ସ୍ୱତନ୍ତ୍ର ସଘନ ସଂଶୋଧନ ସଂପର୍କିତ ଆଭାସୀ ବୈଠକ;ବିଭ୍ରାନ୍ତକାରୀ ସୂଚନାର ତ୍ୱରିତ ମୁକାବିଲା ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ରାୟଗଡ଼)- ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଶ୍ରୀ ଆର୍‌.ଏସ୍‌. ଗୋପାଳନ (ଭା. ପ୍ର. ସେ.)ଙ୍କ ଅଧ୍ୟକ୍ଷତାରେ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ଆଭାସି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପ ମୁଖ୍ୟ ନିର୍ବାଚନ ଅଧିକାରୀ ଡ. ଲକ୍ଷ୍ମୀ ପ୍ରସାଦ ସାହୁ, ଲୋକସମ୍ପର୍କ ଅଧିକାରୀ ଶ୍ରୀ ସୌରଭ ପ୍ରଧାନଙ୍କ ସମେତ ସମସ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯୋଗଦେଇଥିଲେ ।
ସ୍ୱତନ୍ତ୍ର ସଘନ ସଂଶୋଧନର ମହତ ଉଦ୍ଦେଶ୍ୟ ଓ ସମୟୋଚିତ ଆବଶ୍ୟକତା, ମତଦାତାଙ୍କ ଯୋଗ୍ୟତା, ବିଭ୍ରାନ୍ତକାରୀ ସୂଚନାର ମୁକାବିଲା ସମ୍ପର୍କରେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ବିଷଦ ସୂଚନା ଦେବା ସହ ତୃଣମୂଳ ସ୍ତରରେ ଜନସାଧାରଣଙ୍କ ମଧ୍ୟରେ ଜାଗରଣ ସୃଷ୍ଟି କରିବାରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଥିଲେ । ଅନେକ ବର୍ଷ ଧରି ନିଷ୍ଠାପର ଓ ନିରପେକ୍ଷ ଭାବରେ କାର୍ଯ୍ୟକରି ନିର୍ବାଚନ ଆୟୋଗ ସମଗ୍ର ବିଶ୍ୱରେ ଏକ ସ୍ୱତନ୍ତ୍ର ସମ୍ମାନ ପ୍ରତିଷ୍ଠା କରିପାରିଛନ୍ତି । ସେହି ସମ୍ମାନକୁ ଅକ୍ଷୁଣ୍ଣ ରଖିବାକୁ ହେଲେ ଭ୍ରମାତ୍ମକ ତଥା ବିଭ୍ରାନ୍ତକାରୀ ସୂଚନାର ସଠିକ ମୁକାବିଲା କରାଯିବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି । ଭୋଟର ତାଲିକାରୁ ଜଣେବି ଯୋଗ୍ୟ ମତଦାତା ନାମ ନ କଟିବା ଏବଂ ଜଣେ ବି ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ସଂଯୁକ୍ତ ନ ହେବା ଉପରେ ଭାରତ ନିର୍ବାଚନ ଆୟୋଗ ସର୍ବାଧିକ ଗୁରୁତ୍ୱ ଦେବା ସହ ସେହି ଅବଲୋକନରେ ଓଡିଶାରେ ସମସ୍ତ କାର୍ଯ୍ୟ କରାଯାଉଛି ବୋଲି ସେ ଉଲ୍ଲେଖ କରିଥିଲେ। ଉପମୁଖ୍ୟ ନିର୍ବାଚନ ଅଧିକାରୀ ଡ. ସାହୁ ସ୍ୱତନ୍ତ୍ର ସଘନ ସଂଶୋଧନ ସମ୍ପର୍କିତ ସବିଶେଷ ତଥ୍ୟ ପିପିଟି ମାଧ୍ୟମରେ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ । ତା’ସହିତ ବିହାର ନିର୍ବାଚନ ପରିପ୍ରେକ୍ଷୀରେ ଭାରତ ନିର୍ବାଚନ କମିଶନ ନେଇଥିବା ବିଭିନ୍ନ ଗୁରୁତ୍ୱପୂର୍ଣ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ । ଭ୍ରମାତ୍ମକ ସୂଚନା ଯଥା-ଗୁଡ଼ାଏ ଲୋକଙ୍କ ନାମ ଏକା ସହିତ କଟିଯିବ, ବୁଥ୍‌ ଲେବୁଲ୍‌ ଅଧିକାରୀମାନେ ଭୁଲ ତଥ୍ୟ ଦେଉଛନ୍ତି, ଘର ନମ୍ବର ନଥିବା ଘର, ଗୋଟିଏ ଠିକଣାରେ ଅନେକ ଲୋକଙ୍କ ପଞ୍ଜିକରଣ ଭଳି ଭ୍ରମାତ୍ମକ ତଥ୍ୟ ବିଷୟରେ ଜାଣିବା ପରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନେ ସଠିକ୍‌ ତଥ୍ୟ ଲୋକଲୋଚନକୁ ଆଣି ଭୁଲ ତଥ୍ୟର ତ୍ୱରିତ ମୁକାବିଲା କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଛନ୍ତି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ନିୟମିତ ପ୍ରେରିତ ପ୍ରେସ ବିଜ୍ଞପ୍ତି ଓ ସୂଚନାକୁ ସାମାଜିକ ଓ ଅନ୍ୟାନ୍ୟ ଗଣମାଧ୍ୟମ ଜରିଆରେ ତୃଣମୂଳସ୍ତରର ଜନସାଧାରଣଙ୍କ ଅବଗତି ନିମନ୍ତେ ନିରବଛିନ୍ନ ଭାବେ ପ୍ରେରଣ କରିବା ସହିତ ସୃଜନାତ୍ମକ ମତାମତ ଦେବାପାଇଁ ସେ ପରାମର୍ଶ ଦେଇଛନ୍ତି l

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ୨୦୨୫ ପାଳନ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ମୋ ସ୍ଵର, ମୋ ଅଧିକାର ନୂଆ ଚେତନା, ନୂଆ ଭାବନାରେ, ନୂଆ ସୃଜନର ଧ୍ୱଜାଧାରଣୀ ଆମ ଝିଅ — ଝିଅଙ୍କ ସ୍ବାସ୍ଥ୍ୟ, ସୁରକ୍ଷା ଓ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଓଡ଼ିଶା ସରକାର” ଏହି ବାର୍ତା କୁ ନେଇ ଆଜି ତା ୧୧.୧୦.୨୦୨୫ ରିଖ , ଦିବା ୧୦ ଘଟିକା ସମୟ ରେ ରାୟଗଡ଼ ର ଜିଲ୍ଲା-ପରିଷଦ ସମୀଳନୀ କକ୍ଷ ରେ ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ, ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ ଙ୍କ ଅଧ୍ୟକ୍ଷତାରେ ପାଳନ କରାଯାଇଛି । କାର୍ୟକ୍ରମର ଲକ୍ଷ୍ୟ ଥିଲା କନ୍ୟା ଶିଶୁଙ୍କ ସୁରକ୍ଷା, ଶିକ୍ଷା, ସମାନ ସୁଯୋଗ ଓ ସଶକ୍ତିକରଣ ପାଇଁ ସଚେତନତା ସୃଷ୍ଟି କରିବା। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ ରାୟଗଡା, ଶ୍ରୀ ସ୍ଵସ୍ତିକ ପଣ୍ଡା , ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP), ରାୟଗଡା, ଅଧକ୍ଷ୍ୟା , ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟ ସମ୍ନାନୀତ ଅତିଥି ଭାବେ ଉପସ୍ଥିତି ଥିଲେ । ଶ୍ରୀମତୀ ମିନତୀ ଦେଓ ସମାଜ ମଙ୍ଗଳ ଅଧିକାରୀ ରାୟଗଡା ଅତିଥି ମାନଙ୍କୁ ସ୍ବାଗତ ଜଣେଇ ଥିଲେ ଓ କହିଥିଲେ ଯେ ସମାଜର ଉନ୍ନତି ପାଇଁ କନ୍ୟା ଶିଶୁଙ୍କ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଶ୍ରୀ ଆଶୁତୋଷ କୁଲକର୍ଣୀ , ଜିଲ୍ଲାପାଳ, ରାୟଗଡ଼ କହିଥିଲେ ଅନେକ ଆନ୍ଦୋଳନ ପରେ ନାରୀ ମାନଙ୍କୁ ଭୋଟ ଦେବାର ଅଧିକାର ୧୯୨୦ ମସିହା ରେ ମିଳିଥିଲା । କିଶୋରୀ ବାଳିକା ଉପଯୁକ୍ତ ଶିକ୍ଷା ପାଇଲେ ସଶକ୍ତ ହୋଇ ପାରିବ । ଅତିରିକ୍ତ ଜିଲ୍ଲା ପୋଲିସ୍ ଅଧୀକ୍ଷକ (ASP)କନ୍ୟାମାନଙ୍କ ସୁରକ୍ଷା ଓ ଆଇନ ସହାୟତା ବିଷୟରେ ସଚେତନତା ପ୍ରସାର କରିବାର ଆବଶ୍ୟକତା ଉଲ୍ଲେଖ କରିଥିଲେ, ଆଇନ କୁ ଜାଣିବା, ସାହସୀ ହେବ, ପରି ସ୍ତିତି କୁ ସାମନା କରିବା ଶିଖିବା , ନିଜେ ସଶକ୍ତ ହେଲେ ସମାଜ ସଶକ୍ତ ହେବ କହିଥିଲେ ।

ରାୟଗଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧକ୍ଷ୍ୟା, କନ୍ୟା ଛାତ୍ରୀମାନଙ୍କୁ ଉଚ୍ଚ ଶିକ୍ଷା ଓ ନେତୃତ୍ୱରେ ଆଗୁଆ ହେବାକୁ ପ୍ରେରିତ କଲେ। କଳ୍ପନା ଚାୱଲା ,ସୁନିତା ୱିଲ୍ଲିଅମ ର ଉଦାହରଣ ଦେଇ ଉଚ୍ଛାହୀତ କରିଥିଲେ, ୫୯ ଶତକଡା ବାଳିକା କଲେଜରେ ନାମ ଲେଖେଇ ପାରୁନାହାନ୍ତି । ପିରାମଲ ଫାଉଣ୍ଡେସନ ର ନରେଶ ଶର୍ମା ବାଲ୍ୟ ବିବାହ ତଥା ଋତୁସ୍ରାବ ବିଷୟ ରେ ସମାଜର ମାନସିକତା କଣ ଜଣେଇ ଥିଲେ , ନିଜର ଆତ୍ମବିଶ୍ବାସ ବଢାନ୍ତୁ , ସ୍ବର ଉଠାନ୍ତୁ , ଆଖିରେ ଆଖି ମିଶେଇ କଥା ହେବା ଶିଖିବା ପାଇଁ ବୁଝିଥିଲେ। ଆସିଷ୍ଟାଣ୍ଟ କଲେକ୍ଟର ଲିପ୍ଶା ପଟେଲ କବିତା ମାଧ୍ୟମ ରେ ଉଚ୍ଛାହୀତ କରିଥିଲେ । କିଶୋରୀ ବାଳିକା ମାନଙ୍କ ମଧ୍ୟରେ କୁଇଜ,ନୃତ୍ୟ, ବକୃତା, ଗଳ୍ପ ଲିଖନ ଓ ସଙ୍ଗୀତ ପ୍ରତିଯୋଗିତା କରାଯାଇ,କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା । କିଶୋରୀ ବାଳିକା ମାନେ କାହାଣୀ କାନ୍ଥ ରେ “ମୋ ସ୍ବର ମୋ ଅଧିକାର” ଥିମ କୁ ନେଇ କାହାଣୀ ଲେଖି କାହାଣୀ କାନ୍ଥ ରେ ଓ ଚିତ୍ର ଅଙ୍କନ କରି ଗ୍ରାଫିଟି ବୋର୍ଡ ରେ ଲଗାଇ ଥିଲେ । ଆନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ-୨୦୨୫ ର ବାର୍ତା “ ମୁଁ ହେଉଛି ସେହି ଝିଅ , ଯେଉଁ ପରିବର୍ତନ ର ମୁଁ ନେତୃତ୍ବ ନେଉଛି : ସଙ୍କଟର ଅଗଧାଡ଼ିରେ ଝିଅମାନେ “ ଉପରେ ଜିଲ୍ଲା ସୁରକ୍ଷା ଅଧିକାରୀ ଶ୍ରୀମତୀ ପ୍ରତିମା ରାଣୀ ଦାସ ଆଲୋକପାତ କରିଥିଲେ । । କାର୍ୟକ୍ରମ କୁ ଜିଲ୍ଲା ସଂଯୋଜକ ଶ୍ରୀ ଦିବାକର ପରିଚ୍ଛା ପରିଚାଳନା କରିଥିଲେ। ଏହି କାର୍ଯକ୍ରମରେ ଉପଖଣ୍ଡ ପି. ଓ.ଶୈଳଜା ଦାସ ଗୁଣୁପୁର ସିଡିପିଓ , ଜିଲ୍ଲା ପ୍ରଶାସନ, ହେନା ରାଣୀ ପ୍ରଧାନ,ଶିଶୁ ଅଧିକାର କର୍ମୀ ଆଭା ସଂସ୍ଥା, ରାଣୀ ସାହୁ, ଅରେଡା Technical professional , ଜିଲ୍ଲା ମହିଳା ସଶକ୍ତି କରଣ କେନ୍ଦ୍ରର କର୍ମକର୍ତ୍ତା , କିଶୋରୀ ବାଳିକା , ସୁପର ଭାଇଜର, ଅଙ୍ଗନବାଡି କର୍ମୀ , ସମାଜସେବୀମାନେ ଉପସ୍ଥିତ ହେଇଥିଲେ। ଶେଷରେ ଶ୍ରୀମତୀ ମିନତୀ ଦେଓ , ସମାଜ ମଙ୍ଗଳ ଅଧିକାରୀ ଧନ୍ୟବାଦ ଜଣାଇ କାର୍ୟକ୍ରମ ସମାପ୍ତ କରିଥିଲେ ।

ଏଣିକି ସ୍କୁଲ ପିଲାଙ୍କୁ ବସ ଭଡା ଛାଡ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ମୋହନ ସରକାର କଲେ ବଡ ଘୋଷାଣ। ଏଣିକି ସ୍କୁଲ ପିଲାଙ୍କୁ ରାଜ୍ୟର ସମସ୍ତ ଘରୋଇ ବସ ରେ ବସ ଭଡା ଛାଡ । ସ୍କୁଲ ୟୁନିଫର୍ମ ଓ ଆଇ କାର୍ଡ ଧରିଥିବା ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ପାଇବେ ଏହାର ସୁବିଧା ଆଉ ଦେବାକୁ ପଡିବନି ଟଙ୍କା। ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି ରେ ଲାଭପ୍ରଦ ହୋଇ ପାରିବେ ଗରୀବ ଛାତ୍ର ଛାତ୍ରୀ। ସରକାର ଙ୍କ ଏହି ଘୋଷଣା ପାଇଁ ସାଧୁବାଦ ଦେବା ସହ ଧନ୍ଯବାଦ୍ ଜଣାଇଥିଲେ ଓଡ଼ିଶା ବାସୀ ।

ଉପରାଷ୍ଟ୍ରପତି ନିର୍ବାଚନ ଦେବୀ-ବବି କଲେ କି ଷଡ଼ଯନ୍ତ୍ର? ବଦଳିଗଲା ନେତାଙ୍କ ନିଷ୍ପତ୍ତି, ଅନୁପସ୍ଥିତ ରହିବ ବିଜେଡି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ଦଳ ଭିତରେ ଘମାସନ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିଜେପି ନେତା ରାଜନାଥ ସିଂ ଉଭୟ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ଉପରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ପ୍ରାର୍ଥୀକୁ ସମର୍ଥନ ଦେବାକୁ ଅନୁରୋଧ କରିଥିବାବେଳେ ବିଜେଡିର ଆଭ୍ୟନ୍ତରୀଣ ରିପୋର୍ଟ ଏବେ ଦଳୀୟ ମହଲରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି । ଜୁଲାଇ ୨୬ତାରିଖରେ ଶଙ୍ଖଭବନରେ ଦଳର କୋର ଟିମ୍ ସଦସ୍ୟମାନଙ୍କ ବୈଠକରେ ଏକସ୍ୱରରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦଳ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ନବୀନ ନିବାସକୁ ଭିନ୍ନ ଏକ ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଉଛି । ଏନଡିଏ ପ୍ରାର୍ଥୀଙ୍କୁ ‘ବିରୋଧ’ ନୁହେଁ ବରଂ ଦଳର ସାଂସଦମାନେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ‘ଅନୁପସ୍ଥିତ’ ରହିବା ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ନବୀନ ନିବାସକୁ ବରିଷ୍ଠ ନେତା ଦେବୀ ମିଶ୍ର ଅବଗତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଦଳର କୋରଟିମ୍ ନେତାମାନଙ୍କ ନିଷ୍ପତ୍ତିକୁ  ନବୀନ ନିବାସ ପର୍ଯ୍ୟନ୍ତ ପହଂଚାଇବା ଭିତରେ କିଏ ଓ କାହିଁକି ବଦଳାଇ ଦେଲା ଓ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଘମାସନ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ, ଜୁଲାଇ ୨୬ତାରିଖ ଶନିବାର ଶଙ୍ଖଭବନରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଆଲୋଚନା ପାଇଁ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ମତ ରଖିଥିଲେ । ମାତ୍ର ଉପରାଷ୍ଟ୍ରପତି ନିର୍ବାଚନ ବହୁତ ସମୟ ଅଛି ଓ ପରବର୍ତ୍ତୀ ସମୟରେ ଆଲୋଚନା କରିବା କହି ଦେବୀ ମିଶ୍ର ଏହାକୁ ଏଡ଼ାଇ ଯିବାକୁ ପ୍ରୟାସ କରୁଥିଲେ । କିନ୍ତୁ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ସମେତ ଅନ୍ୟ ନେତାମାନେ ପ୍ରତାପଙ୍କୁ ସମର୍ଥନ କରିବା ପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜ୍ୟରେ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଆତ୍ମଘାତୀ ସଦୃଶ ହେବ ଓ ଲୋକେ ଆଉ ବିଜେଡିକୁ ଭରସା କରିବେ ନାହିଁ ବୋଲି ଅଧିକାଂଶ ନେତା ମତ ଦେବା ସହ ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳକୁ ବେଶ୍ ନିନ୍ଦିତ ଓ କ୍ଷତି ସହିବାକୁ ପଡ଼ିସାରିଛି ବୋଲି କହିଥିଲେ । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ ନକରିବାକୁ ଦଳର ନେତାମାନେ ନିଷ୍ପତ୍ତି ନେଇ ଏ ସମ୍ପର୍କରେ ନବୀନ ନିବାସକୁ ଆଗୁଆ ଅବଗତ କରାଇ ଦେବାକୁ ଦେବୀ ମିଶ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ସେଦିନ ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରଣବପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜୁଲାଇ ୨୬ତାରିଖରେ ଦଳର କୋରଟିମ୍ ସଦସ୍ୟମାନେ ନେଇଥିବା ନିଷ୍ପତ୍ତି ନବୀନ ନିବାସରେ ପହଂଚିବା ବେଳକୁ ସେଥିରେ ପରିବର୍ତ୍ତନ ହୋଇଯାଇଥିବା ଜଣାପଡ଼ିଛି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ ନୁହେଁ ବରଂ ଅନୁପସ୍ଥିତ ରହିବାକୁ ଦଳର ନିଷ୍ପତ୍ତି ନେଇଛନ୍ତି ବୋଲି ନବୀନ ନିବାସକୁ ରିପୋର୍ଟ ଦିଆଯାଇଥିବା ଦଳୀୟ ଚର୍ଚ୍ଚା ହେଉଛି । ଏଭଳି ପ୍ରାୟୋଜିତ ରିପୋର୍ଟ ନବୀନ ନିବାସ ପଠାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲା ଓ କାହିଁକି ଦଳୀୟ ନେତାମାନେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦିଆଗଲା ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଛି । ସୂତ୍ର ଅନୁସାରେ, ଦେବୀ ଓ ବବି ମିଳିତ ଭାବେ ଏଭଳି ରିପୋର୍ଟ ପ୍ରସ୍ତୁତ କରି ନବୀନ ନିବାସ ପଠାଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଯଦିଓ ଜୁଲାଇ ୨୬ତାରିଖ ବୈଠକରେ ବବି ନିଜେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆମେ ଆମର ମତାମତ ଦେଇ ଛାଡ଼ି ଦେବା ଓ ନବୀନ ନିବାସ ଯାହା ଠିକ୍ ସେଭଳି ନିଷ୍ପତ୍ତି ନେଉ ବୋଲି କହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । କେବଳ ସେତିକି ନୁହେଁ, ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ଅଗଷ୍ଟ ୮ତାରିଖରେ ଦଳର ବରିଷ୍ଠ ନେତା ମହେଶ ସାହୁ ଗଣମାଧ୍ୟମକୁ ସୂଚନା ଦେବା ପରେ ତାଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ତଥା ଜଣେ ପରାଜିତ ବିଧାୟକ ଫୋନ୍ କରି କାହିଁକି ଓ ତୁମକୁ କିଏ ଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିବା ମଧ୍ୟ ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ଏବେ ରାଜ୍ୟସଭାରେ ମାତ୍ର ୭ଜଣ ସାଂସଦ ଅଛନ୍ତି । ଦଳ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ମଧ୍ୟ ଅପକର୍ମକୁ ଲୁଚାଇବା ପାଇଁ ନିଜର ଉପରେ ପଡ଼ି ପ୍ରେମ ନିବେଦନ କରିବା ଆଭିମୁଖ୍ୟ ଛାଡ଼ିପାରିନଥିବା ଚର୍ଚ୍ଚା ହେଉଛି । ୱକଫ୍ ବିଲ ଓ ଅପରେସନ୍ ସିନ୍ଦୂର ଆଲୋଚନାବେଳେ ଦଳର ଆଭିମୁଖ୍ୟ ସମଗ୍ର ଦେଶ ଦେଖିଲା । ଏବେ ଅନୁରୂପ ଭାବେ ଦଳ ସମାନ ଆଭିମୁଖ୍ୟ ପୋଷଣ କରି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସେପ୍ଟେମ୍ବର ୯ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସାଂସଦମାନେ ଭୋଟିଂରୁ ଅନୁପସ୍ଥିତ ରହିପାରନ୍ତି ନଚେତ୍ ସେମାନଙ୍କୁ ବିବେକାନୁମୋଦିତ ଭୋଟ୍ ଦେବାକୁ କୁହାଯାଇପାରେ ।ଅନୁପସ୍ଥିତ ରହିଲେ ଏନଡିଏ ପ୍ରାର୍ଥୀଙ୍କ ଜିତିବାର ଭୋଟ୍ ବ୍ୟବଧାନ ଆହୁରି ବଢ଼ିଯିବ । ଆଉ ଯେଉଁ ବିବେକାନୁମୋଦିତ ଭୋଟକୁ ଆଧାର କରି ଦଳର ୫ଜଣ ସାଂସଦ ୱକଫ ବିଲରେ ଏନଡିଏ ସରକାରଙ୍କୁ ସମର୍ଥନ କରିବାରେ ସକ୍ଷମ ହୋଇଥିଲେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ‘ଗୋପନ ମତଦାନ’ର ପ୍ରାବଧାନ ଥିବାରୁ ବିଜେଡି ତା’ର ଫାଇଦା ଉଠାଇ ସେହି ବିବେକାନୁମୋଦିତ ଭୋଟ୍ ଅବା ‘ଅନୁପସ୍ଥିତ’ ରହି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବିଜେଡିର ଏବେ ଯେଉଁ ୭ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବାଦ୍ ଦେଲେ ଅନ୍ୟ ୫ଜଣ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନପନ୍ଥୀ ଓ ତାଙ୍କ ଯୋଗୁ ରାଜ୍ୟସଭାକୁ ଯାଇପାରିଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତାଙ୍କ ବିରୁଦ୍ଧରେ ଇଣ୍ଡିଆ ମେଂଟ ନିଜର ପ୍ରାର୍ଥୀ ଭାବେ ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି । ଲୋକସଭାରେ ୫୪୩ଟି ଆସନ ମଧ୍ୟରୁ ଗୋଟିଏ ସିଟ୍ ଓ ରାଜ୍ୟସଭାରେ ୨୪୫ଟି ଆସନ ମଧ୍ୟରୁ ୬ଟି ସିଟ୍ ( ଜାମ୍ମୁକାଶ୍ମୀରର ୪ଟି, ଝାଡ଼ଖଣ୍ଡ ଓ ପଞ୍ଜାବର ଗୋଟିଏ ଲେଖାଏଁ) ଖାଲି ପଡ଼ିଛି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ତେଣୁ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ଜଣ ସାଂସଦଙ୍କୁ ମିଶାଇଲେ ମୋଟ ଭୋଟ୍ ସଂଖ୍ୟା ୭୮୧ ହେବ । ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଅର୍ଥାତ୍ ୩୯୧ଟି ଭୋଟ୍ ଆବଶ୍ୟକ । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଲୋକସଭାରେ ୨୯୩ଜଣ ସାଂସଦ( ବିଜେପିର ୨୪୦ ଓ ୫୩ ମେଂଟ ସହଯୋଗୀ) ଏବଂ ରାଜ୍ୟସଭାରେ ୧୩୦ (ବିଜେପି ୯୭, ମେଂଟ ସହଯୋଗୀ ଓ ମନୋନୀତ-୩୩ଜଣ) ଅଛନ୍ତି । ଫଳରେ କେବଳ ଏନଡିଏର ମୋଟ ଭୋଟ୍ ୪୨୩ ହେଉଛି । ଜିତିବା ପାଇଁ ୩୯୧ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଏନଡିଏ ପାଖରେ ଏବେ ୪୨୩ ସାଂସଦଙ୍କ ସମର୍ଥନ ରହିଛି । ଅବଶ୍ୟ ଅଧିକରୁ ଅଧିକ ଦଳଙ୍କ ସମର୍ଥନ ପାଇଁ ବିଜେପି ପ୍ରୟାସ ଜାରି ରଖିଛି ।

ଡଙ୍ଗରିଆ କନ୍ଧଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ; ଖୁବଶୀଘ୍ର ଗଠନ ହେବ ସ୍ୱତନ୍ତ୍ର ମାଷ୍ଟରପ୍ଲାନ୍ ଓ ବୋର୍ଡ ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନିୟମଗିରି ପାହାଡ଼ରେ ବସବାସ କରୁଥିବା ଡଙ୍ଗରିଆ କନ୍ଧ ସମୁଦାୟର ଲୋକମାନଙ୍କ ସାମଗ୍ରିକ ବିକାଶ ନିମନ୍ତେ ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ବୋର୍ଡ କିମ୍ବା ପରିଷଦ ଗଠନ କରିବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଡଙ୍ଗରିଆ କନ୍ଧ ସମୁଦାୟର ମହିଳାମାନେ ଗତ ଶନିବାର ରାଖି ବାନ୍ଧି ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ କରିବା ପରେ ସରକାରୀସ୍ତରରେ ଏନେଇ ତତ୍ପରତା ପ୍ରକାଶ ପାଇଛି । ଡଙ୍ଗରିଆ କନ୍ଧ ସମୁଦାୟର ପ୍ରତିନିଧି ଓ ସ୍ଥାନୀୟ ଜନପ୍ରତିନିଧିଙ୍କୁ ସାମିଲ କରି ନିୟମଗିରି ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଏବଂ ସେମାନଙ୍କର ଆସ୍ଥା ଜିଣିବା ଦିଗରେ ଆବଶ୍ୟକ ରୂପରେଖ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ‘ଡଙ୍ଗରିଆ କନ୍ଧ’ ମହିଳାମାନେ ଇତିହାସରେ ପ୍ରଥମଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧି ସିଧାସଳଖ ନିଜର ସମସ୍ୟା ସମ୍ପର୍କରେ ଅବଗତ କରାଇବାର ସୁଯୋଗ ପାଇଥିବାବେଳେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମଧ୍ୟ ସେମାନଙ୍କର ସମସ୍ୟାକୁ ଅତ୍ୟନ୍ତ ଗୁରୁତର ସହ ନେଇଥିବା ଜଣାପଡ଼ିଛି । ନିୟମଗିରି ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧଙ୍କ ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଯାଉଛନ୍ତି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ସୂତ୍ର ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କୋରାପୁଟ ଗସ୍ତରୁ ଫେରିବା ପରେ ଏହି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ନିୟମଗିରି ଅଂଚଳରେ ରହୁଥିବା ଏହି ଆଦିମ ଜନଜାତି ବର୍ଗର ଲୋକମାନଙ୍କୁ ସବୁପ୍ରକାରର ମୌଳିକ ସୁବିଧାସୁଯୋଗ ଯୋଗାଇ ଦେବା ଓ ସେମାନଙ୍କ ଅଂଚଳରେ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଏହି ମାଷ୍ଟରପ୍ଲାନରେ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ ବୋଲି ଜଣାପଡ଼ିଛି । ବିଶେଷକରି ସ୍ୱତନ୍ତ୍ର ବୋର୍ଡ, ଅବା ପ୍ରାଧିକରଣ ଅବା ବିକାଶ ପରିଷଦ ଗଠନ କରି ସେଥିରେ ଡଙ୍ଗରିଆ କନ୍ଧ ସମୁଦାୟର ପ୍ରତିନିଧିଙ୍କୁ ସାମିଲ କରି ସେହି ଅଂଚଳରେ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ସରକାର ଗୁରୁତ୍ୱ ଦେଉଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ସୂଚନା ମିଳିଛି । ଯଦିଓ ଡଙ୍ଗରିଆ କନ୍ଧଙ୍କ ବିକାଶ ନିମନ୍ତେ ୧୯୬୪ ମସିହାରୁ ‘ଡଙ୍ଗରିଆ କନ୍ଧ ଉନ୍ନୟନ ଏଜେନ୍ସୀ(ଡିକେଡିଏ)’ କାର୍ଯ୍ୟ କରୁଛି କିନ୍ତୁ ତାହା ଫଳପ୍ରଦ ହୋଇପାରୁନି ।

ନିୟମଗିରି ପାହାଡ଼ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧ ବର୍ଗର ଲୋକଙ୍କୁ ନିଜର ବିକାଶ  କାର୍ଯ୍ୟରେ ସିଧାସଳଖ ଭାଗିଦାରୀର ସୁଯୋଗ ଦେବା ଓ ବିକାଶ କାର୍ଯ୍ୟକୁ ତ୍ୱରାନ୍ୱିତ ନିମନ୍ତେ ଏଭଳି ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି । ନିୟମଗିରି ଅଂଚଳର ଡଙ୍ଗରିଆ କନ୍ଧ ଓ କୁଟିଆ କନ୍ଧ ମହିଳାମାନେ ଗତ ରାକ୍ଷୀ ପୂର୍ଣ୍ଣିମାରେ କୋରାପୁଟ ଯାଇ ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ରାକ୍ଷୀ ବାନ୍ଧିବା ସହ ନିଜ ଅଂଚଳର ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି । ଶ୍ରୀ ମାଝୀ ଏହି ସମୁଦାୟର ମହିଳାମାନଙ୍କଠାରୁ ‘ସୁରକ୍ଷା ଓ ସମ୍ମାନ’ର ଏହି ପାରଂପରିକ ପ୍ରତୀକ ଭାବେ ରାଖି ବାନ୍ଧିଥିବା ପ୍ରଥମ ମୁଖ୍ୟମନ୍ତ୍ରୀ । ମହିଳାମାନେ ଏହି ଅବସରରେ ନିଜ ଅଂଚଳରେ ସ୍ୱାସ୍ଥ୍ୟ, ଶିକ୍ଷା, ରାସ୍ତା, ପିଇବା ପାଣି ଓ ଜୀବନଜୀବିକା ଆଦି ମୌଳିକ ସୁବିଧାର ଅଭାବ ସମ୍ପର୍କର୍ରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି । ଏହାସହିତ ନିଜର ସମସ୍ୟାକୁ ନେଇ ସ୍ୱର ଉଠାଇଲେ ସେମାନଙ୍କୁ ନକ୍ସଲ କହି ପୁଲିସ ଓ ପ୍ରଶାସନ ବିଭିନ୍ନ ସମୟରେ ଶୋଷଣ ଓ ଅତ୍ୟାଚାର କରାଯାଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଥିବା ସୂଚନା ମିଳିଛି । ସମଗ୍ର ଦେଶରେ ଚିହ୍ନଟ ହୋଇଥିବା ମୋଟ୍ ୭୫ଟି ସମୁଦାୟର ପିଭିଟିଜି(ପ୍ରାଥମିକ ଭାବେ ଅସୁରକ୍ଷିତ ଆଦିବାସୀ ଗୋଷ୍ଠୀ) ମଧ୍ୟରୁ କେବଳ ଓଡ଼ିଶାରେ ଥିବା ୧୩ଟି ବର୍ଗର ପିଭିଟିଜିଙ୍କ ମଧ୍ୟରେ ଡଙ୍ଗରିଆ କନ୍ଧ ଓ କୁଟିଆ କନ୍ଧ ରହିଛନ୍ତି । ନିୟମଗିରି ପାହାଡ଼ ଅଂଚଳରେ ରହୁଥିବା ଡଙ୍ଗରିଆ କନ୍ଧମାନେ ରାକ୍ଷୀ ପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା, ମୌଳିକ ସୁବିଧାରୁ ବଂଚିତ ସହ ସେମାନେ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ଅବଗତ କରାଇବାକୁ ପ୍ରଶାସନିକ ମହଲରେ ବେଶ୍ ଗୁରୁତ୍ୱ ଦିଆଯାଉଛି । ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ,ଏହି ଆଦିମ ଜନଜାତି ‘ଡଙ୍ଗରିଆ କନ୍ଧ’ ସମୁଦାୟ କେବଳ ନିୟମଗିରି ଅଂଚଳରେ ଦେଖିବାକୁ ମିଳନ୍ତି ।

ପ୍ରକୃତିକୁ ନିଜର ଭଗବାନ ଭାବେ ଏହି ସମୁଦାୟର ଲୋକେ ପୂଜାର୍ଚ୍ଚନା କରିଥାନ୍ତି । ୨୦୧୬ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ସଂସ୍ଥା ଦ୍ୱାରା କରାଯାଇଥିବା ଏକ ବେସଲାଇନ ସର୍ଭେ ଅନୁସାରେ, ରାୟଗଡ଼ା ଜିଲ୍ଲାରେ ମୋଟ ୯୮ଟି ଗାଁରେ ୧୮୯୨ଟି ଡଙ୍ଗରିଆ କନ୍ଧ ପରିବାର ରହୁଛନ୍ତି ଓ ସେଥିରେ ୭୭୨୨ ଜଣ  (୪୪୪୩ ମହିଳା ଓ ୩୨୭୯ ପୁରୁଷ) ଲୋକ ଅଛନ୍ତି । ଏହି ଗାଁଗୁଡ଼ିକ ମୌଳିକ ସୁବିଧା ସୁଯୋଗରୁ ବଂଚିତ ହୋଇ ରହିଛି । ମାତ୍ର ୩୧ଟି ଗାଁରେ ବିଦ୍ୟାଳୟ, ୨୮ଟି ଗାଁରେ ଅଙ୍ଗନବାଡ଼ି କେନ୍ଦ୍ର ଓ ୧୬ଟି ଗାଁରେ ମୋଟରଚାଳିତ ରାସ୍ତା ଅଛି । ସର୍ଭେ ଅନୁସାରେ, ଡଙ୍ଗରିଆ କନ୍ଧଙ୍କ ମୋଟ୍ ସାକ୍ଷରତା ହାର ୨୯%, ଯେଉଁଥିରେ ପୁରୁଷଙ୍କ ସାକ୍ଷରତା ୨୪.୫% ଓ ମହିଳାଙ୍କ ସାକ୍ଷରତା ୧୫.୯% ରହିଛି । ଶୁଦ୍ଧ ପାନୀୟ ଜଳ ସାତ ସପନ ପାଲଟିଛି । ଜୀବନଜୀବିକା ନିର୍ବାହ ପାଇଁ ପାରମ୍ପରିକ ଉପାୟ ଛଡ଼ା ଅନ୍ୟ ବିକଳ୍ପ ମଧ୍ୟ ସେମାନଙ୍କ ପାଖରେ ନାହିଁ । ଦୀର୍ଘ ୬ ଦଶନ୍ଧି ଧରି ‘ଡଙ୍ଗରିଆ କନ୍ଧ ଉନ୍ନୟନ ଏଜେନ୍ସୀ’ ମାଧ୍ୟମରେ ସରକାର ଅର୍ଥ ଆବଂଟନ କରୁଥିଲେ ମଧ୍ୟ ସେଥିରେ ସମ୍ପୃକ୍ତ ସମୁଦାୟର ଲୋକଙ୍କ ଅନୁପସ୍ଥିତି ଯୋଗୁ ଏହି ଏଜେନ୍ସୀ କେବଳ ଧର୍ମକୁ ଆଖିଠାର ମାରିବା ସଦୃଶ ହୋଇଛି । ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଏହି ଡଙ୍ଗରିଆ କନ୍ଧ ସମୁଦାୟର ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବାପରେ ନିୟମିଗିରି ଅଂଚଳରେ ତ୍ୱରିତ୍ ବିକାଶ କାର୍ଯ୍ୟ ସହ ଡଙ୍ଗରିଆ କନ୍ଧଙ୍କ ସାମଗ୍ରିକ ବିକାଶ ତ୍ୱରାନ୍ୱିତ ହେବାର ସମ୍ଭାବନା ଥିବା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ବିଭାଗ ସୂତ୍ରରୁ ଜଣାପଡ଼ିଛି ।

୨୪ ବର୍ଷ ପରେ ଓଡ଼ିଶାରେ ହେବ ଭୋଟର ତାଲିକାର ସ୍ପେଶାଲ୍‌ ଇଣ୍ଟେନସିଭ୍‌ ରିଭିଜନ୍‌ (SIR) ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ରାଜ୍ୟରେ ୨୪ ବର୍ଷ ପରେ ଭୋଟର ତାଲିକାର ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ପ୍ରକ୍ରିୟା ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବାକୁ ଯାଉଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର.ଏସ୍‌. ଗୋପାଳନ  ସୋମବାର ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ୨୦୦୨ ମସିହାରେ ରାଜ୍ୟରେ ଏଭଳି ଏକ ସ୍ୱତନ୍ତ୍ର ସଂଶୋଧନ ପ୍ରକ୍ରିୟା କରାଯାଇଥିଲା। ଏହି ସ୍ପେଶାଲ୍ ଇଣ୍ଟେନସିଭ୍ ରିଭିଜନ୍ (SIR) ପ୍ରକ୍ରିୟାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ତାଲିକାକୁ ତ୍ରୁଟିମୁକ୍ତ କରିବା। ଏହା ମାଧ୍ୟମରେ ଭୋଟର ତାଲିକାରୁ ଅଯୋଗ୍ୟ, ମୃତ ବା ଅନୁପସ୍ଥିତ ଭୋଟରଙ୍କ ନାମ ବାଦ ଦିଆଯିବ ଏବଂ ନୂତନ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରାଯିବ। ଏହା ସହିତ ଭୋଟର ପରିଚୟ ପତ୍ରରେ ଥିବା ତ୍ରୁଟି ଯଥା ନାମ, ଠିକଣା ବା ଅନ୍ୟାନ୍ୟ ତଥ୍ୟରେ ସଂଶୋଧନ କରାଯିବ। ଆର.ଏସ୍‌. ଗୋପାଳନ କହିଛନ୍ତି, “ଏହି ପ୍ରକ୍ରିୟା ନିର୍ବାଚନକୁ ଅଧିକ ସ୍ୱଚ୍ଛ ଓ ନିରପେକ୍ଷ କରିବାରେ ସହାୟକ ହେବ। ପ୍ରତ୍ୟେକ ଯୋଗ୍ୟ ଭୋଟରଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ଏବଂ ଅଯୋଗ୍ୟ ନାମଗୁଡ଼ିକୁ ବାଦ ଦେବା ହେଉଛି  ଆମର ଲକ୍ଷ୍ୟ ।” ଏହି ଝଓଜ ପ୍ରକ୍ରିୟା ୨୦୨୫ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୨୦୨୬ ଜାନୁଆରୀ ୭ ସୁଦ୍ଧା ଚୂଡ଼ାନ୍ତ ଭେରିଫିକେସନ ସହିତ ସମାପ୍ତ ହେବ। ଏହି ସମୟରେ ରାଜ୍ୟର ସମସ୍ତ ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଏବଂ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀରେ ଘରେ ଘରେ ଯାଇ ଭୋଟର ତାଲିକାର ଯାଞ୍ଚ କରାଯିବ। ଏଥିପାଇଁ ବୁଥ ଲେଭେଲ ଅଫିସର ଏବଂ ଅନ୍ୟାନ୍ୟ ନିର୍ବାଚନ ଅଧିକାରୀମାନେ ନିୟୋଜିତ ହେବେ। ଏହା ସହିତ, ଅନଲାଇନ୍ ପୋର୍ଟାଲ www.nvsp.in ଏବଂ Voter Helpline App ମାଧ୍ୟମରେ ଜନସାଧାରଣ ନିଜର ନାମ ଯାଞ୍ଚ କରିପାରିବେ ଏବଂ ଆବଶ୍ୟକ ହେଲେ ସଂଶୋଧନ କିମ୍ବା ନୂତନ ପଞ୍ଜୀକରଣ ପାଇଁ ଆବେଦନ କରିପାରିବେ। ଅଫଲାଇନ୍ ମାଧ୍ୟମରେ ମଧ୍ୟ ସଂଶୋଧନ ପାଇଁ ଫର୍ମ-୬, ଫର୍ମ-୭ ଓ ଫର୍ମ-୮ ଉପଲବ୍ଧ ରହିଛି। ଏହୀ ଝଓଜ ପ୍ରକ୍ରିୟା ଘୋଷଣା ପୂର୍ବରୁ ବିଜେଡି ଏବଂ କଂଗ୍ରେସ ଏହାକୁ ରାଜନୈତିକ ପ୍ରଭାବ ସୃଷ୍ଟି କରିବାର ଏକ ଉଦ୍ୟମ ବୋଲି ଅଭିଯୋଗ କରିଥିଲେ। ତେବେ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଗୋପାଳନ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, “ଏହି ପ୍ରକ୍ରିୟା ସମ୍ପୂର୍ଣ୍ଣ ନିରପେକ୍ଷ ଓ ସ୍ୱଚ୍ଛ ହେବ। ଏହାର ଉଦ୍ଦେଶ୍ୟ କେବଳ ନିର୍ବାଚନ ପ୍ରକ୍ରିୟାକୁ ସୁଦୃଢ଼ କରିବା ଏବଂ ଭୋଟର ତାଲିକାରେ ସଠିକତା ଆଣିବା।” ସେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ପ୍ରକ୍ରିୟାରେ ସହଯୋଗ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି। ଏହି ଝଓଜ ପ୍ରକ୍ରିୟା ଜନସାଧାରଣଙ୍କୁ ନିଜର ଭୋଟର ତାଲିକା ଯାଞ୍ଚ କରିବାର ଏକ ସୁଯୋଗ ପ୍ରଦାନ କରୁଛି। ଯେଉଁମାନେ ୧୮ ବର୍ଷ ବୟସ ପୂର୍ଣ୍ଣ କରିଛନ୍ତି, ସେମାନେ ନୂତନ ଭାବେ ପଞ୍ଜୀକରଣ କରିପାରିବେ। ଏହା ସହିତ, ଭୋଟର ପରିଚୟ ପତ୍ରରେ ନାମ, ଠିକଣା, ଫଟୋ ବା ଅନ୍ୟାନ୍ୟ ତ୍ରୁଟି ସଂଶୋଧନ କରିବାର ସୁଯୋଗ ମିଳିବ।ଜନସାଧାରଣ ସ୍ଥାନୀୟ ବୁଥ ଲେଭେଲ ଅଫିସରଙ୍କ ସହ ଯୋଗାଯୋଗ କରନ୍ତୁ କିମ୍ବା ନିର୍ବାଚନ କମିଶନର ଅଫିସିଆଲ ୱେବସାଇଟ୍ ମାଧ୍ୟମରେ ନିଜର ତଥ୍ୟ ଯାଞ୍ଚ କରନ୍ତୁ  ବୋଲି ଶ୍ରୀ ଗୋପାଳନ ଅନୁରୋଧ କରିଛନ୍ତି । ଏହି ପ୍ରକ୍ରିୟା ମାଧ୍ୟମରେ ଓଡ଼ିଶାରେ ଥିବା ପ୍ରାୟ ୩.୫୧ କୋଟି ଭୋଟରଙ୍କ ତାଲିକାକୁ ସାମିଲ​ କରାଯିବ। ଶ୍ରୀ ଗୋପାଳନ​ ଅନୁଯାୟୀ, ଏହା ଆଗାମୀ ନିର୍ବାଚନଗୁଡ଼ିକୁ ଅଧିକ ନିର୍ଭୁଲ ଓ ନ୍ୟାୟପୂର୍ଣ୍ଣ କରିବ। ଏହା ସହିତ, ଡିଜିଟାଲ ପ୍ଲାଟଫର୍ମର ବ୍ୟବହାର ଏହି ପ୍ରକ୍ରିୟାକୁ ଆହୁରି ସହଜ ଓ ଜନସାଧାରଣଙ୍କ ପାଇଁ ସୁଗମ କରିବ।

ଡାକ୍ତରଙ୍କ ବୟାନ ପରେ ବଢ଼ିଲା ସସପେନ୍ସ ; ପାଣ୍ଡିଆନ ଦମ୍ପତି ନବୀନ ଙ୍କୁ ଭେଟିବାରେ ସାଜିଛନ୍ତି କି ବାଧକ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିବାବେଳେ ଆଜି ଡାକ୍ତରଙ୍କ ବୟାନ ଆହୁରି ସସପେନ୍ସ ବଢ଼ାଇ ଦେଇଛି। ଗତକାଲି ତୁଳନାରେ ଆଜି (ସୋମବାର) ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଓ ସେ ତାଙ୍କ ଚାରିପାଖରେ ଥିବା ଲୋକମାନଙ୍କୁ ଚିହ୍ନି ପାରୁଛନ୍ତି ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି। ଏହାସହିତ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି କିଛି ଅଛି ଯାହା ଲୁଚାଇବାକୁ ପାଣ୍ଡିଆନ ଦମ୍ପତି ଏପର୍ଯ୍ୟନ୍ତ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ପାଖ ମଡ଼ାଇ ଦେଉନଥିବା ଚର୍ଚ୍ଚା ଜୋର ଧରିଛି। ନିଜ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲ ପରିସରରେ ଅପେକ୍ଷାରତ ବିଜେଡିର ଆଗଧାଡ଼ିର ନେତାମାନଙ୍କୁ ଆଜି ଦିନ ପ୍ରାୟ ୧ଟାବେଳେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦୁଇଜଣ ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ଚିକିତ୍ସା ଏହି ଦୁଇ ଡାକ୍ତର କରୁଛନ୍ତି ବୋଲି ବିଜେଡି ନେତାମାନଙ୍କ ଆଗରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପରିଚିତ କରାଇଥିଲେ। ଜଣେ ଡାକ୍ତର ଧର ଓ ଜଣେ ପାଣିଗ୍ରାହୀ ବୋଲି କୁହାଯାଉଛି। ଏହି ଦୁଇ ଡାକ୍ତର କହିଥିଲେ ଯେ, ‘ଗତକାଲିଠୁ ଆଜି ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଭଲ ଭାବେ ବୁଝିପାରୁଛନ୍ତି। ଆଜି ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି। ତେବେ ତାଙ୍କର ଅଧିକ କିଛି ପରୀକ୍ଷାନିରୀକ୍ଷା କରାଯିବା କଥା ଚିନ୍ତା କରାଯାଉଛି। ଡାକ୍ତରୀ ଟିମ୍ ଅପରାହ୍ନ ୪ଟାବେଳେ ବସିଲେ ଯାହା ସ୍ଥିର ହେବ। ତା’ପରେ ତାଙ୍କର ଡିସଚାର୍ଜ କଥା ନିଷ୍ପତ୍ତି ହେବ’ ବୋଲି ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତର ବୟାନ ଦେଉଥିବାବେଳେ ସୁଜାତା ମଝିରେ ହସ୍ତକ୍ଷେପ କରି ସେ କମ୍ ପାଣି ପିଉଥିଲେ ଓ ତାଙ୍କର ‘ସିଭିୟର ଡିହାଇଡ୍ରେସନ୍‌’ ହୋଇଯାଇଥିଲା। ଏବେ ସବୁକିଛି ଠିକ୍ ଅଛି’ ବୋଲି କହିଥିଲେ।

ତେବେ ଡାକ୍ତରଙ୍କ ବୟାନରୁ ଜଣାପଡ଼ୁଛି ଯେ, ନବୀନବାବୁ ଗତକାଲି ଲୋକଙ୍କୁ ଚିହ୍ନିପାରୁନଥିଲେ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାଣ୍ଡିଆନ ଦମ୍ପତି ମାତ୍ରାଧିକ ସସପେନ୍ସ ବଜାୟ ରଖିଥିବାରୁ ପ୍ରକୃତରେ ନବୀନ କାହିଁକି ଅସୁସ୍ଥ ହୋଇଛନ୍ତି ସେ ତଥ୍ୟ ପଦାକୁ ଆସିପାରୁନି ବୋଲି ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଯଦି ନବୀନ ନିବାସ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ଦୀର୍ଘବର୍ଷ ଧରି ନବୀନ ନିବାସରେ ଥିବା ତଥା ନବୀନଙ୍କ ବ୍ୟକ୍ତିଗତ କଥା ବୁଝାସୁଝା କରୁଥିବା ଜଣେ କର୍ମଚାରୀଙ୍କୁ ଆଜି ଚାକିରିରୁ କାଢ଼ି ଦିଆଯାଇଛି। ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କୁ ଭେଟିବାକୁ ବିଜେଡିର ବରିଷ୍ଠ ନେତାମାନେ ଗତକାଲିଠୁ ଡେରା ପକାଇଛନ୍ତି। ଦଳର ସବୁ ଆଗଧାଡ଼ିର ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ସମ୍ ହସ୍ପିଟାଲ ଯାଇ ନିଜ ପ୍ରିୟ ନେତାଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଜଣେ ବି ନେତାଙ୍କୁ ଭେଟିବାର ସୁଯୋଗ ମିଳିପାରିନଥିବା ଜଣାପଡ଼ିଛି। ଯଦିଓ ନବୀନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲାଣି ବୋଲି ଡାକ୍ତରୀ ଟିମ୍ ଓ ପାଣ୍ଡିଆନ ଦମ୍ପତି ଦାବି କରୁଛନ୍ତି ତଥାପି ବିଜେଡିର କୌଣସି ଜଣେ ବି ନେତାଙ୍କୁ କାହିଁକି ନବୀନଙ୍କ ପାଖକୁ ଯିବାକୁ ସୁଯୋଗ ମିଳୁନି ତାହା ଏବେ ଦଳୀୟ ନେତାମାନଙ୍କୁ କ୍ଷୁବ୍ଧ କରିବା ସହ ସନ୍ଦେହ ବଢ଼ାଇଛି। ପାଣ୍ଡିଆନ ଦମ୍ପତି କ’ଣ ଲୁଚାଇବା ପାଇଁ ଏଭଳି କରୁଛନ୍ତି ଓ କାହାରିକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭେଟିବାର ସୁଯୋଗ ଦେଉନାହାନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ନେତା ହସ୍ପିଟାଲରେ ନିଜର ପ୍ରିୟ ନେତା ନବୀନଙ୍କୁ ଭେଟିବାର ସୁଯୋଗ ଏପର୍ଯ୍ୟନ୍ତ ପାଇନଥିବା ଜଣାପଡ଼ିଛି। ଯଦିଓ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଏପରିକି ପାଣ୍ଡିଆନଙ୍କ ୨ ଜଣ ଖାସ୍ କର୍ମଚାରୀ ହସ୍ପିଟାଲରେୂ ନବୀନଙ୍କୁ ଭେଟିବାର ସୁଯୋଗ ପାଉଥିବା ସୂଚନା ମିଳିଛି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବାବେଳେ ତାଙ୍କୁ ଭେଟିବା ପାଇଁ ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଛୋଟ ଟିମକୁ ମାତ୍ର ୧-୨ ମିନିଟ୍ ପାଇଁ ଦୂରରୁ ଅନୁମତି ଦେବାରେ କାହିଁକି ପାଣ୍ଡିଆନ ଦମ୍ପତି ବାଧକ ସାଜିଛନ୍ତି ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି। ବାଲେଶ୍ୱର ଏଫଏମ୍ ଛାତ୍ରୀ ଓ ବଳଙ୍ଗା ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଭେଟିବା ପାଇଁ ଏହି ବିଜେଡି ହିଁ ଗଣମାଧ୍ୟମରେ ଚିତ୍କାର କରୁଥିଲା ଓ ସରକାରଙ୍କ ବିରୁଦ୍ଧରେ ବର୍ଷୁଥିଲା। ମାତ୍ର ଏବେ ନିଜ ଦଳର ନେତାଙ୍କୁ କାହିଁକି ଭେଟିପାରୁନାହାନ୍ତି ସେନେଇ ମୁହଁରେ ତୁଣ୍ଡି ବାନ୍ଧିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନବୀନ ମୁମ୍ବାଇରେ ଚିକିତ୍ସିତ ହୋଇ ଜୁଲାଇ ୧୨ ତାରିଖରେ ଭୁବନେଶ୍ୱର ଫେରିବା ପରଠୁ ତାଙ୍କୁ ଦଳର କୌଣସି ଜଣେ ମଧ୍ୟ ନେତା ବ୍ୟକ୍ତିଗତ ଭାବେ ଭେଟିବାର ସୁଯୋଗ ପାଇନାହାନ୍ତି।

ଟ୍ରକ ସଂଘ ର ପୂର୍ବତନ ସଭାପତି ନାକିଟି ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ସମସ୍ତ ଦୁର୍ନୀତିର ଗୁମର ଖୋଲିବେ ବର୍ତ୍ତମାନ୍ ର ସଭାପତି ୟାଲା କୋଣ୍ଡା ବାବୁ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ବରିଷ୍ଠ ବିଜେଡ଼ି ନେତା ତଥା ଟ୍ରକ ମାଲିକ ସଙ୍ଘ ର ପୂର୍ବତନ ସଭାପତି ଏନ ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ବିରୋଧ ରେ ୬୦ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ଆଣି ରାୟଗଡା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବର୍ତ୍ତମାନ ସଙ୍ଘ ର ସଭାପତି ୟାଲା କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ନାକେଟି ଭାସ୍କର ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ଆର୍ଥିକ ଅନିୟମିତତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରମାଣ ସହ ଆଲୋକପାତ କରାଯାଇଥିଲା । ଟ୍ରକ୍ ମାଲିକ ସଂଘର ନୂତନ ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ କହିବା ଅନୁଯାୟୀ ପ୍ରାୟ ୩୭ ବର୍ଷ ଧରି ୧୯୮୩ ରୁ ୨୦୨୦ ପର୍ଯ୍ୟନ୍ତ ଭାସ୍କର ଆନ୍ନା ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ଥିବା ବେଳେ ଏକଛାତ୍ରବାଦ ଶାସନ ଚଳାଇଥିଲେ। ସଂଘର ସମ୍ପତ୍ତି କୁ ପୁର୍ବତନ ସଭାପତି ନିଜ ସ୍ବାର୍ଥ ଦୃଷ୍ଟିରେ ରଖି ବେନାମୀ ସମ୍ପତ୍ତି ଓ ବାହୁବଳ ପ୍ରୟାଗ କରି ଭୁ କବଜା ଓ ଅନାଧିକୃତ ପାଣ୍ଠି ସଂଗ୍ରହ କରିଥିଲେ। ଟ୍ରକ୍ ମାଲିକ ସଂଘ କୁ ଉପଯୁକ୍ତ ପଞ୍ଜିକରଣ ବିନା ୩୭ ବର୍ଷ ସଂଘକୁ ପରିଚାଳନା କରି ସଂଘ ର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି,। ୨୦୦୩ ମସିହାରେ ଯେତେବେଳେ ରାୟଗଡ଼ା ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା ସେ ସମୟରେ ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି । ସେମିତି କହି ଟ୍ରକ୍ ମାଲିକମାନଙ୍କ ଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ନକ୍ସଲ ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ରୁ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ୍ ଦେଖିବାକୁ ରହିଲା କେଉଁ ପାଣି କେଉଁ ଆଡ଼େ ଗତି କରୁଛି ଆଉ ମାଲିକ ସଂଘ ପକ୍ଷରୁ ଆଗାମୀ କାର୍ଯ୍ୟକାରୀ ପନ୍ଥା କଣ ରହୁଛି। ଆନ୍ନା ବେଳ ଥାଉ ଥାଉ ସବୁ ସମାଧାନ କରିନିଅ ଏବଂ ସୁଧୁରି ଯାଅ ନହେଲେ ଲୋକେ ନିଜ ନିଜ ନାକରେ ଆଙ୍ଗୁଠି  ମାରି କହିବେ ହୋଇ’ହୋ ବାବୁ “ଏଥର ସମ୍ଭାଳ”

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଲେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର ) – ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଭିତରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣାମାଧ୍ୟମରେ ନିଜର ମତ ବ୍ୟକ୍ତ କରି କହିଛନ୍ତି, ‘‘ରାଜ୍ୟ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହେବ ତାହା ମୁଁ ଜାଣେ। ଏନେଇ ସରକାର ମଧ୍ୟ ଅବଗତ ଅଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯିବ। ସେ ନିଷ୍ପତ୍ତକୁ ସମସ୍ତେ ଗ୍ରହଣ କରିବେ। ମୋ ନାଁ ଚର୍ଚ୍ଚା ହେଉ ଥାଇପାରେ । ହେଲେ ମୁଁ ସେଭଳି କିଛି ଜାଣିନି। ସେ ଆଶା ମୋର ନୁହେଁ; ଆଶା କଣ୍ଟାବାଞ୍ଜି ବାସୀଙ୍କର। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ; ସେ କିଭଳି ଚଳାଇବେ। ବିଧାୟକ ଭାବେ ଯେଉଁ କାର୍ଯ୍ୟ କରିବା କଥା ଆମେ କାର୍ଯ୍ୟ କରିଚାଲିଛୁ । ପୂର୍ବରୁ ସଭାପତି ମୋତେ ରିପୋର୍ଟ୍ କାର୍ଡ ମାଗିଥିଲେ। ମୁଁ ସଭାପତିଙ୍କୁ ରିପୋର୍ଟ କାର୍ଡ ଦେଇଛି। ଆମ କାର୍ଯ୍ୟ ଗଣମାଧ୍ୟମଠାରୁ ସାମାଜିକ ଗଣମାଧ୍ୟମ ସବୁଠାରେ ଦେଖାଯାଉଛି।

ମୂଷା ଏବଂ ପୋକ ଖାଇଗଲେ ୪୦୦ କୁଣ୍ଟାଲରୁ ଅଧିକ ଗହମ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼ା)- ରାୟଗଡ଼ା ସହରର ସରକାରୀ ଗୋଦାମରେ ସାଧାରଣ ବଣ୍ଟନ ପାଇଁ ଉଦ୍ଦିଷ୍ଟ ବିପୁଳ ଗହମ ପୋକ ଏବଂ ମୂଷାଙ୍କ ଆକ୍ରମଣରେ ନଷ୍ଟ ହୋଇଯାଇଛି। ଏହି ବିପୁଳ ଖାଦ୍ୟଶସ୍ୟ କ୍ଷତି ପାଇଁ ସ୍ଥାନୀୟ ଲୋକ ଏବଂ ହିତାଧିକାରୀ ପ୍ରଶାସନକୁ ଦାୟୀ କରିଛନ୍ତି। ସୂଚନା ଅନୁଯାୟୀ, ରାୟଗଡ଼ା ସହରର ଯୋଗାଣ ବିଭାଗ ଗୋଦାମରେ ଗଚ୍ଛିତ ଚାରି ଶହ କୁଇଣ୍ଟାଲ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ) ଗହମକୁ ମୂଷା ଖାଇଯାଇଛି ଏବଂ ପୋକ ଦ୍ଵାରା ଆକ୍ରାନ୍ତ ହୋଇଛି। ଫଳରେ ସମ୍ପୂର୍ଣ ଷ୍ଟକ୍ ଅକାମୀ ହୋଇଯାଇଛି । ଗୋଦାମରୁ ମିଳିଥିବା ଦୃଶ୍ୟଗୁଡ଼ିକ କହୁଛି ଯେ ସେଠାରେ ଗହମ ଖାଇଯାଇଛି ମୂଷା ଓ ପୋକ। ଗାନ୍ଧୀ ନଗରର ସୁଲଭ ଖୁଚୁରା ବିକ୍ରୟ କେନ୍ଦ୍ରର ଗୋଦାମରେ ଏହି ଗହମ ରଖାଯାଇଥିଲା। ଯାହା ଗତ ନଭେମ୍ବରରେ ଜିଲ୍ଲାର ପ୍ରାୟ ୭ ଲକ୍ଷ ୯୭ ହଜାର ଜଣ ହିତାକାରୀଙ୍କ ପାଇଁ ଆସିଥିଲା। କିନ୍ତୁ, ସରକାରୀ ନିର୍ଦ୍ଦେଶ ଆସିବାପରେ ବଣ୍ଟନ ବନ୍ଦ କରି ଦିଆଯାଇଥିଲା। ଫଳସ୍ୱରୂପ, ବହୁ ପରିମାଣର ଗହମ ମାସ ମାସ ଧରି ପଡି ରହିଲା ଗୋଦାମରେ। ଯାହାକୁ ଧୀରେ ଧୀରେ କୀଟ ଏବଂ ମୂଷା ଖାଇଯାଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତ ନଭେମ୍ବର ମାସରେ ୧ ହଜାର ୧୮୩ କୁଇଣ୍ଟାଲ ଗହମ ଜିଲ୍ଲାକୁ ଆସିଥିଲା। ଏଥିମଧ୍ୟରୁ ୭୪୮.୬୫ କୁଇଣ୍ଟାଲ ଗହମ ବଣ୍ଟନ କରାଯାଇଥିଲା। ବିଭାଗୀୟ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁଁ ଅବଶିଷ୍ଟ ଗହମ ସଂରକ୍ଷଣ ସ୍ଥାନରେ ପଚି ଯାଇଥିଲା। ଫଳରେ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏଠି ପ୍ରଶ୍ନ ଉଠୁଛି ଯେ ଏହିପରି ଅପଚୟକୁ ରୋକିବା ପାଇଁ କାହିଁକି କୌଣସି ନିୟମିତ ଯାଞ୍ଚ କରାଯାଇନଥିଲା। ଲୋକେ ପ୍ରଶାସନକୁ ଦାୟୀ କରୁଛନ୍ତି। ତଥାପି, ସୁରକ୍ଷା ପରିଚାଳନାରେ ଏତେ ଗୁରୁତ୍ୱପୂର୍ଣ ତ୍ରୁଟି କିପରି ନିଯନ୍ତ୍ରଣ କରାଯାଇନଥିଲା ତାହା ତଦନ୍ତସାପେକ୍ଷ। ଗତବର୍ଷ ନଭେମ୍ବରରେ ମାତ୍ର ଦୁଇଦିନ ପାଇଁ ଗହମ ବଣ୍ଟନ ହୋଇଥିଲା। ତେବେ ସରକାରୀ ନିର୍ଦ୍ଦେଶ ପରେ ବଦ କରି ଦିଆଯାଇଥିଲା। ଆସନ୍ତା ମାସରୁ ପୂନଃ ବନ୍ଦ ଥିବା ଗହମ ବଣ୍ଟନ ଆରମ୍ଭ କରିବାକୁ ସରକାରଙ୍କ ପକ୍ଷରୁ କୁହାଯାଇଛି। ଯଦି ଶସ୍ୟର ଅବସ୍ଥା ଭଲ ଏବଂ ବ୍ୟବହାରଯୋଗ୍ୟ ବୋଲି ଜଣାପଡେ ତେବେ ହିତାଧିକାରୀଙ୍କୁ ପିଡିଏସ ଗହମ ଦିଆଯିବ ବୋଲି ସୁଲଭ ମୂଲ୍ୟ ଦୋକାନ ସେଲ୍ସମ୍ୟାନ କହୁଛନ୍ତି। ନଚେତ, ଆମେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇବୁ ବୋଲି ସୂଚନା ଦେଇଛନ୍ତି। ଜିଲ୍ଲା ଯୋଗାଣ ଅଧିକାରୀ ଦାଶରଥି ସୋରେନ ତଦନ୍ତ ପ୍ରତିଶ୍ରୁତି ଦେବା ସହିତ ରକ୍ଷଣାବେକ୍ଷଣ ପ୍ରତି ଧ୍ୟାନ ଦିଆଯିବ ବୋଲି ପ୍ରକାଶ କରିଛନ୍ତି।