ଗଜପତି ଉତ୍ସବ ର ତୃତୀୟ ଦିନ ।

!!! ପାରଳାଖେମୁଣ୍ଡି ରୁ ସନ୍ତୋଷ ପାଟ୍ଟଯୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି) – : ଗଜପତି ଜିଲ୍ଲାର କଳା , ସଂସ୍କୃତି , ଐତିହ ଓ ସମୃଦ୍ଧ ପରମ୍ପାରର ସମାରୋହ ଗଜପତି ଉତ୍ସବ ଓ ପଲ୍ଲିଶ୍ରୀ ମେଳା-୨୦୨୨ର ଆଜି ତୃତୀୟ ରଜନୀରେ ଝଲସି ଉଠୁଛି ପ୍ରସ୍ତୁତି ମଞ୍ଚ । ଏଠାରେ ପ୍ରବଳ ଜନସମାଗମ ହୋଇଛି । ପ୍ରଥମେ ସଭା କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସାଂସ୍କୃତିକ ପରିଷଦର ଅଧ୍ୟକ୍ଷ ଲିଙ୍ଗରାଜ ପଣ୍ଡାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ଆଦର୍ଶ ବିଦ୍ୟାଳୟର ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ ଥିବା ବେଳେ ପାରା ଆଥଲେଟିକ ସୁଶ୍ରୀ ପୂଜା ଅଶ୍ୱନୀ ନାୟକ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ସମ୍ମାନିତ ଅତିଥି ଭାବେ ବ୍ରହ୍ମପୁରସ୍ଥ ମୁଖ୍ୟ ଜଙ୍ଗଲ ସଂରକ୍ଷଣ ଅଧିକାରୀ ପ୍ରଶାନ୍ତ କୁମାର ମିଶ୍ର , ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସ୍ୱାତୀ ଏସ୍‌. କୁମାର, ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା , ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଅମ୍ଲାନ ନାୟକ , ଖେଳାଳୀ କିଶୋର ଚନ୍ଦ୍ର ରଥ , ପର୍ବତରୋହୀ ଗଣେଶ ଜେନା ପ୍ରମୁଖ ଯୋଗଦେଇ ମଞ୍ଚାସୀନଥିଲେ ।

ଅତିଥିମାନେ ଏପରି ବର୍ଣ୍ଣାଢ୍ୟ ଉତ୍ସବ ପାଳନକୁ ନେଇ ଭୂୟସୀ ପ୍ରଶଂସା କରିବା ସହ ଏହି ଉତ୍ସବ କଳା ସଂସ୍କୃତିର ମହାପର୍ବ ତଥା ସମାଗମ ବୋଲି ମତବ୍ୟକ୍ତ କରିଥିଲେ। ସଭା କାର୍ଯ୍ୟକ୍ରମ ସମାପନ ପରେ ରାଜ୍ୟ ତଥା ରାଜ୍ୟ ବାହାର ଏବଂ ଜିଲ୍ଲାର କଳାକାରମାନଙ୍କ ଦ୍ୱାରା ପରିବେଷିତ ଆକର୍ଷିତ ଲୋକନୃତ୍ୟ , ସାମାଜିକ ବାର୍ତ୍ତା ନୃତ୍ୟ ଓ ଧମାକାଦାର ନୃତ୍ୟ ଉପସ୍ଥିତ ହଜାର ହଜାର ଦର୍ଶକଙ୍କ ମନ ମୋହିଥିଲା।

ତୃତୀୟ ରଜନୀରେ ୧୭ଗୋଟି ଦଳ ଯଥା ରାଜସ୍ଥାନ ଲୋକନୃତ୍ୟ , ଭୁବନେଶ୍ୱରର ସଂସ୍କୃତି ଭାରତୀ ଦ୍ୱାରା ଓଡିଶୀ ନୃତ୍ୟ , ପ୍ରିନ୍ସ ଡ୍ୟାନ୍ସ ଗ୍ରୁପର ୩ଗୋଟି ଦଳର ଧମାକାଦାର ନୃତ୍ୟ , ପାରଳାଖେମୁଣ୍ଡି ସହରର କିନ୍ନର ସଂଘ ଦ୍ୱାରା ସମାଜକୁ ବାର୍ତ୍ତା ଦେବା ଭଳି ନୃତ୍ୟ , କାଶୀନଗର ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ତରଫରୁ ନୃତ୍ୟ , ନବରଙ୍ଗପୁର ଜିଲ୍ଲାର ଲୋକ ନୃତ୍ୟ , କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ , ଜଗତସିଂହପୁର ଜିଲ୍ଲାର ଲୋକନୃତ୍ୟ , ପାରଳାଖେମୁଣ୍ଡି ସହରର କ୍ରିଏଟିଭ ଆର୍ଟସ , ମିରାକଲ୍ ଡ୍ୟାନ୍ସ ଗ୍ରୁପ , ଏସ୍‌କେସିଜି ମହାବିଦ୍ୟାଳୟର ଏନ୍‌ଏସ୍‌ଏସ୍ ଦ୍ୱାରା ନୃତ୍ୟ ପରିବେଷଣ , ଗଜପତି ଜିଲ୍ଲା ରାୟଗଡ ବ୍ଲକର ଲୋକନୃତ୍ୟ , ଗୋଷାଣୀ ବ୍ଲକର ଲୋକନୃତ୍ୟ , ଗୁମ୍ମା ବ୍ଲକ ଲୋକନୃତ୍ୟ , ମୋହନା ବ୍ଲକ ଲୋକନୃତ୍ୟ ଆଦି ବେସ ଉଚ୍ଚକୋଟୀର ହୋଇଥିଲା।

ଗଜପତି ପ୍ରେସ କ୍ଳବ ଉଦଘାଟିତ …!

!!! ପାରଳାଖେମୁଣ୍ଡି ରୁ ପତିନିଧି ସନ୍ତୋଷ ପାଟ୍ଟଯୋଷୀ ଙ୍କ ରିପୋର୍ଟ  !!!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ସ୍ଥାନୀୟ ଟାଉନ ହଲ ପରିସର ମଧ୍ୟରେ ଗଜପତି ପ୍ରେସ-କ୍ଳବ୍ ଉଦଘାଟିତ ହୋଇଯାଇଛି । ଗଜପତି ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଏହି କାର୍ଯ୍ୟକ୍ରମ’ରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଫିତା କାଟି “ଗଜପତି ପ୍ରେସ କ୍ଳବ୍” କୋଠାର ଶୁଭ ଉଦ୍ଘାଟନ କରିଥିଲେ । ପରେ ଆୟୋଜିତ ଉଦଘାଟନୀ ସଭାରେ ବରିଷ୍ଠ ସାମ୍ବାଦିକ ଶ୍ରୀ ଗରୁଡ଼ ଧ୍ଵଜ ଚୌଧୁରୀଙ୍କ ସଭାପତିତ୍ବରେ ଉଦ୍ଘାଟକ ତଥା ଜିଲ୍ଲାପାଳ ଶ୍ରୀ ଲିଙ୍ଗରାଜ ପଣ୍ଡା ଯୋଗଦେଇ ସରକାର , ପ୍ରଶାସନିକ ଓ ସମାଜରେ ସାମ୍ବାଦିକଙ୍କ ଏକ ସ୍ବତନ୍ତ୍ର ସମ୍ମାନ ଓ ମର୍ଯ୍ୟାଦା ରହିଛି । ସାମ୍ବାଦିକ ମାନେ ସମାଜର ଏକ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିବା ସହ ପ୍ରଶାସନକୁ ମଧ୍ୟ ବିଭିନ୍ନ କ୍ଷେତ୍ରରେ ସୁରାକ ଯୋଗାଇବାରେ ସହଯୋଗ କରିଥାନ୍ତି । ତେଣୁ ସେହି ସବୁ ସମ୍ମାନ ଓ ମର୍ଯ୍ୟାଦାକୁ ଅକ୍ଷୁର୍ଣ୍ଣ ରଖି ସାମ୍ବାଦିକ ମାନେ ସବୁବେଳେ ନିରପେକ୍ଷ ଓ ସତ୍ୟ ସମ୍ବାଦ ପରିବେଷଣ କରିବା ଦିଗରେ ଦାୟିତ୍ବବାନ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବେ ଏଡିଏମ୍: ଶ୍ରୀ ସଂଗ୍ରାମ ଶେଖର ପଣ୍ଡା , ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ , ଭାରାପ୍ରାପ୍ର ପୌର ନିର୍ବାହୀ ଅଧିକାରୀ ଶ୍ରୀ ନଟବର ଗରଡ଼ା ଏବଂ ବରିଷ୍ଠ ସାମ୍ବାଦିକ ଶ୍ରୀ ଦ୍ୱିଜେନ୍ଦ୍ର ନାଥ ପାଢ଼ୀ ପ୍ରମୁଖ ମଞ୍ଚାସିନ ରହି ସାମ୍ବାଦିକ ମାନଙ୍କ କର୍ତ୍ତବ୍ୟ ଓ ସମାଜ ପାଇଁ ସେମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଶେଷରେ ବରିଷ୍ଠ ସାମ୍ବାଦିକ ଶ୍ରୀ ତାରିଣୀ ପ୍ରସାଦ ପଣ୍ଡା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ । ବହୁ ପ୍ରତିକ୍ଷିତ ଦୀର୍ଘ ଦିନର ଅଭିଳାଷ ଆଜି ଜିଲ୍ଲା ପ୍ରଶାସନ ଓ ପୌର-ପରିଷଦର ସହଯୋଗ ଫଳରେ ଗଜପତି ପ୍ରେସ କ୍ଳବ୍ ହେବା ସମ୍ଭବ ହୋଇଥିବା ଯୋଗୁଁ ଗଜପତି ଜିଲ୍ଲାସ୍ତରୀୟ ସାମ୍ବାଦିକ ମାନଙ୍କ ପକ୍ଷରୁ ଏଥିନିମନ୍ତେ ସମସ୍ତ ସହଯୋଗୀ ପ୍ରଶାସକ ଙ୍କୁ ଭୂୟସୀ ପ୍ରଶଂସା କରାଯିବା ସହ ସାଧୁବାଦ୍ ଜ୍ଞାପନ କରାଯାଇଛି ।

ଅନାଥ ଶିଶୁ ଦେଖିଲେ ବିଶ୍ଵ କପ ହକି …!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଧେଶରେ ଜିଲ୍ଲାର ତିନିଗୋଟି ଶିଶୁ ଯତ୍ନ ଅନୁଷ୍ଠାନ ଯଥା ଶ୍ରୀଜଗନ୍ନାଥ ନିକେତନର ୭ଜଣ, ନିସାନ୍ ସାଲୋମ୍ ଚିଲ୍ଡ୍ରେନ୍ ହୋମ୍ ୫ଜଣ ଓ ପ୍ରାଉଡ଼ ବାଳିକା ଅନୁଷ୍ଠାନର ୮ ଜଣ ଶିଶୁଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ୧୬ଜାନୁୟାରୀରେ ଭୁବନେଶ୍ବର କଳିଙ୍କ ଷ୍ଟାଡ଼ିଅମ୍ ରେ ଅନୁଷ୍ଠିତ ହୋଇଥିବା ହକି ବିଶ୍ବକପ୍ କୁ ଉପଭୋଗ କରାଇଥିଲେ ।
ଏହି ହକି ବିଶ୍ବକପ୍ ଦେଖିବାକୁ ଯାଇଥିବା ମୋଟ ଶିଶୁମାନଙ୍କ ମଧ୍ୟରୁ ୧୨ ଜଣ ପୁଅ ହୋଇଥିବା ବେଳେ ୮ ଜଣ ଝିଅ ଅଛନ୍ତି। ସେମାନଙ୍କ ସୁରକ୍ଷା ନିମନ୍ତେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ର ପରାମର୍ଶଦାତା ଶ୍ରୀ ଡ଼ି.ମଲ୍ଲିକ ଙ୍କ ନେତୃତ୍ବରେ ତିନି ଜଣିଆ ଦଳ ଗସ୍ତ କରିଥିଲେ । ଶିଶୁମାନେ ସନ୍ଧ୍ୟା ୩.୦୦ ଘଣ୍ଟାରୁ ରାତି ୧୦:୦୦ ପର୍ଯ୍ୟନ୍ତ କଳିଙ୍କ ଷ୍ଟାଡ଼ିଅମରେ ଉପସ୍ଥିତ ରହି ଓଡ଼ିଶା ସରାକରଙ୍କ ଦ୍ବାରା ଆୟୋଜିତ ସମସ୍ତ ଜିନିଷକୁ ବୁଲି ଦେଖିବା ସହ କୋରିଆ-ଜାପାନ୍ ଏବଂ ଜର୍ମାନୀ-ବେଲଜିଅମ୍ ର ପ୍ରତିଯୋଗିତାକୁ ଭରପୁର ଉପଭୋଗ କରିଥିଲେ। ପିଲାମାନଙ୍କର ଖାଇବା, ରହିବା ସହ ବୁଲିବା ର ସମସ୍ତ ଦାୟୀତ୍ବ ହାଇଟେକ୍ ଗ୍ରୁପ୍, ଭୂବନେଶ୍ବର ନେଇଥିଲେ। ଏହି ଦାୟିତ୍ବବାନ ସହଯୋଗ ପାଇଁ ଗଜପତି ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଉପଦେଷ୍ଟା ସମାଜ ସେବୀ ତଥା ଆଇନଜିବୀ ପ୍ରଦୀପ ଦାଶ, ସଭାପତି ଶକ୍ତି ପ୍ରଦ ଦାଶ ଏବଂ ସମ୍ପାଦକ ସନ୍ତୋଷ କୁମାର ପାଟ୍ଟଯୋଶୀ ହାଇଟେକ୍ ଗ୍ରୁପ୍ ର ଅଧ୍ୟକ୍ଷ ଙ୍କୁ ସାଧୁବାଦ୍ ଜଣାଇଛନ୍ତି ।

ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ଗଜପତି ପକ୍ଷରୁ ଏକ ଭକ୍ତି ସଙ୍ଗୀତ ସମାରୋହ ଅନୁଷ୍ଠିତ…!

ଏଥର ସମ୍ଭାଳ ବ୍ୟୁରୋ(ଗଜପତି)- ମକର ସଂକ୍ରାନ୍ତି ଉପଲକ୍ଷେ ଗଜପତି ଜିଲ୍ଲା ପାରଳା ଖେମୁଣ୍ଡିସ୍ଥ୍ ବଡ଼ଦାଣ୍ଡ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଠାରେ ଭକ୍ତି ପୁଷ୍ପାଞ୍ଜଳି ସାଂସ୍କୃତିକ ସଂସଦ ପକ୍ଷରୁ ଏକ ଭକ୍ତି ସଙ୍ଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି ।ସ୍ଥାନୀୟ ମଞ୍ଚ କଳାକାର ଙ୍କ ସମେତ ବାହାର ର କଳାକାର ମାନେ ଉପସ୍ଥିତ ରହି ସେମାନଙ୍କ ସଙ୍ଗୀତ କଳା ପ୍ରଦର୍ଶନ କରିଛନ୍ତି । କଳାକାର ଶକ୍ତି ଦାଶ ଙ୍କ ସମେତ ସାଇରାମ ପାଢୀ ଓ ଶ୍ରୀମତୀ ପ୍ରଣତୀ ବିଡିକା କଣ୍ଠ ଦାନ କରିଥିଲେ । ସେହିଭଳି ବାଦ୍ୟ ଯନ୍ତ୍ର ରେ ଗୁରୁ ମାନ୍ମଦା ରାଓ , ମାଗତା ,କ୍ରୀଷ୍ଣା,ଲକ୍ଷ୍ମଣ ଓ ରାଜେଶ ସମୂହ ସହଯୋଗ କରି ସେମାନଙ୍କ କଳା ପ୍ରଦର୍ଶନ କରିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ତଥା ଲେଖକ ଶ୍ରୀ କୈଳାଶ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ବିଶ୍ଵ ହିନ୍ଦୁ ପରିଷଦ ଗଜପତି ଶାଖା ସମ୍ପାଦକ ଲୋକନାଥ ଭାଇ ମଞ୍ଚ ପରିଚାଳନା କରିଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ କଳାକାର ମାନଙ୍କୁ ସଂସଦ ପକ୍ଷରୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ଫୁଲତୋଡ଼ା ଓ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ଶୀତ ର ଲହରୀ କୁ ଖାତିରି ନକରି ସହସ୍ରାଧିକ କଳାପ୍ରେମି ସଙ୍ଗୀତକୁ ଉପ ଭୋଗ କରିଥିଲେ । ସମୁଖ କାର୍ଯ୍ୟକ୍ରମ କୁ ସଂସଦ ର ସମ୍ପାଦକ ହେମନ୍ତ ପଟ୍ଟନାୟକ ପରିଚାଳନା କରିଥିଲେ ।

ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରସ୍ତୁତି ବୈଠକ

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ର ଜିଲ୍ଲା ସ୍ତରୀୟ ୭୪ତମ ସାଧାରଣତନ୍ତ୍ର ଦିବସ ଗଜପତି ଷ୍ଟାଡିୟମ୍ ଠାରେ ମହା ସମାରୋହରେ ପାଳିତ ହେବା ନିମନ୍ତେ ସ୍ଥିର କରାଯାଇଛି । ଚଳିତ ବର୍ଷର ସାଧାରଣ ତନ୍ତ୍ର ଦିବସଟିକୁ ଉତ୍ସାହ ଓ ଉଦ୍ଦୀପନାର ସହ ପାଳନ କରିବା ନେଇ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏହି ବୈଠକରେ ଗଜପତି ଜିଲ୍ଲାଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ. କୁମାର,ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା, ଉପ-ଜିଲ୍ଲାପଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ଯୋଗ ଦେଇଥିଲେ । ଚଳିତ ସାଧାରଣତନ୍ତ୍ର ଦିବସ ପାଳନ ଅବସରରେ ବିଦ୍ୟାର୍ଥୀଙ୍କ ବୌଦ୍ଧିକ ପରୀକ୍ଷା ପାଇଁ ଅନୁଷ୍ଠିତ ହେବାକୁ ଥିବା ବିଭିନ୍ନ ପ୍ରତିଯୋଗିତା ରେ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅଂଶଗ୍ରହଣ କରିପାରିବା ସହ ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବେବୋଲି ସ୍ଥିରୀକୃତ ହୋଇଛି ।

ଏଥି ସକାଶେ ଚଳିତ ମାସ ୨୩ ତାରିଖ ଓ ୨୪ ତାରିଖ ଦିନ ପ୍ୟାରେଡ଼ ଅଭ୍ୟାସ ଅନୁଷ୍ଠିତ ହେବ।ଏହି ଜାତୀୟ ଦିବସରେ ସହରର ସମସ୍ତ ମାନ୍ୟଗଣ୍ୟ ଅତିଥିଙ୍କୁ ଆମନ୍ତ୍ରିତ କରାଯିବ। ଜାତୀୟ ଉତ୍ସବ ପାଳନ ଦିନ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ଵାରା ସକାଳ ୫.୦୦ ଘଟିକା ସମୟରେ ପାରଳାଖେମୁଣ୍ଡି ସହରରେ ରାମଧୂନ ପରିବେଷଣ କରାଯିବ। ପୂର୍ବାହ୍ନ ୮ ଘଟିକା ୩୦ ମିନଟ ସମୟରେ ଗଜପତି ଷ୍ଟାଡିୟମ୍ ଠାରେ ମୁଖ୍ୟ ଅତିଥି ଜାତୀୟ ପତାକା ଉତ୍ତୋଳନ କରି ସମବେତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରି ଅଭିଭାଷଣ ପ୍ରଦାନ କରିବେ। ପ୍ୟାରେଡ୍ ପ୍ରତିଯୋଗିତାର ଶ୍ରେଷ୍ଠ ବିବେଚିତ ଦଳଙ୍କୁ ସିଲ୍ଡ ଏବଂ ଅନ୍ୟାନ୍ୟ କୃତୀତ୍ବ ହାସଲକାରୀ ଦଳଙ୍କୁ ମେମୋରିଆଲ୍ ସିଲ୍ଡ ପ୍ରଦାନ କରାଯିବ । ଅନୁଷ୍ଠିତ ସମସ୍ତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ମୁଖ୍ୟ ଉତ୍ସବର ଗଜପତି ଷ୍ଟାଡିୟମ ଠାରେ ପୁରସ୍କୃତ କରାଯିବ । ସମସ୍ତ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ଗୁଡିକରେ ଉକ୍ତ ଦିନ ପୂର୍ବାହ୍ନ ଘ.୭.୦୦ ଘଟିକା ସମୟରେ ରାଷ୍ଟ୍ରୀୟ ସଙ୍ଗୀତ ଗାନ ପୂର୍ବକ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଅବସରରେ ଚଳିତ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳାର ପୋଷ୍ଟର ଅତିଥି ମାନଙ୍କ ଦ୍ଵାର ଉନ୍ମଚିତ କରାଯାଇଥିଲା। ଉକ୍ତ ବୈଠକରେ ଅତିରିକ୍ତ ନିର୍ବାହୀ ଅଧିକାରୀ ( ଯାନ୍ତ୍ରିକ), ଜିଲ୍ଲା ପରିଷଦ ଜ୍ୟୋତିରାଜ ଅଧିକାରୀ, ଆର୍. ଆଇ. ଅଫ୍ ପୋଲିସ୍ ଦାମଧର ହୋନଙ୍ଗା, ଉପଖଣ୍ଡ ପୋଲିସ ଅଧିକାରୀ ରାମକୃଷ୍ଣ ପତି, ଡେପୁଟି କଲେକ୍ଟର ତଥା ପୌର ନିର୍ବାହୀ ଅଧିକାରୀ ନଟବର ଗରଡ଼ା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ସ୍ଵଂୟ ଶାସିତ ମହାବିଦ୍ୟାଳୟ ଅଧକ୍ଷ ଅଜୟ କୁମାର ତ୍ରପାଠୀ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଦୀପ୍ତ ଗୁରୁମାଇ , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ବରିଷ୍ଟ ନଗରିକ ପୁର୍ଣ୍ଣ ଚନ୍ଦ୍ର ମହାପାତ୍ରଙ୍କ ସମେତ ସମସ୍ତ ବିଦ୍ୟାଳୟ ଓ ମହା ବିଦ୍ୟାଳୟର ମୁଖ୍ୟ, ଗଣ ମାଧ୍ୟମର ପ୍ରତିନିଧିଗଣ, ବ୍ୟାଙ୍କ ଶାଖା ପରିଚାଳକ, ସ୍ବେଚ୍ଛାସେବୀ ଅନୁଷ୍ଠାନ, ସଂପୃକ୍ତ ଜିଲ୍ଲା ସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ନିଜ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ ।

ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୁଲ୍ୟରେ ସ୍ବତନ୍ତ୍ର ଅଧିବେଶନ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) –  ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହ ଠାରେ ଉତ୍କଳ ସମ୍ମିଳନୀ ଗଜପତି ଶାଖା ଆନୁକୂଲ୍ୟରେ ସ୍ବତନ୍ତ୍ର ଅଧିବେଶନ ସଭାପତି ଭାରତ ଭୂଷଣ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ଏକାଡେ଼ମୀ ଗଜପତି ଜିଲ୍ଲା ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସ୍ଵାଗତ ସମ୍ଭାଷଣ ଏବଂ ପରିଚୟ ପ୍ରଦାନ କରିଥିବା ବେଳେ ମୁଖ୍ୟ ଉପଦେଷ୍ଟା ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଉତ୍କଳ ସମ୍ମିଳନୀର ଆଭିମୁଖ୍ୟ ସମ୍ପର୍କରେ ବୁଝାଇଥିଲେ। ଉପଦେଷ୍ଟା ବିନୋଦ ଚନ୍ଦ୍ର ଜେନା ସାଂପ୍ରତିକ ସମୟରେ ଉପାନ୍ତ ଅଞ୍ଚଳରେ ଓଡ଼ିଆ ଭାଷା ଓ ସାହିତ୍ୟର ସୁରକ୍ଷା ଜରୁରୀ ବୋଲି କହିଥିଲେ। ସମ୍ପାଦକ ଲିଙ୍ଗରାଜ ପ୍ରସାଦ ଦାଶ ନବ ନିର୍ବାଚିତ ସଭ୍ୟ / ସଭ୍ୟାଙ୍କ ଦାୟୀତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ କହିଥିଲେ। ଶେଷରେ ଗୌରହରି ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଶରତ ସାହୁ , ପ୍ରମୋଦ ଚନ୍ଦ୍ର ପାଢ଼ୀ , ସତ୍ୟନାରାୟଣ ମହାରଣା , ଜଗଦୀଶ ମହାପାତ୍ର , ଡ.କଲ୍ୟାଣୀ ମିଶ୍ର , ନରସିଂହ ଗୌଡ଼ , କୈଳାସ ପଟ୍ଟନାୟକ , ରମେଶ ହୋତା ପ୍ରଭୃତି ନିଜ ନିଜର ବକ୍ତବ୍ୟ ରଖିଥିଲେ।

ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର 

ଏଥର ସମ୍ଭାଳ ବ୍ୟୁରୋ (ଗଜପତି) – ଗଜପତି ଜିଲ୍ଲା ର ଆଦିବାସୀ ବହୁଳ ଗୁମ୍ମା ବ୍ଲକ ତରଙ୍ଗଡ଼ା ଗ୍ରାମ ପଞ୍ଚାୟତରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣ ତରଫରୁ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ସମ୍ପାଦକ ଶ୍ରୀଯୁକ୍ତ ରବି ନାରାୟଣ ବେହେରା ସଭାପତିତ୍ବ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା ମୁଖ୍ୟ ଅତିଥି ରୁପେ ଯୋଗ ଦେଇଥିଲେ। ଶ୍ରୀଯୁକ୍ତ ପଣ୍ଡା ତାଙ୍କର ଅଭିଭାଷଣରେ ସରକାରଙ୍କର ବିଭିନ୍ନ ଯୋଜନା କିପରି ଆଦିବାସୀ ଅଞ୍ଚଳରେ କାର୍ଯ୍ୟକାରୀ ହେବ ଏବଂ ଯେଉଁଠାରେ ଏହା ଖିଲାପ ହେଉଛି ତାହାରି ଉପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବାକୁ ସମସ୍ତଙ୍କୁ ଅନୁରୋଧ କରିଥିଲେ।ଗୁମ୍ମା ଶିଶୁ ବିକାଶ ଓ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତି ଅନିତା ରାଣୀ ପଟ୍ଟନାୟକ ଯୋଗଦେଇ ପ୍ରାପ୍ତ ବୟସ୍କ ଝିଅ ମାନଙ୍କ ସ୍ବାସ୍ଥ୍ୟ ଉପରେ ଗୁରୁତ୍ବ ଦେବା ଲାଗି ସ୍ବୟଂ ସହାୟକ ଗୋଷ୍ଠିର ମାଆ ମାନଙ୍କୁ ବୁଝାଇଥିଲେ।
ବ୍ଲକ୍ ଶିକ୍ଷାଧିକାରୀ ଯୋଗଦେଇ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଉପରେ ଗୁରୁତ୍ବଦେବା ନିମନ୍ତେ ଉପସ୍ଥିତ ମହିଳା ମାନଙ୍କୁ ସେମାନଙ୍କ ଘୋରାଇ ପ୍ରଚଳିତ ସଉରା ଭାଷାରେ ବୁଝାଇଥିଲେ। ଜିଲ୍ଲା ଆଇନ ସେବା ପ୍ରାଧୀକରଣ ସମ୍ପାଦକ ଶ୍ରୀଯୁକ୍ତ ବେହେରା ସମସ୍ତଙ୍କୁ ମାଗଣା ଆଇନ ସେବା ଯୋଗେଇବାରେ ଜିଲ୍ଲା ଆଇନ ସେବା ପ୍ରାଧୀକରଣର ଭୂମିକା ଉପରେ ଆଲୋକପାତ କରିବା ସହ ବାଲ୍ୟବିବାହ ରୋକିବା ଉପରେ ସମସ୍ତଙ୍କୁ ଅବଗତ କରାଇଥିଲେ। ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ସୁନେମୀ ମଣ୍ଡଳ ଯୋଗଦେଇ ଉପସ୍ଥିତ ସମସ୍ତ ଅଧିକାରୀଙ୍କୁ ଆଦିବାସୀ ଅଞ୍ଚଳରେ ସରକାରଙ୍କର ବିଭିନ୍ନ ସେବା କିପରି ପହଞ୍ଚିବ ସେଥିପ୍ରତି ଅଧିକ ଯତ୍ନ ହେବାଲାଗି ଅନୁରୋଧ କରିଥିଲେ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ନାୟକ ଯୋଗଦେଇ ସାମାଜିକ ସୁରକ୍ଷାର ବିଭିନ୍ନ ଯୋଜନା ଉପରେ ଆଲୋକପାତ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଝିଅ ମାନଙ୍କୁ ଯୌନ ଶୋଷଣରୁ ରକ୍ଷାକରିବା ଲାଗି ଆଗୁଆ କି ପ୍ରକାର ପଦକ୍ଷେପ ନିଆଯିବ ତା ଉପରେ ଆଲୋଚନା କରିଥିଲେ। ଏହିସବୁ କାର୍ଯ୍ୟକ୍ରମକୁ ତରଙ୍ଗଡ଼ା ପଞ୍ଚାୟତର ସରପଞ୍ଚ ଏବଂ ସମସ୍ତ ୱାର୍ଡ ସଭ୍ୟମାନେ ମିଳିତ ଭାବେ ପରିଚାଳନା କରିଥିଲେ।

ଶୁଭାରମ୍ଭ ହେଲା ଗଜପତି ଉତ୍ସବ-୨୦୨୨ ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) – ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଶିଖରର ମାତା କୁନ୍ତୀ ମନ୍ଦିରରୁ ଜିଲ୍ଲାସ୍ତରୀୟ ଗଜପତି ଉତ୍ସବ-୨୦୨୨ ଶୁଭାରମ୍ଭ ହୋଇଯାଇଛି। ଏହି ଗଜପତି ମହୋତ୍ସବ ମଶାଲ ଶୋଭାଯାତ୍ରା ମହେନ୍ଦ୍ରଗିରି ଶିଖରରୁ ବାହାରିବା ପରେ କଇଁପୁର , ଜିରାଙ୍ଗ, ମଣ୍ଡଳ ସାହି , ରାମଗିରି , ଛେଲିଗଡ , ଆର୍.ଉଦୟଗିରି , ଖଜୁରୀପଦା , ରାୟଗଡ଼ ଏବଂ ମାଛମରା ଦେଇ ପାରଳାଖେମୁଣ୍ଡି ଫରେଷ୍ଟ ଗେଟ୍ ନିକଟରେ ଅପରାହ୍ନ ୩ ଘଣ୍ଟା ସମୟରେ ପହଞ୍ଚିଥିଲା।

ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା , ଆରକ୍ଷୀ ଅଧିକ୍ଷକ ସ୍ଵାତୀ ଏସ୍. କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସଂଗ୍ରାମ ଶେଖର ପଣ୍ଡା , ଶ୍ରୀ ପ୍ରଦୀପ କୁମାର ନାୟକ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଓ ପାରଳାଖେମୁଣ୍ଡି ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ପ୍ରମୁଖ ମହୋତ୍ସବର ମଶାଲକୁ ସ୍ୱାଗତ କରିଥିଲେ।

ଜିଲ୍ଲାସ୍ତରୀୟ ଅଧିବାସୀ ଓ ସାଂସ୍କୃତିକ ଗଜପତି ଉତ୍ସବକୁ ରାଜ୍ୟ ତଥା ଜାତୀୟ ସ୍ତରରେ ପ୍ରଚାର ଓ ପ୍ରସାର ନିମନ୍ତେ ଚେଷ୍ଟା କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଜିଲ୍ଲା ସ୍ତରୀୟ ଗଜପତି ଉତ୍ସବ ଓ ପଲ୍ଲୀଶ୍ରୀ ମେଳା ତା ୧୮.୦୧.୨୦୨୩ ରିଖ ଠାରୁ ତା ୨୨.୦୧.୨୦୨୩ ପର୍ଯ୍ୟନ୍ତ ପାଳନ କରାଯିବ । ଜିଲ୍ଲାର ଅଧିବାସୀଙ୍କ ପରମ୍ପରା ଓ ଖେଳକୁ ଚଳିତ ଗଜପତି ଉତ୍ସବରେ ପ୍ରାଧାନ୍ୟ ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି। ଗଜପତି ଉତ୍ସବ ମଶାଲକୁ ଫରେଷ୍ଟ ଗେଟରେ ପହଞ୍ଚିବା ପରେ ଜିଲ୍ଲାସ୍ତରୀୟ ଉତ୍ସବ କମିଟି ପକ୍ଷରୁ ସ୍ୱାଗତ କରାଯାଇ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ଜଗନ୍ନାଥ ମନ୍ଦିର ନିକଟକୁ ଅଣାଯାଇଥିଲା ଓ ମଶାଲଟିକୁ ଜିଲ୍ଲାସ୍ତରୀୟ ଉତ୍ସବ ପର୍ଯ୍ୟନ୍ତ ମନ୍ଦିରରେ ରଖାଯାଇ ପ୍ରଥମ ଦିନ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାସ୍ତରୀୟ ଉତ୍ସବ ପଡ଼ିଆକୁ ନେବାର ସ୍ଥିର କରାଯାଇଛି। ଜଗନ୍ନାଥ ମନ୍ଦିରରେ ମଶଲ୍ ପହଞ୍ଚିବା ପରେ ସେଠାରୁ ଗୁମ୍ମା ଓ କାଶୀନଗର ବ୍ଲକ ଭବ୍ୟ ସ୍ବାଗତ କରି ମଶାଲଟିକୁ ଗ୍ରହଣ କରି ନେଇଥିଲେ।

ଏହି ମଶାଲ ଶୋଭାଯାତ୍ରାରେ ମଶାଲ କମିଟିର ଜିଲ୍ଲା କ୍ରୀଡ଼ା ଅଧିକାରୀ ତଥା ଡେପୁଟି କଲେକ୍ଟର ଶ୍ରୀ ନଟବର ଗରଡ଼ା , ବାସୁଦେବ ଦାସ , ଗଣେଶ କୁମାର ରାଜୁ , ବସନ୍ତ ପଣ୍ଡା , ହରିହର ପଟ୍ଟନାୟକ ଙ୍କ ସମେତ ପାରଳାଖେମୁଣ୍ଡି ତହସିଲଦାର , ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ , ବରିଷ୍ଟ ନାଗରିକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ ଯୋଗଦେଇଥିଲେ ।

ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ର ଦ୍ଵିତୀୟ ସନ୍ଧ୍ୟାର ନାଟକ “ଗୋଟିଏ କାହାଣୀ” ….!

ଏଥର ସମ୍ଭାଳ ବ୍ୟୁରୋ(ପାରଳାଖେମୁଣ୍ଡି)- ପାରଳାର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ୍ ଆର୍ଟସ୍ , ଜିଲ୍ଲା ସଂସ୍କୃତି ପରିଷଦ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ , ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଅର୍ବାନ ବ୍ୟାଙ୍କ ପଡିଆ ଠାରେ ୯ମ ରାଜ୍ୟସ୍ତରୀୟ ପାରଳା ନାଟକ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟାରେ ଅତିଥି ଭାବରେ ଗଜପତି ଜିଲ୍ଲା ପରିଷଦ ସଭାପତି ଜି. ତିରୁପତି ରାଓ , ବିଶିଷ୍ଟ ଶିଳ୍ପପତି ତିରୁପତି ପାଣିଗ୍ରାହୀ , ବରିଷ୍ଟ ବିଜେଡି ନେତା ତଥା ଭକ୍ତି ସଙ୍ଗୀତ ସଂସଦ ସଭାପତି ବସନ୍ତ ଦାସ ମଞ୍ଚାସୀନ ଥିଲେ। ସ୍ଥାୟୀ ମଞ୍ଚ ନଥିବା ଯୋଗୁଁ ଅସୁବିଧା ପରେ ମଧ୍ୟ ବିଭିନ୍ନ ଜିଲ୍ଲାରୁ ନାଟ୍ୟ ଦଳ ଆଣି ନାଟକ ପରମ୍ପରା ବଜାୟ ରଖିଥିବା ଯୋଗୁଁ ଅନୁଷ୍ଠାନକୁ ଅତିଥି ମାନେ ପ୍ରଶଂସା କରିଥିଲେ।ଏହି ଅବସରରେ ଆୟୋଜିତ ସଭାରେ ଅନୁଷ୍ଠାନର ସଭାପତି ନୃସିଂହ ଚରଣ ପଟ୍ଟନାୟକ ସଭାପତିତ୍ବ କରିଥିବା ବେଳେ ଯୁଗ୍ମ ସମ୍ପାଦକ ଆଦର୍ଶ ଦାସ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମ୍ପାଦକ ମନୋଜ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ବାମୀ ଓ ସ୍ତ୍ରୀ ମୁଦ୍ରାର ଦୁଇ ପାର୍ଶ୍ଵ , ଉଭୟଙ୍କ ମଧ୍ୟରେ ପ୍ରେମ ଯେତିକି ରହିବ ବନ୍ଧୁତ୍ୱ ମଧ୍ୟ ସେତିକି ରହିବା ଦରକାର , ଯଦି ଜଣେ ଭାଙ୍ଗି ଯିବ ଅନ୍ୟ ଜଣେ ପଙ୍ଗୁ ହେଇଯାଏ ଏପରି ଏକ କାହାଣୀ କୁ ନେଇ ଭୁବନେଶ୍ୱର ପଞ୍ଚଧ୍ଵନି ନାଟ୍ୟ ଅନୁଷ୍ଠାନର କଳାକାର ମାନେ ପରିବେଷଣ କରିଥିଲେ ନାଟକ ” ଗୋଟାଏ କାହାଣୀ”। ନାଟକକୁ ଦୀପ୍ତି ରଞ୍ଜନ ଦାଶ ନିର୍ଦ୍ଦେଶନା ଦେଇଥିବା ବେଳେ କଳାକାରଙ୍କ ସୁନ୍ଦର ଅଭିନୟରେ ଦର୍ଶକ ବିଭୋର ହୋଇଥିବା ଦେଖିବାକୁ ମିଳିଥିଲା।

୫-ଟି ବିଦ୍ୟାଳୟର ଶିକ୍ଷକ/ଶିକ୍ଷୟିତ୍ରୀଙ୍କ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ …!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି) –
ସରକାରଙ୍କ ୫-ଟି ଅନ୍ତର୍ଗତ ଗଜପତି ଜିଲ୍ଲାର ଦ୍ଵିତୀୟ ପର୍ଯ୍ୟାୟ ରେ ୪ଟି ବ୍ଳକର ୧୪ ଟି ରୂପାନ୍ତରିତ ଉଚ୍ଚ ବିଦ୍ୟାଳୟର ୫୫ ଜଣ ଶିକ୍ଷକ/ ଶିକ୍ଷୟିତ୍ରୀଙ୍କୁ ନେତୃତ୍ବ ବିକାଶ ଓ ଡିଜିଟାଲ କୌଶଳ ଭିତ୍ତିକ ୫ ଦିନିଆ ତାଲିମ ଶିବିର ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଓସେପା ଆନୁକୂଲ୍ୟରେ ଆୟୋଜନ କରାଯାଇ ଆଡମ୍ବର ସହିତ ଶେଷ ହେଇଯାଇଛି। ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ବିଦ୍ୟାଳୟ ଗୁଡିକରେ ସ୍ମାର୍ଟ କ୍ଲାସ ରୁମ , ବିଜ୍ଞାନଗାର ଓ ଇ-ପାଠାଗାରର ସୁବିନିଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେବା ସଙ୍ଗେ ପାରମ୍ପରିକ ପଦ୍ଧତିରେ ଓ ଇଲେକ୍ଟ୍ରୋନିକ ଓ ଡିଜିଟାଲ ପଦ୍ଧତିରେ ମିଳିତ ଭାବେ ଶିକ୍ଷା ଦାନ ଦ୍ୱାରା ଶିକ୍ଷା ଦାନ ପ୍ରକ୍ରିୟା ସରଳ କରିବା ଏହି ପ୍ରଶିକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ମନୋଜ ରଞ୍ଜନ ଦଳାଇ , ପି. ଶିବ କୁମାର , ସାଥ ଇ ପ୍ରୋଗ୍ରାମ ମ୍ୟାନେଜେର ଆୟେନ୍ସ ରାୟ ଓ ଏଲ. ଦିଲୀପ କୁମାର , ପ୍ରଶିକ୍ଷକ ଭାବେ ନିୟୋଜିତ ହୋଇ ପ୍ରଶିକ୍ଷଣ କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିଥିଲେ , ମହାରାଜା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ , ଲିଙ୍ଗରାଜ ପାଢୀ ,ୱାଇ. ଧର୍ମା ରାଓ , ସନ୍ତୋଷ କୁମାର ଆଚରି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ତାଲିମ ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ସମ୍ପ୍ରସାରିତ ହେବାର ଯୋଜନା ଥିବା କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ କରାଯାଇଅଛି । ଅନ୍ତିମ ଦିନରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶିକ୍ଷଣ ଶିବିରରେ ଉପସ୍ଥିତ ସମସ୍ତ ଶିକ୍ଷକ/ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।