ଆରମ୍ଭ ହେଲା ମକ ଭୋଟିଂ , ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟର ସଚେତନତା ଅଭିଯାନର ଶୁଭାରମ୍ଭ

ଏଥର ସମ୍ଭାଳ ବ୍ୟୁରୋ (ପଦ୍ମପୁର) – ଆଉ ମାସ କେଇଟା ପରେ ପୂରା ଦେଶରେ ହେବ ସାଧାରଣ ନିର୍ବାଚନ । ଏଥିପାଇଁ ରାଜ୍ୟ ମୁଖ୍ୟ ନିବାର୍ଚନୀ ଅଧିକାରୀ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଖାସକରି ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ଭିଭିପାଟର ବ୍ୟବହାର କରାଯିବ । ପୂର୍ବରୁ ଭୋଟର ମାନେ କେବଳ ଇଭିଏମରେ ଭୋଟ ଦେଇଥିବା ବେଳେ ଚଳିତ ଥର ନିର୍ବାଚନରେ ଉଭୟ ଇଭିଏମ ଓ ଭିଭିପାଟର ବ୍ୟବହାର ଦେଖିବାକୁ ମିଳିବ । ତେଣୁ ଇସିଙ୍କ ପକ୍ଷରୁ ଇଭିଏମ ଓ ଭିଭିପାଟର ବ୍ୟବହାର ନେଇ ଭୋଟରଙ୍କୁ ସଚେତନତା ଅଭିଯାନର ଶୁଭାରମ୍ଭ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଇଭିଏମ ଓ ଭିଭିପାଟର ବ୍ୟବହାର ସର୍ମ୍ପକରେ ଭୋଟର ମାନଙ୍କୁ ସଚେତନ କରିବାକୁ ଅଭିଯାନ ଆରମ୍ଭ  କରାଯାଇଛି । ଯେହେତୁ ଚଳିତ ନିର୍ବାଚନରେ ଭିଭିପାଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ତେଣୁ ସେ ସର୍ମ୍ପକରେ ଭୋଟର ମାନଙ୍କୁ ଆଗୁଆ ସଚେତନ କରୁଛି ନିର୍ବାଚନ ଆୟୋଗ । ଭିଭିପାଟର ବ୍ୟବହାର ଦ୍ୱାରା ଇଭିଏମ ଟ୍ୟାମ୍ପରି ନେଇ ଯେଉଁ ଅଭିଯୋଗ ଆସୁଥିଲା ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡିବ ।କାରଣ ଭିଭିପାଟ ଜ୍ଞାନକୌଶଳର ବ୍ୟବହାର ଦ୍ୱାରା ଭୋଟର ଜାଣିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଭୋଟ ଦେବାର ୭ ସେକେଣ୍ଡ ପର୍ଯ୍ୟନ୍ତ ଭିଭିପାଟ ମେସିନର ସ୍କ୍ରିନରେ ଭୋଟର ଦେଖିପାରିବେ ସେ କାହାକୁ ଭୋଟ ଦେଇଛନ୍ତି । ଏପରିକି ଭୋଟ ଦେଇ ସାରିବା ପରେ ଏକ ସ୍ଲିପ ବାହାରିବ ଯେଉଁଥିରେ ଭୋଟର କାହାକୁ ଭୋଟ ଦେଇଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ ରହିବ । ଯାହାକୁ ଭୋଟ ଗଣତି ସମୟରେ ମଧ୍ୟ ବ୍ୟବହାର କରାଯାଇପାରିବ । ଫେବୃୟାରୀ ୧୦ ତାରିଖ ପର୍ଯ୍ୟନ୍ତ ଏହି ସଚେତନତା ରଥ ପ୍ରତ୍ୟେକ ଗାଁ ବୁଲିବ । ପ୍ରତ୍ୟେକ ଗାଡି ପାଇଁ ୨ ଜଣ ପ୍ରଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି । ଯେଉଁମାନେ ପ୍ରତ୍ୟେକ ଗାଁରେ ୧୦୦ରୁ ୧୨୦ଟି ଭୋଟିଂ କରି ପୂରା ଭୋଟଗ୍ରହଣର ଡେମୋ ଦେଖାଇବେ । ଏହି କ୍ରମରେ ଆଜି ଉପଜିଲ୍ଲାପାଳ ଶ୍ରୀ ଦୌଳତ ଚନ୍ଦ୍ରକାର ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଂଚଳ ପରିଦର୍ଶନ କରି ତଦାରଖ କରିଥିଲେ। 

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଲେ ; ପିପିଲି ର ଗଣଦୁଷ୍କର୍ମ ପୀଡିତା ବେବିନା ଙ୍କ ପରିବାର ସହ । ପିପିଲି ପୀଡିତାର ବାପା ବାବୁଲି ବେହେରାକୁ କେହି ବଂଚାଇ ପାରିବେ ନାହିଁ ବୋଲି ଧମକ ଦେଲେ ବିଜେଡି ଗୁଣ୍ଡା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଗଣବଳକ୍ରାର ପରେ ମୃତ୍ୟୁବରଣ କରିଥିବା ପିପିଲିର ଦଳିତ ଝିଅ ବେବିନାର ବାପା, ମା ଓ ଭାଇଙ୍କୁ ସାକ୍ଷାତ ପରେ ଘଟଣାର ସିବିଆଇ ତଦନ୍ତ ଓ ପରିବାରକୁ ସୁରକ୍ଷା ପାଇଁ ଗଣମାଧ୍ୟମ ଆଗରେ ଭାବାବେଗପୂର୍ଣ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଶ୍ରୀ ପ୍ରଧାନ ପିପିଲିର ଅର୍ଜୁନଗଦା ଗାଁକୁ ଯାଇ ପୀଡିତା ପରିବାରଙ୍କୁ ଭେଟି ଫେରିବା ପରେ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଦୟାନଦୀ ବନ୍ଧ ଉପରେ ଶାସକ ବିଜେଡି ଦଳର ଗୁଣ୍ଡାମାନେ ବାବୁଲି ବେହେରା ପରିବାରକୁ କେହି ବଂଚାଇ ପାରିବେ ନାହିଁ ବୋଲି କହି ସାର୍ବଜନୀନ ଭାବେ ପୋଲିସର ଉପସ୍ଥିତରେ ଧମକ ଦେଇଛନ୍ତି ।

ଗତକାଲି ପ୍ରଧାନମନ୍ତ୍ରୀ ବାରିପଦାର ସାଧାରଣ ସଭାରେ ବେବିନା ପ୍ରସଙ୍ଗ ଉଠାଇବା ପରେ ସେ ପ୍ରଧାନମନ୍ତ୍ରୀଙ୍କ ବାର୍ତା ନେଇ ଏହି ପୀଡିତା ପରିବାରକୁ ସାକ୍ଷାତ କରିବାକୁ ଯାଇଥିଲେ । ମାର କୋହ, ବାପା ଓ ଭାଇଙ୍କ ଦୁଃଖ ଭରା କଥାକୁ ଶୁଣି ସେ ମର୍ମାହତ ବୋଲି କହିଛନ୍ତି ।

ଶ୍ରୀ ପ୍ରଧାନ କହିଛନ୍ତି ସମ୍ପୂର୍ଣ ପରିବାର ଓଡିଶାର ପୋଲିସ ବ୍ୟବସ୍ଥା ଉପରେ ଭରଷା ହରାଇଛି । ସିବିଆଇ ତଦନ୍ତ ଦାବି ବେବିନାର ମା କରୁଛନ୍ତି । ବେବିନାର ଭାଇ ସେଦିନର ଦୁର୍ଘଟଣା ପରେ ରକ୍ତ ଜୁଡୁବୁଡୁ ପୋଷାକକୁ କ୍ରାଇମବ୍ରାଂଚକୁ ତଦନ୍ତ ପାଇଁ ଦେଇଥିଲେ ମଧ୍ୟ ତଦନ୍ତ ପାଇଁ ସେ ନେଇନଥିବାର ଅଭିଯୋଗ କରିଛନ୍ତି । ଏହି ପୋଷାକକୁ ତଦନ୍ତ କମିଶନଙ୍କ ପାଖରେ ଦେଇଥିବା ବେବିନାର ଭାଇ ପ୍ରକାଶ କରିଛନ୍ତି । ସରକାରୀ ଓକିଲ କ୍ରାଇମବ୍ରାଂଚର କଥାକୁ ନ ମାନିଲେ ତାଙ୍କ ପାଇଁ ସମସ୍ୟା ହେବ ବୋଲି କହିଥିବା କଥା ତାଙ୍କ ଆଗରେ ପ୍ରକାଶ କରିଥିବାର ସେ କହିଛନ୍ତି ।

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଓଡିଶାର କ୍ରାଇମବ୍ରାଂଚ ଶାସକ ଦଳର ନେତାଙ୍କୁ ଘଂଟ ଘୋଡାଇବାର ନୂଆ ବ୍ୟବସ୍ଥା । ତଦନ୍ତକାରୀ ସଂସ୍ଥା ଓଡିଶା ପୋଲିସ ରକ୍ଷକ ବଦଳରେ ଭକ୍ଷକ ସାଜିଛି । ଓଡିଶା ପୋଲିସ ସମ୍ବେଦନଶୀଳ ହେଉନାହିଁ । ଏହି ଘଟଣାରେ ସେ ଡିଜି, ଆଇଜି, ଏସପିଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲେ ମଧ୍ୟ ଏଯାଏଁ ଯୋଗାଯୋଗ ହୋଇପାରୁନଥିବା କଥା କହିବା ସହ ପ୍ରସଙ୍ଗକୁ ସେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କୁ ସେ ଆକୁଳ ନିବେଦନ କରୁଛନ୍ତି ବୋଲି କହି ରାଜ୍ୟରେ ଏହି ଦଳିତ ଗରିବ ପରିବାରକୁ ସୁରକ୍ଷା ଯୋଗାଇ ଦେବାସହ ନିଜ ଆଡୁ ଘଟଣାର ତଦନ୍ତଭାର ସିବିଆଇ ଦେଇଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚଂଚକତା କରିବାରେ ପ୍ରବୀଣ ନେତୃତ୍ୱ ବୋଲି ସେ କହିଛନ୍ତି ।

ପ୍ରଦୀପ ମହାରଥୀଙ୍କ ଇସ୍ତଫା ସମ୍ପର୍କରେ ମନ୍ତବ୍ୟ ରଖି  ଶ୍ରୀ ପ୍ରଧାନ କହିଛନ୍ତି ଯେ, ଯେଉଁମାନେ ବିଗତ ଦିନରେ ମନ୍ତ୍ରୀମଣ୍ଡଳରୁ ଚିଟଫଣ୍ଡ, ଛତୁଆ, ଡାଲି, ବ୍ଲାକରୋଜ ଓ ଅନ୍ୟାନ୍ୟ କେଳାଙ୍କାରୀ କାରଣରୁ ଇସ୍ତଫା ଦେଇଛନ୍ତି ସେମାନେ ଏବେ ସରକାରଙ୍କର ମୁଖ୍ୟ କାର୍ପଟଦାର ସାଜିଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ତିନି ସେଲିବ୍ରିଟି ଭଉଣୀ ସମେତ ସମୁଦାୟ ୬ ଭଉଣୀଙ୍କ ହାତରୁ ରାଖୀ ବାନ୍ଧିବାକୁ ଉଚ୍ଛନ ହେଲେଣି ଏହି ବଲିଉଡ୍‌ ଅଭିନେତା

ମୁମ୍ବାଇ: ଶୀର୍ଷକଟି ପଢ଼ି ଆପଣ ଦ୍ୱନ୍ଦ୍ୱରେ ପଡ଼ିଯିବେଣି ନିଶ୍ଚୟ। ଏମିତି କିଏ ବଲିଉଡ୍‌ ଅଭିନେତା ଅଛି ଯାହାଙ୍କର ତିନି ଜଣ ସେଲିବ୍ରିଟି ଭଉଣୀଙ୍କ ସମେତ ସମୁଦାୟ ୬ ଉଭୁଣୀ ଅଛନ୍ତି। ସେ ଅଭିନେତା ଜଣକ ଅର୍ଜୁନ କପୁରଙ୍କ ବ୍ୟତୀତ ଆଉ କିଏ ହୋଇପାରେ! ତାଙ୍କର ନିଜ ଭଉଣୀ ଅନ୍‌ସୁଲା, ସାବତ ଉଭଣୀ ଜାହ୍ନବୀ ଓ ଖୁସି ଏବଂ କାକା ଅନୀଲ କପୁରଙ୍କ ତନୟା ସୋନମ କପୁର୍‌ ଓ ରେହା କପୁରଙ୍କ ବ୍ୟତୀତ ସଞ୍ଜୟ କପୁରଙ୍କ ଝିଅ ସନୟା୍‌ଙ୍କୁ ମିଶାଇଲେ ସମୁଦାୟ ୬ ଭଉଣୀ। ଜଣାପଡ଼ିଲାଣି ଅର୍ଜୁନ ରାଖୀ ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇଗଲେଣି। କାହିଁକି ନା, ରାଖୀ ପୂର୍ବରୁ ହିଁ ସେ ନିଜର ଭଉଣୀମାନଙ୍କ ସହ ଫଟୋ ସୋସିଆଲ୍‌ ମିଡିଆରେ ସେୟାର୍‌ କରିଲେଣି। ଅର୍ଜୁନ କପୁରଙ୍କର ତାଙ୍କ ଭଉଣୀମାନଙ୍କ ସହ ସବୁବେଳେ ଉତ୍ତମ ସଂପର୍କରେ ଥିବା ଗଣମାଧ୍ୟମ ଓ ସୋସିଆଲ୍‌ ମିଡିଆରେ ଦେଖିବାକୁ ମିଳିଛି। ଅନେକ ସମୟରେ ନିଜ ଭଉଣୀମାନଙ୍କୁ ସୁରକ୍ଷା ଦେବାକୁ ଯାଇ ଚର୍ଚ୍ଚାରେ ରହିଛନ୍ତି ଏହି ଅଭିନେତା।

ରୁଜୁ ହେଉନି ଦୁଷ୍କର୍ମ ମାମଲା, ଅଭିଯୋଗକାରୀଙ୍କୁ କରାଯାଉଛି ଦୁର୍ବ୍ୟବହାର : ଏମିତି ଚାଲିଛି ରାଜଧାନୀର ମହିଳା ଥାନା !

 

ଏଥର ସମ୍ଭାଳ ବ୍ୟୁରୋ : ଗୋଟିଏ ପଟେ ରାଜ୍ୟ ସରକାର କହୁଛନ୍ତି, ମହିଳାଙ୍କୁ ସୁରକ୍ଷା ଦିଅ। ମହିଳା ସଂକ୍ରାନ୍ତୀୟ ମାମଲା ତୁରନ୍ତ ରୁଜୁ କରି ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କର। କିନ୍ତୁ ରାଜଧାନୀର ମହିଳା ଥାନା ଚିତ୍ର ଏବେ କିଛି ଅଲଗା ବୟାନ କରୁଛି। ସ୍ୱତନ୍ତ୍ର ଭାବେ ମହିଳାଙ୍କ ଅଭିଯୋଗ ଶୁଣିବା ପାଇଁ ଥିବା ଏହି ମହିଳା ଥାନା ଏବେ ମହିଳାଙ୍କ ଅଭିଯୋଗ ଶୁଣିବାକୁ ନାରାଜ। ଏପରିକି ଦୁଷ୍କର୍ମ ଓ ଅସଦାଚରଣ ମାମଲା ନେବାକୁ ସିଧାସିଧା ମନା କରି ଦିଆଯାଉଛି। ଥାନାକୁ ଯାଉଥିବା ଅଭିଯୋଗକାରୀଙ୍କୁ ଥାନା ମୁହଁରୁ ଦୁରଦୁର ମାରମାର କହି ବିଦା କରି ଦେଉଛନ୍ତି। ନଚେତ ଥାନାରେ ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ଆପୋସ ସମାଧାନ କରାଇ ଦେଉଛନ୍ତି।

ଏବେ ମହିଳା ଥାନା ଉପରୁ ରାଜଧାନୀବାସୀଙ୍କ ଆସ୍ଥା ତୁଟି ଗଲାଣି। ଶେଷରେ ବାଧ୍ୟ ହୋଇ ଅନ୍ୟ ଥାନାରେ ଅଭିଯୋଗ କରୁଛନ୍ତି। ଶୁକ୍ରବାର ମଞ୍ଚେଶ୍ୱର ଓ ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇଟି ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ମହିଳା ଥାନାର ଅସଲ ଚିତ୍ର ପଦାକୁ ଆସିଛି। ରାଜ୍ୟରେ ଦିନକୁ ଦିନ ଦୁଷ୍କର୍ମ ମାମଲା ବଢ଼ି ବଢ଼ି ଚାଲିଛି। ବିଶେଷ କରି ରାଜଧାନୀରେ ଏଭଳି ଅଭିଯୋଗର ସଂଖ୍ୟା ଅଧିକ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୨୦୦୧ରେ ସ୍ୱତନ୍ତ୍ର ଭାବେ ମହିଳା ଥାନା ପ୍ରତିଷ୍ଠା କରିଥିଲେ। ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଥିଲେ। ସେହି ଦିନଠାରୁ ମହିଳାଙ୍କ ସମ୍ପର୍କିତ ସମସ୍ତ ମାମଲା, ଦୁଷ୍କର୍ମ, ଅସଦାଚରଣ ଭଳି ଅଭିଯୋଗ ମହିଳା ଥାନାରେ ରୁଜୁ ହେଲା।

ବ୍ୟାଙ୍କରୁ ୩୬ଶହ ଟଙ୍କା ଅଧିକା ବାହାରିଲା ! ଅଧିକ ଟଙ୍କା ବାହାରିବାରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଭେଟିଲେ ଓ ଟଙ୍କା ଫେରାଇଲେ ଯୁବକ !

ଏଥର ସମ୍ଭାଳ ବ୍ୟୁରୋ : ଏବେବି ମାନବିକତା ବଚିଂଛି । ଲେକାମାନଙ୍କ ପାଖରେ ଏବେବି ସ୍ୱାଭିମାନ ବଞ୍ଚିରହିଥିବା ଦେଖାଯାଉଛି । ତେବେ ବାଉଳା ହୋଇଗଲା ଏଟିଏମ୍ କିନ୍ତୁ ବାଉଳା ହେଲେ ନାହିଁ ଯୁବକ। ୨୫୦୦ ଟଙ୍କା ଉଠାଇଲା ବେଳକୁ ବାହାରିଲା ୬୧୦୦ ଟଙ୍କା। ତେବେ ଏହି ଅଧିକା ଟଙ୍କାକୁ ଚୁପଚାପ ନିଜ ପକେଟରେ ରଖି ଘରକୁ ଯିବା ବଦଳରେ ଜଣେ ଯୁବକ ସିଧା ବ୍ୟାଙ୍କକୁ ଯିବା ଓ ଅଧିକ ଉଠିଥିବା ଟଙ୍କା ଫେରାଇବା ବଲାଙ୍ଗୀର ସହରରେ ଚର୍ଚ୍ଚାର ବିଷୟ ହୋଇଛି। ବଲାଙ୍ଗୀର ସିଭିଲ କୋର୍ଟରେ କାମ କରୁଥିବା ସମୀର ରଂଜନ ପ୍ରଧାନ ଗତ ୧୪ ତାରିଖରେ ମୁଖ୍ୟ ଡାକ୍ତରଖାନା ନିକଟରେ ଥିବା ସିଣ୍ଡିକେଟ ବ୍ୟାଙ୍କର ଏଟିଏମରୁ ୨୫ଶହ ଟଙ୍କା ଉଠାଇଥିଲେ। କିନ୍ତୁ ଏଟିଏମରୁ ବାହାରିଲା ୬ହଜାର ଶହେ ଟଙ୍କା। ୩୬ ଶହ ଟଙ୍କା ଅଧିକ! ତେବେ ଶ୍ରୀ ପ୍ରଧାନ ବଳକା ଟଙ୍କା ନେଇ ପହଞ୍ଚିଥିଲେ ସିଣ୍ଡିକେଟ ବ୍ୟାଙ୍କରେ। ଏଟିଏମରୁ ଟଙ୍କା ଉଠାଇବା ବେଳେ ଅଧିକ ୩୬ଶହ ଟଙ୍କା ବାହାରିଥିବା ସୂଚନା ଦେବା ପରେ ବ୍ୟାଙ୍କ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଥିଲେ। ଖୋଦ୍ ବ୍ୟାଙ୍କର ପରିଚାଳକ ଆସି ତାଙ୍କୁ ଭେଟିଥିଲେ। ତେବେ ଏହି ଘଟଣାପରେ ବ୍ୟାଙ୍କ କର୍ମଚାରୀମାନେ ଯୁବକ ଜଣଙ୍କୁ ପ୍ରଶଂସା କରିଛନ୍ତି । ଅନେକ ସମୟରେ ଏପରି ଭାବରେ ଭୁଲରେ ଏଟିଏମରୁ ଅଧିକ ଟଙ୍କା ବାହାରି ଆସେ କିନ୍ତୁ କେହି ପେରି ଭାବରେ ଟଙ୍କା ଫେରାଇବାରେ ଦେଖାଯାଇନାହିଁ । କିନ୍ତୁ ଏହି ଯୁବକ ନିଜ ସ୍ୱାଭିମାନ ଓ ବିବେକ ଦୃଷ୍ଟିରୁ ଟଙ୍କା ଫେରାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ବ୍ୟାଙ୍କ କର୍ତୃପକ୍ଷ । 

” ଧସିଲା ରଘୁବାରି ଘାଟି ” ୪୦ ଖଣ୍ଡ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ : ରାୟଗଡ଼ା

ବ୍ୟୁରୋ ରିପୋର୍ଟ  : ରାୟଗଡ଼ା : ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ରଘୁବାରି ଘାଟି ଧସିଯାଇଛି। ଘାଟି ଧସି ଯବାରୁ ରଘୁବାରି ଓ ଡିମିରିଗୁଡ଼ା ଅଞ୍ଚଳର ପ୍ରାୟ ୪୦ ଖଣ୍ଡ ଗାଁର ପାଞ୍ଚ ହଜାରରୁ ଅଧିକ ଲୋକ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଛନ୍ତି। ରଘୁବାରିରୁ ପାତରପଡ଼ା, ହରିପୁର ଓ ଡିମିରିଗୁଡ଼ା ରାସ୍ତା ଧସି ହୋଇ ଯାଇଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଅମ୍ବାଦଳାକୁ ଯାଇଥିବା ଲୋକେ ନିଜ ଗାଁକୁ ଫେରି ପାରୁ ନାହାନ୍ତି। ମୁନିଗୁଡ଼ା କିମ୍ବା ଅନ୍ୟ କୌଣସି ସ୍ଥାନକୁ ମଧ୍ୟ ଲୋକେ ଜରୁରୀ କାମରେ ଯାଇ ପାରୁ ନ ଥିବା ଜଣାପଡ଼ିଛି।

ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ପ୍ରତ୍ୟାହୃତ

ଭୁବନେଶ୍ୱର: ଶିକ୍ଷା ସହାୟକମାନେ ଚଳାଇଥିବା କାର୍ଯ୍ୟବନ୍ଦ ଆନ୍ଦୋଳନ ଆଜି ପ୍ରତାହାର କରି ନେଇଛନ୍ତି। ଶିକ୍ଷାସହାୟକ ସଂଘର ୭ଟି ଦାବି ମଧ୍ୟରୁ ରାଜ୍ୟ ସରକାର ୪ଟି ଦାବି ମାନି ନେଇ ଥିବାରୁ ଶିକ୍ଷାସହାୟକ ସଂଘ ସେମାନଙ୍କ ଆନ୍ଦୋଳନ ପ୍ରତ୍ୟାହାର କରି ନେଇଛନ୍ତି। ଆସନ୍ତାକାଲି ଠାରୁ ୭୦ ହଜାର ଶିକ୍ଷା ସହାୟକ କାର୍ଯ୍ୟରେ ଯୋଗ ଦେବେ।

ନବନିର୍ମାଣ କୃଷକ ସଂଗଠନର ଧାରଣା ତୃତୀୟ ଦିନରେ : ୧୬ରୁ ରାଜ୍ୟବ୍ୟାପୀ ଆନ୍ଦୋଳନ

ଭୁବନେଶ୍ୱର : ଚାଷୀଙ୍କୁ ସମ୍ମାନ, ଚାଷୀ ଉତ୍ପାଦିତ ଦ୍ରବ୍ୟର ଉଚିତ ମୂଲ୍ୟ ଓ ପେନସନ୍‌ ଦାବି ନେଇ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଅନଶନ ଓ ସତ୍ୟାଗ୍ରହ ଆଜି ତୃତୀୟ ଦିନରେ ପହଞ୍ଚିଛି। ତୃତୀୟ ଦିନରେ ମଧ୍ୟ ଦୁଇ ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହାକୁ ସମର୍ଥନ ଜଣାଇ ଆଜି ମଧ୍ୟ କଂଗ୍ରେସ ନେତୃବୃନ୍ଦ ଧାରଣାସ୍ଥଳରେ ପହଞ୍ଚିଥିଲେ।

ଅପରପକ୍ଷରେ ଭାପୁର ଅଞ୍ଚଳର ରମେଶ ଚନ୍ଦ୍ର ବାରିକ ଅସୁସ୍ଥ ହେବା କାରଣରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଆସନ୍ତା ୧୬ତାରିଖରୁ ସମସ୍ତ ଜିଲ୍ଲାର ସଦର ମହକୁମାରେ ଆନ୍ଦୋଳନ କରିବାକୁ ସଂଗଠନ ନିଷ୍ପତ୍ତି ନେଇଛି।

ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ଆଜି ମଧ୍ୟ ଧାରଣାସ୍ଥଳରେ ଆନ୍ଦୋଳନ ଜାରି ରହିଛି। ଗତକାଲି ଭଳି ଆଜି ୨ଶହରୁ ଅଧିକ ଚାଷୀ ଅନଶନରେ ସାମିଲ ହୋଇଥିଲେ। ଏହି ଅବସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଗଠନର ଦାବି ଉପସ୍ଥାପନ କରି ଅକ୍ଷୟ କୁମାର କହିଲେ ଯେ ଦେଶ ତଥା ରାଜ୍ୟରେ ଚାଷୀମାନେ ଆଜି ଅବହେଳିତ। ରାଜ୍ୟରେ ଚାଷୀମାନେ ଆତ୍ମହତ୍ୟା କରୁଥିଲେ ହେଁ ରାଜ୍ୟ ସରକାର ଏହାକୁ ସ୍ୱୀକାର କରୁ ନାହାନ୍ତି। ଚାଷୀ ଆତ୍ମହତ୍ୟାର ସମାଧାନ କରିବା ପାଇଁ ପ୍ରତ୍ୟେକ ୨୦ବର୍ଷ ବୟସରୁ ଅଧିକ ଚାଷୀଙ୍କୁ ମାସିକ ୫ହଜାର ଟଙ୍କା ସୁରକ୍ଷା ଭତ୍ତା ପ୍ରଦାନ କରାଯାଉ। ୩୬ଲକ୍ଷ ଚାଷୀ ପରିବାରଙ୍କ ପାଇଁ ବଜେଟ୍‌ରେ ସରକାର ୨୧ହଜାର ୬ଶହ କୋଟି ଟଙ୍କା ବ୍ୟୟ ବରାଦ କରନ୍ତୁ। ଯଦି ରାଜ୍ୟ ସରକାର ଚାଷୀଙ୍କ ସମସ୍ୟାର ସମାଧାନ ନ କରନ୍ତି ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସେ ଚେତାବନୀ ଦେଇଥିଲେ।

ଆଜି ବିଧାନସଭାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର, କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମା, ଚିରଞ୍ଜୀବୀ ବିଶ୍ୱାଳ, ପ୍ରକାଶ ବେହେରା, ଯୋଗେନ୍ଦ୍ର ସିଂ, ତାରା ପ୍ରସାଦ ବାହିନୀପତି ଓ ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା ପ୍ରମୁଖ ଅନଶନସ୍ଥଳରେ ପହଞ୍ଚି ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ। ସଂଗଠନ ପକ୍ଷରୁ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହ ସଂଯୋଜକ ଉମାକାନ୍ତ ଭାରତ, ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଦୁର୍ଗା ଚରଣ ସ୍ୱାଇଁ, ଦୁର୍ଗା ପ୍ରସାଦ ଦାସ, ରବୀନ୍ଦ୍ର ସାହୁ, ସୁରେନ୍ଦ୍ର ନାଥ ମହାରଣା, ମମତା ନାଥ, ମଧୁମିତା ସମାଲ, ମନଓ୍ଵର ଅଲ୍ଲୀ ପ୍ରମୁଖ ନେତୃତ୍ୱ ନେଇଥିଲେ।

ଟଙ୍କା ଅଜାଡ଼ି ଦେଲେ

ସହରାଞ୍ଚଳ ପାଇଁ ମାଳ ମାଳ ପ୍ରକଳ୍ପ
ଗାଁ ପାଣି ପାଇଁ ୧୦୦୦ କୋଟି

ଭୁବନେଶ୍ୱର : ପାଣି ସମସ୍ୟା ଦୂର କରିବା ସହିତ ସ୍ୱାସ୍ଥ୍ୟ ସେବାର ଉନ୍ନତି ପାଇଁ ରାଜ୍ୟ ସରକାର ଆଜି ଶହ ଶହ କୋଟି ଟଙ୍କାର ଯୋଜନା କରିଛନ୍ତି। ଗାଁରେ ପାଣି ପାଇଁ ୧୦୦୦ କୋଟି ବିନିଯୋଗ ହେବ। ସହରାଞ୍ଚଳ ବି ଅନୁରୂପ ଯୋଜନା ହୋଇଛି। ସେହିଭଳି ନିଦାନ ଓ ଡାଇଲେସିସ୍‌ ପାଇଁ ୫୯୬ କୋଟି ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ୫୫୦ କୋଟି ଟଙ୍କାର ଯୋଜନା ହୋଇଛି। ଆଜି କ୍ୟାବିନେଟ୍‌ ଏସବୁକୁ ଅନୁମୋଦନ ପ୍ରଦାନ କରିଛି।

ସରକାରଙ୍କ ପକ୍ଷରୁ କୁହାଯାଇଛି, ୨୦୧୮-୧୯ ସୁଦ୍ଧା ସହରାଞ୍ଚଳରେ ସାର୍ବଜନୀନ ଜଳଯୋଗାଣ ପାଇଁ ୧୮୦୩ କୋଟି ୮୯ଲକ୍ଷ ଟଙ୍କାର ଏକ ଯୋଜନା ହୋଇଛି। ଏଥିରେ ୫୪୫ଟି ନୂତନ ପ୍ରକଳ୍ପ ହାତକୁ ନିଆଯିବ, ଯେଉଁଥିପାଇଁ ୫୮୮ କୋଟି ୪ଲକ୍ଷ ଲକ୍ଷ୍ୟ ବ୍ୟୟ ହେବ। ୨୦୬ଟି ଚାଲୁ ରହିଥିବା ପ୍ରକଳ୍ପ ଲାଗି ୩୦୩ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। ପୁରୁଣା ୟୁଆଇଡିଏସ୍‌ଏସ୍‌ଏମ୍‌ଟି ଯୋଜନା ମାଧ୍ୟମରେ ଥିବା ଅସମ୍ପୂର୍ଣ୍ଣ ପ୍ରକଳ୍ପଗୁଡିକୁ ୧୬୦ କୋଟି ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ କରାଯିବ। ପାନୀୟ ଜଳର ଗୁଣାତ୍ମକମାନର ପରିକଳ୍ପନା, ପରୀକ୍ଷଣ ସୁବିଧା, ସ୍ୱୟଂଚାଳନା ପଦ୍ଧତି, ବିଦ୍ୟାଳୟ, ଅଙ୍ଗନବାଡି କେନ୍ଦ୍ରକୁ ଆବଶ୍ୟକ ପାନୀୟ ଜଳଯୋଗାଣ କ୍ଷେତ୍ରରେ ୫୦ କୋଟି ୭୯ ଲକ୍ଷ ଟଙ୍କାର ବ୍ୟୟ କରାଯିବ।

ସେହିଭଳି ଓୟୁଆଇଡିଏଫ୍‌ ଓ ରାଜ୍ୟ ଯୋଜନା ସହାୟତାରେ ବିଶାଳ ବ୍ରହ୍ମପୁର ସହରାଞ୍ଚଳ ପାଇଁ ଚାଲୁ ରହିଥିବା ବୃହତ୍‌ ଜଳଯୋଗାଣ ପ୍ରକଳ୍ପର ସମ୍ପୂର୍ଣ୍ଣ ନିମନ୍ତେ ଅମୃତ ଯୋଜନାରୁ ୧୩୦ କୋଟି ଟଙ୍କା ବ୍ୟୟ କରାଯିବ। ୧୪୧୪ କୋଟି ଟଙ୍କା ବିନିମୟରେ ଅମୃତ ଯୋଜନା ମାଧ୍ୟମରେ ୯ଟି ଅମୃତ ସହରାଞ୍ଚଳର ସାର୍ବଜନୀନ ଜଳଯୋଗାଣ ପରିସରଭୁକ୍ତୀକରଣ ପାଇଁ ୩୧୦ କୋଟିର ପ୍ରକଳ୍ପ ସମୂହକୁ ସରକାର ଅନ୍ତର୍ଭୁକ୍ତ କରିଛନ୍ତି। ବେଲପାହାଡ, ବ୍ରଜରାଜନଗର, ସୁନ୍ଦରଗଡ, ରାଜଗାଙ୍ଗପୁର ଓ ବୀରମିତ୍ରପୁର ସହରର ଯୋଗାଣ ନିମନ୍ତେ ୨୬୬ କୋଟି ୧୦ଲକ୍ଷ ଟଙ୍କା ଜିଲ୍ଲା ଖଣିଜ ପାଣ୍ଠିରୁ ଖର୍ଚ୍ଚ ହେବ। ଜଳ ପରିମାପକ ଯନ୍ତ୍ରୀକରଣ ବା ମିଟରିଂ ପାଇଁ ୩୪୫ କୋଟି ଟଙ୍କା ବିନିଯୋଗ ହେବ।

ଗ୍ରାମାଞ୍ଚଳରେ ନୂତନ ଜଳଉତ୍ସ ଖନନ, ନୂତନ ପାଇପ ଯୋଗେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ, ନିର୍ମାଣ କରାଯାଇଥିବା ପାଇପ ଜଳଯୋଗାଣ ପ୍ରକଳ୍ପର ଉନ୍ନତି ପାଇଁ ଆବଶ୍ୟକସ୍ଥଳେ ନୂତନ ଉଚ୍ଚ ପାଣି ଟାଙ୍କି ସ୍ଥାପନ ଲାଗି ସରକାର ପଦକ୍ଷେପ ନେବେ। ଗ୍ରାମାଞ୍ଚଳରେ ଦୈନିକ ମୁଣ୍ଡପିଛା ୭୦ଲିଟର ହିସାବରେ କିମ୍ବା ପରିବାରର ପରିସୀମାର ୫୦ ମିଟର ଦୂରତା ମଧ୍ୟରେ ସ୍ୱଚ୍ଛ ପାନୀୟ ଜଳ ଯୋଗାଣ କରାଯିବ। ୨୦୧୭-୧୮ ବର୍ଷରେ ଏଥିପାଇଁ ୬୦୦ କୋଟି ଟଙ୍କା ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଥିଲା। ୨୦୧୮-୧୯ ବର୍ଷ ରେ ଏ ବାବଦରେ ୧୦୦୦ କୋଟି ଟଙ୍କା ବିନିଯୋଗ କରାଯିବ।

ରାଜ୍ୟ ସରକାର ଗତ ଅକ୍ଟୋବର ୧୨ ତାରିଖରେ ଓଡ଼ିଶା ସାର୍ବଜନୀନ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଘୋଷଣା କରିଥିଲେ। ୨୦୧୮-୧୯ରୁ ୨୦୨୨-୨୩ ଏହି ୫ ବର୍ଷ ପାଇଁ ଯୋଜନା କାର୍ଯ୍ୟକାରୀ ହେବ। ୫୭ଟି ସ୍ଥାନରେ ୨୦ ଶଯ୍ୟା ବିଶିଷ୍ଟ ଓ୍ଵାର୍ଡ ସହ ଚକ୍ଷୁ ଓଟି ବା ଅସ୍ତ୍ରୋପଚାର ଗୃହ ସ୍ଥାପନ ହେବ। ପ୍ରତ୍ୟେକ ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଉତ୍କଷ୍ଟ କର୍ମଚାରୀ ଓ ଯନ୍ତ୍ରପାତି ବିଶିଷ୍ଟ ୩୭୭ଟି ଚକ୍ଷୁ କେନ୍ଦ୍ର ସ୍ଥାପନ ହେବ। ୩୦ଟି ଜିଲ୍ଲା ପାଇଁ ଭ୍ରାମ୍ୟମାଣ ଚକ୍ଷୁ ସେବା ଭ୍ୟାନ୍‌, ୭ଟି ମେଡିକାଲ କଲେଜର ଚକ୍ଷୁ ସେବା ବ୍ୟବସ୍ଥାର ଉନ୍ନତୀକରଣ, ୧୦ଲକ୍ଷ ମୋତିଆ ବିନ୍ଦୁ ଅସ୍ତ୍ରୋପଚାର, ୫ଲକ୍ଷ ଚଷମା ଶିକ୍ଷାର୍ଥୀଙ୍କୁ ବଣ୍ଟନ, ୨.୫ଲକ୍ଷ ପ୍ରେସ୍‌ ବାୟୋପିକ୍‌ ଚଷମା ବଣ୍ଟନ କରାଯିବ। ୩୦୦ ଜଣ ଆପଥାଲମିକ୍‌ ଆସିଷ୍ଟାଣ୍ଟଙ୍କୁ ପ୍ରଶିକ୍ଷଣ ଓ ନିୟୁକ୍ତି ଦିଆଯିବ। ୬୦ଜଣ ଚକ୍ଷୁ ଡାକ୍ତରଙ୍କୁ ନିୟୁକ୍ତି, ସମସ୍ତ ମଧୁମେହ ରୋଗୀଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରେ ଡାଇବେଟିସ୍‌ ରେଟିନୋପାଥି ପାଇଁ ନିରୀକ୍ଷଣ ଏବଂ ମେଡିକାଲ କଲେଜ ଓ ଜିଲ୍ଲାସ୍ତରୀୟ ହସ୍ପିଟାଲରେ ମାଗଣା ଚିକିତ୍ସା ବ୍ୟବସ୍ଥା ହେବ। ସମସ୍ତ ଗ୍ଲୁକୋମା ରୋଗୀଙ୍କୁ ମାଗଣା ଚିକିତ୍ସା, ୨୫୦ଟି ଜନ୍ମଜାତ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଏମ୍‌ସିଏଚ୍‌ ଗୁଡିକରେ କରାଇବା ଲାଗି ବ୍ୟବସ୍ଥା ହେବ। ୭ଟି ସରକାରୀ ମେଡିକାଲ କଲେଜ ଓ କ୍ୟାପିଟାଲ ହସ୍ପିଟାଲରେ ଅପ୍ଟୋମେଟ୍ରି ଡିପ୍ଲୋମା କୋର୍ସ ଓ ଅପଥାଲମିକ୍‌ ନର୍ସିଙ୍ଗ କୋର୍ସ ଆରମ୍ଭ କରାଯିବ। ଏଥିପାଇଁ ୬୮୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି।

ବିନା ଦେୟରେ ରୋଗ ନିରୂପଣ ସେବା ନିଦାନ ଓ ଡାଇଲେସିସ୍‌ ସେବା ସହାୟ ଯୋଜନା ପାଇଁ ୫୯୬ କୋଟି ୨୮ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ରୋଗ ନିରୂପଣ ପାଇଁ ୫୫୨ କୋଟି ୩୫ଲକ୍ଷ ଓ ଡାଇଲେସିସ୍‌ ପାଇଁ ୪୩ କୋଟି ୯୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି।

ରାଜ୍ୟ ସରକାର ୫୫୦ କୋଟି ୨୪ଲକ୍ଷ ଟଙ୍କା ବ୍ୟୟରେ ଜନସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆନୁଷଙ୍ଗିକ ସେବାର ସୁଦୃଢୀକରଣ ପାଇଁ ଏକ ନୂଆ ଯୋଜନା ହାତକୁ ନେଇଛନ୍ତି। ୫୫୦ କୋଟି ୨୪ ଲକ୍ଷ ଟଙ୍କା ଏ ବାବଦରେ ଖର୍ଚ୍ଚ ହେବ। ଏ ମଧ୍ୟରୁ ୧୨୩ କୋଟି ୮୮ଲକ୍ଷ ଟଙ୍କା ଜାତୀୟ ସ୍ୱାସ୍ଥ୍ୟ ମିସନରୁ ଓ ଅବଶିଷ୍ଟ ୪୨୬ କୋଟି ୩୬ଲକ୍ଷ ରାଜ୍ୟ ବଜେଟ୍‌ରୁ ଦିଆଯିବ। ଏହି ଯୋଜନା ମାଧ୍ୟମରେ ସରକାରୀ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ରୋଗୀ ଓ ସେମାନଙ୍କ ସହାୟକଙ୍କୁ ଉତ୍ତମ ପରିବେଶରେ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା, ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଂକ୍ରମଣ ହ୍ରାସ କରିବା, ରୋଗୀର ବିଶ୍ୱାସଭାଜନ ହେବା, କାୟାକଳ୍ପର ସୂଚକାଙ୍କରେ ମାନବୃଦ୍ଧି ପାଇଁ ଉନ୍ନତ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦିଆଯିବ। ଏହା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରସ୍ତରରୁ ଆରମ୍ଭ ହେବ। ଆଉଟସୋର୍ସିଂ ମାଧ୍ୟମରେ ବିଭିନ୍ନ ସେବା ୫ବର୍ଷ ପ୍ରଦାନ କରାଯିବ। ସନ୍ତୋଷଜନକ ହେଲେ ନବୀକରଣ ହେବ। ୩୧୪ ବ୍ଲକରେ ଏହି ଯୋଜନାକୁ ନିରୀକ୍ଷଣ ପାଇଁ ଏକ ରାଜ୍ୟସ୍ତରୀୟ ପୋଗ୍ରାମ୍‌ ମ୍ୟାନେଜମେଣ୍ଟ ୟୁନିଟ୍‌ ଗଠନ କରାଯିବ। ବ୍ଲକ ମେଡିକାଲ ଅଫିସରଙ୍କୁ ସହାୟତା ପାଇଁ ହସ୍ପିଟାଲ ମ୍ୟାନେଜର ନିଯୁକ୍ତି ପାଇବେ। ବର୍ତମାନ ଥିବା ହସ୍ପିଟାଲ ମ୍ୟାନେଜର ବା ଜୁନିଅର ହସ୍ପିଟାଲ ମ୍ୟାନେଜର ମାନେ ନିଜ ଜିଲ୍ଲା ଓ ସବ୍‌ଡିଭିଜନ୍‌ ମେଡିକାଲ ପାଇଁ ଦାୟୀ ରହିବେ।

ରାଜ୍ୟ କ୍ୟାବିନେଟ୍‌ ବେସମାରିକ ପ୍ରତିରକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମ, ୨୦୧୮କୁ ମଧ୍ୟ ଅନୁମୋଦନ ଦେଇଛନ୍ତି।

ଚିନ୍ତା ବଢ଼ାଇଲା ଭାଇରାଲ୍‌ ଭିଡିଓ

୨୦୧୭ରେ ୧୮୪ ମାମଲା
ହତ୍ୟା, ଡକାୟତି କମିଛି, ଦୁଷ୍କର୍ମ ବଢିଛି

ଭୁବନେଶ୍ୱର : ଅଶ୍ଳୀଳ ଭିଡିଓ ଓ ଫଟୋ ଭାଇରାଲ ଘଟଣାକୁ ନେଇ ରାଜ୍ୟର ବୁଦ୍ଧିଜୀବୀ, ଅଭିଭାବକ ମହଲ ଚିନ୍ତାରେ ଥିବା ବେଳେ ୨୦୧୭ ଅପରାଧ ଇତିହାସରୁ ଏକ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ୨୦୧୭ରେ ରାଜ୍ୟରେ ୧୮୪ଟି ଏ ସଂକ୍ରାନ୍ତ ମାମଲା ବିଭିନ୍ନ ଥାନାରେ ରୁଜୁ ହୋଇଛି। ପୁଲିସ ତଥାପି ବେଫିକର। ଅପରାଧ ନିୟନ୍ତ୍ରଣ ଦିଗରେ ଯେତିକି ତନାଘନା ହେବା କଥା ତାହା ହେଉନାହିଁ। କ୍ରାଇମବ୍ରାଞ୍ଚ ଏ ଦିଗରେ ଏକ ପ୍ରକାର ବିଫଳ ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଲାଣି।

ଅନ୍ୟପକ୍ଷରେ ପରିସଂଖ୍ୟାନ ସୂଚାଉଛି, ରାଜ୍ୟରେ ହତ୍ୟା, ଡକାୟତି, ଠକେଇ ଓ ଚୋରି ଭଳି ଅପରାଧ ହ୍ରାସ ପାଇଥିଲେ ହେଁ, ସାଇବର ଅପରାଧ ଭଳି ଦୁଷ୍କର୍ମ ଓ ମୋଟର ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି। ୨୦୧୭ରେ ମୋଟ ୧ ଲକ୍ଷ ୩ ହଜାର ୮୬୬ଟି ମାମଲା ଦରଜ ହୋଇଥିଲା। ୨୦୧୬ରେ ଏହି ସଂଖ୍ୟା ୧ଲକ୍ଷ ୩ ହଜାର ୬୦୨ ଓ ୨୦୧୫ରେ ୧ଲକ୍ଷ ୩ ହଜାର ୨୦୦ ରେକର୍ଡ ହୋଇଛି। ଏହା ସଙ୍କେତ ଦେଉଛି ଯେ ଥାନାକୁ ଆସୁଥିବା ସବୁ ମାମଲାର ପଞ୍ଜୀକରଣ କ୍ଷେତ୍ରରେ ତଥାପି ପୁଲିସ ସକ୍ଷମ ହେଉନାହିଁ। ମାମଲା ରଫାଦଫା କରି ଦିଆଯାଉଛି ବା ଏହା ପଛରେ ଆଉ କୌଣସି ଅଦୃଶ୍ୟ ଚାପ ପୁଲିସ ବାଟ ଓଗାଳୁଛି।

କୁନ୍ଦୁଲି ଘଟଣାକୁ ନେଇ ଚର୍ଚ୍ଚା ଆଲୋଚନା ଜାରି ରହିଥିବା ବେଳେ ପରିସଂଖ୍ୟାନ ଦର୍ଶାଉଛି ଯେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି। ୨୦୧୭ରେ ଦୈନିକ ୬ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଗତବର୍ଷ ବିଭିନ୍ନ ଥାନାରେ ୨୨୨୧ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଦୁଷ୍କର୍ମ ମାମଲା ଥିଲା ୨୧୪୪ ଓ ୨୦୧୫ରେ ୨୨୮୬। ଦଙ୍ଗା ସଂକ୍ରାନ୍ତ ମାମଲାରେ ପାଖାପାଖି ୨୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୭ରେ ୨୪୦୭ଟି ଦଙ୍ଗା ମାମଲା ରୁଜୁ ହୋଇଥିବା ରେକର୍ଡ କହୁଛି। ପୂର୍ବବର୍ଷ (୨୦୧୬) ୧୯୧୪ ଓ ୨୦୧୫ରେ ୧୯୭୬ ଏଭଳି ମାମଲା ରୁଜୁ ହୋଇଥିଲା।

ଭଦ୍ରକରେ ଦେଖା ଦେଇଥିବା ଦଙ୍ଗା ଯୋଗୁ ଗତବର୍ଷ ଏହି ମାମଲା ସଂଖ୍ୟା ବଢ଼ିଥିବା କୁହାଯାଉଥିଲେ ହେଁ, ପଞ୍ଚାୟତ ନିର୍ବାଚନ ପ୍ରଭାବକୁ ଏ କ୍ଷେତ୍ରରେ ଅଣଦେଖା କରିହେବ ନାହିଁ। ଭଦ୍ରକରେ ୨୦୧୬ରେ ୨୧ଟି ଦଙ୍ଗା ମାମଲା ରୁଜୁ ହୋଇଥିଲା। କିନ୍ତୁ ୨୦୧୭ରେ ଏହା ବଢି ୧୩୫ରେ ପହଞ୍ଚିଥିଲା।

ଯଦିଓ ସାଇବର ଅପରାଧରେ ଗତବର୍ଷ ତୁଳନାରେ ପାଖାପାଖି ଦୁଇଗୁଣ ଲୋକ ବନ୍ଧା ହୋଇଛନ୍ତି, କିନ୍ତୁ ଆଜି ବି ଏ କ୍ଷେତ୍ରରେ ପୁଲିସ ବିଫଳତା ଜଳ ଜଳ ହୋଇ ଦିଶୁଛି। ୨୦୧୫ ଓ ୨୦୧୬ରେ ଏହି ଘଟଣାରେ ୯୯ ଜଣ ବନ୍ଧା ହୋଇଥିବା ବେଳେ ୨୦୧୭ରେ ୧୯୫ଜଣଙ୍କୁ ଗିରଫ କରାଯାଇଥିଲା। ସାଇବର ଅପରାଧ ମଧ୍ୟରେ ସବୁଠାରୁ ଅଧିକ ଏଟିଏମ୍‌ ଠକେଇ ଘଟିଛି। ଗତବର୍ଷ ୨୬୫ଟି ଏଟିଏମ୍‌ ଠକେଇ ହୋଇଥିଲା। ଅନ୍‌ଲାଇନ୍‌ ଠକେଇ ସଂଖ୍ୟା ଥିଲା ୨୦୬। କ୍ରେଡିଟ୍‌ କାର୍ଡ ଠକେଇ ସଂଖ୍ୟା ୨୭ ଥିବା ବେଳେ ବ୍ୟାଙ୍କ ଠକେଇ ୧୯ଟି ହୋଇଥିବା ରେକର୍ଡ କହୁଛି। ଗତବର୍ଷ ଭାଇରାଲ ଭିଡ଼ିଓ ଓ ଫଟୋ ଜନିତ ୧୮୪ଟି ମାମଲା ରୁଜୁ ହୋଇଥିବା ବେଳେ ନିଯୁକ୍ତି ଠକେଇ ଅଭିଯୋଗରେ ୭ଟି ମାମଲା ରୁଜୁ ହୋଇଛି। ଗତବର୍ଷ ୮୨୪ଟି ସାଇବର ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୬ରେ ଏହା ୩୧୭ ଓ ୨୦୧୫ରେ ୩୮୫ଟି ଥିଲା।

ପରିସଂଖ୍ୟାନ ଅନୁଯାୟୀ ହତ୍ୟା ମାମଲା ସଂଖ୍ୟା ହ୍ରାସ ପାଇଛି। ୨୦୧୬ରେ ରାଜ୍ୟରେ ୧୩୨୮ଟି ହତ୍ୟା ମାମଲା ରୁଜୁ ହୋଇଥିବା ବେଳେ ୨୦୧୫ରେ ଏହା ୧୪୭୩ ଥିଲା। ଗତବର୍ଷ ଏହି ଧରଣର ମାମଲା ସଂଖ୍ୟା ୧୨୬୭ ରହିଛି। ଅନୁରୂପ ଭାବେ ୨୦୧୫ ଓ ୨୦୧୬ ତୁଳାନରେ ଡକାୟତି ମାମଲା ମଧ୍ୟ ୨୦୧୭ରେ କମିଛି। ରାଜ୍ୟରେ ମୋଟ ୫୩୪ଟି ଏ ସଂକ୍ରାନ୍ତ ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ରେ ଏହା ୫୬୬ ଥିଲା। ସେହିଭଳି ଚୋରି ସଂଖ୍ୟା ୩୯୫୩କୁ କମିଛି। ୨୦୧୬ରେ ଏହା ୪୦୦୪ ଓ ୨୦୧୫ରେ ଏଭଳି ୪୦୪୬ଟି ମାମଲା ରୁଜୁ ହୋଇଥିଲା। ଠକେଇ ମାମଲା ସଂଖ୍ୟା ବି ୨୯୬୦ରେ ଅଟକିଛି। ୨୦୧୫ରେ ୨୯୨୫ଟି ଓ ୨୦୧୬ରେ ୩୧୯୭ ଥିଲା।

ମୋଟର ଯାନ ଦୁର୍ଘଟଣା ସଂଖ୍ୟା କିନ୍ତୁ କମୁନି। ୨୦୧୭ରେ ୧୦ ହଜାର ୮୫୫ଟି ମୋଟର ଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା। ୨୦୧୬ରେ ଏହା ୧୦,୫୩୨ ଓ ୨୦୧୫ରେ ୧୦ ହଜାର ୫୪୨ଟି ମାମଲା ରୁଜୁ ହୋଇଥିଲା।