ଗ୍ଲୋରୀଫେଷ୍ଟ ରୌପ୍ୟ ଜୟନ୍ତୀ ଉତ୍ସବ ଉଦ୍‌ଯାପିତ ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର) – ଶ୍ରୀକ୍ଷେତ୍ର ପୁରୀରେ ବେଳାଭୂମିର ଶୀତୁଆ ସନ୍ଧ୍ୟା ଥିଲା ରଙ୍ଗୀନ। ଆଉ ତାହାରି ଭିତରେ ଆରମ୍ଭ ହୋଇଥିଲା ସୁନ୍ଦରୀ ତରୁଣୀଙ୍କ ରାମ୍ପ। ଜଣେ ପରେ ଜଣେ ସୁନ୍ଦରୀ ନହକା ନହକା ଚାଲି ଶୀତୁଆ ସଞ୍ଜକୁ ଉଷ୍ମ କରିଥିଲା। କରତାଳିରେ ଉଛୁଳି ପଡ଼ୁଥିଲା ପେଣ୍ଡାଲ୍‌। ବେଳାଭୂମିରେ ଚାଲିଥିବା ଗ୍ଲୋରୀ ଫେଷ୍ଟର ଶେଷ ଦିନରେ ଥିଲା ଏମିତି ଦୃଶ୍ୟ।

ଆତ୍ମବିଶ୍ୱାସ, ରାମ୍ପ, ଦକ୍ଷତା, ଅଭିନୟ ଜରିଆରେ ଜୁରି ଓ ଦର୍ଶକଙ୍କ ହୃଦୟ ଜିତିଲେ ରାଉରକେଲା ସରକାରୀ ଅଟୋନମସ କଲେଜର ଛାତ୍ରୀ ପ୍ରତିକ୍ଷା ଆୟୁଷ ଆକାଂକ୍ଷା। ସେ ଗ୍ଳୋରୀ କୁଇନ ଭାବେ ବିଜୟୀ ହୋଇଛନ୍ତି। ପ୍ରଥମ ରନରସ୍ ଭାବେ ହାଇଟେକ ମେଡ଼ିକାଲର ଆଦ୍ୟାଶା ଆଦିଶକ୍ତି ସାହୁ, ତୃତୀୟ ରନରସ୍ ଶିବାନୀ ଭାଗଲ ସରକାରୀ ଅଟୋନମସ କଲେଜ ସମ୍ମାନିତ ହୋଇଛନ୍ତି। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଶୀତୁଆ ସଂଧ୍ୟାରେ ଦର୍ଶକଙ୍କ ମନ ଜିଣିଥିଲେ ଇଣ୍ଡିଆନ ଆଇଡଲ ଫେମ୍‌ ରିୟା ଓ ସଲମାନ। ବିଭିନ୍ନ ରୋମାଣ୍ଟିକ୍‌ ଗୀତ ଗାଇ ଦର୍ଶକଙ୍କ ମନକୁ ଉଷ୍ମ କରିଥିଲେ। ଗୀତ ସହିତ ତାଳ ଦେଇ ମଞ୍ଚ ତଳେ ଦର୍ଶକ ନାଚିଥିଲେ।ଉଦ୍‌ଯାପନୀ ଦିବସରେ ଝାଡ଼ଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ପୁରୀ ବିଧାୟକ ଜୟନ୍ତୀ ଷଡ଼ଙ୍ଗୀ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର, ଶଙ୍କର୍ଷଣ ପରିଡା, ଅନୁଷ୍ଠାନରେ ସମ୍ପାଦକ ରାଜେଶ ମହାନ୍ତି ପ୍ରମୁଖଙ୍କ ଉପସ୍ଥିତ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି-“ଗ୍ଲୋରୀ ଫେଷ୍ଟକୁ ଏହା ଭିତରେ ୨୫ ବର୍ଷ ପୂରିଛି। ଏଥିପାଇଁ ଆୟୋଜକଙ୍କୁ ଧନ୍ୟବାଦ ଦେଉଛି। ପୁରୀ ସହର ହେଉଛି ଏକ ଜାତୀୟ କେନ୍ଦ୍ର। ଏଠାରେ ଜାତୀୟ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।”ଶ୍ରୀକ୍ଷେତ୍ରର ଅଗ୍ରଣୀ ଯୁବ ସାଂସ୍କୃତିକ ଅନୁଷ୍ଠାନ ଜାତୀୟ ଯୁବ ସମନ୍ୱିତ କେନ୍ଦ୍ର ଆନୁକୂଲ୍ୟରେ ୭ ଦିନ ଧରି ଚାଲିଥିଲା ଗ୍ଲୋରୀଫେଷ୍ଟ ରୌପ୍ୟ ଜୟନ୍ତୀ ଉତ୍ସବ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ତଥା ରାଜ୍ୟ ବାହାରୁ ୬୫୦ ପ୍ରତିଯୋଗୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେମାନଙ୍କ ପ୍ରତିଭା ଦେଖାଇଥିଲେ।

ପୂର୍ଣ୍ଣାଙ୍ଗ ରିପୋର୍ଟ ଦେବାରେ ଫେଲ୍‌ ମାରିଲା ଶ୍ରୀମନ୍ଦିର ପରିଚାଳନା କମିଟି ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ): ଶ୍ରୀମନ୍ଦିର ସଂସ୍କାର ମାମଲାରେ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିପାରିଲାନି ପରିଚାଳନା କମିଟି। ତେଣୁ ସବୁ ଅପୂର୍ଣ୍ଣାଙ୍ଗ ପ୍ରସଙ୍ଗର ତର୍ଜମା କରି ୨ ସପ୍ତାହରେ ବିସ୍ତୃତ ରିପୋର୍ଟ ଦାଖଲ ପାଇଁ ଆମିକସ୍‌କ୍ୟୁରୀ ରଞ୍ଜିତ କୁମାରଙ୍କୁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ୪ ସପ୍ତାହ ପରେ ହେବ।

ଓଡ଼ିଶା ବାହାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଅଛି କେତେ ଜମି? ରାଜ୍ୟ ଭିତରେ ଠାକୁରଙ୍କ କେତେ ଜମିରେ ଚାଲିଛି ପଥର କ୍ୱାରୀ? ସେ ନେଇ ସୁପ୍ରିମକୋର୍ଟରେ ସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରି ପାରିଲାନି ଶ୍ରୀମନ୍ଦିର ପରିଚାଳନା କମିଟି। ଏମିତିକି ଶ୍ରୀମନ୍ଦିର ପାଇଁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ପ୍ରସ୍ତାବ ବି ଅନୁପାଳନ ହୋଇନଥିବା ଦର୍ଶାଇଥିଲେ ଆମିକସକ୍ୟୁରୀ ରଞ୍ଜିତ କୁମାର। ତେଣୁ ବାକି ପ୍ରସ୍ତାବ ଗୁଡ଼ିକର ତର୍ଜମା କରି ୨ ସପ୍ତାହ ଭିତରେ ରିପୋର୍ଟ ଦେବାକୁ ଆମିସକ୍ୟୁରୀଙ୍କୁ ହୋଇଛି ନିର୍ଦ୍ଦେଶ।

ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ସମ୍ପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ପ୍ରଶାସନର ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି, ମହାପ୍ରଭୁ ଜଗନ୍ନାଥଙ୍କ ଜମି ଓ ଖଣି ଖାଦାନ ନେଇ ବିସ୍ତୃତ ତଥ୍ୟ ଦାଖଲ ହୋଇ ନାହିଁ। ଓଡ଼ିଶା ବାହାରେ ଥିବା ଜମିର ସବିଶେଷ ହିସାବ ମିଳି ପାରିନି। ତେଣୁ ଆମିକସକ୍ୟୁରୀଙ୍କ ନୋଟ୍‌ ଆଧାରରେ ପରିଚାଳନା କମିଟି ଅତିରିକ୍ତ ସତ୍ୟପାଠ ଜରିଆରେ ରିପୋର୍ଟ ଦେବ ଶ୍ରୀମନ୍ଦିର ପ୍ରଶାସନ ଓକିଲ ଶ୍ୱେତକେତୁ ମିଶ୍ର କହିଛନ୍ତି।

ସେପଟେ ସୁପ୍ରିମକୋର୍ଟରେ ଦାଖଲ ଅସମ୍ପୂର୍ଣ୍ଣ ରିପୋର୍ଟକୁ ନେଇ ଆପତ୍ତି ଉଠାଇଛି ମାମଲାରେ ପକ୍ଷଭୁକ୍ତ ସେବାୟତ ସମାଜ। ବରିଷ୍ଠ ଦଇତାପତି ବିନାୟକ ଦାସମହାପାତ୍ର କହିଛନ୍ତି, ସେବାୟତଙ୍କ କଲ୍ୟାଣ ଲାଗି ଆକ୍‌ସନ ରିପୋର୍ଟରେ କିଛି ବି ଉଲ୍ଲେଖ ନାହିଁ। ତେଣୁ ଏ ନେଇ ସେ ଆମିକସକ୍ୟୁରୀଙ୍କ ପ୍ରତିନିଧି ପ୍ରିୟା ହିଙ୍ଗୁରାନିଙ୍କୁ ଜଣାଇଛନ୍ତି।

ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗତ ନଭେମ୍ବର ୪ରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ଶ୍ରୀମନ୍ଦିର  ପରିଚାଳନା କମିଟିକୁ ୨୨ଟି ପ୍ରସ୍ତାବର ଅନୁପାଳନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯେଉଁଥିରେ ଶୃଙ୍ଖଳିତ ନୀତିକାନ୍ତି, ଭକ୍ତଙ୍କ ସୁରକ୍ଷା, ପୂର୍ଣ୍ଣକାଳୀନ ମୁଖ୍ୟ ପ୍ରଶାସକ ନିଯୁକ୍ତି ସହ ପୁରୀରେ ୬୦ ହଜାର ଭକ୍ତଙ୍କ ରହଣି ବ୍ୟବସ୍ଥା ଓ ଠାକୁରଙ୍କ ସଂପତ୍ତି ଚିହ୍ନଟ କରି ଆକ୍‌ସନ ଟେକେନ ରିପୋର୍ଟ ଦେବାକୁ କୁହାଯାଇଥିଲା।

ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସ ଅଟକ ; ଖାକିରେ ଲାଗିଲା କଳଙ୍କର ଛିଟା !

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) : ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁରୀ ଜିଲ୍ଲା ବଳଙ୍ଗା ଥାନା ASI ଚିତ୍ତ ରଞ୍ଜନ ଦାସଙ୍କୁ ପିପିଲି ପୋଲିସ ଅଟକ ରଖି ପଚରାଉଚରା କରୁଛି। ତାଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଘଟଣା ନେଇ ପୀଡ଼ିତାଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଡାକ୍ତରୀ ମାଇନା ପାଇଁ ତାଙ୍କୁ ପୁରୀ ପଠାଯାଇଛି । ଆଡିସନାଲ୍‌ ଏସ୍‌ପି ଅରୁଣ ଜେନା ସୂଚନା ଦେଇଛନ୍ତି। ଗତକାଲି ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ଜଣେ ବିବାହିତା ମହିଳା। ଏକ ଅଟୋ ପୋଡ଼ି ଘଟଣାରେ ବଳଙ୍ଗା ଥାନାକୁ ଯାଇଥିଲେ ମହିଳା। ସେଠାରେ ଏଏସଆଇ ମହିଳାଙ୍କୁ ନିଜ ରୁମ୍‌କୁ ଡାକି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ତାଙ୍କୁ ଦୁଷ୍ମର୍ମ କରିଥିବା ମହିଳା ଜଣକ SDPOଙ୍କ ନିକଟରେ ଅଭିଯୋଗ କରିଥିଲେ।  ସେପଟେ ପିପିଲି ବଳଙ୍ଗା ଥାନା ASI ଅଟକ ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି, ତଦନ୍ତ ପାଇଁ ଏସଡିପିଓଙ୍କୁ ଦିଆଯାଇଛି ନିର୍ଦ୍ଦେଶ । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ଚିଲିକା କୂଳରେ ଡଲଫିନ୍‌ର ମୃତଦେହ ।

ଏଥର ସମ୍ଭାଳ ବ୍ୟୁରୋ (ବ୍ରହ୍ମଗିରି) – ପୁରୀ ଜିଲ୍ଲା ଚିଲିକା ଘାଟପେଣ୍ଟ ନିକଟରେ ଗତକାଲି ସନ୍ଧ୍ୟାରୁ ଏକ ବିରଳ ଇରାୱାଡ଼ି ଡଲଫିନ୍‌ର ମୃତଦେହ ପଡ଼ିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନାହାନ୍ତି।

ଏହି ବିରଳ ପ୍ରଜାତିର ଡଲଫିନ୍ ସଂଖ୍ୟା  ଚିଲିକାରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଗତ ଜାନୁଆରୀ ୧୭ରେ ଚିଲିକାରେ ଡଲଫିନ୍‌ ଗଣନା କରାଯାଇଥିଲା। ଚିଲିକାରେ ୧୧୩ଟି ଡଲଫିନ୍‌ ଥିବା ଜଣାପଡ଼ିଥିଲା। ତେବେ ଚଳିତ ମାସ ୩ଟି ଡଲଫିନ୍‌ଙ୍କ ବିଭିନ୍ନ କାରଣରୁ ମୃତ୍ୟୁ ଘଟିଛି।

 

ପୁରୀରେ ‘କାଳିଆ’ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) – ଶୁକ୍ରବାର ପୁରୀ ଜିଲା ମାଳତୀପାଟପୁର ନିକଟ ରାହାଙ୍ଗିରିଆଠାରେ ‘କାଳିଆ’ ଯୋଜନା ପାଇଁ ଏକ ବୃହତ ସମାବେଶ ହେବ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଏହି ସମାବେଶରେ ରାଜ୍ୟର ୩୧୪ ବ୍ଲକରୁ ପ୍ରାୟ ୨ଲକ୍ଷ ଚାଷୀ ଯୋଗ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ‘କାଳିଆ’ ଯୋଜନାରେ ଚାଷୀମାନଙ୍କୁ ମିଳିବାକୁ ଥିବା ସହାୟତା ରାଶି ଚାଷୀମାନଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇ ଏହି କାର୍ଯ୍ୟକ୍ରମର ଆନୁଷ୍ଠାନିକ ଭାବେ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିବେ ବୋଲି ସୂଚନା ମିଳିଛି। ଏହା ସହ ସମାବେଶରେ ଯୋଗ ଦେବାକୁ ଆସିଥିବା ଚାଷୀମାନଙ୍କୁ ଶ୍ରୀମନ୍ଦିର ନେଇ ମହାପ୍ରଭୁଙ୍କୁ ଦର୍ଶନ କରାଇବା ସହ ବେଳାଭୂମି ବୁଲାଇବା କାର୍ଯ୍ୟକ୍ରମ ରହିଛି।
ଏହି କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲା ପ୍ରଶାସନ ବ୍ୟାପକ ବନ୍ଦୋବସ୍ତ କରିଛି। ଲକ୍ଷାଧିକ ଚାଷୀଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି। ସୁରକ୍ଷା ପାଇଁ ୫୦ ପ୍ଲାଟୁନ ଫୋର୍ସ ସହ ୨୫୦ ଅଫିସରଙ୍କୁ ନିୟୋଜିତ କରାଯାଇଛି।

ଘନ କୁହୁଡ଼ି ଲାଗି ପୁରୀରେ ଦେଖାଯାଉନି ଶ୍ରୀମନ୍ଦିର ଓ ସମୁଦ୍ର ।

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଆଜି ରାଜଧାନୀ ଭୁବନେଶ୍ୱର ଓ କଟକକୁ କୁହୁଡ଼ି ଢାଙ୍କି ରଖିଛି। ଆଜିକୁ ମିଶାଇ ଲଗାତାର ଚାରି ଦିନ ହେଲା ଏ ଦୁଇ ସହରରେ କୁହୁଡ଼ି ପଡୁଛି। ଶନିବାର ଓ ରବିବାର ଭୁବନେଶ୍ୱର ସହିତ କଟକରେ ଘନ କୁହୁଡ଼ି ପଡ଼ିଥିଲା। ଗତକାଲି ଭୁବନେଶ୍ୱରରେ କୁହୁଡ଼ିର ମାତ୍ରା ବହୁତ କମ୍ ଥିଲା। ଗତକାଲି ଅପେକ୍ଷା ଆଜି ଭୁବନେଶ୍ୱରରେ ଟିକେ ଅଧିକ କୁହୁଡ଼ି ପଡ଼ିଛି। କିନ୍ତୁ ଏହା ଶନିବାର ଓ ରବିବାର ଅପେକ୍ଷା ବହୁତ କମ୍। ଆଜି କୁହୁଡ଼ିରେ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ କୌଣସି ବସ୍ତୁ ଦୃଶ୍ୟମାନ ହେଉଛି। କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। କେବଳ କଟକ, ଭୁବନେଶ୍ୱର ନୁହେଁ, ପୁରୀ ଓ ଅନ୍ୟାନ୍ୟ ଉପକୂଳ ଜିଲ୍ଲାଗୁଡ଼ିକରେ ମଧ୍ୟ କୁହୁଡ଼ି ପଡ଼ୁଛି। ପୁରୀରେ ଚାରି ଦିନ ହେଲା ଘନ କୁହୁଡ଼ି ପଡୁଛି। ଘନ କୁହୁଡ଼ି ଯୋଗୁ ପୁରୀ ଶ୍ରୀମନ୍ଦିର ଓ ସମୁଦ୍ର ଦେଖାଯାଉ ନାହିଁ। ସମୁଦ୍ରର ଲହରୀର ଶବ୍ଦ କେବଳ ଶୁଭୁଛି। ଏଠାରେ ବି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି।

କୁହୁଡ଼ି ଯୋଗୁ ଗତକାଲି କେନ୍ଦ୍ରାପଡ଼ାରେ ଏକ ବୋଲେରୋ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୪ ଜଣଙ୍କ ଲୋକଙ୍କ ମୃତ୍ୟୁ ଘଟିଥିଲା।

ଆଭ୍ୟନ୍ତରୀଣ ଓଡ଼ିଶାରେ କୁହୁଡ଼ିର ମାତ୍ରା ଏତେ ଅଧିକ ନାହିଁ ବୋଲି ଜଣାପଡ଼ିଛି। କୁହୁଡ଼ି ଜନଜୀବନକୁ ପ୍ରଭାବିତ କରୁଥିବା ବେଳେ ଶୀତ କମିଛି। ଏବେ ରାଜ୍ୟର ଅନେକ ସ୍ଥାନରେ ତାମପାତ୍ରା ସାମାନ୍ୟ ଠାରୁ ୩ ଡିଗ୍ରୀ କମ୍ ରହୁଥିବା ଜଣାପଡ଼ିଛି। ଯଦିଓ ଗତକାଲି ରାଜ୍ୟର ୬ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା,  ଆଗକୁ ଧୀରେ ଧୀରେ ଶୀତ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନୋଟିସ୍‌ ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) – ଗତ ୨୮ ତାରିଖ ଦିନ ଶ୍ରୀମନ୍ଦିରରେ ହୋଇଥିବା ନୀତି ବିଭ୍ରାଟକୁ ନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନୋଟିସ୍ ଜାରି କରାଯାଇଛି । ଏହାର ଜବାବ ସପ୍ତାହ ମଧ୍ୟରେ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରକାଶ ଥାଉକି ଗତ ଡିସେମ୍ବର ୨୭ ତାରିଖରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ ନେଇ ପୁଲିସ୍ ଓ ସେବାୟତଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା। ଏଥିରେ ସେବାୟତ ଭବାନୀ ଶଙ୍କର ମହାପାତ୍ର ଆହତ ହୋଇଥିଲେ। ତାଙ୍କୁ ପୁଲିସ୍ କର୍ମଚାରୀମାନେ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା ଓ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବିରେ ସେବାୟତମାନେ ତା’ ପରଦିନ ଅର୍ଥାତ୍ ୨୮ ତାରିଖରେ ଶ୍ରୀଜିଉଙ୍କ ନୀତିକାନ୍ତ ବନ୍ଦ କରିଥିଲେ ।

ଦୀର୍ଘ ସମୟ ଧରି ମହାପ୍ରଭୁଙ୍କ ଦର୍ଶନ କରି ନପାରିବା ହେତୁ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଫଳରେ ଭକ୍ତଗଣ ବ୍ୟାରିକେଡ୍‌ ଭାଙ୍ଗି ଶ୍ରୀମନ୍ଦିର ଭିତରକୁ ପଶିବା ଯୋଗୁଁ ପରିସ୍ଥିତି ଅଣାୟତ ହୋଇପଡିଥିଲା । ପରି ଶେଷରେ ପ୍ରଶାସନର ହସ୍ତକ୍ଷେପ ଯୋଗୁଁ ପରିସ୍ଥିତି ସୁଧୁରି ଅପରାହ୍ନ ରେ ମନ୍ଦିରର ନୀତିକାନ୍ତି ଆରମ୍ଭ ହୋଇଥିବାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଭକ୍ତଗଣ ମହାପ୍ରଭୁଙ୍କ ଦର୍ଶନ କରିଥିଲେ ।