ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ…!

!!! ଗଜପତି ଜିଲ୍ଲା ରୁ ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷ ଠାରେ ଶୁକ୍ରବାର ଦିନ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ହେପାଟାଇଟିସ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସିଡିଏମଓ ଙ୍କ କାର୍ଯ୍ୟାଳୟ ପରିସରରୁ ଏ ଏନ୍ ଏମ୍ ତାଲିମ ଛାତ୍ରୀ ଓ ସ୍ଵାସ୍ଥ୍ୟ ବିଭାଗ କର୍ମଚାରୀ ମାନଙ୍କୁ ନେଇ ଏକ ବିରାଟ ସଚେତନତା ଶୋଭାଯାତ୍ରା ବାହାରିଥିଲା। ଏହି ସଚେତନତା ଶୋଭାଯାତ୍ରାକୁ ଜିଲ୍ଲା ମୁଖ୍ୟ ଜନସ୍ୱାସ୍ଥ୍ୟ ଓ ଚିକିତ୍ସା ଅଧିକାରୀ ଡ଼ାଃ ପ୍ରଦୀପ କୁମାର ପାତ୍ର ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରାରେ ଏ ଏନ୍ ଏମ୍ ତାଲିମ ଛାତ୍ରୀ ମାନେ ହେପାଟାଇଟିସ ରୋଗ ସମ୍ପର୍କିତ ସଚେତନତା ବ୍ୟାନର ଧରି ନଗର ପରିକ୍ରମା କରି ଜନସଚେତନତା କରିଥିଲେ।ପରେ ସଚେତନତା ସଭା କାର୍ଯ୍ୟକ୍ରମ ସ୍ଥଳରେ ଏହି ଅବସରରେ ଏକ ସଚେତନତା ମୂଳକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରେ ଏହି ଅବସରରେ ଅନୁଷ୍ଠିତ ସଚେତନତା ସଭା କାର୍ଯ୍ୟକ୍ରମରେ ଡିପିଏଚଓ ଡ଼ାଃ ମୁବାରକା ଅଲ୍ଲୀ , ଏଡିପିଏଚଓ (ରୋଗ ନିୟନ୍ତ୍ରଣ) ଡ଼ାଃ ଆନନ୍ଦ ସାମନ୍ତରାୟ , ମହାମାରୀ ରୋଗ ବିଶେଷଜ୍ଞ ଡ଼ାଃ ଶରତ ଚନ୍ଦ୍ର ମହାପାତ୍ର , ଡିଏମଓ ଡ଼ାଃ ପ୍ରମୋଦ ଚନ୍ଦ୍ର ପଣ୍ଡା , ଜିଲ୍ଲା ସାମାଜିକ ସଶକ୍ତିକରଣ ଅଧିକାରୀ ଶ୍ରୀ ସନ୍ତୋଷ କୁମାର ନାୟକ ଏବଂ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କେ.ସୁନିତା ଏବଂ ଏଡିପିଏଚସିଓ ନୟନା ମଲ୍ଲିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ହେପାଟାଇଟିସ ବା ଯକୃତ ପ୍ରଦାହ ଏହି ଭୂତାଣୁ ଜନିତ ରୋଗ ପ୍ରତି ପ୍ରଥମରୁ ସାବଧାନତା ନ ହେଲେ ଏହା କିଭଳି ଭୟଙ୍କର ଭାବେ ଲିଭରକୁ ଦୀର୍ଘ ସମୟ ଧରି ସଂକ୍ରମଣ କରିଥାନ୍ତି ଏବଂ ଏଥିସହ ଏହା କିଭଳି ଲିଭାର କର୍କଟ ରୋଗ ଭଳି ରୋଗ କରିବାରେ ସାହାଯ୍ୟ କରିଥାଏ , ଯାହା ଫଳରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ସେ ସମ୍ପର୍କରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ହେପାଟାଇଟିସ ଭୂତାଣୁ କିଭଳି ସଂକ୍ରମିତ ହୋଇଥାଏ , ହେପାଟାଇଟିସ ରୋଗର ଲକ୍ଷଣ , ଏହି ରୋଗକୁ କିଭଳି ଚିହ୍ନଟ କରାଯାଇଥାଏ , ଏହି ରୋଗର ପ୍ରତିଷେଧକ ବ୍ୟବସ୍ଥା ଏବଂ ଏହା କିଭଳି ପ୍ରତିରୋଧ ସମ୍ଭବ ହୋଇଥାଏ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଷ୍ଠାଟାଷ୍ଟିକାଲ ଇନଭେଷ୍ଟିଗେଟର ଶ୍ରୀ ନେତ୍ରାନନ୍ଦ ଶତପଥୀ , ଡିଡିଏମ-ଆଇଡିଏସପି ଶ୍ରୀ ତୁଷାରକାନ୍ତ ପଟ୍ଟନାୟକ , ଆଶା ମ୍ୟାନେଜର ଶ୍ରୀ ନାରାୟଣ ମଲ୍ଲିକ ଏବଂ ଏ ଏନ୍ ଏମ୍ ପ୍ରଶିକ୍ଷଣ କେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ସୁଫଳ ବେହେରା ପ୍ରମୁଖ ଅଂଶଗ୍ରହଣ କରି ପରିଚାଳନାରେ ସହଯୋଗ କରିଥିଲେ।

ଆନ୍ଧ୍ର ମନ୍ତ୍ରୀ ସମ୍ବର୍ଦ୍ଧନାକୁ ବିରୋଧୀ ଙ୍କ ପ୍ରତିବାଦ…!

!!! ଗଜପତି ରୁ ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ(ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଗୋସାଣୀ ବ୍ଲକ ଗଙ୍ଗାବାଡ଼ର ପଞ୍ଚାୟତ ୮ ଗାଁ ଉପରେ ଆନ୍ଧ୍ର ରାଜୁତି କରିବା ପାଇଁ ଚେଷ୍ଟା କରୁଥିବା ବେଳେ, ଆଜି ଗୋଷାଣୀ ବ୍ଳକ ଚେୟାର ମେନ୍ ଭି.ରାଜୁ ସେ ଆନ୍ଧ୍ର ମନ୍ତ୍ରୀ କୁ ସମ୍ବର୍ଦ୍ଧିତ କରିଥିବା ଦୃଶ୍ୟ ସମ୍ନାକୁ ଆସିଛି।ଗତ ଦୁଇ ବର୍ଷ ତଳେ ଓଡ଼ିଶା ମାଟିର ମାଣିକପାଟଣା ଗ୍ରାମରେ ଠିଆ ହୋଇ ଓଡ଼ିଶାର ଅଧିକାରୀଙ୍କୁ ଧମକ ଦେବା ସହ ଓଡ଼ିଶାର ଅଙ୍ଗନବାଡ଼ି କେନ୍ଦ୍ର କୁ ଭାଙ୍ଗି ଦେବି ଆନ୍ଧ୍ର ମନ୍ତ୍ରୀ ଆପାଲୁ ରାଜୁ କହିଥିଲେ।ହେଲେ ଘଟଣାର ଦୁଇ ବର୍ଷ ପରେ ବି ଏଯାଏଁ ନିଦରୁ ଉଠିନାହାନ୍ତି କି ଚେତନା ଚକ୍ଷୁ ଖୋଲି ନାହାନ୍ତି ଆମ ସରକାର । ଏପଟେ କିନ୍ତୁ ଗୋଷାଣୀ ବ୍ଳକ ଚେୟାର ମେନ୍ ଭିରରାଜୁ ଆଜି ସେହି ମନ୍ତ୍ରୀ କୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ସମ୍ଭର୍ଧନ କରୁଥିବା ଦୃଶ୍ୟ ସମ୍ନାକୁ ଆସୁଛି। ବିବାଦୀୟ ଆନ୍ଧ୍ର ମନ୍ତ୍ରୀ ଙ୍କୁ ସମ୍ବର୍ଧନା, ପ୍ରତିବାଦ ଜଣାଇଲା କଂଗ୍ରେସ ଓ ବିଜେପି ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ମନ୍ତ୍ରୀ ସିଧି ଆପଲା ରାଜୁ ଗଜପତି ଜିଲ୍ଲା ଗସ୍ତରେ ଆସିଥିବା ବେଳେ ଗୋଷାଣୀ ବ୍ଳକ ଅଧ୍ୟକ୍ଷଙ୍କ ଦ୍ବାରା ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା, ଯାହାର ପ୍ରତିବାଦ ଜଣାଇଛନ୍ତି ପାରଳାଖେମୁଣ୍ଡିର ବିଧାୟକ କେ, ନାରାୟଣ ରାଓ, ଜିଲ୍ଲା କଂଗ୍ରେସ ଉପ ସଭାପତି ବସନ୍ତ କୁମାର ପଣ୍ଡା। ୨୦୨୧ ମସିହା ସେପ୍ଟେମ୍ବର ମାସରେ ଗଜପତି ଜିଲ୍ଲାର ସୀମାନ୍ତ ବିବାଦୀୟ ଅଞ୍ଚଳ ଗଙ୍ଗାବାଡ ମାଣିକପାଟଣା ଗ୍ରାମରେ ଅଙ୍ଗନବାଡି କେନ୍ଦ୍ରକୁ ନେଇ ଉଠିଥିବା ବିବାଦରେ ଗଜପତି ଜିଲ୍ଲା ପ୍ରଶାସନର ଉପସ୍ଥିତିରେ ଆନ୍ଧ୍ର ମନ୍ତ୍ରୀ ନିଜ ଦଳବଳ ଓ କିଛି ଆନ୍ଧ୍ର ସରକାରି ଅଧିକାରୀ ଙ୍କୁ ଧରି ଧସେଇ ପଶି ଗଜପତି ଜିଲ୍ଲାର ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ଜନପ୍ରତିନିଧି ଙ୍କୁ ଧମକ ଦେବା ସହ ଅସଭ୍ୟ ବ୍ୟବହାର କରିଥିଲେ। ଯାହାକୁ ନେଇ ସେହି ସମୟରେ ବିବାଦୀୟ ପରିସ୍ଥିତି ସହ ଘଟଣା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା , ଘଟଣାକୁ ସେହି ସମୟରେ ରାଜ୍ୟ ସ୍ତରୀୟ ନେତୃବୃନ୍ଦ ମଧ୍ୟ ତିବ୍ର ସମାଲୋଚନା କରିବା ସହ ଘଟଣା ସ୍ଥଳ ପରିଦର୍ଶନ କରିଥିଲେ । ହେଲେ ସୀମା ବିବାଦ ଘଟଣାରେ ଯୋଡି ହୋଇଛି ଆଉ ଏକ ଫର୍ଦ ଯୋଡି ହୋଇଛି । ଆଜି ଗୋଷାଣୀ ବ୍ଳକ ଅଧ୍ୟକ୍ଷ ଏନ୍. ଭିର ରାଜୁ ବିବାଦୀୟ ମନ୍ତ୍ରୀଙ୍କୁ ନିଜ ବ୍ଳକ ନିକଟକୁ ଆମନ୍ତ୍ରଣ କରି ଉପଢୌକନ ସହ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାକୁ ନେଇ ଜିଲ୍ଲା କଂଗ୍ରେସ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ତିବ୍ର ନିନ୍ଦା କରିବା ସହ ଗତ ଦିନରେ ଆନ୍ଧ୍ର ର ବିବାଦୀୟ ମନ୍ତ୍ରୀଙ୍କୁ ଶାସକ ଦଳର ନେତା ହୋଇ ପାଛୋଟି ନେବାର ପଛରେ କାରଣ କ’ଣ ରହିଛି ବୋଲି ପ୍ରଶ୍ନ କରିଛି । ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତୁରନ୍ତ ବ୍ଳକ ଅଧ୍ୟକ୍ଷ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ରଖିଛି। ନଚେତ୍ ଆଗାମୀ ଦିନରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ଜିଲ୍ଲା କଂଗ୍ରେସ ଆଜିର ସାମ୍ବାଦିକ ସମ୍ମିଳନୀ ରେ ବଳିଷ୍ଠ କଂଗ୍ରେସ ନେତା ପୂର୍ବତନ ଗୋଷାଣୀ ବ୍ଲକ୍ ଚେରମେନ ଜୟମହୋନ ରାଓ, ଅଭିମନ୍ୟୁ ପଣ୍ଡା ସମ୍ପାଦନା ଜିଲ୍ଲା କଂଗ୍ରେସ ତଥା ପୂର୍ବତନ ଉପାଧ୍ୟକ୍ଷ ପାରଳାପୈର ପରିଷଦ, ସଂଗ୍ରାମ ସାହୁ ପୂର୍ବତନ ଜିଲ୍ଲା ଛାତ୍ର ସଭାପତି, ବସନ୍ତ କୁମାର ପଣ୍ଡା ଜିଲ୍ଲା ଉପ ସଭାପତି ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।ଆନ୍ଧ୍ର ମନ୍ତ୍ରୀଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ଜଣାଇଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ।ଆନ୍ଧ୍ର ପ୍ରଦେଶର ମନ୍ତ୍ରୀ ତଥା ପଲାସା ବିଧାୟକ ଏସ୍‌.ଆପ୍ପାଲା ରାଜୁଙ୍କୁ ସୀମାନ୍ତ ଅଞ୍ଚଳର ରାସ୍ତା ସମସ୍ୟା ସମ୍ପର୍କରେ ଅବଗତ କଲେ ଗୋଷାଣି ବ୍ଲକ ଅଧ୍ୟକ୍ଷ ।

ସୂଚନା ମୁତାବକ ଗୋଷାଣି ବ୍ଲକ ଦେଇ ଆନ୍ଧ୍ରର ମେଳିଆପୁଟି ଚାପରା ଅଞ୍ଚଳ ଗସ୍ତ କରିଥିବା ମନ୍ତ୍ରୀ ତଥା ପଲାସା ବିଧାୟକ ଶ୍ରୀ ରାଜୁ ଗୋଷାଣି ବ୍ଲକ ସଦର ମହକୁମା ଦେଇ ଗସ୍ତ କରିଥିଲେ । ଏହି ସମୟରେ ଗୋଷାଣି ବ୍ଲକ ଅଧ୍ୟକ୍ଷ ଏନ୍‌.ବୀରରାଜୁ ଏବଂ ବିଭିନ୍ନ ରାଜନେତାମାନେ ଆନ୍ଧ୍ର ମନ୍ତ୍ରୀ ଶ୍ରୀ ଆପ୍ପାଲାରାଜୁଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ସୀମାନ୍ତ ଅଞ୍ଚଳର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ବୀରରାଜୁ ମୁଖ୍ୟତଃ ଆନ୍ଧ୍ରର ମିଳିପୁଟି ମହେନ୍ଦ୍ରତନୟା ବ୍ରିଜ ତଟ ଦେଇ ଯାଇ ଥିବା ଓଡିଶାର ଭିନ୍ନୋଳା ଗ୍ରାମକୁ ସଂଯୋଗୀକରଣ କରୁଥିବା ରାସ୍ତାର ଦୁରାବସ୍ଥା ସମ୍ପର୍କରେ ଜଣାଇଥିଲେ । ଏହି ରାସ୍ତାରେ ଦୈନିକ ଶହ ଶହ ଓଡିଶା ତଥା ଭିନ୍ନୋଳା ସମେତ ଶରଧାପୁର, ବାଘଶଳା, ବାପୁଜୀପେଣ୍ଠ ଆଦି ଗ୍ରାମବାସୀ ନିର୍ଭର କରିଥାନ୍ତି । ଉଲ୍ଲେଖିତ ରାସ୍ତାଟି ଓଡିଶା ସମେତ ଆନ୍ଧ୍ରରର ବିଭିନ୍ନ ଗ୍ରାମାଞ୍ଚଳକୁ ସଂଯୋଗୀକରଣ କରିଥାଏ । ତେବେ ଏହା ଅତି ଶୋଚନୀୟ ହୋଇପଡିଥିବାରୁ ଓଡିଶା ତଥା ଗୋଷାଣି ବ୍ଲକାଞ୍ଚଳବାସୀ ଉପକୃତ ହୋଇପାରିବେ ବୋଲି ଜଣାଇଥିଲେ । ଏନେଇ ଆନ୍ଧ୍ର ମନ୍ତ୍ରୀ ଆପ୍ପାଲାରାଜୁ ଅତି ଶୀଘ୍ର ଏହି ରାସ୍ତାର ନିର୍ମାଣ କରାଯିବ ବୋଲି ପ୍ରତିଶ୍ରୃତି ଦେଇଥିବାର ଗୋଷାଣି ବ୍ଲକ ଅଧ୍ୟକ୍ଷ ଶ୍ରୀ ରାଜୁ ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ଆନ୍ଧ୍ରର ଏହି ମନ୍ତ୍ରୀ ଜଣକ ରାୟଗଡ ବ୍ଲକ ଗଙ୍ଗାବାଡ ପଞ୍ଚାୟତର ବିବାଦିୟ ଗ୍ରାମାଞ୍ଚଳମାନ ଗସ୍ତ କରି ଓଡିଶାର ଏକ ଅଙ୍ଗନବାଡି କେନ୍ଦ୍ରରେ ତତ୍କାଳୀନ ଅତିରିକ୍ତ ଜିଲ୍ଲପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ସହ ବିତଣ୍ଡା ଯୁକ୍ତିତର୍କ କରିଥିଲେ । ଯାହାକି ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ବରୁ ଚର୍ଚ୍ଚିତ ହୋଇଥିଲା ।

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ।…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ଅନ୍ତର୍ଗତ ମହେନ୍ଦ୍ରଗଡ଼ ଗ୍ରାମ ପଞ୍ଚାୟତ ସମ୍ମିଳନୀ କକ୍ଷଠାରେ ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣିରେ ଗଜପତି ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ଓ ଆରକ୍ଷୀ ଅଧିକ୍ଷକ ସୁଶ୍ରୀ ସ୍ଵାତୀ ଏସ କୁମାର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ଦାସ ମିଳିତ ଜନ ଅଭିଯୋଗ ଶୁଣାଣୀରେ ଯୋଗଦାନ କରି ମହେନ୍ଦ୍ରଗଡ଼ ସମେତ ଶିଆଳିଲଟି, ଛେଳିଗଡ଼ ଓ ଛେଳାଗଡ଼ ଗ୍ରାମ ପଞ୍ଚାୟତର ସମୁଦାୟ ମୋଟ ୧୩୫ ଗୋଟି ଅଭିଯୋଗ ପତ୍ର ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ଅଭିଯୋଗ ସମସ୍ୟା- ୫୪ ଗୋଟି,ଗ୍ରାମ ଭିତ୍ତିକ ସମସ୍ୟା- ୮୧ ଓ ୪ ଗୋଟି ଅଭିଯୋଗକୁ ତୁରନ୍ତ ଫୈସଲା କରାଯାଇ ସମାଧାନ କରାଯାଇଛି । ଚାରି ଜଣଙ୍କୁ ମୁଖ୍ୟ ମନ୍ତ୍ରୀ ରିଲିଫ୍ ପାଣ୍ଠିରୁ କୋଡ଼ିଏ ହଜାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରାଯାଇଛି। ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ସାମାଜିକ ସୁରକ୍ଷା, ଜମି ପଟ୍ଟା, ଜଳ ସେଚନ, ଗୃହ ନିର୍ମାଣ, ରାସନ୍ କାର୍ଡ, ମନରେଗା, ଶିକ୍ଷା, ମୋ ଘର ଯୋଜନା, ରାସ୍ତା ସମସ୍ୟା ବୋଲି ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା, ସେଥି ମଧ୍ୟରୁ ଚାରି ଗୋଟି ପଞ୍ଚ୍ୟାୟତ ୩୦ ଜଣ ହିତଧିକାରୀଙ୍କୁ ଜଙ୍ଗଳ ଜମି ପଟ୍ଟା ବଣ୍ଟନ କରାଯାଇଥିଲା। ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତି କରଣ ବିଭାଗ ତରଫରୁ ୧୪ ଜଣଙ୍କୁ ପେନସନ ପ୍ରଦାନ କରାଯାଇଛି। ଆଜିର ଗ୍ରାମ୍ୟ ମୁଖୀ ପ୍ରଶାସନ ସହ ସଂଯୁକ୍ତ ଜନ ଅଭିଯୋଗ ଶୁଣାଣୀ ସମୟରେ ମୋହନା ବିଧାୟକ ଶ୍ରୀଯୁକ୍ତ ଦାଶରଥି ଗମାଙ୍ଗ, ଆର.ଉଦୟଗିରୀ ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ଲକ୍ଷ୍ମୀ ନାରାୟଣ ଶବର, ସ୍ଥାନୀୟ ସରପଞ୍ଚ ଶ୍ରୀମତୀ କୁମୁଦିନୀ ଗମାଙ୍ଗ,ଆର.ଉଦୟଗିରୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଲାରିମେନ ଖାର୍ସେଲ ,ତହସିଲଦାର, ଜନ ଅଭିଯୋଗ ଶୁଣାଣି ନୋଡାଲ ଅଧିକାରୀ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଗଣଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଉପସ୍ଥିତ ଥିଲେ ।

ସାମାଜିକ ସେବା ପାଇଁ ଇନ୍ଦୋର ସହରରେ ଠାରେ ରାଷ୍ଟ୍ର ପ୍ରେରଣା ଆୱାର୍ଡ଼…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନୀ ଓ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଆନୁକୂଲ୍ୟରେ ଏକ ମିଳିତ ସଭାରେ ମଧ୍ୟପ୍ରଦେଶର ଇନ୍ଦୋର ସହରର ଦି ପାର୍କ ହୋଟେଲରେ ଅନୁଷ୍ଠିତ ହୋଇଥିଲା। ଉକ୍ତ ସମାରୋହରେ ଅନେକ ରାଜ୍ୟରୁ ଆସିଥିବା ସମ୍ମାନୀତ ବ୍ୟକ୍ତିଙ୍କୁ ସମ୍ମାନୀତ କରାଯାଇଥିଲା। ଉକ୍ତ ସମ୍ମାନୀତ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ଓଡ଼ିଶାର ଗଜପତି ଜିଲ୍ଲାର ଦୁଇ ଜଣ ବ୍ୟକ୍ତିଙ୍କୁ ସାମାଜିକ ସେବା ରାଷ୍ଟ୍ର ପ୍ରେରଣା ଆୱାର୍ଡ଼ – ୨୦୨୩ ପାଇଁ ଉପାଧିରେ ସମ୍ମାନୀତ କରାଯାଇଥିଲା। ଓଡ଼ିଶାର ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରର ଡଃ.ଆଲୋକ କୁମାର ବୋଷ , ଅଧ୍ୟକ୍ଷ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଓ ହାଡୁଭାଙ୍ଗି ପଞ୍ଚାୟତ ବିସ୍ତାଲା ଗ୍ରାମର ଡଃ .ବି.ରବି ରାଜ୍ୟ କାର୍ଯ୍ୟ କାରିଣୀ ସମ୍ପାଦକ , ଅନ୍ତର୍ଜାତୀୟ ମାନବ ଅଧିକାର ସୁରକ୍ଷା କାଉନସିଲ ଙ୍କୁ ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଶ୍ରୀ ଶଙ୍କର ଲାଲୱାନି , ସାଂସଦ, ମଧ୍ୟପ୍ରଦେଶ , ଇନ୍ଦୋର , ଡଃ.ଦର୍କ୍ଷଶାନ୍ ଅନ୍ଦ୍ରାବି ରାଜ୍ୟ ମନ୍ତ୍ରୀ , ଜାମୁ ଓ କଶ୍ମୀର , ସମ୍ମାନୀୟ ଅତିଥି ଜଷ୍ଟିସ୍ ଶଶି ମୋହନ୍ ଶ୍ରୀବାସ୍ତବ , ଇନ୍ଦୋର , ଆଚାର୍ଯ୍ୟ ଡଃ. ରାଜା‌ଶାସ୍ତ୍ରୀ ମହାରାଜ , ଗୁଜରାଟ ଓ ଡଃ . ରାଜିବ୍ ପାଲ୍ , ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ବିଶ୍ଵ ବୁକ୍ ଅଫ୍ ଷ୍ଟାର ‌ରେକର୍ଡ ଦ୍ଵାରା ଗଜପତି ଜିଲ୍ଲାର ଆଲୋକ କୁମାର ବୋଷ ଓ ଡଃ. ବି.ରବିଙ୍କୁ ରାଷ୍ଟ୍ର ପ୍ରେରଣା ଆୱାର୍ଡ଼ – ୨୦୨୩ ପାଇଁ ଉପାଧି ପ୍ରଦାନ କରି ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ତତ୍ ସଙ୍ଗେ ଜାତୀୟ ବିଶ୍ୱ ଗୁରୁ ଭାରତ ସମ୍ମିଳନୀ ଏକ ପ୍ରମାଣ ପତ୍ର ପୁରସ୍କାରଟି ସାମାଜିକ ସେବା ପାଇଁ ସମ୍ମାନୀତ କରାଯାଇଥିଲା। ଡଃ ‌.ଆଲୋକ କୁମାର ‌ବୋଷ ଅନେକ ରାଜ୍ୟରେ ଅନେକ ଥର ସମାଜ ସେବା ପାଇଁ ଅନେକ ଉପାଧିରେ ସମ୍ମାନିତ ହୋଇଛନ୍ତି। ମାନବ ଅଧିକାର ପ୍ରତ୍ୟେକ ଘର ଘରେ ପହଞ୍ଚାଇବା ସହ ଶିକ୍ଷା ରୁ ବଞ୍ଚିତ ହୋଇଥିବା ଶିଶୁ ମାନଙ୍କୁ ଆଜକୁ ୨୫୭ ଶିଶୁଙ୍କୁ ଆର୍ଥିକ ସହଯୋଗ କରି ମାନବ‌ ସେବାରେ ନିଜକୁ ‌ଉଚ୍ଛର୍ଗିତ କରି ଆଗକୁ ବଢି ଲୋକଙ୍କ ଭିତରେ ରହି ଲୋକଙ୍କୁ ସେବା କରି ଆସୁଛନ୍ତି। ଡଃ. ବି ରବି କରୋନାରେ ଅନେକ ରୋଗୀ କୁ ଡାକ୍ତର ଖାନା ପହଞ୍ଚାଇବା ଓ ଅସହାୟ ଲୋକଙ୍କୁ ଖାଦ୍ୟ ପ୍ରଦାନ କରିବା ଓ ଶିକ୍ଷା ରୁ ବଞ୍ଚିତ ହୋଇଥିବା ଶିଶୁ ଙ୍କୁ ଆର୍ଥିକ ସହଯୋଗ କରିବା ପ୍ରମୁଖ ଭୂମିକା ରହିଥିଲା। ଏ ଦୁଇ ଜଣ ସମାଜ ସେବୀ ଙ୍କୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟିଛି।

ଅସରାଏ ବର୍ଷାରେ ଦାମୋଦର ବିହାରର ରାସ୍ତାଘାଟର ଅବସ୍ଥା ଶୋଚନୀୟ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ପାରଳାଖେମୁଣ୍ଡି ସହରକୁ ଲାଗି ଗଢି ଉଠିଥିବା ଦାମୋଦର ବିହାର ବାସୀ ହନ୍ତସନ୍ତ। ଅସରାଏ ବର୍ଷାରେ ରାସ୍ତାଘାଟର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଗାଡି କଥା ଛାଡ଼ନ୍ତୁ ଏଠି ଚାଲିଚାଲି ଯିବା ମଧ୍ୟ ସମ୍ଭବ ନୁହେଁ। ଆଣ୍ଠୁଏ ନର୍ଦ୍ଦମା ପାଣିରେ ସ୍ଥାନୀୟ ବାସିନ୍ଦାମାନଙ୍କୁ ବିଭିନ୍ନ କାର୍ଯ୍ୟରେ ତଥା ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ଯିବାକୁ ପଡୁଛି। ସହରକୁ ଲାଗି ରହିଥିବା ଏହି ଅଞ୍ଚଳ ଆଜି ସରକାରଙ୍କର ବୈମାତୃକ ମନୋଭାବ ଯୋଗୁଁ ଘୋର ଅବହେଳାର ଶିକାର ହୋଇଛି। ନା ପୌରପରିଷଦ ନା ପଞ୍ଚାୟତ କେହି ଏହାର ଉନ୍ନତି ନିମନ୍ତେ ଚେଷ୍ଟା କରୁନାହାନ୍ତି। କିଛିଦିନ ତଳେ କେରାଣ୍ଡି ପଞ୍ଚାୟତ ପକ୍ଷରୁ ରାସ୍ତାରେ କିଛି ମୋରମ ପକାଇ ନିଜର କର୍ତ୍ତବ୍ୟ ସାରିଦେଇଛନ୍ତି। ସେହିପରି ପଞ୍ଚାୟତ ପକ୍ଷରୁ ସିମେଣ୍ଟ ରାସ୍ତାଟିଏ ହୋଇଥିଲେ ମଧ୍ଯ ରାସ୍ତା ଖାଲଢିପ ହୋଇଥିବା ଯୋଗୁଁ ଅଳ୍ପ ବର୍ଷାରେ ପାଣି ଓ ଆବର୍ଜନା ଜମି ଅସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ଏଠାରେ ମଶା , ମାଛିଙ୍କ ଦ୍ବାରା ବର୍ଷାଦିନିଆ ରୋଗ ବ୍ଯାପିବାର ଭୟ ରହିଛି। ଏଣୁ ଦାମୋଦର ବିହାର ବାସୀ ଏହି ଅଞ୍ଚଳର ରାସ୍ତାଘାଟର ଉନ୍ନତି କରଣ , ରାସ୍ତା ଆଲୋକୀକରଣ , ବର୍ଜ୍ୟ ବସ୍ତୁ ଓ ମଇଳା ପାଣି ନିଷ୍କାସନ ଦିଗରେ ଦୃଷ୍ଟି ଦେବାପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି।

ଖରିଫ ଧାନ ପଞ୍ଜିକରଣ ପାଇଁ ପ୍ରଚାର ରଥ ଶୁଭାରମ୍ଭ କଲେ ଜିଲ୍ଲାପାଳ…!

!!! ଗଜପତି ରୁ ଜିଲ୍ଲା ପ୍ରତିନିଧି ସନ୍ତୋଷ କୁମାର ପାଟ୍ଟଜୋଶୀ ଙ୍କ ରିପୋର୍ଟ !!!

ଏଥର ସମ୍ଭାଳ (ପାରଳାଖେମୁଣ୍ଡି)- ଜିଲ୍ଲା ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ତରଫରୁ ଖରିଫ ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜିକରଣ ପ୍ରକ୍ରିୟା ୧୫ ଜୁଲାଇ ଠାରୁ ଆରମ୍ଭ ହେଉଛି। ଖରିଫ ଧାନ ବିକ୍ରି ପାଇଁ ନାମ ପଞ୍ଜିକରଣ କରିବା ଲାଗି ଏକ ପ୍ରଚାର ରଥକୁ ଗଜପତି ଜିଲ୍ଲାପାଳ ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ପ୍ରଚାର ରଥ ଜିଲ୍ଲାର ସମସ୍ତ ବ୍ଲକରେ ପ୍ରଚାର ପ୍ରସାର କରିବ। ଜିଲ୍ଲାର ୪୩ ଗୋଟି ସମବାୟ କେନ୍ଦ୍ର ଓ ୨ ଲ୍ୟାମ୍ପରେ ମୋଟ ୪୫ ଗୋଟି କେନ୍ଦ୍ରରେ ଚାଷୀଙ୍କ ପଞ୍ଜିକରଣ କରିବା ପାଇଁ ସଚେତନତା କରାଯିବ। ଏହା ବିଭାଗର ୱେବସାଇଟ www.foododisha.in ରେ ମଧ୍ୟ ଉପଲବ୍ଧ ଏଣୁ ସମସ୍ତ ଚାଷୀ ଭାଇ ମାନଙ୍କୁ ଅନୁରୋଧ ପଞ୍ଜିକରଣ ପାଇଁ ଇଛୁକ ଚାଷୀମାନେ ସେମାନଙ୍କ ପଞ୍ଜିକରଣ ଫର୍ମ ସହିତ କାଗଜ ପତ୍ର ନକଲ ଦାଖଲ କରିବା ଆବଶ୍ୟକ। ବ୍ୟାଙ୍କ ପାସ୍ ବୁକର ପ୍ରଥମ ପୃଷ୍ଠା , ଚାଷ ଜମିର ପ୍ରମାଣ ପତ୍ର , ଆଧାର କାର୍ଡ , ମୋବାଇଲ ନମ୍ବର ଓ ଯଦି ଭାଗ ଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକରଙ୍କ ସହମତି ପତ୍ର ସହିତ ଆଧାର କାର୍ଡ ନକଲ ଦାଖଲ କରିବେ। ଯେଉଁ ଚାଷୀମାନେ ଆଗାମୀ ଖରିଫ୍‌ ଋତୁରେ ଧାନ ବିକ୍ରୟ ନିମନ୍ତେ ନାମ ପଞ୍ଜିକରଣ କରିନାହାନ୍ତି ସେମାନେ ଆସନ୍ତା ଅଗଷ୍ଟ ମାସ ୧୬ ତାରିଖ ସୁଦ୍ଧା ପଞ୍ଜିକରଣ କରିନେବେ। ଏହି ପ୍ରଚାର ରଥ ଶୁଭାରମ୍ଭ କରିବା ବେଳେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଶ୍ରୀ ପ୍ରଫୁଲ୍ଲ କୁମାର ବେହେରା , ସହକାରୀ ଯୋଗାଣ ଅଧିକାରୀ ସ୍ନେହାସିନୀ ବେହେରା , ଗୋଷାଣୀ ଯୋଗାଣ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ବେହେରା , ଏମଆଇ କାଶୀନଗର ଶ୍ରୀ ଶୁଭେନ୍ଦୁ ପାଣିଗ୍ରାହୀ ଓ ସମବାୟ କେନ୍ଦ୍ର ବିଭାଗୀୟ ଓ ଆରଏମସି ବିଭାଗୀୟର ସମସ୍ତ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକ ଅନୁଷ୍ଠିତ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷଠାରେ ପ୍ରାକୃତିକ ବିପର୍ଯ୍ୟୟ ଜନିତ ଜିଲ୍ଲା ସସ୍ତରୀୟ ବୈଠକ ଲାଇନ୍ ବିଭାଗୀୟ ଅଧିକାରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଜପତି ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଆନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜି.ତିରୁପତି ରାଓ, ପାରଳା ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ,କାଶୀନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଏମ.ସୁଧାରାଣୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ବାମଦେବ ସିଂ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀଯୁକ୍ତ ରୋମାଞ୍ଚଳ ଖମାରୀ ଓ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଆଲୋକ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁୀକାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ପରିଚାଳନା କରି ପ୍ରାକୃତିକ ବିପର୍ଯୟଚ ପ୍ରସ୍ତୁତି ସମ୍ପର୍କରେ ବିଭିନ୍ନ ବିଭାଗର ପ୍ରସ୍ତାବ ଉପସ୍ଥାପନା କରିଥିଲେ ।

ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ମିଞ୍ଜ କହିଥିଲେ ଯେ ଗଜପତି ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ କିପରି ମୁକାିଲାକରିବାକୁ ହେବ ଏବଂ ଯାହାର ମୁକାବିଲାପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବଦା ସତର୍କ ରହିବା ଆବଶ୍ୟକ ବୋଲି କହିବା ସହ ପ୍ରଶାସନ ସର୍ବଦା ସରକାରଙ୍କ ନିର୍ଦ୍ଦେଶନାମାକୁ ପାଳନ କରି ପୂର୍ବପ୍ରସ୍ତୁତି ଓ ସଫଳତାର ସହ ମୁକାବିଲା କରିବାରେ ବହୁ ଦୃଷ୍ଟାନ୍ତ ରହିଛି ବୋଳି କହିବା ସହ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀମାନେ କିପରି ପ୍ରସ୍ତୁତି କରିଛନ୍ତି ସେ ବିଷୟରେ ସବିଶେଷ ବିବରଣୀ ଉପରେ ଆଲୋଚନା କରିଥିଲେ । ସେହିପରି ଅପହଞ୍ଚ ଅଞ୍ଚଳରେ କିରୋସିନ, ମହମବତୀ, ଦିଆସିଲ ଏବଂ ଶୁଖିଲାଖାଦ୍ୟ ଆଦି ମହଜୁଦ ରଖିବାକୁ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ବ୍ଲକ, ତହସିଲ ଓ ସହର ଅଞ୍ଚଳ ସ୍ତରରେ ପ୍ରଚୁର ପରିମାଣରେ ରିଲିଫ ସାମଗ୍ରୀ, ବନ୍ୟା ସମୟରେ ପ୍ରସୂତି ମହିଳାଙ୍କ ପାଇଁ ସ୍ଥାନାନ୍ତରିଣ ଓ ଚିକିତ୍ସା ଯୋାଇଦେବା ଉପରେ ଗୁରୁତ୍ବ ଦିଆଯାଇଛି। ସେହିପରି କ୍ଷୁଦ୍ର ଜଳସେଚନ ବିଭାଗ, ଜିଲ୍ଲା ଯୋଗାଣ ବିଭାଗ, ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ଗ୍ରାମ୍ୟ ପରିମଳ ଓ ଜଳଯୋଗାଣ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ବନ ବିବାଗ, ପ୍ରାଣୀ ସମ୍ପଦ ବିଭାଗ ଏବଂ ବିଦ୍ୟୁତ, ଟେଲିକମ୍ ବିଭାଗ ପ୍ରଭୃତି ବିଭାଗ ଗୁଡିକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ କିପରି ନିଜ ନିଜର ଦାୟିତ୍ୱ ସମ୍ପର୍ଣ୍ଣ କରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ମୁଖ୍ୟତଃ ଏନ୍‌ଡିଆର୍‌ଏଫ, ଓଡ୍ରାଫ ଓ ଅଗ୍ନିଶମ ବିଭାଗର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୁରୁଦାୟିତ୍ୱ ରହିଥିବାବେଳେ ସେମାନେ ଧନଜୀବନକୁ ରକ୍ଷା କରିବାପାଇଁ ସର୍ବଦା ପ୍ରସ୍ତୁତ ହୋଇ ରହିବା ଆବଶ୍ୟକ ବୋଲି କୁହାଯାଇଥିଲା । ସେହିପରି ଆଞ୍ଚଳିକ ପରିବହନ ବିଭାଗ କିପରି ବିପର୍ଯ୍ୟୟ ସମୟରେ ବିଭିନ୍ନ ଯାତ୍ରୀବାହୀ ଓ ମାଲବଝୋଇ ଗାଡି ପ୍ରସ୍ତୁତି କରି ରଖିବେ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସମସ୍ତ ବିଡ଼ିଓ, ତହସିଲଦାର ,ପାରଳାଖେମୁଣ୍ଡି ଓ କାଶୀନଗର କାର୍ଯ୍ୟନିର୍ବାହୀ ଅଧିକାରୀ ସମେତ ଜିଲ୍ଳାର ସମସ୍ତ ଲାଇନ୍ ବିଭାଗୀୟ ଅଧିକାରୀ ଗଣ ପ୍ରମୁଖ ଉପସ୍ଥିତଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଶ୍ରୀ ପ୍ରଭାସ ବେହୁରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଶ୍ରୀ ପ୍ରଦୋଷ କୁମାର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ ।

ଅସହାୟ ୫ଟି ଶିଶୁଙ୍କୁ ଉଦ୍ଧାର କରି ଥଇଥାନ କଲା ଗଜପତି ଜିଲ୍ଲା ପ୍ରଶାସନ…!

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)- ମୋହନା ବ୍ଲକ୍ ର ଅନ୍ତରବା ଏବଂ ଆଲିଗଣ୍ଡା ଗ୍ରାମରେ ପିତାଙ୍କୁ ହରାଇ ଅତି ଦୟନୀୟ ଅବସ୍ଥାରେ ବାସ କରୁଥିବା 5 ଜଣ ଶିଶୁଙ୍କୁ ଉଦ୍ଦାର କଲା ଗଜପତି ଜିଲ୍ଲା ପ୍ରଶାସନ। ସୂଚନା ପ୍ରକାରେ ଆଲିଗଣ୍ଡା ଗ୍ରାମର ଜୀବନ ମଲ୍ଲିକଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ସ୍ତ୍ରୀ ଶାନ୍ତି ମଲ୍ଲିକ ନିଜର ମାନସିକ ଭାରସାମ୍ୟ ହରାଇ ବସିଥିଲେ। ଯାହା ଦ୍ବାରା କି ପାଞ୍ଚଟି ଛୁଆଙ୍କ ଲାଲନପାଳନ ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଲା। ବିଭିନ୍ନ ସୂତ୍ରରୁ ଖବର ପାଇବା ପରେ ଜିଲ୍ଲାପାଳ ଙ୍କ ର ନିର୍ଦ୍ଦେଶ କ୍ରମେ ଚାଇଲଡଲାଇନ୍ ଏବଂ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉର କର୍ମକର୍ତ୍ତା 3ଟି ପୁତ୍ର ସନ୍ତାନଙ୍କୁ ଉଦ୍ଧାର କରି ଶିଶୁ ମଙ୍ଗଳ ସମିତିର ନିର୍ଦ୍ଦେଶ କ୍ରମେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରିଛନ୍ତି ଏବଂ ସେମାନଙ୍କର ଅଧାରହିଯାଇଥିବା ଶିକ୍ଷା କିପରି ପୁର୍ଣ୍ଣ ହେବ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଇଛି। ଏବଂ ଏହି ମହିଳାଙ୍କର ଅନ୍ୟ 2ଟି ଝିଅଙ୍କ ଯତ୍ନ ନେବା ଲାଗି ସିଡିପିଓ, ମୋହନା ଙ୍କୁ ଅନୁରୋଧ କରାଯାଇଛି।ମାନସିକ ଭାରସାମ୍ୟ ହରାଇଥିବା ମାର ମଧ୍ୟ ଚିକିତ୍ସାକୁ ସୁନିଶ୍ଚିତ କରିବା ପାଇଁ ଜିଲ୍ଲା ମୁଖ୍ଯ ଚିକିତ୍ସାଧକାରୀ, ଗଜପତି ଙ୍କୁ ଅନୁରୋଧ କରାଯାଇଛ।

ସେହିପରି ଅନ୍ତରବା ଗ୍ରାମର ଲୋକା ବିରଙ୍କର ମୃତ୍ୟୁ ପରେ ପରିବାର ପ୍ରତିପୋଷଣ କରିବାରେ ଅସମର୍ଥ ତଥା ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଥିବା ରୂପା ବୀର ଙ୍କର 2ଟି ସନ୍ତାନଙ୍କୁ ମଧ୍ୟ ଥଇଥାନ ଏବଂ ଉଚିତ୍ ଶିକ୍ଷା ନିମନ୍ତେ ଡ଼େ ଷ୍ଟାର ହୋମ୍ ଶିଶୁ ଯତ୍ନ ଅନୁଷ୍ଠାନ, ଜରାଉ, ମୋହନା ରେ ଥଇଥାନ କରାଯାଇଛି ।

ଉପରୋକ୍ତ 5 ଟି ଶିଶୁଙ୍କ ଶିକ୍ଷା ଏବଂ ଭବିଷ୍ୟତକୁ ନେଇ ଜିଲ୍ଲା ପ୍ରଶାସନ ସଜାଗ ରହିଥିବା ପ୍ରକାଶ କରିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀ।

ପିତୃମାତୃ ହୀନ ଶିଶୁଙ୍କ ଦଶମ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ।

ଏଥର ସମ୍ଭାଳ ବ୍ୟୁରୋ (ପାରଳାଖେମୁଣ୍ଡି)-ପ୍ରାକୃତିକ ଦୁର୍ବିପାକ ଏବଂ କୋଭିଡ଼ ମହାମାରୀ ସିନା ପିଲାମାନଙ୍କ ଠାରୁ ବାପା ଓ ମାଙ୍କୁ ନେଇଗଲା କିନ୍ତୁ ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡା ଙ୍କ ନେତୃତ୍ବରେ ଜିଲ୍ଲା ପ୍ରଶାସନ କିନ୍ତୁ ପିଲାମାନଙ୍କୁ ବାପା ମାଁ ର ସ୍ନେହ, ମମତା, ଯତ୍ନ ଏବଂ ସୁରକ୍ଷାରେ ଏପରି ବାନ୍ଧି ରଖିଛି ଯେ ପିଲାମାନେ ଆଜି ପ୍ରକାଶ ପାଇଥିବା ଓଡ଼ିଶା ସରକାର ଦଶମ ଶ୍ରେଣୀ ପରୀକ୍ଷାରେ ଶତକଡ଼ା ୭୦ ରୁ ୯୦ ପ୍ରତିଶତ ମାର୍କ ରଖି କୃତକାର୍ଯ୍ୟ ହୋଇଛନ୍ତି।
ତେଣୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯକ୍ତ ବିରେନ୍ଦ୍ର କୁମାର ଦାସ ଆଜି ପ୍ରାଉଡ଼୍ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନକୁ ଯାଇ ଏହି ଖୁସି ମୁହୁର୍ତ୍ତରେ ପିଲାମାନଙ୍କ ସହ କିଛି ସମୟ କଟାଇବା ସହ ମିଠା ଖୁଆଇ ପିଲାମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହି ଅବସରରେ ଶ୍ରୀ ଦାସ ପିଲାମାନଙ୍କୁ ସମ୍ବର୍ଦ୍ଧିତ କରି କହିଥିଲେ ଯେ ପିଲାମାନେ ଆଗକୁ କିପରି ଆହୁରି ଭଲ କରିବେ ସେଥିପ୍ରତି ଧ୍ୟାନ ଦେବେ ଏବଂ ଜିଲ୍ଲା ପ୍ରଶାସନ ସେମାନଙ୍କ ପାଖରେ ପ୍ରତି ମୂହୁର୍ତ୍ତରେ ଛିଡ଼ା ହୋଇଥିବା କଥା କହି ଉତ୍ସାହିତ କରିଥିଲେ।
ଯେଉଁ ଶିଶୁମାନେ ଆଜିର ଦିନରେ ଦଶମ ପରୀକ୍ଷାରେ ଭଲ କରିଛନ୍ତି ସେମାନେ ହେଉଛନ୍ତି ତିତିଲି ମହାବାତ୍ୟା ଏବଂ କୋଭିଡ଼ ମହାମାରୀ ରେ ନିଜର ପିତାମାତାଙ୍କୁ ହରାଇ ସରକାର ଏବଂ ଜିଲ୍ଲା ପ୍ରଶାସନର ସହଯୋଗରେ ରହିଆସୁଥିବା ଶିଶୁମାନେ ।
ଗଜପତି ଜିଲ୍ଲାର ପିତୃମାତୃ ହରାଇ ବିଭିନ୍ନ ଶିଶୁଯତ୍ନ ଅନୁଷ୍ଠାନ ମାନଙ୍କରେ ରହିଆସୁଥିବା ଶିଶୁ ମାନଙ୍କ ଭିତରୁ ୨୦ ଜଣ ଶିଶୁ ଦଶମ ଶ୍ରେଣୀ ବୋର୍ଡ଼ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ସମସ୍ତ ଶିଶୁ କୃତକାର୍ଯ୍ୟ ହୋଇଥିଲାବେଳେ ଜଣେ ଶିଶୁ ଶତକଡ଼ା ୮୦ ରୁ ଉର୍ଦ୍ଧ୍ବ ମାର୍କ ରଖି A2 ରେ ସ୍ଥାନ ପାଇଥିବା ବେଳେ ସେମାନଙ୍କ ଭିତରୁ ୧୦ ଜଣ ଶିଶୁ ଶତକଡ଼ା ୭୫ ରୁ ଉର୍ଦ୍ଧ୍ବ ମାର୍କ ରଖି B1 ରେ ସ୍ଥାନ ପାଇଛନ୍ତି।
A2 ଏବଂ B1 ସ୍ଥାନ ପାଇଥିବା ଶିଶୁ ମାନଙ୍କ ମଧ୍ୟରୁ ଜଣେ ତିତିଲି ମହାବାତ୍ୟାରେ ଅନାଥ ହୋଇଥିଲା ବେଳେ ଅନ୍ୟ ଦୁଇଜଣ କୋଭିଡ଼ ମହାମାରୀରେ ନିଜର ପିତା ମାତାଙ୍କୁ ହରାଇ ଜିଲ୍ଲା ପ୍ରଶାସନ ଏବଂ କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ସହାୟତାରେ ବଢ଼ିଚାଲିଛନ୍ତି।
ପ୍ରକାଶ ଥାଉକି ଯେ କୋଭିଡ଼ ମହାମାରୀରେ କୋଭିଡ଼ ଯୋଗୁଁ ନିଜ ମାତା ପିତାଙ୍କୁ ହରାଇ PM Care for Children Scheme ରେ ସ୍ଥାନ ପାଇଥିବା 8 ଜଣ ଶିଶୁଙ୍କ ମଧ୍ୟରୁ ଜଣେ ଶିଶୁ ଶତକଡ଼ା ୯୩ ମାର୍କ ରଖି A1 ରେ ସ୍ଥାନ ପାଇଛନ୍ତି।
ଆଜି ଦିନରେ କୃତକାର୍ଯ୍ୟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ଚାରିଜଣ ଶିଶୁ ବିବେକାନନ୍ଦ ରେସିଡ଼ନ୍ସିଆଲ୍ ସ୍କୁଲ, ଏସ୍.ଉରୁଡ଼ା, ଚାରି ଜଣ ଶିଶୁ ଶ୍ରୀଜଗନ୍ନାଥ ନିକେତନ,ଆର୍.ସୀତାପୁର, ଚାରି ଜଣ ଶିଶୁ ପ୍ରାଉଡ଼, ବି.ସୀତାପୁର, ତିନି ଜଣ ଶିଶିୁ ନିସାନ ସାଲୋମ ଚିଲ୍ଡ୍ରେନ୍ ହୋମ୍, ଗୁମ୍ମା ଏବଂ ଅନ୍ୟ ପାଞ୍ଚଜଣ ଶିଶୁ ଡ଼େ ଷ୍ଟାର ହୋମ୍, ଜରାଉ, ମୋହନା ଶିଶୁଯତ୍ନ ଓ ସୁରକ୍ଷା ଅନୁଷ୍ଠାନରେ ରହି ଆସୁଛନ୍ତି।
ଆଗାମୀ ଦିନରେ ଶିଶୁମାନଙ୍କ ଉଚ୍ଚଶିକ୍ଷା ପାଇଁ ଶିଶୁମାନଙ୍କ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମ ଲେଖାଇ ସମସ୍ତ ସହଯୋଗ ଯୋଗାଇବା ପାଇଁ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେଇଛି।

ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ଖଟିଆରେ ଆସିଲେ ପ୍ରସୂତୀ…!

ଏଥର ସମ୍ଭାଳ ବ୍ୟୁରୋ(ଗଜପତି)- ଗାଁକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ନାହିଁ। ତେଣୁ ଯାଇପାରିଲା ନାହିଁ ଆମ୍ୱୁଲାନ୍ସ। ପରିବାର ଲୋକେ ବାଧ୍ୟ ହୋଇ ଖଟିଆରେ ପ୍ରସୂତିଙ୍କୁ ୪ କିମି ବୋହି ନେଲେ। ଜନନୀ ଯନ୍ତ୍ରଣାର ଏପରି କରୁଣ ଚିତ୍ର ଆସିଛି ଗଜପତି ଜିଲ୍ଲାରୁ। ନୂଆଗଡ୍‌ ବ୍ଲକ୍‌ ସର୍ଗିସାହି ଗାଁର ଦାନିଏଲ୍‌ ରଇତଙ୍କ ସ୍ତ୍ରୀ ମିନାକ୍ଷୀ ସୋମବାର ଗର୍ଭ ଯନ୍ତ୍ରଣା ପାଇଥିଲେ। ତାଙ୍କୁ ମେଡ଼ିକାଲ୍‌ ନେବା ପାଇଁ ପରିବାର ଲୋକେ ସଙ୍ଗେ ସଙ୍ଗେ ୧୦୨ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଠିକ୍‌ ସମୟରେ ଆମ୍ୱୁଲାନ୍ସ ଆସିଥିଲା। ହେଲେ ଗାଁରେ ଯାଇପାରିଲା ନାହିଁ। ଗାଁଠାରୁ ପ୍ରାୟ ୪ କିମି ଦୂରରେ ଅଟକିଲା ଆମ୍ୱୁଲାନ୍ସ। ରାସ୍ତା ଖରାପ ଯୋଗୁ ଗାଁ ଆମ୍ୱୁଲାନ୍ସ ଯାଇପାରିଲା ନାହିଁ। ତେଣୁ ଗାଁ ଲୋକେ ମିନାକ୍ଷୀଙ୍କୁ ଖଟିଆରେ ୪ କିମି ବୋହି ନେଇଥିଲେ। ପରେ ତାଙ୍କୁ ସେଠାରୁ ଆମ୍ବୁଲାନ୍ସରେ ନିଆଯାଇ ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲା। ମେଡ଼ିକାଲ୍‌ରେ ଚିକିତ୍ସା ପରେ ତାଙ୍କର ପୁତ୍ର ସନ୍ତାନ ଜନ୍ମ ହୋଇଛି। ପ୍ରସବ ପରେ ମାଆ ଓ ଛୁଆ ସୁସ୍ଥ ଅଛନ୍ତି। ଆଜି ସେମାନେ ଘରକୁ ଫେରିଛନ୍ତି। ଫେରିବା ସମୟରେ ସେ ପୁଣି ୪ କିମି ଖଟିଆରେ ଗାଁକୁ ଫେରିଛନ୍ତି। ସୂଚନାରୁ ପ୍ରକାଶ, ଗାଁକୁ ଯିବା ପାଇଁ ରାସ୍ତାକୁ ଭଲ ରାସ୍ତା ଖଣ୍ଡିଏ ନାହିଁ। ଗାଁ ଲୋକେ ଏନେଇ ବହୁବାର ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି। ମାତ୍ର ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି। ଯେଉଁଥିପାଇଁ ଗାଁ ଲୋକେ ଏପରି ଯନ୍ତ୍ରଣା ଭୋଗୁଛନ୍ତି।