ପୁଣି ଚର୍ଚ୍ଚାରେ ରାଇରଙ୍ଗପୁର, ଓଡ଼ିଆ ଝିଅ ହେବେ କି ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ …?

ଏଥର ସମ୍ଭାଳ ବ୍ୟୁରୋ(ବାରିପଦା)- ପୁଣି ଥରେ ଚର୍ଚ୍ଚାରେ ଆଦିବାସୀ ଅଧ୍ୟୁଷିତ ରାଇରଙ୍ଗପୁର। ଏଥର ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ସ୍ତ୍ରୀ କଳ୍ପନାଙ୍କୁ ନେଇ ଚର୍ଚ୍ଚା ଓ ଆଲୋଚନା। ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ଆଶଙ୍କା ଭିତରେ କଳ୍ପନା ମୁଖ୍ୟମନ୍ତ୍ରୀ ହେବା ନେଇ ଆଲୋଚନା ହେଉଛି। କଳ୍ପନା ସୋରେନ୍‌ ମୁଖ୍ୟମନ୍ତ୍ରୀ ହେଲେ, ଓଡ଼ିଶା ପାଇଁ ଗୌରବର ବିଷୟ। କାରଣ ସେ ଝାଡ଼ଖଣ୍ଡର ବୋହୂ ହେଲେ ମଧ୍ୟ ଓଡ଼ିଶାର ଝିଅ। ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସବ୍‌ଡିଭିଜନ ବହଳଦା ବ୍ଲକ୍‌ର ତେନ୍ତଳା ଗାଁର ଝିଅ ହେଉଛନ୍ତି କଳ୍ପନା ସୋରେନ୍‌। ତାଙ୍କ ବାପା ଆନପ୍ପା ମାଝୀ ଜଣେ ଭଲ ଫୁଟବଲ ଖେଳାଳି। ଏଥିସହ ସେ ଭାରତୀୟ ସେନାରେ ଚାକିରି କରୁଥିଲେ। ଆନପ୍ପା ପଞ୍ଜାବରେ ଚାକିରି କରୁଥିବା ବେଳେ କପୁରଥାଲାରେ କଳ୍ପନା ଜନ୍ମ ଗ୍ରହଣ କରିଥିଲେ। କଳ୍ପନା ବାପା-ମାଆଙ୍କ ବଡ଼ ଝିଅ ହୋଇଥିବା ବେଳେ ବାପାଙ୍କ ଚାକିରି ସମୟରେ କୋଲକାତା, ଅମ୍ବାଲା, ଆହ୍ଲାବାଦ, ଶ୍ରୀନଗର ଆଦି ବିଭିନ୍ନ ସହରରେ ପାଠ ପଢ଼ିଥିଲେ। ଏଥିସହ ସେ ବାରିପଦା କେନ୍ଦ୍ରୀୟ ବିଦ୍ୟାଳୟରେ ଦଶମ ଶ୍ରେଣୀ ପଢିଥିବା ବେଳେ ବାରିପଦାର ଏମ୍‌ପିସି ଜୁନିୟର କଲେଜରେ ଯୁକ୍ତ ଦୁଇ ପାଠ ପଢ଼ିଥିଲେ। କଳ୍ପନା ଏହା ପରେ ଭୁବନେଶ୍ୱର ଚାଲି ଯାଇଥିଲେ।  ସେଠାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ବି-ଟେକ କରିଥିଲେ। ପରେ କୋଳକାତାରେ ଏମ୍‌ବିଏ କରିଥିଲେ। ପାଠପଢ଼ା ସରିବା ବାରିପଦାରେ ରହୁଥିବା ବାପା-ମାଆଙ୍କ ପାଖକୁ ଚାଲି ଆସିଥିଲେ କଳ୍ପନା। ୨୦୦୬ ଫେବୃଆରୀ ୭ ତାରିଖରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍‌ଙ୍କ ପୁଅ ହେମନ୍ତ ସୋରେନଙ୍କ ସହିତ କଳ୍ପନାଙ୍କ ବିବାହ ହୋଇଥିଲା। ବାରିପଦାରେ ବିବାହ ହୋଇଥିଲା। ବିବାହ ପରେ ହେମନ୍ତଙ୍କ ସହିତ କଳ୍ପନା ଶାଶୁଘର ଝାଡ଼ଖଣ୍ଡ ଚାଲି ଯାଇଥିଲେ। ଘର ସଂସାର ଭିତରେ ନିଜକୁ ସୀମିତ ରଖୁଥିବା କଳ୍ପନା ରାଜନୀତିଠାରୁ ଦୂରେଇ ରହୁଥିଲେ। କିନ୍ତୁ ନିର୍ବାଚନ ପ୍ରଚାର ବେଳେ ସେ ସ୍ୱାମୀଙ୍କୁ ସହଯୋଗ କରୁଥିଲେ। ଅଫିସ ଅଫ ପ୍ରଫିଟ(ଲାଭ ଜନକ ପଦବୀ) ମାମଲାରେ ଫସିଥିବା ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ହେବାର ଆଶଙ୍କା ବଢ଼ିବାରେ ଲାଗିଛି। ଏପରିସ୍ଥିତିରେ ଓଡ଼ିଆ ଝିଅ କଳ୍ପନା ମୁଖ୍ୟମନ୍ତ୍ରୀ ହେବେ ନେଇ ଆଲୋଚନା ହେଉଛି।

ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ଗଡ଼ିବ ରଥ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତକାଲି ପୁରୀରେ ଲକ୍ଷାଧୀକ ଭକ୍ତଙ୍କ ଗହଳିରେ ରଥ ଗଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ  ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ।  ପୁରୀ ରଥ ଯାତ୍ରାର ପର  ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ  ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ ।  ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି।  କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି  । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା  । ରୀତିନୀତି ଅନୁଯାୟୀ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି  । ପରମ୍ପରା ଅନୁଯାୟୀ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମତାଳଧ୍ୱଜ ରଥ ଅଟକିଛି ।  ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା । ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯାତ୍ରା ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।

୩ ହଜାର ଲାଞ୍ଚ ପାଇଁ ଓପିଟିସିଏଲର ଡିଜିଏମଙ୍କୁ ୫ ବର୍ଷ ଜେଲ୍….!

!!! ବାରିପଦା ରୁ ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ !!! 

ଏଥର ସମ୍ଭାଳ (ବାରିପଦା)- ମାତ୍ର ୩ ହଜାର ଟଙ୍କାର ଲାଞ୍ଚ ନେଇ ୫ ବର୍ଷର ଜେଲଦଣ୍ଡ ପାଇଛନ୍ତି ଓପିଟିସିଏଲ୍‌ ଡିଜିଏମ। ଏଥିସହ ତାଙ୍କୁ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି। ବାରିପଦାର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏପରି ଐତିହାସିକ ରାୟ ଦେଇଛନ୍ତି। କୌଣସି ଭିଜିଲାନ୍ସ ମାମଲାରେ ୫ ବର୍ଷ ଜେଲଦଣ୍ଡ ମିଳିବା ରାଜ୍ୟରେ ସମ୍ଭବତଃ ପ୍ରଥମ ଘଟଣା ବୋଲି ସରକାରୀ ଓକିଲ ସୌରାଜ୍ୟ କୁମାର ରାୟ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାରିପଦାର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ ଆଜି ଓପିଟିସିଏଲ୍ ଡିଜିଏମ ଯଶୋବନ୍ତ ନାରାୟଣ ଚୌଧୁରୀଙ୍କ ବିରୋଧରେ ଦଣ୍ଡାଦେଶ ଶୁଣାଇଛନ୍ତି। ଯଶୋବନ୍ତ ବାରିପଦା ଓପିଟିସିଏଲର ଡିଜିଏମ୍ ଭାବେ କାମ କରୁଥିବା ବେଳେ ଅଫିସରେ ଗାଡ଼ି ଭଡ଼ାରେ ଲାଗୁଥିଲା। ୨୦୧୭ ମସିହା ଅକ୍ଟୋବର ୨୪ ତାରିଖରେ ସେ ଭଡ଼ା ଗାଡ଼ିର ବିଲ୍‌ କରାଇ ଦେବା ପାଇଁ ଜଣେ ମାଲିକଙ୍କୁ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଭଡ଼ାରେ ଗାଡ଼ି ଲଗାଇଥିବା କାର୍ତ୍ତିକେଶ୍ୱର ଦତ୍ତ ଆପତ୍ତି ଉଠାଇଥିଲେ। ଓପିଟିଏସ୍‌ଲରେ ଭଡ଼ାରେ ଲାଗିଥିବା ଗାଡ଼ିର ମାଲିକାନା ପ୍ରକୃତରେ କାର୍ତ୍ତିକେଶ୍ୱରଙ୍କ ଭଉଣୀଙ୍କ ନାଁରେ ରହିଥିଲା। ଭଉଣୀ କର୍କଟ ରୋଗରେ ଆକ୍ରାନ୍ତ ଥିବାରୁ ସେ ଭାଇ କାର୍ତ୍ତିକେଶ୍ୱରଙ୍କୁ ଗାଡ଼ି କଥା ବୁଝିବାକୁ ଅନୁମତି ଦେଇଥିଲେ। ଏଥିପାଇଁ କାର୍ତ୍ତିକେଶ୍ୱର ଓପିଟିସିଏଲ୍‌ରେ ଗାଡ଼ି ଭଡ଼ାରେ ଲଗାଇଥିଲେ। ସେ ଭଡ଼ାଗାଡ଼ି ବାବଦରେ ୪୮ ହଜାର ଟଙ୍କାର ବିଲ୍‌ ମଞ୍ଜୁର କରିବାକୁ କହିବାରୁ ଡିଜିଏମ ଯଶୋବନ୍ତ ତାଙ୍କୁ ୫ ହଜାର ଟଙ୍କାର ଲାଞ୍ଚ ମାଗିଥିଲେ। କାର୍ତ୍ତିକେଶ୍ୱର ଲାଞ୍ଚ ସମ୍ପର୍କରେ ଭିଜିଲାନ୍ସକୁ ଜଣାଇଥିଲେ। ଭିଜିଲାନ୍ସ ଯାଞ୍ଚ କରିବା ପରେ ପୂର୍ବରୁ ମଧ୍ୟ ସେ ବିଭିନ୍ନ ଲୋକଙ୍କ ଠାରୁ ଅନେକ ଟଙ୍କା ଲାଞ୍ଚ ନେଇଥିବା ଜଣାପଡ଼ିଥିଲା। ତେବେ ତାଙ୍କୁ ରଙ୍ଗେହାତ ଧରିବା ପାଇଁ ଭିଜିଲାନ୍ସ ଯୋଜନା ପ୍ରସ୍ତୁତ କରିଥିଲା। ଯୋଜନା ମୁତାବକ କାର୍ତ୍ତିକେଶ୍ୱର ବିଲ୍‌ ପାଇଁ ଯଶୋବନ୍ତ ଚୌଧୁରୀଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲେ। କିନ୍ତୁ ଲାଞ୍ଚ କାରବାର ବେଳେ ଭିଜିଲାନ୍ସ ତାଙ୍କୁ ତିନି ହଜାର ଟଙ୍କା ସହ ଗିରଫ କରିଥିଲା ବୋଲି ସରକାରୀ ଓକିଲ ଶ୍ରୀ ରାୟ ସୂଚନା ଦେଇଛନ୍ତି। ଯଶୋବନ୍ତ ଗିରଫ ହେବା ପରେ ମାମଲାର ବିଚାର ଚାଲିଥିଲା। ହେଲେ ସେ ଜାମିନ ପାଇବା ପରେ ଭୁବନେଶ୍ୱର ୟୁନିଟ ୧ ଓପିଟିସିଏଲ୍‌ରେ ଡିଜିଏମ ଭାବେ କାମ କରୁଥିଲେ। ଆଜି ୨୦୧୭ ଲାଞ୍ଚ କାରବାର ମାମଲା ଶୁଣାଣି ଥିବାରୁ ସେ ବାରିପଦା ଭିଜିଲାନ୍ସ ନିକଟରେ ହାଜର ହୋଇଥିଲେ। ଭିଜିଲାନ୍ସ କୋର୍ଟ ମାମଲାର ଶୁଣାଣି କରି ଦଫା ୭ ଅନୁଯାୟୀ ତାଙ୍କୁ ୩ ବର୍ଷ ଜେଲ ଓ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ କହିଛନ୍ତି। ସେହିପରି ଦଫା ୧୩/୨ରେ ଯଶୋବନ୍ତଙ୍କୁ ୫ ବର୍ଷ ଜେଲ ଓ ୨୫ ହଜାର ଟଙ୍କାର ଜୋରିମାନା ଲାଗୁ କରିଛନ୍ତି। ଏହି ଦୁଇଟି ଯାକ ଜେଲଦଣ୍ଡ ଦୋଷୀ ଯଶବନ୍ତଙ୍କୁ ଏକସଙ୍ଗେ କାଟିବାକୁ ପଡ଼ିବ। ଏହାର ଅର୍ଥ ସେ ସର୍ବାଧିକ ୫ ବର୍ଷ ଜେଲରେ ରହିବେ। ଯଦି ସେ ଜୋରିମାନା ଅର୍ଥ ପୈଠ ନ କରିପାରିବେ, ତା’ହେଲେ ତାଙ୍କୁ ଆଉ ଗୋଟିଏ ଅତିରିକ୍ତ ବର୍ଷ ଜେଲରେ ରହିବାକୁ ପଡ଼ିବ। ଆଜି କୋର୍ଟ ରାୟ ଶୁଣାଇବା ପରେ ତାଙ୍କୁ ବାରିପଦା କାରାଗାରକୁ ପଠାଇ ଦିଆଯାଇଛି।

 

ଗୋ ବ୍ୟବସାୟୀଙ୍କୁ ଚାନ୍ଦା ମାଗି ୨ ଏଏସଆଇ ନିଲମ୍ୱିତ ….!

!!! ବାରିପଦା ରୁ ପ୍ରତିନିଧି ମୋନଜ କୁମାର ନାଲା ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାରିପଦା)- ମୟୁରଭଞ୍ଜରେ ଗୋରୁ ଗାଡ଼ିକୁ ଚାନ୍ଦା ଆଦାୟ ଘଟଣାରେ ଝାରପୋଖରିଆ ଥାନାରେ କାର୍ଯ୍ୟରତ ଦୁଇ ଜଣ ପୋଲିସ କର୍ମଚାରୀ ଏଏସଆଇ (ଆସିଷ୍ଟାଣ୍ଟ ସବ୍‌ ଇନ୍ସପେକ୍ଟର) ଓ ଜଣେ କନେଷ୍ଟବଲଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଛି ।  ନିଲମ୍ବିତ ହୋଇଥିବା ପୋଲିସ ଦୁଇ ଜଣ ଏଏସଆଇ ସ୍ମୃତି ରଞ୍ଜନ ସ୍ୱାଇଁ ଓ ଚନ୍ଦନ ସିଂ ହୋଇଥିବା ବେଳେ କନେଷ୍ଟବଲ ଦୀପକ ସାମଲ ମଧ୍ୟ ଏଥିରେ ସାମିଲ ଥିବା ଜଣା ଯାଇଛି। ସମ୍ପୃକ୍ତ ତିନି ପୋଲସି କର୍ମଚାରୀଙ୍କ ବିରୋଧରେ ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ଋଷିକେଶ ଡି.ଖିଲାଡ଼ି ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାପଡ଼ିଛି ।  ଗୋରୁ ବ୍ୟବସାୟୀଙ୍କୁ ନିଲମ୍ବିତ ହୋଇଥିବା ପୋଲିସ କର୍ମଚାରୀ ଚାନ୍ଦା ମାଗିବାର ଅଡ଼ିଓ ଭାଇରାଲ ହେବାପରେ ମୟୁରଭଞ୍ଜ ଜିଲ୍ଲାର ଆରକ୍ଷି ଅଧିକ୍ଷକ ଏପରି କାର୍ଯ୍ୟାନୁଷ୍ଠାନ ନେଇଥିବା ସ୍ପଷ୍ଟ ହୋଇଛି ।

ବାଇଦାଳୀ ଗାଁରେ ନଳକୂଅ ଅଚଳ, ଲୋକଙ୍କୁ ସାହା ଚୁଆ ପାଣି…!

ଏଥର ସମ୍ଭାଳ ବ୍ୟୁରୋ(ଉଦଳା)- ବସୁଧା ଯୋଜନାରେ ଗ୍ରାମାଞ୍ଚଳରେ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଲାଗି ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ସ୍ଥିତି ଯଥା ପୂର୍ବଂ ତଥା ପରଂ। ଏବେ ବି ଆମ ରାଜ୍ୟରେ ଏମିତି ଗାଁ ଅଛି ଯେଉଁଠି ଲୋକମାନେ ଟୋପାଏ ପାଣି ପାଇଁ ଡହଳ ବିକଳ ହେଉଛନ୍ତି ଏବଂ ଚୁଆରୁ ପାଣି ଆଣି ପିଉଛନ୍ତି। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତର ବାଇଦାଳୀ ଗାଁରେ। ବାଇଦାଳୀ ଗାଁଟି ଉଦଳା ବ୍ଲକ୍‌ ସଦର ମହକୁମା ଠାରୁ ମାତ୍ର ୧୨କିଲୋମିଟର ଦୂରରେ ଅବସ୍ଥିତ। ଏହି ଗାଁରେ ୩୦ରୁ ଅଧିକ ପରିବାର ବସବାସ କରନ୍ତି। ସରକାରଙ୍କ ପକ୍ଷରୁ ଏହି ଗାଁରେ ଗୋଟିଏ ନଳକୂଅ ବସାଯାଇଥିଲା। ଏହାସହ ଗାଁରେ ଦୁଇଟି କୂଅ ମଧ୍ୟ ଥିଲା।

ତିନିରୁ ଚାରିବର୍ଷ ହେବ ନଳକୂପଟି ଅଚଳ ହୋଇ ପଡ଼ିଥିବା ବେଳେ ଦୁଇଟି କୂଅ ମଧ୍ୟ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଛି। ଗ୍ରାମବାସୀମାନେ ଗାଁଠାରୁ କିଛି ଦୂରରେ ଥିବା ଚୁଆରୁ ପାଣି ଆଣି ପିଉଛନ୍ତି। ଖରାଦିନରେ ଚୁଆରେ ପାଣି ଶୁଖିଯିବାରୁ ଲୋକେ ନିକଟସ୍ଥ ଗାଁରୁ ପାଣି ଆଣିଥା’ନ୍ତି। ଗାଁରେ ପାଣି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ପ୍ରଶାସନିକ ଅଧିକାରୀଙ୍କ ନିକଟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଲେଣି। କିନ୍ତୁ  ଏପର୍ଯ୍ୟନ୍ତ ଗାଁର ପାଣି ସମସ୍ୟାର ସମାଧାନ ହୋଇପାରି ନଥିବା ଗ୍ରାମବାସୀ କାନ୍ଦନ ସୋରେନ କହିଛନ୍ତି। ଅନ୍ୟ ଜଣେ ଗ୍ରାମବାସୀ ବାସନ୍ତୀ ସୋରେନ କହିଛନ୍ତି, ପାନୀୟ ଜଳ ସମସ୍ୟାର ସମାଧାନ ନ ହେଲେ ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ବର୍ଜନ କରିବୁ। ନେତାଙ୍କୁ ଗାଁରେ ପୂରାଇ ଦେବୁନି। ଉଦଳା ବିଡିଓ ଦେବଜାନୀ ଭୁଁୟା କହିଛନ୍ତି, ଏହି ବିଷୟରେ ଗ୍ରାମ୍ୟ ପରିମଳ ବିଭାଗର ଯନ୍ତ୍ରୀଙ୍କୁ ଜଣାଇବି। ବାଇଦାଳୀ ଗାଁରେ ପାନୀୟ ଜଳ ସମସ୍ୟାର ସମାଧାନ  କରାଯିବ।

ଜଙ୍ଗଲରେ ଚାଲିଥିଲା ବେଆଇନ କାଠ ବ୍ୟବସାୟ, ପର୍ଦ୍ଦାଫାସ କଲା ବନ ବିଭାଗ।

!!! ମୟୁରଭଞ୍ଜ ରୁ ଅମିତ୍ କୁମାର ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ମୟୁରଭଞ୍ଜ) – ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ପାଞ୍ଚମାଣିଆ ଜଙ୍ଗଲ ଭିତରୁ ଲକ୍ଷାଧିକ ଟଙ୍କାର କାଠ ଚିରା ମେସିନ ଜବତ । ଏକ ଫାଙ୍କା ସ୍ଥାନରେ ଦୀର୍ଘ ଦିନ ହେବ ଲୁଚା ଚୋରାରେ ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବାହାରକୁ ଚାଲାଣ କରାଯାଉବା ସୂଚନା ପାଇବା ପରେ ପର୍ଦ୍ଦାଫାସ କରିଛି ବନ ବିଭାଗ । ସୂଚନାନୁସାରେ, ଦୀର୍ଘ ଦିନ ଧରି ଜଙ୍ଗଲରୁ କାଠ ଆଣି ପଟା ବାହାର କରାଯାଇ ବେଆଇନ ବିକ୍ରି ହେଉଥିଲା । ମଙ୍ଗଳବାର ବିଶେଷ ସୂତ୍ରରୁ ଖବର ପାଇ ରାସଗୋବିନ୍ଦପୁର ରେଞ୍ଜର ମଧୁସ୍ମିତା ଦାସ ଓ ଅତିରିକ୍ତ ରେଞ୍ଜର ପ୍ରଶାନ୍ତ ବେହେରାଙ୍କ ନେତୃତ୍ୱରେ ୩୫ ଜଣ କର୍ମଚାରୀ ହଠାତ ପାଞ୍ଚମାଣିଆ ଜଙ୍ଗଲ ଭିତରେ ଚଢ଼ଉ କରିଥିଲେ । ଚଢଉରେ ବନ ବିଭାଗ କାଠ ଚିରା ମେସିନ ଓ ପଟା ଜବତ କରିଛି । ଘଟଣା ସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଦୌଡ଼ି ପଳାଇବାରେ ସକ୍ଷମ ହୋଇଥିବା ଜଣାପଡିଛି । ଏହି କାଠ କାରବାର ରେ କେହି ଜଣେ ବେହେରା ବାବୁଙ୍କ ସଂପୃକ୍ତି ଥିବା ଅଞ୍ଚଳବାସୀ କହିଛନ୍ତି ।

ମାନବାଧିକାର ଦିବସ ପାଳିତ ….!

!!! ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି ଅମିତ ନାୟକ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ମୟୂରଭଞ୍ଜ)- ଆନ୍ତର୍ଜାତିକ ମାନବାଧିକାର ପରିଷଦ ଓଡ଼ିଶା ମୟୂରଭଞ୍ଜ ଶାଖା ପକ୍ଷରୁ ସ୍ଥାନୀୟ ଶ୍ରୀରାମ ଚନ୍ଦ୍ର ପାଠାଗାର ଠାରେ ମାନବାଧିକାର ଦିବସ ପାଳିତ ହୋଇଯାଇଛି । ମୂଖ୍ୟ ଅତିଥି ଭାବେ ଗୀତିକାର ଓ ସାହିତ୍ୟିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ମହାନ୍ତି ଯୋଗା ଦେଇ ମାନବ ସମାଜ ସାମ୍ନା କରିଥିବା ଅସୁବିଧା ରୁ କିଭଳି ବର୍ତ୍ତିପାରିବେ ତାହା ବୁଝାଇ ଥିଲେ । ପରିଷଦ ର ରାଜ୍ୟ ଅଧ୍ୟକ୍ଷ ସିଭିଲ୍ ଡିଫେନ୍ସ ରଜତ ପଣ୍ଡା , ପୂର୍ବ ଭାରତ ଭୂଖଣ୍ଡ (ଇଷ୍ଟ୍ ଇଣ୍ଡିଆ ଜୋନ ) ସଭାପତି ଦିବ୍ୟଜ୍ୟୋତି ମହାନ୍ତ,ଜିଲ୍ଲା ସଂପାଦକ ପ୍ରକାଶ ବେହେରା , ସହ- ସଂପାଦକ ଅମିତ୍ ନାୟକ, ବରିଷ୍ଠ ଜିଲ୍ଲା ଉପସଭାପତି ଗତିକୃଷ୍ଣ ତିୱର୍ ,ଜିଲ୍ଲା ଉପ ସଭାପତି ଦିପ୍ତେନ୍ତୁ ମିଶ୍ର , କାର୍ତ୍ତିକ ମହାନ୍ତ ଆଦି ଉପସ୍ଥିତ ରହି ସମାଜରେ ମାନବ ଅଧିକାରର ଉପଦେୟତାନେଇ ବକ୍ତବ୍ୟ ମାଧ୍ୟମରେ ନିଜର ମତ ଉପସ୍ଥାପନା କରିଥିଲେ । ମୂଖ୍ୟ ବକ୍ତା ଭାବେ ବୈତ ବନ୍ଦନର ସଭାପରି ଶ୍ରୀ ନିମନ୍ତ୍ରିତ ଅତିଥି ଉଗ୍ରେଶ୍ୱର ବେହେରା ଯୋଗଦେଇ ମାନବ ଅଧିକାରର ଉପାଦେୟତା ଉପରେ ଆଲୋକପାତ କରିଥିଲେ । ଅଧ୍ୟକ୍ଷ ବାଲିଯୋଡା ମହାବିଦ୍ୟାଳୟ ସନ୍ତୋଷ ବାଦଲ ଦାସ୍ ପରିଚୟ ପ୍ରଦାନ କରିଥିଲେ ।।ଜିଲ୍ଲା ସଭାପତି ରହିତାଶ୍ୱ ବେହେରା କାର୍ଯକ୍ରମ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ  ଆସିଥିବା ବିଭିନ୍ନ ସାମ୍ବାଦିକ ମାନଙ୍କୁ ଚାରା ବଣ୍ଟନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧିତ ବକରା ଯାଇଥିଲା ।

ଶିକ୍ଷକ ଙ୍କୁ କରୋନା ଯୋଦ୍ଧାର ମାନ୍ୟତା ଦେବା ପାଇଁ ବିଧାୟକ ଙ୍କ ରାଜ୍ୟ ପ୍ରଶାସନ କୁ୍ ପ୍ରସ୍ତାବ।

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଶିକ୍ଷକ ମାନଙ୍କୁ ବିନା କୋଭିଡ ଭେକ୍ସିନ ନଦେଇ, ବିନାଜୀବନବୀମା ରେ ଓ କୋଭିଡ କିଟ ନଯୋଗାଇ କୋଭିଡ ଯୋଦ୍ଧା ଘୋଷଣା ନକରି ଶିକ୍ଷକ ମାନଙ୍କୁ କୋଭିଡ କାର୍ଯ୍ୟରେ ନିୟୋଜିତ କରିବା କେତେଦୂର ଯଥାର୍ଥ ବୋଲି ଟିଟଲାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ପ୍ରଶ୍ନ କରିଛି । ଏହି ପ୍ରସଙ୍ଗରେ ସଙ୍ଘ ପକ୍ଷରୁ ଏକ ଦାବିପତ୍ରରେ ଶିକ୍ଷକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କରିବା ,କୋଭିଡ କାର୍ଯ୍ୟରେ ନିୟୋଜିତ ମୃତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ମୁତ୍ଯୁ କାଳୀନ ବୀମା ଯୋଗାଇ ଦେବା ସହ ତାଙ୍କ ପରିବାରର ଜଣେ ସଦସ୍ୟ ଙ୍କୁ ଶିକ୍ଷା ଗତ ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦେବା ,କାର୍ଯ୍ୟ ଆରମ୍ଭ ସମୟରେ କୋଭିଡ ଟୀକା ଯୋଗାଇଦେବା ନିମନ୍ତେ ସଙ୍ଘ ଦାବୀ କରିଛି ।

ଏହିଭଳି କୋଭିଡ କାର୍ଯ୍ୟରେ ନିୟୋଜିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ କୋଭିଡ ଯୋଦ୍ଧାର ଆଖ୍ୟା ଦେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ନିମନ୍ତେ ପାରଳାଖେମୁଣ୍ଡି ବିଧାୟକ ମାନ୍ୟବର କେ.ନାରାୟଣ ରାଓ ରାଜ୍ୟ ଶିକ୍ଷାବିଭାଗ ଅଧିକାରୀଙ୍କୁ ପତ୍ରନମ୍ବର। ୯୧/୨୧ତା: ୧୦.୦୫.୨୧ ରିଖ କ୍ରମେ ପ୍ରସ୍ତାବ ଦେଇଥିବାବେଳେ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବିଧାୟକ ମାନ୍ୟବର ସନାତନ ବିଜୁଳି ତାଙ୍କ ପତ୍ର ନମ୍ବର ୩୨/୨୫୬ ତା ୦୩.୦୫.୨୧ ରିଖ କ୍ରମେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଅନୁରୋଧ କରିଛନ୍ତି । ମାନ୍ୟବର ବିଧାୟକଙ୍କ ଏଭଳି ପଦକ୍ଷେପ ଶିକ୍ଷକ ମହଲରେ ଖୁସି ଭରିଦେଇଛି । ଶିକ୍ଷକ ସମାଜ ପକ୍ଷରୁ ମାନ୍ୟବର ବିଧାୟକ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼..!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର/ଉଦଳା) – ତହସିଲ୍‌ଦାର ଓ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏପରି ଅଭିଯୋଗ ମୟୂରଭଞ୍ଜ ଜିଲ୍ଲାରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ମାଡ଼ ମାରିଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ବାଲି ଚୋରା ଚାଲାଣ ସମ୍ପର୍କରେ ଖବର ପାଇ କପ୍ତିପଦା ତହସିଲଦାର ସମରଜିତ କର ଓ ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନା ବାଘିଆଗଡି ନଦୀ ଘାଟକୁ ଯାଇଥିଲେ। ସେଠାରୁ ସ୍ଥିତି ଦେଖି ଅଫିସ ଫେରୁଥିବା ବେଳେ ଧୁମକେତ ଗାଁ ନିକଟରେ ଜେସିବି ଦ୍ୱାରା ଟ୍ରାକ୍ଟରରେ ମାଟି ଲୋଡ୍‌ ହେଉଥିବା ଦେଖିବାକୁ ମିଳିଥିଲା। ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ଦେଖି ଜେସିବି ଓ ଟ୍ରାକ୍ଟର ଧରି ଡ୍ରାଇଭର ଚମ୍ପଟ ମାରିଥିଲେ। ପରେ ତହସିଲଦାର ଓ ଅତିରିକ୍ତ ସେମାନଙ୍କୁ ପିଛା କରିଥିଲେ। ପାଖାପାଖି ୨ କିମି ଗୋଡ଼ାଇବା ପରେ ଟ୍ରାକ୍ଟରକୁ ଧରିଥିଲେ। ସେଠାରେ ମାଫିଆ ଓ ତହସିଲଦାରଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। ଯୁକ୍ତିତର୍କ ଭିତରେ ୩ ଜଣଙ୍କ ଭିତରୁ ଜଣେ ଯୁବକ ଆସି ଅତିରିକ୍ତ ତହସିଲଦାର ପ୍ରିୟରଞ୍ଜନ ଜେନାଙ୍କୁ ହତ୍ୟା ଧମକ ଦେବା ସହ ମାଡ଼ ମାରିଥିଲେ। ତାଙ୍କୁ ଅଟକାଇବାକୁ ଯାଇ ତହସିଲଦାର ମଧ୍ୟ ମାଡ଼ ଖାଇଥିବା ଅଭିଯୋଗ ହୋଇଛି। ଏନେଇ ଅଭିଯୋଗ ହେବା ପରେ କପ୍ତିପଦା ପୁଲିସ ଶ୍ୟାମସୁନ୍ଦର ମଲ୍ଲିକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ନିଆଁ ଆଁରେ ଶିମିଳିପାଳ, ପ୍ରତିବାଦରେ ଆଜି ମୟୂରଭଞ୍ଜ ବନ୍ଦ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ୱର) – ନିଆଁର ଆଁରେ ଗିଳି ହୋଇଯାଉଛି ସୁନ୍ଦରୀ ଶିମିଳିପାଳ।  ଏସିଆର ଦ୍ୱିତୀୟ ବୃହତ୍ ଜୈବମଣ୍ଡଳକୁ କଲବଲ କରୁଛି ସର୍ବଗିଳା ନିଆଁ । ପ୍ରାୟ ୨ ସପ୍ତାହରୁ ଉର୍ଦ୍ଧ୍ୱ ସମୟ ଧରି ଶିମିଳିପାଳ ଜଳୁଥିବା ବେଳେ ଏହାକୁ ଆୟତ୍ତ କରିବାକୁ    ଜଙ୍ଗଲ ବିଭାଗର ଅବହେଳା ଓ ସରକାରଙ୍କୁ ଦାୟୀ କରିଛି ଭଞ୍ଜ ସେନା ।  ଏହା ପ୍ରତିବାଦରେ  ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ ଡାକରା ଦେଇଛି ଭଞ୍ଜସେନା । ଆଜି ସକାଳୁ ସକାଳୁ ଏହି ବନ୍ଦର ପ୍ରଭାବ ପଡିଛି । ଭଞ୍ଜସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି । ବାଇକ୍ ରାଲି କରି ବନ୍ଦକୁ ସମର୍ଥନ ଜଣାଇବା ପାଇଁ  ଆହ୍ୱାନ ଦେଇଛନ୍ତି ଭଞ୍ଜସେନା କର୍ମୀ। ଏହି ବନ୍ଦ ଡାକରାକୁ କଂଗ୍ରେସ ମଧ୍ୟ ସମର୍ଥନ ଜଣାଇଛି। ଜୈବ ମଣ୍ଡଳର ସୁରକ୍ଷା ପାଇଁ କେହି ଚିନ୍ତା କରୁନଥିବା ଅଭିଯୋଗ କରିଛନ୍ତି ଉଭୟ ଭଞ୍ଜସେନା ଓ କଂଗ୍ରେସ।

Strike

ଏନେଇ କଂଗ୍ରେସ ନେତା ସୁଦର୍ଶନ ଦାସ କହିଛନ୍ତି,ନିଆଁ ଲିଭାଇବା ପାଇଁ ସରକାରଙ୍କ ପ୍ରୟାସ ଯଥେଷ୍ଟ ନୁହେଁ। ମୟୂରଭଞ୍ଜର ଏକ ଅଣରାଜନୈତିକ ସଙ୍ଗଠନ ମୟୂରଭଞ୍ଜ ବନ୍ଦ ଡାକରା ଦେଇଛି। କଂଗ୍ରେସ ଏହାକୁ ସମର୍ଥନ କରିବ।