ଜଳାଭିଷେକ ଅବସରରେ ପରିବେଶ ସଚେତନତା କାର୍ଯ୍ୟକ୍ରମ …!

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦ୍ରାପଡ଼ା)- ଯୋଡ଼ା ଶ୍ରାବଣ ମାସ ର ଶେଷ ସୋମବାର ଦିନ ପ୍ରାତଃ ସମୟରେ ନିରାଡମ୍ୱର ପଦଯାତ୍ରା କରି ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭ୍ୟ ମାନେ ଜଳାଭିଷେକ କରିବା ପାଇଁ ଗୋପୀନାଥପୁର ଶାସନରେ ଅବସ୍ଥିତ ଗୋଷ୍ଠେଶ୍ୱର ମନ୍ଦିର ରେ ପହଞ୍ଚିଥିଲେ । ଆଜି ର ଯୁବଗୋଷ୍ଠୀ ବିଭିନ୍ନ ସ୍ଥାନ କୁ ପଦଯାତ୍ରା କରି ବିଭିନ୍ନ ଶୈବ ପୀଠ ମାନଙ୍କ ରେ ଜଳାଭିଷେକ କରିଥାନ୍ତି। ଆପଣ ମାନେ ବିଭିନ୍ନ ପ୍ରକାର ର ବିମା ଜୀବନ ରେ ଦେଖିଥିବେ କିନ୍ତୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆରମ୍ଭ ହୋଇଥିବା “ପରିବେଶ ବୀମା” ଏକ ନିଆରା କାର୍ଯ୍ୟକ୍ରମ । ଜଳାଭିଷେକ ରେ ପରିବେଶ ବୀମା ଓ ପରିବେଶ ର ସଚେତନତା ବାର୍ତ୍ତା ନେଇ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଦସ୍ୟ ମାନେ ଗ୍ରାମ ପରିକ୍ରମା କରି ସମାଜ ପାଇଁ ନୂତନ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ଗୋଷ୍ଠେଶ୍ୱର ପୀଠ ର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ମତ ଦିଅନ୍ତି। ଆମର ଲକ୍ଷ୍ୟ ପରିବେଶ, ଆମର ଲକ୍ଷ୍ୟ ବାବା ମହେଶ ଏହି ସ୍ଲୋଗାନ ଦେଇ ଜଳାଭିଷେକ ସଂପନ୍ନ ହୋଇଥିଲା ବୋଲି ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ସୂଚନା ଦେଇଥିଲେ। ସର୍ବଶ୍ରୀ ରଶ୍ମି ରଞ୍ଜନ ବାରିକ, କେଦାର ସ୍ବାଇଁ, ସୁବାସିସ ସଢ଼ଙ୍ଗୀ, ଦିଲ୍ଲୀପ କୁମାର ନାଥ, ସୁନିଲ ଦାସ, ଭାବଗ୍ରାହୀ ସାହୁ, ଅଜୟ କୁମାର ସେଠୀ, ଜୟନ୍ତ କୁମାର ମଲ୍ଲିକ, କାଳନ୍ଦି ମଲ୍ଲିକ, ମାନସ ସ୍ବାଇଁ ଓ ବାଲୁକା ଶିଳ୍ପୀ ବଲ୍ଲଭ ମହାପାତ୍ର ଏହି ନୂତନ ଚିନ୍ତାଧାରା ର କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।

କୁନି ପ୍ରବଚକ ଙ୍କୁ ସମ୍ଭର୍ଦ୍ଧନା ।

ଏଥର ସମ୍ଭାଳ ବ୍ୟୁରୋ (କେନ୍ଦ୍ରାପଡ଼ା) : କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ମା ବାସନ୍ତୀ ଦୁର୍ଗା ଙ୍କ ପବିତ୍ର ଅଷ୍ଟମୀ ପୂଜା ହଜାର ହଜାର ଭକ୍ତ ନକ୍ସମାଗମରେ ମହା ଆଡମ୍ବର ରେ ଆୟୋଜନ ହୋଇଥିଲା।ଏହି ଅବସର ରେ ଓଡ଼ିଶା ର ପୁର ପଲ୍ଲୀରେ ଜଣାଶୁଣା କୁନି ପ୍ରବଚକ ଶ୍ରୀ କେଶବ ଚନ୍ଦ୍ର ଦୂତିକୃଷ୍ଣ ଙ୍କ ଆଲୋଚିତ ହରିକଥା ଭକ୍ତି ଭାବ ଅଞ୍ଚଳ କୁ ହରିମୟ କରିଥିଲା। ଏହି କୁନି ହରିକଥା ପ୍ରବଚକ ଙ୍କୁ ଦେଖିବା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲାର ଜଗନ୍ନାଥପୁର ଗ୍ରାମରେ ନାହିଁ ଥିବା ଭିଡ ଦେଖିବାକୁ ମିଳିଥିଲା। ଏହି ହରି କଥା ଆଲୋଚନା କରୁଥିବା ସମୟ ରେ ଯେତେବେଳେ ଦୂତିକୃଷ୍ଣ ଦୁଇ ଆଖି ବନ୍ଦ କରି ଯେତେବେଳେ ପ୍ରଭୁ ଙ୍କୁ ଲୟ କରି ବାର୍ତ୍ତା ପ୍ରଦାନ କରୁଥିଲେ ସେହି ସମୟ ଅତୀବ ମନୋରମ ଓ ହରି ଭଜନ ର ସାର ମର୍ମ କୁ ଭକ୍ତ ଙ୍କ ମଧ୍ୟରେ ବାଣ୍ଟି ଦେବା ଭଳି ମନେ ହେଉଥିବା ଭକ୍ତ ବୃନ୍ଦ ବଖାଣିବା ସହ ଯାହା ନିଜେ ଦେଖିଲେ ବିଶ୍ୱାସ ହେବ ନାହିଁ ବୋଲି ମତବ୍ୟକ୍ତ କରିଛନ୍ତି ।ସେହି ବିସ୍ମୟ କୁନି ପ୍ରବଚକ ଙ୍କୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁଷ୍ପ ମାଲ୍ୟ,ଉତ୍ତରୀୟ ଓ କେନ୍ଦ୍ରାପଡା ର ଆରାଧ୍ୟ ଶ୍ରୀ ସିଦ୍ଧ ବଳଦେବଜୀଉ ଏକ ଫଟୋ ଚିତ୍ର ଦେଇ ସମ୍ଭର୍ଦ୍ଧନା କରାଯାଇଥିଲା । ଏହି ଦେବତୂଲ୍ୟ କାର୍ଯ୍ୟ ରେ ଟ୍ରଷ୍ଟ ର ସଭାପତି ଶ୍ରୀଯୁକ୍ତ ଦମନ ମହାନ୍ତି ଙ୍କ ସମେତ ରଶ୍ମିରଞ୍ଜନ ବାରିକ ,କେଦାର ସ୍ବାଇଁ, କାଳଦୀ ମଲିକ , ବିଭୁ ପ୍ରସାଦ ସାହୁ, ଗଗନ ଆଚାର୍ଯ୍ୟ, ଓ ଚନ୍ଦନ ରାଉତରାୟ ପ୍ରମୁଖ ଯୋଗ ଦେଇ କୁନି ପ୍ରବାଚକ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ଚିତାଚୈତନ ଲଗାଇ ୩୦ ଲକ୍ଷରୁ ଅଧିକ ଟଙ୍କା ଚିତା କାଟିଛି ବାସୁଦେବ….!

ଏଥର ସମ୍ଭାଳ ବ୍ୟୁରୋ(କେନ୍ଦ୍ରାପଡ଼ା)- ଚିତା ଚୈତନ ଲଗାଇ ପୂଜକ ବେଶରେ ବାସୁଦେବ ପଣ୍ଡା! ତାଙ୍କୁ କେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସହିତ ଫେକ୍‌ ଫଟୋରେ ଦେଖିବାକୁ ମିଳୁଛି। ଆଉ କେତେବେଳେ ତାଙ୍କୁ ସେନା ଅଧିକାରୀଙ୍କ ସହିତ ଫଟୋରେ ଦେଖିବାକୁ ମିଳୁଛି। ଅତି ଚତୁରତାର ସହିତ ଫଟୋ ଏଡିଟ୍‌ କରି ନିଜକୁ ଫ୍ରେମ୍‌ରେ ରଖିଛନ୍ତି ବାସୁଦେବ। ପରବର୍ତ୍ତୀ ସମୟରେ ସେହି ଫଟୋ ଦେଖାଇ ସ୍ପଷ୍ଟ ଦିବାଲୋକରେ ଠକୁଥିଲେ। କାହାକୁ ଭଲ ଡାକ୍ତରକୁ ଦେଖାଇବାକୁ କହି ତ ଆଉ କାହାକୁ ସେନାରେ ଚାକିରି କରାଇଦେବାକୁ କହି, ଏମିତି କେତେ କ’ଣ ପ୍ରତିଶ୍ରୁତି ଦେଇ ବାସୁଦେବ ୩୦ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏପରି ୪୨୦ ଠକଙ୍କୁ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲାରେ। ନିକିରାଇ ଥାନା ଢୋଲ ଗାଁର ଯୁବକ ହେଉଛନ୍ତି ବାସୁଦେବ ପଣ୍ଡା। ପେଶାରେ ସେ ଜଣେ ପୂଜକ। ହେଲେ ନିଶା ଠକିବା। ତାଙ୍କ ଠକାମୀ ଶିକାର ହୋଇଛନ୍ତି ଜମରା ଗାଁର କରୁଣାକର ରଣା। କରୁଣାକରଙ୍କ ସାନ ଭାଇ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ସାମାନ୍ୟ ରୋଗ ହୋଇଥିଲା। ହେଲେ ତାଙ୍କୁ କ୍ୟାନସର ହୋଇଥିବା କହି ଭୟଭୀତ କରାଇ ଥିଲେ ବାସୁଦେବ। ଭଲ ଡାକ୍ତର ଦେଖାଇବାକୁ ହେଲେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି କହିଥିଲେ। କିଛି ଉପାୟ ନପାଇ କରୁଣାକର, ସାନ ଭାଇର ଚିକିତ୍ସା ପାଇଁ ଜମି ବିକ୍ରି କରି ବାସୁଦେବଙ୍କୁ ଟଙ୍କା ଦେଇଥିଲେ। ହେଲେ ପରବର୍ତ୍ତୀ ସମୟରେ କରୁଣାକର ଜାଣିଥିଲେ ଯେ ତାଙ୍କ ଭାଇକୁ ସାମାନ୍ୟ ରୋଗ ହୋଇଛି। ଡାକ୍ତରଙ୍କୁ ଦେଖାଇବା ପରେ ସବୁ କିଛି ସ୍ପଷ୍ଟ ହୋଇଥିଲା। ଏହା ପରେ କରୁଣାକର ଦେଇଥିବା ଟଙ୍କା ବାସୁଦେବଙ୍କୁ ମାଗିଥିଲେ। ମାତ୍ର ସେ ଧରାଛୁଆଁ ଦେଇଥିଲେ। ଶେଷରେ କିଛି ଉପାୟ ନପାଇ କରୁଣାକର ନିକିରାଇ ଥାନାରେ ଅଭିଯୋଗ କରିଥିଲେ । ସେହିପରି ଆଉ ଜଣେ ଚାଷୀ ହେଉଛନ୍ତି ରବୀନ୍ଦ୍ର ସାହୁ। ତାଙ୍କୁ ଚୁନ ଲଗାଇଛନ୍ତି ବାସୁଦେବ ପଣ୍ଡା। ପୁଅକୁ ସେନା ବାହିନୀରେ ଚାକିରି କରାଇଦେବାକୁ କହି ରବୀନ୍ଦ୍ରଙ୍କଠାରୁ ୨୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ପରବର୍ତ୍ତୀ ସମୟରେ ରବୀନ୍ଦ୍ର ଜାଣିଥିଲେ ବାସୁଦେବ ଜଣେ ଠକ ବୋଲି। ଏହା ପରେ ସେ ଦେଇଥିବା ଟଙ୍କା ଫେରି ପାଇବାକୁ ଚାହିଁଥିଲେ। ମାତ୍ର ବାସୁଦେବ ଧରାଛୁଆଁ ଦେଇନଥିଲେ। ସେ ମୋବାଇଲ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି। ଏହି ଖବର ପ୍ରଚାରିତ ହେବା ପରେ ଠକାମୀରେ ଶିକାର ହୋଇଥିବା ଲୋକ ବାସୁଦେବଙ୍କ ଘରେ ପହଞ୍ଚିଥିଲେ। ହେଲେ ସେ ଫେରାର ହୋଇଯାଇଛନ୍ତି। ବାସୁଦେବାଙ୍କ ଜାଲରେ କେବଳ କରୁଣାକର ଓ ରବୀନ୍ଦ୍ର ପଡ଼ି ନାହାଁନ୍ତି। ଏକାଧିକ ଲୋକଙ୍କୁ ବାସୁଦେବ ନିଜ ଫାସରେ ଫସାଇଥିବା ଅଭିଯୋଗ ହୋଇଛି। ଦେଶର ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ନିଜ ଫଟୋକୁ ଏଡିଟ୍‌ କରି ଯୋଡ଼ି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲା। ପରେ ସମୟ ସୁବିଧା ଦେଖି ବିଭିନ୍ନ ଲାଳସା ଦେଖାଇ ଟଙ୍କା ଆଦାୟ କରିଥିଲା। ବାସୁଦେବଙ୍କ ନାଁରେ ଅଭିଯୋଗ ହେଉଥିଲେ ମଧ୍ୟ ପୁଲିସ୍‌ ନୀରବଦ୍ରଷ୍ଟା ସାଜିଥିଲା। ପରେ ଘଟଣା କେନ୍ଦ୍ରାପଡ଼ା ଏସ୍‌ପିଙ୍କ ପାଖକୁ ଯାଇଥିଲା। ଏସ୍‌ପି ପୂରା ଘଟଣା ଶୁଣିବା ପରେ ମାମଲା ରୁଜୁ କରିବା ସହିତ ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ବାରିପଦା ଓ କେନ୍ଦ୍ରାପଡ଼ାରେ ଆଜି ଗଡ଼ିବ ରଥ…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- ଗତକାଲି ପୁରୀରେ ଲକ୍ଷାଧୀକ ଭକ୍ତଙ୍କ ଗହଳିରେ ରଥ ଗଡ଼ି ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ପହଞ୍ଚିଥିବା ବେଳେ ଆଜି ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଓ  ତୁଳସୀକ୍ଷେତ୍ରର କେନ୍ଦ୍ରାପଡ଼ାରେ ଗଡ଼ିବ ରଥ । ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀର ଗୁଣ୍ଡିଚା ଯାତ୍ରା ଦିନ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ତିନି ଠାକୁରଙ୍କ ପହଣ୍ଡି କରା ଯାଇଥାଏ।  ପୁରୀ ରଥ ଯାତ୍ରାର ପର  ଦୁଇ ଦିନ ଧରି ବାରିପଦାରେ ରଥ ଟଣାଯାଇଥାଏ। ତେଣୁ ବାରିପଦାରେ ଗତକାଲି ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯାଇଥିବା ବେଳେ ଆଜି ହେବ ରଥଟଣା । ଗତକାଲି ପରିଛାଙ୍କ ଦ୍ଵାରା ଛେରାପହଁରା ସେବା ପରେ ତିନି ଠାକୁରଙ୍କ ଗୋଟି ପହଣ୍ଡି କରାଯାଇ ରଥ ଉପରକୁ ଅଣା ଯାଇଥିଲା। ଶହ ଶହ ଭକ୍ତଙ୍କ ଗହଳି ଭିତରେ ରଥାରୂଢ଼ ହୋଇଥିଲେ  ଚତୁର୍ଦ୍ଧାମୂର୍ତ୍ତି। ଆଜି ଭକ୍ତମାନେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ରଥକୁ ମାଉସୀ ମା’ ମନ୍ଦିର ଯାଏଁ ଟାଣି ନେବେ । ଏହାପରେ କେବଳ ମହିଳାମାନେ ଦେବୀ ସୁଭଦ୍ରାଙ୍କ ରଥ ଅଧାବାଟ ଯାଏଁ ଟାଣି ନେବେ ।  ଆସନ୍ତାକାଲି ପୁଣି ସୁଭଦ୍ରାଙ୍କ ରଥ ଟଣା ହେବ ଏବଂ ପରେ ଜଗନ୍ନାଥଙ୍କ ରଥ ଟଣା ଯିବ । ବାରିପଦାରେ ପୁରୀ ଦେବୀ ସୁଭଦ୍ରାଙ୍କ ରଥକୁ କେବଳ ମହିଳାମାନେ ଟାଣି ନେଇଥାନ୍ତି।  କୋଭିଡ କଟକଣା ଯୋଗୁଁ ଦୁଇ ବର୍ଷ ପରେ ବାରିପଦାରେ ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ଆୟୋଜିତ ହେଉଛି  । ତୁଳସୀକ୍ଷେତ୍ର କେନ୍ଦ୍ରାପଡ଼ାରେ ମଧ୍ୟ ଆଜି ଅନୁଷ୍ଠିତ ହେବ ରଥଯାତ୍ରା  । ରୀତିନୀତି ଅନୁଯାୟୀ ଗତକାଲି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଛି  । ପରମ୍ପରା ଅନୁଯାୟୀ ରଥକୁ କିଛି ବାଟ ଟଣାଯାଇ ଦେବୋତ୍ତର ବିଭାଗ ଓ ରଘୁନାଥଜୀଉ ମଠ ପାଖରେ ବ୍ରହ୍ମତାଳଧ୍ୱଜ ରଥ ଅଟକିଛି ।  ଆଜି ନୀତିକାନ୍ତି ପରେ ଆରମ୍ଭ ହେବ ରଥଟଣା । ତୁଳସୀକ୍ଷେତ୍ରର ଆରାଧ୍ୟ ମହାପ୍ରଭୁ ବଳଦେବଜୀଉଙ୍କ ମନ୍ଦିରରେ ରଥଯାତ୍ରା ନିମନ୍ତେ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି।

‘ଆମ ଗାଁରେ ସ୍କୁଲ ନ ହେଲେ ଦେବୁନି ଭୋଟ’…!

ଏଥର ସମ୍ଭାଳ ବ୍ୟୁରୋ(ଭୁବନେଶ୍ୱର)- “ଆମ ଗାଁ ସ୍କୁଲକୁ ୨ ବର୍ଷ ହେଲାଣି ବନ୍ଦ କରିଦେଲେଣି। ଅନ୍ୟ ଏକ ସ୍କୁଲ ସହ ଏହାର ମିଶ୍ରଣ କରିଦେଲେ। ଫଳରେ ସ୍କୁଲ ଖୋଲିଲେ ଆମ ପିଲା ନାହିଁ ନ ଥିବା ହଇରାଣ ହେବେ । ତେଣୁ ଆମ ଗାଁରେ ସ୍କୁଲ ନ ହେଲେ ଏଥର ଭୋଟ ଦେବୁନି। ” ଏପରି କହି ଭୋଟ ବର୍ଜନ କରିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରର ବିଜିପୁର ଗ୍ରାମବାସୀ ।ସୂଚନା ଅନୁଯାୟୀ, ବିଜିପୁର ଗାଁରେ ଥିବା ସ୍କୁଲରେ ଆବଶ୍ୟକ ସଂଖ୍ୟକ ଛାତ୍ରଛାତ୍ରୀ ନ ଥିବା କହି ୨ ବର୍ଷ ପୂର୍ବେ ଏହାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ବନ୍ଦ  କରି ଦିଆଗଲା।  ମିଶ୍ରଣ ପର୍ବ ନାଁରେ ଏହାକୁ ନେଇ ଅନ୍ୟ ଏକ ସ୍କୁଲ ସହ ମିଶାଇ ଦେଲେ। ତେଣୁ ଏଥିଯୋଗୁ  ଗାଁର ପିଲାଙ୍କ ପାଠ ପଢ଼ାରେ ସମସ୍ୟା ଉପୁଜିଛି । ସ୍କୁଲ ଖୋଲିଲେ ଦୂରକୁ ଯିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଗ୍ରାମବାସୀ । ବାରମ୍ବାର ଏସମ୍ପର୍କରେ ଜିଲ୍ଲାପାଳଙ୍କଠୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଜଣାଇଲେବି କେହି ସମସ୍ୟା ଶୁଣୁ ନାହାନ୍ତି କି କୌଣସି ପଦକ୍ଷେପ ନିଆଯାଉନି । ତେଣୁ  ବାଧ୍ୟ ହୋଇ ଏପରି  ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି ଗ୍ରାମବାସୀ ।ସୂଚନାଯୋଗ୍ୟ, ପାଖେଇ ଆସିଲାଣି ପଞ୍ଚାୟତ ନିର୍ବାଚନ । ଫେବୃଆରୀ ୧୬ ତାରିଖରୁ ରାଜ୍ୟରେ ଆରମ୍ଭ ହେବ ପଞ୍ଚାୟତ ନିର୍ବାଚନ । ଆଗକୁ ନିର୍ବାଚନ ଥିବାରୁ ଏବେଠୁ ଜମିଲାଣି ମାହୋଲ । କେଉଁଠି  ଲଢ଼େଇ ଜୋରଦାର ହେଉଥିବା ବେଳେ କେଉଁଠି ଖାଲି ପଡ଼ିଛି ମଇଦାନ । ବର୍ଷ ବର୍ଷ ଧରି ପୂରଣ ହୋଇ ନ ଥିବା ଦାବି ପ୍ରତିବାଦରେ ଭୋଟ ବର୍ଜନ କରିଛନ୍ତି ଭୋଟର। ବିଜିପୁର ଗ୍ରାମବାସୀ  ମଧ୍ୟ ସ୍କୁଲ ଦାବିରେ ଭୋଟ ବର୍ଜନ କରିଥିବା ବେଳେ ଭବିଷ୍ୟତରେ କିପରି ହେବ ଏହି ଅଞ୍ଚଳ ବିକାଶ ତାହାକୁ ନେଇ ଅନିଶ୍ଚିତନା ଦେଖିବାକୁ ମିଳିଛି।