ମାତାରବନମ୍ ପକ୍ଷରୁ କୋଟିଏ ମହାମନ୍ତ୍ର ପୁସ୍ତକ ଲୋକାର୍ପିତ ; ସାମ୍ବାଦିକ ଓ ପ୍ରଚାର ସମ୍ମାନିତ ।

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଗୁଣପୁର ବ୍ଲକ ଜଗନ୍ନାଥପୁର ଗ୍ରାମ ପଞ୍ଚାୟତ ସ୍ଥିତ ରାଇଗୁଡ଼ା ମାତାର ବନମ୍ ମନ୍ଦିର ଠାରେ ମାତାର ବନମ୍ ଭକ୍ତ ଙ୍କ ପକ୍ଷରୁ ଏକ କୋଟି ମହାମନ୍ତ୍ର ଲେଖାଯାଇଥିବା ପୁସ୍ତକ କୁ ଅକ୍ଷର ବ୍ରହ୍ମ ଠାକୁର ଙ୍କ ନିକଟରେ ସମର୍ପଣ କରାଯାଇଛି। ଏହି ଅବସରରେ ରାଇଗୁଡ଼ା ଠାରେ ଅନୁଷ୍ଠିତ ଏକ ଭକ୍ତ ସମାଗମ ରେ ପୁସ୍ତକ ଉନ୍ମୋଚନ କରାଯାଇ ଏହାର ପ୍ରଚାରକ କାମେସୁ ମାଡ଼ିଆରି ଓ ଦିଗାଲ ଗମାଙ୍ଗ ଙ୍କୁ ସମ୍ମାନୀତ କରାଯାଇଥିବା ସହ ଅଞ୍ଚଳର ବରିଷ୍ଠ ସାମ୍ବାଦିକ ସୋମେଶ୍ଵର ରାଓ ଓ ରାଧାକୃଷ୍ଣ ପଟ୍ଟନାୟକ ଙ୍କୁ ସମ୍ମାନିତ କରାଯାଇଥିଲା। ଅକ୍ଷର ବ୍ରହ୍ମ ଯୁବ ନିର୍ମାଣ ସେବା ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ରାମମୂର୍ତ୍ତୀ ଗମାଙ୍ଗ, ସ୍ଥାନୀୟ ସରପଞ୍ଚ ଗୌରୀ ଗମାଙ୍ଗ, ଆଇନଜୀବୀ ଗୌରୀ ଶଙ୍କର ଦାଶ, ପୂଜକ ନିମାଲା ମାସେୟା ଅତିଥି ଭାବେ ଯୋଗଦେଇ ଥିଲେ। ସୌରା ଭାଷାର ଏହି ଲିପି ୧୯୩୬ ମସିହା ରୁ ଜନ୍ମିତ ହୋଇଥିବା ବେଳେ ଏହା ଆଜି ଯାଏଁ ସରକାର ଙ୍କ ଦୃଷ୍ଟି ଆଢୁଆଳ ରେ ରହିଥିବା ନେଇ ଏହି ଅବସରରେ ଆୟୋଜିତ ସଭାରେ କ୍ଷୋଭ ପ୍ରକାଶ କରାଯାଇଥିଲା। ଆଗାମୀ ଦିନରେ ଏହି ଲିପି କୁ ପ୍ରତ୍ୟକ ବିଦ୍ୟାଳୟ ରେ ପ୍ରଚ଼ଳନ କରିବା ନିମନ୍ତେ ସେବା ସଂଘ ପକ୍ଷରୁ ପ୍ରଚାରକ ନିଯୁକ୍ତି କରାଯିବ ବୋଲି ସ୍ଥିର କରାଯାଇଛି। ଆନ୍ଧ୍ର ଓ ଓଡ଼ିଶା ର ସୀମାନ୍ତ ଅଞ୍ଚଳରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବାରୁ ଉଭୟ ରାଜ୍ୟରୁ ଶହସ୍ରାଧିକ ଆଦିବାସୀ ଏଥିରେ ଯୋଗଦେଇ ସୌରା ଭାଷା ର ଏହି ଲିପିର ପ୍ରଚାର ପାଇଁ ସରକାର ଦାୟିତ୍ଵ ଗ୍ରହଣ କରନ୍ତୁ ବୋଲି ଦାବୀ କରିଛନ୍ତି।

ଗୁଣପୁର ଠାରେ ତାଲୁକା ଆଇନ ସେବା ସଂସ୍ଥା ପକ୍ଷରୁ ଜାତୀୟ ଆଇନ ସେବା ଦିବସ ପାଳିତ…!

!!! ଗୁଣପୁର ରୁ ରାୟଗଡ଼ା ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା(ସୁନା) ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ତାଲୁକା ଆଇନ ସେବା ପ୍ରାଧୀକରଣର ସଂସ୍ଥା ଆନୁକୁଲ୍ୟରେ ଜାତୀୟ ଆଇନ ସେବା ଦିବସ ପାଳିତ ହୋଇଯାଇଛି। ଗୁଣପୁର ତାଲୁକା ଆଇନ ସେବା ସଂସ୍ଥା ର ଅଧ୍ୟକ୍ଷ ଶ୍ରୀ ଅଜୟ କୁମାର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଅବସରରେ ଗୁଣପୁର ଥାୟରାମା ମହିଳା ମହାବିଦ୍ୟାଳୟ ଓ ବିଟସ୍ କଲେଜ୍ ର ବିଦ୍ୟାର୍ଥୀ ମାନଙ୍କୁ ନେଇ ଗୁଣପୁର ପୁରୁଣା ବସଷ୍ଟାଣ୍ଡ ଠାରୁ ଏକ ଶୋଭାଯାତ୍ରା ବାହାରି ଗୁଣପୁର କୋର୍ଟ ପରିସର ରେ ପହଞ୍ଚିଥିଲା। ଏହି ଶୋଭାଯାତ୍ରାରେ ସ୍ଥାନୀୟ ସବ ଜର୍ଜ ବିଭୂଦତ୍ତ ନାୟକ, ଦ୍ଵିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଦୀପଙ୍କର ବଳ, ପୋଲିସ ଏସ୍.ଡି.ପି.ଓ ରାଜ କିଶୋର ଦାଶ, ପୋଲିସ ଆଇ.ଏସ.ସି ରଶ୍ମୀ ରଞ୍ଜନ ପ୍ରଧାନ, ବରିଷ୍ଠ ଆଇନଜୀବୀ ଫଣୀଭୂଷଣ ପଟ୍ଟନାୟକ, ବ୍ରହ୍ମାନନ୍ଦ ପଟ୍ଟନାୟକ ଓ ଆଇନଜୀବୀ ରମେଶ ଲିମା ଏବଂ ଗୁଣପୁର ମହାବିଦ୍ୟାଳୟ ର ଅଧ୍ୟାପକ ସୂର୍ଯ୍ୟନାରାୟଣ ପଣ୍ଡା ଙ୍କ ସମେତ ଏସ୍.ଆଇ ରଶ୍ମି ରଞ୍ଜନ ବେହେରା ଉପସ୍ଥିତ ଥିଲେ। ଶୋଭାଯାତ୍ରୀ ଙ୍କ ଦ୍ଵାରା ପ୍ରଦର୍ଶିତ ଫ୍ଲାସ୍ କାର୍ଡ ଗୁଡ଼ିକ ଜନ ସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ରେ ଖୋରାକ୍ ଯୋଗାଇଥିଲା।

ବେଆଇନ ବାଲି ଚାଲାଣ ଉପରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାନୁଷ୍ଠାନ କୁ ସାଧାରଣ ରେ ପ୍ରଶଂସା !

!!! ଏଥର ସମ୍ଭାଳ ବ୍ୟୁରୋ ଚିଫ୍ ସିଦ୍ଧାର୍ଥ ଦାଶ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଜିଲ୍ଲାପାଳ ବଂଶଧାରା ନଦୀ ପଠା ରୁ କରାଯାଉଥିବା ବେଆଇନ ବାଲି ଚାଲାଣ ଉପରେ ଚଢ଼ାଉ କରି ୬୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ୩ ଟି ଟିପ୍ପର ଓ ୪ ଟି ଟ୍ରାକ୍ଟର କୁ ଜବତ କରି କାର୍ଯ୍ୟାଳୟ କୁ ନେଉଥିବା ବେଳେ ସେଥିରୁ ଗୋଟିଏ ଟିପ୍ପର ଚମ୍ପଟ ମାରିଛି । ଉକ୍ତ ଗାଡି ବିରୋଦ୍ଧ ରେ ପଦକ୍ଷେପ ନେବାକୁ ଜିଲ୍ଲା ଆର.ଟି.ଓ ଙ୍କୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ କହିଥିବା ସୂଚନା ମିଳିଛି । ବର୍ତ୍ତମାନ ଏଠାରେ ପ୍ରଶ୍ନ ଉଠୁଛି ଉପ ଜିଲ୍ଲାପାଳ ଘଟଣା ସ୍ଥଳ ରେ ପହଁଚିବା ପୁର୍ବରୁ ବାଲି ଉଠାଣ କାର୍ଯ୍ୟରେ ନିୟୋଜିତ ଥିବା ଜେସିବି ଟି ବାଲି ପଠା ରୁ କେମିତି ଉଭାନ ହେଲା ? ଜେସିବି ଟି ସ୍ଥାନୀୟ ଜଣେ ଇଟା ଭାଟି କଣ୍ଟ୍ରାକ୍ଟର ଙ୍କ ଦ୍ଵାରା ପରିଚାଳିତ ବୋଲି କୁହାଯାଉଛି । ଏହା ତଦନ୍ତ ସାପେକ୍ଷ । ଉପ ଜିଲ୍ଲାପାଳ ଘଟଣା ସ୍ଥଳ କୁ ପହଁଚିବା ଆଗରୁ ସ୍ଥାନୀୟ ତହସିଲ କତ୍ତୃପକ୍ଷ ଙ୍କୁ ଏ ନେଇ ଅବଗତ କରାଇଥିବା ହେତୁ ଅତିରିକ୍ତ ତହସିଲଦାର ଏନେଇ ଜେସିବି ମାଲିକ ଙ୍କୁ ସୂଚନା ଦେଇଥିବା ଯୋଗୁଁ ଏଠାରୁ ଜେସିବି କୁ ହଟାଇ ଦିଆଯାଇଥିବା ଅଭିଯୋଗ ହେଉଛି । ଏଣୁ ତଦନ୍ତ ବେଳେ ଗୁଣୁପୁର ର ଅତିରିକ୍ତ ତହସିଲଦାର ଙ୍କ ମୋବାଇଲ କଲ ରେକର୍ଡ ଯାଞ୍ଚ କରିବା ନିମନ୍ତେ ଦାବି ହେଉଛି । ତଦନ୍ତ ରେ ଜଣାଯିବ କିଏ ସାତ କିଏ ସତର । ବାଲି ଟେଣ୍ଡର ମାଲିକ ଏବଂ ତହସିଲ ବିଭାଗ କର୍ମଚାରୀ ଙ୍କ ମଧ୍ୟରେ ରହିଥିବା ମଧୁଚନ୍ଦ୍ରିକା ଯୋଗୁଁ ଏଭଳି ବେଆଇନ କାର୍ଯ୍ୟ ଚାଲୁରହୁଥିବା ଏବଂ ସରକାର ଙ୍କ ପରିଚାଳିତ ଦୁର୍ନୀତି ଖୋର ଙ୍କୁ କାବୁ କରିବା ସହ ଦୁର୍ନୀତି ହଟାଅ ଅଭିଯାନ ଯୋଜନା ଫେଲ ମାରୁଥିବା ସାଧାରଣ ରେ ଚର୍ଚ୍ଚା ଜୋର ଧରିଛି ।

ଅଶ୍ରୁଳ ଭରା ଶୋକାକୁଳ ପରିବେଶ ମଧ୍ୟରେ ଶିକ୍ଷକ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା…!

!!! ରାୟଗଡ଼ା ଜିଲ୍ଲା ଗୁଣପୁର ରୁ ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ଼ା ଜିଲ୍ଲା ଗୁଣପୁର ଗୋଷ୍ଠୀ ଶିକ୍ଷା ଅଞ୍ଚଳ ଅଧୀନସ୍ଥ ସଉରା ପ୍ରଧାନୀ ଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ବୃନ୍ଦାବତୀ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ସହକାରୀ ଶିକ୍ଷକ ଶ୍ରୀ. ସତ୍ୟ ନାରାୟଣ ବୈଦ୍ଯଭୂଷଣ ଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ବୈଦ୍ଯଭୂଷଣ ୧୧/୮/୧୯୮୨ ମସିହା ରେ କାର୍ଯ୍ୟରେ ଯୋଗଦେଇଥିଲେ। ସେହି ଦିନ ଠାରୁ ଅଦ୍ୟାବଧି ସେ କାର୍ଯ୍ୟ କରିଥିବା ବିଦ୍ୟାଳୟ ଗୁଡିକରେ ଉତ୍ତମ ଶିକ୍ଷାଦାନ ଦେଇ ସମସ୍ତଙ୍କ ପ୍ରିୟ ଭାଜନ ଓ ପ୍ରଶଂସିତ ହୋଇଛନ୍ତି। ପଞ୍ଚାୟତ ସମିତି ରେ ଶିକ୍ଷା ବିଭାଗ କାର୍ଯ୍ୟ କରୁଥିବା ବେଳେ ଶ୍ରୀ ବୈଦ୍ଯଭୂଷଣ ଅନୁଶିକ୍ଷା ପରିଦର୍ଶକ ଙ୍କ ସହଯୋଗୀ କିରାଣୀ ଭାବେ ନିଜକୁ ନିୟୋଜିତ କରି ଶିକ୍ଷକ ଙ୍କ ସମସ୍ତ ଦପ୍ତରୀ କାର୍ଯ୍ୟ ତୁଲାଇ ଆସୁଥିବାରୁ ଆଜିବି ଶିକ୍ଷକ ମହଲରେ ସମସ୍ତ ନିଜର ହୋଇ ରହିପାରିଛନ୍ତି। ଆଜି ନିଜ କାର୍ଯ୍ୟ ରୁ ଅବସର ନେଇ ଥିବାରୁ ଶିକ୍ଷକ ସାମାଜ ଜଣେ ଶିକ୍ଷକ ସେବୀ ମନବୃତ୍ତି ବନ୍ଧୁ ଙ୍କୁ ହରାଇଛି ବୋଲି ଶିକ୍ଷକ ନେତା ମାନେ ମତ ପ୍ରକାଶ କରିଛନ୍ତି । ଅନୁଷ୍ଠିତ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ସ୍ଥାନୀୟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବିଆରସିସି ନିରଞ୍ଜନ ଦଳେଇ, ପୂର୍ବତନ ସିଆରସିସି ପ୍ରସାଦ ପାଇଟାଳ, ନୂତନ ସିଆରସିସି ଏନ୍. ଚନ୍ଦ୍ର ମୌଳି ଯୋଗଦେଇ ଶ୍ରୀ ବୈଦ୍ଯଭୂଷଣ ଙ୍କ ଚରିତ୍ର, କାର୍ଯ୍ୟଦକ୍ଷତା ଓ ଶିକ୍ଷାଦାନ ଶୈଳୀ ସମ୍ପର୍କରେ ଅଭିଭାଷଣ ଦେଇଥିଲେ। ବିଦ୍ୟାଳୟ ରେ କାର୍ଯ୍ୟରତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ବୈଦ୍ଯଭୂଷଣ ଙ୍କ ସହଯୋଗୀ ଏବଂ ଶିକ୍ଷାଦାନ ଶୈଳୀ ର ଉଚ୍ଚ ପ୍ରଶଂସା କରି ବକ୍ତବ୍ୟ ପ୍ରଦାନ କରିଥିଲେ। ଉପସ୍ଥିତ ବିଦ୍ୟାର୍ଥୀ ଶିକ୍ଷକ ଶ୍ରୀ ବୈଦ୍ଯଭୂଷଣ ଙ୍କ ଛାତ୍ର ବତ୍ସଳ ଓ ପ୍ରାଞ୍ଜଳ ଶିକ୍ଷା କୌଶଳ ବିଷୟ ନେଇ ଉପସ୍ଥାପନା କରିବା ବେଳେ କାନ୍ଧି ପକାଇଥିଲେ। ବିଦ୍ୟାଳୟ ପକ୍ଷରୁ ଅବସର ପ୍ରାପ୍ତ ବିଦାୟୀ ଶିକ୍ଷକ ସତ୍ୟ ନାରାୟଣ ବୈଦ୍ଯଭୂଷଣ ଙ୍କୁ ସମ୍ବର୍ଦ୍ଧିତ କରିଥିବା ବେଳେ ଶ୍ରୀ ବୈଦ୍ଯଭୂଷଣ ବିଦ୍ୟାଳୟ ରେ ପଢ଼ୁଥିବା ସମସ୍ତ ବିଦ୍ୟାର୍ଥୀ ଙ୍କୁ ସ୍ନେହଭରା ଉପହାର ଦେଇ ବିଦାୟ ନେଇଥିଲେ।

ଟେଣ୍ଡର ବିଜ୍ଞପ୍ତି ରେ ଠିକାଦାର ଙ୍କ ଅଭିଜ୍ଞତା ପ୍ରମାଣ ପତ୍ର ଆବଶ୍ୟକତା କୁ ନେଇ ପ୍ରଶ୍ନବାଚୀ ?

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦ ର ସୌନ୍ଦର୍ଯ୍ୟ ଏବଂ ଉନ୍ନତି କରଣ ନିମନ୍ତେ କର୍ତ୍ତୃପକ୍ଷ ଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡେର୍ ବାହାର କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ଉକ୍ତ ବିଜ୍ଞପ୍ତି ରେ ଟେଣ୍ଡେର୍ ପକାଉଥିବା ଠିକାଦାର ମାନଙ୍କ ନିମନ୍ତେ ଏକ୍ସପିରିୟନ୍ସ ସାର୍ଟିଫିକେଟର ଆବଶ୍ୟକତା କୁ ଗୁରୁତ୍ୱ ଦିଆଯାଇଛି । ଫଳରେ ବର୍ତ୍ତମାନ ଯେଉଁ ଶିକ୍ଷିତ ଯୁବକ ମାନେ କଂଟ୍ରାକ୍ଟରି କରି ବଞ୍ଚିବାର ଉପାୟ ଅବଲମ୍ବନ କରିଛନ୍ତି ସେମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଲେଣି । କଂଟ୍ରାକ୍ଟରି ମହଲରେ ଏନେଇ ଭାରି ଚର୍ଚ୍ଚା ।କର୍ତ୍ତୃପକ୍ଷ ଙ୍କ ଦ୍ୱାରା ଧାର୍ଜିତ ଏତେବଡ ପରିମାଣର କାର୍ଯ୍ୟ ଦକ୍ଷତା ଆସିବ କେଉଁଠୁ ବୋଲି ପ୍ରଶ୍ନ ଉଠିଛି । ଏହାବି କୁହାଯାଇଛି କି, ଏହା ଓପିଡବ୍ଲ୍ୟୁଡି ଆଇନର ବ୍ୟତିକ୍ରମ । ଏପରିକି ଗ୍ରାମ୍ୟ ଉନ୍ନୟନ ଏବଂ ଆଇ.ଟି.ଡି.ଏ ବିଭାଗ ପକ୍ଷରୁ ଦିଆଯାଉଥିବା ବହୁଳ ଅର୍ଥ ଵ୍ୟୟୀତ କାର୍ଯ୍ୟ ନିମନ୍ତେ ଠିକାଦାର ମାନଙ୍କ ପାଇଁ ଏଭଳି କାର୍ଯ୍ୟ ଦକ୍ଷତା ର ପ୍ରମାଣ ପତ୍ର ଆବଶ୍ୟକ ପଡୁ ନଥିବା ବେଳେ ପୌର ପରିଷଦ ଦ୍ବାରା ଆହୁତ ଏହି କାର୍ଯ୍ୟ ଗୁଡିକ ନିମନ୍ତେ ଠିକାଦାର ମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରମାଣ ପତ୍ର ର ଆବଶ୍ୟକତା କୁ ଠିକାଦାର ମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସମସ୍ତ ଠିକା କାମ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନ ରେ ହେଉଥିବାବେଳେ ଏବଂ ଏଥିପାଇଁ କନିଷ୍ଠ ଯନ୍ତ୍ରୀ ୱାର୍କ ଇନଚାର୍ଜ ଭାବେ ଥିବାବେଳେ ଠିକାଦାର ମାନଙ୍କ ର ଏଥିପାଇଁ ୱାର୍କ ଏକ୍ସପେରିଏନ୍ସ ର ଆବଶ୍ୟକତା ରହିଲା କେଉଁଠି ବୋଲି ପ୍ରଶ୍ନ ଉଠୁଛି । ଏଭଳି ୱାର୍କ ଏକ୍ସପିରିୟନ୍ସ ଆବଶ୍ୟକତା ନିୟମକୁ କୋହଳ କରାଯାଇ ବିଜ୍ଞପ୍ତି ସଂଶୋଧନ କରାନଗଲେ ,କରାଯିବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ଠିକ ଭାବରେ ସମ୍ପାଦନ ହୋଇପାରିବ ନାହିଁ ବୋଲି ପୁରୁଖା ଠିକାଦାର ମାନେ ମତ ପ୍ରକାଶ କରିଛନ୍ତି ।

“ଗୋଦରୀ ଲୋ ତୋ ଗୋଡ଼ କୁ ଅନା” ; ଜି.ଆଇ.ଇ.ଟି ଇଉନିଭର୍ସିଟି ପରଦା ପଛର କାହାଣୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଆମେ ଆପଣ ଙ୍କୁ ଦେଖାଉଛୁ ସ୍ଥାନୀୟ ଅଞ୍ଚଳର ବେକାରୀ ଶିକ୍ଷିତ ବିଦ୍ୟାର୍ଥୀଙ୍କ ସ୍କିଲ ଡେଭଲପମେଣ୍ଟ ନିମିତ୍ତ ରାୟଗଡା ଜିଲ୍ଲା ଗୁଣପୁର ଠାରେ ଚାଲୁ କରାଯାଇଥିବା ଅନୁଷ୍ଠାନ ଗ୍ରାମ ତରଙ୍ଗ ଏମପ୍ଲବିଲିଟି ଟ୍ରେନିଙ୍ଗ ସେଣ୍ଟର । ଏହାର ପୂର୍ବ ତଥ୍ୟାବଳୀ ତଥା ପରଦା ପଛର କାହାଣୀ କୁ କହିବାକୁ ଗଲେ ଏହାର ଭିତରକୁ ଯିବାକୁ ହେବ । ହୁଏତ ବର୍ତ୍ତମାନ କେବଳ ଏତିକି ଜାଣିଲେ ହେବ ଗୁଣପୁର ଜି.ଆଇ.ଇ.ଟି ୟୁନିଭର ସିଟି କର୍ତ୍ତୃପକ୍ଷ ତଥା କମିଟି ସଦସ୍ୟ ଙ୍କ ଦ୍ୱାରା ଏହା ପରିଚାଳିତ । ଭିତିରି କଥା ଅନେକ ଥିଲେବି ଏହା ମଧ୍ୟ କୁ ଯିବା ପୂର୍ବରୁ ଦେଖିବା ଏହାର କିଛି ବାହାର ଦୃଶ୍ୟ । ଏହାକୁ ଦେଖି ଜି.ଆଇ.ଇ.ଟି ନିଜର ଏକ ଏନ.ଏସ.ଏସ ସଂଗଠନ ରଖିଥିବା ଦର୍ଶାଇବାକୁ ଯାଇ ଏବଂ ବିଭିନ୍ନ ସମୟରେ ଫଟୋ ପୋଜ ମାଧ୍ୟମରେ ନିଜକୁ ପ୍ରଚାର କରିବାକୁ ଯାଇ ବିଭନ୍ନ ସମୟରେ ବସ ଷ୍ଟାଣ୍ଡ,ରେଳ ଷ୍ଟେସନ ରେ ସଫେଇ କାର୍ଯ୍ୟକ୍ରମ କରୁଥିବା ଚର୍ଚ୍ଚା ଛାଡ଼ୁନି । ଏଠି ଜମିଥିବା ଅଳିଆ କୁ ଦେଖି ଲୋକେ କହିଲେନି ” ଗୋଦରୀ ଲୋ ତୋ ଗୋଡ଼ କୁ ଅନା” ଏହାକୁ ଦେଖିଲେ ଜଣାଯାଏ କର୍ତ୍ତୃପକ୍ଷ ସ୍ୱଚ୍ଛ ଭାରତ ଅଭିଯାନ ପ୍ରତି କେତେ ସଚେତନ । ଏଗୁଡିକ ଦେଖିଲେ ପ୍ରଶ୍ନ ଉଠେ ବୋଧେହୁଏ କେଉଁ ଏକ ଜାତୀୟ ଉତ୍ସବ ରେ ଏହାକୁ ସଫା କରିବା ଆଳରେ ଜି.ଆଇ.ଇ.ଟି ପାଇଁ ଫୋଟ ପୋଜ ଓ ପ୍ରସାର ର ଏହା ମାଧ୍ୟମ ହେବ ନା ଏସବୁ ଆବର୍ଜନା ସ୍ଥାନୀୟ ପୌର ପରିଷଦ କର୍ମଚାରୀ ଙ୍କ ବେପାରୁଆ ମନୋଭାବ ଯୋଗୁଁ ? ଦେଖିବା କୁ ରହିଲା କିଏ ଏଗୁଡିକ ଏଠାରୁ ସଫା କରିବ ଆଉ ରାଜ୍ଯ ସରକାରଙ୍କ ପ୍ରୟୋଜିତ ପରିବେଶ ସ୍ଵଚ୍ଛତା କାର୍ଯ୍ୟକ୍ରମ କେବେ ସଫଳ ହେବ ?

ଗୁଣପୁର ଠାରେ ଶାନ୍ତି ସଦଭାବନା ଯାତ୍ରା କୁ ସ୍ୱାଗତ ସମ୍ବର୍ଦ୍ଧନା … !

ଏଥର ସମ୍ଭାଳ (ଗୁଣପୁର) – ପୂଜ୍ୟ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀ ଙ୍କ ବର୍ଷ ବ୍ୟାପି ପାଳନ ଚାଲିଥିବା ୧୫୦ ତମ ଜୟନ୍ତୀ ପରିପ୍ରେକ୍ଷୀ ରେ ଆୟୋଜନ କରାଯାଇଥିବା ମାଥିଲି ଠାରୁ ଯାଜପୁର ର ବାଲିପଡିଆ ପର୍ଯ୍ୟନ୍ତ ଶାନ୍ତି – ସଦଭାବନା ଯାତ୍ରା ଗୁଣପୁର ଠାରେ ପହଞ୍ଚି ଅଛି । ଆଜିର ସଦଭାବନା ଯାତ୍ରା କୁ ଗୁଣପୁର ଠାରେ ଓଡିଶା ସର୍ବୋଦୟ ସମାଜ ଓ ସେବା ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି ।ଏହି ଅବସରରେ ଗୁଣପୁର ପୁରୁଣା ବାସ ଷ୍ଟାଣ୍ଡ ଠରେ ଏକ ସଭାର ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଗୁଣପୁର ବିଧାୟକ ଶ୍ରୀ ରଘୁନାଥ ଗମାଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଉତ୍କଳ ଗାନ୍ଧୀ ସ୍ମାରକୀ ନିଧି ର ଅଧକ୍ଷା ତଥା ନେତ୍ରୀ କ୍ରୀଷ୍ଣା ମହାନ୍ତି , ସ୍ଵାଧୀନତା ସଂଗ୍ରାମୀ ନିଶାକର ଦାଶ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଂଯୋଜକ ଶ୍ରୀ ବିଶ୍ବଜିତ ରାୟ , ରାଷ୍ଟ୍ରୀୟ ଯୁବା ସଂଘ ର ରାଷ୍ଟ୍ରୀୟ ସଦସ୍ୟ ରଞ୍ଜିତ ଦେହୁରୀ ଓ ସେବା ସମାଜ ର ସମ୍ପାଦିକା ସୁଶ୍ରୀ ରାଜେଶ୍ୱରି ଦଳେଇ ପ୍ରମୁଖ ଯୋଗଦେଇ ମଞ୍ଚାସୀନ ରହିଥିଲେ । ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମଞ୍ଚ ନିକଟରେ ଥିବା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି ରେ ଅତିଥିମାନେ ପୁଷ୍ପ ମାଲ୍ୟ ଅର୍ପଣ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଅତିଥି ବୃନ୍ଦ ଗାନ୍ଧୀ ଙ୍କ ସ୍ମୃତି ଚାରଣ କରିବା ସହ ସଦ ଭାବନା ଯାତ୍ରା ର ବିଶେଷତ୍ୱ ନେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମ କୁ ଗୁଣପୁର ର ଆଇନଜୀବି ତଥା ସମାଜସେବୀ ଶ୍ରୀ ଇନ୍ଦ୍ରାକ୍ଷି ପ୍ରସାଦ ଦାଶ ପରିଚାଳନା କରିଥିଲେ ।

ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ବାମପନ୍ଥୀ ମାନଙ୍କ ପ୍ରତିବାଦ ସଭା ଏବଂ ରାଲି ଅନୁଷ୍ଠିତ !

!!! ଗୁଣପୁର ରୁ ଦୀପକ ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଠାରେ ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ବାମପନ୍ଥୀ ମାନଙ୍କ ପ୍ରତିବାଦ ସଭା ଏବଂ ରାଲି ଶ୍ରୀ ତ୍ରିପତି ଗମାଙ୍ଗ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି । ଦେଶ ରେ ଚରମ ଆର୍ଥିକ ସଙ୍କଟ ଓ ଲୋକ ଙ୍କ ଦୁର୍ଦ୍ଦଶା ବୃଦ୍ଧି ହେଉଥିବା ନେଇ ଏହି ପ୍ରତିବାଦ ସଭା ସି.ପି.ଆଇ.ଏମ୍.ଏଲ ଲିବରେସନ୍ ପକ୍ଷରୁ ଦେଶବ୍ୟାପି ଅକ୍ଟୋବର ୧୦ ତାରିଖ ଠାରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୁଚନା ମିଳିଛି ।

ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ର ବାର୍ଷିକ ସାଧାରଣ ବୈଠକ : ଚାଷୀ ଙ୍କୁ ସ୍ୱଳ୍ପ , ମଧ୍ୟମ , ଅଣ କୃଷି ଋଣ ସହ ସାର , କୀଟନାଶକ ଔଷଧ ଓ କୃଷି ଯନ୍ତ୍ରପାତି ଯୋଗାଇ ଦେବା ନିଷ୍ପତି !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ଅଦ୍ୟ ତା ୧୫/୧୦/୨୦୧୯ ରିଖ ଦିନ ରାୟଗଡ ଜିଲ୍ଲା ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଗୁଣପୁର ର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଗୁଣ୍ଡିଚା ମନ୍ଦିର ସ୍ଥିତ ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭା କୁ ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ର ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ ଆବାହକ ଭାବେ ଆହ୍ୱାନ କରିବା ସହ ମଞ୍ଚାସୀନ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ ।

ଏହି ସଭା ରେ ଗୁଣପୁର ଆଦିବାସୀ ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ର ସଭାପତି ଶ୍ରୀମତୀ ଗୌରୀ ଗମାଙ୍ଗ ସଭାପତିତ୍ୱ କରିଥିବା ବେଳେ ଗୁଣପୁର ନିବନ୍ଧକ କାର୍ଯ୍ୟାଳୟ ପକ୍ଷରୁ ଏସ୍.ଆର ଶ୍ରୀ ଲାଡ଼ି ରଘୁବାବୁ , ସମବାୟ ବ୍ୟାଙ୍କ ପକ୍ଷରୁ ସୁପରଭାଇଜର ଶ୍ରୀ ରଘୁନାଥ ସାହୁ , ମିଲ୍ଲର ମାନଙ୍କ ଦ୍ୱାରା ପ୍ରତିନିଧିତ୍ବ କରୁଥିବା ଶ୍ରୀ ଗୁଡ୍ଲା ଗୋବିନ୍ଦ ରାଓ , ବରିଷ୍ଠ ନିର୍ଦ୍ଧେଶକ ଶ୍ରୀ ଦେବେନ୍ଦ୍ର ଚୌଧୁରୀ , ସମବାୟ ସମିତି ର ଉପ ସଭାପତି ଶ୍ରୀ ସୁକୁଲା କଣ୍ଡାଗରି ଓ ଭାରପ୍ରାପ୍ତ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ତ୍ରିଲୋଚନ ସ୍ୱାଇଁପ୍ରମୁଖ ମଞ୍ଚାସୀନ ହୋଇଥିଲେ ।

ସଭା ରେ ବକ୍ତବ୍ୟ ଦେଇ ସଭାପତି ଶ୍ରୀମତି ଗୌରୀ ଗମାଙ୍ଗ ସମବାୟ ର ମୁଖ୍ୟ ଲକ୍ଷ୍ୟ ସମିତି ର ସଭ୍ୟ ମାନଙ୍କ ର ସାମାଜିକ ଓ ଅର୍ଥନୈତିକ ବିକାଶ ରେ ସାହାଯ୍ୟ କରିବା ବୋଲି କହିଥିଲେ । ଗୁଣପୁର ପଞ୍ଚାୟତ ସମିତି ଅନ୍ତର୍ଗତ ୧୯ ଗୋଟି ଗ୍ରାମ ପଞ୍ଚାୟତ ଏବଂ ଗୋଟିଏ ପୌର ପରିଷଦ ଅଞ୍ଚଳ କୁ ନେଇ ଏହାର ପରିଷଦ ଗଠିତ ବୋଲି ସୁଚନା ଦେଇଥିଲେ ।

ସମିତି ର ମୂଳ ଆଭିମୁଖ୍ୟ ଉପସ୍ଥାପନା କରିବାକୁ ଯାଇ ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ ଏହା ସଭ୍ୟ ମାନଙ୍କୁ ସ୍ୱଳ୍ପ କାଳୀନ , ମଧ୍ୟମ କାଳୀନ ଓ ଅଣ କୃଷି ଋଣ ଯୋଗାଇ ସେମାନଙ୍କ କୃଷି ଉତ୍ପାଦନ କ୍ଷମତା ବୃଦ୍ଧି କରିବା ସହ ସାର , କୀଟନାଶକ ଔଷଧ , କୃଷି ଯନ୍ତ୍ରପାତି ଯୋଗାଇ ଦେବା ବୋଲି କହିଥିଲେ ।

ବର୍ତ୍ତମାନ ସୁଦ୍ଧା ସମିତି ର ମୋଟ ୧୩୯୯୫ ଜଣ ସଭ୍ୟ ରହିଥିବା ଜଣାପଡିଛି । ଚଳିତ ୧୯-୨୦ ବର୍ଷ ରେ ଖରିଫ ଓ ରବି ଋତୁ ରେ ସ୍ୱଳ୍ପ କାଳୀନ କୃଷି ଋଣ ବାବଦ କୁ ଚାଷୀ ମାନଙ୍କୁ ୧୦ କୋଟି ଟଙ୍କା ର ଋଣ ଯୋଗାଇ ଦେବା , ଅଣ ଚାଷ ଯୋଜନା ରେ ୫ ଟି ଟ୍ରାକ୍ଟର , ୨ ଟି ମାଛ ବନ୍ଧ , ୨ ଟି ବୋଲେରୋ ଗାଡି , ୨୦ ଟି ଓ ଏଲ ଏମ୍ , ୨୦ ଟି ଏସ୍ ଏଚ୍ ଜି , ୩୦ ଟି ଜେ ଏଲ ଜି , ୧୦ ଟି ଏସ୍ ସି ସି ଏବଂ ୫ ଟି ପାୱାର ଟିଲର୍ ଋଣ ଆକାର ରେ ଯୋଗାଇଦେବା , ଚାଷୀ ଙ୍କ ଆବଶ୍ୟକତା ଅନୁଯାୟୀ ଧାନ ବିହନ ଓ ସାର ଯୋଗାଇ ଦିଆଯିବା ଭଳି କାର୍ଯ୍ୟକ୍ରମ ଗ୍ରହଣ କରିବା ସହ ଚାଷୀ ଙ୍କ ଠାରୁ ସରକାର ଙ୍କ ନିର୍ଦ୍ଧାରିତ ମୂଲ୍ୟରେ ଧାନ କ୍ରୟ କରିବା ନିମନ୍ତେ ନିଷ୍ପତି ଗ୍ରହଣ କରିଥିବା ସମବାୟ ସମିତି ପକ୍ଷରୁ ସୁଚନା ଦିଆଯାଇଛି ।

ଭାର ପ୍ରାପ୍ତ ପରିଚାଳନା ନିର୍ଦ୍ଧେଶକ ଶ୍ରୀ ତ୍ରିଲୋଚନ ସ୍ୱାଇଁ ଙ୍କ ଦ୍ୱାରା ବାର୍ଷିକ ବିବରଣୀ ପଠନ ଏବଂ ବଜେଟ ଉପସ୍ଥାପନା କରାଯାଇଥିଲା ।

କାର୍ଯ୍ୟକ୍ରମ ଶେଷ ରେ ଆଜିକାର ବୈଠକ ର ଆବାହକ ତଥା ନିର୍ଦ୍ଦେଶକ ଶ୍ରୀ ଗୌରୀ ଶଙ୍କର ଦାଶ ଉପସ୍ଥିତ ସମସ୍ତ ସଦସ୍ୟ , ନିମନ୍ତ୍ରିତ ଅତିଥି , ମଞ୍ଚାସୀନ ଅତିଥି ଏବଂ ଚାଷୀ ଭାଇ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କ ସାମ୍ବାଦିକ ସମ୍ମିଳନୀ ; ଗୁଡାରୀ ପୋଲିସ ଦ୍ୱାରା ୨୨୪ କେଜି ଗଞ୍ଜେଇ ଜବତ !

!!! ରାୟଗଡ ଜିଲ୍ଲା ସ୍ବତନ୍ତ୍ର ପ୍ରତିନିଧି ଦୀପକ କୁମାର ବେହେରା (ସୁନା) ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ଗୁଣପୁର) – ରାୟଗଡ ଜିଲ୍ଲା ଗୁଣପୁର ଉପଖଣ୍ଡ ଅନ୍ତର୍ଗତ ଗୁଡାରୀ ଠାରେ ପୋଲିସ ବିଭାଗ କୁ ଗତକାଲି ଏକ ବଡ଼ ସଫଳତା ମିଳିଛି । ଗୁଡାରୀ ପୋଲିସ ୨୨୪ କେଜି ୩୫୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଉକ୍ତ ଗଞ୍ଜେଇ ୪ ଗୋଟି ଧଳା ରଙ୍ଗ ର ଜରି ବ୍ୟାଗ ରେ ଭରି ହୋଇ ଓଡ଼ି ୧୮ ଏଫ୍ ୨୨୬୩ ନମ୍ବର ରେଜିଷ୍ଟ୍ରି ଭୁକ୍ତ ଏକ ବୋଲେରୋ ପିକପ୍ ଭ୍ୟାନ୍ ରେ ନିଆ ଯାଉଥିବା ବେଳେ ପୋଲିସ ଗୁଡାରୀ ଠାରୁ ୧୦ କିମି ଦୁର ଚନ୍ଦ୍ରପୁର ରାସ୍ତା ର ବୁଜିଙ୍ଗଗୁଡା ଛକ ଠାରେ ଜବତ କରିଛି ।

ଏଥି ସହିତ ନଗଦ ୧ ଲକ୍ଷ ଟଙ୍କା , ଏୟାରଟେଲ ସିମ୍ କାର୍ଡ ଏବଂ ୨ ଗୋଟି ମେମୋରି କାର୍ଡ ବ୍ୟବହୃତ ୨ ଗୋଟି ମୋବାଇଲ ଫୋନ ସହ ଗଣପତି ପାତିକା ଙ୍କ ନାମ ରେ ଥିବା ଏସ୍ ବି ଆଇ ଏ.ଟି.ଏମ୍ କାର୍ଡ ଜବତ କରିଛି ।

ଏହି ଗଞ୍ଜେଇ ଚାଲାଣ ଅଭିଯୋଗ ରେ ପୋଲିସ ଗୁଡାରୀ ଥାନା ଅନ୍ତର୍ଗତ କମନାଗୁଡା ଗ୍ରାମ ର ଦତ୍ତ ପାତିକା ଙ୍କ ପୁଅ ଗଣପତି ପାତିକା (୫୦) ଏବଂ ଗଣପତି ଙ୍କ ସ୍ତ୍ରୀ ବୁଡୁ ପାତିକା (୪୦) , ଶାନ୍ତି ନଗର ସ୍ଥିତ ରାମଚନ୍ଦ୍ର କାଡ୍ରାକା ଙ୍କ ପୁଅ ଜିତୁ କାଡ୍ରାକା (୩୦) , ପଞ୍ଜାବ ରାଜ୍ୟ ସ୍ଥିତ ଅମ୍ରିତସର ଜିଲ୍ଲା ବାଲା ଥାନା ଅନ୍ତର୍ଗତ ଅମ୍ରିତ୍ ଗ୍ରାମ ର ସତବୀର ସିଂ ଙ୍କ ପୁଅ ଦାସ୍ (୩୫) ଏବଂ ହରିଆଣା ସ୍ଥିତ ହିସାର୍ ଜିଲ୍ଲା ବାରୱାଲା ଥାନା ଅଧିନସ୍ଥ ରାଜଲି ଗ୍ରାମ ର କୁରୁଡ଼ିଆ ରାମ ଙ୍କ ପୁଅ ସାନ୍ତଲାଲ୍ (୩୩) ଙ୍କୁ ଗିରଫ କରି ଗୁଡାରୀ ଥାନା କେସ୍ ନମ୍ବର ୭୮/୧୯ କ୍ରମେ ମାମଲା ନମୋଦ କରିଛି ।

ଗୁଣପୁର ଥାନା ପରିସର ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ରାୟଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଏମ୍ ଶ୍ରବଣ ବିବେକ କୁମାର ଉକ୍ତ ବିଷୟରେ ସୁଚନା ଦେଇଛନ୍ତି ।

ତଦନ୍ତ ରୁ ଜଣାପଡିଛି ଗଣପତି ପାତିକା ଏବଂ ତାଙ୍କ ସ୍ତ୍ରୀ ବୁଡୁ ପାତିକା ନିୟମିତ ବୁଲା ଗଞ୍ଜେଇ ବିକାଳୀ ଏବଂ କିଛି ବର୍ଷ ଧରି ଉଭୟେ ଗଞ୍ଜେଇ ରପ୍ତାନି ଓ ବିକ୍ରି କରୁଛନ୍ତି । ସେମାନେ ବେଆଇନ ଭାବେ ବାରମ୍ବାର ପଞ୍ଜାବ , ହରିଆଣା , ବିହାର ଏବଂ ଛତିଷଗଡ଼ ରାଜ୍ୟ କୁ ବେଆଇନ ଗଞ୍ଜେଇ ରପ୍ତାନି କରିବା ସହ ରାୟଗଡ ଜିଲ୍ଲା ରେ ଲାଭ ନିମନ୍ତେ ଗଞ୍ଜେଇ ବିକ୍ରି କରୁଅଛନ୍ତି ।

ଅଭିଯୁକ୍ତ ଦାସ୍ ଏବଂ ସାନ୍ତାଲାଲ୍ ଉଭୟେ ଗଣପତି ପାତିକା ଙ୍କ ସମ୍ଭାବ୍ୟ ଅଂଶିଦାର ଅଟନ୍ତି ଓ କମ ଦର ରେ ଚନ୍ଦ୍ରପୁର ଇଲାକା ରୁ ଗଞ୍ଜେଇ କିଣି ପଞ୍ଜାବ , ହରିଆଣା ବିହାର ରାଜ୍ୟ ରେ କେଜି ପିଛା ୫୦୦୦ ଟଙ୍କା ଲାଭ ରେ ବିକ୍ରି କରୁଛନ୍ତି ।

ଗତ ୧୨/୧୦/୨୦୧୯ ତାରିଖ ଦିନ ସନ୍ଧ୍ୟା ସମୟରେ ଗଣପତି ପାତିକା ଙ୍କ ସହ ତାଙ୍କ ସ୍ତ୍ରୀ ଏବଂ ଅନ୍ୟ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଅଞ୍ଚଳ ର ବିଭିନ୍ନ ଗ୍ରାମ କୁ ଯାଇ କମ ଦର ରେ ଗଞ୍ଜେଇ ସଂଗ୍ରହ କରିଥିଲେ ।

ପର ଦିନ ଅର୍ଥାତ ୧୩/୧୦/୨୦୧୯ ତାରିଖ ସକାଳ ୦୯ ଘଣ୍ଟା ସମୟରେ ଅଭିଯୁକ୍ତ ମାନେ ଚନ୍ଦ୍ରପୁର ଠାରୁ ଗୁଡାରୀ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ଗୁଡାରୀ ପୋଲିସ ଦଳ ଏମାନଙ୍କୁ ଧରିଛି ।

ଅଭିଯୁକ୍ତ ଜିତୁ କାଡ୍ରାକା ଜଣେ ଦକ୍ଷ ଗାଡି ଚାଳକ ଏବଂ ସେ ବହୁ ସମୟରେ ଏହି କ୍ଷେତ୍ର ରେ ଅଭିଯୁକ୍ତ ଙ୍କୁ ସହଯୋଗ କରୁଥିବା ଓ ଜବତ କରାଯାଇଥିବା ୧ ଲକ୍ଷ ଟଙ୍କା ରପ୍ତାନି ଖର୍ଚ୍ଚ ବ୍ୟବହାର ପାଇଁ ରଖାଯାଇଥିବା ପୋଲିସ କହିଛି । ଜବତ କରାଯାଇଥିବା ବୋଲେରୋ ଟି ଅଭିଯୁକ୍ତ ଗଣପତି ପାତିକା ଙ୍କର ବୋଲି ପ୍ରାଥମିକ ତଦନ୍ତ ରୁ ଜଣାପଡ଼ିଛି ।

ଭାରତୀୟ ପିଙ୍ଗଳ କୋର୍ଟ ଧାରା ୨୦ ବି (୨) ସି ଏନ.ଡ଼ି.ପି.ସି ଆକ୍ଟ ୧୯୮୫ କ୍ରମେ କେସ୍ ରୁଜ କରାଯାଇ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଛନ୍ତି ।

ଜିଲ୍ଲା ର ବିଭିନ୍ନ ଅଞ୍ଚଳ ରେ ବେଆଇନ ଭାବେ କରାଯାଉଥିବା ଏଭଳି ମାଦକଦ୍ରବ୍ୟ ଚାଷ , ବିକ୍ରୟ ଓ ରପ୍ତାନି କୁ ରୋକିବା ଦିଗରେ ଜନସାଧାରଣ ପୋଲିସ କତୃପକ୍ଷ ଙ୍କୁ ସହଯୋଗ ର ହାତ ବଢାଇବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏଭଳି ସୁଚନା ଦେବା ବ୍ୟକ୍ତି ଙ୍କ ନାମ ଗୋପନ ରଖିବା ସହ ସୁଚନା ଦାତା ବ୍ୟକ୍ତି ବିଶେଷ ଙ୍କୁ ପୁରସ୍କୃତ କରାଯିବ ବୋଲି କୁହାଯାଇଛି ।

ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ଗୁଣପୁର ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରାଜ କିଶୋର ଦାସ , ଗୁଣପୁର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଶ୍ମି ରଂଜନ ପ୍ରଧାନ ଓ ଗୁଡାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଏସ୍ କେ ତାଉଡ଼ିଆ ଙ୍କ ସମେତ ଗୁଣପୁର ଥାନା ର ସମସ୍ତ ଅଧିକାରୀ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହିଥିଲେ ।