୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ମନ୍ଦିର;ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦେଲେ ଜିଲ୍ଲାପଳ …!

ଏଥର ସମ୍ଭାଳ ବ୍ୟୁରୋ (ଭୁବନେଶ୍ଵର)- ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୩ ତାରିଖରେ ଖୋଲିବ  ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି।  ଭକ୍ତଙ୍କ ପ୍ରବେଶ ପୂର୍ବରୁ ସାନିଟାଇଜ୍ ହେବା ସହ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରଖାଯିବ।  ତେବେ କରୋନା ମହାମାରୀ ଦୃଷ୍ଟିରୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାଙ୍କୁ ଧର୍ମାନୁଷ୍ଠାନ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମନ୍ଦିରଗୁଡିକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ।

ବାଲୁଗାଁ ପୋଲିସ ପ୍ରଶାସନ , ଏନ ଏ ସି ପ୍ରଶାସନ ପକ୍ଷରୁ ଡ଼ାକବାଜି ଯନ୍ତ୍ର ମାଧ୍ୟମ ରେ ଜନସଚେତନା ଏବଂ ସାନିଟାଇଜର ସିଞ୍ଚନ !

!!! ବାଲୁଗାଁ ଏନ୍ ଏ ସି ପ୍ରତିନିଧି ଜଗନ୍ ସୁବୁଦ୍ଧି ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ବାଲୁଗାଁ) – ବିଶ୍ୱ ବ୍ୟାପି କରୋନାରେ ଆତଙ୍କିତ ରହିଥିବା ବେଳେ ପ୍ରତିଷେଧକ ଔଷଧ କିମ୍ବା ଭେକ୍ସିନ ବ୍ୟତୀତ ସାମାଜିକ ଦୂରତା ଓ ପରିମଳ ସ୍ୱଚ୍ଛତା ହିଁ ଏକମାତ୍ର ବିକଳ୍ପ ବୋଲି ଜନସଚେତନତା ଜାଗୃତ କରାଯାଇଛି । ଏଥିନିମନ୍ତେ ସରକାର ସାରା ରାଜ୍ୟରେ ଲକ୍ ଡାଉନ କରିବା ସହ ନିଜକୁ ସୁରକ୍ଷା ପାଇଁ ବାରମ୍ବାର ହାତ ସଫା ସହ ଜନ ଗହଳି ସ୍ଥାନରେ ସାନିଟାଇଜର ସିଞ୍ଚନ ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ପରପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନ୍.ଏ.ସି ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସହରରେ ଥିବା ଅଧିକ ଜନ ଗହଳି ସ୍ଥାନରେ ଏବଂ ବଜାର ରେ ସ୍ଥାନୀୟ ଅଗ୍ନିଶମ ବିଭାଗ ସହଯୋଗରେ ସାନିଟାଇଜର ସିଞ୍ଚନ କରାଯାଇଛି । ଆବଶ୍ୟକତା ଦୃଷ୍ଟିରୁ ପ୍ରତ୍ୟେକ ଗୋଟାଏ ଦିନ ବ୍ୟବଧାନ ରେ ଦିନ ୧୧ ଘଣ୍ଟା ସମୟରେ ବାଲୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ରରେ ସିଞ୍ଚନ ପ୍ରକ୍ରିୟା ଆରମ୍ଭ କରାଗଲା। ଏଭଳି ସହରରେ ଆବଶ୍ୟକତା ଥିବା ଜନଗହଳି, ସ୍ୱାସ୍ଥ୍ୟକେନ୍ଦ୍ର, ଦୈନିକ ବଜାର, ସ୍ଥାନୀୟ ଗାନ୍ଧୀ ଛକରେ ସିଞ୍ଚନ ପ୍ରକ୍ରିୟା କରାଯାଇଥିବା ବେଳେ ପ୍ରତିଦିନ ଅପରାହ୍ନରେ ସହରର ସାହି ଗୁଡ଼ିକ ରେ ସିଞ୍ଚନ ପ୍ରକ୍ରିୟା ଚାଲୁ ରହିଛି । ଏହି କାର୍ଯ୍ୟକ୍ରମ ଲକ୍ ଡାଉନ ପର୍ଯ୍ୟନ୍ତ ଜାରି ରହିବ ବୋଲି ବାଲୁଗାଁ ଏନ ଏ ସି ପକ୍ଷରୁ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି। ସହର ର ଜନ ଗହଳି ସ୍ଥାନ ରେ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଈଁ ଖୋର୍ଦ୍ଧା ଉପ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ବାଲୁଗାଁ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ଜାରି କରିବା ସହ ଡ଼ାକ ବାଜି ଯନ୍ତ୍ର ମାଧ୍ୟମ ରେ ଜନସାଧାରଣ ଙ୍କୁ ସଚେତନ କରାଯାଉଥିବା ବାଲୁଗାଁ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରକାଶ କରିଛନ୍ତି ।

ଲାଞ୍ଚ ନେଇ ଖୋର୍ଦ୍ଧା ଯୋଗାଣ ନିରୀକ୍ଷକ ଗିରଫ ।

ଏଥର ସମ୍ଭାଳ ବ୍ୟୁରୋ (ଖୋର୍ଦ୍ଧା) – ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ସୂଚନା ଅନୁଯାୟୀ, ପଲ୍ଲା ଅଞ୍ଚଳର ଡିଲର ଅମ୍ବିକା ପ୍ରସାଦ ଦାସଙ୍କ ଠାରୁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି କିରୋସିନ ଉଠାଣ ପାଇଁ ଅନୁମତି ଦେବାକୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ । ସେହି ସମୟ ମାର୍ଶାଲିନ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ।
ଅମ୍ବିକା ୧୬ଜଣ କଣ୍ଟ୍ରୋଲ ଡିଲରଙ୍କ ଠାରୁ ୨୦ହଜାର ଟଙ୍କା ନେଇ ଯୋଗାଣ ନିରୀକ୍ଷକଙ୍କୁ ଦେଉଥିବା ବେଳେ ସେଠାରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଖୋର୍ଦ୍ଧା,ନୟାଗଡ,ଭୁବନେଶ୍ୱର ଭିଜିଲାନ୍ସ ଟିମର ମିଳିତ ଭାବେ ଚଢ଼ାଉ କରି ଯୋଗାଣ ନିରୀକ୍ଷକଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ନଗଦ ଟଙ୍କା ଜବତ କରିଛନ୍ତି । ଏହିପରି ପ୍ରତି ମାସରେ କିରୋସିନ ଉଠାଣ ଅନୁମତି ପାଇଁ ଖୋର୍ଦ୍ଧା ବ୍ଲକର ଯୋଗାଣ ନିରୀକ୍ଷକ ମାର୍ଶାଲିନ ପଢିହାରି ଲାଞ୍ଚ ନେଉଥିବା ଅଭିଯୋଗ ହୋଇଛି । ସେହିପରି ମାର୍ଶାଲିନଙ୍କ ଡୁମୁଡୁମା ସ୍ଥିତ ବାସଭବନ ଚଢାଉ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା

ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା, ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ପହଞ୍ଚିଛନ୍ତି ଚିଲିକାରେ ।

!!! ଖୋର୍ଦ୍ଦା ଜିଲ୍ଲା ବାଲୁଗାଁ ରୁ ଜଗନ ସୁବୁଦ୍ଧି ଙ୍କ ରିପୋର୍ଟ୍ !!!

ଏଥର ସମ୍ଭାଳ (ବାଲୁଗାଁ) – ଚଳିତ ବର୍ଷ ଚିଲିକାରେ ବଢ଼ିଛି ପକ୍ଷୀ ସଂଖ୍ୟା । ଏଥର ପକ୍ଷୀ ସଂଖ୍ୟା ୧୦ ଲକ୍ଷ ୫୦ରୁ ୧୦ ଲକ୍ଷ ୭୦ ହଜାର ପକ୍ଷୀ ଚିଲିକାରେ ପହଞ୍ଚିଛନ୍ତି। ୨୦୧୯ରେ ମୋଟ ୧୦ ଲକ୍ଷ ୪୭ ହଜାର ପକ୍ଷୀ ଚିହ୍ନଟ ହୋଇଥିଲେ। ବିଦେଶୀପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ଘେରି ଉଚ୍ଛେଦ ସ୍ଥାନରେ ପକ୍ଷୀ ଓ ଡଲଫିନ୍‌ ସଂଖ୍ୟା ବୃଦ୍ଧି ହୋଇଛି। ନଳବଣରେ ରହିଛନ୍ତି ୧୧୪ ପ୍ରଜାତିର ପକ୍ଷୀ। ନଳବଣରେ ୩ ଲକ୍ଷ ୭୪ ହଜାର ୭୫୨ ପକ୍ଷୀ ଅଛନ୍ତି। CDA ପକ୍ଷରୁ ଆଜି ହୋଇଥିଲା ସର୍ଭେ। ଗଣନାରେ ୨୯ଟି ଟିମ୍‌ରେ ୧୭୫ ଜଣ ସାମିଲ ଥିଲେ।

ସାଧାରଣତନ୍ତ୍ର ଦିବସରେ ସହିଦ ହେଲେ ଓଡ଼ିଆ ଯବାନ ।

ଏଥର ସମ୍ଭାଳ ବ୍ୟୁରୋ (ଖୋର୍ଦ୍ଧା) – ଗତକାଲି ସାଧାରଣତନ୍ତ୍ର ଦିବସରେ ଜଣେ ଓଡ଼ିଆ ଯବାନଙ୍କ ପରଲୋକ ହୋଇଛି। ତାଙ୍କ ନାଁ ହେମନ୍ତ ପଣ୍ଡା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ। ହେମନ୍ତ ଜମ୍ମୁ କଶ୍ମୀରରେ ବାରମୁଲାରେ ମୁତୟନ ହୋଇଥିଲେ। ସେ ଗୁଳିମାଡ଼ରେ ଆହତ ହୋଇ ଚିକିତ୍ସାଧୀନ ଥିଲେ। ତେବେ ଆତଙ୍କବାଦୀଙ୍କ ଗୁଳିରେ ସେ ଆହତ ହୋଇଥିଲେ ନା ଆଉ କିଛି କାରଣ ଯୋଗୁ ତାଙ୍କ ଦେହରେ ଗୁଳିମାଡ଼ ହୋଇଥିଲା, ତାହା ସ୍ପଷ୍ଟ ହୋଇନାହିଁ। ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଏନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।