ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ରଥଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା। ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ। ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ଆଜି ଏହି ସୂଚନା ଦେଇଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ସେ କହିଛନ୍ତି। ଏସ୍ଆରସି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଟକଣା ମଧ୍ୟରେ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେବ। ରଥଯାତ୍ରାରେ ଶ୍ରଦ୍ଧାଳୁମାନେ ସାମିଲ ହୋଇପାରିବେ ନାହିଁ। କେବଳ ସେବାୟତମାନେ ଏଥିରେ ନିୟୋଜିତ ହେବେ। ସେମାନଙ୍କ ପାଇଁ ବି ନିୟମ ରହିବ। ଯେଉଁ ସେବାୟତମାନେ ଦୁଇ ଡୋଜ୍ ଟିକା ନେଇଥିବେ ବା ରଥଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଯେଉଁ ସେବାୟତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ୍ ରିପୋର୍ଟ ନେଗେଟିଭ୍ ଥିବ ସେମାନେ ଏଥିରେ ସାମିଲ ହୋଇପାରିବେ। ସେ ଆହୁରି କହିଛନ୍ତି, ଗତ ବର୍ଷ ଭଳି ଚଳିତ ବର୍ଷ ବି ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ଲାଗିବ। ପୁରୀକୁ ବସ୍ ଓ ଗାଡ଼ିମୋଟର ଚଳାଚଳ ଉପରେ କଟକଣା ଲାଗିବ। ଏସ୍ଆର୍‌ସି ଶ୍ରୀ ଜେନା କହିଛନ୍ତି, ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ। ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ। କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ। ସେହିଭଳି ପୁରୀ ରଥଯାତ୍ରାର ସିଧା ପ୍ରସାରଣ ଦାୟିତ୍ୱ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ନେବ ବୋଲି ଏସ୍ଆର୍‌ସି କହିଛନ୍ତି। ସେ କହିଛନ୍ତି, ସୂଚନା ଓ ଲୋକ ସଂପର୍କ ବିଭାଗ ପାଖରୁ ଅନ୍ୟ ଚ୍ୟାନେଲ୍ ମାନେ ଫିଡ୍ ନେଇ ପାରିବେ। ସେମାନେ ନିଜେ ଏହାର ସିଧାପ୍ରସାରଣ କରିବା ପାଇଁ ବ୍ୟବସ୍ଥା କରିବାର ଆବଶ୍ୟକତା ନାହିଁ। ସେହିଭଳି ରଥଯାତ୍ରାର ସ୍ଥିର ଚିତ୍ର ଉତ୍ତୋଳନ ପାଇଁ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରି ବ୍ୟବସ୍ଥା କରାଯିବ। ସୂଚନାଯୋଗ୍ୟ, ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ରଥଯାତ୍ରା ଅନୁଷ୍ଠିତ ହେବ। ଗତ ବର୍ଷ ରଥଯାତ୍ରା ବେଳେ ରାଜ୍ୟରେ କରୋନାର ପ୍ରଥମ ଲହର ଚାଲିଥିଲା। ଏବେ ରାଜ୍ୟରେ କରୋନାର ଦ୍ୱିତୀୟ ଲହର ଚାଲିଛି। ବିଗତ କିଛି ଦିନ ଅପେକ୍ଷା ଦୈନିକ ସଂକ୍ରମଣ ସଂଖ୍ୟା ପାଖାପାଖି ଅଧା ହୋଇଥିଲେ ହେଁ ସ୍ଥିତି ସ୍ୱାଭାବିକ ହୋଇନାହିଁ। ଏବେ ବି ଦୈନିକ ସଂକ୍ରମଣ ୬ ହଜାର ଉପରେ ରହୁଛି। ରାଜ୍ୟରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଜାରି ରହିଛି, ଯାହା ଜୁନ୍ ୧୭ ତାରିଖରେ ସରିବ। ତେବେ ଆଗାମୀ ସପ୍ତାହେ ମଧ୍ୟରେ ସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଆକଳନ କରାଯାଉଛି। ସ୍ଥିତିକୁ ଦେଖି ସରକାର ୧୭ ତାରିଖ ପରେ ଲକ୍‌ଡାଉନ୍ ଉଠାଇବେ ନା ନାହିଁ, ସେ ସଂପର୍କରେ ନିଷ୍ପତ୍ତି ନେବେ।

ଖଣ୍ଡୋଲାଇଟ୍‌ ପଥର ଯୋଗାଇ ଦେବାକୁ ଅନୁରୋଧ କଲା ଏଏସ୍‌ଆଇ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଖଣ୍ଡୋଲାଇଟ୍‌ ପଥର ଅଭାବ ଯୋଗୁ ଶ୍ରୀମନ୍ଦିର ମରାମତ କାର୍ଯ୍ୟରେ ବିଳମ୍ବ ହେଉଛି। ତେଣୁ ଶୁବ୍‌ଶୀଘ୍ର ପଥର ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପ୍ରତ୍ନତତ୍ତ୍ୱ ବିଭାଗ ଓଡ଼ିଶା ମୁଖ୍ୟ ଅରୁଣ ମଲ୍ଲିକ। ଖଣ୍ଡୋଲାଇଟ ପଥର ମିଳୁନଥିବାରୁ ମରାମତି କାମ ଅଟକି ରହିଛି ବୋଲି ସେ କହିଛନ୍ତି। ଶ୍ରୀମନ୍ଦିରର ଭିତର ଓ ବାହାର ମରାମତି କାର୍ଯ୍ୟରେ ଖଣ୍ଡୋଲାଇଟ୍‌ ପଥର ବ୍ୟବହାର ହେଉଛି। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ଅଧୀନରେ ଥିବା ପଥରଖଣିରୁ ପଥର ଯୋଗାଇ ଦିଆଯାଇଥାଏ। କିନ୍ତୁ ଏବେ ସେହି ଖଣି ଓଏମ୍‌ସି ଅଧୀନକୁ ଚାଲି ଯାଇଛି। ଯାହାଫଳରେ ଶ୍ରୀମନ୍ଦିର ମରାମତି କାମ ପାଇଁ ବ୍ୟବହାର ହେଉଥିବା ପଥର ଅଭାବ ଦେଖାଦେଉଛି। ଯେଉଁଥିପାଇଁ ବାଇଶିପାହାଚ, ପାଟ ଅଗଣା, ରୋଷ ଶାଳା, ଆନନ୍ଦ ବଜାର, ବିମଳା ମନ୍ଦିର, ମହାଲକ୍ଷ୍ମୀ ମନ୍ଦିର ଆଦି ମରାମତି ହୋଇପାରୁନାହିଁ। ସେପଟେ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କହିଛନ୍ତି, ଶ୍ରୀମନ୍ଦିରରେ ପଥର ଅଭାବ ଯୋଗୁ କାମ ହୋଇପାରୁନାହିଁ। ପଥର ଖଣି ମାଫିଆଙ୍କ କବଜାରେ ରହିଛି। ବାରମ୍ବାର ଏହାକୁ ନେଇ ଅଭିଯୋଗ କରାଯାଇଛି। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ଯଦି ପଥର ଆସିବ ନାହିଁ ତାହା ହେଲେ ଏଏସ୍‌ଆଇର ଟାଇମ୍‌ ବାଉଣ୍ଡ କାର୍ଯ୍ୟକ୍ରମ ହୋଇପାରୁନାହି ବୋଲି ଅଭିଯୋଗ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ।

ଦେବସ୍ନାନ ପୂର୍ଣ୍ଣିମା ପାଇଁ ଷ୍ଟେକ୍ ହୋଲ୍ଡରଙ୍କ ସହ ଆଲୋଚନା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – କରୋନା ମହାମାରୀ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ସମ୍ପନ୍ନ ହେବ, ସେ ନେଇ ବିଭିନ୍ନ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରାଯାଇଛି। ପରବର୍ତ୍ତୀ ସମୟରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଛତିଶା ନିଯୋଗ ବୈଠକ କରାଯାଇ ଏହା ଉପରେ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା। ଗତ ବର୍ଷ କୋଭିଡ କଟକଣା ଭିତରେ ବିନା ଭକ୍ତରେ ସାନ୍ନ ପୂର୍ଣ୍ଣିମା ନୀତି ବିଧିବିଧାନ ମୁତାବକ କରାଯାଇଥିଲା। ଏଥର ମଧ୍ୟ କରୋନା କଟକଣା ଭିତରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହେବ। ଆସନ୍ତା ଜୁନ୍ ୨୪ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା ପଡ଼ୁଛି। ଏହା ପୂର୍ବରୁ ହାତରେ କମ୍ ସମୟ ରହିଛି। ଏଥର ମଧ୍ୟ ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତଙ୍କ ଦର୍ଶନ ଉପରେ କଟକଣା ଲଗାଯିବ।ସୂଚନାଯୋଗ୍ୟ, ପବିତ୍ର ଅକ୍ଷୟ ତୃତୀୟା ଠାରୁ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ଏହି ପୁରୀ ରଥଖଳାରୁ ଆଉ ୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ। କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଜିଲ୍ଲାପାଳ ଓ ଏସପି ଆଜି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

ବାୟୋ ବବଲ୍‌ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ପୁରୀରେ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ଚାଲିବ ରଥ ନିର୍ମାଣ କାର୍ଯ୍ୟ। ରଥକାମରେ ନିୟୋଜିତ ସେବାୟତଙ୍କ ଭିତରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସନ। ବାୟୋ-ବବଲ୍‌ର ଅର୍ଥ କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ଚାରିପଟେ ଏଭଳି ଏକ ସୁରକ୍ଷିତ ବଳୟ ବା ଅଦୃଶ୍ୟ କବଚ ସୃଷ୍ଟି କରାଯିବ, ଯେଉଁଠିକୁ ସଂକ୍ରମଣ ଭେଦ କରିପାରିବ ନାହିଁ। ଯେଉଁମାନେ ସେହି ବଳୟ ଭିତରେ ରହିବେ, ସେମାନଙ୍କୁ ଉଦ୍ଦିଷ୍ଟ ଏସ୍ଓପି ଗୁଡ଼ିକୁ କଡ଼ାକଡ଼ି ଅନୁସରଣ କରିବାକୁ ପଡ଼ିବ। ସେମାନେ ସଂକ୍ରମଣରୁ ବର୍ତ୍ତିବାକୁ ଘରକୁ ଯାଇପାରିବେନି। ସେହିପରି ପରିବାର ଲୋକ କିମ୍ବା ଅନ୍ୟ କାହାରି ସଂସ୍ପର୍ଶରେ ଆସିପାରିବେ ନାହିଁ। ସୂଚନାଯୋଗ୍ୟ, ରଥଖଳାରେ ନିୟୋଜିତ ୮୮ ଜଣ ସେବାୟତଙ୍କ ଭିତରୁ ୮ ଜଣଙ୍କ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଅଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ଦର୍ଶନ ମନା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ପୁଣି ବଢ଼ିଲା ଶ୍ରୀମନ୍ଦିର ଦର୍ଶନ କଟକଣା। ଜୁନ୍ ୧୫ ତାରିଖ ଯାଏଁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ମନା। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢ଼ିଲା। କୋଭିଡ୍ ସ୍ଥିତିକୁ ନେଇ ସମୀକ୍ଷା ବୈଠକରେ ଏହି ନିଷ୍ପତ୍ତି ହୋଇଛି। ସୀମିତ ସେବାୟତଙ୍କୁ ନେଇ ଶ୍ରୀଜିଉଙ୍କ ନୀତିକାନ୍ତି ଜାରି ରହିବ ବୋଲି କୁହାଯାଇଛି। ପୂର୍ବରୁ ଏପ୍ରିଲ ୨୫ରୁ ମେ ୧୫ ପର୍ଯ୍ୟନ୍ତ ଦର୍ଶନ କଟକଣା କରାଯାଇଥିଲା। ଏବେ କୋଭିଡର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ଏହି ଅବଧିକୁ ବୃଦ୍ଧି କରାଯାଇଛି। ତେବେ ଏହାରି ଭିତରେ  ରଥ ନିର୍ବାଣ କାର୍ଯ୍ୟ ଆରମ୍ଭ ହୋଇଛି। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ତୁମ୍ବ କାମ ଆରମ୍ଭ ହୋଇଛି। ତିନିରଥ ନିମନ୍ତେ ତିନୋଟି ତୁମ୍ବ ପାଇଁ କରତି ମାନେ ବଡ଼ବଡ଼ କାଠ ଗଣ୍ଡିକୁ ବଡ଼ କରତ ଦ୍ୱାରା ଚିରଟ କରିଛନ୍ତି। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥିଲା।

ରଥଖଳା ଚଳଞ୍ଚଚଳ, ଆଜିଠାରୁ ଆରମ୍ଭ ହୋଇଛି ରଥ ନିର୍ମାଣ କାମ..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀନଅର ସମ୍ମୁଖ ରଥଖଳା ଚଳଚଂଚଳ। ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଜିଠାରୁ ଆରମ୍ଭ ହୋଇଛି। ପ୍ରଥମେ ତୁମ୍ବ କାମ ଆରମ୍ଭ ହୋଇଛି। ତିନିରଥ ନିମନ୍ତେ ତିନୋଟି ତୁମ୍ବ ପାଇଁ କରତି ମାନେ ବଡ଼ବଡ଼ କାଠ ଗଣ୍ଡିକୁ ବଡ଼ କରତ ଦ୍ୱାରା ଚିରଟ କରିଛନ୍ତି। ଗତକାଲି ପବିତ୍ର ଅକ୍ଷୟ ତୃତୀୟାରେ ରଥ ନିର୍ମାଣ କାର୍ଯ୍ୟ ପାଇଁ ଅନୁକୂଳ ହୋଇଥିଲା। ଶାସ୍ତ୍ରୀୟ ବିଧି ଅନୁଯାୟୀ, ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ପାଇଁ ବନଯାଗ ବିଧିରେ ହୋମ କାର୍ଯ୍ୟ କରାଯାଇଥିଲା। ଦେଉଳ ପୁରୋହିତ, ରାଜଗୁରୁ, ଶ୍ରୋତ୍ରୀୟ ବ୍ରାହ୍ମଣମାନେ ମିଶି ସ୍ୱତନ୍ତ୍ର ଭାବେ ନିର୍ମିତ ଯଜ୍ଞଶାଳାରେ ଯଜ୍ଞ କରିଥିଲେ। ବନଯାଗର ଇଷ୍ଟ ଦେବ ନୃସିଂହଙ୍କୁ ଆରାଧନା କରାଯାଇ ନୃସିଂହଙ୍କ ମନ୍ତ୍ରରେ ଯଜ୍ଞ ‌ଆହୁତି ଦିଆଯାଇଥିଲା। ପରେ ସ୍ବତନ୍ତ୍ର ମଣି ବିମାନରେ ମଦନମୋହନ, ଶ୍ରୀଦେବୀ, ଭୂଦେବୀ, ରାମ-କୃଷ୍ଣ ଏବଂ ପଞ୍ଚ ମହାଦେବ ଜମ୍ୱେଶ୍ୱର, ଲୋକନାଥ, କପାଳମୋଚନ, ମାର୍କଣ୍ଡେଶ୍ୱର ଓ ନୀଳକଣ୍ଠେଶ୍ୱର ରଥଖଳାରେ ବିରାଜମାନ କରିଥିଲେ। ଅପରାହ୍ଣ ପ୍ରାୟ ୪ଟାରେ ପୂଜାପଣ୍ଡା ସେବକମାନେ ଶ୍ରୀମନ୍ଦିରରୁ ବଡ଼ଠାକୁର ବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା’ ସୁଭଦ୍ରାଙ୍କ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ରଥଖଳାକୁ ବିଜେ କରିବା ପରେ ପୂର୍ବପ୍ରସ୍ତୁତ ତିନି ଧଉରା କାଠରେ ଲାଗି କରାଯାଇଥିଲା। ଆଉ ମହାରଣାମାନେ ତୁମ୍ବ କାଠରେ ଚିହ୍ନଟ ଦେଇଥିଲେ। ଏଥିପାଇଁ ଆଜି ଶ୍ରୀମନ୍ଦିର ସିଂହଦ୍ବାର ସହ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଜାରି କରାଯାଇଥିଲା।  ଆଜି ଚିରଟ ପରେ ଆସନ୍ତାକାଲି ତିନୋଟି ତୁମ୍ବ କୁ ମହାରଣାମାନେ ବାର୍ଷି ଜରିଆରେ ଗୋଳେଇ କରିବେ। ଏବେ ପ୍ରାଥମିକ ପର୍ଯ୍ୟାୟରେ ରଥଖଳାରେ କାଠ ମହଜୁଦ ଅଛି ବୋଲି ବଳଭଦ୍ରଙ୍କ ରଥର ମୁଖ୍ୟ ମହାରଣା କହିଛନ୍ତି।

ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ଜୋରଦାର ; ଏସ୍ଓପି ଉଲ୍ଳଘଂନ କଲେ ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ) – ଚନ୍ଦନ ଯାତ୍ରାକୁ ସୁରୁଖୁରରେ ଶେଷ କରିବା ପାଇଁ  ପୂରା ଆକ୍ସନ ମୁଡରେ ଅଛି ପୁରୀ ପୁଲିସ୍‌। ୨୧ ଦିନ ବ୍ୟାପୀ ନରେନ୍ଦ୍ର ପୁଷ୍କରିଣୀ ଚତୁଃପାର୍ଶ୍ୱ ଓ ଶ୍ରୀମନ୍ଦିର ସମ୍ମୁଖ ଭାଗରେ ଜାରି ହେବ ୧୪୪ ଧାରା। କୌଣସି ପରିସ୍ଥିତିରେ ଏସ୍ଓପିକୁ ଉଲ୍ଲଂଘନ ହେବାକୁ ଦିଆଯିବ ନାହିଁ ବୋଲି କହିଛନ୍ତି ପୁରୀ ଏସ୍‌ପି କନଓ୍ୱର ବିଶାଳ ସିଂ । ସୁରକ୍ଷା ବ୍ୟବସ୍ଥାକୁ ୫ ଭାଗରେ ବିଭକ୍ତ କରାଯାଇଛି । କୋଭିଡ କଟକଣା ପାଳନ ପାଇଁ ୬ଟି ଏନଫୋର୍ସମେଣ୍ଟ ଟିମ୍ କାର୍ଯ୍ୟ କରିବ । ଯାତ୍ରା ସହ ଜଡିତ ସେବାୟତ ଓ କର୍ମଚାରୀ ହିଁ କେବଳ ସାମିଲ ହେବେ । ଜଣେ ଅତିରିକ୍ତ ଏସପିଙ୍କ ସହ ୬ ଡିଏସ୍‌ପି, ୮ ଇନ୍ସପେକ୍ଟର, ୫୦  କନଷ୍ଟେବଲ, ୮ ପ୍ଲାଟୁନ ଫୋର୍ସ ସୁରକ୍ଷା ଦାୟିତ୍ୱରେ ରହିବେ । ଏସଓପି ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସ୍‌ପି କହିଛନ୍ତି । ଅପରପକ୍ଷେ, ଚନ୍ଦନଯାତ୍ରା ସହ ସମ୍ପୃକ୍ତ ସେବାୟତ ଓ ଅଧିକାରୀଙ୍କର ଶେଷ ହେଲା କୋଭିଡ୍ ଟେଷ୍ଟ । ୨୫୦ରୁ ଅଧିକ ସେବାୟତ ଓ କର୍ମଚାରୀଙ୍କର ଟେଷ୍ଟ କରାଯାଇଛି । ନେଗେଟିଭ୍ ବାହାରିଥିବା ସେବାୟତ ଓ କର୍ମଚାରୀଙ୍କୁ ନେଇ ଅନୁଷ୍ଠିତ ହେବ ଚନ୍ଦନଯାତ୍ରା । ପଜିଟିଭ୍ ଥିବା ସେବାୟତଙ୍କୁ ହୋମ୍ ଆଇସୋଲେସନରେ ରହିବା ଲାଗି ପରାମର୍ଶ ଦିଆଯାଇଛି । ୧୪୪ ଧାରା ଜାରି ଯୋଗୁଁ ପାସ୍ ଦିଆଯାଇଥିବା ସେବାୟତ ଓ କର୍ମଚାରୀଙ୍କ ସହାୟତାରେ ଚନ୍ଦନ ଯାତ୍ରା କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନେଇଛି।

ସେବାୟତଙ୍କୁ ୧୦ ହଜାର ଲେଖାଏଁ ପ୍ରଦାନ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ)- କରୋନା ପାଇଁ ଶ୍ରୀମନ୍ଦିର ଶ୍ରଦ୍ଧାଳୁଙ୍କ ଲାଗି ବନ୍ଦ ଥିବାରୁ ସେବାୟତଙ୍କୁ ସହାୟତା ପ୍ରଦାନ କରାଯାଇଛି। ସେବାୟତଙ୍କୁ ଆର୍ଥିକ ସହାୟତା ପ୍ରଦାନ କଲା ଶ୍ରୀମନ୍ଦିର ପ୍ରଶାସନ। ମୋଟ ୨୪୬୩ ସେବାୟତଙ୍କୁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ପ୍ରଦାନ କରାଯାଇଛି। ମୋଟ ୨ କୋଟି ୪୬ ଲକ୍ଷ ୩୦ ହଜାର ପ୍ରଦାନ ନେଇ ନୀତି ପ୍ରଶାସକ ସୂଚନା ଦେଇଛନ୍ତି। କୋଭିଡ୍ -୧୯ ମୁକାବିଲା ଲାଗି ଶ୍ରୀଜଗନ୍ନାଥ ମନ୍ଦିର ବନ୍ଦ ରହିଥିବାରୁ ସେବାୟତମାନଙ୍କ ଆର୍ଥିକ ଅବସ୍ଥା ଉପରେ ଏହାର ପ୍ରଭାବ ପଡ଼ିଛି। ଏହାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ସେବାୟତଙ୍କୁ ଗତ ବର୍ଷ ମଧ୍ୟ ୧୦, ୦୦୦ ଟଙ୍କା ଲେଖାଁଏ ପ୍ରଦାନ କରାଯାଇଥିଲା। ଏହି ଟଙ୍କା ଦୁଇଟି କିସ୍ତିରେ ପ୍ରଦାନ କରାଯାଇଥିଲା। ମହାମାରୀ କରୋନା ଯୋଗଁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିଛି । ଯାହା ସେବାୟତମାନଙ୍କ ଆର୍ଥିକ ସ୍ଥିତକୁ ଦୁର୍ବଳ କରିଦେଇଛି । ଏଣୁ ଏହି ବିପତ୍ତି ସମୟରେ ଶ୍ରୀମନ୍ଦିର ପ୍ରଶାସନ ସେବାୟତମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛି।

ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ଶ୍ରୀମନ୍ଦିର ବାହାରେ ହେବ ଚନ୍ଦନ ଯାତ୍ରା । ଆଜି ବସିଥିବା ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ଏନେଇ ନିଷ୍ପତ୍ତି ହୋଇଛି । ଶ୍ରୀମନ୍ଦିର ୧୪୪ ଧାରା ଲାଗୁ କରାଯାଇ ଚନ୍ଦନ ଯାତ୍ରା କରାଯିବ। ସୀମିତ ସଂଖ୍ୟକ ଅର୍ଥାତ୍ ୫୦ରୁ ୭୦ ସେବାୟତଙ୍କୁ ନେଇ ଯାତ୍ରା କରାଯିବ। ସେବାୟତଙ୍କ ଜଞଚଉଜ ଟେଷ୍ଟ କରାଯିବ, ନେଗେଟିଭ ଥିବା ସେବାୟତଙ୍କୁ ଅନୁମତି ମିଳିବ। ରଥ ନିର୍ମାଣରେ ନିୟୋଜିତ ଲୋକଙ୍କୁ ଆଇସୋଲେସନରେ ରଖାଯିବ । ଉଭୟ ଚନ୍ଦନ ଯାତ୍ରା ଓ ରଥ ନିର୍ମାଣ ବେଳେ ୧୪୪ ଧାରା ଜାରି କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି । ଦର୍ଶନ ପାଇଁ ଗଣମାଧ୍ୟମକୁ ଚନ୍ଦନ ଯାତ୍ରାର ଲାଇଭ ଫିଡ୍ ଦିଆଯିବାକୁ ବ୍ୟବସ୍ଥା ହୋଇଛି । ଛତିଶା ନିଯୋଗ ମିଟିଂ ପରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଆଜି ଛତିଶାନିଯୋଗ ବୈଠକ ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା । ତେବେ କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି। ନରେନ୍ଦ୍ର ପୁଷ୍କରଣୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡଙ୍ଗାକୁ ପାଣି କଢାଯାଇ ଚାପ ପ୍ରସ୍ତୁତ କରାଯାଉଛି। ଏବେ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି। 

କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ପୁରୀ) – କୋଭିଡ କଟକଣା ଭିତରେ ଚନ୍ଦନଯାତ୍ରା ପ୍ରସ୍ତୁତି ଆରମ୍ଭ ହୋଇଛି।  ଶ୍ରୀ ନଅର ସମ୍ମୁଖ ରଥଖଳାକୁ ପ୍ରସ୍ତୁତ କରାଯାଉଛି। ନରେନ୍ଦ୍ର ପୁଷ୍କରଣୀକୁ ମଧ୍ୟ ପ୍ରସ୍ତୁତ କରାଯାଇଛି। ଡଙ୍ଗାକୁ ପାଣି କଢାଯାଇ ଚାପ ପ୍ରସ୍ତୁତ କରାଯାଉଛି। ଆଗାମୀ ୧୨ତାରିଖରୁ କରାଯିବ ଚନ୍ଦନଯାତ୍ରା ଏବଂ ରଥ ର୍ନିମାଣରେ ସାମିଲ ସେବାୟତଙ୍କ କୋଭିଡ ଟେଷ୍ଟ କରାଯିବା ନେଇ ନିଷ୍ପତ୍ତି ହୋଇଛି । ଯେଉଁ ମାନଙ୍କର ରିପୋର୍ଟ ନେଗେଟିଭ ରହିବ ସେମାନେ ଏହି ଯାତ୍ରାରେ ସାମିଲ ହୋଇପାରିବେ । ଏବେ କରୋନା ମହାମାରୀ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିବାରୁ କଟକଣା ଭିତରେ କିଭଳି ମହାପ୍ରଭୁଙ୍କ ଚନ୍ଦନଯାତ୍ରା ଶେଷ ହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ବିନାଭକ୍ତରେ ଚନ୍ଦନଯାତ୍ରା କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଥିବାବଳେ ସେବାୟତ ସଂଖ୍ୟା ବି ସୀମିତ କରିବାକୁ ସ୍ଥିର ହୋଇଛି। ଏଥିପାଇଁ ନୀତି ସଂପୃକ୍ତ ସେବାୟତଙ୍କ ତାଲିକା ପ୍ରସ୍ତୁତି ଚାଲିଛି। ବିଭିନ୍ନ ନିଯୋଗର ପ୍ରାୟ ଦେଢ଼ଶହ ସେବାୟତରେ ନୀତିକାନ୍ତି ସଂପୂର୍ଣ୍ଣ କରିବାକୁ ମନ୍ଦିର ପ୍ରଶାସନ ଲକ୍ଷ୍ୟ ରଖିଛି।