ ମେଥୋଡୋଲୋଜି ଲାଗୁ କରାଯାଇଛି। ଫଳରେ ୧.୮ମିଟର ବ୍ୟାସର କଙ୍କ୍ରିଟ ପାଇପ୍‌ ଭୁବନେଶ୍ୱର ୟାର୍ଡ଼ର ଦକ୍ଷିଣ ଦିଗ ପଟରୁ ୧୦୪ ମିଟର ପର୍ଯ୍ୟନ୍ତ ବସାଯାଇଛି। ଏହାଦ୍ୱାରା ବିଶେଷକରି ଖନନ ଗର୍ଭର ସମ୍ମୁଖଭାଗରେ ସହାୟତା ଦେବା ସମ୍ଭବ ହେବ, ଯହାକି ଗତାନୁଗତିକ ଓପନ୍‌-ସିଲ୍‌ଡ ପାଇପ୍‌-ଜ୍ୟାକିଂଠାରୁ ଅଲଗା ଅଟେ। ଏହା ଫଳରେ ରେଳଯାତ୍ରୀମାନେ ପ୍ରବଳ ବର୍ଷା ସମୟରେ ମଧ୍ୟ ପ୍ଲାଟଫର୍ମରେ କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ମାସେ ହେଲା କ୍ୟାପିଟାଲ ହସ୍ପିଟାଲ ସିଟି ସ୍କାନ୍‌ ବନ୍ଦ

ଭୁବନେଶ୍ୱର: ଗତ ୧ମାସ ହେଲାଣି କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ମେସିନ୍‌ ବନ୍ଦ ହୋଇ ପଡ଼ିଛି। ଶହ ଶହ ରୋଗୀ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ପରୀକ୍ଷା ପାଇଁ ଯାଉଛନ୍ତି। ମାତ୍ର ଏଥିପ୍ରତି ହସ୍ପିଟାଲ କର୍ତୃପକ୍ଷଙ୍କ ଚିନ୍ତା ଅଛି ନା ରାଜ୍ୟ ସରକାରଙ୍କର। ଗରିବ ରୋଗୀଙ୍କୁ ଘରୋଇ ଡାଇଗ୍ନୋଷ୍ଟିକ୍‌ ସେଣ୍ଟରକୁ ଚିକିତ୍ସା କରିବା ପାଇଁ ଏକପ୍ରକାର ବାଟ ଖୋଲି ଦିଆଯାଇଛି। ରାଜଧାନୀର ପ୍ରମୁଖ ସରକାରୀ ହସ୍ପିଟାଲରେ ଏଭଳି ଅବ୍ୟବସ୍ଥାକୁ ସାଧାରଣରେ ତୀବ୍ର ସମାଲୋଚନା କରାଯାଉଛି। ସୂଚନା ଅନୁଯାୟୀ, ଇନଫୋସିସ୍‌ ପକ୍ଷରୁ ୨୦୦୧ ମସିହାରେ କ୍ୟାପିଟାଲ ହସ୍ପିଟାଲକୁ ସି.ଟି ସ୍କାନ୍‌ ମେସିନ୍‌ ପ୍ରଦାନ କରାଯାଇଥିଲା। ସେବେଠାରୁ ହସ୍ପିଟାଲରେ ଏହି ମେସିନ୍‌ କାର୍ଯ୍ୟ କରି ଆସୁଛି। ତେବେ ଏଥିରେ କେବଳ ମୁଣ୍ଡର ସ୍କାନ୍‌ କରାଯାଉଥିବା ବେଳେ ସି.ସିଟି କରାଯାଉ ନ ଥିଲା। ଗୋଟିଏ ସ୍ଲାଇସ୍‌ର ହୋଇଥିବା ବେଳେ ଏବେ ୧୬ ସ୍ଲାଇସ୍‌ର ମେସିନ୍‌ ବ୍ୟବହାର କରାଯାଉଛି। ତେବେ ହସ୍ପିଟାଲରେ ଥିବା ମେସିନ୍‌ଟି କିଛି ଟ୍ୟୁବ୍‌ ପୋଡ଼ି ଯାଇଥିବାରୁ ତାହା ଅଚଳ ହୋଇଯାଇଛି। ହସ୍ପିଟାଲ କର୍ତୃପକ୍ଷ ମେସିନ୍‌କୁ ବାରମ୍ବାର ସଜାଡ଼ୁଥିଲେ ମଧ୍ୟ ତାହା ଖରାପ ହୋଇଯାଉଥିବାରୁ ଏହାର ବଦଳରେ ନୂତନ ମେସିନ୍‌ ଆଣିବା ପାଇଁ ରାଜ୍ୟ ସରକାରଙ୍କୁ ହସ୍ପିଟାଲ କର୍ତୃପକ୍ଷ ଅନୁରୋଧ କରିଥିଲେ। କିନ୍ତୁ ଏହା ଭିତରେ ୧ମାସ ବିତିଗଲାଣି, ନୂଆ ମେସିନ୍‌ ଆଜି ପର୍ଯ୍ୟନ୍ତ ପହଞ୍ଚିପାରି ନାହିଁ। ଯାହାର ଫାଇଦା ନେଉଛନ୍ତି ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟର। ନିକଟରେ ରାଜ୍ୟ ସରକାରଙ୍କ ପକ୍ଷରୁ ନିଦାନ ଯୋଜନାରେ ମାଗଣାରେ ସି.ଟି ସ୍କାନ୍‌ କରିବା ପାଇଁ ନିର୍ଦେଶ ଦିଆଯାଇଛି। ତେବେ କ୍ୟାପିଟାଲ ହସ୍ପିଟାଲରେ ଏହି ମେସିନ୍‌ ଖରାପ ହୋଇଯାଇଥିବା ବେଳେ ସାଧାରଣ ରୋଗୀମାନେ ଏହାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି। ଅପରପକ୍ଷରେ ପିପିପି ମୋଡ୍‌ରେ କ୍ୟାପିଟାଲ ହସ୍ପିଟାଲରେ ସି.ଟି ସ୍କାନ୍‌ ମେସିନ୍‌ ବସାଇବା ପାଇଁ ଯୋଜନା କରାଯାଇଥିବା ଜଣାପଡ଼ିଛି। କ୍ୟାପିଟାଲ ହସ୍ପିଟାଲର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇ ଦିଆଯାଇଛି। ନିକଟରେ ସ୍ୱାସ୍ଥ୍ୟ ମିସନର ଅଧିକାରୀ ହସ୍ପିଟାଲରେ ନୂତନ ମେସିନ୍‌ ବସାଇବା ନେଇ ଯାଞ୍ଚ କରିଛନ୍ତି। ଖୁବଶୀଘ୍ର ଏହି ମେସିନ୍‌ ହସ୍ପିଟାଲରେ କାର୍ଯ୍ୟ କରିବ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି।