ଏଣିକି ସ୍କୁଲ ପିଲାଙ୍କୁ ବସ ଭଡା ଛାଡ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ମୋହନ ସରକାର କଲେ ବଡ ଘୋଷାଣ। ଏଣିକି ସ୍କୁଲ ପିଲାଙ୍କୁ ରାଜ୍ୟର ସମସ୍ତ ଘରୋଇ ବସ ରେ ବସ ଭଡା ଛାଡ । ସ୍କୁଲ ୟୁନିଫର୍ମ ଓ ଆଇ କାର୍ଡ ଧରିଥିବା ସମସ୍ତ ସ୍କୁଲ ଛାତ୍ର ଛାତ୍ରୀ ପାଇବେ ଏହାର ସୁବିଧା ଆଉ ଦେବାକୁ ପଡିବନି ଟଙ୍କା। ରାଜ୍ୟ ସରକାର ଙ୍କ ଏହି ନିଷ୍ପତ୍ତି ରେ ଲାଭପ୍ରଦ ହୋଇ ପାରିବେ ଗରୀବ ଛାତ୍ର ଛାତ୍ରୀ। ସରକାର ଙ୍କ ଏହି ଘୋଷଣା ପାଇଁ ସାଧୁବାଦ ଦେବା ସହ ଧନ୍ଯବାଦ୍ ଜଣାଇଥିଲେ ଓଡ଼ିଶା ବାସୀ ।

ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବିପୁଳ ସଂଖ୍ୟା ରେ ବିଜୟ ହାସଲ କରିଛି….!

ଏଥର ସମ୍ଭାଳ ବ୍ୟୁରୋ (ନୂଆଦିଲ୍ଲୀ) – ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ ​​ଆରଏସଏସ ସହ ଜଡିତ ଏବିଭିପି ବିପୁଳ ସଂଖ୍ୟା ରେ ବିଜୟ ହାସଲ କରିଛି। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ସଭାପତି ପଦ ସମେତ ତିନୋଟି ଆସନ ଦଖଲ କରିଛି। ଆଜି ଘୋଷଣା ହୋଇଥିବା ଫଳାଫଳରେ, କଂଗ୍ରେସର ନ୍ୟାସନାଲ ଷ୍ଟୁଡେଣ୍ଟସ୍ ୟୁନିଅନ୍ ଅଫ୍ ଇଣ୍ଡିଆ (NSUI) କେବଳ ଉପାଧ୍ୟକ୍ଷ ପଦବୀ ହାସଲ କରିଛି।ଏହି ନିର୍ବାଚନରେ, ପୂର୍ବ ନିର୍ବାଚନ ତୁଳନାରେ ଏନଏସୟୁଆଇ ଗୋଟିଏ ଆସନ ହରାଇଛି। ସଂଗଠନ ମଧ୍ୟ ସଭାପତି ପଦବୀ ହରାଇଛି। ଆଶ୍ଚର୍ଯ୍ୟଜନକ ଭାବରେ, ଏନଏସୟୁଆଇର ଉପାଧ୍ୟକ୍ଷ ପ୍ରାର୍ଥୀ ସର୍ବାଧିକ ଭୋଟ ପାଇ ୨୯୩୩୯ ଭୋଟ ପାଇଛନ୍ତି। ଏବିଭିପିର ଆର୍ଯ୍ୟନ୍ ମାନ ସଭାପତି ପଦବୀ, କୁନାଲ ଚୌଧୁରୀ ସମ୍ପାଦକ ପଦବୀ ଏବଂ ଦୀପିକା ଝା ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଛନ୍ତି। ଗୋବିନ୍ଦ ତନୱାର ଉପାଧ୍ୟକ୍ଷ ପଦବୀ ହରାଇଛନ୍ତି। ଏନଏସୟୁଆଇ ପ୍ରାର୍ଥୀ ରାହୁଲ ଝାନସାଲ ଉପାଧ୍ୟକ୍ଷ ପଦବୀରେ ବିଜୟୀ ହୋଇଛନ୍ତି। ସଭାପତି ପ୍ରାର୍ଥୀ ଜୋସେଲିନ୍ ନନ୍ଦିତା ଚୌଧୁରୀ, ସମ୍ପାଦକ ପ୍ରାର୍ଥୀ କବୀର ଏବଂ ଯୁଗ୍ମ ସମ୍ପାଦକ ପ୍ରାର୍ଥୀ ଲଭକୁଶ ଭଦାନା ପରାସ୍ତ ହୋଇଛନ୍ତି। ୨୦୨୪ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନରେ, ଏନଏସୟୁଆଇ ସଭାପତି ଏବଂ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଥିଲା। ରୌନକ ଖତ୍ରୀ ସଭାପତି ହୋଇଥିଲେ, ଏବଂ ଲୋକେଶ ଚୌଧୁରୀ ଯୁଗ୍ମ ସମ୍ପାଦକ ପଦବୀରେ ବିଜୟୀ ହୋଇଥିଲେ। ଏବିଭିପିର ଭାନୁ ପ୍ରତାପ ଉପ-ସଭାପତି ପଦବୀରେ ଏବଂ ମିତ୍ରବିନ୍ଦ କରନୱାଲ ସଚିବ ପଦବୀରେ ବିଜୟୀ ହୋଇଥିଲେ।

ଅଚାନକ ବିଷମକଟକ ଗସ୍ତ ରେ ମତ୍ସ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ୍

ଏଥର ସମ୍ଭାଳ ବ୍ୟୁରୋ (ରାୟଗଡ) – ଆଜି ସନ୍ଧ୍ୟା ସମୟ ରେ ମତ୍ସ ‌‌‌ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳା ନନ୍ଦ ମଲିକ୍ ଅଚାନକ ବିଷମକଟକ ଗସ୍ତ କରି ସ୍ଥାନୀୟ ନେତୃ ବୃନ୍ଦ ଙ୍କ ସହ ଦେଖା କରି ଅଞ୍ଚଳ ର ବିଶେଷ ସମସ୍ୟା ଗୁଡିକ ଉପରେ ଆଲୋଚନା କରିଥିଲେ।

 

ଉପରାଷ୍ଟ୍ରପତି ନିର୍ବାଚନ ଦେବୀ-ବବି କଲେ କି ଷଡ଼ଯନ୍ତ୍ର? ବଦଳିଗଲା ନେତାଙ୍କ ନିଷ୍ପତ୍ତି, ଅନୁପସ୍ଥିତ ରହିବ ବିଜେଡି….!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟକୁ ନେଇ ଏବେ ଦଳ ଭିତରେ ଘମାସନ ଆରମ୍ଭ ହୋଇଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ବିଜେପି ନେତା ରାଜନାଥ ସିଂ ଉଭୟ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରି ଉପରାଷ୍ଟ୍ରପତି ନିର୍ବାଚନରେ ସେମାନଙ୍କର ପ୍ରାର୍ଥୀକୁ ସମର୍ଥନ ଦେବାକୁ ଅନୁରୋଧ କରିଥିବାବେଳେ ବିଜେଡିର ଆଭ୍ୟନ୍ତରୀଣ ରିପୋର୍ଟ ଏବେ ଦଳୀୟ ମହଲରେ ତୀବ୍ର ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି । ଜୁଲାଇ ୨୬ତାରିଖରେ ଶଙ୍ଖଭବନରେ ଦଳର କୋର ଟିମ୍ ସଦସ୍ୟମାନଙ୍କ ବୈଠକରେ ଏକସ୍ୱରରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଦଳ ବିରୋଧ କରିବ ବୋଲି ନିଷ୍ପତ୍ତି ନିଆଯାଇଥିବା ସତ୍ତ୍ୱେ ନବୀନ ନିବାସକୁ ଭିନ୍ନ ଏକ ରିପୋର୍ଟ ପ୍ରଦାନ କରାଯାଇଥିବା ନେଇ ଏହି ଅସନ୍ତୋଷ ସୃଷ୍ଟି ହୋଇଥିବା କୁହାଯାଉଛି । ଏନଡିଏ ପ୍ରାର୍ଥୀଙ୍କୁ ‘ବିରୋଧ’ ନୁହେଁ ବରଂ ଦଳର ସାଂସଦମାନେ ଏହି ଉପରାଷ୍ଟ୍ରପତି ନିର୍ବାଚନରେ ‘ଅନୁପସ୍ଥିତ’ ରହିବା ପାଇଁ ଦଳ ନିଷ୍ପତ୍ତି ନେଇଛି ବୋଲି ନବୀନ ନିବାସକୁ ବରିଷ୍ଠ ନେତା ଦେବୀ ମିଶ୍ର ଅବଗତ କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି । ତେବେ ଦଳର କୋରଟିମ୍ ନେତାମାନଙ୍କ ନିଷ୍ପତ୍ତିକୁ  ନବୀନ ନିବାସ ପର୍ଯ୍ୟନ୍ତ ପହଂଚାଇବା ଭିତରେ କିଏ ଓ କାହିଁକି ବଦଳାଇ ଦେଲା ଓ ଏହି ଷଡ଼ଯନ୍ତ୍ର ପଛରେ କାହାର ହାତ ରହିଛି ତାକୁ ନେଇ ଦଳୀୟ ନେତାମାନଙ୍କ ମଧ୍ୟରେ ଘମାସନ ଓ ଅବିଶ୍ୱାସର ବାତାବରଣ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି । ସୂତ୍ର ଅନୁସାରେ, ଜୁଲାଇ ୨୬ତାରିଖ ଶନିବାର ଶଙ୍ଖଭବନରେ ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ତଥା ବରିଷ୍ଠ ଉପସଭାପତି ଦେବୀପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ସାଂଗଠନିକ ପ୍ରସଙ୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଅନ୍ୟାନ୍ୟ ପ୍ରସଙ୍ଗ ସହ ଉପରାଷ୍ଟ୍ରପତି ନିର୍ବାଚନରେ ଦଳର ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଆଲୋଚନା ପାଇଁ ବରିଷ୍ଠ ବିଧାୟକ ପ୍ରତାପ କେଶରୀ ଦେବ ମତ ରଖିଥିଲେ । ମାତ୍ର ଉପରାଷ୍ଟ୍ରପତି ନିର୍ବାଚନ ବହୁତ ସମୟ ଅଛି ଓ ପରବର୍ତ୍ତୀ ସମୟରେ ଆଲୋଚନା କରିବା କହି ଦେବୀ ମିଶ୍ର ଏହାକୁ ଏଡ଼ାଇ ଯିବାକୁ ପ୍ରୟାସ କରୁଥିଲେ । କିନ୍ତୁ ପ୍ରଣବପ୍ରକାଶ ଦାସ ଓରଫ ବବିଙ୍କ ସମେତ ଅନ୍ୟ ନେତାମାନେ ପ୍ରତାପଙ୍କୁ ସମର୍ଥନ କରିବା ପରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ରାଜ୍ୟରେ ସାମ୍ପ୍ରତିକ ରାଜନୀତିକ ପରିସ୍ଥିତିରେ ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଦେବା ଆତ୍ମଘାତୀ ସଦୃଶ ହେବ ଓ ଲୋକେ ଆଉ ବିଜେଡିକୁ ଭରସା କରିବେ ନାହିଁ ବୋଲି ଅଧିକାଂଶ ନେତା ମତ ଦେବା ସହ ୱାକଫ୍ ବିଲ୍ ପ୍ରସଙ୍ଗରେ ଦଳକୁ ବେଶ୍ ନିନ୍ଦିତ ଓ କ୍ଷତି ସହିବାକୁ ପଡ଼ିସାରିଛି ବୋଲି କହିଥିଲେ । ତେଣୁ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ କୌଣସି ପରିସ୍ଥିତିରେ ବି ସମର୍ଥନ ନକରିବାକୁ ଦଳର ନେତାମାନେ ନିଷ୍ପତ୍ତି ନେଇ ଏ ସମ୍ପର୍କରେ ନବୀନ ନିବାସକୁ ଆଗୁଆ ଅବଗତ କରାଇ ଦେବାକୁ ଦେବୀ ମିଶ୍ରଙ୍କୁ ଦାୟିତ୍ୱ ଦେଇଥିଲେ । ସେଦିନ ଏହି ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା, ପ୍ରତାପ ଜେନା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ ଓ ପ୍ରଣବପ୍ରକାଶ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜୁଲାଇ ୨୬ତାରିଖରେ ଦଳର କୋରଟିମ୍ ସଦସ୍ୟମାନେ ନେଇଥିବା ନିଷ୍ପତ୍ତି ନବୀନ ନିବାସରେ ପହଂଚିବା ବେଳକୁ ସେଥିରେ ପରିବର୍ତ୍ତନ ହୋଇଯାଇଥିବା ଜଣାପଡ଼ିଛି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ ନୁହେଁ ବରଂ ଅନୁପସ୍ଥିତ ରହିବାକୁ ଦଳର ନିଷ୍ପତ୍ତି ନେଇଛନ୍ତି ବୋଲି ନବୀନ ନିବାସକୁ ରିପୋର୍ଟ ଦିଆଯାଇଥିବା ଦଳୀୟ ଚର୍ଚ୍ଚା ହେଉଛି । ଏଭଳି ପ୍ରାୟୋଜିତ ରିପୋର୍ଟ ନବୀନ ନିବାସ ପଠାଇବାକୁ କିଏ ନିର୍ଦ୍ଦେଶ ଦେଇଥିଲା ଓ କାହିଁକି ଦଳୀୟ ନେତାମାନେ ନେଇଥିବା ନିଷ୍ପତ୍ତିକୁ ବଦଳାଇ ଦିଆଗଲା ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଛି । ସୂତ୍ର ଅନୁସାରେ, ଦେବୀ ଓ ବବି ମିଳିତ ଭାବେ ଏଭଳି ରିପୋର୍ଟ ପ୍ରସ୍ତୁତ କରି ନବୀନ ନିବାସ ପଠାଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି । ଯଦିଓ ଜୁଲାଇ ୨୬ତାରିଖ ବୈଠକରେ ବବି ନିଜେ ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ଆମେ ଆମର ମତାମତ ଦେଇ ଛାଡ଼ି ଦେବା ଓ ନବୀନ ନିବାସ ଯାହା ଠିକ୍ ସେଭଳି ନିଷ୍ପତ୍ତି ନେଉ ବୋଲି କହିଥିବା ଦଳୀୟ ସୂତ୍ରରୁ ସୂଚନା ମିଳିଛି । କେବଳ ସେତିକି ନୁହେଁ, ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରାଯିବ ନାହିଁ ବୋଲି ଅଗଷ୍ଟ ୮ତାରିଖରେ ଦଳର ବରିଷ୍ଠ ନେତା ମହେଶ ସାହୁ ଗଣମାଧ୍ୟମକୁ ସୂଚନା ଦେବା ପରେ ତାଙ୍କୁ ଦଳର ରାଜନୀତିକ ବ୍ୟାପାର କମିଟିର ସଦସ୍ୟ ତଥା ଜଣେ ପରାଜିତ ବିଧାୟକ ଫୋନ୍ କରି କାହିଁକି ଓ ତୁମକୁ କିଏ ଏ ଅଧିକାର ଦେଲା ବୋଲି ପ୍ରଶ୍ନ କରିଥିବା ମଧ୍ୟ ଦଳୀୟ ସୂତ୍ରରୁ ଜଣାପଡ଼ିଛି । ଲୋକସଭାରେ ମୂଳପୋଛ ହୋଇସାରିଥିବା ବିଜେଡିର ଏବେ ରାଜ୍ୟସଭାରେ ମାତ୍ର ୭ଜଣ ସାଂସଦ ଅଛନ୍ତି । ଦଳ ୨୦୨୪ ସାଧାରଣ ନିର୍ବାଚନରେ କ୍ଷମତାଚ୍ୟୁତ ହେବାପରେ ମଧ୍ୟ ଅପକର୍ମକୁ ଲୁଚାଇବା ପାଇଁ ନିଜର ଉପରେ ପଡ଼ି ପ୍ରେମ ନିବେଦନ କରିବା ଆଭିମୁଖ୍ୟ ଛାଡ଼ିପାରିନଥିବା ଚର୍ଚ୍ଚା ହେଉଛି । ୱକଫ୍ ବିଲ ଓ ଅପରେସନ୍ ସିନ୍ଦୂର ଆଲୋଚନାବେଳେ ଦଳର ଆଭିମୁଖ୍ୟ ସମଗ୍ର ଦେଶ ଦେଖିଲା । ଏବେ ଅନୁରୂପ ଭାବେ ଦଳ ସମାନ ଆଭିମୁଖ୍ୟ ପୋଷଣ କରି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଜଣାପଡ଼ିଛି । ସେପ୍ଟେମ୍ବର ୯ତାରିଖରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସାଂସଦମାନେ ଭୋଟିଂରୁ ଅନୁପସ୍ଥିତ ରହିପାରନ୍ତି ନଚେତ୍ ସେମାନଙ୍କୁ ବିବେକାନୁମୋଦିତ ଭୋଟ୍ ଦେବାକୁ କୁହାଯାଇପାରେ ।ଅନୁପସ୍ଥିତ ରହିଲେ ଏନଡିଏ ପ୍ରାର୍ଥୀଙ୍କ ଜିତିବାର ଭୋଟ୍ ବ୍ୟବଧାନ ଆହୁରି ବଢ଼ିଯିବ । ଆଉ ଯେଉଁ ବିବେକାନୁମୋଦିତ ଭୋଟକୁ ଆଧାର କରି ଦଳର ୫ଜଣ ସାଂସଦ ୱକଫ ବିଲରେ ଏନଡିଏ ସରକାରଙ୍କୁ ସମର୍ଥନ କରିବାରେ ସକ୍ଷମ ହୋଇଥିଲେ ଏବେ ଉପରାଷ୍ଟ୍ରପତି ନିର୍ବାଚନରେ ‘ଗୋପନ ମତଦାନ’ର ପ୍ରାବଧାନ ଥିବାରୁ ବିଜେଡି ତା’ର ଫାଇଦା ଉଠାଇ ସେହି ବିବେକାନୁମୋଦିତ ଭୋଟ୍ ଅବା ‘ଅନୁପସ୍ଥିତ’ ରହି ଏନଡିଏ ପ୍ରାର୍ଥୀଙ୍କୁ ସୁହାଇବା ଭଳି ରଣନୀତି ପ୍ରସ୍ତୁତ କରୁଥିବା ଦଳୀୟ ମହଲରେ ଚର୍ଚ୍ଚା ହେଉଛି । ବିଜେଡିର ଏବେ ଯେଉଁ ୭ଜଣ ସାଂସଦ ରାଜ୍ୟସଭାରେ ଅଛନ୍ତି ସେମାନଙ୍କ ମଧ୍ୟରୁ ୨ଜଣଙ୍କୁ ବାଦ୍ ଦେଲେ ଅନ୍ୟ ୫ଜଣ ସମ୍ପୂର୍ଣ୍ଣ ଭାବେ ପାଣ୍ଡିଆନପନ୍ଥୀ ଓ ତାଙ୍କ ଯୋଗୁ ରାଜ୍ୟସଭାକୁ ଯାଇପାରିଛନ୍ତି । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ତଥା ମହାରାଷ୍ଟ୍ର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ ଗତକାଲି ନିଜର ନାମାଙ୍କନ ପତ୍ର ଦାଖଲ କରିସାରିଛନ୍ତି । ତାଙ୍କ ବିରୁଦ୍ଧରେ ଇଣ୍ଡିଆ ମେଂଟ ନିଜର ପ୍ରାର୍ଥୀ ଭାବେ ପୂର୍ବତନ ବିଚାରପତି ବି.ସୁଦର୍ଶନ ରେଡ୍ଡୀଙ୍କୁ ମଇଦାନକୁ ଓହ୍ଲାଇଛି । ଲୋକସଭାରେ ୫୪୩ଟି ଆସନ ମଧ୍ୟରୁ ଗୋଟିଏ ସିଟ୍ ଓ ରାଜ୍ୟସଭାରେ ୨୪୫ଟି ଆସନ ମଧ୍ୟରୁ ୬ଟି ସିଟ୍ ( ଜାମ୍ମୁକାଶ୍ମୀରର ୪ଟି, ଝାଡ଼ଖଣ୍ଡ ଓ ପଞ୍ଜାବର ଗୋଟିଏ ଲେଖାଏଁ) ଖାଲି ପଡ଼ିଛି । ଉପରାଷ୍ଟ୍ରପତି ନିର୍ବାଚନରେ କେବଳ ଲୋକସଭା ଓ ରାଜ୍ୟସଭା ସାଂସଦମାନେ ନିଜର ମତାଧିକାର ସାବ୍ୟସ୍ତ କରିବେ । ତେଣୁ ଲୋକସଭାର ୫୪୨ ଓ ରାଜ୍ୟସଭାର ୨୩୯ଜଣ ସାଂସଦଙ୍କୁ ମିଶାଇଲେ ମୋଟ ଭୋଟ୍ ସଂଖ୍ୟା ୭୮୧ ହେବ । ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୦ ପ୍ରତିଶତ ଅର୍ଥାତ୍ ୩୯୧ଟି ଭୋଟ୍ ଆବଶ୍ୟକ । ବିଜେପି ନେତୃତ୍ୱାଧୀନ ଏନଡିଏ ପାଖରେ ଲୋକସଭାରେ ୨୯୩ଜଣ ସାଂସଦ( ବିଜେପିର ୨୪୦ ଓ ୫୩ ମେଂଟ ସହଯୋଗୀ) ଏବଂ ରାଜ୍ୟସଭାରେ ୧୩୦ (ବିଜେପି ୯୭, ମେଂଟ ସହଯୋଗୀ ଓ ମନୋନୀତ-୩୩ଜଣ) ଅଛନ୍ତି । ଫଳରେ କେବଳ ଏନଡିଏର ମୋଟ ଭୋଟ୍ ୪୨୩ ହେଉଛି । ଜିତିବା ପାଇଁ ୩୯୧ ସାଂସଦଙ୍କ ସମର୍ଥନ ଆବଶ୍ୟକ ଥିବାବେଳେ ଏନଡିଏ ପାଖରେ ଏବେ ୪୨୩ ସାଂସଦଙ୍କ ସମର୍ଥନ ରହିଛି । ଅବଶ୍ୟ ଅଧିକରୁ ଅଧିକ ଦଳଙ୍କ ସମର୍ଥନ ପାଇଁ ବିଜେପି ପ୍ରୟାସ ଜାରି ରଖିଛି ।

ଡାକ୍ତରଙ୍କ ବୟାନ ପରେ ବଢ଼ିଲା ସସପେନ୍ସ ; ପାଣ୍ଡିଆନ ଦମ୍ପତି ନବୀନ ଙ୍କୁ ଭେଟିବାରେ ସାଜିଛନ୍ତି କି ବାଧକ …!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି। ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟକୁ ନେଇ ସମଗ୍ର ରାଜ୍ୟବାସୀ ଚିନ୍ତିତ ଥିବାବେଳେ ଆଜି ଡାକ୍ତରଙ୍କ ବୟାନ ଆହୁରି ସସପେନ୍ସ ବଢ଼ାଇ ଦେଇଛି। ଗତକାଲି ତୁଳନାରେ ଆଜି (ସୋମବାର) ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଛି ଓ ସେ ତାଙ୍କ ଚାରିପାଖରେ ଥିବା ଲୋକମାନଙ୍କୁ ଚିହ୍ନି ପାରୁଛନ୍ତି ବୋଲି ଚିକିତ୍ସା ଦାୟିତ୍ୱରେ ଥିବା ଡାକ୍ତରୀ ଟିମ୍ କହିଛନ୍ତି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲରେ ଅପେକ୍ଷାରତ ବିଜେଡି ନେତାମାନଙ୍କୁ ଡାକ୍ତରୀ ଟିମ୍ ଏହି ସୂଚନା ଦେବା ପରେ ନବୀନ ହସ୍ପିଟାଲରେ ଭର୍ତ୍ତିବେଳେ ତାଙ୍କ ଚାରିପାଖରେ ଥିବା ଲୋକଙ୍କୁ ଚିହ୍ନି ପାରୁନଥିଲେ କି ବୋଲି ପ୍ରଶ୍ନ ଉଠିଲାଣି। ଏହାସହିତ ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଏଭଳି କିଛି ଅଛି ଯାହା ଲୁଚାଇବାକୁ ପାଣ୍ଡିଆନ ଦମ୍ପତି ଏପର୍ଯ୍ୟନ୍ତ କୌଣସି ବିଜେଡି ନେତାଙ୍କୁ ନବୀନଙ୍କ ପାଖ ମଡ଼ାଇ ଦେଉନଥିବା ଚର୍ଚ୍ଚା ଜୋର ଧରିଛି। ନିଜ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବା ପାଇଁ ହସ୍ପିଟାଲ ପରିସରରେ ଅପେକ୍ଷାରତ ବିଜେଡିର ଆଗଧାଡ଼ିର ନେତାମାନଙ୍କୁ ଆଜି ଦିନ ପ୍ରାୟ ୧ଟାବେଳେ ନବୀନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ଦୁଇଜଣ ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ଚିକିତ୍ସା ଏହି ଦୁଇ ଡାକ୍ତର କରୁଛନ୍ତି ବୋଲି ବିଜେଡି ନେତାମାନଙ୍କ ଆଗରେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା ପରିଚିତ କରାଇଥିଲେ। ଜଣେ ଡାକ୍ତର ଧର ଓ ଜଣେ ପାଣିଗ୍ରାହୀ ବୋଲି କୁହାଯାଉଛି। ଏହି ଦୁଇ ଡାକ୍ତର କହିଥିଲେ ଯେ, ‘ଗତକାଲିଠୁ ଆଜି ସ୍ୱାସ୍ଥ୍ୟରେ ବହୁତ ସୁଧାର ଆସିଛି। ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ପାରିପାର୍ଶ୍ୱିକ ସ୍ଥିତିକୁ ଭଲ ଭାବେ ବୁଝିପାରୁଛନ୍ତି। ଆଜି ସମସ୍ତଙ୍କୁ ଚିହ୍ନି ପାରୁଛନ୍ତି। ତେବେ ତାଙ୍କର ଅଧିକ କିଛି ପରୀକ୍ଷାନିରୀକ୍ଷା କରାଯିବା କଥା ଚିନ୍ତା କରାଯାଉଛି। ଡାକ୍ତରୀ ଟିମ୍ ଅପରାହ୍ନ ୪ଟାବେଳେ ବସିଲେ ଯାହା ସ୍ଥିର ହେବ। ତା’ପରେ ତାଙ୍କର ଡିସଚାର୍ଜ କଥା ନିଷ୍ପତ୍ତି ହେବ’ ବୋଲି ଡାକ୍ତର ସୂଚନା ଦେଇଥିଲେ। ନବୀନଙ୍କ ସ୍ୱାସ୍ଥ୍ୟକୁ ନେଇ ଡାକ୍ତର ବୟାନ ଦେଉଥିବାବେଳେ ସୁଜାତା ମଝିରେ ହସ୍ତକ୍ଷେପ କରି ସେ କମ୍ ପାଣି ପିଉଥିଲେ ଓ ତାଙ୍କର ‘ସିଭିୟର ଡିହାଇଡ୍ରେସନ୍‌’ ହୋଇଯାଇଥିଲା। ଏବେ ସବୁକିଛି ଠିକ୍ ଅଛି’ ବୋଲି କହିଥିଲେ।

ତେବେ ଡାକ୍ତରଙ୍କ ବୟାନରୁ ଜଣାପଡ଼ୁଛି ଯେ, ନବୀନବାବୁ ଗତକାଲି ଲୋକଙ୍କୁ ଚିହ୍ନିପାରୁନଥିଲେ। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ପାଣ୍ଡିଆନ ଦମ୍ପତି ମାତ୍ରାଧିକ ସସପେନ୍ସ ବଜାୟ ରଖିଥିବାରୁ ପ୍ରକୃତରେ ନବୀନ କାହିଁକି ଅସୁସ୍ଥ ହୋଇଛନ୍ତି ସେ ତଥ୍ୟ ପଦାକୁ ଆସିପାରୁନି ବୋଲି ଦଳୀୟ ମହଲରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଅନ୍ୟପକ୍ଷରେ ଯଦି ନବୀନ ନିବାସ ସୂତ୍ରରୁ ବିଶ୍ୱାସ କରାଯାଏ, ତେବେ ଦୀର୍ଘବର୍ଷ ଧରି ନବୀନ ନିବାସରେ ଥିବା ତଥା ନବୀନଙ୍କ ବ୍ୟକ୍ତିଗତ କଥା ବୁଝାସୁଝା କରୁଥିବା ଜଣେ କର୍ମଚାରୀଙ୍କୁ ଆଜି ଚାକିରିରୁ କାଢ଼ି ଦିଆଯାଇଛି। ସମ୍ ଅଲଟିମେଟ୍ ମେଡିକେୟାର ହସ୍ପିଟାଲରେ ଚିକିତ୍ସାଧୀନ ନବୀନଙ୍କୁ ଭେଟିବାକୁ ବିଜେଡିର ବରିଷ୍ଠ ନେତାମାନେ ଗତକାଲିଠୁ ଡେରା ପକାଇଛନ୍ତି। ଦଳର ସବୁ ଆଗଧାଡ଼ିର ନେତା, ପୂର୍ବତନ ମନ୍ତ୍ରୀ, ବିଧାୟକ ପ୍ରମୁଖ ସମ୍ ହସ୍ପିଟାଲ ଯାଇ ନିଜ ପ୍ରିୟ ନେତାଙ୍କୁ ଭେଟିବାକୁ ଚାହୁଁଥିଲେ ମଧ୍ୟ ଜଣେ ବି ନେତାଙ୍କୁ ଭେଟିବାର ସୁଯୋଗ ମିଳିପାରିନଥିବା ଜଣାପଡ଼ିଛି। ଯଦିଓ ନବୀନଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିଲାଣି ବୋଲି ଡାକ୍ତରୀ ଟିମ୍ ଓ ପାଣ୍ଡିଆନ ଦମ୍ପତି ଦାବି କରୁଛନ୍ତି ତଥାପି ବିଜେଡିର କୌଣସି ଜଣେ ବି ନେତାଙ୍କୁ କାହିଁକି ନବୀନଙ୍କ ପାଖକୁ ଯିବାକୁ ସୁଯୋଗ ମିଳୁନି ତାହା ଏବେ ଦଳୀୟ ନେତାମାନଙ୍କୁ କ୍ଷୁବ୍ଧ କରିବା ସହ ସନ୍ଦେହ ବଢ଼ାଇଛି। ପାଣ୍ଡିଆନ ଦମ୍ପତି କ’ଣ ଲୁଚାଇବା ପାଇଁ ଏଭଳି କରୁଛନ୍ତି ଓ କାହାରିକୁ ଗୋଟିଏ ସେକେଣ୍ଡ ପାଇଁ ମଧ୍ୟ ଭେଟିବାର ସୁଯୋଗ ଦେଉନାହାନ୍ତି ତାହା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବିଜେଡି ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ରଙ୍କଠାରୁ ଆରମ୍ଭ କରି ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ପଦ୍ମନାଭ ବେହେରା, ଅଶୋକ ଚନ୍ଦ୍ର ପଣ୍ଡା ପ୍ରମୁଖ ବହୁ ବରିଷ୍ଠ ନେତା ହସ୍ପିଟାଲରେ ନିଜର ପ୍ରିୟ ନେତା ନବୀନଙ୍କୁ ଭେଟିବାର ସୁଯୋଗ ଏପର୍ଯ୍ୟନ୍ତ ପାଇନଥିବା ଜଣାପଡ଼ିଛି। ଯଦିଓ ପାଣ୍ଡିଆନ ଓ ତାଙ୍କ ପତ୍ନୀ ଏପରିକି ପାଣ୍ଡିଆନଙ୍କ ୨ ଜଣ ଖାସ୍ କର୍ମଚାରୀ ହସ୍ପିଟାଲରେୂ ନବୀନଙ୍କୁ ଭେଟିବାର ସୁଯୋଗ ପାଉଥିବା ସୂଚନା ମିଳିଛି। ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପରିଲକ୍ଷିତ ହେଉଥିବାବେଳେ ତାଙ୍କୁ ଭେଟିବା ପାଇଁ ବିଜେଡିର ବରିଷ୍ଠ ନେତାମାନଙ୍କ ଏକ ଛୋଟ ଟିମକୁ ମାତ୍ର ୧-୨ ମିନିଟ୍ ପାଇଁ ଦୂରରୁ ଅନୁମତି ଦେବାରେ କାହିଁକି ପାଣ୍ଡିଆନ ଦମ୍ପତି ବାଧକ ସାଜିଛନ୍ତି ତାହା ଏବେ ଦଳୀୟ ମହଲରେ ଅସନ୍ତୋଷର କାରଣ ପାଲଟିଥିବା ଜଣାପଡ଼ିଛି। ବାଲେଶ୍ୱର ଏଫଏମ୍ ଛାତ୍ରୀ ଓ ବଳଙ୍ଗା ପୀଡ଼ିତା ହସ୍ପିଟାଲରେ ଚିକିତ୍ସାଧୀନ ଥିବାବେଳେ ତାଙ୍କୁ ଭେଟିବା ପାଇଁ ଏହି ବିଜେଡି ହିଁ ଗଣମାଧ୍ୟମରେ ଚିତ୍କାର କରୁଥିଲା ଓ ସରକାରଙ୍କ ବିରୁଦ୍ଧରେ ବର୍ଷୁଥିଲା। ମାତ୍ର ଏବେ ନିଜ ଦଳର ନେତାଙ୍କୁ କାହିଁକି ଭେଟିପାରୁନାହାନ୍ତି ସେନେଇ ମୁହଁରେ ତୁଣ୍ଡି ବାନ୍ଧିଥିବା ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ନବୀନ ମୁମ୍ବାଇରେ ଚିକିତ୍ସିତ ହୋଇ ଜୁଲାଇ ୧୨ ତାରିଖରେ ଭୁବନେଶ୍ୱର ଫେରିବା ପରଠୁ ତାଙ୍କୁ ଦଳର କୌଣସି ଜଣେ ମଧ୍ୟ ନେତା ବ୍ୟକ୍ତିଗତ ଭାବେ ଭେଟିବାର ସୁଯୋଗ ପାଇନାହାନ୍ତି।

ଟ୍ରକ ସଂଘ ର ପୂର୍ବତନ ସଭାପତି ନାକିଟି ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ସମସ୍ତ ଦୁର୍ନୀତିର ଗୁମର ଖୋଲିବେ ବର୍ତ୍ତମାନ୍ ର ସଭାପତି ୟାଲା କୋଣ୍ଡା ବାବୁ…!

ଏଥର ସମ୍ଭାଳ ବ୍ୟୁରୋ(ରାୟଗଡ଼)- ବରିଷ୍ଠ ବିଜେଡ଼ି ନେତା ତଥା ଟ୍ରକ ମାଲିକ ସଙ୍ଘ ର ପୂର୍ବତନ ସଭାପତି ଏନ ଭାସ୍କର ରାଓ ଓରଫ ଭାସ୍କର ଆନ୍ନା ଙ୍କ ବିରୋଧ ରେ ୬୦ କୋଟି ଟଙ୍କା ହେରଫେର କରିଥିବା ଅଭିଯୋଗ ଆଣି ରାୟଗଡା ଜିଲ୍ଲା ଟ୍ରକ ମାଲିକ ସଙ୍ଘ ପକ୍ଷରୁ ସ୍ଥାନୀୟ କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ବର୍ତ୍ତମାନ ସଙ୍ଘ ର ସଭାପତି ୟାଲା କୋଣ୍ଡା ବାବୁ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବତନ ଟ୍ରକ୍ ମାଲିକ ସଂଘର ସଭାପତି ନାକେଟି ଭାସ୍କର ରାଓଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ଆର୍ଥିକ ଅନିୟମିତତା ଏବଂ ପାଣ୍ଠିର ଅପବ୍ୟବହାରର ପ୍ରମାଣ ସହ ଆଲୋକପାତ କରାଯାଇଥିଲା । ଟ୍ରକ୍ ମାଲିକ ସଂଘର ନୂତନ ସଭାପତି ଶ୍ରୀ ୟେଲା କୋଣ୍ଡା ବାବୁ କହିବା ଅନୁଯାୟୀ ପ୍ରାୟ ୩୭ ବର୍ଷ ଧରି ୧୯୮୩ ରୁ ୨୦୨୦ ପର୍ଯ୍ୟନ୍ତ ଭାସ୍କର ଆନ୍ନା ଟ୍ରକ୍ ମାଲିକ ସଂଘର ସଭାପତି ଭାବେ ଥିବା ବେଳେ ଏକଛାତ୍ରବାଦ ଶାସନ ଚଳାଇଥିଲେ। ସଂଘର ସମ୍ପତ୍ତି କୁ ପୁର୍ବତନ ସଭାପତି ନିଜ ସ୍ବାର୍ଥ ଦୃଷ୍ଟିରେ ରଖି ବେନାମୀ ସମ୍ପତ୍ତି ଓ ବାହୁବଳ ପ୍ରୟାଗ କରି ଭୁ କବଜା ଓ ଅନାଧିକୃତ ପାଣ୍ଠି ସଂଗ୍ରହ କରିଥିଲେ। ଟ୍ରକ୍ ମାଲିକ ସଂଘ କୁ ଉପଯୁକ୍ତ ପଞ୍ଜିକରଣ ବିନା ୩୭ ବର୍ଷ ସଂଘକୁ ପରିଚାଳନା କରି ସଂଘ ର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି,। ୨୦୦୩ ମସିହାରେ ଯେତେବେଳେ ରାୟଗଡ଼ା ଉପରିସ୍ଥ ଅଞ୍ଚଳରେ ନକ୍ସଲ କାର୍ଯ୍ୟକଳାପ ଶୀର୍ଷରେ ଥିଲା ସେ ସମୟରେ ଭାସ୍କର ରାଓ କହିଥିଲେ ଯେ ନକ୍ସଲବାଦୀମାନେ ସଂଘଠାରୁ ଟଙ୍କା ମାଗୁଛନ୍ତି । ସେମିତି କହି ଟ୍ରକ୍ ମାଲିକମାନଙ୍କ ଠାରୁ ପ୍ରତି ଟ୍ରକ୍ ପାଇଁ ୫,୦୦୦ ଟଙ୍କା ଆଦାୟ କରି ବେଆଇନ ଭାବରେ ନକ୍ସଲ ମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ । ତତତ୍କାଳୀନ ସଭାପତି ୪୦ ବର୍ଷ ଟ୍ରକ୍ ମାଲିକ ସଂଘ ରୁ ୬୦ କୋଟିରୁ ଉର୍ଦ୍ଧ୍ବ ଟଙ୍କା ର ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ୍ ଦେଖିବାକୁ ରହିଲା କେଉଁ ପାଣି କେଉଁ ଆଡ଼େ ଗତି କରୁଛି ଆଉ ମାଲିକ ସଂଘ ପକ୍ଷରୁ ଆଗାମୀ କାର୍ଯ୍ୟକାରୀ ପନ୍ଥା କଣ ରହୁଛି। ଆନ୍ନା ବେଳ ଥାଉ ଥାଉ ସବୁ ସମାଧାନ କରିନିଅ ଏବଂ ସୁଧୁରି ଯାଅ ନହେଲେ ଲୋକେ ନିଜ ନିଜ ନାକରେ ଆଙ୍ଗୁଠି  ମାରି କହିବେ ହୋଇ’ହୋ ବାବୁ “ଏଥର ସମ୍ଭାଳ”

ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଲେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର ) – ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ଭିତରେ କଣ୍ଟାବାଞ୍ଜି ବିଜେପି ବିଧାୟକ ଲକ୍ଷ୍ମଣ ବାଗ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ସେ ଗଣାମାଧ୍ୟମରେ ନିଜର ମତ ବ୍ୟକ୍ତ କରି କହିଛନ୍ତି, ‘‘ରାଜ୍ୟ ନେତୃତ୍ୱ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ବରେ ଯେଉଁ କାର୍ଯ୍ୟ ହେବ ତାହା ମୁଁ ଜାଣେ। ଏନେଇ ସରକାର ମଧ୍ୟ ଅବଗତ ଅଛନ୍ତି। ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବୈଠକ ପରେ ନିଷ୍ପତ୍ତି ନିଆଯିବ। ସେ ନିଷ୍ପତ୍ତକୁ ସମସ୍ତେ ଗ୍ରହଣ କରିବେ। ମୋ ନାଁ ଚର୍ଚ୍ଚା ହେଉ ଥାଇପାରେ । ହେଲେ ମୁଁ ସେଭଳି କିଛି ଜାଣିନି। ସେ ଆଶା ମୋର ନୁହେଁ; ଆଶା କଣ୍ଟାବାଞ୍ଜି ବାସୀଙ୍କର। ତାହା ହେଉଛି ମୁଖ୍ୟମନ୍ତ୍ରୀଙ୍କ ଦାୟିତ୍ଵ; ସେ କିଭଳି ଚଳାଇବେ। ବିଧାୟକ ଭାବେ ଯେଉଁ କାର୍ଯ୍ୟ କରିବା କଥା ଆମେ କାର୍ଯ୍ୟ କରିଚାଲିଛୁ । ପୂର୍ବରୁ ସଭାପତି ମୋତେ ରିପୋର୍ଟ୍ କାର୍ଡ ମାଗିଥିଲେ। ମୁଁ ସଭାପତିଙ୍କୁ ରିପୋର୍ଟ କାର୍ଡ ଦେଇଛି। ଆମ କାର୍ଯ୍ୟ ଗଣମାଧ୍ୟମଠାରୁ ସାମାଜିକ ଗଣମାଧ୍ୟମ ସବୁଠାରେ ଦେଖାଯାଉଛି।

ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ନୂଆଦିଲ୍ଲୀରୁ ଭୁବନେଶ୍ୱର ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା ବେଳେ ଶ୍ରୀ ସାମଲ କହିଛନ୍ତି, ରାଜ୍ୟର ସାଂଗଠନିକ ଓ ଅନ୍ୟାନ୍ୟ କାମ ବିଷୟରେ ଆଲୋଚନା ଲାଗି ନୂଆଦିଲ୍ଲୀ ଯାଇଥିଲେ। ବିଜେପିର ନୂଆ କାର୍ଯ୍ୟକାରିଣୀରେ କିଛି ନୂଆ ଲୋକଙ୍କୁ ନିଆଯିବ ଏବଂ କିଛି ପୁରୁଣା କାର୍ଯ୍ୟକର୍ତ୍ତା ପୂର୍ବ ଭଳି ଦାୟିତ୍ବରେ ରହିବେ। ତେବେ ରାଜ୍ୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସଂପର୍କରେ ସେ କହିଛନ୍ତି, ଏବେ ସେଭଳି କୌଣସି ସମ୍ଭାବନା ନାହିଁ। ଏନେଇ ନୂଆଦିଲ୍ଲୀରେ କୌଣସି ଆଲୋଚନା ମଧ୍ୟ ହୋଇନାହିଁ। ତେବେ ଠିକ୍ ସମୟରେ ନିଗମ ଅଧ୍ୟକ୍ଷ ପଦବୀ ପୂରଣ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି।ବିରୋଧୀ ଅନାସ୍ଥା ପ୍ରସ୍ତାବ ଆଣିବା ପ୍ରସଙ୍ଗରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପ୍ରତିକ୍ରିୟା ରଖିଛନ୍ତି ଶ୍ରୀ ସାମଲ। ସେ କହିଛନ୍ତି, ବିରୋଧୀଙ୍କ ଅଧିକାର ରହିଛି ଅନାସ୍ଥା ପ୍ରସ୍ତାବ ଆଣିବାର। କଂଗ୍ରେସ ଆଣିବାକୁ ଚାହିଁଲେ ଆଣିବ ଓ ବିଜେଡି ସମର୍ଥନ ଜଣାଇଲେ ଜଣାଇବା। ଆସିଲେ ଆମେ ସାମ୍ନା କରିବୁ, ସେଥିପାଇଁ ଆମେ ପ୍ରସ୍ତୁତ ଅଛୁ। ସେ କହିଛନ୍ତି, ରାଷ୍ଟ୍ରପତିଙ୍କ ସହ ସୌଜନ୍ୟ ମୂଳକ ସାକ୍ଷାତକାର କରିଛୁ । ସାମ୍ବିଧାନିକ ପଦ୍ଧତିରେ ରାଜ୍ୟ ବିଜେପିରେ ନୂଆ କମିଟି ହେବ । କମିଟି ଗଠନ ପରେ ନୂଆ ଭିଜନ ପ୍ରସ୍ତୁତ ହେବ । ସେହି କମିଟିରେ ପୁରୁଣା ନୂଆ ସମସ୍ତେ ରହିବେ। ରାଜ୍ୟ ବିଜେପିରେ ଆସିବେ ୨୫ ପ୍ରତିଶତ ନୂଆ ମୁହଁ। ଆଜି ଓ କାଲି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବୈଠକ ରହିଛି। ପ୍ରଭାରୀଙ୍କ ନେତୃତ୍ୱରେ ନିରନ୍ତର ବୈଠକ ହେବ ବିଭିନ୍ନ ବିଷୟକୁ ନେଇ ହେବ ଆଲୋଚନା । ଖୁବ ଶୀଘ୍ର ନିଗମ ପଦବୀ ଗୁଡିକ ପୂରଣ କରାଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସଭାପତି । ମହିଳା ନିର୍ଯାତନା ବିଷୟ ଯାହା ସାମ୍ନାକୁ ଆସିଛି ତାର ସମୀକ୍ଷା କରୁଛୁ। ପ୍ରତିକାର ଓ ଦୃଢ଼ ପଦକ୍ଷେପ ନେଇ ବ୍ୟବସ୍ଥା କରାଯିବ । ଏହା ସହ ବଳଙ୍ଗା ପୀଡ଼ିତାଙ୍କ ପରିବାର ସହ ଭେଟି ନାବାଳିକାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବୁଝିଥିବା ନେଇ କହିଛନ୍ତି ରାଜ୍ୟ ସଭାପତି । ଏମ୍ସରେ ଡାକ୍ତରମାନଙ୍କ ସହ ଆଲୋଚନା କରିବା ସାଙ୍ଗକୁ ଉନ୍ନତରୁ ଉନ୍ନତତ୍ତର ଚିକିତ୍ସା ପାଇଁ କଥା ହୋଇଥିବା ସେ କହିଛନ୍ତି ସେ। ଡାକ୍ତରମାନେ ନିରନ୍ତର ଚେଷ୍ଟାରେ ଲାଗିଛନ୍ତି ।

ଓଏଏସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା କି ବିଜେଡି ପାଇଁ ରାଜନୀତି…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ଵର)- ସରକାରୀ ଚାକିରିରେ ଥାଇ ବିଜେଡି ପାଇଁ ରାଜନୀତି କରିବା ମହଙ୍ଗା ପଡ଼ିଛି ଯାଜପୁରର ପୂର୍ବତନ ସାଂସଦ ଶର୍ମିଷ୍ଠା ସେଠୀଙ୍କ ସ୍ୱାମୀ ବରିଷ୍ଠ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ମଧ୍ୟ ସେ ନିୟମିତ ନବୀନ ନିବାସ ଯିବା ଓ ସେଠାରେ ‘ଛାୟା ବ୍ୟକ୍ତିଗତ ସଚିବ’ ଭାବେ କାର୍ଯ୍ୟ କରୁଥିବା ନେଇ ବିଜେଡି ମହଲରେ ଚର୍ଚ୍ଚା ଓ ଗୁଇନ୍ଦା ବିଭାଗର ଖୋଳତାଡ଼ ପରେ ମୋହନ ମାଝୀଙ୍କ ସରକାର କଡ଼ା ଆଭିମୁଖ୍ୟ ପୋଷଣ କରିଥିବା ଜଣାପଡ଼ିଛି ।  ଶ୍ରୀ ସେଠୀଙ୍କୁ କୋରାପୁଟସ୍ଥିତ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ୨୪ତାରିଖ ବିଳମ୍ବିତ ରାତ୍ରିରେ ମୋଟ ୨୯ଜଣ ବରିଷ୍ଠ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି । ଓଡ଼ିଶା ବନ ଉନ୍ନୟନ ନିଗମରେ ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ କୋରାପୁଟକୁ କେବିକେ ଯୁଗ୍ମ ପ୍ରଶାସକ ଭାବେ ବଦଳି କରାଯାଇଛି ।  ଗତକାଲି ବଦଳି ହୋଇଥିବା ୧୨ଜଣ ଓଏଏସ୍ ଅଫିସରଙ୍କୁ ଗତକାଲି ହିଁ ରିଲିଭ୍ କରାଯାଇ ନୂଆ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ରବୀନ୍ଦ୍ର ସମେତ ମୋଟ ୧୭ଜଣ ଓଏଏସ୍ ଅଫିସରଙ୍କୁ ତୁରନ୍ତ ରିଲିଭ୍ କରିବା ନିମନ୍ତେ ତାଙ୍କର ଉପରିସ୍ଥ ଅଧିକାରୀମାନଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ବିଜେଡି ସୂତ୍ର ଅନୁସାରେ, ଯାଜପୁରର ପୂର୍ବତନ ସାଂସଦଙ୍କ ସ୍ୱାମୀ ରବୀନ୍ଦ୍ର ସେଠୀ ବିଜେଡି ଶାସନ ସମୟରେ ଖୋଲାଖୋଲି ଭାବେ ଦଳୀୟ ବ୍ୟାପାରରେ ସମ୍ପୃକ୍ତ ଥିବା ନେଇ ବାରମ୍ବାର ଅଭିଯୋଗ ହେବା ସହ ଗଣମାଧ୍ୟମରେ ବି ଖବର ପ୍ରକାଶିତ ହୋଇଥିଲା । ତେବେ ବିଜେଡି ସରକାରର ପତନ ହେବାପରେ ଶ୍ରୀ ସେଠୀଙ୍କୁ ଓଡ଼ିଶା ବନ ଉନ୍ନୟନ ନିଗମର ଜେନେରାଲ ମ୍ୟାନେଜର ଭାବେ ଅବସ୍ଥାପିତ କରାଯାଇଥିଲା । କିନ୍ତୁ ତାଙ୍କର ବିଜେଡି ପ୍ରୀତି ଯୋଗୁ ସେ ପ୍ରାୟତଃ ସନ୍ଧ୍ୟା ସମୟରେ ନବୀନ ନିବାସ ଯାଉଥିବା ଏବଂ ବିଜେଡି ପାଇଁ କାମ କରୁଥିବାର ଅନେକ ଅଭିଯୋଗ ସରକାରଙ୍କ ନିକଟରେ ପହଂଚୁଥିଲା ବୋଲି ସୂଚନା ମିଳିଛି । ସୂତ୍ର ଅନୁସାରେ, ଶ୍ରୀ ସେଠୀ ପ୍ରତ୍ୟେକ ସନ୍ଧ୍ୟାରେ ଅଧିକାଂଶ ସମୟ ନବୀନ ନିବାସରେ ବିତାଉଥିବାର ପ୍ରମାଣ ସରକାରଙ୍କ ହସ୍ତଗତ ହୋଇଥିଲା । ସେ ଛାୟା ପ୍ରାଇଭେଟ୍ ସେକ୍ରେଟାରୀ ଭାବେ ନବୀନ ନିବାସରୁ ବିଜେଡି ପାଇଁ କାର୍ଯ୍ୟ କରୁଥିବା ନେଇ ଦଳର କିଛି ନେତା ମଧ୍ୟ ଅଭିଯୋଗ କରିଥିଲେ । ଚାକିରିରେ ଥାଇ ଶ୍ରୀ ସେଠୀ କିଭଳି ନିୟମିତ ଭାବେ ବିରୋଧୀ ଦଳ ନେତାଙ୍କ ବାସଭବନକୁ ଯାଉଥିଲେ ତାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଥିଲା । ତେବେ ବିଏମସି ଅତିରିକ୍ତ କମିଶନରଙ୍କୁ ମାଡ଼ ମାରିବା ଘଟଣାରେ  ଓଏଏସ୍ ସଂଘ ଆନ୍ଦୋଳନକୁ ଅଧିକ ଜଟିଳ କରାଇବାରେ ଶ୍ରୀ ସେଠୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ବୋଲି ଅଭିଯୋଗ ହେବାପରେ ରାଜ୍ୟ ସରକାର କ୍ଷୁବ୍ଧ ହୋଇଥିଲେ । ତାଙ୍କୁ ଭୁବନେଶ୍ୱରରୁ କୋରାପୁଟ ବଦଳି କରିଥିବା ଜଣାପଡ଼ିଛି । ଅବଶ୍ୟ ଶ୍ରୀ ସେଠୀ ନବୀନ ନିବାସ ଯାଉଥିଲେ କି ନାହିଁ ସେ ନେଇ ମିଳିଥିବା ଅଭିଯୋଗର ସତ୍ୟାସତ୍ୟ ଜାଣିବା ନିମନ୍ତେ ଗୁଇନ୍ଦା ବିଭାଗକୁ ରିପୋର୍ଟ ମାଗିଥିଲେ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି ।

ଏଥର ଧରାଯିବ ଫେକ୍ ଜବ କାର୍ଡ ସୂଚନା ଦେଲେ ମନ୍ତ୍ରୀ…!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ବର) – ଫେକ ଜବ କାର୍ଡ ଧରିବାକୁ ଆରମ୍ଭ ହେବ ଇକେୱାଇସି | ଜବ କାର୍ଡ ଧାରୀ କରିବେ ଇକେୱାଇସି | ତିନି ମାସ ଭିତରେ ଜବ କାର୍ଡ ଇକେୱାଇସି ନ କଲେ କଟିବ ଜବ କାର୍ଡ। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ।  ମନ୍ତ୍ରୀ ରବି ନାରାୟଣ ନାୟକ ଆହୁରି କହିଛନ୍ତି, ସରକାର ବାହାର କରିଛନ୍ତି ଫେକ ଜବ କାର୍ଡ | ଏହାର ଅଧିକାରୀ କିଏ ଥିଲେ, ଅର୍ଥ କିଏ ଆତ୍ମସାତ କରୁଥିଲା ବିଗତ ଦିନରେ ଯିଏ ଶାସନ କରୁଥିଲେ ସିଏ ତାର ଉତ୍ତର ଦେବେ | ସରକାର ବର୍ଷେ ଭିତରେ ୨ ଲକ୍ଷ ନୂଆ ଜବ କାର୍ଡ ଦେଇଛନ୍ତି |