ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଦାୟିତ୍ୱ ରେ ଅପରାଜିତା ଷଡ଼ଙ୍ଗୀ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ବିଜେପିରେ ଯୋଗଦେବା ପରେ ପୂର୍ବତନ ପ୍ରଶାସକ ଅପରାଜିତା ଷଡ଼ଙ୍ଗୀଙ୍କୁ ଦଳ ପକ୍ଷରୁ ମିଳିଛି ଦାୟିତ୍ୱ। ଏଣିକି ସେ କେନ୍ଦ୍ରୀୟ ଯୋଜନା ଅନ୍ତର୍ଗତ ଲାଭାର୍ଥୀ ବା ହିତାଧିକାରୀ ସଂପର୍କ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ  କରିବେ। ସେହିପରି ବରିଷ୍ଠ ଆଇନଜୀବୀ ଓ ଦଳୀୟ ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟଙ୍କୁ ଆଇନ୍‌ ଓ ସୂଚନା ଅଧିକାର ସେବାର ମୁଖ୍ୟ ଭାବେ ଦାୟିତ୍ୱ ଦିଆଯାଇଛି। ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଓ  ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଗଣମାଧ୍ୟମ, ସାମାଜିକ ଗଣମାଧ୍ୟମର ଦାୟିତ୍ୱ ଦିଆଯାଇଛି।

ହାଇକୋର୍ଟଙ୍କ ନିର୍ଦ୍ଦେଶ ବଦଳିବନି ଏଏସ୍‌ଓ ପରୀକ୍ଷା ର ତାରିଖ ।

ଏଥର ସମ୍ଭାଳ ବ୍ୟୁରୋ (କଟକ) – ବଦଳିବନି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସ୍ଓ) ପରୀକ୍ଷା ତାରିଖ। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ, ଆସନ୍ତା ରବିବାର ଅର୍ଥାତ ୨୦ ତାରିଖରେ ହିଁ ପରୀକ୍ଷା ହେବ। ପରୀକ୍ଷା ଘୁଞ୍ଚାଇବା ପାଇଁ ଦାଏର ପିଟିସନକୁ ଖାରଜ କରି ପରୀକ୍ଷା ଆଉ ଘୁଞ୍ଚି ପାରିବନି ବୋଲି କହିଛନ୍ତି ହାଇକୋର୍ଟ। ମଝିରେ ମାତ୍ର ଦିନଟିଏ ଥିବାରୁ ପରୀକ୍ଷା ଉପରେ ସ୍ଥଗିତାଦେଶ ଦେବାକୁ ହାଇକୋର୍ଟ ସିଧାସଳଖ ମନାକରିଦେଇଛନ୍ତି। ଗୋଟିଏ ଦିନରେ ଏଏସ୍ଓ ପରୀକ୍ଷା ସହ ଜାତୀୟସ୍ତରର ଆଇବିପିଏସ୍ ମେନ୍ ଏବଂ ଆରଆରବି ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ରହିଛି। ତେଣୁ ରାଜ୍ୟସ୍ତରରେ ହେବାକୁ ଥିବା ଏହି ପରୀକ୍ଷାକୁ ସ୍ଥଗିତ ରଖି ଅନ୍ୟ ଦିନରେ କରିବା ପାଇଁ କେତେକ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ପୂର୍ବରୁ ଏହି ପରୀକ୍ଷା ଡିସେମ୍ବର ୨୩ରେ ହେବାକୁ ଥିଲା। ତେବେ କୌଣସି କାରଣ ବଶତଃ ଏହାକୁ ଜାନୁୟାରୀ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା। ଯାହାକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏପରିକି ପରୀକ୍ଷାର୍ଥୀମାନେ ରାଜରାସ୍ତାକୁ ଓହ୍ଲାଇବା ସହ ଧାରଣା ଦେଇଥିଲେ।

ଘନ କୁହୁଡ଼ି ବଳୟରେ ଦେଖାଯାଉନି କଟକ ଓ ଭୁବନେଶ୍ୱର ରାସ୍ତା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜଧାନୀ ଭୁବନେଶ୍ୱର ଓ କଟକରେ ଘନ କୁହୁଡ଼ି ପଡ଼ିଛି। ଦୁଇ ସହରକୁ କୁହୁଡ଼ି ପୂରା ଢାଙ୍କି ରଖିଛି। ପାଣି ବୁନ୍ଦା ପଡ଼ୁଛି। ବାଇକ୍‌ରେ ଅଧିକ ସମୟ ଯାତ୍ରା କଲେ ଶରୀର ପୂରା ଓଦା ହୋଇଯାଉଛି। ଘନକୁହୁଡ଼ି ଯୋଗୁ ଭୁବନେଶ୍ୱରରୁ ବିମାନ ଚଳାଚଳରେ ବାଧାପ୍ରାପ୍ତ ହୋଇଛି।

ଏପରିକି ଦୁର୍ଘଟଣା ଖବର ବି ଆସିଛି। ରାସ୍ତା ଦେଖା ନଯିବା ଯୋଗୁ ଭୁବନେଶ୍ୱରର ଡମଣା ଓ କିଟ୍ ଛକରେ ଦୁର୍ଘଟଣା ଘଟିଛି। ଡମଣା ଛକରେ ଏକ ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିବା ବେଳେ କିଟ୍ ଛକରେ ଏକ ସ୍କୁଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଗତକାଲି ବି ରାଜଧାନୀରେ କୁହୁଡ଼ି ପଡ଼ିଥିଲା। କିନ୍ତୁ ଏତେ ଘନ ନଥିଲା। ଆଜି ଘନ କୁହୁଡ଼ି ପଡ଼ିଛି। ୫୦ ମିଟରର ଦୂରରୁ ବି ଦେଖିବା କଷ୍ଟକର ହୋଇପଡ଼ିଛି। କଟକରେ ବି ସମାନ ଅବସ୍ଥା ସୃଷ୍ଟି ହୋଇଛି। ଆଜି ସକାଳେ ବାଦାମବାଡ଼ି ବସ୍ ଷ୍ଟାଣ୍ଡରୁ ବସ୍ ଚଳାଚଳା ବାଧାପ୍ରାପ୍ତ ହୋଇଥିଲା।

ଚଳିତ ଶୀତ ଋତୁରେ ପ୍ରଥମ ଥର ପାଇଁ ରାଜଧାନୀ ଓ କଟକରେ ଏମିତି କୁହୁଡ଼ି ପଡ଼ିଛି।

ଭୁବନେଶ୍ୱର ସ୍ଥିତ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଗତକାଲି ଆକାଶ ସ୍ୱଚ୍ଛ ଥିଲା। ତେବେ ରାତି ପ୍ରାୟ ୨ଟା ୧୫ରୁ କୁହୁଡ଼ି ପଡ଼ିବା ଆରମ୍ଭ ହୋଇଯାଇଥିଲା। ଦକ୍ଷିଣା ପବନ ବହିବା ଯୋଗୁ ଏହା ଆଦ୍ରତା ସହିତ ମିଶି କୁହୁଡ଼ି ସୃଷ୍ଟି କରିଛି। କୁହୁଡ଼ି ପଡ଼ିବା ପରେ ପ୍ରଥମେ ୧୦୦ ମିଟର ପର୍ଯ୍ୟନ୍ତ ଦେଖାଯାଉ ନଥିଲା। କିନ୍ତୁ ପରେ ଏହା ୫୦ ମିଟରକୁ ଖସି ଆସି ଥିଲା। ରାଜଧାନୀର କିଛି ସ୍ଥାନରେ ୫୦ ମିଟରରୁ ବି କମ୍ ଦୂରତାରୁ କିଛି ବସ୍ତୁ ଦୃଶ୍ୟମାନ ହେଉନି।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ, କେବଳ କଟକ ଓ ଭୁବନେଶ୍ୱର ନୁହେଁ, ସବୁ ଉପକୂଳବର୍ତ୍ତୀ ଜିଲ୍ଲାରେ ଘନ କୁହୁଡ଼ିର ପ୍ରଭାବ ଦେଖିବାକୁ ମିଳିଛି। ଆଉ ଦୁଇ ଦିନ ପର୍ଯ୍ୟନ୍ତ ଏମିତି କୁହୁଡ଼ି ପଡ଼ିପାରେ ବୋଲି ପାଣିପାଗ ବିଭାଗ ଅନୁମାନ ଲଗାଇଛି।

ଚଳିତ ବର୍ଷ ଦାରିଙ୍ଗବାଡ଼ିରେ ତାପମାତ୍ର ୩ ଡିଗ୍ରୀକୁ ଖସି ଥିବା ବେଳେ ଅନୁଗୋଳରେ ୬ ଡିଗ୍ରୀ ତଳକୁ ଖସି ଯାଇଥିଲା। ମକର ପରେ ଶୀତ ଟିକେ କମ୍ ଜଣାପଡୁଥିଲା ବେଳେ ଗୁରୁବାର ଠାରୁ ଟିକେ ଅଧିକ ଅନୁଭୂତ ହେଉଥିଲା। ଏଥର କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଓ ସୁନ୍ଦରଗଡ଼ର କୋଇଡ଼ା ଅଞ୍ଚଳରେ ତୁଷାରପାତ ହୋଇଥିଲା।

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – OTET ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିପାରେ। ଘଟଣାର ତଦନ୍ତ ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ଚିଠି ଲେଖିଛି କ୍ରାଇମବ୍ରଞ୍ଚ। ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସମ୍ପାଦକ ରାମାଶିଷ ହାଜରା।

OTET ପ୍ରଶ୍ନପତ୍ର ସୋଶାଲ ମିଡିଆରେ ଭାଇରାଲ ହେବା ପରେ, ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ବାତିଲ କରାଯାଇଛି। ଭାଇରାଲ୍ ହୋଇଥିବା ପ୍ରଶ୍ନପତ୍ର ଏବଂ ଓଟିଇଟି ପକ୍ଷରୁ ପ୍ରସ୍ତୁତ ହୋଇଥିବା ପ୍ରଶ୍ନପତ୍ର ମେଳ ଖାଉଥିବାରୁ, ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। କେଉଁ ପରିସ୍ଥିତିରେ ପ୍ରଶ୍ନପତ୍ର ଲିକ୍ ହେଲା, କିଏ ଏହାକୁ କେଉଁଠୁ ପାଇଲା ଏବଂ କିଏ ସୋଶାଲ୍ ମିଡିଆରେ ଛାଡ଼ିଲା, ଏ ସଂପର୍କରେ କିଛି ଜଣାପଡି ନାହିଁ।

ବୁଧବାର ଓଟିଇଟି ପକ୍ଷରୁ ଦୁଇଟି ସିଟିଂରେ ପରୀକ୍ଷାର ଆୟୋଜନ କରାଯାଇଥିଲା। କିନ୍ତୁ ସକାଳ ୧୦ଟାରୁ ୧୨ଟା ୩୦ମଧ୍ୟରେ ପ୍ରଥମ ସିଟିଂ ପରୀକ୍ଷା ଚାଲିଥିବା ବେଳେ ସୋଶାଲ ମିଡିଆରେ ପ୍ରଶ୍ନପତ୍ର ଭାଇରାଲ୍‌ ହୋଇଥିଲା।

ଚଳିତବର୍ଷ ଦୁଇଟି ସିଟିଂରେ ପ୍ରାୟ ୧ ଲକ୍ଷ ୧୨ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିଲେ। ବୋର୍ଡ ପକ୍ଷରୁ ପରୀକ୍ଷା ବାତିଲ ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାଉରକେଲାରେ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ।

ଚୋଲାମଣ୍ଡଲମ୍‍ କମ୍ପାନୀ ସମ୍ମୁଖରେ ୨୦୧୭ର ବକେୟା ଅନ୍‍ଲାଇନ୍‍ କୃଷି ବୀମା ପ୍ରଦାନ ଦାବିରେ ଧାରଣା ଓ ପ୍ରତିବାଦ ସଭା ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ‘ପ୍ରଧାନମନ୍ତ୍ରୀ ଫସଲ ବୀମା’ ଯୋଜନାରେ ଅନ୍‍ଲାଇନ୍‍ରେ ବୀମା କରି ଠକାମୀର ଶିକାର ହୋଇଥିବା ବଲାଙ୍ଗୀର ଜିଲ୍ଲାର ପ୍ରାୟ ୧ ହଜାରରୁ ଊଦ୍ଧ୍ୱର୍ ଚାଷୀ ‘ଚୋଲାମଣ୍ଡଲମ୍‍’ କମ୍ପାନୀର ଭୁବନେଶ୍ୱର ସହିଦନଗର ସ୍ଥିତ ମୁଖ୍ୟ କାର୍ଯ୍ୟାଳୟକୁ ଆସି ଆଜି ଧାରଣା ଦେଇଥିଲେ । ବଲାଙ୍ଗୀର ଜିଲ୍ଲା ବିଜୁ କୃଷକ ଜନତା ଦଳ ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ  ଏହି ଧାରଣା ଓ ପ୍ରତିବାଦରେ ବିଜୁ କୃଷକ ଜନତା ଦଳ ରାଜ୍ୟ ସାଧାରଣ ସଂପାଦକ କିଶୋର ମେହେର କହିଥିଲେ ଯେ ବଲାଙ୍ଗୀର ଜିଲ୍ଲାର ଚାଷୀ ଭାଇମାନଙ୍କୁ ଠକି ଦିଆଯାଇଛି । ଅଥଚ ସେଥିପ୍ରତି ଆଦୌ ଭ୍ରୁକ୍ଷେପ ନକରି ଖୋଦ୍‍ ପ୍ରଧାନମନ୍ତ୍ରୀ ଆଜି ବଲାଙ୍ଗୀରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବ୍ୟୟବହୁଳ ଦଳୀୟ ସଭା କରିବା ଏହି ଜିଲ୍ଲାର ଚାଷୀମାନଙ୍କ ପ୍ରତି କ୍ରୁର ଉପହାସ । ଆଗରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ଧାର୍ଯ୍ୟ କରିବାକୁ ପତ୍ର ଲେଖିବା ସହ ଦିଲ୍ଲୀରେ ଦଳ ପକ୍ଷରୁ ପ୍ରତିବାଦ କରାଯାଇଥିଲେ ହେଁ ତାହା ପ୍ରଧାନମନ୍ତ୍ରୀ ଶୁଣିନାହାନ୍ତି ବୋଲି ଶ୍ରୀ ମେହେର କହିଥିଲେ ।

କେନ୍ଦ୍ର ସରକାର ମନୋନୀତ ବୀମା କମ୍ପାନୀ ଜରିଆରେ ବଲାଙ୍ଗୀର ଜିଲ୍ଲାର ହଜାର ହଜାର ଚାଷୀ ଏବେ ଲୁଟ୍‍ର ଶିକାର ହୋଇଛନ୍ତି, ଯାହାର ପ୍ରତିବାଦରେ ଚୋଲାମଣ୍ଡଲମ୍‍ କମ୍ପାନୀର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ସହସ୍ରାଧିକ ଚାଷୀ ଆଜି ଦିନ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଧାରଣା ଓ ପ୍ରତିବାଦ ସଭା କରିଥିଲେ । ଚୋଲାମଣ୍ଡଲମ୍‍ ବୀମା କମ୍ପାନୀର ପ୍ରତିନିଧି ଧାରଣାସ୍ଥଳରେ ପହଂଚି କୃଷକମାନଙ୍କ ସହିତ ଆଲୋଚନା କରିଥିଲେ । ପରେ ସେ ମୁଖ୍ୟ ପରିଚାଳକଙ୍କ ସହ କଥାବାର୍ତ୍ତା କରି ଧାରଣାରତ କୃଷକ ଭାଇମାନଙ୍କୁ ଜଣାଇଥିଲେ ଯେ ଆଗାମୀ ୧ ସପ୍ତାହ ମଧ୍ୟରେ ଭୁବନେଶ୍ୱର ଠାରେ ବଲାଙ୍ଗୀର ଜିଲ୍ଲାର କୃଷକ ପ୍ରତିନିଧିମାନଙ୍କୁ ମୁଖ୍ୟ ପରିଚାଳକ ଭେଟି ସମସ୍ୟା ସମାଧାନ କରିବେ । ଏହି ଦୃଢ଼ ପ୍ରତିଶ୍ରୁତି ମିଳିବା ପରେ ଧାରଣା ଓ ପ୍ରତିବାଦ ସଭା କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଥିଲା ।

ସୂଚନାଯୋଗ୍ୟ ଯେ ମୁରିବାହାଲ, ତୁରେଇକେଲା ଓ ବଙ୍ଗୋମୁଣ୍ଡା ସମେତ କଣ୍ଟାବାଞ୍ଜି ଅଞ୍ଚଳର ହଜାର ହଜାର ଚାଷୀ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନକୁ ଗୁରୁତ୍ୱ ଦେଇ ୨୦୧୭ ମସିହାରେ ନିଜର ଘର, ଆସବାବପତ୍ର ଠାରୁ ଆରମ୍ଭ କରି ସୁନା-ରୁପା ବନ୍ଧକ ରଖି ପ୍ରଧାନମନ୍ତ୍ରୀ କୃଷି ବୀମା ଯୋଜନାରେ ଅନ୍‍ଲାଇନ୍‍ ଦ୍ୱାରା ବୀମା ଟଙ୍କା ଜମା କରିଥିଲେ । ୨ବର୍ଷ ବିତିଯିବା ସତ୍ତେ୍ୱ କୃଷି ବୀମା ନମିଳିବାରୁ ଚାଷୀମାନେ ଭୁବନେଶ୍ୱରସ୍ଥିତ ଚୋଲାମଣ୍ଡଲମ୍‍ କମ୍ପାନୀ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଅଥଚ କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣାରେ ବ୍ୟସ୍ତ ।

ଏହି ଧାରଣା ଓ ପ୍ରତିବାଦ ସଭାରେ ଲକ୍ଷ୍ମଣ ପୁଟେଲ୍‍, ବିଜୟ ବଂଶଲ, ବୁଦ୍ଧଦେବ ମହାକୁଡ, ଶ୍ୟାମସୁନ୍ଦର ମେହେର, ଶ୍ରୀକାନ୍ତ ମହାନନ୍ଦ, ନୃପରାଜ ବଛା, ମୁକୁନ୍ଦ ବରିହା, କୈଳାସ ବରିହା, ଅରୁଣ ଆରିଆ, ଭୁବନାନନ୍ଦ ମହାନ୍ତି, ଚିତ୍ରଭାନୁ ବେହେରା, ରଥୀ ଭୋଇ, ଗୋପାଳ ପୁଞ୍ଜି, ତରଣୀସେନ ବାଗ, ବାଳକୃଷ୍ଣ ପୁଟେଲ୍‍, ଶ୍ରୀରାମ ମେହେର, କାର୍ତ୍ତିକ ପୁଟେଲ୍‍, ଚିତ୍ତ ହଂସ, ଉଗ୍ରେ ଚନ୍ଦନଙ୍କ ସହିତ ୧ ହଜାରରୁ ଊଦ୍ଧ୍ୱର୍ ଠକାମୀର ଶିକାର ହୋଇଥିବା ଚାଷୀ ଅଂଶଗ୍ରହଣ କରିଥିଲେ ।

କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ !

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) –  କାଳିଆ ଯୋଜନା ବିଷୟରେ ଲୋକଙ୍କ ସନ୍ଦେହ ଦୂର କରିବା ପାଇଁ ଆରମ୍ଭ ହୋଇଥିବା କଲ୍ ସେଣ୍ଟରକୁ ହଜାର ହଜାର କଲ୍ ଆସୁଛି । ଦିନକୁ ୩୦ ହଜାରରୁ ଅଧିକ କଲ୍ ଆସୁଥିବା ଜଣାପଡିଛି । ଆଉ କଲ୍ ସେଣ୍ଟରରେ ଥିବା କର୍ମଚାରୀ କାଳିଆ ଯୋଜନା ବାବଦରେ ଲୋକଙ୍କୁ ଟିକିନିକି ସୂଚନା ଦେଉଛନ୍ତି ।

ଗାଁ ଗହଳିରୁ କଲ୍ ସେଂଟରକୁ ଘନ ଘନ କଲ୍ ଆସୁଛି । ଲୋକେ ଜାଣିବାକୁ ଚାହୁଁଛନ୍ତି କାଳିଆ ଯୋଜନା ବିଷୟରେ । କଣ ଏହି ଯୋଜନା, କାହାକୁ ଲାଭ ମିଳିବ, କେମିତି ଆବେଦନ କରାଯିବ ଏବଂ ଫର୍ମ କେଉଁଠି ମିଳିବ? ଏମିତି ଅନେକ ପ୍ରଶ୍ନ ରହିଛି ହିତାଧିକାରୀଙ୍କ ମୁହଁରେ । ଆଉ ତାର ଉତର ରଖୁଛନ୍ତି କଲ୍ ସେଂଟରରେ ଥିବା ଗ୍ରାହକ ସେବା କର୍ମଚାରୀ । ଅନେକ ହିତାଧିକାରୀ ଅଭିଯୋଗ ବି କରୁଛନ୍ତି । କାଳିଆ କଲ୍ ସେଂଟରକୁ ଦିନକୁ ୩୦ ହଜାର କଲ୍ ଆସୁଛି ।

ଗଂଜାମରର ଜଣେ ହିତାଧିକାରୀ ପ୍ରଶ୍ନ କରିଥିଲେ , ଆଉ ତାର ଉତର ରଖିଥିଲେ ମୁଖ୍ୟମନ୍ତ୍ରୀ । କାଳିଆ ଯୋଜନାରେ ହିତାଧିକାରୀଙ୍କୁ ୨୫ ହଜାର ଟଙ୍କା ଯୋଗାଇ ଦିଆଯିବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ୱର ଓକାକ୍ ବିଲଡିଂରେ ଗତ ୫ତାରିଖରୁ ଏହି କଲ ସେଂଟର ଖୋଲାଯାଇଛି । ନନଷ୍ଟପ୍ ୨୪ ଘଂଟା କାମ କରୁଛି ଏହି କଲ ସେଂଟର ।

କାଳିଆ ଯୋଜନାର ଲାଭ କିଭଳି ପ୍ରକୃତ ହିତାଧିକାରୀଙ୍କୁ ମିଳିପାରିବ ସେନେଇ ସଚେତନ କରିବା ଏହି କଲ୍ ସେଂଟରର ଉଦ୍ଦେଶ୍ୟ । ଆସନ୍ତା ୨୬ ତାରିଖ ସୁଦ୍ଧା ହିତାଧିକାରୀଙ୍କୁ କାଳିଆ ଯୋଜନା ଟଙ୍କା ମିଳିବ ବୋଲି ସରକାର କହିସାରିଛନ୍ତି । କାଳିଆ ଯୋଜନା ବାବଦରେ ଅଧିକ ଜାଣିବା ପାଇଁ ଟୋଲ ଫ୍ରି ନମ୍ବର ୧୮୦୦୫୭୨୧୧୨୨ରେ କଲ କରି ପୂରା ତଥ୍ୟ ଜାଣି ପାରିବେ ।

ରବୀନ୍ଦ୍ର ଙ୍କ କଥା ଶୁଣିବ କେବେ

!! ଯାଜପୁର ଜିଲ୍ଲା ବରୀ ରୁ ପ୍ରଦୀପ ମହାରଣା ଙ୍କ ରିପୋର୍ଟ !!

ଯାଜପୁର ଜିଲ୍ଲା ବଡଚଣା ବ୍ଲକ କୋଲୋତା ଗିରି ପଞ୍ଚାୟତ ପର୍ବତ ପଣସୁଆ ଗ୍ରାମ ରେ ବାସ କରନ୍ତି ରବୀନ୍ଦ୍ର ସାହୁ (୨୫) । ଛୋଟ ବେଳୁ ରବୀନ୍ଦ୍ର ବିକଳାଙ୍ଗ ହୋଥିବାରୁ ତାଙ୍କ ଦୁଇ ଗୋଡ ଭଲ ଭାବେ କାମ କରୁନଥିବା ଜଣାପଡିଛି । ରବୀନ୍ଦ୍ର ନିଜ ମା ଙ୍କ ସହ ମିଳିମିଶି ଗ୍ରାମ ରେ ରହୁଥିବା ବେଳେ ରବୀନ୍ଦ୍ର ଙ୍କ ଚଳଣି ନିମନ୍ତେ ସେଭଳି କୌଣସି ରୋଜଗାର ନଥିବା ସେ କହିଛନ୍ତି । ରବୀନ୍ଦ୍ର ଙ୍କ ସାନ ଭଉଣୀ ଭୁବନେଶ୍ଵର ର ଏକ ଘରୋଇ ସିଲେଇ କମ୍ପାନୀ ରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରନ୍ତି ଏବଂ ରବୀନ୍ଦ୍ର  ଗ୍ରାମ ର ୪ ରୁ ୫ ଜଣ ପିଲା ଙ୍କୁ ଟିଉସନ କରି ଭାଇ ଭଉଣୀ ଯାହା ପାଆନ୍ତି ସେଥିରେ ପରିବାର ଚାଲେ । ସରକାର ଙ୍କ ପକ୍ଷରୁ ରବୀନ୍ଦ୍ର ଙ୍କୁ ମାସିକ ୩୦୦ ଟଙ୍କା ଭତ୍ତା ଓ ମାସିକ ଚାଉଳ ବାବଦ କୁ ୨୦୦ ଟଙ୍କା ବ୍ୟତୀତ ଅନ୍ୟ କୌଣସି ସହାୟତା ର ରାସ୍ତା ନାହିଁ ।  ଦିବ୍ୟ।ଙ୍ଗ ହୋଇଥିବା ବେଳେ ତାଙ୍କୁ ଆଜକୁ ୫ ରୁ ୬ ବର୍ଷ ହେବ ସରକାର ଙ୍କୁ ଏକ ୩ ଚକିଆ ସାଇକେଲ ଯୋଗାଇ ଦେବାକୁ ବାରମ୍ବାର ଅନୁରୋଧ କରିବା ସତ୍ଵେ ସମ୍ପୃକ୍ତ ଅଧିକାରୀ କର୍ଣ୍ଣପାତ କରୁନଥିବା ରବୀନ୍ଦ୍ର ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେ ଚଲାଉଥିବା ସାଇକଲ ମଧ୍ୟ ଏକ ବଦାନ୍ୟ ବ୍ୟକ୍ତି ପ୍ରଦାନ କରିଥିବା ସେ ପ୍ରକାଶ କରିଛନ୍ତି । ରବୀନ୍ଦ୍ର ଙ୍କୁ ଯିବା ଆସିବା ନିମନ୍ତେ ସରକାର ଙ୍କ ପକ୍ଷରୁ ସାଇକଲ  ଟିଏ ସହ ବସ ପାସ ଓ ଦିବ୍ୟାଙ୍ଗ ଙ୍କୁ ମିଳୁଥିବା ସମସ୍ତ ମେଡିକାଲ ସୁବିଧା ସୁଯୋଗ ମିଳି ପାରିଲେ ରବୀନ୍ଦ୍ର ଙ୍କ ଦୁଃଖ ଦୂର ହେବ ବୋଲି ରବୀନ୍ଦ୍ର କହିଛନ୍ତି ।

 

ଗୁଣପୁର ପୋଲିସ ର କାର୍ଯ୍ୟ କୁ ବିରୁଦ୍ଧ କରି ଆଇନଜୀବୀ ଙ୍କ ୨ ଦିନିଆ କାର୍ଯ୍ୟବନ୍ଦ ।

ଏଥର ସମ୍ଭାଳ ବ୍ୟୁରୋ (ଗୁଣପୁର) – ଅବିଭକ୍ତ କୋରାପୁଟ ଜିଲ୍ଲା ଠାରେ ହାଇକୋର୍ଟ ର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଗୁଣପୁର ଓକିଲ ସଂଘ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରା କୁ କେନ୍ଦ୍ର କରି ସ୍ଥାନୀୟ ପୋଲିସ ପକ୍ଷରୁ  ବ୍ରହ୍ମାନନ୍ଦ ପଟ୍ଟନାୟକ , ବିଶ୍ୱନାଥ ସାହୁ , ସନ୍ତୋଷ ସାହୁ , ପ୍ରମୋଦ ସାହୁ ଓ ଏସ୍ ବାବା ପ୍ରସାଦ ଓକିଲ ଏବଂ ଅନ୍ୟ ୩୦ ଜଣ ଓକିଲ ଙ୍କ ନାମରେ କେସ୍ ନମ୍ବର୍ – ୩୬୬/୨୦୧୮ କ୍ରମେ  ଭାରତୀୟ ପିଙ୍ଗଳ କୋଡ଼୍ ଧାରା ୧୪୩ , ୧୪୯ , ୨୯୦ ଓ ୪୩୧ କ୍ରମେ କେସ୍ ଦାୟାର କରିଥିବା ଜଣା ପଡ଼ିଛି ।

ବନ୍ଦ ଡାକରା ଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇ ଗୁଣପୁର ସହର ର ବ୍ୟବସାୟୀ ପ୍ରତିଷ୍ଠାନ , ବସ୍ , ଟ୍ରକ , ଅଟୋ କର୍ମଚାରୀ ଏବଂ ଛାତ୍ର ସଙ୍ଗଠନ ଏଥିରେ ସାମିଲ ହୋଇ ବନ୍ଦ କୁ ସମ୍ପୂର୍ଣ୍ଣ ସଫଳ କରିଥିଲେ । ବନ୍ଦ ଦିନ ସ୍ଥାନୀୟ ଅଞ୍ଚଳ ରେ କୌଣସି ଦଙ୍ଗା , ହର୍ତାଳ  କିମ୍ବା ଭଙ୍ଗାରୁଜା ଭଳି କୌଣସି କ୍ଷୟକ୍ଷତି ଘଟି ନଥିବା ବେଳେ ସ୍ଥାନୀୟ ପୋଲିସ ବିଭାଗ ପକ୍ଷରୁ ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଏଭଳି ଏକ ମାମଲା ଓକିଲ ମାନଙ୍କ ବିରୁଦ୍ଧ ରେ ରୁଜ କରିଥିବା ସ୍ଥାନୀୟ ଅଞ୍ଚଳ ବାସୀ ଙ୍କୁ ବିସ୍ମୟ କରିଛି । ଏହାକୁ ବିରୋଧ କରି ଗୁଣପୁର ଓକିଲ ସଂଘ ପକ୍ଷରୁ ଏକ ଜରୁରୀ କାଳୀନ ବୈଠକ ଆହ୍ୱାନ କରାଯାଇଥିଲା ।

ଏହି ବୈଠକ ରେ ସମସ୍ତ କାର୍ଯ୍ୟରତ ଓକିଲ ବୃନ୍ଦ ଯୋଗଦେଇ ପୋଲିସ ର ଏତାଦୃଶ୍ୟ କାର୍ଯ୍ୟ କଳାପ ପ୍ରତି ନିନ୍ଦା ପ୍ରକଟ କରିଥିଲେ । ବୈଠକ ର ନିଷ୍ପତି କ୍ରମେ ଗୁଣପୁର ଓକିଲ ସଂଘ ପକ୍ଷରୁ ୨ ଦିନିଆ କାର୍ଯ୍ୟବନ୍ଦ ଡାକରା ଦିଆଯାଇଛି । କାହା ନିର୍ଦ୍ଧେଶ ରେ ଗୁଣପୁର ଥାନା ଭାର ପ୍ରାପ୍ତ ଅଧିକାରୀ ଶ୍ରୀ ରବୀନ୍ଦ୍ର ପାତ୍ର ଙ୍କ ଦ୍ୱାରା ଓକିଲ ଙ୍କ ବିରୋଧ ରେ ଏଭଳି ମକଦମା ରୁଜୁ କରାଯାଇଛି ତଦନ୍ତ କରାଯିବା ସହ ଥାନା ଅଧିକାରୀ ଶ୍ରୀ ପାତ୍ର ଗୁଣପୁର ବାର୍ କାଉନସିଲ ନିକଟ ରେ କ୍ଷମା ପ୍ରାର୍ଥନା କରିବା ଲାଗି ସଂଘ ସଭାପତି ଶ୍ରୀ ବ୍ରହ୍ମା ନନ୍ଦ ପଟ୍ଟନାୟକ ଜଣାଇଛନ୍ତି । ଓକିଲ ଏବଂ ପୋଲିସ ଙ୍କ ମଧ୍ୟରେ ହୋଇଥିବା ଏହି ମତାନ୍ତର ର ସମାଧାନ ନେଇ କତୃପକ୍ଷ ଦୃଷ୍ଟି ନ ଦେଲେ ଆଗାମୀ ଦିନ ରେ ଏହା ର ପ୍ରତିଫଳନ ସ୍ଥାନୀୟ ଜଣ ସାଧାରଣ ଙ୍କ ଜୀବନ ଜୀବିକା ଉପରେ ପଡିବ ସମ୍ଭାବନା କୁ ଦୂରେଇ ଦିଆଯାଇନପାରେ  ।

ଆଇନଜୀବୀ ଙ୍କ ମଧ୍ୟରେ ଏହାକୁ ନେଇ ଘନଉ ଥିବା ତାତି ର ଉପଶମ ନ ହେଲେ ବରିଷ୍ଠ ନାଗରିକ କହିବେ ଏଥକୁ ଏଥର ସମ୍ଭାଳ

 

୧୫ ରେ ବଲାଙ୍ଗୀର ଗସ୍ତରେ ଆସିବେ ମୋଦି .

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଆସନ୍ତା ଜାନୁଆରୀ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିବେ । ଏହି ଅବସରରେ ବଲାଙ୍ଗୀର ଠାର ଆୟୋଜିତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସହ ଏକ ସାଧାରଣ ସଭାରେ ମଧ୍ୟ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ନେଇ ବୁଧବାର  ସମ୍ଭାବ୍ୟ କାର୍ଯ୍ୟସୂଚୀ ଜାରି କରାଯାଇଛି ।

ଏହି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ୧୫ ତାରିଖ ସକାଳ ସାଢେ୯ଟାରେ ବାୟୁସେନାର ଏକ  ସ୍ୱତନ୍ତ୍ର ବିମାନରେ ଝାରସୁଗୁଡ଼ା ବିମାନବନ୍ଦରରେ ପହଂଚିବେ । ସେଠାରୁ ହେଲିକପ୍ଟର ଯୋଗେ ସେ ବଲାଙ୍ଗିର ଯିବେ । ସକାଳ୧୦ଟା ୪୦ରେ ବଲାଙ୍ଗିର ରେଲୱେ ଷ୍ଟେସନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିବେ । ସେଠାରୁ ପ୍ରଧାନମନ୍ତ୍ରୀ ହେଲିକପ୍ଟରରେ  ପଥରଚେପା ଯାଇ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ । ୧୧ଟା ୪୫ ମିନିଟରୁ ଏହି ସଭା ଅ।ରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ ସାଢେ଼ ୧୨ଟାରେ ସଭା ସରିବା ପରେ ପ୍ରଧାନମନ୍ତ୍ରୀ ସେଠାରୁ ଝାରସୁଗୁଡ଼ା ଯିବେ । ସେଠାରୁ ସେ ଅପରାହ୍ଣ ଗୋଟାଏ ୪୫ ମିନିଟରେ କେରଳର ତିରୁଅନନ୍ତପୁରମ୍ ଯିବାର କାର୍ଯ୍ୟକ୍ରମ ରହିଛି ।

ସନା କୁ ଧର ; ନବୀନ କୁ ଛାଡ ।

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦୁଝର) – ଚମ୍ପୁଆ ବିଧାୟକ ସନାତନ ମହାକୁଡ଼ଙ୍କୁ ନେଇ ଏବେ ଟିକେ ଚର୍ଚ୍ଚା ଧରିଛି। କିଛି ମାସ ତଳେ ‘ଜନ ସମୃଦ୍ଧି ପାର୍ଟି’ ନାମରେ ନୂଆ ଦଳ ଗଢ଼ିଥିବା ସନାତନ ମହାକୁଡ଼ଙ୍କୁ ନେଇ କେନ୍ଦୁଝରେ ତାଙ୍କର ବ୍ୟାନର, ପୋଷ୍ଟର ଛାଇ ହୋଇଗଲାଣି। ଏହି ବ୍ୟାନରରେ ସେ ନିଜକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ବୋଲି ଦର୍ଶାଇଛନ୍ତି। ବ୍ୟାନରରେ ନିଜ ଫଟୋଥାଇ ‘ନବୀନଙ୍କୁ ଛାଡ଼, ସନାକୁ ଧର’ ଏବଂ ଆଗାମୀ ମୁଖ୍ୟମନ୍ତ୍ରୀ ସନାତନ ମହାକୁଡ଼ ବୋଲି ଦର୍ଶାଯାଇଛି। ତାଙ୍କର ଏହି ବ୍ୟାନର କେବଳ କେନ୍ଦୁଝରରେ ଅଟକିନି, ସୋଶାଲ ମିଡିଆରେ ଘୂରି ବୁଲୁଛି। ଯଦିଓ ସନାତନଙ୍କ ନେତୃତ୍ୱ ରାଜ୍ୟ ରାଜନୀତିରେ ଏତେ ପ୍ରଭାବଶାଳୀ ନୁହେଁ କିନ୍ତୁ କେନ୍ଦୁଝରରେ ତାଙ୍କର ବେଶ ଦବଦବା ରହିଛି। ବାହୁବଳୀ, କୁବେର ଏମିତି କେତେ କ’ଣ ନାମରେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ।

କେନ୍ଦୁଝରରେ ସନାତନ ଜଣେ ଲୋକପ୍ରିୟ ଏବଂ ହେଭିୱେଟ୍‌ ନେତା ହୋଇଥିବାରୁ ସେଠାରେ ନବୀନଙ୍କ ଲୋକପ୍ରିୟତା ଫିକା ପଡ଼ିଯାଏ ବୋଲି ରାଜନୈତିକ ବିଶ୍ଲେଷକମାନେ ମତ ଦିଅନ୍ତି। ଚର୍ଚ୍ଚା ହୁଏ ବାର୍ଦ୍ଧକ୍ୟ ଭତ୍ତା ଯୋଜନାରେ ନବୀନ ସରକାର ହିତ୍ତାଧିକାରୀମାନଙ୍କୁ ମାସିକ ୩୦୦ ଟଙ୍କା ଦେଉଥିଲା ବେଳେ ସନା ତାଙ୍କ ସିନ୍ଦୁକ ଖୋଲି ଦିଅନ୍ତି। ଗରିବ ଆଦିବାସୀଙ୍କୁ ନବୀନ ସରକାରଙ୍କ ଠାରୁ ଅଧିକ ଅର୍ଥାତ ୭୦୦-୮୦୦ ଟଙ୍କା ଭତ୍ତା ଦିଅନ୍ତି ବୋଲି କୁହାଯାଏ। ଗତ ନିର୍ବାଚନରେ ନବୀନ ପ୍ରାଣପ୍ରଣେ ଚେଷ୍ଟା କରିଥିଲେ ମଧ୍ୟ ସନାଙ୍କ ବିଜୟ ରଥକୁ ଅଟକାଇ ପାରି ନଥିଲେ। ଅଭିନେତାରୁ ନେତା କରି କମେଡି କିଙ୍ଗ ପପୁ ପମ୍‌ ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କୁ ବିଜେଡି ଟିକେଟ ଦେଇ ଛିଡ଼ା କରାଇଥିଲେ ମଧ୍ୟ ସନାଙ୍କ ରାଜନୈତିକ କ୍ରେଜ୍‌ ଆଗରେ ପପୁଙ୍କ ଚମକ ଫିକା ପଡ଼ିଯାଇଥିଲା।

ଚମ୍ପୁଆରୁ ସ୍ୱାଧୀନଭାବେ ଜିତି ଥିଲେ ସନା। ହେଲେ କୁବେର ଭାବେ ପରିଚିତ ସନା ଏହା ଭିତରେ ଅନେକଥର ଇଡି ଜାଲରେ ମଧ୍ୟ ଛନ୍ଦି ହୋଇଗଲେଣି । ତେବେ ଏହାରି ଭିତରେ ସେ ଏକ ନୂଆ ଦଳ ଗଢି ନିଜକୁ ଭାବି ମୁଖ୍ୟମନ୍ତ୍ରୀଭାବେ ପ୍ରୋଜେକ୍ଟ କଲେଣି। ରାଜ୍ୟରେ ବିଗତ ୧୯ ବର୍ଷ ହେଲା ପ୍ରମୁଖ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନେତା ତିଆରି କରି ପାରୁ ନ ଥିବା ବେଳେ ସନାଙ୍କ ସିଧା ଚ୍ୟାଲେଞ୍ଜ ପାୱାର କରିଡରର ରାଜନୀତିକୁ ହାଲୁକା ଉଷ୍ମ କରିଦେଇଛି।