“କୋଣାର୍କ ମିଡ଼ିଆ ଫୋରମ” ର ନୁତନ କର୍ମକର୍ତ୍ତା ଚୟନ…!

!!! ପୁରୀ ଜିଲ୍ଲା କୋଣାର୍କ ରୁ ଜ୍ଞାନ ରଞ୍ଜନ ସାହୁ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(କୋଣାର୍କ)- କୋଣାର୍କ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଗଠିତ “କୋଣାର୍କ ମିଡ଼ିଆ ଫୋରମ” ର ମଙ୍ଗଳବାର ମଧ୍ୟାହ୍ନରେ କୋଣାର୍କ ଚନ୍ଦ୍ରଭାଗା ନିକଟରେ ଥିବା ଛୋଟାରାମ ବାବାଙ୍କ ଆଶ୍ରମ ପ୍ରାଙ୍ଗଣରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ସଂଘର ନୂତନ କର୍ମକର୍ତ୍ତା ଚୟନ ପ୍ରକ୍ରିୟା ମଧ୍ୟ କରାଯାଇଥିଲା। ସମସ୍ତ ସଭ୍ୟଙ୍କ ଉପସ୍ଥିତରେ ସଂଘର ଦାୟିତ୍ୱରେ ଥିବା ପୁରାତନ କର୍ମକର୍ତ୍ତା ମାନେ ନୂତନ କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଅର୍ପଣ କରିଥିଲେ। ସମସ୍ତଙ୍କ ମତାମତ ଅନୁଯାୟୀ ସଂଘର ନୂତନ ସଭାପତି ଭାବେ ବରିଷ୍ଠ ସାମ୍ବାଦିକ ମିଲନ କୁମାର ମହାନ୍ତି, ଉପ- ସଭାପତି ଭାବେ ଆଶିଷ ରଞ୍ଜନ ମିଶ୍ର, ସମ୍ପାଦକ ଭାବେ ଦୁର୍ଗା ପ୍ରସାଦ ମହାପାତ୍ର ଏବଂ କୋଷାଧ୍ୟକ୍ଷ ରୂପେ ଦେବାଶିଷ ସେଠୀଙ୍କୁ ମନୋନୀତ କରାଯାଇଥିଲା। ପରେ ଉପସ୍ଥିତ ଅନ୍ୟ ସଭ୍ୟ ମାନେ ନୂତନ କର୍ମକର୍ତ୍ତାଙ୍କୁ ପୁଷ୍ପଗୁଚ୍ଛା ପ୍ରଦାନ ପୂର୍ବକ ଶୁଭେଚ୍ଛା ଜଣାଇଥିଲେ।

ସଂଘର ସୁଦୃଢ଼ୀକରଣ ଦୃଷ୍ଟିରୁ ଏହାକୁ ଆହୁରି ସଶକ୍ତ କରିବା ଉଦ୍ଦେଶ୍ୟରେ ଏହି ବୈଠକରେ ନୂତନ କରି ସଦସ୍ୟ ଭାବେ ସାମ୍ବାଦିକ ପ୍ରଭାସ ପୃଷ୍ଟି , ସନ୍ତୋଷ ଦାସ, ବିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଡି ହୋଇଥିଲେ। ନୂତନ ସଭ୍ୟଙ୍କୁ ସଂଘର ସଭାପତି ଅନୁଷ୍ଠାନ କୁ ସ୍ୱାଗତ ଜଣାଇ ଆଗାମୀ ଦିନରେ ସଂଘକୁ ଆଗକୁ ବଢ଼ାଇ ନେବାକୁ ଉପଦେଶ ଦେଇଥିଲେ। ପରିଶେଷରେ ଆସନ୍ତା ଡିସେମ୍ବର ୧ ରୁ ୫ ତାରିଖ କୋଣାର୍କ ରେ ଅନୁଷ୍ଠିତ ହେବାକୁ ୩୫ ତମ କୋଣାର୍କ ମହୋତ୍ସବ ଏବଂ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବ ଅବସରରେ କୋଣାର୍କ ମିଡ଼ିଆ ଫୋରମ ପକ୍ଷରୁ ପ୍ରତିଥର ଭଳି ଚଳିତ ବର୍ଷ ମଧ୍ୟ ପର୍ଯ୍ୟଟନ ବିଭାଗ ଏବଂ କାମତ ହୋଟେଲ ଲିମିଟେଡ଼ର ସହଭାଗିତାରେ କୋଣାର୍କ ଏନ ଏ ସି ରେ ଥିବା ବିଭିନ୍ନ ବିଦ୍ୟାଳୟର କୁନି କୁନି ଛାତ୍ର ଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଏବଂ ନିବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହେଵା ନେଇ ଆଲୋଚନା ହୋଇଥିଲା। ଏହି ବୈଠକକୁ ଅନ୍ୟ ମାନଙ୍କ ମଧ୍ୟରେ ବସନ୍ତ କୁମାର ମଲ୍ଲ, ଜ୍ଞାନ ରଞ୍ଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ।

ପ୍ରଶାସନ ର କଠୋର ନିସ୍ପତି ; ଆସନ୍ତା ବର୍ଷ କେବଳ ନୀତି ସମ୍ପୃକ୍ତ ସେବାୟତ ରଥ ଚଢ଼ିବେ….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଆସନ୍ତା ବର୍ଷ ରଥରେ ସମସ୍ତ ସେବାୟତ ଚଢ଼ିବେନି। କେବଳ ନୀତି ସହ ଜଡ଼ିତ ସେବାୟତ ହିଁ ରଥ ଉପରକୁ ଚଢ଼ିବେ। ଫଳରେ ଠାକୁରଙ୍କୁ ଭଲ ଭାବେ ଦର୍ଶନ କରିପାରିବେ ଭକ୍ତ। ଆଜି ଗଜପତି ଦିବ୍ୟସିଂହଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ଶ୍ରୀମନ୍ଦିର ପରିଚାଳଚନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ବୈଠକରେ ବିଶେଷ ଭାବେ ଚଳିତ ବର୍ଷ ଅନୁଷ୍ଠିତ ହୋଇଯାଇଥିବା ସ୍ନାନଯାତ୍ରା ଓ ରଥଯାତ୍ରା ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଏହାଛଡ଼ା ଗରିବ ସେବାୟକଙ୍କ ନିମନ୍ତେ ଆବାସ ପ୍ରକଳ୍ପ ଓ ସେବାୟତ ପିଲାଙ୍କ ପାଠପଢ଼ା ପାଇଁ ଗୁରୁକୁଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଅଲୋଚନା ନିମନ୍ତେ ଏଜେଣ୍ଡାରେ ଅନେକ ବିଷୟ ରହିଥିଲେ ହେଁ ନିର୍ଦ୍ଧାରିତ ସମୟ ଭିତରେ ଯାହି ଯେତିକି ଆଲୋଚନା କରି ବୈଠକକୁ ସମାପ୍ତ କରାଯାଇଥିଲା। ତେଣୁ ଶ୍ରୀମନ୍ଦିର ଜମିଜମା ସୁରକ୍ଷା ଓ ବିକ୍ରିବଟା, ରତ୍ନଭଣ୍ଡାର ସୁରକ୍ଷା, ଶ୍ରୀମନ୍ଦିର କରିଡ଼ର ପ୍ରଭୃତି ବିଷୟରେ ବିଶେଷ କୌଣସି ଆଲୋଚନା ହୋଇପାରିନି। ତେବେ ଚଳିତ ବର୍ଷ ସ୍ନାନଯାତ୍ରା ଓ ରଥଯାତ୍ରାରେ ଠାକୁରମାନଙ୍କ ଆଗପଛରେ ନିର୍ଦ୍ଧାରିତ ସଂଖ୍ୟା ଠାରୁ ବହୁ ଅଧିକ ସେବାୟତମାନେ ଘେରି ରହିବାରୁ ଭକ୍ତଙ୍କୁ ଭଲ ଦର୍ଶନ ନ ମିଳିବା ଏବଂ ସ୍ଥିରିକୃତ ଆଚରଣ ସଂହିତାକୁ ଉଲ୍ଲଂଘନ କରାଯିବା ନେଇ କ୍ଷୁବ୍ଧ ଥିବା ପ୍ରଶାସନ କଠୋର ମନୋଭାବ ପୋଷଣ କରିଛି। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ ସୂଚନା ଦେଇ କହିଛନ୍ତି, ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ସମୀକ୍ଷା ହୋଇଥିଲା। ଆସନ୍ତା ବର୍ଷ ଏହି ଉତ୍ସବ ପାଳନ ବେଳେ ସେବାୟତମାନେ ଠାକୁରଙ୍କ ପାଖରେ ଏମିତି ଠିଆ ହେବେ, ଯେପରି ଭକ୍ତ ଭଲଭାବେ ଠାକୁର ଦର୍ଶନ କରିବେ। ଠାକୁରଙ୍କ ନୀତି ପରିଚାଳନା ପାଇଁ ଯେତିକି ସେବାୟତ ଆବଶ୍ୟକ ସେତିକି ରହିବେ। ୩୬ ନିଯୋଗ ସହିତ ଏନେଇ ବୈଠକ କରି ଅଲୋଚନା ହେବ। ଏହାଛଡ଼ା ବୈଠକରେ ଆଦର୍ଶ ଗୁରୁକୂଳ ପ୍ରତିଷ୍ଠା ନେଇ ଆଲୋଚନା ହୋଇଥିଲା। ଏହି ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ଆଲୋଚନା ହୋଇଛି। ସେହିପରି ସେବକ ବାସଗୃହ ନିମନ୍ତେ ପ୍ଲାନ୍ ଆପ୍ରୁଭାଲ ହୋଇଛି। ୪ ମାସ ଭିତରେ କାମ ଆରମ୍ଭ ହେବ। ଗତ ବୈଠକରେ ଲ୍ୟାଣ୍ଡ ସବ୍ କମିଟି ନେଇଥିବା ନିଷ୍ପତ୍ତିକୁ ଆପ୍ରୁଭାଲ ଦିଆଯାଇଛି। ଶ୍ରୀମନ୍ଦିର ପ୍ରଶାସନ ଦ୍ୱାରା ପରିଚାଳିତ ଗେଷ୍ଟ ହାଉସ୍ ରୁମ୍‌ଗୁଡ଼ିକ ସୁବିଧାରେ ଅନ୍‌ଲାଇନ୍‌ରେ ବୁକିଂ ପାଇଁ ଏଚ୍‌ଡିଏଫ୍‌ସି ସହିତ ଏକ ଏମ୍‌ଓଏୟୁ କରାଯିବ। ଏହାକୁ ପରିଚାଳନା କମିଟିରେ ମଞ୍ଜୁରୀ ମିଳିଛି। ଶ୍ରୀଗୁଣ୍ଡିଚା ମନ୍ଦିର ମଧ୍ୟ ସବୁଦିନିଆ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନ ବେଦୀ ଓ ରୋଷଘର ବ୍ୟାରିକେଟ କରାଯିବ। ଭକ୍ତ ଏଠାରେ ବୁଲିପାରିବେ ନାହିଁ। ଅନ୍ୟ ସମସ୍ତ ସ୍ଥାନ ଦେଖିପାରିବେ ବୋଲି ସେ କହିଛନ୍ତି। ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ବୈଠକରେ ସେବାୟତଙ୍କ ସୁବିଧା ପାଇଁ ମାଟିତୋଟା ପରିବର୍ତ୍ତେ ହରଚଣ୍ଡିସାହିର ୩.୧୮୩ ଏକର ଓ ମାଟିମଣ୍ଡପସାହିର ୨.୮୧୧ ଏକର ଜମିରେ ସେବକ ଆବାସ କରାଯିବାକୁ ନିଷ୍ପତ୍ତି ହୋଇଛି। ହରଚଣ୍ଡି ସାହିରେ ୨୨୪ ବାସଗୃହ ପ୍ରଥମେ କରାଯିବ। ପ୍ରତ୍ୟେକ ସେବାୟତଙ୍କ ନିମନ୍ତେ ଏଠାରେ ୨ଟା ରୁମ୍ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯିବ। ସେହିପରି ଆସନ୍ତା ୫ ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ସବୁ ଉନ୍ନତିକରଣ କାମ ଆବଶ୍ୟକ ସେନେଇ ଏଏସ୍‌ଆଇକୁ ଏକ ରିପୋର୍ଟ ଦେବାକୁ କୁହାଯାଇଛି। ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଆରକ୍ୟୁଲୋଜିଷ୍ଟ ଅରୁଣ ମଲ୍ଲିକ ରତ୍ନସିଂହାସନ ପଛରୁ ଖସି ପଡ଼ିଥିବା ପ୍ଲାଷ୍ଟର ସମ୍ପର୍କରେ କହିଛନ୍ତି, ଏହା ମନକୁ ଖସିନି କିମ୍ବା ଆଦ୍ରତା ଯୋଗୁ ଖସିନି। ଏହାକୁ ଖସାଇ ଦିଆଯାଇଛି। ପ୍ଲାଷ୍ଟର ଉପରେ କୌଣସି ଜିନିଷ ମାଡ଼ ହେବାରୁ ଏହା ଖସି ପଡ଼ିଛି। ପୂଜକମାନେ ଏହା ଜାଣିଥିବେ। ଏହି ପ୍ଲାଷ୍ଟର ବହୁତ ବର୍ଷ ତଳେ କରାଯାଇଥିଲା। ଏଭଳି ଘଟଣା ପୁଣି ଘଟିବନି ବୋଲି କହି ହେବନି। ଏନେଇ ଶ୍ରୀମନ୍ଦିର ପ୍ରଶାସନ ଯନ୍ତ୍ରୀମାନଙ୍କ ସହ ଆଲୋଚନା ହୋଇସାରିଛି। ଆସନ୍ତାବର୍ଷ ରଥଯାତ୍ରା ସମୟରେ ପୁଣି ଆବଶ୍ୟକ ମରାମତି କାମ ହେବ। ସେହିପରି ସେ ରତ୍ନ ଭଣ୍ଡାର ସମ୍ପର୍କରେ କହିଛନ୍ତି, ଏହାର ମରାମତି ନେଇ ଶ୍ରୀମନ୍ଦିର ପ୍ରଶାସନ କହିଲେ କରାଯିବ। ୨୦୧୮ରେ ରତ୍ନ ଭଣ୍ଡାର ଯାଞ୍ଚ ସମ୍ପୂର୍ଣ୍ଣ ହୋଇ ନ ଥିଲା।

ମହାପ୍ରଭୁଙ୍କ ରୋଷଶାଳାରେ ଚୁଲି ଭଙ୍ଗିଲା କିଏ ? ତଦନ୍ତ କରିବ ୫ ଜଣିଆ ଟିମ୍‌…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ମହାପ୍ରଭୁ ଜଗନ୍ନାଥଙ୍କ ରୋଷଶାଳାରେ ୮୦ରୁ ଅଧିକ ଚୁଲି ଭଙ୍ଗିଲା କିଏ? ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ବା ଜିଲ୍ଲା ପ୍ରଶାସନ କାହା ପାଖରେ କିଛି ଉତ୍ତର ନାହିଁ। ଏନେଇ ହୋ-ହଲ୍ଲା ପରେ ପ୍ରଶାସନର ଚେତା ପଶିଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁରୀ ଏସ୍‌ପି କନୱାର ବିଶାଳ ସିଂହ ୫ ଜଣିଆ ଟିମ୍‌ ଗଠନ କରିଛନ୍ତି। ଏସ୍‌ପିଙ୍କ କହିବା ଅନୁସାରେ ଘଟଣାର ତଦନ୍ତ ପାଇଁ ସିସିଟିଭି ଯାଞ୍ଚ ଚାଲିଛି। ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ହେବ। ମାମଲାକୁ ଟପ୍‌ ମୋଷ୍ଟ କ୍ୟାଟଗୋରୀରେ ଆମେ ନେଉଛୁ। ଏଭଳି ଜଘନ୍ୟ ଘଟଣାରେ ଦୋଷୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ। ସିଂହଦ୍ୱାର ଥାନାରେ ହୋଇଥିବା ଏତଲା ଆଧାରରେ ୪୨୭ IPC, ୨୯୫ A, ସେକ୍ସନ ୩୦ (A)(B) SJTAରେ ମାମଲା ରୁଜୁ ହୋଇଛି ବୋଲି ଏସ୍‌ପି କହିଛନ୍ତି। ସେପଟେ ଶ୍ରୀମନ୍ଦିର ରୋଷଘରେ ଚୁଲି ଭଙ୍ଗାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖପ୍ରକାଶ କରିଛନ୍ତି। ସେ ଟ୍ୱିଟ୍‌ କରି ଲେଖିଛନ୍ତି, “ଓଡ଼ିଆ ଜାତିର ଅସ୍ମିତାର ପରିଚୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ସ୍ଥିତ ପବିତ୍ର ରୋଷଘର ଚୁଲି ଗୁଡ଼ିକ ଭାଙ୍ଗି ଦିଆଯିବା ଘଟଣା ଗଣମାଧ୍ୟମରୁ ଜାଣିବାକୁ ପାଇଲି। ଏହି ଖବର ମୋତେ ଦୁଃଖିତ ଓ ବ୍ୟଥିତ କରିଛି। ମହାପ୍ରଭୁ ଓଡ଼ିଶାବାସୀ ଏବଂ ସାରା ବିଶ୍ୱର ହିନ୍ଦୁ ସମାଜର ଆସ୍ଥା ଓ ବିଶ୍ୱାସର କେନ୍ଦ୍ର। ଶ୍ରୀମନ୍ଦିର ସହ ମହାପ୍ରଭୁଙ୍କ ମହାପ୍ରସାଦର ରହିଛି ଅନନ୍ୟ ସମ୍ପର୍କ। ରୋଷଘରରେ ଅବଢ଼ା ପ୍ରସ୍ତୁତ ହେଉଥିବା ଚୁଲିକୁ ଭାଙ୍ଗି ଦେଇ ମହାପ୍ରଭୁଙ୍କ ପ୍ରସାଦ ପ୍ରସ୍ତୁତିକୁ ବ୍ୟାଘାତ କରିବା ଦୁଃଖଦାୟକ ଘଟଣା।” ସେ ଆହୁରି ଲେଖିଛନ୍ତି-“ମହାପ୍ରସାଦ ସହ ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି। ମହାପ୍ରଭୁଙ୍କ ମହାପ୍ରସାଦ ଅମୃତ ତୁଲ୍ୟ। ମହାପ୍ରଭୁଙ୍କ ରୋଷଘର ସହ ମା’ ଲକ୍ଷ୍ମୀ ଓ ମା’ ହିଙ୍ଗୁଳାଙ୍କ ପ୍ରତ୍ୟକ୍ଷ ଜଡ଼ିତ ଥିବା ଓଡ଼ିଆ ଜନମାନସର ବିଶ୍ୱାସ। ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଭବିଷ୍ୟତରେ ଯେଭଳି ଏହି ଘଟଣାର ପୁନରାବୃତ୍ତି ନ ହେବ, ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ।”ଶ୍ରୀମନ୍ଦିର ରୋଷଘରେ ୮୦ରୁ ଅଧିକ ଚୁଲି ଭଙ୍ଗାବାକୁ ନେଇ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ସେ ଟ୍ୱିଟ୍‌ କରି ଲେଖିଛନ୍ତି, ଏଭଳି ଘଟଣା ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରୋଷଘରେ ପଶି ଚୁଲି ଭାଙ୍ଗିଥିବା ଦୁର୍ବୃତ୍ତଙ୍କୁ ଏ ଜାତି କେବେ ବି କ୍ଷମା ଦେବନି। କିନ୍ତୁ ଏହାର ମାନେ ନୁହେଁ ଯେ ଦାୟିତ୍ୱରେ ଥିବା ବ୍ୟବସ୍ଥା ଚୁପ୍‌ ହୋଇ ବସିଯିବେ, ଯାହାକି ଆଜି ଶ୍ରୀମନ୍ଦିର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି କଳାପାହାଡ଼ ସଦୃଶ ଦୁର୍ବୃତ୍ତଙ୍କ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ହେବା ଉଚିତ ବୈଜୟନ୍ତ ଲେଖିଛନ୍ତି।

ସତ୍ୟବାଦୀ ର ବିଧାୟକ ଉମାକାନ୍ତ ସାମନ୍ତରାୟ ଙ୍କ ପତ୍ନୀ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ।

ଏଥର ସମ୍ଭାଳ ବ୍ୟୁରୋ (ପିପିଲି) – ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ମଇଦାନରେ ଓହ୍ଲାଇଲେ ଜଣେ ବିଧାୟକଙ୍କ ପତ୍ନୀ। ସେ ସମିତି ସଭ୍ୟ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ତାଙ୍କ ନାଁ ଶୁଭ୍ରାନ୍ତି ସାମନ୍ତରାୟ। ତାଙ୍କ ସ୍ୱାମୀଙ୍କ ନାଁ ଉମାକାନ୍ତ ସାମନ୍ତରାୟ, ଯିଏ ସତ୍ୟବାଦୀରୁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ପୁରୀ ଜିଲ୍ଲା କଣାସ ବ୍ଲକ ଦୋଛିଆଁ ପଞ୍ଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଶୁଭ୍ରାନ୍ତି ସାମନ୍ତରାୟ। ଆଜି ସେ କଣାସ ବ୍ଲକ୍ ବିଡିଓଙ୍କ ଅଫିସ୍‌ରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ବିଧାୟକଙ୍କ ଧର୍ମପତ୍ନୀ ସମିତି ସଭ୍ୟ ଭାବେ ଛିଡ଼ା ହୋଇଥିବାରୁ ଏହା ଏବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନାର ବିଷୟ ହୋଇଛି। ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବାର ଶେଷ ତାରିଖ ଥିଲା। ଆସନ୍ତାକାଲି ନାମାଙ୍କନ ପତ୍ର ଯାଞ୍ଚ କରାଯିବ। ୨୫ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀ ଚାହିଁଲେ ନାମାଙ୍କନ ପତ୍ର ପ୍ରତ୍ୟାହାର କରିପାରିବେ। ଏହା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଓ ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ଭୋଟ୍ ଗ୍ରହଣ କରାଯିବ।

 

ଆଜି ମହାପ୍ରଭୁଙ୍କ ମକର ଚୌରାସି ବେଶ ।

ଏଥର ସମ୍ଭାଳ ବ୍ୟୁରୋ (ପୁରୀ) – ପବିତ୍ର ମକର ସଂକ୍ରାନ୍ତି ନୀତି ଅବସରରେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ପ୍ରସାଦ ଲାଗି ହେବାର ପରମ୍ପରା ରହିଛି । ବିଧି ପରମ୍ପରା ଅନୁଯାୟୀ ମହାଲକ୍ଷ୍ମୀ ଧନୁସଂକ୍ରାନ୍ତି ଦିନ ବାପଘରକୁ ଚାଲି ଯାଇଥିଲେ । ଫଳରେ ଏକ ମାସ ଧରି ମହାପ୍ରଭୁ ମା’ ଯଶୋମତୀଙ୍କ ହାତରୁ ପହିଲିଭୋଗ ପାଉଥିଲେ ଲକ୍ଷ୍ମୀ ଠାକୁରାଣୀ । ପିତ୍ରାଳୟରୁ ମକର ସଂକ୍ରାନ୍ତି ଦିନ ମକର ଚାଉଳ ଧରି ବଡ ଦେଉଳକୁ ପ୍ରତ୍ୟାବର୍ତ୍ତନ କରିବା ପରେ ମହାପ୍ରଭୁଙ୍କ ନିକଟରେ ମକର ଚାଉଳ ଲାଗି ହୋଇଥାଏ । ଆଜି ମହାପ୍ରଭୁ ମକର ଚୌରାସି ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ  । ଏଥର କୋଭିଡ୍ ଯୋଗୁଁ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ଥିବାରୁ ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇବେ ନାହିଁ ଭକ୍ତ । ସେପଟେ ସୂର୍ଯ୍ୟଦେବଙ୍କର ଉତ୍ତରାୟଣ ଯାତ୍ରା ଯୋଗୁଁ ଆଜିଠାରୁ ଶୀତ କମିଥାଏ ଓ ଗରମ ବଢିଥାଏ ।

 

ଆଜି ସୁନାବେଶ; ମହଣ ମହଣ ସୁନାରେ ସଜେଇ ହେବେ ୩ ଠାକୁର…!

ଏଥର ସମ୍ଭାଳ ବ୍ୟୁରୋ(ନୂଆଦିଲ୍ଲୀ)- ଜନ୍ମବେଦୀରେ  ଲୀଳାଖେଳା ସାରି ଗତକାଲି ନୀଳକନ୍ଦର ଫେରିଛନ୍ତି ମହାବାହୁ । ଆଜି ରଥ ଉପରେ ହେବ ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ତିନି ଠାକୁର।  ତେବେ  କୋଭିଡ କଟକଣା ଯୋଗୁ ଏଥର ମଧ୍ୟ ବିନା ଭକ୍ତରେ ମହାପ୍ରଭୁଙ୍କ ସୁନାବେଶ ହେବ । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ବିନା ଭକ୍ତରେ ସୁରୁଖୁରୁରେ ସରିଛି ବାହୁଡାଯାତ୍ରା ।   କୋଭିଡ୍ କଟକଣା ସତ୍ତ୍ୱେ ଶୃଙ୍ଖଳିତ ନୀତିକାନ୍ତି ପାଇଁ  ନିର୍ଦ୍ଧାରିତ ସମୟ ଆଗରୁ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା ୩ ରଥ ।ଏପଟେ ସୁନାବେଶ ପାଇଁ ସହରର କିଛି ସ୍ଥାନରେ କର୍ଫ୍ୟୁ ବଳବତ୍ତର ରହିଛି । ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତାରେ ୧୪୪ ଧାରା ଜାରି କରାଯାଇଛି । ଏହା ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ।  ଶ୍ରୀଜିଉଙ୍କ ସୁନାବେଶ, ଅଧରପଣା ଏବଂ ନିଳାଦ୍ରୀ ବିଜେ ପାଇଁ ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯାଇଛି ।  ଏସବୁ ଅଞ୍ଚଳକୁ ଛାଡିଦେଲେ ପୁରୀ ପୌରାଞ୍ଚଳର ଅନ୍ୟ ସମସ୍ତ ଅଞ୍ଚଳରୁ କର୍ଫ୍ୟୁକୁ ହଟାଇ ଦିଆଯାଇଛି। ତିନି ରଥ ଏବେ ସିଂହଦ୍ୱାର ସମ୍ମୁଖରେ । ଆଜି ହେବ ଶ୍ରୀଜୀଉଙ୍କ ସୁନାବେଶ । ଏହା ପରେ ଭାଇ, ଭଉଣୀଙ୍କୁ ଧରି ଶ୍ରୀମନ୍ଦିରକୁ ବାହୁଡ଼ିଯିବେ ମହାବାହୁ । ଏହି କ୍ରମରେ ପୁରୀ ବେଳାଭୂମିର ଝୁରା ବାଲିରେ ଜଗତରନାଥ ଜଗନ୍ନାଥଙ୍କ ସୁନାବେଶର ଏକ ପ୍ରତିକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସେପଟେ ବାଲୁକା ଆନିମେସନରେ ପ୍ରଭୁ ଜଗନ୍ନାଥ, ଦେବୀ ସୁଭଦ୍ରା ଏବଂ ବଡ ଭାଇ ବଳଭଦ୍ରଙ୍କୁ ସୁନାବେଶରେ ଦର୍ଶାଇଛନ୍ତି ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ । ଏହାକୁ ତିଆରି କରିବାକୁ ତାଙ୍କୁ ୨ ଘଣ୍ଟା ସମୟ ଲାଗିଥିଲା  । ଏବର୍ଷ ବଡଦାଣ୍ଡରେ ଘର ହୋଇ ମଧ୍ୟ ଠାକୁରଙ୍କୁ ଦେଖିବାରୁ ବଞ୍ଚିତ ହୋଇଥିବାରୁ ନିଜ ବାଲୁକା କଳା ମାଧ୍ୟମରେ ନିଜେ ଦର୍ଶନ କରିବା ସହ ଜଗନ୍ନାଥପ୍ରେମୀଙ୍କୁ  ଶ୍ରୀଜିଉଙ୍କ ସୁନାବେଶର ଦର୍ଶନ କରାଇଛନ୍ତି  ।

ରଥଯାତ୍ରାରେ କର୍ଫ୍ୟୁ ନିୟମ ଉଲ୍ଲଙ୍ଘନ: ୧୦ ଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ପୁରୀରେ ରଥଯାତ୍ରା ବେଳେ କର୍ଫ୍ୟୁ ନିୟମ ଉଲ୍ଲଂଘନ ନେଇ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ପୁଲିସ୍ ଏସଓପି ଉଲ୍ଲଙ୍ଘନ କରିଥିବା ୧୦ ଜଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ହରିୟାଣାର ଗୋବିନ୍ଦକ୍ରିଷ୍ଣା ଦାସ ଓ ଅତୁଲ କ୍ରିଷ୍ଣାଙ୍କ ସହ ୧୦ ଜଣ ପୁରୀରେ କର୍ଫ୍ୟୁ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଥିଲା। ଗୋବିନ୍ଦ ଏବଂ ଅତୁଲଙ୍କୁ ଛାଡ଼ିଲେ ବାକି ୮ ଜଣ ପୁରୀ ସହର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି। ବାକି ୮ ଜଣ ହେଲେ ପୁରୀର ସୋମନାଥ ସାହୁ, ରଞ୍ଜନ କୁମାର ପାତ୍ର, ସୁବ୍ରତ ପଣ୍ଡା, ଭବାନୀ ଜେନା, ମନୋରଞ୍ଜନ ମିଶ୍ର, ରାଜଦୀପ ହରିଚନ୍ଦନ, ରଘୁନାଥ ସରାଫ ଓ ବିଶ୍ୱନାଥ ସାହୁ। ଏମାନଙ୍କ ବିରୋଧରେ ପ୍ରମାଣ ଯୋଗାଡ଼ ପରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛି ପୁଲିସ। ତେବେ ଆଜି ସକାଳେ ବଡ଼ଦାଣ୍ଡରେ ଥିବା ଅକ୍ଷୟ ପାତ୍ର ଫାଉଣ୍ଡେସନ ଅଫିସକୁ ଜିଲ୍ଲା ପ୍ରଶାସନ ସିଲ କରିଥିବା ବେଳେ ବୁଧବାର ମଧ୍ୟ ଗଙ୍ଗା ଲଜିଂକୁ ସିଲ କରିଥିଲା ପ୍ରଶାସନ। ଇସ୍କନ ଭକ୍ତ ଛାତରେ ରହି ରଥ ଦେଖିବା ଅଭିଯୋଗରେ ଅକ୍ଷୟ ପାତ୍ର ଫାଉଣ୍ଡେସନ ସିଲ୍ ହୋଇଛି। ରଥଯାତ୍ରା ପୂରା ପୁରୀ ସହରରେ ୧୪୪ ଧାରା ଜାରି ହୋଇଥିଲା। । ରଥଯାତ୍ରାର ଗୋଟିଏ ରାତି ପୂର୍ବରୁ ଓ ତା’ ପରଦିନ ଅପରାହ୍ନ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହୋଇଥିଲା। ବଡ଼ଦାଣ୍ଡର ଉଭୟ ପାର୍ଶ୍ୱରେ ଥିବା ଘର ଗୁଡ଼ିକର ଛାତ ଉପରେ ରହି କୌଣସି ଲୋକ ରଥଯାତ୍ରା ଦେଖି ପାରିବେ ନାହିଁ। କାରଣ ଏହା ବି କର୍ଫ୍ୟୁ ଅଧୀନରେ ଯାଉଥିବା ଜିଲ୍ଲାପାଳ କହିଥିଲେ। ରଥଯାତ୍ରା ବେଳେ ଲୋକମାନେ ଘର ଭିତରେ ରହିବେ। ଏପରିକି ବଡ଼ଦାଣ୍ଡରେ ଥିବା ହୋଟେଲ ଓ ଲଜ୍‌ ଗୁଡ଼ିକୁ ରଥଯାତ୍ରାର ଦୁଇ ଦିନ ପୂର୍ବରୁ ଖାଲି କରିବା ପାଇଁ କୁହାଯାଇଥିଲା। ସହରର ଅନ୍ୟ ଅଞ୍ଚଳରେ ଥିବା ହୋଟେଲ୍‌ ଗୁଡ଼ିକରେ ଲୋକେ ରହିପାରିବେ, କିନ୍ତୁ କର୍ଫ୍ୟୁ ବେଳେ କେହି ବାହାରକୁ ଯାଇପାରିବେ ନାହିଁ ବୋଲି ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟରେ କେବଳ ପୁରୀରେ ରଥଯାତ୍ରା ହୋଇଛି।

ବିଶ୍ୱ ଦେଖିଲା ବିସ୍ମୟ ଯାତ୍ରା, ଶରଧା ବାଲିରେ ବିଶ୍ୱ ନିୟନ୍ତା…..!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର/ପୁରୀ)- ଆଜି ଥିଲା ବିଶ୍ୱ ନିୟନ୍ତାଙ୍କ ଘୋଷଯାତ୍ରା। ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି କାଳିଆ ସାଆନ୍ତ ଜନ୍ମବେଦୀକୁ ଯାଇଛନ୍ତି। ହେଲେ ଗତବର୍ଷ ପରି ଏଥର ମଧ୍ୟ ମହାପ୍ରଭୁଙ୍କ ଏହି ଯାତ୍ରାରେ ସାମିଲ ହୋଇପାରିଲେ ନାହିଁ ଭକ୍ତ। ସେବାୟତମାନେ ମହାପ୍ରଭୁଙ୍କ ରଥକୁ ଟାଣି ନେଲେ। ସୂର୍ଯ୍ୟାସ୍ତ ପୂର୍ବରୁ ଶରଧା ବାଲିରେ ଅଟକିଛି ତିନି ରଥ। କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର। ପୂର୍ବ ନିର୍ଦ୍ଧାରିତ ଢେରେ ଆଗରୁ ରଥ ପ୍ରତିଷ୍ଠା ହୋଇଥିଲା। ପରେ ଘଣ୍ଟ ଘଣ୍ଟା କାହାଳୀରେ କମ୍ପି ଉଠିଥିଲା ଶ୍ରୀମନ୍ଦିର। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ପରେ ଟାହିଆ ହଲାଇ ଝୁଲି ଝୁଲି ବାଇଶି ପାହାଚ ଦେଇ ଓହ୍ଲାଇ ଆସିଥିଲେ ବଡ଼ଭାଇ ବଳଭଦ୍ର। ପଛେ ପଛେ ମା’ ସୁଭଦ୍ରା ଆଉ ଶେଷରେ ଟାହିଆ ହଲାଇ ନନ୍ଦିଘୋଷକୁ ବିଜେ କରିଥିଲେ ଜଗତ ଠାକୁର ଜଗନ୍ନାଥ। ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୁଢ଼ କରାଯିବା ପରେ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ଅନୁଗାମୀଙ୍କ ସହ ପହଞ୍ଚିଥିଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ। ତା’ପରେ ଛେରପହଁରା ନୀତି ସଂପାଦନ ପାଇଁ ଶ୍ରୀନଅରରୁ ସିଂହଦ୍ୱାର ଅଭିମୁଖେ ତାମଯାନରେ ଆସିଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ପ୍ରଥମେ ତାଳଧ୍ୱଜ, ତା’ପରେ ନନ୍ଦିଘୋଷ ଓ ଶେଷରେ ଦର୍ପଦଳନ ରଥରେ ଛେରାପହଁରା ସହ ବନ୍ଦାପନା କରିଥିଲେ ଗଜପତି। ଚାରମାଳ ଫିଟାଯାଇ ପ୍ରଥମେ ବଳଭଦ୍ରଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ନେଇଥିଲେ ସେବାୟତ। ଏହା ପରେ ମା’ ସୁଭଦ୍ରାଙ୍କ ଦେବଦଳନ ଆଉ ଶେଷରେ ଘର୍ଘର ନାଦରେ କେବଳ ସେବାୟତଙ୍କ ଗହଳିରେ ଭକ୍ତଶୂନ୍ୟ ବଡ଼ଦାଣ୍ଡରେ ଗଡ଼ିଥିଲା କାଳିଆ ସାଆନ୍ତଙ୍କ ନନ୍ଦିଘୋଷ। ସୂର୍ଯ୍ୟ ନଇଁବା ଆଗରୁ ଶରଧାବାଲିରେ ଗୋଟି ଗୋଟି ହୋଇ ତିନି ରଥ ଲାଗୁଥିଲା। ଆଉ ଶ୍ରୀଗୁଣ୍ଡିଚା ମନ୍ଦିର ସାମ୍ନାରେ ସେବାୟତ ଗାଇଲେ ଗୀତ ଗୋବିନ୍ଦ। ଆଜି ରଥରେ ରହିବା ପରେ କାଲି ଆଡ଼ପମଣ୍ଡପ ବିଜେ କରି ଜନ୍ମବେଦୀରେ ଲୀଳାଖେଳା କରିବେ ତିନି ଠାକୁର।

ଜଗା ପାଖକୁ ଆସିଲା ଅଣସର ଫଳଭାର…!

ଏଥର ସମ୍ଭାଳ ବ୍ୟୁରୋ(ପୁରୀ)- ମହାପ୍ରଭୁ ଜ୍ୱରରେ ପଡ଼ିଛନ୍ତି। ପ୍ରଭୁଙ୍କ ସୁସ୍ଥତା ଲାଗି ପବିତ୍ର ପ୍ରାଚୀକ୍ଷେତ୍ରରୁ ଆସି ପହଞ୍ଚିଛି ଅଣସର ଫଳଭାର। ନିଆଳିର ଶ୍ରୀମାଧବାନନ୍ଦ ଜିଉପୀଠ ଓ କାକଟପୁର ବିଶ୍ୱାମିତ୍ର ମଠ ପକ୍ଷରୁ ଏହି ଭାର ଆସିଛି। ଭାର ଯାତ୍ରୀମାନେ ନାମ ସଂକୀର୍ତ୍ତନ କରି ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିଲେ। ପରେ ଭାର ସାମଗ୍ରୀକୁ ନୃସିଂହ ଚକଡ଼ାରେ ରଖିଥିଲେ। ଅଣସର ଭାର ସାମଗ୍ରୀ ମଧ୍ୟରେ ପଣସ, ଆମ୍ବ, ସପୁରୀ, କଦଳୀ, ପିଜୁଳି, ଖଜୁରୀ, ତୁଳସୀ ଓ ବିଭିନ୍ନ ପ୍ରକାର ଫୁଲ ରହିଛି। ପ୍ରାଚୀ ସଂସ୍କୃତି ଗବେଷକ ତ୍ରିଲୋଚନ ମିଶ୍ର ଓ ଶ୍ରୀମାଧବାନନ୍ଦ ଜିଉ ମନ୍ଦିର ସେବକ ତ୍ରିଲୋଚନ ପୁଷ୍ପାଳକ ଏହାର ନେତୃତ୍ୱ ନେଇଛନ୍ତି। ବହୁ ପୁରାକାଳରେ ପୁରୀର ଦଶାବତାର ମଠ ଜରିଆରେ ପ୍ରାଚୀ କୂଳର ବିଭିନ୍ନ ସାମଗ୍ରୀ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ପଠାଯାଉଥିଲା। ମାତ୍ର ପରେ ଏହି ପରମ୍ପରା ଲୁପ୍ତ ହୋଇ ଯାଇଥିଲା। ୨୦୦୦ ମସିହାଠାରୁ ତ୍ରିଲୋଚନ ମିଶ୍ରଙ୍କ ଉଦ୍ୟମରେ ପ୍ରାଚୀକ୍ଷେତ୍ରରୁ ଅଣସର ଫଳଭାର ପଠାଯାଇ ଆସୁଛନ୍ତି। ଚଳିତବର୍ଷ ଏହି ଯାତ୍ରାରେ ଶ୍ରୀମାଧବାନନ୍ଦ ଜିଉ ପୀଠ ସାମିଲ ହୋଇଛି। ଗତ ଦୁଇ ବର୍ଷ ଧରି ମହାପ୍ରଭୁଙ୍କ ମଉଳା କ୍ଷେତ୍ର କୁହାଯାଉଥିବା ଶ୍ରୀମାଧବାନନ୍ଦ ଜୀଉ ପୀଠରୁ ପୋଢୁଆଁ ଭାର ମଧ୍ୟ ପଠା ଯାଉଛି।

ପୁରୀ ରଥଯାତ୍ରା ପାଇଁ ୪ ଥର ହେବ କରୋନା ଟେଷ୍ଟ୍‌..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର)- ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ପୁରୀରେ କଟକଣା ମଧ୍ୟରେ ରଥଯାତ୍ରା ପାଳନ ହେବାକୁ ଯାଉଥିବା ବେଳେ ଏଥିରେ ସଂପୃକ୍ତ ହେବାକୁ ଥିବା ସମସ୍ତ ବ୍ୟକ୍ତିଙ୍କର ୪ ଥର କରୋନା ଟେଷ୍ଟ କରାଯିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ପ୍ରକାରେ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସେବାୟତ, ପୁଲିସ୍ କର୍ମଚାରୀ ଓ ମନ୍ଦିର ଅଧିକାରୀଙ୍କର ୪ ଥର RTPCR ଟେଷ୍ଟ କରାଯିବ। ସ୍ନାନ ଯାତ୍ରା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରାର ୪୮ ଘଣ୍ଟା ପୂର୍ବରୁ ଏବଂ ନୀଳାଦ୍ରିବିଜେର ୧୫ ଦିନ ପରେ ଏ ସମସ୍ତଙ୍କର RTPCR ଟେଷ୍ଟ କରାଯିବ। ସ୍ନାନ ଯାତ୍ରା ଓ ରଥଯାତ୍ରାରେ ସେବାୟତଙ୍କୁ ଆବଶ୍ୟକ ମାସ୍କ ମଧ୍ୟ ଦିଆଯିବ। ଏହା ସହିତ ରଥଯାତ୍ରାରେ ସଂପୃକ୍ତ ହେବାକୁ ଥିବା ସମସ୍ତ ସେବାୟତ ଓ ଅଧିକାରୀଙ୍କୁ ଟିକା ଦେବା ଉପରେ ଗୁରୁତ୍ୱ ଦିଆଯାଉଛି। ସେହିଭଳି ଶ୍ରୀମନ୍ଦିର ପ୍ରଶାସନ ଓ ସିଡିଏମ୍‌ଓଙ୍କ ଅଫିସ ମଧ୍ୟରେ ସେ ଯୋଗସୂତ୍ର ରଖିବା ପାଇଁ ଜଣେ ନୋଡାଲ୍ ଅଧିକାରୀ ନିଯୁକ୍ତ ହେବେ ବୋଲି ନିଷ୍ପତ୍ତି ନିଆଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ବି ରାଜ୍ୟରେ କେବଳ ପୁରୀରେ ହିଁ ରଥଯାତ୍ରା ଅନୁଷ୍ଠିତ ହେବ। ବିନା ଭକ୍ତରେ ଏହି ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବା ବେଳେ ଏଥିପାଇଁ ଅନେକ କଟକଣା ମଧ୍ୟ ରଖାଯାଇଛି। ରାଜ୍ୟର ଅନ୍ୟ ମନ୍ଦିର ଗୁଡ଼ିକରେ ରଥଯାତ୍ରା ନହେଲେ ବି ନୀତିକାନ୍ତି ଅନୁଷ୍ଠିତ ହୋଇପାରିବ। ତେବେ କେବଳ ମନ୍ଦିର ଭିତରେ ହିଁ ନୀତିକାନ୍ତି ସଂପନ୍ନ କରାଯାଇପାରିବ।