ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ସାମଲ କହିଛନ୍ତି, ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ ଯାଇଥିଲେ। ବିଜେପିର ନୂଆ କାର୍ଯ୍ୟକାରିଣୀରେ କିଛି ନୂଆ ଲୋକଙ୍କୁ ନିଆଯିବ ଏବଂ କିଛି ପୁରୁଣା କାର୍ଯ୍ୟକର୍ତ୍ତା ପୂର୍ବ ଭଳି ଦାୟିତ୍ବରେ ରହିବେ। ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ସେ କହିଛନ୍ତି, ଏବେ ସେଭଳି କୌଣସି ସମ୍ଭାବନା ନାହିଁ। ଏନେଇ ନୂଆଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାମଲ। ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ । କମିଟି ଗଠନ ପରେ ନୂଆ ଭିଜନ ପ୍ରସ୍ତୁତ ହେବ । ସେହି କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ରାଜ୍ୟ ବିଜେପିରେ ଆସିବେ ୨୫ ପ୍ରତିଶତ ନୂଆ ମୁହଁ। ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ ବିଭିନ୍ନ ବିଷୟକୁ ନେଇ ହେବ ଆଲୋଚନା । ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି । ମହିଳା ନିର୍ଯାତନା ବିଷୟ ଯାହା ସାମ୍ନାକୁ ଆସିଛି ତାର ସମୀକ୍ଷା କରୁଛୁ। ପ୍ରତିକାର ଓ ଦୃଢ଼ ପଦକ୍ଷେପ ନେଇ ବ୍ୟବସ୍ଥା କରାଯିବ । ଏହା ସହ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ନେଇ କହିଛନ୍ତି ରାଜ୍ୟ ସଭାପତି । ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତରୁ ଉନ୍ନତତ୍ତର ଚିକିତ୍ସା ପାଇଁ କଥା ହୋଇଥିବା ସେ କହିଛନ୍ତି ସେ। ଡାକ୍ତରମାନେ ନିରନ୍ତର ଚେଷ୍ଟାରେ ଲାଗିଛନ୍ତି ।

ଓଏଏସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା କି ବିଜେଡି ପାଇଁ ରାଜନୀତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ ରାଜନୀତି କରିବା ମହଙ୍ଗା ପଡ଼ିଛି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ନିୟମିତ ନବୀନ ନିବାସ ଯିବା ଓ ସେଠାରେ ‘ଛାୟା ବ୍ୟକ୍ତିଗତ ସଚିବ’ ଭାବେ କାର୍ଯ୍ୟ କରୁଥିବା ନେଇ ବିଜେଡି ମହଲରେ ଚର୍ଚ୍ଚା ଓ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ମୋହନ ମାଝୀଙ୍କ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି ।  ଶ୍ରୀ ସେଠୀଙ୍କୁ କୋରାପୁଟସ୍ଥିତ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୪ତାରିଖ ବିଳମ୍ବିତ ରାତ୍ରିରେ ମୋଟ ୨୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଓଡ଼ିଶା ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ କୋରାପୁଟକୁ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି ।  ଗତକାଲି ବଦଳି ହୋଇଥିବା ୧୨ଜଣ ଓଏଏସ୍ ଅଫିସରଙ୍କୁ ଗତକାଲି ହିଁ ରିଲିଭ୍ କରାଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରବୀନ୍ଦ୍ର ସମେତ ମୋଟ ୧୭ଜଣ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସୂତ୍ର ଅନୁସାରେ, ଯାଜପୁରର ପୂର୍ବତନ ସାଂସଦଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ବିଜେଡି ଶାସନ ସମୟରେ ଖୋଲାଖୋଲି ଭାବେ ଦଳୀୟ ବ୍ୟାପାରରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶିତ ହୋଇଥିଲା । ତେବେ ବିଜେଡି ସରକାରର ପତନ ହେବାପରେ ଶ୍ରୀ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ତାଙ୍କର ବିଜେଡି ପ୍ରୀତି ଯୋଗୁ ସେ ପ୍ରାୟତଃ ସନ୍ଧ୍ୟା ସମୟରେ ନବୀନ ନିବାସ ଯାଉଥିବା ଏବଂ ବିଜେଡି ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସରକାରଙ୍କ ନିକଟରେ ପହଂଚୁଥିଲା ବୋଲି ସୂଚନା ମିଳିଛି । ସୂତ୍ର ଅନୁସାରେ, ଶ୍ରୀ ସେଠୀ ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ସମୟ ନବୀନ ନିବାସରେ ବିତାଉଥିବାର ପ୍ରମାଣ ସରକାରଙ୍କ ହସ୍ତଗତ ହୋଇଥିଲା । ସେ ଛାୟା ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନବୀନ ନିବାସରୁ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଦଳର କିଛି ନେତା ମଧ୍ୟ ଅଭିଯୋଗ କରିଥିଲେ । ଚାକିରିରେ ଥାଇ ଶ୍ରୀ ସେଠୀ କିଭଳି ନିୟମିତ ଭାବେ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଉଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ  ଓଏଏସ୍ ସଂଘ ଆନ୍ଦୋଳନକୁ ଅଧିକ ଜଟିଳ କରାଇବାରେ ଶ୍ରୀ ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହେବାପରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରୁ କୋରାପୁଟ ବଦଳି କରିଥିବା ଜଣାପଡ଼ିଛି । ଅବଶ୍ୟ ଶ୍ରୀ ସେଠୀ ନବୀନ ନିବାସ ଯାଉଥିଲେ କି ନାହିଁ ସେ ନେଇ ମିଳିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ଏଥର ଧରାଯିବ ଫେକ୍ ଜବ କାର୍ଡ ସୂଚନା ଦେଲେ ମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି | ଜବ କାର୍ଡ ଧାରୀ କରିବେ ଇକେୱାଇସି | ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।  ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ସରକାର ବାହାର କରିଛନ୍ତି ଫେକ ଜବ କାର୍ଡ | ଏହାର ଅଧିକାରୀ କିଏ ଥିଲେ, ଅର୍ଥ କିଏ ଆତ୍ମସାତ କରୁଥିଲା ବିଗତ ଦିନରେ ଯିଏ ଶାସନ କରୁଥିଲେ ସିଏ ତାର ଉତ୍ତର ଦେବେ | ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି |

ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି ନେତା ଙ୍କ କର୍ତ୍ତବ୍ୟ ଫସର ଫାଟିଲା ; ନେତା ହେଁ ହେଲେ ଅଣନିଃଶ୍ୱାସୀ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡିର ସାଙ୍ଗଠନିକ ବ୍ୟାପାରରେ ଭିକେ ପାଣ୍ଡିଆନ୍ ନାହାଁନ୍ତି ବୋଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବାରମ୍ବାର ସଫେଇ ଦେଉଛନ୍ତି। ପାଣ୍ଡିଆନ୍ ମଧ୍ୟ ଦଳର କୈଣସି ନେତାଙ୍କୁ ସିଧାସଳଖ ଭେଟ ବି କରୁନାହାନ୍ତି। କିନ୍ତୁ ତାଙ୍କ ବିନା ନିର୍ଦ୍ଦେଶରେ ଦଳରେ ପତ୍ରଟିଏ ବି ହଲିପାରୁନି। ଆଉ ଦଳ ଓ ସଂଗଠନରେ ଏପରି ସ୍ଥିତିକୁ ଦେଖି ଅଧିକାଂଶ ଆଗଧାଡି଼ର ନେତାମାନେ ନିଜକୁ ଅଣନିଃଶ୍ବାସୀ ଅନୁଭବ କରୁଥିଲେ ଅନ୍ୟ ବିକଳ୍ପ ନପାଇ ପାଣ୍ଡିଆନଙ୍କ ଛାୟା ଇକୋସିଷ୍ଟମରେ ମୋଡ଼ିମକଚି ହୋଇ ରହିବାକୁ ବାଧ୍ୟ ହୋଇଥିବା ଚର୍ଚ୍ଚା ହେଉଛି। ଏପରିକି ପାଣ୍ଡିଆନଙ୍କ ଜିଦ୍ ଆଗରେ ବିଜେଡି କିଂକର୍ତ୍ତବ୍ୟବିମୂଢ଼ ହୋଇପଡ଼ିଛି। ବୟସାଧିକ ଯୋଗୁଁ ସଂଗଠନ ପରିଚାଳନାରେ ନବୀନଙ୍କ ଅନାଗ୍ରହ ଓ ଅପାରଗତା, ପାଣ୍ଡିଆନଙ୍କ ଉପରେ ମାତ୍ରାଧିକ ନିର୍ଭରଶୀଳତା ହିଁ ପରୋକ୍ଷରେ ବିଜେଡି ନେତାମାନଙ୍କୁ ପାଣ୍ଡିଆନଙ୍କ ହାକିମାତି ସ୍ବୀକାର ପାଇଁ ଏକରକମ ବିବଶ କରିଦେଇଥିବା ଦଳୀୟ ମହଲରେ ଚର୍ଚ୍ଚା। ବିଜେଡି ସୂତ୍ର ଅନୁସାରେ, ଦଳର ଆଗଧାଡି଼ର ନେତ୍ରୀମାନଙ୍କ ତୀବ୍ର ବିରୋଧ ସତ୍ତ୍ଵେ ପାଣ୍ଡିଆନଙ୍କ ଜିଦ୍ ଆଗରେ ମୁଣ୍ଡ ନୁଆଁଇ ବିଜେଡି ଗୁରୁବାର ଭୁବନେଶ୍ବରରେ ଓ ଶୁକ୍ରବାର ନୀଳଗିରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା କରିଛି। ଗୁରୁବାର ଶଙ୍ଖ ଭବନରେ ବିଜେଡିର ଅସ୍ଥାୟୀ ମୁଖିଆ ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଦଳର ଆଗଧାଡି଼ର ନେତ୍ରୀମାନେ ସିଧାସଳଖ ଏହି ପ୍ରାୟୋଜିତ କାର୍ଯ୍ୟକ୍ରମକୁ ବିରୋଧ କରିଥିଲେ। ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ କାହିଁକି ଏତେ ଗୁରୁତ୍ୱ ଦିଆଯାଉଛି ଓ ଅନ୍ୟ ପ୍ରମୁଖ ନେତ୍ରୀମାନଙ୍କ କ୍ଷେତ୍ରରେ ଦଳ ଚୁପ୍ ଥିବାବେଳେ ଲେଖାଶ୍ରୀଙ୍କ ପାଇଁ ମାତ୍ରାଧିକ କାର୍ଯ୍ୟକ୍ରମ ଉଚିତ୍ ନୁହେଁ ବୋଲି ଉକ୍ତ ବୈଠକରେ ଦଳୀୟ ନେତ୍ରୀମାନେ ନିଜର ଅସନ୍ତୋଷ ବ୍ୟକ୍ତ କରିଥିଲେ। ଲେଖାଶ୍ରୀଙ୍କ ପ୍ରତି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆଙ୍କ ଆପତ୍ତିଜନକ ମନ୍ତବ୍ୟ ପାଇଁ ଥାନାରେ ଦଳ ପକ୍ଷରୁ ଦୁଇ ଦୁଇଟି ଏତଲା ଓ ରାଜ୍ୟ ମହିଳା କମିଶନରେ ମାମଲା ହୋଇସାରିଛି। ଦଳ ମଧ୍ୟ କ୍ରମାଗତ ଭାବରେ ଏହି ମନ୍ତବ୍ୟକୁ ନିନ୍ଦା କରି ବିଧାୟକଙ୍କ ଗିରଫଦାରୀ ଓ କ୍ଷମା ପ୍ରାର୍ଥନା ଦାବି କରିସାରିଛି। ଆଇନଗତ ଲଢେଇ ଏବେ ଜାରି ରହିଛି। ତେଣୁ ଯଦି ଦଳ ଚାହୁଁଛି, ତାହେଲେ ବିଗତ କିଛି ମାସ ମଧ୍ୟରେ ରାଜ୍ୟରେ ବଢୁଥିବା ମହିଳା ହିଂସା ବିରୁଦ୍ଧରେ ଆନ୍ଦୋଳନ କରାଯାଉ ବୋଲି ଅଧିକାଂଶ ନେତ୍ରୀ ପ୍ରସ୍ତାବ ଦେଇଥିଲେ। ଦେବୀ ମଧ୍ୟ ନେତ୍ରୀମାନଙ୍କ ବିରୋଧ ଦେଖି ବ୍ୟାକଫୁଟକୁ ଯାଇଥିଲେ। ମାତ୍ର ପାଣ୍ଡିଆନଙ୍କ ଜିଦ୍ ଓ କଡ଼ା ଆଭିମୁଖ୍ୟ ଦେଖି କେବଳ ଲେଖାଶ୍ରୀଙ୍କ ପ୍ରସଙ୍ଗରେ ଦଳର ଆଗଧାଡି଼ର ନେତ୍ରୀମାନଙ୍କୁ ଭୁବନେଶ୍ୱରରେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦିଆଗଲା। ଅନିଚ୍ଛା ସତ୍ତ୍ବେ ଦଳର ହାତଗଣତି ନେତ୍ରୀ ଭୁବନେଶ୍ୱରରେ ବିକ୍ଷୋଭରେ ସାମିଲ ହେଲେ ଓ ଅଧିକାଂଶ ଅନୁପସ୍ଥିତ ରହିଲେ। ଅନୁରୂପ ଭାବେ ପାଣ୍ଡିଆନଙ୍କ ଚାପ ଓ ଜିଦ୍ ଯୋଗୁଁ ଗତ ୭ ତାରିଖରେ ମଧ୍ୟ ବାଲେଶ୍ବରରେ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରି ଲେଖାଶ୍ରୀଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ପାଇଁ ବିଧାୟକ ସନ୍ତୋଷ ଖଟୁଆଙ୍କ ଗିରଫ ଦାବି କରିଥିଲା। ବିଜେଡି ନେତା ପ୍ରତାପ ଜେନା ନିଜର ତୋଷାମଦିଆ ନୀତି ଓ ପାଣ୍ଡିଆନଙ୍କୁ ଖୁସି କରିବା ପାଇଁ ଏହି ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ଵର ଜିଲ୍ଲାର ଦଳୀୟ ବିଧାୟକ ଓ ପରାଜିତ ବିଧାୟକ ପ୍ରାର୍ଥୀ ଏବଂ ଜିଲ୍ଲା ସଭାପତି ଉପସ୍ଥିତ ଥିଲେ। ତେବେ ପ୍ରତାପଙ୍କ ବୈଠକରେ ବସ୍ତା ବିଧାୟିକା ସୁବାସିନୀ ଜେନା ଓ ତାଙ୍କ ସ୍ବାମୀ ରବୀନ୍ଦ୍ର ଜେନା ଉପସ୍ଥିତ ଥିଲେ ମଧ୍ୟ ସାମ୍ବାଦିକ ସମ୍ମିଳନୀରୁ ଦୂରେଇ ରହିଥିଲେ। ବିଜେଡି ସୂତ୍ର ଅନୁସାରେ, ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ଓ ୨୪ବର୍ଷର ଶାସନର ଅନ୍ତ ସତ୍ତ୍ୱେ ଦଳ ପୁଣିଥରେ କ୍ରିୟାଶୀଳ ହୋଇ ଲକ୍ଷଲକ୍ଷ କର୍ମୀଙ୍କ ପାଖକୁ ଯିବା ଓ ସାଧାରଣ ଲୋକମାନଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିବାକୁ ଆଗ୍ରହ ଦେଖାଉନାହିଁ। ଏପରିକି ବିଗତ ଏକ ବର୍ଷରୁ ଅଧିକ ସମୟ ଧରି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ କୈଣସି ଗୋଟିଏ ବି ପ୍ରସଙ୍ଗରେ ଦଳ ପଞ୍ଚାୟତସ୍ତର ପର୍ଯ୍ୟନ୍ତ ନିଜର କର୍ମୀମାନଙ୍କ ପାଖରେ ପହଞ୍ଚି ସେମାନଙ୍କ ଉତ୍ସାହ ବୃଦ୍ଧି ଭଳି ପଦକ୍ଷେପ ନେଇପାରିନି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ସବୁ ଜିଲ୍ଲାକୁ ଗସ୍ତ ହେଉ କି ଜିଲ୍ଲାର ଆଗଧାଡି଼ର ନେତାମାନଙ୍କୁ ମଧ୍ୟ ଭେଟିନାହାନ୍ତି। ବିଜେଡି ପରାଜୟର ମୁଖ୍ୟ ସୂତ୍ରଧର ଦଳର ଅଘୋଷିତ ସର୍ବେସର୍ବା ପାଣ୍ଡିଆନ ବି କାହାରିକୁ ଭେଟୁ ନଥିବାବେଳେ ତାଙ୍କ ଖାସ୍ ଅନୁଗତ ପ୍ରଣବ ପ୍ରକାଶ ଦାସ(ବବି) ଏବେ ପୁଣିଥରେ ନିଜର ପୁରୁଣା ଫର୍ମକୁ ( ଦଳ କ୍ଷମତାରେ ଥିବାବେଳେ ଅହଙ୍କାର ଓ ଔଦ୍ଧତ୍ୟ) ଫେରିଛନ୍ତି । ଦଳରେ ପାଣ୍ଡିଆନଙ୍କ ହାକିମାତି ଆରମ୍ଭ ହେବା ସହ ବବିଙ୍କ ମାମଲାତି ବି ପୁଣିଥରେ ଫେରିଛି। ଯଦିଓ ଦଳର ଅସ୍ଥାୟୀ ମୁଖିଆ ଭାବେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ରଙ୍କୁ ପୁଣିଥରେ ଦାୟିତ୍ବ ମିଳିଛି, କିନ୍ତୁ ସେ ଦଳୀୟ ସାଂଗଠନିକ ପ୍ରସଙ୍ଗରେ ପାଣ୍ଡିଆନ-ବବିଙ୍କ ବିନା ନିର୍ଦ୍ଦେଶରେ କିଛି କରିବାର ସାହାସ ଜୁଟାଇ ପାରିନାହାନ୍ତି। ନବୀନଙ୍କ ଅସୁସ୍ଥତା ଓ ନିର୍ଭରଶୀଳତା, ବରିଷ୍ଠ ନେତାମାନଙ୍କ ନୀରବତା,  ଦେବୀଙ୍କ ଚାଟୁକାରିତା, ଅଢ଼େଇ ଦଶନ୍ଧି ପରେ ପୁନଃଗଠିତ ଦଳର ରାଜନୀତିକ ବ୍ୟାପାର କମିଟି (ପିଏସି)ର ଅକର୍ମଣ୍ୟତାର  ଫାଇଦା ଉଠାଇ  ପାଣ୍ଡିଆନ ପ୍ରଚ୍ଛଦପଟରେ ରହି ନିଜ ଢଙ୍ଗରେ ବିଜେଡିକୁ ପରିଚାଳନା କରିବାରେ ଲାଗିଛନ୍ତି। ବିଜେଡି ରାଜ୍ୟରେ ପ୍ରମୁଖ ବିରୋଧୀ ଦଳ ହୋଇ ମଧ୍ୟ ପାଣ୍ଡିଆନଙ୍କ ନିଜସ୍ଵ ଆତ୍ମରକ୍ଷା ରଣନୀତି ପାଇଁ ଦଳ ଧୀରେ ଧୀରେ ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ବାର୍ଥ-ସମସ୍ୟାରୁ ଦୂରେଇ ଯିବାରେ ଲାଗିଛି। ବିଜେଡିର ବିଗତ ବର୍ଷେ ଧରି ଏଭଳି ନୀତି-ନୈତିକତାବିହୀନ ଆଭିମୁଖ୍ୟ ମଧ୍ୟ ରାଜ୍ୟରେ କଂଗ୍ରେସକୁ ବଳ ଗୋଟାଇବାରେ ସହାୟକ ହୋଇଛି ଓ ତଥା ଦଳ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି ସେମାନଙ୍କ ଆସ୍ଥାଭାଜନ ହେବାରେ ଲାଗିଛି।

 

୧୭ରେ ବନ୍ଦ ରହିବା ସାରା ଓଡ଼ିଶା ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବାଲେଶ୍ଵର ଏଫଏମ କଲେଜ ଛାତ୍ରୀ ସୈାମ୍ୟାଶ୍ରୀଙ୍କ ମୃତ୍ୟୁ ଘଟଣା ପ୍ରତିବାଦରେ ଆସନ୍ତା ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ରାଜ୍ୟ କଂଗ୍ରେସ। ଏହାକୁ ବାମ ଦଳ ସମେତ ଅନ୍ୟ ବିରୋଧୀ ଦଳ ସମର୍ଥନ କରିଛନ୍ତି। ବିଦ୍ୟାଳୟ, କଲେଜ ଓ ଦୋକାନ ବଜାର ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି।ପିସିସି ସଭାପତି ଭକ୍ତ ଦାସ କହିଛନ୍ତି ଯେ ଏ ସରକାର ଶାସନକଳକୁ ଚଳାଇବାରେ ଅସମର୍ଥ। ତେଣୁ ସେମାନେ ଓହରି ଯାଆନ୍ତୁ। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ କହିଛନ୍ତି ଯେ ଏହି ଘଟଣା ପାଇଁ ରାଜ୍ୟ ସରକାର ଦାୟୀ। ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇସ୍ତଫା ଦିଅନ୍ତୁ। କଂଗ୍ରେସ ଏହି ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ଏହା ଆତ୍ମହତ୍ୟା ନୁହେଁ। ଏହା ବ୍ୟବସ୍ଥା ଦ୍ବାରା ଏକ ସଂଗଠିତ ହତ୍ୟାକାଣ୍ଡ। ଯୈାନ ଶୋଷଣ ବିରୁଦ୍ଧରେ ସାହାସୀ ଝିଅଟି ସ୍ଵର ଉଠାଇଥିଲା। କିନ୍ତୁ ତାକୁ ଚପାଇ ଦେବାକୁ ଚେଷ୍ଟା କରାଯାଇଥିଲା। ତାଙ୍କୁ ଅପମାନିତ କରାଯାଇଥିଲା। ଅଧ୍ୟାପକଙ୍କ ବିରୋଧରେ ମାନସିକ ନିର୍ଯାତନା ଆଣି ଗତ ଶନିବାର ଆତ୍ମାହୁତି ଉଦ୍ୟମ କରି ଭୁବନେଶ୍ୱର ଏମ୍‌ସରେ ଚିକିତ୍ସିତ ହେଉଥିବା ଛାତ୍ରୀ ସୈାମ୍ୟାଶ୍ରୀ (୨୦) ସୋମବାର ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ। ଆଜି ଭୋଗରାଇର ପଳାସିଆରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଖୋଲିଲା ହୀରାକୁଦ ଡ୍ୟାମର ୨୦ଟି ଗେଟ୍‌ ;ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ହୀରାକୁଦ ଡ୍ୟାମ୍‌ରୁ ଆଜି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି। ପର୍ଯ୍ୟାୟକ୍ରମେ ଡ୍ୟାମରୁ ୨୦ଟି ଗେଟ୍‌ ଖୋଲିଛି। ବାମ ପଟର ୧୩ଟି ଓ ଡାହାଣ ପଟର ୭ଟି ଗେଟ୍ ଖୋଲା ଯାଇଛି। ପରମ୍ପରାକୁ ବଜାୟ ରଖି ପୂଜାର୍ଚ୍ଚନା ପରେ ଗେଟ୍ ଖୋଲାଯାଇଥିଲା। ସକାଳ ୧୦ଟା ୧୮ ମିନିଟ୍‌ରେ ପ୍ରଥମେ ବାମପାର୍ଶ୍ଵ ସ୍ପିଲୱେ ପଟୁ ୭ ନମ୍ବର ସ୍ଲୁଇସ୍‌ ଗେଟ୍ ଖୋଲାଯାଇଥିଲା। ତା’ପରେ ଆଉ ୧୧ଟି ଗେଟ୍ ଖୋଲାଯାଇଥିଲା। ତେବେ ହୀରାକୁଦ ଡ୍ୟାମର ଉପରମୁଣ୍ଡରେ ଅଧିକ ବର୍ଷା ଯୋଗୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳର ପ୍ରବେଶ ବଢ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ପୁଣି ୮ଟି ଗେଟ୍ ଖୋଲା ଯାଇଥିଲା। ତେବେ ହୀରାକୁଦର ବନ୍ୟା ଜଳ ତଳମୁଣ୍ଡରେ ବନ୍ୟା ବିଭୀଷିକା ସୃଷ୍ଟି କରିବ ନାହିଁ ବୋଲି କହିଛନ୍ତି ମୁଖ୍ୟଯନ୍ତ୍ରୀ ସୁଶୀଲ କୁମାର ବେହେରା। ସକାଳ ୮ଟାରେ ହୀରାକୁଦ ଡ୍ୟାମ ଜଳଭଣ୍ଡାର ମଧ୍ୟକୁ ସେକେଣ୍ଡକୁ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଅପରାହ୍ନ ୩ଟା ବେଳକୁ ଏହାର ପରିମାଣ ସେକେଣ୍ଡକୁ ୨ ଲକ୍ଷ ୭୪ ହଜାର ଘନଫୁଟକୁ ବୃଦ୍ଧି ପାଇଥିଲା। ଆଗକୁ ପୁଣି ଲଗାଣ ବର୍ଷାର ସମ୍ଭାବନା ଥିବାରୁ ଜଳଭଣ୍ଡାର ମଧ୍ୟକୁ ବନ୍ୟାଜଳ ପ୍ରବେଶ ପରିମାଣ ବଢ଼ିବାର ସମ୍ଭାବନା ରହିଛି। ଏଠାରୁ ନିଷ୍କାସିତ ବନ୍ୟାଜଳ କଟକର ମୁଣ୍ଡଳି ଠାରେ ପହଞ୍ଚିବାକୁ ପ୍ରାୟ ୩୬ ଘଣ୍ଟା ସମୟ ଲାଗିବ। ଗେଟ୍‌ ଖୋଲିବା ପୂର୍ବରୁ ଆଜି ସକାଳୁ ସତର୍କ ସାଇରନ ବାଜିବା ଆରମ୍ଭ କରିଥିଲା। ସେହିପରି ଗତ ୨ ଦିନ ଧରି ତଳମୁଣ୍ଡରେ ଡାକବାଜି ଯନ୍ତ୍ରରେ ପ୍ରଚାର କରାଯାଇ ଲୋକଙ୍କୁ ସତର୍କ କରାଯାଇଥିଲା। ବୁର୍ଲା, ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳ ମୁଣ୍ଡରେ ପ୍ରଚାର କରାଯାଇ ଲୋକମାନଙ୍କୁ ସଚେତନ କରାଯାଇଥିଲା। ହୀରାକୁଦ ଡ୍ୟାମରୁ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଦୃଶ୍ୟ ଦେଖିବା ପାଇଁ ସମ୍ବଲପୁର ସମେତ ଅନ୍ୟ ଜିଲ୍ଲାମାନଙ୍କରୁ ଲୋକମାନେ ହୀରାକୁଦକୁ ଆସିଥିଲେ। ଏଠାରେ ଲୋକଙ୍କର ବେଶ୍ ଗହଳି ଲାଗିଥିଲା। ଜଳ ନିଷ୍କାସନ ସମୟରେ ଧୂଆଁଳିଆ ପରିବେଶ ସୃଷ୍ଟି ହୋଇଥିଲା। ଡ୍ୟାମରୁ ଜଳ ନିଷ୍କାସିତ ହେବାର ଦୃଶ୍ୟକୁ ଲୋକେ ଉପଭୋଗ କରିଥିଲେ ଓ ସେମାନଙ୍କ ମୋବାଇଲ ଫୋନ୍‌ର କ୍ୟାମେରାରେ ତାହାକୁ ତୋଳି ଧରିଥିଲେ।ହୀରାକୁଦ ଡ୍ୟାମର ଜଳସ୍ତର ୬୧୦ ଫୁଟ ଡେଇଁ ସାରିଥିବା ବେଳେ ଆଗକୁ ବର୍ଷା ଜାରି ରହିଲେ ଆହୁରି ଅଧିକ ଗେଟ୍ ଖୋଲାଯାଇପାରେ ବୋଲି ଜଣାପଡ଼ିଛି।

ସର୍ବାଧିକ ଅବଧିର ରେକର୍ଡ ଭାଙ୍ଗି ମନମୋହନ ପୁଣି ବିଜେପି ରାଜ୍ୟ ସଭାପତି

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲଙ୍କ ଉପରେ ବିଜେପି ପୁଣିଥରେ ଆସ୍ଥାପ୍ରକଟ କରିଛି । ସେ ୪ର୍ଥ ଥର ପାଇଁ ରାଜ୍ୟ ବିଜେପି ସଭାପତି ଭାବେ ନିର୍ନ୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଦଳର ରାଜ୍ୟ ସଭାପତି ପଦ ନିର୍ବାଚନ ନିମନ୍ତେ ଶ୍ରୀ ସାମଲ ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ସଭାପତି ହେବା ସ୍ପଷ୍ଟ ହୋଇଛି, ମାତ୍ର ଆସନ୍ତାକାଲି (ମଙ୍ଗଳବାର) ଏନେଇ ବିଧିବଦ୍ଧ ଘୋଷଣା ହେବ । ୬୬ବର୍ଷୀୟ ଶ୍ରୀ ସାମଲ ପୁଣିଥରେ ୩ବର୍ଷ ପାଇଁ ସଭାପତି ନିର୍ବାଚିତ ହେବା ସହ ରାଜ୍ୟରେ ସର୍ବାଧିକ ଅବଧିର ବିଜେପି ସଭାପତି ହେବାର ରେକର୍ଡର ଅଧିକାରୀ ମଧ୍ୟ ହୋଇଛନ୍ତି । ରାଜ୍ୟ ବିଜେପିର ସର୍ବାଧିକ ଅବଧିର ସଭାପତି ଭାବେ ବିଶ୍ୱଭୂଷଣ ହରିଚନ୍ଦନ ମୋଟ (୧୯୮୦ରୁ ୧୯୮୮ ମସିହା ପର୍ଯ୍ୟନ୍ତ) ୮ବର୍ଷ କାର୍ଯ୍ୟ କରିଥିବାବେଳେ ଶ୍ରୀ ସାମଲ ପ୍ରଥମ ଦଫାରେ କ୍ରମାଗତ ଦୁଇଥରରେ ୫ବର୍ଷ (୧୯୯୯ରୁ ୨୦୦୦ ଓ ୨୦୦୧ରୁ ୨୦୦୪ ମସିହା) , ଦ୍ୱିତୀୟ ଦଫାରେ ୨ବର୍ଷ ୩ମାସ ଓ ତୃତୀୟ ଦଫାରେ ୩ବର୍ଷ ପାଇଁ ନିର୍ବାଚିତ ହୋଇଛନ୍ତି । ମନମୋହନ ଆଜି ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ସେ ରାଜ୍ୟ ବିଜେପିର ପରବର୍ତ୍ତୀ ସଭାପତି ହେବା ସ୍ପଷ୍ଟ ହୋଇଛି । ଯଦିଓ ଆସନ୍ତାକାଲି ବିଧିବଦ୍ଧ ଘୋଷଣା ହେବ । ମନମୋହନ ୧୯୯୯ ମସିହାରେ ରାଜ୍ୟ ବିଜେପିର ସଭାପତି ଥିବାବେଳେ ବିଜେଡି ସହ ମେଂଟ କରି ଦଳ ଓଡ଼ିଶାରେ ପ୍ରଥମଥର ପାଇଁ କ୍ଷମତାର ସ୍ୱାଦ ଚାଖିଥିଲା । ଏବେ ଦ୍ୱିତୀୟଥର ୨୦୨୩ ମାର୍ଚ୍ଚ ମାସରେ ଦଳର ରାଜ୍ୟ ସଭାପତି ଦାୟିତ୍ୱ ନେବାପରେ ବିଜେପି ନିଜସ୍ୱ ଦମରେ ୨୦୨୪ ଜୁନ ମାସରେ ସରକାର ଗଢ଼ିବାରେ ସକ୍ଷମ ହୋଇଛି । ଦଳକୁ ସଫଳତା(କ୍ଷମତାସୀନ କରାଇବା) ଦେବାରେ ‘ମନମୋହନ’ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛନ୍ତି । ତେବେ ମନମୋହନଙ୍କ ପ୍ରଥମଦଫା(୧୯୯୯-୨୦୦୪) ସଭାପତିତ୍ୱ କାଳରେ ତାଙ୍କ ଦଳ ରାଜ୍ୟ ସରକାରରେ ଭାଗିଦାରୀ ହେବାରେ ସକ୍ଷମ ହୋଇଥିବାବେଳେ ସେ ନିଜେ ପରାଜିତ ହୋଇଥିଲେ । ଏବେ ମଧ୍ୟ ସମାନ ଢଙ୍ଗରେ ୨୦୨୪ ନିର୍ବାଚନରେ ତାଙ୍କ ଦଳ ନିଜସ୍ୱ ଦମରେ ସରକାର ଗଢ଼ିଛି ସତ କିନ୍ତୁ ମନମୋହନଙ୍କୁ ପରାଜିତ ହେବାକୁ ପଡ଼ିଛି । ୨୦୦୦ ମସିହାରେ ଧାମନଗର ଓ ଏବେ ଚାନ୍ଦବାଲି ଆସନରୁ ସେ ପରାଜିତ ହୋଇଛନ୍ତି । ଅବଶ୍ୟ ଦଳ ତାଙ୍କୁ ୨୦୦୦ ମସିହାରେ ରାଜ୍ୟସଭା ପଠାଇ ପୁରସ୍କୃତ କରିଥିଲା । ଏବେ ଆସନ୍ତା ମାର୍ଚ୍ଚ ମାସରେ ଅନୁରୂପ ପୁରସ୍କାର ମଧ୍ୟ ଦଳ ତାଙ୍କୁ ଦେଇପାରେ ବୋଲି ଚର୍ଚ୍ଚା ହେଉଛି ।

ଓଡ଼ିଶା ପୁଲିସରେ ଟେଣ୍ଡର ଫିକ୍ସିଂ ; ଚିନ୍ତା ରେ ଗୃହ ବିଭାଗ

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାରଙ୍କ ‘ଜିରୋ ଟଲେରାନ୍ସ ନୀତି’କୁ ଭୃକ୍ଷେପ ନକରି ଓଡ଼ିଶା ପୁଲିସ କ୍ରମାଗତ ଭାବେ ଟେଣ୍ଡର ଅନିୟମିତତାରେ ଲିପ୍ତ ଥିବାର ପୁଳାପୁଳା ପ୍ରମାଣ ଦାଣ୍ଡରେ ପଡ଼ି ଏବେ ହାଟରେ ଗଡ଼ିଲାଣି । କେଉଁଠି ନିର୍ଦ୍ଦିଷ୍ଟ ଘରୋଇ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇ ବିନା ଟେଣ୍ଡର ଓ ରାଜ୍ୟସ୍ତରୀୟ କ୍ରୟ କମିଟିର ବିନା ଅନୁମୋଦନରେ ୭.୮୪ କୋଟି ଟଙ୍କାର କାର୍ଯ୍ୟାଦେଶ ଦିଆଗଲାଣି ତ କେଉଁଠି ପୁଲିସ ଡିଜିଙ୍କ ଭାବମୂର୍ତ୍ତି ସୁଧାରିବା ପାଇଁ ବର୍ଷକୁ କୋଟିଏ ଟଙ୍କାରୁ ଅଧିକ ଟଙ୍କାର କାର୍ଯ୍ୟ ଟେକି ଦେବାକୁ ସବୁ କସରତ ସରିଲାଣି। ସେହିପରି ‘ଉପକୂଳ ସୁରକ୍ଷା ପାଇଁ ଡ୍ରୋନକିଣା’ ହେଉ କି ‘ସିଷ୍ଟମ ଇଣ୍ଟିଗ୍ରେଟର ଚୟନ’ରେ ଟେଣ୍ଡର ପ୍ରକ୍ରିୟା, ସବୁଥିରେ ଅନିୟମିତତା ଜଳଜଳ ଦିଶୁଥିଲେ ମଧ୍ୟ ସମସ୍ତେ ନିରବଦ୍ରଷ୍ଟା ସାଜିଛନ୍ତି । କେବଳ ସେତିକି ନୁହେଁ ବିଗତ ୧୦ମାସ ମଧ୍ୟରେ ‘ଓଡ଼ିଶା ପୁଲିସ’ ନିଜର ବିଭିନ୍ନ କାର୍ଯ୍ୟ ଓ ସେବା ପାଇଁ ଯେଉଁସବୁ ଟେଣ୍ଡର ଡାକିଛି ସେଥିରୁ ଅଧିକାଂଶ ଟେଣ୍ଡରର ଚୂଡ଼ାନ୍ତରେ ଅନିୟମିତତାର ଅଭିଯୋଗ ଜଳଜଳ ଦିଶିବାରେ ଲାଗିଛି । ଆଉ ଏପଟେ ଏହି ସମସ୍ତ ଅନିୟମିତତା ଘଟଣାରେ ଗୃହ ବିଭାଗ ଓ ପୁଲିସ ଡିଜିପିଙ୍କ କାର୍ଯ୍ୟାଳୟର ଭୂମିକା ତଥା ନିରବତାକୁୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ୨୦୨୫ ଜୁନ୍ ୩୦ତାରିଖରେ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ(ଏସସିଆରବି) ନିର୍ଦ୍ଦେଶିକା  ସନ୍ତୋଷ ବାଲା ଗୋଟିଏ ଚିଠି ସମସ୍ତ ପୁଲିସ ପ୍ରତିଷ୍ଠାନ(ଥାନାରୁ ଆରମ୍ଭ କରି ଆଇଜି ରେଞ୍ଜ ଅଫିସ ସମେତ)କୁ ଲେଖିଛନ୍ତି । ଏହି ଚିଠିରେ ଶ୍ରୀମତୀ ବାଲା ସବୁ ପୁଲିସ୍ ଅଫିସରମାନଙ୍କୁ ସେମାନଙ୍କ କାର୍ଯ୍ୟାଳୟରେ ଥିବା ଇଂଟରନେଟ୍ ସଂଯୋଗର ବ୍ୟାଣ୍ଡୱିଥ୍ ଅପଗ୍ରେଡେସନ୍ କାର୍ଯ୍ୟ ନିମନ୍ତେ ଏୟାରଟେଲ୍ କମ୍ପାନୀର ଟେକନିସିଆନମାନଙ୍କୁ ଆବଶ୍ୟକ କାର୍ଯ୍ୟ କରିବା ପାଇଁ ଅନୁମତି ଓ ସହଯୋଗ କରିବାକୁ ପରାମର୍ଶ ଦେଇଛନ୍ତି । ସେମାନେ ଏହି ଇନଷ୍ଟଲେସନ୍ ସମୟରେ ପୁରୁଣା ମୋଡେମ୍‌, ରାଉଟର ଓ ଆଉଟଡୋର ୟୁନିଟକୁ ମଧ୍ୟ ପରିବର୍ତ୍ତନ କରିପାରନ୍ତି ବୋଲି ସୂଚିତ କରିଛନ୍ତି । ସିସିଟିଏନ୍ ପ୍ରୋଜେକ୍ଟ ଅନ୍ତର୍ଗତ ଏବେ ସବୁ ପୁଲିସ ପ୍ରତିଷ୍ଠାନକୁ ସଂଯୋଗ କରୁଥିବା ଏୟାରଟେଲ୍ କମ୍ପାନୀର ଡେଡିକେଟେଡ୍ ଲିଜଡ୍ ଲାଇନ(ମଲଟି ପ୍ରୋଟୋକଲ ଲେବଲ ସ୍ୱିଚିଂ-ଏମପିଏଲଏସ କନକ୍ଟେଭିଟି)ର ଅପଗ୍ରେଡେସନ୍ ଜୁଲାଇ ପହିଲାରୁ (୪ରୁ ୧୬ ଏମବିପିଏସ୍ ପରିବର୍ତ୍ତେ ୧୦୦ରୁ ୧୫୦ ଏମବିପିଏସ୍ ସ୍ପିଡକୁ ବୃଦ୍ଧି) କରାଯିବ ବୋଲି ଚିଠି ଲେଖିବା ପରେ ଏହି କେଳେଙ୍କାରୀ ପଦାକୁ ଆସିଛି । ରାଜ୍ୟ ସରକାର ଓ ରାଜ୍ୟସ୍ତରୀୟ କ୍ରୟ କମିଟିର ବିନା ଅନୁମୋଦନରେ କିଏ ଓ କିଭଳି ଏହି ଅପଗ୍ରେଡେସନ୍ ପାଇଁ(୭କୋଟି ୮୪ଲକ୍ଷ ୧୮ହଜାର ୪୯୮ଟଙ୍କାର କାର୍ଯ୍ୟ ନିମନ୍ତେ) ଅନୁମତି ଦେଲା ତାକୁ ନେଇ ପ୍ରଶ୍ନ ଉଠିଛି । ପୁଲିସ ଡିଜିଙ୍କ ଅନୁମତି ବିନା ସମସ୍ତ ପୁଲିସ ପ୍ରତିଷ୍ଠାନକୁ ଶ୍ରୀମତୀ ବାଲା ଚିଠି ଲେଖି ଏହି ଅପଗ୍ରେଡେସନ୍ ନିମନ୍ତେ ସୂଚିତ କରିବା ସମ୍ଭବପର ନଥିବାବେଳେ ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନା ନିୟମ (ଓଜିଏଫଆର) -୨୦୨୩କୁ ଖୋଲା ଉଲ୍ଲଘଂନ କରି ପ୍ରତିଯୋଗିତାମୂଳକ ବିଡିଂ ଓ ବଜାରର ମୂଲ୍ୟକୁ ବିଚାରକୁ ନନେଇ କାହିଁକି ଏୟାରଟେଲ୍ କମ୍ପାନୀକୁ ଏତେ ଟଙ୍କାର କାର୍ଯ୍ୟାଦେଶ ଟେକି ଦିଆଗଲା ତାହା ଏବେ ପୁଲିସ ଡିଜି ଓ ଗୃହ ବିଭାଗକୁ ସନ୍ଦେହଘେରକୁ ଆଣିଛି । ‘କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଂ ନେଟୱାର୍କ ଆଣ୍ଡ ସିଷ୍ଟମସ(ସିସିଟିଏନଏସ)’ ପ୍ରୋଜେକ୍ଟ ରାଜ୍ୟର ସମସ୍ତ ଅପରାଧ ଓ ଅପରାଧୀଙ୍କ ଡାଟାବେସ୍ ସହ ନାଗରିକଙ୍କୁ ଅନଲାଇନରେ ପୁଲିସ ସେବା ପ୍ରଦାନକୁ ତ୍ୱରାନ୍ୱିତ କରାଯାଉଛି । ଏହି ସିସିଟିଏନଏସ୍  ପ୍ରୋଜେକ୍ଟ ଅନ୍ତର୍ଗତ ସବୁ ପୁଲିସ ପ୍ରତିଷ୍ଠାନକୁ ଏକ ‘ଡେଡିକେଟେଡ୍ ଲିଜଡ୍ ଲାଇନ’ ମାଧ୍ୟମରେ ସଂଯୋଗ କରାଯାଇଛି । ୨୦୨୩ ଜାନୁୟାରୀ ମାସରେ ବିଧିବଦ୍ଧ ଟେଣ୍ଡର ପ୍ରକ୍ରିୟାରେ ଏୟାରଟେଲ କମ୍ପାନୀ ଚୟନିତ ହେବାପରେ ତ୍ରୈମାସିକ ୪୬ଲକ୍ଷ ଟଙ୍କାରେ ଏହି ସେବା(ବ୍ୟାଣ୍ଡୱିଥ ୪ଏମବିପିଏସରୁ ୧୨ଏମବିପିଏସ) ୨୦୨୬ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଯୋଗାଇ ଦେବାକୁ ଚୁକ୍ତିବଦ୍ଧ ହୋଇଛି । କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ଓ କ୍ରିମିନାଲ ଜଷ୍ଟିସ ସିଷ୍ଟମର ଗାଇଡଲାଇନ(୨୦୨୪ ଫେବୃୟାରୀ ୧୫ରେ ଜାରି)ର ଆଳ ଦେଖାଇ ରାଜ୍ୟ କ୍ରାଇମ ରେକର୍ଡ ବ୍ୟୁରୋ ନିର୍ଦ୍ଦେଶିକା ଶ୍ରୀମତୀ ବାଲା ବିନା ଟେଣ୍ଡର ଓ ବଜାର ଦରକୁ ଅନୁଧ୍ୟାନ ନକରି ଏହି ବ୍ୟାଣ୍ଡୱିଥକୁ ୧୦୦ରୁ ୧୫୦ ଏମବିପିଏସକୁ ବୃଦ୍ଧି(୭.୮୪କୋଟି ଟଙ୍କାର କାର୍ଯ୍ୟାଦେଶ) ନିମନ୍ତେ ଏୟାରଟେଲ୍ କମ୍ପାନୀକୁ ଅନୁମତି ପତ୍ର ଜାରି କରିଥିବା ଜଣାପଡ଼ିଛି । ଏପରିକି ଏହି ସିସିଟିଏନଏସ୍ ନିମନ୍ତେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ମୋଟ ୨.୭୫ କୋଟି ଟଙ୍କା ଥିବାବେଳେ ବାକି ୯ମାସ (ଚଳିତ ଜୁଲାଇରୁ ୨୦୨୬ ମାର୍ଚ୍ଚ) ପାଇଁ ୫କୋଟି ୫୫ଲକ୍ଷ ୧୮ହଜାର ୪୯୮ଟଙ୍କା ଦେବା ନିମନ୍ତେ ପୁଲିସ ଡିଜିଙ୍କ ଅନୁମତି ଲୋଡ଼ିଥିଲେ । ଯଦିଓ ଏତେପରିମାଣର ଆର୍ଥିକ ଦେଣନେଣ ପାଇଁ ଅନୁମତି ଦେବା କ୍ଷମତା ପୁଲିସ ଡିଜିଙ୍କର ନାହିଁ ଓ ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ । ତଥାପି ଏହି ଅନୁମତି ମିଳିବା ପୂର୍ବରୁ ଏୟାରଟେଲ୍ କମ୍ପାନୀକୁ ଆବଶ୍ୟକ ଅପଗ୍ରେଡେସନ୍ କାର୍ଯ୍ୟ ଆରମ୍ଭ ନିମନ୍ତେ ଶ୍ରୀମତୀ ବାଲା କାହା ନିର୍ଦ୍ଦେଶରେ ଅନୁମତି ଦେଇଛନ୍ତି ତାହା ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅବଶ୍ୟ ଏହି ଅପଗ୍ରେଡେସନ୍ ନିମନ୍ତେ ନୂଆ ଟେଣ୍ଡର କରାଗଲେ ସେହି ଟେଣ୍ଡର ପ୍ରକ୍ରିୟା ଓ ଇନଷ୍ଟେଲେସନ୍ ଆଦି କାର୍ଯ୍ୟ ସରିବାକୁ ଅତିକମରେ ୬ମାସ ସମୟ ଲାଗିବ, ଯାହା ସରୁସରୁ ୨୦୨୫ ନଭେମ୍ବର ମାସ ହୋଇଯିବ ଏବଂ ଏହା ସମ୍ଭବ ନୁହେଁ ବୋଲି ଶ୍ରୀମତୀ ବାଲା ତାଙ୍କ ନୋଟସିଟରେ ଉଲ୍ଲେଖ କରିଛନ୍ତି ।

ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି,ଏବେ ଚଲେଇବେ ହୋଟେଲ କହି ବିଜେଡି କୁ କଟାକ୍ଷ କରିଲେ ବରିଷ୍ଠ ନେତା ଜୟ ନାରାୟଣ ମିଶ୍ର …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ପାର୍ଟି ଦୋକାନ ବନ୍ଦ ହୋଇଗଲା। ଏବେ ହୋଟେଲ ଚଲେଇବେ, ଆଉ କ’ଣ କରିବେ। ଏଡେ ବଡ଼ ପ୍ରୋପ୍ରର୍ଟିକୁ କୌଣସି କାମରେ ତ ଲଗାଇବେ। ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି। ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ। ଯଦି ଭଲ ଖାଦ୍ୟ ଦେଉଥିବେ ତା’ହେଲେ ଖାଇଯିବା ବୋଲି କହିଛନ୍ତି ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

ସାହୁ ଭାଉଜ ଓ ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା ଙ୍କୁ ମନା ଖଣ୍ଡଗିରି ଯାତ୍ରା ମଞ୍ଚ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଖଣ୍ଡଗିରି ଯାତ୍ରା ମଞ୍ଚରେ ହେବନି ଅଶ୍ଳୀଳ ନୃତ୍ୟ। ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା। ଆଜି ପୁଲିସ ପ୍ରଶାସନ ଓ ଯାତ୍ରା କମିଟି ବୈଠକରେ ହୋଇଛି ଏଭଳି ନିଷ୍ପତ୍ତି। ତେବେ ସମୟ କହିବ ଏହି ନିଷ୍ପତ୍ତିକୁ ଯାତ୍ରା ଅନୁଷ୍ଠାନ ମାନିବ ନା ପ୍ରତି ଥର ପରି ଏଥର ହେବ ନଙ୍ଗଳା ନୃଶ୍ୟ। ମାଘ ସପ୍ତମୀରୁ ଆରମ୍ଭ ହେବାକୁ ଯାଉଛି ଯାତ୍ରା ମହାକୁମ୍ଭ। ରଙ୍ଗୀନ ଆଲୋକ ମାଳାରେ ଝଲସିବ ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ପାଦଦେଶ। ଆଉ ଖଳନାୟକଙ୍କ ଗୁରୁଗମ୍ଭୀର ଡାଇଲଗରେ ପ୍ରକମ୍ପିତ ହେବ ପରିବେଶ। ହେଲେ ଗତ କିଛି ବର୍ଷ ହେଲା ଅଶ୍ଲୀଳ ନୃତ୍ୟକୁ ନେଇ ବଦନାମ ହୋଇଛି ଯାତ୍ରା ମହାକୁମ୍ଭ ଓ ଯାତ୍ରା। ସରକାରଙ୍କ ବାରମ୍ୱାର ତାଗିଦ୍‌ ସତ୍ତ୍ୱେ ଝାଇଁମରା ଡ୍ୟାନ୍ସ ହେଉଛି। ଯାହାକୁ ନେଇ ଯାତ୍ରା ପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ତେବେ ଏଥର କଠୋର ହୋଇଛନ୍ତି ସରକାର। ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ। ସେମାନଙ୍କୁ ଏଥର ମଞ୍ଚରେ ଡ୍ୟାନ୍ସ କରିବାକୁ ସୁଯୋଗ ଦିଆଯିବ ନାହିଁ। ଶୃଙ୍ଖଳିତ ଯାତ୍ରା ପାଇଁ ସ୍ୱେଚ୍ଛାସେବୀ ନିୟୋଜିତ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ୧୨ଟି ଯାତ୍ରା ପାର୍ଟିଭାଗ ନେବେ।